ଏ ପକ୍ଷର ଖବର

91 Views
15 Min Read

ଶ୍ରୋତା ବକତା କେହି ନାହିଁ

ପାଠକେ! ଆମେ ଲକ୍ଷ୍ୟ କଲୁଣୁ ଯେ କର୍ପୋରେଟ ଗଣମାଧ୍ୟମଗୁଡ଼ିକ ଦୁଃଖୀ ଭାରତୀୟଙ୍କ ଅସହାୟତାକୁ ସେତିକିବେଳେ ତାଙ୍କ ଜଣମାଧ୍ୟମରେ ବେଶ୍ ବଡ଼କରି ସ୍ଥାନ ଦେଇଥା’ନ୍ତି, ଯେତେବେଳେ ସେମାନଙ୍କୁ ଲାଗେ ସେହି ସୂଚନାଗୁଡ଼ିକ ମଧ୍ୟବିିତ୍ତ ବା ନିମ୍ନମଧ୍ୟବିତ୍ତ ଲୋକ ଯେଉଁମାନେ ତାଙ୍କ ଜଣମାଧ୍ୟମକୁ ପ୍ରକୃତରେ ପଇସା ଦେଇ କିଣନ୍ତି ସେମାନଙ୍କୁ ଚମକ୍ରୃତ କରିଦେବା ଭଳି ‘ସେନସେସନାଲ’ ଅବସ୍ଥାରେ ପହଂଚିି ଯାଇଛନ୍ତି । ଯେମିତି ଏବେର ହଇଜା ମୃତ୍ୟୁ । ଆପଣ ଲକ୍ଷ୍ୟ କରିବେ ବେଳେବେଳେ ଏ ଖବରର ଶୀର୍ଷକଗୁଡ଼ିକକୁ ଆକର୍ଷଣୀୟ ରୂପ ଦିଆଯାଇଛି ଯେମିତିକି ‘ଡାଇରିଆରେ ୧୫ ମୃତ, ଶତାଧିକ ଆକ୍ରାନ୍ତ,’ ‘ଶହ ଶହ ଡାଇରିଆ ଆକ୍ରାନ୍ତଙ୍କ ମୃତ୍ୟୁ ସହ ସଂଗ୍ରାମ,’ ‘ବେଡ ଅଭାବ, ରୋଗୀ ବାରଣ୍ଡାରେ ଗଡୁଛନ୍ତି’ ଦୂଷିତ ପାଣିର କୁପ୍ରଭାପ; ହଜାର ହଜାର ଲୋକ ପେଟରୋଗରେ ଆକ୍ରାନ୍ତ, ଇତ୍ୟାଦି । ଟଙ୍କାପତିମାନଙ୍କର ତ ଏଭଳି ସୂଚନା ଆଡକୁ ଧ୍ୟାନ ଦେବାର ଆବଶ୍ୟକତା ନଥାଏ । କିନ୍ତୁ ଆମେ ଲକ୍ଷ୍ୟ କରିଛୁ ଯେ ସେହିମାନେ ଏହି ସମ୍ବାଦପତ୍ରଟିକୁ କିଣିଥା’ନ୍ତି ଯେଉଁମାନେ ସରକାରୀ ହାସପାତାଳ ବାରଣ୍ଡାରେ କି ଗାଁ ଗହଳିରେ ଡାଇରିଆରେ ପଡ଼ି ଛଟପଟ ହେଉଥାଆନ୍ତି । ତାଙ୍କ ‘ନିଉଜ’ ବାହାରିଛି ବୋଲି ହୁଏତ ସେମାନେ ସେହିଦିନର ସମ୍ବାଦପତ୍ରଟିକୁ କିଣନ୍ତି ।
ଏବେ ଏହିଭଳି ଜଣମାଧ୍ୟମମାନଙ୍କରେ ଗୋଟିଏ ଖବର ବାହାରିଛି ଯେ ଜଳ-ସଚିବଙ୍କ ନିଦେ୍ର୍ଦଶକୁ ସହକାରୀ ଯନ୍ତ୍ରୀ ଶୁଣୁ ନାହାନ୍ତି । (ଏଠି କିଏ କାହା କଥା ଶୁଣୁଛି?) କିନ୍ତୁ ଶୀର୍ଷକଟି ନିଶ୍ଚିତ ଚମକ୍ରୃତ କରିଦେବା ପରି । ଏହାର ପାଠ ଥିଲା ଧୀରେ ଧୀରେ ଅଧିକ ବିଷାକ୍ତ ହୋଇ ପଡ଼ିଥିବା ଗଙ୍ଗୁଆ ନାଳ ଓ ଦୟାନଦୀକୁ ନେଇ । ଭୁବନେଶ୍ୱର ସହରର ବହୁତଳ ପ୍ରାସାଦ, ବଡ଼ ବଡ଼ ମହଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର, କଂସେଇଖାନା, ମଣିଷ, ଜୀବଜନ୍ତୁଙ୍କର ଗୁହ, ମୁତ ଆଦି ସବୁ ବର୍ଜ୍ୟବସ୍ତୁ ସକାଳ ହେଲେ ଗଙ୍ଗୁଆ ନାଳ ଦେଇ କଣ୍ଟି-କାଜଠାରେ ଦୟାନଦୀରେ ମିଶିବା ପରେ ସେଠାରୁ ଚିଲିକାକୁ ଯାଉଛି । ଟଙ୍କାଥିବା ବାବୁମାନେ ଭୁବନେଶ୍ୱରରେ କୋଠାଘରେ ରହନ୍ତି, ସେମାନଙ୍କୁ ପ୍ରଚୁର ମୁନିସିପାଲିଟି ପାଣି ସହିତ ବେଆଇନଭାବେ ବଡ଼ ବଡ଼ ପମ୍ପ ଲଗାଇ ଭୂତଳଜଳ ସବୁ ଟାଣି ନେଇ ବ୍ୟବହାର କରିବାର ସୁଯୋଗ ମିଳେ । ଏଥିରେ ନିଜ କାମ ପରେ କୁକୁର ଗାଧୁଆ, ଗାଈ ଗାଧୁଆ, କୁକର ଓ ଗାଈଙ୍କ ରହିବା ସ୍ଥାନସବୁ ଧୂଆ ,ଗାଡି ମୋଟର ଧୂଆ ,ବାରଣ୍ଡାଧୁଆ ପରେ ସେଥିରୁ ବାହାରୁଥିବା ବର୍ଜ୍ୟପାଣି ସବୁକୁ, ସାଧାରଣ ଜନତା ଓ ଗାଈଗୋରୁଙ୍କର ପିଇବା, ଗାଧୋଇବା, ବାସନ କୁସନ ଓ ଲୁଗାପଟା ଧୋଇବାର ଏକମାତ୍ର ସାଧନ ହୋଇଥିବା ଗନ୍ଧବତୀ ନଦୀ ଭିତରକୁ ଛାଡି ଦିଆଯାଏ । ଗନ୍ଧବତୀ ଏବେ ଗଙ୍ଗୁଆ ନାଳ ହୋଇଯାଇଛି । କେତେକ ଏହାକୁ ଗନ୍ଧିଆ ନାଳ ବୋଲି କହିଲେଣି । ସେ ପାଣି କଣ୍ଟି-କାଜ ପାଖରେ ଦୟା ନଦୀରେ ମିଶେ । ସେହି ପାଣିକୁ ନଈକୂଳିଆ ଲୋକେ, ଗାଈ ଗୋରୁ ପିଇ ଏବଂ ସେ ପାଣିରେ ଗାଧୋଇ ପେଟରୋଗଠାରୁ ନେଇ ଚର୍ମରୋଗ ଯାଏ ବହୁ ମାରାତ୍ମକ ରୋଗରେ ପଡ଼ୁଛନ୍ତି । ଏହାଦ୍ୱାରା ଭୁବନେଶ୍ୱରରେ ବଡ଼ଲୋକମାନେ ଖୋଲିଥିବା ମହଙ୍ଗା ହାସପାତାଳମାନଙ୍କୁ ଅଧିକ ରୋଗୀ ଓ ଟଙ୍କା ମିଳୁଛି; ଏକଥା ସତ । ଏଇଟା ହୁଏତ ବିକାଶର ଲକ୍ଷଣ ହୋଇପାରେ, କିନ୍ତୁ ନଦୀକୁଳିଆ ବହୁ ଗରିବ ଲୋକ ଦୂଷିତ ପାଣି ଯୋଗଁ ମାରାତ୍ମକ ରୋଗରେ ପଡ଼ିବା ପରେ ମହଙ୍ଗା ସ୍ୱାସ୍ଥ୍ୟସେବା ପାଇଁ ପଇସା ଖର୍ଚ୍ଚ କରି ନପାରି ଛଟପଟ ହେଉଛନ୍ତି ଓ କେତେକ ମରିଯାଉଛନ୍ତି ବୋଲି ଦୟା ସୁରକ୍ଷା ଅଭିଯାନର କାର୍ଯ୍ୟକର୍ତ୍ତାମାନେ କହୁଛନ୍ତି ।
ବଡ଼ ଦୁଃଖଟି ହେଉଛି ଯେ ଲକ୍ଷ ଲକ୍ଷ ଟଙ୍କାର ଦରମା ଓ ଉପୁରି ପାଇ ବସିଥିବା ସରକାରୀ କର୍ମଚାରୀମାନେ ଏଥିପ୍ରତି ଯେପରି ଖାମଖିଆଲୀ ହୋଇ ପଡ଼ୁଛନ୍ତି, ତାହା ନଦୀକୂଳିଆ ଲୋକମାନଙ୍କୁ ଅଧିକ ବିରକ୍ତ କରୁଛି । ଇତି ମଧ୍ୟରେ ଦୁଇମାସ ଧରି ପୁରୀ ଜିଲ୍ଲା କଣାସ ବ୍ଲକର ଗଡ଼ିଶାଗୋଡ଼ା, ଯାମଳଗୋଡା, ଗୋପୀନାଥପୁର ତଥା ଅନ୍ୟାନ୍ୟ ପଂଚାୟତର ବହୁ ଜନସାଧାରଣ ପାନୀୟଜଳ ପ୍ରଦୂଷଣ ଯୋଗୁଁ ହଇଜା ତଥା ଅନ୍ୟାନ୍ୟ ରୋଗରେ ପଡ଼ିଥିଲେ । ଲୋକଙ୍କ ପ୍ରତିବାଦ ଜୋରଦାର ହେବାରୁ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସାଧିକାରୀ, ଜଳ-ସଚିବ ଓ ଅନ୍ୟାନ୍ୟ ଅଧିକାରୀମାନ ଏହି ସବୁ ଅଂଚଳ ଗସ୍ତ କଲେ । ସେଠାରେ ବାବୁମାନେ ଘୋଷଣା କଲେ ଯେ ଯେହେତୁ ପାନୀୟଜଳ ପ୍ରଦୂଷିତ ହୋଇଯାଇଛି, ତେଣୁ ଲୋକଙ୍କୁ ନିୟମିତ ଆଠଟା ଟାଙ୍କରରେ ପିଇବାପାଣି ଯୋଗାଇ ଦିଆଯିବ । ହେଲେ ଆଜି ପର୍ଯ୍ୟନ୍ତ ପାଣି ଆସୁନାହିଁ । ଲୋକେ ସେହି ପ୍ରଦୂଷିତ ପାଣି ପିଉଛନ୍ତି ଓ ରୋଗରେ ପଡ଼ୁଛନ୍ତି । ଏଠାରେ ଥିବା ସହକାରୀ ଯନ୍ତ୍ରୀ ସେକଥାକୁ ଶୁଣିବାକୁ ରାଜି ନୁହନ୍ତି । ପଚାରିଲେ ବାବୁଙ୍କ ପକ୍ଷରୁ ବିଭିନ୍ନ ବାହାନା ଦେଖାଯାଉଛି । ଲୋକଙ୍କ କହିବା କଥା ଯେ ରାଜ୍ୟରେ ସଚିବ ଦେଇଥିବା ନିଦେ୍ର୍ଦଶକୁ ଯଦି ଯନ୍ତ୍ରୀ ମାନୁ ନାହାନ୍ତି, ତାହାହେଲେ କ’ଣ ହେବ?

ପୁରା ରାଜ୍ୟ ବେମାର…

ପାଠକେ! ଏବେ ଆମ ରାଜ୍ୟର ଅଧିକାଂଶ ଅଂଚଳରେ ନାଗରିକମାନେ ବେମାର । ସବୁଠୁ ବଡ଼ ସମସ୍ୟାରେ ଯାଜପୁରବାସୀ । ସାରା ଜିଲ୍ଲାରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ସରିକି ଟପିଲାଣି । ପାଖାପାଖି ୧୮ ଲୋକ ମରିଗଲେଣି । ଯାଜପୁର ଜିଲ୍ଲା ପାଖାପାଖି ଭଦ୍ରକ ଓ କେନ୍ଦୁଝରରେ ମଧ୍ୟ ହଇଜା ମାତିଛି । କଟକ ଜିଲ୍ଲା ବାଙ୍କୀରେ ମଧ୍ୟ ଏହି ରୋଗରେ ୩୦ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ପୂର୍ବରୁ କଟକ ସହରର ମଙ୍ଗଳାବାଗ ଅଂଚଳରେ ୫୦ବର୍ଷ ବୟସ୍କ ଶିବ ଦାସ ବୋଲି ଜଣେ ଲୋକଙ୍କର ମଧ୍ୟ ହଇଜାରେ ମୃତ୍ୟୁ ହୋଇଯାଇଥିଲା । ସେହିପରି ବରଗଡ଼ର ପାଇକମାଳ ବ୍ଲକ କୁଆପାଲି ଗାଁ’ରେ ୭୦ରୁ ଅଧିକ ଲୋକ ହଇଜାରେ ଆକ୍ରାନ୍ତ ହୋଇଛନ୍ତି । କୁହାଯାଉଛି ଏଠାରେ ଦିଆଯାଇଥିବା ଗୋଟିଏ ଭୋଜି ଓ ଦୂଷିତ ପାଣି ଯୋଗୁଁ ଲୋକଙ୍କର ଏ ଅବସ୍ଥା ହୋଇଛି । ଲୋକମାନେ ଖାଇଥିବା ଖାଦ୍ୟ ଓ ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ଖଣି, କାରଖାନା ଓ ସହରମାନଙ୍କର ପ୍ରଦୂଷିତ ଜଳ ହିଁ ରାଜ୍ୟଟାକୁ ବେମାର କରିଦେଲାଣି । ଜଣେ ଜଣାଶୁଣା ଲୋକପକ୍ଷ ସାମ୍ବାଦିକାଙ୍କ ସୂଚନାନୁଯାୟୀ ତିନୋଟି ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ ଓ ଝାରସୁଗୁଡ଼ାରେ ଲୋକେ ଲାଲ ରଙ୍ଗର ପାଣି ପିଇବା ସହିତ ମାଟିଆ ରଙ୍ଗର ପାଣିରେ ଗାଧୋଉଛନ୍ତି । ରେଙ୍ଗାଲି ବ୍ଲକର ଖିଣ୍ଡା, ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ବ୍ଲକର ଜରାବଗା, ବ୍ରଜରାଜନଗରର କୁଦୋପାଲୀ ଅଂଚଳରେ ଲୋକେ ଏହିପରି ନାଲି ପାଣି ପିଇବା ସହିତ ଗୋଳିଆପାଣିରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି । କେବଳ କେନ୍ଦୁଝର ବା ସୁନ୍ଦରଗଡ଼ କି ପଶ୍ଚିମ ଓଡ଼ିଶା କଥା ନୁହେଁ; ଖୋଦ୍ ରାଜଧାନୀରେ ଡାଇରିଆ ପ୍ରକୋପ କିଛି କମ ନୁହେଁ । ପଟିଆସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସୀ ଆପାର୍ଟମେଂଟରେ ଶତାଧିକ ଲୋକ ଝାଡାବାନ୍ତି ରୋଗରେ ପୀଡ଼ିତହୋଇ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ବାସିନ୍ଦାମାନଙ୍କର କହିବାନୁଯାୟୀ ଇଏ ଏବେର ନୁହେଁ, ଗତ ଦୁଇତିନିମାସ ଧରି ଏହି ରୋଗ ଏଠାରେ ବସା ବାନ୍ଧିଛି । ଆଉ ଏହାର କାରଣ ହେଉଛି ଏହାକୁ ରୋକିବାକୁ କେହି ନାହିଁ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଆସୁଛନ୍ତି ଗୁଡ଼ାଏ ପରାମର୍ଶ ଦେଉଛନ୍ତି କିନ୍ତୁ ତା’ର କୌଣସି ପ୍ରଭାବ ହେଉନାହିଁ । କିଛିଦିନ ତଳେ ୧୩ ନମ୍ବର ୱାର୍ଡରେ ୧୮୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ୱାର୍ଡ ନମ୍ବର ୬୪ ଡୁମୁଡୁମା ନୂଆସାହି ଅନ୍ତର୍ଗତ ଗାନ୍ଧୀ ବିଦ୍ୟାପୀଠର ୬ ଜଣ ଛାତ୍ରୀ ଝାଡାବାନ୍ତିରେ ପଡ଼ିଛନ୍ତି ।
ରୋଗ ତ ବଢ଼ିବାରେ ଲାଗିଛି । ମୃତ୍ୟୁସଂଖ୍ୟା କେତେବେଳେ ୧୪ ତ କେତେବେଳେ ୧୮ ହେବାରେ ଲାଗିଛି । କିନ୍ତୁ ଲୋକେ ବୁଝି ପାରୁନାହାନ୍ତି ଯେ ସ୍ୱାସ୍ଥ୍ୟବିଭାଗ କରୁଛି କ’ଣ? ସ୍ୱାସ୍ଥ୍ୟବିଭାଗର ମନ୍ତ୍ରୀଙ୍କର ଏବେ ଯାଜପୁରରେ ଦେଖା ମଳିଥିଲା । ସିଏ ଗୋଟିଏ କଥା କହୁଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ପୁରା ସଚେତନ, ବିଭାଗ ପକ୍ଷରୁ ପକ୍ଷରୁ ସବୁ ସ୍ଥାନକୁ ଡାକ୍ତରୀ ଦଳ ପଠା ଯାଇଥିଲା । ସେମାନେ ସବୁ ପରୀକ୍ଷା ନିରୀକ୍ଷା କରିଛନ୍ତି । ଦେଖିଛନ୍ତି । ଔଷଧ ଦେଉଛନ୍ତି । ବିଭାଗ ଠିକ ସମୟରେ ଉଚିତ୍ ପଦକ୍ଷେପ ନେବା ଫଳରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ମୁଖ୍ୟମନ୍ତ୍ରୀ କିନ୍ତୁ ସେଇଆ ଭାବୁନାହାନ୍ତି । ଏହା ଭିତରେ ମୁଖ୍ୟମନ୍ତ୍ରୀ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ତଥା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ କଥା ହୋଇ ଦୁଇଟି କଥା କହିଛନ୍ତି ଯେ ଦୁଇଜିଲ୍ଲାର ସବୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟରେ ରଖ । ରୋଗ ଯେପରି ପଡ଼ୋଶୀ ଜିଲ୍ଲାକୁ ନ ବ୍ୟାପିବ, ତା’ପାଇଁ ବ୍ୟବସ୍ଥା କର ।
ହେଲେ ଏହାର ପ୍ରଭାବ ବିଭାଗ ଉପରେ ଦେଖିବାକୁ ମିଳୁନାହିଁ । ଯେଉଁଠି ଦୂଷିତ ପାଣି ଯୋଗୁଁ ଏପରି ରୋଗ ବ୍ୟାପୁଛି ବୋଲି କୁହାଯାଉଛି ସେଠାରେ ସରକାର କହୁଛନ୍ତି ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଇ ଦିଆଯିବ । କିନ୍ତୁ ତଳେଥିବା ଯନ୍ତ୍ରୀମାନେ ଏହାକୁ ଭ୍ରୂକ୍ଷେପ କରୁନାହାନ୍ତି । କିଛି ସ୍ଥାନକୁ ଟ୍ୟାଙ୍କରରେ ପାଣି ଯାଉଥିବ, କିନ୍ତୁ ଅଧିକାଂଶ ସ୍ଥାନରେ ଲୋକେ ମିଳୁଥିବା ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଯାଫଳରେ ସରକାର ଯେତେ କହିଲେ ମଧ୍ୟ ରୋଗ କମିବା ପରିବର୍ତ୍ତେ ପାଖ ପାଖ ଜିଲ୍ଲାକୁ ମାଡ଼ିବାରେ ଲାଗିଛି । ଯେମିତି ଯାଜପୁରରୁ ରୋଗ ଏବେ ଭଦ୍ରକ ଆଡକୁ ମାଡିଗଲାଣି । ଏହା ଭିତରେ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ସିଧା କହିଦେଲେଣି ଯେ ଏ ରୋଗ ଜଳ ପ୍ରଦୂଷଣ ଯୋଗୁଁ ମୋଟେ ହେଉନାହିଁ । ପାଣି ଠିକ ଅଛି । ଭୋଜିରେ ଦିଆଯାଇଥିବା ଖାଦ୍ୟର ମାନ ଖରାପ । ତେଣୁ ଡିହାଇଡ୍ରେସନ ହୋଇ ଯାଜପୁରରେ କଲେରା ମାଡିଛି । ଏହାକୁ ଶୁଣି ଲୋକେ କହୁଛନ୍ତି ରାଜ୍ୟର ବିଭାଗମାନଙ୍କର ତ ସ୍ୱାସ୍ଥ୍ୟ ଖରାପ, ଆଉ ରୋଗ ଭଲ ହେବ କେମିତି? ଭୋଜି ସିନା କୌଣସି ଗୋଟିଏ ଜିଲ୍ଲାର କୌଣସି ଗୋଟିଏ ସ୍ଥାନରେ ଦିଆଯାଇଥିଲା, ରୋଗ ପରା ଅଧିକାଂଶ ଜିଲ୍ଲାରେ ମାଡିଗଲାଣି । ସବୁଠି କ’ଣ ଭୋଜି ଦିଆ ହୋଇଥିଲା?

କୋଣାର୍କ ଚକ ଯଦି ଗଡ଼ୁଥାଆନ୍ତା… ପେଲି ପେଲି କଲିକତା

ପୁରୀର ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ୬୦ଫରେଷ୍ଟ ପାର୍କ ଘରେ ସମ୍ପ୍ରତି ଏକ ଛୋଟିଆ ଅବଢ଼ା ଭୋଜି କାର୍ଯ୍ୟକ୍ରମ ରଖାଯାଇଥିଲା । ସ୍ୱଳ୍ପ ଅତିଥିଙ୍କ ଭିତରେ ୪ଜଣ ଅତିଥି ପୁରୀରୁ ଥିଲେ । ଖୁବ ଶୀଘ୍ର ସେମାନଙ୍କ ଭିତରେ ପୁରୀବୋଲି ସମ୍ପନ୍ନ ବାର୍ତ୍ତାଳାପ ସବୁ ଆରମ୍ଭ ହୋଇଗଲା । ଆମେ ଟିକେ ଆଲୋଚନାକୁ ଜୀବନ୍ତ କରିବା ପାଇଁ ବାରୁଦ ଗଦାରେ ଦିଆସିଲୀ କାଠିଟିଏ ପକାଇ ଦେଲା ପରି କହିଦେଲୁ – ଆଉ କ’ଣ! ତମର ତ ଆଉ ଗୋଟେ ଜଗନ୍ନାଥ ଧାମ କଲିକତାରେ ହୋଇଗଲାଣି । ତମର ଡବଲ ଇଞ୍ଜିନ୍ ହୋଇଗଲା । ଆଉ କ’ଣ? ସତକୁ ସତ ସାରା ବାରୁଦଗଦାଟାରେ ନିଁଆ ଲାଗିଗଲା । ସେଠି ଯେତେ ପୁରୁଷ ଓ ମହିଳା ବସିଥିଲେ, ସମସ୍ତେ କହିଥିଲେ କ’ଣ ଆପଣ ଜାଣିବା ଶୁଣିବା ନୋକ ହେଇ ଏମିତିକା କଥା କହୁଛନ୍ତି । ପୁରୀ ସିନା ଧାମ ହୋଇପାରିବ । କଲିକତା କେମିତି ହବ? ଦେଶର ଚାରି ଧାମ ନା ନାହିଁ? ଚାରି ଶଙ୍କରାଚାର୍ଯ୍ୟ ନା ନାହିଁ? କଲିକତାଟା କେମିତି ଧାମ ହୋଇଯିବ? ଆମେ କହିଲୁ ତା ଠିକ ଯେ । ହେଲେ ତାଙ୍କୁ ଏ ଧାମ କରିଦେବାକୁ ଶିଖାଇଲା କିଏ? ଏହି ପୁରୀରୁ ଯାଇଥିବା ଦଇତାପତିମାନେ ନା ଆଉ କିଏ? ଜଣେ ଡେଇଁପଡ଼ିଲା ପରି ଦୁଇ ହାତରେ ତାଲିଟାଏ ମାରି କହିଲେ ଆଏ- ତମେ ଜାଣିନ କି? ପଇସା ପାଇଲେ ଏ ମାକେ ପରା ଜଗନ୍ନାଥକୁ ବିକି ଦେବେ ହେ । ଧାମ କ’ଣ? ଆମେ କହିଲୁ ମମତା ଦିଦି କ’ଣ କହୁଛନ୍ତି ଆପଣ ଶୁଣି ନାହାନ୍ତି? ତାଙ୍କ ଭିତରୁ ଜଣେ କହିଲେ ଆଏ ସିଏ କ’ଣ କହିବ? ସିଏ ପରା ମୁସଲମାନଟା । ଆମେ କହିଲୁ ହେଲା ଯେ ସିଏ ତ କହୁଛନ୍ତି ତାଙ୍କୁ ଲୋକେ ମିଛରେ କହୁଛନ୍ତି ଯେ ସିଏ ଓଡ଼ିଶାରୁ ନିମ୍ବକାଠ ଚୋରି କରି ନେଇଛନ୍ତି । ପଶ୍ଚିମବଙ୍ଗରେ କ’ଣ ନିମ୍ବ ଗଛ ନାହିଁ? ତାଙ୍କ ବାରୀରେ ପରା ଗୋଟା ନିମ୍ବ ଗଛ ଅଛି । ସେଇଥିରେ ଜଗନ୍ନାଥ ମୂତ୍ତି ତିଆରି ହୋଇ ପାରିବେନି? ଆମେ କାହିଁ ପୁରୀରୁ ନିମ୍ବକାଠ ଚୋରି କରିବୁ ବୋଲି ସିଏ ଓଲଟା ପ୍ରଶ୍ନ କରୁଛନ୍ତି । ହଠାତ୍ ଜଣେ ଆମ ଆଗକୁ ପଳାଇ ଆସି କହିଲେ – ହଇଓ ସୁରବାବୁ! ତମେ ତାଙ୍କୁ ଟିକେ ପଚାରୁନ? ସବୁ ନିମ୍ବକାଠ କ’ଣ ଦାରୁ ହୋଇଥାଏ? ଦାରୁ ନହେଲେ କ’ଣ ସେଥିରୁ ମୂର୍ତ୍ତି ହଅଇ କିଅ? ମମତା କ’ଣ ଗଭର୍ଣ୍ଣର? ସିଏ ଯାହା ଚାହିଁବ କହିଦେବ? ଆଉ ଜଣେ ବାହାରି ଆସି କହିଥିଲେ ଆଏ! ବୁଝିଲ! ଜୟଦେବଙ୍କୁ କହିଲେ ଆମର, ରସଗୋଲାକୁ କହିଲେ ଆମର, ଜଗନ୍ନାଥଙ୍କୁ କହିଲେଣି ଆମର ଏ ବେହିପୋ କୋଣାର୍କ ମନ୍ଦିର ଚକ ଯଦି ଗଡୁ ଥାଆନ୍ତା, ଏଗୁରା ପରା କୋଣାର୍କଟାକୁ ସମୁଦ୍ର କୂଳେକୂଳେ ପେଲି ପେଲି ନେଇ କଲିକତାରେ ଥୋଇଦେଇ କହନ୍ତେ ଏଇଟା ଆମର । ତମେ ଲେଖି ନଥିଲ? ଆମେ କହିଲୁ ନାଇଁ ମୋ ଆଗରୁ ଜଣେ ଲେଖିଛନ୍ତି । ଲୋକ ଜଣକ କହିଲେ ହଉ! ତମେ ଏବେ ଗୋଟା ଲେଖି ଦଉନ । କ’ଣ ହବନି? ମୁଁ କହିଲି ଚାଲ ଖାଇବା ଚାଲ । ଅବଢ଼ା ବଢ଼ା ହୋଇଗଲାଣି । ଉଠ ।

ଭୋଜିମାନଙ୍କର ସାଇଡ଼୍ ଇଫେକ୍ଟ

ପାଠକେ! ଏବେ ଭୋଜିମାନଙ୍କର ପାଶ୍ୱର୍ ପ୍ରତିକ୍ରିୟାକୁ ନେଇ ରାଜ୍ୟରେ ବଡ଼ ସମସ୍ୟା ସବୁ ସୃଷ୍ଟି ହେଲାଣି ।
ପାଠକେ! ଆପଣ ଗଙ୍ଗାଶ୍ରାଦ୍ଧ ଭୋଜି ନାଁ ଶୁଣିଛନ୍ତି । ଏଇଟା ଓଡ଼ିଶା ସାରା ହୁଏ । ପଶ୍ଚିମଓଡ଼ିଶାରେ ବଡ଼ ଭକ୍ତି ସହକାରେ ହୁଏ । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କ ପୁଅ ତାଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରି ଫେରିବା ପରେ ଯେଉଁ କାର୍ଯ୍ୟ ହୁଏ, ତାକୁ ଗଙ୍ଗାଶ୍ରାଦ୍ଧ କୁହାଯାଏ ଓ ପରିବାର ଲୋକମାନେ ସାହିଭାଇମାନଙ୍କୁ ଏହି ଉପଲକ୍ଷେ ଏକ ଭୋଜି ଦିଅନ୍ତି । ସମ୍ପ୍ରତି ବରଗଡ଼ ଜିଲା ପାଇକମାଳ ବ୍ଲକର କୁଆପାଲି ଗାଁରେ ଏହିପରି ଏକ ଗଙ୍ଗାଶ୍ରାଦ୍ଧ ଭୋଜି କାଳେ ଦିନବେଳା ଦିଆଯାଇଥିଲା । ଏହା ଏକ ବଡ଼ ଭୋଜି ଥିଲା ବହୁତ ଲୋକ ଏଥିରେ ସାମିଲ ହୋଇଥିଲେ । କିନ୍ତୁ ଭୋଜି ଖାଇବାର କିଛି ଘଂଟା ପରେ କିଛି ଲୋକଙ୍କର ଝାଡାବାନ୍ତି ଆରମ୍ଭ ହୋଇଯାଇଥିଲା । ଖବର ପାଇ ଡାକ୍ତର ତଥା ସ୍ୱାସ୍ଥ୍ୟବିଭାଗର କର୍ମୀମାନେ କୁଆପାଲି ଗାଁରେ ପହଂଚି ଘର ଘର ବୁଲି ଦେଖିଥିଲେ ଯେଉଁମାନେ ଭୋଜି ଖାଇଥିଲେ ସେହିମାନଙ୍କର ଫୁଡ ପଏଜନ, ବଦହଜମୀ ଆଦି ସମସ୍ୟା ଉପୁଜିଛି । ପୀଡ଼ିତଙ୍କ ମଧ୍ୟରୁ ୧୭ଜଣ ଗୁରୁତର ଆକ୍ରାନ୍ତଙ୍କୁ ରାତାରାତି ପଦ୍ମପୁର ଉପଖଣ୍ଡ ହାସପାତାଳକୁ ପଠାଯାଇଥିଲା । ଗାଁ’ର ୧୬୧ ପରିବାରକୁ ଔଷଧ , ହାଲୋଜେନ ବଟିବା ଆଦି ଦେବା ସହିତ ସିଝା ପାଣି ପିଇବା, ବାସି ଖାଦ୍ୟ ନଖାଇବା ପାଇଁ କହିଥିଲେ ।
ରାଜ୍ୟରେ ଡାଇରିଆ ବା ପେଟରୋଗ ବହୁ ଜିଲ୍ଲାକୁ ଆକ୍ରାନ୍ତ ପରେ ଜଳସମ୍ପଦ ମନ୍ତ୍ରୀ ରବି ନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଦି କହିଛନ୍ତି ଯେ ଏଇ ଭୋଜିଭାତକୁ ଜଗିବା ଦରକାର । ଏହାର ଯେଉଁ ପାଶ୍ୱର୍ ପ୍ରତିକ୍ରିୟା ସେଥିରୁ ଏହିସବୁ ପ୍ରକାରର ଅବସ୍ଥା ହେଉଛି । କେବଳ ମନ୍ତ୍ରୀ ଏକଥା କହିଛନ୍ତି ବୋଲି ନୁହେଁ ଯାଜପୁରରେ ଦି ହଜାର ପାଖାପାଖି ଲୋକ ପେଟ ରୋଗରେ ଆକ୍ରାନ୍ତହେବା ଜାତୀୟ ସ୍ୱାସ୍ଥ୍ୟ ମିସନ (ଏନଏଚଏମ)ର ନିଦେ୍ର୍ଦଶକ ଡଃ ବୃନ୍ଦା ସାଙ୍ଗରେ ଅନ୍ୟମାନଙ୍କୁ ଧରି ଯାଜପୁର ସମେତ ଅନ୍ୟ କେତେକ ସ୍ଥାନ ପରିଦର୍ଶନ କରିଥିଲେ । ପରିଦର୍ଶନ ପରେ ଏହାକୁ ରୋକିବା ପାଇଁ ଯେଉଁ ପରାମର୍ଶ ଦେଲେ, ତାହା ହେଉଛି ଲୋକମାନେ ପ୍ରଦୂଷିତ ଖାଦ୍ୟ ଓ ପାଣି ବ୍ୟବହାରରୁ ବିରତ ରହନ୍ତୁ ଏବଂ ଏହି ସମୟରେ ଭୋଜିଭାତ ପ୍ରତି ସତର୍କ ରୁହନ୍ତୁ । ଅର୍ଥାତ୍ ଏହି ସମୟରେ ଏଇଟା ଭୋଜି ଭାତର ଗୋଟେ ପାଶ୍ୱର୍ ପ୍ରତିକ୍ରିୟା ବା ସାଇଡ଼ ଇଫେକ୍ଟ ।
ଏବେ ଏବେ ଭୁବନେଶ୍ୱରେ ଏକ ସରକାରୀ ଭୋଜିର ମଧ୍ୟ ଅନେକ ପ୍ରକାରର ପାଶ୍ୱର୍ ପ୍ରତିକ୍ରିୟା ସବୁ ସମ୍ମୁଖକୁ ଆସିିଛି ଓ ଆସୁଛି । ଏହାକୁ ବାସ୍ତବରେ ଭୋଜି କହିବାନି ଏହା ବିଜେପିର ମୋହନ ମାଝୀ ସରକାରଙ୍କ ଏକବର୍ଷ ପୂର୍ତ୍ତି ଉପଲକ୍ଷେ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ଥିଲା ଯେଉଁଥିରେ ଭୋଜି ଦିଆଯାଇଥିଲା । ସମ୍ବାଦିକଙ୍କ ପାଇଁ ଗୋଟିଏ ଓ ସମ୍ପାଦକ ତଥା ମାଲିକମାନଙ୍କ ପାଇଁ ଗୋଟିଏ ଏହିପରି ଦୁଇଟି ଭୋଜିର ବ୍ୟବସ୍ଥା କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କୁ ବହୁ କଠିନ ପ୍ରଶ୍ନ ସବୁ ପଚାରିଥିଲେ ଯେପରିକି –‘ବିବାହ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ନୀଙ୍କୁ କ’ଣ ଉପହାର ଦେଇଥିଲେ’, ‘ମୁଖ୍ୟମନ୍ତ୍ରୀ କୁକଡା ମାଂସ ଖାଇବାକୁ ଭଲ ପାଆନ୍ତି ନା ଛେଳିମାଂସ’ ଓ ସେହିଭଳି କିଛି । ଯେଉଁ ସାମ୍ବାଦିକମାନେ ଏଭଳି ପ୍ରଶ୍ନ କରିଥିଲେ ସେମାନଙ୍କର ଅନୁଭବ ହୋଇଥିଲା ଯେ ରାଜ୍ୟ ବର୍ତ୍ତମାନ ଏକ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ଯେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଏସବୁ କଠିନ ପ୍ରଶ୍ନର ଉତ୍ତର ବାହାର କରାଯିବା ନିହାତି ଆବଶ୍ୟକ ।
ଏଭଳି କଠିନ ପ୍ରଶ୍ନ ପଚାରୁଥିବା ସାମ୍ବାଦିକମାନଙ୍କର ଶକ୍ତିବୃଦ୍ଧି ପାଇଁ ରାଜ୍ୟବାସୀଙ୍କ ପଇସାରେ ଦୁଇ ଦୁଇ ସ୍ଥାନରେ ବହୁତ ଶକ୍ତିିଶାଳୀ ଭୋଜିର ବ୍ୟବସ୍ଥା କରାଯାଇଥିଲା । ହେଲେ ଭୋଜି ସରବା ଦିନଠାରୁ ଏହାକୁ ନେଇ ସାରା ରାଜ୍ୟରେ ହଇଜା ପରି ପାଶ୍ୱର୍ପ୍ରତିକ୍ରିୟା ସୃଷ୍ଟି ହୋଇ ଚାଲିଛି । ଦୁଇଦିନ ଧରି ଭୁବନେଶ୍ୱର, ପୁରୀର ବିଭିନ୍ନ ଖଟିରେ, ତଥା ସାମାଜିକ ଗଣମାଧ୍ୟମରେ କୁହାଯାଉଛି ଯେ ଏହି ସାମ୍ବାଦିକ ସମ୍ମିଳନୀକୁ ପ୍ରକୃତ ସାମ୍ବାଦିକ ଓ ସମ୍ପାଦକମାନଙ୍କୁ ଡକାଯାଇ ନାହିଁ । କାରଣ ମୁଖ୍ୟମନ୍ତ୍ରୀ ନିଜେ ହେଉଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ । ସୂଚନା ଓ ଲୋକସମ୍ପର୍କ ବିଭାଗ ପାଖରେ ସବୁ ସାମ୍ବାଦିକଙ୍କ ତାଲିକା ରହିବା କଥା, ରହିଥିବ । ମୁଖ୍ୟମନ୍ତ୍ରୀ ସେହିମାନଙ୍କୁ ଡାକି ଦେଇଥିଲେ ସେମାନେ ଆସି ଗୀତଗୋବିନ୍ଦ ସଦନ ସହିତ ଜୟଦେବ ଭବନକୁ ମଧ୍ୟ ଭର୍ତ୍ତି କରି ଦେଇଥାଆନ୍ତେ । ତେଣୁ ଏପରି ପାଶ୍ୱର୍ ପ୍ରତିକ୍ରିୟା କିଛି ହୋଇନଥାନ୍ତା । ମୁଖ୍ୟମନ୍ତ୍ରୀ ତା ନକରି ଦୁଇତିନିଜଣ ଦଲାଲଙ୍କ ମାଧ୍ୟମରେ କାଳେ ସାମ୍ବାଦିକ/ସମ୍ପାଦକମାନଙ୍କୁ ଡାକିଲେ । ଯେଉଁମାନେ ନିମନ୍ତ୍ରଣ ପାଇଲେ ନାହିଁ କି ଆସି ପାରିଲେ ନାହିଁ ସେମାନଙ୍କର ହଇଜା ପରି ଅଧିକ ଖାଇବା କାରଣରୁ ନହୋଇ ମୋଟେ ନଖାଇବା କାରଣରୁ ପେଟ ସମସ୍ୟା ସୃଷ୍ଟି ହୋଇ ସାମାଜିକ ଗଣମାଧ୍ୟମରେ ପ୍ରବଳ ଢୁଁ, ଢାଁ ଶବ୍ଦ ସବୁ ସୃଷ୍ଟି ହେଉଛି । କିଛି ବରିଷ୍ଠ କହୁଛନ୍ତି ଯେ ମୁଖ୍ୟମନ୍ତ୍ରୀ ବୁଝିବା ଦରକାର ଥିଲା ଯେ ଯାହା ଖାଦ୍ୟ ବା ଉପହାର ସାମ୍ବାଦିକମାନଙ୍କୁ ଦିଆଗଲା, ତାହା ସେହି ରାଜକୋଷରୁ ଅଣାଯାଇଥିବା ଲୋକଙ୍କ ପଇସାରେ ଦିଆଗଲା । ବ୍ୟକ୍ତିଗତ ଭାବେ କେହି କାହାରି ପକେଟରୁ ଦେଇନାହାନ୍ତି । ତେଣୁ ଆଉ ଯେଉଁ କେତେକ ରହିଗଲେ ସେମାନଙ୍କୁ ଡାକି ଦେଇଥିଲେ କ’ଣ ଅସୁବିଧା ହୋଇଥାନ୍ତା?
ସାମ୍ବାଦିକତା ଚାକିରୀ ବା ଚାମଚାଗିରି ନୁହେଁ । ବେଶୀ ନହୋଇ ପାରନ୍ତି କିଛି ଲୋକ ଆଜି ବି ଏଇ ରାଜ୍ୟରେ ସ୍ୱାଧୀନଭାବରେ ଏହାକୁ ପେଷା ରୂପେ ନେଇ କାର୍ଯ୍ୟ କରୁଛନ୍ତି । ଓଡ଼ିଶାରେ ସାମ୍ବାଦିକମାନଙ୍କୁ ରାଜନୈତିକ ଦଳସହିତ ବନ୍ଧନୀରେ ରଖି ଚିହ୍ନଟ କରିଦେବାଟା ଏକ ରାଜନୈତିକ କାର୍ଯ୍ୟ ହୋଇଯାଇଛି । ଆଉ ଏହି କାର୍ଯ୍ୟରେ ନିଜେ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଯାଉଛନ୍ତି । ଯାହାର ପାଶ୍ୱର୍ପ୍ରତିକ୍ରିୟା ଭୟଙ୍କର ହେଉଛି । ତେଣୁ ସରକାରମାନେ ଏହି ଭୋଜିମାନଙ୍କ ପ୍ରତି ଟିକେ ସତର୍କ ରହିଲେ ରାଜ୍ୟବାସୀଙ୍କ ପାଇଁ ହିତକର ହୁଅନ୍ତା ବୋଲି ଆମେ ଭାବୁଛୁ ।

Comments

0 comments

Share This Article