ଦିନଥିଲା ଆମେ ଛତିଶଗଡ଼ ରାଜ୍ୟକୁ ଏକ କମ୍ପାନୀ ରାଜ୍ୟ କହୁଥିଲେ । ସେପ୍ଟେମ୍ବର ୨୮, ୧୯୯୧ ମସିହାରେ ଶ୍ରମିକ ତଥା ଆଦିବାସୀଙ୍କର ନିଷ୍ଠାପର ସାଥି ଓ ଛତିଶଗଡ଼ ମୁକ୍ତିମୋର୍ଚ୍ଚାର ପ୍ରତିଷ୍ଠାତା ଶଙ୍କର ଗୁହା ନିୟୋଗୀଙ୍କର ହତ୍ୟାପରେ ସେଠାରେ କମ୍ପାନୀରାଜ୍ ପ୍ରତିଷ୍ଠା ହୋଇଥିଲା ବୋଲି କୁହାଯାଏ । ଏହି ହତ୍ୟାପଛରେ ଜିନ୍ଦଲ୍ ଗୋଷ୍ଠିର ହାତଥିଲା ବୋଲି ମଧ୍ୟ ବଳିଷ୍ଠ ଅଭିଯୋଗ ଆସିଥିଲା । ତେବେ ନବେଦଶକର ଉଦାରୀକରଣ ପର୍ବ ଆରମ୍ଭ ହେବାପରେ ଯେଉଁ ଖଣି କମ୍ପାନୀମାନଙ୍କର ଓଡ଼ିଶା ଯାତ୍ରା ଆରମ୍ଭହେଲା ଓ ନବୀନ ପଟ୍ଟନାୟକଙ୍କ ସମୟରେ ସେମାନଙ୍କ ପାଇଁ ନାଲିଗାଲିଛା ବିଛାଇ ଦିଆଗଲା । ଓଡ଼ିଶାରେ ମଧ୍ୟ କମ୍ପାନୀରାଜ୍ ର ପର୍ବ ଆରମ୍ଭ ହୋଇଗଲା । ନବୀନ ପଟ୍ଟନାୟକ ଏମାନଙ୍କର ବିନା ସହଯୋଗରେ ୨୪ବର୍ଷ ଶାସନରେ ରହିପାରି ନଥାନ୍ତେ । ସେହି ଏକା ଅବସ୍ଥା ହୁଏତ ମୋଦୀଙ୍କର ବି । ଆଦାନୀ ଓ ଅମ୍ବାନୀଙ୍କ ବିନା ସହଯୋଗରେ ମୋଦୀ ବି କ୍ଷମତାକୁ ଆସିପାରିନଥାନ୍ତେ ଏବଂ କ୍ଷମତାରେ ରହିପାରିନଥାନ୍ତେ, ଯଦି କିଏ କୁହନ୍ତି ଆମେ ତାକୁ ଅସ୍ୱୀକାର କରିବା ସହଜ ନୁହଁ । ଏବେ ଡବଲ ଇଞ୍ଜିନ ସରକାର ସମୟରେ ଖଣି କମ୍ପାନୀମାନଙ୍କର ସୁବର୍ଣ୍ଣ ଯୁଗ ଆସିଛି କହିଲେ ଚଳେ । ସବୁକଥା ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ନିର୍ଦ୍ଧାରିତ ହେଉଛି ଏବଂ ମୁଖ୍ୟଶାସନ ସଚିବ ଓ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ସିଧାସଳଖ କାର୍ଯ୍ୟକାରୀ କରାଯାଉଛି ବୋଲି ଏମାନଙ୍କୁ ନିକଟରୁ ଦେଖୁଥିବା ଲୋକମାନେ କହୁଛନ୍ତି ।
ଗତ ଜୁନ୍ ୫,୨୦୨୫ ମସିହା ବିଶ୍ୱ ପରିବେଶ ଦିବସ ପାଳନପାଇଁ ‘ସିଜିମାଳି’ର ସୁରକ୍ଷାପାଇଁ ସଂଘର୍ଷରତ ଆଦିବାସୀଙ୍କର ସଂଗଠନ ‘ମା ମାଟି ମାଳି ସୁରକ୍ଷା ମଞ୍ଚ’ର ଅନୁରୋଧକ୍ରମେ ଜନଆନ୍ଦୋଳନ ନେତ୍ରୀ ମେଧା ପାଟେକର ରାୟଗଡ଼ା ପହଂଚିବା ବେଳେ ରେଲୱେ ଷ୍ଟେସନ୍ରୁ ହିଁ ସେଠାକାର ପୋଲିସ ତାଙ୍କୁ ଓ ତାଙ୍କ ସହ ଥିବା ବିଶିଷ୍ଟ କୃଷକନେତା ଲିଙ୍ଗରାଜ ଓ ଜନଅଧିକାର କର୍ମୀ ନରେନ୍ଦ୍ର ମହାନ୍ତିଙ୍କୁ ଅଟକ ରଖିଥିଲେ । ମେଧାଜୀଙ୍କ ପ୍ରଶ୍ନର ଉତ୍ତରରେ ତାଙ୍କୁ ପୋଲିସ ଜିଲ୍ଲାପାଳଙ୍କ ଦ୍ୱାରା ସଦ୍ୟ ଜାରିହୋଇଥିବା ଏକ ଚିଠି ଧରାଇ ଦେଇଥିଲେ । ଚିଠିରେ ତାଙ୍କୁ ଏବଂ ଆଉକିଛି ଜଣାଶୁଣା ଓ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ସେହି ଅଞ୍ଚଳ ଯିବାପାଇଁ ବାରଣ କରାଯାଇଥିଲା । ଏହି ଚିଠିଟିକୁ ନେଇ ତାଲିକାରେ ଥିବା କିଛି କର୍ମୀ ଉଚ୍ଚ ନ୍ୟାୟାଳୟର ଧ୍ୟାନ ଆକର୍ଷଣ କରିଥିଲେ । ମାମଲାର ଶୁଣାଣି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜିଲ୍ଲାପାଳଙ୍କ ଆଦେଶନାମାକୁ ବେଆଇନ ଘୋଷଣା କରିଥିଲେ ।
ତଥାପି ଏହି ‘ମା ମାଟି ମାଳି ସୁରକ୍ଷା ମଞ୍ଚ’ ଅଗଷ୍ଟ ୯ଦିନ ‘ବିଶ୍ୱ ଜନଜାତି ଦିବସ’ ପାଳନ କରିବା ପାଇଁ ‘ସିଜିମାଳି’ ଅଞ୍ଚଳରେ ପ୍ରସ୍ତୁତ ହେଉଥିବାବେଳେ ସେହି ଜିଲ୍ଲାପାଳ ଦୁଇଟି ଚିଠି ମାଧ୍ୟମରେ ଅଗଷ୍ଟ ୮ତାରିଖ ଦିନ ଏକ ନିଷେଦ୍ଧାଜ୍ଞା ଜାରିକରି ପ୍ରଫୁଲ୍ଲ ସାମନ୍ତରାଙ୍କ ସମେତ ଅନ୍ୟକିଛି କର୍ମୀମାନଙ୍କୁ ସମ୍ପୃକ୍ତ ଅଞ୍ଚଳ ଯିବାପାଇଁ ବାରଣ କରିଥିଲେ । କେବଳ ସେତିକି ନୁହଁ , ଏମାନଙ୍କୁ ବାହାରର ଲୋକ ଓ ଅପରାଧି ବୋଲି ମଧ୍ୟ ଦର୍ଶାଇଥିଲେ । ଯଦିଓ ଉଭୟ ଦିବସ ଆଦିବାସୀ ମାନେ ନିଜସ୍ୱ ଉଦ୍ୟମରେ ଶାନ୍ତିପୂର୍ଣ୍ଣ ଭାବେ ସମାବେଶ କରି ପାଳନ କରିସାରିଛନ୍ତି ଓ ଜିଲ୍ଲାପାଳଙ୍କର ନିଷେଧାଜ୍ଞାର ଅବଧି ମଧ୍ୟ ସରିଯାଇଛି କିନ୍ତୁ ଯଥେଷ୍ଟ ସୂଚନା ମିଳୁଛି ଯେ ଓଡ଼ିଶାରେ ପୋଲିସ ପ୍ରଶାସନ କିଭଳି ନଗ୍ନଭାବେ ଖଣି କମ୍ପାନୀମାନଙ୍କର ନିର୍ଦ୍ଧେଶ ମୁତାବକ କାମ କରୁଛନ୍ତି ଏବଂ ଆଗକୁ ସେମାନେ କ’ଣ ସବୁ କରିବାକୁ ଯାଉଛନ୍ତି । ଏଠି କେବଳ ମନେ ପକାଇଦେବା ଉଚିତ୍ ହେବଯେ ‘ସିଜିମାଳି’ ଏବେ ବେଦାନ୍ତ କମ୍ପାନୀର ଲକ୍ଷ୍ୟରେ ରହିଛି ।
ଆଉ ଏକ ତଥ୍ୟରୁ ଜଣାପଡ଼ୁଛିଯେ ଆଗାମୀ ଅକ୍ଟୋବର ୧୬ରୁ ୧୮, ୨୦୨୫ରେ ‘ଏସିଆର ସର୍ବବୃହତ ଖଣିଥିବା ଗାଁମାନଙ୍କର ଶୀର୍ଷ ସମ୍ମିଳନୀ’ ନିୟମଗିରିରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଆୟୋଜନ କରୁଛନ୍ତି ବେଦାନ୍ତଭଳି ଖଣି କମ୍ପାନୀ ମାନଙ୍କର ଏକ ନବଜାତ ଶିଶୁ ‘ପାଣ୍ଟିସ୍ ଫାଉଣ୍ଡେସନ୍’ । ଏହି ଫାଉଣ୍ଡେସନ୍ ଦାବି କରେଯେ ଏମାନଙ୍କର ୨ଶହ ୭୦ଟି ଫେଲୋ (ଆଜିକାଲି ଦଲାଲ ଶବ୍ଦର ବ୍ୟବହାର ଆଉ ହେଉ ନାହିଁ) ଓ ୫୦ଟି ସହଭାଗୀ ସଂସ୍ଥା ଅଛନ୍ତି । ନିୟମଗିରିରେ ଆୟୋଜନ ହେବାକୁ ଥିବା ଏହି ଆଦିବାସୀ ବିରୋଧି କାର୍ଯ୍ୟକ୍ରମରେ ପୂର୍ବବର୍ଷ ଭଳି ସହଯୋଗ ଯୋଗାଇ ପାରନ୍ତି କିଛି ଅନ୍ତରାଷ୍ଟ୍ରୀୟ ସଂସ୍ଥା ଯଥା- ୟୁ.ଏନ୍.ଡ଼ି.ପି, ୟୁ.ଏନ୍.ଇ.ପି, ୟୁ.ନି.ସେ.ଫ୍, ଆଇ.ଏଲ୍.ଓ ଯେଉଁମାନେ ୨୦୨୪ରେ ଏହି ପ୍ରକାର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶାର ପ୍ରାୟ ବେଦାନ୍ତ ସମେତ ଅଧିକାଂଶ ଇସ୍ପାତ ଓ ଆଲୁମିନା କମ୍ପାନୀମାନେ ମଧ୍ୟ ଏଥିରେ ଭାଗନେବା ପାଇଁ ସୂଚନା ମିଳୁଛି । ଏମାନଙ୍କର ଫଟୋ ଗ୍ୟାଲେରୀ ଦେଖିବା ବେଳେ କିଛି ଜଣାଶୁଣା ଓ ପରିଚିତ ଚେହେରା ଏମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଓଡ଼ିଶାରେ ଖଣି ଦ୍ୱାରା ପ୍ରଭାବିତ ହେଉଥିବା ଗାଁମାନଙ୍କୁ ନେଇ ଖଣିକମ୍ପାନୀ ଓ ସେମାନଙ୍କର ଦଲାଲ୍ ମାନେ ଯେଉଁ ଶିଖର ସମ୍ମିଳନୀର ସ୍ୱପ୍ନ ଦେଖୁଛନ୍ତି, ତାକୁ ଓଡ଼ିଶାର ସଂଘର୍ଷରତ ଆଦିବାସୀ ତଥା ଅଧିବାସୀମାନେ କେମିତି ଦେଖୁଛନ୍ତି ଆଗାମୀ କାଲି ଜଣାପଡ଼ିବ ନିଶ୍ଚୟ । ତେବେ ଜିଲ୍ଲାପାଳମାନେ ଆଜିଠାରୁ ସଜବାଜ ହେଲେଣି ଯେ ଯେମିତି ଆଦିବାସୀ ମାନଙ୍କର ବନ୍ଧୁମାନେ ଏଭଳି ଏକ ଜନବିରୋଧି ଓ ପ୍ରକୃତିବିରୋଧି ସମ୍ମିଳନୀକୁ ଭଣ୍ଡୁର କରିବାପାଇଁ ଉଦ୍ୟମ ନ କରନ୍ତି । ଆମେ ଦୂରରେ ରହି ସବୁ କଥାର ମଜାନେବାରେ ସେମିତି ମାତି ରହିବା ହୁଏତ ଆମ ପାଇଁ ଗ୍ରହଣୀୟ । କିନ୍ତୁ ସଂଘର୍ଷରତ ମଣିଷମାନଙ୍କ ପାଇଁ ଆମ ଅଚରଣ କିଭଳି ଭାବନା ସୃଷ୍ଟି କରୁଥିବ, ସେ ବାବଦରେ ଆମେ ଟିକିଏ ଚିନ୍ତା କରିବା କଥା ।
Comments
0 comments