ରାୟଗଡ଼ା ଜିଲ୍ଲାର ଟିଜିମାଳି (ସିଜିମାଳି), ଗଞ୍ଜାମର ଧରାକୋଟ ଠାରୁ ଆରମ୍ଭ କରି ବାଲେଶ୍ୱରର ଫକିରମୋହନ ମହାବିଦ୍ୟାଳୟ ଯାଏଁ ଯେଉଁ ସବୁ ନିର୍ଯ୍ୟାତନାର କାହାଣୀ ଗଣମାଧ୍ୟମର ଶୋଭାବର୍ଦ୍ଧନ କରୁଛି, ସେସବୁ ଯେମିତି ଆମେ ଉପଭୋଗ କରିଚାଲିଛେ! ସମାଜଟି ସମ୍ପୂର୍ଣ୍ଣ ନିରବ ଥିଲାବେଳେ, ନିର୍ବାଚନ ଲଢ଼ୁଥିବା ପ୍ରାୟ ସବୁ ରାଜନୈତିକ ଦଳମାନଙ୍କ ହାତରେ ଯେମିତିକି ପ୍ରତିବାଦର ଠିକାଟିକୁ ସମର୍ପଣ କରିଦିଆଯାଇଛି । ଗଣମାଧ୍ୟମରେ ୨୪ଘଣ୍ଟିଆ ସମ୍ବାଦ ପରିବେଷଣ ଭିତରେ ସବୁ ଦୃଶ୍ୟ ଗୁଡ଼ିକ ଯେମିତି କଷ୍ଟଦେବା ବଦଳରେ ଖବର ଖାଉଟିଙ୍କ ମନରେ ରୋମାଞ୍ଚ ସୃଷ୍ଟି କରୁଛି । ଏହା କେବଳ ଗୋଟିଏ ଜିଲ୍ଲା ବା ଗୋଟିଏ ରାଜ୍ୟରେ ଘଟୁଥିବା ଘଟଣାକୁ ନେଇ ନୁହଁ ବରଂ ସମଗ୍ର ଦେଶରେ ଏକ ପ୍ରକାର ରୁଗ୍ନ ମାନସିକତା ଯେମିତି ସମଗ୍ର ସମାଜଟିକୁ କବଳିତ କରି ରଖିଛି । ଆମ ସମ୍ବେଦନହୀନତାର ମୁକସାଖି ଶହଶହ ବର୍ଷ ଧରିରହିଥିବା ଆମର ଘୃଣ୍ୟ ଜାତିବାଦ ଓ ନାରୀ ବିରୋଧି ମାନସିକତାର ଇତିହାସ । ଆର୍ଥିକ ଉଦାରବାଦ ବା ‘ଅର୍ଥ ଏବଂ କେବଳ ଅର୍ଥ’ର ଯୁଗ ଆସିବା (୧୯୯୦ ଦଶକରେ) ଓ ନିଜ ନିର୍ବାଚିତ ସରକାରଟା ଅର୍ଥ ପଛରେ ଲୁଚିଯିବା ଫଳରେ ଏହି ସମ୍ବେଦନହୀନତା ବହୁଗୁଣିତ ହୋଇଯାଇଛି । ଅନେକ ଗପ ଆମେ ଶୁଣିଆସିଛେ । ସେହି ଭିତରୁ ଗୋଟିଏ ଗପଟିଏ କୁହାଯାଇଥିଲା ଶୃଗାଳ କେମିତି ଶିକାରକୁ ଶିକାରୀ ପାଖରେ ପହଞ୍ଚାଇ ଦେଇଥାଏ ଯେହେତୁ ସେ ନିଜେ ଶିକାର କରିପାରି ନଥାଏ । ତାହାର ଲାଭ ଶିକାର ହୋଇଥିବା ପଶୁଟିକୁ ବାଘ ବା ସିଂହ ଖାଇବା ପରେ ଯାହା ବଳିବ ସେଥିରେ ସେ ନିଜ ଖାଦ୍ୟର ଲୋଭଟିକୁ ସନ୍ତୁଷ୍ଟ କରିପାରିବ । ଆର୍ଥିକ ଉଦାରବାଦ ଯେଉଁଭଳି ଭାବେ ଏହି ଶୃଗାଳ ଶ୍ରେଣୀକୁ ବଢ଼ାଇ ଚାଲିଛି, ଯାହାକୁ ଆମେ ମାର୍ଜିତ ଭାଷାରେ ମଧ୍ୟବିତ୍ତ ଶ୍ରେଣୀ କହୁଛେ, ସେମାନଙ୍କ ପାଖରେ ଉଚ୍ଚଅଭିଳାଷ ଏତେ ବଢ଼ିଯାଇଛିଯେ ସମ୍ବେଦନଶୀଳତାକୁ ସେମାନେ ଏକ ପ୍ରତିବନ୍ଧକ ହିସାବରେ ଦେଖୁଛନ୍ତି । ସମ୍ବେଦନହୀନତାକୁ ଜୀବନର ଧର୍ମ ନକଲେ ବା ଚାରିପଟେ ଘଟିଚାଲିଥିବା ନିର୍ଯ୍ୟାତନାର ଦୃଶ୍ୟ ଗୁଡ଼ିକ ପ୍ରତି ଉଦାସୀନ ନରହିଲେ, ନିଜର ସ୍ୱାର୍ଥ ସାଧନ ସମ୍ଭବପର ହେବ ନାହିଁ । ଏପରି ଏକ ସମୟରେ ଆମେ ଦେଖୁଛେ ଯେ ଶିକାର ହେଉଥିବା ମଣିଷମାନେ ଏକାଠି ହୋଇ ନିର୍ଯ୍ୟାତନ ବା ଅନ୍ୟାୟର ମୁକାବିଲା କରିବା ପାଇଁ ଏକାଠି ହୋଇ ଆସିବା ଏକ ଅତିକଠିନ କାମ ହୋଇ ଯାଇଛି । ଓଡ଼ିଶା ଭଳି ରାଜ୍ୟରେ ଯେଉଁଠିକି ସବୁ ପ୍ରତିକୂଳ ପରିସ୍ଥିତିକୁ ଭୃକ୍ଷେପ ନକରି ମୂଖ୍ୟତଃ ଆଦିବାସୀ ଓ ଦଳିତାମାନେ ପ୍ରତିବାଦ କରୁଛନ୍ତି, ସେଠି ସେମାନଙ୍କୁ ବାଘସହ ହୋଇଥିବା ଶୃଗାଳ ମାନଙ୍କର ଗୋଟିଏ ଗଠବନ୍ଧନକୁ ସାମ୍ନା କରିବାକୁ ପଡ଼ୁଛି । କେବଳ ଟିଜିମାଳିର ଆଦିବାସୀ ନୁହଁ ପ୍ରାୟ ସବୁ ଆଦିବାସୀ ବହୁଳ ଅଞ୍ଚଳରେ ପ୍ରତିବାଦର ସ୍ୱରକୁ ନିଷ୍ପ୍ରଭ କରିବାର ସମସ୍ତ ଉଦ୍ୟମ ଅନବରତ ଚାଲିଛି । କୌଣସି ନିର୍ବାଚନୀ ରାଜନୈତିକ ଦଳ ଟିଜିମାଳିରେ ଚାଲିଥିବା ଅକଥନୀୟ ନିର୍ଯ୍ୟାତନାର ପ୍ରତିବାଦରେ ସାମିଲ ହେବାର ଦୃଷ୍ଟାନ୍ତ ଦେଖିବାକୁ ମିଳୁନାହିଁ । ଧରାକୋଟରେ ସଂଘ ପରିବାର ଦ୍ୱାରା ଦୁଇଜଣ ଦଳିତଙ୍କୁ ଦିଆଯାଇଥିବା ଅମାନବିୟ ନିର୍ଯ୍ୟାତନା ଅନେକଙ୍କୁ ବିଚଳିତ କରିଛି । ଗଞ୍ଜାମରେ ଜାତିଭେଦ ତିବ୍ର ରହିଆସିଥିଲେ ବି ସଂଘ ପରିବାର ଯେ ତାକୁ ଏକ ଆୟୁଧ କରି ଦଳିତ ନିର୍ଯ୍ୟାତନା ନଗ୍ନଭାବେ କରିବ, ଏହି କଥା ପୂର୍ବରୁ ଭାବିହେଉନଥିଲା । ବାମପନ୍ଥିଙ୍କର ଏକଦା ସଂଗ୍ରାମ କ୍ଷେତ୍ରଥିବା ଗଞ୍ଜାମରେ ବାମପନ୍ଥିମାନେ ଯେତେ ଦୃବଳ ହୋଇଚାଲିଛନ୍ତି, ସଂଘ ପରିବାର ସେହି ସ୍ଥାନ ଗୁଡ଼ିକୁ ଦଖଲ କରିଚାଲିଛି । କେବଳ ଭାରତୀୟ ଜନତା ପାର୍ଟି ନୁହଁ, ତାଙ୍କ ସାନଭାଇ ବିଜୁ ଜନତା ଦଳ ଓ ବିରୋଧି କଂଗ୍ରେସ ଦଳରେ ମଧ୍ୟ ମନୁବାଦୀଙ୍କ ସଂଖ୍ୟା କିଛି କମ୍ ନୁହଁ । ନିଷ୍ଠାପର ପ୍ରତିବାଦ ବା ଆସିବ କେମିତି? ବାଲେଶ୍ୱର ଫକିରମୋହନ ମହାବିଦ୍ୟାଳୟରେ ନ୍ୟାୟ ଦାବିକରୁଥିବା ଜଣେ ଛାତ୍ରୀଙ୍କୁ ଯେଉଁ ପରିସ୍ଥିତିରେ ଆତ୍ମଦାହ ପନ୍ଥା ବାଛିବାକୁ ପଡ଼ିଲା ଓ ଶେଷରେ ସେଥିରେ ସେ ଜୀବନ ମଧ୍ୟ ହାରିଲେ, ଘଟଣାଟିକୁ ଯେଉଁ ଭାଷାରେ ନିନ୍ଦାକଲେ ବି କମ୍ ହେବ । ଏଠି କିନ୍ତୁ ଶୃଗାଳ ଶ୍ରେଣୀ ପୃଷ୍ଠପୋଷକତା ଦେଉଥିବା ରାଜନୈତିକ ଦଳ ଗୁଡ଼ିକ ଭିତରେ ପ୍ରତିବାଦର ଯେଉଁ ପ୍ରତିଯୋଗିତାଟି ଚାଲିଛି, ଗଣମାଧ୍ୟମ ତାକୁ ମସଲା ହିସାବରେ ବ୍ୟବହାର କରୁଛି । ଏହି ତିନୋଟି ପ୍ରମୁଖ ନିର୍ବାଚନୀ ରାଜନୈତିକ ଦଳର କାମ କରିବାର ଅଭ୍ୟାସ ଭିତରେ ନାରୀ, ଦଳିତ ଓ ଆଦିବାସୀମାନେ ସାମାନ୍ୟତମ ସମ୍ମାନ ପାଇବାର ଦୃଷ୍ଟାନ୍ତ ଆମେ ଦେଖିନାହୁଁ । ଏମାନଙ୍କର ଟିକେଟରେ ଲୋକସଭା ବା ବିଧାନସଭାକୁ ଯାଉଥିବା ଆଦିବାସୀ ଓ ଦଳିତ ପ୍ରତିନିଧିମାନେ ଯେମିତି ସେହି ମାନସିକତାଟିକୁ ନିଜେ ଆପଣାଇ ନେଇଛନ୍ତି । ଔପଚାରିକତା ଦୃଷ୍ଟିରୁ ବି ଏମାନେ ଆସନ୍ନ ବିସ୍ଥାପନ ଓ ଜୀବନଜୀବିକା ଚାଲିଯିବାର ଆଶଙ୍କାରେ ଥିବା ଆଦିବାସୀ ଏବଂ ଦଳିତ ମାନଙ୍କର ସପକ୍ଷରେ କିଛି ଠୋସ୍ ପଦକ୍ଷେପ ନେବାର ବଳିଷ୍ଠ ଦୃଷ୍ଟାନ୍ତ ଦେଖିବାକୁ ମିଳେ ନାହିଁ । ଯଦି କାହାର ମନେ ହୁଏଯେ କିଛି ପ୍ରମାଣ ଅଛି ତାହା ଆମକୁ ଦେଲେ ଆମେ ତାକୁ ଲୋକଲୋଚନକୁ ନିଶ୍ଚୟ ଆଣିବୁ ।
କାଶୀପୁର, ନିୟମଗିରି, ମାଳିପର୍ବତ, ଟିଜିମାଳି ଇତ୍ୟାଦି କ୍ଷେତ୍ରରେ ବିର୍ଲ୍ଲା, ବେଦାନ୍ତ, ଆଦାନୀ ଇତ୍ୟାଦି ଖଣି କମ୍ପାନୀମାନଙ୍କର ଦୌରାତ୍ମ୍ୟ ବଢ଼ିଚାଲିଥିବା ବେଳେ ସେଥିରେ ନିର୍ବାଚିତ ସରକାରମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ଓ ନିର୍ବାଚନ ପାଣ୍ଠି ନେଉଥିବା ରାଜନୈତିକ ଦଳମାନଙ୍କର ସହଭାଗିତା ଏବଂ କୁହାଳିଆ ମଧ୍ୟବିତ୍ତ ଶ୍ରେଣୀର ଉଦାସୀନତା ସଂଘର୍ଷରତ ଆଦିବାସୀମାନଙ୍କୁ ଅସହାୟ କରିଦେଇଥିଲେ ବି ସେମାନେ ପ୍ରତିବାଦ ଓ ପ୍ରତିରୋଧ ଜାରିରଖିଛନ୍ତି । ସେମାନେ କେମିତି ନିଜ ପାଇଁ ନୁହଁ ମଣିଷ ସମାଜର ଭବିଷ୍ୟତ ଓ ଜୀବଜଗତର ସୁରକ୍ଷା ପାଇଁ ନିଜ ସଂଗ୍ରାମ ଜାରିରଖିଛନ୍ତି ସେ ସମ୍ପର୍କୀୟ ଆଲେଖମାନ ନିୟମିତ ପ୍ରକାଶିତ ହୋଇଆସିଛି । ଅତୀତରେ ବିଭୂତି ପତିଙ୍କ ଦ୍ୱାରା ଲିଖିତ ‘ଅବୁଜମାଦ୍’ର କାହାଣୀ ଆମକୁ ସୁଚାଇ ଦେଉଥିଲା କେମିତି ଛତିଶଗଡ’ର ବସ୍ତର ଅଞ୍ଚଳରେ ପ୍ରକୃତିକ ସଂଶାଧନ ହିଁ ଆସନ୍ନ ସଂକଟ ଭିତରେ ରହିଆସିଛି । ସମଗ୍ର ମଧ୍ୟ ଭାରତ (ଯେଉଁଠି ଜଙ୍ଗଲ ଅଛି, ଝରଣା ଅଛି, ନଦୀ ଅଛି, ଜୀବଜଗତ ଅଛନ୍ତି ଏବଂ ସଂଖ୍ୟାଧିକ ଆଦିବାସୀ ରହୁଛନ୍ତି)’ର ସମଗ୍ର ଅଞ୍ଚଳକୁ ଖଣି କମ୍ପାନୀ ମାନଙ୍କ ହାତକୁ ଟେକି ଦେବା ପାଇଁ ଯେଉଁ ପ୍ରକାର ଉଦ୍ୟମ ସବୁ ଚାଲିଛି ହୁଏତ ସେଥିରେ ଆମେ ସମସ୍ତେ ମଧ୍ୟ ଭାଗିଦାର ଅଛନ୍ତି ।ଆମକୁ ଯେତେବେଳେ କହି ଦିଆଗଲାଯେ ମାର୍ଚ୍ଚ ୨୦୨୬ ସୁଦ୍ଧା ମଧ୍ୟ ଭାରତକୁ ‘ମାଓବାଦୀ’ ଶୂନ୍ୟକରାଯିବ ଏବଂ ପ୍ରତିଦିନ ‘ଏନ୍କାଉଣ୍ଟର୍’ ନାଁରେ ମାଓବାଦୀ କହି ଦଳଦଳ କରି ଆଦିବାସୀ ମାନଙ୍କୁ ହତ୍ୟା କରାଯାଉଛି, ଆମେ ଯେମିତି ସେହି ଦୃଶ୍ୟ ଗୁଡ଼ିକୁ ଉପଭୋଗ କରିଚାଲିଛନ୍ତି । ‘ମାଓବାଦୀ’ଙ୍କ ବିଚାରଧାରାକୁ ସମାପ୍ତ କରିବା କ୍ଷେତ୍ରରେ ଆମେ ପ୍ରବଳ ଆଗ୍ରହ ଦେଖାଉଥିବା ବେଳେ, ନିରୀହ ଆଦିବାସୀଙ୍କ ଗଣହତ୍ୟା ପ୍ରତି ସମ୍ପୁର୍ଣ୍ଣ ଉଦାସୀନ ରହୁଛନ୍ତି । ତାହାଠାରୁ ଅଧିକ ଚିନ୍ତାର ବିଷୟ ହେଉଛିଯେ ଗୋଟିଏ ଜଙ୍ଗଲ ଅଞ୍ଚଳକୁ ଧ୍ୱଂସକରି କିଛି ମଣିଷଙ୍କୁ ହତ୍ୟାକରି ଯେତେବେଳେ ସେହି ଅଞ୍ଚଳଟିକୁ ଗୋଟିଏ ଲାଭଖୋର କମ୍ପାନୀ ହାତରେ ଟେକି ଦିଆଯାଉଛି, ଆମେ ତାକୁ ବିକାଶ ନାଁରେ ଉତ୍ସାହ ଉଦ୍ଦିପନାର ସହ ଗ୍ରହଣ କରୁଛନ୍ତି । ମନରେ ପ୍ରଶ୍ନ ଆସୁନାହିଁ ଯେ ଯଦି ଏଦେଶରେ ଗୋଟିଏ ସମ୍ବିଧାନ ଅଛି, ବିଧିବ୍ୟବସ୍ଥା ଅଛି ଏବଂ ଗୋଟିଏ ସ୍ୱାଧିନ ନ୍ୟାୟପାଳିକା ଅଛି ତେବେ କୌଣସି ବି ‘ଅପରାଧ’ ପାଇଁ ନ୍ୟାୟଳୟର ରାସ୍ତାକୁ ନଯାଇ ଗୋଟିଏ ନିର୍ବାଚିତ ସରକାର କେମିତି ବିନା ବିଚାରରେ ନିଜ ସିପାହୀଙ୍କ ବନ୍ଧୁକ ଗୁଳିରେ ତଥାକଥିତ ଅପରାଧିମାନଙ୍କର ଗଣହତ୍ୟା କରିପାରୁଛନ୍ତି? ଭିନ୍ନ ବିଚାର ବା ଭିନ୍ନ ମତବାଦର ଲୋକମାନଙ୍କ ସହ ଆମେ ଆଲୋଚନା ବା ବାର୍ତ୍ତାଳାପ କରିପାରିବାନି କାହିଁକି? ଏଥିପାଇଁ ଆମେ କ’ଣ କେବେ ନିଷ୍ଠାପର ଉଦ୍ୟମ କରିଛେ? ଠାକୁର୍ ମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇ ଚମ୍ବଲ ଉପତ୍ୟାକାରେ ଆଶ୍ରୟ ନେଇ ‘ଦସ୍ୟୁ’ ପାଲଟିଥିବା ଲୋକମାନଙ୍କ ସହ ମଧ୍ୟ ଦିନେ ଆଲୋଚନା କରାଯାଇଥିଲା । ଆଗଧାଡ଼ିରେ ଥିଲେ ଆଚାର୍ଯ୍ୟ ବିନୋବା ଭାବେ, ଜୟପ୍ରକାଶ ନାରାୟଣ ଏବଂ ଏସ୍.ଏନ୍ ସୁବାରାଓ । ଅନେକ ଆଲୋଚନା ପରେ ବିଭିନ୍ନ ପର୍ଯ୍ୟାୟରେ ୬ଶହରୁ ଅଧିକ ଡ଼କାୟତ ବାହାରକୁ ଆସି ମୂଖ୍ୟସ୍ରୋତରେ ସାମିଲ ହୋଇଥିଲେ । ଏଥିରେ ସରକାରଙ୍କର ସମ୍ପୂର୍ଣ୍ଣ ସହଯୋଗ ଥିଲା । ମାଓବାଦୀଙ୍କ କ୍ଷେତ୍ରରେ ଏକ ବଳିଷ୍ଠ ରାଜନୈତକ ବିଚାରଧାରା କାମକରୁଥିଲେ ବି ସେମାନଙ୍କୁ ସଶସ୍ତ୍ର ସଂଗ୍ରାମରୁ ନିବୃତ୍ତକରି ଗଣତାନ୍ତ୍ରିକ ବାଟରେ ନିଜ ଲକ୍ଷ ସାଧନ ପାଇଁ ଉଦ୍ୟମ କରିବା ନିମନ୍ତେ ପ୍ରବର୍ତ୍ତାଇବା ପାଇଁ ସେହିଭଳି ନିଷ୍ଠାପର ଉଦ୍ୟମ ହୋଇଛି କି ନାହିଁ ପ୍ରଶ୍ନଟିଏ କଲେ ହୁଏତ ଉତ୍ତର ମିଳବ ନାହିଁ । ସ୍ୱାମୀ ଅଗ୍ନିବେଶ, ଏସ୍.ଆର ଶଙ୍କରନ୍ ଏବଂ ଡଃ ବ୍ରହ୍ମଦେବ ଶର୍ମାଙ୍କ ଭଳି ବ୍ୟକ୍ତିତ୍ୱମାନଙ୍କୁ ସରକାର ଭରସା କଲେନାହିଁ । ତାହାପରେ ଯୁଗ ବଦଳିଗଲା । ୧୯୯୦ର ଅର୍ଥିକ ସଂସ୍କାର, ଏକବିଶଂ ଶତାଦ୍ଦୀର ପ୍ରଥମ ଦଶନ୍ଦିରେ ପୁଞ୍ଜିରେ ଉଗ୍ରରୂପ ଆସିବା ୨୦୧୪ପରେ ସାମ୍ପ୍ରଦାୟିକ ସଂଗଠନ ମାନଙ୍କୁ ଭିତ୍ତିକରି ଆର୍ଥିକ ପୁଞ୍ଜି ଅତି ଉଗ୍ରରୂପ ନେବା ପରେ, ବାର୍ତ୍ତାଳାପ, କଥୋପକଥନ, ଚର୍ଚ୍ଚା ଓ ଆଲୋଚନା ଇତ୍ୟାଦି ମାଧ୍ୟମ ଗୁଡ଼ିକ ଅଦରକାରୀ ହୋଇଗଲେ । ଭାରତର ଖଣିଜ ପଥର ଓ ଖାଉଟି ବଜାର ଉପରେ ଦେଶୀ-ବିଦେଶୀ ବହୁରାଷ୍ଟ୍ରୀୟ ଖଣିକମ୍ପାନୀ ମାନଙ୍କର ନଜର ଆସିଯିବା ଯୋଗୁଁ, କେବଳ ଯେ ‘ମାଓବାଦୀ’ ମାନେ ପ୍ରତିବନ୍ଧକ ରୁପେ ଦେଖାଗଲା ତାହା ନୁହଁ, ବରଂ ଖଣିଜକ୍ଷେତ୍ରକୁ ଦଖଲ କରିବା ବାଟରେ ଅନ୍ୟଯେଉଁସବୁ ପ୍ରତିବାଦ ବା ପ୍ରତିରୋଧ ଆସିଲା ତାକୁ ମଧ୍ୟ ବିଭିନ୍ନ ନାମ ଦେଇ ସରକାରମାନେ (ଦଳ ଯାହାର ହେଉ ନା କାହିଁକି) ଦମନ କରିବାରେ ଲାଗିଲେ । ସରକାରଙ୍କର ମୂଳଲକ୍ଷ୍ୟ ମାଓବାଦୀ ଦମନ ନା ଅନ୍ୟକିଛି, ସମଗ୍ର ମଧ୍ୟ ଭାରତରେ ଆଜିର ଦିନର ସ୍ଥିତି ଦେଖିଲେ ବୁଝିହେବ । କେଉଁଠି ବି ନିର୍ବାଚିତ ସରକାର ନୁହଁ ବରଂ ଖଣିକମ୍ପାନୀ ମାନେ ଶାସନ ଚଳାଇଛନ୍ତି । ‘ମାଓବାଦୀ ମୁକ୍ତ ଅଞ୍ଚଳ’ ଗୁଡ଼ିକ ଝାଡ଼ଖଣ୍ଡର ସରଣ୍ଡା ହେଉ ବା ଛତିଶଗଡ଼ର ବସ୍ତର ଗୋଟିଏ ପରେ ଗୋଟିଏ ଖଣିକମ୍ପାନୀ ମାନଙ୍କ ହାତକୁ ଚାଲିଯାଉଛି । ଯେଉଁମାନେ ଭାବୁଥିବେ ଯେ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କରି ଆମେ ଏହି ଉପନିବେଶବାଦର ଅବାଧ ଯାତ୍ରାଟିକୁ ପ୍ରତିହତ କରିପାରିବା, ଦୟାକରି ଟିଜିମାଳି ଅଞ୍ଚଳ ଗସ୍ତକରି ନିଜେ ଦେଖିଆସନ୍ତୁ । ଟିଜିମାଳିର ସୁରକ୍ଷା ପାଇଁ ସାମୁହିକ ଆଦିବାସୀ ଆନେ୍ଦାଳନ ଚାଲିଛି । ସେଠି କମ୍ପାନୀ ଓ ପୋଲିସର ଆତଙ୍କବାଦ ଏବଂ ନିର୍ଯ୍ୟାତନା ତାହାସହ ତାଳଦେଇ ଚାଲିଛି ।
ଘରୋଇ କମ୍ପାନୀମାନଙ୍କୁ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ଦେବାରେ ଏବଂ ସେମାନଙ୍କ ଠାରୁ ପାଉଣାପାଇବା କ୍ଷେତ୍ରରେ ମୂଖ୍ୟସ୍ରୋତର ରାଜନୈତିକ ଦଳମାନଙ୍କ ଭିତରେ ତିବ୍ର ପ୍ରତିଯୋଗିତା ଚାଲିଛି । ଯଦିକେବେ ଏମାନଙ୍କୁ କେହି ଜନପ୍ରତିବାଦରେ ସାମିଲ ହେବାର ଦେଖନ୍ତି ତେବେ ଡଃ ବୀରେନ୍ଦ୍ର ନାୟକଙ୍କ କବିତାର ମର୍ମଟିକୁ ମନେପକାଇବେ । ତାଙ୍କରି ଭାଷାରେ ପ୍ରତିବାଦ କିଛି ଲୋକଙ୍କ ପାଇଁ ନିଜକୁ ଦୁଇଗୁଣା ଦରରେ ବିକ୍ରି କରିବା ପାଇଁ ସୁଯୋଗଟିଏ ଦେଇଥାଏ । ସବୁକିଛି ଯେ ନରେନ୍ଦ୍ର ମୋଦୀ ଏବଂ ଅମିତ୍ ଶାହା କରୁଛନ୍ତି ଭାବିବା ଭୁଲ ହେବ ଯଦିଓ ତିବ୍ରତା, କୃରତା ଓ ନିଷ୍ଠୁରତା ସେମାନଙ୍କ ସମୟରେ ବହୁଗୁଣ ବଢ଼ିଛି । ଏମାନଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହ ଓ ଅର୍ଥ ଏବଂ ପରେ ଗୃହମନ୍ତ୍ରୀଥିବା ପି ଚିଦାମ୍ବରମ୍ ଏମାନଙ୍କୁ ରାସ୍ତାଦେଖାଇ ଯାଇଛନ୍ତି । ମଧ୍ୟ ଭାରତର ବିସ୍ତିର୍ଣ୍ଣ ଖଣିଜ କ୍ଷେତ୍ରକୁ ଆଖିଆଗରେ ରଖି ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଭଳି ରାଜ୍ୟ ଗଠନ କରାଯାଇଥିଲା (ନଭେମ୍ବର ୨୦୦୦) ବୋଲି କୁହାଯାଏ । ୨୦୦୪ରେ ବାଜପେୟୀଙ୍କ ଶାସନ ସରିବା ପରେ ମନମୋହନ ସିଂହ କାମଟିକୁ ଆଗକୁ ନେଇଥିଲେ । ମଧ୍ୟ ଭାରତକୁ ପୁଞ୍ଜି ବିନିଯୋଗର ଏକ ପ୍ରଶସ୍ତ କ୍ଷେତ୍ର କରିବା ଉଦେଶ୍ୟରେ ସେ ସମଗ୍ର ଅଞ୍ଚଳଟିକୁ କଣ୍ଟକ ଶୂନ୍ୟ କରିବା ପାଇଁ ଚାହିଁଥିଲେ । ମନମୋହନ ସିଂହ କହୁଥିଲେଯେ “ନକ୍ସଲବାଦୀ ମାନେ ହେଉଛନ୍ତି ଦେଶର ଆଭ୍ୟନ୍ତରିଣ ସୁରକ୍ଷାପ୍ରତି ସବୁଠାରୁ ବଡ଼ ବିପଦ” । ୟୁପିଏ ଶାସନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଆଜିଭଳି ସ୍ୱେଚ୍ଛାଚାରୀ ହେବାପାଇଁ ସୁଯୋଗ ନଥିଲା । କଂଗ୍ରେସ ଭିତରେ ବି ଗୋଟିଏ ବର୍ଗ ଉଗ୍ର ପଦକ୍ଷେପନେବା ପାଇଁ ସରକାରଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ । ସେଥିପାଇଁ ୟୁପିଏ ଶାସନ କାଳରେ ଏକ ‘ଜାତୀୟ ପରାମର୍ଶଦାତା ପରିଷଦ’ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କାମକରୁଥିଲେ । ଅନେକ ସାମଜିକ କର୍ମୀ, ଅଧ୍ୟାପକ ଓ ବୁଦ୍ଧିଜୀବୀ ସେଥିରେ ସାମିଲ ହୋଇଥିଲେ । ହୁଏତ ଏମାନଙ୍କ ଚାପରେ ମଇ ୨୯,୨୦୦୬ ମସିହାରେ ଯୋଜନା ଆୟୋଗଙ୍କ ଦ୍ୱାରା ଏକ କମିଟି ଗଢ଼ାଯାଇଥିଲା ଯାହାର ଉଦେ୍ଦଶ୍ୟ ରଖାଯାଇଥିଲା ଯେ ସେମାନେ ଜନ ଅସୋନ୍ତୋଷ, ଅଶାନ୍ତି ଏବଂ ଚରମପନ୍ଥି କାର୍ଯ୍ୟକଳାପ ଗୁଡ଼ିକର ଅନୁଧ୍ୟାନ କରିବେ ଯାହା ବିକାଶ ପ୍ରସଙ୍ଗ ଗୁଡ଼ିକ ପ୍ରତି ବାଧା ସୃଷ୍ଟି କରୁଛି । ପୂର୍ବତନ କେନ୍ଦ୍ରିୟ ସଚିବ ଦେବୁ ବନେ୍ଦାପାଧ୍ୟାୟଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କର ବହୁଚର୍ଚ୍ଚିତ ରାଷ୍ଟ୍ରୀୟ ସୁରକ୍ଷା ପରାମାର୍ଶଦାତା ଅଜିତ୍ ଡ଼ୋଭଲ୍ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଭିତରେ ଡଃ ବ୍ରହ୍ମଦେବ ଶର୍ମା, କେ.ବି ସାକ୍ସେନା, ଇ.ଏ.ଏସ୍ ଶର୍ମା, ଏସ୍.ଆର ଶଙ୍କରନ୍ ଏବଂ ତତ୍କାଳୀନ ୟୁ.ଜି.ସି ଅଧ୍ୟକ୍ଷ ଡଃ ଏସ୍.କେ ଥୋରାଟ୍ । କମିଟିକୁ ଆରମ୍ଭରୁ ଶେଷଯାଏଁ ସହଯୋଗ କରିଥିଲେ ସେତେବେଳର ବିଶିଷ୍ଠ ନାଗରିକ ଅଧିକାର କର୍ମୀ ଶ୍ରୀ କେ.ବାଲଗୋପାଲ୍ ଓ ଡଃ ବେଲା ଭାଟିଆ ଯାହଙ୍କ ପ୍ରତି ଏହି କମିଟି ଗଭୀର କୃତଜ୍ଞତା ଜଣାଇଛନ୍ତି । ଏହି କମିଟିି ନିଜ ରିପୋର୍ଟ ଏପ୍ରିଲ ୨୦୦୮ରେ ସରକାରଙ୍କୁ ଦେଇଥିଲେ ଯାହା ସେହି ସମୟରେ ଆଲୋଡ଼ନ ସୃଷ୍ଟି କରିଥିଲା । କିନ୍ତୁ ପୁଞ୍ଜିର ଚାପ ଏତେ ପ୍ରଭାବଶାଳୀଥିଲାଯେ ସେହି ସବୁ ଅଞ୍ଚଳଗୁଡ଼ିକୁ ଦଖଲ କରିବା ପାଇଁ ଗୃହମନ୍ତ୍ରୀ ପି.ଚିତାମ୍ବରମ୍ ଅକ୍ଟୋବର ୨୦୦୯ରେ ଅର୍ଦ୍ଧସାମରିକ ବାହିନୀକୁ ବ୍ୟବହାର କରି ନକ୍ସଲ ଦମନ ଅଭିଯାନ ଆରମ୍ଭ କରିଥିଲେ । ଛତିଶଗଡ଼ ପୋଲିସ ଏବଂ ବୈଦୁ୍ୟତିକ ଗଣମାଧ୍ୟମ ଏହି ଅଭିଯାନର ନାଁ ରଖିଥିଲେ ‘ଅପେରସନ୍ ଗ୍ରିନ୍ ହଣ୍ଟ୍’ ବା ସବୁଜ ଶିକାର । ତେବେ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେପରେ ୮ ଜୁନ୍, ୨୦୧୪ରେ ଗୃହମନ୍ତ୍ରାଳୟ ଘୋଷଣାକଲେଯେ ଏହି ଅଭିଯାନରେ ଅଧିକ ୧୦ ହଜାର ସୁରକ୍ଷା ବାହିନୀ ସାମିଲ ହେବେ । ଏବେତ ଗୃହମନ୍ତ୍ରୀ ଅମିତ ଶାହା କହିସାରିଛନ୍ତି ସମଗ୍ର ମଧ୍ୟ ଭାରତ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓବାଦୀ ଶୂନ୍ୟହେବେ । ସେଥିପାଇଁ ପ୍ରାୟ ପ୍ରତି ସପ୍ତାହରେ ‘ଏନ୍କାଉଣ୍ଟର୍’ରେ ଅନେକ ଆଦିବାସୀ ମରିବା କଥା ଆମେ ଗଣମାଧ୍ୟମରୁ ଜାଣିବାକୁ ପାଉଛୁ ।
ଦେବୁ ବନେ୍ଦାପାଧ୍ୟାୟ କମିଟି ଗୋଟିଏ କଥାକୁ ଇଙ୍ଗିତ କରୁଥିଲାଯେ ସିଧାସଳଖ ଗଣହତ୍ୟାର ରାସ୍ତାକୁ ନଆସି ସରକାର ପ୍ରକୃତ ସ୍ଥିତି ଅନୁଧ୍ୟାନ କରି ସମାଧାନର ବାଟ ବାହାର କରିବା ପାଇଁ ଗୁରୁତ୍ୱ ଦିଅନ୍ତୁ । ଯଦିଓ ଏହି କମିଟିର ଅନୁଶୀଳନ ଏବଂ ସୁପାରିସ୍ ଗୁଡ଼ିକୁ ପଢ଼ିବା ପାଇଁ ବି ପୁଞ୍ଜିପ୍ରିୟ ମନମୋହନ ଓ ଚିଦାମ୍ବରମ୍ ଧର୍ଯ୍ୟନଥିଲା କିନ୍ତୁ କମିଟିର ଅନୁଧ୍ୟାନ ଗୁଡ଼ିକ ଆଜିର ଦିନରେ ଅଧିକ ପ୍ରାସଙ୍ଗିକ ମନେହୁଏ । ରିପୋର୍ଟର ପ୍ରଥମରୁ ହିଁ ଉଲ୍ଲେଖ କରାଯାଇଥିଲାଯେ, “କିଛି ଦିନହେଲା ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ବ୍ୟାପକ ଜନ ଅସୋନ୍ତୋଷ ମହାମାରି ଭଳି ବ୍ୟାପିଚାଲିଛି । ଅଧିକାଶଂ ସମୟରେ ଅଶାନ୍ତି ସୃଷ୍ଟି ହେଉଛି, ବେଳେବେଳେ ହିଂସ୍ରରୂପ ବି ନେଉଛି । ବଞ୍ଚିତ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବର୍ଷ ବର୍ଷଧରି ବୈଧାନିକ ଆଇନ୍ ଏବଂ ଆନୁଷ୍ଠାନିକ ବିଧିବ୍ୟବସ୍ଥା ମଧ୍ୟ କରାଯାଇ ଆସିଛି । କିନ୍ତୁ ଅନୁଭୁତିରୁ ଜଣାପଡ଼ୁଛିଯେ ସେହି ସବୁ ସତ୍ତ୍ୱେ ଜନଅସନ୍ତୋଷ ଜାରି ରହିଛି । ଏକ ବିରାଟ ଭାଗର ଜନଗଣଙ୍କ ପାଇଁ ବଞ୍ଚି ରହିବାଟା ଏକ ସମସ୍ୟା ହୋଇଯାଇଛି ।” ଏହି ରିପୋର୍ଟରେ ପୁଣି କୁହାଯାଇଛି ଯେ “ପୂର୍ବରୁ ରହି ଆସିଥିବା ଅନୁଷ୍ଠାନ ଗୁଡ଼ିକ ଯଥା ଜାତି, ଲିଙ୍ଗ ଏବଂ ସମ୍ପତ୍ତିର ଅସମାନତା ସମାଜର ଅଧିକାଂଶ ଲୋକଙ୍କୁ ନିଜ ଅଧିକାରରୁ ବଞ୍ଚିତ କରି ଆସିଛି । ଦୁର୍ବଳ ଶ୍ରେଣୀଙ୍କ ବିରୋଧରେ ସାମାଜିକ ଭେଦଭାବ, ଅସ୍ପୃଶ୍ୟତା, ଘରୋଇ ହିଂସା ଏବଂ ନିର୍ଯ୍ୟାତନାର ବ୍ୟାପକ ପ୍ରଚଳନ, ଏହି ଦେଶରେ ପଦଦଳିତ ଲୋକମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ଗୁଡ଼ିକର ବିଫଳତାର ସୂଚାଙ୍କ ଭଳି ଦେଖାଯାଉଛି । …..ଏଭଳି ଏକ ପରିସ୍ଥିତିରେ ଆମେ ଚକିତ ହେବା ଉଚିତ୍ ନୁହେଁ ଯେ ଜନଗଣଙ୍କର ଏକ ବିରାଟ ଭାଗ କ୍ରୋଧିତ ଅଛନ୍ତି ଏବଂ ଏହି ରାଜନୈତିକ ବ୍ୟବସ୍ଥାରୁ ଅଲଗା ହେଲାଭଳି ଅନୁଭବ କରୁଛନ୍ତି ।” ରିପୋର୍ଟର ଶେଷ ଭାଗରେ ପୁଣି ଆଉ ଗୋଟିଏ ଉଲ୍ଲେଖନୀୟ କଥା କୁହାଯାଇଛି ଯେ, “ସମ୍ବିଧାନ ଅର୍ନ୍ତଗତ ନିଜର ମୌଳିକ ହକ୍ ଓ ନିଜକୁ ସୁରକ୍ଷା ଯୋଗାଉଥିବା ନିୟମକାନୁନ୍ କୁ ସୁନିଶ୍ଚିତ କରାଇବାର ସାମୁହିକ ବିଫଳତାର ଏକ ପରିଣାମ ହେଉଛି ‘ନକ୍ସଲବାଦ’ ଏହାକୁ ଅସ୍ୱୀକାର କରାଯାଇ ନପରେ” । ଏହି କଥାଟି କୌଣସି ସମାଜିକ କର୍ମୀ ନୁହଁ ବା କୌଣସି ବୁଦ୍ଧିଜୀବି ନୁହଁ ବରଂ ଭାରତ ସରକାରଙ୍କର ଦ୍ୱାରା ନିଯୁକ୍ତ ଏବଂ ବିଶିଷ୍ଠ ବ୍ୟକ୍ତିମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ଅଧ୍ୟୟନର ସାରଶଂ ।
ଗୁଣି ଓ ଜ୍ଞାନୀ ଶାସକମାନେ ସବୁବେଳେ ଶାନ୍ତିପୂର୍ଣ୍ଣ ଉପାୟରେ ସାମାଜିକ ସମସ୍ୟା ଓ ଅର୍ଥନୈତିକ ଆହ୍ୱାନ ଗୁଡ଼ିକର ମୁକାବିଲା କରିବା କଥା, ଯାହାକି କୌଣସି ବଟିକା ଖାଇ କିଏ ପାଇନଥାଏ । ସମୟ ଆସିଛି କାହାକୁ କିଛି କହିବା ପୂର୍ବରୁ ଗଭୀର ଅତ୍ମଚିନ୍ତନ ଯେମିତି କରାଯିବ । ସାମୁହିକ ଚର୍ଚ୍ଚା ଓ ଆଲୋଚନାର ମଧ୍ୟ ଆଜିର ଦିନରେ ଆବଶ୍ୟକତା ବଢ଼ିଯାଇଛି ଆମେ ଏହି କଥାଟିକୁ ଯେତେ ଅଣଦେଖା କଲେ ବି । ଆମର ସ୍ଥାଣୁତା, ନିସ୍କ୍ରିୟତା, ନିରବତା ଏବଂ ସମ୍ବେଦନହୀନ ପାଇଁ ଦେଶବ୍ୟାପୀ ଟିଜିମାଳି, ଧରାକୋଟ ଏବଂ ବାଲେଶ୍ୱର ଭଳି ପରିସ୍ଥିତି ତୁହାକୁ ତୁହା ସୃଷ୍ଟି ହୋଇଚାଲିଛି । ଆଜିର ଦିନର ଆବଶ୍ୟକତା ହେଉଛି ଆମେ ଯେମିତି ନିଜ ପରିବାର ଭିତରେ ଏବଂ ନିଜ ଭିତରେ ନିଜ ବିଚାର ଓ ବିବେକର ନିଷ୍ଠାପର ପରିକ୍ଷଣ କରିବା । ଏହି ସମ୍ବେଦନହୀନତାର ଅନ୍ତ ଆଣିବା ପାଇଁ ଏହା ହିଁ ଏକ ଉପାୟ ।
Comments
0 comments