ଗୁରେଜ : ସନ୍ତ୍ରସ୍ତ ସୀମାନ୍ତ

60 Views
19 Min Read

ଉତ୍ତର କାଶ୍ମୀରରେ ନିୟନ୍ତ୍ରଣରେଖା ନିକଟରେ ଅବସ୍ଥିତ ଗୁରେଜ ଉପତ୍ୟକା ବହୁ ଦଶନ୍ଧି ପର୍ଯ୍ୟନ୍ତ ସାଧାରଣ ପର୍ଯ୍ୟଟକମାନଙ୍କର ପହୁଞ୍ଚ ବାହାରେ ଥିଲା । ଗୁରେଜ ପାର୍ବତ୍ୟ ରଣଭୂମି, କାଠଘର ଏବଂ କୁଳୁକୁଳୁ ନାଦରେ ପ୍ରବାହିତ ହେଉଥିବା କିଶନଗଙ୍ଗା ନଦୀର ଆଶୀର୍ବାଦ ପାଇଛି । ସ୍ୱର୍ଗୀୟ ସୁଷମାର ଅପୂର୍ବ ସୌନ୍ଦର୍ଯ୍ୟ ଏଠାରେ ଭରି ରହିଛି । ରଣକ୍ଷେତ୍ର ପାଲଟିଥିବା ଗୁରେଜ ସୀମାରେଖା ୨୦୨୫ ମସିହାରେ ଏହି ଅପହଞ୍ଚ ଅଞ୍ଚଳର ଅପରୂପ ସ୍ପର୍ଶକୁ ଅନୁଭବ କରିବା ସକାଶେ ଗୋଟିଏ ସୁଯୋଗ ଦେଇଛି । ଗୁରେଜ ପାର୍ବତ୍ୟ ଶିଖରରେ ଭୂଦୃଶ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ଲୋକକଥା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ ।

ଗୁରେଜରେ ପହଞ୍ଚିଲା ପରେ ଲାଗେ ସତେଯେପରି ସମୟ ପଛକୁ ଫେରିଯାଇଛି । ସୀମାନ୍ତର ଏସବୁ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ସୀମିତ, ମୋବାଇଲ୍ ନେଟୱାର୍କ ଆସୁଥାଏ ଓ ଯାଉଥାଏ । ଏଠାକାର ଆତିଥ୍ୟରେ କୃତ୍ରିମତାହୀନ ନଥାଏ ବରଂ ସ୍ଥାନୀୟ ଗ୍ରାମବାସୀଙ୍କ ଅତିଥି ସକ୍ରାର ହୃଦୟସ୍ପର୍ଶୀ । ଭାରତ ପାକିସ୍ତାନ ସୀମାନ୍ତର ଏହି ପର୍ଯ୍ୟଟନ ଅଭିଜ୍ଞତା ମୋତେ ବିଳାସର ପ୍ରକୃତ ଅର୍ଥ କ’ଣ, ସେକଥା ପୁନର୍ବିଚାର କରିବାକୁ ବାଧ୍ୟ କରିଥିଲା ।

୧୮୯୫ ମସିହାରେ ବ୍ରିଟିଶ ଲେଖକ ସାର୍ ୱାଲ୍ଟର୍ ଲରେନ୍ସ ଗୁରେଜ ଉପତ୍ୟକାକୁ ସମଗ୍ର କାଶ୍ମୀରର ସୁନ୍ଦରତମ ସ୍ଥାନର ଦୃଶ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି କହିଥିଲେ; ଯେଉଁଠାରେ କିଶନଗଙ୍ଗା ନଦୀର ବହୁବର୍ଣ୍ଣୀ ମଣିମୁକ୍ତା ପରି ଚକ୍ଚକ୍ କରୁଥିବା ଜଳ ଅବର୍ଣ୍ଣନୀୟ ମହିମାର ପାର୍ବତ୍ୟ ବରଫର ସଫେଦ ଚାଦରରେ ସୁସଜ୍ଜିତ । ଦେଶୀୟ ରାଜ୍ୟ କାଶ୍ମୀର ସାରା ଭ୍ରମଣ କରିସାରିବା ପରେ ଲରେନ୍ସ ଭବିଷ୍ୟବାଣୀ କରିଥିଲେ ନିୟନ୍ତ୍ରଣରେଖାର ଏହି ସୀମାନ୍ତ ଗାଁ ଗୁରେଜ ଖୁବ୍ ଶୀଘ୍ର କାଶ୍ମୀରର ସବୁଠାରୁ ଲୋକପ୍ରିୟ ହିମାଳୟ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅନ୍ୟତମ ହେବ । ସେତେବେଳେ ସେ ଅନୁମାନ କରିପାରି ନଥିବା କାରଣଗୁଡ଼ିକ ଯୋଗୁଁ ୧୨୦ ବର୍ଷ ପରେ ମଧ୍ୟ ଗୁରେଜ ଆଜି ଏହି ମାନ୍ୟତାକୁ ଅପେକ୍ଷା କରିଛି । ଭାରତ ପାକିସ୍ତାନର ଯୁଦ୍ଧର ଘନଘଟା ଭିତରେ ‘ଅପରେସନ ସିନ୍ଦୁର’ ରିପୋର୍ଟିଂ ସମୟରେ ମୁଁ ଯେତେବେଳେ ଗୁରେଜ ସୀମାରେଖାରେ ପହଂଚିଥିଲି, ଏହା ମର୍ମେ ମର୍ମେ ଅନୁଭବ କରିଥିଲି ।

୧୯୪୭ ମସିହାରେ ଭାରତର ବିଭାଜନ ପରେ କାଶ୍ମୀର ଅଧିକାର ସାବ୍ୟସ୍ତ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ଏବଂ ସେହି ସମୟଠାରୁ ଏହା ବିଶ୍ୱର ଅସମାହିତ ସଂଘର୍ଷଗୁଡ଼ିକ ମଧ୍ୟରୁ ଅନ୍ୟତମ ବୋଲି ପରିଚିତ ହୋଇଥିଲା । ୧୯୪୯ ମସିହାରେ ଯେତେବେଳେ ଯୁଦ୍ଧବିରତି ହେଲା, ସେତେବେଳେ କାଶ୍ମୀରକୁ ଅସ୍ଥାୟୀ ଭାବରେ ଦୁଇ ଦେଶ ମଧ୍ୟରେ ବଣ୍ଟା ଯାଇଥିଲା । ଗୁରେଜ ଦୁଇ ଦେଶର ସୀମାର ଭାରତୀୟ ପାର୍ଶ୍ୱରେ ପଡ଼ିଥିଲା । ଆଜିର ଦିନରେ ଦୁଇଦେଶ ମଧ୍ୟରେ ବାସ୍ତବ ସୀମାରେଖାକୁ ‘ନିୟନ୍ତ୍ରଣ ରେଖା’ ବୋଲି କୁହାଯାଇଥାଏ । ପୃଥିବୀର ସବୁଠାରୁ ଅଧିକ ସେନା ମୁତୟନ କରାଯାଇଥିବା ସୀମାରେଖା ମଧ୍ୟରୁ ଗୁରେଜ ‘ନିୟନ୍ତ୍ରଣ ରେଖା’ ଗୋଟିଏ ସୀମାନ୍ତ ଗାଁ । ଗୁରେଜର ଉତ୍ତର ପଟକୁ ଥିବା ଉପତ୍ୟକା ସହ ପ୍ରାୟ ସମାନ୍ତରାଳ ଭାବେ ଅନତି ଦୂରରେ ଏହି ସୀମାରେଖା ଅବସ୍ଥିତ । ଏହାର ଗୋଟିଏ ପଟରେ ଛିଡା ହୋଇ ଡାକିଲେ ପାକିସ୍ତାନ ଅଧିକୃତ କାଶ୍ମୀର ପଟରେ ଥିବା ପାକ-ସୀମାରେଖାକୁ ଶୁଣାଯାଏ । ପ୍ରତିଟି ମୁହୂର୍ତ୍ତରେ ଗୁଳିଗୋଳା ମୁହଁରେ ଏବଂ ଜୀବନ ମରଣର ଦୋଛକିରେ ଛିଡା ହୋଇଥିବା ଗୁରେଜ ସୀମାରେଖାର ଉଭୟପାର୍ଶ୍ୱର ମନୋରମ ପ୍ରାକୃତିକ ଦୃଶ୍ୟ ଦେଖଣାହାରୀର ମନକୁ କ୍ଷଣକରେ ହରଣ କରିନିଏ ।

ସୁରକ୍ଷା କାରଣରୁ ୧୯୪୭ ମସିହାପରେ ଗୁରେଜ ଉପତ୍ୟକାକୁ ସର୍ବସାଧାରଣ ଲୋକମାନଙ୍କ ପାଇଁ ନିଷିଦ୍ଧ ଘୋଷଣା କରାଯାଇଥିଲା । କେବଳ ସ୍ଥାନୀୟ ଜନଜାତିର ଲୋକ, ସେନା ବା ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ଏହିସ୍ଥାନକୁ ପ୍ରବେଶ ନିଷେଧ ରହିଥିଲା । ଏହି ନିଷେଧାଦେଶ ପ୍ରାୟ ୬୦ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିଲା । ଉପତ୍ୟକାକୁ ଦେଖିବା ଏବଂ ଏହାର ଲୋକମାନଙ୍କୁ ଭେଟିବାର ସର୍ବୋଚ୍ଚ ଉପାୟ ପାଦରେ ଯାତ୍ରା କରିବା ବୋଲି ଜାଣି ମୁଁ ଦୁଇଘଣ୍ଟା ପର୍ଯ୍ୟନ୍ତ ଘାଟୀ ରାସ୍ତାରେ ଚାଲିଥିଲି । ରାସ୍ତାଟି କିଶନଗଙ୍ଗା ନଦୀର କୂଳେ କୂଳେ ଯାଇଛି । ଗୁରେଜ ଉପତ୍ୟକା ବିଷୟରେ ମୁଁ ପ୍ରଥମେ ୨୦୧୦ ମସିହାରେ ପଢ଼ିଥିଲି ଏବଂ ଏହାର ସୀମାରେଖା ପର୍ଯ୍ୟଟନସ୍ଥଳୀ ଭ୍ରମଣ ପାଇଁ ଅନୁମତି ହାସଲ କରିଥିଲି କିନ୍ତୁ ସେଠାକୁ ଯାଇପାରିନଥିଲି । କିନ୍ତୁ ‘ଅପରେସନ ସିନ୍ଦୁର’ର ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଭାରତୀୟ ସେନାବାହିନୀ ସୁରକ୍ଷାର ଅଭେଦ୍ୟ କବଚରେ ରହିଥିବା ଏହି ଗୁରେଜ ସୀମାରେଖାରେ ମୁଁ ପହଂଚିଥିଲି । କିଷାନଗଙ୍ଗା ନଦୀ ଉପତ୍ୟକାର ଗଭୀର ଭାଗରେ ଅବସ୍ଥିତ ସ୍ଥାନ ତୁଲାଇଲ ନାମରେ ପରିଚିତ ।

ଜଳପ୍ରପାତଗୁଡ଼ିକ ପଥର ଚଟାଣର ଢାଲୁରେ ଥିବା ଶିରାଳ ପଥ ଦେଇ ପ୍ରବାହିତ ହେଉଛନ୍ତି । ପଥର ଚଟାଣ ଉପରେ ଅଳ୍ପ ଦୂରରେ ତୁଷାର ଆଚ୍ଛାଦିତ ପର୍ବତ ଶିଖରଗୁଡ଼ିକ ବେଶ୍ ଉଚ୍ଚ ଥିଲେ । ନଦୀର ପ୍ଲାବନ କ୍ଷେତ୍ରରେ ଚାଷବାସ କରାଯାଉଥିବା ଆଳୁ ଓ ମକାଫସଲରେ ପରିପୂର୍ଣ୍ଣ ଥିଲା । ଫସଲର ଚାରିକଡ଼େ ଘେରି ରହିଥିବା ବଣୁଆ ଫୁଲଗୁଡ଼ିକ ଚିକ୍ଚିକ୍ କରୁଥିଲେ । କାଠଘରରେ ପରିପୂର୍ଣ୍ଣ ଅଙ୍କାବଙ୍କା ଛୋଟଛୋଟ ଗାଁଗୁଡ଼ିକ ସେହି ଭୂଖଣ୍ଡରେ ଏଣେତେଣେ ବିଛାଡ଼ି ହୋଇ ରହିଥିଲେ । ସେଗୁଡ଼ିକୁ ଦେଖିଲେ ମନରେ ଏହି ଭାବନା ଆସେ ଯେ ଉପତ୍ୟକାଟିକୁ କୌଣସି ଲୋକକଥାରୁ ଛଡ଼ାଇ ଅଣାଯାଇଛି କିମ୍ବା କୌଣସି ଯାଦୁର ପ୍ରଭାବଦ୍ୱାରା ଆମମାନଙ୍କୁ ଏପରି ଗୋଟିଏ ଗାଁକୁ ସ୍ଥାନାନ୍ତରିତ କରି ଦିଆଯାଇଛି ।

ନଈର କଡ଼େ କଡ଼େ ଥିବା ସୀମାରେଖାରେ କଣ୍ଟା ତାରର ବାଡ଼ ଲଗାଯାଇଥିଲା । ରାସ୍ତାରେ ଅଥବା ଗୁରୁତ୍ୱପୂର୍ଣ୍ଣ ପାହାଡ଼ଗୁଡ଼ିକ ଉପରେ ସେନାର ଶିବିର ବା ଚେକପୋଷ୍ଟମାନ ରହିଥିଲା । ଯେଉଁଗୁଡ଼ିକ ମୁଖ୍ୟ ଉଦେ୍ଦଶ୍ୟ ଥିଲା ପାକିସ୍ତାନ ପଟୁ ଆସୁଥିବା ଅନୁପ୍ରବେଶକାରୀମାନଙ୍କୁ ପ୍ରତିହତ କରିବା । ମୋତେ ପ୍ରତ୍ୟେକ ସେନାଶିବିରରେ ଅଟକ ରଖି ମୋର ଅନୁମତି ପତ୍ର ଯାଞ୍ଚ କରିବା ସହିତ ପଚରା ଉଚରା କରାଯାଇ ଆଗକୁ ବଢ଼ିବାକୁ ଅନୁମତି ଦିଆଯାଉଥିଲା । ସବୁଠାରେ କୁହାଯାଉଥିଲା ନିଜର ସୁରକ୍ଷାକୁ ଧ୍ୟାନ ଦେବାକୁ କାରଣ ଯେକୌଣସି ସମୟରେ ପାକିସ୍ତାନ ପଟରୁ ଗୁଳିଗୋଳା ବର୍ଷଣର ସମ୍ଭାବନା ରହିଛି । ଏହି ସୂଚନାକୁ ଶୁଣିବା ପରେ ମୁଁ ମୋ ବିଶ୍ୱାସର ଭଗବାନଙ୍କୁ ମନରେ ସ୍ମରଣ କରି ଆଗକୁ ଚାଲୁଥିଲି । ମୁଁ ଭାବୁଥିଲି ପର୍ଯ୍ୟଟକମାନଙ୍କର ସ୍ୱର୍ଗସମ ଏହି ସ୍ଥାନଟି କଣ ମଣିଷକୃତ ଏକ କୁତ୍ରିମ ସୀମାରେଖା ଭିତରେ ସବୁଦିନ ପାଇଁ ଭିନ୍ନ ହୋଇରହିଯିବ? ପର୍ଯ୍ୟଟକମାନଙ୍କର ଆଗମନ ଏହି ଗରିବ ବିଚ୍ଛିନ୍ନ ଅଞ୍ଚଳପାଇଁ ଅତ୍ୟନ୍ତ ଆବଶ୍ୟକ । ଯଦିଓ ଏହା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଏକ ମାତ୍ର ମାଧ୍ୟମ କିନ୍ତୁ ଏହା ଏହି ଅଞ୍ଚଳର ବୈଶିଷ୍ଟ୍ୟ ଆତିଥ୍ୟର ପରମ୍ପରାକୁ ମଧ୍ୟ ନଷ୍ଟ କରିଦେଇପାରେ । କେବେ କେମିତି ବିରଳ ଅତିଥି ଜଣେ ଘରକୁ ଆସିଲେ ତାଙ୍କୁ ସ୍ୱାଗତ କରିବା ଭିନ୍ନ କଥା, କିନ୍ତୁ ନିୟମିତ ରୂପେ ଆସୁଥିବା ପର୍ଯ୍ୟଟକମାନଙ୍କୁ ମଧ୍ୟ ସ୍ଥାନୀୟ ଅଧିବାସୀମାନେ ସମାନ ଉତ୍ସାହରେ ସ୍ୱାଗତ କରିବାର ସ୍ଥିତି ଭିନ୍ନ, ବିଶେଷ କରି ଯେତେବେଳେ ଯାତ୍ରୀମାନଙ୍କୁ ଆତିଥ୍ୟ ପ୍ରଦାନ କରିବା ଏକ ବ୍ୟବସାୟ ହୋଇଯିବ । ନିଜ ମନ ମଧ୍ୟରେ ଯେତେବେଳେ ମୁଁ ନିଜକୁ ନିଜେ ଏହି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଜାରି ରଖି ନୀରବରେ କେବଳ ଚାଲୁଥିଲି ସେତିକିବେଳେ ବୋଧହୁଏ ମୋ ନୀରବତା ରଫିକ ଚାଚା ସହି ନପାରି ମୋତେ ପଚାରିଲେ, ‘ସାବ୍ କ’ଣ ହେଲା? ଏତେ ଚୁପ୍ଚାପ୍ କାହିଁକି? ମୁଁ ଯେତେବେଳେ ତାଙ୍କୁ ମୋ ଭାବନା ପ୍ରସଙ୍ଗରେ କହିଲି ସେ ମୋତେ କହିଲେ, ‘କିଛି ହେବନି ସାବ୍ । ଏ ପାକିସ୍ତାନୀ ଆତଙ୍କବାଦୀ ଓ ସେନା ଆମକୁ ଟିକିଏ ଶାନ୍ତିରେ ବଞ୍ଚିବାକୁ କିମ୍ବା ମାରିବାକୁ ଦେଉନାହାନ୍ତି । ପର୍ଯ୍ୟଟନ କଥା ଛାଡ଼ନ୍ତୁ । କେତେବେଳେ କେମିତି ଆପଣଙ୍କ ଭଳି ସାମ୍ବାଦିକ କିମ୍ବା ପର୍ଯ୍ୟଟକ ସେନାବାହିନୀର ଅନୁମତିରେ ଆସିଲେ ବହୁତ ବଡ଼କଥା । ରଫିକ ଚାଚା ମୋ ସହିତ ସ୍ଥାନୀୟ ଅଞ୍ଚଳର ଗାଇଡ଼ ଭାବେ ରହିଥିଲେ ।

କୌଣସି ଯୁକ୍ତି ନକରି ମୁଁ ମୋର ଚାଲିବା ଜାରି ରଖିଲି । ସମୁଦ୍ର ପତ୍ତନ ଠାରୁ ୧୧,୬୭୨ ମିଟର ଉଚ୍ଚରେ ଅବସ୍ଥିତ ରାଜଦାନ ଗିରିପଥ ଅତିକ୍ରମ କରି ଗୁରେଜ ଉପତ୍ୟକାର ଖାଲୁଆ ଅଞ୍ଚଳରେ ପ୍ରବେଶ କଲି । ଯିବା ବାଟରେ, ପୂର୍ବଥର ତୁଳନାରେ ମୁଁ କେବଳ ଗୋଟିଏ ବଡ଼ ଧରଣର ପରିବର୍ତ୍ତନ ଲକ୍ଷ୍ୟ କଲି । ତାହାହେଲା କିଶନଗଙ୍ଗା ବନ୍ଧ ଯାହା ନିକଟ ଅତୀତରେ ଉଦ୍ଘାଟିତ ହୋଇଥିଲା । ନୂଆ ଜଳଭଣ୍ଡାରରେ ଜମା କରାଯାଇଥିବା ପାଣି ମାଡ଼ିଆସିବା ଯୋଗୁଁ ଅତି ସୁନ୍ଦର ଗାଁ ବଡ଼ୱାନକୁ ଖାଲି କରାଇ ସ୍ଥାନୀୟ ଜନସାଧାରଣଙ୍କୁ ବିସ୍ଥାପନ କରାଯାଇଥିଲା ବୋଲି ରଫିକ ଚାଚା କହିଲେ ।

ମୁଁ ବାଡ଼ୋଆବର ସେନାଘାଟୀ ନିକଟରେ ପହଞ୍ଚିଲି । ମୋର ଆବଶ୍ୟକୀୟ ସୁରକ୍ଷା ଯାଞ୍ଚ ପରେ ମୁଁ ସେଠାରେ ଦାୟିତ୍ୱରେ ଥିବା କର୍ଣ୍ଣେଲ ବି. ପି. ସିଂ ଏବଂ ମେଜର ଦୀଲଜିତ ସିଂଙ୍କ କାର୍ଯ୍ୟାଳୟରେ ପହଞ୍ଚିଲି । ସେଠାରେ ଚା’ ଓ ଜଳଖିଆ କାର୍ଯ୍ୟ ଶେଷହେଲା । ସେନା ଅଧିକାରୀମାନଙ୍କର ଆତିଥ୍ୟ କୌଣସି ଗୁଣରେ ଊଣା ନଥିଲା । ମୁଁ ନିୟନ୍ତ୍ରଣ ରେଖା ନିକଟ ଏବଂ ସ୍ଥାନୀୟ ଗାଁ ଗାଁଗଣ୍ଡା ପରିଦର୍ଶନରେ ଯିବାପାଇଁ ସୁରକ୍ଷା ଅନୁମତି ହାସଲ କରିବାକୁ ସେମାନେ ଆବଶ୍ୟକୀୟ ପ୍ରସ୍ତୁତି ସାରିଲେ । ମାତ୍ର ପହଲଗାମର ଆତଙ୍କବାଦ ନରସଂହାର ପରେ ଭାରତ ଓ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଯୁଦ୍ଧ ପରିସ୍ଥିତ ସାଙ୍ଗକୁ ସେଦିନ ପାହାଡ଼ଉପରେ ପ୍ରବଳ ଝଡ଼ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ହୋଇଯାଇଥିଲା । କିନ୍ତୁ ଧୀରେଧୀରେ ଝଡ଼ର ପ୍ରକୋପ କମିଥିଲା । ଯୁଦ୍ଧ ପରିସ୍ଥିତି ମଧ୍ୟରେ ମୁଁ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ସହିତ ଗୁରେଜ ସମେତ ଖେରନ ଘାଟିର ବିଭିନ୍ନ ସୀମାରେଖା ଅଞ୍ଚଳ ଗସ୍ତକରିବାର ସୁଯୋଗ ପାଇଥିଲି ।

ମୁଁ ଦାୱାରରେ ପହଞ୍ଚିଲାବେଳକୁ ହାଲୁକା ବର୍ଷା ହେଉଥିଲା । ଶାନ୍ତ ପ୍ରକୃତିର ସୀମାରେଖାର ଅଶାନ୍ତ ବାତାବରଣ ସ୍ପଷ୍ଟ ବାରି ହୋଇପଡୁଥିଲା । ସେନାବାହିନୀର ଦଳ ହାତରେ ବନ୍ଧୁକ ଧରି ସଜାଗ ହୋଇରହିଥିଲେ । ପାକିସ୍ଥାନପଟୁ ଯେକୌଣସି ଆକ୍ରମଣର ଦୃଢ଼ ଜବାବ ଦେଇ ଭାରତୀୟ ମା ମାଟି ଓ ଗୁରେଜକୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ହୋଇ ରହିଥିଲେ ଭାରତର ସଶସ୍ତ୍ର ସେନା । ପବନରେ ଉଡୁଥିବା କାନ୍ଧର ଶାଲ୍ପରି ସୀମାରେଖାର ମୁଣ୍ଡ ଉପରେ ଭସାବାଦଲ ଉପତ୍ୟକାର ଶିଖରରେ ଭାସି ବୁଲୁଥିଲା । ୧୩,୦୦୦ ଫୁଟ ଉଚ୍ଚ ପିରାମିଡ୍ ଆକୃତିର ଏହି ସୁନ୍ଦର ପର୍ବତ ଶିଖରଟି ୧୬ଶ ଶତାବ୍ଦୀର କବୟିତ୍ରୀ ହବାବ୍ ଖାତୁନଙ୍କ ନାମରେ ନାମିତ ହୋଇଛି । କାଶ୍ମୀରର କୋକିଳକଣ୍ଠି ରୂପେ ପରିଚିତ ହବାବ୍ ଖାତୁନ ଯୁବାବସ୍ଥାରେ ଏହି ପର୍ବତର ପାଦଦେଶରେ ଏକୁଟିଆ ନିଃସଙ୍ଗ ଜୀବନ କାଟୁଥିଲେ ବୋଲି ଲୋକକଥାରେ କୁହାଯାଏ ।

କାଶ୍ମୀର ଘାଟିରେ ଯେତେବେଳେ ଆତଙ୍କବାଦର ରକ୍ତାକ୍ତ ନରସଂହାରର ରକ୍ତଛିଟାରେ ପ୍ରାୟ ପ୍ରତିଦିନ ସାଧାରଣ ନାଗରିକ, ଆତଙ୍କବାଦୀ ଓ ସୈନ୍ୟମାନଙ୍କର ହତ୍ୟାର ଖବର ଆସୁଥିଲା, ସେହି ବିଭୀଷିକାର ସମୟରେ ଗୁରେଜ ଉପତ୍ୟକା ଥିଲା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ । ଏହା ହେଉଛି କାଶ୍ମୀରର ଏକ ବିରଳ ଅଞ୍ଚଳ ଯେଉଁଠାରେ ଭାରତୀୟ ସେନାର ସ୍ଥାନୀୟ ଲୋକମାନଙ୍କ ସହ ସବୁଠାରୁ ମଧୁର ସମ୍ପର୍କ ରହିଛି । ସେନାବାହିନୀ ସ୍ଥାନୀୟ ଲୋକମାନଙ୍କୁ ବିଶେଷ କରି ଶୀତଦିନେ ଚିକିତ୍ସା ଓ ଅନ୍ୟାନ୍ୟ ଜରୁରୀକାଳୀନ ସହାୟତା ଯୋଗାଇଥାଏ ।

ଏହାରି ଭିତରେ ମୁଁ ବୁଗଲାନ୍ଦର୍ ଗାଁରେ ପହଞ୍ଚିଥିଲି । ରଫିକ ଚାଚା ମୋତେ ମହମ୍ମଦ ୟାସିନଙ୍କ ସହିତ ପରିଚିତ କରାଇଦେଲେ । ମୁଁ ଗାଁ ବିଷୟରେ ତାଙ୍କୁ ପଚାରିଲି । ସେ ଏହା ସମ୍ପର୍କରେ ବୁଝାଇ କହିଲେ, “ଗୁରେଜ ଓ ତୁଲାଇଲର ବାସିନ୍ଦାମାନେ ପ୍ରକୃତପକ୍ଷେ କାଶ୍ମୀରୀ ନୁହନ୍ତି, ବରଂ ସେମାନେ ଦାର୍ଦ-ଶିନ ଜନଜାତିର ଏବଂ ସେମାନଙ୍କର ମାତୃଭାଷା ହେଉଛି ଶିନା । ଦାର୍ଦ-ଶିନ ଲୋକମାନଙ୍କର ଜନ୍ମସ୍ଥାନର ଅଧିକାଂଶ ଅଞ୍ଚଳ ଦାର୍ଦସ୍ତାନ ଭାବରେ ଜଣାଶୁଣା । ଏହା ପାକ୍ ଅଧିକୃତ କାଶ୍ମୀରରେ ଅବସ୍ଥିତ । ନିୟନ୍ତ୍ରଣ ରେଖାର କିଶନଗଙ୍ଗାର ଉଭୟପାର୍ଶ୍ୱ ହେଉଛି ସେମାନଙ୍କର ଏକମାତ୍ର ଆବାସସ୍ଥଳୀ ।

ଏକଦା ଏହି ଅଞ୍ଚଳର ଶାନ୍ତ ସରଳ ସୁଶୀତଳ ସ୍ୱଚ୍ଛ ଜଳର ପ୍ରବାହର ପ୍ରକୃତି କୋଳରେ ଆମେ ହସିଖେଳି ଆମର ପାରମ୍ପରିକ ନୃତ୍ୟ ସଂଗୀତରେ ଜୀବନ ବିତାଉଥିଲୁ । ହେଲେ ସମୟ ବଦଳାଇଦେଲା ଆମର ଜୀବନର ଗତିପଥ । ଭାରତର ବିଭାଜନ ହୋଇ ପାକିସ୍ତାନ ଗଠନ ହେଲାପରେ ଏଠାରେ ସେନାବାହିନୀର ତୋପ କମାଣର ଅଗ୍ନିର ଝଲକ ଆମର ନୀଳ ଜଳଧାରା ଉପରେ ପ୍ରତିଫଳନର ଢେଉ ଉଠିଲା । ମହମ୍ମଦ ୟାସିନଙ୍କ ଶବ୍ଦର ସଂଯୋଜନାରେ ତାଙ୍କର କଥାପଦକ ଯେତିକି ମର୍ମସ୍ପର୍ଶୀ, ସେତିକି ହୃଦୟ ବିଦାରକ ଥିଲା ।

ଶତାବ୍ଦୀ ଶତାବ୍ଦୀ ଧରି ଏହି ଅଞ୍ଚଳର ଜୀବନ ମୁଖ୍ୟତଃ ଗୁଜୁରାଣ ମେଣ୍ଟାଇ ହେଉଥିବା ପରି ଚାଷ ଏବଂ ଛେଳି, ମେଣ୍ଢା, ଗୋରୁଗାଈ ଚରାଇବା ପରି ବୃତ୍ତି ଉପରେ ଆଧାରିତ ଥିଲା । ଆଚୁରା ଗାଁର ଜଣେ ୯୨ବର୍ଷୀୟ ବୃଦ୍ଧ ଗୁଲାମ କାଦିର ଖାନ୍ ମୋତେ କହିଲେ, “ସେ ଯେତେବେଳେ ଯୁବକ ଥିଲେ ଶାରୀରିକ ଶକ୍ତି ଜଣେ ସ୍ତ୍ରୀର ସବୁଠାରୁ ଆକାଂକ୍ଷିତ ଗୁଣ ଥିଲା । ମହିଳାମାନଙ୍କୁ ଜାଳେଣି କାଠ ବୋହିବାକୁ, ପାଣି ଟାଣିବାକୁ ଏବଂ ଫସଲର ଯନô ନେବାପାଇଁ ସକ୍ଷମ ହେବାକୁ ପଡୁଥିଲା । କିନ୍ତୁ ଏଠାରେ ସବୁକିଛି ଆଖି ପିଛୁଳାକେ ଧ୍ୱଂସ ହୋଇଯିବ । ସକାଳର ଚାଷ ଅପରାହ୍ଣରେ ନଥିବ । ସନ୍ଧ୍ୟାର ଘର ରାତିରେ ଶୋଇଲାବେଳକୁ ଉଭେଇ ଯାଇଥିବ । କେତେବେଳେ ଏଠାରେ ବସିବାକୁ ଜାଗା ମିଳିବ ତ ପୁଣି ନିମିଷକେ ସେଠାରୁ ଉଠି ସଂସାରର ବୋଝ ମୁଣ୍ଡାଇ କେବଳ ଚାଲିବାକୁ ପଡ଼ିବ । ଏଠାରେ ନିଜର ଓ ପରର କିଛି ନୁହେଁ । ସେଥିପାଇଁ ଏହା ସୀମାରେଖା” ।

ଏବେ ମଧ୍ୟ ଏସବୁ ଗାଁ ଗଣ୍ଡାରେ ଶାରୀରିକ ଶ୍ରମ ଦୈନନ୍ଦିନ ଜୀବନର ମୂଳଦୁଆ ହୋଇ ରହିଛି । ସମଗ୍ର ଉପତ୍ୟକାରେ ମୁଁ ମହିଳାମାନଙ୍କୁ ଏବଂ କଦବା କେମିତି ପୁରୁଷମାନଙ୍କୁ ପରିଶ୍ରମ କରୁଥିବାର ଦେଖିଲି । ଗୁଲାମ କାଦିର ଖାନ୍ କହିବା ମୁତାବକ ମୁଁ ଆଚୁରା ଗାଁ ନିକଟସ୍ଥ ଗୋଟିଏ ଝରଣା ବୁଲିବାକୁ ଗଲି । କିମ୍ବଦନ୍ତୀ କହେ ଏହି ଗାଁରେ ହବାବ୍ ଖାତୁନଙ୍କ ହାତରୁ ପାଣି ଭର୍ତ୍ତି ଗୋଟିଏ ମାଟିପାତ୍ର ଏଠାରେ ଖସିପଡ଼ିବା ପରେ ପ୍ରଥମ ଥର ସକାଶେ ସେହି ସ୍ଥାନରୁ ଝରଣା ଝରିବା ଆରମ୍ଭ ହୋଇଥିଲା । ଗୋଟିଏ ଫାଙ୍କା ସ୍ଥାନ ଅତିକ୍ରମ କରି ଝରଣା ପାଖକୁ ଯିବାବେଳେ ଦେଖିଲି ଶୀତ ଋତୁର ଆଗମନ ପ୍ରସ୍ତୁତିରେ ସେଠାରେ ପାଳଗଦା ସଦୃଶ୍ୟ ଶୁଖିଲା କାଠଗଣ୍ଡି ଜମା କରି ରଖାଯାଇଛି । ମୁଁ ସେଠାରେଥିବା ଯୁବକଜଣଙ୍କୁ ପଚାରିଲି, ପାହାଡ଼ ଉପରେ ଥିବା ଜଙ୍ଗଲରୁ ଏହି କାଠଗଣ୍ଡିଗୁଡ଼ିକ ଏଠାକୁ କଣ ମହିଳାମାନେ ବୋହି ଆଣନ୍ତି? ଯୁବକଜଣକ ହସି ହସି ଉତ୍ତର ଦେଲେ, ‘ନାରୀ ଶକ୍ତି’ ।

ପରିସ୍ଥିତି ଏବେ ବଦଳୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗୁରେଜ ଓ ତୁଲାଇଲ ଗାଁ ଗଣ୍ଡାର ପ୍ରାୟ ଅଧା ବାସିନ୍ଦା ଆଜିକାଲି ବର୍ଷର ଅଧା କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଅନ୍ୟତ୍ର ବସବାସ କରନ୍ତି । ପାଗ ଥଣ୍ଡାହେଲେ କାମପାଇଁ ତଥା ପାଠ ପଢ଼ିବାକୁ କାଶ୍ମୀରର ଅନ୍ୟାନ୍ୟ ସହରକୁ ସ୍ଥାନାନ୍ତରିତ ହୋଇଥାଆନ୍ତି । କେତେବେଳେ ଏଠାରେ ଯୁଦ୍ଧ ପରିସ୍ଥିତି ଉପୁଜିବ, ତାହା କେହି ଜାଣନ୍ତି ନାହିଁ । ସବୁବେଳେ ସୀମାନ୍ତର ଏହି ଗାଁ ଗଣ୍ଡାର ବାସିନ୍ଦା ଭୟ ଓ ଆତଙ୍କ ତଥା ଆଶା ଆଶଙ୍କାରେ ଦିନ କାଟନ୍ତି । ଆପଣ ଦେଖୁଛନ୍ତି ବର୍ତ୍ତମାନ ‘ଅପରେସନ ସିନ୍ଦୁର’ ପାଇଁ କିପରି ଗାଁସବୁ ପ୍ରାୟତଃ ଜନଶୂନ୍ୟ ହୋଇଛି । ଏଠାରେ ଶୀତକାଳ ଅତ୍ୟନ୍ତ କଷ୍ଟଦାୟକ । ମାଟି ଉପରେ ପ୍ରାୟ ୧୫ଫୁଟ ଉଚ୍ଚର ତୁଷାର ଜମା ହୁଏ ବୋଲି ଅହମ୍ମଦ ଲୋନ୍ କହିଥିଲେ ।

“ଏତେ ଭୟ ଓ ଆତଙ୍କ ଭିତରେ ମଧ୍ୟ ଗାଁ ଲୋକମାନେ ଗ୍ରୀଷ୍ମ ଋତୁରେ ନିଜ ଜନ୍ମମାଟିର ଆକର୍ଷଣରେ ଗ୍ରାମକୁ ଫେରି ଆସନ୍ତି । ପୈତୃକ ଜମିରେ ଫସଲ ଚାଷକରି ନିଜହାତରେ ଶସ୍ୟ ଅମଳକରି ଖାଇବାକୁ ଏବଂ ସେମାନଙ୍କର ନିଛାଟିଆ ବାପ ଅଜା ଅମଳ ଘରର ଗଭୀର ଶାନ୍ତି ଉପଭୋଗ କରିବାକୁ ଏଠାକୁ ଆସନ୍ତି । ଆମ ଶରୀରର ଆତ୍ମା ଓ ମନର ଖୁସି ଏଇ ସୀମାରେଖାର ବନ୍ଧୁକମୁନରେ ବଞ୍ଚିଛି । କେତେଦିନ ଏହାକୁ ଛାଡ଼ି ରହିପାରିବୁ? ଏହାକୁ ଛାଡ଼ି ବଞ୍ଚି ହେଉନି କିମ୍ବା ଏଇ ସୀମାରେଖାର ମରଣ ମୁହଁରେ ସହଜରେ ମୃତୁ୍ୟ ମିଳୁନି । ମୁହଁର ମିଛ ବାଧ୍ୟବାଧକତାର ହସ ଓ ଆଖିର ଅଦେଖା ଲୁହରେ ଏଠି ଆମ ଜୀବନ ଖାଲି ଛଟପଟ ହେଉଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏ ହେଉଛି ସେଇ ‘ସ୍ମୃତିର ସରହଦ୍’ ଯେଉଁଠାରେ ମୋ ବାସର ରାତିର ଶେଜ ପାକିସ୍ତାନର ତୋପ ଗୋଳାରେ ଜଳିଗଲା । ଦରପୋଡ଼ା ନବବିବାହିତା ପତ୍ନୀ ରୁବିନା ବଞ୍ଚିବାକୁ ସଂଘର୍ଷ କରି ବଙ୍କର ଭିତରେ ଦୁଇଦିନ ଛଟପଟ ହୋଇ ଆଖିବୁଝିଲା । ରୁବିନାକୁ ବଞ୍ଚାଇବାକୁ ଆମ ଆର୍ମି ଡାକ୍ତରଙ୍କ ସମସ୍ତ ଚେଷ୍ଟା ଭିତରେ ମଧ୍ୟ ସେ ମୋ ଠାରୁ ସବୁଦିନ ପାଇଁ ଅଲଗା ହୋଇଗଲା । ମଣିଷ ଏଠି ମଣିଷର ବିଶ୍ୱାସ ଓ ମୋହବକୁ ଧୋକା ଦିଏନି । ଏଇ ସରହଦ୍ ଆମର ସାଇତା ସ୍ୱପ୍ନକୁ ଅପହରଣ କରି ଆମ ବିଶ୍ୱାସ ଓ ମୋହବକୁ ଧୋକା ଦିଏ’ବୋଲି ୨୮ବର୍ଷୀୟ ଆଫ୍ରୋଜା ଭଟ୍ଟ ନିଜ ଜୀବନର ଏହି ଦାରୁଣ ଦୁର୍ଦ୍ଦିନର ବାସ୍ତବ କାହାଣୀକୁ ବୁଝାଇ କୁହନ୍ତି । “ମୁଁ ନିଜେ ବର୍ଷର ଅଧିକାଂଶ ସମୟ ଶ୍ରୀନଗରରେ ବିତାଇ ଥାଆନ୍ତି । ଏହାପରଠାରୁ ମୁଁ ଯେତେବେଳେ ହଟାତ କୌଣସି ଜୋରଦାର ଶବ୍ଦ ଶୁଣେ ମୁଁ ଚମକି ଉଠି ଭୟରେ ମୋ ଶରୀର ଥରେ’ ବୋଲି ଆଫ୍ରୋଜା ଭଟ୍ଟ କହିଥିଲେ ।

ମୁଁ ଗୁରେଜ ସୀମାରେଖାର ଉପତ୍ୟକାରେ ଯେତେ ଗ୍ରାମବାସୀଙ୍କୁ ଭେଟିଥିଲି ସେମାନେ ସମସ୍ତେ ମେଳାପି ବୋଲି ମନେ ହେଉଥିଲେ । ମୁଁ ସେମାନଙ୍କ ସହ କିଶନଗଙ୍ଗା ନଦୀବନ୍ଧର ପାରିବେଶିକ ପ୍ରଭାବ, ନିୟନ୍ତ୍ରଣରେଖା ନିକଟରେ ରହିବାର ଅନୁଭବ କ’ଣ, ଏବଂ ସେମାନେ ଶୀତ ଋତୁ କିପରି କାଟନ୍ତି ବୋଲି ପଚାରିବା ସମୟରେ ଜାଣିପାରିଥିଲି ସମସ୍ତଙ୍କ ମନତଳର ସନ୍ତାପିତ ଅକୁହା ଅବ୍ୟକ୍ତ ଭୟ ଓ ଆତଙ୍କ ସାଙ୍ଗକୁ ନିଜ ଗାଁ ଗଣ୍ଡାର ସନ୍ତ୍ରସ୍ତ ସୀମାନ୍ତ ପ୍ରତି ରହିଥିବା ଅହେତୁକ ଦୁର୍ବାର ଆକର୍ଷଣ ।

ସେଦିନ ସନ୍ଧ୍ୟାରେ ଏହି ଅଞ୍ଚଳ ସମ୍ପର୍କରେ ଅଧିକ କିଛି ଜାଣିବାର ପ୍ରୟାସରେ ମୁଁ ଡାୱର ମହାବିଦ୍ୟାଳୟର ଜଣେ ୩୧ବର୍ଷ ବୟସ୍କ ଇଂରାଜୀ ଭାଷା ଓ ସାହିତ୍ୟର ସହକାରୀ ଅଧ୍ୟାପକ ରାକ୍ୱିବ ଅହମ୍ମଦ ଲୋନଙ୍କୁ ଭେଟିଥିଲି । ସେ ତୁଲାଇଲ ଗ୍ରାମରେ ବଢ଼ିଥିଲେ ଏବଂ ୱାଲ୍ଟ ହ୍ୱିଟମ୍ୟାନ୍ଙ୍କ କବିତା ଓ ‘ଲର୍ଡ ଅଫ୍ ଦି ପ୍ଲାଇଜ୍’କୁ ସେ ଭଲପାଆନ୍ତି । ଗୁରେଜରେ ଦାର୍ଦ-ଶିନ ଲୋକକଥା ଏବଂ ପାରମ୍ପରିକ ଜୀବନ ସମ୍ପର୍କରେ ତାଙ୍କ ସହ କେଇ ଘଣ୍ଟାର ଗପସପ ପରେ ସେ ସ୍ଥାନୀୟ ହବାବ୍ ଖାତୁନ ସାଂସ୍କୃତିକ ଦଳର କାର୍ଯ୍ୟକ୍ରମ ଦେଖିବାକୁ ମୋତେ ସାଙ୍ଗରେ ନେଇଗଲେ । ହବାବ୍ ଖାତୁନ ଡ୍ରାମାଟିକ କ୍ଲବ୍ ଦାୱାର ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ରରେ ହବାବ୍ ଖାତୁନ ଡ୍ରାମାଟିକ କ୍ଲବ୍ କଳାକାର ଓ ସଦସ୍ୟମାନେ ଏକାଠି ହୋଇଥିଲେ । ଡ୍ରମ ଓ ହାରମୋନିଅମ୍ ତାଳେ ତାଳେ ନୃତ୍ୟଶିଳ୍ପୀମାନେ ‘ଗାଥାଗୀତି’ (ବାଲାର୍ଡ) ଗୀତ ଗାଇ ନୃତ୍ୟ ପ୍ରଦର୍ଶନ କରିଥିଲେ । ରାକିବ୍ ବ୍ୟାଖ୍ୟା କରି କହିଥିଲେ ପ୍ରତ୍ୟେକଟି ଗୀତ ଜଣେ ପ୍ରେମିକର ଆବେଦନ ଥିଲା, ସୀମାରେଖାର ଆଶା ଆଶଙ୍କାର ଆବେଗ, ଅପ୍ରତ୍ୟାଶିତ ଆକାଂକ୍ଷା ଏବଂ ପ୍ରିୟତମଙ୍କ ସୌନ୍ଦର୍ଯ୍ୟର ସମୃଦ୍ଧ ବର୍ଣ୍ଣନା ମଧ୍ୟରେ ଭୟ ପରିପୂର୍ଣ୍ଣ ରହିଥିଲା ।

ଏତେ ଖୁସି ଓ ଆନନ୍ଦ ଭିତରେ କିନ୍ତୁ ୪୫ମିନିଟର କାର୍ଯ୍ୟକ୍ରମ ଶେଷ ହେବାବେଳକୁ କୋଠରିଟିରେ ଉପସ୍ଥିତ ଥିବା ସମସ୍ତଙ୍କ ମନରେ ସୀମାରେଖାରେ ରାତିର ଆତଙ୍କକୁ ନେଇ ସମସ୍ତେ ଆତଙ୍କିତ ହେବା ସ୍ପଷ୍ଟ ବାରି ହୋଇପଡୁଥିଲା ।

ଗୁରେଜ ଓ ଦାୱାର ଗାଁ ଗଣ୍ଡାର ଆଖପାଖ ଅଞ୍ଚଳର ପାହାଡ଼ରେ ବୁଲାବୁଲି କରି ସନ୍ତ୍ରସ୍ତ ସୀମାନ୍ତରେ ସମୟ କଟାଇବା ପରେ ମୁଁ ଭାବୁଥିଲି ଯେ ଆଗାମୀ ଦଶନ୍ଧିରେ ସନ୍ତ୍ରସ୍ତ ସୀମାନ୍ତ ଅଞ୍ଚଳରେ କ’ଣ ପରିବର୍ତ୍ତନ ହେବ?

ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କଲାବେଳେ ମୋତେ ଲାଗୁଥିଲା, ଗୁରେଜ ଉପତ୍ୟକାର ପ୍ରାଚୀର ସଦୃଶ ପାହାଡ଼ଗୁଡ଼ିକ ଉପରେ ମୋର ଚିନ୍ତାଧାର ଖାଲି ପ୍ରତିଧ୍ୱନି ହୋଇ କିଶନଗଙ୍ଗା ଜଳରେ ସୀମାରେଖାର ସେପାରିକୁ ଭାସି ଭାସି ଚାଲିଯାଉଛି । ଆଉ ଏହାରିଭିତରେ ସତେଯେପରି ମୋ ମନକଥାକୁ ସନ୍ତ୍ରସ୍ତ ସୀମାନ୍ତର ପାହାଡ଼ିଆ ପାଣି ପବନ ବୁଝିପାରି ମୋତେ ବିଦୃପ କରି କହୁଥିଲେ, “ସାମ୍ବାଦିକ, ତୋ କଲମରୁ କାଳି ସରିଯିବ ଏବଂ ଲେଖି ଲେଖି ତୋ ହାତ ଥକିଯିବ । କିନ୍ତୁ ଏଇ ଯୁଦ୍ଧପାଗଳ ମଣିଷ ସୀମାରେଖାରେ ସବୁଦିନ କେବଳ ରାଜନୀତିର ସ୍ୱାର୍ଥ ସାଧନ ପାଇଁ ଅହିଂସାର ମନ୍ତ୍ର ବୋଲି ଆତଙ୍କର ରକ୍ତ ବୁହାଉଥିବ ।’ ହଟାତ ରାଜଦାନ ଗିରିପଥ ଉପରେ ମୋର ଦୃଷ୍ଟି ପଡ଼ିବା ପରେ ପରେ ମୁଁ ମୋ ଖିଆଲୀ ଭାବନାରୁ ନିଜକୁ ମୁକ୍ତ କରି ସନ୍ତ୍ରସ୍ତ ସୀମାନ୍ତ ଅଞ୍ଚଳରେ ଯନ୍ତ୍ରଣା ଜୀବନର ହସ ଖୁସିର ଭୟାବହତାକୁ ଅନୁଭବ କରୁଥିଲି ।

ଗୁରେଜର ଶେଷ ସୀମାନ୍ତ ଗାଁ ହେଉଛି ‘ଚକବାଲି’ । ଏହା ମୁଖ୍ୟ ଗୁରେଜ ଉପତ୍ୟକାଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ସେହି ଅଞ୍ଚଳ ମଧ୍ୟରେ ଭାରତର ସବୁଠାରୁ ଦୂରବର୍ତ୍ତୀ ଗ୍ରାମ ବୋଲି ଏହାକୁ ବିବେଚନା କରାଯାଇଥାଏ । ନିୟନ୍ତ୍ରଣ ରେଖାନିକଟରେ ଅବସ୍ଥିତ କେରାନ, ଗୁରେଜ ଟଙ୍ଗଧର, ମାଚିଲ ଓ ବାଙ୍ଗସ ପରି ସ୍ଥାନଗୁଡ଼ିକୁ ସାଧାରଣ ଲୋକଙ୍କ ପାଇଁ ନିୟନ୍ତ୍ରଣ ମୁକ୍ତ କରାଯାଇଛି । ଏହି ଅଞ୍ଚଳଗୁଡ଼ିକୁ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଆଣିବାକ୍ଷେତ୍ରରେ ଭାରତୀୟ ସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପାହାଡ଼, ଝରଣା ଏବଂ ପ୍ରସିଦ୍ଧ ନୀଲମ (କିଶନଗଙ୍ଗା) ନଦୀର ହୃଦୟସ୍ପର୍ଶୀ ଦୃଶ୍ୟରେ ସମୃଦ୍ଧ ଗୁରେଜ ଉପତ୍ୟକାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହିସାବରେ ପ୍ରୋତ୍ସାହିତ କରାଯାଉଛି । ଆଶା କରାଯାଉଛି ଯେ ଆମ ପଡ଼ୋଶୀ ଦେଶ ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଆଉ ଅନୁପ୍ରବେଶ ପଥ ଭାବରେ ବ୍ୟବହାର କରିବାକୁ ଦେବ ନାହିଁ । ଆତଙ୍କବାଦୀ ସଂଗଠନଗୁଡିକ ଗୁରେଜ ଉପତ୍ୟକାକୁ ଏକ ଅନୁପ୍ରବେଶ କରିଡର୍ ରୂପେ ବ୍ୟବହାର କରି ଆସୁଥିଲେ । ଏହା ସଙ୍ଗେସଙ୍ଗେ ନିୟନ୍ତ୍ରଣ ରେଖା ନିକଟରେ ବସବାସ କରୁଥିବା ଗ୍ରାମବାସୀମାନେ ଭାରତ ଓ ପାକ୍ ସେନା ଦ୍ୱାରା ପରସ୍ପର ଉପରେ କରାଯାଉଥିବା ଗୁଳି ଓ ଗୋଳାର ଶିକାର ମଧ୍ୟ ହେଉଥିଲେ ।

୨୫ ଫେବୃୟାରୀ, ୨୦୨୧ ଦିନ ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ରହୁଥିବା ଗ୍ରାମବାସୀମାନଙ୍କ ପାଇଁ ଇଦ୍ଦୁ କମ୍ ନଥିଲା । ଏହି ଦିନ ଭାରତ ଓ ପାକିସ୍ତାନ ନିୟନ୍ତ୍ରଣ ରେଖା ଏବଂ ଅନ୍ୟାନ୍ୟ ସୀମାନ୍ତ କ୍ଷେତ୍ରରେ ସମସ୍ତ ଅସ୍ତ୍ରବିରତି ଚୁକ୍ତିନାମାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଅନେକ ଥର ଅସ୍ତ୍ରବିରତିର ଉଲ୍ଲଂଘନ କରିଛି । ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଗାଁଗୁଡ଼ିକର ଲୋକମାନେ ଏବେ ଅତ୍ୟନ୍ତ ଦୟନୀୟ ଜୀବନଯାପନ କରୁଛନ୍ତି । ସେମାନେ ସେମାନଙ୍କର ସ୍ୱାଭାବିକ ଜୀବନକୁ ଭୁଲି ଯାଇଛନ୍ତି ଏବଂ ଅସ୍ତ୍ରବିରତି ଚୁକ୍ତିରୁ କୌଣସି ପ୍ରକାରର ଲାଭ ପାଉନାହାନ୍ତି ବୋଲି କୁହନ୍ତି ମୁଦ୍ଦାସିର ତାନ୍ତ୍ରି ।

ଭାରତ ସରକାର ଏବଂ ଭାରତୀୟ ସେନାର ବିଶେଷ ପ୍ରୟାସ ବଳରେ ସୀମାନ୍ତ ପର୍ଯ୍ୟଟନର ଧାରଣାକୁ ପ୍ରୋତ୍ସାହିତ କରାଯାଇଥିଲା । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଆର୍ଥôକ ମାନଦଣ୍ଡର ପ୍ରଗତିର ଚିତ୍ର ଦେଖିବାକୁ ମିଳୁଥିଲା । କିନ୍ତୁ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଗୁରେଜବାସୀଙ୍କର ଜୀବନ ଏବଂ ଜୀବିକା ପୁନର୍ବାର ବିପଦରେ ପଡ଼ିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏବେ ପର୍ଯ୍ୟଟତ ଋତୁରେ ମଧ୍ୟ ସ୍ଥାନୀୟ ଲୋକମାନଙ୍କୁ ଭୋକରେ ଜୀବନ ବିତାଇବାକୁ ପଡୁଛି । ଲୋକମାନେ ଏବେ ଘୋର ଦାରିଦ୍ର୍ୟରେ କାଳାତିପାତ କରୁଛନ୍ତି । ଅସ୍ତ୍ରବିରତି ପରେ ମଧ୍ୟ ସେମାନଙ୍କର ଜୀବନରେ କୌଣସି ପରିବର୍ତ୍ତନ ଆସି ନାହିଁ । କାରଣ ବିପଦ ଆଶଙ୍କାରେ ପର୍ଯ୍ୟଟକମାନେ ସୀମାନ୍ତ ଗାଁଗୁଡ଼ିକୁ ଆସୁନାହାନ୍ତି । ଅନ୍ୟପକ୍ଷରେ ଅଧିକ ଆତଙ୍କବାଦୀ ଆକ୍ରମଣର ଆଶଙ୍କାରେ ଏହିସବୁ ଅଞ୍ଚଳଗୁଡ଼ିକୁ ପର୍ଯ୍ୟଟନ ପାଇଁ ନିଷିଦ୍ଧ କରିଛନ୍ତି ବୋଲି କୁହନ୍ତି ସ୍ଥାନୀୟ ଯୁବକ ସାଜିଦି ଖାଁ ।

ନିୟନ୍ତ୍ରଣ ରେଖାରେ ଭାରତୀୟ ଏବଂ ପାକିସ୍ତାନୀ ସେନା ମଧ୍ୟରେ ବାରମ୍ବାର ସୀମା ପାର୍ ଗୋଳାବର୍ଷଣ ଓ ଗୁଳିଚାଳନା ହେଉଛି ଯାହାକି ଗୁରେଜ ପରି ସୀମାବର୍ତ୍ତୀ ଅଞ୍ଚଳରେ ସାଧାରଣ ଜନତାଙ୍କ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିଛି । ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ବିଭିନ୍ନ ପ୍ରତିଷ୍ଠାନ, ବ୍ୟକ୍ତିବିଶେଷ, ପର୍ଯ୍ୟଟକ ଓ ସାଧାରଣ ନାଗରିକଙ୍କୁ ରକ୍ତାକ୍ତ ଆକ୍ରମଣ ଓ ହତ୍ୟା କରୁଛନ୍ତି । ଆତଙ୍କବାଦୀମାନେ ଗୁରେଜ ସେକ୍ଟର ସମେତ ନିୟନ୍ତ୍ରଣରେଖା ଦେଇ ଭାରତରେ ଅନୁପ୍ରବେଶ କରିବା କଥା ବେଶ୍ ଜଣାଶୁଣା । ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବିପଦ ସୃଷ୍ଟି କରିବା ସହିତ ସୀମା ବିବାଦ ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ଉତ୍ତେଜନାକୁ ବହୁଗୁଣିତ କରୁଛି । ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅସ୍ଥିର ବାତାବରଣ ସୃଷ୍ଟି କରୁଛି । ସୀମା ପାର୍ ଗୁଳିଗୋଳା ବର୍ଷାଯୋଗୁଁ ପିଲାମାନଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ବିସ୍ଥାପନର ବୋଝମୁଣ୍ଡାଇ ଲହୁଲୁହାଣ ହେଉଛନ୍ତି ଏବଂ ନିତିଦିନିଆ ଜୀବନରେ ମରି ମରି ପ୍ରତିଦିନ ବଞ୍ଚୁଛନ୍ତି । ଏହା ସୀମାରେଖାର ଉଭୟ ପାର୍ଶ୍ୱରେ ରହିଥିବା ସାଧାରଣ ଲୋକଙ୍କର ଶିକ୍ଷା ଓ ସାମଗ୍ରିକ କଲ୍ୟାଣକୁ ପ୍ରଭାବିତ କରୁଛି ।

Comments

0 comments

Share This Article