ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ବିତର୍କରେ ଇତିହାସ ପୃଷ୍ଠାରୁ ଅନେକ ନାଁକୁ ଉଦ୍ଧାର କରାଯାଇଛି, ସେମାନଙ୍କର ଭୂମିକା ଓ ବକ୍ତବ୍ୟକୁ ନେଇ, ଯେପରି ଜବାହାରଲାଲ ନେହେରୁ, ବଲ୍ଲଭଭାଇ ପଟେଲ, ଶ୍ୟାମାପ୍ରସାଦ ମୁଖାର୍ଜୀ, ବାବାସାହେବ ଆମ୍ବେଦକର ଓ ଏପରିକି ରାମ ମନୋହର ଲୋହିଆ । ଏହି ବ୍ୟକ୍ତିତ୍ୱମାନେ ଥିଲେ ରାଜନୈତିକ ବ୍ୟକ୍ତିତ୍ୱ ଓ ସ୍ୱାଭାବିକ ସେମାନଙ୍କର ଭୂମିକା ଓ ବକ୍ତବ୍ୟ ଆଜିକାର ରାଜନେତାମାନଙ୍କ ବକ୍ତବ୍ୟରେ ହିଁ ଆସିଛି । ଏମାନଙ୍କ ସମ୍ପର୍କରେ କେତେ ସତ କୁହାଯାଉଛି ବା କେତେ ମିଛ କୁହାଯାଉଛି, ତାହାକୁ ନେଇ ବେଶ୍ ବିତର୍କ ହେଉଛି । କିନ୍ତୁ ଏହି କୋଳାହଳ ଭିତରେ ଯାହାଙ୍କ ସମ୍ପର୍କରେ କ୍ୱଚିତ କୁହାଯାଉଛି ସେ ହେଉଛନ୍ତି ଜାମ୍ମୁ ଓକାଶ୍ମୀର ରାଜ୍ୟର ଶେଷ ମହାରାଜା ହରି ସିଂହ (ଜନ୍ମ ୨୩ ସେପ୍ଟେମ୍ବର ୧୮୯୫-ମୃତ୍ୟୁ ୨୬ ଏପ୍ରିଲ ୧୯୬୧) କାରଣ ଭାରତ ସହ ଜାମ୍ମୁ ଓ କାଶ୍ମୀର ରାଜ୍ୟର ମିଶ୍ରଣ ପର୍ବ ହରି ସିଂହଙ୍କ ସମୟରେ ଆରମ୍ଭ ହୋଇଥିଲା । ତାଙ୍କ ସମ୍ପର୍କରେ ଜାଣିବାର ଉତ୍ସୁକତାରୁ ଏହି ନିବନ୍ଧର ସୃଷ୍ଟି ।
ଚତୁର୍ଥ ପିଢ଼ି ମହାରାଜା
ଜାମ୍ମୁ ଓ କାଶ୍ମୀରର ଚତୁର୍ଥ ପିଢ଼ିର ଶାସକ ଥିଲେ ମହାରାଜା ହରି ସିଂହ । ଜାମ୍ମୁ ଓ କାଶ୍ମୀରର ପ୍ରଥମ ମହାରାଜା ଥିଲେ ଗୁଲାବ ସିଂହ, ହରି ସିଂହଙ୍କ ପ୍ରପିତାମହ । ଏହାପୂର୍ବରୁ ଗୁଲାବ ସିଂହ ଥିଲେ ପଞ୍ଜାବର ମହାରାଜା ରଣଜିତ ସିଂହଙ୍କ ସେବାରେ, ଯାହାଦ୍ୱାରା ପ୍ରୀତ ହୋଇ ମହାରାଜା ରଣଜିତ ସିଂହ ଗୁଲାବ ସିଂହଙ୍କ ହାତରେ ଜାମ୍ମୁର ଇଲାକାକୁ ନ୍ୟସ୍ତ କରିଥିଲେ ଓ ବଂଶାନୁକ୍ରମେ ‘ରାଜା’ ଉପାଧି ବ୍ୟବହାର କରିବାର ଅଧିକାର ଦେଇଥିଲେ । କିନ୍ତୁ ୧୮୩୯ରେ ମହାରାଜା ରଣଜିତ ସିଂହଙ୍କ ମୃତ୍ୟୁ ପରେ ଶିଖ୍ ଆଧିପତ୍ୟ ଦୁର୍ବଳ ହେବାକୁ ଆରମ୍ଭ କଲା ଓ ବ୍ରିଟିଶ କମ୍ପାନୀଙ୍କ ପରାଭବ ବୃଦ୍ଧି ପାଇଲା । ପ୍ରଥମ ଶିଖ ଯୁଦ୍ଧରେ ଗୁଲାବ ସିଂହ ମଧ୍ୟସ୍ଥତା କଲେ ତତ୍କାଳୀନ ବ୍ରିଟିଶ କମ୍ପାନୀ ଓ ଶିଖ୍ ମହାରାଜାଙ୍କ ମଧ୍ୟରେ । କମ୍ପାନୀକୁ ଶିଖ ମହାରାଜା ଏକ କୋଟି ଟଙ୍କା ଦେବେ, ଏହା ସ୍ଥିର ହେଲା । ଯେହେତୁ ଏତେ ବଡ଼ ପରିମାଣର ଅର୍ଥ ଦେବା ଶିଖ୍ ମହାରାଜାଙ୍କ ସାମର୍ଥ୍ୟ ଭିତରେ ନଥିଲା, ତା’ ବଦଳରେ ଜାମ୍ମୁ ଓ କାଶ୍ମୀର ଅଂଚଳକୁ କମ୍ପାନୀକୁ ଛାଡ଼ିଦେବେ ବୋଲି ପ୍ରସ୍ତାବ ଦେଲେ । କିନ୍ତୁ କମ୍ପାନୀ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ । ଯେହେତୁ ଏହି ଅଂଚଳ ଭିତରେ ଗୁଲାବ ସିଂହ ମହାରାଜା ରଣଜିତ ସିଂହଙ୍କ ଠାରୁ ପାଇଥିବା ଜାମ୍ମୁ ଅଂଚଳ ଥିଲା ଓ ଏହା ସେ ହରାଇବାକୁ ଚାହୁଁ ନଥିଲେ । ତେଣୁ କମ୍ପାନୀ ଦାବି କରୁଥିବା ଅର୍ଥକୁ ସେ ଦେଇଦେବେ ବୋଲି ପ୍ରସ୍ତାବ ଦେଲେ, ଯଦି ତାଙ୍କୁ ଜାମ୍ମୁ ଓ କାଶ୍ମୀର ସ୍ୱାଧୀନ ଶାସକ କରି ଦିଆଯାଏ । ଏହି ବାବଦରେ ଗୁଲାବ ସିଂହଙ୍କ ସହିତ ଏକ ସ୍ୱତନ୍ତ୍ର ଚୁକ୍ତିନାମା ସ୍ୱାକ୍ଷରିତ ହେଲା, ୧୬ ମାର୍ଚ୍ଚ ୧୮୪୬ ଦିନ ଅମୃତସରଠାରେ । ଏହାକୁ ଅମୃତସର ଚୁକ୍ତି କୁହାଯାଏ । ବ୍ରିଟିଶ ସରକାରଙ୍କ ଆଧିପତ୍ୟର ସ୍ୱୀକୃତି ଭାବେ ଗୁଲାବ ସିଂହ ରାଜିହେଲେ ଯେ ସେ ବ୍ରିଟିଶ ସରକାରଙ୍କୁ ପ୍ରତିବର୍ଷ ଗୋଟିଏ ଘୋଡ଼ା, ୧୨ଟି ଅନୁମୋଦିତ କିସମର କାଶ୍ମୀରୀ ଛେଳି ଏବଂ ତିନି ଯୋଡ଼ା କାଶ୍ମୀରୀ ଶାଲ୍ । ପରେ ଏହି ତାଲିକାରେ ପରିବର୍ତ୍ତନ ହେଲା, କେବଳ ଦୁଇଟି ଶାଲ ଓ ତିନୋଟି ରୁମାଲ ଦେବାରେ ହିଁ ସୀମିତ ରହିଲା । ଅମୃତସର ଚୁକ୍ତିରୁ ହିଁ ଜାମ୍ମୁ ଓ କାଶ୍ମୀର ରାଜ୍ୟର ୧୮୪୬ ମସିହା ମାର୍ଚ୍ଚ ମାସରେ ସୃଷ୍ଟି । କିନ୍ତୁ କମ୍ପାନୀ ବାହାଦୁର ୨୫ଲକ୍ଷ ଟଙ୍କା ଛାଡ଼ିଦିଅନ୍ତି । ଏକ କୋଟି ନ ଦେଇ ୭୫ଲକ୍ଷ ଟଙ୍କା ଦିଅନ୍ତି ଗୁଲାବ ସିଂହ ଓ ଜାମ୍ମୁ ଓ କାଶ୍ମୀରର ମହାରାଜା ଭାବେ ସ୍ୱୀକୃତ ହୁଅନ୍ତି । କିନ୍ତୁ କାଶ୍ମୀରକୁ ଦଖଲ ଭିତରକୁ ନେବା ସହଜ ହୁଏ ନାହିଁ ଗୁଲାବ ସିଂହଙ୍କ ପାଇଁ । ୧୮୪୬ ମସିହା ଶେଷବେଳକୁ ବ୍ରିଟିଶ ସେନାର ସାହାଯ୍ୟ ନେଇ ଦଖଲ ଭିତରକୁ ନେବାପାଇଁ ସକ୍ଷମ ହେଲେ ଗୁଲାବ ସିଂହ୧ । ଅର୍ଥାତ୍ ଜାମ୍ମୁର ଡୋଗ୍ରା ରଜା ଗୁଲାବ ସିଂହ କାଶ୍ମୀର ଦଖଲବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ । ଗୁଲାବ ସିଂହଙ୍କର ମୃତ୍ୟୁ ୧୮୫୭ରେ ହେଲା । ତାଙ୍କ ପୁତ୍ର ରଣବୀର ସିଂହ ଜାମ୍ମୁ ଓ କାଶ୍ମୀରର ମହାରାଜା ହେଲେ । ୧୮୮୫ରେ ରଣବୀର ସିଂହଙ୍କର ମୃତ୍ୟୁ ହେଲା । ପୁତ୍ର ପ୍ରତାପ ସିଂହ ମହାରାଜା ହେଲେ । ପ୍ରତାପ ସିଂହ ଅପୁତ୍ରିକ ଥିବାରୁ ତାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଅମର ସିଂହଙ୍କ ପୁଅ ହରି ସିଂହ ୨୩ ସେପ୍ଟେମ୍ବର ୧୯୨୫ରେ ମହାରାଜା ହେଲେ । ହରି ସିଂହ ଉଚ୍ଚଶିକ୍ଷିତ ବ୍ୟକ୍ତି ଥିଲେ, ସାମରିକ ଶିକ୍ଷା ପାଇଥିଲେ । ମହାରାଜା ପ୍ରତାପ ସିଂହ ତାଙ୍କୁ ରାଜ୍ୟ ସୈନ୍ୟବାହିନୀର ସେନାଧ୍ୟକ୍ଷ (Commander-in-Chief) ଭାବେ ନିଯୁକ୍ତି ଦେଇଥିଲେ । ମହାରାଜା ହେବା ପରେ ସେ ତାଙ୍କ ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିଥିଲେ । ବାଲ୍ୟବିବାହକୁ ନିଷିଦ୍ଧ କରି ଆଇନ ପ୍ରଣୟନ କରିଥିଲେ । ବର୍ଣ୍ଣାଶ୍ରମରେ ନିମ୍ନରେ ଥିବା ଜାତିଗୁଡ଼ିକଙ୍କର ପୂଜା ଅର୍ଚ୍ଚନା ପାଇଁ ମନ୍ଦିର ଦ୍ୱାର ଖୋଲି ଦେଇଥିଲେ୨ । କାଶ୍ମୀରକୁ ମନୋରମ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିବାରେ ତାଙ୍କର ଅବଦାନକୁ ସ୍ମରଣ କରି ବଲରାଜ ମାଧୋକ ଲେଖନ୍ତି୩,“ଆଜିର କାଶ୍ମୀର, ଏହାର ପ୍ରାକୃତିକ ଓ ମାନବ ନିର୍ମିତ ସୌନ୍ଦର୍ଯ୍ୟ ତଥା ଅଳଙ୍କାରର ମନୋହର ମିଶ୍ରଣ ଇତ୍ୟାଦି ଅନେକ କିଛି ମହାରାଜା ହରି ସିଂହଙ୍କର ହିଁ ଅବଦାନ ଅଟେ ।” ଏହି ଦୃଷ୍ଟିରୁ ସେ ଜଣେ ପ୍ରଗତିଶୀଳ ରାଜା ଥିଲେ ବୋଲି କୁହାଯାଇପାରେ ।
ମହାରାଜା ହରି ସିଂହଙ୍କୁ ବିରୋଧ
କିନ୍ତୁ ସେ ପ୍ରଚଣ୍ଡ ବିରୋଧର ଶରବ୍ୟ ହୋଇଥିଲେ ଶେଖ ଅବଦୁଲ୍ଲାଙ୍କର ନ୍ୟାସନାଲ କନଫରେନ୍ସ ପକ୍ଷରୁ, କାରଣ ଜାମ୍ମୁ ଓ କାଶ୍ମୀର ମୁସଲମାନ ବହୁଳ ଅଂଚଳ ହୋଇଥିଲେ ହିଁ ରାଜ୍ୟ ପ୍ରଶାସନରେ ଓ ସେନାରେ ସେମାନଙ୍କର ପ୍ରତିନିଧିତ୍ୱ ପ୍ରାୟ ନଥିଲା । ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହିତ ମିଶ୍ରଣରେ ସର୍ଦ୍ଦାର ପଟେଲଙ୍କର ଦକ୍ଷିଣ ହସ୍ତ ଓ ସଚିବ V. P. Menon ଲେଖନ୍ତି୧, “ଯଦିଓ ମୁସଲମାନ ଥିଲେ ରାଜ୍ୟର ସବୁଠାରୁ ବଡ଼ ସମ୍ପ୍ରଦାୟ, ଅଭିଯୋଗ ଥିଲା ଯେ ସରକାରୀ ଚାକିରୀ ଓ ସେନାବାହିନୀରେ ଅଧିକାଂଶ ପଦବୀରେ ହିନ୍ଦୁ ହିଁ ଥିଲେ । ୧୯୩୨ରେ ଶେଖ୍ ଅବଦୁଲ୍ଲାଙ୍କ ନେତୃତ୍ୱରେ ସାରା ଜାମ୍ମୁ ଓ କାଶ୍ମୀର ମୁସ୍ଲିମ୍ କନଫେରନ୍ସର ସ୍ଥାପନା ହେଲା ମୁସଲମାନ ସମ୍ପ୍ରଦାୟର ଅଧିକାର ପାଇଁ ଲଢ଼ିବାକୁ । ୧୯୩୯ ମସିହା ସୁଦ୍ଧା ଏହି ସଙ୍ଗଠନ ତାର ସାମ୍ପ୍ରଦାୟିକ ପରିଚିତିକୁ ପରିତ୍ୟାଗ କଲା ଓ ଏହାର ନାମକୁ ‘ନ୍ୟାସନାଲ କନଫରେନ୍ସ’ରେ ପରିବର୍ତ୍ତନ କଲା ଓ ଏହା All India States People’s Conferenceର ସହିତ ସହବନ୍ଧିତ ହେଲା । ମହାରାଜାଙ୍କ ବିରୋଧରେ ବାରମ୍ବାର ବିକ୍ଷୋଭ କରିଥିଲା ଏବଂ ଶେଖ ଅବଦୁଲ୍ଲା ବହୁ ବାର ଗିରଫ ହୋଇଥିଲେ । ୧୯୪୬ରେ ସେ ମହାରାଜାଙ୍କ ବିରୋଧରେ ‘କାଶ୍ମୀର ଛାଡ଼’ (Quit Kashmir)ର ଡାକରା ଦେଇଥିଲେ । ଯାହାର ପରିଣତିସ୍ୱରୂପ ମହାରାଜା ତାଙ୍କୁ ତାଙ୍କୁ ଏକ ଦୀର୍ଘମିଆଦୀ ଜେଲ୍ ଦଣ୍ଡ ଦେଇଥିଲେ । କିନ୍ତୁ ଏତେବେଳକୁ ରାଜ୍ୟର ଜନସାଧାରଣଙ୍କ ଉପରେ ତାଙ୍କର ପ୍ରଭାବରେ ବେଶ୍ ବୃଦ୍ଧି ପାଇଲାଣି ।” (ପୃ ୩୯୨-୩)
ପଣ୍ଡିତ ଜବାହାରଲାଲ ନେହେରୁ ଗିରଫ
ଗିରଫ ଶେଖ ଅବଦୁଲ୍ଲାଙ୍କ ସମର୍ଥନରେ ପଣ୍ଡିତ ଜବାହାରଲାଲ ନେହେରୁ କାଶ୍ମୀର ଆସିବେ ବୋଲି ଘୋଷଣା କରିଦେଲେ । ମହାରାଜା ହରି ସିଂହ, ତାଙ୍କ ପ୍ରଧାନମନ୍ତ୍ରୀ ରାମଚନ୍ଦ୍ର କାକଙ୍କ ପରାମର୍ଶକ୍ରମେ, ନେହେରୁଙ୍କ କାଶ୍ମୀର ପ୍ରବେଶଉପରେ ନିଷେଧାଜ୍ଞା ଜାରି କରିଦେଲେ । ତଥାପି ନେହେରୁ ବାହାରି ପଡ଼ିଲେ ଓ ପ୍ରବେଶ କରୁ କରୁ ତାଙ୍କୁ ଗିରଫ କରି ନିଆଗଲା୪ (ଜୁନ ୨୧, ୧୯୪୬) I ବଲରାଜ ମାଧୋକ ଲେଖନ୍ତି୩, “ଏହା ରାଜ୍ୟ ପ୍ରଶାସନର ବଡ଼ ଭୁଲ ଥିଲା । ପଣ୍ଡିତ ନେହେରୁ ଶ୍ରୀନଗର ଆସିଥିଲେ ଆକାଶ ଖସି ପଡ଼ିନଥାନ୍ତା । ବରଂ ଏପରି ମଧ୍ୟ ହୋଇଥାନ୍ତା ଯେ ସମସ୍ତ ସ୍ଥିତି ବିଷୟରେ ଶୁଣି ବୁଝି ସେ ଶେଖ ଅବଦୁଲ୍ଲା ଭୁଲ ବୋଲି କହିଥାନ୍ତେ । ସେହି ସମୟରେ ପଣ୍ଡିତ ନେହେରୁଙ୍କର ଅହଂ ଭାବ ଆକାଶଛୁଆଁ ଥିଲା । ଗିରଫ ହେବା ତାଙ୍କର ଅହଂଭାବକୁ ବେଶ୍ ଆଘାତ ଦେଇଥିଲା ଓ ସେ ମହାରାଜା ହରି ସିଂହଙ୍କର ପରମଶତ୍ରୁ ହୋଇଗଲେ ।” (ପୃ ୮୨)
କାଶ୍ମୀର ହିନ୍ଦୁ ବନାମ ଜାମ୍ମୁ ହିନ୍ଦୁ
ଏଠାରେ ଉଲ୍ଲେଖଯୋଗ୍ୟ ଯେ କାଶ୍ମୀର ଘାଟିରେ, ଶ୍ରୀନଗରଠାରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ପ୍ରଥମ ଶାଖାର ସ୍ଥାପନା ବଲରାଜ ମାଧୋକଙ୍କ ଦ୍ୱାରା ହିଁ ହୋଇଥିଲା, ୧୯୪୪ରେ ଓ ୧୯୪୬ ମଧ୍ୟଭାଗ ସୁଦ୍ଧା୩ “ଶ୍ରୀନଗରରେ ପ୍ରାୟ ଏକ ହଜାର ସ୍ୱଂୟସେବକ ହୋଇଯାଇ ଥିଲେ ।” ଯଦିଓ ଜାମ୍ମୁର ହିନ୍ଦୁମାନେ “କାଶ୍ମୀରୀ ହିନ୍ଦୁଙ୍କୁ ସାପ ସହିତ ତୁଳନା କରି କହୁଥିଲେ ସେମାନେ ପ୍ରଥମେ କାଶ୍ମୀରୀ ଓ ଶେଷ ଯାଏ କାଶ୍ମୀରୀ । ତାଙ୍କର ଅବଶିଷ୍ଟ ଭାରତ ସହ ବା ନିଜଠାରୁ ନ୍ୟୁନ ହିନ୍ଦୁଙ୍କର ଭଲ ମନ୍ଦ ସହିତ କୌଣସି ସମ୍ପର୍କ ନାହିଁ । ସେମାନେ ନିଜ ସ୍ୱାର୍ଥ ଊଦ୍ଧ୍ୱର୍କୁ କଦାପି ଯାଇପାରିବେ ନାହିଁ” ଓ ତାଙ୍କୁ ଚେତାଇ ଦେଇଥିଲେ ଯେ ‘ମୋତେ ମଧ୍ୟ ସେମାନେ ଧୋକା ଦେଇପାରନ୍ତି ।’ । (ପୃ ୭୦-୭୧)
ମହାରାଜା ହରି ସିଂହ ଓ ଶ୍ରୀ ଗୋଲୱାଲକର
୧୯୪୬ ଅକ୍ଟୋବରରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘ ଚାଳକ ଶ୍ରୀ ମାଧବ ସଦାଶିବ ଗୋଲୱାଲକର ପ୍ରଥମଥର ପାଇଁ କାଶ୍ମୀର ଆସିଲେ ଓ ମହାରାଜା ହରି ସିଂହଙ୍କୁ ଭେଟିଲେ । ଏହି ଭେଟ ସମ୍ପର୍କରେ ବଲରାଜ ମାଧୋକ ଲେଖନ୍ତି୩, “ତାଙ୍କର (ଗୋଲୱାଲକରଙ୍କର) ମହାରାଜାଙ୍କ ସହିତ କଣ କଥାବାର୍ତ୍ତା ହେଲା ସେ ସମ୍ବନ୍ଧରେ ସେ ନା ମୋତେ କିଛି କହିଲେ ନା କୌଣସି ମାର୍ଗଦର୍ଶନ ଦେଲେ ।…ମୁଁ ବ୍ୟକ୍ତି ନିରପେକ୍ଷ ହୋଇ ସଂଘ କାର୍ଯ୍ୟ କରିବାର ସଙ୍କଳ୍ପ କରିଥିଲି । ତେଣୁ ଏହି ଘଟଣାକୁ ମୁଁ କୋଣସି ମହତ୍ତ୍ୱ ଦେଲି ନାହିଁ । ଯଦି ଶ୍ରୀ ଗୋଲୱାଲକର ମୋ ସହିତ ବିଚାର ବିମର୍ଶ କରିଥାନ୍ତେ ତାହାହେଲେ ସେ କାଶ୍ମୀରର ସ୍ଥିତିକୁ ଭଲ ଭାବରେ ବୁଝି ପାରିଥାନ୍ତେ ଓ ମୋତେ ବି ତାଙ୍କ ମାର୍ଗଦର୍ଶନର ଲାଭପ୍ରାପ୍ତ ହୋଇଥାନ୍ତା ।” (ପୃ ୮୨) ଗୋଲୱାଲକର ମାଧୋକଙ୍କୁ ବିଶ୍ୱାସ ଭିତରକୁ ନନେବା ଯେ ମାଧୋକଙ୍କୁ ଆଘାତ ଦେଇଥିଲା, ତାହା ସ୍ପଷ୍ଟ ।
ମହାରାଜା ହରି ସିଂହ ଓ ଲର୍ଡ ମାଉଣ୍ଟବେଟେନ
ଏ ଦୁହେଁ ପରସ୍ପରକୁ ୧୯୨୧-୨୨ ମସିହାରୁ ଭଲରୂପେ ଜାଣିଥିଲେ । କାରଣ ସେହିବର୍ଷ ଯେତେବେଳେ ପ୍ରିନ୍ସ ଅଫ ୱେଲ୍ସ (Prince of Wales) ଭାରତ ଗସ୍ତରେ ଆସିଥିଲେ, ସେତେବେଳେ ଏ ଦୁହେଁ ଏହି ରାଜପୁତ୍ରଙ୍କ ସେବାରେ ଥିବା କର୍ମଚାରୀ ଗୋଷ୍ଠୀର ସଭ୍ୟ ଥିଲେ । ମହାରାଜାଙ୍କର ଏକ ନିମନ୍ତ୍ରଣ ସେହି ଦିନରୁ ଥିଲା ଯାହା ଲର୍ଡ ମାଉଣ୍ଟବେଟେନ ଜୁନ (୧୯୪୭) ମାସର ତୃତୀୟ ସପ୍ତାହରେ କାର୍ଯ୍ୟରେ ଲଗାଇଲେ ଓ କାଶ୍ମୀର ଗସ୍ତରେ ଗଲେ । V.P. Menonଲେଖନ୍ତି୧, “ଲର୍ଡ ମାଉଣ୍ଟବେଟେନ ଚାରିଦିନ ବ୍ୟାପୀ ମହାରାଜାଙ୍କ ସହିତ(କାଶ୍ମୀରର)ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ, ଯୁକ୍ତି କରିଥିଲେ । ସେ ତାଙ୍କୁ କହିଥିଲେ ଯେ ସ୍ୱାଧୀନତା, ତାଙ୍କ ମତରେ, ଏକ କାର୍ଯ୍ୟକାରୀ ହେବାଭଳି ସମାଧାନ ନୁହେଁ ଏବଂ ଏହାକୁ ବ୍ରିଟିଶ ସରକାର ଏକ ସ୍ୱାଧୀନ ଦେଶ ବୋଲି ସ୍ୱୀକୃତି ଦେବ ନାହିଁ । ସେ ମଧ୍ୟ ମହାରାଜାଙ୍କୁ ଆଶ୍ୱସ୍ତକରି କହିଲେ ଯେ ଯଦି ସେ ୧୫ ଅଗଷ୍ଟ ପୂର୍ବରୁ କୌଣସି ଗୋଟିଏ ଦେଶ (ଭାରତ ବା ପାକିସ୍ଥାନ) ସହିତ ତାଙ୍କ ରାଜ୍ୟକୁ ମିଶାଇବେ ବୋଲି ସ୍ଥିର କରି ନିଅନ୍ତି, ତାହାହେଲେ କୌଣସି ଅସୁବିଧା ହେବ ନାହିଁ କାରଣ ଯେଉଁ ଦେଶ ସହ ତାଙ୍କ ରାଜ୍ୟ ମିଶିବ ସେହି ଦେଶ ସେ ରାଜ୍ୟକୁ ସୁରକ୍ଷା ଦେବ, ଯେହେତୁ ରାଜ୍ୟଟି ଦେଶର ଅଂଶ ହୋଇଥିବ । ସେ ମଧ୍ୟ ମହାରାଜାଙ୍କୁ ଏ ପର୍ଯ୍ୟନ୍ତ କହିଲେ ଯେ ଯଦି ସେ ପାକିସ୍ଥାନ ସହିତ ମିଶନ୍ତି, ଭାରତ ଏହାକୁ ଭୁଲ ମନେ କରିବ ନାହିଁ ଏବଂ ଏହି ବାବଦରେ ସେ ସର୍ଦ୍ଦାର ପଟେଲଙ୍କଠାରୁ ଦୃଢ଼ ଆଶ୍ୱାସନା ପାଇଛନ୍ତି । ଲର୍ଡ ମାଉଣ୍ଟବେଟେନ ଆହୁରି କହିଲେ ଯେ ରାଜ୍ୟ ଜନସଂଖ୍ୟାର ସଂଯୋଜନ (Composition)କୁ ଦେଖିଲେ, ଲୋକଙ୍କ ମତ ଜାଣିବା ନିହାତି ଜରୁରୀ । ମହାରାଜା ନିଜେ କୌଣସି ନିଷ୍ପତ୍ତି ନେବାରେ ସମର୍ଥ ନଥିଲେ । ତେଣୁ ଲର୍ଡ ମାଉଣ୍ଟବେଟେନ ମହାରାଜା ଓ ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ଏକ ସଙ୍ଗରେ ଭେଟ କରିବାକୁ ଚାହିଁଲେ ତା’ ପରଦିନ ସକାଳେ । ତାହା ତାଙ୍କ ଅବସ୍ଥାନର ଶେଷ ସକାଳ ଥିଲା । କିନ୍ତୁ ମହାରାଜା ଶେଷ ମୁହୂର୍ତ୍ତରେ ଖବର ପଠାଇଲେ ଯେ ସେ ଶଯ୍ୟାଶାୟୀ, ତେଣୁ ତାଙ୍କୁ କ୍ଷମା କରାଯାଉ । ୧୫ ଅଗଷ୍ଟ ଦିନ କ୍ଷମତା ହସ୍ତାନ୍ତର ପରେ ପରେ ଲର୍ଡ ମାଉଣ୍ଟବେଟେନ ଲର୍ଡ ଇସମେଙ୍କୁ ଶ୍ରୀନଗର ପଠାଇଲେ ମହାରାଜାଙ୍କୁ ବୁଝାଇବା ପାଇଁ ଯେ ଗୋଟିଏ କିଛି ନିଷ୍ପତ୍ତି ନିଅନ୍ତୁ, ଦୁଇ ଦେଶ ମଧ୍ୟରୁ କେଉଁଟିରେ ମିଶିବେ । କିନ୍ତୁ ଲର୍ଡ ଇସମେ ଏହି ଉଦ୍ୟମରେ ଅସଫଳ ହେଲେ ।” (ପୃ ୩୯୪)
ମହାରାଜା ହରି ସିଂହ ଓ ମହାତ୍ମା ଗାନ୍ଧୀ
କହିବା ବାହୁଲ୍ୟ ଯେ ୧୫ଅଗଷ୍ଟ ଦିନ ଜାମ୍ମୁ ଓ କାଶ୍ମୀର ରାଜ୍ୟ ମହାରାଜା ହରି ସିଂହଙ୍କ ଶାସନାଧୀନ ଏକ ସ୍ୱାଧୀନ ଅଂଚଳ ହୋଇ ରହିଲା । ମହାତ୍ମା ଗାନ୍ଧୀ ଯେପରି ଏହି ସ୍ଥିତିଟିର ପୂର୍ବାନୁମାନ କରିପାରିଥିଲେ । ୱାହ (Wah) ଶରଣାର୍ଥୀ ଶିବିରରେ ଥିବା ଶରଣାର୍ଥୀମାନଙ୍କୁ ଅଗଷ୍ଟ ୫ତାରିଖ ଦିନ ଉଦବୋଧନ ଦେଇ କହୁଥିଲେ୫, ‘ଯଦିସବୁ ଠିକ୍ ଠାକ୍ ଚାଲେ ତାହାହେଲେ ଆଇନତଃ ଜାମ୍ମୁ ଓ କାଶ୍ମୀର ୧୫ଅଗଷ୍ଟ ଦିନ ଏକ ସ୍ୱାଧୀନ ଦେଶ ହେବ । କିନ୍ତୁ ୧୫ଅଗଷ୍ଟ ପରେ ଏହି ସ୍ଥିତିରେ ବେଶୀ ଦିନ ରହି ପାରିବ ନାହିଁ । ଏହାକୁ ଭାରତ ବା ପାକିସ୍ଥାନ ସହିତ ମିଶିବାକୁ ହେବ ।’ କିଏ ଏହି ନିଷ୍ପତ୍ତି ନେବ? ଗାନ୍ଧୀ କୁହନ୍ତି, “ତାଙ୍କର ଦ୍ୱିଧା ନାହିଁ କହିବାକୁ ଯେ କାଶ୍ମୀରୀଙ୍କର ଇଚ୍ଛା ହିଁ ସର୍ବୋପରି । ଏବଂ ସେ ଅତି ଆନନ୍ଦିତ ଯେ ଏହାକୁ ମହାରାଜା ଓ ମହାରାଣୀ ମଧ୍ୟ ସ୍ୱୀକାର କରନ୍ତି ।” ଅଗଷ୍ଟ ପହିଲାରୁ କାଶ୍ମୀର ଗସ୍ତରେ ଥିବା ମହାତ୍ମା ଗାନ୍ଧୀ ଇତ୍ୟବସରରେ ମହାରାଜା ହରି ସିଂହ ଓ ତାଙ୍କର ପ୍ରଧାନମନ୍ତ୍ରୀ ରାମଚନ୍ଦ୍ର କାକ୍ଙ୍କୁ ଭେଟ କରି ସାରିଥିଲେ । ବୋଧହୁଏ ସେମାନଙ୍କ ସହ କଥାବାର୍ତ୍ତାରୁ ଠଉରାଇ ଥିଲେ ଜାମ୍ମୁ ଓ କାଶ୍ମୀରକୁ ଏକ ସ୍ୱାଧୀନ ଦେଶଭାବେ ଦେଖିବାର ସେମାନଙ୍କ ଠାରେ ଦୁର୍ବଳତା । ଯାହା V. P. Menonଙ୍କ ଭାଷାରେ୧, ମହାରାଜା “was toying with the notion of ‘Independent Jammu and Kashmir” I (ପୃ ୩୯୫)
ଦୋଦୁଲ୍ୟମାନ ମହାରାଜା
ଯେହେତୁ ଗୋଟିଏ ପଟେ ପାକିସ୍ଥାନ ଓ ଆର ପଟେ ଭାରତ; ହରି ସିଂହଙ୍କ ପାଇଁ ନିଷ୍ପତ୍ତି ପ୍ରକୃତରେ କଠିନ ଥିଲା ବୋଲି ମନ୍ତବ୍ୟ କରନ୍ତି୧ V. P. Menon: “ଯଦି ପାକିସ୍ଥାନ ସହିତ ମିଶିବାର ନିଷ୍ପତ୍ତି ନେଉଛନ୍ତି ତାହାହେଲେ ଜାମ୍ମୁ ଓ ଲଦାଖର ଅଣ-ମୁସଲମାନ ଜନତା ଓ ନେସନାଲ କନଫରେନ୍ସ ନେତୃତ୍ୱରେ ଥିବା କାଶ୍ମୀରର ମୁସଲମାନ ଏହି ପଦକ୍ଷେପକୁ ନାପସନ୍ଦ କରିବେ । ଅପରପକ୍ଷରେ ଭାରତ ସହିତ ମିଶିଲେ ଗିଲଗିଟ ଓ ପାକିସ୍ଥାନ ସହିତ ଲାଗିଥିବା ଅଂଚଳ ଗୁଡ଼ିକରେ ଅସନ୍ତୋଷ ଦେଖାଯିବ । ଏହାଛଡ଼ା ସେ ସମୟରେ ପାକିସ୍ଥାନ ସହିତ ସଡ଼କ ପଥର ସଂଯୋଗ ଭଲ ଥିଲା ଏବଂ ଜଙ୍ଗଲ ସମ୍ବଳ, ବିଶେଷତଃ କାଠ, ଯେଉଁଠୁ ରାଜ୍ୟ ତା’ର ରାଜସ୍ୱର ଏକ ବଡ଼ ଅଂଶ ପାଉଥିଲା, ତାହାର ପରିବହନ ସେହି ନଦୀଗୁଡ଼ିକର ଜଳପଥରେ ହିଁ ହେଉଥିଲା ଯେଉଁ ନଦୀଗୁଡ଼ିକ ପାକିସ୍ଥାନ ଭିତରକୁ ପ୍ରବେଶ କରୁଥିଲା ।”(ପୃ ୩୯୫) ଏହି ଦୋଦୁଲ୍ୟମାନ ଅବସ୍ଥାରେ ହରି ସିଂହଙ୍କ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଓ ପାକିସ୍ଥାନ ମଧ୍ୟରେ Standstill Agreement ସ୍ୱାକ୍ଷରିତ ହୋଇଥିଲା ଅର୍ଥାତ୍ ବ୍ରିଟିଶ ଶାସନକାଳରେ ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଯେଉଁ ପ୍ରଶାସନିକ ଆୟୋଜନ ଥିଲା, ତାହା ଅପରିବର୍ତ୍ତିତ ରହିବ ଆୟୋଜନକୁ ଅପରପକ୍ଷ ଅର୍ଥାତ୍, ଏଠାରେ ପାକିସ୍ଥାନ ସମ୍ମାନ ଦେବ, କୌଣସି ପ୍ରକାର ବ୍ୟତିକ୍ରମ କରିବ ନାହିଁ, ନୂତନ କୌଣସି ଆୟୋଜନ ହେବା ପର୍ଯ୍ୟନ୍ତ । ପୁଣି ଭାରତ ସହିତ ଏହିପରି ଏକ Standstill Agreement ପାଇଁ ଆଗ୍ରହ ଦେଖାଇଥିଲେ ମହାରାଜା ହରି ସିଂହ । କିନ୍ତୁ ଏପରି ଚୁକ୍ତିର ନିହିତାର୍ଥ (Implications) ଅଧ୍ୟୟନ ପାଇଁ ଭାରତ ସମୟ ଚାହିଁଲା । V. P. Menonଙ୍କ ଭାଷାରେ୧, “ଜାମ୍ମୁ ଓ କାଶ୍ମୀର ସରକାର ଉଭୟ ଭାରତ ଓ ପାକିସ୍ଥାନ ସହିତ Standstill Agreement କରିବାର ଆଗ୍ରହ ଘୋଷଣା କରିଲା । ପାକିସ୍ଥାନ ଏହି ଚୁକ୍ତିରେ ସ୍ୱାକ୍ଷର କରିଲା । କିନ୍ତୁ ଆମେ କିଛି ସମୟ ଚାହିଁଲୁ ଏହାର ନିହିତାର୍ଥ ସମ୍ପର୍କରେ ଅଧ୍ୟୟନ କରିବାପାଇଁ । ଆମେ ସେ ରାଜ୍ୟକୁ ଏକୁଟିଆ ଛାଡ଼ିଦେଲୁ । ଆମେ ମହାରାଜାଙ୍କୁ କହିଲୁ ନାହିଁ ଯେ ସେ ତାଙ୍କ ରାଜ୍ୟକୁ ଭାରତ ସହ ମିଶାଇ ଦିଅନ୍ତୁ । ଯଦିଓ, ରେଡକ୍ଲିଫ ଆୱାର୍ଡ ଫଳରେ, ସେତେବେଳକୁ ଭାରତ ସହିତ ଜାମ୍ମୁ ଓ କାଶ୍ମୀରର ଯୋଗାଯୋଗ ସଡ଼କପଥରେ ହେଲାଣି ।” (ପୃ ୩୯୫) କିନ୍ତୁ ପାକିସ୍ଥାନ ଏହି ଚୁକ୍ତିର ଉଲ୍ଲଂଘନ କରୁଛି ବୋଲି ଜାମ୍ମୁ ଓ କାଶ୍ମୀର ସରକାର ଅଭିଯୋଗ କଲେ । V. P. Menonଙ୍କ ଭାଷାରେ୧, “ଜାମ୍ମୁ ଓ କାଶ୍ମୀର ସରକାର ଅଭିଯୋଗ କରିଲେ ଯେ ପାକିସ୍ଥାନ ସହ ମିଶିବାପାଇଁ ଯେପରି ସେମାନେ ବାଧ୍ୟହେବେ ସେହି ଉଦ୍ଦେଶ୍ୟ ରଖି ପାକିସ୍ଥାନ କର୍ତ୍ତୃପକ୍ଷ ଖାଦ୍ୟ, ପେଟ୍ରୋଲ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀର ଯୋଗାଣ ବନ୍ଦକରି ଦେଇଛନ୍ତି ଓ କାଶ୍ମୀର ତଥା ପାକିସ୍ଥାନ ମଧ୍ୟରେ ଯାତ୍ରୀଙ୍କର ଅବାଧ ଯାତାୟତକୁ ବାଧା ଦେଉଛନ୍ତି । ସେହି ସମୟରେ ଜାମ୍ମୁ ଓ କାଶ୍ମୀର ସରକାର ୫୦୦୦ଗ୍ୟାଲନ ପେଟ୍ରୋଲ ପଠାଇବାପାଇଁ ଭାରତକୁ ଅନୁରୋଧ କରିଥିଲା, ଯାହା ପାକିସ୍ଥାନ ତାଙ୍କୁ ଦେଉନଥିଲା । ଆମେ ୫୦୦ ଗ୍ୟାଲନ ପେଟ୍ରୋଲ ପଠାଇଥିଲୁ ଯେପରିକି ଶ୍ରୀନଗରରେ ପରିବହନ ବ୍ୟବସ୍ଥା ଅଚଳ ହୋଇନଯାଏ । ପାକିସ୍ଥାନଦ୍ୱାରା ସାମରିକ ଚାପ ମଧ୍ୟ ସୃଷ୍ଟି କରାଯାଉଥିଲା, ଅତର୍କିତ ଆକ୍ରମଣ କରିବା ଓ ପଳାଇବାର (hit and run)କୌଶଳ ଅବଲମ୍ବନ କରି ।”(ପୃ ୩୯୫) ଯାହା ଏକ ସମ୍ପୂର୍ଣ୍ଣ ଆକ୍ରମଣର ରୂପ ନେଲା ୨୨ ଅକ୍ଟୋବର ୧୯୪୭ ଦିନ୧ (ପୃ ୩୯୬) । ଏହି ଆକ୍ରମଣକାରୀ ବାହିନୀରେ ଥିଲେ ପ୍ରାୟ ‘ପାଂଚହଜାର ଜନଜାତି (ଅଫ୍ରିଦି, ୱାଜିର, ମହସୁଦ, ସ୍ୱାଥି)ର ସଭ୍ୟ ଓ ପାକିସ୍ଥାନୀ ସେନାବାହିନୀରୁ ‘ଛୁଟିରେ’ ଥିବା ସୈନିକ’ I ଏହାଙ୍କୁ ସମ୍ମୁଖୀନ ହେବାପାଇଁ ରାଜ୍ୟର ସେନାବାହିନୀ ଯଥେଷ୍ଟ ନଥିଲେ । ଉପରନ୍ତୁ ଏହି ବାହିନୀରେ ଥିବା ମୁସଲମାନ ସୈନିକମାନେ ବାହିନୀ ଛାଡ଼ି ଦେଇଥିଲେ ଓ ତାଙ୍କ ମଧ୍ୟରୁ କେତେକ ତ ଆକ୍ରମଣକାରୀଙ୍କ ସହ ସାମିଲ ହୋଇଯାଇଥିଲୋ ତେଣୁ ଆକ୍ରମଣକାରୀଙ୍କୁ ଅଟକାଇବା ସମ୍ଭବ ହେଉନଥିଲା ।
ମହାରାଜାଙ୍କ ଆକୁଳାବେଦନ
୨୪ ଅକ୍ଟୋବର ଦିନ ଆକ୍ରମଣକାରୀ ଶ୍ରୀନଗରକୁ ବିଦ୍ୟୁତ ଯୋଗାଉ ଥିବା ଏକ କେନ୍ଦ୍ରକୁ ଅକ୍ତିଆର କରିନେଲେ ଯାହା ଫଳରେ ଶ୍ରୀନଗର ଅନ୍ଧକାରାଚ୍ଛନ୍ନ ହୋଇଗଲା । ସେମାନେ ଘୋଷଣା କଲେ ଯେ ୨୬ତାରିଖ ସୁଦ୍ଧା ଶ୍ରୀନଗରରେ ପହଂଚିଯିବେ । ୨୪ତାରିଖ ସନ୍ଧ୍ୟାରେ ସାହାଯ୍ୟ ଭିକ୍ଷା କରି ଏକ ଆକୁଳାବେଦନ ପତ୍ର ମହାରାଜାଙ୍କଠାରୁ ଭାରତ ସରକାର ପାଇଲେ । ୨୫ତାରିଖ ଦିନ ସକାଳେ ପ୍ରତିରକ୍ଷା କମିଟିର ବୈଠକ ଲର୍ଡ ମାଉଣ୍ଟବେଟେନଙ୍କ ଅଧ୍ୟକ୍ଷତାରେ ବସିଲା । ମହାରାଜାଙ୍କର ଅସ୍ତ୍ର ଶସ୍ତ୍ର ପାଇଁ ଅନୁରୋଧ ଓ ସୈନ୍ୟବାହିନୀ ପାଇଁ ଅନୁରୋଧକୁ ମଧ୍ୟ ବିଚାର କରାଗଲା । କିନ୍ତୁ ମାଉଣ୍ଟବେଟେନଙ୍କ ଯୁକ୍ତି ଥିଲା ଯେ କୌଣସି କାର୍ଯ୍ୟାନୁଷ୍ଠାନ କରାଯିବା ପୂର୍ବରୁ ଭାରତ ସରକାରଙ୍କଠାରେ ସମ୍ପୂର୍ଣ୍ଣ ସୂଚନା ଉପଲବ୍ଧ ହେବା ଉଚିତ । ଏହିଠାରେ ସ୍ଥିର ହେଲା ଯେ V. P. Menonକ୍ଷେତ୍ରରେ ସ୍ଥିତି ଅଧ୍ୟୟନ ପାଇଁ ଅବିଳମ୍ବେ ଶ୍ରୀନଗର ଯିବେ ଓ ଭାରତ ସରକାରଙ୍କୁ ଜଣାଇବେ । V. P. Menon ଏହି ନିର୍ଦ୍ଦେଶ ମାନି ଶ୍ରୀନଗର ଗଲେ । ବିମାନରୁ ଅବତରଣ କରି ସେ ଦେଖିଲେ୧ ‘ଚାରିପଟେ ଶ୍ମଶାନର ନିସ୍ତବ୍ଧତା’ I ‘ସବୁଠି ଯେପରି ଝୁଲୁଥିଲା ଏକ ସମ୍ଭାବ୍ୟ ବିପର୍ଯ୍ୟୟର ପରିବେଶ ।’ (ପୃ ୩୯୭-୮) ପ୍ରଧାନମନ୍ତ୍ରୀ ମେହରଚାନ୍ଦ ମହାଜନଙ୍କ ସହ କଥାବାର୍ତ୍ତାରୁ ଜଣାପଡ଼ିଲା ଯେ ସ୍ଥିତି ବହୁତ ଗମ୍ଭୀର । ସେ ଅନୁନୟ କରୁଥିଲେ ଭାରତ ସରକାର ରାଜ୍ୟର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ । ମେହରଚାନ୍ଦ ଯିଏ ବେଶ୍ ସ୍ଥିତପ୍ରଜ୍ଞ, ସେ ଏହି ପରିସ୍ଥିତିରେ ଯେପରି ନିଜର ମାନସିକ ଭାରସାମ୍ୟକୁ ହରାଇ ଦେଉଥିଲେ । ମହାରାଜାଙ୍କ ଅବସ୍ଥା ତ ଅତି ଶୋଚନୀୟ ଥିଲା । ସେ ଅତ୍ୟନ୍ତ ବିଚଳିତ ଓ ଅସହାୟ ମନେ ହେଉଥିଲେ । ଭିପି ମେନନ୍ ଲେଖନ୍ତି୧, “ମୁଁ ନିଶ୍ଚିତ ଯେ ସେ କେଭେହେଲେ ଭାବି ନ ଥିଲେ ଯେ ଜନଜାତିର ଲୋକେ ତାଙ୍କ ରାଜ୍ୟଉପରେ ଆକ୍ରମଣ କରିବେ, ଏହା ସମ୍ଭବ ହେବ ବା ଏପରି ହେବାସମ୍ଭବ ଯେ ରାଜ୍ୟ ସେନା ଓ ପୁଲିସସେବାରୁ ମୁସଲମାନମାନେ ଏତେ ସଂଖ୍ୟାରେ ଛାଡ଼ି ପଳାଇବେ ।” (ପୃ ୩୯୮) ମହାରାଜାଙ୍କ ମାନସିକ ସ୍ଥିତି ଦେଖି ତାଙ୍କୁ ଶ୍ରୀନଗର ବାହାରକୁ ନେଇ ଯିବା, ବିଶେଷତଃ ଜାମ୍ମୁକୁ, ଭିପିମେନନଙ୍କ ପ୍ରଥମ ପରାମର୍ଶ ଥିଲା । ଭି.ପି. ମେନନଙ୍କର ହୃଦ୍ବୋଧ ହୋଇଥିଲା ଯେ ରାଜ୍ୟର ସୁରକ୍ଷାପାଇଁ ଭାରତ ସରକାରଙ୍କର ସାହାଯ୍ୟ ଅପରିହାର୍ଯ୍ୟ । ୨୬ତାରିଖ ଦିନ ସକାଳେ ଭି ପି ମେନନ୍ ଦିଲ୍ଲୀ ଫେରିଲେ ଓ ବିମାନରୁ ଅବତରଣ କରି ସିଧାସଳଖ ଯାଇ ପ୍ରତିରକ୍ଷା କମିଟିର ବୈଠକରେ ଯୋଗଦେଲେ ଓ କାଶ୍ମୀରକୁ ଆକ୍ରମଣକାରୀଙ୍କଠାରୁ ରକ୍ଷା କରିବା ନିହାତି ଜରୁରୀ ବୋଲି ନିଜର ମତ ରଖିଲେ ।
ଏକ ଔଚିତ୍ୟର ପ୍ରଶ୍ନ
ଲର୍ଡ ମାଉଣ୍ଟବେଟେନ କହିଲେ୧ ଯେ ଯେହେତୁ ‘ଏ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀର ରାଜ୍ୟ ସ୍ଥିର କରିନାହିଁ ସେ ଭାରତ ସହିତ ରହିବ ନା ପାକିସ୍ଥାନ ସହିତ, ତେଣୁ ଏହି ମୁହୂର୍ତ୍ତରେ ଜାମ୍ମୁ ଓ କାଶ୍ମୀର ଏକ ସ୍ୱାଧୀନ ଦେଶ, ସେଠାକୁ ସୈନ୍ୟ ପଠାଇବା ଠିକ ହେବନାହିଁ । ଯଦି ଏହା ସତ୍ୟ ଯେ ମହାରାଜା ଭାରତ ସହିତ ମିଶିବାପାଇଁ ବ୍ୟଗ୍ର, ତାହାହେଲେ ଜାମ୍ମୁ ଓ କାଶ୍ମୀର ଭାରତର ଏକ ଅଂଶ ହେବ । ଏହା ହିଁ ଏକମାତ୍ର ଆଧାର ହେବ ଯାହାକୁ ଭିତ୍ତି କରି ଭାରତର ସେନାକୁ କାଶ୍ମୀରର ସୁରକ୍ଷା ପାଇଁ ପଠାଯାଇପାରେ ।’ ଏହା ସହିତ ତାଙ୍କର ଦୃଢ଼ ମତ ଥିଲା ଯେ ‘ଜନସଂଖ୍ୟାର ସଂଯୋଜନ (Composition)ଦୃଷ୍ଟିରୁ, ମିଶ୍ରଣ ସର୍ତ୍ତମୂଳକ ହେବା ଉଚିତ, ଯେ ଆକ୍ରମଣକାରୀଙ୍କୁ ଅପସାରିତ କଲା ପରେ ଓ ଆଇନ-କାନୁନ ବ୍ୟବସ୍ଥା ସାଧାରଣ ଅବସ୍ଥାକୁ ଫେରିଲା ପରେ ଏକ ଜନମତ ସଂଗ୍ରହ ହୋଇ ମିଶ୍ରଣ ଚୂଡ଼ାନ୍ତ ହେବ । ଏହା ସହିତ ନେହେରୁ ଓ ଅନ୍ୟାନ୍ୟ ମନ୍ତ୍ରୀ ଏକମତ ହେଲେ ।’ (ପୃ ୩୯୯)
ମହାରାଜା ଭାରତ ସହ ମିଶିବାକୁ ରାଜି ହେଲେ
ଭି.ପି ମେନନ୍ ଫେରିଲେ ଜାମ୍ମୁ । ମହାରାଜାଙ୍କ ପାଇଁ ମିଶ୍ରଣ ପ୍ରସ୍ତାବ ନେଇ । ମହାରାଜା ସହସା ରାଜି ହୋଇଗଲେ ସ୍ୱାକ୍ଷର କରିବା ପାଇଁ । କିନ୍ତୁ ଏହା ସହିତ ସେ ଗଭର୍ଣ୍ଣର ଜେନେରାଲ ଲର୍ଡ ମାଉଣ୍ଟବେଟେନଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଲେ୧ । (ପୃ ୩୯୯) ପତ୍ରଟି ଥିଲା ଏହିପରି୨
“ତାରିଖ: ୨୬ ଅକ୍ଟୋବର ୧୯୪୭
ମୋର ପ୍ରିୟ ଲର୍ଡ ମାଉଣ୍ଟବେଟେନ,
ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ମୋ ରାଜ୍ୟରେ ଘୋର ଆପାତ ପରିସ୍ଥିତି ସୃଷ୍ଟି ହୋଇଛି, ଏବଂ ଆପଣଙ୍କ ସରକାରକୁ ଅନୁରୋଧ କରୁଛି ଅବିଳମ୍ବେ ସାହାଯ୍ୟ କରିବାପାଇଁ । ମହାମହିମ ଅବଗତ ଥିବେ ଯେ ଜାମ୍ମୁ ଏବଂ କାଶ୍ମୀର ରାଜ୍ୟ ଭାରତ କିମ୍ବା ପାକିସ୍ଥାନ ଅଧିରାଜ୍ୟ (Dominion) ସହ ମିଶିନାହିଁ । ଭୌଗଳିକ ଦୃଷ୍ଟିରୁ ମୋ ରାଜ୍ୟ ଏହି ଦୁଇଟି ଯାକ ଅଧିରାଜ୍ୟକୁ ଲାଗିଛି (contiguous) । ଉଭୟ ସହିତ ଏହାର ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଓ ସାଂସ୍କୃତିକ ସମ୍ପର୍କ ରହିଛି । ଏହାଛଡ଼ା ସୋଭିଏଟ ଋଷ ସହ ଓ ଚୀନ ସହ ମୋ ରାଜ୍ୟର ରହିଛି ସାଧାରଣ ସୀମା (common border) I ସେମାନଙ୍କର ବହିଃବ୍ୟାପାର ସମ୍ପର୍କରେ ଉଭୟ ଅଧିରାଜ୍ୟ ଭାରତ ଓ ପାକିସ୍ଥାନ ଏହି ତଥ୍ୟକୁ ଅଣଦେଖା କରିପାରିବେ ନାହିଁ । କେଉଁ ଅଧିରାଜ୍ୟ ସହ ମୁଁ ମିଶିବି, ନା ଉଭୟ ଅଧିରାଜ୍ୟ ଓ ମୋ ରାଜ୍ୟର ସ୍ୱାର୍ଥରେ ସ୍ୱାଧୀନ ରହିବି, ଅବଶ୍ୟ ଉଭୟଙ୍କ ସହ ବନ୍ଧୁତ୍ୱ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରକ୍ଷା କରି, ଏହା ସ୍ଥିର କରିବାପାଇଁ ମୁଁ ସମୟ ଚାହିଁ ଥିଲି ।
ସେହି ଅନୁସାରେ ଭାରତ ଓ ପାକିସ୍ଥାନ ଅଧିରାଜ୍ୟକୁ ଅନୁରୋଧ କରିଥିଲି ମୋ ରାଜ୍ୟ ସହ Standstill Agreement କରିବାପାଇଁ । ପାକିସ୍ଥାନ ସରକାର ଆମ ସହିତ ଚୁକ୍ତି କଲେ । କିନ୍ତୁ ଅଧିରାଜ୍ୟ ଭାରତ ମୋ ସରକାରଙ୍କ ପ୍ରତିନିଧିଙ୍କ ସହିତ ଅଧିକ ଆଲୋଚନା କରିବାପାଇଁ ଚାହିଁଲେ । ନିମ୍ନରେ ବର୍ଣ୍ଣିତ ଘଟଣାବଳୀ ଯୋଗୁଁ ମୁଁ ଏହା କରାଇପାରିଲି ନାହିଁ । ଅବଶ୍ୟ ପାକିସ୍ଥାନ ସରକାର ଆମ ରାଜ୍ୟରେ ପୋଷ୍ଟ ଓ ଟେଲିଗ୍ରାଫ ବ୍ୟବସ୍ଥାର ପରିଚାଳନା କରୁଛି । ଯଦିଓ ଆମର ପାକିସ୍ଥାନ ସରକାରଙ୍କ ସହ Standstill Agreement ଅଛି, ମୋ ରାଜ୍ୟକୁ ଖାଦ୍ୟ, ଲୁଣ ଏବଂ ପେଟ୍ରୋଲର ଯୋଗାଣକୁ କ୍ରମଶଃ ଅଧିକରୁ ଅଧିକ ରୁଦ୍ଧ କରିଦେବା ସେହି ସରକାରଙ୍କ ଅନୁମତିରେ ହେଉଛି । ଅଫ୍ରିଦି, ସାଧାପୋଷାକରେ ସୈନ୍ୟ, ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆକ୍ରମଣକାରୀଙ୍କ ବାହିନୀ ମୋ ରାଜ୍ୟରେ ଅନୁପ୍ରବେଶ ପାଇଁ ଅନୁମତି ଦିଆଯାଇଛି, ପ୍ରଥମେ ପୁଂଚରେ, ତାପରେ ସିଆଲକୋଟରେ ଓ ଶେଷକୁ ରାମକୋଟ ପଟୁ ହଜାରା ଜିଲ୍ଲାକୁ ଲାଗିଥିବା ବିଶାଳ ଅଂଚଳରେ । ଫଳସ୍ୱରୂପ ଆମ ରାଜ୍ୟର ସୀମିତ ସେନାବାହିନୀକୁ ବିକ୍ଷିପ୍ତ (dispersed) କରିଦିଆଯାଇଛି ଓ ସେମାନେ ଏକ ସମୟରେ ବିଭିନ୍ନ ସ୍ଥାନରେ ଶତ୍ରୁକୁ ସାମ୍ନା କରୁଛନ୍ତି । ଜନଜୀବନ ଓ ସମ୍ପତ୍ତିର ପ୍ରଚଣ୍ଡ କ୍ଷୟକ୍ଷତି ଓ ଲୁଟ୍କୁ ଅଟକାଇବା ବେଶ୍ କଷ୍ଟକର ହେଉଛି । ସମସ୍ତ ଶ୍ରୀନଗରକୁ ବିଦ୍ୟୁତ ଯୋଗାଉଥିବା ମହୋରା ପାୱାରହାଉସକୁ ପୋଡ଼ି ଦିଆଯାଇଛି । ଯେଉଁ ସଂଖ୍ୟାରେ ମହିଳାମାନଙ୍କର ଅପହରଣ ଓ ଧର୍ଷଣ ହୋଇଛି; ତାହା ମୋ ହୃଦୟକୁ ବିଦାରି ଦେଉଛି । ଏହିଭଳି ଏକ ପାଶବିକ ଶକ୍ତି ଯାହାକୁ ଆମ ରାଜ୍ୟ ପଛରେ ଲଗାଇ ଦିଆଯାଇଛି, ସେ ଆମ ସରକାରଙ୍କ ଗ୍ରୀଷ୍ମ ରାଜଧାନୀ ଶ୍ରୀନଗରକୁ ଅକ୍ତିଆର କରିବାର ଲକ୍ଷ୍ୟରଖି ଆଗେଇ ଆସୁଛି । ଏହା ସମୁଦାୟ ରାଜ୍ୟକୁ କବଳିତ କରିବା ଦିଗରେ ପ୍ରଥମ ପାହାଚ ହେବ ।
ଉତ୍ତର ପଶ୍ଚିମ ସୀମାନ୍ତର ଦୂର ଦୂରାନ୍ତ ଅଂଚଳରୁ ସଂଗୃହୀତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଜନଜାତିମାନଙ୍କର ମନ୍ସେରା -ମୁଜାଫରାବାଦ ରୋଡ ଦେଇ ଟ୍ରକରେ ଆମ ରାଜ୍ୟରେ ନିୟମିତ ଅନୁପ୍ରବେଶ, କଦାପି ଉତ୍ତର-ପଶ୍ଚିମ ସୀମାନ୍ତ ରାଜ୍ୟର ପ୍ରଭିଜନାଲ ସରକାର ଓ ପାକିସ୍ଥାନ ସରକାରଙ୍କ ଅଜାଣତରେ ସମ୍ଭବ ନୁହେଁ । ଆମ ସରକାରଙ୍କ ଦ୍ୱାରା ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ୱେ ଆମ ରାଜ୍ୟ ଭିତରକୁ ଆକ୍ରମଣକାରୀମାନଙ୍କ ପ୍ରବେଶକୁ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ପାକିସ୍ଥାନ ରେଡିଓ ତ ଏକ ସମ୍ବାଦ ଚଳାଇଛି ଯେ କାଶ୍ମୀରରେ ଏକ ପ୍ରଭିଜନାଲ (provisional) ସରକାରର ଗଠନ ହୋଇଛି । ମୋ ରାଜ୍ୟର ଲୋକେ, ମୁସଲମାନ ଓ ଅଣ-ମୁସଲମାନ, କେହି ଏହିଥିରେ ଭାଗ ନେଇନାହାନ୍ତି ।
ଯେଉଁ ଅବସ୍ଥାରେ ମୋ ରାଜ୍ୟ ବର୍ତ୍ତମାନ ଆସି ପହଂଚିଛି ଓ ଆପାତକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି, ତାକୁ ଦେଖିଲେ ମୋର ଭାରତ ଅଧିରାଜ୍ୟଠାରୁ ସାହାଯ୍ୟ ମାଗିବାଛଡ଼ା ଆଉ କୌଣସି ବିକଳ୍ପ ନାହିଁ । ସ୍ୱାଭାବିକ ମୋ ରାଜ୍ୟ ଭାରତ ଅଧିରାଜ୍ୟ ସହ ନ ମିଶିଲେ, ମୁଁ ମାଗୁଥିବା ସାହାଯ୍ୟ ସେମାନେ ପଠାଇପାରିବେ ନାହିଁ । ତଦନୁସାରେ ମୁଁ ଏହା କରିବା ପାଇଁ ସ୍ଥିର କରିଛି ଓ ଆପଣଙ୍କ ସ୍ୱୀକାରାର୍ଥେ Instrument of Accessionକୁ ଏଠାରେ ସଂଲଗ୍ନ କରୁଛି । ଅନ୍ୟ ବିକଳ୍ପ ହେଉଛି-ମୋ ରାଜ୍ୟକୁ ଓ ଏହାର ଜନସାଧାରଣଙ୍କୁ କିଛି ଦସୁ୍ୟଙ୍କ ହାତରେ ଛାଡ଼ିଦେବା । ଏହି ଅବସ୍ଥାରେ କୌଣସି ସଭ୍ୟ ସରକାର ରହିନପାରେ ବା ତାହାର ପରିଚାଳନା ସମ୍ଭବ ହୋଇନପାରେ । ଯେତେଦିନ ଯାଏ ମୁଁ ଏହି ରାଜ୍ୟର ଶାସକ ହୋଇ ରହିଛି ଓ ମୋ ଦେଶକୁ ରକ୍ଷା କରିବାପାଇଁ ଜୀବନ ଅଛି, ମୁଁ ଏହି ବିକଳ୍ପ ଘଟିବାକୁ ଦେବି ନାହିଁ ।
ମୁଁ ମହାମହିମଙ୍କ ସରକାରଙ୍କୁ ଜଣାଇବାକୁ ଚାହୁଁଛି ଯେ ମୋର ଉଦ୍ଦେଶ୍ୟ ହେଉଛି ଗୋଟିଏ ଅନ୍ତରୀଣ ସରକାରର ଗଠନ କରିବି ଓ ଶେଖ ଅବଦୁଲ୍ଲାଙ୍କୁ କହିବି ସେ ମୋର ପ୍ରଧାନମନ୍ତ୍ରୀଙ୍କ ସହ ଏହି ଆପାତକାଳରେ ଦାୟିତ୍ୱ ନିର୍ବାହ କରିବେ ।
ମୋ ରାଜ୍ୟକୁ ରକ୍ଷା କରିବାକୁ ହେଲେ ଅବିଳମ୍ବେ ଶ୍ରୀନଗରରେ ସାହାଯ୍ୟ ଉପଲବ୍ଧ ହେବା ଉଚିତ । ଶ୍ରୀଯୁକ୍ତ ମେନନ ସମସ୍ତ ପରିସ୍ଥିତି ସହିତ ଅବଗତ ଅଛନ୍ତି ଓ ସେ ଆପଣଙ୍କୁ ବୁଝାଇଦେବେ, ଯଦି ଆପଣ ଆଉ କିଛି ବୁଝିବା ଆବଶ୍ୟକ ମନେ କରନ୍ତି ।
In haste and with kind regards
Your sincerely,
Hari Singh
The Palace, Jammu
26th October, 1947
Instrument of Accessionର ମୁଖ୍ୟ ବିଷୟବସ୍ତୁ
Instrument of Accession ମହାରାଜା ହରି ସିଂହଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା ୨୬ ଅକ୍ଟୋବର ୧୯୪୭ ଦିନ ଓ ଏହା ତକ୍ରାଳୀନ ସଦ୍ୟ ସ୍ୱାଧୀନ ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ ମାଉଣ୍ଟବେଟେନଙ୍କ ଦ୍ୱାରା ଗୃହୀତ ହୋଇଥିଲା ୨୭ ଅକ୍ଟୋବର ୧୯୪୭ ଦିନ । ଏହି Instrument of Accession, Government of India Act ୧୯୩୫ ଅନୁସାରେ ହିଁ ପ୍ରସ୍ତୁତ ହୋଇଥିଲା ଓ ଗୃହୀତ ହୋଇଥିଲା । ଏହି ସ୍ୱାକ୍ଷରିତ Instrument of Accessionରେ ମହାରାଜା ହରି ସିଂହ (ଶ୍ରୀମାନ୍ ଇନ୍ଦର ମହେନ୍ଦର ରାଜରାଜେଶ୍ୱର ମହାରାଜାଧିରାଜ ଶ୍ରୀ ହରି ସିଂହଜୀ, ଜାମ୍ମୁ ଓ କାଶ୍ମୀର ନରେଶ ତଥା ତିବ୍ୱତାଦି ଦେଶାଧିପତି) ଘୋଷଣା କରିଥିଲେ ଯେ ସେ ତାଙ୍କଦ୍ୱାରା ଶାସିତ ଜାମ୍ମୁ ଓ କାଶ୍ମୀର ଅଂଚଳକୁ Independence Act ୧୯୪୭ ବଳରେ ସୃଷ୍ଟ ସ୍ୱାଧୀନ ଅଧିରାଜ୍ୟ (Dominion) ଭାରତ ସହ ସଂଯୋଗ କରୁଛନ୍ତି, କିନ୍ତୁ କେତେକ ସର୍ତ୍ତ ସହିତ । (୧) ଯେପରି Government of India Act ୧୯୩୫ ବା Independence Act ୧୯୪୭ରେ କୌଣସି ସଂଶୋଧନ ଦ୍ୱାରା Instrument of Accessionରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ ଯେତେବେଳ ଯାଏ ସେ (ମହାରାଜା ହରି ସିଂହ) ଅର୍ଥାତ୍ ଜାମ୍ମୁ ଓ କାଶ୍ମୀରର ଶାସକ ସମ୍ମତି ଦେଇନାହାନ୍ତି । (୨) ଭବିଷ୍ୟତରେ ପ୍ରଚଳନ ହେବାକୁ ଥିବା ସମ୍ବିଧାନକୁ ଗ୍ରହଣ କରିବା ବା ସେହି ସମ୍ବିଧାନ ଭିତରେ ଭାରତ ସରକାରଙ୍କ ସହ ରାଜିନାମା ସ୍ୱାକ୍ଷର କରିବାର ନିଷ୍ପତ୍ତି ଉପରେ ତାଙ୍କର ସ୍ୱାଧୀନତା ରହିବ । (୩) ଏହି Instrument of Accession ଏପରି କିଛି ନାହିଁ ଯାହା ରାଜ୍ୟ ଉପରେ ତାଙ୍କର (ହରି ସିଂହଙ୍କ) ସ୍ୱଂୟପ୍ରଭୂତାକୁ ପ୍ରଭାବିତ କରିବ ବା ଶାସକ ଭାବେ ଉପଭୋଗ କରୁଥିବା ତାଙ୍କର ଅଧିକାର ଓ କ୍ଷମତାକୁ ଖର୍ବ କରିବ । (୪) ଏହି Instrument of Accessionର ଅନୁସୂଚୀରେ ଉଲ୍ଲେଖ ହୋଇଥିବା ବିଷୟଗୁଡ଼ିକରେ (୧.ପ୍ରତିରକ୍ଷା, ୨.ସଂଚାରପାଇଁ (ପୋଷ୍ଟ ଏବଂ ଟେଲିଗ୍ରାଫ, ରେଳବାଇ, ବିମାନସେବା ଇତ୍ୟାଦି). ୩. ବୈଦେଶିକ ବ୍ୟାପାର ୪, ଆନୁଷଙ୍ଗିକ ବିଷୟ୧ (ପୃ ୧୦୯-୧୦)) ଭାରତର ବ୍ୟବସ୍ଥାପିକା ଜାମ୍ମୁ ଓ କାଶ୍ମୀର ରାଜ୍ୟ ପାଇଁ ଆଇନ କରିପାରିବେ ଯାହାକୁ ସେ ମାନିବେ । (୫)ଏହି Instrument କ୍ଷମତା ଦିଏ ନାହିଁ ଭାରତର ବ୍ୟବସ୍ଥାପିକାକୁ ରାଜ୍ୟପାଇଁ ଏପରି କୌଣସି ଆଇନ କରିବା ପାଇଁ ଯାହା ଦ୍ୱାରା ବାଧ୍ୟତାମୂଳକ ଭାବେ କୌଣସି ଉଦ୍ଦେଶ୍ୟରେ ଜମି ଅଧିଗ୍ରହଣ କରାଯାଇ ପାରିବ । (୬)ଏହି Instrument ଯାହା ରାଜ୍ୟ ତରଫରୁ ମହାରାଜା ହରିସଂହଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଛି ଓ ଯେଉଁଠାରେ ତାଙ୍କୁ ଉଲ୍ଲେଖ କରାଯାଇଛି ତାହା ତାଙ୍କର ଉତ୍ତରାଧିକାରୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରେ ବୋଲି ବୁଝିବାକୁ ହେବ । ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ କେବଳ ମହାରାଜା ହରି ସିଂହ ନୁହନ୍ତି, ଅନ୍ୟ ପୂର୍ଣ୍ଣ କ୍ଷମତାପ୍ରାପ୍ତ ଦେଶୀୟ ରାଜ୍ୟଗୁଡ଼ିକ (ସଂଖ୍ୟା ୧୪୦) ମଧ୍ୟ Instrument of Accession ସ୍ୱାକ୍ଷର କରିଥିଲେ ଯେଉଁଥିରେ ସେମାନଙ୍କ ରାଜ୍ୟ ପାଇଁ କେବଳଙ୍କ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ସଂଚାର, ଏହି ତିନୋଟି ବିଷୟରେ ସେମାନେ ଭାରତର ବ୍ୟବସ୍ଥାପିକା ଆଇନ କରିପାରିବ ଓ ସେମାନେ ମାନିବେ ବୋଲି ପ୍ରତିଶୃତି ଦେଇଥିଲେ୧ । (ପୃଷ୍ଠା ୧୦୯-୧୦)
Instrument of Accessionକୁ ସମାଲୋଚନା
ଦେଶୀୟ ରାଜ୍ୟମାନେ ଭାରତରେ ମିଶିବା କେବଳ ଏହି ତିନୋଟି ବିଷୟରେ ସୀମିତ ରହିବା ସେତେବେଳେ ବେଶ୍ ସମାଲୋଚନାର ଶରବ୍ୟ ହୋଇଥିଲା । ‘ସେମାନେ ସମ୍ପର୍କର ଏପରି ବ୍ୟବସ୍ଥାକୁ ଅସ୍ପଷ୍ଟ, ତେଣୁ ମୂଲ୍ୟହୀନ ବୋଲି ବିଚାର କରୁଥିଲେ ।’ ଭି.ପି ମେନନ୍ଙ୍କ ମତରେ୧, “ଏହିଭଳି ସମାଲୋଚନା ମୂଳରେ ଥିଲା ପରିସ୍ଥିତିର ପ୍ରକୃତ ତଥ୍ୟ ସମ୍ପର୍କରେ ଅଜ୍ଞତା । ସେମାନେ ଭାବୁ ନଥିଲେ ଯେ ୧୫ଅଗଷ୍ଟ ଦିନ କଣ ସ୍ଥିତି ହୋଇଥାନ୍ତା ଯଦି ଏହି ରାଜ୍ୟଗୁଡ଼ିକର ମିଶ୍ରଣ ହୋଇ ନଥାନ୍ତା । ରାଜ୍ୟଗୁଡ଼ିକ ସ୍ୱାଧୀନ ହୋଇ ରହିଥାନ୍ତେ ଓ ସୀମାନ୍ତ ରାଜ୍ୟଗୁଡିକ ସ୍ୱତନ୍ତ୍ର ଥାନ୍ତେ ପାକିସ୍ଥାନର ସହଯୋଗୀ ହେବା ପାଇଁ । କଣ ହୋଇଥାନ୍ତା ସେହି ଗଣ୍ଡଗୋଳ ଦିନମାନଙ୍କରେ ଯଦି କୌଣସି ରାଜ୍ୟରେ ଆଇନ-ଶୃଙ୍ଖଳା ପରିସ୍ଥିତି ଭଙ୍ଗ ହୋଇଥାନ୍ତା? ଏହି ସମାଲୋଚକମାନେ ବୁଝିପାରୁ ନାହାନ୍ତି ଯେ ରାଜ୍ୟଗୁଡ଼ିକୁ ‘ପ୍ରତିରକ୍ଷା’ ବିଷୟଉପରେ ମିଶାଇବା ଫଳରେ, ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଲେ ରାଜ୍ୟ ଭିତରେ ପ୍ରବେଶ କରିବାର ଅଧିକାର ଭାରତ ସରକାର ପାଇଲେ ।” (ପୃଷ୍ଠା ୧୧୧-୧୧୨) କେବଳ ‘ପ୍ରତିରକ୍ଷା’, ‘ବୈଦେଶିକ ବ୍ୟାପାର’ ଓ ‘ସଂଚାର’ ଏହି ତିନୋଟି ବିଷୟକୁ ଭିତ୍ତି କରି ଦେଶୀୟ ରାଜ୍ୟଗୁଡିକ ଯଦି ମିଶୁଛନ୍ତି, ତାହାହେଲେ କେବଳ ଏହି ତିନୋଟି ବିଷୟରେ ଆଇନ କରିବାକୁ ବାଦ ଦେଲେ ଆଉ ସମସ୍ତ ବିଷୟରେ ଆଇନ କରିବାର ପୂର୍ଣ୍ଣ ସ୍ୱାଧୀନତା ଦେଶୀୟ ରାଜ୍ୟର ଶାସକଙ୍କର ରହିବ, ରାଜାମାନଙ୍କର ଏକ ଗୋଷ୍ଠୀକୁ (Chamber of Princes)୨୫ ଜୁଲାଇ ୧୯୪୭ ଦିନ ଉଦ୍ବୋଧନ ଦେଇ ସ୍ୱଂୟ ଲର୍ଡ ମାଉଣ୍ଟବେଟେନ ଏହି ଆଶ୍ୱାସନା ଦେଉଥିଲେ । କେବଳ ଏହି ତିନୋଟି ବିଷୟକୁ କେନ୍ଦ୍ର କରି ଦେଶୀୟ ରାଜ୍ୟର ମିଶ୍ରଣ କରାଯିବାର ଯୋଜନା ଭି.ପି.ମନନ୍ଙ୍କର ହିଁ ଥିଲା । ‘ପ୍ରତିରକ୍ଷା’କୁ ଏକ ବିଷୟ ଭାବରେ ରଖାଗଲେ ରାଜ୍ୟଗୁଡ଼ିକରେ ଆଭ୍ୟନ୍ତରୀଣ ସମସ୍ୟା ଉପୁଜିଲେ ଭାରତ ସରକାର ରାଜ୍ୟ ଭିତରେ ପ୍ରବେଶ କରିପାରିବେ, ଏହା ସର୍ଦ୍ଦାର ପଟେଲଙ୍କ ମନକୁ ପାଇଥିଲା ଓ ସେ V. P. Menonଙ୍କ ପ୍ରସ୍ତାବ ସହ ଏକମତ ହେଲେ । V. P. Menonଙ୍କ ଅନୁରୋଧକ୍ରମେ ସର୍ଦ୍ଦାର ପଟେଲ ନେହେରୁଙ୍କ ସମ୍ମୁଖରେ ଏହି ଯୋଜନା ଉପସ୍ଥାପିତ କଲେ । ନେହେରୁ ମଧ୍ୟ ତାଙ୍କର ସମ୍ମତି ଦେଲେ । କିନ୍ତୁ ଯୋଜନା ଯେ କାର୍ଯ୍ୟକାରୀ ହୋଇପାରିବ, ଏହାନେଇ ଉଭୟ ନେହେରୁ ଓ ପଟେଲଙ୍କର ଆଶଙ୍କା ଥିଲା୧ । (ପୃ ୯୭)
ବ୍ୟଗ୍ର ସର୍ଦ୍ଦାର
ତେବେ ମହାରାଜା ହରି ସିଂହଙ୍କଠାରୁ ଲର୍ଡ ମାଉଣ୍ଟବେଟେନଙ୍କ ଉଦେ୍ଦଶ୍ୟରେ ପତ୍ର ଓ ସ୍ୱାକ୍ଷରିତ Instrument of Accessionକୁ ଧରି V. P. Menon ସହସା ଦିଲ୍ଲୀ ଫେରିଲେ । ସେ ଲେଖନ୍ତି୧, ‘ବିମାନ ଘାଟିରେ ସର୍ଦ୍ଦାର ପଟେଲ ଅପେକ୍ଷା କରିଥିଲେ ଏବଂ ଆମେ ସିଧାସଳଖ ସନ୍ଧ୍ୟାରେ ହେବାକୁ ଥିବା ପ୍ରତିରକ୍ଷା କମିଟି ବୈଠକକୁ ଗଲୁ ।’ (ପୃ ୪୦୦) ସେହି ବୈଠକରେ ଦୀର୍ଘ ଆଲୋଚନା ପରେ ନିଷ୍ପତ୍ତି ହେଲା ଯେ ଜାମ୍ମୁ ଓ କାଶ୍ମୀରର ମିଶ୍ରଣକୁ ଗ୍ରହଣ କରାହେବ ଏହି ସର୍ତ୍ତ ସହିତ ଯେ ଆଇନଶୃଙ୍ଖଳା ପରିସ୍ଥିତ ସାମାନ୍ୟ ହେଲେ ସେଠାରେ ଏହା ଉପରେ ଜନମତ ସଂଗ୍ରହ (Plebiscite) ହେବ । ଏହା ମଧ୍ୟ ସ୍ଥିର ହେଲା ଯେ ତା’ ପରଦିନ ଏକ ପଦାତିକ ସେନାବାହିନୀକୁ ଉଡ଼ାଜାହଜରେ ଶ୍ରୀନଗର ନିଆଯିବ । ଏହି ନିଷ୍ପତ୍ତି ପ୍ରତି୧ ‘ଶେଖ ଅବଦୁଲ୍ଲାଙ୍କର ପୂର୍ଣ୍ଣ ସମର୍ଥନ ଥିଲା ଏବଂ ସେ ସାରା ଜାମ୍ମୁ ଏବଂ କାଶ୍ମୀର ନେସନାଲ କନଫରେନ୍ସ ତରଫରୁ ଭାରତ ସରକାରଙ୍କ ଉପରେ ଚାପ ପକାଉଥିଲେ ଅବିଳମ୍ବେ ରାଜ୍ୟକୁ ସାହାଯ୍ୟ ପଠାଇବା ପାଇଁ ଯାହା ଦ୍ୱାରା ଜନଜାତିଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ପ୍ରତିହତ କରାଯାଇ ପାରିବ ।’ (ପୃ ୪୦୦)
ନେହେରୁଙ୍କ ନିର୍ଣ୍ଣାୟକ ଭୂମିକା
କିନ୍ତୁ ଏହି ନିଷ୍ପତ୍ତି ନେବା ପରେ ମଧ୍ୟ ଲର୍ଡ ମାଉଣ୍ଟବେଟେନ ଓ ସେନାବାହିନୀର ବ୍ରିଟିଶ ସେନାଧ୍ୟକ୍ଷମାନଙ୍କର ସାମରିକ ପଦକ୍ଷେପ ଉପରେ କିଛିଟା ଭିନ୍ନମତ ଥିଲା । ଏଥିରେ ରିସ୍କ ରହିଛି ବୋଲି ସେମାନେ ମତ ଦେଇଥିଲେ । କିନ୍ତୁ ନେହେରୁ ଦୃଢ଼ ଭାବରେ ଜଣାଇଲେ ଯେ ସେନାବାହିନୀ ପଠାଇବାର ଏକ ମାତ୍ର ବିକଳ୍ପ ହେଉଛି ଶ୍ରୀନଗରରେ ନରସଂହାରକୁ ଅନୁମତି ଦେବା ଯାହାର ପରିଣତିରେ ସାରା ଭାରତବର୍ଷରେ ଘଟିବ ବ୍ୟାପକ ସାମ୍ପ୍ରଦାୟିକ ନରସଂହାର୧ । (ପୃ ୪୦୦) କହିବା ବାହୁଲ୍ୟ ଯେ ନେହେରୁ ଏହି ସମୟୋଚିତ ଦୃଢ଼ତା ଦେଖାଇ ନଥିଲେ କାଶ୍ମୀର ଆଜି କେଉଁ ସ୍ଥିତିରେ ଥାନ୍ତା ତାହା, ମହାରାଜା ହରି ସିଂହଙ୍କ ଉପରୋକ୍ତ ପତ୍ରରୁ ଅନୁମାନ କରାଯାଇପାରେ । ତେବେ ନେହେରୁଙ୍କର ଏହି ଦୃଢ଼ ନିଷ୍ପତ୍ତି ଫଳରେ ଯେଉଁ ସାମରିକ କାର୍ଯ୍ୟକ୍ରମର ଆରମ୍ଭ ହେଲା ସେ ସମ୍ପର୍କରେ V. P. Menonଲେଖନ୍ତି୧, “ଯୁଦ୍ଧ ଇତିହାସରେ କଦାପି ଏପରି ଦେଖାଯାଇ ନାହିଁ, ଯେପରି ପୂର୍ବରୁ କୌଣସି ଚିନ୍ତା ନକରି, ଯୋଜନା କରିବା ତ ଦୂରର କଥା, ୨୭ ଅକ୍ଟୋବର ଓ ତା’ପର ଦିନମାନଙ୍କରେ ଭାରତୀୟ ପଦାତିକ ବାହିନୀକୁ ବିମାନଯୋଗେ ଶ୍ରୀନଗରକୁ ନିଆଗଲା ।” (ପୃ ୪୦୦) ଏଠାରେ ଉଲ୍ଲେଖ କରିବା ଅପ୍ରାସଙ୍ଗିକ ହେବ ନାହିଁ ଯେ ବିମାନରେ ପଦାତିକ ବାହିନୀଙ୍କୁ ବସାଇ ଶ୍ରୀନଗର ପହଂଚାଇବାର ଅଭିଯାନରେ ବିଜୁ ପଟ୍ଟନାୟକ ଏକ ସ୍ମରଣୀୟ ଭୂମିକା ନିର୍ବାହ କରିଥିଲେ୩ ।
ଜାମ୍ମୁ ଓ କାଶ୍ମୀର ରାଜ୍ୟର ପ୍ରଶାସନରେ ଶେଖ ଅବଦୁଲ୍ଲା
ତେବେ ମହାରାଜା ହରି ସିଂହ ଯେପରି କହିଥିଲେ, ସେହି କଥାନୁସାରେ ସେ ଶେଖ ଅବଦୁଲ୍ଲାଙ୍କୁ ଅନ୍ତରୀଣ ସରକାର ଗଠନପାଇଁ ନିମନ୍ତ୍ରଣ ଦେଲେ । ଏହାଉପରେ ମନ୍ତବ୍ୟକରି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ତକ୍ରାଳୀନ ସଂଗଠକ ବଲରାଜ ମାଧୋକ ଲେଖନ୍ତି୪, “କାଶ୍ମୀର ପାକିସ୍ଥାନ ହାତରେ ପଡୁ ପଡୁ କୃତଘ୍ନ ଓ ଅହଙ୍କାରୀ ଶେଖ ଅବଦୁଲ୍ଲା ହାତରେ ପଡ଼ିଗଲା । ଏହି ବିଜୟର ମୁହୂର୍ତ୍ତରେ ହିଁ କାଶ୍ମୀରରେ ଭାରତର ପରାଜୟର କ୍ରମ ଆରମ୍ଭ ହୋଇଗଲା ।” କିନ୍ତୁ ମହାରାଜା ଶେଖ୍ ଅବଦୁଲ୍ଲାଙ୍କୁ ଅନ୍ତରୀଣ ସରକାର ଗଠନ କରିବାପାଇଁ ନିମନ୍ତ୍ରଣ କରିବାର ଉଦେ୍ଦଶ୍ୟ ଲର୍ଡ ମାଉଣ୍ଟବେଟେନଙ୍କୁ ଜଣାଇବାର ପ୍ରାୟ ତିନି ସପ୍ତାହ ପୂର୍ବରୁ, ୫ ଅକ୍ଟୋବର ୧୯୪୭ ଦିନ, ଜେଲରୁ ଖଲାସ ହେବା (୨୯ ସେପ୍ଟେମ୍ବର ୧୯୪୭)ର ମାତ୍ର ସପ୍ତାହପରେ, ଶେଖ ଅବଦୁଲ୍ଲା ଏକ ଲକ୍ଷାଧିକ ଶ୍ରୋତାଙ୍କ ସମାବେଶରେ କହୁଥିଲେ୫, “କାଶ୍ମୀରରେ ଆମେ ଚାହୁଁ ଲୋକଙ୍କ ସରକାର । ଆମେ ଗୋଟିଏ ଏପରି ସରକାର ଚାହୁଁ ଯେଉଁ ସରକାର ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଓ ସୁଯୋଗଦେବ । କାଶ୍ମୀର ସରକାର କୌଣସି ଗୋଟିଏ ସମ୍ପ୍ରଦାୟର ସରକାର ହେବ ନାହିଁ । ଏହା ହିନ୍ଦୁ, ମୁସଲମାନ ଓ ଶିଖଙ୍କର ଏକ ସଂଯୁକ୍ତ ସରକାର ହେବ ।” ଏହି ସଭାରେ ସେ ମଧ୍ୟ କହୁଥିଲେ, “ହିନ୍ଦୁ-ମୁସଲମାନ ଏକ ଏହି ପତାକା ଧରି କାଶ୍ମୀର ଆଗେଇ ଆସିବା ଉଚିତ ।” ୩୦ ଅକ୍ଟୋବର ୧୯୪୭ ଦିନ ମହାରାଜା ହରି ସିଂହ ଏକ ନିଦେ୍ର୍ଦଶନାମା ଜରିଆରେ ଶେଖ ଅବଦୁଲ୍ଲାଙ୍କୁ ଆପାତକାଳୀନ ପ୍ରଶାସନ (Emergency Administration)ର ମୁଖ୍ୟ ଭାବେ ନିଯୁକ୍ତିଦେଲେ୬ା ଏହି ନିଯୁକ୍ତି ଅକାମୀ ହୋଇଗଲା ଯେତେବେଳେ ୫ମାର୍ଚ୍ଚ ୧୯୪୮ ଦିନ ମହାରାଜା ହରି ସିଂହ ଏକ ଅନ୍ତରୀଣ ସରକାର ଗଠନ ସନ୍ଦର୍ଭରେ, ଏକ ଘୋଷଣାପତ୍ର ଜାରି କଲେ ଯେଉଁଠି ସେ ଜଣାଇଲେ ଯେ୭ “ଯେ ମୋ ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀ ରହିବେ ଓ ତାଙ୍କ ପରାମର୍ଶ ଦ୍ୱାରା ଅନ୍ୟ ମନ୍ତ୍ରୀମାନେ ନିଯୁକ୍ତି ପାଇବେ” ଓ “ମୁଁ ଏକ ରାଜକୀୟ ୱାରାଣ୍ଟ ଦ୍ୱାରା ଶେଖ ଅବଦୁଲ୍ଲାଙ୍କୁ ୧ମ ମାର୍ଚ୍ଚ ୧୯୪୮ରୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛି ।”
ହରି ସିଂହ ଓ ପାକ୍ ଅଧିକୃତ କାଶ୍ମୀର
ଯଦି ହରି ସିଂହ ଦୋଦୁଲ୍ୟମାନ ହୋଇନଥାନ୍ତେ, ତାହାହେଲେ ଭୂଗୋଳରେ ଏକ ଅଂଚଳ ଏପରି ନଥାନ୍ତା ଯାହାକୁ ‘ପାକ୍ ଅଧିକୃତ କାଶ୍ମୀର’ କୁହାଯାଉଥାନ୍ତା । ସେ ଯଦି ଲର୍ଡ ମାଉଣ୍ଟବେଟେନଙ୍କ ଜୁନ୍ ୧୯୪୭ରେ ଦିଆଯାଇଥିବା ପରାମର୍ଶ ଅନୁସାରେ ଭାରତ ବା ପାକିସ୍ଥାନ ମଧ୍ୟରୁ ଯେକୌଣସି ଅଧିରାଜ୍ୟ ସହ ୧୫ଅଗଷ୍ଟ ପୂର୍ବରୁ ମିଶିବାର ନିଷ୍ପତ୍ତି ନେଇଯାଇଥାନ୍ତେ, ତା’ହେଲେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଅଖଣ୍ଡ ରହିଥାଆନ୍ତା । ଯଦି ପାକିସ୍ଥାନ Standstill Agreement ଅନୁସାରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ସହ ସହଯୋଗ କରିଥାନ୍ତା ଓ ଉତ୍ତର-ପଶ୍ଚିମ ପଟୁ ଆକ୍ରମଣକାରୀଙ୍କ ଅନୁପ୍ରବେଶ ହୋଇନଥାନ୍ତା, ତାହାହେଲେ ମହାରାଜା ହରି ସିଂହ ଅନନ୍ୟୋପାୟ ହୋଇ ଭାରତକୁ ସାହାଯ୍ୟ ମାଗି ନଥାନ୍ତେ । ଅପରପକ୍ଷରେ ଭାରତର କୌଣସି ମହତ୍ତ୍ୱାକାଂକ୍ଷା ନ ଥିଲା ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ନିଜ କ୍ଷେତ୍ର ସହ ସାମିଲ କରିଦେବାପାଇଁ । ଯେପରି ଭି.ପି.ମେନନ୍ ଲେଖନ୍ତି୧, “କାଶ୍ମୀରରେ ଆମର କୌଣସି କ୍ଷେତ୍ରୀୟ ମହତ୍ତ୍ୱାକାଂକ୍ଷା (territorial ambitions) ନଥିଲା । ଯଦି ଆକ୍ରମଣ ହୋଇନଥାନ୍ତା, ତାହାହେଲେ ମୁଁ ଦୃଢ଼ତାର ସହ କହିବି, ସମସ୍ତ ବିରୋଧୀ ମତ ସତ୍ତ୍ୱେ ଯେ ଭାରତ ସରକାର କାଶ୍ମୀରକୁ ସ୍ୱାଧୀନ ରହିବାକୁ ଛାଡ଼ି ଦେଇଥାନ୍ତା ।”(ପୃ ୪୧୩) କିନ୍ତୁ ଏପରି ସବୁ କିଛି ହୋଇନାହିଁ । ଜାମ୍ମୁ ଓ କାଶ୍ମୀର ଭାରତ ସହ ମିଶିଛି କିନ୍ତୁ ଖଣ୍ଡିତ ହୋଇ । ଯଦି ନେହେରୁ ୨୭ ଅକ୍ଟୋବର ୧୯୪୭ଦିନ ସେନା ପଠାଇ ନଥାନ୍ତେ, ତାହାହେଲେ ପାକିସ୍ଥାନ ଅଧିକୃତ କାଶ୍ମୀରର କ୍ଷେତ୍ରଫଳ ହୁଏତ ଆହୁରି ବେଶୀ ହୋଇଥାନ୍ତା ଓ ଭାରତରେ ମିଶିଥିବା ଅଂଶଟିର ଯେତ୍ରଫଳ ଅଧିକ ସଙ୍କୁଚିତ ହୋଇଥାନ୍ତା । ତେଣୁ ଯେଉଁମାନେ କାଶ୍ମୀର ଭାରତରେ ରହିବାର ଶ୍ରେୟ ନେହେରୁଙ୍କୁ ଦେଉଛନ୍ତି ସେମାନଙ୍କ ମତକୁ ଅଣଦେଖା କରାଯାଇନପାରେ୮ା
ବିସ୍ମୃତ ମେନନ!
ଏହି ନିବନ୍ଧର ଅଧିକାଂଶ ସ୍ଥାନରେ ଭି.ପି.ମେନନ୍ଙ୍କୁ ଉଦ୍ଧାର କରାଯାଇଛି । ସ୍ୱାଭାବିକ ପାଠକ ଏହି ମହାଶୟଙ୍କ ସମ୍ପର୍କରେ ଜାଣିବା ପାଇଁ ଉତ୍ସୁକ ହୋଇପାରନ୍ତି । ଯେତେବେଳେ କୁହାଯାଏ ଯେ ଦେଶୀୟ ରାଜ୍ୟଗୁଡ଼ିକର ଭାରତରେ ମିଶ୍ରଣ ପ୍ରକ୍ରିୟାକୁ ସର୍ଦ୍ଦାର ପଟେଲ କାର୍ଯ୍ୟକାରୀ କରିଥିଲେ, ସେତେବେଳେ ଏହି ପ୍ରକ୍ରିୟାର ଇତିହାସ ସମ୍ପର୍କରେ ଅବଗତ ବ୍ୟକ୍ତି ମେନନ୍ଙ୍କୁ ଏହି ପ୍ରକ୍ରିୟାରେ ସର୍ଦ୍ଦାରଙ୍କ ଦକ୍ଷିଣ ହସ୍ତଭାବେ ଉଲ୍ଲେଖ କରିଥାନ୍ତି । ଭି.ପି.ମେନନ୍ଙ୍କ ଲିଖିତ ଯେଉଁ ପୁସ୍ତକରୁ ଏହି ନିବନ୍ଧରେ ବାରମ୍ବାର ଉଦ୍ଧାର କରାଯାଇଛି ସେହି ପୁସ୍ତକ, The Story of the Integration of the Indian States, ସମ୍ପର୍କରେ ଭିପି ମେନନ୍ ମୁଖବନ୍ଧରେ ଲେଖନ୍ତି୧, “ଏହି ପୁସ୍ତକ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଦିଆ ଯାଇଥିବା ଶପଥର ଏକ ଆଂଶିକ ପାଳନ ଅଟେ । ଏହା ତାଙ୍କର ଇଚ୍ଛା ଥିଲା ଯେ ମୁଁ ଦୁଇଟି ପୁସ୍ତକ ରଚନା କରିବା ଦରକାର, ଗୋଟିକରେ ସେହି ଘଟଣା ଗୁଡ଼ିକର ବର୍ଣ୍ଣନା ରହିବ ଯାହାର ପରିଣତିରେ କ୍ଷମତାର ହସ୍ତାନ୍ତର (transfer of power)ହୋଇଥିଲା, ଏବଂ ଅନ୍ୟଟିରେ ରହିବ ଦେଶୀୟ ରାଜ୍ୟଗୁଡିକର ମିଶ୍ରଣର ବର୍ଣ୍ଣନା (the integration of Indian States) । ମୁଁ ରାଜ୍ୟଗୁଡ଼ିକର ମିଶ୍ରଣ ବିଷୟକୁ ପ୍ରଥମେ ନେଲି, କାରଣ ସେହି ବ୍ୟସ୍ତବହୁଳ ଚାରିବର୍ଷ, ୧୯୪୭ରୁ ୧୯୫୧, ମୋର ସ୍ମୃତିରେ ସତେଜ ରହିଛି ।” ସ୍ୱାଭାବିକ ଏହି ୫୧୧ପୃଷ୍ଠାର ପୁସ୍ତକକୁ (ପ୍ରଥମ ପ୍ରକାଶନ ୧୯୫୬) ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିରେ ସେ ଉତ୍ସର୍ଗ କରିଥିଲେ । ଏହା ଦର୍ଶାଏ ଭିପି ମେନନ୍ ଓ ସର୍ଦ୍ଦାର ପଟେଲଙ୍କ ମଧ୍ୟରେ ସମ୍ପର୍କରେ ନିବିଡ଼ତା ଓ ସର୍ଦ୍ଦାର ପଟେଲଙ୍କ ବିଶ୍ୱାସ ଯେ ଦେଶୀୟ ରାଜ୍ୟର ମିଶ୍ରଣ ସମ୍ପର୍କରେ Menon ସଠିକ ବିବରଣୀ ଦେବେ । ଭାପଲ୍ଲା ଫାଗୁନୀ ମେନନ ନାଁରେ ଜନ୍ମିତ ଏହି କେରଳୀ ଭଦ୍ରଲୋକ (୩୦ ସେପ୍ଟେମ୍ବର ୧୮୯୩- ୩୧ ଡିସେମ୍ବର ୧୯୬୬) ବ୍ରିଟିଶ ପ୍ରଶାସନରେ ଏକ ନିମ୍ନ ପଦବୀରୁ ଚାକିରୀ ଜୀବନ ଆରମ୍ଭକରି ତାଙ୍କର ପ୍ରଶାସନିକ ଓ ବୌଦ୍ଧିକ ଦକ୍ଷତା ଫଳରେ ଶେଷ ତିନି ଭାଇସରାଏଙ୍କର ସମ୍ବିଧାନ ପରାମର୍ଶଦାତା (Constitutional Adviser) ଓ Political Reforms Commissioner ଭଳି ଉଚ୍ଚପଦବୀରେ ଅଧିଷ୍ଠିତ ହୋଇପାରିଥିଲେ । ପରେ ଦେଶୀୟ ରାଜ୍ୟଗୁଡିକର ମିଶ୍ରଣକୁ କାର୍ଯ୍ୟକାରୀ କରିବାପାଇଁ ସୃଷ୍ଟ States Departmentର ଦାୟିତ୍ୱ ଯେତେବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନେଲେ, ସେ ଚାହିଁଲେ ଯେ V P Menon ଏହି ବିଭାଗର ସଚିବ ହୁଅନ୍ତି । ଏହି ନୂତନ ନିଯୁକ୍ତି ସମ୍ପର୍କରେ ଭି ପି ମେନନ୍ ଲେଖନ୍ତି୧, “ମୁଁ ସର୍ଦ୍ଦାରଙ୍କୁ କହିଲି, ମୋର ଉଦେ୍ଦଶ୍ୟ ଥିଲା ଯେ ମୋର ଯେତେ ଛୁଟି ଅଛି ସେଗୁଡ଼ିକୁ ନେବି ଓ ସରକାରୀ ଚାକିରୀରୁ ୧୫ଅଗଷ୍ଟ ପରେ ଅବସର ନେଇଯିବି । ୧୯୧୭ ମସିହାରୁ ମୁଁ ସାମ୍ବିଧାନିକ ସଂସ୍କାର ବିଷୟକୁ ନେଇ ହିଁ କାର୍ଯ୍ୟ କରିଆସିଛି । ମୁଁ କେଭେ ଆଶା କରିନଥିଲି ଯେ ମୋ ଜୀବଦ୍ଦଶାରେ ଭାରତର ସ୍ୱାଧୀନତା ଦେଖିବି । ଯେହେତୁ ତାହା ସମ୍ଭବ ହେଲା, ମୋ ଜୀବନର ଆଶା ପୂରଣ ହୋଇଛି । ଏହାଛଡ଼ା ମୁଁ ଯଥେଷ୍ଟ ବେଶୀ କାମ କରିଛି ଓ ମୋ ଶରୀର ଉପରେ ତାହର ପ୍ରଭାବ ଅନୁଭବ କରୁଛି । ଅନେକ ବର୍ଷ ହେଲା ମୁଁ ବିଶ୍ରାମ ନେଇ ନାହିଁ । ସର୍ଦ୍ଦାର ମୋତେ କହିଲେ, ବର୍ତ୍ତମାନ ଦେଶର ସ୍ଥିତି ଯେହେତୁ ଅସାମାନ୍ୟ, ତେଣୁ ମୋ ଭଳି ଲୋକେ ବିଶ୍ରାମ ବା ଅବସର ବିଷୟରେ ଚିନ୍ତାକରିବା ଉଚିତ ନୁହେଁ । ସେ ପୁଣି କହିଲେ ଯେ ମୁଁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟାରେ ଏକ ପ୍ରମୁଖ ଅଂଶଗ୍ରହଣ କରିଛି ଏବଂ ସ୍ୱାଧୀନତାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ମୁଁ ମୋର ପରମ କର୍ତ୍ତବ୍ୟ ବୋଲି ବିଚାରକରିବା ଉଚିତ । ସ୍ୱାଭାବିକ ମୁଁ ତାଙ୍କ ସହିତ ଏକମତ ହେଲି ଯେ ଦେଶର ସ୍ୱାର୍ଥ ମୋ ପାଇଁ guiding factor ହେବା ଉଚିତ, ମୋର ବ୍ୟକ୍ତିଗତ ଇଚ୍ଛା ନୁହଁ ।”(ପୃ ୯୨-୩) ମେନନ ଓ ସର୍ଦ୍ଦାରଙ୍କ ଯୋଡ଼ି ୫୫୪ଦେଶୀୟ ରାଜ୍ୟକୁ ଭାରତ ସହ ମିଶାଇବାରେ ଯେଉଁ ଅଭାବନୀୟ ସଫଳତା ହାସଲ କଲେ, ତାହା ଉପରେ ମନ୍ତବ୍ୟ କରି ନେହେରୁ ସେପ୍ଟେମ୍ବର ୧୯୪୮ ମସିହାରେ କହିଥିଲେ୧, “ଐତିହାସିକ ଯିଏ ପଛକୁ ଫେରି ଚାହିଁବେ, ନିଃସନେ୍ଦହ ସେ ଭାରତରେ ରାଜ୍ୟଗୁଡିକର ମିଶ୍ରଣକୁ ଭାରତୀୟ ଇତିହାସର ଏକ ପ୍ରମୁଖ ପର୍ଯ୍ୟାୟ ବୋଲି ବିଚାର କରିବେ ।”(ପୃ ୪୯୦) କାରଣ ଏହି ମିଶ୍ରଣ ଫଳରେ ସମ୍ଭବ ହୋଇଥିଲା ଭାରତର କ୍ଷେତ୍ରଫଳରେ ୫ଲକ୍ଷ ବର୍ଗ ମାଇଲ ବୃଦ୍ଧି ଓ ଜନସଂଖ୍ୟାରେ ୮୬ଲକ୍ଷ ୫୦ ହଜାର ବୃଦ୍ଧି୧ (ଜାମ୍ମୁ ଏବଂ କାଶ୍ମୀରକୁ ବାଦ ଦେଇ) । (ପୃ ୪୯୦) । ସର୍ଦ୍ଦାର ପଟେଲଙ୍କ ଭାଷାରେ୧, “ଭାରତର ଭୌଗଳିକ, ରାଜନୈତିକ ଓ ଅର୍ଥନୈତିକ ଏକୀକରଣର ମହାନ ଲକ୍ଷ୍ୟ ଯାହା ଶହ ଶହ ବର୍ଷ ଧରି ଏକ ସୁଦୂର ସ୍ୱପ୍ନ ଥିଲା ଏବଂ ମନେ ହେଉଥିଲା ହାସଲ କରିବା ଅତି କଠିନ, ଏପରିକି ଭାରତ ସ୍ୱାଧୀନତା ପାଇବା ପରେ ମଧ୍ୟ” ତାହା ଏହି ମିଶ୍ରଣ ନୀତି ଦ୍ୱାରା ପୂରଣ ହୋଇପାରିଲା । (ପୃ ୪୯୦) “ପ୍ରଥମଥର ପାଇଁ”, V P Menonଙ୍କ ଭାଷାରେ୧ “ଭାରତ ପ୍ରକୃତ ଅର୍ଥରେ ଏକ ଏକୀକୃତ ସମ୍ପୂର୍ଣ୍ଣ (integrated whole)ରେ ପରିଣତ ହେଲା ଯଦିଓ ଏହା ଦ୍ୱାରା ତିଆରି ହେଲା ମୂଳଦୁଆ ଯାହା ଉପରେ ଏକ ସମୃଦ୍ଧ ଜନମଙ୍ଗଳ ରାଷ୍ଟ୍ରର ଗଠନ କରାଯାଇପାରିବ । ମହତ୍ତ୍ୱାକାଂକ୍ଷାର ଏକ ଅଣାକାର ସମୂହକୁ ଏକୀକୃତ କରିବାକୁ ପଡ଼ିଲା । (An amorphous mass of aspirations has to be integrated.) ଯେଉଁମାନେ ଅନ୍ଧକାର ଓ ଆଲୋକର ସନ୍ଧିକ୍ଷଣରେ ଜୀବନ ନିର୍ବାହ କରୁଥିଲେ, ସେହି ଲକ୍ଷାଧିକ ଲୋକଙ୍କ ପାଇଁ ଜୀବନକୁ ଅର୍ଥପୂର୍ଣ୍ଣ କରିବାକୁ ହେଲା ।”(ପୃ ୪୯୩-୪)
କହିବାବାହୁଲ୍ୟ ଯେ ରାଜ୍ୟ ମିଶ୍ରଣ ଓ ଏକ ସମ୍ପୂର୍ଣ୍ଣ ଭାରତ ଗଠନ ସନ୍ଦର୍ଭରେ ଭି.ପି.ମେନନ୍ ଓ ସର୍ଦ୍ଦାର ପଟେଲ ଅଭିନ୍ନଭାବେ ସ୍ମରଣୀୟ । ଯେତେବେଳେ ସର୍ଦ୍ଦାରଙ୍କ ଅବଦାନକୁ ସ୍ମରଣ କରି ତାଙ୍କର ବିଶାଳ ପ୍ରତିକୃତି ଗୁଜୁରାଟରେ (୩୧ ଅକ୍ଟୋବର୨୦୧୮) ଉନ୍ମୋଚିତ ହୁଏ, ସେତେବେଳେ ପଟେଲଙ୍କ ‘ଦକ୍ଷିଣ ହସ୍ତ’ମେନନଙ୍କୁ କେହି ଟିକିଏ ମନେ ପକାଏ ନାହିଁ ବୋଲି ସମ୍ବାଦ ଗଣମାଧ୍ୟମରେ ପ୍ରକାଶ ପାଏ୯ । ସେତେବେଳେ ପ୍ରକୃତ ଦେଶପ୍ରେମୀ ସ୍ୱାଭାବିକ ଆଘାତ ପାଏ । କିନ୍ତୁ ଯେଉଁମାନେ ସର୍ଦ୍ଦାରଙ୍କ ଉଦାରତା ଓ ମେନନଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ସମ୍ପର୍କରେ ଅବଗତ; ସେମାନେ ନିଶ୍ଚୟ କହିବେ ଯେ ମେନନଙ୍କୁ ଏହି ଅବସରରେ ସ୍ମରଣ ନକରିବା ସର୍ଦ୍ଦାରଙ୍କ ଆତ୍ମାକୁ ଆଘାତ ଦେଉଥିବ । କିନ୍ତୁ ଆଜିକାର ବ୍ୟବହାରିକ ରାଜନୀତିରେ ମେନନଙ୍କୁ ସ୍ମରଣ ନ କରିବା କେତେଦୂର ବା ରାଜନୈତିକ ଦୃଷ୍ଟିରୁ କ୍ଷମତାସୀନଙ୍କ ପାଇଁ ହାନିକାରକ ହୋଇପାରେ?
ବ୍ୟବହୃତ ଉପାଦାନ ସୂଚୀ
1.The Story of the Integration of the Indian States, V. P. Menon, Orient Longmans Ltd.1956, Chapter XX, pp.390-92
2.Hari Singh-Wikipedia
3.Rò¦Mú Kû i`e 1, afeûR cûù]ûK, _é 69
4.Mahatma, D G Tendulkar, vol.7, p.136
5.Mahatma, D G Tendulkar, vol.8, p.68
6.The Story of the Integration of the Indian States, V P Menon, Orient Longmans Ltd.,1956
7.Maharaja Hari Singh’s Letter to Mountbatten http://www.jammu-kashmir.com/documents/harisingh47.html 1 of 1 8/30/2019 1:56 PM-
- When Biju Patnaik ‘saved’ Kashmir: Pilot-politician’s heroism back in focus ,By Justin Paul George , The Week, August 07, 2019,https://www.theweek.in/news/india/2019/08/07/when-biju-patnaik-saved-kashmir-pilot-politician-heroism-back-in-focus.html
9.Rò¦Mú Kû i`e 1, afeûR cûù]ûK, _é 104
10.Danger in Kashmir by Josef Korbel, Princeton University press, 1954, p.71
11.Article 370: Law and politics , A G Noorani, Frontline,Volume 17 – Issue 19, Sep. 16 – 29, 2000, https://frontline.thehindu.com/static/html/fl1719/17190890.htm
12.17 October 1949, Constitution Assembly Debate on 306A(Article 370)
13.Kashmir Issue: Blaming Nehru For The Present Day Crisis In The Valley Is Wrong | Youth Ki Awaaz https://www.youthkiawaaz.com/2018/11/indias-kashmir-ignoran
14.V P Menon, the forgotten hero of India’s unification ,TNN | Updated: Nov 1, 2018, 13:17 IST,https://timesofindia.indiatimes.com/city/kochi/v-p-menon-the-forgotten-hero-of-indias-unification/articleshow/66458117.cms ;In the Shadow of the Sardar – V.P. Menon, the Unsung Hero of Modern India , Narayani Basu, 04/Nov/2018 ,https://thewire.in/history/sardar-patel-statue-vp-menon-india-unification, ic\éÁò , ସମଦୃଷ୍ଟି , ୧୬-୩୦, ସେପ୍ଟେମ୍ବର ୨୦୧୯
Comments
0 comments