୧୯୫୦ । କେ. ଏମ . ମୂନସି ଭାରତର ନୂଆ ଖାଦ୍ୟ ଓ କୃଷିମନ୍ତ୍ରୀ । ଖାଦ୍ୟ ସଂଗ୍ରହ ଓ ବଣ୍ଟନ ପାଇଁ ସେ Food Grain Procurement Committe ଟିଏ ଗଢ଼ିଲେ । ଭାରତର ଆମେରିକା ସହିତ ଚୁକ୍ତି ‘ମାଙ୍ଗାନିଜ ବଦଳରେ ଗହମ’ ଭୁଷୁଡିପଡ଼େ । ଭାରତରେ ଆମେରିକାର ଦୂତ ଆଣ୍ଡରସନ ବ୍ୟଙ୍ଗ କରି ଖାଦ୍ୟମନ୍ତ୍ରୀଙ୍କୁ ଲେଖନ୍ତି, ‘Normally fed to animals wanted here to feed human beings who cannot afford wheat or rice’ । କୋରିଆ ଯୁଦ୍ଧ ଆରମ୍ଭ ହୋଇଯାଇଛି । ମୁଦ୍ରାସ୍ଫୀତି ହୁ ହୁ ହୋଇ ବଢ଼ି ଚାଲିଛି । ପୂର୍ବ ପାକିସ୍ଥାନରୁ ସୁଅ ଭଳି ଶରଣାର୍ଥୀ ପଶ୍ଚିମବଙ୍ଗରେ ଖାଦ୍ୟ ସମସ୍ୟା ଅଧିକ ବଢ଼ାଉଛି । ସେତବେଳକୁ ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନ ବାର୍ଷିକ ୩ନିୟୁତ ବଢୁଥିଲେ ମଧ୍ୟ ବିଦେଶରୁ ଖାଦ୍ୟ ଆମଦାନୀ ଚାଲୁ ରହିଛି । ୧୯୫୧ସୁଦ୍ଧା ଭାରତ ଖାଦ୍ୟରେ ଆତ୍ମନିର୍ଭରଶୀଳ ହେବାର ଆଶା କ୍ଷୀଣ ।
୧୯୫୧କୁ ଭାରତ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ରରୂପେ ପରିଚିତ ହେଲାଣି । ସମ୍ବିଧାନଟିଏ ତିଆରି ହେଲାଣି । ଖାଦ୍ୟ ସମସ୍ୟା ସୁଧୁରୁନି । ପ୍ରଥମ ପଞ୍ଚବାର୍ଷିକ ଯୋଜନାର ରୂପରେଖ ପାଇଁ ବିତର୍କ ଆରମ୍ଭ ହେଲାଣି । ସରକାରଙ୍କ ଆଗରେ ୨ଟି ବାଟ । ମହାତ୍ମା ଗାନ୍ଧୀଙ୍କ ଗ୍ରାମସ୍ୱରାଜ ଢାଞ୍ଚାରେ ପ୍ରତି ଗ୍ରାମକୁ ଗୋଟିଏ ରିପବ୍ଲିକ ସ୍ୱୀକୃତି ମିଳିବ । ଗ୍ରାମବାସୀଙ୍କର ସମସ୍ତ ଆବଶ୍ୟକତା ଦେଶୀ ଅର୍ଥନୀତି ପୂରଣ କରିବ । ଅଥବା ସୋଭିଏତ ୟୁନିୟନ ବା ଆମେରିକା ଭଳି ବିଜ୍ଞାନଭିତ୍ତିକ କୃଷିଦ୍ୱାରା ଖାଦ୍ୟ ସଙ୍କଟ ଦୂର କରିବା । ଦୂର ପର୍ବତ ସୁନ୍ଦର ଦିଶେ । ଆମେରିକା ବା ଋଷିଆରେ ରାସାୟନିକ କୃଷିର ନକାରାତ୍ମକ ଫଳ ସମ୍ପର୍କରେ ନେତାମାନଙ୍କର ଜ୍ଞାନ ନାହିଁ । ନେତାମାନେ କୁହୁଡି ପହଁରିବା ଆରମ୍ଭ କରିଦିଅନ୍ତି । ରାସାୟନିକ ସାର, କୀଟନାଶକ, କମ୍ପାନୀ ବିହନ ଓ କୃଷି ଯନ୍ତ୍ରପାତି ବିନିଯୋଗରେ ଆମଦେଶ ଭିତରୁ ଆବଶ୍ୟକଠାରୁ ଅଧିକ ଉତ୍ପାଦନ ସମ୍ଭବ ଧରିନେଲେ । ଖାଦ୍ୟ ନିରାପତ୍ତା ଆସିଗଲେ ଶିଳ୍ପ ବିପ୍ଲବ ସମ୍ଭବ ହେବ । ଆଧୁନିକ ଭାରତ ଗଠନପାଇଁ ଯଥେଷ୍ଟ ପୁଞ୍ଜି ହାତକୁ ଆସିଯିବ । ଦିବା ସ୍ୱପ୍ନ । ମରୀଚିକା ଦେଖି ପାଣିର ଭ୍ରମ ଆସିଯାଉଛି । ପଇସା ନିଶାରେ ନ ମାତି ଗାନ୍ଧୀଙ୍କ ନୀତି ଆଧାରରେ ଦେଶୀ ଅର୍ଥନୀତିରେ ମନୋନିବେଶ କଲେ ସୁସ୍ଥ ଭାରତ ସମ୍ଭବ ସରକାର ବିଶ୍ୱାସ କରିପାରିଲେ ନାହିଁ ।
କେ.ଏନ.ଭାସ୍ୱାନୀ, ଯେ.ସି. କୁମାର୍ପ୍ପାଙ୍କ ଭଳି କେତେକ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ ସରକାରଙ୍କ ଆମେରିକା ପ୍ରସ୍ତାବିତ କୃଷିକୁ ସନ୍ଦେହ କରୁଥାନ୍ତି । ଦେଶବାସୀଙ୍କୁ ଖାଦ୍ୟଭାବ ସମ୍ପର୍କିତ ପ୍ରକୃତ ସ୍ଥିତି ବୁଝାଇବା ଏବଂ ଆମର ନିଜସ୍ୱ କୃଷିଜ୍ଞାନ ପ୍ରୟୋଗ ଦ୍ୱାରା ଅଧିକ ଉତ୍ପାଦନ ସମ୍ଭବ କରାଯାଇ ପାରିବ କହୁଥାନ୍ତି । ଆମେରିକା ପରାମର୍ଶରେ ଲକ୍ଷ ଲକ୍ଷ ଟନ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କାଗଜ କଲମରେ ସମ୍ଭବ କୁହାଗଲା । ମାତ୍ର ଏ ପ୍ରକାର ରାସାୟନ କୃଷିଦ୍ୱାରା ମାଟି, ମଣିଷ ପ୍ରକୃତି ପାଇଁ କେତେ ବିପଦ୍ଜନକ ସେ କଥା ଆଧୁନିକ ଭାରତ ନିର୍ମାଣପାଇଁ ପାଗ ଭିଡିଥିବା ରାଜନେତାମାନେ ବୁଝିପାରୁ ନାହାନ୍ତି । ଯନ୍ ରସ୍ କିନ, ଟଲଷ୍ଟୟ, ଥୋରୋ ପିଓ ଗାନ୍ଧୀଙ୍କ ଭଳି ଦୂରଦ୍ରଷ୍ଟାମାନେ ସାଧାରଣ ଜନତାଙ୍କୁ ଖାଦ୍ୟ, ବସ୍ତ୍ରର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ହେଲେ ଗାଁକୁ ଫେରିବା (Go back to village) ନିଜସ୍ୱ ଜ୍ଞାନକୌଶଳ ପ୍ରୟୋଗ କରିବା ଏକମାତ୍ର ରାସ୍ତା ଏପରି ଆହ୍ୱାନ ସରକାରଙ୍କ ପାଇଁ ଗ୍ରହଣୀୟ ହେଲା ନାହିଁ ।
କେ. ଏମ୍. ମୁନସି ତ କୃଷିମନ୍ତ୍ରୀ । ଖାଦ୍ୟଭାବଜନିତ ଦୁର୍ଭିକ୍ଷ ଘଟିପାରେ ଏଭଳି ଆଶଙ୍କାକୁ ଏଡ଼େଇ ଦେଇ ଗହମ ବା ଚାଉଳ ପରିବର୍ତ୍ତେ ଫଳ, ପନିପରିବା, କନ୍ଦମୂଳ, କଦଳୀ, ଅମୃତଭଣ୍ଡା, ଚିନାବାଦାମ, ସାକରକନ୍ଦ (Topioca), ମାଟିଆଳୁ, ଓଲୁଅ, ବିଟ, ଗାଜର ଭଳି ସପ୍ତାହକେ ଅନ୍ତତଃ ଗୋଟିଏ ଦିନ ଖାଇବାକୁ ପ୍ରସ୍ତାବ ଦିଅନ୍ତି । କେବଳ ଭାତ ବା ରୁଟି ଉପରେ ଅଧିକ ନିର୍ଭର କରିବା ଦ୍ୱାରା ବିଦେଶରୁ ଖାଦ୍ୟ ଆମଦାନୀ କରିବାକୁ ପଡୁଛି । ବିଦେଶ ଶକ୍ତିର ପରାମର୍ଶ ମାନିବାକୁ ଆମେ ବାଧ୍ୟ ହେଉଛୁ । ନେହେରୁ ଆକାଶବାଣୀରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦିଅନ୍ତି, ‘ଆମେ ଖାଦ୍ୟ ନଷ୍ଟ କରିବାନି’ ଭୋଜିଭାତ କରି ଅଧିକ ଖାଦ୍ୟ ବରବାଦ କରିବାନି । ଆମପାଇଁ ବର୍ତ୍ତମାନ ସ୍ଥିତିରେ ପ୍ରତି ଆଉନ୍ସ ଖାଦ୍ୟପାଇଁ ଆମକୁ ସଂଗ୍ରାମ କରିବାକୁ ପଡୁଛି । ଖାଦ୍ୟ ସମସ୍ୟାକୁ ଆମେ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କରିବା ଏବଂ ଖାଦ୍ୟଯୁଦ୍ଧରେ ଆମେ ପ୍ରତ୍ୟେକ ଜଣେ ଜଣେ ସୈନିକ ହବା । ‘ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ରାଜ୍ୟ ଖାଉଟିମାନଙ୍କୁ ରାସନ ଯୋଗାଇବା ସମୟରେ ସପ୍ତାହକେ ଗୋଟିଏ ଦିନପାଇଁ ଫଳ ମୂଳ, ପନିପରିବା ଖାଇବାକୁ ପରାମର୍ଶ ଦେବେ । ଘରବାଡି, ପଡିଆ ପଦରରେ ବିକଳ୍ପ ଖାଦ୍ୟ ଫସଲ ଚାଷପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯାଉ । ନେହେରୁ ନିଜେ ମଧ୍ୟ ତାଙ୍କ ବଗିଚାରେ ଫୁଲଗଛ ନ ଲଗାଇ ଚିନାବାଦାମ, ମାଣ୍ଡିଆ, ମକା, କନ୍ଦମୂଳ, କଦଳୀ, ସାକରକନ୍ଦା, କଖାରୁ, କଲରା ଓ ବାଇଗଣ ଭଳି ପରିବା ଚାଷକଲେ । ତାଙ୍କ ପରିବାର ଭାତ ପରିବର୍ତ୍ତେ କନ୍ଦମୂଳ ଖାଇଲେ । ତାଙ୍କର ପରିବା ବଗିଚାରେ ଲୋକମାନେ ବୁଲି ଦେଖିବାକୁ ସୁଯୋଗ ଦେଲେ ।
ଭୋଜିଭାତରେ ଅତିଥିଙ୍କ ସଂଖ୍ୟା ସୀମିତ ରଖିବାକୁ ଆଇନ ପ୍ରଣୟନ ହେଲା । ସପ୍ତାହକୁ ଗୋଟିଏ ଦିନ ଉପବାସ ରହିବାକୁ ପରାମର୍ଶ ଦିଆହୁଏ । ମନ୍ତ୍ରୀ, ରାଜ୍ୟପାଳମାନେ ଦୃଷ୍ଟାନ୍ତସ୍ୱରୂପ ଦିନଟିଏ ଉପାସ ରହିଲେ । କିନ୍ତୁ ଏପରି ଆଇନକୁ ତୀବ୍ର ସମାଲୋଚନା ହେଲା । ଓଡ଼ିଶାର ତତ୍କାଳୀନ ଆଇନ ମନ୍ତ୍ରୀ କୁହନ୍ତି ‘ଯେତେବେଳେ ଦେଶର ଅର୍ଦ୍ଧାଧିକ ଲୋକ ଦିନକୁ ଦୁଇ ବେଳା ଖାଇବାକୁ ପାଉନାହାନ୍ତି, ସପ୍ତାହକେ ଗୋଟିଏ ଦିନ ଉପବାସ ରହିବା ଅବାସ୍ତବ ମନେହୁଏ । ‘ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ବିରୋଧ କରିବାର କ୍ଷମତା ନାଗରିକର ଥିଲା । ଆଜିକାଲିକା କଥା ହୋଇଥିଲେ ପାଟିରୁ ଯଦି ପ୍ରଧାନମନ୍ତ୍ରୀବିରୋଧୀ କଥା ବାହାରି ପଡିଲା ପ୍ରଶାସନ ତୁରନ୍ତ ଲୋକଟିକୁ ବାନ୍ଧି ଜେଲକୁ ପଠେଇବାରେ ହେଳା କରିବ ନାହିଁ । ରାଜଗୋପାଳଚାରି ପରାମର୍ଶ ଦେଲେ, ‘ଖାଦ୍ୟ ରୁଚି ବଦଳିବା ଜରୁରୀ । ମାଣ୍ଡିଆ, ବାଜରା, ମକା ଭଳି ଖାଦ୍ୟ ଭାତ ଓ ରୁଟିଠାରୁ ଅଧିକ ପୁଷ୍ଟିକର । ଆମେ ଏସବୁକୁ ବାଡ଼ି ବଗିଚାରେ ଚାଷ କରିବା ଏବଂ ଗହମ, ଚାଉଳ ସହିତ ମିଶାଇ ଖାଇଲେ ଖାଦ୍ୟ ସମସ୍ୟା କିଛିଟା ସମାଧାନ ହୋଇପାରିବ ।
ଦିନକୁ ଦିନ ସବୁ ଚେଷ୍ଟା ପରେ ବି ଖାଦ୍ୟ ସମସ୍ୟା ଉକ୍ରଟ ହେଉଛି । ମହୀଶୂରର Central Food Technology Research Institute (CFTRI) କୁ କୃତ୍ରିମ ଚାଉଳ (Artificial Rice) ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଗଲା । CFTRIର ନିର୍ଦ୍ଦେଶକ ଭି. ସୁବ୍ରମନିୟମ କେରଳରେ କୃତ୍ରିମ ଚାଉଳ ପ୍ରସ୍ତୁତ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ । କୃତ୍ରିମଚାଉଳ ଖୁବ ସୁନ୍ଦର ଧଳା ରଙ୍ଗର ହେବ । ଖାଇବାକୁ ସୁସ୍ୱାଦ ହେବ । ଚାଉଳର ବିକଳ୍ପ ହୋଇପାରିବ । ମାତ୍ର ଖାଉଟିମାନେ ଭୋକବେଳେ ଆମ୍ବିଳ ଆମ୍ବ ସୁଆଦ କଥା କୃତ୍ରିମ ଚାଉଳରେ ପାଇଲେ ନାହିଁ । ଖାଉଟିମାନେ ଏପ୍ରକାର ଚାଉଳକୁ ଘୋର ବିରୋଧ କଲେ । ରାୟଲସିମାର ଦୁର୍ଭିକ୍ଷ ପ୍ରପୀଡିତମାନଙ୍କ ବ୍ୟତୀତ ସମସ୍ତେ କୃତ୍ରିମ ଚାଉଳକୁ ଥୁ ଥୁକାର କଲେ । କୃତ୍ରିମ ଚାଉଳ ୬୫/୭୦ବର୍ଷ ତଳ କଥା । ଆଜି ତ ଆତ୍ମନିର୍ଭର ଭାରତର ଶିଶୁମାନେ ଫର୍ଟିଫାଏଡ ରାଇସରୁ ପ୍ରସ୍ତୁତ ଭାତ ଖାଉଛନ୍ତି । ଗର୍ଭବତୀ ମହିଳାମାନେ ଅଙ୍ଗନବାଡି କେନ୍ଦ୍ରରେ ଏହିଭାତ ଖାଉଛନ୍ତି । ଅଧିକ ଅମଳକ୍ଷମ ଧାନରୁ ପ୍ରସ୍ତୁତ ବିଷ ଚାଉଳରେ ପୁଷ୍ଟିସାର କମଥିବା ସରକାର ଜାଣିଲେଣି, ସ୍ୱୀକାର ବି କଲେଣି । ସାର୍ଟିଫାଏଡ ରାଇସରେ ପ୍ରୋଟିନ, ଆଇରନ ଭିଟାମିନ ଭଳି ଖାଦ୍ୟତତ୍ତ୍ୱ ଖୁନ୍ଦା ହୋଇଥିବା ସରକାର କୁହନ୍ତି । ଜାତୀୟ ଖାଦ୍ୟସର୍ବେକ୍ଷଣ ରିପୋର୍ଟ (୨୦୧୯ -୨୦୨୧) କୁହେ ଭାରତରେ ଏବେବି ୬୭ ପ୍ରତିଶତ ୬ମାସରୁ ୫୯ ମାସର ଶିଶୁ ରକ୍ତହୀନତା ରୋଗରେ ସଢୁଛନ୍ତି । ୧୫-୪୯ ବର୍ଷର ମହିଳା ମାନଙ୍କ ମଧ୍ୟରେ ଗର୍ଭବତୀ ମାନେ ୫୨.୨ ପ୍ରତିଶତ ରକ୍ତହୀନତାର ଶିକାର । ୧୦ରୁ ୧୯ବର୍ଷର କିଶୋରୀମାନଙ୍କ ମଧ୍ୟରେ ୫୯.୧ପ୍ରତିଶତଙ୍କର ରକ୍ତହୀନତା । ଆମଦେଶ ଖାଦ୍ୟ ଉତ୍ପାଦନରେ ବଳକା ଦେଶ ଓ ଆମେ ଖାଦ୍ୟ ରପ୍ତାନି କରୁଛୁ! (The Statesman – 18 April 2025 – Over 67 pc Children between 6 to 59 months in India anemic : National Health Survey).
ବିକଳ୍ପ ଖାଦ୍ୟ ଉତ୍ପାଦନ ଓ ଉପଯୋଗ ଯୋଜନା ଫଳବତୀ ହଉନାହିଁ । କୃଷିମନ୍ତ୍ରୀଙ୍କ ସ୍ତ୍ରୀ ଲୀଳାବତୀ ମୁନସି ବମ୍ବେ ଓ ଦିଲ୍ଲୀରେ ଚାଉଳ ଓ ଗହମର ବିକଳ୍ପ ଖାଦ୍ୟ ପ୍ରଦର୍ଶନୀ ମାନ କରି ଖାଉଟିଙ୍କୁ ସଚେତନ କରନ୍ତି । All India women’s conference ଦେଶସାରା ଅନ୍ନପୂର୍ଣ୍ଣା ଭୋଜନାଳୟ ମାନ ଖୋଲି ବିକଳ୍ପ ଖାଦ୍ୟ ପରଶିଲେ । ମାତ୍ର ଦେଶରେ ଖାଦ୍ୟ ସମସ୍ୟା ସୁଧୁରିବାର ନାଁ ନେଉନି । ନେହେରୁଙ୍କ ସେକ୍ରେଟାରୀ M.O.Mathai ବିକଳ୍ପ ଖାଦ୍ୟ ଉପରେ ପ୍ରତିକ୍ରିୟା ରଖି କୁହନ୍ତି ‘drowning man catching at a straw.’ ।
୧୯୫୩ବେଳକୁ Nation Extension Service (NES) ଦେଶ ସାରା କାର୍ଯ୍ୟକାରୀ ହେଲା । ଗ୍ରାମ ସେବକ ଏବଂ କୃଷି ସମ୍ପ୍ରସାରଣ ଅଧିକାରୀ ପ୍ରତ୍ୟକ ବ୍ଲକରେ ନିଯୁକ୍ତି ହେଲେ । ସେମାନେ ଗାଁମାନଙ୍କୁ ଯାଇ ସାର, ଔଷଧ, ନୂଆ ବିହନର ଚମକôାରିତା ବୁଝାଇଲେ । ରାଜ୍ୟ କୃଷି ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ । ଚାଷୀ ପାଖରେ ନୂଆ ଚାଷ ପ୍ରଣାଳୀ, କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳପାଇଁ ଏହା ପ୍ରଥମ ପଦକ୍ଷେପ । ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ଦେଶସାରା ଜଳସେଚନର ବ୍ୟାପକ ବ୍ୟବସ୍ଥାପାଇଁ ସରକାର କାମ ଆରମ୍ଭ କଲେ । ଧାନବାଦର ସିନ୍ଦ୍ରିରେ ସରକାରଙ୍କ ଦ୍ୱାରା ସାର କାରଖାନା ସ୍ଥାପନ ହୁଏ । କାରଖାନାରୁ ୧୯୫୧କୁ ଆମୋନିୟମ ସଲଫେଟ ଏବଂ ୧୯୫୯କୁ ୟୁରିଆ ପ୍ରସ୍ତୁତ ହୁଏ । ବର୍ତ୍ତମାନ ଆମେରିକା ଆଉ ଲୁଚାଛପାରେ ରାସାୟନିକ କୃଷି ପ୍ରବର୍ତ୍ତନ କରିବା ନାହିଁ । ଭାରତ ସରକାର ଆମେରିକା ପ୍ରସ୍ତାବରେ ପୁରାପୁରି ରାଜି ହୋଇଗଲେ । ଏଣିକି ଆମେରିକା ପ୍ରସ୍ତାବ ରଖୁଥିବ ଭାରତ କାର୍ଯ୍ୟକାରି କରିବ ।
୧୯୫୬ବେଳକୁ ଆମେରିକା ପରାମର୍ଶରେ ଭାରତରେ କୃଷି ଅନୁଷ୍ଠାନ ଗୁଡିକର ଢାଞ୍ଚା ବଦଳିଲା । ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (Indian Agricutural Research Institute – IARI) ଆମେରିକାର ଲ୍ୟାଣ୍ଡ ଗ୍ରାଣ୍ଟ ୟୁନିଭର୍ସିଟି ଢାଞ୍ଚାରେ ପରିବର୍ତ୍ତିତ ହେଲା । ଭାରତ ଥୋପା ଗିଳିଲାତ ଆମେରିକା ଭାରତର ବିରାଟ କୃଷିକ୍ଷେତ୍ରକୁ ଝାମ୍ପି ଖାଳେଇଲେ ପୁରାଇଦେଲା । ଲ୍ୟାଣ୍ଡ ଗ୍ରାଣ୍ଟ ୟୁନିଭର୍ସିଟି କଥା ଆମେ ସବୁଜ ବିପ୍ଳବର ଗୁମର କଥା (୧୫)ରେ କିଛିଟା ଆଲୋଚନା କରିଛୁ । ପିଲାମାନେ ବିରି ଚୋବାଇ ସଂସ୍କୃତ ଘୋଷିଲାଭଳି ଲ୍ୟାଣ୍ଡ ଗ୍ରାଣ୍ଟ କଲେଜର ସାର କଥା ‘କମ୍ପାନୀ ବିହନ, କୃଷି ଯନ୍ତ୍ରପାତି, ରାସାୟନିକ ସାର ଓ କୀଟନାଶକ ବିଷ ହିଁ ଅଧିକ ଉତ୍ପାଦନର ଚାବିକାଠି’ । ଜମିରେ ଆବଶ୍ୟକ ପରିମାଣ ସାର ପ୍ରୟୋଗ ନହେଲେ ଉତ୍ପାଦନ ସମ୍ଭବ ନୁହେଁ ।’ ଲ୍ୟାଣ୍ଡଗ୍ରାଣ୍ଟ କୃଷି ସ୍ନାତକ ମାନଙ୍କର ଏହି ଶ୍ଳୋକ ଜପାମାଳି । ଖତକୁ ମାର ଗୁଲି । ‘ସାର ଅଛି ତ ଉତ୍ପାଦନ ଅଛି ।’ ଭାରତର ଚାଷୀମାନଙ୍କୁ ଏହି ନୂତନ ମନ୍ତ୍ର ସରକାରୀ କୃଷି ଅଧିକାରୀମାନେ ରେଡିଓ, ଖବର କାଗଜ ମାଧ୍ୟମରେ ପ୍ରତିଦିନ ଘୋଷାଇଲେ । ରକଫେଲର ଫାଉଣ୍ଡେସନ ତ ଭାରତରେ ଶସ୍ୟ ଉତ୍ପାଦନ ବଢ଼ାଇବା ପାଇଁ ଠିକା ନେଇଛି । ଭାରତକୁ ଆମେରିକାରୁ କୃଷି ପରାମର୍ଶଦାତା ପଠାଇବା ପାଇଁ ରକଫେଲର ଫାଉଣ୍ଡେସନ ରାଜି ହୋଇଗଲା । ‘କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ ।’ ସବୁ ଖେଳ ତ ଆମେରିକାର । ଭାରତୀୟ କୃଷକ ଆମେରିକା ପାଲରେ ପଡ଼ିଗଲେ ।
୨ୟ ପଞ୍ଚବାର୍ଷିକ ଯୋଜନାରେ କୃଷିକ୍ଷେତ୍ରକୁ ସରକାରୀ ମଞ୍ଜୁର ଅର୍ଥ କମାଇ ଶିଳ୍ପ ବିକାଶକୁ ଅଧିକ ପ୍ରୋତ୍ସାହନ ଦିଆଗଲା । କୃଷି, ଜଳସେଚନ, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ((Community Development Program ) ) ବିଭାଗମାନଙ୍କ ପାଇଁ ଖର୍ଚ୍ଚ ବରାଦ ୩୧ପ୍ରତିଶତରୁ କମି ୨୦ପ୍ରତିଶତ ରହିଲା । ଶିଳ୍ପୀକରଣ ପାଇଁ ଅଧିକ ଅର୍ଥବରାଦ ଦ୍ୱାରା କୃଷି ଉତ୍ପାଦନ କମିଗଲା । ବିଦେଶରୁ ଖାଦ୍ୟ ଆମଦାନୀ ବଢ଼ିଲା । PL –୪୮୦ ଚୁକ୍ତି ଅନୁସାରେ ଅଧିକ ଗହମ ଆମେରିକାରୁ ଆମଦାନୀ କରାଗଲା । ଫଳରେ ଦେଶ ଭିତରେ ଖାଦ୍ୟଶସ୍ୟ ମୂଲ୍ୟ ହ୍ରାସହେଲା । ଚାଷୀମାନେ ଅଧିକ ଉତ୍ପାଦନ ପାଇଁ ମନ ବଳେଇଲେ ନାହିଁ । ଏପ୍ରିଲ ୧୯୫୬ । ଭାରତ ସରକାର ଆମେରିକା ସହିତ ପ୍ରଥମ ଚୁକ୍ତି ସ୍ୱାକ୍ଷର କଲା । ଏହି ଚୁକ୍ତି ଆଧାରରେ ଭାରତ ଆମେରିକାରୁ ୩.୧ ନିୟୁତ ଟନ ଗହମ ଓ ୧.୯ ନିୟୁତ ଟନ ଚାଉଳ ଆମଦାନୀ କଲା । ସବୁଜ ବିପ୍ଲବ ଜନ୍ମ ନେବା ପୂର୍ବରୁ ଚିତଉ ଖିଆପର୍ବ ସାରିଲା । ଏହା ପରକୁ ସାଦ, ଶେଷରେ ପ୍ରସବ । ସମୟକୁ ଅପେକ୍ଷା କରିବା ।
ସବୁଜ ବିପ୍ଲବ ଏପର୍ଯ୍ୟନ୍ତ ଜନ୍ମ ନେଇନି । ମାତ୍ର ସବୁଜ ବିପ୍ଲବର ବାହକ ରାସାୟନିକ ସାର କଥା ଆମେ ବାରମ୍ବାର ଲେଖୁଛୁ । ମୁଁ ଭାବୁଛି ପାଠକ ବନ୍ଧୁମାନେ ରାସାୟନିକ ସାର ଜନ୍ତୁଟି କ’ଣ ଜାଣିବା ଦରକାର । ଆମେ ଆଗକୁ ଜାଣିବା ସବୁଜ ବିପ୍ଳବର ଆକୃତି ଯଦି ଗୋଟିଏ ଗଛ ମନେକରାଯାଏ , ତା’ର ସାତ ଗୋଟି ବଡ଼ ବଡ଼ ଶାଖା ଡାଳ । ୧. ରାସାୟନିକ ସାର ,୨. ରାସାୟନିକ ବିଷ କୀଟନାଶକ ଓ ତୃଣନାଶକ, ୩. ଟ୍ରାକ୍ଟର ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି , ୪. ଅଧିକ ଅମଳକ୍ଷମ ବିହନ , ୫. ଡ୍ୟାମ ଓ ଜଳସେଚନ, ୬.ପୁଞ୍ଜି ଓ ବ୍ୟାଙ୍କ ଋଣ, ୭. କୃଷକ ତାଲିମ, ଶିକ୍ଷା ଓ ପରାମର୍ଶ ।
ପ୍ରଥମେ ରାସାୟନିକ ସାରକୁ ଆସିବା । ୧୮୪୦ ମସିହା ପର୍ଯ୍ୟନ୍ତ ପୃଥିବୀରେ ପ୍ରାକୃତିକ କୃଷି ହିଁ ଚାଲିଥାଏ । ଭାରତ ଓ ଏସିଆ ମହାଦେଶରେ ବଳଦ ହଳ ଲଙ୍ଗଳରେ ଚାଷ । ଗୁହାଳରୁ ଖତ ଓ ଓଳିଆରୁ ବିହନ ଉପଯୋଗ କରି ଚାଷୀ ଚାଷ କରୁଥିଲା । ଆଫ୍ରିକାରେ ମଧ୍ୟ ଅନୁରୂପ କୃଷି । ୟୁରୋପ ମହାଦେଶରେ ଲଙ୍ଗଳରେ ଘୋଡା ଯୋଚି ଚାଷ । ଘୋଡା ଖତ ଓ ଚାଷୀର ନିଜ ବିହନକୁ ନେଇ ଚାଷ । ଆମେରିକାରେ ହଳ ଲଙ୍ଗଳ ନୁହେଁ । ମାଟିକୁ କେଞ୍ଚାରେ ତାଡି ଚାଷ ଚାଲିଥାଏ । ଛଅ ସାତହଜାର ବର୍ଷ ଧରି ଚାଲିଥିବା ଏହି ଚାଷ ଧାରା ଯଥେଷ୍ଟ ଖାଦ୍ୟ ଉତ୍ପାଦନ କରୁଥାଏ । ଲୋକେ ଖାଇ ପିନ୍ଧି ପକେଇ ଶୋଉଥିଲେ । ଭାରତରେ ଏକର ପ୍ରତି ୪୦କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ କାବେରୀ ନଦୀ ଉପତ୍ୟକାର ଚାଷୀ ଅମଳ କରୁଥିବାର ପ୍ରମାଣ ଏବେ ମଧ୍ୟ ଚ୍ରିଚି (ଚ୍ରିଚିନା ପଲ୍ଲୀ) ଜିଲ୍ଲା ଗେଜେଟରେ ଉଲ୍ଲେଖ ଅଛି । ଊନବିଂଶ ଶତାବ୍ଦୀରେ ବିଲାତ ଶାସକଙ୍କ ଦ୍ୱାରା ପ୍ରସ୍ତୁତ ଗେଜେଟ । ଚାଷୀ ଖତ ବ୍ୟତୀତ ହାଡଗୁଣ୍ଡ, ପିଡିଆ, ପକ୍ଷୀମଳ ଜମିରେ ପକାଉଥିଲେ । ବରଗଛ, ତିନ୍ତୁଳି ଗଛ, ଚାକୁଣ୍ଡା ଗଛରେ ପକ୍ଷୀମାନେ ଗହନ କରୁଥିଲେ । ମୂଳରେ ମଇଳା ଗଦା ହେଲା । ମୁଁ ଦେଖିଛି ନନା ଚଣ୍ଡିପଡାରୁ ତିନ୍ତୁଳି ଗଛ ମୂଳୁ ଧଳା ପକ୍ଷୀମଳ ଆଣି ଜମିରେ ପକାଉଥିଲେ । ୧୯୫୦-୫୫ ମସିହା କଥା । ୟୁରୋପର ଲୋକମାନେ ନୌବାଣିଜ୍ୟରେ ନାଁ କରିଥାନ୍ତି । ଦକ୍ଷିଣ ଆମେରିକାର ପ୍ରଶାନ୍ତ ମହାସାଗର କୂଳ ଦେଶ ପେରୁରେ ପାହାଡ଼ ଉପରେ ପ୍ରତିଦିନ ଲକ୍ଷ ଲକ୍ଷ ସାମୁଦ୍ରିକ ପକ୍ଷୀ ଗହନ କରନ୍ତି । ତଳେ ଟନ ଟନ ପକ୍ଷୀମଳ ଜମା ହେଉଥାଏ । ଏହି ଖତକୁ ପେରୁବାସି ଗୁଆନୋ (Guano) କୁହନ୍ତି । ଜମିରେ ପ୍ରୟୋଗ କରି ପର୍ଯ୍ୟାପ୍ତ ଫସଲ ଆମଦାନୀ କରୁଥିବା ବିଲାତ ଜାଣିଲା । ୧୮୫୧ ମସିହାରେ ଜାହାଜ ଲଗାଇ ୨ ଲକ୍ଷ ମେଟ୍ରିକ ଟନ ଗୁଆନୋ ନିଜ ଦେଶକୁ ବୋହିନେଲା ଏବଂ ଗୁଆନ ବ୍ୟବସାୟକୁ ନିଜ ନିୟନ୍ତ୍ରଣକୁ ନେଇଗଲା । ପ୍ରକୃତିରେ ଉଦ୍ଭିଦରେ ବୃଦ୍ଧି ପାଇଁ ଯେ ଯଥେଷ୍ଟ ଖାଦ୍ୟ ଅଛି ‘ଗୁଆନୋ’ ଏହାର ପ୍ରମାଣ ।
୧୮୪୦ ମସିହା । ଜର୍ମାନ ରସାୟନବିତ ଜଷ୍ଟସ ଭନ ଲିବିଗ କିଛି ଡାଳପତ୍ର ପୋଡନ୍ତି । ପାଉଁଶକୁ ବିଜ୍ଞାନଗାରରେ ପରୀକ୍ଷା କରନ୍ତି । ପରୀକ୍ଷାରୁ ଜାଣିପାରିଲେ ପାଉଁଶରେ ଯବକ୍ଷାରଯାନ (Nitrogen –N), ଫସଫରସ (Phosphorus – P) ଏବଂ ପୋଟାସ (Potash- K) ଅଛି । ସେ ଧରିନେଲେ ଘଚକ ହିଁ ଉଦ୍ଭିଦର ମୁଖ୍ୟ ଖାଦ୍ୟ ।
ଖଣ୍ଡିଏ ବହି ପ୍ରକାଶ କଲେ – Organic Chemistry in its application in Agriculture and Physiology । ସେଥିରେ ଉଲ୍ଲେଖ କଲେ Nitrogen (N), Phosphorus (P)Gaõ Potash(K) ଉଦ୍ଭିଦର ପ୍ରଧାନ ଖାଦ୍ୟ । ୧୮୪୨ କୁ ଲିବିଙ୍ଗ ପୁଣି କହିଲେ ବାୟୁମଣ୍ଡଳରେ ଉଦ୍ଭିଦ ଗ୍ରହଣ କରିବାପାଇଁ ଯଥେଷ୍ଟ ଯବକ୍ଷାରଯାନ ନାହିଁ । ତେଣୁ ଯବକ୍ଷାରଯାନ ସାର ପ୍ରସ୍ତୁତ ଜରୁରୀ । ଲିବିଙ୍ଗ ଲେଖିଲେ, ‘There is not enough Nitrogen in the atmosphere for plants to absorve and thus Nitrogen based fertilizers are essential for growing the heathiest crops . ସେ ମଧ୍ୟ ପ୍ରଥମ ପୁସ୍ତକରେ ଉଲ୍ଲେଖ କରିଥିଲେ ଖତିରା (Humus) ଉଦ୍ଭିଦ ବୃଦ୍ଧିରେ କିଛି ସାହାଯ୍ୟ କରେ ନାହିଁ । ଲିବିଙ୍ଗ ନିଜେ ତାଙ୍କର ପରାମର୍ଶ ଭୁଲ ଥିଲା ବୋଲି ୧୮୬୦ରେ ପୁଣି ଖଣ୍ଡିଏ ବହି ଲେଖିଲେ । ମାତ୍ର ସେତେବେଳକୁ ବହୁଦେଶୀୟ କମ୍ପାନୀ ମାନେ ରାସାୟନିକ ସାର ଉତ୍ପାଦନରେ ଖୁବ୍ ଆଗେଇ ଯାଇଥିଲେ । ଦକ୍ଷିଣ ଆମେରିକାର ଚିଲ୍ଲିକୁ ପୃଥିବୀର ଦୀର୍ଘତମ ଦେଶ କୁହାଯାଏ । ପ୍ରଶାନ୍ତ ମହାସାଗର କୂଳରେ ପ୍ରାୟ ୩୦୦୦ କିଲୋମିଟର ବିସ୍ତୁତ ଦେଶର ଆଟାକାମ ମରୁଭୂମିରେ ପୃଥିବୀର ବୃହତ୍ତମ ନାଇଟ୍ରେଟ ପାହାଡ । ଉପର ମାଟି ଆଡେଇ ଦେଲେ ନାଇଟ୍ରେଟ ଦେଖାଯାଏ । ଏହା ଚିଲ୍ଲୀ ସଲଟପିଟର (Chile Salt Peter) ନାମରେ ପରିଚିତ । ଚିଲ୍ଲୀର ଜାତୀୟ ଆୟର ୪୦ ଭାଗ Salt Peter ମିଳିଥାଏ । ବର୍ଷା ହେଲେ ନାଇଟ୍ରେଟ ଧୋଇ ହୋଇଯିବ । ତେଣୁ ପୃଥିବୀରେ ଆଟାକାମ ମରୁଭୂମି ଏକମାତ୍ର ସ୍ଥାନ ଲୋକମାନେ ବର୍ଷାକୁ ଚାହାନ୍ତି ନାହିଁ । ଯୋଗକୁ ସେଠାରେ ବର୍ଷା ପ୍ରାୟତଃ ହୁଏ ନାହିଁ । ୧୮୭୦ବେଳକୁ ବିସ୍ଫୋରକ ଓ ସାରତିଆରି ପାଇଁ ଚିଲ୍ଲୀ ସଲଟପିଟର ମୁଖ୍ୟ ଭୂମିକା ନେଲାଣି । ୧୯୧୨ ମସିହାରେ ଜର୍ମାନ ୯ ଲକ୍ଷ ମେଟ୍ରିକ ଟନ ସଲଟପିଟର ଆମଦାନୀ କରିଥିଲା । କାଳେ ବିଲାତ ଶିଳ୍ପର ସଲଟପିଟର ନିଜ ଅକ୍ତିଆରକୁ ନେଇଯିବ ଜର୍ମାନ ବିକଳ୍ପ ପାଇଁ ଗବେଷଣା ଆରମ୍ଭ କରିଦିଏ । ୧୯୦୯ ମସିହାରେ Friz Haber ଏବଂ Robert Rossignol ଯବକ୍ଷାରଯାନ ଓ ଉଦଜାନରୁ ପ୍ରଥମେ ଆମୋନିଆ ପ୍ରସ୍ତୁତ କରନ୍ତି । ୧୯୧୦କୁ ଏହି ପ୍ରଣାଳୀ BASF କିଣିନିଏ । Carl Bosch ଏହି ପ୍ରାଣାଳୀକୁ ଶିଳ୍ପସ୍ତରକୁ ଆଣେ । ୧୯୧୪ କୁ BASF କାରଖାନା ଦିନକୁ ୨୦ ମେଟ୍ରିକ ଟନ ଆମୋନିଆ ଦୈନିକ ଉତ୍ପାଦନ କରେ । ୧୯୧୪କୁ ପ୍ରଥମ ବିଶ୍ୱଯୁଦ୍ଧ । ବ୍ରିଟିଶ ନୌବାହିନୀ, ଜର୍ମାନୀ ଚିଲ୍ଲିରୁ ସଲଟପିଟର ଆମଦାନୀ ଉପରେ ରୋକ ଲଗାଇଦିଏ । ଜର୍ମାନ Haber- Bosch ପ୍ରଣାଳୀ ବ୍ୟବହାର କରି TNT ଉତ୍ପାଦନ କଲା । ପ୍ରଥମ ବିଶ୍ୱଯୁଦ୍ଧ ୧୯୧୮କୁ ସରିଯାଏ । ପାହାଡ ଭଳି ବାରୁଦ ବଳିପଡିଛି । ଏହି ବାରୁଦରେ ପ୍ରଚୁର ପରିମାଣ Sythetic Nitrogen ଥାଏ । ଏହା ସହିତ ଚୂନପଥର (Limestone ) ଏବଂ ଜିପସମ (Gypsum) ମିଶାଇ କମ୍ପାନୀମାନେ ରାସାୟନିକ ସାର ପ୍ରସ୍ତୁତ କଲେ । ବାୟୁମଣ୍ଡଳରେ ତ ୭୯ପ୍ରତିଶତ ଯବକ୍ଷାରଯାନ (Nitrogen) । ଏହି ମାଗଣା Nitrogenକୁ ଉପଯୋଗ କରି ସାର ପ୍ରସ୍ତୁତ ହୁଏ । କୃଷିକ୍ଷେତ୍ରରେ ଏହି ସାର ଉପଯୋଗ ଦ୍ୱାରା ଅଧିକ ଉତ୍ପାଦନ ହେଲା । କାରଖାନା ମାଲିକ ମାନେ ଦିନରାତି କାରଖାନା ଚାଲୁ ରହିଲେ । ବିହନ କମ୍ପାନୀମାନେ ଅଧିକ ରାସାୟନିକ ସାର ସହଣୀ ବିହନ ଉଦ୍ଭାବନ କରିବାପାଇଁ ଲାଗିଗଲେ । ୟୁରୋପ ଓ ଆମେରିକା ଚାଷୀମାନେ ଖତ ପରିମାଣର ସାର ଜମିରେ ଢାଳି ଫସଲ କାଟିଲେଣି । କମ୍ପାନୀମାନେ ସାର ବେପାରରୁ ଲାଭର ଜୁଡୁବୁଡୁ ହେଲେଣି । ସେମାନେ ଅଟକିବାର ନାହିଁ । ୧୯୪୦ ବେଳକୁ ୟୁରୋପ, ଆମେରିକାରେ ରାସାୟନିକ ସାରର ରାଜତ୍ୱ ପ୍ରତିଷ୍ଠିତ ହେବାପରେ ଏସିଆ ମହାଦେଶକୁ ଆଖି ।
ଭାରତରେ ରାସାୟନିକ ସାରର ପ୍ରବେଶପାଇଁ ବିଲାତ ସରକାର ୧୮୮୭ ମସିହାରୁ ଉଦ୍ୟମ ଜାରି ରଖିଥାଏ । ୧୮୮୭ -୧୮୮୯ ସାର ଅଗଷ୍ଟସ ଭୋଲକର, ୧୯୦୫ -୧୯୩୫ ସାର ଆଲବର୍ଟ ହାୱାଡଙ୍କୁ ବିଲାତ ସରକାର ଭାରତ ପଠାଇଲେ ଚାଷୀଙ୍କୁ ନୂଆ ଚାଷ ଶିଖାଇବା ପାଇଁ । ଦୁହେଁଯାକ ବିଲାତ ରଏଲ ସୋସାଇଟିର ଖ୍ୟାତନାମ କୃଷିବିଜ୍ଞାନୀ । ଦୁହେଁ ଫେଲ ମାରିଲେ । ଭାରତୀୟ କୃଷକର ଲଙ୍ଗଳ, ଖତ, ବିହନ ବ୍ୟବହାର ସେମାନେ ବିମୋହିତ ହୋଇଯାଇ ଥିଲେ । ବିଲାତ ସରକାରଙ୍କୁ ଭାରତରୁ ଫେରି ରିପୋର୍ଟ ଦିଅନ୍ତି, ‘ଭାରତୀୟ କୃଷକ ଜଣେ ଜଣେ କୃଷି ବିଜ୍ଞାନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମେ ତାଙ୍କଠାରୁ ଶିଖିଲୁ । ସେମାନଙ୍କୁ ଶିଖାଇବା ପାଇଁ ଆମ ପାଖେ କିଛି ନଥିଲା ।’ ଭାରତରୁ ଫେରି ହାୱାର୍ଡ ଭାରତୀୟ କୃଷି ଧାରାରେ ପ୍ରଥମେ ଜୈବିକ କୃଷି ଆରମ୍ଭ କଲେ । ବିଲାତକୁ ପଛରେ ପକାଇ ୧୯୪୦-୧୯୪୫ଠାରୁ ଆମେରିକା ଲାଗିପଡିଛି ଭାରତୀୟ କୃଷକଙ୍କୁ ସାର ମନ୍ତ୍ର ଦେବ । ଭାରତ ସରକାରଙ୍କ ସହାୟତାରେ ତାର ଉଦ୍ୟମ ସଫଳ ହେବାକୁ ଯାଉଛି । ଆସନ୍ତା ଦିନକୁ କୀଟନାଶକ ବିଷ ଓ ତୃଣନାଶକର ମୁଣି ଖୋଲିବା । ଆପଣମାନଙ୍କ ଧୈର୍ଯ୍ୟକୁ ମାନିବାକୁ ପଡ଼ିବ । ମୋତେ ପଢୁଛନ୍ତି । ଆପଣମାନେ ସଚେତନ ପାଠକ । ମୋର ଇଚ୍ଛା ସବୁଜ ବିପ୍ଲବର ସବୁ ଗୁମର ଆପଣଙ୍କ ପାଖେ ଫିଟାଇ ଦେବି । ଭଲ ମନ୍ଦ ବିଚାର କରିବେ । ଆଜି ପାଇଁ ଏତିକି । ରହୁଛି ।
Comments
0 comments