ସମ୍ପାଦକଙ୍କୁ ପତ୍ର
ନିକଟରେ ଜଣେ ମତେ ଗୋଟିଏ ଅନଲାଇନ ମାର୍କେଟିଂ ଆପ୍ ରେ ଗୋଟିଏ ଚା’ର ବିଜ୍ଞାପନ ଦେଖାଇଲେ । ସେଥିରେ ମିଶିଥିବା ଔଷଧି ସବୁ ପଶ୍ଚିମ ଓଡ଼ିଶାର ଜଙ୍ଗଲରୁ ମିଳୁଥିବା ଦୁର୍ଲଭ ଔଷଧି ହିଁ ଥିଲା । ଖୁସି ଲାଗିଲା ଯାହା ହେଉ ଓଡ଼ିଶାର ବନୌଷଧି ବିଶ୍ୱବଜାର ପାଇଁ ଉପଲବ୍ଧ ହେଉଛି । ସେହି ଔଷଧିର ସାମାନ୍ୟ ଇତିହାସ ଖୋଜିଲି । ଆଶ୍ଚର୍ଯ୍ୟ ଲାଗିଲା! ଏଇଥିପାଇଁ ଆଶ୍ଚର୍ଯ୍ୟ ଲାଗିଲା ଯେ ବିଜ୍ଞାପନରେ ଦିଆ ଯାଇଥିବା ଅନେକ ଜିନିଷ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହ ସିଧାସିଧା ସମ୍ପର୍କ ରଖେ । ଏବଂ ଆଶ୍ଚର୍ଯ୍ୟ ଏଇଥିପାଇଁ ଯେ ଅନେକ ଔଷଧି ମୋର ମାଧ୍ୟମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ସୂଚନା ବିଭାଗକୁ ଯାଇଥିଲା । ଶତାଧିକ ଔଷଧିୟ ବୃକ୍ଷ ଯେଉଁ ପାରମ୍ପରିକ ବୈଦ୍ୟମାନେ ସଂଗ୍ରହ କରିଥିଲେ ଏବଂ ଖୋଦ୍ ମୋ ଦ୍ୱାରା ସଂଗୃହୀତ ଶହେରୁ ଅଧିକ ଔଷଧି ବୃକ୍ଷ ବିଭାଗକୁ ଦାନ ଆକାରରେ ଦିଆ ଯାଇଥିଲା । ପାଟଧରାର ପାରମ୍ପରିକ ବୈଦ୍ୟମାନେ ସଂଗ୍ରହ କରିଥିବା ଔଷଧିର ପାରିଶ୍ରମିକ (ମୂଲ୍ୟ ନୁହେଁ ମଜୁରୀ) ବିଭାଗ ଦେଇ ନାହିଁ କିନ୍ତୁ ପରୋକ୍ଷରେ ବିଶ୍ୱବଜାରରେ ନିଜର ଉତ୍ପାଦ ଛାଡ଼ି ସାରିଲାଣି । ଏହି କଥାଟି ନିଶ୍ଚୟ ଚିନ୍ତାର ବିଷୟ । ସମ୍ବଲପୁର ବିଶ୍ୱବିଦ୍ୟାଳୟ କେଉଁ ଅଧିକାରରେ ଏହି ସମସ୍ତ ଔଷଧିର ବେପାର କରୁଛି? ପରୋକ୍ଷ ହେଉ ବା ପ୍ରତ୍ୟକ୍ଷ, ତାହାର ଅର୍ଥ ନାହିଁ । ବିଶ୍ୱବିଦ୍ୟାଳୟକୁ ଆଦିବାସୀଙ୍କ ସମ୍ପଦା ବିକିବାର ଅଧିକାର କେଉଁ ଆଇନ ଦେଇଛି?
ସଂକ୍ଷେପରେ କାହାଣୀ ଏହିପରି । ମୁଖ୍ୟତଃ ଗନ୍ଧମାର୍ଦ୍ଦନର ବନୌଷଧିକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ସୂଚନା ବିଜ୍ଞାନ ବିଭାଗ ଔଷଧିର ଜିନ ଏବଂ ଡିଏନ୍ଏ ଉପରେ ଅଧ୍ୟୟନ କରିଥାଏ । ସ୍ଥାନୀୟ ଔଷଧୀୟ ବୃକ୍ଷ ଏବଂ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଔଷଧ ଏବଂ ମିଶ୍ରଣର ଜିନ୍ ଡିଏନଏ ଆଦି ପରୀକ୍ଷା କରି ତାହାର ଗୁଣବତ୍ତା ନିର୍ଣ୍ଣୟ ହୋଇଥାଏ, ଯାହା ମାନବୀୟ ସେବାରେ ଲାଗିପାରିବ । ଏଥିପାଇଁ ଶହ ଶହ କୋଟି ଟଙ୍କାର ଆଧୁନିକ ଯନ୍ତ୍ରପାତି ସମ୍ବଳିତ ପରୀକ୍ଷାଗାର ରହିଅଛି । ପାରମ୍ପରିକ ଔଷଧିର ଆଧୁନିକ ପରୀକ୍ଷା ପରେ ତାହାକୁ ମୂଷା ଉପରେ ପରୀକ୍ଷା କରି ତାହାର ଗୁଣବତ୍ତା ପ୍ରମାଣପତ୍ର ମଧ୍ୟ ବିଭାଗ ଦେଉଥିବା କୁହାଯାଏ ।
ମୋର ‘ଜରିଆ’ ନାମରେ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ରହିଅଛି । ଜଣେ ପତ୍ରକାର ହିସାବରେ ଓଡ଼ିଶାର ପ୍ରାଚୁର୍ଯ୍ୟ ଓ ଦାରିଦ୍ର୍ୟକୁ ଅଧ୍ୟୟନ କଲାବେଳେ ସ୍ୱତଃ ଓଡ଼ିଶା ସଂସ୍କୃତିର ଆଦିଭୂମି ସୁନାବେଡା ଉପତ୍ୟକାକୁ ବାରମ୍ବାର ଯିବାକୁ ହୁଏ । ଆଦିଭୂମି ନାମରେ ଜରିଆର ଏକ ସିରିଜ୍ ମଧ୍ୟ ଚାଲୁଅଛି । ଏହି ପରିପ୍ରେକ୍ଷୀରେ ମୁଁ କିଛି ପ୍ରାମାଣିକ ଚଳଚ୍ଚିତ୍ର ପାରମ୍ପରିକ ଔଷଧି ଉପରେ ରହିଅଛି । ଯେଉଁଥିରେ ପାହାଡ଼ର ସନ୍ଥ ନାମରେ ଦୁଇଟି ଧାରାବାହିକ ରହିଅଛି । ବୈଦ୍ୟ ରିକିରାମ ସୌରୀଙ୍କୁ ନେଇ ନିର୍ମିତ ଏହି ଧାରାବାହିକରେ ସେ ସୁନାବେଡ଼ା ଉପତ୍ୟକାର ଦୁର୍ଲଭ ବନୌଷଧିର ବ୍ୟାଖ୍ୟା କରିଛନ୍ତି ।
ଏହାକୁ ଦେଖିସାରିଲା ପରେ ଜ୍ୟୋତିବିହାରର ସଂପୃକ୍ତ ବିଭାଗରୁ ମୋ ସହ ସମ୍ପର୍କ ରଖିଲେ । ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ସୂଚନା ବିଜ୍ଞାନ ବିଭାଗ କିପରି ପଶ୍ଚିମ ଓଡ଼ିଶାର ପାରମ୍ପରିକ ଔଷଧି ଓ ବୈଦ୍ୟଙ୍କ ପରମ୍ପରାରେ ଗୋଟିଏ ରେନେସା ଯୁଗ ଆରମ୍ଭ କରିସାରିଛି, ଏହା ବିଷୟରେ ଅନେକ କଥା କହିଲେ । ଏହାସହ କୁହାଗଲା ଯେ ବିଭାଗ ଗୋଟିଏ ଭବ୍ୟ ପାରମ୍ପରିକ ବୈଦ୍ୟ ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି । ଯେଉଁଥିରେ ଦେଶବିଦେଶରୁ ପ୍ରତିନିଧି ଯୋଗଦେବେ । ତେଣୁ ପାରମ୍ପରିକ ବୈଦ୍ୟଙ୍କ ଆଧାର କାର୍ଡ ସହ ସବିଶେଷ ବିବରଣୀ ମାଗିଲେ । ମୋର ସମ୍ପର୍କରେ ଯେତେଜଣ ବୈଦ୍ୟ ଥିଲେ ତାଙ୍କ ବିବରଣୀ ଯୋଗାଇଲି । ଏହାପରେ କହିଲେ କେତେକ ଔଷଧିୟ ବୃକ୍ଷ ବିଭାଗକୁ ଦିଆଗଲେ ତାହାର ଅଧ୍ୟୟନ କରାଯିବ ଏବଂ ସେହି ଔଷଧିର ପ୍ରଭାବ ଉପରେ ପ୍ରମାଣପତ୍ର ଦିଆଯିବ । ଏହାସହ ପାରମ୍ପରିକ ବୈଦ୍ୟଙ୍କୁ ମାନ୍ୟତା ପ୍ରମାଣପତ୍ର ଦିଆଯିବ । ନିଶ୍ଚିତ ଗୋଟିଏ ଭଲ ପଦକ୍ଷେପ । ରେନେସା ନିଶ୍ଚୟ!
ସୁନାବେଡ଼ା ଉପତ୍ୟକାର (ଉଭୟ ଛତିଶଗଡ଼ ଓ ଓଡ଼ିଶା)ର ବିଖ୍ୟାତ ଦୁଇଜଣ ବୈଦ୍ୟ ରିକିରାମ ସୌରୀ ଏବଂ ଭୁଜବଲ ଚିନ୍ଦା ଦୁହେଁ ଆଦିବାସୀ ସମ୍ପ୍ରଦାୟର । ସୌରୀ ମହାଶୟ ଗୋଣ୍ଡ୍ ସମ୍ପ୍ରଦାୟର ଥିବାବେଳେ ଚିନ୍ଦା ମହାଶୟ ଭୁଞ୍ଜିଆ ଜନଜାତିର ଅଟନ୍ତି । ଯାହାଙ୍କୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାର ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିଗତ କୋଡ଼ିଏ ବର୍ଷହେଲା ଚଳେଇ ଆସୁଛନ୍ତି । ଏହି ଦୁଇବୈଦ୍ୟଙ୍କ ଏହା ଗନ୍ଧମାର୍ଦ୍ଦନ ଅଞ୍ଚଳର ଜଣେ ନାମକରା ଗୁଣିଆ ଓ ବୈଦ୍ୟ ଦଳିତ ସମ୍ପ୍ରଦାୟର ଗୋବର୍ଦ୍ଧନ ଛତର ବିଭାଗ ପାଇଁ ଔଷଧିୟ ବୃକ୍ଷ ସଂଗ୍ରହ କଲେ । ଏ ଭିତରେ ଭୁଜବଲ ଚିନ୍ଦାଙ୍କ ଦେହାନ୍ତ ହୋଇଗଲା । ତଥାପି ତାଙ୍କର କାକା ପୁତୁରାର ଦାୟିତ୍ୱ ନିଜେ ବହନ କଲେ ଓ ଔଷଧିୟ ବୃକ୍ଷ ସଂଗ୍ରହ କରି ମୋ ପର୍ଯ୍ୟନ୍ତ ପହଞ୍ଚାଇଲେ । ଯାହାକୁ ନେଇ ମୁଁ ବିଶ୍ୱବିଦ୍ୟାଳୟର ସମ୍ପୃକ୍ତ ବିଭାଗକୁ ଦେଇଥିଲି । ଔଷଧିର ତାଲିକା ସହ ପ୍ରାପ୍ତି ସ୍ୱୀକାର ପଠେଇବା ପାଇଁ କୁହାଗଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନା ତ ବୈଦ୍ୟ ସମ୍ମିଳନୀ ହେଲା ନା ପ୍ରମାଣପତ୍ର ଦିଆଗଲା; ପ୍ରାପ୍ତି ସ୍ୱୀକାର ବହୁ ଦୂରର କଥା । ଏହାପରେ ଅନ୍ଲାଇନ୍ ବଜାରରେ ବିପଣୀ ଖୋଲାଗଲା । ଶେଷକଥା ହେଲା ଔଷଧି ସଂଗ୍ରହକାରୀଙ୍କୁ ସିଧା ବିଭାଗ ସହ ପଇସାପତ୍ର ନେଣଦେଣ ପାଇଁ ସମ୍ପର୍କ କରେଇ ଦେଇଥିଲି । ବୈଦ୍ୟ ରିକିରାମ ସୌରୀଙ୍କୁ ପଚାରିଲି ଯାହା ଔଷଧି ପଠେଇଲେ ତାହାର ପାରିଶ୍ରମିକ ବିଶ୍ୱବିଦ୍ୟାଳୟ ଦେଲା କି? ତାଙ୍କର ଉତ୍ତର ଥିଲା ନା! ସାମାନ୍ୟ ଅନୁସନ୍ଧାନରେ ଜଣାପଡ଼ିଲା କେବଳ ଉପରୋକ୍ତ ତିନିଜଣ ନୁହନ୍ତି; ଗନ୍ଧମାର୍ଦ୍ଦନ ଏବଂ ସୁନାବେଡା ଉପତ୍ୟକାର ଶତାଧିକ ବୈଦ୍ୟଙ୍କୁ ଏଭଳି ଆଶ୍ୱାସନା ଦେଇ ତାଙ୍କର ପାରମ୍ପରିକ ସମ୍ପଦାକୁ ଅପହରଣ କରାଯାଇଛି ।
ବିଶ୍ୱବିଦ୍ୟାଳୟ ହେଉ କି ତାହାଦ୍ୱାରା ପ୍ରତିପାଳିତ କମ୍ପାନୀ ବିନା ପେଟେଂଟରେ ଔଷଧିକୁ ନେଇ ବଜାର କରିପାରିବ ନାହିଁ । ନିଶ୍ଚିତ ଏହାର ପେଟେଂଟଣ୍ଟହୋଇଛି । ତ କିଏ କରିଛି ପେଟେଂଟ, ଏହା ଅନୁସନ୍ଧାନର ବିଷୟ । କାରଣ ପ୍ରାକୃତିକ ସମ୍ପଦାକୁ ନେଇ ଆଦିବାସୀ ବ୍ୟତୀତ କାହାର ଅଧିକାର ନାହିଁ । ଏହା ସ୍ୱାଧିନ ଭାରତର ଆଇନ ନୁହେଁ, ଏହା ପଛରେ ହଜାର ହଜାର ବର୍ଷର ପ୍ରମାଣ ରହିଅଛି ।
ବନୌଷଧିକୁ ନେଇ ‘ସମଦୃଷ୍ଟି’ରେ ସାମାନ୍ୟ ବିସ୍ତାର ଆଲୋଚନା କରାଯାଇ ଅଛି । ଯେଉଁ ଇତିହାସକୁ ଦେଖିଲେ ହୋମୋସପିଏନ୍ସଙ୍କ ସମୟକୁ ଯିବାକୁ ହେବ । ପ୍ରସ୍ତରଯୁଗର ପଥରରେ ତିଆରି ଉପକରଣ ସହ ଅନେକ ଆକୃତି ଦେଖାଯାଏ । ଗୁମ୍ଫାଚିତ୍ର ବେଳକୁ ଏହାକୁ ଆହୁରି ସ୍ପଷ୍ଟ ଭାବରେ ଦେଖାଯାଏ । ଯେଉଁଥିରେ ଯୋଗ ଏବଂ ପ୍ରଜନନର ବ୍ୟାଖ୍ୟା ରହିଅଛି । ପ୍ରଜନନ ଯାହା ମାନବୀୟ କ୍ଷମତାର ଉଚ୍ଚତମ ସ୍ତର ଓ କୃଷିର ପୁଷ୍ଟିସହ ଜଡିତ । ଏହି ଦୁଇ ଦର୍ଶନକୁ ରସାୟନ ସଂଯୁକ୍ତ କରିଥାଏ । ରସାୟନ ଯାହା ନବେ ପ୍ରତିଶତରୁ ଅଧିକ ଉଦ୍ଭିଦଜଗତ ପୁରା କରିଥାଏ । ସୁତରାଂ ମାନବୀୟ ସଭ୍ୟତାକୁ ଉଚ୍ଚତମ ଶିଖର ପର୍ଯ୍ୟନ୍ତ ନେବାପାଇଁ ମଣିଷ କେତେ ସଭ୍ୟ ହୋଇ ସାରିଥିଲା । ଯାହାକୁ ପ୍ରତ୍ନତାତ୍ତ୍ୱିକ ଆଧାରରେ ଷାଠିଏହଜାର ବର୍ଷ କହିଲେ ଲିଖିତ ସାହିତ୍ୟ ଖ୍ରୀ.ପୂ ୧୨ହଜାର ବର୍ଷ ବୋଲି କହିଥାଏ ।
ଖ୍ରୀ.ପୂ ୧୨ହଜାର ବର୍ଷ ପୂର୍ବେ ସିଦ୍ଧ ରସାୟନର ଯୁଗ ଆରମ୍ଭ ହୋଇ ସାରିଥିଲା । ଏହି ସମୟ ପର୍ଯ୍ୟନ୍ତ କୁଳ ବା ବଂଶର ଅବଧାରଣା ଆସି ସାରିଥିଲା । ଐତିହାସିକ ପ୍ରମାଣ ଅନୁସାରେ ମାନବ ଯେତେବେଳେ ନର୍ମଦା ଉପତ୍ୟକାରୁ ପ୍ରବାସ ଆରମ୍ଭ କଲା, ସେତେବେଳେ କୁଳ ଅବଧାରଣାକୁ ନେଇ ସାରିଥିଲା । ଯାହାକୁ ପୃଥିବୀର ସମସ୍ତ ଆଦିମାନବ ସମାଜରେ ଦେଖାଯାଏ ।
କୁଳ ବା ବଂଶର ଅବଧାରଣାରେ ଜନ୍ତୁ, ସରୀସୃପ, ପକ୍ଷୀ, ଉଦ୍ଭିଦ ଆଦି କୁଳଦେବୀ/ଦେବତା ଭାବରେ ଗ୍ରହଣୀୟ ହୋଇଥାନ୍ତି । କାରଣ ଆଦିମାନବ ଏହି ଇତରଙ୍କ ଜୀବନଚକ୍ର ଓ ଜୀବନ ସଂଘର୍ଷ ଦେଖି ନିଜକୁ ପ୍ରକୃତି ସହ ସାମିଲ କରିଥିଲା । ପରବର୍ତ୍ତୀ ସମୟରେ ସେମାନେ ବଂଶର ଦିଗଦର୍ଶକ ହେଲେ ଓ ତଦନୁସାରେ ସମ୍ମାନ (ପୂଜା ନୁହେଁ) ପାଇଲେ । ଏହି ଦିଗଦର୍ଶକଙ୍କ ଅଂଶ ସହ କେତେକ ବନୌଷଧିର ମିଶ୍ରଣ ପ୍ରସ୍ତୁତ ହେଉଥିଲା । ଏହି ମିଶ୍ରଣକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ମାନବୀୟ ଦକ୍ଷତାର ଶୀର୍ଷ ପର୍ଯ୍ୟନ୍ତ ଯିବାର ସାମର୍ଥ୍ୟ ପାଇଁ ପାନ କରା ହେଉଥିଲା । ଏହା ହେଲା ଆୟୁର୍ବେଦର ପ୍ରଥମ ରସାୟନ । ଅନେକ ମିଥ୍ ଏବଂ ପୁରାଣରେ ଅସୁର ହେଉଛନ୍ତି ଦେବତାଙ୍କଠାରୁ ମଧ୍ୟ ଶକ୍ତିଶାଳୀ । କୁହାଯାଏ ଏହି ରସାୟନର ପ୍ରୟୋଗରେ ଜଣେ ସାଧାରଣ ମଣିଷ ବୀରାଚାରୀ ହୋଇଥାଏ ।
ଏଲିଜାବେଥ ଇଂଲିଶ କହନ୍ତି ଯେ ପ୍ରାଚୀନ ମଣିଷ ବର୍ଷର ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ପାହାଡ଼ ଅବା ଗୁମ୍ଫାରେ ଏକତି୍ରତ ହୋଇ ନିଜର ପୂର୍ବଜଙ୍କୁ ନୃତ୍ୟ ଗୀତ ଆଦି ଦ୍ୱାରା ଶାନ୍ତି କରୁଥିଲେ । ଏହି ନୃତ୍ୟଗୀତ ଆଜିର ଡାଲଖାଇ ଅଟେ । ଯାହା ଉପଜ ଓ ପୁଷ୍ଟି ପାଇଁ ହିଁ ଉତ୍ସର୍ଗ ହୋଇଥାଏ ।
ପରବର୍ତ୍ତୀ ସମୟରେ ମଣିଷ କୃଷିସଭ୍ୟତାକୁ ପ୍ରବେଶ କରେ । କୃଷି ସଭ୍ୟତାର ସାମାନ୍ୟ କିଛି ହଜାର ବର୍ଷ ପରେ ଏହି ରସାୟନର ପରମ୍ପରା ବଦଳି ବଳିପ୍ରଥାରେ ପ୍ରବର୍ତ୍ତିତ ହୋଇଗଲା । ଏହାର ଅନେକ ପ୍ରମାଣ ରହିଅଛି, ଯାହାର ଆଲୋଚନା ଚଳନ୍ତି ନିବନ୍ଧରେ ଆବଶ୍ୟକ ନୁହେଁ ।
କୁଳ, ବଂଶ ବା କୌଳ ମାନବୀୟ ବିକାଶର ଅପରିହାର୍ଯ୍ୟ ବିଭାଗ । ଏହି କୌଳଦେବୀ ଭାବରେ କୁବୁଜିକାଙ୍କୁ ଗ୍ରହଣ କରାଯାଏ । ଯାହାକୁ ବୁଦ୍ଧମାନେ ତ୍ରିକାମାତା କହନ୍ତି । ସେ ରୂପରେ ବୃଦ୍ଧା ଛୋଟେଇ ଚାଲନ୍ତି ଏବଂ କାଖରେ ଗୋଟିଏ କଳସ ଧରିଥାନ୍ତି । ତେଣୁ ଅନେକ ଆଦିବାସୀ ସମ୍ପ୍ରଦାୟ ତାଙ୍କୁ କଲାସୀ ଦେବୀ କହନ୍ତି । ଛୋଟେଇ ଚାଲୁଥିବା ହେତୁ ଛୁଟିଗୁଡି ମଧ୍ୟ କୁହାଯାଏ । ଏହି କୁବୁଜିକା, ତି୍ରକାମାତା, କଲାସୀ ବା ଛୁଟିଗୁଡି ହେଉଛନ୍ତି କୌଳଦେବୀ ସମୂହଙ୍କ ପ୍ରତିନିଧି, ଯିଏ କଳସରେ ରସାୟନ ଧରିଥାନ୍ତି । ଏଥିସହିତ ଚାମୁଣ୍ଡା ଏବଂ ଅନ୍ୟ ଅନେକ ଦେବୀ ହାତରେ ଗୋଟିଏ ପାତ୍ର ଧାରଣ କରିଥିବା ଦେଖାଯାଏ । ଏହି ପାତ୍ର ରସାୟନ ପାତ୍ର ଅଟେ । କୌଳଦର୍ଶନ ଓ ରସାୟନ ପରସ୍ପର ସଂଯୁକ୍ତ ।
କୌଳଦେବୀ ହିଁ ଯୋଗିନୀ ଅଟନ୍ତି । ପଞ୍ଚମ ଶତାବ୍ଦୀ ପରେ ସମଗ୍ର ଭାରତବର୍ଷରେ ଯୋଗିନୀ ଆନେ୍ଦାଳନ ହୋଇଥିଲା । ଅଷ୍ଟମ ଶତାବ୍ଦୀ ଶେଷବେଳକୁ ସୋମବଂଶୀ ରାଜତ୍ୱରେ ପ୍ରଥମ ଯୋଗିନୀ ମନ୍ଦିର ରାଣୀପୁର ଝରିଏଲରେ ସ୍ଥାପିତ ହୋଇଥିଲା । ଏହାପରେ ଭାରତର ବିଭିନ୍ନ ସ୍ଥାନରେ ବୃତ୍ତାକାର ଶୈଳୀରେ ହିଁ ଯୋଗିନୀ ମନ୍ଦିରମାନ ନିର୍ମାଣ ହୋଇଛି । ଏହା କହିବା ଉଦେ୍ଦଶ୍ୟ ଯେ ଯୋଗିନୀ ଆନେ୍ଦାଳନକୁ ରସାୟନ ବା ଆୟୁର୍ବେଦ ଆନେ୍ଦାଳନ କୁହାଯାଇ ପାରେ । ବିଶେଷ ଗବେଷଣା ହୋଇନାହିଁ କିନ୍ତୁ ଏହା ମଧ୍ୟ ହୋଇପାରେ ଯେ ପ୍ରାଚୀନ ରସାୟନ ଯେତେବେଳେ ବଳିକୁ ପ୍ରବର୍ତ୍ତିତ ହେଲା ଏହା ବିରୋଧରେ ଅବା ପ୍ରକୃତ ରସାୟନର ଉପସ୍ଥାପନ ପାଇଁ ଯୋଗିନୀ ଆନେ୍ଦାଳନ ହୋଇ ଥାଇପାରେ । ବୁଦ୍ଧତନ୍ତ୍ରର ଜନ୍ମ ହୁଏ, ଏହି ରସାୟନକୁ ଆଧାର କରି । କାରଣ ଯୋଗ ଓ ରସାୟନର ମିଶ୍ରଣ ହିଁ ତନ୍ତ୍ର ଅଟେ । ନାଥ ପରମ୍ପରା ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ସେତୁ ଭାବରେ କାମ କରିଥିଲେ । ମତ୍ସ୍ୟେନ୍ଦ୍ରନାଥ ନିଜର କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ର ଓ ଯୋଗିନୀ ତନ୍ତ୍ରରେ ରସାୟନର ଉଲ୍ଲେଖ କରିଛନ୍ତି । ନାଗାର୍ଜ୍ଜୁନ ରସାୟନ ପ୍ରାଧ୍ୟାପକ ଥିଲେ । ରସାୟନ ପ୍ରୟୋଗରେ ତାଙ୍କର ବୟସ ଜଣା ପଡୁନଥିଲା । ତାଙ୍କର କାନ୍ତି ଦେଖି ହୁଏନ୍ସାଂ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ତନ୍ତ୍ର ସାହିତ୍ୟରେ ଉଲ୍ଲେଖ ରହିଅଛି ସରହପାଦଙ୍କ ଶରୀର ଔଷଧି ପ୍ରୟୋଗରେ ହୀରାଭଳି ଚକଚକ କରୁଥିବା ବର୍ଣ୍ଣନା ରହିଅଛି ।
ଓଡ଼ିଆ ସାହିତ୍ୟର ଆଦିକବି ଗୋଷ୍ଠୀଭାବରେ ମାନ୍ୟତାପ୍ରାପ୍ତ ୮୪ ସିଦ୍ଧାଚାର୍ଯ୍ୟ ବା ପା’ଯୋଗୀବୃନ୍ଦ ରସାୟନ ଉପରେ ବିଶେଷ ଜ୍ଞାନ ସାଧାରଣଙ୍କ ପାଇଁ ଉନ୍ମୁକ୍ତ କରିଥିଲେ । ତାଙ୍କର ପ୍ରତୀକ ପାଦଚିହ୍ନ । ଯାହା ସୁନାବେଡ଼ା ଉପତ୍ୟକାର ଆଭ୍ୟନ୍ତରରେ, ନୂଆପଡ଼ା ଜିଲ୍ଲାର ପାତାଲଗଙ୍ଗା, ରାଣୀପୁର ଝରିଏଲ, ନରସିଂହନାଥ, ହରିଶଙ୍କର, ବୌଦ୍ଧ, ସୋନପୁର, ସମ୍ବଲପୁର ଆଦିସ୍ଥାନରେ ଦେଖାଯାଏ । ଯାହାକୁ ସୀତାପାଦ, ରାମପାଦ ଆଦିଭାବରେ ସ୍ଥାନୀୟ ମାନ୍ୟତା ଦେଇ ଆସୁଛନ୍ତି । ପ୍ରକୃତରେ ତାହା ପା’ଯୋଗୀଙ୍କ ସାଧନା କେନ୍ଦ୍ରମାନ ରହିଥିଲା । ଘଂଚ ଅରଣ୍ୟ, ତୀର୍ଥ ଆଦି ସ୍ଥାନମାନଙ୍କରେ ପାଦଚିହ୍ନର ଉପସ୍ଥିତି ଏବଂ ସେହି ସ୍ଥାନମାନଙ୍କରେ ଦୁର୍ଲଭ ବନୌଷଧି ମିଳିବା ନିଶ୍ଚିତଭାବେ ସଂଯୋଗ ନୁହେଁ । ଏହା ହିଁ ପ୍ରମାଣ ଯେ ମଣିଷ ଆଦିକାଳରୁ ବନୌଷଧି ସହ ନିଜକୁ ସଂଯୋଗ କରି ରଖି ଆସିଅଛି ।
ବେଦରେ ମଧ୍ୟ ଅଥର୍ବଣଙ୍କୁ ବୈଦିକ ଋଷିଙ୍କ ସହ ସମାନ ଆସନ ଦିଆ ଯାଉନଥିଲା । ଶ୍ରୀକୃଷ୍ଣ ଏବଂ ବ୍ୟାସଙ୍କ ଦୀର୍ଘ ଚେଷ୍ଟାରେ ଅଥର୍ବଣଙ୍କୁ ଅନ୍ୟ ତିନି ବେଦମୁଖ୍ୟଙ୍କ ସହ ସମାନ ଆସନ ଦିଆଯାଇଥିଲା । ଯାହା ବନୌଷଧି, ରସାୟନ ବା ଆୟୁର୍ବେଦକୁ ବୈଦିକ ମାନ୍ୟତାର ସୂଚନା ଦେଇଥାଏ । ରାମାୟଣରେ ମଧ୍ୟ ଲକ୍ଷ୍ମଣଙ୍କ ଶକ୍ତିଭେଦ ସମୟରେ ସୁଷେଣ ବୈଦ୍ୟଙ୍କ ପରାମର୍ଶରେ ହନୁମାନ ବିଶଲ୍ୟକରଣୀ ଆଣିବାକୁ ଯାଇଥିଲେ ।
ମଧ୍ୟଯୁଗରେ ଅନେକ କାହାଣୀ ରସାୟନକୁ ନେଇ ରହିଅଛି । ରଜାଙ୍କ ଦରବାରରେ ରାଜବୈଦ୍ୟ କଥା ସମସ୍ତେ ଶୁଣିଛନ୍ତି । ରାଜତନ୍ତ୍ର ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣାମାନ ସାହିତ୍ୟରେ ରହିବା ସହ କଥା କାହାଣୀ ଆକାରରେ ଆଜି ବି ଲୋକେ କହିଥାନ୍ତି ।
ସୋନପୁର ବିନିକାରେ ବୈଦ୍ୟ ସମୁଦାୟ ରହନ୍ତି, ଯେଉଁମାନେ ରାଜବୈଦ୍ୟ ଥିଲେ । ଏକଦା ଜଣେ ୧୨ବର୍ଷ ପରିଶ୍ରମ କରି ସୋନପୁର ରାଜାଙ୍କୁ ମୃତୁ୍ୟସଞ୍ଜିବନୀ ପ୍ରସ୍ତୁତ କରି ଉପହାର ଦେଇଥିଲେ । ରାଜା ବୈଦ୍ୟଙ୍କ ନିକଟରୁ ଶୁଣିଲେ ଯେ ଏହି ରସାୟନ ପ୍ରସ୍ତୁତିରେ ୧୨ବର୍ଷ ଲାଗିଛି । ସେ ତାତ୍ସଲ୍ୟରେ ରସାୟନ ଥିବା ବୋତଲକୁ ଆଡ଼େଇଦେଲେ । ରସାୟନ କାଠ ଟେବୁଲ ଉପରେ ଢଳିଗଲା । କାହାଣୀରେ କୁହାଯାଏ କାଠ ଟେବୁଲ ଉପରେ ରସାୟନ ଢଳିଯାଇ ଧାର ହୋଇ ତଳେ ପଡ଼ିଲା । ସେହି ଧାରରେ କାଠ ଟେବୁଲ ଉପରେ ଗଜା ଅଙ୍କୁରି ଗଲା ।
ଶିଶୁ ଏବଂ ଗର୍ଭବତୀଙ୍କ ପାଇଁ ବିଶେଷ ସମୟରେ ବିଭିନ୍ନ ଗଛ, ଛାଲି ଓ ଚେର ସହ ଫଳ ଆଦି ଦିଆଯାଏ । ରସାୟନ ବା ଆୟୁର୍ବେଦ ବା ବନୌଷଧିର ସାଧାରଣ ଜ୍ଞାନ ସର୍ବବିଦିତ ଥିଲା । ପ୍ରତିବର୍ଷ ହରିଶଙ୍କରରୁ ନରସିଂହନାଥକୁ ଲୋକେ ଚାଲି ଚାଲି ପାହାଡ଼ ଡେଇଁ ଯାଇଥାନ୍ତି । ଏହାର ଉଦେ୍ଦଶ୍ୟ ପରିବାର ଓ ପରିଜନଙ୍କ ପାଇଁ ଔଷଧି ସଂଗ୍ରହ କରିବା । ଏହି ଯାତ୍ରା ଗୁରୁଡଙ୍ଗରରେ ମଧ୍ୟ ଦେଖାଯାଏ । ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଉପତ୍ୟକାର ପୂର୍ବକୁ ଗୁରୁଡଙ୍ଗର ରହିଅଛି । ଏହାର ଗୋଟିଏ ଅଂଶକୁ ଚନ୍ଦ୍ରଗିରି କୁହାଯାଏ । ଦେଶର ଅନେକ ସ୍ଥାନରେ ଚନ୍ଦ୍ରଗିରିର ଉପସ୍ଥିତି ଦେଖାଯାଏ । ଅଥବା ଔଷଧିୟପୂର୍ଣ୍ଣ ପାହାଡ଼କୁ ଚନ୍ଦ୍ରଗିରି କୁହାଯାଏ । ମତ୍ସ୍ୟେନ୍ଦ୍ରନାଥ ଚନ୍ଦ୍ରଗିରିରୁ ଆସିଥିବା କୁହାଯାଏ । କେଉଁ ଚନ୍ଦ୍ରଗିରି, ତାହା ଗବେଷଣାସାପେକ୍ଷ କିନ୍ତୁ ତାଙ୍କର ସାହିତ୍ୟ ରସାୟନର ମଧ୍ୟ ବ୍ୟାଖ୍ୟା କରିଥାଏ ।
କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ରରେ ଶିବ ଯିଏ ଆଦିନାଥ ଅଟନ୍ତି । ତାଙ୍କୁ ପାର୍ବତୀ ପ୍ରଶ୍ନ କରିଛନ୍ତି, କାମାକ୍ଷାରେ ସମବେତ ନୃତ୍ୟ କାହିଁକି କରାଯାଏ? ତାଙ୍କର ଉତ୍ତର ସ୍ପଷ୍ଟକରେ ଯେ କାମାକ୍ଷା ଦେବୀଙ୍କ ପୂର୍ବସ୍ଥାନ ଓଡ଼ିଶା ଅଟେ । ଯେଉଁଠାରେ ରସାୟନ ବିଜ୍ଞାନ (ଆୟୁର୍ବେଦ ବା ବନୌଷଧି)ର ବିକାଶ ହୋଇଥିଲା । ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରୁ ଜଣଙ୍କୁ ଯୋଗୀପା କୁହାଯାଏ । କାରଣ ସେ ସର୍ବଦା ଯୋଗରେ ରହୁଥିଲେ । ତାଙ୍କୁ ତୀବ୍ବତରେ ଚାଣ୍ଡାଳୀ ପରିବ୍ରାଜକ କୁହାଯାଏ । ଓଡ଼ିଶାରେ ଚନ୍ଦେଲ, ଚାନ୍ଦଲୀ, ଚନ୍ଦକା ଆଦିନାମରେ ଅନେକ ପାହାଡ଼ ଦେଖାଯାଏ । ଛେଲିଆ ପାଟ, ଚନ୍ଦଲିପାଟ ଆଦି ନାମରେ ମଧ୍ୟ ଅନେକ ସ୍ଥାନ ରହିଅଛି । ଯାହା ସିଧାସିଧା ରସାୟନ ସହ ଯୁକ୍ତ । ଯାହାଙ୍କ ଅଧିଷ୍ଠାତ୍ରୀ ଦେବୀ ଚାଣ୍ଡାଳୀ ବା ଚାମୁଣ୍ଡା ଯିଏ ଗୋଟିଏ ପାତ୍ର ଧାରଣ କରିଥାନ୍ତି । ଯେଉଁ ପାତ୍ର ରସାୟନ ଧାରଣ କରିଥିବା ପ୍ରତୀକ ଅଟେ । ଏପରି ଟିଟିଲାଗଡ଼ର କୁମୁଡ଼ା ପାହାଡ଼ ପାଦଦେଶରେ ଶିବଙ୍କ ସହ ଜଣେ ନାରୀମୂର୍ତ୍ତି ରହିଅଛନ୍ତି । ଯିଏ କୁବୁଜିକା, କଲାସୀ ବା ଛୁଟିଗୁଡି ଅଟନ୍ତି ।
ଆଜି ମଧ୍ୟ ବୈଦ୍ୟ ଓ ଗୁଣିଆ ପ୍ରତି ଗାଁରେ ରହିଅଛନ୍ତି । ଆଇନତଃ ସମସ୍ତଙ୍କୁ ଅନ୍ଧବିଶ୍ୱାସର ପରିଧି ଭିତରକୁ ଠେଲି ଦିଆଯାଇଛି । ସେମାନଙ୍କୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବାଣିଜ୍ୟ କରିବା କେତେଦୂର ଉଚିତ ତାହା ଓଡ଼ିଶାବାସୀ ବିଚାର କରିବା ଆବଶ୍ୟକ । ଆମର ମୁଖ୍ୟମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି । ଆଦିବାସୀଙ୍କୁ ସଭ୍ୟସମାଜର ଶୋଷଣ ଏକ ଦୀର୍ଘ ଉପାଖ୍ୟାନ ଅଟେ । କିନ୍ତୁ ବିଶ୍ୱବିଦ୍ୟାଳୟ ଭଳି ଜ୍ଞାନର ଶେଷ ଅନୁଷ୍ଠାନ ନିକଟରୁ ଏହି ଶୋଷଣ ପରମ୍ପରାକୁ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବଜାୟ ରଖିବା କେତେ ସମୀଚୀନ?
ରାଜୀବ ସଗରିଆ
୭୭୪୯୯୫୪୩୨୭ //rajibs68@gmail.com
( ଏହାର ଉତ୍ତର ରଖିବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅନୁରୋଧ କରାଯାଇଛି । ଉତ୍ତର ଆସିଲେ ପ୍ରକାଶନ କରାଯିବ- ସମ୍ପାଦକ)
Comments
0 comments