ଭାରତରେ ରାସାୟନିକ କୃଷି ପାଇଁ କ୍ଷେତ୍ର ପ୍ରସ୍ତୁତି

29 Min Read

ସବୁଜ ବିପ୍ଲବ ଗୁମର କଥା (୧୫ )

ସାମ୍ରାଜ୍ୟବାଦୀ ଆମେରିକା ଭାରତର କୃଷିକ୍ଷେତ୍ର ଦଖଲ ପାଇଁ ଜାଲ ବିଛାଇ ଚାଲିଛି । ଲଙ୍ଗଳକୁତ ଗଣ କବର ଦେଲା । ରକେଫେଲର ଫାଉଣ୍ଡେସନ ଭାରତର କୃଷି ଉତ୍ପାଦନ ବୃଦ୍ଧି ଆଳରେ ଓଟ ବୁଢି ଘରେ କୁଜ ପୁରାଇଲା ଭଳି ଭାରତରେ ତାର କାୟା ବିସ୍ତାର କଲାଣି । ୧୯୫୧ ବେଳକୁ ଫୋଡ ଫାଉଣ୍ଡେସନ ରକେଫେଲର ଫାଉଣ୍ଡେସଙ୍କୁ ମଦତ ଦବାକୁ ପହଞ୍ଚିଗଲା । ପଲ ଜି.ହଫମ୍ୟାନ ୧୯୫୧ କୁ ଫୋର୍ଡ ଫାଉଣ୍ଡେସନର ପ୍ରେସିଡେଣ୍ଟ ଆସନ ପାଇଲେଣି । ତାଙ୍କର ଆମେରିକା ସରକାରଙ୍କୁ ପରାମର୍ଶ ‘’କମ୍ୟୁନିଷ୍ଟ ମାନଙ୍କର ସମ୍ଭାବ୍ୟ ଅଗ୍ରଗତି ରୋକିବାକୁ ହେଲେ ଆମେରିକାର ସମସ୍ତ ଆନୁସାଙ୍ଗିକ ସଂସ୍ଥା ମିଳିତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବା ଜରୁରୀ । ପୃଥିବୀରେ ଶାନ୍ତି ବଜାୟ ରଖିବାକୁ ହେଲେ ଆମେରିକା ପାଇଁ ଭାରତ ର ଗୁରୁତ୍ଵ ଅଧିକ । ୧୯୫୧ ରେ ଫୋର୍ଡ ଫାଉଣ୍ଡେସନର ପ୍ରେସିଡେଣ୍ଟ ଭାରତ ଗସ୍ତରେ ଆସନ୍ତି । ସେତବେଳକୁ ଉତ୍ତର ପ୍ରଦେଶର ଏଟଔ (Etawah) ରେ ପ୍ରଧାନ ମନ୍ତ୍ରୀ ଜବାହାର ଲାଲ ନେହେରୁ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ (Rural Development project) କାର୍ଯ୍ୟ ଆରମ୍ଭ କଲେଣି । ସେହି ବର୍ଷ (୧୯୫୧) ଫୋର୍ଡ ଫାଉଣ୍ଡେସନ ନୂଆ ଦିଲ୍ଲୀରେ ତାର ଅଫିସ (ଦୋକାନ) ଖୋଲେ । Douglas Ensminger , ଆମେରିକା ସ୍କେଟ ଡିପାର୍ଟ ମେଣ୍ଟର ଗ୍ରାମ୍ୟ ସମାଜ ବିଜ୍ଞାନୀ ଅଫିସ ଦାୟିତ୍ଵ ରେ ନମୁଦ ହୁଅନ୍ତି । ଭାରତରେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ (Community Development Program) ନାଁରେ କାର୍ଯ୍ୟକ୍ରମଟିଏ ଆରମ୍ଭ ହୁଏ । ପ୍ରତି ଜିଲ୍ଲାରେ କେତୋଟି ବ୍ଲକ ଅଫିସ ଖୋଲିଗଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ (Block Development Officer)ଏହି ଅଫିସର ମୁଖ୍ୟ ହେଲେ ।

୧୯୫୧- ୧୯୫୨ । ରକଫେଲର ଫାଉଣ୍ଡେସନ ଭାରତର କୃଷି ପରିଚାଳନା ପାଇଁ ଯୋଜନା ଆରମ୍ଭ କରେ । ଜର୍ଜ ହାରାର, ଔରେନ ଉଇଭର ଏବଂ ପଲ. ସି . ମାଂଗେଲସଡଫ କୁ ନେଇ ଗୋଟିଏ ୩ ଜଣିଆ କମିଟି ସାରା ଭାରତ ବୁଲିଲେ । ଭାରତର ବର୍ଦ୍ଧିତ ଜନସଂଖ୍ୟା, କ୍ଷୁଧା, ରାଜନୈତିକ ଅସ୍ଥିରତା ଏବଂ କମ୍ୟୁନିଜିମର ଆଶଙ୍କା କୁ ଦେଖି ‘Notes on Indian Agriculture’ ଟିଏ ପ୍ରସ୍ତୁତ କରନ୍ତି । ସେହି ବର୍ଷ The Indian Agriculture Programme (IAP)ରକଫେଲର ଆରମ୍ଭ କରିଦିଏ । IAP ଭାରତରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ୪ ଟି ପ୍ରସ୍ତାବ ରଖିଲା ।

୧.- ଧାନ ଓ ଗହମର ବିହନ ଗୁଣ ବୃଦ୍ଧି

୨ – ଭାରତରେ ଆମେରିକାର ଲ୍ୟାଣ୍ଡ ଗ୍ରାଣ୍ଡ କଲେଜ ଭଳି କଲେଜ ମାନ ଖୋଲି କୃଷିଶିକ୍ଷା ଦେବା ।

୩ – ଗ୍ରାମବାସୀ ମାନଙ୍କର ଭାଗିଦାରି ପାଇଁ ପ୍ରଚାର ଆଉ ପ୍ରସାର ବ୍ୟବସ୍ଥା

୪ – ଆମେରିକାରୁ କୃଷି ବୈଜ୍ଞାନିକମାନେ ଆସି ଭାରତର କୃଷି ଅଧିକାରୀ ମାନଙ୍କ ସହିତ କାମ କରିବେ ଏବଂ ଭାରତରୁ କୃଷି ବୈଜ୍ଞାନିକ ମାନେ ଆମେରିକା ଯାଇ ଲ୍ୟାଣ୍ଡ ଗ୍ରାଣ୍ଟ କଲେଜରେ ଗବେଷଣା କରିବେ । ଭାରତର କୃଷି ଓ କୃଷି ବିଭାଗ ବର୍ତ୍ତମାନ ରକଫେଲର ଜାଲରେ ପଡିଗଲେ । (Source – Prelude to Green Revolution- 8 )

ରକେଫେଲର ଓ ଫୋର୍ଡ ଫାଉଣ୍ଡେସନ ଆମେରିକାର ଦୁଇଟି ବଡ ବେସରକାରୀ ସଂସ୍ଥା (None Government Organization) ବୋଲି ଦାବି କରନ୍ତି । ବାସ୍ତବରେ ଏହି ଦୁଇଟି ଅନୁଷ୍ଠାନ ଆମେରିକା ସରକାରଙ୍କ ସ୍ଵାର୍ଥ ପାଇଁ କାମ କରିଥାନ୍ତି । ବିଭିନ୍ନ ଗରିବ ଦେଶର ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟକ୍ରମକୁ ଏମାନେ ନିୟତ୍ରଣ କରିଥାନ୍ତି । ଦକ୍ଷିଣ ଆମେରିକା ଓ ଏସିଆ ମହାଦେଶରେ ଏମାନଙ୍କର କାର୍ଯ୍ୟକ୍ରମ ଅଧିକ । ଭାରତରେ କମ୍ୟୁନିଜମର ବିସ୍ତାର ଉପରେ ରୋକ ଲଗାଇବା ଲକ୍ଷ୍ୟରେ କୃଷି କ୍ଷେତ୍ରରେ ତଥା କଥିତ ନୂତନ ଜ୍ଞାନ କୌଶଳ ପ୍ରୟୋଗ ଓ ବହୁଦେଶୀୟ କମ୍ପାନୀ ମାନଙ୍କର ପ୍ରବେଶ ପାଇଁ ଆଗୁଆ କ୍ଷେତ୍ର ପ୍ରସ୍ତୁତ କରିବା କାମରେ ଲାଗିଥାନ୍ତି । ଫୋର୍ଡ ଫାଉଣ୍ଡେସନ ୧୯୪୨ ଠାରୁ ଭାରତ ସରକାରଙ୍କ ସହାୟତାରେ ଗ୍ରୋମୋର ଫୁଡ (Grow more Food ) ଯୋଜନା କାର୍ଯ୍ୟକାରୀ କରିଥିବା ଆମେ ଆଗରୁ କହିଛୁ । ଅର୍ଥକାରୀ ଫସଲକୁ କମାଇ ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ ଅଧିକ ଧ୍ୟାନ ଦେବା ଏହି ଯୋଜନାରେ ଲକ୍ଷ୍ୟଥିଲା । ଫୋର୍ଡ ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମ ଚାଲୁରଖିବା ପାଇଁ ୧.୨ନିୟୁତ ଡଲାର ପାଣ୍ଠି ଯୋଗାଇଥିଲା । ଆମେରିକା ସରକାର ୫୦ ନିୟୁତ ଡଲାର ଓ ଭାରତ ସରକାରଙ୍କ ୮୬ ନିୟୁତ ଡଲାର ପାଣ୍ଠି ବିନିଯୋଗରେ GMF କାର୍ଯ୍ୟକ୍ରମ ଚାଲିଲା । ଏହି ଯୋଜନାର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଯୋଜନା ୧୯୫୨ ରୂପ ନେଇଥିଲା ।

୧୯୫୦ ରେ କଲୋମ୍ବ ପ୍ଳାନ (Colambo Plan ) । ଶ୍ରୀଲଙ୍କା ର କଲୋମ୍ବରେ ୧୯୫୦ ମସିହାରେ ଏସିଆ ମହାଦେଶର ବୈଦେଶିକ ମନ୍ତ୍ରୀ ମାନଙ୍କର ସମ୍ମିଳନୀରେ ବିଦେଶୀ ପାଣ୍ଠି ସାହାଯ୍ୟରେ କମ୍ୟୁନିଷ୍ଟ ମାନଙ୍କର ପ୍ରବେଶକୁ ରୋକିବା ପାଇଁ ଗ୍ରାମାଞ୍ଚଳର ବିକାଶ ଜରୁରୀ କଥାଟି କଲୋମ୍ବପ୍ଳାନର ନିସର୍ଗ ଥିଲା । ୧୯୫୬ ରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଭାରତ ସରକାର ରକେଫେଲର ଫାଉଣ୍ଡେସନ କୁ କୃଷି ଅନୁଷ୍ଠାନ ଗୁଡିକର ଆଧୁନିକରଣ ପାଇଁ ଦାୟିତ୍ଵ ଦିଏ । ପ୍ରଥମେ Indian Agricultural Research Institute ରେ ବିଜ୍ଞାନ ଭିତ୍ତିକ କୃଷି ପ୍ରଚଳନ ପାଇଁ ଅଧିକ ଗବେଷଣା ଆରମ୍ଭ ହୁଏ । ପ୍ରଧାନ ମନ୍ତ୍ରୀ ଜବାହର ଲାଲ ନେହେରୁ ଅଧିକ ଅମଳ କ୍ଷମ ଧାନ ବା ଗହମ ବିହନ ଉଦ୍ଭାବ ପାଇଁ ସତର୍କତା ରହିବା ମସୁଧାରେ ଥାନ୍ତି । କୃଷି ମନ୍ତ୍ରୀ K .M . Munshi ଗ୍ରାମ୍ୟ ଜୀବନର ଉନ୍ନତି ପାଇଁ ଭୂମି ସୁଧାର (Land Transformation) ଉପରେ ଗୁରୁତ୍ଵ ଦିଅନ୍ତି । (Source Prelude To The Green Revolution – 9)। ଏ ଲ୍ୟାଣ୍ଡ ଗ୍ରାଣ୍ଟ କଲେଜ ଟି କ’ଣ ? ଆବ୍ରାହାମ ଲିଙ୍ଗକନ ଆମେରିକାର ରାଷ୍ଟପତି ଥିବା ସମୟ ଉନବିଂଶ ଶତାବ୍ଦୀରେ ଆମେରିକା କଂଗ୍ରେସ ଗୋଟିଏ ଆଇନ ପାରିତ କଲା । ‘Land Grant Act’ । ଆମେରିକାରେତ ଲୋକ ସଂଖ୍ୟା ଅନୁପାତରେ ଜମି ଖୁବ ବେଶି । ଲକ୍ଷ ଲକ୍ଷ ହେକ୍ଟର ଜମି ପଡିଆ ପଡିଥାଏ । ବହୁଦେଶୀୟ କମ୍ପାନୀମାନଙ୍କରତ ରୁମ ମୂଳେ ବୁଦ୍ଧି । ସେମାନେ ଲାଗିଲେ ସରକାରଙ୍କ ଠାରୁ ଜମି ଲିଜନେଇ ରିଏଲ ଇଷ୍ଟେଟ, କଳ କାରଖାନା ପାଇଁ ବିକ୍ରିବଟା କରିବେ । ବହୁ ମୁନାଫା ପାଇବେ । ବ୍ୟବସାୟ କଥା କହିଲେତ ସରକାର ଜମି ଦେଇ ନପାରନ୍ତି । ଗୋଟିଏ ଫଦି କଲେ । କହିଲେ କଲେଜ କରିବୁ । ଜମି ବିକି ଦେଶ ସାରା କଲେଜ ମାନ ଖୋଲିଗଲେ । ସେ କଲେଜରେ କ’ଣ ପାଠ ପଢାଯିବ । କମ୍ପାନୀମାନେ ଟ୍ରାକ୍ଟର ,ବୁଲଡୋଜର ,କମ୍ବାଇଣ୍ଡ ହାର୍ଭେଷ୍ଟର ଭଳି କୃଷି ଯନ୍ତ୍ରପାତି ତିଆରି କଲେଣି । ତଥାକଥିତ ଉନ୍ନତ ବିହନ ଉଦ୍ଭାବନ କଲେଣି । ରାସାୟନିକ ସାର ଓ କୀଟନାଶକ ବିଷ ପ୍ରସ୍ତୁତ କରି ଚାଲିଛନ୍ତି । ଜର୍ସି ,ହୋଲଷ୍ଟିନ ଗାଈ ମାନଙ୍କର କ୍ଷୀର ପରିମାଣ ବୃଦ୍ଧି ପାଇଁ ମନସାଣ୍ଟୋ କମ୍ପାନୀ BGH ହର୍ମୋନ ବାହାର କଲାଣି । ଏ ସବୁର ବେପାର ବଢିଲେ ସିନା କମ୍ପାନୀମାନଙ୍କ ଥଳି ପୁରିବ ! ଏସିଆ ମହାଦେଶର ବିରାଟ କୃଷିକ୍ଷେତ୍ରରେ ରାସାୟନିକ କୃଷିର ବ୍ୟାପକ ପ୍ରୟୋଗ ହୋଇପାରିଲେ କମ୍ପାନୀ ମାନେ ମାଲାମାଲ ହେବେ । ଲ୍ୟାଣ୍ଟ ଗ୍ରାଣ୍ଟ କଲେଜରେ କୃଷି ,ଗୋପାଳନ , ମତ୍ସ୍ୟଚାଷ, ଜଙ୍ଗଲ ବିଦ୍ୟା ଭଳି କୃଷି ଭିତ୍ତିକ ଶିକ୍ଷା ପାଇଁ course ପ୍ରସ୍ତୁତ କରାଗଲା । ବହୁ ବୈଜ୍ଞାନିକ, ୟୁନିଭର୍ସିଟି ପ୍ରଫେସର ମାନଙ୍କୁ କମ୍ପାନୀ ନିୟୋଜନ କରି ନୂଆ courses of studies ପ୍ରସ୍ତୁତ କରାଇଲା ।

କିଏ ପଢିବେ ? ଆମେରିକାରେ ଏହି କଲେଜକୁ cow college ଆଖ୍ୟା ଦିଆଯାଉଥାଏ । ସେଠିକାର ଛାତ୍ରମାନେ ଲ୍ୟାଣ୍ଡଗ୍ରାଣ୍ଟ କଲେଜକୁ ମୁହଁ ମୋଡି ଦିଅନ୍ତି । ଭାରତ ଓ ଅନ୍ୟାନ୍ୟ ଏସୀୟ ରାଷ୍ଟରୁ ଛାତ୍ରମାନଙ୍କୁ ଆଣି ନୂଆ କୃଷି ପଦ୍ଧତି ପଢାଇଲେ । ପ୍ରତି ଛାତ୍ର ପିଛା ଖୁବ ପଇସା ଖର୍ଚ୍ଚ କରନ୍ତି । ସେମାନେ କମ୍ପାନୀ ପଇସାରେ ଆମେରିକା ଯିବା ଆସିବା କରିବେ । ମାଗଣା ଖିଆ ପିଆ ଜ୍ଵାଇଁ ଭୋଜନ ,ସିନେମା ଥିଏଟର ଦେଖା ,ଯେତେ ପ୍ରକାର ବିଳାସ ଥାଇପାରେ ମାଗଣା ଯୋଗାଇ ଦିଆଗଲା । ଶୁଆକୁ ‘ରାମ ନାମ’ ଘୋଷାଇଲା ଭଳି ଭାରତୀୟ ଛାତ୍ରମାନେ ଦିନରାତି ଘୋଷିଲେ , ଅଧିକ ଉତ୍ପାଦନ ପାଇଁ କ’ଣ ଦରକାର – କୃଷି କ୍ଷେତ୍ରରେ ଯାନ୍ତ୍ରିକରଣ,କମ୍ପାନୀ ବିହନ ଶ୍ରେଷ୍ଠ ବିହନ,ଖତ ନୁହେଁ ରାସାୟନିକ ସାର (NPK) ଖାଦ୍ୟ ଉତ୍ପାଦନର ଚାବିକାଠି ,ରୋଗ ପୋକ ନିୟତ୍ରଣ ପାଇଁ ଏକମାତ୍ର ପ୍ରତିକାର ରାସାୟନିକ କୀଟନାଶକ ପ୍ରୟୋଗ । ଆମେରିକାକୁ ଯେଉଁ ଛତ୍ର ମାନେ ଗଲେ ସେମାନେତ ଶୁଆ ରାମ ନାମ ଘୋଷିଲା ଭଳି ‘ଅଧିକ ଉତ୍ପାଦନର ଚାବିକାଠି ଟ୍ରାକ୍ଟର , ସାର, କୀଟନାଶକ ଓ କମ୍ପାନୀ ବିହନ’ ଘୋଷି ପାଣି କରିଦେଲେ । ଲ୍ୟାଣ୍ଡଗ୍ରାଣ୍ଟ ପ୍ରଫେସର ମାନେ ମଧ୍ୟ ଭାରତ ଆସି କୃଷି ବିଶ୍ୱବିଦ୍ୟାଳୟ ଛାତ୍ର ମାନଙ୍କୁ ସେଇ ଶ୍ଳୋକ ଘୋଷାଇଲେ , ‘କୃଷିରେ ଯାନ୍ତ୍ରିକରଣ , କମ୍ପାନୀବିହନ , ସାର ଓ କୀଟନାଶକ’। ସଂସ୍କୃତ ପଣ୍ଡିତ ମାନେ ଟିକେକେ ଶ୍ଳୋକ ବୋଲିଲା ଭଳି ଆଜି ମଧ୍ୟ ଭାରତର କୃଷି ବୈଜ୍ଞାନିକ ମାନେ କୁହନ୍ତି ‘’ସାର ନଦେଲେ ଫଳ ନାହିଁ ।‘’ ଷାଠିଏ ଦଶକରେ ଓଡିଶା କୃଷି ବିଶ୍ୱବିଦ୍ୟାଳୟ (OUAT) କୁ ଶହ ଶହ ଆମେରିକା କୃଷି ପଣ୍ଡିତ ଆସି ୫ /୧୦ ବର୍ଷ କୃଷି ଛାତ୍ର ଅଧ୍ୟାପକ ମାନଙ୍କୁ ‘ଟ୍ରାକ୍ଟର , ବିହନ , ସାର , କୀଟନାଶକ’ ମନ୍ତ୍ର ଘୋଷାଇଲେ । ସବୁଜବିପ୍ଲବ ପାଇଁ କ୍ଷେତ୍ର ପ୍ରସ୍ତୁତ ଜୋରଦାର ଚାଲିଲା । ଆଜିଦିନରେ ଆମେରିକାର ଲ୍ୟାଣ୍ଡଗ୍ରାଣ୍ଟ କଲେଜ ମାନଙ୍କୁ ନେଇ ଲ୍ୟାଣ୍ଡ ଗ୍ରାଣ୍ଟ ୟୁନିଭର୍ସିଟି ମାନ ମୁଣ୍ଡ ଟେକିଲେଣି । ମାତ୍ର ହାଭାର୍ଡ,ଷ୍ଟାନଫୋର୍ଡ ୟୁନିଭର୍ସିଟି ଲ୍ୟାଣ୍ଡ ଗ୍ରାଣ୍ଟ ୟୁନିଭର୍ସିଟିକୁ ପାସଙ୍ଗରେ ପକାନ୍ତି ନାହିଁ ।

ଆଜି ପୃଥିବୀ ସାରା ସବୁଜ ବିପ୍ଳବର ଧ୍ଵଂସକାରି କାର୍ଯ୍ୟ ପ୍ରମାଣିତ ହେଲାଣି । ବହୁଦେଶ ଦେଶୀ ଚାଷକୁ ଫେରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କଲେଣି । କିନ୍ତୁ କୃଷି ବିଶ୍ୱବିଦ୍ୟାଳୟ ମାନଙ୍କରେ ସେଇ କମ୍ପାନୀ ପାଠ । ବହୁ କୃଷି ବୈଜ୍ଞାନିକ ପ୍ରାକୃତିକ କୃଷିକୁ ତାଚ୍ଛଲ୍ୟ କରୁଛନ୍ତି । ‘ବର୍ଦ୍ଧିତ ଜନସଂଖ୍ୟା ପାଇଁ ଖାଦ୍ୟ ସଙ୍କଟ ଦେଖାଦେବ । ଦେଶର ଦୁର୍ଭିକ୍ଷ , ମହାମାରୀ ବ୍ୟାପିଯିବ ’। ଯାହା ଶିଖାଇଛି ଜଟା ଧାରୀରେ ବରାଙ୍ଗୀ ! ସେମାନଙ୍କ ପାଖରେ ଗତ ୪୫ ବର୍ଷ ଧରି କ୍ୟୁବାର ଜୈବିକ କୃଷି ଖବର ନାହିଁ । ଚଷମା ରଙ୍ଗହୀନ ହୋଇଥିଲେ ବସ୍ତୁର ପ୍ରକୃତ ରଙ୍ଗ ଜାଣି ହେବ । ରଙ୍ଗିନ ଚଷମା ପିନ୍ଧିଛତ ସବୁ ଜିନିଷ ଚଷମା ରଙ୍ଗ ଦେଖାଯିବ । ଆମ କୃଷି ବୈଜ୍ଞାନିକ, ଅର୍ଥନୀତି ବିଶାରଦ ଓ ସରକାର ଗୁଡାକ ସବୁଜ ବିପ୍ଲବର ରଙ୍ଗୀନ ଚଷମା ବଦଳାଇବା ଜରୁରୀ ।

ଉଣେଇଶ ଷାଠିଏ ଦଶକରେ ଭାରତରେ ସବୁଜ ବିପ୍ଲବର ଶୁଭ ମହୁରତ । ସେତବେଳେ ଗାଁ ଗଣ୍ଡାରେ ଯାତ୍ରାପାର୍ଟି ମାନେ ମନୋରଞ୍ଜନ କରୁଥିଲେ । ଯାତ୍ରାରେ ପ୍ରଥମେ ନଟ ନଟି ବାହାରିବେ । ତାପରେ ଗୋଟେ ଫାର୍ସ , ଗୋଟେ ନାଚ, ନାଚ ପରେ ରଜା ବାହାରିବେ । ସୁଆଙ୍ଗ ଜମିବ । ଆମେ ଏ ପଯ୍ୟନ୍ତ ସବୁଜ ବିପ୍ଲବ ତାମସାର ନଟ ନଟିଙ୍କ ପାଖେ ଅଛେ । କଂସ ଦରବାରକୁ ବାହାରିବତ ମେଦିନୀ ଦୁଲିକିବ । ଦଳ ଦଳ ହୋଇ କେତେ ଦଳ ନାଚ, ଗୀତ, ଫଡି ଖେଳ କରି କଂସକୁ ଦରବାରକୁ ପାଛୋଟି ଆଣିବେ । ଆମ ‘ସବୁଜ ବିପ୍ଳବ ରାକ୍ଷସ’ କଂସ ସମାସ୍କନ୍ଦ କ’ଣ କଂସ ଠାରୁ ଅଧିକ ଶକ୍ତିଶାଳୀ, ମାରାତ୍ମକ ଅଶରୀର ଜୀବଟିଏ । ଯାତ ଦେଖି ଆସିଛନ୍ତିତ । ପାନ ଖଣ୍ଡେ ଖଣ୍ଡେ ଖାଉଥିବ, ବିଡି ଟାଣୁଥିବା । ହସ ଖୁସି ହାଉଥବା ବେଳ ହେଲେ ନାଟ ଆଗକୁ ଯିବ ।

୧୯୪୭ ରେ ଭାରତ ସ୍ଵାଧୀନତା ପାଏ । ଭାରତ ପାକିସ୍ଥାନ ଏପରି ଦୁଇଟି ଦେଶ ସ୍ଵାଧୀନ ହୁଅନ୍ତି । ଦେଶ ବିଭାଜନ ଯୋଗୁଁ ପଞ୍ଜାବର ବହୁତ କେନାଲ ଜଳସେଚିତ ଜମି ପାକିସ୍ଥାନକୁ ଗଲା । ତେଣୁ ଭାରତର ଗହମ ଉତ୍ପାଦନକାରୀ ଅଞ୍ଚଳ ଆମକୁ ହରାଇବାକୁ ପଡିଲା । ଆମକୁ ପାକିସ୍ଥାନରୁ ଅତ୍ୟଧିକ ପରିମାଣ ଗହମ ଆମଦାନୀ କରିବାକୁ ପଡେ । ବାଣିଜ୍ୟ କାରବାର ପାଇଁ ଅର୍ଥର ନିଅଣ୍ଟ ପଡେ । ଏଥି ମଧ୍ୟରେ କାଶ୍ମୀର ଯୁଦ୍ଧ । ଅର୍ଥର ଅବମୂଲ୍ୟାୟନ । ଖାଦ୍ୟ ଯୋଗାଣ ବଧାପାପ୍ତ ହୁଏ । ପାକିସ୍ଥାନରୁ ଗହମ ଆମଦାନୀ ଅପମାନ ଜନକ ମନେହୁଏ । ବୈଦେଶିକ ମୁଦ୍ରା ଉପରେ ଚାପ ପଡେ । ପରିସ୍ଥିତି ଭାରତକୁ ନିଜ ଦେଶରେ ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଁ ବାଧ୍ୟକରେ । ୧୯୫୧ ମସିହା । ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (IARI)ର ସେକ୍ରେଟାରୀ ଏନ.ସି . ମେହେଟା ର ଚେତାବନୀ , ‘ The state will have to take charge of individual farmer and raise the standard economic health by persuading him if possible and compelling him where necessary to adapt to new methods of agriculture,’ (N.C.mehta,Secretary, IARI – 1951 ) . କଳେ ବଳେ ଧୀର ସୁସ୍ଥେ ଭାରତୀୟ କୃଷକକୁ ରାସାଯନିକ କୃଷି ଧରେଇବାକୁ ଆମେରିକାର ଚକ୍ରାନ୍ତ ।

୧୯୫୧ କୁ ଆମେରିକାରେ ଗହମର ବଳକା ଉତ୍ପାଦନ । ଅଭାବି ବିକ୍ରିରୁ ଚାଷିକୁ ସୁରକ୍ଷା ଦେବାପାଇଁ ସରକାର ଗହମର ସହାୟକ ମୂଲ୍ୟ ବୃଦ୍ଧି କରୁଛନ୍ତି । ଆମେରିକା ବର୍ତ୍ତମାନ ପଯ୍ୟାପ୍ତ ପରିମାଣ ଗହମ ଓ ଅନ୍ୟାନ୍ୟ କୃଷି ଉତ୍ପାଦର ଅଧିକାରି । ଏଣେ ଭାରତରେ ଖାଦ୍ୟାଭାବ । ଭାରତକୁ ଆମେରିକା କବଜାରେ ରଖିବା ପାଇଁ ଏଠାରୁ ଖାଦ୍ୟ ରପ୍ତାନି ସହାୟକ ହେବ । ହର୍ବଟ ହଂପଫ୍ରେ ୧୯୫୪ ରେ ଆମେରିକାର ସିନେଟର ଏବଂ ପବ୍ଲିକ (PL)-୪୮୦ ର ମୁଖ୍ୟ ପ୍ରବକ୍ତା । ଆମେରିକା ସରକାରକୁ ତାଙ୍କର ପରାମର୍ଶ , ‘I have heard that people may become dependent on us for food .I know that was not supposed to be good news. To me that was good news ,because before people can do anything they have got to eat. And if you are looking for a way to get people to lean on you and be dependent on you in terms of their co-opration with you ,it seems to me that food dependence would be terrific ‘ (Herbert Humphery, us …………chief proponent of public Law (PL) – 480 in 1954.

୧୯୫୪ ରେ ଆମେରିକାର ରାଷ୍ଟ୍ରପତି ଆଇଜେନ ହଔର PL -୪୮୦ ମଞ୍ଜୁରୀ ଦିଅନ୍ତି । କୃଷି ବାଣିଜ୍ୟ ଅଭିବୃଦ୍ଧି ଲକ୍ଷ୍ୟ ରେ ବଜାରକୁ ବଳକା ଶସ୍ୟ ସାହାଯ୍ୟ ଆକାରରେ ରପ୍ତାନି ହେଲା । ଆମେରିକା ପୃଥିବୀରେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଏହି କାର୍ଯ୍ୟକ୍ରମ କୁ ‘ଶାନ୍ତି ପାଇଁ ଖାଦ୍ୟ’ ବୈଦେଶିକ ନୀତି ଭାବେ ଗ୍ରହଣ କରାଗଲା । ଏଣେ ଭାରତରେ ୧୯୪୭ ର Food Grains Committee ବାର୍ଷିକ ୧୦ ନିୟୁତ ଟନ ଖାଦ୍ୟ ଉତ୍ପାଦନ ପାଇଁ ଯୋଜନା କରି ୫ ବର୍ଷ ମଧ୍ୟରେ ଖାଦ୍ୟ ଆମଦାନୀ କମାଇବା ପାଇଁ ସ୍ଥିର କରିଛି । ବର୍ଷକୁ ୧ ନିୟୁତ ଟନ ଖାଦ୍ୟ ବଳକା ମହଜୁଦର ରଖିବା ଏହି ଯୋଜନାର ଅଂଶ ବିଶେଷ । ବଙ୍ଗଳା ଦୁର୍ଭିକ୍ଷ ୧୯୪୩ ସମୟରେ ରେସନ କାର୍ଡ ମାଧ୍ୟମରେ ଖାଉଟିଙ୍କୁ ଜଣପ୍ରତି ଅନ୍ତତଃ ଦିନକୁ ୧ ପାଉଣ୍ଡ (୪୫୩ ଗ୍ରାମ )ଯୋଗାଣ ନିଶ୍ଚିତ କରିବା ପାଇଁ ନିୟମ କରାଯାଇଥିଲା । ଏହି ନିୟମକୁ ଆଗକୁ ବଢାଇ ଲାଇସେନସଡ ଡିଲର ମାନଙ୍କ ଜରିଆରେ ନିର୍ଦ୍ଧିଷ୍ଟ ମୂଲ୍ୟରେ ଖାଉଟିକୁ ଖାଦ୍ୟ ଯୋଗାଣ ପାଇଁ କେନ୍ଦ୍ର ସରକାର ଖାଦ୍ୟ ସଂଗ୍ରହ ଉପରେ ଅଧିକ ଧ୍ୟାନ ଦେଲେ ।

୧୯୪୭ -୧୯୫୧ ମଧ୍ୟରେ ଭାରତରେ ଖାଦ୍ୟ ଉତ୍ପାଦନ ବାର୍ଷିକ ୩ ନିୟୁତ ଟନ ବଢୁଥାଏ । ମାତ୍ର ଜନସଂଖ୍ୟା ବୃଦ୍ଧି ଯୋଗୁଁ ଖାଦ୍ୟ ଆମଦାନୀ ସେହି ସମୟରେ ବଢି ୧୯୫୧ କୁ ୪.୮ ନିୟୁତ ଟନରେ ପହଞ୍ଚି ଯାଇଥାଏ । ଭାରତ ସରକାର ଆମେରିକା ସହିତ ଆଲୋଚନା କରି ଭାରତରୁ ମୂଲ୍ୟବାନ ଖଣିଜ ପଦାର୍ଥ ଆମେରିକାକୁ ରପ୍ତାନି ସର୍ତ୍ତରେ ଅଳ୍ପ ମୂଲ୍ୟରେ ବା ବଦଳରେ (Barter) ଗହମ ଆମଦାନୀ କରିବାକୁ ରାଜି ହୁଏ ।

୧୯୪୯ ବେଳକୁ ରୁଷିଆ ପରମାଣୁ ବୋମା ପରୀକ୍ଷା କଲାଣି । ଚୀନରେ କମ୍ୟୁନିଷ୍ଟ ବିପ୍ଲବ । କମ୍ୟୁନିଜିମ ଭାରତ ଆଡକୁ ବିସ୍ତାର କରିବାର ଭୟ ଆମେରିକା ପାଇଁ ଚିନ୍ତାର କାରଣ ହେଲାଣି । ଭାରତକୁ ଗହମ ଯୋଗାଇବା ପାଇଁ ଆମେରିକା ବ୍ୟାକୁଳ ହେଲାଣି । ଏଣେ ଭାରତ କାରଖାନା ଶ୍ରମିକ ଓ ସହର ବାସିନ୍ଦାଙ୍କ ଖାଦ୍ୟ ଯୋଗାଣ ଅବ୍ୟାହାତ ରଖିବା ପାଇଁ ଆମେରିକା ଠାରୁ ଗହମ ଆମଦାନୀ ଚାଲୁ ରଖିବାକୁ ବାଧ୍ୟ ହେଉଛି । ଭାରତ ଆମେରିକାକୁ ଭାରତ ମାଙ୍ଗାନିଜ ପଠାଇବ ଏବଂ ବଦଳରେ ଆମେରିକା ଗହମ ଶସ୍ତାରେ ଯୋଗାଇବ ବୁଝାବଣା ହୋଇଗଲା । ୧୯୪୯ ରେ ଭାରତ ଆମେରିକା ,କାନାଡା ଓ ଅଷ୍ଟ୍ରେଲିଆରୁ ୨ ନିୟୁତ ଟନ ଗହମ ଆମଦାନୀ କରିଥିଲା । ଗହମ – କମ୍ୟୁନିଜମ ,କମ୍ୟୁନିଜିମ –ଗହମ ଆମେରିକାକୁ ବ୍ୟତିବସ୍ତ କରିପକାଇଲା । ନୂଆ ଦିଲ୍ଲୀ ଆମେରିକା ଦୂତାବାସରେ ଅବସ୍ଥାପିତ କୃଷି ପରାମର୍ଶ ଦାତା`ସି.ସି.ଟେଲର ଆମେରିକାକୁ ପ୍ରସ୍ତାବ ଦିଅନ୍ତି , ‘Food is a defensive weapon against Communism, whichthe Govt.of India can use effectively to our mutual advantage’ c.c. Taylor- 1947, Agricultural Attache, us Embassy ,New Delhi.

କମ୍ୟୁନିଜିମ ଆମେରିକା ପାଇଁ ଭୂମିକମ୍ପ ,ସୁନାମୀ ବା ଆଗ୍ନେୟଗିରି ଠାରୁ ଆହୁରି ଭୟଙ୍କର । ଉପମହାଦେଶ ଭାରତକୁ କମ୍ୟୁନିଜିମ ଗ୍ରାମ କଲାତ ଆମେରିକାର ହୃଦଘାତ ହେବ । ଭାରତରେ କ୍ଷୁଧା ନିୟନ୍ତ୍ରଣ ପାଇଁ ଖାଦ୍ୟ ସାହାଯ୍ୟ ତ୍ଵରାନ୍ୱିତ କଲେ କମ୍ୟୁନିଜିମ କୁ ରୋକାଯାଇପାରିବ । ପରିସ୍ଥିତି ଆମେରିକାକୁ ବାଧ୍ୟ କଲା ଭାରତକୁ ଖାଦ୍ୟ ରପ୍ତାନି କରିବାକୁ । ଆମେରିକାର ଏହି ସାହାଯ୍ୟ ଆନ୍ତରିକତା ପାଇଁ ନୁହେଁ । ନିଜର ସ୍ଵାର୍ଥ ପାଇଁ ବାଧ୍ୟବାଧକତା !

୧୯୫୦ । ଦକ୍ଷିଣ ଭାରତ ଓ ବିହାରରେ ଭୟଙ୍କର ମରୁଡି । ଦୁର୍ଭିକ୍ଷ ଆଶଙ୍କା । ଖାଦ୍ୟ ଓ କୃଷି ମନ୍ତ୍ରଳାୟ ଗୋଟିଏ ବିଭାଗ ଭଳି କାମ କରନ୍ତି । କେ .ଏମ . ମୁନିସ ଭାରତର କୃଷି ମନ୍ତ୍ରୀ । ଭାରତର କୃଷି ସଚିବ ଆମେରିକା ଠାରୁ କୃଷି ସମ୍ପର୍କିତ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ଆମେରିକା ନିୟମିତ ଭାରତର ଅର୍ଥମନ୍ତ୍ରୀ ଓ କୃଷିମନ୍ତ୍ରୀ ନିଯୁକ୍ତିରେ ହସ୍ତକ୍ଷେପ କରିଥାନ୍ତି । ଆମେରିକା ପରାମର୍ଶରେ କୃଷି ସଚିବଙ୍କୁ ହଟାଇ ନୂଆ କୃଷି ସଚିବ ନିଯୁକ୍ତି ପାଆନ୍ତି । ଭାରତର ଶାସନ ବ୍ୟବସ୍ଥାରେ ଆମେରିକାର ହସ୍ତକ୍ଷେପ ୧୯୫୦ ରେ ଥିଲା । ଆଜି ୨୦୨୫ ରେ ମଧ୍ୟ ବଳବତ୍ତର ଅଛି । ସେଣିକି ଗଲେ ରାତି ପାହିଯିବ । ଆମେ ଲକ୍ଷଚ୍ୟୁତ ହୋଇଯିବା । ‘ସବୁଜ ବିପ୍ଲବ’ ର ଗୁମର ଫିଟାଇବା ପାଇଁ ଯେତିକି ଦରକାର ସେତିକିରେ ରହିବା । ୧୯୫୧ । ଡିନ ଆକ୍ସନ (Dean Acheson) ଆମେରିକାର ବୈଦେଶିକ ମନ୍ତ୍ରୀ । ମରୁଡି ଜନିତ ଖାଦ୍ୟାଭାବକୁ ମୁକାବିଲା କରିବା ଏବଂ ଗହମ ,ଚାଉଳର ମୂଲ୍ୟ ନିୟନ୍ତ୍ରଣ ରଖିବା ପାଇଁ ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହେରୁ ଆମେରିକା ବୈଦେଶିକ ମନ୍ତ୍ରୀଙ୍କୁ ଅଧିକ ୨ ନିୟୁତ ଆମେରିକୀୟ ଗହମ ଯୋଗାଇବା ପାଇଁ ୧୯୫୧ ରେ ଅନୁରୋଧ କଲେ । ମଧ୍ୟଭାରତ (Central India ) ରେ ଅଧିକ ଖାଦ୍ୟ ଉତ୍ପାଦନ ପାଇଁ ୫ନିୟୁତ ଏକର ଜମି ପ୍ରସ୍ତୁତ କରାଗଲା । ଏହି ଜମିରୁ ୧.୭ ନିୟୁତ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହେଲା ।

ଆଗରୁ PL – ୪୮୦ ଗହମ ମାଙ୍ଗାନିଜ ବଦଳରେ ଆମେରିକା ଭାରତକୁ ଦେଉଥିଲା । ୧୯୫୪ ଠାରୁ ଭାରତ ଗହମର ମୂଲ୍ୟ ଟଙ୍କାରେ ଭରଣା କଲା । ଆମେରିକା ଏହି ଟଙ୍କା ଦେଶକୁ ନନେଇ ନୂଆ ଦିଲ୍ଲୀରେ ଥିବା ଆମେରିକା ଦୂତାବାସରେ ଜମା ରଖିଲା । ୧୯୭୦ କୁ ଏହି ୧୬ ବର୍ଷ ବ୍ୟବଧାନ ମଧ୍ୟରେ ଆମେରିକା ଦୂତାବାସରେ ଯେତିକି ଟଙ୍କା ଜମା ହୋଇଥିଲା ଭାରତର ଆର୍ଥିକ କାରବାର ଏକ ତୃତୀୟାଂଶ ଆମେରିକା ନିୟନ୍ତ୍ରଣକୁ ଆସିଯାଇଥିଲା । ଧନ ବଦଳରେ ଆମେରିକା ଆମଦେଶ ଅର୍ଥନୀତି ଓ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଗଲା । ଏଣେ ଆମେରିକାରୁ ଶସ୍ତା ଗହମ ଭାରତ ବଜାରକୁ ଆସିବା ଦ୍ଵାରା ଭାରତୀୟ କୃଷକ ପ୍ରତିଯୋଗୀତା କରିପାରିଲେ ନାହିଁ । ଫଳରେ ଭାରତରେ ଖାଦ୍ୟ ଶସ୍ୟ ଉତ୍ପାଦନ ପ୍ରଥମେ ସ୍ଥିର ରହିଲା ଏବଂ ପରବର୍ତ୍ତୀ ସମୟରେ କମିଗଲା ।

୧୯୪୬ -୧୯୪୭ କୁ ବିଲାତ ଭାରତ ଛାଡିବାକୁ ପ୍ରସ୍ତୁତ ହଉଛି । ସେ ବର୍ଷ ଦକ୍ଷିଣ –ପୂର୍ବ ଭାରତରେ ଭୟଙ୍କର ବାତ୍ୟା ,ବମ୍ବେ ଓ ଦାକ୍ଷିଣାତ୍ୟରେ ମରୁଡି ,ପଞ୍ଜାବରେ ବୃଷ୍ଟି କମ ଯୋଗୁଁ ଗହମ ଉତ୍ପାଦନ କମ ଥିଲା । ବ୍ୟବସାୟୀ ଗୋଷ୍ଠୀ ମିଛ କହି ବ୍ୟବସାୟ କରୁଥିବା ଆଜିମଧ୍ୟ ଚାଲିଛି । ମାନ୍ଦ୍ରାଜର ମିଲ ମାଲିକମାନେ ଗୋଟିଏ ମିଛ କଥା ପ୍ରଚାର କଲେ’’ବର୍ମାରୁ ଚାଉଳ ଜାହାଜରେ ଭାରତ ଆସୁଛି । ଚାଷୀମାନେ ଶୀଘ୍ର ଗଛିତ ଚାଉଳ ବିକି ନଦେଲେ ବର୍ମା ଚାଉଳ ଆସିଗଲେ ଆମ ଚାଉଳ ମୂଲ୍ୟ ଖସିଯିବ ‘’। ଚାଷୀ ମାନେ ବଜାରକୁ ଚାଉଳ ଛାଡିଦେଲେ । ମିଲ ମାଲିକ ମାନେ ମିଛ ପ୍ରଚାର କରୁଥିଲେତ । ବର୍ମା ରୁ ଚାଉଳ ଆସିଲା ନାହିଁ । ଦେଶରେ ଉତ୍କଟ ଖାଦ୍ୟାଭାବ । କାଞ୍ଚିପୁରମରେ ଖାଦ୍ୟ ପାଇଁ ଭୟଙ୍କର ଗଣ୍ଡଗୋଳ । ବମ୍ବେରେ ରେଳ କର୍ମଚାରୀ ଖାଦ୍ୟ ପାଇଁ ଧର୍ମଘଟ କରିଥାନ୍ତି । ସାଧାରଣ ଖାଉଟିଙ୍କ ଖାଦ୍ୟ ରେଳ କର୍ମଚାରୀଙ୍କୁ ଦେଇ ଦିଆଗଲା । ବମ୍ବେରେ ସାଧାରଣ ଲୋକଙ୍କ ରେସନ ଖାଦ୍ୟ ଅନ୍ୟ ଆଡେ ବଣ୍ଟାଯିବାରୁ ଖାଉଟିମାନେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥାନ୍ତି । ଲକ୍ଷ୍ନୌରେ ୫୦,୦୦୦ ଆନ୍ଦୋଳନକାରି ଦଳ ମତ ନିର୍ବିଶେଷରେ ଛିଣ୍ଡାଲୁଗା ପିନ୍ଧି , ଟୁକୁରା ରୁଟି ଧରି ରାସ୍ତାରେ ଦୌଡିଲେ । ଉପନିବେଶକୁ ବିଲାତ ସରକାରର ଖାଦ୍ୟ ଓ ବସ୍ତ୍ର ଯୋଗାଣ କମିଯିବା ଦ୍ଵାରା ଲୋକମାନେ ଉତକ୍ଷିପ୍ତ ହୁଅନ୍ତି । ଏ ହଲ୍ଲାବାଦରେ ‘’ରୋଟିକେ ଲିଏ ଏକ ହୋ ‘ସ୍ଲୋଗାନ ଦେଇ କ୍ଷୁଧାର୍ଥ ମାନେ ସରକାରୀ ଅଫିସ ଘେରାଉ କରନ୍ତି । ଦେଶରେ ଖାଦ୍ୟ ପାଇଁ ଦୟନୀୟ ସ୍ଥିତି । ପଞ୍ଜାବରୁ ୪୦୦ ବସ୍ତା ଗହମ ବିଲାତକୁ ରପ୍ତାନି ପାଇଁ ବ୍ୟବସ୍ଥା ହେଉଥିବା ଖବରଟି ଭୋକିଲା ମାନେ ଜାଣିଗଲେ । ପଞ୍ଜାବରେ ୩୦୦୦ ଲୋକ ବିଦ୍ରୋହ କଲେ । କଲିକତାରେ ରାସ୍ତାଘାଟରେ ଭୋକ ଉପାସ ଜନିତ ୨୦୦ ଚାଷୀଙ୍କର ମୃତ୍ୟୁ ଖବର କ୍ଷିପ୍ତ ବେଗରେ ପ୍ରସାରିତ ହୋଇଗଲା । ପୁଣି ଦୁର୍ଭିକ୍ଷ ଫେରିଲା ଜନରବ । ଲୋକେ ଭୀତ ତ୍ରସ୍ତ । ୧୯୪୬ ‘ବଙ୍ଗଳାର କାଳ ‘ ରେ ହରିବଂଶ ରାଏ ବଚନ ଲେଖିଲେ ,’ Hunger is a fieree Durga,with innumerable limbs and faces and a boundless appetite .When hunger roams the earth ; The Earth shakes and staggers . She chews up injustice and eats the unjust , And in an instant , consumes their intolerable rule ‘’.

ମହାତ୍ମା ଗାନ୍ଧୀ କୁହନ୍ତି , ‘ବିଲାତ ଶାସନ ତାଙ୍କର ଶୋଷଣ ପ୍ରକ୍ରିୟା ଦ୍ଵାରା ଭାରତର କୋଟି କୋଟି ଲୋକଙ୍କୁ ଗରିବ କରିଦେଇଛି । ଯୁଦ୍ଧ ଓ ଶାସନ ପ୍ରକିୟାରେ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରି ଦେଶକୁ କାଙ୍ଗାଳ କରି ଦେଇଛି । ଆମର ରାଜନୈତିକ ଅଧିକାର ଲୁଣ୍ଠନ କରିଛି । ଭାରତର ସାଂସ୍କୃତିକ ଗାରିମାକୁ ଦୋହଲାଇ ଦେଇଛି । ଦେଶରେ ଖାଦ୍ୟ ସଙ୍କଟ ବିଲାତର ସ୍ଵାର୍ଥପରତା ଯୋଗୁଁ । ‘ରାଜେନ୍ଦ୍ର ପ୍ରସାଦ ସେତବେଳେ ଭାରତ ଖାଦ୍ୟ ମନ୍ତ୍ରୀ । ଭାରତୀୟ ପ୍ରତିନିଧିମାନେ ପୃଥିବୀର ଏକୋଣରୁ ସେ କଣ ପାରସ୍ୟ ଠାରୁ ପେରୁ ପର୍ଯ୍ୟନ୍ତ ହାତରେ ଭିକ୍ଷାସ୍ଥଳି ଧରି ଖାଦ୍ୟ ମାଗିବା ପାଇଁ ବୁଲୁଛନ୍ତି । ଏଭଳି ଚିତ୍ର ଅତ୍ୟନ୍ତ ଦୁଃଖ ଦାୟକ । ଭାରତୀୟ କୃଷକ ସୁଯୋଗ ପାଇଲେ ଦେଶକୁ ଅନାୟସରେ ଖାଦ୍ୟ ସମ୍ପନ୍ନ କରିବାର କ୍ଷମତା ଅଛି । ନେତୃତ୍ଵ ର ଅଭାବ । ପରାଧୀନତାର ଫଳ । ୧୯୪୭ । ଭାରତ ସ୍ଵାଧୀନ ହେଲାଣି । ଭାରତୀୟ ବିଜ୍ଞାନ କଂଗ୍ରେସରେ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ଖାଦ୍ୟ ପରିସ୍ଥିତିରେ ବିଚଳିତ ହୋଇ କୁହନ୍ତି ,’ ଜଣେ ଭୋକିଲା ପୁରୁଷ ବା ସ୍ତ୍ରୀ ପାଖରେ ‘ସତ୍ୟ’ର କୌଣସି ଅର୍ଥନାହିଁ । ସେ ଖାଦ୍ୟ ଚାହେଁ । ଭାରତର କୃଷି ଗବେଷକ ମାନେ ସେମାନଙ୍କର ବୃଦ୍ଧି ବିଦ୍ୟା ଲଗାଇ ଦେଶର ଖାଦ୍ୟ ସମସ୍ୟା ସୁଧାରିବାକୁ ବ୍ରତୀ ହେବା ଜରୁରୀ ।

୧୯୪୭ । ଦେଶ ସ୍ଵାଧିନ ହୋଇଛି । ମାତ୍ର ଦେଶରେ ଦୁର୍ଭିକ୍ଷର ସ୍ଥିତି । ଦିଲ୍ଲୀରୁ ଖାଦ୍ୟ ଆସିବାରେ ଅହେତୁକ ବିଳମ୍ବ । ଲକ୍ଷ୍ନୌରେ ରେସନ ଅଫିସର ମାନେ ଧର୍ମଘଟରେ । ବରୋଦାରେ ୩୦୦୦ ଭୋକିଲା ଖାଦ୍ୟ ପାଇଁ ରେସନ ଦୋକାନ ପାଖେ ରୁଣ୍ଡ । ପୋଲିସ ପହଞ୍ଚିବା ପୂର୍ବରୁ ଗୋଦାମ ଭାଙ୍ଗି ୮୦ ଟନ ଗହମ ଲୁଟି ନେଲେ । ‘ବୁଭୁକ୍ଷିତ କିଂ ନକରୋତି ପାପ ‘’। ଦେଶ ବିଭାଜନ ଫଳରେ ଭାରତ ପ୍ରାୟ ୭୦ ପ୍ରତିଷଦ ଜଳସେଚିତ ଜମି ହରାଏ । ବଦଳରେ ପାରଂପରିକ ମରୁଡି ପ୍ରବଣ ଜମି ଭାରତକୁ ମିଳେ । ପାକିସ୍ଥାନରୁ ପଳାଇ ଆସୁଥିବା ଲକ୍ଷ ଲକ୍ଷ ବିସ୍ଥାପିତ ସୀମାରେ ହାଉ ଯାଉ । ହିଂସା ଓ ହିଂସାଜନିତ ମୃତ୍ୟୁ । ଜୀବନ ଜୀବିକା ଚାଲିଯାଇଛି । ହା ଅନ୍ନ ଚିତ୍କାର । ସୀମାପାର ହୋଇ ଭାରତୀୟ ଉଡାଜାହାଜମାନେ ଖାଦ୍ୟ ପକାଉଛନ୍ତି , ୧୧ -୧୨ ମେଟ୍ରିକ ଟନ ରୁଟି ଆଉ ଗୁଡ । କୁରୁକ୍ଷେତ୍ର ରେ ଲକ୍ଷାଧିକ ଶରଣାର୍ଥ । ଗହମ , ଚିନି ଓ ଲୁଣ ସରକାର ଯୋଗାଉଛନ୍ତି । ସମୁଦ୍ର କୁ ଶଙ୍ଖେ । ଖାଦ୍ୟ ଦିଅ ,’ ‘ଖାଦ୍ୟ ଦିଅ’ ଚାରିଆଡେ ଚିତ୍କାର ।

ଆନ୍ତର୍ଜାତିକ ଜରୁରୀ ଖାଦ୍ୟ କାଉନସିଲରୁ ଏନ.ଜି. ଅଭୟଙ୍କର ସତର୍କ କରି କହୁଛନ୍ତି , ‘ଦେଶର ଯଦି ଖାଦ୍ୟ ଯୋଗାଣ ବୃଦ୍ଧି ଓ ନିୟମିତ କରାନଯାଏ ଭାରତୀୟ ମାନେ ଖାଦ୍ୟ ଯୋଗାଣ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କରିବେ । ‘ତେଣେ ଆମେରିକା ଓ ଆର୍ଜାଣ୍ଟିନାରେ ଗହମ ଏତେ ଅଧିକ ଉତ୍ପାଦନ ହେଉଛି ଯେ ସେଠାରେ ଗହମ ପଶୁ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଖାଇବାକୁ ଦିଆଯାଉଛି । ତଥାପି ଗହମ ବଳକା । ଗହମ ଜାଳି ରେଳଗାଡି ଚଳାଉଛନ୍ତି । ମାତ୍ର ପୃଥିବୀର ଭୋକିଲା ଦେଶକୁ ଖାଦ୍ୟ ଯୋଗାଇବା ନାଁ ଧରୁ ନାହାନ୍ତି । ଭାରତରେ ମଧ୍ୟବର୍ତ୍ତୀ ସରକାର ଆମେରିକା ବା ଆର୍ଜେଣ୍ଟିନା ରୁ ଖାଦ୍ୟ ଆମଦାନୀ ପାଇଁ ସଠିକ ପଦକ୍ଷେପ ନେଉ ନାହାନ୍ତି । ଆମେରିକା ଗହମ ଭାରତକୁ ଦେବ । ଗୋଡ କାଢି ବସିଛି । ମାତ୍ର ତା’ର ସର୍ତ୍ତରେ ଭାରତ ରାଜି ହେବା ଦରକାର । ସେ ସୁଯୋଗକୁ ଅପେକ୍ଷା କରିଛି । ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଭାରତର ଗଭର୍ଣ୍ଣର ଜେନେରାଲ । ସେ ଖାଦ୍ୟ ଆମଦାନିକୁ ରାଜି ହେଉନାହାନ୍ତି । ତାଙ୍କ ମତରେ , ‘Importing Food is the greatest shame, we can inflict on our mother land .’ ଜଣେ ବିଚକ୍ଷଣ ରାଜନୀତିଜ୍ଞ , ଜ୍ଞାନୀ ,ଦେଶ ଭକ୍ତ ସେ । ନଦୀ ମାତୃକାର ଦେଶ ଭାରତ । ଦେଶର ଆୟତନ ପୃଥିବୀର ୨.୫ ପ୍ରତିଷଦ ! କିନ୍ତୁ ବାର୍ଷିକ ବୃଷ୍ଟିପାତ ୭ ପ୍ରତିଷଦ । ଏହାର ବିନିଯୋଗ କରି ଚାଷ କଲେ ଭାରତର ଭାତ ଆଉ କିଏ ଖାଆନ୍ତା । ଭାରତ ଖାଦ୍ୟ ପାଇଁ ପର ପାଖରେ ହାତ ପତାଇବ । କିନ୍ତୁ ଭାବିଲେ ବା କହିଦେଲେ ହବନି । ବିଲାତ ସରକାର ୨୦୦ ବର୍ଷ ଶାସନ କାଳରେ ଭାରତର କୃଷି ଓ କୃଷକଙ୍କୁ ପଙ୍ଗୁ ଅଥର୍ବ କରି ଦେଇଛି । ସ୍ଵାଧୀନ ସରକାର କୃଷିକୁ ନସଜାଡ଼ିବା ପର୍ଯ୍ୟନ୍ତ ଖାଦ୍ୟ ସମସ୍ୟା ରହିବ ।

ଦେଶରେ ଖାଦ୍ୟଭାବ , ଲକ୍ଷ ଲକ୍ଷ ଲୋକ ଭୋକ ଉପାସରେ ଆଉଟୁ ପାଉଟୁ । ଗାନ୍ଧୀଙ୍କୁ ଏ ପରିସ୍ଥିତି ବିବ୍ରତ କରୁଛି । ଗାନ୍ଧୀ ପ୍ରାର୍ଥନା ସଭାରେ କହୁଛନ୍ତି , ‘India has become so poor , she has little power in resisting famines . Little do town dweller know how the semi –starved masses of India, are slowly sinking To Lifelessness’ M.K Gandhi । ସହର ଲୋକେ ସବୁ ସମୟରେ ସବୁ ସରକାରରେ ଗ୍ରାମବାସୀଙ୍କ ଠାରୁ ଅଧିକା ସୁବିଧା ପାଇଥାନ୍ତି । ଗ୍ରାମାଞ୍ଚଳରେ ଲୋକେ ଭୋକରେ କାଉଲି ବାଉଲି ହେଉଛନ୍ତି । ମାତ୍ର ସରକାର ସାହରବାସୀଙ୍କୁ ଖାଦ୍ୟ ଯୋଗାଣରେ ପ୍ରାଥମିକା ଦେଉଛନ୍ତି । ସେମାନେ ଚାଲାଖ ,ଚତୁର ପାଠୁଆ । ସରକାରଙ୍କର ଡର ସେମାନଙ୍କର ଖାଦ୍ୟାଭାବ ହେଲେ ବିଦ୍ରୋହ କରିବେ, ବିକ୍ଷୋଭ କରିବେ । ଗାଁ ଲୋକ ଗୁଡାକ ସରକାରଙ୍କ ପାଇଁ ମୂଷା ,ଚୁଚୁନ୍ଦ୍ରା । ସବୁ ଯୁଗରେ ସବୁ କାଳରେ ସହରୀ ଲୋକ ସରକାରଙ୍କର ସୁନା ପୁଅ । ଗାଁ ଲୋକେ ଜମିରେ ଲୁହ, ଲହୁ ଦେଇ ଖଟିବେ ।

ଖାଦ୍ୟ ଉତ୍ପାଦନ କରିବେ । ମାତ୍ର ସରକାର ସେମାନଙ୍କ ପେଟକୁ ନାତ ମାରି ଖାଦ୍ୟ ଛଡାଇ ନେବେ ସହରୀଙ୍କ ପାଇଁ । କମଳାଦେବୀ ଚଟ୍ଟୋପାଧାୟ । ଜଣେ ଆଗ ଧାଡିର ନେତ୍ରୀ । ସେ ମଧ୍ୟ ଭାରତ ବିଦେଶରୁ ଖାଦ୍ୟ ଆମଦାନିକୁ ନିନ୍ଦା କରୁଥାନ୍ତି । ଭାରତର କୃଷି ପାଇଁ ପ୍ରଚୁର ପ୍ରାକୃତିକ ସମ୍ପଦ ଥିବା ସ୍ଥଳେ ଏହାର ବିନିଯୋଗ କରି ଖାଦ୍ୟ ଉତ୍ପାଦନରେ ଭାରତ ବଳକା ଦେଶ ହୋଇପାରିବା କଥା । ସେଥିପାଇଁ ଧ୍ୟାନ ନଦେଇ ଖାଦ୍ୟ ପାଇଁ ଆମେରିକା ପାଖେ ହାତ ପତାଇବା ଅତ୍ୟନ୍ତ ଲଜ୍ଜା ଓ ଦୁଃଖ ଦାୟକ କଥାତ ସମସ୍ତେ କହିବେ । ଯୁକ୍ତି ଯୁକ୍ତ କଥା । ମାତ୍ର କଥାରେ କଣ ପେଟ ପୁରୁଛି ।

ଆମେରିକା ଭାରତର ଖାଦ୍ୟ ସମସ୍ୟା ଉପରେ ତିଷ୍ମଦୃଷ୍ଟି ରଖିଛି । ଗହମତ ଅଛି । ଭାରତରେ ଗଦା କରିଦେବ । ମାତ୍ର ସେ ଅପେକ୍ଷା କରୁଛି । ଭାରତ ସରକାର କେତେବେଳେ ବ୍ୟାକୁଳ ହୋଇ ଭିକ୍ଷା ମାଗିବେ । ଲୁହା ତାଉ ହେଲେ କମାର ଦା, କଟୁରୀ ,କୁରାଢି ବା ଲଙ୍ଗଳ ଲୁହା ତିଆରି କରେ । ଆମେରିକାର ନିଜର ମଧ୍ୟ ବାଧ୍ୟ ବାଧ୍ୟତା ଅଛି ଭାରତକୁ ଖାଦ୍ୟ ନଯୋଗାଇଲେ ଚୀନ ମାଡି ଆସିବ । କମ୍ୟୁନିଜିମକୁ ହାଲ ଭୟ । ସମସ୍ତେ କହିବେ । ନେଇଆଣି ଥୋଇବା କାଠିକର ପାଠ । ରାଜ୍ୟ ପାପ ରଜା ମୁଣ୍ଡରେ । ନେହେରୁ ପ୍ରଧାନ ମନ୍ତ୍ରୀ । ଖୁବ୍ ଠେଲିଲେ । ଜଣେ ମାନବବାଦି ରାଷ୍ଟ୍ର ମୁଖ୍ୟ । ଲୋକଙ୍କ ହା ଆନ୍ନ ଚିତ୍କାର ନେହେରୁଙ୍କୁ ବିବ୍ରତ କଲା । ସ୍ବାଭିମାନକୁ ପଛରେ ପକାଇ ଆମେରିକାକୁ ସବୁଜ ସଂକେତ ଦେଲେ । ଆମେରିକାରୁ ଗହମ ଜାହାଜ ଆସିଲା । ଲୋକେ ଶାନ୍ତ ପଡିଲେ । ମାର୍ଚ୍ଚ ୧୯୪୯ । ଭାରତର ଜାତୀୟ ନେତାମାନେ ବିଚାର ବିମର୍ଶ ଆରମ୍ଭ କରନ୍ତି । କିପରି ଖାଦ୍ୟ ଆମଦାନିକୁ ରୋକା ଯାଇପାରିବ । ଦେଶରେ ଖାଦ୍ୟ ଉତ୍ପାଦନ ବୃଦ୍ଧି ହିଁ ଏକମାତ୍ର ରାସ୍ତା । ପ୍ରଧାନମନ୍ତ୍ରୀ ନେହେରୁ ସେଇ ମିଟିଂରେ ଘୋଷଣା କଲେ , ‘We should think of not getting any (Imported) food at all……… let us put it at 2yrs. I should not add a day more and make our mind that we shall either live on the food we produce or die in the attempt.’

ଗ୍ରୋମୋରଫୁଡ ଯୋଜନା ବିଶେଷ ଫଳପ୍ରଦ ହେଲାନି । ବିଶ୍ଵ ଖାଦ୍ୟ ସଂସ୍ଥାର ନିର୍ଦେଶକ Lord John Boydorr ପୁଣି ଥରେ ନୂଆ ରୂପରେ Grow more food ଅଭିଯାନ ଆରମ୍ଭ କରନ୍ତି । ଖବର କାଗଜ, ପ୍ରଚାର ସଂସ୍ଥା ମାନଙ୍କୁ ନୂଆ କାର୍ଯ୍ୟକ୍ରମରେ ଯୋଡା ଗଲା । ଗାଁ ଗାଁରେ ଭ୍ରାମ୍ୟମାଣ ସିନେମା ପ୍ରଦର୍ଶନ କରାଗଲା । ସ୍ଲୋଗାନ , ‘ଚାଷୀ ଭାଇ ଅଧିକ ଖାଦ୍ଯ ଉତ୍ପାଦନ କର। ଅଧିକ ଫସଲ ଅମଳ କର ‘’ (Grow more food ,Kisan and Abundant Harvest) । ରାଜ୍ୟ ସରକାର ମାନେ ସହର ଲୋକମାନଙ୍କୁ ପ୍ରୋତ୍ସାହିତ କଲେ’ ଛାତ ଉପରେ ଚାଷ କର ରୋଷେଇ ଘର ବଗିଚା କର । ଭାତ ଓ ଗହମ କୁ କମାଇ ଫଳ ପନିପରିବା ଅଧିକ ଖାଅ । କୃଷି ଅଧିକାରୀ ମାନଙ୍କୁ କହିଲେ , ‘ଗାଁକୁ ଯାଅ । ଚାଷିକୁ କମ୍ପୋଷ୍ଟ ତିଆରି ଶିଖାଅ । ’ ସରକାରୀ ମାଳି ମାନଙ୍କୁ କୁହାଗଲା ,’’ଖାଦ୍ୟ ଶସ୍ୟ ଉତ୍ପାଦନ କର । ସରକାରୀ ବଙ୍ଗଳାରେ ପନିପରିବା ଲଗାଅ । ‘କଂଗ୍ରେସ କର୍ମୀ ମାନଙ୍କୁ ଗାଁ ଗାଁକୁ ପଠାଗଲା ଚାଷିକୁ ସାହାଯ୍ୟ କର । ଅଧିକ ଉତ୍ପାଦନରେ ସହାୟକ ହୁଅ । ବହୁ ପ୍ରଚାର ଓ ପ୍ରସାର ହେଲା । ମାତ୍ର Grow more food ସେତେଟା ଫଳବତୀ ହେଲା ନାହିଁ । ୧୯୫୧ କୁ ଭାରତ ଖାଦ୍ୟ ପାଇଁ ସ୍ୱୟଂସଂପୂର୍ଣ୍ଣ ହେବ, ଆଶାଟି ମଉଳିଗଲା । ବିଲାତର ବ୍ୟବସାୟିକ ପରାମର୍ଶଦାତା ଜିଏମଏଫ କାର୍ଯ୍ୟକ୍ରମ ଉପରେ ମନ୍ତବ୍ୟ ଦେଇ କହିଲେ ,’ ସହରୀ ରାଜନେତା ମାନେ ଗାଁରେ ଚାଷିମାନଙ୍କୁ ସାହାଯ୍ୟ କରି ଖାଦ୍ୟ ଉତ୍ପାଦନ ବଢାଇବେ , ଏହା ଆଦୌ ସମ୍ଭବ ନୁହେଁ । ସେମାନେ କେବଳ ଲଙ୍ଗଳ ବା ଟ୍ରାକ୍ଟର ଚଳାଇବା ପ୍ରହସନ କରି ପ୍ରଚାର ବିଭାଗର ଫଟୋ ଉଠାରେ ସାହାଯ୍ୟ କରୁଛନ୍ତି ।‘’(Source – Prelude To the Green Revolution – 12,13& 14)କଥାଟା ହାଡେ ହାଡେ ସତ । ଆଜିତ ଲଙ୍ଗଳ ନାହିଁ କି ଚାଷୀ ହାତରେ ବିହନ ନାହିଁ । ମାତ୍ର ମନ୍ତ୍ରୀ ,ଉଚ୍ଚ ଅଧିକାରୀ ମାନେ ଅକ୍ଷୟ ତୃତୀୟା ଦିନ ବିହନ ଅନୁକୂଳ କରୁଛନ୍ତି ! କାଁ ଭାଁ ମିଳୁଥିବା ହଳ ଲଙ୍ଗଳ ଟିଏ ଯୋଗାଡ କରି ,ହଳିଆକୁ ହଜାର ଦିହଜାର ଦେଇ ବିହନ ଅନୁକୂଳ କରୁଛନ୍ତି । ବିହନ !ସରକାରୀ ବା କମ୍ପାନୀ ବିହନ । ଫଟୋ ଜୋରଦାର । ଖବର କାଗଜରେ ବିହନ ଅନୁକୂଳ ।

ସରକାରଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ଦେଶର ଖାଦ୍ୟ ସମସ୍ୟା ସମାଧାନ କିପରି ସମ୍ଭବ ହୋଇଥିଲା ଦୁଇଟି ଉଦାହରଣ ଏଠାରେ ରଖୁଛି । ଚିନରେ କମ୍ୟୁନିଷ୍ଟ ସରକାର । ସରକାରଙ୍କର ନିର୍ଦ୍ଦେଶ ଦେଶରେ ଖାଦ୍ୟ ଉତ୍ପାଦନ ବଢାଇ ଖାଦ୍ୟ ସଙ୍କଟକୁ ମୁକାବିଲା କରିବା ଏଥିପାଇଁ ହୁଏତ ଅନେକ ଲୋକ ଉପାସରେ ମରିଯାଇପାରନ୍ତି । ମାତ୍ର ଖାଦ୍ୟ ପାଇଁ ଅନ୍ୟ ଦେଶ ପାଖେ ହାତ ପତେଇବା ନାହିଁ । ” ମାଓସେତୁଗଙ୍କ କଡା ଶାସନ । ୪ /୫ ବର୍ଷ ଭିତରେ ଦେଶରେ ଖାଦ୍ୟ ସମସ୍ୟା ଦୂର ହୋଇପାରିଲା । କ୍ୟୁବା । ଉଣେଇଶ ଅଶି ଦଶକରେ ଋଷିଆର ଅର୍ଥନୈତିକ ଅବକ୍ଷୟ । ରୁଷିଆ କ୍ୟୁବାକୁ କୃଷି ସହାୟତା ଦେଇପାରୁନି । ଆମେରିକାତ ବହୁ ଆଗରୁ କ୍ୟୁବାକୁ ଅର୍ଥନୈତିକ ବାସନ୍ଦ କରିଛି । ଦେଶରେ ଖାଦ୍ୟ ସଙ୍କଟ । ଫିଡେଲ କ୍ୟାଷ୍ଟ୍ରୋ କ୍ୟୁବାର ରାଷ୍ଟ୍ରପତି । ପରିସ୍ଥିତି ବିବ୍ରତ ନହୋଇ ଦେଶ ବାସୀଙ୍କୁ ଭରସା ଦେଲେ ,”ମୋର ପ୍ରିୟ ବନ୍ଧୁଗଣ । ଆମ ପାଇଁ ବର୍ତ୍ତମାନ ସ୍ଥିତି ବିପଦ ନୁହେଁ । ଏକ ଆହ୍ଵାନ । ଆମେ ଆମର ପ୍ରାକୃତିକ ସମ୍ପଦ ଉପଯୋଗ କରି ଯଥେଷ୍ଟ ଖାଦ୍ୟ ଉତ୍ପାଦନ କରିପାରିବା ଏବଂ ଖାଦ୍ୟ ସମସ୍ୟା କୁ ହଟାଇ ଦେଇ ପାରିବା । ତୁମ୍ଭେମାନେ ନିଜର ହଳ ଲଙ୍ଗଳ ପୁଣି ସଜାଡ । ଆମର ପାରଂପରିକ ବିହନର ପୁନଃରୁଦ୍ଧାର କର । ଗାଁ ଗାଁ ଘରେ ଘରେ ଖତ ତିଆରି କର । ଚାଷ କର । ଜୈବିକ କୃଷି । ଦେଖିବ ବର୍ଷ କେତେଟାରେ ଆମଦେଶ ଖାଦ୍ୟରେ ସ୍ୱୟଂସଂପୂର୍ଣ୍ଣ ହୋଇଯିବ । ” ରାସ୍ତାର ଦୁଇ ପାର୍ଶ୍ଵ, ସହରର ଖାଲି ଜାଗା ,ସରକାରି ପଡିଆ ପଦର ସବୁଆଡେ ଚାଷ । କୃଷି ଅଧିକାରି ମାନେ ଗାଁରେ ଡେରା ପକାଇଲେ । ଖତ ତିଆରି ଶିଖାଇଲେ । କଥାରେ ନୁହେଁ । କାର୍ଯ୍ୟରେ ଦେଖାଇଦେଲେ ମଣିଷ ପାଖେ ଅସମ୍ଭବ ବୋଲି କିଛି ନାହିଁ । ଜୈବିକ କୃଷିର ସଫଳ କାହାଣୀ କ୍ୟୁବା ।

ଆମେ ଭାରତୀୟମାନେ ସେ ଭଳି ଦୃଢ ସଂକଳ୍ପ ନେଇ ନପାରି ଆମେରିକା ପାଖେ ଖାଦ୍ୟପାଇଁ ହାତ ପଢାଇଲୁ । ରୋଗୀ ଖୋଜୁଥିଲା ଯାହା ବଇଦ କହିଲା ସେଇଆ । ଆମେରିକା ମଉକା ଖୋଜୁଥିଲା । ମିଳିଗଲା । ଏହି ଖାଦ୍ୟଯୋଗାଣ ମାଧ୍ୟମରେ ରାସାୟନିକ କୃଷିକୁ ଆଗେଇ ନେବା ପାଇଁ କ୍ଷେତ୍ର ମିଳିଗଲା । ପାଠକ ବନ୍ଧୁଗଣ ,ଏ ସବୁକଥା ”ସବୁଜ ବିପ୍ଲବ” କୁ ଭାରତରେ ଅଭିଷିକ୍ତ କରିବା ପାଇଁ ଆମେରିକାର ଚାଲ । ଆଜି ଏତିକି ।

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone