ଏଲିସ୍ :ଡାଲ୍ ହ୍ରଦର ହୃଦୟ
ପ୍ରାୟ ୨୫ବର୍ଷ ପୂର୍ବେ ଏଲିସ୍ ହୁବର୍ଟିନା ସ୍ପାଏଣ୍ଡରମ୍ୟାନ ପ୍ରଥମେ କାଶ୍ମୀର ଆସି ଡାଲ୍ ହ୍ରଦ ଦେଖିଥିଲେ । ସେହିଦିନଠାରୁ ସେ ଡାଲ୍ ପ୍ରେମରେ ପଡ଼ିଥିଲେ । ଡାଲ୍ ହ୍ରଦକୁ ସେ ନିଜର ଅନ୍ୟ ଏକ ଘର ବୋଲି ଗ୍ରହଣ କରିଥିଲେ । ଏହାର କିଛି ଦିନପରେ ସେ ନେଦରଲ୍ୟାଣ୍ଡ ଫେରିଯାଇଥିଲେ । କିନ୍ତୁ ତାଙ୍କର ମନ ସେଠାରେ ଆଉ ଲାଗିନଥିଲା । ୨୦୧୯ ଡିସେମ୍ବର ମାସ ୨୯ରେ ସେ କାଶ୍ମୀର ଫେରିଆସିଲେ ଏବଂ ଡାଲ୍ ହ୍ରଦ ନିକଟରେ ନିଜର ବସବାସ ଆରମ୍ଭ କଲେ । ନେଦରଲାଣ୍ଡର ଏହି ୬୯ବର୍ଷୀୟା ଡଚ୍ ମହିଳା ଏଲିସ୍ ହୁବର୍ଟିନା ସ୍ପାଏଣ୍ଡରମ୍ୟାନ ସେହିଦିନ ଠାରୁ ଡାଲ୍ ହ୍ରଦରେ ଆଜକୁ ୫ବର୍ଷ ଧରି ନୀରବରେ ଡଙ୍ଗା ଚଲାଉଛନ୍ତି । ସେ ନିଜସ୍ୱ ଚେଷ୍ଟାରେ ଏକ ଡଙ୍ଗା କିଣିଥିଲେ । ପ୍ରଥମେ ପ୍ରଥମେ ଏଲିସ୍ ଙ୍କୁ ସ୍ଥାନୀୟ ଲୋକମାନେ ଧ୍ୟାନ ଦେଇନଥିଲେ । କିନ୍ତୁ କ୍ରମାଗତ ସେ ଡଙ୍ଗା ଚଳାଉଥିବାର ଦେଖି ଅନ୍ୟମାନେ ତାଙ୍କୁ ନିରୀକ୍ଷଣ କରିବା ଆରମ୍ଭ କରିଥିଲେ । ପରେ ଅନ୍ୟମାନେ ଜାଣିଥିଲେ ସେ ଡାଲ୍ ହ୍ରଦର ପାଣିରୁ ପ୍ଲାଷ୍ଟିକ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ତଥା ଆବର୍ଜନା ସଫା କରିବା କାର୍ଯ୍ୟରେ ଲାଗିଛନ୍ତି । ଏଲିସ୍ ହୁବର୍ଟିନା ସ୍ପାଏଣ୍ଡରମ୍ୟାନଙ୍କ ଏହି ସଫେଇ ଅଭିଯାନ ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି କରିଥିଲା ଏବଂ ଅନେକ ଏହାଦେଖି ତାଙ୍କୁ ପରିହାସ ମଧ୍ୟ କରିଥିଲେ । ସେ କିନ୍ତୁ ଏସବୁ ଜାଣି ନ ଜାଣିଲା ପରି ନିର୍ବିକାର ଭାବରେ ତାଙ୍କର କାର୍ଯ୍ୟ କରନ୍ତି ।
ଦିନେ ଆୱାର ଅହମ୍ମଦ ଡଙ୍ଗାବାଲା ଏଲିସ୍ ନିକଟକୁ ଆସି ପଚାରିଲା, ‘ଆପଣ କଣ ଭାବୁଛନ୍ତି ଡାଲ୍ ହ୍ରଦକୁ ଆପଣ ସଫା କରିଦେବେ? ୧୦୦୦ ବର୍ଷ ଲାଗିଲେ ମଧ୍ୟ ଏହା ହୋଇପାରିବ ନାହିଁ ।’ ଏହାର ଉତ୍ତରରେ ଏଲିସ୍ ହୁବର୍ଟିନା ସ୍ପାଏଣ୍ଡରମ୍ୟାନ କୁହନ୍ତି, “ହ୍ରଦରେ ପ୍ରଦୂଷଣର ମାତ୍ରା ମୋତେ ଦୁଃଖ ଦେଇଛି କିନ୍ତୁ ମୁଁ ନିରାଶ ହୋଇନାହିଁ । ଡାଲ ହ୍ରଦରୁ ଆବର୍ଜନା ସଫା କରିବା ଏକ କଷ୍ଟଦାୟକ କାର୍ଯ୍ୟ କିନ୍ତୁ ଅସମ୍ଭବ ନୁହେଁ । ମୁଁ ଭାବିଲି ଯଦି କେହି ଏହା କରୁନାହାନ୍ତି, ତେବେ ମୁଁ ଏହା ଆରମ୍ଭ କରିବି । ମୁଁ ଏକୁଟିଆ ଏହା ଶେଷ କରିପାରିବି ନାହିଁ । କିନ୍ତୁ ମୁଁ ଗୋଟିଏ କଥା ଶିଖିଛି ଯେ ଯଦି ଆପଣ ଲୋକଙ୍କୁ ଶିକ୍ଷା ଦେବାକୁ ଚାହୁଁଛନ୍ତି, ତେବେ ସବୁଠାରୁ ଭଲ କଥା ହେଉଛି ନିଜେ ଏକ ଉଦାହରଣ ଭାବେ ଛିଡା ହୁଅନ୍ତୁ ।’ ମୁଁ ପରିବେଶ ପ୍ରତି ଧ୍ୟାନ ଦେଉଛି, ମୁଁ ଚାହେଁ ଏହା ସଫାସୁତୁରା ହେଉ । ଏହାକୁ ସଫା କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ଏହା ମୋର ଉପାୟ । ଏବେ ଯେତେବେଳେ ମୁଁ ବର୍ଜ୍ୟବସ୍ତୁ ସଂଗ୍ରହ କରୁଛି, ବିଭିନ୍ନ ଝରଣା ଏବଂ ଜଙ୍ଗଲରେ କେତେକ ଲୋକମାନେ ମୋତେ ସାହାଯ୍ୟ କରିବା ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନେ ଧୀରେଧୀରେ ଏଥିରେ ସାମିଲ ହେଲେଣି । ମୋର ଦୃଢ଼ ବିଶ୍ୱାସ ଯଦି ଆପଣମାନଙ୍କ ଭଳି ଡଙ୍ଗାବାଲା ସମସ୍ତେ ଆମେ ଏକାଠି ହେବା ତେବେ ହଜାରବର୍ଷ ନୁହେଁ ମାତ୍ର ଦୁଇ ବର୍ଷ ମଧ୍ୟରେ ପୂରା ଡାଲ ହ୍ରଦରୁ ଆବର୍ଜନା ସଫା ହୋଇଯିବ । ପ୍ରଥମେ ଆପଣମାନେ ଏଠାରେ ଆବର୍ଜନା ପକାଇବା ବନ୍ଦ କରିବେ । ଆପଣଙ୍କ ସହିତ ଯାଉଥିବା ପର୍ଯ୍ୟଟକମାନଙ୍କୁ ଦୃଢ଼ ଭାବେ ପ୍ରଦୂଷଣ ନ କରିବାକୁ ନିର୍ଦ୍ଦେଶ ଦେବେ ଏବଂ ପ୍ରଶାସନକୁ କହି ପ୍ରଦୂଷଣ କରୁଥିବା ଲୋକମାନଙ୍କ ଉପରେ ଆର୍ଥିକ ଦଣ୍ଡବିଧାନ କରିବେ । ମୁଁ ପ୍ରକୃତରେ ଏଥିରେ ବିଶ୍ୱାସ କରେ ।
ସେ କୁହନ୍ତି, “ଏହି ପ୍ରସିଦ୍ଧ ଡାଲ ହ୍ରଦ କେବଳ ଏକ ପ୍ରାକୃତିକ ଜଳାଶୟ ନୁହେଁ । ଏହା ହେଉଛି ଜୀବନଧାରଣର ଉତ୍ସ ଏବଂ ବିଶ୍ୱ ପର୍ଯ୍ୟଟନର ଆକର୍ଷଣ । ମୁଁ ବ୍ୟସ୍ତତା ଭିତରେ ସବୁବେଳେ ଏହା କରିପାରିନଥାଏ ଏବଂ ମୁଁ ଏହାକୁ ପ୍ରତିଦିନ କରିପାରିବି ନାହିଁ । କିନ୍ତୁ ମୋର କାମ ଅନ୍ୟମାନଙ୍କୁ ପ୍ରେରଣା ଦେଉଛି । ଆଜିର ଦିନରେ ପ୍ରାୟ ୭୦ଜଣ ବ୍ୟକ୍ତିବିଶେଷ ଓ ଡଙ୍ଗାବାଲା ଏଥିରେ ସାମିଲ ହେଲେଣି । ମୋର ଅବସର ସମୟରେ ମୁଁ ଅଧିକାଂଶ ଦିନ ମୁଁ ହ୍ରଦକୁ ଯାଏ, ଡଙ୍ଗା ଚଳାଏ ଏବଂ ସନ୍ତରଣ କରେ, ସାଇକେଲ ଚାଳନା କରି ରାସ୍ତାରୁ ମଧ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରେ । ଅନେକ ସମୟରେ ନଦୀ ନାଳ କୂଳରୁ ମଧ୍ୟ ଆବର୍ଜନା ସଫା କରେ ।’
ନିକଟରେ ଡାଲ ହ୍ରଦ ସଂରକ୍ଷଣ ଏବଂ ପରିଚାଳନା କର୍ତ୍ତୃପକ୍ଷ ଏଲିସ୍ ଙ୍କୁ ଭେଟି ତାଙ୍କର ଅଭିଜ୍ଞତାକୁ ବିଦ୍ୟାଳୟର ପିଲାମାନଙ୍କ ମଧ୍ୟରେ ବାଣ୍ଟି ସଚେତନତା ସୃଷ୍ଟି ପାଇଁ ଅନୁରୋଧ କରିଥିଲେ । ସେ ଏହି କାର୍ଯ୍ୟ ପାଇଁ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଯଦିଓ ସରକାରଙ୍କ ଦ୍ୱାରା ହ୍ରଦରେ ଡ୍ରେଜିଂ, ଡି-ୱିଡିଂ ଏବଂ ଆଣ୍ଟି-ଏନକ୍ରୋଚମେଣ୍ଟ କାର୍ଯ୍ୟକ୍ରମକୁ ଜୋରଦାର କରିବାର ଅଭିଯାନ ଜାରି ରହିଛି କିନ୍ତୁ ଏହି ପ୍ରୟାସ ସଚେତନତା ଓ କଠୋର ଦଣ୍ଡବିଧାନର ଅଭାବରୁ ସମ୍ପୂର୍ଣ୍ଣ ସଫଳ ହୋଇନାହିଁ । ଏଲିସ୍ ହୁବର୍ଟିନା ସ୍ପାଏଣ୍ଡରମ୍ୟାନ ତାଙ୍କର ଏଭଳି କାର୍ଯ୍ୟ ପାଇଁ କୌଣସି ଆର୍ଥିକ ସହାୟତା ଗ୍ରହଣ କରିବାକୁ ସିଧାସିଧା ମନା କରିଦିଅନ୍ତି ।
ଏଲିସ୍ ହୁବର୍ଟିନା ସ୍ପାଏଣ୍ଡରମ୍ୟାନଙ୍କ ବର୍ଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟ ଅଭ୍ୟାସ ନେଦରଲ୍ୟାଣ୍ଡ ସମୁଦ୍ରକୂଳରେ ବାସ କରିବା ସମୟରୁ ଆରମ୍ଭ କରିଥିଲେ । ସାଧାରଣ ଭାବେ ମୋ ଦେଶ ନେଦରଲାଣ୍ଡ୍ ଏକ ସ୍ୱଛତାର ପରିପୂର୍ଣ୍ଣ । କିନ୍ତୁ ଜାହାଜଗୁଡ଼ିକ ପକାଉଥିବା ବର୍ଜ୍ୟବସ୍ତୁକୁ ସମୁଦ୍ର ବେଳାଭୂମିରୁ ମୁଁ ସଂଗ୍ରହ କରିବା ଆରମ୍ଭ କଲି ବୋଲି ସେ କୁହନ୍ତି ।
ଦିବ୍ୟା ମୁଡାପ୍ପାଙ୍କ ସହ ଗପସପ
ଦିବ୍ୟା ମୁଡାପ୍ପା ବିଶ୍ୱାସ କରନ୍ତି ଯେ ନେତୃତ୍ୱ ନେବାର କ୍ଷମତା ଲିଙ୍ଗ ଆଧାରିତ ନୁହେଁ । ସମାନ ବେଦନା ଅନୁଭବ କରିବା, ଅନ୍ୟ ସମ୍ପର୍କରେ ରାୟ ନ ଦେବା ଏବଂ ଆବଶ୍ୟକ ସ୍ଥଳେ ଅନ୍ୟକୁ ସାହାଯ୍ୟ କରିବା ପରି ଗୁଣଗୁଡ଼ିକର ସବୁବେଳେ ଗୁରୁତ୍ୱ ରହିଛି । ଦିବ୍ୟା ଏକଥା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଯେ ଉପଯୁକ୍ତ ପରିସଂସ୍ଥାନର ପୁନର୍ବାହାଲ ନୀତିଗୁଡ଼ିକ ବ୍ୟକ୍ତିବିଶେଷମାନେ ଆପଣେଇବା ସଙ୍ଗେ ସଙ୍ଗେ ନିଜ ପରିସ୍ଥିତି ସହ ସେଗୁଡ଼ିକର ଅନୁକୂଳନ କରିବା ଆବଶ୍ୟକ ।
ଦିବ୍ୟା ମୁଡାପ୍ପା ହେଉଛନ୍ତି ନେଚର କଞ୍ଜରଭେସନ ଫାଉଣ୍ଡେସନ ସହ କାର୍ଯ୍ୟ କରୁଥିବା ଜଣେ ବୈଜ୍ଞାନିକ । ପରିସଂସ୍ଥାନର ପୁନର୍ବାହାଲ ବୈଜ୍ଞାନିକ ରୂପେ ତାଙ୍କର ଯାତ୍ରା ସମ୍ପର୍କରେ ଖୋଲାଖୋଲି ଭାବେ କହିବା ବେଳେ ସେ ବର୍ଷା ଜଙ୍ଗଲ ଅଧ୍ୟୟନ କରିବାକୁ କାହିଁକି ଆଗ୍ରହୀ ହେଲେ ଏବଂ ନେତୃତ୍ୱ କ’ଣ ସେ ସମ୍ପର୍କରେ ମଧ୍ୟ ତାଙ୍କର ମତବ୍ୟକ୍ତ କରିଛନ୍ତି ।
ଦିବ୍ୟାଙ୍କର କଟୀବନ୍ଧୀୟ ବର୍ଷା ଜଙ୍ଗଲ ସମ୍ପର୍କରେ ବିଶେଷକରି ବର୍ଷା ଜଙ୍ଗଲ, ପୁନର୍ବାହାଲ ଓ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତି ପ୍ରବଳ ଆଗ୍ରହ ରହିଛି । ଉଦ୍ଭିଦ ଓ ପ୍ରାଣୀମାନଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ଜାଣିବା, ବିଶେଷ କରି ଫଳଭକ୍ଷୀ ପ୍ରାଣୀ, ବୀଜ ବିକ୍ଷେପ ଏବଂ ପ୍ରାଣୀମାନଙ୍କର ବ୍ୟବହାର ସମ୍ପର୍କରେ ଅନୁଧ୍ୟାନ କରିବାକୁ ସେ ଭଲପାଆନ୍ତି । ତାଙ୍କର ପ୍ରାୟ ତିନି ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ସେ କୋଚିଲାଖାଇ (ହର୍ଣ୍ଣବିଲ୍) ଏବଂ କ୍ଷୁଦ୍ର ମାଂସାସୀ ପ୍ରାଣୀମାନଙ୍କର ଅଧ୍ୟୟନରେ ଅନେକ ସମୟ ବ୍ୟତୀତ କରିଛନ୍ତି ।
ବର୍ଷା ଜଙ୍ଗଲ ଏବଂ ମାଲାବାର୍ ଧୂସର କୋଚିଲାଖାଇ ଅଧ୍ୟୟନ
‘କୋଡ଼ାଗୁରେ ମୋର ଶୈଶବ ଅତିବାହିତ କରିବା ଦିନଠାରୁ ଜଙ୍ଗଲ ମୋତେ ମୁଗ୍ଧ କରିଛି । ମୁଁ ଯେତେବେଳେ ବର୍ଷା ଜଙ୍ଗଲରେ ଅବିଶ୍ୱସନୀୟ ସ୍ତରର ପ୍ରଜାତି ବିବିଧତା ଏବଂ ଏହି ଜଙ୍ଗଲରେ ଉଦ୍ଭିଦ ଏବଂ ପ୍ରାଣୀମାନେ କିପରି ପରସ୍ପର ସହ ଯୋଡ଼ି ହୋଇଛନ୍ତି ବୋଲି ଜାଣିଲି, ମୋର ଆଗ୍ରହ ଆହୁରି ବଢ଼ିଗଲା । ମାତ୍ର, ମୁଁ ଯେତେବେଳେ ଆନ୍ନାମଲାଇ ପାହାଡ଼ରେ କାର୍ଯ୍ୟ କରୁଥିବା ମୋ ଉପରଶ୍ରେଣୀରେ ପଢୁଥିବା ଜଣେ ବରିଷ୍ଠଙ୍କ ପାଖକୁ ଯାଇ ତାଙ୍କ କାମ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କଲି, ସେତେବେଳେ ମୋର ଆଗ୍ରହ ବହୁଗୁଣିତ ହୋଇଗଲା’ ବୋଲି ଦିବ୍ୟା କୁହନ୍ତି ।
ଆନ୍ନାମଲାଇ ପାହାଡ଼କୁ ଯାତ୍ରା ଦିବ୍ୟାଙ୍କୁ ଆଗକୁ ଅଧିକ ପଢ଼ିବାକୁ ଏବଂ ପଶ୍ଚିମଘାଟ ପର୍ବତମାଳାର ବର୍ଷା ଜଙ୍ଗଲ ପରିସଂସ୍ଥାନକୁ ବୁଝିବା ପାଇଁ ଅନୁପ୍ରାଣୀତ କଲା । ପରିସଂସ୍ଥାନୀୟ ପୁନର୍ବାହାଲ ମାଧ୍ୟମରେ ପରିସଂସ୍ଥାନର ସମସ୍ତ ଢାଞ୍ଚାକୁ କାର୍ଯ୍ୟ ଏବଂ ଜୀଇଁବାର ଶକ୍ତିକୁ ବଜାୟ ରଖିବାର ପ୍ରୟାସ ଦିବ୍ୟାଙ୍କ ଯାତ୍ରାକୁ ଇନ୍ଧନ ଯୋଗାଇଲା ।
‘ମାଲାବାର୍ ଧୂସର କୋଚିଲାଖାଇ ସମ୍ପର୍କରେ ମୋର ସ୍ନାତକୋତ୍ତର ପ୍ରକଳ୍ପ କରୁଥିବାବେଳେ ପ୍ରଥମ ଥର ସକାଶେ ଏକୁଟିଆ ଜଙ୍ଗଲରେ ବୁଲିବାର ଅଭିଜ୍ଞତା ହାସଲ କଲି ଏବଂ ସ୍ୱାଧୀନ ଭାବେ କ୍ଷେତ୍ର ଗବେଷଣା କଲି । ଏହା ମୋର ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା । ମୋତେ ଗୋଟିଏ ନୂଆ ପରିବେଶରେ ଖାପ ଖୁଆଇ ଚଳିବାକୁ ପଡ଼ିଲା, ବେଳେବେଳେ ଅତି ଅପହଞ୍ଚ ଅଞ୍ଚଳରେ ରହିବାକୁ ପଡ଼ିଲା, ବର୍ଷା ଜଙ୍ଗଲରେ କାମ କରିବାଯୋଗୁଁ ଜୋକ ଓ କୀଟଙ୍କ ପ୍ରକୋପ ଭୋଗିବାକୁ ପଡ଼ିଲା ।’
ଦିବ୍ୟା ସ୍ମରଣ କରନ୍ତି ଯେ ବର୍ଷା ଜଙ୍ଗଲରେ ରହିବା ଉଭୟ ମନୋମୁଗ୍ଧକର ତଥା ଜ୍ଞାନବର୍ଦ୍ଧକ ଥିଲା । ପ୍ରତ୍ୟେକ ଦିନ ମୁଁ ନୂଆ ନୂଆ କଥା ଆବିଷ୍କାର କରୁଥିଲି । ଜଙ୍ଗଲର ଅପହଞ୍ଚ ଇଲାକାକୁ ଯାଇ ମୁଁ କୋଚିଲାଖାଇମାନଙ୍କର ବସା ଖୋଜୁଥିଲି । କେଦାର ଜନଜାତିର ଗଣେଶ ତାଙ୍କର ସ୍ଥାନୀୟ ଗାଇଡ୍ ଥିଲେ ଏବଂ ଦିିବ୍ୟା ତାଙ୍କଠାରୁ ବିଭିନ୍ନ ଉଦ୍ଭିଦ, ପ୍ରାଣୀଙ୍କ ସମ୍ପର୍କରେ ଜାଣିଛନ୍ତି ଏବଂ ଜଙ୍ଗଲର ବହୁ ସଂକେତକୁ ବୁଝିବା ପାଇଁ ଖୋରାକ ପାଇଛନ୍ତି ।
ପୁନର୍ବାହାଲ ପ୍ରକଳ୍ପଗୁଡ଼ିକରୁ ଶିକ୍ଷା
ଦିବ୍ୟା ଏବଂ ତାଙ୍କର ସହକର୍ମୀମାନେ ଦୀର୍ଘ ୨୫ ବର୍ଷ କାଳ ଆନ୍ନାମଲାଇ ଅଞ୍ଚଳରେ ବିଖଣ୍ଡିତ ବର୍ଷା ଜଙ୍ଗଲର ପୁନର୍ବାହାଲ ପାଇଁ ସମର୍ପିତ କରିଛନ୍ତି । ସେମାନେ ଦୀର୍ଘକାଳ ଧରି ଅବକ୍ଷୟିତ ହୋଇଥିବା ଜଙ୍ଗଲର ଆହ୍ୱାନର ସମ୍ମୁଖୀନ ହୋଇଥିଲେ ଏବଂ ଜଙ୍ଗଲବିଭାଗ ଓ ଘରୋଇ ବୃକ୍ଷରୋପଣ କଂପାନିମାନଙ୍କ ସହଯୋଗ ହାସଲ କରିବାରେ ସଫଳ ହୋଇଥିଲେ । ଏହି କାର୍ଯ୍ୟରୁ ଆମମାନଙ୍କର ସବୁଠାରୁ ବଡ଼ ଶିକ୍ଷା ହେଲା ଯେ ଗୋଟିଏ ଅବକ୍ଷୟିତ ପରିସଂସ୍ଥାନର ପୁନର୍ବାହାଲ କରିବା ସକାଶେ ସେଠାରେ ଦୀର୍ଘ କାଳ ପାଇଁ ରହିବାକୁ ପଡ଼ିଥାଏ ବୋଲି ଦିବ୍ୟା କହିଛନ୍ତି ।
ଦ୍ୱିତୀୟ ଶିକ୍ଷାଟି ହେଲା ଯେ ପୁନର୍ବାହାଲ କାର୍ଯ୍ୟର କେତେକ ଅଂଶ ପରିଣାମ ଦର୍ଶାଇବା ଆରମ୍ଭ କଲେ ମଧ୍ୟ (ଯେପରିକି ଉଦ୍ଭିଦ ସାନ୍ଧ୍ରତାର ବୃଦ୍ଧି ଘଟିବା) ଦୀର୍ଘ ୨୫ବର୍ଷ କାଳ କାର୍ଯ୍ୟ କରିବା ସତ୍ତ୍ୱେ ପରିସଂସ୍ଥାନ ପୂର୍ବ ସ୍ୱାସ୍ଥ୍ୟକୁ ଫେରିଆସିବା ଆଂଶିକ ମାତ୍ର ହୋଇପାରେ । ଅତଏବ, ପୁନର୍ବାହାଲ କରି ଦିଆଯିବାର ଆଶ୍ୱାସନାରେ କୌଣସି ଭଲ ସ୍ଥିତିରେ ଥିବା କିମ୍ବା ଅପେକ୍ଷାକୃତ ଭାବେ ବ୍ୟାହତ ହୋଇ ନ ଥିବା ପରିସଂସ୍ଥାନକୁ ନଷ୍ଟ ହେବାକୁ ଛାଡ଼ିଦେବା ଉଚିତ ନୁହେଁ ।
ଦିବ୍ୟା ଗୁରୁତର ସହ କହିଛନ୍ତି ଯେ ପୁନର୍ବାହାଲ ପାଇଁ ଉପଯୁକ୍ତ ସିଦ୍ଧାନ୍ତଗୁଡ଼ିକ ଆପଣାଯିବା ଉଚିତ ଏବଂ ଅଧିକରୁ ଅଧିକସଂଖ୍ୟକ ବ୍ୟକ୍ତିବିଶେଷ ଭିନ୍ନ ଭିନ୍ନ ପରିସ୍ଥିତିରେ ଏହି ସିଦ୍ଧାନ୍ତଗୁଡ଼ିକର ଅନୁକୂଳନ କରିବା ସକାଶେ ଆଗେଇ ଆସିବା ଉଚିତ । ଆଉ ଏକଥା ମଧ୍ୟ ମନେରଖିବା ଉଚିତ ଯେ କେବଳ ବୃକ୍ଷରୋପଣ ଦ୍ୱାରା ପରିସଂସ୍ଥାନର ପ୍ରକୃତ ପୁନର୍ବାହାଲ କରାଯାଇ ପାରିବନାହିଁ ।
ମହିଳା ପରିସଂସ୍ଥାନ ବିଶେଷଜ୍ଞମାନେ ମଧ୍ୟ ସମାନ ସୁଯୋଗ ପାଇବା ଉଚିତ
‘ଏହା ଏକ କଷ୍ଟକର କ୍ଷେତ୍ର । ଏହା ଉଭୟ ଶାରୀରିକ ତଥା ଆବେଗିତ ସ୍ତରରେ ଏଥିପାଇଁ ଅନେକ ମୂଲ୍ୟଦେବାକୁ ପଡ଼ିଥାଏ । ଏହି କାର୍ଯ୍ୟ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ, ବିଶେଷ କରି ଜଣେ ଯଦି ଏକୁଟିଆ ରହିବାରେ ସ୍ୱଚ୍ଛନ୍ଦ ହୋଇ ନଥାନ୍ତି । ଏ କ୍ଷେତ୍ରରେ କାର୍ଯ୍ୟ କରିବାର ଆହ୍ୱାନଗୁଡ଼ିକ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ । ବିଶେଷ କରି ମହିଳା କ୍ଷେତ୍ର ଗବେଷିକାମାନଙ୍କ ସକାଶେ ଏହା ଅଧିକ ପ୍ରଯୁଜ୍ୟ ।’
ଉଦାହରଣସ୍ୱରୂପ ସରକାରୀ ଅଧିକାରୀ ବା ବନବିଭାଗର ଅଧିକାରୀମାନଙ୍କ ଦ୍ୱାରା ପୁରୁଷ ଗବେଷକମାନଙ୍କ ପରି ମହିଳା ଗବେଷକମାନଙ୍କୁ ଗୁରୁତ୍ୱ ପ୍ରଦାନ କରାଯାଇ ନଥାଏ ବୋଲି ଦିବ୍ୟା କହିଛନ୍ତି । ଅଧିକାରୀମାନେ ମହିଳା ଗବେଷକମାନଙ୍କ ସହ କଥାବାର୍ତ୍ତା ନକରି ପୁରୁଷ ଗବେଷକମାନଙ୍କ ସହ କଥାବାର୍ତ୍ତା କରିଥାଆନ୍ତି । ପରିବାର ଠାରୁ ଆରମ୍ଭ କରି ଅନୁଷ୍ଠାନ ପର୍ଯ୍ୟନ୍ତ ସମାଜର ବିଭିନ୍ନ ଅଙ୍ଗ ଏହି କ୍ଷେତ୍ରକୁ ମହିଳାମାନଙ୍କ ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରିଥାଆନ୍ତି । ତେବେ ଏକଥା ସତ ଯେ କାମ କଲାବେଳେ ନିରାପତ୍ତା ମହିଳାମାନଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ।
ସଂରକ୍ଷଣବାଦୀ ହେବାକୁ ଆଶାୟୀମାନଙ୍କ ପାଇଁ ବାର୍ତ୍ତା
ସଂରକ୍ଷଣବାଦୀ ହେବାକୁ ହେଲେ ଏହି କ୍ଷେତ୍ରରେ ଲଗାତାର କାର୍ଯ୍ୟ କରିବାକୁ ହେବ । ଆହ୍ୱାନମାନଙ୍କର ସମ୍ମୁଖୀନ ହେବାକୁ ପଡ଼ିବ । ଅନ୍ୟମାନଙ୍କ ସହ ସହଯୋଗରେ କାର୍ଯ୍ୟ କରିବାକୁ ହେବ ଏବଂ ଦଳବଦ୍ଧ ହୋଇ କାମ କରିବାକୁ ହେବ, ଯାହା ଫଳରେ ପରସ୍ପର ପରସ୍ପରକୁ ସାହାଯ୍ୟ କରିପାରିବେ । ଏସବୁ ବ୍ୟତୀତ ଏହି ଗ୍ରହପାଇଁ ବିପଦ ସୃଷ୍ଟି କରୁଥିବା ଶକ୍ତିଶାଳୀ ତତ୍ତ୍ୱମାନଙ୍କର ବିରୋଧ କରିବାକୁ ହେବ ।
ବଞ୍ଚିବା ହେଉଛି ଜୀବନର କବିତା: ମୋସାବ୍ ଅବୁ ତୋହା
କବିତା ଏକ ବିଳାସ ନୁହେଁ । କବିତା ହେଉଛି ବଞ୍ଚି ରହିବାର ରାହା ଏବଂ ବଞ୍ଚିବା ହେଉଛି ଜୀବନର କବିତାବୋଲି କୁହନ୍ତି ମୋସାବ ଅବୁ ତୋହା । ପାଲେଷ୍ଟିନୀୟ ଲେଖକ ତଥା କବି ମୋସାବ ଅବୁ ତୋହାଙ୍କ ପାଇଁ ଏହା ବଞ୍ଚି ରହିବାର ରାହା । ମୋସାବ ଦି ନ୍ୟୁୟର୍କରେ ପ୍ରକାଶିତ ଗାଜା ଉପରେ ତାଙ୍କର ପ୍ରବନ୍ଧଗୁଡ଼ିକ ସକାଶେ ପୁଲିଜର ପୁରସ୍କାର ପାଇଛନ୍ତି । କବିତା ହେଉଛି ପ୍ରତିବାଦ, ଏହା ବିରୋଧ ଏବଂ ଏହା ମଧ୍ୟ ଏକ ଜିଦ୍-ନିଶ୍ଚିହ୍ନ ହୋଇଯିବାକୁ ପ୍ରତ୍ୟାଖ୍ୟାନ କରିବାର ।
‘ଏହା ଆଶାର ଉଦ୍ରେକ କରୁ । ଏହା ଏକ କାହାଣୀ କହୁ ।’ ଗାଜାରେ ନରସଂହାରର ଦଲିଲକରଣ ସକାଶେ ନିକଟ ଅତୀତରେ ତାଙ୍କୁ ପ୍ରଦାନ କରାଯାଇ ଥିବା ପୁଲିଜର ପୁରସ୍କାରର ସ୍ୱୀକୃତି ଅବସରରେ ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟରେ ମୋସାବ ଏକଥା କହିଛନ୍ତି । ପୁଲିଜର ପୁରସ୍କାର ଗ୍ରହଣ ସମୟରେ ପ୍ରଥମ ଥର ସକାଶେ ଏକ୍ସର ଟାଇମ୍ଲାଇନ୍ ରେ ମୋବାରକ (ଶୁଭେଛୁ) ଉପସ୍ଥିତ ଜାହିର କରିଥିଲା । ନ ହେଲେ ପ୍ରତ୍ୟେକ ଦିନ ଗାଜାରେ ଘଟୁଥିବା ମୃତ୍ୟୁର ଦୁଃଖଦ ତଥ୍ୟ ହିଁ ଏକ୍ସରେ ସ୍ଥାନିତ ହେଉଥିଲା । ପାଲେଷ୍ଟିନୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ ଏ ଯାବତ୍ ୫୩,୦୦୦ ବ୍ୟକ୍ତି ସେଠାରେ ମୃତ୍ୟୁବରଣ କଲେଣି । ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ କେବଳ ସଂଖ୍ୟାଟିଏ ହୋଇ ରହିଯିବାକୁ ଚାହାନ୍ତି ନାହିଁ ମୋସାବ । ତାଙ୍କପାଇଁ ଏହି କ୍ଷତିସବୁ ବ୍ୟକ୍ତିଗତ । ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କର ନାମ ଅଛି, ସେମାନଙ୍କର ନିଜସ୍ୱ କାହାଣୀ ରହିଛି ଏବଂ ସେମାନଙ୍କର ନିଜସ୍ୱ ଜୀବନ ମଧ୍ୟ ରହିଥିଲା । ମୋସାବ ତାଙ୍କ ପରିବାରର ୩୧ଜଣଙ୍କୁ ହରାଇ ସାରିଲେଣି ।
‘ଗାଜାର ପ୍ରତ୍ୟେକ ଶିଶୁ ହେଉଛି ମୁଁ । ପ୍ରତ୍ୟେକ ମାଆ ଓ ବାପା ମୁଁ । ପ୍ରତ୍ୟେକ ଘର ମୋର ହୃଦୟ । ପ୍ରତ୍ୟେକଟି ଗଛ ମୋର ଗୋଡ଼ । ପ୍ରତେକ ଦ୍ରୁମ ମୋର ବାହୁ । ପ୍ରତ୍ୟେକ ଫୁଲ ମୋର ଆଖି । ମଝିରେ ହେଉଥିବା ପ୍ରତ୍ୟେକ ଗାତ ମୋର କ୍ଷତ’ ବୋଲି ତାଙ୍କର ‘ଏବାଂଛିତ ଶବ୍ଦର ଜଙ୍ଗଲ’(ଫରେଷ୍ଟ ଅଫ୍ ନଏସ୍) କବିତା ସଂକଳନରେ ସେ ଲେଖିଛନ୍ତି ।
ବିଗତ ବର୍ଷମାନଙ୍କରେ ଲେଖାଯାଇଥିବା ତାଙ୍କର ପ୍ରବନ୍ଧଗୁଡ଼ିକ ଯଦି ଗାଜାରେ ସେ କ’ଣ ହରାଇଛନ୍ତି ତା’ର ସାକ୍ଷୀ ହୋଇଥାଆନ୍ତି, ତେବେ ତାଙ୍କର କବିତାଗୁଡ଼ିକ ଧ୍ୱଂସାବଶେଷର ଭାରରେ ପରିପୂର୍ଣ୍ଣ । କଠୋର ଆଘାତ ଦେଉଥିବା ତାଙ୍କର କବିତାଗୁଡ଼ିକ ଗଭୀର ଅନୁଭବର ସୃଷ୍ଟି । ତାଙ୍କର କବିତାଗୁଡ଼ିକଠାରୁ ଦୂରେଇ ଯିବା ଅସମ୍ଭବ । ତାଙ୍କ କବିତାଗୁଡ଼ିକୁ ଅତ୍ୟାବଶ୍ୟକୀୟ ପାଠର ଅନ୍ତର୍ଭୁକ୍ତ କରିବା ଉଚିତ । ତାଙ୍କର ସୁନ୍ଦର ବାକ୍ୟଗୁଡ଼ିକ ଯୁଦ୍ଧର ରକ୍ତପାତକୁ ଧାରଣ କରିଥାଏ ଏବଂ ଅତ୍ୟନ୍ତ କଷ୍ଟରେ ଦୁଃଖର ଭାରକୁ ବହନ କରିଥାଏ । ‘ଅଣ୍ଡର୍ ଦି ରୁବଲ୍’ (ଧ୍ୱଂସାବଶେଷ ତଳେ) କବିତାରେ ସେ ଲେଖିଛନ୍ତି, ‘ସେ ତାଙ୍କ ଖଟରେ ଶୋଇଥିଲେ, ଆଉ କେବେହେଲେ ଉଠିଲେ ନାହିଁ ।’ ତାଙ୍କ ବିଛଣା ତାଙ୍କର କବର ପାଲଟିଛି, କୋଠରିର ଛାତ ତଳେ, କୋଠରିର ଛାତ ହିଁ ସ୍ମୃତିସ୍ତମ୍ଭ । କୌଣସି ନାମ ନାହିଁ, ଜନ୍ମ ବର୍ଷ ନାହିଁ କି ମୃତୁ୍ୟବର୍ଷ ମଧ୍ୟ ନାହିଁ । କୌଣସି ସ୍ମୃତିଲେଖ ନାହିଁ । ତାଙ୍କର ପୁରସ୍କୃତ ହୋଇଥିବା ପ୍ରବନ୍ଧଗୁଡ଼ିକ ମଧ୍ୟରୁ ‘ଗାଜାରେ ଖାଦ୍ୟ ପାଇବା ସକାଶେ ମୋ ପରିବାରର ଦୈନନ୍ଦିନ ସଂଘର୍ଷରେ ତାଙ୍କ ସାମ୍ନାରେ ଥିବା ଖାଦ୍ୟକୁ ସେ ଘୃଣା କରୁଥିବା ବିଷୟରେ ଲେଖିଛନ୍ତି ।’ ‘ପ୍ରାୟ ସମସ୍ତେ ଭୋକିଲା’ ପ୍ରବନ୍ଧରେ ସେ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଅର୍ଥନୀତିଜ୍ଞ ଆରିଫ୍ ହୁସେନଙ୍କୁ ଉଦ୍ଧୃତ କରିଛନ୍ତି । ଏହା ଥିଲା ୨୦୨୪ ମସିହାର ଫେବୃଆରୀ ମାସ । ତାଙ୍କ ପରିବାର ଗଧ ଓ କପୋତଙ୍କ ଖାଦ୍ୟରୁ ପ୍ରସ୍ତୁତ ରୁଟି ଖାଇବା ଆରମ୍ଭ କରିଥିଲା । ‘ଏହା ହେଉଛି ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଯାହାକୁ ଆମେ ‘ରୁଟି’ ବୋଲି କହିଥାଉ-ଏହା ହେଉଛି ଠେକୁଆ, ଗଧ ଓ ପାରାମାନଙ୍କ ଖାଦ୍ୟର ମିଶ୍ରଣ’- ତାଙ୍କ ଭାବର ହମଜା ସାମାଜିକ ଗଣମାଧ୍ୟମରେ ଏକଥା ପୋଷ୍ଟ କରିଥିଲେ ।
ଅବରୋଧର ଗୋଟିଏ ବର୍ଷ ପରେ ପ୍ରତି ପାଞ୍ଚ ଜଣରେ ଜଣେ ବ୍ୟକ୍ତି ଅଭୁକ୍ତ ରହୁଛି । ‘ଅଣ୍ଡର୍ ଦି ରୁବଲ୍’ କବିତାରେ ସେ ଲେଖିଛନ୍ତି, ‘ସେ ପିଲାମାନଙ୍କ ପାଇଁ କିଛି ରୁଟି କିଣିବାକୁ ଘରୁ ଯାଇଥିଲେ । ଘରେ ତାଙ୍କ ମୃତ୍ୟୁର ଖବର ପହଞ୍ଚିଲା, କିନ୍ତୁ ରୁଟି ନୁହେଁ! ରୁଟି ନାହିଁ ।’
ମୋସାବଙ୍କୁ ପୁଲିଜର ପୁରସ୍କାର ଏପରି ଏକ ସମୟରେ ମିଳିଲା ଯେତେବେଳେ ଆମେରିକାରେ ପାଲେଷ୍ଟିନୀୟମାନଙ୍କ ସ୍ୱରକୁ ଦମନ କରାଯାଉଛି । ଏପରି ପରିସ୍ଥିତିରେ ତାଙ୍କର ସ୍ୱର ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ପ୍ରତିବାଦଗୁଡ଼ିକ ନିରବ ହୋଇଯାଉଛନ୍ତି, କ୍ରୋଧ ଆଉ ପୂର୍ବପରି ଏତେ ତୀବ୍ର ନାହିଁ । କିନ୍ତୁ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି, ନିରନ୍ତର ।
ସଲମାନ ରୁଶଦି ‘ନାଇଫ୍-ମେଡିଟେସନ୍ସ ଆଫ୍ଟର ଏନ୍ ଆଟେମ୍ପଟେଡ୍ ମର୍ଡର (ଛୁରୀ: ଏକ ହତ୍ୟା ଉଦ୍ୟମ ପରେ ଧ୍ୟାନ)ରେ ଲେଖିଛନ୍ତି, ‘କବିତାଟିଏ ଗୋଟିଏ ଗୁଳିକୁ ଅଟକାଇ ପାରିବ ନାହିଁ । ଅଧିକାଂଶ ଲୋକଙ୍କ ତୁଳନାରେ ପାଲେଷ୍ଟିନୀୟମାନେ ଏକଥାକୁ ଅଧିକ ଭଲ ଭାବରେ ଜାଣିଛନ୍ତି । ମୋସାବ ଚାହାନ୍ତି ଯେ ସେଗୁଡ଼ିକ କେଉଁଠାରେ ପଡ଼ିବେ ଆପଣ ତାହାର ଚିତ୍ରଣ କରନ୍ତୁ । ‘ୟଙ୍ଗର ଦ୍ୟାନ୍ ଦି ୱାର (ଯୁଦ୍ଧର ବୟସ ଠାରୁ ମଧ୍ୟ ସାନ)ରେ ସେ ଲେଖିଛନ୍ତି, ‘ଟ୍ୟାଙ୍କଗୁଡ଼ିକ ଧୂଳି ମଧ୍ୟ ଦେଇ ଗଡ଼ିଥାଆନ୍ତି, ବାଇଗଣବାଡ଼ି ଦେଇ ଆଗେଇ ଥାଆନ୍ତି… ଏବେ ତ ରେଡିଓର ଆବଶ୍ୟକତା ମଧ୍ୟ ନାହିଁ, ଏବେ ଆମେ ହିଁ ତ ଖବର… । ସେତେବେଳେ ମୋତେ ମାତ୍ର ସାତବର୍ଷ- ଯୁଦ୍ଧଠାରୁ କେଇ ଦଶନ୍ଧି ସାନ ଏବଂ ବୋମାଠାରୁ କେଇବର୍ଷ ବଡ଼ ।’ ମୃତ୍ୟୁ ତ ସର୍ବଦା ରହିଛି । ମୁଁ ଶୋଇବା ପୂର୍ବରୁ, ମୃତ୍ୟୁ ସବୁବେଳେ/ମୋ ଝରକା ଉପରେ ବସିଥାଏ / ଗାଜା ହେଉ କି କାଇରୋ । ମୁଁ ଯେତେବେଳେ ଗୋଟିଏ ତମ୍ବୁରେ ରହୁଥିଲି, ସେତେବେଳେ ମଧ୍ୟ ଏହା (ମୃତ୍ୟୁ) ନିଜ ପାଇଁ ଝରକାଟି ତିଆରି କରିବାରେ କେବେ ବ୍ୟର୍ଥ ହୋଇ ନଥିଲା’ ବୋଲି ମୋସାବ ତାଙ୍କର ‘ବିଫୋର୍ ଆଇ ସ୍ଲିପ୍’ (ମୁଁ ଶୋଇବା ପୂର୍ବରୁ)ରେ ଲେଖିଛନ୍ତି । କିନ୍ତୁ ତାଙ୍କର କବିତା ଜୀବନ ଓ ବଞ୍ଚିବା ସଂପର୍କରେ, ଯାହା ଏବେ ଆଉ ନାହିଁ ତାହାର ସ୍ମୃତିକୁ ବଜାୟ ରଖିବା ପାଇଁ- ଧୂଳିସାତ ହୋଇଯିବା ପୂର୍ବରୁ ଗାଜା କ’ଣ ଥିଲା ତାହାର ଦୃଢ଼ ପ୍ରମାଣ । ‘ପାଲେଷ୍ଟିନୀୟ ଗ୍ରାମ’ରେ ସେ ଲେଖିଛନ୍ତି, ‘ତୁମେ ଏକ ଡାଳିମ୍ବ ଗଛପାଖରେ ବେତର ଆରାମ ଚେୟାରରେ ବସିପାରିବ, ଯେଉଁଠାରେ କାନାରୀ ଚଢ଼େଇ ଗୀତ ଗାଇ ଗାଇ କେବେ ଥକିଯାଏ ନାହିଁ । ତାଙ୍କ ପାଠାଗାର ସମ୍ପର୍କରେ (ସେ ଗାଜାର ଏଡ୍ୱାର୍ଡ ସୟଦ ପାଠାଗାରର ପ୍ରତିଷ୍ଠାତା) ଲେଖିଛନ୍ତି, ‘ମୋ ବହିଗୁଡ଼ିକ, ଗତବର୍ଷ ସେମାନଙ୍କୁ ଯେପରି ଛାଡ଼ି ଯାଇଥିଲି ଠିକ୍ ସେହିପରି ଥାକରେ ଅଛନ୍ତି, କିନ୍ତୁ ବହିର ଶବ୍ଦସବୁ ମରିଯାଇଛନ୍ତି ।’ କିମ୍ବା ଓଭାନରେ ଥିବା କେକ୍ ସଂପର୍କରେ ସେ ଥ୍ୟାଙ୍କସ୍ (ଅନ୍ ଦି ଇଭ୍ ଅଫ୍ ମାଇଁ ଟ୍ୱେଣ୍ଟିସେକେଣ୍ଡ୍ ବାର୍ଥଡେ’) (ମୋର ଦ୍ୱାବିଂଶ ଜନ୍ମଦିବସର ଅବ୍ୟବହିତ ପୂର୍ବରୁ) କବିତାରେ କହିଛନ୍ତି, ‘କେବଳ କେଇ ସେକେଣ୍ଡ୍ ପୂର୍ବରୁ ତୀକ୍ଷ୍ଣ ବସ୍ତୁ ଝରକା କାଚକୁ ଖଣ୍ଡବିଖଣ୍ଡିତ କରିଦେଲା ।’ ତାଙ୍କର କବିତା ସଂଗ୍ରହ ‘ଫରେଷ୍ଟ ଅଫ୍ ନଏଜ୍’ ଆପଣଙ୍କୁ ରାତିରେ ଉଜାଗର ରଖିଦେବ । ହରାଇବାର ଦୁଃଖ ଆପଣଙ୍କ ଛାତିରେ ଭାରି ହୋଇ ରହିବ । ସେହିପରି ହେବା ଉଚିତ ମଧ୍ୟ । ‘ବ୍ଲାଙ୍କ ପୋଷ୍ଟକାର୍ଡ’ (ଫାଙ୍କା ପୋଷ୍ଟକାର୍ଡ) ସେ ତାଙ୍କୁ ସ୍ୱପ୍ନରେ ଦେଖା ଯାଉଥିବା ତାଙ୍କ ୧୬ବର୍ଷୀୟ ଭାଇ ହୁଦୟଫାଙ୍କ ପାଇଁ ଏକ କବିତା ଲେଖିଛନ୍ତି । ଯେଉଁ କବରସ୍ଥଳୀରେ ତାଙ୍କୁ କବର ଦିଆଯାଇଥିଲା, ତାହାକୁ ଇସ୍ରାଏଲୀ ସେନାର ବୁଲ୍ଡେୋଜର ଓ ଟ୍ୟାଙ୍କ ଧ୍ୱଂସ କରିଦେଇଛି । ‘ମୁଁ ତୁମକୁ ଏବେ କିପରି ପାଇବି? ମୁଁ ମରିଯିବା ପରେ ମୋ ହାଡ଼ ତୁମ ହାଡ଼କୁ ଖୋଜି ପାଇବ’ ମୋସାବ ଆପଣଙ୍କୁ ତାଙ୍କ କ୍ଷତିର ସାକ୍ଷୀ ହେବାପାଇଁ ବାଧ୍ୟ କରନ୍ତି । ଏହା କରିବା ଅତ୍ୟନ୍ତ ଜରୁରୀ- ତାଙ୍କ ପାଇଁ ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ଆମ ପାଇଁ । ବାଜିରେ ବହୁତ କିଛି ଲାଗିଛି- ବିଶେଷ କରି ଆଶା ।
Comments
0 comments