ଫେବୃଆରୀ ୨୦୨୫ରୁ ଜୁନ ୨୦୨୫। ଆପଣମାନେ ଜାଣନ୍ତି ଯେ ୨୦୨୩ ମଧ୍ୟଭାଗରୁ ମା ମାଟି ମାଳି ସୁରକ୍ଷା ମଞ୍ଚର ନେତୃତ୍ୱରେ କାଶୀପୁର(ରାୟଗଡ଼ା ଜିଲ୍ଲା) ଓ ଥୁଆମୂଳ ରାମପୁର ବ୍ଲକ(କଳାହାଣ୍ଡି ଜିଲ୍ଲା) ଅନ୍ତର୍ଗତ ତିଜମାଳି, କୁଟ୍ରୁମାଳି ଓ ମାଝିମାଳିର ଦଳିତ ଓ ଆଦିବାସୀମାନେ ଆପଣାର ଜୀବିକା ତଥା ସ୍ଥାନୀୟ ଜଙ୍ଗଲ, ପାହାଡ଼ ଓ ଝରଣା, ସର୍ବୋପରି ପରିବେଶ ଓ ପରିବେଷ୍ଟନୀର, ସୁରକ୍ଷା ପାଇଁ ବେଦାନ୍ତର ପ୍ରସ୍ତାବିତ ବକ୍ସାଇଟ ଖଣି ପ୍ରକଳ୍ପକୁ ବିରୋଧ କରିଆସୁଛନ୍ତି । କଳ, ବଳ ଓ ଛଳ ପ୍ରୟୋଗକରି ପ୍ରକଳ୍ପକୁ ଆଗେଇ ନେବାପାଇଁ ସରକାର ଓ କମ୍ପାନୀ ଉଦ୍ୟମ ଚଳାଇଥିଲା ବେଳେ, ଲୋକମାନଙ୍କର ବିରୋଧ ମଧ୍ୟ ଜାରି ରହିଛି । ଏହି କ୍ରମରେ ଆମେ ଫେବୃଆରୀରୁ ଜୁନ ମଧ୍ୟରେ ଘଟିଥିବା ପ୍ରମୁଖ ଘଟଣାବଳୀଗୁଡ଼ିକୁ ଆପଣମାନଙ୍କ ପାଖରେ ଉପସ୍ଥାପନ କରୁଛୁ (ଆମର ଶେଷ ଉପସ୍ଥାପନାଟି ଜାନୁୟାରୀ ମାସରେ ପ୍ରକାଶିତ ହୋଇଥିଲା) ।
-୨୦୨୫ ଫେବୃଆରୀ ୧୦ତାରିଖ ଦିନ ମା ମାଟି ମାଳି ସୁରକ୍ଷା ମଞ୍ଚ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହେବା ସହ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ପ୍ରମୁଖ ଦାବିଗୁଡ଼ିକ ହେଲା: ବେଦାନ୍ତ ଏବଂ ଆଦାନୀକୁ ଦିଆଯାଇଥିବା ଖଣି ଲିଜ୍ ବାତିଲ; ଅକ୍ଟୋବର ୨୦୨୩ରେ ପରିବେଶ ମଞ୍ଜୁରୀ ନିମନ୍ତେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡÿ ଦ୍ୱାରା ଅନୁଷ୍ଠିତ ଦୁଇ ଦୁଇଟି ଜନଶୁଣାଣିରେ ଖଣିପ୍ରକଳ୍ପ ବିରୋଧରେ ଜନମତକୁ ସ୍ୱୀକୃତି; ପୁଲିସ ଦମନ ବନ୍ଦ ଏବଂ ଫୌଜଦାରୀ ମାମଲା ପ୍ରତ୍ୟାହାର; କାର୍ତ୍ତିକ ନାଏକ, ହିରାମଲ ନାଏକ, କୁମେଶ୍ୱର ନାଏକ ପବିତ୍ର ନାଏକଙ୍କୁ ଜେଲରୁ ଖଲାସ; ୨୦୨୪ ଅଗଷ୍ଟ ୩୦ ତାରିଖରୁ ସେପ୍ଟ୍ଟେମ୍ୱର ୪ତାରିଖ ମଧ୍ୟରେ ଲୋକମାନଙ୍କ ଦ୍ୱାରା ଅନୁଷ୍ଠିତ ଗ୍ରାମସଭାରେ ପାଶ୍ ହୋଇଥିବା ସଂକଳ୍ପପତ୍ରକୁ ମାନ୍ୟତା (ସବିଶେଷ ବିବରଣୀ ପାଇଁ ଜାନୁୟାରୀ ମାସର ଉପସ୍ଥାପନା ଦେଖନ୍ତୁ) ଏବଂ ଜଙ୍ଗଲ ଅଧିକାର ଆଇନ ଓ ପେସା ଆଇନକୁ କାର୍ଯ୍ୟକାରୀ କରିବା ।
-ମା ମାଟି ମାଳି ସୁରକ୍ଷାମଞ୍ଚ ଦ୍ୱାରା ଆୟୋଜିତ ଶୋଭାଯାତ୍ରାର ପ୍ରଭାବକୁ ଫିକା କରିବା ପାଇଁ ଫେବୃଆରୀ ୧୫ତାରିଖ ଦିନ ଭବାନୀପାଟଣାରେ ଖଣିଖନନ ସପକ୍ଷରେ କମ୍ପାନୀ ପ୍ରାୟୋଜିତ ଶୋଭାଯାତ୍ରା ଆୟୋଜନ କରାଗଲା । ଅଞ୍ଚଳର ବିକାଶ ନାଁରେ ମୁଖ୍ୟସ୍ରୋତର ରାଜନୈତିକ ଦଳମାନେ ଏହାକୁ ସମର୍ଥନ ଦେଲେ; ଯଦିଓ ଏଥିରେ ଅଂଶଗ୍ରହଣକାରୀମାନେ ଥିଲେ ତିଜମାଳି ପ୍ରକଳ୍ପ ଦ୍ୱାରା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ଅଂଚଳ ବାହାରର ଲୋକ । ଏହାର ମୂଳ ଉଦେ୍ଦଶ୍ୟ ଥିଲା ଆନେ୍ଦାଳନକାରୀମାନଙ୍କ ମନୋବଳକୁ ଭାଙ୍ଗିବା ତଥା ପ୍ରତ୍ୟକ୍ଷଭାବେ ପ୍ରଭାବିତ ଲୋକେ ଖଣିପ୍ରକଳ୍ପ ଚାହୁଁଛନ୍ତି ବୋଲି ବାହାର ଦୁନିଆକୁ ଦେଖେଇବା । ଏହା କମ୍ପାନୀମାନଙ୍କର ଏକ ପୁରୁଣା କୌଶଳ । ଅତୀତରେ ଦୁଇ ଦୁଇ ଥର, ୨୦୨୩ ଅକ୍ଟୋବର ଓ ୨୦୨୪ ନଭେମ୍ୱରରେ, ଏହି ପ୍ରକାର ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।
-୨୦୨୫ ଜାନୁୟାରୀ ଏକ ତାରିଖ ଦିନ କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ଗ୍ରାମ ପଞ୍ଚାୟତ ଓ ଥୁଆମୂଳ ରାମପୁର ବ୍ଲକର ତଳ ଆମ୍ବପଦର ପଞ୍ଚାୟତର ୧୦ଜଣ ବାସିନ୍ଦା ସରକାରୀ କଳ ଓ କମ୍ପାନୀ ଦ୍ୱାରା ୨୦୨୩ ଡିସେମ୍ବର ୦୮ତାରିଖରେ ଆୟୋଜିତ ଗ୍ରାମସଭା ବେଆଇନ ଓ ଚଞ୍ଚକତାପୂର୍ଣ୍ଣ ବୋଲି ଅଭିଯୋଗ କରି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କଲେ । ପ୍ରକାଶଥାଉ କି, ତଥାକଥିତ ଗ୍ରାମସଭା ୧୦ଟି ଗାଁରେ ଆୟୋଜିତ ହୋଇ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଗ୍ରାମସଭା ଅନୁମୋଦନ ମିଳିଥିଲା ବୋଲି ସରକାର ଓ କମ୍ପାନୀ ତରଫରୁ ଦାବି କରାଯାଏ । ଉକ୍ତ ଚଞ୍ଚକତାପୂର୍ଣ୍ଣ ଗ୍ରାମସଭା ସମ୍ୱନ୍ଧରେ ଲୋକମାନେ ୨୦୨୪ ଜୁଲାଇ ୨୪ ଓ ୨୬ତାରିଖରେ ଉଭୟ କାଶୀପୁର ଥାନା ଓ ରାମପୁର ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ୱନ୍ଧରେ ରାୟଗଡ଼ା ଉପଜିଲ୍ଲାପାଳଙ୍କୁ ମଧ୍ୟ ଆପତ୍ତି ଜଣାଇଥିଲେ । ଏହାପରେ ପୁଲିସ ଲୋକମାନଙ୍କ ଅଭିଯୋଗ ସମ୍ୱନ୍ଧରେ ଯଦିଓ ସାଧାରଣ ଡାଇରୀରେ ଉଲ୍ଲେଖ କଲା, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ପ୍ରଶ୍ନ ଉଠେ ଯଦି କମ୍ପାନୀ ତରଫରୁ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥାନ୍ତା, ତେବେ ପୁଲିସ ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିଥାନ୍ତା?
-ଉକ୍ତ ଜନସ୍ୱାର୍ଥ ମାମଲାରେ ୨୭ଜଣ ସ୍ଥାନୀୟ ଗ୍ରାମବାସୀ ସତ୍ୟପାଠ କରି ଗ୍ରାମସଭା କିଭଳି ଚଞ୍ଚକତାପୂର୍ଣ୍ଣ ହୋଇଛି, ତାହା ଓଡିଶା ହାଇକୋର୍ଟରେ ଦର୍ଶେଇଛନ୍ତି । ୨୭ଜଣଙ୍କ ମଧ୍ୟରୁ ୧୮ଜଣ ସ୍ପଷ୍ଟରୂପେ କହିଛନ୍ତି ଯେ ସେମାନଙ୍କ ଦସ୍ତଖତ ଜାଲ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଦୁଇ ଜଣ ସେ ସମୟରେ ଗାଁରେ ନଥାଇ ଏର୍ଣ୍ଣାକୁଲମରେ ଥିଲେ । ଅବଶିଷ୍ଟ ୯ ଜଣ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ ଗ୍ରାମସଭା ସଂକଳ୍ପନାମାରେ ଦସ୍ତଖତ ନଦେଲେ ସେମାନଙ୍କୁ ମାଡ଼ ଦିଆଯିବ, ଗିରଫ କରାଯିବ ଓ ଅଟକ ରଖାଯିବ ବୋଲି ଗ୍ରାମସଭାରେ ଉପସ୍ଥିତ ଥିବା ସଶସ୍ତ୍ର ପୁଲିସ ଧମକ ଦେବାରୁ ସେମାନେ ଭୟରେ ଦସ୍ତଖତ କରିଥିଲେ । ଅର୍ଥାତ୍, ଏହି ଗ୍ରାମସଭାର ନିଷ୍ପତ୍ତି ଭରସାଯୋଗ୍ୟ ନୁହେଁ ଏବଂ ଲୋକମାନଙ୍କର ‘ସହମତି’ ଭୟର ଏକ ବାତାବରଣରେ ସୃଷ୍ଟି କରାଯାଇଛି! ଅବଶ୍ୟ ମାମଲାର ଶୁଣାଣି ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଫେଇ ଦିଆଗଲା ଯେ ଆଇନର ଯଥାଯଥ ଅନୁପାଳନ କରାଯାଇଛି । ଉଲ୍ଲେଖଯୋଗ୍ୟ, ମାନ୍ୟବର ହାଇକୋର୍ଟ ଜାଲ ଦସ୍ତଖତ ପ୍ରସଙ୍ଗର ସତ୍ୟାସତ୍ୟ ନିରୁପଣ କରିବା ଦିଗକୁ ଯିବାକୁ ଚାହିଁଲେ ନାହିଁ । ଏପରିକି ଯେଉଁ ମାମଲାର ଏହି ଅଭିଯୋଗଟି ମୂଳପିଣ୍ଡ, ତାହାକୁ ନିରପେକ୍ଷ ତଦନ୍ତ ପାଇଁ ସାମ୍ବିଧାନିକ ଅଦାଲତ ପକ୍ଷରୁ ମଧ୍ୟ କୁହାଗଲା ନାହିଁ! କିନ୍ତୁ ବେଦାନ୍ତ କମ୍ପାନୀର ପ୍ରସ୍ତାବକୁ ମଞ୍ଜୁରୀ ଦେବା ପୂର୍ବରୁ ଗ୍ରାମସଭା ବା ଅନ୍ୟ ଉପାୟରେ ସମ୍ପୃକ୍ତ ଗ୍ରାମବାସୀଙ୍କ ଆସ୍ଥାଭାଜନ ହେବା ପାଇଁ କେନ୍ଦ୍ର ସରକାରଙ୍କୁ ଧ୍ୟାନ ଦେବାପାଇଁ ନିର୍ଦ୍ଦେଶ ଦେଲେ । ମାମଲାଟିର ରାୟ ୨୦୨୫ ମାର୍ଚ୍ଚ ୫ ତାରିଖରେ ପ୍ରକାଶ ପାଇଲା ।
-କାର୍ତ୍ତିକ ନାଏକ ୬ମାସରୁ ଊର୍ଦ୍ଧ୍ୱକାଳ ଜେଲରେ ରହିଲାପରେ ହାଇକୋର୍ଟରୁ ଜାମିନ ପାଇ ମାର୍ଚ୍ଚ ୩୦ତାରିଖରେ ଖଲାସ ହେଲେ । ସେହିପରି ପବିତ୍ର ନାଏକ ଓ କୁମେଶ୍ୱର ନାଏକ ମଧ୍ୟ ହାଇକୋର୍ଟର ଜାମିନ ବଳରେ ମେ ୩୧ ତାରିଖରେ ଜେଲରୁ ଖଲାସ ହେଲେ । କିନ୍ତୁ ସେମାନଙ୍କୁ ଜାମିନ ଦେଲାବେଳେ ମାନ୍ୟବର ବିଚାରପତି ଏସ୍. କେ. ପାଣିଗ୍ରାହୀ ଯେଉଁ ସର୍ତ୍ତାବଳୀ ରଖିଲେ, ତା’ ମଧ୍ୟରୁ ଗୋଟିଏ ଥିଲା, “ଆବେଦନକାରୀ ଉପରୋକ୍ତ ମାମଲାରେ ପ୍ରକୃତ ମୁକ୍ତି ତାରିଖରୁ ଦୁଇମାସ ପାଇଁ (ସକାଳ ୬ଘଣ୍ଟାରୁ ସକାଳ ୯ଘଣ୍ଟା ମଧ୍ୟରେ) କାଶୀପୁର ଥାନା ହତା ସଫା କରିବେ । କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ତାଙ୍କୁ ଝାଡ଼ୁ, ଫିନାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବେ ଯାହାଦ୍ୱାରା ସେ ଥାନା ହତାଟିକୁ ସଫା କରିପାରିବେ ।’ ସମାନ ମାମଲାରେ, ଯେତେବେଳେ ହୀରାମଲ ନାଏକଙ୍କୁ ରାୟଗଡ଼ାର ଜିଲ୍ଲା ଓ ସେସନ୍ସ ଜଜ୍ ଜାମିନ ଦେଲେ, ତାଙ୍କ ଉପରେ ମଧ୍ୟ ସମାନ ସର୍ତ୍ତ ଆରୋପ କରାଗଲା । ହୀରାମଲ ନାଏକ ଜୁନ ୧୪ ତାରିଖରେ ଜେଲରୁ ବାହାରିଲେ ।
-ଜୁନ ୨୬ ତାରିଖରେ ଓକିଲମାନଙ୍କ ସମେତ ନାଗରିକ ଓ ଗଣତାନ୍ତ୍ରିକ ଅଧିକାର କର୍ମୀ, ସାମ୍ୱାଦିକ, କବି, ଲେଖକ ଓ କଳାକାରମାନଙ୍କ ଭଳି ୮୬ଜଣ ବିଶିଷ୍ଟ ବ୍ୟକ୍ତି ଏଭଳି ମନମୁଖୀ ତଥା ମର୍ଯ୍ୟାଦା ହାନିକାରକ ସର୍ତ୍ତାବଳୀରେ ଉଦ୍ବେଗ ପ୍ରକାଶ କରି ଏହାର ପ୍ରତ୍ୟାହାର ନିମନ୍ତେ ଓଡ଼ିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଆବେଦନ କରିଛନ୍ତି । ଏହି ପ୍ରକାର ସର୍ତ୍ତାବଳୀ ନ୍ୟାୟର ସ୍ୱାର୍ଥସାଧନ ସହିତ ସାମାନ୍ୟତମ ସମ୍ପର୍କ ରଖେ ନାହିଁ, ବରଂ ଏହା ନ୍ୟାୟର ପରିହାସ ବୋଲି ସେମାନେ ଦର୍ଶାଇଛନ୍ତି । ସେମାନେ ଏହାକୁ ବିଚାର ପୂର୍ବରୁ ଦଣ୍ଡ ତଥା ପ୍ରତିହିଂସାମୂଳକ ନ୍ୟାୟର ଏକ ଅଂଶଭାବେ ଅଭିହିତ କରି ଆଶଙ୍କା ପ୍ରକାଶ କରିଛନ୍ତି ଯେ ଏପରି ଜାମିନ ସର୍ତ୍ତାବଳୀ ଯଦି ଏକ ନ୍ୟାୟିକ ଦୃଷ୍ଟାନ୍ତ ହୋଇଯାଏ, ତେବେ ଏହା ଜାମିନ ପାଇବା ଅଧିକାର ନୀତିର ପରିପନ୍ଥୀ ହେବ ଏବଂ ଫଳସ୍ୱରୂପ ବ୍ୟକ୍ତିବିଶେଷଙ୍କୁ ହଇରାଣ କରିବାପାଇଁ ଫୌଜଦାରୀ ଆଇନକୁ ଏକ ଆୟୁଧ ରୂପେ ସରକାର ଏବଂ ସରକାରୀକଳ ଦ୍ୱାରା ଅଧିକରୁ ଅଧିକ ବ୍ୟବହୃତ ହେବ । ଜାମିନ ସର୍ତ୍ତାବଳୀ ଘେନି ଏକ ସର୍ବଭାରତୀୟ ନୀତି ସ୍ଥିରପାଇଁ ସେମାନେ ମଧ୍ୟ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
-ମେ ୩୧ତାରିଖ ଦିନ ପୁଲିସ ବଳ ସହ ସରକାରୀ କର୍ମକର୍ତ୍ତାମାନଙ୍କ ଏକ ଦଳ ପ୍ରସ୍ତାବିତ ଖଣିଅଞ୍ଚଳକୁ ପ୍ରବେଶ କରିବାକୁ ଚେଷ୍ଟା କଲାରୁ ଗ୍ରାମବାସୀମାନେ ଏହାର ବିରୋଧ କଲେ । ମୁହାଁମୁହିଁ ପରିସ୍ଥିତି ଉପୁଜିଲା । ଲୋକଙ୍କ ବିରୋଧ ହେତୁ ସେମାନେ ଫେରିଗଲେ । ସେ ସମୟରେ ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ସୁଙ୍ଗେର ହାଟଛକରେ ସଭା ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚାଲିଥାଏ । ଲୋକମାନେ ଭାବନ୍ତି ଯେ ପରିବେଶ ଦିବସ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ପୁଲିସ ଓ ପ୍ରଶାସନ ଜାଣିଶୁଣି ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବାକୁ ଏକ କୌଶଳଭାବେ ନେଇଥିଲା ।
-ଏହି ଘଟଣାପରେ ଜୁନ ୩ତାରିଖ ଦିନ ମଞ୍ଚର ଜଣେ ନେତା ଜଳେଶ୍ୱର ନାଏକଙ୍କୁ ପୁଲିସ ଉଠେଇ ନେଇ ଗିରଫ କଲା । ପୁଲିସ ତାଙ୍କୁ ଅମାନୁଷିକ ଶାରୀରିକ ନିର୍ଯାତନା ଦେଲା । ତାଙ୍କୁ ଅଦାଲତରେ ହାଜରବେଳେ ସେ ହାଜତରେ କୌଣସି ହିଂସାର ଶିକାର ହୋଇଛନ୍ତି କି ନାହିଁ ଅଦାଲତ ପକ୍ଷରୁ ତାଙ୍କୁ ପଚରା ଯାଇନଥିଲା ଏବଂ ସେ ନିଜ ଆଡୁ ମଧ୍ୟ ଏହା କହିବାପାଇଁ ଡରିଥିଲେ । କାରଣ ଶାରୀରିକ ନିର୍ଯାତନା ସମ୍ପର୍କରେ ନ କହିବା ପାଇଁ ପୁଲିସ ତାଙ୍କୁ ଧମକ ଦେଇଥିଲା । ତା’ପର ଦିନ (ଜୁନ ୪ତାରିଖରେ) ମହିଳାଙ୍କ ସମେତ ପାଖାପାଖି ୧୫୦ଜଣ ଗ୍ରାମବାସୀ ଜଳେଶ୍ୱରଙ୍କର ଖୋଜଖବର ନେବା ପାଇଁ କାଶୀପୁର ଥାନାକୁ ଆସୁଥିଲାବେଳେ, ପୁଲିସ ବାହିନୀ ଲୋକଙ୍କୁ ରାସ୍ତାରେ ଅଟକେଇଲା । ପୁଣି ଥରେ ଲୋକେ ଓ ପୁଲିସ ମୁହାଁମୁହିଁ ହେଲେ ଓ ପୁଲିସ ଲୋକଙ୍କ ଭିତରୁ କେତେ ଜଣଙ୍କୁ ଉଠେଇ ନେବାକୁ ଚେଷ୍ଟା କଲାବେଳେ, ମହିଳାମାନେ ତା’ର ପ୍ରତିରୋଧ କଲେ । ପୁଲିସ ସେମାନଙ୍କୁ ନିସ୍ତୁକ ପିଟିଲା । ବଣ୍ଡେଲ ଗାଁର ନାରଙ୍ଗ ଦେଇଙ୍କ ମଣିବନ୍ଧ ହାଡ଼ ଭାଙ୍ଗିବାହେତୁ ତାଙ୍କୁ କାଶୀପୁର ଡାକ୍ତରଖାନା ନିଆଗଲା । କଣ୍ଟାମାଳର ନାର୍ଗୀ ଦେଇଙ୍କ ହାଡ଼ଭାଙ୍ଗିବା ସତ୍ତ୍ୱେ ସେ ଭୟରେ ଡାକ୍ତରଖାନା ଗଲେ ନାହିଁ । ପୁଲିସ ରମାକାନ୍ତ ନାଏକ ଓ ସୁନ୍ଦରସିଂ ମାଝୀଙ୍କୁ ଘଟଣାସ୍ଥଳରୁ ବଳପୂର୍ବକ ଉଠେଇନେଇ ଗିରଫ କଲା । ଜୁନ ୪ତାରିଖ ଘଟଣାରେ କାଶୀପୁର ପୁଲିସ ସମୁଦାୟ ୮ଜଣ ଓ ଅନ୍ୟାନ୍ୟ ୧୦୦ଜଣ ମହିଳା ପୁରୁଷଙ୍କ ବିରୁଦ୍ଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ୮ଟି ଦଫାରେ ମାମଲା ଦାୟର କରିଛି ।
-ଜୁନ ୫ତାରିଖ ବିଶ୍ୱ ପରିବେଶ ଦିବସ ଦିନ ଭୋର ସମୟରେ ଜଣାଶୁଣା ପରିବେଶବିତ୍ ମେଧା ପାଟକର, କୃଷକ ନେତା ଲିଙ୍ଗରାଜ ଓ ହର ବଣିଆ ତଥା ମାନବ ଅଧିକାର କର୍ମୀ ନରେନ୍ଦ୍ର ମହାନ୍ତିଙ୍କୁ କାଶୀପୁର ବ୍ଲକର ସୁଙ୍ଗେର ଗାଁକୁ ଯିବାକୁ ନଦେଇ ରାୟଗଡ଼ା ରେଳଷ୍ଟେସନରେ ପୁଲିସ ଦ୍ୱାରା ବେଆଇନ ଅଟକ ରଖାଗଲା ଏବଂ ସେମାନଙ୍କୁ ବଳପୂର୍ବକ ବ୍ରହ୍ମପୁର ପଠେଇ ଦିଆଗଲା । ସେମାନେ ମଞ୍ଚଦ୍ୱାରା ପାଳିତ ହେଉଥିବା ବିଶ୍ୱ ପରିବେଶ ଦିବସର କେବଳ ନିମନ୍ତ୍ରିତ ଅତିଥି ନଥିଲେ, ବରଂ ଜୀବନଜୀବିକା ଓ ପରିବେଶର ସୁରକ୍ଷା ପାଇଁ ବେଦାନ୍ତର ବକ୍ସାଇଟ ଖଣି ପ୍ରକଳ୍ପ ପ୍ରତିବାଦ ସଂଗ୍ରାମକୁ ସଂହତି ଜଣେଇବା ପାଇଁ ଆସିଥିଲେ । ସ୍ୱାଭାବିକ ଭାବେ, ଏହା ପ୍ରଶାସନର ଚକ୍ଷୁଶୀଳ ହେଲା ।
– ମଞ୍ଚର କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାପାଇଁ ରାୟଗଡ଼ା ଜିଲ୍ଲା ମାଜିଷ୍ଟ୍ରେଟ ଜୁନ ୪ତାରିଖରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩(୩) ବଳରେ ଅତିଥିମାନଙ୍କ ସମେତ ୨୪ଜଣଙ୍କ ବିରୁଦ୍ଧରେ ଦୁଇ ମାସ ପାଇଁ ଜିଲ୍ଲା ଭିତରକୁ ପ୍ରବେଶ ବାରଣ କରି ଏକ ଏକତରଫା ନିଷେଧାତ୍ମକ ଆଦେଶ ଜାରିକଲେ । ଏପରିକି ସେମାନଙ୍କୁ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ଦେଲେ ନାହିଁ । ଆଦେଶନାମାରେ ଲେଖାଗଲା, “ଜିଲ୍ଲାରେ ସେମାନଙ୍କର ଉପସ୍ଥିତି ଓ ଚଳପ୍ରଚଳ ଆଇନଶୃଙ୍ଖଳାକୁ ହାନି କରିପାରେ, ସର୍ବସାଧାରଣ ଶାନ୍ତିକୁ ବ୍ୟାହତ କରିପାରେ ଓ ଜିଲ୍ଲାରେ ପ୍ରଶାସନିକ କାର୍ଯ୍ୟର ସୁଗମ ପରିଚାଳନା ଓ ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ” । ଉଲ୍ଲେଖନୀୟ, ଏହି ୨୪ଜଣିଆ ତାଲିକାରେ କିଛି ବ୍ୟକ୍ତିଙ୍କ ନାଁ ଅଛି ଯେଉଁମାନେ ରାୟଗଡ଼ାର ସ୍ଥାୟୀବାସିନ୍ଦା । ସେମାନଙ୍କୁ ରାୟଗଡ଼ା ଜିଲ୍ଲାକୁ ପ୍ରବେଶ ନିଷେଧ କରିବା ଅର୍ଥ ସେମାନଙ୍କୁ ତଡ଼ିପାର କରିବା । ହେଲେ, ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩(୩) ଅନୁଯାୟୀ ଜଣେ ସ୍ଥାୟୀ ବାସିନ୍ଦାଙ୍କୁ ତଡ଼ିପାର କରିବା ଜଣେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କ୍ଷମତା ପରିସର ଭିତରେ ନାହିଁ । ଲକ୍ଷ୍ୟ କରିବାର କଥା, ଗୋଟେ ଘରୋଇ କମ୍ପାନୀର ସ୍ୱାର୍ଥପାଇଁ ସରକାରୀ କଳ କେତେ ଦୂର ଯାଇପାରେ ଏବଂ ଆଇନର ଶାସନ ସେମାନଙ୍କ ପାଇଁ ଏକ ଢାଲ ହେଲା ବେଳେ, ଜନଗଣଙ୍କ ବିରୁଦ୍ଧରେ ଏକ ତୀକ୍ଷ୍ଣ ଅସ୍ତ୍ର ହୋଇପାରେ! ଉଲ୍ଲେଖନୀୟ, ନିଷେଧାତ୍ମକ ଆଦେଶ ସତ୍ତ୍ୱେ ମାଆ ମାଟି ମାଳି ସୁରକ୍ଷା ମଞ୍ଚ ନେତୃତ୍ୱରେ କଣ୍ଟାମାଳ ଗାଁରେ ସମାବେଶର ଆୟୋଜନ କରାଗଲା ଏବଂ ଏଥିରେ ଶହ ଶହ ଖଣି ବିରୋଧୀ ଗ୍ରାମବାସୀମାନେ ଯୋଗଦେଲେ ।
-ବେଦାନ୍ତର ବକ୍ସାଇଟ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମେ ୬ତାରିଖ ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରା ଏକ ନୋଟିସ ଜାରି କରି କୁହାଗଲା ଯେ ତିଜମାଳି ମୌଜାର ୭୦ଏକର ୫୦ ଡିସିମିଲ ପଟ୍ଟା ଜମି ଅଧିଗ୍ରହଣ କରାଯିବ । ଲୋକମାନଙ୍କର ଆପତ୍ତି ଥିଲେ ୬୦ଦିନ ମଧ୍ୟରେ ସେମାନେ ତାହା ଜଣେଇ ପାରିବେ । ଏ ଦିଗରେ ଲୋକମାନେ ପ୍ରସ୍ତୁତି ଚଳେଇଛନ୍ତି ।
-ସେହିପରି ମେ ୨୩ ତାରିଖରେ ଥୁଆମୂଳ ରାମପୁର ତହସିଲଦାରଙ୍କ ତରଫରୁ କେବଳ ତିଜମାଳି ମୌଜାର ୨୩ ଏକରରୁ ଊର୍ଦ୍ଧ୍ୱ ସର୍ବସାଧାରଣ ଜମିକୁ (“ଆବାଦ ଯୋଗ୍ୟ ଅନାବାଦୀ ଜମି”) ଶିଳ୍ପ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଇଡକୋ, ଭୁବନେଶ୍ୱରକୁ ଭୂମିବ୍ୟାଙ୍କ ସୃଷ୍ଟି କରିବା ଉଦେ୍ଦଶ୍ୟରେ ଲିଜସୂତ୍ରରେ ହସ୍ତାନ୍ତର କରିବା ପାଇଁ ନୋଟିସ ଜାରି କରାଗଲା । ଜୁନ ୭ ତାରିଖରେ ଲୋକମାନେ ତହସିଲଦାରଙ୍କ ନୋଟିସର ଉତ୍ତରରେ ଲେଖିଲେ, “ଏହି ଜମି ଉପରେ ପିଢ଼ି ପରେ ପିଢ଼ି ଆମେ ଚାଷ କରିଆସୁଛୁ ଏବଂ ସେଥିରୁ ବିଭିନ୍ନ ପ୍ରକାର ଫଳମୂଳ ସଂଗ୍ରହ କରି ଆମମାନଙ୍କର ସପରିବାର ବଞ୍ଚୁଛୁ । ଏହି ଜମି ସାମୂହିକ ଓ ବ୍ୟକ୍ତିଗତ ଭାବରେ ବ୍ୟବହାର କରିବା ସହିତ ଆମର ଗୃହପାଳିତ ପଶୁ ଯଥା, ଗାଈ, ମଇଁଷି, ଛେଳି, ମେଣ୍ଢା ସବୁ ଏହି ଜମି ଉପରେ ହେଉଥିବା ଘାସ ଡାଳ ଖାଇ ବଞ୍ଚୁଛନ୍ତି । ତେଣୁ ଏହି ଜମି ଲ୍ୟାଣ୍ଡବ୍ୟାଙ୍କକୁ ହସ୍ତାନ୍ତର ହୋଇପାରିବ ନାହିଁ” । ଲୋକମାନେ ଏହା ମଧ୍ୟ ଆପତ୍ତି ଜଣେଇଲେ ଯେ ପ୍ରଥମେ ଗ୍ରାମସଭାର ସମ୍ମତି ହାସଲ କଲାପରେ, ଏପରି ନୋଟିସ ଦିଆଯିବା ଆଇନସମ୍ମତ ଅଟେ । କିନ୍ତୁ ଏଥିପାଇଁ ଗ୍ରାମସଭା କରାଯାଇ ନାହିଁ । ଲ୍ୟାଣ୍ଡବ୍ୟାଙ୍କକୁ ଜମି ହସ୍ତାନ୍ତର କରିବା ନିମନ୍ତେ ନୋଟିସ ଜାରି କରିବା ପୂର୍ବରୁ ପ୍ରଥମେ ଗ୍ରାମସଭାର ଅନୁମତି ଆବଶ୍ୟକ । ଧ୍ୟାନ ଦେବାର ବିଷୟ, ଖଣିଖନନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନିକ ଉଦ୍ୟମ କ୍ଷୀପ୍ରଗତିରେ ଆଗେଇ ଚାଲିଥିଲାବେଳେ, ବେଦାନ୍ତର ପ୍ରସ୍ତାବିତ ପ୍ରକଳ୍ପକୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଆଇନ ଅନୁଯାୟୀ ବାଧ୍ୟତାମୂଳକ ଜଙ୍ଗଲ ମଞ୍ଜୁରୀ ଦିଆଯାଇ ନାହିଁ ।
ପାଠକେ, ତିଜମାଳିର ଲଢ଼େଇ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । କର୍ପୋରେଟ ପୁଞ୍ଜିବିରୋଧୀ ତଥା ପରିବେଶ ଓ ପରିବେଷ୍ଟନୀର ସୁରକ୍ଷା ପାଇଁ ଲଢ଼େଇ କେବଳ ପ୍ରଭାବିତ କ୍ଷେତ୍ରର ଲୋକମାନଙ୍କର ନୁହେଁ; ଏହା ଆମ ସମସ୍ତଙ୍କର । ଏହା ସମଗ୍ର ଜୀବଜଗତର ସୁରକ୍ଷା ପାଇଁ ବି ଲଢ଼େଇ । ଆସନ୍ତୁ ଆମେ ସମସ୍ତେ ହାତ ବଢ଼େଇବା ।
ଆମେ କଣ ଭୁଲିଯାଇଛୁ ଯେ
ନିବୁଜ ବନାନୀ, ପାହାଡ଼ର ସପାଟ ଶିଖର
କଳକଳ ଝରଣା, ବିଜନ ମରୁପ୍ରାନ୍ତର
ଖଣ୍ଡେ ଖଣ୍ଡେ ଭୂଗୋଳ ନୁହେଁ
ବରଂ ଆତ୍ମାର ଏକ ପଟ୍ଟଚିତ୍ର
ଯେଉଁଠି ପ୍ରତିଟି ଗଛ, ପ୍ରତିଟି ପକ୍ଷୀ ଓ ବଣ୍ୟପ୍ରାଣୀ
ଜଣେ ଜଣେ ଆତ୍ମାର ବିନ୍ଧାଣୀ?
(ଡ. ଇଆନ୍ ମେକ୍କଲମ୍, ୱାଇଲର୍ଡନେସ୍)
ପ୍ରସ୍ତୁତି : ରଞ୍ଜନା ପାଢ଼ୀ ଓ ରାଣ୍ଡେଲ୍ ସିକ୍ୱେରା
ତାରିଖ: ୨୯ ଜୁନ ୨୦୨୫
ଯୋଗାଯୋଗ : formountainsandforests@gmail.com
Comments
0 comments