କଲମଧାରୀ ମୁକ୍ତିଯୋଦ୍ଧା

64 Min Read

ଭାରତର ସ୍ୱାଧୀନତା ସଂଗ୍ରାମରେ ଖବରକାଗଜର ଏକ ବଡ଼ ଭୂମିକା ଥିଲା । ଭାରତର ଅନେକ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ସାମ୍ବାଦିକତାକୁ ସ୍ୱାଧୀନତା ସଂଗ୍ରାମର ଏକ ଆୟୁଧ ଭାବରେ ବ୍ୟବହାର କରିଛନ୍ତି । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସେମିତି କେତେଜଣ ( କଲମଧାରୀ ମୁକ୍ତିଯୋଦ୍ଧା ) ସ୍ୱାଧୀନତା ସଂଗ୍ରାମୀ-ସାମ୍ବାଦିକଙ୍କ ସମ୍ପର୍କରେ ଡ. ମୃଣାଳ ଚାଟାର୍ଜୀଙ୍କର ଏ ଧାରାବାହିକୀ ।

Untitled Design 2

ଭଗତ ସିଂହ

ମାର୍ଚ୍ଚ ୨୩, ୧୯୩୧ରେ ଭଗତ ସିଂହଙ୍କୁ ଯେତେବେଳେ ଫାଶୀ ହେଲା, ସେତେବେଳେ ତାଙ୍କ ବୟସ ଥିଲା ୨୩ ବର୍ଷ । ୧୯୦୭ ମସିହା ସେପ୍ଟେମ୍ବର ୨୮ରେ ପଂଜାବର ଲୟଲପୁର ଜିଲ୍ଲାର ବଙ୍ଗା ଗାଁରେ ତାଙ୍କର ଜନ୍ମ । ଜାଗାଟି ବର୍ତ୍ତମାନ ପାକିସ୍ଥାନରେ ।

ଭଗତ ସିଂହଙ୍କର ପ୍ରଥମ ଲେଖା ଯେତେବେଳେ ଲୋକଲୋଚନକୁ ଆସିଥିଲା, ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୧୬ ବର୍ଷ । ଷୋହଳରୁ ତେଇଶ- ଏଇ ସାତବର୍ଷ ଭିତରେ ସେ ଇଂରାଜୀ, ହିନ୍ଦୀ, ପଞ୍ଜାବୀ, ଉର୍ଦ୍ଦୁ ଆଦି ବିଭିନ୍ନ ଭାଷାରେ ଅନେକ ପ୍ରବନ୍ଧ, ନିବନ୍ଧ, ରିପୋର୍ଟ ଇତ୍ୟାଦି ଲେଖିଛନ୍ତି । ଭଗତ ସିଂହ ବେଶ୍ କେତୋଟି ଖବରକାଗଜରେ କାମ କରିଛନ୍ତି । ମୁକ୍ତବୃତ୍ତି ସାମ୍ବାଦିକ ଭାବେ ବି କାମ କରିଛନ୍ତି । ବିଭିନ୍ନ ଖବରକାଗଜ ପତ୍ରପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶିତ ହୋଇଛି । ଭଗତ ସିଂହଙ୍କର ସାମ୍ବାଦିକତା ଜୀବନ, ତାଙ୍କର ସ୍ୱାଧୀନତା ସଂଗ୍ରାମର ବ୍ରତକୁ ରୁଦ୍ଧିମନ୍ତ କରିଥିଲା ।

୨୩ବର୍ଷ ବୟସରେ ତାଙ୍କର ଦେହାନ୍ତ ହେଲା । ଏତେ କମ୍ ବୟସରେ ଏବଂ ଏତେ କମ ଅବଧିରେ ସେ ଏତେ ଅଭିଜ୍ଞ ଲେଖା ଲେଖି ପାରିବାର ଗୋଟେ କାରଣ ହେଉଛି, ପିଲାବେଳୁ ସେ ବିଭିନ୍ନ ବିଷୟରେ, ବିଶେଷ କରି ବିଭିନ୍ନ ଦେଶର ସ୍ୱାଧୀନତା ସଂଗ୍ରାମ ବିଷୟରେ ବହୁତ ବହି ପଢ଼ିଥିଲେ । ପରବର୍ତ୍ତୀ ସମୟରେ ଏହା ତାଙ୍କର ଦର୍ଶନକୁ ଶାଣିତ କରିଥିଲା ଏବଂ ତାଙ୍କ ଲେଖାକୁ ରୁଦ୍ଧିମନ୍ତ କରିଥିଲା ।

ବ୍ରିଟିଶ ଶାସନ ସମୟରେ ବାକ୍ ସ୍ୱାଧୀନତା ଉପରେ ଅନେକ କଟକଣା ଥିଲା । ଖବରକାଗଜ, ପତ୍ରିପତ୍ରିକା ଉପରେ ପ୍ରଶାସନର କଡ଼ା ନଜର ରହୁଥିଲା । ପ୍ରଶାସନ ବିରୋଧୀ ବା ପ୍ରଶାସନକୁ ପଉଟୁ ନ ଥିବା କିଛି ଲେଖା ପ୍ରକାଶିତ ହେଲେ ଦମନମୂଳକ କାର୍ଯ୍ୟକ୍ରମ କରାଯାଉ ଥିଲା । କିନ୍ତୁ ଏମିତି ପରିସ୍ଥିତିରେ ଭିତରେ ବି ଭଗତ ସିଂହ ଓ ତାଙ୍କର ସହକର୍ମୀମାନେ ଖବରକାଗଜରେ ଲେଖାଲେଖି କରିଛନ୍ତି, ସାମ୍ବାଦିକତା କରିଛନ୍ତି ଏବଂ ସମ୍ବାଦପତ୍ରକୁ ତାଙ୍କର ବୈପ୍ଳବିକ କାର୍ଯ୍ୟକ୍ରମରେ ଆୟୁଧ ଭାବରେ ମଧ୍ୟ ବ୍ୟବହାର କରିଛନ୍ତି । ଭଗତ ସିଂହ ଓ ତାଙ୍କ ସାଥୀମାନେ ଯେଉଁ ଖବରକାଗଜ ଗୁଡ଼ିକରେ କାମ କରୁଥିଲେ ଏବଂ ତାକୁ କାର୍ଯ୍ୟରେ ଲଗାଉଥିଲେ, ତା’ ଭିତରେ ରହିଛି ‘ପ୍ରତାପ’, ‘ବନ୍ଦେ ମାତରମ’, ‘କୀର୍ତ୍ତି’(ପଞ୍ଜାବୀ), ‘ମତୱାଲେ’, ‘ହିନ୍ଦୁସ୍ତାନ ଟାଇମ୍ସ’ ଇତ୍ୟାଦି ।

ଭଗତ ସିଂହ ଅନେକ ଛଦ୍ମ ନାମରେ ବି ଲେଖୁଥିଲେ । ଯେଉଁ ଛଦ୍ମନାମ ସେ ବ୍ୟବହାର କରୁଥିଲେ, ସେ ଭିତରେ ଥିଲା ବଲବନ୍ତ ସିଂହ, ବିଦ୍ରୋହୀ, ବି.ଏସ୍. ସିନ୍ଧୁ ଇତ୍ୟାଦି । ତାଙ୍କର ଜଣେ ସହକର୍ମୀ ଥିଲେ ଭଗବତୀ ଚରଣ ଭୋରା । ସେ ଥିଲେ ଜଣେ ଅତ୍ୟନ୍ତ ମନନଶୀଳ ଲେଖକ । ତାଙ୍କ ପତ୍ନୀ ଦୁର୍ଗା ଦେବୀ ଏବଂ ଭଉଣୀ ସୁଶିଳା- ଏମାନେ ସମସ୍ତେ ସ୍ୱାଧୀନତା ସଂଗ୍ରାମରେ ସାମିଲ ଥିଲେ ଏବଂ ବେଶ୍ କିଛି ଲେଖା ଛଦ୍ମନାମରେ ଭଗତ ସିଂହଙ୍କ ସହିତ ମିଶି ଲେଖିଥିଲେ । ତେଣୁ କହିବା କଷ୍ଟ, କେଉଁ ଲେଖାଟି କିଏ ଲେଖିଥିଲେ କିମ୍ବା କେଉଁ ଲେଖା ଲେଖିବାରେ କିଏ ମୁଖ୍ୟ ଭୂମିକାରେ ଥିଲେ ।

ଲୋକଲୋଚନକୁ ଆସିଥିବା ଭଗତ ସିଂହଙ୍କର ପ୍ରଥମ ପ୍ରବନ୍ଧଟି ଲେଖାଯାଇଥିଲା ୧୯୨୪ରେ, ଯେତେବେଳେ ତାଙ୍କର ବୟସ ମାତ୍ର ୧୬ । ଏ ଲେଖାଟି ପାଇଁ ତାଙ୍କୁ ପଞ୍ଜାବ ହିନ୍ଦୀ ସାହିତ୍ୟ ସମ୍ମିଳନୀରେ ୫୦ ଟଙ୍କା ପୁରସ୍କାର ଦିଆଯାଇଥିଲା । ତାଙ୍କର ପ୍ରଥମ ଲେଖାରୁ ହିଁ ତାଙ୍କର ଚିନ୍ତା ଏବଂ ସାମ୍ପ୍ରଦାୟିକ ସଂପ୍ରୀତି ପ୍ରତି ପ୍ରତିବଦ୍ଧତାର ନିଦର୍ଶନ ଦେଖାଯାଏ ।

ଭଗତ ସିଂହ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ବେଶି ଲେଖୁଥିଲେ । ଗୋଟେ ପତ୍ରିକା ଥିଲା ‘ଚାନ୍ଦ୍’ । ସେଥିରେ ନିଜ ଜୀବନକୁ ବଳି ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଏକ ବିଶେଷ ସଂଖ୍ୟା ପ୍ରକାଶିତ ହୋଇଥିଲା । ଭଗତ ସିଂହ ଏଥିରେ ଲେଖିଥିଲେ । ସେ ଡାନ ବ୍ରିନଙ୍କର ‘ମାଇ ଫାଇଟ୍ ଫର୍ ଆଇରିସ ଫ୍ରିଡମ’କୁ ହିନ୍ଦୀରେ ଅନୁବାଦ କରିଥିଲେ । ଭଗତ ସିଂହ ବିଭିନ୍ନ ଦେଶର ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବିଷୟରେ ପଢ଼ିବା ପାଇଁ ଭଲ ପାଉଥିଲେ । ଏହା ତାଙ୍କ ଚେତନାକୁ ପ୍ରଭାବିତ ଏବଂ ଋଦ୍ଧିମନ୍ତ କରିଥିଲା । ପରବର୍ତ୍ତୀ ସମୟରେ ତାଙ୍କ ଲେଖାରେ- ସେ କେମିତି ସ୍ୱାଧୀନତା ଆଣିବାକୁ ଚାହୁଁଛନ୍ତି, କେଉଁଭଳି ଦେଶର ସ୍ୱପ୍ନ ଦେଖୁଛନ୍ତି, ନ୍ୟାୟ, ସାମ୍ୟ, ସାମ୍ପ୍ରଦାୟିକ ସଂପ୍ରୀତି- ଏ ବିଷୟରେ ତାଙ୍କର ବକ୍ତବ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳେ ।

ସାମ୍ବାଦିକ ଭାବରେ ଭଗତ ସିଂହ ପ୍ରଥମେ କାମ କରିଥିଲେ କାନପୁରରୁ ପ୍ରକାଶିତ ‘ପ୍ରତାପ’ ଖବରକାଗଜରେ । ପରବର୍ତ୍ତୀ ସମୟରେ ସେ ପଞ୍ଜାବର ‘କୀର୍ତ୍ତି’ ପତ୍ରିକାରେ କାମ କରିଛନ୍ତି । ଦିଲ୍ଲୀରେ ସେ ଯେତେବେଳେ ପୋଲିସଠୁ ଲୁଚି ଲୁଚି ରହୁଥିଲେ, ସେତେବେଳେ ‘ବୀର ଅର୍ଜୁନ’ ଖବରକାଗଜରେ ଗୋଟେ କାମ ଯୋଗାଡ଼ କରିଥିଲେ । ସେତେବେଳେ ତାଙ୍କର ଜଣେ ସହକର୍ମୀ ଥିଲେ ସିଦ୍ଧାର୍ଥ ଲଙ୍କର । ସେ କହନ୍ତି ଯେ, ଖବରକୁ ସମ୍ପାଦନା କରିବାରେ ଭଗତ ସିଂହଙ୍କର ବେଶ୍ ଦକ୍ଷତା ଥିଲା । ଏହା ଛଡ଼ା ସେ ବେଶ୍ କିଛି ଖବରକାଗଜରେ ମୁକ୍ତବୃତ୍ତି ସାମ୍ବାଦିକ ଭାବରେ କାମ କରିଛନ୍ତି ।

ଆଉ ଗୋଟିଏ କ୍ଷେତ୍ରରେ ତାଙ୍କର ଲେଖା ଆମେ ଦେଖିବା ପାଇଁ ପାଉ, ତାହା ହେଉଛି ଜେଲ୍ରେ ଥିଲାବେଳେ ବାର୍ତ୍ତା, ମେନିଫେଷ୍ଟ୍, କୋର୍ଟରେ ବୟାନ ମାଧ୍ୟମରେ ଜନସାଧାରଣଙ୍କୁ ବାର୍ତ୍ତା ଦେଉଥିଲେ । ଅନେକ ସମୟରେ ଏ ବିବୃତିଗୁଡିÿକ ଜେଲ୍ ଭିତରେ ସେ ଲେଖୁଥିଲେ । ଭଗତ ସିଂହ ଓ ତାଙ୍କର ସହ ଯୋଦ୍ଧାମାନେ କୋର୍ଟରେ ଦିଆଯାଉଥିବା ବିବୃତି ଜରିଆରେ ଜନସାଧାରଣଙ୍କୁ ତାଙ୍କର ଯାହା କହିବା କଥା, ତାକୁ କହୁଥିଲେ । ଏ ବକ୍ତବ୍ୟଗୁଡ଼ିକ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଖବରକାଗଜରେ ପ୍ରକାଶିତ ହେବା ଯେ ଜରୁରୀ- ଏହା ଭଗତ ସିଂହ ଜାଣିଥିଲେ । ଯେହେତୁ ସେ ଖବରକାଗଜରେ କାମ କରିଥିଲେ, ତେଣୁ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଖବରକାଗଜ କେଉଁଭଳି ଭୂମିକା ନେଇପାରେ, ସେ ବିଷୟରେ ତାଙ୍କର ସ୍ପଷ୍ଟ ଧାରଣା ଥିଲା । ତେଣୁ ଜେଲ୍ ଭିତରୁ ତାଙ୍କର ଏ ବିବୃତିଗୁଡ଼ିକ ଖବରକାଗଜରେ ପହଞ୍ଚାଇବା ଦିଗରେ ସେ ସବୁବେଳେ ଯତ୍ନଶୀଳ ଥିଲେ । କିନ୍ତୁ ଏହା ଆଦୌ ସହଜ କାମ ନଥିଲା ସେତେବେଳେ । ବିବୃତି ସହିତ ସହିତ ଫଟୋଗ୍ରାଫ୍ ଦେବା ବି ଜରୁରୀ, ସେ କଥା ବି ଜାଣିଥିଲେ । କିନ୍ତୁ ସେତେବେଳେ କାରିଗରୀ ଜ୍ଞାନ ଏତେ ଆଗକୁ ଯାଇନଥିଲା, ତେଣୁ ଫଟୋର ପ୍ରିଣ୍ଟ୍ ବାହାର କରିବା ଏବଂ ତାକୁ ଖବରକାଗଜର ସମ୍ପାଦକମାନଙ୍କ ପାଖକୁ ପହଞ୍ଚାଇବା- ଇଏ ଏକ ବିପଦଜ୍ଜନକ କାମ ଥିଲା । ବେଶ୍ କେତେଜଣ ବିପ୍ଳବୀ ଏ କାମ କରିବା ପାଇଁ ଯାଇ ପୋଲିସ ହାତରେ ଧରାପଡିଛନ୍ତି, ଜେଲ୍ ବି ଯାଇଛନ୍ତି । ‘ବନେ୍ଦ ମାତରମ୍’ ଭଳି କେତେକ ଖବରକାଗଜରେ ତାଙ୍କର ବିବୃତି ଓ ଫଟୋଗ୍ରାଫ୍ ପହଞ୍ଚôବା ପରେ ପୋଲିସ ଖବର ପାଇ ଚଢ଼ଉ କରିଥିଲା । ବନ୍ଦେ ମାତରମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଭଗତ ସିଂହଙ୍କର ଯେଉଁ ଟୋପି ପିନ୍ଧା ଫଟୋ ଆମେ ଦେଖୁ, ସେ ଫଟୋ ଉଠା କାହାଣୀ ମଧ୍ୟ ତାଙ୍କ ସାମ୍ବାଦିକତା ଜୀବନ ସହ ସଂଶ୍ଲିଷ୍ଟ । ଯେତେବେଳେ ଜଣାପଡିÿଲା ଯେ, ଭଗତ ସିଂହଙ୍କୁ ଏବେ ଜେଲ୍ ଯିବାକୁ ପଡ଼ିବ, ସେତେବେଳେ ତାଙ୍କ ଛବି ଖବରକାଗଜରେ ଛାପିବା ପାଇଁ ଏକ ଫଟୋ ଉଠାଇବା ପାଇଁ ଚାହିଁଲେ । ଦିଲ୍ଲୀର କାଶ୍ମୀର ଗେଟ୍ ପାଖରେ ଗୋଟେ ଫଟୋ ଷ୍ଟୁଡିଓରେ ଫଟୋ ଉଠାଗଲା । କିନ୍ତୁ ସେ ଫଟୋ ପହଞ୍ଚିବାରେ ବିଳମ୍ବ ହେଇଗଲା । ସେତେବେଳେ ଭଗତ ସିଂହ ଜେଲରେ ପହଞ୍ଚି ସାରିଥିଲେ । ଫଟୋକୁ ଖବରକାଗଜ କାର୍ଯ୍ୟାଳୟରେ ପହଞ୍ଚାଇବା ଥିଲା ଏକ କଷ୍ଟକର କାର୍ଯ୍ୟ, କିନ୍ତୁ ଏଗୁଡ଼ିକ କରାଗଲା । ସେତେବେଳେ ଅନେକ କାଗଜର ସମ୍ପାଦକମାନେ ଏହାକୁ ପ୍ରକାଶ କରିବାକୁ ଇତସ୍ତତଃ ହେଲେ, ତା’ର କାରଣ ହେଲା ପୁଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ‘ବନ୍ଦେ ମାତରମ୍’ କିନ୍ତୁ ଅଗ୍ରଣୀ ଭୂମିକା ନେଇଥିଲା, ଫଟୋକୁ ଛାପିଥିଲା ଏବଂ ପୋଲିସ ତାଙ୍କ କାର୍ଯ୍ୟାଳୟକୁ ଚଢ଼ାଉ କରିଥିଲା ।

ଭଗତ ସିଂହଙ୍କର ଜଣେ ସାଙ୍ଗ ଥିଲେ ଚମନ ଲାଲ୍ । ସେ ମଧ୍ୟ ଭଗତ ସିଂହଙ୍କର କଥାକୁ ସମ୍ବାଦପତ୍ରରେ ପ୍ରକାଶ କରିବା ଦିଗରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଚମନ ଲାଲ୍ ୧୯୨୫ରେ ‘ହିନ୍ଦୁସ୍ତାନ ଟାଇମ୍ସ’ରେ ଯୋଗଦେଲେ, ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୨୨ । ସେତେବେଳକୁ ସେ ପ୍ରଥମେ ‘ଦର୍ପଣ’ ଓ ପରେ ‘ବନ୍ଦେ ମାତରମ୍’ ଖବରକାଗଜରେ କାମ କରିସାରିଥିଲେ । ଉଭୟ ‘ଦର୍ପଣ’ ଓ ‘ବନ୍ଦେ ମାତରମ୍’ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ବଡ଼ ସକ୍ରିୟ ଥିଲା ।

ଭଗତ ସିଂହ ହିନ୍ଦୀ, ଇଂରାଜୀ, ପଂଜାବୀ ଓ ଉର୍ଦ୍ଦୁ- ୪ଟି ଭାଷାରେ ବେଶ୍ ଭଲ ଭାବରେ ଲେଖିପାରୁଥିଲେ, ଅଳ୍ପ ବଙ୍ଗଳା ମଧ୍ୟ ଜାଣିଥିଲେ । ସେ ଲେଖିଥିବା ବହି ଭିତରୁ ଯେଉଁଟା ସବୁଠୁ ଅଧିକ ଚର୍ଚ୍ଚିତ ‘ହ୍ୱାଇ ଆଇ ଆମ ଆନ୍ ଏଥିଷ୍ଟ’ ତାକୁ ପ୍ରଥମେ ଇଂରାଜୀରେ ଲେଖାଯାଇଥିଲା, ପରବର୍ତ୍ତୀ ସମୟରେ ଏହା ବିଭିନ୍ନ ଭାଷାରେ ଅନୁଦିତ ହୋଇଥିଲା ।

ସାମ୍ବାଦିକତା ଭଗତ ସିଂହଙ୍କୁ ଦୁଇଟି ବାଟରେ ତାଙ୍କ ବୈପ୍ଳବିକ ଜୀବନକୁ ରୁଦ୍ଧିମନ୍ତ କରିବାରେ ସାହାଯ୍ୟ କରିଥିଲା । ପ୍ରଥମ ହେଉଛି ସେ ନିଜେ ଅନେକ ପଢିଥିଲେ ଏବଂ ଲେଖିଥିଲେ । ଦ୍ୱିତୀୟ, ତାଙ୍କ କଥାକୁ ଖବରକାଗଜ ଜରିଆରେ ଜନମାନସ, ଜନସାଧାରଣ ନିକଟରେ ପହଞ୍ଚାଇଥିଲେ । ତେଣୁ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପାଇଁ ସାମ୍ବାଦିକ ଭଗତ ସିଂହ ଏକ ଆୟୁଧ ଥିଲେ, ଏକ ବାଟ ଥିଲେ, ଏକ ସୋପାନ ଥିଲେ ।

Untitled Design 4

ମହାତ୍ମା ଗାନ୍ଧୀ

ଭାରତର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବେ ଯୋଗ ଦେବାର ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ – ୩୦ଜାନୁଆରୀ ୧୯୪୮) ବାସ୍ତବରେ ଥିଲେ ଜଣେ ସାମ୍ବାଦିକ । ୧୮୯୩ ମସିହାରେ ଦକ୍ଷିଣ ଆଫ୍ରିକାରେ କିଛି ମାସ ରହିବା ସମୟରେ, ସେଠାରେ ବସବାସ କରୁଥିବା ଭାରତୀୟ ସମୁଦାୟର ଅଧିକାର ପାଇଁ ଲଢ଼େଇ କରିବାକୁ ମୋହନଦାସ କରମଚାନ୍ଦ ଗାନ୍ଧୀ ଜଣେ ସାମ୍ବାଦିକ ହେବାର ଆବଶ୍ୟକତାକୁ ଅନୁଭବ କରିଥିଲେ । ଭାରତୀୟମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ପାଇଁ ଏବଂ ସେମାନଙ୍କ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ସେ ଖବରକାଗଜକୁ ଚିଠି ଲେଖିବା ଓ ସାକ୍ଷାତକାର ଦେବା ଆରମ୍ଭ କରିଥିଲେ । ହେଲେ ସମୟକ୍ରମେ ସେ ଅନୁଭବ କଲେ ଯେ କେବେକେବେ ଲେଖିଲେ ଚଳିବ ନାହିଁ । ଲୋକଙ୍କ ପାଖରେ ନିୟମିତ ପହଞ୍ଚିବାକୁ ଗୋଟିଏ ମୁଖପତ୍ର ଦରକାର । ଏଥିପାଇଁ ସେ ଆରମ୍ଭ କଲେ ‘ଇଣ୍ଡିଆନ୍ ଓପିନିୟନ’ । ଏହାର ପ୍ରଥମ ସଂସ୍କରଣରେ ସେ ଲେଖିଥିଲେ :

‘…ଦକ୍ଷିଣ ଆଫ୍ରିକା ରାଜନୀତିରେ ଭାରତୀୟ ସମୁଦାୟକୁ ମାନ୍ୟତା ଦେବା, ଲୋକଙ୍କ ପାଇଁ ସ୍ୱରୋତ୍ତୋଳନ କରିବା, ବିଶେଷ ଭାବେ ଭାରତୀୟଙ୍କ ପ୍ରତି ସମର୍ପିତ ହେବା – ଏହି ଖବରକାଗଜର ମୁଖ୍ୟ ଉଦେଶ୍ୟ । ଅନ୍ୟଥା ଏହାକୁ ଅନ୍ୟ କିଛି ଭାବେ ଗ୍ରହଣ କରାନଯାଉ, ଏହା ସତ୍ୟ ଯେ, ବହୁ ଦିନର ଆବଶ୍ୟକତା ପୂର୍ଣ୍ଣ ହୋଇଥିବା ଆମେ ଭାବୁଛୁ ।’

ଏଥିସହିତ ଖବରକାଗଜର ସ୍ୱର ଓ କାର୍ଯ୍ୟକ୍ରମକୁ ସେ ନିର୍ଦ୍ଧାରିତ କରିଥିଲେ । ସେତେବେଳେ ସେ କଳ୍ପନା ବି କରିନଥିଲେ ଯେ ଭବିଷ୍ୟତରେ ତାଙ୍କ ନିର୍ଦ୍ଧାରିତ ସ୍ୱର ହେବ ଭାରତୀୟ ସାମ୍ବାଦିକତାର ମୁଖ୍ୟ ସ୍ୱର ।

‘ଇଣ୍ଡିଆନ୍ ଓପିନିୟନ’ ସାପ୍ତାହିକ ଦ୍ୱିଭାଷିକ-ଇଂରାଜୀ ଓ ଗୁଜରାଟୀ ଖବରକାଗଜ । କିଛି ସମୟ ପାଇଁ ଏହା ହିନ୍ଦୀ ଓ ତାମିଲ ଭାଷାରେ ମଧ୍ୟ ପ୍ରକାଶିତ ହୋଇଥିଲା । ଏହା ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟମାନଙ୍କୁ ସପ୍ତାହକର ଖବର ଦଉଥିଲା । ଖବର ସହିତ ଏହା ମାଧ୍ୟମରେ ଗାନ୍ଧୀ ପାଠକଙ୍କୁ ସ୍ୱଚ୍ଛତା, ଆତ୍ମ-ଅନୁଶାସନ ଓ ସୁନାଗରିକତା ବିଷୟରେ ଶିକ୍ଷା ଦେବାର ପ୍ରଚେଷ୍ଟା କରିଥିଲେ । ରାଜନୀତିରେ ଗଣମାଧ୍ୟମ ଓ ଜନତାଙ୍କ ରାୟ କେତେ ମହତ୍ତ୍ୱପୂର୍ଣ୍ଣ ହୋଇପାରେ, ତାହା ଗାନ୍ଧୀ ଏଇ ସମ୍ବାଦପତ୍ର ମାଧ୍ୟମରେ ଜାଣିବାକୁ ପାଇଥିଲେ । ଲିଖିତ ଶବ୍ଦକୁ ପ୍ରଭାବଶାଳୀ ଢଙ୍ଗରେ କିପରି ଉପସ୍ଥାପନ କରିବାକୁ ହୁଏ, ତାହା ସେ ଏଇଠୁ ଶିଖିିଲେ । ଏଇ ସମୟ ଖଣ୍ଡ ଭିତରେ ସେ ତାଙ୍କ ଜୀବନର ସର୍ବୋତ୍ତମ ଗୁଣଗୁଡ଼ିକୁ ଆହରଣ କଲେ । ପ୍ରତିକୂଳ ପରିସ୍ଥିତିକୁ ସାହସର ସହ ସାମ୍ନା କରିବା, ସତ୍ୟ ପ୍ରତି ଅଟଳ, ଅବିଚଳ ରହିବା, ସାର୍ବଜନିକ ସମସ୍ୟାର ସମାଧାନ ଓ ଲକ୍ଷ୍ୟ ହାସଲ ପାଇଁ ନୈତିକ ବଳର ପ୍ରୟୋଗ କରିିବା- ଏସବୁ ସେ ବାସ୍ତବ ଜୀବନରେ ଶିଖିଲେ । ବସ୍ତୁତଃ ‘ଇଣ୍ଡିଆନ୍ ଓପିନିୟନ’ ଓକିଲ-ସାମ୍ବାଦିକ ମୋହନ ଦାସ କରମ୍ ଚାନ୍ଦ ଗାନ୍ଧୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧୀ ଓ ପରିଶେଷରେ ମହାତ୍ମା ଗାନ୍ଧୀ ଭାବେ ଗଢ଼ି ତୋଳିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲା ।

ଗାନ୍ଧିଜୀଙ୍କ ପରିଚାଳନାରେ ‘ଇଣ୍ଡିଆନ୍ ଓପିନିୟନ’ ୧୧ବର୍ଷ ଯାଏ ଚାଲିଲା । ଏହା ଭାରତୀୟଙ୍କ ପ୍ରତି ଦକ୍ଷିଣଆଫ୍ରିକାର ପ୍ରାଦେଶିକ ଶାସକଙ୍କର ଦମନକାରୀ ଆଇନ ବିରୋଧରେ ଚାପ ପ୍ରୟୋଗ କରିଥିଲା । ଏଥିରୁ ଗାନ୍ଧୀ ଗଣମାଧ୍ୟମର ଶକ୍ତିକୁ ଚିହ୍ନିବା ଓ ବିଶ୍ୱାସ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଜୀବନବ୍ୟାପୀ ଏହି ଶକ୍ତିକୁ କାର୍ଯ୍ୟରେ ଲଗାଇଥିଲେ ।

ଦିନେ ତାଙ୍କୁ ବିହାରର ଚମ୍ପାରନରୁ ଡକରା ଆସିଲା, ଯେଉଁଠି ନୀଳ ଚାଷୀମାନେ ଶୋଷଣର ଶିକାର ହେଉଥିଲେ । ଦକ୍ଷିଣ ଆଫ୍ରିକାରେ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ପରି ନୀଳ ଚାଷୀମାନେ ବି ଶୋଷିତ ହେଉଥିଲେ । ସେ ତୁରନ୍ତ ସେଠାକୁ ଯାଇ ଅନୁସନ୍ଧାନ କଲେ ଏବଂ ଗୋଟିଏ ରିପୋର୍ଟ ପ୍ରସ୍ତୁତ କରିଥିଲେ ।

ଏହା ପରେ ପରେ ସଂଯୋଗବଶତଃ ସେ ‘ୟଙ୍ଗ୍ ଇଣ୍ଡିଆ’ର ସମ୍ପାଦକୀୟ ଭାର ଗ୍ରହଣ କରିବା ପାଇଁ ରାଜି ହୋଇଥିଲେ । ଏହା ଥିଲା ୧୯୧୯ ମସିହାର କଥା । ସମାନ୍ତରାଳ ଭାବେ ସେ ‘ନବଜୀବନ’ (ମାସିକ ଗୁଜରାଟୀ ପତ୍ରିକା)ର ସମ୍ପାଦନା କଲେ । ପରବର୍ତ୍ତୀ ସମୟରେ ‘ନବଜୀବନ’ ହିନ୍ଦୀ ଭାଷାରେ ପ୍ରକାଶିତ ହୋଇଥିଲା । ‘ୟଙ୍ଗ ଇଣ୍ଡିଆ’ ଓ ‘ନବଜୀବନ’- ଏହି ଦୁଇଟି ପତ୍ରିକା ମାଧ୍ୟମରେ ସେ ତାଙ୍କ ବିଚାରକୁ ପ୍ରଚାର କରିବା ସହିତ ସତ୍ୟାଗ୍ରହ ସମ୍ପର୍କରେ ଜନତାଙ୍କୁ ଶିକ୍ଷା ଦେଇଥିଲେ । ଅନେକ ଭାରତୀୟ ଭାଷାର ଖବରକାଗଜ ଗାନ୍ଧୀଙ୍କ ଲେଖାକୁ ଅନୁବାଦ କରି ପ୍ରକାଶ କରୁଥିଲେ ।

‘ୟଙ୍ଗ ଇଣ୍ଡିଆ’ ଓ ‘ନବଜୀବନ’ରେ ମହାତ୍ମା ଗାନ୍ଧୀଙ୍କ ସାମ୍ବାଦିକତା ପ୍ରତିଭାର ଅଧିକ ପରିପ୍ରକାଶ ହୋଇଥିଲା । ସରକାର ନ୍ୟାୟ ଓ ଉଚିତ କାର୍ଯ୍ୟ କରିବାକୁ ସେ ବାରମ୍ବାର ନିବେଦନ କରିଥିଲେ । ୧୯୩୨ରେ ଗାନ୍ଧୀ ଦୀର୍ଘ ସମୟ ଯାଏ ଜେଲ୍ରେ ବନ୍ଦୀ ରହିବା କାରଣରୁ ‘ୟଙ୍ଗ୍ ଇଣ୍ଡିଆ’ ଓ ‘ନବଜୀବନ’ ବନ୍ଦ ହୋଇଗଲା ।

୧୯୩୩ ମସିହାରେ ଗାନ୍ଧୀ ଆରମ୍ଭ କଲେ ‘ହରିଜନ’, ‘ହରିଜନ ବନ୍ଧୁ’, ‘ହରିଜନ ସେବକ’ ଯଥାକ୍ରମେ ଇଂରାଜୀ, ଗୁଜରାଟୀ ଓ ହିନ୍ଦୀଭାଷାରେ । ଏହି ସମ୍ବାଦପତ୍ରଗୁଡ଼ିକ ଅସ୍ପୃଶ୍ୟତା, ଦାରିଦ୍ର୍ୟ ଓ ଦେଶର ବିକାଶର ମାର୍ଗ ସମ୍ପର୍କରେ ତାଙ୍କର ବିଚାରର ବାହକ ସାଜିଥିଲା । ଏ ଖବରକାଗଜଗୁଡିକ କୌଣସି ବିଜ୍ଞାପନ ପ୍ରକାଶ କରୁ ନଥିଲା । ଆଉ ବ୍ରିଟିଶ ଶାସନ ଓ ପ୍ରଶାସନର ତୀବ୍ର ସମାଲୋଚନା କରୁଥିଲା ।

ଗାନ୍ଧୀଙ୍କ ଲେଖା ଏବଂ ତାଙ୍କର ସତ୍ୟାଶ୍ରୟୀ ବେସାଲିସ୍ ଆଚରଣ ସମ୍ବାଦପତ୍ରକୁ ସତ୍ୟାଗ୍ରହର ଅସ୍ତ୍ର ଭାବେ ବିକାଶ କରିବା ପାଇଁ ଏକ ନୂତନ ରାସ୍ତା ଦେଖାଇଥିଲା । ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶିତ ଅନେକ ଖବରକାଗଜ ଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗରେ ·ଲିବାକୁ ଲାଗିଲେ । ଗାନ୍ଧୀ ପ୍ରକାରାନ୍ତରେ ଭାରତୀୟ ଗଣମାଧ୍ୟମକୁ ଏକ ଦିଶା ନିର୍ଦ୍ଧେଶ ଦେଇଥିଲେ ।

‘ହରିଜନ’ ଓ ‘ନବଜୀବନ’ ସହିତ କୌଣସି ବି ଖବରକାଗଜର ପ୍ରସାରଣ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ସେ ଆଶା କରି ନଥିଲେ । କିନ୍ତୁ ଗାନ୍ଧୀଙ୍କ ବାର୍ତ୍ତା ପାଇଁ ଲୋକେ ଏତେ ଉନ୍ମୁଖ ଥିଲେ ଯେ ଏହାର ପ୍ରସାରଣ ବହୁ ଗୁଣ ବଢ଼ି ଯାଇଥିଲା । ଗାନ୍ଧୀ ଯେଉଁ ଖବରକାଗଜଗୁଡ଼ିକ ସହିତ ଜଡିÿତ ଥିଲେ, ସେମାନଙ୍କ ମଧ୍ୟରେ କିଛି ସମାନତା ଦେଖାଯାଏ । ୧୯୭୬ ମସିହା ନୂଆଦିଲ୍ଲୀରେ ହୋଇଥିବା ସାମ୍ବାଦିକଙ୍କ ଜାତୀୟ ଫୋରମ୍ ରେ ପ୍ରଫେସର କେ.ସ୍ୱାମିନାଥନ କହିଥିଲେ, ‘ଐତିହାସିକ ପ୍ରେକ୍ଷାପଟ ଅନୁସାରେ ପତ୍ରିକାର ବିଷୟ ଓ ଉପସ୍ଥାପନା ଭିନ୍ନ ହୋଇଥିଲେ ମଧ୍ୟ ସବୁଗୁଡିକ ଗୋଟିଏ ମୂଳମନ୍ତ୍ର ଆଧାରରେ ଚଳୁଥିଲେ: ସତ୍ୟ ଓ ଅହିଂସା ଉପରେ ଗୁରୁତ୍ୱ । ସମସ୍ତଙ୍କ ପାଇଁ ନିରପେକ୍ଷତା ଓ ଜନସ୍ୱାର୍ଥ ହିଁ ଥିଲା ମୂଳ ଲକ୍ଷ୍ୟ । ଏ ସମସ୍ତ ସାର୍ବଜନୀନ ସିଦ୍ଧାନ୍ତ, ନୀତିକୁ ନେଇ ଗାନ୍ଧିଜୀ ବିଚାର କରୁଥିଲେ ଓ କାର୍ଯ୍ୟ କରୁଥିଲେ । ସତ୍ୟ ପ୍ରତି ତାଙ୍କର ଯେଉଁ ଶ୍ରଦ୍ଧା ଥିଲା, ତାହା ତାଙ୍କର ବ୍ୟାବହାରିକ ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଥିଲା ।’ (ଗାନ୍ଧୀ ଓ ଅନ୍ୟ ନିବନ୍ଧର ପ୍ରାସଙ୍ଗିକତା, ଗାନ୍ଧୀଗ୍ରାମ୍ ଟ୍ରଷ୍ଟ)

ଗାନ୍ଧୀଙ୍କର ବିଚାରଧାରା ସହ ତାଙ୍କର ସାମ୍ବାଦିକତା, ସମ୍ପାଦନା, ସ୍ୱାଧୀନତା ସଂଗ୍ରାମ ଓ ସାମାଜିକ ସଂସ୍କାର କାର୍ଯ୍ୟ ଗୋଟିଏ ସୂତ୍ରରେ ବାନ୍ଧି ହୋଇଥିଲା । ତାଙ୍କ ଲେଖାଗୁଡିକ ଗଣ ଆନ୍ଦୋଳନ ସୃଷ୍ଟି କରିଥିଲା । ଜନତାଙ୍କର ସାମୂହିକ ଚେତନାକୁ ଜାଗ୍ରତ କରିଥିଲା । ଇଂରେଜ ସରକାର ଦେଶ ଛାଡିବାକୁ ବାଧ୍ୟ ହେବା ପଛରେ ଏହା ଥିଲା ଏକ ବଡ଼ କାରଣ ।

ଗାନ୍ଧୀଙ୍କ ପୂର୍ବରୁ ବାଲ୍ ଗଙ୍ଗାଧର ତିଲକ ‘କେଶରୀ’ ପରି ଖବରକାଗଜ ମାଧ୍ୟମରେ ଜନ ଆନ୍ଦୋଳନ ପାଇଁ ପ୍ରୟାସ କରିଥିଲେ । ଗାନ୍ଧୀ ଏହାକୁ ଏକ ପୂର୍ଣ୍ଣରୂପ ଦେଲେ ଏବଂ ଏଥିରେ ଅତିରିକ୍ତ ମାତ୍ରା ସଂଯୋଗ କରିଥିଲେ । ଏହି ବହିରେ ସଙ୍କଳିତ ନିବନ୍ଧରେ ନିଖିଲ ଚକ୍ରବର୍ତ୍ତୀ କହନ୍ତି, ‘ଏହା ହିଁ ଥିଲା ଗାନ୍ଧିଜୀଙ୍କ ବିଶିଷ୍ଟ ଅବଦାନ । ଗାନ୍ଧୀ ରାଜନୀତିକୁ ଦେଶର ବିଦଗ୍ଧ ଓ ଚିନ୍ତାଶୀଳ ଲୋକଙ୍କଠାରୁ ସାଧାରଣ ଲୋକଙ୍କ ପାଖକୁ ନେଇଯାଇଥିବା କଥାକୁ ଯେବେ ଐତିହାସିକମାନେ କୁହନ୍ତି, ସେତେବେଳେ ଏଠାରେ କେବଳ ସ୍ୱାଧୀନତାର ମୂଳଦୁଆକୁ ବ୍ୟାପକ କରିବାର ପ୍ରଶ୍ନ ନଥିଲା, ଏଠାରେ କେବଳ ଆନ୍ଦୋଳନରେ ସହଭାଗିତା ଦୃଷ୍ଟିରୁ ସଂଖ୍ୟାରେ ବୃଦ୍ଧି କରିବାର ପ୍ରଶ୍ନ ନ ଥିଲା, ବରଂ ଗୁଣାତ୍ମକ ରୂପରେ ଏକ ଅଲଗା ପ୍ରକାର ଆନ୍ଦୋଳନ ସୃଷ୍ଟି ହୋଇଥିଲା, ଯାହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଥିଲା ।’

ଗାନ୍ଧୀଙ୍କ ସାମ୍ବାଦିକତା ପ୍ରତି ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭାବେ ଉଚ୍ଚାଭିଳାଷ ବିହୀନ ଥିଲା । ତାଙ୍କ ପାଇଁ ନିଜର ଜୀବନ ନିର୍ବାହ ସକାଶେ ଉପାର୍ଜନ କରିବା ପାଇଁ ଏହା କୌଣସି ବ୍ୟବସାୟ ନ ଥିଲା । ଏହା ଥିଲା ଜନତାଙ୍କ ସେବା ପାଇଁ ଏକ ସାଧନ । ସେ ଅନୁଭବ କରିଥିଲେ, ଖବରକାଗଜ ଚଳାଇବା ସମାଜର ସେବା କରିବା ସହ ସମାନ । ଜନକଲ୍ୟାଣ ପାଇଁ ଏହା ବ୍ୟବହାର ହୋଇଥାଏ, ଯଦି କେହି ଉପାର୍ଜନ କରିବା ପାଇଁ ଏହାକୁ ଉପଯୋଗ କରେ, ତେବେ ଖବରକାଗଜ ତା’ର ପ୍ରାଥମିକ ଲକ୍ଷ୍ୟରୁ ବିଚ୍ୟୁତ ହୋଇଯିବ । ଯେତେବେଳେ ଲାଭ କରିବା ପାଇଁ ଖବରକାଗଜକୁ ମାଧ୍ୟମ ଭାବେ ଗ୍ରହଣ କରାଯାଏ, ସେତେବେଳେ ପରିଣାମ ଅତି ଗମ୍ଭୀର ହେବାର ଆଶଙ୍କା ରହିଛି । ସେ ଏହା ବି କହିଛନ୍ତି, ସମ୍ବାଦପତ୍ରର ପ୍ରାଥମିକ କାର୍ଯ୍ୟ ହେଉଛି ଲୋକଙ୍କୁ ଶିକ୍ଷିତ କରିବା ଓ ସମକାଳୀନ ଇତିହାସ ସହ ପରିଚିତ କରିବା ।

ଗାନ୍ଧୀଙ୍କ ସାମ୍ବାଦିକତା ଏବଂ ସାମ୍ବାଦିକତା ସମ୍ପର୍କରେ ତାଙ୍କର ଅବଧାରଣା ଆଜି ମଧ୍ୟ ପ୍ରାସଙ୍ଗିକ । ଜାଲି ଖବର (ଫେକ୍ ନିଉଜ) ଏବଂ ପ୍ରାୟୋଜିତ ଖବରର ଯୁଗରେ ହୁଏତ ଅଧିକ ପ୍ରାସଙ୍ଗିକ ।

Untitled Design 3

ଗଣେଶ ଶଙ୍କର ବିଦ୍ୟାର୍ଥୀ

ଭାରତର ସ୍ୱାଧୀନତା ଆନ୍ଦୋଳନରେ ସମ୍ବାଦପତ୍ରର ଏକ ବଡ଼ ଭୂମିକା ଥିଲା । ଜାତୀୟତାବାଦୀ ସମ୍ବାଦପତ୍ରମାନଙ୍କ ଭିତରୁ କାନପୁରରୁ ପ୍ରକାଶିତ ‘ପ୍ରତାପ’ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ହିନ୍ଦୀରେ ପ୍ରକାଶିତ ଏହି ସମ୍ବାଦପତ୍ରଟି ପ୍ରଥମେ ସାପ୍ତାହିକ ଥିଲା । ପରବର୍ତ୍ତୀ ସମୟରେ ଏହା ଦୈନିକ ହେଲା । ଏ ପତ୍ରିକାଟିକୁ ପ୍ରକାଶ କରିଥିଲେ ଗଣେଶ ଶଙ୍କର ବିଦ୍ୟାର୍ଥୀ ।

ଗଣେଶ ଶଙ୍କର ବିଦ୍ୟାର୍ଥୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସାମାଜିକ ପ୍ରସଙ୍ଗଗୁଡ଼ିକରେ ସେ ଅତ୍ୟନ୍ତ ସକ୍ରିୟତାର ସହିତ ଭାଗ ନେଉଥିଲେ । ମହାତ୍ମା ଗାନ୍ଧୀଙ୍କର ଅହିଂସାବାଦୀ ଚିନ୍ତାଧାରାରେ ତାଙ୍କର ସମର୍ଥନ ଥିଲା । ପୁଣି କ୍ରାନ୍ତିକାରୀମାନଙ୍କ ପ୍ରତି ମଧ୍ୟ ତାଙ୍କର ସମର୍ଥନ ଓ ସହଯୋଗ ଥିଲା । ସେ ତାଙ୍କର ଜୀବନକାଳ ଭିତରେ ବହୁ ସମ୍ବାଦପତ୍ର ସହିତ ଜଡ଼ିତ ଥିଲେ । ବ୍ରିଟିଶ ପ୍ରଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ପୁଣି ଜମିଦାର, ପୁଞ୍ଜିପତି, କାରଖାନା ମାଲିକ ତାଙ୍କ ବିରୁଦ୍ଧରେ ମଧ୍ୟ କୃଷକ ଏବଂ ଶ୍ରମିକଙ୍କର ସ୍ୱାର୍ଥପାଇଁ ସ୍ୱର ଉତ୍ତୋଳନ କରିଥିଲେ । ବହୁବାର ଜେଲ୍ ଯାଇଥିଲେ । ଆଉ ତାଙ୍କର ମୃତ୍ୟୁ ଏକ ଅତ୍ୟନ୍ତ ଦୁଃଖଦ ଭାବରେ ହେଇଥିଲା ଏବଂ ତାହା ଇତିହାସର ଏକ ବଡ଼ ବିଡ଼ମ୍ବନା ହେଇ ରହିଯିବ ।

ଗଣେଶ ଶଙ୍କର ବିଦ୍ୟାର୍ଥୀଙ୍କର ପିତାଙ୍କ ନାଁ ଥିଲା ଜୟ ନାରାୟଣ । ବିଦ୍ୟାର୍ଥୀ ଉପାଧିଟି ସେ ନିଜେ ଗ୍ରହଣ କରିଥିଲେ ଏକ ଉପନାମ ଭାବରେ । କାରଣ ଭାବରେ ସେ ଗୋଟିଏ ଜାଗାରେ ଲେଖିଥିଲେ ଯେ, ଜୀବନସାରା ମୁଁ ବିଦ୍ୟାର୍ଥୀ ହେଇ ରହିବାପାଇଁ ଚାହେଁ ।

ଗଣେଶ ଶଙ୍କରଙ୍କର ଜନ୍ମ ଅକ୍ଟୋବର ୨୬ ତାରିଖ ୧୮୯୦ ଆହ୍ଲାବାଦର ଅତର୍ସୁଇୟା ପାଖରେ । ତାଙ୍କ ପିତାଙ୍କ ନାଁ ଥିଲା ଜୟ ନାରାୟଣ । ସିଏ ଫତେପୁର ଉତ୍ତରପ୍ରଦେଶ ହତ୍ଗାଓଁର ଅଧିବାସୀ ଥିଲେ । ତାଙ୍କ ପରିବାର ଥିଲା ଗରିବ, କିନ୍ତୁ ଧାର୍ମିକ ପ୍ରବୃତ୍ତିର । ତାଙ୍କ ପିତା ଗ୍ୱାଲିୟର ରାଜ୍ୟରେ ମଙ୍ଗାୱଲିରେ ଗୋଟେ ସ୍କୁଲରେ ହେଡ୍ମାଷ୍ଟ୍ର ଥିଲେ । ଗଣେଶ ଶଙ୍କରଙ୍କର ବାଲ୍ୟକାଳ ସେଠି ବିତିଥିଲା । ତାଙ୍କର ପ୍ରାରମ୍ଭିକ ଶିକ୍ଷାଦୀକ୍ଷା ମଧ୍ୟ ସେଠି । ତାଙ୍କ ପ୍ରାରମ୍ଭିକ ଶିକ୍ଷା ଉର୍ଦ୍ଦୁରେ ହୋଇଥିଲା । ଆଉ ୧୯୦୫ରେ ସିଏ ଭେଲ୍ସାରୁ ଇଂରାଜୀ ମାଧ୍ୟମିକ ପରୀକ୍ଷା ପାସ୍ କରନ୍ତି । ୧୯୦୭ରେ ସେ ପ୍ରାଇଭେଟ୍ରେ ପ୍ରବେଶିକା ପରୀକ୍ଷା ପାସ୍ କଲେ ଏବଂ ତା’ପରେ ଆହ୍ଲାବାଦରେ ଉଚ୍ଚତର ଶିକ୍ଷା ପାଇଁ ଆସିଲେ । ଏଇ ସମୟରେ ସାମ୍ବାଦିକତା ପ୍ରତି ତାଙ୍କର ଆଗ୍ରହ ବଢ଼େ ଏବଂ ପ୍ରସିଦ୍ଧ ଲେଖକ ପଣ୍ଡିତ ସୁନ୍ଦରଲାଲଙ୍କ ସହିତ ତାଙ୍କର ହିନ୍ଦୀ ସାପ୍ତାହିକୀ ‘କର୍ମଯୋଗୀ’ରେ ସେ ସମ୍ପାଦନା ପାଇଁ ସାହାଯ୍ୟ କରିବା ପାଇଁ ଲାଗନ୍ତି । ତାଙ୍କର ଆର୍ଥିକ ପରିସ୍ଥିତି ଠିକ୍ ନଥିଲା । ତେଣୁ ପାଖାପାଖି ବର୍ଷେ କାଳ ପଢ଼ିବା ପରେ ୧୯୦୮ରେ ସେ କାନପୁରରେ କରେନ୍ସି ଅଫିସ୍ରେ ୩୦ଟଙ୍କା ଦରମାରେ ଚାକିରି କରିବା ପାଇଁ ଲାଗିଲେ । କିନ୍ତୁ ସେଠି ଜଣେ ଇଂରେଜ ଅଫିସରଙ୍କ ସହିତ ତାଙ୍କର ମନୋମାଳିନ୍ୟ ହେଲା ପରେ ସେ ଚାକିରି ଛାଡ଼ି କାନପୁରର ପୃଥ୍ୱୀନାଥ ହାଇସ୍କୁଲରେ ୧୯୧୦ରେ ଶିକ୍ଷକତାରେ ଯୋଗଦେଲେ । ସେ ସମୟରୁ ସେ ସରସ୍ୱତୀ, କର୍ମଯୋଗୀ, ସ୍ୱରାଜ୍ୟ (ଉର୍ଦ୍ଦୁ) ତଥା ହିତବାର୍ତ୍ତା ଆଦି ପ୍ରକାଶନରେ ଲେଖାଲେଖି କରନ୍ତି । ତାଙ୍କର ମନ ସାମ୍ବାଦିକତା ଏବଂ ସାମାଜିକ କାର୍ଯ୍ୟରେ ସବୁବେଳେ ଥିଲା । ଖୁବ୍ କମ୍ ବୟସରୁ ସେ ସ୍ୱାଧୀନତା ଆନେ୍ଦାଳନ ସହିତ ଯୋଡ଼ି ହେଇଯାଆନ୍ତି । କର୍ମଯୋଗୀ ଏବଂ ସ୍ୱରାଜ୍ୟ ମଧ୍ୟ ଥିଲା ଜାତୀୟତାବାଦୀ କାଗଜ । ସେଥିରେ ସେ ଜାତୀୟତାଧର୍ମୀ ଲେଖାମାନ ଲେଖିବା ପାଇଁ ଲାଗିଲେ । ଏହି ସମୟରେ ସେ ନିଜ ନାମ ସହିତ ବିଦ୍ୟାର୍ଥୀ ଉପନାମଟିକୁ ବ୍ୟବହାର କରିବାକୁ ଲାଗିଲେ ।

ଏହାର କିଛି କାଳ ପରେ ହିନ୍ଦୀ ସାମ୍ବାଦିକତା ଜଗତର ପ୍ରଖ୍ୟାତ ବ୍ୟକ୍ତିତ୍ୱ ପଣ୍ଡିତ ମହାବୀର ପ୍ରସାଦ ଦ୍ୱିବେଦୀ ତାଙ୍କୁ ଜାଣନ୍ତି ଏବଂ ୧୯୧୧ରେ ତାଙ୍କର ସାହିତ୍ୟ ପତ୍ରିକା ‘ସରସ୍ୱତୀ’ରେ ବିଦ୍ୟାର୍ଥୀଙ୍କୁ ଉପ-ସମ୍ପାଦକ ଭାବେ କାର୍ଯ୍ୟ କରିବାପାଇଁ ପ୍ରସ୍ତାବ ଦିଅନ୍ତି । ସେଥିରେ ମଧ୍ୟ କିଛିଦିନ ଗଣେଶ ଶଙ୍କର ବିଦ୍ୟାର୍ଥୀ କାମ କରନ୍ତି । କିନ୍ତୁ ତାଙ୍କର ରୁଚି ସମକାଳୀନ ପ୍ରସଙ୍ଗ ଏବଂ ରାଜନୀତିରେ ବେଶୀ ଥିଲା । ତେଣୁ ସେ ହିନ୍ଦୀ ସାପ୍ତାହିକୀ ‘ଅଭ୍ୟୁଦୟ’ରେ ଚାକିରି କରିବା ପାଇଁ ଲାଗିଲେ ।

୧୯୧୩ରେ ବିଦ୍ୟାର୍ଥୀ କାନପୁର ଫେରିଗଲେ ଏବଂ ସେଠି ଜଣେ ସାମ୍ବାଦିକ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବେ ନିଜ ଜୀବନ ଆରମ୍ଭ କଲେ । ଏହି ସମୟରେ ସିଏ ଏକ କ୍ରାନ୍ତିକାରୀ ଖବରକାଗଜ ‘ପ୍ରତାପ’ ଆରମ୍ଭ କଲେ ଏବଂ ସେଥିରେ ଅନ୍ୟାୟ, ଅତ୍ୟାଚାର, ଉତ୍ପୀଡ଼ନ ବିରୋଧରେ ଲେଖାମାନ ଲେଖିବା ପାଇଁ ଲାଗିଲେ । ‘ପ୍ରତାପ’ ମାଧ୍ୟମରେ ସେ ଶ୍ରମିକ, କୃଷକ ଏବଂ ନିର୍ଯାତିତ ଗରିବ ଦୁଃଖୀମାନଙ୍କ କଥା ଲେଖିବା ପାଇଁ ଲାଗିଲେ ଏବଂ ସେମାନଙ୍କ ସ୍ୱାର୍ଥ ପାଇଁ ସଂଗ୍ରାମ କରିବା ପାଇଁ ଲାଗିଲେ । ନୀଳ ଚାଷୀମାନଙ୍କ ସମସ୍ୟା ଉପରେ ସେ ଧାରାବାହିକ ଭାବେ ଲେଖିଥିଲେ । ଏହାପରେ ଗାନ୍ଧୀ ଚମ୍ପାରନ୍ ଗସ୍ତ କରି ନୀଳ ଚାଷୀମାନଙ୍କ ସମସ୍ୟାକୁ ନେଇ ସତ୍ୟାଗ୍ରହ ଆରମ୍ଭ କଲେ । ସେମିତି ମେୱାରର ବିଜୋଲିଆରେ ଚାଷୀ ଆନ୍ଦୋଳନ ସମ୍ପର୍କରେ ଲେଖି ସେ ଏହାକୁ ଲୋକଲୋଚନକୁ ଆଣିଥିଲେ । ଏ ସମୟରେ ସରକାର ତାଙ୍କ ଉପରେ ବେଶ୍ କେତେଗୁଡ଼ିଏ ମକଦ୍ଦମା କଲେ, ଜୋରିମାନା କଲେ, କେଇଥର ତାଙ୍କୁ ଗିରଫ କରି ଜେଲ୍ ମଧ୍ୟ ପଠା ଯାଇଥିଲା ।

୧୯୧୬ରେ ତାଙ୍କର ମହାତ୍ମା ଗାନ୍ଧୀଙ୍କ ସହିତ ସାକ୍ଷାତ ହୁଏ, ଆଉ ତା’ପରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଧୀନତା ଆନ୍ଦୋଳନରେ ସମର୍ପିତ କରିଦିଅନ୍ତି । ଗାନ୍ଧୀଙ୍କର ଅହିଂସା ଆନ୍ଦୋଳନକୁ ସେ ଆଦରି ନିଅନ୍ତି । ୧୯୧୭-୧୮ରେ ହୋମ୍ରୁଲ୍ ବିରୋଧରେ ଯେଉଁ ଆନ୍ଦୋଳନ ହେଲା, ସେଥିରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । କାନପୁରରେ ଲୁଗାକଳର ଶ୍ରମିକମାନଙ୍କର ଆନ୍ଦୋଳନରେ ମଧ୍ୟ ନେତୃତ୍ୱ ନେଇଥିଲେ । ୧୯୨୦ରେ ‘ପ୍ରତାପ’ ଖବରକାଗଜଟି ଦୈନିକ ହେଲା । ଏବଂ ସେହି ବର୍ଷ ରାୟବରେଲିର କୃଷକମାନଙ୍କ ସ୍ୱାର୍ଥ ପାଇଁ ସଂଗ୍ରାମ କରିବା ଅପରାଧରେ ତାଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଭୋଗ କରିବାକୁ ପଡ଼ିଲା । ୧୯୨୨ରେ ବିଦ୍ୟାର୍ଥୀ ଜେଲ୍ରୁ ମୁକୁଳିଲେ । କିନ୍ତୁ ତା’ର ଅଳ୍ପ ଦିନ ପରେ ସରକାର ବିରୋଧୀ ଭାଷଣ ଦେବା ଅଭିଯୋଗରେ ସରକାର ପୁଣି ତାଙ୍କୁ ଗିରଫ କଲେ ଏବଂ ତାଙ୍କୁ ଜେଲ୍ ଦଣ୍ଡ ଭୋଗିବା ପାଇଁ ପଡ଼ିଲା । ୧୯୨୪ରେ ସେ ପୁଣି ଜେଲ୍ରୁ ମୁକୁଳିଲେ । ସେତେବେଳକୁ ତାଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ହେଇଯାଇଥିଲା । ତଥାପି ସେ କଂଗ୍ରେସର କାନପୁର ଅଧିବେଶନ ଆୟୋଜନରେ ଲାଗିପଡ଼ିଲେ । ୧୯୨୫ରେ କାନପୁର ଅଧିବେଶନରେ କଂଗ୍ରେସ ରାଜ୍ୟ ବିଧାନସଭା ନିର୍ବାଚନରେ ଭାଗ ନେବାପାଇଁ ନିଷ୍ପତ୍ତି ନେଲେ । ଗଣେଶ ଶଙ୍କର ବିଦ୍ୟାର୍ଥୀ କାନପୁରରୁ ଉତ୍ତରପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ଲଢ଼ିଲେ ଏବଂ ଜିତିଲେ । ୧୯୨୯ରେ କିନ୍ତୁ କଂଗ୍ରେସ ବିଧାନସଭା ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ଏବଂ ବିଦ୍ୟାର୍ଥୀ ମଧ୍ୟ ତାଙ୍କର ତ୍ୟାଗପତ୍ର ଦେଇଦେଲେ । ୧୯୨୯ରେ ସେ ୟୁପି କଂଗ୍ରେସ ସମିତିର ଅଧ୍ୟକ୍ଷ ନିର୍ବାଚିତ ହେଲେ ଏବଂ ୟୁପିରେ ସତ୍ୟାଗ୍ରହ ଆନେ୍ଦାଳନର ନେତୃତ୍ୱର ଦାୟିତ୍ୱ ତାଙ୍କୁ ଦିଆଗଲା । ୧୯୩୦ରେ ତାଙ୍କୁ ପୁଣି ଥରେ ଗିରଫ କରି ଜେଲ୍ ଦଣ୍ଡ ଦିଆଗଲା । ଗାନ୍ଧୀ-ଇରୱିନ ପ୍ୟାକ୍ଟ ହେଲା ପରେ ୧୯୩୧ ମାର୍ଚ୍ଚରେ ସେ ଜେଲ୍ରୁ ମୁକୁଳିଲେ ।

୧୯୩୧ ମାର୍ଚ୍ଚ ୨୩ରେ ଲାହୋରରେ ଭଗତ ସିଂହ, ସୁଖଦେବ ଆଉ ରାଜଗୁରୁଙ୍କ ଫାସି ହେଲା । ତାର ଠିକ୍ ଦୁଇଦିନ ପରେ ମାର୍ଚ୍ଚ ୨୫ରେ କାନପୁରରେ ଭୟଙ୍କର ହିନ୍ଦୁ-ମୁସଲିମ ଦଙ୍ଗା ହେଲା । ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହେଲା । ଗଣେଶ ଶଙ୍କର ବିଦ୍ୟାର୍ଥୀ ଏ ଦଙ୍ଗାକୁ ବନ୍ଦ କରିବା ପାଇଁ, ଦଙ୍ଗାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ବଞ୍ଚେଇବା ପାଇଁ ଭିଡ଼ ଭିତରକୁ ଚାଲିଗଲେ । ଅନେକ ଲୋକଙ୍କର ଜୀବନ ସେ ବଞ୍ଚେଇ ପାରିଲେ । କିନ୍ତୁ ଏଇ ସମୟରେ ସେ ଏକ ହିଂସାତ୍ମକ ଭିଡ଼ ଭିତରେ ପଡ଼ିଗଲେ ଏବଂ ତାଙ୍କୁ ଅତ୍ୟନ୍ତ କ୍ରୁରତାର ସହିତ ହତ୍ୟା କରାଗଲା । କୁହାଯାଏ ଯେ, ତାଙ୍କ ହତ୍ୟାକାଣ୍ଡର କେଇଦିନ ପରେ ତାଙ୍କର କ୍ଷତବିକ୍ଷତ ମୃତଦେହକୁ ଉଦ୍ଧାର କରାଯାଇଥିଲା । ସେତେବେଳେ ତାଙ୍କୁ ମାତ୍ର ୪୦ବର୍ଷ ବୟସ ।

ଯିଏ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ, ଲୋକଙ୍କ ଜୀବନ ବଞ୍ଚେଇବା ପାଇଁ ଦଙ୍ଗା ଭିତରକୁ ପଶି ଦଙ୍ଗାକୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲେ , ସିଏ ଏ ଧାର୍ମିକ ହିଂସାର ବଳି ହେଇଗଲେ । ଏହା ଇତିହାସର ଏକ ବିଡ଼ମ୍ବନା । ତାଙ୍କୁ ମୃତ୍ୟୁ ସମ୍ପର୍କରେ ମହାତ୍ମା ଗାନ୍ଧୀ ଲେଖିଥିଲେ: ଏହା ଏକ ଗୌରବୋଜ୍ଜ୍ୱଳ ମୃତ୍ୟୁ ।

ଗଣେଶ ଶଙ୍କର ବିଦ୍ୟାର୍ଥୀଙ୍କର ଜୀବନ ଏବଂ ମୃତୁ୍ୟ ଉଭୟ ପରବର୍ତ୍ତୀ ପିଢ଼ି ପାଇଁ ଏକ ଶିକ୍ଷା । ତାଙ୍କର ଜୀବନ ଏକ ଆଦର୍ଶ । ସାମ୍ବାଦିକତାକୁ ଦେଶ ହିତରେ, ସମାଜର ହିତରେ, ନିର୍ଯାତିତ, ନିଷ୍ପେଷିତ ଲୋକମାନଙ୍କ ସ୍ୱାର୍ଥରେ, କୃଷକ, ଶ୍ରମିକଙ୍କ ସ୍ୱାର୍ଥରେ କେମିତି ବ୍ୟବହାର କରିବା ପାଇଁ ପଡ଼େ, ‘ପ୍ରତାପ’ ତାହାର ଏକ ନିଦର୍ଶନ । ଗଣେଶ ଶଙ୍କର ବିଦ୍ୟାର୍ଥୀ ତା’ର ଏକ ନିଦର୍ଶନ । ତାଙ୍କର କୋଡ଼ିଏ ବର୍ଷର ସାମ୍ବାଦିକ ଜୀବନ ଭିତରେ ପାଞ୍ଚ ଥର ତାଙ୍କୁ କାରାବାସ ହୋଇଛି । ସେଥିରୁ ତିନିଥର କାରାବାସର କାରଣ ହେଲା ସରକାରଙ୍କ ପାଇଁ ଆପତ୍ତିକର ଲେଖା ପ୍ରକାଶ । ଆଉ ଦୁଇଥର ସରକାର ବିରୋଧୀ କାର୍ଯ୍ୟକଳାପ ପାଇଁ । ବହୁଥର ସେ ତାଙ୍କ ଖବରକାଗଜ ମାଧ୍ୟମରେ ସାମ୍ପ୍ରଦାୟିକତା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ତାଙ୍କ ସମ୍ବାଦପତ୍ରଟି ଥିଲା ଜାତୀୟତାବାଦୀ ଆନ୍ଦୋଳନର ମୁଖପତ୍ର ପରି । ଭଗତ ସିଂହ ଏଥିରେ କିଛିଦିନ କାମ କରିଥିଲେ । ଆଉ ବଲବନ୍ତ ସିଂହ ଛଦ୍ମନାମରେ ଲେଖାମାନ ଲେଖୁଥିଲେ । ରାମପ୍ରସାଦ ବିସ୍ମିଲ୍ ଙ୍କ ଆତ୍ମଜୀବନୀକୁ ଗଣେଶ ଶଙ୍କର ବିଦ୍ୟାର୍ଥୀ ପ୍ରକାଶ କରିଥିଲେ । କାକୋରୀ ଲୁଣ୍ଠନ ପରେ ଲୁଚି ବୁଲୁଥିବା ଆସ୍ଫାକତୁଲ୍ଲା ଖାନ୍ ଙ୍କୁ ସେ ଗୋପନରେ ଅର୍ଥ ସାହାଯ୍ୟ କରୁଥିଲେ । ଭଗତ୍ ସିଂହ ଏବଂ ତାଙ୍କ ସାଥୀମାନେ ଲାହୋର ଜେଲ୍ ରେ ଥିଲାବେଳେ ସେ ସେମାନଙ୍କୁ ସାକ୍ଷାତ କରିଥିଲେ ଏବଂ ଜେଲଖାନା ଭିତରେ ସେମାନେ ଚଳାଇଥିବା ଅନଶନ ଆନ୍ଦୋଳନ ବିଷୟରେ ଲେଖିଥିଲେ ।

Untitled Design 6

ମୌଲାନା ଆବୁଲ କଲାମ ଆଜାଦ

ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ମୌଲାନା ଆବୁଲ କଲାମ ଆଜାଦଙ୍କ ସାମ୍ବାଦିକତା ସହିତ ବଡ଼ ଘନିଷ୍ଠ ସମ୍ପର୍କ ଥିଲା । ସ୍ୱାଧୀନତା ସଂଗ୍ରାମ, ଜାତୀୟତାବାଦ, ହିନ୍ଦୁ ମୁସଲିମ୍ ଐକ୍ୟ ଏବଂ ଉର୍ଦ୍ଦୁ ଭାଷା ଓ ସାହିତ୍ୟର ଉନ୍ନତି – ଏ ଚାରୋଟି ତାଙ୍କ ସାମ୍ବାଦିକତାର ପ୍ରଧାନ ଉଦ୍ଦେଶ୍ୟ ଥିଲା ।

ଆବୁଲ କଲାମ ଆଜାଦ୍ ଙ୍କ ଜନ୍ମ ହେଇଥିଲା ୧୮୮୮ ନଭେମ୍ବର ୧୧ ମସିହାରେ । ତାଙ୍କ ବାପା ମୌଲାନା ଖୈରୁଦ୍ଦିନ୍ ବଙ୍ଗପ୍ରଦେଶର କୋଲକାତାରେ ମୁସଲମାନମାନଙ୍କର ଜଣେ ଧାର୍ମିକ ନେତା ଭାବେ ବେଶ୍ ମାନ୍ୟତା ପାଉଥିଲେ ।

ପିଲାଦିନୁ ଆଜାଦ୍ ପାର୍ସୀ, ଉର୍ଦ୍ଦୁ ଏବଂ ଆରବି- ଏ ତିନୋଟି ଭାଷା ଶିଖିଥିଲେ । ବାପାଙ୍କ ଭଳି ଧାର୍ମିକ ନେତା ହେବେ-ଏଇ ଭାବରେ ତାଙ୍କୁ ଶିକ୍ଷା ଦିଆଯାଉଥିଲା । କିନ୍ତୁ ଧାର୍ମିକ ଶିକ୍ଷାଦୀକ୍ଷାର ଗଣ୍ଡି ଭିତରେ ସେ ନିଜକୁ ସୀମିତ ରଖିନଥିଲେ । ନିଜ ପ୍ରଚେଷ୍ଟାରେ ସେ ଇଂରାଜୀ ମଧ୍ୟ ଶିଖିଥିଲେ । ତାଙ୍କର ମେଧା ଏବଂ ବିଶ୍ଲେଷଣୀ କ୍ଷମତା ବହୁତ କମ୍ ବୟସରୁ ତାଙ୍କୁ କୌଣସି ପ୍ରକାର ଧାର୍ମିକ ଋଢ଼ିବାଦ ଉପରକୁ ନେଇ ଯାଇଥିଲା ।

ଯେତେବେଳେ ତାଙ୍କର ବୟସ ମାତ୍ର ୧୧ , ସେତେବେଳେ ସେ ଗୋଟେ ପତ୍ରିକା ପ୍ରକାଶ କରିଥିଲେ, ‘ନଇରଙ୍ଗ-ଏ-ଆଲମ୍’ । ଏ ପତ୍ରିକାରେ ତାଙ୍କର ଏବଂ ଅନ୍ୟାନ୍ୟମାନଙ୍କର ଲେଖା (ବିଶେଷକରି କବିତା) ପ୍ରକାଶ ପାଉଥିଲା ।

ତାଙ୍କୁ ଯେତେବେଳେ ୧୫ବର୍ଷ, ସେତେବେଳକୁ ସେ ଉର୍ଦ୍ଦୁ ବିଦଗ୍ଧ ସମାଜରେ ଜଣେ କବି ଏବଂ ଅନୁବାଦକ ଭାବେ ପ୍ରସିଦ୍ଧି ଅର୍ଜନ କରିସାରିଲେଣି । ୧୯୦୩ରେ ସେ ଗୋଟେ ମାସିକ ପତ୍ରିକା ବାହାର କରିଥିଲେ ‘ଲିସାନାସ୍ସିଦ୍’ । ଏହାର ଉଦ୍ଦେଶ୍ୟ ଥିଲା-ମୁସଲମାନମାନଙ୍କ ଭିତରେ ସାମାଜିକ ସଂସ୍କାର, ଉର୍ଦ୍ଦୁର ଉନ୍ନତି, ଉର୍ଦ୍ଦୁ ସାହିତ୍ୟର ବିକାଶ ଏବଂ ଶିକ୍ଷା ଜରିଆରେ ବଙ୍ଗପ୍ରଦେଶର ବିକାଶ । ଏ ପତ୍ରିକାଟି ଅନିୟମିତ ଥିଲା ଏବଂ ୧୯୦୪ବେଳକୁ ଏ ବନ୍ଦ ହୋଇଗଲା ।

୧୯୦୪ ମସିହାରେ ସେ ଗୋଟେ ସାପ୍ତାହିକୀ ପ୍ରକାଶ କଲେ ‘ଆଲ୍ ମିସ୍ବା’ । ଏଥିରେ ସେ ଜାତୀୟ ଐକ୍ୟ, ଦେଶ ପ୍ରତି ପ୍ରତିବଦ୍ଧତା ଇତ୍ୟାଦି ବିଷୟରେ ଲେଖିବା ଆରମ୍ଭ କଲେ । ସେ ସମୟର ବେଶ୍ ଖ୍ୟାତନାମା ଉର୍ଦ୍ଧୁ ପତ୍ରିକା ‘ମଖାଜାନ୍’ ଏବଂ ‘ଆସୁଲ ଆକବର’ରେ ବି ସେ ଲେଖାଲେଖି ଆରମ୍ଭ କଲେ ।

ଏହି ସମୟରେ ସେ ଇଜିପ୍ଟ, ଇରାନ୍ ଏବଂ ତୁର୍କୀ ଯାଆନ୍ତି ଏବଂ ବିଭିନ୍ନ ଦେଶର ନେତାମାନଙ୍କ ସହ ତାଙ୍କର ସାକ୍ଷାତ ହୁଏ । ସେଠିକାର ବିଦଗ୍ଧ ମଣ୍ଡଳୀଙ୍କ ସହିତ ତାଙ୍କର ସାକ୍ଷାତ ହୁଏ । ବ୍ରିଟିଶ ଉପନିବେଶବାଦ କେମିତି ମୁସଲମାନଙ୍କର ସ୍ୱାର୍ଥ ବିରୋଧୀ ଏବଂ ବିଶ୍ୱର ମୁସଲମାନମାନେ ବ୍ରିଟିଶ ଶାସନର ବିରୋଧ କରିବା ଉଚିତ ବୋଲି ଏ ଗସ୍ତକାଳରେ ତାଙ୍କର ହୃଦବୋଧ ହେଲା ।

ଭାରତ ଫେରିଆସିବା ପରେ ୧୯୧୨ ଜୁନ୍ ପହିଲାରେ ସେ ପ୍ରକାଶ କରନ୍ତି ‘ଅଲ୍-ହିଲାଲ୍’ ପତ୍ରିକା । ଆରବୀ ଭାଷାରେ ‘ଅଲ୍-ହିଲାଲ୍’ର ଅର୍ଥ ହେଲା କ୍ରମବର୍ଦ୍ଧମାନ ଜହ୍ନ । ଅମାବାସ୍ୟା ପରେ ନୂଆ କରି ଯେଉଁ ଜହ୍ନ ଦେଖାଯାଏ-ତାକୁ ବି ଅଲ୍-ହିଲାଲ କହନ୍ତି । ଏହା ଇସ୍ଲାମିକ୍ ମାସର ଆରମ୍ଭର ସୂଚକ । ଏ ପତ୍ରିକାଟି ତାର ବିଷୟ, ଦୃଷ୍ଟିଭଙ୍ଗୀ, ଉପସ୍ଥାପନା ଏବଂ ଭାଷାର ବ୍ୟବହାର ପାଇଁ ଉର୍ଦ୍ଦୁ ସାମ୍ବାଦିକତା ଜଗତରେ ଏକ ମାଇଲଖୁଣ୍ଟ ସିଦ୍ଧ ହେଲା । ପତ୍ରିକାଟି ଖୁବ୍ ଶୀଘ୍ର ଜନପ୍ରିୟ ହେଇଉଠିିଲା, ବିଶେଷ କରି ମୁସଲିମ୍ ବିଦଗ୍ଧମଣ୍ଡଳୀରେ । ତେବେ ସରକାର -ବିରୋଧୀ ଲେଖାପାଇଁ ତାଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଗଲା । ତଥାପି ‘ଅଲ-ହିଲାଲ୍’ ତା’ର ଆଭିମୁଖ୍ୟରୁ ବିଚ୍ୟୁତ ନହେବାରୁ ସରକାର ୧୯୧୪ରେ ଅଲ୍-ହିଲାଲ୍ ପ୍ରେସ୍କୁ ବାଜ୍ୟାପ୍ତ କଲେ । ସେତେବେଳକୁ ଏହାର ପ୍ରସାରଣ ସଂଖ୍ୟା ୨୯ହଜାରକୁ ବୃଦ୍ଧି ପାଇଥିଲା । ୧୯୧୪ରେ ଭାରତର ସାକ୍ଷରତା ହାର ଯେତେବେଳେ ମାତ୍ର ୫ରୁ ୭ଶତାଂଶ; ସେ ସମୟରେ ଏହା ଏକ ବିପୁଳ ପ୍ରସାରଣ ବୋଲି ଧରାଯାଇପାରେ ।

ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ‘ଅଲ୍-ହିଲାଲ୍’ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ଏକ ନୂଆ ଜାଗରଣ ଆଣି ଦେଇଥିଲା । ଉର୍ଦ୍ଦୁ ସାମ୍ବାଦିକତାରେ ଆଧୁନିକତା ଆଣିବାରେ ଏହା ଏକ ବଡ଼ ଭୂମିକା ଗ୍ରହଣ କରିଥିଲା । ‘ଅଲ୍-ହିଲାଲ୍’ରେ ସାମ୍ବାଦିକମାନଙ୍କର ଏକ ଦଳ କାମ କରୁଥିଲା ଏବଂ ଏହା ଏକ ଦଳଗତ ପ୍ରଚେଷ୍ଟା ଥିଲା । ଅବଦୁଲା ଇମାଦୀ, ହମିଦ୍ ଅଲ୍ଲୀ ସିଦ୍ଦିକି, ସୈଦ୍ ସୁଲେମାନ ନଖ୍ମୀରଙ୍କ ଭଳି ସାମ୍ବାଦିକମାନେ ଏଥିରେ କାମ କରୁଥିଲେ । ଏହାର ମୁଦ୍ରଣ ପ୍ରଣାଳୀ ସେ ସମୟକୁ ଦେଖିଲେ ବେଶ୍ ଆଧୁନିକ ଥିଲା । ଏଥିରେ ସେ ସମୟରେ ଫଟୋଚିତ୍ର ଛପା ହେଉଥିଲା । ମୌଲାନା ଏଥିରେ ବ୍ୟଙ୍ଗଚିତ୍ର ବି ଛାପିବା ପାଇଁ ଚାହୁଁଥିଲେ । କିନ୍ତୁ ସେତେବେଳେ ଏ କାଗଜରେ ଆଙ୍କିବା ପାଇଁ ବ୍ୟଙ୍ଗ ଚିତ୍ରଶିଳ୍ପୀ ମିଳୁନଥିଲେ; ସେକଥା ସେ ଅଲ-ହିଲାଲ୍ରେ ବି ଲେଖିଛନ୍ତି । ମୋଟାମୋଟି ଭାବେ କହିବା ପାଇଁ ଗଲେ ଯେ, ଏକ ଆଧୁନିକ ପେସାଦାର ଖବରକାଗଜ ଭାବରେ ‘ଅଲ୍-ହିଲାଲ୍’ ଏକ ମାନଦଣ୍ଡ ସ୍ଥିର କରିଦେଇଥିଲା ।

‘ଅଲ୍-ହିଲାଲ୍’ ପତ୍ରିକାରେ ବ୍ରିଟିଶ ପ୍ରଶାସନକୁ ସାହାଯ୍ୟ କରୁଥିବା, ତାଙ୍କ ପ୍ରତି ସହାନୁଭୂତି ରଖୁଥିବା ମୁସଲମାନମାନଙ୍କୁ ମଧ୍ୟ ସମାଲୋଚନା କରାଯାଉଥିଲା । ‘ଅଲ୍-ହିଲାଲ୍’ରେ ଭାରତୀୟ ମୁସଲମାନଙ୍କ ଭିତରେ ଜାତୀୟତାବାଦ ସୃଷ୍ଟିର ଏକ ପ୍ରଚ୍ଛନ୍ନ ପ୍ରଚେଷ୍ଟା ଥିଲା । ଯେହେତୁ ‘ଅଲ୍-ହିଲାଲ୍’ ବ୍ରିଟିଶ ସରକାର ଏବଂ ପ୍ରଶାସନ ବିରୋଧରେ ଲେଖୁଥିଲା, ବେଶ୍ କେତେକ ଇଂରାଜୀ ଖବରକାଗଜ (ତା’ ଭିତରୁ ପାୟୋନିୟର ଥିଲା ଅନ୍ୟତମ) ଏବଂ ଇଂରେଜ ପ୍ରଶାସନ ପ୍ରତି ଅନୁକୂଳ ମନୋଭାବ ରଖୁଥିବା ଖବରକାଗଜ ‘ଅଲ-ହିଲାଲ୍’ର ବିରୋଧୀ ହୋଇ ଉଠିଥିଲେ । ୧୮ ନଭେମ୍ବର ୧୯୧୪ରେ ‘ଅଲ୍-ହିଲାଲ୍’ ବନ୍ଦ ହୋଇଗଲା ।

ଏହାର କେଇ ମାସ ପରେ ମୌଲାନା ଆବୁଲ କଲାମ ଆଉ ଗୋଟେ ପତ୍ରିକା ପ୍ରକାଶ କଲେ, ତା ନାଁ ଥିଲା ‘ଅଲ୍-ବଲଗ୍’ । ଆରବି ଭାଷାରେ ଏହାର ଅର୍ଥର୍ ହେଲା- ବାର୍ତ୍ତା । ଏ ପତ୍ରିକାଟି ମୁଖ୍ୟତଃ ଥିଲା ଧାର୍ମିକ । କୁହାଯାଉଥିଲା ଯେ, ଏ ପତ୍ରିକାଟିରେ ମୁଖ୍ୟତଃ ଧର୍ମ ସମ୍ବନ୍ଧୀୟ ଲେଖା ବାହାରିବ । ରାଜନୀତି ସମ୍ପର୍କରେ ଏତେ ଲେଖା ରହିବ ନାହିଁ । କିନ୍ତୁ କ୍ରମଶଃ ଦେଖାଗଲା ଯେ, ଧାର୍ମିକ ଲେଖାର ଅଢୁଆଳରେ ଏହା ରାଜନୈତିକ ଲେଖା ହିଁ ଲେଖୁଛି ଏବଂ ପ୍ରଶାସନ ବିରୋଧୀ ଲେଖା ହିଁ ଲେଖୁଛି । ଖୁବ୍ ଶୀଘ୍ର ବ୍ରିଟିଶ ପ୍ରଶାସନ ଏକଥା ବୁଝିପାରିଲେ ଯେ, ‘ଅଲ୍-ବଲାଗ୍’ ମଧ୍ୟ ‘ଅଲ୍-ହିଲାଲ୍’ ପରି ପ୍ରଶାସନ ବିରୋଧରେ ଲେଖୁଛି । ତେଣୁ ବ୍ରିଟିଶ ପ୍ରଶାସନ ପକ୍ଷରୁ ମୌଲାନା ଆଜାଦ୍ଙ୍କୁ ରାଜ୍ୟ ଛାଡ଼ିବାର ଆଦେଶ ଦିଆଗଲା । ଅନ୍ୟାନ୍ୟ ବହୁ ରାଜ୍ୟ ମଧ୍ୟ ସେ ଆଦେଶ ଲାଗୁ କଲେ । କେବଳ ବିହାରରେ ଏଭଳି ଆଦେଶ ଦିଆଯାଇ ନଥିଲା । ସେ ବିହାର ଗଲେ ଏବଂ ରାଞ୍ଚିରେ ତାଙ୍କୁ ଗୃହବନ୍ଦୀ କରି ରଖାଗଲା । ସେ ଗୃହବନ୍ଦୀ ଥିବା ଅବସ୍ଥାରେ ୧୯୧୬ ବେଳକୁ ‘ଅଲ-ବଲାଗ୍’ ବନ୍ଦ ହୋଇଗଲା ।

ନିଜ ପ୍ରକାଶିତ ସମ୍ବାଦପତ୍ର ଓ ପତ୍ରପତ୍ରିକା ଛଡ଼ା ମୌଲାନା ଆବୁଲ କଲାମ ଆଜାଦ ବେଶ୍ କେତୋଟି ଖବରକାଗଜରେ କାମ କରିଛନ୍ତି । ତା ଭିତରୁ ଲକ୍ଷ୍ନୌର ‘ଅଲ୍ନାଦୁଆ’ ଗୋଟିଏ କାଗଜ । ମୌଲାନା ସିବ୍ଲି ଥିଲେ ତା’ର ସମ୍ପାଦକ । ଅମ୍ରିତସରର ଗୋଟେ ସାପ୍ତାହିକୀ ବାହାରୁଥିଲା ‘ୱକିଲ’ । ସିଏ ଆଜାଦ୍ଙ୍କୁ ଏ ପତ୍ରିକାର ସମ୍ପାଦକ ହେବା ପାଇଁ ନିମନ୍ତ୍ରଣ କଲେ । ଆଜାଦ୍ ସେ ନିମନ୍ତ୍ରଣ ସ୍ୱୀକାର ମଧ୍ୟ କଲେ । ଏ ପତ୍ରିକାଟିକୁ ସପ୍ତାହକୁ ଦୁଇଥର ଏବଂ ପରେ ସପ୍ତାହକୁ ତିନିଥର ପ୍ରକାଶ କରାଗଲା । ମାନ ଦୃଷ୍ଟିରୁ ବେଶ୍ ଉନ୍ନତି ହେଇଥିଲା ଏ କାଗଜର ଏବଂ ନିୟମିତ ଏହା ପ୍ରକାଶ ପାଉଥିଲା ।

୧୯୧୯ ପରଠୁଁ ମୌଲାନା ଆବୁଲ କଲାମ ଆଜାଦ୍ ସ୍ୱାଧୀନତା ସଂଗ୍ରାମରେ ଅଧିକ ଜଡ଼ିତ ହୋଇପଡ଼ନ୍ତି । ଦେଶର ସ୍ୱାଧୀନତା ସହିତ ହିନ୍ଦୁ ମୁସଲମାନ ଐକ୍ୟ ସ୍ଥାପନ ତାଙ୍କର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ ହୋଇଉଠେ । ଅସହଯୋଗ ଆନେ୍ଦାଳନରେ ସେ ବଡ଼ ସକ୍ରିୟ ଭାବରେ ଭାଗନିଅନ୍ତି । ଏଇ ସମୟରେ ୧୯୨୧ରେ ସିଏ ଏକ ସାପ୍ତାହିକୀ ‘ପୈଗମ୍’ ପ୍ରକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏ ସାପ୍ତାହିକୀର ସମ୍ପାଦନା କରୁଥିଲେ ଅବୁଦୁର ରଜାକ୍ ମୌଲିହାବାଦୀ । ୧୯୨୭ରେ ସେ ପୁଣି ଥରେ ‘ଅଲ୍-ହିଲାଲ୍’ର ପୁନଃପ୍ରକାଶନ କରିଥିଲେ । କିନ୍ତୁ କୌଣସିଟି ବେଶୀ ସମୟ ବଞ୍ଚି ରହି ପାରିନଥିଲା । କେଇମାସ ଭିତରେ ଏ ଦୁଇଟିଯାକ ପତ୍ରିକା ବନ୍ଦ ହୋଇ ଯାଇଥିଲା ।

ସାମ୍ବାଦିକତା କ୍ଷେତ୍ରରେ ମୌଲନା ଆବୁଲ କଲାମ ଆଜାଦ୍ ଙ୍କର ସବୁଠୁଁ ବଡ଼ ଅବଦାନ ସାମାଜିକ ସଂସ୍କାର, ସ୍ୱାଧୀନତା ସଂଗ୍ରାମ ଏବଂ ହିନ୍ଦୁ ମୁସଲିମ ଐକ୍ୟ ସ୍ଥାପନ କ୍ଷେତ୍ରରେ । ହିନ୍ଦୁ-ମୁସଲମାନ ଐକ୍ୟ ଯେ ଭାରତର ଉନ୍ନତି ପାଇଁ ଏକାନ୍ତ ଆବଶ୍ୟକ, ତାହା ସେ ସ୍ୱାଧୀନତାର ବହୁ ପୂର୍ବରୁ ରେଖାଙ୍କିତ କରିଛନ୍ତି ।

୧୯୨୩ କଂଗ୍ରେସ ଅଧିବେଶନର ସଭାପତି ଅଭିଭାଷଣରେ ସେ କହିଥିଲେ, ଆଜି ଯଦି ଜଣେ ଦେବଦୂତ ଆସି ପହଞ୍ଚେ କୁତବ ମିନାର ଉପରେ ଆଉ କହେ ଯେ, ଭାରତକୁ ଏବେ ସ୍ୱରାଜ ମିଳିଯିବ; ଯଦି ହିନ୍ଦୁ ମୁସଲିମର ପଛେ ଐକ୍ୟ ନହେଉ, କିନ୍ତୁ ଭାରତ ଯଦି ସ୍ୱାଧୀନତା ଚାହେଁ ତାହେଲେ ଏବେ ହୋଇଯିବ; ତେବେ ମୁଁ ସେଭଳି ସ୍ୱାଧୀନତାକୁ ଗ୍ରହଣ କରିବି ନାହିଁ । ହିନ୍ଦୁ ମୁସଲମାନ ଐକ୍ୟକୁ ବଳି ଦେଇ ମୁଁ ସେହି ସ୍ୱରାଜକୁ ଗ୍ରହଣ କରିବି ନାହିଁ । ତା କାରଣ ହେଲା- ଯଦି ସ୍ୱାଧୀନତା ଡେରିରେ ଆସେ ତାହେଲେ ସେଟା ଭାରତ ପାଇଁ ଗୋଟେ କ୍ଷତି ହେବ, କିନ୍ତୁ ଯଦି ହିନ୍ଦୁ ମୁସଲମାନ ଐକ୍ୟ ଚାଲିଯାଏ, ତେବେ ଏହା ମାନବ ସମାଜର କ୍ଷତି ହେବ । ୧୯୨୩ରେ ସେ ଯେଉଁ କଥା କହିଥିଲେ ତାହା ଏ ପର୍ଯ୍ୟନ୍ତ ଏବେ ବି ଭାରତ ପାଇଁ ପ୍ରାସଙ୍ଗିକ ।

୧୯୫୮ ଫେବୃଆରୀ ୨୨ରେ ତାଙ୍କର ଦେହାନ୍ତ ହୁଏ ।

Untitled Design 5

ଲାଲା ଲାଜପତ୍ ରାୟ

୧୯୨୮, ୩୦ ଅକ୍ଟୋବର ଦିନ ସାଇମନ କମିଶନଙ୍କ ବିରୁଦ୍ଧରେ ଆନେ୍ଦାଳନ କଲାବେଳେ ପୋଲିସ୍ ଜୁଲୁମର ଶିକାର ହୋଇଥିଲେ ଲାଲା ଲାଜପତ୍ ରାୟ । ପୋଲିସ୍ ଲାଠି ମାଡ଼ରେ ଆହତ ହେଲାପରେ ମଧ୍ୟ ସେ ଆନ୍ଦୋଳନରୁ ହଟି ଆସିନଥିଲେ । ତାଙ୍କର ଭାଷଣ ଜାରି ରଖୁଥିଲେ । କିନ୍ତୁ ଏହି ଆଘାତ ଫଳରେ ସେ ୧୮ ଦିନ ପରେ ନଭେମ୍ବର ୧୭, ୧୯୨୮ରେ ଲାହୋରରେ ତାଙ୍କର ମୃତ୍ୟୁ ହୋଇଗଲା ।

ଲାଲା ଲାଜପତ୍ ରାୟ ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହାଛଡ଼ା ଶିକ୍ଷାର ପ୍ରସାର ଏବଂ ସମାଜ ଓ ଅର୍ଥନୈତିକ ସଂସ୍କାରରେ ମଧ୍ୟ ତାଙ୍କର ବଡ଼ ଭୂମିକା ଥିଲା । ଏବଂ ଏ ସବୁଗୁଡ଼ିକ ଭୂମିକା ପାଇଁ ତାଙ୍କର ସାମ୍ବାଦିକତା ତାଙ୍କୁ ସାହାଯ୍ୟ କରୁଥିଲା । ।

ଲାଲା ଲାଜପତ୍ ରାୟଙ୍କ ଜନ୍ମ ୧୮୬୫ରେ ପଞ୍ଜାବର ଲୁଧିଆନା ନିକଟବର୍ତ୍ତୀ ଧୁଦିକେ ଗ୍ରାମରେ । ତାଙ୍କ ବାପା ମୁନ୍ସୀ ରାଧା କ୍ରିଷନ ଅଗ୍ରୱାଲ ଏକ ସରକାରୀ ସ୍କୁଲରେ ପାର୍ସୀ ଏବଂ ଉର୍ଦ୍ଦୁ ଶିକ୍ଷକ ଥିଲେ । ଲାଜପତ୍ ରାୟ ଲାହୋର କଲେଜରେ ଆଇନ ପଢ଼ିଲେ । ଲାହୋରରେ ପାଠ ପଢ଼ିଲାବେଳେ ସେ ଅନେକ ସମାଜ ସଂସ୍କାରକ ଓ ଦେଶପ୍ରେମୀଙ୍କ ସଂସ୍ପର୍ଶରେ ଆସିଲେ । ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ସେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ । ତାଙ୍କର ପ୍ରଭାବରେ ସେ ଲାହୋରର ଆର୍ଯ୍ୟ ସମାଜର ଜଣେ ସଭ୍ୟ ହେଲେ । ୧୮୮୫ରେ ଲାହୋରରେ ଦୟାନନ୍ଦ ଆଙ୍ଗଲୋ ବେଦିକ୍ ସ୍କୁଲ ସେ ସ୍ଥାପନ କରିଥିଲେ । କ୍ରମଶଃ ସେ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଲାଗିଲେ । ୧୮୯୩ରେ କଂଗ୍ରେସର ଲାହୋର ଅଧିବେଶନବେଳେ ତାଙ୍କ ସହିତ ବାଲ ଗଙ୍ଗାଧର ତିଳକଙ୍କର ସାକ୍ଷାତ ହୁଏ । ପରବର୍ତ୍ତୀ ସମୟରେ ସେମାନେ ଦୁଇଜଣ ବିପିନ ବିହାରୀ ପାଲ୍ ଙ୍କ ସହ ମିଶି କଂଗ୍ରେସ ଭିତରେ ଏକ ଉଗ୍ର ଜାତୀୟତାବାଦର ଧାରା ପ୍ରବର୍ତ୍ତନ କରନ୍ତି । ଏମାନେ ଲାଲ୍-ବାଲ୍-ପାଲ୍ ନାମରେ ଜଣା ଯାଉଥିଲେ ।

ଲାଲା ଲଜପତ୍ ରାୟ ଭାରତୀୟ ଜାତୀୟ କଂଗ୍ରେସର ହିସାର ଶାଖା ପ୍ରତିଷ୍ଠା କରିଥିଲେ । ଆଲାହାବାଦ ହାଇକୋର୍ଟର ସେ ଜଣେ ବରିଷ୍ଠ ଆଇନଜୀବୀ ଥିଲେ । ସେ ସମୟରେ ସେ ଗାନ୍ଧୀଙ୍କ ଡାକରାରେ ବ୍ରିଟିଶ୍ ଶିକ୍ଷାନୁଷ୍ଠାନ ବଦଳରେ ଦେଶଜ ଶିକ୍ଷାନୁଷ୍ଠାନ ଗଢ଼ିତୋଳିବା ପାଇଁ ଲାହୋରରେ ନ୍ୟାସନାଲ କଲେଜ ସ୍ଥାପନ କରିଥିଲେ । ଏଠି ଭଗତ ସିଂଙ୍କ ସହ ଅନେକ ସ୍ୱାଧୀନତା ସଂଗ୍ରାମୀ ପାଠ ପଢୁଥିଲେ ଏବଂ ସ୍ୱାଧୀନତାର ମନ୍ତ୍ରରେ ଦୀକ୍ଷିତ ହେଉଥିଲେ । ୧୯୨୧ରେ ସେ ସରଭାଣ୍ଟସ୍ ଅଫ ପିପୁଲ୍ ସୋସାଇଟି (ଲୋକସେବକ ମଣ୍ଡଳ) ସ୍ଥାପନା କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଜାତିଭେଦ ପ୍ରଥା, ଅସ୍ପୃଶ୍ୟତା, ଯୌତୁକ ପ୍ରଥା ଏବଂ ଏହିପରି ସାମାଜିକ କୁ-ପ୍ରଥା ବିରୁଦ୍ଧରେ ସଂଗ୍ରାମ ।

ସାଧାରଣ ଲୋକଙ୍କର ନେତା ଥିଲେ ସେ । ଜନସଭାରେ ଯୋଗଦେବା ଜନସାଧାରଣଙ୍କୁ ଉଦ୍ବୋଧନ ଦେବା, ସତ୍ୟାଗ୍ରହରେ ଭାଗନେବା ଏସବୁ ସେ ବରାବର କରୁଥିଲେ ।

ସାମ୍ବାଦିକତା ସହିତ ତାଙ୍କର ସମ୍ପର୍କ ଦୀର୍ଘ ବର୍ଷର । ବସ୍ତୁତଃ ୧୯୧୭ ପୂର୍ବରୁ ସେ ଭାରତର ସ୍ୱାଧୀନତା ସଂଗ୍ରାମକୁ ପ୍ରୋତ୍ସାହନ ଦେବାପାଇଁ ଆମେରିକାରେ ଗୋଟେ ସଂଗଠନ ତିଆରି କରିଥିଲେ ଇଣ୍ଡିଆନ ହୋମରୁଲ୍ ଲିଗ୍ । ଜାନୁୟାରୀ ୧୯୧୭ରେ ଇଣ୍ଡିଆନ ହୋମ ରୁଲ ଲିଗ୍ ଗୋଟେ ମାସିକ ପତ୍ରିକା ପ୍ରକାଶ କଲେ ତା ନାଁ ଥିଲା ‘ୟଙ୍ଗ୍ ଇଣ୍ଡିଆ’ । ଏ ପତ୍ରିକାଟିକୁ ଲାଲା ଲାଜପତ୍ ରାୟ ସଂପାଦନା କରୁଥିଲେ । ଗାନ୍ଧୀ ଭାରତ ଫେରିବାପରେ ତାଙ୍କୁ ଏ ପତ୍ରିକାଟିକୁ ସମ୍ପାଦନା କରିବା ପାଇଁ ଅନୁରୋଧ କରାଗଲା ଏବଂ ଏ ପତ୍ରିକାଟି ୟା ପରେ ଗାନ୍ଧୀଙ୍କ ପତ୍ରିକା ଭାବରେ ପରିଚିତ ହେଲା । ଲାଲା ଲାଜପତ ରାୟ, ମଦନମୋହନ ମାଲବ୍ୟ ଏବଂ ରାଜା ନରେନ୍ଦ୍ର ନାଥ ଦିଲ୍ଲୀରୁ ପ୍ରକାଶିତ ହିନ୍ଦୁସ୍ତାନ ଟାଇମ୍ସ୍ ସ୍ଥାପନା କରିଥିଲେ । ସେ ଲାହୋରରୁ ଗୋଟେ ଉର୍ଦ୍ଦୁ ଦୈନିକ ପ୍ରକାଶ କରିଥିଲେ । ତା ନାଁ ଥିଲା ‘ବନେ୍ଦ ମାତରମ୍’ । ଏ ପତ୍ରିକାଟି ଅତ୍ୟନ୍ତ ଜନପ୍ରିୟ ହୋଇଥିଲା । ସେ ସମୟରେ ପ୍ରାୟ ୫୦୦୦ କପିଯାଏଁ ଏହାର ପ୍ରସାରଣ ଥିଲା । ଏହାର ୧୯୨୭ ମସିହା ୧୦ ମଇ ସଂଖ୍ୟାଟିକୁ ପୋଲିସ୍ ବାଜ୍ୟାପ୍ତ କରିଥିଲା ଏବଂ ଏହା ବିରୁଦ୍ଧରେ ଲାଲା ଲାଜପତ ରାୟ ହାଇକୋର୍ଟରେ ଅପିଲ୍ ମଧ୍ୟ କରିଥିଲେ । ଏହି ଖବରକାଗଜ ଚାରି ଜଣ ସଂପାଦକଙ୍କୁ ଦେଶଦ୍ରୋହ ଅପରାଧରେ ଜେଲଦଣ୍ଡ ଭୋଗିବା ପାଇଁ ପଡ଼ିଥିଲା । ମାସିକ ପତ୍ରିକା ‘ଅଧିକାର’ ପ୍ରକାଶରେ ସେ ପ୍ରୋତ୍ସାହନ ଦେଉଥଲେ । ଏ ପତ୍ରିକାର ସଂପାଦକ ଏବଂ ପ୍ରକାଶକ ଥିଲେ ବେଦବ୍ରତ ବିଶାରଦ । ଏ ପତ୍ରିକାଟି ସର୍ବଭାରତୀୟ ଅସ୍ପୃଶ୍ୟତା ନିରୋଧ କମିଟି (କମିଟି ଫର ଅପ୍ଲିଫ୍ଟମେଣ୍ଟ ଅଫ୍ ଅନଟବଲ୍ସ)ର ମୁଖପତ୍ର ଥିଲା ।

ଲାହୋରରୁ ଲାଲା ଲାଜପତ ରାୟ ଗୋଟେ ସାପ୍ତାହିକ ସମ୍ବାଦ ପତ୍ର ପ୍ରକାଶ କରିଥିଲେ । ତା ନାଁ ଥିଲା ‘ପିପୁଲ’ ସେ ତାର ସଂପାଦକ ମଧ୍ୟ ଥିଲେ । ଏ ପତ୍ରିକାଟି ସରଭାଣ୍ଟ ଅଫ ପିପୁଲ ସୋସାଇଟି (ଲୋକସେବକ ମଣ୍ଡଳ)ର ମୁଖପତ୍ର ଥିଲା । ପତ୍ରିକାରେ ତରୁଣ ଏବଂ ଯୁବକ ମାନଙ୍କୁ ଦେଶ ସେବାରେ ଆଗେଇ ଆସିବା ପାଇଁ ଆହ୍ୱାନ ଦିଆଯାଉଥିଲା । ଏ ସଂପର୍କୀୟ ଲେଖାମାନ ପ୍ରକାଶ କରାଯାଉଥିଲା । ଏ ପତ୍ରିକାଟି ମଧ୍ୟ ଲାଲା ଲାଜପତ ରାୟଙ୍କ ସଂପାଦନାରେ ତାର ନିର୍ଭୀକ ରାଜନୈତିକ ମନ୍ତବ୍ୟ, ସୁନ୍ଦର ଭାଷା ଏବଂ ସଂପାଦନା ପାଇଁ ବେଶ୍ ଜନପ୍ରିୟ ହୋଇଥିଲା ।

ଲାଲା ଲାଜପତ୍ ରାୟଙ୍କ ବିୟୋଗ ପରେ ତାଙ୍କ ସ୍ମୃତିରେ ପୁରୁଷୋତ୍ତମ ଦାସ ଟଣ୍ଡନ ହିନ୍ଦୀରେ ଗୋଟେ ସାପ୍ତାହିକୀ ପ୍ରକାଶ କରିଥିଲେ । ତା ନାଁ ଥିଲା ‘ପଞ୍ଜାବ କେଶରୀ’ । ଲାହୋରରୁ ଏହି ପତ୍ରିକାଟି ପ୍ରକାଶ ପାଉଥିଲା । ଏ ପତ୍ରିକାଟିରେ ପ୍ରଥମଥର ପାଇଁ ଲାଲାଜୀଙ୍କର ଆତ୍ମଜୀବନୀ ପ୍ରକାଶ ପାଇଥିଲା । ତେବେ ବ୍ରିଟିଶ୍ ପ୍ରସାଶନଙ୍କ ପ୍ରେସ ଅର୍ଡ଼ିନାନ୍ସର ଜାଲରେ ପଡ଼ି ୧୯୩୦ରେ ପଞ୍ଜାବ କେଶରୀର ପ୍ରସାରଣ ବନ୍ଦ ହୋଇଯାଇଥିଲା । ଏହାର ବହୁବର୍ଷ ପରେ ଲାଲା ଜଗତ ନାରାୟଣ ପୁଣିଥରେ ଏ କାଗଜଟିକୁ ପ୍ରକାଶ କରିଥିଲେ ।

୧୯୩୦ ନଭେମ୍ବର ୨୦ରେ ରାମଚନ୍ଦ୍ର ମହାରଥ, ମହାରଥ ପତ୍ରିକାର ଗୋଟେ ବିଶେଷ ସଂଖ୍ୟା ପ୍ରକାଶ କରିଥିଲେ । ସେଥିରେ ଗୋଟେ ସଂପାଦକୀୟ ସେ ଲେଖୁଲେ ଯେ ଅନଦି ନେଲସ୍ ଅଫ କଫିନ୍, କଫନର କଣ୍ଟା ଉପରେ । ଏହି ସଂପାଦକୀୟ ପାଇଁ ତାଙ୍କୁ ୯ମାସ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା ।

ଲାଲାଜୀଙ୍କ ମୃତ୍ୟୁ ପରେ ମହାତ୍ମା ଗାନ୍ଧୀ ତାଙ୍କ ବିଷୟରେ ଯାହା ଲେଖିଥିଲେ ତାହା ପ୍ରଣିଧାନଯୋଗ୍ୟ । ‘ନବଜୀବନ’ରେ ନଭେମ୍ବର ୧୯୨୮ସଂଖ୍ୟାରେ ସେ ଲେଖିଥିଲେ ଲାଲାଜୀଙ୍କର ମୃତ୍ୟୁ ହୋଇଛି କିନ୍ତୁ ଲାଲାଜୀ ଦୀର୍ଘଜୀବୀ ହୋଇ ରୁହନ୍ତୁ । ଭାରତର ଆକାଶରେ ଯେ ପର୍ଯ୍ୟନ୍ତ ସୂର୍ଯ୍ୟ ଉଇଁଛି ସେତେବେଳ ପର୍ଯ୍ୟନ୍ତ ଲାଲାଜୀଙ୍କ ପରି ମଣିଷମାନେ ମରିପାରନ୍ତି ନାହିଁ । ଲାଲାଜୀ ଏକ ଅନୁଷ୍ଠାନ । କିଶୋର ବୟସରୁ ସେ ଦେଶସେବାକୁ ତାଙ୍କ ଧର୍ମ ବୋଲି ମାନି ନେଇଛନ୍ତି । ତାଙ୍କର ଦେଶପ୍ରେମ କୌଣସି ଛୋଟ ଜାଗାରେ ସୀମାବଦ୍ଧ ହୋଇ ରହେନି । ସେ ଦେଶକୁ ଭଲ ପାଉଥିଲେ କାରଣ ସେ ଏ ବିଶ୍ୱକୁ ଭଲ ପାଉଥିଲେ । ତାଙ୍କର ଜାତୀୟତାବାଦ ଥିଲା ଆନ୍ତର୍ଜାତିକ । ତେଣୁ ସେ ୟୁରୋପୀୟ ମାନସକୁ ମଧ୍ୟ ପ୍ରଭାବିତ କରି ପାରିଥିଲେ । ୟୁରୋପ ଏବଂ ଆମେରିକାରେ ମଧ୍ୟ ତାଙ୍କର ଅନେକ ବନ୍ଧୁ ସୃଷ୍ଟି କରିପାରିଥିଲେ ।

ଲାଲା ଲାଜପତ୍ ରାୟଙ୍କୁ ପଞ୍ଜାବ କେଶରୀ ଏବଂ ଶେର୍-ଇ-ପଞ୍ଜାବ ଭାବରେ ମଧ୍ୟ ସମ୍ବୋଧନ କରାଯାଏ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍ଥାପନରେ ତାଙ୍କର ଏକ ବଡ଼ ଭୂମିକା ଥିଲା ।

Untitled Design 8

ମଦନମୋହନ ମାଲବ୍ୟ

ମଦନ ମୋହନ ମାଲବ୍ୟ(୧୮୬୧- ୧୨ ନଭେମ୍ବର ୧୯୪୬)ଙ୍କୁ ସାରା ଭାରତ ସ୍ୱାଧୀନତା ସଂଗ୍ରାମୀ ଏବଂ ଶିକ୍ଷାବିତ୍ ଭାବରେ ଜାଣେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥାପନରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ହେଲେ ଅନେକେ ଏକଥା ଜାଣନ୍ତି ନାହିଁ ଯେ ଗାନ୍ଧୀଙ୍କୁ ‘ମହାତ୍ମା’ କରିବାରେ ଯେମିତି ସାମ୍ବାଦିକତାର ଏକ ବଡ଼ ଭୂମିକା ଥିଲା, ସେମିତି ମଦନ ମୋହନ ମାଲବ୍ୟଙ୍କୁ ‘ମହାମନା’ କରିବାରେ ବି ସାମ୍ବାଦିକତାର ବଡ଼ ଭୂମିକା ଥିଲା ।

ମାଲବ୍ୟ ଲେଖାଲେଖି ଜଗତକୁ ଆସନ୍ତି ୧୮୮୦ରେ । ସେଇବର୍ଷ ସେ ହିନ୍ଦୀ ଖବରକାଗଜ ‘ପ୍ରଦୀପ’ରେ ତାଙ୍କର ପ୍ରଥମ ଲେଖାଟି ଲେଖନ୍ତି । ସେତେବେଳେ ତାଙ୍କୁ ୧୯ ବର୍ଷ ।

ସାମ୍ବାଦିକତାରେ ତାଙ୍କର ଆଗ୍ରହ ପଛରେ ୧୮୮୨ କୁମ୍ଭମେଳାର ଛୋଟ ଘଟଣାଟିଏ ରହିଛି । ସେବର୍ଷ ମେଳା ଆୟୋଜନରେ ଅବ୍ୟବସ୍ଥା ଓ ହିନ୍ଦୁ ମାନସିକତା ପ୍ରତି ଆୟୋଜକମାନଙ୍କ ବେଖାତିର ମନୋଭାବ ବିରୋଧରେ ପ୍ରଫେସର ଆଦିତ୍ୟରାମ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ଭାଇ ବେଣୀମାଧବ ଆନେ୍ଦାଳନ କରୁଥିଲେ । ସେମାନଙ୍କ ଆନେ୍ଦାଳନର କାରଣ ଓ ଉଦ୍ଦେଶ୍ୟ ଯଥାର୍ଥ ଥିଲା । କିନ୍ତୁ ସରକାର ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କଲେ । ଆନ୍ଦୋଳନକାରୀ ଦୁଇ ଭାଇ ଏବଂ ଅନ୍ୟମାନଙ୍କୁ ଗୋଟେ ସରକାର ଶିକ୍ଷା ଦେବା ପାଇଁ ଚାହୁଁଥିଲେ । ଦୁଇ ଭାଇଙ୍କୁ ମକଦ୍ଦମାରେ ଛନ୍ଦି ଦିଆଗଲା, ଯାହା ଫଳରେ ସେମାନଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଲା; ଅନେକ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଭୋଗିବା ପାଇଁ ପଡ଼ିଲା । ଆଉ ସବୁଠୁ ଦୁଃଖର କଥା ଥିଲା ଯେ, ସେମାନଙ୍କୁ ସାହାଯ୍ୟ କରିବା ପାଇଁ କେହି ନଥିଲେ । ଏ ଘଟଣା ମାଲବ୍ୟଙ୍କ ଉପରେ ବଡ଼ ଗଭୀର ରେଖାପାତ କଲା । ଆଦିତ୍ୟରାମ ଭଟ୍ଟାଚାର୍ଯ୍ୟ ତାଙ୍କର ଶିକ୍ଷକ ଥିଲେ । ସରକାରଙ୍କର ଦମନ, ବିଚାରାଳୟରେ ପକ୍ଷପାତ-ଏହା ବିରୋଧରେ ସ୍ୱରୋତ୍ତଳନ କରିବା ପାଇଁ ସାମ୍ବାଦିକତା ଏକ ଆୟୁଧ ହୋଇପାରିବ ବୋଲି ତାଙ୍କର ମନେ ହେଲା ।

ଆଦିତ୍ୟରାମ ଭଟ୍ଟାଚାର୍ଯ୍ୟଙ୍କର ଗୋଟେ ସାପ୍ତାହିକ ପତ୍ରିକା ଥିଲା ‘ଇଣ୍ଡିଆନ୍ ୟୁନିୟନ୍’ । ୧୮୮୫ରେ ସେ ତାକୁ ସ୍ଥାପନା କରିଥିଲେ । ମଦନ ମୋହନ ମାଲବ୍ୟ ସେଠି ସମ୍ପାଦନାର ପ୍ରଥମ ଅଭ୍ୟାସ ଆରମ୍ଭ କଲେ । ୧୮୮୫ରୁ ୧୮୮୭ ପର୍ଯ୍ୟନ୍ତ ସେ ତାଙ୍କୁ ସମ୍ପାଦନାରେ ସାହାଯ୍ୟ କଲେ । ତାପରେ ପୁଣି ୧୮୯୧ରେ ସେ ‘ଇଣ୍ଡିଆନ୍ ୟୁନିୟନ୍’ରେ କାମ କଲେ । ସେତେବେଳେ ଖବରକାଗଜଟିକୁ ପ୍ରକାଶ କରୁଥିଲେ ବଳଦେବ ରାମ ଦାବେ । ସେ ଥିଲେ ଆହ୍ଲାବାଦର ଜଣେ ବରିଷ୍ଠ ଆଇନଜୀବୀ ସାର୍ ସୁନ୍ଦରଲାଲ (ପରବର୍ତ୍ତୀ ସମୟରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହୋଇଥିଲେ)ଙ୍କ ସାନ ଭାଇ । ୧୮୯୨ରେ ଏ କାଗଜଟି ଲକ୍ଷ୍ନୌର ‘ଦି ଆଡ୍ଭୋକେଟ୍’ ସହିତ ମିଶିଯିବା ଯାଏଁ ମାଲବ୍ୟ ଏଥିରେ କାମ କରିଥିଲେ ।

ତେବେ ସାମ୍ବାଦିକତା କ୍ଷେତ୍ରରେ କାମ କରିବାର ବାସ୍ତବ ସୁଯୋଗ ସେ ପାଇଲେ ଯେତେବେଳେ ତାଙ୍କୁ ହିନ୍ଦୀ ସମ୍ବାଦପତ୍ର ‘ହିନ୍ଦୁସ୍ଥାନ’ର ସମ୍ପାଦନା ଦାୟିତ୍ୱ ନେବା ପାଇଁ ପ୍ରସ୍ତାବ ଦିଆଗଲା । କଲାକଙ୍କରର ରାଜା ରାମପାଲ ସିଂହ ୧୮୮୬ କଂଗ୍ରେସ ଅଧିବେଶନରେ ମାଲବ୍ୟଙ୍କ ଭାଷଣରେ ଏତେ ମୁଗ୍ଧ ହୋଇଯାଇଥିଲେ ଯେ, ସେ ଦୈନିକ ‘ହିନ୍ଦୁସ୍ଥାନ’ର ଯୁଗ୍ମ-ସମ୍ପାଦକ ହେବା ପାଇଁ ତାଙ୍କୁ ପ୍ରସ୍ତାବ ଦେଲେ । ସାମ୍ପ୍ରତିକ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ଜ୍ଞାନ ଛଡ଼ା ମାଲବ୍ୟଙ୍କର ଗୋଟେ ବଡ଼ ଗୁଣ ଥିଲା ଯେ, ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଖୁବ୍ ସାବଲୀଳ ଭାବରେ ଲେଖିପାରୁଥିଲେ । ମାଲବ୍ୟ ଏ କାଗଜର ସମ୍ପାଦକ ହେଲେ ଏବଂ ଏ କାଗଜର ମାନରେ ବେଶ୍ ଉନ୍ନତି ଆଣି ପାରିଥିଲେ ।

ସାମ୍ବାଦିକତା ଛଡ଼ା ମାଲବ୍ୟଙ୍କର ସାହିତ୍ୟରେ ମଧ୍ୟ ରୁଚି ଥିଲା । ସେ ଅନେକ ସାହିତି୍ୟକ ନିବନ୍ଧ ଏବଂ କବିତା ମଧ୍ୟ ଲେଖିଛନ୍ତି । ତାଙ୍କର ସମ୍ପାଦିତ ଖବରକାଗଜଟି ହିନ୍ଦୀ କବିତା ଏବଂ ଲେଖକମାନଙ୍କୁ ପ୍ରୋତ୍ସାହନ ଦେଉଥିଲା । ମାଲବ୍ୟ ଉର୍ଦ୍ଦୁ ବଦଳରେ ହିନ୍ଦୀକୁ ଅଧିକ ପ୍ରୋତ୍ସାହନ ଦେଉଥିଲେ । ଏ ଖବରକାଗଜଟି ଖରିବୋଲି ପାଖାପାଖି ଭାଷାରେ କଥିତ ଭାଷା ଶୈଳୀରେ ଲେଖାଯାଉଥିଲା । ମାଲବ୍ୟ ସବୁବେଳେ ସରଳ ହିନ୍ଦୀରେ ଲେଖିବା ପାଇଁ ପସନ୍ଦ କରୁଥିଲେ । ଏ ଖବରକାଗଜଟି ଖୁବ୍ ଜନପ୍ରିୟ ହେଇଗଲା ଏବଂ ଖୁବ୍ଶୀଘ୍ର ଏହାର ପ୍ରସାରଣ ୫୦୦ ଉପରକୁ ଗଲା । ମାଲବ୍ୟଜୀ ‘ହିନ୍ଦୁସ୍ଥାନ’ର ଯୁଗ୍ମ ସମ୍ପାଦକ ଭାବରେ ୧୮୮୭ରୁ ୧୮୮୯ ପର୍ଯ୍ୟନ୍ତ କାମ କଲେ । ତେବେ ଏଇ ସମୟରେ ରାଜା ରାମପାଲ ସିଂହଙ୍କ ସହିତ ମାଲବ୍ୟଙ୍କର ଟିକିଏ ଉଚ୍ଚବାଚ୍ଚ ହେଇଗଲା ଏବଂ ସିଏ ସମ୍ପାଦକ ପଦରୁ ପଦତ୍ୟାଗ କରିଦେଲେ ।

ମଦନମୋହନ ମାଲବ୍ୟ ସମ୍ବାଦପତ୍ରର ଶକ୍ତି ଏବଂ ତା’ର ମୂଲ୍ୟକୁ ଠିକ୍ ଭାବେ ଅନୁଭବ କରିଥିଲେ । ସେ ନିଜେ ଦୁଇଟି ଖବରକାଗଜ ସ୍ଥାପନ କରିଥିଲେ ଏବଂ ପାଖାପାଖି ୬ଟି ଖବରକାଗଜର ସମ୍ପାଦନା କରିଥିଲେ ବା ସମ୍ପାଦନାରେ ସାହାଯ୍ୟ କରିଥିଲେ । ୧୯୨୯ ଯାଏ ଯେତେବେଳେ ସିଏ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟ କରୁଥିଲେ; ବିଧାୟକ ବି ଥିଲେ, ସ୍ୱାଧୀନତା ସଂଗ୍ରାମରେ ବି ଥିଲେ, ସେତେବେଳେ ବି ସେ ସାମ୍ବାଦିକତାରେ ସକ୍ରିୟ ଥିଲେ ।

ବିହାରର ସଚ୍ଚିଦାନନ୍ଦ ସିହ୍ନା ଆହ୍ଲାବାଦରେ ଜଣେ ବେଶ୍ ଜଣାଶୁଣା ଆଇନଜୀବୀ ଥିଲେ; ସେ ତାଙ୍କ ଛାତ୍ରାବସ୍ଥାରୁ ମାଲବ୍ୟଜୀଙ୍କ ସହିତ ଘନିଷ୍ଠ ଥିଲେ । ମାଲବ୍ୟ ତାଙ୍କୁ ୧୮୯୯ରେ ଗୋଟେ ଇଂରାଜୀ ମାସିକ ପତ୍ରିକା ‘ହିନ୍ଦୁସ୍ଥାନ ରିଭୁ୍ୟ’ ଏବଂ ୧୯୦୩ରେ ଗୋଟେ ସାପ୍ତାହିକ ‘ଇଣ୍ଡିଆନ୍ ପିପୁଲ୍’ ପ୍ରକାଶ କରିବାରେ ସାହାଯ୍ୟ କରିଥିଲେ ।

ମାଲବ୍ୟଙ୍କ ପ୍ରକାଶିତ ପ୍ରଥମ ଖବରକାଗଜ ଥିଲା ଏକ ହିନ୍ଦୀ ସାପ୍ତାହିକୀ । ନାଁ ଥିଲା ‘ଅଭ୍ୟୁଦୟ’ । ୧୯୦୭ରେ ଏହା ପ୍ରକାଶ ପାଇଥିଲା । ୧୯୦୯ ପର୍ଯ୍ୟନ୍ତ ମାଲବ୍ୟ ତାକୁ ସମ୍ପାଦନା କରୁଥିଲେ । ଏ ଖବରକାଗଜରେ ଗୋଟେ ସମୟରେ ଗଣେଶ ପ୍ରସାଦ ବିଦ୍ୟାର୍ଥୀ ମଧ୍ୟ କାମ କରୁଥିଲେ । ଏ ଖବରକାଗଜଟି ବରାବର ସ୍ୱାଧୀନତା ସଂଗ୍ରାମ ଏବଂ ବିଧାନସଭାର ସଂସ୍କାର ପାଇଁ ବରାବର ସ୍ୱର ଉତ୍ତୋଳନ କରିଆସିଛି । ୧୯୧୫ ବେଳକୁ ‘ଅଭ୍ୟୁଦୟ’ ଗୋଟେ ଦୈନିକ ଭାବରେ ପ୍ରକାଶିତ ହେଲା । ତା’ପରେ ବନ୍ଦ ହେଇଯାଇଥିଲା । ପୁଣି ୧୯୨୬-୨୭ ବେଳକୁ ଅଳ୍ପ କିଛି ସମୟ ପାଇଁ ପ୍ରକାଶିତ ହେଇଥିଲା ଦୈନିକ ଭାବରେ । ତା’ପରଠୁଁ ଏହା ସାପ୍ତାହିକୀ ଭାବରେ ଅନ୍ୟାନ୍ୟ ଲୋକଙ୍କର ସମ୍ପାଦନାରେ ପ୍ରକାଶ ପାଇଥିଲା ।

‘ଅଭୁ୍ୟଦୟ’ ବରାବର ବ୍ରିଟିଶ ପ୍ରଶାସନର ବିରୋଧ କରି ଆସୁଥିଲା ଏବଂ ତା’ର ଆକ୍ରମଣର ଶରବ୍ୟ ହେଇ ଆସିଥିଲା । କିନ୍ତୁ ଏହା ଏକ ଜନପ୍ରିୟ କାଗଜ ଥିଲା । ଗୋଟେ ସମୟରେ ଏହାର ପ୍ରସାରଣ ୧୧ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା ।

୧୯୦୯ ମସିହା ଅକ୍ଟୋବର ୨୪ ତାରିଖ ଦିନ ମାଲବ୍ୟ ଗୋଟେ ଇଂରାଜୀ ଦୈନିକ ପ୍ରକାଶ କଲେ । ତା ନାଁ ହେଲା ‘ଦି ଲିଡର’ । ଏଥିରେ ‘ଇଣ୍ଡିଆନ୍ ପିପୁଲ୍’କୁ ମିଶେଇ ଦିଆଗଲା । ସେ ୧୯୧୧ ପର୍ଯ୍ୟନ୍ତ ଏହାର ସମ୍ପାଦକ ଥିଲେ । ‘ଅଭ୍ୟୁଦୟ’ ଭଳିଆ ‘ଦି ଲିଡର’ ସରକାରଙ୍କର କାର୍ଯ୍ୟକଳାପ ଏବଂ ଯୋଜନାକୁ ସମାଲୋଚନା କରୁଥିଲା ଏବଂ ବେଶ୍ ଜନପ୍ରିୟ ହେଇ ଉଠିଥିଲା । ୧୯୨୭ରେ ଏଇ ଖବରକାଗଜର ନିଜସ୍ୱ ଅଫିସ୍ ହେଲା । ଦି ଲିଡର ଅଫିସ୍ରୁ ହିନ୍ଦୀଭାଷୀ ଲୋକଙ୍କ ଭିତରେ ରାଜନୈତିକ ସଚେତନତା ସୃଷ୍ଟି କରିବା ପାଇଁ ଗୋଟେ ହିନ୍ଦୀ ପତ୍ରିକା ବି ପ୍ରକାଶ କରାଗଲା । ତା ନାଁ ଥିଲା ‘ଭାରତ’ ।

ଉଭୟ ‘ଅଭ୍ୟୁଦୟ’ ଏବଂ ‘ଲିଡର’ ସ୍ୱାଧୀନତା ସଂଗ୍ରାମ ପାଇଁ ପାଖାପାଖି ଚାରି ଦଶନ୍ଧି ଧରି ନିଜର ଯୋଗଦାନ ଦେଇ ଆସିଛନ୍ତି । କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ଏ ଦୁଇଟିଯାକ କାଗଜ ଖୁବ୍ ବେଶୀ ସଫଳ ହେଇ ପାରିନଥିଲେ । ଯାହା ଫଳରେ ଏ ଦୁଇଟିଯାକ କାଗଜ ବନ୍ଦ କରିଦେବା ପାଇଁ ପଡ଼ିଲା । ୧୯୨୮ ମାର୍ଚ୍ଚରେ ‘ଲିଡର’ର ପୁନର୍ଜନ୍ମ ହେଲା ଏବଂ ନାଁ ହେଲା ‘ଦି ହିନ୍ଦୁସ୍ଥାନ ଟାଇମ୍ସ’ । ଏହାର ମେଜରିଟି ସେୟାର ଜି.ଡି. ବିର୍ଲାଙ୍କ ପାଖରେ ରହିଲା; କିନ୍ତୁ ମାଲବ୍ୟ ଏ ସଂସ୍ଥାର ଆମୃତୁ୍ୟ ଅଧ୍ୟକ୍ଷ ହେଇ ରହିଲେ ।

ମାଲବ୍ୟ ସାମ୍ବାଦିକତାର ମୂଲ୍ୟବୋଧ ଏବଂ ନୈତିକତା ଉପରେ ଅତ୍ୟନ୍ତ ଗୁରୁତ୍ୱ ଦେଉଥିଲେ । ୧୯୧୪ରେ ସେ ତାଙ୍କ ନିଜ ପୁଅ କ୍ରିଷ୍ଣକାନ୍ତଙ୍କୁ ବଡ଼ କଡ଼ା ଭାଷାରେ ଏକ ଚିଠି ଲେଖିଥିଲେ । କ୍ରିଷ୍ଣକାନ୍ତ ବିଧବା ବିବାହ ଉପରେ ଗୋଟେ ସମ୍ପାଦକୀୟ ଲେଖିଥିଲେ; ଯାହାକୁ ମାଲବ୍ୟଜୀଙ୍କର ପସନ୍ଦ ହୋଇନଥିଲା । ଚିଠିଟି ଥିଲା ସେଇ ସଂକ୍ରାନ୍ତରେ । ସେ ଲେଖିଥିଲେ: ଗତକାଲି ରାତିରେ ମୁଁ ଗୋଟେ ସ୍ୱପ୍ନ ଦେଖିଲି । ଦେଖିଲି ଯେ ‘ଅଭୁ୍ୟଦୟ’ ପ୍ରେସରେ ନିଆଁ ଲାଗିଯାଇଛି । ଆଜି ‘ଅଭ୍ୟୁଦୟ’ ପଢ଼ି ମୁଁ ଜାଣିଲି ଯେ, ସେ ଯେଉଁ ଅଗ୍ନିକାଣ୍ଡର ଦୃଶ୍ୟ ମୁଁ ସ୍ୱପ୍ନରେ ଦେଖିଥିଲି ତାହା ମିଛ ନଥିଲା । ମୁଁ ବଞ୍ଚି ଥାଉ ଥାଉ ଏ ଧରଣର ଲେଖା ପ୍ରକାଶିତ ହେବା ଦେଖି ମୋତେ ଲଜ୍ଜାଲାଗୁଛି ଏବଂ ମୋତେ ଏ ସମାଜରେ ଜଣେ ଅପରାଧି ଭଳି ମନେ ହେଉଛି । ତମର ଆବେଗକୁ ଯୁକ୍ତି ଉପରେ ସବାର ହେବା ପାଇଁ ଦିଅ ନାହିଁ । ଗୋଟେ ଷ୍ଟାଣ୍ଡାର୍ଡ ଅଫ୍ ଡିସେନ୍ସି ମେଣ୍ଟେନ୍ କର । ଏବଂ ସମାଜରେ ଯେଉଁ ମୂଲ୍ୟବୋଧ ଅଛି ତାକୁ ସମ୍ମାନ କର ।

୧୯୧୦ରେ ମାଲବ୍ୟଜୀଙ୍କର ସହାୟତାରେ ଗୋଟେ ହିନ୍ଦୀପାକ୍ଷିକ ପତ୍ରିକା ଆରମ୍ଭ ହେଲା । ‘ମର୍ଯ୍ୟାଦା’ । ଏହାର ଉଦେ୍ଦଶ୍ୟ ଥିଲା ହିନ୍ଦୀର ପ୍ରସାର ଏବଂ ରାଜନୈତିକ ସଚେତନତା ସୃଷ୍ଟି । ଏହାଛଡ଼ା ସନାତନ ଧର୍ମ ସମ୍ପର୍କରେ ସଚେତନତା ସୃଷ୍ଟି ମଧ୍ୟ ଏହା ଗୋଟେ ଉଦ୍ଦେଶ୍ୟ ଥିଲା । ‘ସନାତନ ଧର୍ମ’ ବୋଲି ଗୋଟେ ସାପ୍ତାହିକୀ ଗଣେଶ ଗୁରୁଦତ୍ତ ପଞ୍ଜାବରୁ ପ୍ରକାଶ କରୁଥିଲେ, ମାଲବ୍ୟ ତା’ର ମଧ୍ୟ ପୃଷ୍ଠପୋଷକତା କରୁଥିଲେ । କେତେକ ଋଢ଼ିବାଦୀ ଏ ସାପ୍ତାହିକୀର ପ୍ରଥମ ପ୍ରକାଶିତ କେତେଗୁଡ଼ିଏ ଇସ୍ୟୁକୁ ପୋଡ଼ିଦେଲେ । ମାଲବ୍ୟ କିନ୍ତୁ ଆଦୌ ସେଥିରେ କୌଣସି ପ୍ରକାର ବିଚଳିତ ହେଲେ ନାହିଁ ଏବଂ ପ୍ରକାଶନ ଜାରି ରହିଲା ।

ମହାତ୍ମା ଗାନ୍ଧୀଙ୍କ ଭଳି ମାଲବ୍ୟଜୀ ମଧ୍ୟ ସାମ୍ବାଦିକତାକୁ ଏକ ବ୍ୟବସାୟ ନୁହଁ, ବରଂ ଏକ ଧର୍ମବୋଲି ମନେ କରୁଥିଲେ । ସେ ସମ୍ବାଦପତ୍ରରେ ସାହିତ୍ୟ ପ୍ରକାଶକୁ ମଧ୍ୟ ପ୍ରୋତ୍ସାହନ ଦେଉଥିଲେ । ସାମ୍ବାଦିକତାକୁ ସେ ଏକ କଳା ଭଳି ଦେଖୁଥିଲେ । ସମ୍ବାଦପତ୍ର ପ୍ରକାଶର ପ୍ରତ୍ୟେକ କାର୍ଯ୍ୟ ସହିତ ସେ ନିଜେ ସଂଶ୍ଳିଷ୍ଟ ହେଉଥିଲେ । ଖବର ସଂଗ୍ରହ କରିବାଠୁଁ ଆରମ୍ଭ କରି କମ୍ପୋଜ କରିବା, ଛାପିବା ମାଲବ୍ୟ ଏ ସମ୍ପୂର୍ଣ୍ଣ ପ୍ରକ୍ରିୟାର ପ୍ରତ୍ୟେକ ଖୁଣ୍ଟିନାଣ୍ଟି ଦିଗ ଦେଖୁଥିଲେ । ମାଲବ୍ୟଙ୍କ ମତରେ ଗୋଟେ ସଫଳ ଖବରକାଗଜ ବା ସାମୟିକ ପତ୍ରିକାର ଯାହା ଥିବା ଦରକାର ତାହା ହେଲା- ଜଣେ ଦକ୍ଷ ସମ୍ପାଦକ, ଏକ ବିଶ୍ଲେଷଣୀ ଅନ୍ତଃଦୃଷ୍ଟି ଏବଂ ବିଷୟକୁ କଳାତ୍ମକ ଭାବରେ ଉପସ୍ଥାପନ କରିବାର କଳା, ଖବରକାଗଜ ପ୍ରତି ନିଷ୍ଠା ଏବଂ ଡିସ୍ପାସନେଟ୍ ଆଟିଟୁ୍ୟଡ୍ । ‘ଅଭୁ୍ୟଦୟ’ର ୧୯୦୭ ମେ ୫ତାରିଖ ସଂଖ୍ୟାରେ ସେ ଲେଖିଥିଲେ ଯେ, “ଗୋଟେ ଦୈନିକ ସମ୍ବାଦପତ୍ର ପ୍ରତିଦିନ ତା’ର ଗୋଟେ ଦୁଇଟି ପୃଷ୍ଠା ଗୋଟେ ବିଶେଷ ବିଷୟକୁ ଦେବା ଉଚିତ ।” ଉଦାହରଣ ସ୍ୱରୂପ; ସୋମବାର ଦିନ ତୁମେ ସାହିତ୍ୟ ବିଷୟରେ ଲେଖିପାର, ମଙ୍ଗଳବାର ଦିନ ତୁମେ ଗ୍ରାମାଞ୍ଚଳ ବିଷୟରେ ଲେଖିପାର, ବୁଧବାର ଦିନ ତୁମେ ଶାରୀରିକ ଶ୍ରମର ଗୁରୁତ୍ୱ ସମ୍ପର୍କରେ ଲେଖିପାର, ଗୁରୁବାର ଦିନ ତୁମେ ଶିକ୍ଷା ସମ୍ପର୍କରେ ଲେଖିପାର । ଏହା ଫଳରେ ଜଣେ ପାଠକ ତା ନିଜ ପସନ୍ଦର ପାଠ୍ୟବିଷୟ ପାଇପାରିବ । ଆଉ ଏହା ଫଳରେ ପ୍ରସାରଣ ମଧ୍ୟ ବଢ଼ିବ ଏବଂ ଲୋକେ ମଧ୍ୟ ଲାଭବାନ ହେବେ । ୧୯୦୮ରେ ସେ ପ୍ରଥମଥର ପାଇଁ ସର୍ବଭାରତୀୟ ସମ୍ପାଦକଙ୍କର ଏକ ସମ୍ମିଳନୀ ଆୟୋଜନ କରିଥିଲେ । ଏହାର ଉଦେଶ୍ୟ ଥିଲା ଯେ, ୧୯୦୮ର ପ୍ରେସ୍ ଆକ୍ଟ ବିରୋଧରେ ସେମାନଙ୍କୁ ସଂଗଠିତ କରିବା ଏବଂ ପ୍ରେସ୍ର ସ୍ୱାଧୀନତା ପାଇଁ ଲଢ଼େଇ କରିବା ।

ଆହ୍ଲାବାଦରେ ‘ଲିଡର’ ଏବଂ ‘ଭାରତ’ ଛଡ଼ା ସିଏ ‘ହିନ୍ଦୁସ୍ଥାନ ଟାଇମ୍ସ’କୁ ଗଢ଼ି ତୋଳିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ ଏବଂ ଏ ତିନୋଟିଯାକ କାଗଜ ଜାତୀୟତାବାଦର ଏକ ପ୍ରମୁଖ ଆୟୁଧ ଥିଲା । ତାଙ୍କ ମୃତୁ୍ୟବେଳକୁ ସିଏ ‘ହିନ୍ଦୁସ୍ଥାନ ଟାଇମ୍ସ’ର ବୋର୍ଡ ଅଫ୍ ଡିରେକଟର୍ସର ଅଧ୍ୟକ୍ଷ ଥିଲେ ।

ମହାମନା ମଦନ ମୋହନ ମାଲବ୍ୟ ସାମ୍ବାଦିକତା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଥିଲେ । ସେ ସାମ୍ବାଦିକତାର ଏକ ନୂଆ ମାନ ସୃଷ୍ଟି କରିଥିଲେ ଏବଂ ସାମ୍ବାଦିକତାକୁ ଏକ ଉଚ୍ଚ ଆସନକୁ ନେଇ ଯାଇଥିଲେ ।

Untitled Design 7

ନେତାଜୀ ସୁବାସଚନ୍ଦ୍ର ବୋଷ

ଭାରତର ଅନ୍ୟ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ନେତାଜୀ ସୁବାଷ ଚନ୍ଦ୍ର ବୋଷ ମଧ୍ୟ ଗଣଆନ୍ଦୋଳନର ପ୍ରସାରରେ ଗଣମାଧ୍ୟମର ଭୂମିକା ଏବଂ କାର୍ଯ୍ୟକାରିତା ସମ୍ପର୍କରେ ସଚେତନ ଥିଲେ । ଅନ୍ୟ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ସେ ମଧ୍ୟ ଖବରକାଗଜରେ ଲେଖାଲେଖି ଏବଂ ଖବରକାଗଜ ପ୍ରକାଶନ ସହିତ ସମ୍ପୃକ୍ତ ଥିଲେ । ପରବର୍ତ୍ତୀ ସମୟରେ ସେ ରେଡିଓକୁ ମଧ୍ୟ ବ୍ୟବହାର କରିଛନ୍ତି ।

ଆଦ୍ୟ ୧୯୨୦ ଦଶକରେ ଯେତେବେଳେ ସେ ରାଜନୀତିରେ ପାଦ ଥାପୁଥିଲେ, ସେତେବେଳେ ତାଙ୍କ ରାଜନୈତିକ ଜୀବନର ଗୁରୁଥିଲେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ । ୧୯୨୩ ମସିହାରେ ଦେଶବନ୍ଧୁ ‘ଫରୱାର୍ଡ’ ନାମକ ଏକ ଖବରକାଗଜ ପ୍ରକାଶ କଲେ । ଏହା ବେଶ୍ ଜନପ୍ରିୟ ହୋଇଥିଲା । ସୁବାଷ ଚନ୍ଦ୍ର ବୋଷ କିଛିକାଳ ଏହାର ସମ୍ପାଦକ ହୋଇଥିଲେ । ତେବେ ଦେଶବନ୍ଧୁଙ୍କ ମୃତ୍ୟୁ (୧୯୨୫) ପରେ ତାଙ୍କର ଅନ୍ୟତମ ଅନୁଗାମୀ ଜେ.ଏମ୍. ସେନ୍ଗୁପ୍ତ ଏ କାଗଜଟିକୁ ଅକ୍ତିଆର କଲେ । ସେନ୍ଗୁପ୍ତ ଓ ସୁବାଷ ଚନ୍ଦ୍ରଙ୍କ ଭିତରେ ମତଭେଦ ଦେଖାଦେଲା । ୧୯୨୮ରେ ସେନ୍ଗୁପ୍ତ ଫରୱାର୍ଡ ଛାଡ଼ି ନିଜର ଏକ ଖବରକାଗଜ ପ୍ରକାଶ କଲେ- ‘ଆଡ୍ଭାନ୍ସ’ । ୧୯୨୯ରେ ସୁବାଷ ଚନ୍ଦ୍ର ଏବଂ ତାଙ୍କ ଅନୁଗାମୀମାନେ ଫରୱାର୍ଡର ନୂତନ ନାମକରଣ କଲେ- ‘ଲିବର୍ଟି’ ।

୧୯୨୩ ମସିହାରେ ସୁବାଷ ଚନ୍ଦ୍ର ବୋଷ ଅଲ ଇଣ୍ଡିଆ ୟୁଥ୍ କଂଗ୍ରେସର ସଭାପତି ନିର୍ବାଚିତ ହେଲେ । ସେ ବେଙ୍ଗଲ ଷ୍ଟେଟ କଂଗ୍ରେସର ମଧ୍ୟ ସମ୍ପାଦକ ନିର୍ବାଚିତହେଲେ । ଏ ବର୍ଷ ସେ ତାଙ୍କର ନିଜ ଖବରକାଗଜ ପ୍ରକାଶ କଲେ । ତା’ର ନାମ ହେଲା ‘ସ୍ୱରାଜ’ । ସେହିବର୍ଷ ସେ ପଶ୍ଚିମବଙ୍ଗ ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଚାର ପ୍ରସାର ଦାୟିତ୍ୱ ବି ନେଇଥିଲେ । ‘ସ୍ୱରାଜ’ ଖୁବ୍ ବେଶି ଦିନ ତିଷ୍ଠି ରହିପାରିନଥିଲା । କାରଣ ସୁବାଷ ଚନ୍ଦ୍ର ବୋଷ ୧୯୨୫ରେ ଗିରଫ ହେଲେ ଏବଂ ତାଙ୍କୁ ମଣ୍ଡଲା(ପୂର୍ବତନ ବର୍ମା, ବର୍ତ୍ତମାନ ମିଆଁମାରର ଦ୍ୱିତୀୟ ବୃହତ୍ତମ ସହର) ପଠାଇ ଦିଆଗଲା । ଜେଲରେ ରହିଲାବେଳେ ସୁବାଷ ଚନ୍ଦ୍ର ବୋଷଙ୍କୁ ଯକ୍ଷ୍ମାରୋଗ ମଧ୍ୟ ହୋଇଯାଇ ଥିଲା ।

ଜେଲରୁ ବାହାରିଲା ପରେ ସେ ସ୍ୱାଧୀନତା ସଂଗ୍ରାମରେ ଆହୁରି ଗଭୀର ଭାବରେ ଝାସ ଦେଲେ । ୧୯୩୮ବେଳକୁ ସେ କଂଗ୍ରେସର ତୁଙ୍ଗ ନେତାମାନଙ୍କ ମଧ୍ୟରୁ ଜଣେ ହୋଇ ପାରିଥିଲେ । ସେ ଚାହୁଁଥିଲେ ଯେକୌଣସି ମୂଲ୍ୟରେ ଦେଶର ସ୍ୱାଧୀନତା । ସେଥିପାଇଁ ଯଦି ବ୍ରିଟିଶ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରିବାକୁ ପଡ଼େ, ସେଥିରେ ବି ପଛଘୁଞ୍ଚା ଦେବା ପାଇଁ ଚାହୁଁ ନଥିଲେ ।

ଆନ୍ଦୋଳନର ମାର୍ଗ ଏବଂ ଆନେ୍ଦାଳନର ସ୍ୱରୂପକୁ ନେଇ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ମତଭେଦ ହୋଇଥିଲା । ଏଇ ମତଭେଦ କାରଣରୁ ଗାନ୍ଧୀ ଚାହୁଁନଥିଲେ ଯେ, ସୁବାଷ ଚନ୍ଦ୍ର ବୋଷ କଂଗ୍ରେସର ସଭାପତି ହୁଅନ୍ତୁ । କିନ୍ତୁ ଗାନ୍ଧୀଙ୍କ ବିରୋଧ ସତ୍ତ୍ୱେ ସୁବାଷ ଚନ୍ଦ୍ର ବୋଷ କଂଗ୍ରେସର ସଭାପତି ହେଲେ । ପରବର୍ତ୍ତୀ ସମୟରେ ଘଟଣାକ୍ରମେ ତାଙ୍କୁ ସଭାପତି ପଦରୁ ଇସ୍ତଫା ଦେବାକୁ ପଡିଲା । ତା’ପରେ ସେ କଂଗ୍ରେସର ମତବାଦକୁ ନେଇ ଏକ ଭିନ୍ନ ରାଜନୈତିକ ଦଳ ଗଠନ କଲେ, ତା’ନାମ ହେଲା ‘ଫରୱାର୍ଡ ବ୍ଲକ’ । ଇଏ ହେଲା ୧୯୩୯ ମସିହା ୩ ମେ’ମାସର ଘଟଣା । ଏ କଥା କୋଲକାତାର ଏକ ସାଧାରଣ ସଭାରେ ଘୋଷଣା କଲେ । ଅଗଷ୍ଟ ୧୯୩୯ରେ ସେ ନୂଆ ରାଜନୈତିକ ଦଳର ମୁଖପତ୍ର ଭାବରେ ଏକ ଖବରକାଗଜ ପ୍ରକାଶ କଲେ, ତା’ ନାମ ହେଲା ‘ଫରୱାର୍ଡ ବ୍ଲକ’ ।

୧୯୪୧ରେ ସେ ନାଟକୀୟ ଭାବେ ଇଂରେଜ ପ୍ରଶାସନର ନଜର ଏଡ଼େଇ କଲିକତାରୁ ବିଦେଶକୁ ଚାଲିଗଲେ । ଦ୍ୱିତୀୟ ବିଶ୍ୱ୍ୱଯୁଦ୍ଧରେ ଇଂରେଜ ସରକାରଙ୍କ ପକ୍ଷରୁ ଲଢ଼ି ବନ୍ଦୀ ହୋଇଥିବା ଭାରତୀୟ ସେନାଙ୍କୁ ଏକଜୁଟ୍ କରି ଅକ୍ଷ ଶକ୍ତିର ସହାୟତାରେ ଭାରତର ସ୍ୱାଧୀନତା ପାଇଁ ସଶସ୍ତ୍ର ସଂଗ୍ରାମର ଯୋଜନା କଲେ । ୧୯୪୩ ଅଗଷ୍ଟ ୨୧ରେ ସିଙ୍ଗାପୁରର କାଥେ ଥିଏଟରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅରଜି ହୁକୁମତେ-ଇ-ଆଜାଦ ହିନ୍ଦ୍ (ପ୍ରୋଭିଜିନାଲ ଗଭରର୍ଣ୍ଣମେଣ୍ଟ ଅଫ୍ ଫ୍ରି ଇଣ୍ଡିଆ) ସ୍ଥାପନା କଲେ । ସ୍ୱାଧୀନ ଭାରତର ଘୋଷଣା କଲେ ।

ଏହାର ତିନିଦିନ ପରେ ଅଗଷ୍ଟ ୨୪ରେ ସେ ବ୍ରିଟିଶ ଶାସନ ବିରୋଧରେ ଯୁଦ୍ଧ ଘୋଷଣା କଲେ । ଏ ସମୟରେ ସେ ଆଜାଦ୍ ହିନ୍ଦ୍ ଫୌଜର ପତାକା, ଆର୍ମିର ଚିହ୍ନ, ଜାତୀୟ ସଙ୍ଗୀତ ଓ ସରକାରୀ ଭାଷା କ’ଣ ହେବ ଠିକ୍ କରି ନେଇଥିଲେ । ଜାତୀୟସଙ୍ଗୀତ ଭାବେ ସେ ବାଛିଥିଲେ ରବୀନ୍ଦ୍ରନାଥଙ୍କ ଜନଗଣମନ… ଗୀତଟି । କିନ୍ତୁ ସେ ହିନ୍ଦୋସ୍ତାନିରେ ତାର ଅନୁବାଦ କରେଇଥିଲେ । ଆଇଏନ୍ଏର କର୍ଣ୍ଣେଲ ଆବିଦ୍ ହୁସେନ୍ ସାଫରାନି ଏବଂ ଆଜାଦ ହିନ୍ଦ ରେଡିଓର ମୁମ୍ତାଜ ହୁସେନ୍ ଗୀତଟିକୁ ଅନୁବାଦ କରିଥିଲେ । ଜନଗଣମନ ହୋଇଥିଲା ସବ୍ ସୁଖ ଚୈନ.. । ଦେଶରେ କେମିତି ବ୍ୟାଙ୍କ ପ୍ରତିଷ୍ଠା ଓ କ୍ୟାବିନେଟରେ କିଏ କିଏ ରହିବେ, ଏହା ମଧ୍ୟ ସ୍ଥିର କରାଯାଇସାରିଥିଲା । ଏ ଯୋଜନା ଭିତରେ ସରକାରଙ୍କ ମୁଖପତ୍ର ଭାବେ ଖବରକାଗଜ ପ୍ରକାଶନ ପାଇଁ ସ୍ଥିର କରିଥିଲେ । ତା’ର ନାମ ହେଲା ଆଜାଦ୍ ହିନ୍ଦ୍ । ହିନ୍ଦୁସ୍ଥାନୀ, ଗୁଜରାଟୀ, ତାମିଲ, ମାଲାୟଲମ ଏବଂ ଇଂରାଜୀ ଭାଷାରେ ଏହା ପ୍ରକାଶିତ ହେବାର ଯୋଜନା କରିଥିଲେ । ଅଳ୍ପ କିଛିଦିନ ପ୍ରକାଶ ମଧ୍ୟ କରିଥିଲେ ।

ତା’ପରର ଘଟଣା ଆହୁରି ନାଟକୀୟ । ଆଇଏନ୍ଏ ବା ଆଜାଦ ହିନ୍ଦ୍ ଫୌଜ ଭାରତକୁ ପ୍ରବେଶ କରିଥିଲା । କିନ୍ତୁ ଯୁଦ୍ଧରେ ତା’ର ପରାଜୟ ହେଲା ଏବଂ ନେତାଜୀ ନିଖୋଜ ହୋଇଗଲେ । କେତେକ କହନ୍ତି, ଉଡ଼ାଜାହାଜ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି । କେତେକ କହନ୍ତି ସେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇନାହିଁ । ତାଙ୍କ ମୃତ୍ୟୁ ରହସ୍ୟକୁ ନେଇ ଅନେକ କଥା ଶୁଣାଯାଏ । ଏଯାଏଁ ତାଙ୍କ ମୃତ୍ୟୁ ରହସ୍ୟ ସନ୍ତୋଷଜନକ ଭାବେ ଉଦ୍ଘାଟିତ ହୋଇ ନାହିଁ ।

ରେଡ଼ିଓ

ନେତାଜୀ ସୁବାଷଚନ୍ଦ୍ର ଭାରତ ଏବଂ ଦେଶ ବାହାରେ ଥିବା ଭାରତୀୟଙ୍କୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାପାଇଁ ଏବଂ ଯେ କୌଣସି ଉପାୟରେ ଏହାକୁ ସାହାଯ୍ୟ କରିବା ପାଇଁ ଉଦ୍ବୁଦ୍ଧ କରିବାକୁ ରେଡିଓର ବ୍ୟବହାର କରିଥିଲେ । ତାଙ୍କ ରେଡିଓର ନାମ ଥିଲା ‘ଆଜାଦ ହିନ୍ଦ୍ ରେଡିଓ ’ । ୧୯୪୨ ଜାନୁଆରୀରୁ ଏହା ଜର୍ମାନୀର ବର୍ଲିନରୁ କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରଥମଥର ପାଇଁ ୧୯୪୨ ମସିହା ଫେବ୍ରୁଆରୀ ୧୯ତାରିଖରେ ସେ ଜର୍ମାନୀରୁ ‘ରେଡିଓ ଆଜାଦ ହିନ୍ଦ୍’ ଜରିଆରେ ଭାରତବାସୀଙ୍କ ପାଇଁ ଏବଂ ସାରା ବିଶ୍ୱରେ ଥିବା ଭାରତୀୟମାନଙ୍କ ପାଇଁ ବାର୍ତ୍ତା ଦେଇଥିଲେ ।

ତା’ପରେ ପରେ ରେଡିଓର ମୁଖ୍ୟାଳୟ ସିଙ୍ଗାପୁରକୁ ଏବଂ ତା’ପରେ ରେଙ୍ଗୁନକୁ ସ୍ଥାନାନ୍ତରିତ ହୋଇଥିଲା । ଦକ୍ଷିଣ ପୂର୍ବ ଏସିଆରେ ଯୁଦ୍ଧ ଯେଉଁଠି ଯେଉଁଠି ପ୍ରଖର ହେଉଥିଲା, ଯେଉଁଠି ଅକ୍ଷ ଶକ୍ତି ବିଜୟ ଲାଭ କରୁଥିଲା, ଏ ରେଡିଓକୁ ସେଠି ସେଠି ସ୍ଥାନାନ୍ତିରତ କରାଯାଉଥିଲା । ଯେତେବେଳେ ନେତାଜୀ ଦକ୍ଷିଣ-ପୂର୍ବ ଏସିଆକୁ ଚାଲିଆସିଲେ, ସେତେବେଳେ ଜର୍ମାନୀରେ ଯେଉଁ ରେଡିଓ ଥିଲା ତାକୁ ଏ. ସି.ନାମ୍ବିଆର ଚଲେଇ ରଖିଥିଲେ । ସେ ଥିଲେ ଜର୍ମାନୀର ଇଣ୍ଡିଆନ ଲିଜିଅନର ମୁଖ୍ୟ । ପରେ ପରେ ସେ ହୁକୁମତେ ଆଜାଦ ହିନ୍ଦ୍ ବା ଆଜାଦ ହିନ୍ଦ୍ ସରକାରଙ୍କ ଜର୍ମାନୀର ରାଷ୍ଟ୍ରଦୂତ ଦାୟିତ୍ୱରେ ଥିଲେ ।

‘ଆଜାନ୍ଦ ହିନ୍ଦ୍ ରେଡିଓ’ରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପୋସ୍ତ, ଉର୍ଦ୍ଦୁ ଆଦି ଭାଷାରେ ସାପ୍ତାହିକ ଖବର ପ୍ରସାରିତ କରାଯାଉଥିଲା । ଜର୍ମାନୀର ଇଣ୍ଡିଆନ ଲିଜିଅନ ଏବଂ ଇଣ୍ଡିଆନ ନେସନାଲ ଆର୍ମି ବା ଆଜାଦ ହିନ୍ଦ୍ ଫୌଜରେ ଯେଉଁମାନେ ଥିଲେ , ସେମାନଙ୍କ ଭିତରୁ କେତେକ ଏଥିରେ ସ୍ୱେଚ୍ଛାସେବୀ ଭାବରେ କାମ କରୁଥିଲେ । ସେମାନେ ଏ ସାପ୍ତାହିକ ନ୍ୟୁଜ ବୁଲେଟିନ ପ୍ରସ୍ତୁତ ଏବଂ ପ୍ରସାରଣ କରୁଥିଲେ ।

ଆଜାଦ ହିନ୍ଦ ରେଡିଓର ଉଦ୍ଦେଶ୍ୟ ଥିଲା ଦୁଇଟି । ଏକ:- ଭାରତବର୍ଷ ଭିତରେ ଥିବା ଲୋକମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ପ୍ରେରିତ କରିବା ଏବଂ ଦୁଇ:- ଭାରତବର୍ଷ ବାହାରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ପ୍ରେରିତ କରିବା । ତା’ ସହିତ ଆଉ ଗୋଟେ ଉଦେ୍ଦଶ୍ୟ ମଧ୍ୟ ଥିଲା:- ୧୯୪୨ରୁ ୧୯୪୫ ଭିତରେ ମିତ୍ର ଶକ୍ତିର ରେଡିଓଗୁଡିକ ଯେଉଁଭଳି ଭାବରେ ପ୍ରଚାର କରୁଥିଲେ, ତାର ମୁକାବିଲା କରିବା । ମିତ୍ରଶକ୍ତିର ଦୁଷ୍ପଚାର (ପ୍ରୋପାଗାଣ୍ଡା)କୁ ପ୍ରତିହତ କରିବା ଏବଂ ନିଜର ପକ୍ଷ ରଖିବା ।

ଆଜାଦ ହିନ୍ଦ୍ ରେଡିଓରେ ନେତାଜୀ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)କୁ ବ୍ଲଫ୍ ଆଣ୍ଡ୍ ବ୍ଲଷ୍ଟର କର୍ପୋରେସନ ଏବଂ ତକ୍ରାଳୀନ ଅଲ ଇଣ୍ଡିଆ ରେଡିଓକୁ ଆଣ୍ଟି ଇଣ୍ଡିଆନ ରେଡିଓ ବୋଲି କହିଥିଲେ ।

ନେତାଜୀ ଆଜାଦ୍ ହିନ୍ଦ୍ ରେଡିଓରେ ଯେଉଁ ବାର୍ତ୍ତାମାନ ଦେଇଥିଲେ, ତା’ର କିଛି କିଛି ଏ ପର୍ଯ୍ୟନ୍ତ ଉପଲବ୍ଧ ଅଛି । ଭାରତର ବିଭିନ୍ନ ମ୍ୟୁଜିୟମରେ ତା’ର ଅଡିଓ ରେକର୍ଡିଂ ରଖା ଯାଇଛି । ୟୁଟୁ୍ୟବରେ ମଧ୍ୟ କେତେଗୁଡିଏ ଅଛି ।

୧୯୪୨ ମାର୍ଚ୍ଚ ୨୫ରେ ଆଜାଦ୍ ହିନ୍ଦ ରେଡିଓରେ ନେତାଜୀ ପ୍ରଥମଥର ଭାରତୀୟମାନଙ୍କୁ ସମ୍ବୋଧନ କରିଥିଲେ । ଏହି ଦିନଟିକୁ ସ୍ମରଣ କରି ୨୦୧୨ମସିହାରେ ମଧ୍ୟପ୍ରଦେଶରେ ଏକ ଗୋଷ୍ଠୀ ବେତାର କେନ୍ଦ୍ର (କମ୍ୟୁନିଟି ରେଡିଓ ଷ୍ଟେସନ) ପ୍ରତିଷ୍ଠା କରାଗଲା- ତା’ର ନାମ ହେଉଛି ‘ଆଜାଦ ହିନ୍ଦ୍ ରେଡିଓ’ । ଏହି ରେଡିଓ ଷ୍ଟେସନର ଆର୍କାଇଭ୍ ବା ସଂଗ୍ରହାଳୟରେ ସୁବାଷଚନ୍ଦ୍ର ବୋଷଙ୍କର ବାର୍ତ୍ତାଗୁଡିକ ସଂରକ୍ଷିତ ରହିଛି । ଏହାସହ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବାର୍ତ୍ତାଗୁଡିକ ମଧ୍ୟ ସଂରକ୍ଷିତ ରଖାଯାଇଛି ।

ଭାରତୀୟ ଖବରକାଗଜରେ ନେତାଜୀଙ୍କ ଛବି

ନେତାଜୀଙ୍କୁ ଭାରତୀୟ ଖବରକାଗଜରେ କିଭଳିଭାବେ ଉପସ୍ଥାପନ କରାଯାଇଛି, ଗଣମାଧ୍ୟମରେ ତାଙ୍କ ଛବି କେମିତି ଥିଲା- ତାହା ବେଶ୍ ଉଲ୍ଲେଖନୀୟ । ଭାରତୀୟ ପ୍ରେସ୍ର ବଡ଼ ଅଂଶ ନେତାଜୀଙ୍କୁ ଏକ ମହାନ ନାୟକ ଭାବେ ଉପସ୍ଥାପନ କରିଛନ୍ତି । ବ୍ରିଟିଶ ପ୍ରଶାସନ ବିରୋଧରେ ତାଙ୍କର ଯୁଦ୍ଧ, ତାଙ୍କର ନାଟକୀୟ ଜୀବନ ଏବଂ ଆଜାଦ ହିନ୍ଦ୍ ଫୌଜ ଗଠନ, ଏହି ଫୌଜକୁ ନେଇ ଭାରତର ସ୍ୱାଧୀନତାକୁ ନେଇ ସଶସ୍ତ୍ର ପ୍ରଚେଷ୍ଟା-ଏସବୁ ତାଙ୍କୁ ଏକ ନାୟକର ମାନ୍ୟତା ଦେଇଥିଲା ।

ଯଦିଓ ଯେଉଁ ଯେଉଁ ଖବରକାଗଜରେ ସୁବାଷ ଚନ୍ଦ୍ର ବୋଷଙ୍କୁ ନେଇ ଏମିତି କଥା ମାନ ଲେଖାହେଇଛି, ତାକୁ ବ୍ରିଟିଶ ପ୍ରଶାସନ ଭଲ ଆଖିରେ ଦେଖିନାହାନ୍ତି । କିନ୍ତୁ ସାଧାରଣ ଜନମାନସରେ ଏବଂ ଭାରତୀୟ ଖବରକାଗଜ ଗୁଡିକରେ ସିଏ ଏକ ନାୟକର ମାନ୍ୟତା ପାଇଛନ୍ତି ।

ବନାରସର ଜାତୀୟତାବାଦୀ ହିନ୍ଦୀ ଖବରକାଗଜ ‘ଆଜ୍’(ସମ୍ପାଦକ: ବାବୁ ରାଓ ବିଷ୍ଣୁ ପରାଧକର) ଆଜାଦ ହିନ୍ଦ୍ ଫୌଜକୁ ନେଇ ସମ୍ପୂର୍ଣ୍ଣ ଏକ ସଂସ୍କରଣ ପ୍ରକାଶ କରିଥିଲେ । ଆଇଏନ୍ଏର ପରାଜୟ ପରେ ତାର ସୈନିକଙ୍କ ବିରୋଧରେ ଲାଲକିଲ୍ଲାର ରେଡ଼୍ଫୋର୍ଟରେ ଯେଉଁ ମକଦ୍ଦମା ଚାଲିଲା, ତା’ଉପରେ ଅନେକ ରିପୋର୍ଟ ପ୍ରକାଶ କରିଥିଲେ । ଆଇଏନ୍ଏ ସୈନ୍ୟମାନଙ୍କୁ ‘ଆଜ୍’ ସବୁବେଳେ ଦେଶପ୍ରେମୀ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ଦେଇଆସିଛି ।

ଆଉ ଗୋଟିଏ ପତ୍ରିକା ‘ଅଭୁ୍ୟଦୟ’ (ସମ୍ପାଦକ: ପଦ୍ମକାନ୍ତ ମାଲବ୍ୟ) ଆଇଏନ୍ଏ ଉପରେ ୫ଟି ସଂସ୍କରଣ ପ୍ରକାଶ କରିଥିଲେ । ଆଇଏନ୍ଏର ଯେଉଁ ସ୍ଲୋଗାନ ଥିଲା, ଲିଭ୍ ଲାଇକ୍ ଏ ଲାୟନ ଅର ଡାଏ (ସିଂହ ଭଳି ବଞ୍ଚ, ଅଥବା ମରିଯାଅ)- ତାକୁ ‘ଅଭୁ୍ୟଦୟ’ର ପ୍ରଥମ ପୃଷ୍ଠାରେ ତାଙ୍କର ମୋଟୋଭାବରେ ପ୍ରକାଶ କରାଯାଉଥିଲା । ଏଥିରୁ ନେତାଜୀଙ୍କର ଦର୍ଶନ ଓ ଭାବଧାରା ପ୍ରତି ତାଙ୍କର ଅନୁରକ୍ତି ଏବଂ ଭଲ ପାଇବା ଜଣାପଡ଼େ । ଏ ପତ୍ରିକାରେ ବିପ୍ଳବାତ୍ମକ ନିବନ୍ଧ, ପ୍ରବନ୍ଧ ଏବଂ କବିତା ପ୍ରକାଶ ପାଇଥିଲା । ଗୋଟିଏ ସମ୍ପାଦକୀୟ ପ୍ରକାଶ ପାଇଥିଲା, ‘ପୋଲ୍ ଷ୍ଟାରସ୍ ଅଫ୍ ଆଜାଦ ହିନ୍ଦ୍’ (ଆଜାଦ ହିନ୍ଦର ଧ୍ରୁବ ତାରା) । ସଂଖ୍ୟାଟି ପ୍ରକାଶ ପାଇଥିଲା ୧୪ ଜାନୁଆରୀ ୧୯୪୭ରେ । ଏଥିରେ ଲେଖା ହେଇଥିଲା ଯେ, ‘ଆଜି ଆମେ ଏକ ନୂଆ ବର୍ଷକୁ ଏକ ନୂଆ ଆଶାନେଇ ସ୍ୱାଗତ କରୁଛୁ । ଆଜି ରେଡ୍ଫୋର୍ଟରେ, ଯେଉଁଠି ୧୮୫୭ରେ ପ୍ରଥମ ସ୍ୱାଧୀନତା ସଂଗ୍ରାମର ପତାକା ଉଡିଥିଲା, ସେଇଠି ବାହାଦୂର ଶାହୀ ପତାକା । ଏଇ ସମୟରେ ଆମେ ଆମର କମାଣ୍ଡର ଚିଫ୍ଙ୍କୁ ଚାହୁଁ । ଆଜି ଆପଣ ଯଦି ଯୁଦ୍ଧର ଡାକରା ଦେବେ, ସେତେବେଳେ ଆଉ କେହି ସ୍ୱାଧୀନତା ପାଇଁ କାହାଠୁ ଭିକ ମାଗିବୁ ନାହିଁ, କାହା ସହ ସନ୍ଧି କରିବୁ ନାହିଁ, ମୁଣ୍ଡ ନୁଆଁଇବୁ ନାହିଁ, ଆମେ ସ୍ୱାଧୀନତା ସଂଗ୍ରାମର ସେନା ଏବଂ ଆମେ ହସି ହସି ଯୁଦ୍ଧ କରୁ କରୁ ପ୍ରାଣବଳୀ ଦେବୁ ।’

ଏହି ସଂସ୍କରଣରେ ଗୋଟିଏ କବିତା ମଧ୍ୟ ପ୍ରକାଶିତ ହୋଇଥିଲା । ଶୀର୍ଷକ ଥିଲା ‘ଆଜାଦ ହିନ୍ଦ୍ ସେନାନୀଙ୍କ ପ୍ରତି’ । ‘ଆଜ୍’ ପତ୍ରିକାରେ ଆଉ ଗୋଟିଏ ସମ୍ପାଦକୀୟ ବାହାରିଥିଲା ୧୯୪୫ ନଭେମ୍ବର ୧୨ରେ, ଶୀର୍ଷକ ଥିଲା ‘ଜୟ ହିନ୍ଦ୍’ । ଏଥିରେ କୁହାଯାଇଥିଲା, ସାର ମରିଶ ଓ ଅନ୍ୟାନ୍ୟ ବ୍ରିଟିଶ ଅଧିକାରୀମାନଙ୍କୁ ଆମେ କହିଦେବା ପାଇଁ ଚାହୁଁ, ଯେଉଁମାନେ ଆଇଏନ୍ଏର ନେତା ଓ ସୈନ୍ୟମାନଙ୍କୁ ଦେଶଦ୍ରୋହୀ ବୋଲି କହୁଛନ୍ତି, ସେମାନେ ଥରେ ଇତିହାସକୁ ପଢ଼ନ୍ତୁ ଏବଂ ଭାବି ଦେଖନ୍ତୁ ସେମାନେ ନିଜେ କଣ?’

ସାପ୍ତାହିକ ଖବରକାଗଜ ‘ସଂସାର’, ତାର ୨୫ଅକ୍ଟୋବର ୧୯୪୫ର ସମ୍ପାଦକୀୟରେ, ଯାହାର ଶୀର୍ଷକ ଥିଲା ‘ଅନ୍ ଦ ଫେସ ଅଫ୍ ଭୋଲକାନୋ’(ଆଗ୍ନେୟଗିରିର ସାମ୍ନାରେ) । ଏଥିରେ ଲେଖାଯାଇଥିଲା:- ପ୍ରତ୍ୟେକ ଭାରତୀୟ ଆଇଏନ୍ଏର ସୈନ୍ୟମାନଙ୍କ ପାଇଁ ଗର୍ବିତ । ଏ ସମ୍ପାଦକୀୟରେ ବ୍ରିଟିଶ ପ୍ରଶାସନକୁ ଉଦ୍ଦେଶ୍ୟ କରି କୁହାଯାଇଥିଲା, ‘ଆମେ ଆପଣଙ୍କୁ ଚେତାବନୀ ଦେଉଛୁ ଯେ, ଅତ୍ୟାଚାର ଓ ଅନ୍ୟାଚାରର ସମୟ ଚାଲିଯାଇଛି । କିନ୍ତୁ ତଥାପି ଯଦି ଏ ଅତ୍ୟାଚାର ଓ ଅନ୍ୟାଚାର ରହେ, ତେବେ ଆହୁରି ଅନେକ ଆଜାଦ ହିନ୍ଦ୍ ସେନା ଜନ୍ମ ନେବେ ।’

ଆଜାଦ ହିନ୍ଦ୍ ଫୌଜକୁ ପ୍ରଶଂସା କରାଯାଇଥିବା ଏଇ ଲେଖାପାଇଁ ବ୍ରିଟିଶ ସରକାର ଏହି କାଗଜଟିକୁ ଚେତାବନୀ ଦେଇଥିଲେ ଯେ, ପରବର୍ତ୍ତୀ ସମୟରେ ସେମାନେ ଏମିତି ଲେଖା ଲେଖିବେ ନାହିଁ । ଆଉ ୬ହଜାର ଟଙ୍କା ଜୋରିମାନା ମଧ୍ୟ କରିଥିଲେ ।

ଏ ସମୟରେ ଅନ୍ୟ ଅନେକ ଖବରକାଗଜ ଓ ପତ୍ରପତ୍ରିକା (ଉଦାହରଣ ସ୍ୱରୂପ ‘ଅଧିକାର’, ‘ସୈନିକ’, ‘ସନ୍ଦେଶ’, ‘ଲୋକମତ’, ‘ପ୍ରତାପ’, ‘ବର୍ତ୍ତମାନ’, ଇତ୍ୟାଦି- ଏଗୁଡିକ ଉତ୍ତର ଭାରତର ବିଭିନ୍ନ ଛୋଟବଡ଼ ସହରରୁ ପ୍ରକାଶ ହେଉଥିଲା) ଆଇଏନ୍ଏ ବିଷୟରେ ବିଭିନ୍ନ ସଂସ୍କରଣମାନ ପ୍ରକାଶ କରିଥିଲେ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବିଷୟରେ ଅନେକ ଲେଖା ପ୍ରକାଶ କରିଥିଲେ । ଏମିତି ଭାରତର ବିଭିନ୍ନ ପ୍ରାନ୍ତରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବିଷୟରେ ଲେଖା ଏବଂ ରିପୋର୍ଟ ପ୍ରକାଶିତ ହୋଇଥିଲା ।

ନେତାଜୀ ସିଙ୍ଗାପୁରରେ ସ୍ୱାଧୀନ ଭାରତର ଘୋଷଣା କଲେ । ଏହି ଖବର ଭାରତରେ ଏବଂ ବିଦେଶରେ ବହୁ ଖବରକାଗଜରେ (ବିଶେଷ କରି ଅକ୍ଷ ଶକ୍ତିକୁ ସମର୍ଥନ କରୁଥିବା କିମ୍ବା ଅକ୍ଷ ଶକ୍ତି ଜିତି ଯାଇଥିବା ଖବରକାଗଜଗୁଡିÿକରେ) ପ୍ରକାଶିତ ହୋଇଥିଲା । ମାନିଲା (ଫିଲିପାଇନ୍ସ)ରୁ ପ୍ରକାଶିତ ‘ଡେଲି ଟ୍ରିବୁ୍ୟଟ’ ଗୋଟେ ବ୍ୟାନର ହେଡ୍ଲାଇନ କରିଥିଲା, ‘ଫ୍ରି ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଫରମ୍ଡ’(ସ୍ୱାଧୀନ ଭାରତ ସରକାର ଗଠିତ ହେଲା) ସିଙ୍ଗାପୁରରେ ଗୋଟେ କାଗଜ ‘ସିଅନାନ ସିମ୍ ବୁମ୍’ର ଶିରୋନାମା ଥିଲା ଯେ, ‘ପ୍ରୋଭିଜିନାଲ ଆଜାଦ୍ ହିନ୍ଦ୍ ଗଭର୍ଣ୍ଣମେଣ୍ଟ ଡିକ୍ଲାରୟଡ୍ ୱାର ଅନ୍ ବ୍ରିଟେନ ଆଣ୍ଡ୍ ୟୁଏସ୍ଏ’ (ଆଜାଦ ହିନ୍ଦ୍ ସରକାର ବ୍ରିଟେନ ଏବଂ ଆମେରିକା ବିରୋଧରେ ଯୁଦ୍ଧଘୋଷଣା କଲେ) । ଏଥିରେ ଜଣେ ରାଜନୈତିକ ଖେଳ (ସ୍ପିନ୍) ବି ଦେଖିପାରନ୍ତି, କାରଣ ଆଜାଦ ହିନ୍ଦ ସରକାର ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କରିନଥିଲେ । ଏଠି କହିରଖିବା ଉଚିତ ହେବ ଯେ, ‘ସିଆନାନ ସିମ୍ ବୁମ୍’ ଗୋଟେ ପ୍ରଚାରଧର୍ମୀ ଖବରକାଗଜ ଥିଲା, ଯାହାକୁ ଜାପାନୀମାନେ ପ୍ରକାଶ କରୁଥିଲେ ସିଙ୍ଗାପୁରର ଷ୍ଟ୍ରେଟ୍ ଟାଇମ୍ସ ବଦଳରେ । ସିଆନାନ ହେଉଛି ସିଙ୍ଗାପୁରର ପୁରୁଣା ନାଁ । ସିଙ୍ଗାପୁରକୁ ଜାପାନ ସୈନ୍ୟମାନେ ବ୍ରିଟିଶ ସାମରିକ ବାହିନୀକୁ ୧୫ ଫେବ୍ରୁଆରୀ ୧୯୪୨ରେ ପରାସ୍ତ କରି ଦଖଲ କରିଥିଲେ । ସିମ୍ ବୁମ୍ ର ମାନେହେଲା ଖବରକାଗଜ ।

ମୋଟ ଉପରେ କହିଲେ, ଭାରତୀୟ ସମ୍ବାଦପତ୍ରପତ୍ରିକାମାନଙ୍କରେ ନେତାଜୀ ଯଥୋଚ୍ଚିତ ସମ୍ମାନ ଓ ମାନ୍ୟତା ପାଇଥିଲେ । ଯଦିଓ ମହାତ୍ମା ଗାନ୍ଧୀ ଓ ନେହେରୁଙ୍କ ସହ ତାଙ୍କର ମତଭେଦ ହୋଇଥିଲା, କଂଗ୍ରସରୁ ସେ ବାହାରି ଯାଇଥିଲେ, ବ୍ରିଟିଶକୁ ଭାରତରୁ ତଡ଼ିବା ପାଇଁ ଅକ୍ଷ ଶକ୍ତି (ଅନେକେ ଯାହାକୁ ଫାସିଷ୍ଟ୍ ଶକ୍ତି ବୋଲି କହନ୍ତି) ସହିତ ହାତ ମିଳେଇଥିଲେ, କିନ୍ତୁ ତଥାପି ଭାରତରେ ତାଙ୍କର ଜନପ୍ରିୟତାରେ ଭଟ୍ଟା ପଡିÿନଥିଲା । ବରଂ ଆଇଏନ୍ଏ ଯେତେବେଳେ ଭାରତ ଆଡ଼କୁ ମାଡି ଆସୁଥିଲା, କୋହିମାରେ ଭାରତ ମାଟିରେ ପାଦ ପକାଇଲା, ସେ ସମୟରେ ତାଙ୍କର ଜନପ୍ରିୟତା ଅତ୍ୟନ୍ତ ବୃଦ୍ଧି ପାଇଥିଲା । ଆଇଏନ୍ଏର ଦୁଃଖଦ ପରାଜୟ ଏବଂ ନେତାଜୀଙ୍କର ରହସ୍ୟମୟ ନିରୁଦ୍ଦେଶ ତାଙ୍କ ଜୀବନ ଓ ବ୍ୟକ୍ତିତ୍ୱକୁ ଏକ ଲୋକକଥା ସ୍ତରକୁ ନେଇଯାଇଛି ।

ଜଣଙ୍କର ଜୀବନ ଓ ବ୍ୟକ୍ତିତ୍ୱ ଯେତେବେଳେ ଲୋକକଥା ସ୍ତରରେ ପହଞ୍ଚିଯାଏ, ତାହାର ଆକର୍ଷଣ ଚିରନ୍ତନ ହୋଇଯାଏ । ନେତାଜୀଙ୍କ ଜୀବନର କାହାଣୀର ଆକର୍ଷଣ ଚିରନ୍ତନ । ଭାରତୀୟ ଖବରକାଗଜ ଏହି ଆକର୍ଷଣକୁ ଆହୁରି ବଢ଼ାଇବାରେ ଅନେକ ସାହାଯ୍ୟ କରିଛନ୍ତି ।

ଚଳଚ୍ଚିତ୍ରରେ ନେତାଜୀ

ଜନନେତାଙ୍କ ନାଟକୀୟ ଜୀବନକୁ ନେଇ ତିଆରି ଜୀବନୀ-ଚରିତ ଚଳଚ୍ଚିତ୍ର (ବାୟୋପିକ୍) ବେଶ ଲୋକପ୍ରିୟ ହୁଏ । ସେମାନଙ୍କ ଜୀବନର କୌଣସି ନାଟକୀୟ ଘଟଣା ବା ତାଙ୍କ ଜୀବନ ଆଧାରରେ ମଧ୍ୟ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇଛି ।

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନକୁ ନେଇ ମଧ୍ୟ ବିଭିନ୍ନ ଭାଷାରେ ଅନେକ ଗୁଡ଼ିଏ ସିନେମା, ଟେଲିଭିଜନ ଡକୁମେଣ୍ଟରି ଏବଂ ଏବକୁ ୱେବ ସିରିଜ ମଧ୍ୟ ହେଇଛି ।

୧୯୯୯ରେ କବୀର ଖାନ ଏକ ବୃତ୍ତ ଚିତ୍ର ନିର୍ମାଣ କରିଥିଲେ ‘ଦି ଫରଗଟନ ଆର୍ମି’ । ଆଜାଦ ହିନ୍ଦ୍ ଫୌଜ କିଭଳି ଭାବରେ ତିଆରି ହେଲା, ତା’ ପଛର କାହାଣୀକୁ ନେଇ ଏ ବୃତ୍ତ ଚିତ୍ରଟି କରାଯାଇଥିଲା । ପରେ ସେଥିରେ ଅନ୍ୟାନ୍ୟ କାହାଣୀ ପୂରେଇ ତାକୁ ଏକ ୱେବ୍ ସିରିଜ କଲେ ୨୦୨୦ରେ । ନାଁ ଥିଲା: ‘ଦି ଫରଗଟନ ଆର୍ମି- ଆଜାଦି କେ ଲିଏ’ । ଏହା ବେଶ୍ ଜନପ୍ରିୟତା ହାସଲ କରିଛି । ତା’ ପୂୂର୍ବରୁ ‘ବୋଷ ଡେଡ୍ ଅର ଆଲାଇଭ’ ନାମରେ ୨୦୧୭ରେ ଗୋଟେ ୱେବ୍ ସିରିଜ କରାଯାଇଥିଲା ।

ସିନେମା କଥାକୁ ଆସିଲେ, ନେତାଜୀଙ୍କୁ ନେଇ ପ୍ରଥମ ସିନେମାର ନାମ ହେଲା ‘ସମାଧି’ । ୧୯୫୦ରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ନିର୍ଦ୍ଦେଶିକ ଥିଲେ ରମେଶ ସାଇଗଲ । ଏଥିରେ ନେତାଜୀ ସୁବାଷଙ୍କର ଜୀବନୀକୁ ଖୁବ୍ ବେଶି ଦର୍ଶାଯାଇନି । ବରଂ ତାଙ୍କ ଆଦର୍ଶ ଓ ରାଜନୈତିକ ଦର୍ଶନରେ ବିଶ୍ୱାସ କରୁଥିବା ସଂଗ୍ରାମୀମାନଙ୍କର କଥା ଦର୍ଶାଯାଇଛି । ଏ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ହେଲେ ଆଜାଦ ହିନ୍ଦ୍ ଫୌଜର ଜଣେ ସୈନିକ । ଦେଶ ପାଇଁ ସୈନିକ ଜଣଙ୍କ କେମିତି ତାଙ୍କର ପରିବାର ଓ ପ୍ରେମକୁ ଛାଡିଦେଉଛନ୍ତି, ତାହା ସମାଧି ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି ।

୧୯୬୬ରେ ଏକ ବଙ୍ଗଳା ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା, ନାଁ ହେଲା ‘ସୁବାଷ ଚନ୍ଦ୍ର’ । ଏହାର ନିଦେ୍ର୍ଦଶକ ଥିଲେ ପିୟୁୁଷ ବୋଷ । ଏଥିରେ ତରୁଣ ସୁବାଷଙ୍କର ଜୀବନ କଥା, ତାଙ୍କର ପିଲାଦିନ, କଲେଜ ଦିନ, ଆଇସିଏସ ପରୀକ୍ଷାରେ ପାସ୍ କରିବା କଥା, ରାଜନୀତିରେ ପାଦ ଦେବା କଥା ଏବଂ ପୋଲିସ ଦ୍ୱାରା ଗିରଫ ହେବା ପର୍ଯ୍ୟନ୍ତ ଦର୍ଶାଯାଇଛି । ସୁବାଷ ଚନ୍ଦ୍ର ବୋଷ କେମିତି ସ୍ୱାଧୀନତା ସଂଗ୍ରାମ ଭିତରକୁ ଗଲେ, କେମିତି ଭାବରେ ତାଙ୍କ ମନରେ ଦେଶପ୍ରେମ ଜାଗ୍ରତ ହେଲା ଏବଂ ତାହା କ୍ରମଶଃ ବିସ୍ତାରିତ ହେଲା- ଏହା ହେଉଛି ଏ ଚଳଚ୍ଚିତ୍ରର କାହାଣୀ ।

୨୦୦୪ରେ ତିଆରି ହୋଇଥିଲା ‘ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଦ ଫରଗଟନ ହିରୋ’ । ନିଦେ୍ର୍ଦଶକ ଥିଲେ ଶ୍ୟାମ ବେନେଗଲ । ମହାତ୍ମା ଗାନ୍ଧୀ ଏବଂ ସୁବାଷଚନ୍ଦ୍ର ବୋଷଙ୍କ ଭିତରେ ମତ ବିଭେଦ ଓ ପରେ ବୋଷ କେମିତି ଜର୍ମାନୀକୁ ଚାଲିଯାଉଛନ୍ତି, ତାହା ଏ ସିନେମାରେ ବର୍ଣ୍ଣନା କରାଯାଇଛି । ଏଥିରେ ସଚ୍ଚିନ ଖେଡେକର ନେତାଜୀଙ୍କ ଭୂମିକାରେ ଥିଲେ ।

୨୦୧୧ରେ ନେତାଜୀଙ୍କ ଜୀବନ ଉପରେ ଆଉ ଗୋଟେ ବଙ୍ଗଳା ସିନେମା ତିଆରି ହୋଇଛି । ତା’ ନାମ ‘ଆମି ସୁବାଷ ବୋଲଛି’(ମୁଁ ସୁବାଷ କହୁଛି) । ସୁବାଷ ଚନ୍ଦ୍ରଙ୍କୁ ଦେଖାକଲା ପରେ ଜଣେ ସାଧାରଣ ଲୋକର ଜୀବନ କେମିତି ବଦଳି ଯାଉଛି-ତାହା ହେଉଛି ଏ ଚଳଚ୍ଚିତ୍ରର ବିଷୟବସ୍ତୁ । ମହେଶ ମଞ୍ଜରେକର ଏହି ସିନେମାକୁ ନିଦେ୍ର୍ଦଶନା ଦେଇଛନ୍ତି । ମୁଖ୍ୟ ଭୂମିକାରେ ଥିଲେ ମିଥୁନ ଚକ୍ରବର୍ତ୍ତୀ । ସାଧାରଣ ଲୋକ କେମିତି ନେତାଜୀଙ୍କ ଆଦର୍ଶରେ ଉଦବୁଦ୍ଧ ହୋଇ ମାତୃଭୂମି ଓ ମାତୃଭାଷା ପାଇଁ ସଂଗ୍ରାମ କରୁଥିଲେ, ସେ କଥା ଏଥିରେ ଦର୍ଶାଯାଇଛି ।

୨୦୧୯ରେ ଗୋଟେ ବଙ୍ଗଳା ସିନେମା ହୋଇଥିଲା ‘ଗୁନନାମୀ ବାବା’ । ତା’ର ହିନ୍ଦୀ ସଂସ୍କରଣ ବି ହେଇଥିଲା । ଏହାର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀଜିତ ମୁଖାର୍ଜୀ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ମୃତୁ୍ୟରହସ୍ୟକୁ ଆଧାର କରି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଥିଲା । ଅନେକେ କହନ୍ତି ୧୯୪୫ପ୍ଲେନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ହୋଇନଥିଲା । ସେ ବଞ୍ଚି ଯାଇଥିଲେ । ପରବର୍ତ୍ତୀ ସମୟରେ ସେ ସନ୍ୟାସୀ ହୋଇଯାଇଥିଲେ । ସେଇ କାହାଣୀ ଅର୍ଥାତ ପ୍ଲେନ କ୍ରାସ୍ରେ ତାଙ୍କର ମୃତ୍ୟୁ ହୋଇଥିଲା ନା ହେଇନଥିଲା ଘଟଣାକୁ ନେଇ ‘ଗୁନନାମୀ ବାବା’ ଗଢ଼ି ଉଠିଛି ।

୨୦୧୭ରେ ‘ବୋଷ ଡେଡ୍ ଅର ଆଲାଇଭ’ ଗୋଟେ ଟେଲିଭିଜନ ସିରିଜ ହେଇଥିଲା । ଏକତା କପୁର ଏହାର ନିର୍ଦ୍ଦେଶନା ଦେଇଥିଲେ । ରାଜକୁମାର ରାଓ ସୁବାଷ ଚନ୍ଦ୍ର ବୋଷଙ୍କ ଭୂମିକାରେ ଅଭିନୟ କରିଥିଲେ ।

ରାଜ୍ୟସଭା ଟିଭିର ପ୍ରଥମ ସିନେମା ‘ରାଗ୍ ଦେଶ’ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ୍ ଫୌଜର ଅଫିସରମାନଙ୍କ ବିଚାର ଉପରେ ପର୍ଯ୍ୟବସିତ । ତିଗମାଂଶୁ ଧୂଲିଆ ଏ ସିନେମାର ନିର୍ଦ୍ଦେଶକ ଥିଲେ ।

ଓଡିଶାରେ ସୁବାଷ ଚନ୍ଦ୍ର ବୋଷଙ୍କର ପ୍ରଥମ ୧୬ବର୍ଷ କଟିଛି । ଏଠୁ ମାଟ୍ରିକ ପାସ୍ କଲା ପରେ ସେ ଉଚ୍ଚଶିକ୍ଷା ପାଇଁ କୋଲକାତା ଚାଲିଯାଆନ୍ତି । ସେଠି ପ୍ରେସିଡେନ୍ସି କଲେଜରେ ଭର୍ତ୍ତି ହୁଅନ୍ତି । ସୁବାଷଙ୍କ ଭିତରେ ଦେଶପ୍ରେମ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାରେ ଓଡ଼ିଶାର, ବିଶେଷ କରି ସେ ପାଠ ପଢ଼ିଥିବା ସ୍କୁଲର ଦୁଇ ପ୍ରଧାନ ଶିକ୍ଷକଙ୍କର ଅନେକ ଭୂମିକା ରହିଛି । କିନ୍ତୁ ଓଡିଆଭାଷାରେ ସୁବାଷ ଚନ୍ଦ୍ର ବୋଷଙ୍କୁ ନେଇ ଏ ପର୍ଯ୍ୟନ୍ତ କୌଣସି ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ ହୋଇନାହିଁ । ଟେଲିଭିଜନ ସିରିଆଲ୍ ମଧ୍ୟ ତିଆରି ହୋଇ ନାହିଁ । ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କର ଜନ୍ମବାର୍ଷିକୀ ଅବସରରେ ହୁଏତ ଓଡ଼ିଆ ଚଳଚ୍ଚିତ୍ର/ଟେଲିଭିଜନ ଧାରାବାହିକୀ ନିର୍ମାତାମାନଙ୍କର ଏ ଦିଗରେ ଦୃଷ୍ଟି ପଡ଼ିବ ।

Download 1

ଡଃ ମୃଣାଳ ଚାଟ୍ଟାର୍ଜୀ

୯୪୩୭୦ ୨୬୧୯୪

mrinaliimc@yahoo.in

Comments

0 comments

Share This Article