ରାଜ୍ୟରେ ଛାତ୍ର ଆନ୍ଦୋଳନର ଅନ୍ୟତମ ବିନ୍ଧାଣୀ ବାମପନ୍ଥୀ ତଥା କୃଷକ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ତଥା ଛତ୍ରପୁର ବିଧାନସଭା ଆସନରୁ ୨ଥର ନିର୍ବାଚିତ ହୋଇ ଆସିଥିବା ପୂର୍ବତନ ବିଧାୟକ ସାଥି ବିଶ୍ୱନାଥ ସାହୁଙ୍କ ଜୁଲାଇ ୧୨ ତାରିଖରେ ହେଉଛି ଜନ୍ମ ଶତବାର୍ଷିକୀ । ରାଜନୈତିକ ଆଦର୍ଶ ତଥା ବିଚାର ଦୃଷ୍ଟିରୁ ସେ ନିଶ୍ଚିତ ଭାବେ ଜଣେ ନିଷ୍ଠାପର ବାମପନ୍ଥୀ ଥିଲେ । କିନ୍ତୁ ତାଙ୍କର ହୃଦୟ ଏତେ ବିଶାଳ ଥିଲା ଯେ ସଂକୀର୍ଣ୍ଣ ହେବା ପାଇଁ ସୁଯୋଗ ପାଇନଥିଲେ । ମନଟି ତାଙ୍କର ସଦା ଚଳଚଞ୍ଚଳ ରହୁଥିଲା । ହସଟି ଥିଲା ଆତ୍ମୀୟତାର ହସ, ସମସ୍ତଙ୍କୁ ଆପଣେଇ ନେବାର ହସ । ନିଜେ ବଂଚିଥିବା ୯୧ବର୍ଷ ମଧ୍ୟରେ ସାମ୍ନାରେ ଥିବା ୧୯ବର୍ଷର ଯୁବକକୁ ପ୍ରଶ୍ନଟି ଆସୁଥିଲା, କେମିତି ଅଛରେ’, କ’ଣ ଭଲ ଅଛ? ଅର୍ଥାତ୍ ଏ ପ୍ରଶ୍ନ ତାଙ୍କୁ କିଏ ପଚାରୁ ଯେ ‘ଆପଣ କେମିତି ଅଛନ୍ତି’, ସେ ଅବସର ସେ କାହାକୁ ଦେଉ ନଥିଲେ । ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଲୋକଙ୍କ ଅଭାବ, ଅସୁବିଧା, ଆବଶ୍ୟକତା ଇତ୍ୟାଦି ବହୁଗୁଣ ବଢ଼ିଯିବ ସେ ଜାଣିଥିଲେ । ସେଥିପାଇଁ ଯେଉଁ ସମୟରେ ଯିଏ ଯାହା ତାଙ୍କ ମାଧ୍ୟମରେ କରିବା ପାଇଁ ଚାହୁଁଥିଲେ ସେ ପଛାଉ ନଥିଲେ । ୯୦ବର୍ଷ ବୟସ ଯାଏଁ ବି ସେ ଗାଁଲୋକଙ୍କ ସମସ୍ୟା/ସ୍କୁଲ ସମସ୍ୟା ଓ ବିବିଧ ସମସ୍ୟା ନେଇ ଏକା ଏକା ସଚିବାଳୟ ଯାଇ ମନ୍ତ୍ରୀ ଓ ଅମଲାଙ୍କ ନିକଟରେ ପହଞ୍ଚି ଯାଉଥିଲେ । କାମରେ ସଫଳ ହେବା ଯାଏଁ ତାଙ୍କ ଉଦ୍ୟମରେ ଅଧାରୁ ଅବ୍ୟାହତ ନେଉନଥିଲେ । ରାଜନୈତିକ ଆଦର୍ଶବାଦ ମଣିଷର ବୁଝାମଣାକୁ ସ୍ପଷ୍ଟ କରିବା ପରିବର୍ତ୍ତେ ଏଥିରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଭୟଙ୍କର ଭାବେ ସଂକୀର୍ଣ୍ଣ କରିଚାଲିଥିବା ବେଳେ ବିଶ୍ୱନାଥବାବୁ ଥିଲେ ଏକ ବ୍ୟତିକ୍ରମ । ସମାଜବାଦ ସମ୍ଭବ କି ନୁହେଁ ବା କୃଷକ ଆନ୍ଦୋଳନ କେତେଦୂର କୃଷକକୁ ନ୍ୟାୟ ଦେଇପାରିବ; ଏଭଳି ପ୍ରଶ୍ନକୁ ସେ ମନଭିତରକୁ ନ ଆଣି ତାଙ୍କଦ୍ୱାରା ଯେତିକି କାମ ସମ୍ଭବ ହେଇପାରିବ ତାହା କରି ଚାଲିଥିଲେ । ଏମିତିରେ ତ ମୁଖ୍ୟସ୍ରୋତର ବାମପନ୍ଥୀ ଆନ୍ଦୋଳନ ଭିତରେ ସଙ୍ଗଠିତ କ୍ଷେତ୍ରର ଶ୍ରମିକ ସଙ୍ଗଠନମାନେ ଗେହ୍ଲାପୁଅ ଏବଂ କୃଷକ ସଙ୍ଗଠନଗୁଡ଼ିକ ଅଲୋଡ଼ା, ଅଖୋଜା ରହିଆସିଛନ୍ତି । ତଥାପି ଏଭଳି ଏକ ପରିସ୍ଥିତିକୁ ଭୃକ୍ଷେପ ନକରି ବିଶ୍ୱନାଥ ବାବୁ ଭାଗଚାଷୀର ଅଧିକାର ପାଇଁ ଆରମ୍ଭରୁ ହିଁ ଉଦ୍ୟମ ଅବ୍ୟାହତ ରଖିଆସିଥିଲେ ।
କୃଷକ ସଙ୍ଗଠନକୁ ମଜବୁତ୍ କରିବା ପାଇଁ ସେ ଜିଲ୍ଲାକୁ ଜିଲ୍ଲା ବସ୍ରେ ବସି ବୁଲୁଥିଲେ । କୌଣସି ସର୍ବଭାରତୀୟ ସ୍ତରର କୃଷକସଭା ବୈଠକକୁ ନଯାଇ ରହିପାରୁନଥିଲେ । ଶିକ୍ଷାକ୍ଷେତ୍ରରେ ତାଙ୍କର ଅବଦାନ ଛତ୍ରପୁର/ ରମ୍ଭା ଅଞ୍ଚଳରେ ଯେକୌଣସି ଜଣାଶୁଣା ଲୋକଙ୍କୁ ପଚାରିଲେ ସେ ଆପଣଙ୍କୁ କହି ଚାଲିଥିବେ । ସ୍କୁଲ-କଲେଜ ଖୋଲିବା ପାଇଁ ଯେତେବେଳେ ଅଗ୍ରସର ହେଉଥିଲେ, ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କୁ ସହଯୋଗ ମାଗୁଥିଲେ । ଖୋର୍ଦ୍ଧାର ପ୍ରାଣନାଥ ମହାବିଦ୍ୟାଳୟ ପ୍ରତିଷ୍ଠାବେଳେ ପ୍ରଥମ ଅବଦାନ ତାଙ୍କରି ମାଧ୍ୟମରେ ସଂଗୃହୀତ ହୋଇଥିଲା ।
ପାଣି ପଞ୍ଚାୟତକୁ ନେଇ ଯେତେବେଳେ ରାଜେନ୍ଦ୍ର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ଅଭିଯାନ ଚାଲିଥିଲା, ଦିଗପହଣ୍ଡି ବ୍ଲକ୍ର ଏକ କୃଷକ ସଭାର ଅନ୍ୟତମ ଆୟୋଜକ ଥିଲେ ବିଶ୍ୱନାଥ ବାବୁ । ମତପାର୍ଥକ୍ୟ ସତ୍ତ୍ୱେ ସେ କୃଷକମାନଙ୍କ ପାଇଁ କାମକରିବା କ୍ଷେତ୍ରରେ ପ୍ରତିବନ୍ଧକ ହିସାବରେ ଛିଡ଼ାହେବା ପାଇଁ ଦେଇନାହାନ୍ତି । ଯେଉଁସବୁ କଷ୍ଟ ସ୍ୱୀକାର କରି ସେ ଛାତ୍ରସଂଘର ନେତୃତ୍ୱ ନେଇଥିଲେ, ତାହାର ଅନେକ ଉଦାହରଣ ତାଙ୍କ ସହ ଆଲୋଚନା ବେଳେ ମୁଁ ଜାଣିବାକୁ ପାଇଥିଲି । ଛାତ୍ରସଂଘ ସେତେବେଳେ ଜାତୀୟ ସମସ୍ୟାଗୁଡ଼ିକ ଉପରେ ସ୍ପଷ୍ଟ ମତ ରଖୁଥିଲା ଓ ଆନ୍ଦୋଳନରେ ମଧ୍ୟ ନେତୃତ୍ୱ ନେଉଥିଲା । ସ୍କୁଲରେ ପାଠ ପଢ଼ିବାବେଳେ ବି ସେ ଦୁର୍ଭିକ୍ଷ ପ୍ରପୀଡ଼ିତ ସହାନୁଭୂତି କରାଇ ଏବଂ ସେମାନଙ୍କ ସାହାଯ୍ୟ କରିବା ଉଦେଶ୍ୟରେ ଗୋଟିଏ ବେଳା ଖାଇ ଅନ୍ୟ ବେଳା ଖାଦ୍ୟ ସେହି ହା-ଅନ୍ନ ଚିକ୍ରାର କରୁଥିବା ଲୋକମାନଙ୍କୁ ଦେବାପାଇଁ ନିଜ ସହପାଠୀମାନଙ୍କୁ ସଙ୍ଗଠିତ କରିଥିଲେ ।
୧୯୯୪-୯୫ ମସିହାର କଥା । ଗୋପାଳପୁର ଟାଟାବିରୋଧୀ ଆନେ୍ଦାଳନ ବେଳେ, ନାରାୟଣ ରେଡ୍ଡୀଙ୍କ ଡାକରା ଓ ପ୍ରଫୁଲ୍ଲ ସାମନ୍ତରାଙ୍କ ଆହ୍ୱାନକ୍ରମେ ପ୍ରଦୁ୍ୟମ୍ନ ବଳ, ମନମୋହନ ଚୌଧୁରୀ, ଗଙ୍ଗାଧର ପାଣିଗ୍ରାହୀ, ଗୁରୁ ମହାନ୍ତି ଓ ବୀରେନ୍ଦ୍ର ନାୟକ, ପ୍ରଶାନ୍ତ ପଣ୍ଡା, ବିଶ୍ୱପ୍ରିୟ କାନୁନଗୋ ଇତ୍ୟାଦିଙ୍କ ସହ ମତେ ଯିବାକୁ ସୁଯୋଗ ମିଳିଥିଲା । ଆଉ କିଛି ଥର ପ୍ରଦୁମ୍ନ ବଳ ଓ ବୀରେନ୍ଦ୍ର ନାୟକଙ୍କ ସହ ମୁଁ ସେ ଅଞ୍ଚଳକୁ ଗସ୍ତରେ ଯାଇଥିଲି । ସେତେବେଳେ ବିଶ୍ୱନାଥ ବାବୁଙ୍କ ସଂସ୍ପର୍ଶରେ ମୁଁ ଆସିଥିଲି, ଆଲୋଚନା କରିଥିଲି ଏବଂ ପ୍ରେରଣା ବି ପାଇଥିଲି । ସେ କାହାରିକୁ ଅପେକ୍ଷା ନକରି ସବୁବେଳେ ଠିକଣା ଯାଗାରେ ଆସି ପହଞ୍ଚି ଯାଉଥିଲେ ।
କୃଷିସମସ୍ୟା ଉପରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଗୁଡ଼ିକରେ ଏକାଠି ହେବାର ସୁଯୋଗ ମଧ୍ୟ ମିଳିଥିଲା । ‘ସମଦୃଷ୍ଟି’କୁ ଦୀର୍ଘାୟୁ କରିବା ପାଇଁ ସବୁବେଳେ ତାଙ୍କର ପ୍ରେରଣା ଥାଏ ।
ସେ ଜଣେ ନିଆରା ବାମପନ୍ଥୀ ଯେ ଆମର ସ୍ପଷ୍ଟ ଭିନ୍ନମତଗୁଡ଼ିକୁ ସମ୍ମାନ ଦେଉଥିଲେ ଏବଂ କେବେ ବି ପ୍ରଭାବିତ କରିବାପାଇଁ ଚେଷ୍ଟା କରୁନଥିଲେ । ସାରାଜୀବନ ଲୋକଙ୍କ ପାଇଁ ବିଶ୍ୱନାଥ ପରିବାର କାମ କରି ଓ ତ୍ୟାଗପୂତ ଜୀବନ ଅବଲମ୍ବନ କରି, ଶ୍ରୀ ତୁଷାରକାନ୍ତଙ୍କ ଭାଷାରେ ୮୦ଏକର ଜମି ମାଲିକରୁ ମାତ୍ର ୨ଏକର ଜମିକୁ ଖସି ଆସିଥିଲେ । ତଥାପି ନିଜ ଏମ୍.ଏଲ୍.ଏ. ପେନ୍ସନ୍ ପାଣ୍ଠିରୁ ନିଜ ଦଳ ଭାରତୀୟ କମୁ୍ୟନିଷ୍ଟ ପାର୍ଟିକୁ ମାସିକ ଲେଭି ଦେଉଥିଲେ । ଅନେକ ଅସୁବିଧା ସତ୍ତ୍ୱେ ‘ସମଦୃଷ୍ଟି’କୁ ମଧ୍ୟ କିଛି ସେହି ପେନସନ ପଇସାରୁ ଦାନ କରିଥିଲେ । ସେହି ଅର୍ଥରେ ଦିନେ ‘ଗ୍ରାମୀଣ ସମଦୃଷ୍ଟି’ ଆତ୍ମପ୍ରକାଶ କରିଥିଲା ।
ଜୀବନର ଶେଷ କିଛିମାସ ଓ କିଛି ଦିନ ସେ ଭୁବନେଶ୍ୱରର ନାବାର୍ଡ଼ କଲୋନୀସ୍ଥିତ ନିଜ ଝିଅ ରୀନା, ଜ୍ୱାଇଁ ଶଶାଙ୍କ ବାବୁ, ନାତି ଓ ନାତୁଣୀଙ୍କ ଗହଣରେ ଯତ୍ନର ସହ କଟାଇଥିଲେ । ମନଟା ସବୁବେଳେ ଗାଁ’ରେ ଥିଲେ ବି ପୁଅ ଓ ଝିଅଙ୍କର ସେବା ଓ ଯତ୍ନ ଭିତରେ ସେ ଗାଁ’ର ନ ରହିବାର କଷ୍ଟଟିକୁ ଭୁଲିଯାଉଥିଲେ । ଡାକ୍ତରମାନଙ୍କ ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ଅନେକ କଷ୍ଟ ପାଉଥିଲେ ବି, ସେ ତାକୁ ଗୁରୁତ୍ୱ ଦେଉନଥିଲେ । ଅନେକ ଆପୋଷ ଆଲୋଚନା ଭିତରେ ଯେଉଁ ଅନୁଭୂତିର କାହାଣୀ ସବୁ ସେ କହିଥିଲେ ତାକୁ ନେଇ ଏକ ଭିଡ଼ିଓ ସାକ୍ଷାତକାର ପ୍ରସ୍ତୁତ କରିବା ପାଇଁ ମୁଁ ମନ ବଳାଇଥିଲି । ସେ କହିଥିଲେ ଟିକିଏ ଭଲ ଲାଗିଲେ ସାକ୍ଷାତକାରଟିକୁ ରେକର୍ଡ଼ କରିବା । କିନ୍ତୁ ତାହା ହୋଇପାରିଲା ନାହିଁ ।
ବିଶ୍ୱନାଥ ବାବୁଙ୍କ ଅବର୍ତ୍ତମାନରେ ତାଙ୍କ ସ୍ମୃତିରେ ଆମେ କେତୋଟି କାମ କରିବୁ ନିଶ୍ଚୟ । ଯେଉଁ ‘ଗ୍ରାମୀଣ ସମଦୃଷ୍ଟି’ର ଆତ୍ମପ୍ରକାଶ ପାଇଁ ତାଙ୍କର ଆର୍ଥିକ ସହଯୋଗ କାମରେ ଲାଗିଥିଲୁ । ବିଶ୍ୱନାଥ ବାବୁଙ୍କୁ ଜାଣିବା ଓ ବଝିବା ପାଇଁ ଯେଉଁ ପାଠକମାନେ ସୁଯୋଗ ପାଇନଥିବେ, ଆସନ୍ତା ସଂଖ୍ୟାମାନଙ୍କରେ ତାାଙ୍କର ବିଧାନସଭାର ଭାଷଣଗୁଡ଼ିକୁ ସ୍ଥାନିତ କରାଯିବ । ପୁଣିଥରେ ଓଡ଼ିଶା ମାଟିର ଏହି ସୁଯୋଗ୍ୟ, ଦରଦୀ, ବିଚାରଶୀଳ ତଥା ମଣିଷକୁ ଭଲପାଉଥିବା ମହାନ୍ ହୃଦୟର ମଣିଷଙ୍କ ସ୍ମୃତିରେ ‘ସମଦୃଷ୍ଟି ପରିବାର’ ତରଫରୁ ତାଙ୍କରି ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।
Comments
0 comments