ଏ ପକ୍ଷର ଖବର

44 Views
11 Min Read

ମନ୍ତ୍ରୀପଦ ଭର୍ତ୍ତି ହେବ!

ପାଠକେ! ରାଜ୍ୟରେ ତଥା ଦେଶରେ ଗୋଟେ ଭାରୀ ହଲ୍ଲାଗୁଲ୍ଲା ଚାଲିଛି ଯେ ଏଗାର ବର୍ଷତଳେ କେନ୍ଦ୍ରରେ ଓ ବର୍ଷକ ତଳେ ରାଜ୍ୟରେ ବିଜେପି ଦଳ ପକ୍ଷରୁ ଭାରତର ବେକାରମାନଙ୍କୁ କୋଟି କୋଟି ସଂଖ୍ୟାରେ ସରକାରୀ ଚାକିରୀ ଦିଆଯିବ ଓ ଖାଲି ପଡ଼ିଥିବା ସରକାରୀ ପଦ ସବୁକୁ ପୂରଣ କରାଯିବ ବୋଲି ଯେଉଁ ପ୍ରତିଶୃତି ଦିଆଯାଇଥିଲା ତାହା ପୂରଣ ହେଉ ନାହିଁ । ରାଜ୍ୟ ବିଜେପି ତ ଡହରାମୀର ସବୁ ସୀମାକୁ ଟପି ଘୋଷଣା କରିଦେଲା ଯେ ପ୍ରତି ପଂଚାୟତରେ ହଜାରେ ଲେଖା ଚାକିରୀ ମିଳିବ । ହେଲେ ସେସବୁ କିଛି ହେଲା ନାହିଁ । ତେଣୁ ଲୋକେ ଚିକ୍ରାର କରୁଛନ୍ତି । ତାକୁ ଦେଖି ବିଜେପି ପକ୍ଷରୁ ବୋଧେ ନିଷ୍ପତ୍ତି ହେଲାଣି ଯେ ମନ୍ତ୍ରୀମଣ୍ଡଳରେ ବର୍ଷେ ହେଲା ଖାଲିଥିବା ପଦଗୁଡ଼ିକୁ ପୂରଣକରି ଦେଖେଇ ଦିଆଯିବ ଯେ ବିଜେପି ଯାହା କହେ, ତାହା କରେ ।
ଗତ ସପ୍ତାହରେ ବିଜେପିର ମୋହନ ଚରଣ ମାଝିଙ୍କ ସରକାର ବର୍ଷଟିଏ ପୂରଣ କଲା । ଲୋକଙ୍କର ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଇ ପ୍ରବଳ ବିଜ୍ଞାପନ ଛପା, ବଡ଼ ବଡ଼ ସଭା ସମିତି, ଭୋଜିଭାତ ଆଦି ହେଲା । ହେଲେ ଏହି ସବୁ କାର୍ଯ୍ୟକ୍ରମକୁ ଆସିଥିବା ଳୋକମାନଙ୍କ ମଧ୍ୟରୁ କେତେକ ଗୋଟିଏ ବିଚିତ୍ର କଥା କହୁଥିଲେ ଯେ -‘ସରକାରଟା ଚାଲୁନି ।’ ଅର୍ଥାତ୍ ସରକାର ବର୍ଷକ ଭିତରେ କ’ଣଟା ଆଖିଦୃଶିଆ କରି ପକାଇଛି ଯେ ତାକୁ ଚାଲୁଛି ବୋଲି କୁହାଯିବ? କେବଳ ଧାନ ଦର ବଢ଼ିବା ଆଉ ସୁଭଦ୍ରା ଟଙ୍କା କିଛି ମିଳିଛି ବୋଲି ଲୋକଙ୍କୁ ଧରି ରଖି ହୋଇଛି ନହେଲେ… ।
ଆଉ କିଛି ବିଜେପି ଲୋକଙ୍କୁ ଏ ବିଷୟରେ ପଚରାଯିବାରେ ଯାହା ଜଣାପଡ଼ିଲା ସେମାନଙ୍କ ମତରେ ଏଯାଏ ମନ୍ତ୍ରୀମଣ୍ଡଳଟା ଠିକ ହୋଇନାହିଁ । ସରକାର ଚାଲିବ କେମିତି? ସେମାନଙ୍କ ମତରେ ରାଜ୍ୟରେ ଛଅଟି ମନ୍ତ୍ରୀପଦ ଖାଲି ପଡ଼ିଛି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଛଅ ଛଅଟି ପ୍ରମୁଖ ବିଭାଗ ରହିଛି । ସେଗୁଡ଼ିକ ହେଉଛି ଅର୍ଥ, ସାଧାରଣ ପ୍ରଶାସନ, ଗୃହ, ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ଏବଂ ଯୋଜନା ଓ ସମନ୍ୱୟ । ମୁଖ୍ୟମନ୍ତ୍ରୀ କାହା କଥା ବୁଝିବେ? ସରକାରକୁ ବର୍ଷେ ପୁରିବା ପରେ ସମ୍ପ୍ରତି ମୁଖ୍ୟମନ୍ତ୍ରୀ ଗୋଟିଏ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଖୁବ ଶୀଘ୍ର ଖାଲି ପଡ଼ିଥିବା ଛଅଟି ମନ୍ତ୍ରୀପଦ ପୂରଣ କରି ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସରିଗଲାଣି । କେବେ ହେ. ଜଣାପଡ଼ିନି ।
କଥାଟା ଶୁଣିବା ପରେ ବିଜେପି ଦଳରେ ଖୁବ ଜୋରରେ ହଇଚଇ ଆରମ୍ଭ ହୋଇଛି ଯେ କିଏ ମନ୍ତ୍ରୀ ହେବ । କେତେକ ସବଜାନତା କହିଲେଣି ଯେ ମନ୍ତ୍ରୀମଣ୍ଡଳରେ କେବଳ ଛଅଜଣ ନୂଆମନ୍ତ୍ରୀ ସାମିଲ ହେବେ ବୋଲି ନୁହେଁ । ପୁରୁଣା ମନ୍ତ୍ରୀମାନଙ୍କର ବିଭାଗରେ ମଧ୍ୟ ଅଦଳବଦଳ ହୋଇପାରେ । କେତେଟା ମାଲଦାର ବିଭାଗରେ ରହି ସବୁ ମଲେଇ ଖାଇଗଲେଣି । କାର୍ଯ୍ୟକର୍ତ୍ତାମାନେ କିଛି ନୂଆମୁହଁଙ୍କ ନାଅାଁ ମଧ୍ୟ ତାଙ୍କ ସୁବିଧା ଅନୁସାରେ କହିବାରେ ଲାଗିଛନ୍ତି ।
ସେମାନେ ସବୁ ହେଉଛନ୍ତି ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ବରଗଡରୁ ଇରାସିସ ଆଚାର୍ଯ୍ୟ । ବାଲେଶ୍ୱରରୁ ସନାତନ ବିଜୁଳି ନହେଲେ ମାନସ ଦତ୍ତ, ଯାଜପୁରରୁ ଅମର ନାୟକ, ପୁରୀରୁ ଆଶ୍ରିତ ପଟ୍ଟନାୟକ(ପିପିଲି) । ସୁନ୍ଦରଗଡ଼ରୁ ମନ୍ତ୍ରୀମଣ୍ଡଳରେ କେହି ସ୍ଥାନ ପାଇନାହାନ୍ତି । ଆହୁରି ଅନେକ ଜିଲ୍ଲା ଅଛନ୍ତି ଯାହାର କେହି ପ୍ରତିନିଧି ମନ୍ତ୍ରୀମଣ୍ଡଳରେ ନାହାନ୍ତି । ଗୋଟିଏ ପଟେ ଏକଥାକୁ ନେଇ ଜୋରଦାର ଆଲୋଚନା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ କହିଲେଣି ଯେ ସରକାର ତାଙ୍କର ଦ୍ୱିତୀୟବର୍ଷରେ ରାଜ୍ୟ ପ୍ରଶାସନକୁ ଗତିଦେବା ସହିତ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବେ । ବିଜେପି ଲୋକମାନେ କିନ୍ତୁ ଖୁସି ଯେ ଯାହାହେଉ କିଛି ଲୋକଙ୍କୁ ତ ଚାକିରୀ (ପଦ) ମିଳିଲା । ଅନ୍ୟମାନଙ୍କର ବି ହୋଇଯିବ । ଆହୁରି ଚାରିବର୍ଷ ସମୟ ଅଛି ନା ।

ପ୍ରତିଭାସମ୍ପନ୍ନମାନେ କରିବେ କ’ଣ?

ଆମର ଜଣେ ଜଣେ ଓଡ଼ିଆ କବି ଲେଖିଥିଲେ- “ଯନ୍ତ୍ର ତତେ କି ମନ୍ତ୍ର କରିଛି ମାଟିର ମଣିଷ ଆରେ”? ଏବେ ଯେଉଁ ପ୍ରକାରରେ କୃତି୍ରମ ମେଧା, ଚାଟ ଜିପିଟିକୁ ବିଭିନ୍ନ ସଂସ୍ଥାର ମାଲିକମାନେ କାମରେ ଲଗାଇଲେଣି ସେଥିରେ ଯେଉଁମାନଙ୍କ ନିକଟରେ କିଛି ପ୍ରତିଭା ଅଛି, ସେମାନେ ଆଉ ସେଥିରୁ ପେଟ ପୋଷି ନପାରି ଭିକ୍ଷାମାଗିବା ଆଡ଼କୁ ଆଗେଇବେ । ଗଲାବେଳେ ନିଶ୍ଚିତ ଏଇ କବିତାଟିକୁ ଦୋହରାଇବେ ।
ଏଇ ସାମ୍ବାଦିକ ସାମ୍ବାଦିକତାରୁ ନିଜ ପରିବାର ପାଇଁ କିଛି ରୋଜଗାର କରୁଥିଲା । କରୋନା ପରେ ତାହା ବନ୍ଦ ହୋଇଗଲା । ତେଣୁ ସଂସାର ପାଳନ ପାଇଁ ନିଜର ଅନ୍ୟାନ୍ୟ ପ୍ରତିଭାଗୁଡ଼ିକ ଉପରେ ଭରସା କରିବାକୁ ହେଲା । ଯେଉଁଥିରୁ ଗୋଟିଏ ଥିଲା ଅନୁବାଦ ବା ଭାଷାନ୍ତର । ଏବେ ଜଣେ ମହିଳା ଗୋଟିଏ ପୁରା ବହି ଓଡ଼ିଆରେ ଅନୁବାଦ କରିବାକୁ କହି ପଚାରିଲେ କରି ପାରିବେ? ଆମେ ବହିଟି ପଢ଼ି କରିଦେବୁ ବୋଲି କହିବା ପରେ ସିଏ ପଚାରିଲେ କେତେ ପଇସା କ’ଣ ଦେବାକୁ ପଡ଼ିବ? ଆମେ କହିଲୁ ଦେଖିକିରି ଯାହା ଦେବେ । ସେମିତି କିଛି ଧରାବନ୍ଧା ନାହିଁ । ଟିକିଏ ସମୟ ଦେବେ କାରଣ ହାଡଫୁଟି ଯୋଗୁ ଗୁଡାଏ କାମ ରହିଗଲାଣି ତ । ମହିଳା ଜଣକ ସେହିଦିନ ସନ୍ଧ୍ୟାବେଳେ ଫୋନ କରି କହିଲେ -ନାଇଁ ଆଜ୍ଞା । ମୋ ଝିଅ କହୁଛି ଏଇଟାକୁ ଗୁଗୁଲୁୁରେ ପକାଇ ଦି ତିନି ଘଣ୍ଟା ଭିତରେ ଓଡ଼ିଆ କରିଦବ । ମନେ ମନେ ଭାବିଥିଲି ତାହାହେଲେ ଆମେ ଆଉ କ’ଣ କରିବୁ? କଥା କେବଳ ଆମଭଳି ଛୋଟ ସ୍ତରରେ ନାହିଁ । ବଡ଼ସ୍ତରରେ ଯେଉଁଠାରେ ଗୁଣ ଉପରେ ଧ୍ୟାନ ଦିଆଯାଇ ଖୁବ ଭଲ ପ୍ରାରିଶ୍ରମିକ ଦିଆଯାଏ ସେଠାରେ ଏହା ଆହୁରି ସମସ୍ୟା ସୃଷ୍ଟି କଲାଣି । ଲୋକଙ୍କର ବଡ଼ ବଡ଼ ଚାକିରୀ ସବୁୁ ଚାଲିଯାଉଛି । ପୋଲାଣ୍ଡର ଜଣେ ସାମ୍ବାଦିକା ମାଟେଉଜ୍ ଡେମସ୍କୀ ସିନେମା ଉପରେ ସୁନ୍ଦରଭାବେ ଲେଖିଥାଆନ୍ତି । ସେ ବିଭିନ୍ନ ଚ୍ୟାନେଲ ଯେପରିକି ଛାପା ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ଭିଡ଼ିଓ, ରେଡିଓ ଆଦିରେ କେବଳ ନୁହେଁ, ତା ବାହାରେ ଅନେକ ଖବର ଓ ସାକ୍ଷାତକାର ପ୍ରକାଶ କରନ୍ତି । ୨୦୨୨ରେ ସିଏ ଋଷ ୟୁକ୍ରେନ ଯୁଦ୍ଧର ଘନଘଟା ବେଳେ ମଧ୍ୟ ଯୁଦ୍ଧକ୍ଷେତ୍ରରୁ ଗୋଟିଏ ଭିଡ଼ିଓ ପ୍ରସ୍ତୁତ କଲେ ଯେଉଁଥିରେ ଦୁଇ ଯୁଦ୍ଧରତ ରାଷ୍ଟ୍ରର ବହୁ ବଡ଼ବଡ଼ ନେତାଙ୍କର ବଙ୍କର ଭିତରୁ ଦେଇଥିବା ସାକ୍ଷାତକାର ଥିଲା । ଯିଏ ଦେଖିଥିଲା ସିଏ ଚମକ୍ରୃତ ହୋଇଥିଲା । ଗତବର୍ଷ ତାଙ୍କୁ ଏବଂ ତାଙ୍କର ୧୦ଜଣ ସହକର୍ମୀଙ୍କୁ ଚାକିରୀରୁ ବାହାର କରିଦିଆଗଲା । ସିଏ ଗୋଟିଏ ରେଡ଼ିଓ ସଂସ୍ଥାରେ କାମ କରୁଥିଲେ । ତାଙ୍କୁ କୁହାଗଲା ସଂସ୍ଥାର ଆର୍ଥିକ ସମସ୍ୟା ବହୁତ ଖରାପ ହୋଇଗଲା । ତେଣୁ ସିଏ ୧୧ଜଣ ମଣିଷ ବଦଳରେ ତିନୋଟି ଏଆଇ କିଣିବେ । ଯାହାଙ୍କ ପାଇଁ ରିକରିଙ୍ଗ ଖର୍ଚ୍ଚ କରିବାକୁ ପଡ଼ିବନି । ମଣିଷ ଜାଗାରେ ଯେଉଁ ଏଆଇ ବା ମେସିନ ଆସିଲେ ସେମାନେ କୌଣସି ନୂଆଲୋକଙ୍କର ସାକ୍ଷାତକାରଟିଏ ନେଇ ପାରିଲେନି । ଜଣେ କବି ଯିଏ ବାରବର୍ଷତଳୁ ମରି ଯାଇ ସାରିଥିଲେ ତାଙ୍କରି ସାକ୍ଷାତକାର ନେଲେ । ଆଉ ଜଣେ ଏଆଇ ଗୋଟିଏ କାର୍ଯ୍ୟକ୍ରମ ପ୍ରସ୍ତୁତ କଲା ଯାହା ବହୁ ବର୍ଷତଳେ ଜଣେ ଜୀବନ୍ତ ମଣିଷ ଦ୍ୱାରା ସେହି ସଂସ୍ଥାପାଇଁ ପ୍ରସ୍ତୁତ କରାଯାଇ ପ୍ରଦର୍ଶନ କରାଯାଇଥିଲା । ଲୋକେ ଏହିପରି କେତୋଟି କାର୍ଯ୍ୟକ୍ରମକୁ ଦେଖି କେବଳ ବିରକ୍ତି ପ୍ରକାଶ କରିନାହାନ୍ତି, ଯଦି ପଇସା ନାହିଁ ତେବେ ସଂସ୍ଥାକୁ ବନ୍ଦ କରିଦେବା ପାଇଁ କହିଲେଣି । ତେବେ ଏଆଇର କାର୍ଯ୍ୟାବଳୀ, ଗୁଣ ଓ ଦୁର୍ଗୁଣ ଉପରେ ନଜର ରଖିଥିବା କିଛି ବିଶେଷଜ୍ଞ ଏହା ଉପରେ ନିଜ ମନ୍ତବ୍ୟ ରଖି କହୁଛନ୍ତି ଯେ ଏଆଇ ପାଖରେ ସେ ସମସ୍ତ ଗୁଣ ନରହିବା ସ୍ୱାଭାବିକ, ଯାହା ଜଣେ ମଣିଷ ସମ୍ବାଦିକ ବା ସାମ୍ବାଦିକା ପାଖରେ ଥଏ । ଯେମିତିକି ଅନୁଭୂତି, ଅନୁଭବ, ସମ୍ପର୍କ, ଆବଶ୍ୟକୀୟ ବ୍ୟାବହାରିକ ଜ୍ଞାନ ଇତ୍ୟାଦି । ଏଆଇର କିଛି ବିଶେଷତ୍ୱ ଅଛି ସିଏ କିନ୍ତୁ ମଣିଷକୁ ପୁରା ବିସ୍ଥାପିତ କରିଦେଇ ପାରିବନି ।

ଏସ୍.ସି. ବିଧାୟକ ଓ ସାଂସଦମାନେ ଗଲେ କୁଆଡ଼େ?

ପାଠକେ! ଟିକେ ସୁଧାରି ଦେବେ । ଆମ ବିଧାନସଭାରେ ଯେଉଁ ୧୪୭ ବିଧାୟକ ଆସନ ଅଛି, ସେଥିରୁ ୨୪ଟି ଆସନ ଅନୁସୂଚିତ ଜାତି ବା ଏସ୍.ସିମାନଙ୍କ ପାଇଁ ସଂରକ୍ଷିତ । ସେହିପରି ଲୋକସଭାର ଚାରୋଟି ସ୍ଥାନ ମଧ୍ୟ ଏସ୍.ସିମାନଙ୍କ ପାଇଁ ସଂରକ୍ଷିତ । ଗତ ନିର୍ବାଚନରେ ଏହି ସବୁ ସଂରକ୍ଷିତ ଆସନରେ ଅନୁସୂଚିତ ଜାତିର ଲୋକମାନେ ବିଭିନ୍ନ ଦଳରୁ ଜିତିକି ଆସି ବିଧାନସଭାର ଶୋଭା ବର୍ଦ୍ଧନ କରିଛନ୍ତି ।
ଆମରାଜ୍ୟରେ ଏସସି ଲୋକଙ୍କ ସଂଖ୍ୟା ପାଖାପାଖି ୭୧ ଲକ୍ଷ ୮୮ ହଜାର ୪୬୩ ହେବେ । ସେମାନେ ସବୁ ପ୍ରାୟ ୯୩ଟି ଜାତିର ଲୋକ ହେବେ । ଦେଖାଯାଉଛି ଗତ ଏକବର୍ଷ ମଧ୍ୟରେ ଏଇ ଏସସିମାନଙ୍କ ଉପରେ ବିଭିନ୍ନ କାରଣରୁ ସେମାନେ ରହୁଥିବା ଗାଁ ବା ଆଖପାଖର ଲୋକମାନଙ୍କ ପକ୍ଷରୁ ଆକ୍ରମଣ ହେଉଛି । ସେଥିରୁ କେତୋଟି ଘଟଣାସ୍ଥଳରେ ଏହି ସାମ୍ବାଦିକ ଅନ୍ୟମାନଙ୍କ ସହିତ ପହଂଚି ଦେଖିଛି ଯେ ପ୍ରକୃତରେ ସେମାନଙ୍କ ଉପରେ ଆକ୍ରମଣ ହୋଇଛି । ଦୁଇଟି ଘଟଣାରେ ଏହି ସାମ୍ବାଦିକ ଦେଖିଲା ଯେ ଜଣେ ଧୋବା ଜାତିର ଲୋକଙ୍କର ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ଗୋଟିଏ ଘଟଣାରେ ଦୁଇ ଜଣ ପାଣଜାତି ଲୋକଙ୍କର ଆଖି, ମୁଣ୍ଡ ଆଣ୍ଠୁ, ଗୋଡ଼ ସବୁଆଡ଼େ କ୍ଷତ ସୃଷ୍ଟି ହୋଇଥିବାବେଳେ ସେମାନେ ଗାଈ କିଣି ଆଣୁଥିବାରୁ ସେମାନଙ୍କୁ ରାସ୍ତାରେ ଗାଈ ପରି ହାତଗୋଡ଼ ଆଣ୍ଠୁ ଲଗାଇ ଗାଈପରି ମୁଁହରେ ଡାଳପତ୍ର ଧରି ଚାଲିବାକୁ ବାଧ୍ୟ କରାଯାଇଛି । ଏ ଘଟଣାଟି କାଳେ ବଜରଙ୍ଗ ଦଳ ସହ ସମ୍ପୃକ୍ତ ଗୋରକ୍ଷା ସଂସ୍ଥାର ସଦସ୍ୟମାନେ ଘଟାଇଛନ୍ତି ବୋଲି ଅତ୍ୟାଚାରିତ ଲୋକମାନେ କହୁଛନ୍ତି । ଏ କଥା ଦୁଇଟି ବିଭିନ୍ନ ଗଣମାଧ୍ୟମ ସହିତ ସାମାଜିକ ଗଣମାଧ୍ୟମରେ ମଧ୍ୟ ବାହାରିଛି । ଏଭଳି ଘଟଣାରେ କେତୋଟି କମ୍ୟୁନିଷ୍ଟ ପାର୍ଟି, ଏନଜିଓ, ବୁଦ୍ଧିଜୀବୀ ତଥା ସମାଜସେବୀମାନେ ସେମାନଙ୍କ ବିରୋଧ ପ୍ରକଟ କରିଛନ୍ତି । କିନ୍ତୁ ଏପରି ଘଟଣାରେ ସେହି ସମ୍ପ୍ରଦାୟ ବା ଶ୍ରେଣୀର ଯେଉଁ ବିଧାୟକ ଓ ସାଂସଦ ମାନେ କୋଟାରେ ବା ସଂରକ୍ଷିତ ଆସନରୁ ନିର୍ବାଚିତ ହୋଇଆସିଛନ୍ତି ସେମାନଙ୍କଠାରୁ ନିଜ ସମ୍ପ୍ରଦାୟପାଇଁ ଯେପରି ସ୍ୱର ଶୁଣିବାକୁ ମିଳିବ ବୋଲି ଆଶା କରାଯାଉଥିଲା, ତାହା ଏହି ଲେଖାଟି ଲେଖାହେବା ପର୍ଯ୍ୟନ୍ତ ଶୁଭି ନାହିଁ । ଏପରିକି ଜଣେ ପୀଡ଼ିତଙ୍କଠାରୁ ଏହି ସାମ୍ବାଦିକ ଯାହା ପଚାରି ବୁଝିଲା ତାଙ୍କ ନିଜ ବିଧାୟକ ମଧ୍ୟ ତାଙ୍କ ପାଖକୁ ଯାଇନାହାନ୍ତି ।
ଏଥକୁ ସେହି ପଂଚାକ୍ଷର ମନ୍ତ୍ର, କ’ଣ କରିବା?

ଗୋ ସୁରକ୍ଷା ନାଁରେ ଦଳିତ ଓ ଆଦିବାସୀଙ୍କ ଉପରେ ଆକ୍ରମଣ ବିରୁଦ୍ଧରେ ବିଶାଳ ଦଳିତ ସମାବେଶ

ବ୍ରହ୍ମପୁର: ଧରାକୋଟରେ ତଥାକଥିତ ଗୋରକ୍ଷକମାନଙ୍କ ଦ୍ୱାରା ଦଳିତମାନଙ୍କ ଉପରେ ବର୍ବର ଅତ୍ୟାଚାର ପରିପ୍ରେକ୍ଷୀରେ ବ୍ରହ୍ମପୁରଠାରେ ଦଳିତମାନଙ୍କ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି ଗଣଧାରଣାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକରୁ ଦଳିତ ସଂଗଠନ, ଓଡ଼ିଶା ଦଳିତ ମହାସଭାର ସମର୍ଥକମାନଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନେତୃବୃନ୍ଦ ଯୋଗ ଦେଇଥିଲେ । ମହାସଭାର ଆବାହକ ସଂଗ୍ରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗଣଧାରଣାରେ ମୂଳନିବାସୀ ସମତା ପରିଷଦର ଅଭିରାମ ମଲ୍ଲିକ, ସିପିଆଇ (ଏମ-ଏଲ) ନିଉ ଡେମୋକ୍ରାସୀର ମୁଖପାତ୍ର ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆମ୍ବେଦକର ଲୋହିଆ ବିଚାରମଞ୍ଚର ଆବାହକ ସଂଗ୍ରାମ ମଲ୍ଲିକ, ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର, ଅଲ୍ ଓଡ଼ିଶା ଏସସି ଫେଡେରେସନ ସଭାପତି ଧନଞ୍ଜୟ ଦୀପ, ଦଳିତ ନେତା ବିଜୟ ସେଠୀ, ଆମ୍ବେଦକର ଫାଉଣ୍ଡେସନର ପ୍ରଦ୍ୟୁମ୍ନ ନାୟକ, ଅନୁଗୋଳର ଦଳିତ ନେତା ଚିତ୍ତରଞ୍ଜନ ଗୌତମ, ଦଳିତ ମହିଳା ନେତ୍ରୀ ବନିତା ସାମଲ, ଧର୍ମେନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଲେଖିକା ଡ଼ଃ ବିଧୂପ୍ରଭା ରଥ, ମାନବବାଦୀ ହେତୁବାଦୀ ସଂଗଠନର ସମ୍ପାଦକ କେ ନାନେ୍ଦଶୁ ସେନାପତି, ଆପ୍ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, କୃଷକ ନେତା ବୃନ୍ଦାବନ ଖଟେଇ, ଦଳିତନେତା ରାଜୁ ପାଣି ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ବକ୍ତାମାନେ ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଡବଲ ଇଞ୍ଜିନ ସରକାରକୁ ଦଳିତ, ଆଦିବାସୀ ଓ ମହିଳାବିରୋଧି ବୋଲି କହି ସମାଲୋଚନା କରିଥିଲେ । ଗତ ଏକବର୍ଷର ଶାସନ କାଳରେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡି ପଡ଼ିଥିବାବେଳେ ଦଳିତ, ଆଦିବାସୀ ଓ ମହିଳାଙ୍କ ଉପରେ ହିଂସାର ଘଟଣାରେ ଭୟଙ୍କର ବୃଦ୍ଧି ଘଟିଛି ବୋଲି କହିଥିଲେ । ଧରାକୋଟ ଘଟଣାର ଉଲ୍ଲେଖ କରି ସେଠାରେ ସରକାରୀ ଦଳର ବିଚାର ସହ ଏକଜୁଟତା ରଖୁଥିବା ଆରଏସ୍ଏସ, ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର ସାମ୍ପ୍ରଦାୟିକ ଓ ଜାତିବାଦୀ ବିଚାରର ପରିପ୍ରକାଶ ହୋଇଛି ଏବଂ ସେମାନେ ଦଳିତମାନଙ୍କୁ କେଉଁଭଳି ବ୍ୟବହାର କରିପାରନ୍ତି, ତାହା ପ୍ରମାଣିତ ହୋଇଛି ବୋଲି କହିଥିଲେ । ଗୋସୁରକ୍ଷା ନାଁରେ ବେଆଇନ ଭାବେ ରାସ୍ତାରେ ଦଳିତ, ଚାଷୀ ଓ ସାଧାରଣଲୋକଙ୍କୁ ଆତଙ୍କିତ, ନିର୍ଯାତିତ କରୁଥିବା ସାମ୍ପ୍ରଦାୟିକ ସଂଗଠନଗୁଡ଼ିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଆଇଏଫଟିୟୁ ସଭାପତି ପ୍ରତାପ ପ୍ରଧାନ, ସିଆଇଟିୟୁ ନେତା ପ୍ରତାପ ଚୌଧୁରୀ, ସିପିଆଇ ନେତା ନୀଳକଣ୍ଠ ଦାଶ, କୃଷକ ନେତା ପି ହରିକୃଷ୍ଣ ରେଡ୍ଡୀ, ମହିଳା ନେତ୍ରୀ ଏନ୍ ଭାନୁମତୀ ରେଡ୍ଡୀ, ରାଜେନ୍ଦ୍ର କୁମାର ବେହେରା, ଗୋପାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଦଳିତମାନଙ୍କ ଉପରେ ବର୍ବର ଅତ୍ୟାଚାରର ନିନ୍ଦା କରିଥିଲେ ।
ସଭାଶେଷରେ ଏକ ପ୍ରତନିଧି ଦଳ ଆରଡିସିଙ୍କ ସଚିବଙ୍କୁ ଭେଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଦାବି ଗୁଡ଼ିକ ମଧ୍ୟରେ ୧) ଧରାକୋଟ ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଓ ସଂଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର,୨) ଦୁଇ ପୀଡ଼ିତ ବ୍ୟକ୍ତିଙ୍କୁ ସର୍ବନିମ୍ନ ଦଶ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ୩) ବଜରଙ୍ଗ ଦଳ ଓ ଅନ୍ୟ ଅସାମାଜିକ ଲୋକଙ୍କ ନେତୃତ୍ୱରେ ଗୋସୁରକ୍ଷା ନାଁରେ ଚାଲିଥିବା ଆତଙ୍କରାଜ ଓ ବେଆଇନ ଅର୍ଥ ଆଦାୟ ବନ୍ଦ କରିବା, ୪) ଜାତିଗତ ହିଂସା ଓ ସାମାଜିକ ବାସନ୍ଦ ଘଟଣାରେ ସମ୍ବେଦନଶୀଳ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସକୁ ନିଦେ୍ର୍ଦଶ,୫) ରାଜ୍ୟରେ ଭୂମିହୀନ ଦଳିତଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରଙ୍କ ପକ୍ଷରୁ ବାସଯୋଗ୍ୟ ଓ ଚାଷଯୋଗ୍ୟ ଜମି ବଣ୍ଟନ କରାଯାଉ ଆଦି ପ୍ରମୁଖ ରହିଥିଲା ।

Comments

0 comments

Share This Article