ଛୁଆ ବିକ୍ରୀ:ଫାନସ୍ ପୁଞ୍ଜିଠୁ ନୀଳ ରଣା

47 Views
17 Min Read

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଭାଲେଗାଁ ଗ୍ରାମ ପଞ୍ଚାୟତର ବାଗଡେର ଗାଁର ନୀଳ ରଣା ପରିବାର ସହ ରହେ । ଲାଗ ଲାଗ ତିନୋଟି ଝିଅ ହେବାପରେ କୌଣସି କାରଣରୁ ପ୍ରଥମ ସ୍ତ୍ରୀ ସହ ତାର ବିବାହ ବିଚ୍ଛେଦ ହୁଏ । ସାମାଜିକ ରୀତିରେ ବିବାହ ବିଚ୍ଛେଦ । ଆଇନରେ ଦାୟ ରଖେନି ଏହି ବିବାହ ବିଚ୍ଛେଦ । ସମ୍ପତ୍ତି ଦାବୀ କି ଉତ୍ପୀଡ଼ନର କୌଣସି ଅଭିଯୋଗ ନାହିଁ । ଆଇନର ପରିଧି ବାହାରେ ଜୀବନ । ନୀଳ ରଣା ଦ୍ୱିତୀୟ ହେଲା । ପ୍ରଥମ ସ୍ତ୍ରୀର ତିନୋଟି ଛୁଆ ପରେ ଦ୍ୱିତୀୟ ସ୍ତ୍ରୀର ଦୁଇଟି ସନ୍ତାନ ଝିଅ ହେଲେ । ଜୁଲାଇ ୨୦, ୨୦୨୫ଦିନ ଭୀମଭୋଇ ମେଡିକାଲ କଲେଜରେ ନୀଳ ରଣାର ଦ୍ୱିତୀୟ ସ୍ତ୍ରୀ ଦ୍ୱିତୀୟ ଝିଅ ଜନ୍ମକଲା ।

ବାଗଡେର ଗାଁ ପାଖାପାଖି ସାତଶହ ଜନସଂଖ୍ୟା ବିଶିଷ୍ଟ ଅଟେ । ଏହି ଗାଁରେ ଲିଙ୍ଗ ଅନୁପାତ ବୟସ୍କଙ୍କ ମଧ୍ୟରେ ୧୧୧୯ ଥିବାବେଳେ ଶିଶୁଙ୍କ କ୍ଷେତ୍ରରେ ୧୦୬୮ ରହିଅଛି । ଯାହା ରାଜ୍ୟ ଅନୁପାତରୁ ଢେର ଅଧିକ । ତିନୋଟି ଝିଅ ଜନ୍ମକଲା ପରେ ପ୍ରଥମ ସ୍ତ୍ରୀ ସହ ବିବାହ ବିଚ୍ଛେଦ ଏବଂ ଦ୍ୱିତୀୟ ସ୍ତ୍ରୀ ଗର୍ଭରୁ ଦୁଇଟି ଝିଅ ଜନ୍ମହେବା । ଚଳନ୍ତି ପୁତ୍ରମୋହର ପରିବେଶ ଓ ଝିଅ ପାଇଁ ଅସୁରକ୍ଷିତ ସମାଜରେ ନୀଳ ରଣାର ପାଞ୍ଚଟି କନ୍ୟା ସନ୍ତାନ ସମସ୍ୟା ଓ ଅସୁରକ୍ଷାର ପାହାଡ଼ ହୋଇଯାଇ ଥାଇପାରେ । ଝିଅକୁ ଜୁଲାଇ ୨୭, ୨୦୨୫ ଦିନ ନୀଳ ରଣା ପାଇକମାଲର ଜଣେ ଦମ୍ପତ୍ତିଙ୍କୁ ଟେକିଦେଲା । ଅଭିଯୋଗ ହୁଏ ଏହା ବଦଳରେ କୋଡ଼ିଏ ହଜାର ଟଙ୍କା ନୀଳ ନେଇଥିଲା । କୋଡ଼ିଏହଜାର ଟଙ୍କା ନେଣଦେଣର କୌଣସି କାଗଜାତ ନାହିଁ ।

ନିୟମିତ ଦାଦନ ଯାଉଥିବା ନୀଳ ରଣା ପ୍ରଥମ ସ୍ତ୍ରୀ ସହ ବିବାହ ବିଚ୍ଛେଦ ପରେ ଦ୍ୱିତୀୟ ହେବା ଆବଶ୍ୟକ । କାରଣ ନୀଳମାନଙ୍କ ପରିବାରର ଅର୍ଥନୀତିରେ ମହିଳାମାନଙ୍କ ସମପରିମାଣରେ ଭାଗିଦାରୀ ରହେ । ଶିଶୁମାନେ ମଧ୍ୟ ଆୟର ଗୋଟିଏ ସ୍ରୋତ ହୋଇଥାନ୍ତି । କିନ୍ତୁ ପାଞ୍ଚଟି କନ୍ୟାସନ୍ତାନ ନୀଳପାଇଁ ବୋଝ ନିଶ୍ଚୟ । କେବଳ ଖାଇପିଇ ବଞ୍ଚôଯିବା ଜୀବନ ସଂଗ୍ରାମର ଶେଷ କାହାଣୀ । ତେଣୁ ସନ୍ତାନର ଖାଦ୍ୟ ସୁରକ୍ଷା ହିଁ ଆଇନ, କର୍ତ୍ତବ୍ୟ, ଜାତିଧର୍ମ ଆଦିରୁ ବଳିଯାଏ । ନୀଳ ରଣା ମଧ୍ୟସ୍ଥି ସହଯୋଗରେ ନିଜର ନବଜାତ କନ୍ୟାକୁ ଟେକିଦିଏ ଜଣେ ଅପରିଚିତ ଦମ୍ପତ୍ତିଙ୍କୁ । ସେ ମଧ୍ୟସ୍ଥି ଆଖିରେ ଝିଅର ସୁରକ୍ଷିତ ଭବିଷ୍ୟତ ଦେଖେ ଓ ଝିଅକୁ ଟେକିଦିଏ ।

ଶିଶୁବିକ୍ରିର ଗୋଟିଏ ଦୀର୍ଘ ଇତିହାସ ରଖିଥିବା ବଲାଙ୍ଗୀର ଜିଲ୍ଲାରେ ନୀଳ ରଣାର କାହାଣୀ ନିଶ୍ଚୟ ଗୁରୁତ୍ୱ ରଖେ । ଗଣମାଧ୍ୟମରେ ଘଟଣା ପ୍ରଚାର ହେବାପରେ ପ୍ରଶାସନ ତତ୍ପର ହେଲା । ସ୍ଥାନୀୟ ରାଜନୀତିରେ ବୟାନବାଜି ଚାଲିଲା । ସିଡବ୍ଲୁସି ଶିଶୁଟିକୁ ପାଇକମାଲ ଷ୍ଟେସନପଡାରୁ ଶିଶୁୁକନ୍ୟାକୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିଜ ସୁରକ୍ଷାରେ ରଖିଅଛି । ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଘଟଣାକୁ ଅସ୍ୱୀକାର କରୁଥିବା ବେଳେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ପାଟଣାଗଡ଼ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସରୋଜ ମେହେର ଘଟଣାପାଇଁ ଶାସକ ଦଳକୁ ଆକ୍ଷେପ କରିଛନ୍ତି ।

ନୀଳରଣା ଭଙ୍ଗା ଆଜବେଷ୍ଟସମାନଙ୍କରେ ଛାତ କରି ଏକ ମାଟି ଘରେ ରହେ । ପ୍ରଥମ ସ୍ତ୍ରୀଙ୍କ ନାମରେ ରାସନ କାର୍ଡ ଥିବାରୁ ପିଡିଏସ ଯୋଜନାରେ ଚାଉଳ ପାଇବାରେ ଅସୁବିଧା ହେଉଥିଲା । ଅଭିଯୋଗ ଆସିଲା ଯେ ନୀଳ ରଣାର ଜବ୍ କାର୍ଡ ବନ୍ଧା ପଡିଛି । ଯାହାକୁ ସରପଞ୍ଚ ଯୁଗଳ କିଶୋର ସାହୁ ମିଛ ବୋଲି କହିଛନ୍ତି । ପକ୍କା ଘର ଆଦି ହିତାଧିକାରୀ ଯୋଜନାରେ ନୀଳ କାହିଁକି ସାମିଲ ହୋଇପାରିଲା ନାହିଁର ପ୍ରଶ୍ନର ଉତ୍ତରରେ ବିଡିଓ ଚନ୍ଦ୍ରମଣି ନାଗ କହନ୍ତି ସର୍ଭେ ସମୟରେ ନୀଳ ରଣାର ପରିବାର ଗାଁରେ ଅନୁପସ୍ଥିତ ଥିଲେ । ତାଙ୍କୁ ଫୋନ ଯୋଗେ ଖବର କରାଯାଇଥିଲା । ସର୍ଭେ ସମୟରେ ଅନୁପସ୍ଥିତ ଥିବା କାରଣରୁ ସେ କେତେକ ହିତାଧିକାରୀ ଯୋଜନାରେ ସାମିଲ ହୋଇ ପାରିଲେ ନାହିଁ । ସିଡିପିଓ ସୁଷମା ପାଢୀଙ୍କ କହିବା ଅନୁସାରେ ଦୁଇଟି ସନ୍ତାନକୁ ହିତାଧିକାରୀ ଯୋଜନାରେ ସାମିଲ କରାଯିବା ନିୟମ ରହିଛି । ଯାହା ନୀଳ ରଣାର ପରିବାର ପାଉଛନ୍ତି ।

ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ଦୋଷ କାହାର?

ଏହି ପ୍ରଶ୍ନର ଉତ୍ତର ଏତେ ସହଜ ନୁହେଁ । ପ୍ରଥମତଃ ଦେଖିବାକୁ ପଡିବ ଏହା ପୂର୍ବରୁ ତିନୋଟି ନବଜାତକର ବିକ୍ରି କଥା ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହିଲା । ଗୋଟିଏ ଲାଠୋର ଘଟଣା, ବଲାଙ୍ଗୀରର ଘଟଣା ଓ ମୁରିବାହାଲ ଘଟଣା । ସମସ୍ତ ଘଟଣାରେ ନବଜାତକଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ସମସ୍ତ ଘଟଣାରେ ସିଡବ୍ଲୁସି, ବଲାଙ୍ଗୀର କଥିତ ବିକ୍ରି ଶିଶୁମାନଙ୍କୁ ଉଦ୍ଧାର କରିଛନ୍ତି । ଯେପରି ନୀଳ ରଣାର ସନ୍ତାନକୁ । ଏହି ଚାରୋଟି ଘଟଣାରେ ବଲାଙ୍ଗୀର ଘଟଣାକୁ ଛାଡିଦେଲେ ଗୋଟିଏ ସାଧାରଣ କଥା ରହିଛି ଯେ ପିତାମାତା ନିଜର ନବଜାତକଙ୍କୁ ତାଙ୍କ ପରିଚିତି ବାହାରେ ବିକ୍ରି କରିଛନ୍ତି । ବଲାଙ୍ଗୀର କଳାହାଣ୍ଡି ଜିଲ୍ଲାରେ ଶିଶୁବିକ୍ରି ଭଳି ଘଟଣାରେ ଗୋଟିଏ ଦୀର୍ଘ କାହାଣୀ ରହିଅଛି । ୧୯୮୫ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ଯେଉଁ ଶିଶୁବିକ୍ରିର ଅଭିଯୋଗ ରହିଥିଲା ସମସ୍ତେ ଆଠରୁ ୧୪ ବର୍ଷ ମଧ୍ୟରେ ରହିଥିଲେ । ଏହି ଘଟଣାମାନ ଏପରି ଚର୍ଚ୍ଚିତ ଓ ପ୍ରଭାବୀ ଥିଲା ଯେ କେବଳ ଶିଶୁବିକି୍ର ଘଟଣାର ତଦନ୍ତ ପାଇଁ ଖୋଦ ପ୍ରଧାନମନ୍ତ୍ରୀ ଦୁଇ ଜଣଙ୍କୁ ନିଜ ନିଜ ସମୟରେ ବଲାଙ୍ଗୀର ଆସିବାକୁ ପଡ଼ିଥିଲା । ପ୍ରଥମ ଘଟଣାରେ ରାଜୀବ ଗାନ୍ଧୀ ଜୁନ ୨୧, ୧୯୮୫ ମସିହାରେ ବଲାଙ୍ଗୀର ଭାଲୁମୁଣ୍ଡା ଆସିଥିଲେ ଏବଂ ଦ୍ୱିତୀୟ ବିକ୍ରି ଘଟଣାରେ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ୧୩ ମଇ, ୧୯୯୩ ମସିହାରେ ଲାଠୋର ଟଙ୍କପାଣିକୁ ଆସିଥିଲେ । ଘଟଣାର ଚଉଠେ ଶତକପରେ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଯେଉଁଠାରେ ଓହ୍ଲାଇଥିଲେ ସେହି ହେଲପ୍ୟାଡରୁ ୫୦୦ ମିଟର ଦୂରରେ ଲାଠୋର ନବଜାତକ ବିକ୍ରି ଭଳି ଖବର ଆସେ । ଏହି ଦୁଇଟି ଶିଶୁବିକ୍ରି ସହ ଯେତକ ବି ଅଭିଯୋଗ ସେ ସମୟରେ ହୋଇଥିଲେ, ସେତେବେଳେ ଦେଖା ଯାଇଛି ଯେ ସାମାଜିକ ଚଳଣିରେ ନିଜର ପରିଚିତ ଲୋକଙ୍କୁ ଶିଶୁ ବିକ୍ରି କରିଥିଲେ । ଯାହାର ବ୍ୟତିକ୍ରମ ଲାଠୋର, ମୁରିବାହାଲ, ବଲାଙ୍ଗୀର ସମେତ ନୀଳ ରଣାର ଶିଶୁବିକ୍ରି ଅଭିଯୋଗରେ ହୋଇଛି । ବଲାଙ୍ଗୀର ଅଭିଯୋଗକୁ ଛାଡି ତିନୋଟି ନବଜାତକଙ୍କ ବିକ୍ରିରେ ଯେଉଁମାନେ ଖରିଦଦାର ହୋଇଛନ୍ତି ସେମାନେ ପ୍ରକୃତ ପିତାମାତାଙ୍କ ସହ କୌଣସି ସମ୍ପର୍କ ରଖନ୍ତି ନାହିଁ । ଏହି ତିନୋଟି ଘଟଣାରେ ମଧ୍ୟସ୍ଥି ରହି ଅଛନ୍ତି । ବଲାଙ୍ଗୀରର ଘଟଣାରେ ମାଁ ଜଣକ ନିଜର ପରିଚିତ ଘରେ ନିଜର ଜନ୍ମିତ ସନ୍ତାନକୁ ଦେଇଥିଲେ । ଅପରିଚିତଙ୍କୁ ସନ୍ତାନ ବିକିବା ଏବଂ ମଧ୍ୟସ୍ଥିର ଉପସ୍ଥିତି ଏହାକୁ ସ୍ୱତଃ ଏକ ବେପାରର ଆଖ୍ୟା ଦିଆ ଯାଇପାରେ । ଘଟଣା ପରେ ଯେଉଁ ବୟାନ ଆସିଛି ସେହି ବୟାନ ଅନୁସାରେ କିଣିଥିବା ନବଜାତକଙ୍କୁ ସନ୍ତାନ ଭାବେ ଗ୍ରହଣ କରାହୋଇଛି । ପୋଷ୍ୟ ସନ୍ତାନ ଭାବରେ ନବଜାତକମାନଙ୍କୁ ନେଇଛନ୍ତି ।

ପୋଷ୍ୟସନ୍ତାନ ଗ୍ରହଣପାଇଁ ସ୍ୱତନ୍ତ୍ର ଆଇନ ରହିଛି । କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା ନିକଟରୁ ଭାରତୀୟ ନାଗରିକ, ଅପ୍ରବାସୀ ଭାରତୀୟ ନାଗରିକ ଅବା ବିଦେଶୀ ନାଗରିକ ପୋଷ୍ୟ ସନ୍ତାନ ଗ୍ରହଣ କରି ପାରିବେ । ଏଥିପାଇଁ ଆଇନଗତ ପ୍ରକ୍ରିୟା ରହିଅଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଷ୍ୟ ପାଇଁ ଗ୍ରହଣ କରାହେଉଥିବା ସନ୍ତାନ (ସର୍ବାଧିକ ୧୮ବର୍ଷ) ପାଳିତ ପିତା ଅବା ମାତାଙ୍କ ବୟସ ଅନ୍ତର ସର୍ବନିମ୍ନ ୨୫ ବର୍ଷ ରହିବା କଥା । ହିନ୍ଦୁ ପିତାମାତା କ୍ଷେତ୍ରରେ ବ୍ୟକ୍ତିଗତ ବୁଝାମଣାରେ ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରାଯାଇ ପାରେ । ପୋଷ୍ୟ ସନ୍ତାନ ଶିକ୍ଷା, ସମ୍ପତ୍ତି ଏବଂ ଉତ୍ତମ ଜୀବନର ଅଧିକାର ପାଇବାକୁ ଆଇନ ସମ୍ମତି ଦିଏ । ଉପରୋକ୍ତ ନବଜାତକ ବିକ୍ରି ଅଭିଯୋଗ ଯଦି ମୂଲ୍ୟ ବିନିମୟ ହୋଇ ନଥାଏ ତାହେଲେ ଏହା ଧର୍ତ୍ତବ୍ୟ ଅପରାଧ ନୁହେଁ । ରାଜନୈତିକ ଏବଂ ପ୍ରଶାସନିକ ହଲଚଲ ଯୋଗୁଁ ସିଡବ୍ଲୁସି ଉପରୋକ୍ତ ନବଜାତକମାନଙ୍କୁ ଉଦ୍ଧାର କରିଛି । ଏହା କୌଣସି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଜୁଭେଲାଇନ ଜଷ୍ଟିସ ଆକ୍ଟ-୨୦୧୫ ଅନୁସାରେ ସିଡବ୍ଲୁସିର କାର୍ଯ୍ୟାନୁଷ୍ଠାନ ବିଭାଗୀୟ ଅଧିକାର ପରିସରଭୁକ୍ତ ଅଟେ । ଏହି ବିଷୟରେ ଆଲୋଚନାବେଳେ ଜଣାପଡିଛି ଯେ ଯଦି ସିଡବ୍ଲୁସି ନିଜର ଅନୁସନ୍ଧାନରେ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ନିୟମରେ ପାଳିତ ପିତା ଅବା ମାତା ଚାହିଁବେ, ତାହେଲେ ଏହି ଶିଶୁମାନଙ୍କୁ ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରିପାରିବେ । ଖବର ଲେଖାହେବା ପର୍ଯ୍ୟନ୍ତ ନବଜାତକମାନଙ୍କୁ କଥିତ କିଣିଥିବା ଦମ୍ପତ୍ତି ଶିଶୁମାନଙ୍କୁ ପୋଷ୍ୟଭାବରେ ଗ୍ରହଣ କରିବା ପାଇଁ କୌଣସି ଲିଖିତ ଆବେଦନ କରିନାହାନ୍ତି । ଅପରନ୍ତୁ ଦେଖାଯାଇଛି ଯେ ପରସ୍ପର କଥାବାର୍ତ୍ତା ମାଧ୍ୟମରେ ନବଜାତକମାନଙ୍କୁ ପୋଷ୍ୟ ଭାବରେ ମଧ୍ୟସ୍ଥି ମାଧ୍ୟମରେ ନେଇ ସାରିଥିଲେ ।

ପ୍ରବାସ ଏକ ସ୍ୱାଭାବିକ ପ୍ରକ୍ରିୟା । କିନ୍ତୁ ଯେତେବେଳେ ସମୂହ ପ୍ରବାସ କରନ୍ତି ତାହେଲେ ଏହା ପଛରେ ଗୋଟିଏ ବଡ଼ କାରଣ ରହିଥାଏ । କାରଣ ହେଲା ଗୋଟିଏ ଜାତିକୁ କ୍ରମ ଶୋଷଣ କରି ନିଃସ୍ୱ କରିଦେବା । ଇତିହାସ ଏହାର ପ୍ରମାଣ ଦେଇଥାଏ । ଦରିଦ୍ରଙ୍କ ପଟୁଆର ଭିତରୁ ଦାସ ଖୋଜିବା କଠିନ ନୁହେଁ । ଏମିତି ଅନେକ ଝିଅଙ୍କୁ ନେଇ ଦେହ ବ୍ୟବସାୟରେ ଲଗା ହେଉଥିଲା । ଯେଉଁମାନେ ନେଉଥିଲେ ସେମାନେ ରୋଜଗାର ପାଇଁ ମଣିଷ ବେପାର ହିଁ କରୁଥିଲେ । କେତେକ ନିଜ ନିଜର ଛୋଟ ଛୋଟ ଅନୁଷ୍ଠାନ ତିଆରି ଦୁଇ ତିନିଜଣ ଝିଅଙ୍କୁ ନେଇ ବ୍ୟବସାୟ କରୁଥିଲେ । ଏହା ନୁହେଁ ଯେ ସେମାନେ କେବଳ ଦେହ ବ୍ୟବସାୟ କରୁଥିଲେ, ଭଲ ପାତ୍ର ଦେଖି ବିବାହ ବି ଦେଉଥିଲେ । ଏହି କ୍ରମଧାରା ୨୦୧୦ ମସିହା ପରେ ପରେ ଅନ୍ୟ ଏକ ବ୍ୟବସାୟର ବାଟ ଖୋଳିଲା । ଝିଅଙ୍କୁ ନେଇ ଭୃଣହତ୍ୟା କାରଣରୁ ଶିଶୁ ଲିଙ୍ଗ ଅନୁପାତ କମିବାରେ ଲାଗିଲା । ବାହାର ରାଜ୍ୟମାନଙ୍କରେ ଯେଉଁଠାରେ ଝିଅଙ୍କ ଅଭାବ ରହିଲା, ସେଠାକୁ ଅନେକ ଝିଅଙ୍କୁ ବିବାହ ପାଇଁ ମଧ୍ୟସ୍ଥିମାନେ ହିଁ ରହିଲେ । ଓଡ଼ିଆରେ ଘଟକ ଶବ୍ଦ ଏଠାରେ ବ୍ୟବସାୟ ହୋଇଗଲା । ଅନେକ ଘଟଣା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଏହାପରେ ଦେଖାଯାଇଛି ନବଜାତକଙ୍କ ବିକ୍ରି କଥା । ଏହି ମଧ୍ୟସ୍ଥିମାନେ ଆଇନର ଆଶ୍ରୟ ନେଇ ମଧ୍ୟ ପୋଷ୍ୟସନ୍ତାନ ଯୋଗାଡ଼ କରିପାରନ୍ତେ । କିନ୍ତୁ ପ୍ରଥମତଃ ମଧ୍ୟସ୍ଥିମାନେ ଅଶିକ୍ଷିତ । କେବଳ ଯୋଗସୂତ୍ର ରକ୍ଷାକରି ରୋଜଗାର କରୁଥିବା ହେତୁରୁ ଏହାକୁ ସହଜ ମାର୍ଗ ବୋଲି ଭାବନ୍ତି । ଆଇନ ପ୍ରକ୍ରିୟା ଭିତରକୁ କେମିତି ଯିବେ ସେ ବିଷୟରେ ଅଜ୍ଞ ହିଁ ରହିଅଛନ୍ତି ।

ଏହାବାଦ ରହିଲା ଅମଲା ଚରିତ୍ର । ଅଢେଇ ଶହ ବର୍ଷ ପୂର୍ବେ ଓଡ଼ିଶାର ପଶ୍ଚିମକ୍ଷେତ୍ରରେ ଶାସନର ଚରିତ୍ରଗତ ପରିବର୍ତ୍ତନ ହୁଏ । ଭୋସଲାମାନଙ୍କ ଆକ୍ରମଣ ପରେ ପ୍ରଜାମାନେ ଶାସନକୁ ଖଜଣା ଦେବା ପ୍ରଥା ଆରମ୍ଭ ହୁଏ । ପ୍ରଥମକରି ଲୋକେ ବ୍ୟବସ୍ଥା ପରିବର୍ତ୍ତନକୁ ଦେଖନ୍ତି । ଏହି ପ୍ରଥା ବିରୋଧରେ ସ୍ଥାନୀୟ ଶାସକମାନେ ବିପ୍ଳବ କରନ୍ତି । ଭୋସଲାଙ୍କ ପରେ ଇଂରେଜଙ୍କ ଅଧିନକୁ ଅଞ୍ଚଳ ଆସେ । ଯାହା ଫଳରେ ପୋଲିସ, ରାଜ କର୍ମଚାରୀ, ଅମଲା ଆଦିଙ୍କ ସିଧା ସମ୍ପର୍କରେ ପ୍ରଜା ଆସନ୍ତି । ଜମିଦାର, ଗଉନ୍ତିଆ ଆଦି ପଦବୀମାନ ରାଜସ୍ୱ ସଂଗ୍ରହକାରୀ ହୋଇ ରହନ୍ତି । ସ୍ୱତଃ ଏମାନେ ଶୋଷକ ଶ୍ରେଣୀର ଲୋକ ହୋଇଯାଆନ୍ତି । ଅନ୍ୟ ରାଜକର୍ମଚାରୀ ଓ ଅମଲା ପ୍ରଜା ଅପେକ୍ଷା ଏହି ଉଚ୍ଚପଦର ଲୋକଙ୍କ ନିକଟତର ହୁଅନ୍ତି । ଏତେବେଳକୁ ଖଜଣା ମୁଦ୍ରା ଆକାରରେ ପଇଠ କରିବା ହୁଏ । ତେଣୁ ବହିରାଗତ ଲୋକ ଆସି ଶସ୍ୟ, ଫସଲ, ଅନ୍ୟ ସ୍ଥାବର ଅସ୍ଥାବର ସମ୍ପଦର ବ୍ୟବସାୟ କରନ୍ତି । ମୁଦ୍ରା ବଦଳରେ ଲୋକଙ୍କ ଉପଜ ଓ ଅନ୍ୟ ଜିନିଷ କିଣନ୍ତି । ମୁଦ୍ରା ଯୋଗାଉଥିବା ହେତୁ ଅନେକ ଜନଙ୍କୁ ସଙ୍ଖୋଳେ ଏଣୁ ଏମାନେ ମହାଜନ । ଏମାନଙ୍କଠାରୁ ମହାଜନୀ ପ୍ରଥାର ଆରମ୍ଭ ହୁଏ । ମହାଜନ, ରାଜକର୍ମଚାରୀ, ଅମଲା ଆଦି ସମସ୍ତେ ଗୋଟିଏ ପାଶ୍ୱର୍ରେ ରହିଲେ ପ୍ରଜା ଅପରପାଶ୍ୱର୍ରେ ରହନ୍ତି । ସମୟାନ୍ତରରେ ଏହି ସମ୍ପର୍କ ଶୋଷକ ଶୋଷିତର ହୋଇଯାଏ ।

ଦେଶ ସ୍ୱାଧିନ ହେଲାପରେ ଏହି ଧାରାରେ କୌଣସି ପରିବର୍ତ୍ତନ ହୁଏ ନାହିଁ । ମହାଜନୀ ଓ ମରୁଡି ସମୟ ଭିତରେ ଶୋଷଣ ପ୍ରବଳ ହୁଏ । ଲୋକେ ନିଃସ୍ୱ ହୁଅନ୍ତି । ପ୍ରବାସ ହିଁ ଏକମାତ୍ର ସମାଧାନ ହୋଇଯାଏ । ଏହି ପ୍ରବାସ ଅନେକ ବିସଙ୍ଗତିକୁ ଜନ୍ମଦିଏ । ପରଗ୍ରହରେ ମାନବ ବସତି ପାଇଁ ଚିନ୍ତା କରୁଥିବା ମଣିଷ ପ୍ରଜାତିରୁ ଜଣେ ନୀଳ ରଣା ତାର ଜନ୍ମମାଟିରେ ବଞ୍ଚିବା ପାଇଁ ନିଜର ଜନ୍ମିତ ସନ୍ତାନକୁ ବିକିବାକୁ ବାଧ୍ୟ ହୁଏ । ଏହି ବିସଙ୍ଗତି କେବିକେ ଜିଲ୍ଲାର ନଗ୍ନ ଏବଂ ସ୍ଥିରଚିତ୍ର ଅଟେ ।

ପ୍ରଜା ଓ ଶାସକର ସମ୍ପର୍କ ଦେଶ ସ୍ୱାଧିନ ହେଲାପରେ ତଦୃପ ରହିଗଲା । ଭୋଟ ଦେବାସାଙ୍ଗକୁ ଗ୍ରାମ ପଞ୍ଚାୟତ ଗଠନ ପରେ ଲୋକେ ଦ୍ୱିତୀୟ ଥର ବ୍ୟବସ୍ଥା ପରିବର୍ତ୍ତନର ସାମାନ୍ୟ ଆଭାସ ପାଇଲେ । ଏତେବେଳକୁ କାଁ ଭାଁ ଛାଡିଦେଲେ ପୂର୍ବ ସାମନ୍ତ ଶ୍ରେଣୀରୁ ସରପଞ୍ଚ ଆଦି ହେଲେ । ଗ୍ରାମ୍ୟ ଶାସନରେ ପରିବର୍ତ୍ତନ ଆସିଲା କିନ୍ତୁ ପୂର୍ବଗ୍ରହ ଲାଗି ରହିଲା । ଲୋକଙ୍କ ଅର୍ଥନୀତିର ସୁରକ୍ଷା ପ୍ରତି ଧ୍ୟାନ ଗଲାନାହିଁ । ଭୂଦାନ ଆନ୍ଦୋଳନରୁ ପ୍ରାପ୍ତ ଜମି ବଂଟନ ବେଳେ, ଇ.ଆର.ଆର.ପି ଯୋଜନାରେ ଗରିବଙ୍କୁ ଜମି ବଣ୍ଟନ ବେଳେ ଏବଂ ଗୋତି ପ୍ରଥା ଉନ୍ମୁଳନ ସମୟରେ ସେହି ରାଜତନ୍ତ୍ର -କାଳିନ ସମ୍ପର୍କ ପୁନର୍ବାର ଯୋଡିଲା । ଏଠାରେ ଯେହେତୁ ଜମିର କଥା ଆସିଲା, ଭୂମିହୀନମାନେ ଜମି ପାଇଲା ପରେ ଚୟନ ଆଦିରେ ବେଶ ବିସଙ୍ଗତି ଦେଖାଗଲା । ଏହି ପ୍ରକ୍ରିୟାମାନଙ୍କରେ ସାମନ୍ତ ଓ ମହାଜନମାନେ ଉପକୃତ ହେଲେ । ଅନେକ ଥଇଥାନ ହୋଇଛନ୍ତି ଏହା ଶୁଭ ସୂଚନା । ହୁଏତ ଏହି ଘଟଣା କୌଣସି ମୂଲ୍ୟ ରଖି ନପାରେ କିନ୍ତୁ ରାଜତନ୍ତ୍ର ସମୟର ସମ୍ପର୍କ ଗୋଟିଏ ସମାଜ ସାମ୍ନାକୁ ବାର ବାର ଆସିଲେ ଲୋକେ ରାଜତନ୍ତ୍ରର ଉପସ୍ଥିତିକୁ ସେତେବେଳେ ବି ଅନୁଭବ କରିଥିବେ ନିଶ୍ଚୟ । ଏହା ପ୍ରତିଫଳିତ ଅମଲା ଉପରେ ନିଶ୍ଚୟ ହୋଇଛି ।

ନବେ ଦଶକ ଆରମ୍ଭ ପର୍ଯ୍ୟନ୍ତ କୌଣସି ଅମଲାର କାର୍ଯ୍ୟାଳୟକୁ ଗଲେ ଅଫିସ ସାମ୍ନାରେ ଚପଳ ଖୋଳି ଭିତରକୁ ଯାଉଥିଲେ । ନବେ ଦଶକ ଆସେ, ଦୁଇଜଣ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ନିଜ ନିଜ ସମୟରେ କେବଳ ଦାରିଦ୍ର୍ୟ ଦେଖିବାକୁ କେବିକେ ଜିଲ୍ଲା ଗସ୍ତ କରି ଯାଇ ସାରିଥାନ୍ତି । ଉନ୍ନୟନ ମୂଳକ କାମ ପାଇଁ ଅନେକ ଯୋଜନା ଆସେ । ନବେ ଦଶକର ପ୍ରବେଶ ହୁଏ ଓ ବିଶ୍ୱାୟନ ଆସେ । ଦାରିଦ୍ର୍ୟର ଉଦାହରଣ ମରୁଡି, ଛୁଆବିକ୍ରି, ଅନାହାର ମୃତ୍ୟୁ ଆଦିର ଅନେକ ଖବର ଆସେ । ଯୋଜନା ମାନଙ୍କ ନାମରେ ହଜାର ହଜାର କୋଟି ଟଙ୍କା ଆସେ । ଯୋଜନାମାନ କିଭଳି କାର୍ଯ୍ୟକାରୀ ହୋଇଥିବ ତାହା ରାଜୀବ ଗାନ୍ଧୀଙ୍କ ସ୍ୱୀକାରୋକ୍ତିରୁ ସ୍ପଷ୍ଟ ବୁଝାପଡ଼େ । କେନ୍ଦ୍ର ଟଙ୍କାଟିଏ ପଠେଇଲେ ଲୋକଙ୍କ ପାଖକୁ ପଚିଶ ପଇସା ପହଞ୍ଚିଥାଏ । ଦେଶର ସର୍ବୋଚ୍ଚ ଶାସନକର୍ତ୍ତାଙ୍କ ଏହି ସ୍ୱୀକାରୋକ୍ତି ପଛରେ ନିଶ୍ଚିତ ଅସଂଖ୍ୟ ପ୍ରତାରଣାର କାହାଣୀ ରହିଅଛି । ଏହା ବି ସତକଥା ଯେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାର ପରଠାରୁ ଯେତେକ ବି ଗରିବ ଉନ୍ମୁଳନ ଯୋଜନା ହୋଇଛି, ସେହି ଯୋଜନାମାନ ପ୍ରଣୟନ ହେବାରେ କେବିକେ ଜିଲ୍ଲାମାନଙ୍କର ଅନେକ ଯୋଗଦାନ ରହିଛି । ନବେ ଦଶକପରେ ଦେଶର ରାଜନୀତିରେ ଗୋଟିଏ ପରିବର୍ତ୍ତନ ଦେଖାଦେଲା । ଟଙ୍କା ଓ କ୍ଷମତା ଭିତରେ ଘନିଷ୍ଠତା ବଢିବାକୁ ଲାଗିଲା । ଏହା ପ୍ରଥମକରି ଅଞ୍ଚଳକୁ ଅମଲା ଆସିବା ସମୟର ଚିତ୍ରକୁ ପୁନଃ ଲୋକଙ୍କ ସାମ୍ନାକୁ ଆଣିଲା ଯେତେବେଳେ ମହାଜନ ସାମନ୍ତିୟ ସୁରକ୍ଷା ପାଉଥିଲା ।

କେନ୍ଦ୍ରର ଟଙ୍କାଟିଏକୁ ପଚିଶ ପଇସା କରିବାର କ୍ଷମତା ଯାହା ପାଖରେ ଅଛି ସେମାନଙ୍କ ତୃଣମୂଳ ସ୍ତରର କର୍ମଚାରୀ ଗ୍ରାମ୍ୟ ରାଜନୀତିରେ ଗୋଟିଏ ବଡ ପରିବର୍ତ୍ତନ ଆଣିଲେ । ଠିକାଦାରଙ୍କୁ ରାଜନୀତିକୁ ଆଣିଲେ । ଅନୁଦାନର ସ୍ରୋତ ଏଭଳି ପ୍ରଖର ଥିଲା ଯେ ତାହାର ବିନିଯୋଗ ପାଇଁ ସରକାର ନିଜର ବିଭାଗ ସହ ଏନଜିଓ ମାନଙ୍କ ସହାୟତା ନେଲେ । ବେପାରୀ ସମୁଦାୟ ବି ଜାଣି ପାରିଲେ ଯେ ସରକାରୀ କାମରେ ବେପାରଠୁ ଅଧିକ ଲାଭ ଅଛି । ଠିକାଦାର ଏବଂ ବେପାରୀଙ୍କୁ କ୍ଷମତାକୁ ଆଣିବା ପରେ ଅମଲାତନ୍ତ୍ର ବେଶ ସୁରୁଖୁରୁରେ ଚାଳିଲା । କ୍ଷମତାରେ ଥିବା ଲୋକ ଟ୍ରାକ୍ଟର ଜେସିବି ଭଳି ମେସିନ ଆଣିଲେ । ଲୋକଙ୍କୁ ଶ୍ରମ ଓ କୃଷି କ୍ଷେତ୍ରକୁ ଗୋରୁ ଶୂନ୍ୟ କରିଥିବା ଏହି ସମୟ ଏବେ ବି ଚାଲୁଅଛି ।

ଅର୍ଥାତ ବଜାର ତୃଣମୂଳ ସ୍ତରର ରାଜନୀତିକୁ ପ୍ରଭାବିତ କରି ନିୟନ୍ତ୍ରଣ କରୁଅଛି । ଏହାର ଗୋଟିଏ ସୁନ୍ଦର ଉଦାହରଣ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଆଟେ । ବିଡିଓଙ୍କ ଡ୍ରାଇଭର ବିଗତ ଚାରିବର୍ଷ ହେଲା ଏମଜିଏନଆରଇଜିଏ କାମ କରି ଲକ୍ଷାଧିକ ଟଙ୍କା ପାଇଛି । ଘରୋଇ ଭାବେ ବ୍ଲକ କାର୍ଯ୍ୟାଳୟରେ ନିଜର ଗାଡି ଭଡାରେ ଲଗେଇଥିବା ଡ୍ରାଇଭର ସସ୍ତ୍ରୀକ କେତେବେଳେ ମାଟିକାମ କରିଗଲା? ଏହି କାମର ଖବର ସଂଗ୍ରହ ପାଇଁ ଯାଇଥିବା ଗୋଟିଏ ସୋସିଆଲ ମିଡିଆ ଖବରଦାତା ବିପକ୍ଷରେ ବିଡିଓ ମାମଲା ଦାୟର କରିଥିଲେ । ସେ ପୋଲିସ ଦ୍ୱାରା ଗିରଫ ହୋଇ ଗୋଟିଏ ଦିନ ଜେଲ ମଧ୍ୟ ଯାଇଥିଲେ । ଦ୍ୱିତୀୟ ଉଦାହରଣ ହେଲା ସେହି ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ଗ୍ରାମ ପଞ୍ଚାୟତର ସରପଞ୍ଚ କାମ ନ କରି ୨୩ ଲକ୍ଷ ଟଙ୍କା ଜଣେ ଯୋଗାଣ ସହାୟକଙ୍କ ବ୍ୟାଙ୍କ ଖାତାରେ ଜମାକରି ଖାଇଛନ୍ତି । ଭାରତବର୍ଷରେ ବଙ୍ଗୋମୁଣ୍ଡା ଏପରି ଏକ ବ୍ଲକ ଯେଉଁଠାରେ ଏମଜିଏନଆରଇଜିଏର ବିଲ୍ ଦେଲାବେଳେ ପିସି କାରବାର ହୋଇଥାଏ । ପସି ଅର୍ଥାତ ଅମଲା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଶତକଡ଼ାର ଟଙ୍କା ଯିବ । ଯାହା କାମ ଅନୁସାରେ ୧୭ପ୍ରତିଶତରୁ ୩୫ ପ୍ରତିଶତ ମଞ୍ଜୁର ହୋଇଥିବା ଟଙ୍କାର ହୋଇଥାଏ । ଅର୍ଥାତ ବଜାର ନିୟନ୍ତ୍ରିତ ବ୍ୟବସ୍ଥାରେ ଅମଲାମାନେ ଗୋଟିଏ ଗୋଟିଏ କ୍ରୀଡ଼ନକ ମାତ୍ର ।

ଏହି ପ୍ରକ୍ରିୟା ଗୋଟିଏ ସୁନ୍ଦର ଚକ୍ର ତିଆରି କରିଥାଏ । ଉନ୍ନୟନମୂଳକ ଯୋଜନାରେ ଲୋକଙ୍କ ଟଙ୍କା ଲୋକଙ୍କ ଉପସ୍ଥିତି ବିନା ଖର୍ଚ୍ଚ ହୋଇପାରେ । ଏହା କରାଯାଏ; ମେସିନ କାମ କରିଦେବ, ଲୋକଙ୍କ ପଡିକାର୍ଡ ଓ ଜବକାର୍ଡ ସ୍ଥାନୀୟ ପ୍ରତିନିଧି ନିକଟରେ ରହିବ । ନୀଳ ରଣା ପ୍ରବାସରେ ଥିଲେ ବି ତାର ଏମଜିଏନଆରଇଜିଏ ଟଙ୍କା ଜେସିବି ମାଲିକ ପାଖକୁ ଯିବ । ଅମଲା ଓ ଜନପ୍ରତିନିଧି ନିଜ ନିଜର ଭାଗ ପାଇବେ । ଦାଦନ ସଂଖ୍ୟା ବଢୁଥିବ ଓ ବିକଶିତ ଭାରତ ପାଇଁ ଯେତିକି ଶ୍ରମିକ ଦରକାର; କେବିକେ ଜିଲ୍ଲା ଯୋଗାଉଥିବ ।

ହଜାର ହଜାର କୋଟିଟଙ୍କାର କେବିକେ ଯୋଜନା କାର୍ଯ୍ୟକାରୀ ହୁଏ । ଏହି ଯୋଜନାରେ ଯେତେକ ଟଙ୍କା ଖର୍ଚ୍ଚ ହୋଇଛି ତାର ଗୋଟିଏ ସଂଗୁପ୍ତ ବୃକ୍ଷ ସମସ୍ତଙ୍କ ଅଲକ୍ଷ୍ୟରେ ବଢୁଅଛି । କେବିକେ ଜିଲ୍ଲାକୁ ମାନସିକ ସ୍ତରରେ ଗୋଟିଏ କ୍ଷେତ୍ରଆକାରରେ ପ୍ରସ୍ତୁତ କରିବା । ଏହି ଏକକ ହେଉଛି ଖଣିଖାଦାନରେ ଭରପୁର ଅଞ୍ଚଳ । ଗୋଟିଏ ହିସାବ ଅନୁସାରେ କେବିକେ ଜିଲ୍ଲାର କୋରାପୁଟ ଓ ରାୟଗଡା ଦୁଇଟି ଜିଲ୍ଲା ମାସକୁ ଦୁଇ ହଜାର କୋଟି ଟଙ୍କାର ବକ୍ସାଇଟ ବ୍ୟବସାୟ କରନ୍ତି । କେବିକେ ଅଞ୍ଚଳରୁ ଦୈନିକ ଶହେକୋଟି ଟଙ୍କାର କେବଳ ବକ୍ସାଇଟ ବେପାର ହୋଇଥାଏ । ଏହା ତୁଳନାରେ ଅନ୍ୟାନ୍ୟ କ୍ଷେତ୍ର ଓ ବ୍ୟବସାୟକୁ ଅନୁଧ୍ୟାନ କଲେ କେବିକେ ଜିଲ୍ଲାକୁ ଯେଉଁ ସମସ୍ତ ଯୋଜନା ଆସେ, ତାହା ସଂଖ୍ୟାରେ ହିଁ କେବଳ ବଡ଼ ଦେଖାଯାଏ । ପ୍ରକୃତରେ ଉଦ୍ଦେଶ୍ୟ ଭିନ୍ନ ହୋଇଥାଏ ।

ମେହନତି ମଣିଷ ନୀଳ ରଣା । ମାଟିରେ ବାସନକୁସନ ତିଆରି ଲୋକଙ୍କୁ ବିକୁଥିଲା । ଆଲୁମିନିୟମ, ଷ୍ଟିଲ ବାସନ ନେଇ ବଜାର ଟିଟିଲାଗଡ଼ ଆସିଲା । ନୀଳ ରଣା ତାର ଉଆ ଛାଡିଦେଲା, ଦାଦନ ଗଲା । ମାଟିରେ ସୁନ୍ଦର ସୁନ୍ଦର ବାସନ ତିଆରୁଥିବା ନୀଳ ରଣା ବିଦେଶ ମାଟିକୁ ଚକଟି ଇଟା ତିଆରି କଲା । ସରକାର ତା ବାଟରେ ଚାଲିଲେ, ନୀଳ ରଣା ତା ବାଟରେ ଚାଲିଲା । ନୀଳ ରଣା ଝିଅ ବିକିଦେଲା । ତା ଘରକୁ ବହୁତ ଲୋକ ଆସିଲେ । ଭୋଟ ମାଗୁଥିବା ଲୋକ, ପଡିକାର୍ଡ ମାଗୁଥିବା ଲୋକ, ଅମଲା, ପୋଲିସ, ଜ୍ଞାନୀଗୁଣି ସମସ୍ତେ । ଏମାନେ ସେତେବେଳେ ପ୍ରଥମ କରି ଆସିଥିଲେ ଯେତେବେଳେ ଜମି ଲାଗି ସରକାରକୁ ଖଜଣା ଦେବାକୁ ପଡିଲା । ଆଜି ବି ସେମାନେ ଆସିଛନ୍ତି । ଏମାନେ ଆଉ ଆସିବେ ନାହିଁ ଭୋଟ ହେବା ପର୍ଯ୍ୟନ୍ତ ।

ନୀଳ ରଣା ଏବେ ଝିଅ ବିକିଥିବା ବାପଟିଏ ନୁହେଁ; କେବଳ ଯେଉଁମାନେ ଏ ମାଟିକୁ ଜୀବିକା କରିଥିଲେ, ଚାଷ କରୁଥିଲେ, ଲଙ୍ଗଳ ତିଆରୁ ଥିଲେ, ଘର ଗଢୁଥିଲେ, ରଫା ଗଇନ୍ତି, ହାଣ୍ଡି ମାଠିଆ ତିଆରୁ ଥିଲେ । ସେମାନେ ସମସ୍ତେ ସମୂହହୋଇ ଦାଦନ ଯାଆନ୍ତି । ଯେଉଁମାନେ ତାକୁ ଖଜଣା ମାଗି ଆସୁଥିଲେ, ସେମାନେ ଆଜି ବି ଆସୁଛନ୍ତି । ଦସ୍ତଖତ, ଝିଅ, ଖଜଣା କି ଭୋଟ ମାଗିବାକୁ ।

ନୀଳରଣା ସ୍ଥିରଚିତ୍ରଟିଏ ଦାରିଦ୍ର୍ୟର, ଯାହାକୁ ଶୋଷିବାକୁ ଆହୁରି ବାକି ଅଛି । ଏଭିତରେ ନୀଳ ରଣା ସମସ୍ତ ସରକାରୀ ସୁବିଧା ପାଇଛି ଏହା ହିଁ ସରକାରଙ୍କ ଶେଷ ଉଦାରତା ନୀଳ ରଣାମାନଙ୍କୁ ।……………

492540929 24382617911327187 2475610932512460185 N

ରାଜୀବ ସଗରିଆ

Comments

0 comments

Share This Article