କନ୍ଧମାଳ ହିଂସାର ୧୭ବର୍ଷ ପରେ..

14 Views
14 Min Read

ଆମେ ପୂର୍ବସଂଖ୍ୟାରେ କହିଥିଲୁ ଯେ ଯଦିଓ କନ୍ଧମାଳର ପରିସ୍ଥିତି ଶାନ୍ତ ଲାଗୁଛି, ୨୦୦୮ ହିଂସାର ଆଗଧାଡ଼ିରେ ଥିବା ବହୁତ ଲୋକଙ୍କ କଥାରୁ ସେମାନଙ୍କର କିଛି ପରିବର୍ତ୍ତନ ହେଲାଭଳି ଜଣାପଡ଼ୁଛି, ଚର୍ଚ୍ଚର ନେତୃତ୍ୱ ସମସ୍ତ ଅପରାଧିଙ୍କୁ କ୍ଷମା ଦେଲାଭଳି ମାନସିକତାରେ ଅଛନ୍ତି ଏବଂ କନ୍ଧମାଳର ଏକ ପ୍ରମୁଖ ଆଦିବାସୀ ସଂଗଠନ ‘କୁଇ ସମାଜ’ ମଧ୍ୟ ନିଜକୁ ଏକ ସ୍ୱାଧୀନ ପରିଚୟ ଦେବାପାଇଁ ଉଦ୍ୟମ କରିବାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି, କିନ୍ତୁ ପରିସ୍ଥିତି ଯେ ସମ୍ପୂର୍ଣ୍ଣଭାବେ ସୁଧୁରିଯାଇଛି ଏବଂ ଆଗକୁ ସେଭଳି ବଡ଼ଧରଣର କିଛି ଅଘଟଣ ପୁଣି ଘଟିବ ନାହିଁ ଏକଥା କହିହେବ ନାହିଁ ।
ପ୍ରଥମ କଥାଟି ହେଉଛି ଯେ କାଁ ଭାଁ କେତୋଟି ଘଟଣା ଛାଡ଼ିଦେଲେ କନ୍ଧମାଳର ପରିସ୍ଥିତି ଦେଖିବାପାଇଁ ଶାନ୍ତ ଲାଗୁଛି, କିନ୍ତୁ ହିଂସାରେ ସିଧାସଳଖ ନିଜର ଅତ୍ମୀୟସ୍ୱଜନ, ଘର, ଗାଁ, ଜମି ହରାଇଥିବା ପୀଡ଼ିତମାନଙ୍କ ମନରେ ପ୍ରତିଶୋଧର ଭାବନା ନ ଆସିଲେ ବି ଏକପ୍ରକାର ଆତଙ୍କ ବସାବାନ୍ଧି ରହିଛି । ଭବିଷ୍ୟତରେ ପୁଣିଥରେ ୨୦୦୮ର ଘଟଣା ପୁନରାବୃତ୍ତି ହୋଇ ପାରେ ଏଭଳି ଆଶଙ୍କାକୁ ସେମାନେ ଏଡ଼ାଇଦେଇ ପାରୁନାହାଁନ୍ତି । ୨୦୦୮ ହିଂସାରେ ସଂଖ୍ୟାଲଘୁ ଖ୍ରୀଷ୍ଟିୟାନମାନେ ରହୁଥିବା କେତୋଟି ଗାଁ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ିଯାଇଛି । ସେ ସମୟରେ ଅପେକ୍ଷାକୃତ ନିରାପଦ ମନେ କରାଯାଉଥିବା କେତେକ ସ୍ଥାନରେ ହିଂସା ପୀଡ଼ିତାଙ୍କ ପାଇଁ ଥଇଥାନ ଶିବିର ହୋଇଥିଲା । ଏବେ କେତେକ ଶିବିର ଗୋଟିଏ ଗୋଟିଏ ଗାଁର ରୂପ ନେଲେଣି । ହିଂସା ଘଟଣାର ୧୭ବର୍ଷ ପରେ ବି ଲୋକେ ନିଜେ ଛାଡ଼ି ଆସିଥିବା ଗାଁ, ଜମି ବା ଘରକୁ ଫେରିପାରୁ ନାହାଁନ୍ତି । ବଂଶର କେହିବି ଯଦି ମୃତ୍ୟୁବରଣ କରେ, ସେଥିପାଇଁ ଏକ ରୀତି ପାଳନ କରାଯାଇଥାଏ ଯାହା ‘ମାଡ଼ା’ ନାମରେ ପରିଚିତ । ହିଂସାର ୪ କି ୫ବର୍ଷ ପରେ ଏହି ‘ମାଡ଼ା’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ହିଂସ୍ରଗୋଷ୍ଠିରେ ସାମିଲ୍ ହୋଇଥିବା ଲୋକେ ଏବଂ ହିଂସା ପୀଡ଼ିତମାନେ ଏକାଠି ହେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ସେହି ପରମ୍ପରାଟି ୧୦ବର୍ଷରୁ ଊଦ୍ଧ୍ୱର୍କାଳ ଧରି ଚାଲିଛି । ଯେଉଁମାନଙ୍କର ଗାଁରେ ଜମି ରହିଛି ଓ ସେମାନେ ବାସଚ୍ୟୁତ ହୋଇଯାଇଛନ୍ତି, ସେମାନଙ୍କ ଭିତରେ ଅଧିକାଂଶ ନିଜ ଜମିରେ ଚାଷ କରିବା ପାଇଁ ଏବେ ବି ଭୟ କରୁଛନ୍ତି । ଗାଁକୁ ଫେରିବା କଥାପଡ଼ିଲେ ପ୍ରାୟ ସମସ୍ତଙ୍କ ମୁହଁରୁ ଗୋଟିଏ ଉତ୍ତର, “ଦୁଇଶହ ବର୍ଷର ଏମିତି ଭାଇଚାରା ଏବଂ ବିଶ୍ୱାସର ସମ୍ପର୍କ ଭିତରେ ଯଦି ସେମାନେ ଆମ ଘର ଜାଳିଦେଇ ପାରିଲେ, ଆମକୁ ମାରିବା ପାଇଁ ଆସିଲେ, ଆମ ମା’ମାନେ ତାଙ୍କର ଶିକାର ହେଲେ, ସେମାନେ ଏବେ କେତେ ଅନୁତାପ କଲେ ବି ଆଉ ଭରସା ଆସୁନାହିଁ ଗାଁକୁ ଫେରିବା ପାଇଁ ।” ଅନେକ କଥାବି ଶୁଣିବାକୁ ମିଳିଲା । ଅତି ହିଂସ୍ରହୋଇ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରୁଥିବା କିଛି ଲୋକ ଭୟଙ୍କର ଅସୁବିଧାରେ ପଡ଼ି ଚର୍ଚ୍ଚର ଧର୍ମଯାଜକକୁ ଡାକି ନିଜ ଘରେ ଶାନ୍ତି ପାଇଁ ସାମୂହିକ ପ୍ରାର୍ଥନାର ଆୟୋଜନ କରିଥିଲେ । କିଛି ଲୋକ ଅନୁତାପ ଭିତରେ ମୃତ୍ୟୁବରଣ ବି କଲେ । ଆମେ କିଛି ଲୋକଙ୍କୁ ଭେଟିଥିଲୁ ଯେଉଁମାନେ ସଂକଳ୍ପ ନେଇଛନ୍ତି ଯେ ପୁଣି ଥରେ ସେମାନେ କନ୍ଧମାଳକୁ ଅଶାନ୍ତ କରାଇବାପାଇଁ ସୁଯୋଗ ଦେବେ ନାହିଁ । ଉଭୟ ସମ୍ପ୍ରଦାୟ ଭିତରେ ଭଲ ସମ୍ପର୍କ ପ୍ରତିଷ୍ଠା ପାଇଁ ସେମାନେ ଏବେ ଚେଷ୍ଟିତ ।
କନ୍ଧମାଳରେ ସୁସ୍ଥ ଏବଂ ବଳିଷ୍ଠ ନାଗରିକ ସମାଜ ନଥିବା ବେଳେ, ପୂର୍ବ ନବୀନ ପଟ୍ଟନାୟକ ସରକାରଙ୍କର ଉଦ୍ୟମରେ ସ୍ଥାନୀୟ ସ୍ତରର ନାଗରିକମାନେ କେତେକ ଅଞ୍ଚଳରେ ଶାନ୍ତିଦୂତ ଭଳି କାମ କରିଆସିଥିଲେ । କନ୍ଧମାଳ ଉପରେ ଗବେଷଣା କରୁଥିବା ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଅରୁଣ ପଟ୍ଟନାୟକ ଆମ ସମ୍ପାଦକଙ୍କ ସହ ଆଲୋଚନାବେଳେ କହୁଥିଲେ ଯେ ଏହି ଶାନ୍ତିଦୂତମାନଙ୍କୁ ନେଇ ତାଙ୍କର ନିଜର ଏବଂ ତାଙ୍କ ଛାତ୍ର ରାଜେଶ ବାଗ୍ ଙ୍କ ପ୍ରତ୍ୟକ୍ଷ ଅନୁଭୂତି ବେଶ୍ ଭଲ ଥିଲା । ଏହି ଶାନ୍ତିଦୂତମାନଙ୍କୁ ସମାଜ ଓ ସରକାର ସମ୍ମାନିତ କରିଥିଲେ, ସେମାନଙ୍କ ପ୍ରୟାସ ଜାରି ରଖିବାପାଇଁ ଅଧିକ ପ୍ରେରଣା ମିଳିପାରିଥାନ୍ତା ବୋଲି ପ୍ରଫେସର ପଟ୍ଟନାୟକ କହୁଥିଲେ । ଏହିକଥା ସତଯେ ଏକ ଜଟିଳ ସାମାଜିକ ପରିସ୍ଥିତିରେ ଭାଇଚାରା ଓ ସମ୍ପ୍ରୀତି ପ୍ରତିଷ୍ଠା କରିବା ପାଇଁ ହେଉଥିବା ଉଦ୍ୟମକୁ ଯଦି ସ୍ୱୀକୃତି ଓ ପ୍ରୋତ୍ସାହନ ନମିଳେ ତେବେ ପୁଣିଥରେ ସେ ସବୁ ନିଷ୍ପ୍ରିୟତା ଆଡ଼କୁ ଚାଲିଯିବ । କିଛି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ କନ୍ଧମାଳରେ ଶାନ୍ତିପ୍ରତିଷ୍ଠା ପାଇଁ ୨୦୦୮ହିଂସା ପରବର୍ତ୍ତୀ ଅବସ୍ଥାରେ ସକ୍ରିୟ ଥିଲେ, ଯଦି ଓ ସେମାନଙ୍କ ଭୂମିକାକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । କିନ୍ତୁ ସେଭଳି ଏକ ପ୍ରୟାସ ବର୍ଷସାରା ଜାରିରହିବା ଉଚିତ ଥିଲା । ଏବେ ଉଭୟ ସମ୍ପ୍ରଦାୟଙ୍କ ଭିତରେ ଆପେଆପେ ସମ୍ପର୍କ ପୁନଃପ୍ରତିଷ୍ଠିତ ହୋଇଛି ବୋଲି କୁହାଯାଉଛି । ତେବେ ଏହିକଥା ସେଇମାନେ କହୁଛନ୍ତି ଯେଉଁମାନେ ନିଜେ ୨୦୦୮ହିଂସାର ପୀଡ଼ିତ ନଥିଲେ ବା କେବଳ ଦେଖଣାହାରି ହୋଇ ହିଂସାକୁ ବୈଧତା ଯୋଗାଇଥିଲେ । ଯେଉଁମାନଙ୍କର କୌଣସି ପ୍ରକାର ଅସୁବିଧା ହୋଇନଥିଲା ସେମାନେ ଶାନ୍ତି ଆସିଯାଇଛି ବୋଲି କହୁଛନ୍ତି । କେହିକେହି ମଧ୍ୟ ଆମକୁ କହୁଥିଲେ ଯେ ‘ବାହାର ଲୋକଙ୍କର ହସ୍ତକ୍ଷେପ’ ଯଦି ନହୁଏ ତେବେ କନ୍ଧମାଳରେ ଅସୁବିଧା କିଛି ହେବ ନାହିଁ ।
ଅନ୍ୟପଟେ ଆଦିବାସୀମାନଙ୍କୁ ହିନ୍ଦୁ କରାଇବା ଏବଂ ହିନ୍ଦୁମାନଙ୍କୁ ହିନ୍ଦୁତ୍ୱ ଆଡ଼କୁ ନେବା କାମଟି ଖୁବ୍ ଭଲଭାବେ ଚାଲିଛି । ଉପକୂଳ ଅଞ୍ଚଳର କିଛି ପର୍ବ, ପୂଜା ଓ ଆରାଧନାକୁ କନ୍ଧମାଳରେ ପ୍ରସାରିତ କରାଯାଉଛି । ଏହି କଥା ସମସ୍ତେ ଜାଣନ୍ତିଯେ କନ୍ଧମାଳର ପ୍ରତ୍ୟେକ ଅଞ୍ଚଳରେ ଲୋକମାନଙ୍କର ନିଜସ୍ୱ ଦେବାଦେବୀ ଅଛନ୍ତି । କିନ୍ତୁ ସେହିସବୁକୁ ଗୌଣକରି ଉପକୂଳ ଅଞ୍ଚଳର କିଛି ପୂଜା କାର୍ଯ୍ୟକ୍ରମ ଏବେ ଜୋରଦାର କରାଯାଉଛି । ସେହି ଭିତରେ ଅଛି ‘ଠାକୁରାଣୀ ଯାତ୍ରା’ ବିଭିନ୍ନ ପ୍ରକାରର ‘ଓଷା ଓ ବ୍ରତ’, ‘ରାମ ନବମୀ’, ‘ହନୁମାନ ଜୟନ୍ତୀ’, ‘କୃଷ୍ଣ ଜନ୍ମାଷ୍ଟମୀ’ ଇତ୍ୟାଦି । ‘ଜନ୍ମାଷ୍ଟମୀ’ କାର୍ଯ୍ୟକ୍ରମଟିକୁ ‘ସ୍ୱାମୀ ଲକ୍ଷ୍ମଣାନନ୍ଦ’ କନ୍ଧମାଳରେ ଭଲଭାବେ ପରଚିତ କରାଇଥିଲେ । କନ୍ଧମାଳର ଆଦିବାସୀ ଓ ଦଳିତମାନଙ୍କ ପ୍ରତି ଏହି ପର୍ବ ବା ପୂଜା କାର୍ଯ୍ୟକ୍ରମଗୁଡ଼ିକ ନୂଆ ଏବଂ ବାହାରୁ ଆସିଥିବା ପରମ୍ପରା ହିସାବରେ ପରିଚିତ ଥିଲାବୋଲି ସେଠାକାର ବୁଦ୍ଧିଜୀବୀମାନେ କୁହନ୍ତି । ଅଧିକାଂଶ ଦଳିତ ଖ୍ରୀଷ୍ଟଧର୍ମାଲମ୍ବୀ ଥିଲାବେଳେ ଅଧିକାଂଶ ଆଦିବାସୀଙ୍କୁ ଏହି ଭିତରେ ସେମାନେ ‘ହିନ୍ଦୁ’ କହି ଭିନ୍ନ ଏକ ପରିଚୟ ସୃଷ୍ଟି କରିବା ପାଇଁ ଉଦ୍ୟମ ହୋଇଚାଲିଛି । ଆଦିବାସୀମାନେ ପଇତା ପିନ୍ଧିବା ଏବଂ ଦଣ୍ଡଯାତ୍ରାରେ ପ୍ରମୁଖ ଭୂମିକା ନେବା ଗତ ଦୁଇଦଶନ୍ଧି ଭିତରେ ବେଶି ବ୍ୟାପକ ହୋଇଛି । ସବୁ ନୂଆ ପରମ୍ପରାଗୁଡ଼ିକ ‘ବାହାରୁ ଆସୁଥିବା’ ଲୋକମାନଙ୍କ ଦ୍ୱାରା ଆରମ୍ଭ କରାଯାଉଛି ବୋଲି ସେଠାକାର ଲୋକମାନେ କୁହନ୍ତି । ବିବିଧ ଚର୍ଚ୍ଚର ସାମାଜିକ ପ୍ରଭାବ ଦଙ୍ଗା ପରବର୍ତ୍ତୀ ୧୭ବର୍ଷ ଭିତରେ ହ୍ରାସ ପାଇଛି । ଚର୍ଚ୍ଚ ସେମାନଙ୍କୁ ସୁରକ୍ଷା ଦେଇପାରିବ, ଏ ବିଶ୍ୱାସ ଲୋକଙ୍କ ମନରେ ଦୁର୍ବଳ ହୋଇଯାଇଛି । ସେହିଭଳି ଚର୍ଚ୍ଚକୁ ମଧ୍ୟ ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ ସୁରକ୍ଷା ଦେଇପାରିବେ ସେ ବିଶ୍ୱାସ ଚର୍ଚ୍ଚର ନେତୃତ୍ୱଙ୍କର ନାହିଁ । ସେଥିପାଇଁ ସେମାନେ ସରକାରଙ୍କ ସହ ଭଲସମ୍ପର୍କରେ ରହିବା ପାଇଁ ଉଦ୍ୟମ କରୁଛନ୍ତି । ଚର୍ଚ୍ଚ ସହିତ ଜଡ଼ିତ ଶିକ୍ଷିତ ବ୍ୟକ୍ତିବିଶେଷ ମଧ୍ୟ ସ୍ଥାନୀୟ ମଧ୍ୟବିତ୍ତ ଶ୍ରେଣୀଙ୍କ ସହ ଭଲସମ୍ପର୍କ ରଖିବା ଉପରେ ଗୁରୁତ୍ୱ ଦେଉଛନ୍ତି । ପୁରୁଣା କଥା ସେମାନେ ମନେ ପକାଇବା ପାଇଁ ଚାହୁଁ ନାହାଁନ୍ତି, ଯଦିଓ ସେମାନଙ୍କ ଭିତରୁ କିଛି ଭିନ୍ନମତ ରଖୁଛନ୍ତି । ବିଚାରଧାରାରେ ପରିବର୍ତ୍ତନ ଅପେକ୍ଷା ଏଭଳି ଏକ ମନୋଭାବ ନିଜର ସୁରକ୍ଷା ପାଇଁ ଏକ ରଣନୀତି ହିସାବରେ କାମ କରୁଛି ବୋଲି ସେମାନଙ୍କ ଭିତରୁ କେହି କେହି ଭାବନ୍ତି । ତେବେ ରାଜ୍ୟରେ ସିଧାସଳଖ ସଂଘ ପରିବାରର ରାଜନୈତିକ ଶାଖା ଭାଜପା କ୍ଷମତାକୁ ଆସିଯିବା ଫଳରେ ଏଭଳି ରଣନୀତିର ଗୁରୁତ୍ୱ ଅଧିକ ବଢ଼ିଯାଇଛି ।
କନ୍ଧମାଳର ହିଂସା ପୀଡ଼ିତାମାନଙ୍କ ମଧ୍ୟରେ ଏକା ମନୋଭାବ ନାହିଁ । ସେମାନେ ଏବେ ବି ଆଶଙ୍କା ଭିତରେ ରହୁଛନ୍ତି । ଯେଉଁମାନେ ୨୦୦୮ରେ ସଂଗଠିତ ହିଂସାରେ ଭାଗନେଇଥିଲେ, ସେମାନଙ୍କ ତରଫରୁ ସାମୂହିକ ପଶ୍ଚାତାପର କୌଣସି ସୂଚନା ନାହିଁ । ଏକାଠି ଆସି କ୍ଷମା ମାଗି ପୀଡ଼ିତାମାନଙ୍କୁ ଥଇଥାନ ହୋଇଥିବା ସ୍ଥାନରୁ ନିଜ ମୂଳ ଗାଁକୁ ଫେରାଇ ଆଣିବା ପାଇଁ ସେଭଳି କୌଣସି ଉଦ୍ୟମ ହୋଇଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳୁ ନାହିଁ । ଯେହେତୁ ପୋଲିସ ଓ ପ୍ରଶାସନ ଉପରେ ଭରସା କମିକମି ଯାଉଛି, ନିଜ ଜୀବନକୁ ବିପଦରେ ପକାଇ ପୁଣି ହିଂସାର ଶିକାର ହୋଇଥିବା ଗାଁଟିକୁ ଫେରିବାକୁ ସେଭଳି ଆଗ୍ରହ ଦେଖାଯାଉ ନାହିଁ । ଅପେକ୍ଷାକୃତ ଶାନ୍ତ ଅଞ୍ଚଳରେ ଯଦିଓ ପୀଡ଼ିତାମାନେ ଗାଁକୁ ଫେରିଛନ୍ତି କିନ୍ତୁ ହିଂସା ଦ୍ୱାରା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଗାଁର ଲୋକମାନେ ସେଠାକୁ ଫେରିବା ପାଇଁ ଚାହୁଁ ନାହାଁନ୍ତି । ଥଇଥାନ ହୋଇଥିବା ଲୋକମାନଙ୍କର ଅବସ୍ଥା ବି ସେମିତି କିଛି ଭଲ ନାହିଁ । କୁହନ୍ତି “ଗାଁ ଘର ସିନା ପାଇଲୁ ଆମେ ଖାଇବୁ କ’ଣ? ଆମେ ବଞ୍ଚିବୁ କେମିତି? ଚାଷଜମି ପାଖରେ ନାହିଁ । ମୂଲ ଲାଗିବା ପାଇଁ ସୁଯୋଗ ବି ନାହିଁ ।” ଆମେ ଗସ୍ତ କଲାବେଳେ ଥଇଥାନ ହୋଇଥିବା ଗୋଟିଏ ନୂଆ ଗାଁରେ ଦେଖିଲୁଯେ ୫୦ଭାଗ ଲୋକ ଜୀବିକା ଅନ୍ୱେଷଣରେ ସହରକୁ ଚାଲି ଯାଇଛନ୍ତି । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଏବେ ସେମାନଙ୍କ ପାଇଁ ରୋଜଗାରର ଭରସା ସାଜିଛି । କନ୍ଧମାଳରୁ କେରଳ ଓ ଅନ୍ୟାନ୍ୟ ରାଜ୍ୟକୁ କାମପାଇଁ ଦେଶାନ୍ତର ହେବା ଘଟଣା ବଢ଼ିଚାଲିଛି । ତେବେ ୨୦୦୮ର ହିଂସା ପରବର୍ତ୍ତୀ ପର୍ଯ୍ୟାୟରେ ପଳାୟନ ପ୍ରକ୍ରିୟା ଅନବରତ ଚାଲିଛି । ସରକାରଙ୍କ ପାଖରେ ଏହି ବାବଦରେ କଣ ସଠିକ୍ ତଥ୍ୟ ଅଛି ତାହା ସରକାର ହିଁ କହିପାରିବେ । କନ୍ଧମାଳରେ ଜମି ହଡ଼ପକୁ ନେଇ ଶହ ଶହ ମାମଲା ଅଦାଲତରେ ଏବେ ବି ଅଛି । ଅଧିକାଂଶରେ ଦଳିତମାନଙ୍କୁ ଆଦିବାସୀମାନଙ୍କର ଶତ୍ରୁ ହିସାବରେ ଦର୍ଶାଯାଉଥିଲା ବେଳେ ଏବେ କନ୍ଧମାଳରେ ଉପକୂଳିଆ ତଥା ଉଚ୍ଚଜାତିର ପତିଆରା ବଢ଼ିବଢ଼ି ଚାଲିଛି । ମାତ୍ର କେତୋଟି ଦଶନ୍ଧି ଭିତରେ ସେମାନଙ୍କ ସଂଖ୍ୟା ପ୍ରାୟ ୧୪୦ପ୍ରତିଶତ ବଢ଼ିଛି ବୋଲି ପୂର୍ବରୁ ‘ସମଦୃଷ୍ଟି’ରେ କୁହାଯାଇଛି । ଯେଉଁ ଛୋଟଛୋଟ ବ୍ୟବସାୟ ପୂର୍ବରୁ ଦଳିତମାନେ କରୁଥିଲେ ଏବେ ସେ ସବୁ ବହିରାଗତ ଅନ୍ୟଜାତିର ଲୋକମାନେ କରୁଛନ୍ତି । କୌତୁହଳର କଥାଯେ କନ୍ଧମାଳରେ ଗୋଟିଏ ବ୍ୟବସାୟିକ ଶ୍ରେଣୀ ଶକ୍ତିଶାଳୀ ହୋଇଛି ଏବଂ ସେମାନେ ସଂଘ ପରିବାର ତଥା ଏହାର କାର୍ଯ୍ୟକ୍ରମଗୁଡ଼ିକୁ ଭିତ୍ତିଭୂମି ଯୋଗାଉଛନ୍ତି । ଅନ୍ୟପଟେ ଉଭୟେ ଆଦିବାସୀ ଓ ଦଳିତଙ୍କର ନିର୍ଯାତନା ବଢ଼ିଚାଲିଛି ଏବଂ ଜୀବନ ଜୀବିକା ପାଇଁ ସେମାନେ ବାହାରକୁ ଯିବାରେ ଲାଗିଛନ୍ତି । ବିଡ଼ମ୍ବନାର କଥାଯେ ଏମାନଙ୍କର ଦେଶାନ୍ତର ପ୍ରକ୍ରିୟା ଅନବରତ ଚାଲିଥିବାବେଳେ ବାହାରୁ ଜିଲ୍ଲା ଭିତରକୁ ଆସୁଥିବା ଲୋକମାନଙ୍କର ସଂଖ୍ୟା ଓ ପତିଆରା ବଢ଼ିବଢ଼ି ଚାଲିଛି । କନ୍ଧମାଳର ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ଅସନ୍ତୁଳିତ ଏବଂ ଅଧିକ ବିପନ୍ନ ହେଲାଭଳି ଅନୁଧ୍ୟାନ ଓ ଆଲୋଚନାରୁ ଜଣାପଡ଼ୁଛି । ଯଦି ମାନ୍ୟବର ବିଧାୟକମାନେ ରାଜ୍ୟବିଧାନସଭାରେ କନ୍ଧମାଳର ସ୍ଥିତିକୁ ନେଇ ପ୍ରଶ୍ନ ପଚାରନ୍ତେ, ହୁଏତ କିଛି ଉତ୍ତର ଆଶା କରାଯାଇ ପାରନ୍ତା ।
ଆଉ ଗୋଟିଏ ପଟୁ ଦେଖିଲେ କନ୍ଧମାଳରେ ସରକାରୀ ବିଦ୍ୟାଳୟର ସଂଖ୍ୟା ହ୍ରାସ ପାଇଚାଲିଛି । ଏହି ଭିତରେ ୧୪୦ରୁ ଅଧିକ ବିଦ୍ୟାଳୟ ବନ୍ଦ ହୋଇସାରିଲାଣି । ଅନ୍ୟପଟେ ସରସ୍ୱତୀ ଶିଶୁମନ୍ଦିର ସଂଖ୍ୟା ବଢ଼ିଚାଲିଛି । ଇଂରାଜୀ ମାଧ୍ୟମ ସ୍କୁଲ ବଢ଼ିଛି । ଉଭୟ କଥାକୁ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ କିଛି କାରଣ ସୃଷ୍ଟିକରି ଯାହା ଚାଲିଛି ଠିକ୍ ଚାଲିଛି କହିବାରେ ପଛଘୁଞ୍ଚା ଦେଉନାହାଁନ୍ତି । ସେମାନଙ୍କ ଭିତରୁ ଅଧିକାଂଶଙ୍କର ପିଲାମାନେ ସହରମାନଙ୍କରେ ରହି ପାଠ ପଢ଼ୁଛନ୍ତି । ଡାକ୍ତରଖାନା ଥିଲେ ବି ଡାକ୍ତର ରହୁନାହାଁନ୍ତି । ଘରୋଇ ମେଡ଼ିକାଲ କଲେଜ ନଥିଲେ ଡାକ୍ତରଖାନା ମାନଙ୍କରେ ଡାକ୍ତରଟିଏ ଦେଖିବାକୁ ମିଳୁନଥାନ୍ତା । ସାମାନ୍ୟ କଥାରେ ବି ରୋଗୀମାନଙ୍କୁ ବାହାରକୁ ପଠାଇ ଦିଆଯାଉଛି । ସବୁ ଅସୁବିଧାର ତାଲିକାଟି ବେଶ୍ ଲମ୍ବା । ଜନପ୍ରତିନିଧିମାନଙ୍କର ସ୍ୱର ଅତି କ୍ଷୀଣ । ତଥାପି କନ୍ଧମାଳ ତାହାର ଗୁରୁତ୍ୱକୁ ମନେପକାଇ ଦେଉଛି ।
କନ୍ଧମାଳର କେତୋଟି କଥା ଭବିଷ୍ୟତ ପାଇଁ ଆଶା ବି ସୃଷ୍ଟି କରୁଛି । ପ୍ରଥମ କଥାଟି ହେଲାଯେ ଯେଉଁ ଗ୍ରେସିଙ୍ଗିଆ ଅଞ୍ଚଳଟି ୨୦୦୮ର ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପାଇଁ ଚର୍ଚ୍ଚାରେ ଥିଲା ଆଜି ସେହି ଗ୍ରେସାଙ୍ଗିଆରେ ଡ଼ଃ ବି.ଆର ଆମ୍ବେଦରକରଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । ଯେଉଁ ଆଦିବାସୀମାନେ ଦିନେ “ଗର୍ବରେ କୁହ ଆମେ ହିନ୍ଦୁ” କହୁଥିଲେ ଏହି ଆମ୍ବେଦକର ପ୍ରତିମୂର୍ତ୍ତି ପ୍ରତିଷ୍ଠାରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେମାନଙ୍କ ଭିତରୁ କେତେକଙ୍କ ସହିତ ଆଲୋଚନା ବେଳେ ନିଜ ଆଡ଼ୁ କହି ପକାଇଥିଲେ ଯେ ବାହାରର ଲୋକଙ୍କ ଉସୁକଣାରେ ସେମାନେ ପ୍ରଥଭ୍ରଷ୍ଟ ହୋଇଯାଇଥିଲେ । ସେମାନଙ୍କ ମନରେ ବିଷମଞ୍ଜି ଭରି ଦିଆଯାଇଥିଲା । କହିଲାବେଳେ ଅନୁତାପ ଓ ଅନୁଶୋଚନାର ଭାବନା ସେମାନଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇଯାଉଥିଲା । ‘ଆମ୍ବେଦକର ଓ ସମ୍ବିଧାନ’ କନ୍ଧମାଳର କେତେକ ଅଞ୍ଚଳରେ ଏକ ବଳିଷ୍ଠ ପ୍ରସଙ୍ଗ ହୋଇପାରୁଛି ଏହି କଥାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା । ଦ୍ୱିତୀୟ କଥାଟି ହେଲା: କନ୍ଧମାଳର ବହୁଚର୍ଚ୍ଚିତ ‘କୁଇ ସମାଜ’ର କଥା । ଏହି ସମାଜର ବିଚାରରେ କିଛି ପରିବର୍ତ୍ତନ ଆସିବା କଥା ଆମେ ଦେଖିବାକୁ ପାଇଲୁ । ଆମେ ସେମାନଙ୍କ ନେତୃତ୍ୱଙ୍କ ସହ ୨୦୦୭ ଏବଂ ୨୦୦୮ରେ ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ଫୁଲବାଣୀ, ବାଲିଗୁଡ଼ା, ଫିରିଙ୍ଗିଆ, ଜି-ଉଦୟଗିରି, ଦାରିଙ୍ଗିବାଡ଼ି ଇତ୍ୟାଦି ବିଭିନ୍ନ ଅଞ୍ଚଳର ‘କୁଇ ସମାଜ’ ନେତାମାନଙ୍କର ଚିନ୍ତାଧାରାରେ ପ୍ରଭେଦ ଦେଖିବାକୁ ମିଳୁଥିଲା । ସେ ପ୍ରଭେଦ ଏବେ ବି ଜାରିଅଛି କିନ୍ତୁ ଗୋଟିଏ ଆଖିଦୃଷ୍ଟିଆ ଗୋଷ୍ଠିର ବିଚାରରେ ପରିବର୍ତ୍ତନ ଆସିଲାଭଳି ଲାଗୁଛି । ସେମାନେ ଦଳିତ ଖ୍ରୀଷ୍ଟିୟାନମାନଙ୍କ ବିରୋଧରେ ଯିବା ଅପେକ୍ଷା ନିଜର ଅସ୍ମିତା ପାଇଁ ଏବଂ ଦୁଇଟି ସମୁଦାୟ ଭିତରେ ସୁ-ସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ଯେମିତି ଉଦ୍ୟମ କରୁଛନ୍ତି । ସଂଘ ପରିବାରର ଉସୁକାଣରେ ପଡ଼ି ସେମାନେ ଅନେକ କିଛି ହରାଇଛନ୍ତି ବୋଲି ଅନୁଭବ କରୁଛନ୍ତି । ସେମାନଙ୍କର ନିଜର ପାରିବାରିକ ଜୀବନ କ୍ଷତିଗ୍ରସ୍ତ ହୋଇଛି । ଘୃଣ୍ୟ ଘଟଣାଗୁଡ଼ିକର ଯେଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ସେମାନେ ଯେମିତି ଏକ ପ୍ରକାର ସାମୂହିକ ନିଷ୍ପତ୍ତି ନେଇଛନ୍ତି । ସମ୍ବଳ ଦୃଷ୍ଟିରୁ ନିଜେ ଦୁର୍ବଳ ଥିଲେବି ସେମାନଙ୍କର ସଂକଳ୍ପ ଅତି ଗୁରୁତ୍ୱପୂର୍ଣ୍ଣ ମନେହୁଏ ।
ତୃତୀୟଟି ହେଉଛି: କନ୍ଧମାଳରେ ହିଂସା ପୀଡ଼ିତାଙ୍କ ମନରେ ପ୍ରତିହିଂସା, ପ୍ରତିଶୋଧର ଭାବନା ପରିବର୍ତ୍ତେ ଅପରାଧିଙ୍କୁ କ୍ଷମାଦେବା ଓ ‘ଈଶ୍ୱର ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ।’ କହିବା- ଏଭଳି ଏକ ମନୋଭାବ ପ୍ରାୟ ସମସ୍ତଙ୍କ ପାଖରେ ଦେଖାଯିବା କିଛି କମ୍ କଥା ନୁହଁ । ହିଂସା କରୁଥିବା ଲୋକମାନଙ୍କ ପାଖରେ ଏକ ବିରାଟ ଶକ୍ତିଅଛି ବା ସେମାନଙ୍କ ପାଖରେ ପଇସା ଅଛି, ସେ ସମ୍ପର୍କରେ ଏହି ଲୋକମାନଙ୍କର କୌଣସି ସୂଚନା ନାହିଁ ବା ଚିନ୍ତା ବି ନାହିଁ । ଗ୍ରାହମ୍ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁତ୍ରଙ୍କର ଯେଉଁଭଳି ଭାବେ ଜାନୁଆରୀ ୨୩, ୧୯୯୯ ମସିହାରେ ହତ୍ୟା କରାଗଲା, ସେତେବେଳେ ମଧ୍ୟ ତାଙ୍କ ସ୍ତ୍ରୀ ଗ୍ଲାଡ଼ିସ୍ ଷ୍ଟେନ୍ସ ହତ୍ୟାକାରୀ ମାନଙ୍କୁ ଏକାଭଳି କ୍ଷମା ଦେଇଥିଲେ ଓ ‘ଈଶ୍ୱର ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ’ ବୋଲି କହିଥିଲେ । ସେହି ‘କ୍ଷମା’ର ପ୍ରତିଧ୍ୱନି ଆମକୁ କନ୍ଧମାଳରେ ଶୁଣିବାକୁ ମିଳିଥିଲା । ‘ସ୍ୱାମୀ ଲକ୍ଷ୍ମଣାନନ୍ଦ’ଙ୍କର ଯେଉଁମାନେ ହତ୍ୟାକଲେ ତାହାର ପରିଣାମ ସେମାନେ ଭାବି ନଥିଲେ । ଏହି କଥା ସତ ଯେ ସେ ଉଗ୍ରଭାବେ ସଂଖ୍ୟାଲଘୁ ମାନଙ୍କ ବିରୋଧରେ ପ୍ରଚାର କରୁଥିଲେ । କିନ୍ତୁ ସେ ଏକ ସ୍ୱୟଂସମ୍ପନ୍ନ ବ୍ୟକ୍ତି ନଥିଲେ । ସେ କେବଳ ଶାନ୍ତ ଦେଖାଯାଉଥିବା ଅଥଚ ଉଗ୍ର ମାନସିକତାକୁ ବ୍ୟାପକ କରାଇପାରୁଥିବା ଶକ୍ତିମାନଙ୍କର କେବଳ ଏକ ଭିନ୍ନ ପ୍ରତିନିଧି ଥିଲେ । ତାଙ୍କର ଭୁଲ୍ ଥିଲା ଯେ ସେ ଉଗ୍ର ଦେଖା ବି ଯାଉଥିଲେ । ହତ୍ୟାକାରୀମାନଙ୍କର ବୁଝିବାରେ ଗୁରୁତର ସଙ୍କଟ ଥିଲା ଯଦିଓ କାହାର ବି ହତ୍ୟାକୁ ଆମେ ଗ୍ରହଣ କରିପାରିବା ନାହିଁ । ‘ସ୍ୱାମୀ ଲକ୍ଷ୍ମଣାନନ୍ଦ’ଙ୍କର ହତ୍ୟାପରେ ସେ ପ୍ରତିନିଧିତ୍ୱ କରୁଥିବା ଶକ୍ତିମାନଙ୍କର କାମଟି କନ୍ଧମାଳରେ ବ୍ୟାପକଭାବେ ଚାଲିଥିବାର ଅଭ୍ୟାସ ଆମକୁ ମିଳିଥିଲା । ଅଧିକ ଦିନ ରହି ଅଧ୍ୟୟନ କଲେ ଆହୁରି ଅନେକ କଥା ସ୍ପଷ୍ଟ ଭାବେ ମିଳିପାରନ୍ତା ।
କନ୍ଧମାଳରେ ପ୍ରଗତିଶୀଳ ଲେଖକ, ସାମ୍ବାଦିକ ଏବଂ ବୁଦ୍ଧିଜୀବୀଙ୍କର ଘୋର ଅଭାବ ରହିଛି । ଦେବାଦେବୀଙ୍କ ନାଁରେ ଚାଲୁଥିବା ଏବଂ ଦିନକୁ ଦିନ ବଢ଼ିଚାଲିଥିବା କାର୍ଯ୍ୟକ୍ରମଗୁଡ଼ିକ ଏମାନେ ଭାଗନେଇ ବା ସେସବୁକୁ ସଠିକ୍ ମୂଲ୍ୟାୟନ ନକରି ଯେମିତିକି ସଂଘ ପରିବାର ପାଇଁ ଏକ ପ୍ରକାର ଗ୍ରହଣୀୟତା ସୃଷ୍ଟି କରିଚାଲିଛନ୍ତି । କନ୍ଧମାଳର ବଣିକଶ୍ରେଣୀର ଏହି କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଆର୍ଥିକ ସହଯୋଗ ରହିଆସିଛି । କର୍ପୋରେଟ୍ ସହଯୋଗର ଦୃଶ୍ୟ ପ୍ରଭାବ କିଛି ଦେଖିବାକୁ ମିଳୁନାହିଁ । ଏମାନେ ସମସ୍ତେ ଅଘୋଷିତ ଭାବେ ଏକାଠି ହୋଇଯିବା କନ୍ଧମାଳର ମୂଳ ଅଧିବାସୀ-ଆଦିବାସୀ ଓ ଦଳିତମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରୁଛି । ଦେଶାନ୍ତର ଘଟଣାଗୁଡ଼ିକ ଯେଉଁଭଳି ବଢ଼ିଚାଲିଛି ଆଗାମୀ ଦିନରେ ବିଧାନସଭା ଆସନ ଗୁଡ଼ିକ ମଧ୍ୟ ଗୋଟିଏ ପରେ ଗୋଟିଏ ଅଣଆଦିବାସୀ ଓ ଅଣଦଳିତମାନଙ୍କ ହାତକୁ ଚାଲିନଯିବ, ଏହିକଥାକୁ ଏଡ଼ାଇ ଦେଇହେବ ନାହିଁ । ଏମିତିରେ ତ କନ୍ଧମାଳ ସାଂସଦ ଆସନଟି ଯାହାପୂର୍ବରୁ ସଂରକ୍ଷିତ ଥିଲା, ଅନ୍ୟଜାତି ମାନଙ୍କ ପାଇଁ ଉନ୍ନୁକ୍ତ ହୋଇସାରିଛି ।
ଶାନ୍ତି ଆଶା କରିବା ଏବଂ ଶାନ୍ତି ପାଇଁ ନିରନ୍ତର ପ୍ରୟାସ କରିବା ଭିତରେ ବହୁତ ବଡ଼ ପ୍ରଭେଦ ଅଛି । ଆମେ ସମସ୍ତେ ସେହି ପ୍ରଭେଦଟିକୁ ବୁଝିପାରି କାମକଲେ ଅସଲ ଆଶା ଆମ ପାଖକୁ ଆସିପାରିବ । ଆମେ ଜାଣିଶୁଣି ଏହି ଅଧ୍ୟୟନ ଉପସ୍ଥାପନ କଲାବେଳେ କୌଣସି ପରିସଂଖ୍ୟାନ ବା ଡାଟା ଉପସ୍ଥାପନ କରିବାକୁ ଚାହିଁନାହୁଁ । କଥାଟିକୁ କେବଳ ଉପସ୍ଥାପନ କରିବା ଆମର ଉଦ୍ଦେଶ୍ୟ ଥିଲା । ଆଗକୁ ଅଧ୍ୟୟନ ଓ ଅନୁସନ୍ଧାନ ଜାରି ରହିବ ।

(ଏହି ଲେଖାଟି ଏବଂ ପୂର୍ବ ସଂଖ୍ୟାରେ ଲେଖାଟିକୁ ପ୍ରସ୍ତୁତ କରିବା ଓ କନ୍ଧମାଳ ଗସ୍ତ ସମୟରେ ସାକ୍ଷାତକାର ସଂଗ୍ରହ କରିବାରେ ସାହାଯ୍ୟ କରିଥିବା ମୋର ସମ୍ପାଦକୀୟ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଉଛି)

ବିଘ୍ନେଶ୍ୱର ସାହୁ

Comments

0 comments

Share This Article