ସମଗ୍ର ପୃଥିବୀ ପାଇଁ ଅତି ସାଂଘାତିକ ସଂକଟରୂପେ ଠିଆ ହୋଇଛି ଜଳବାୟୁ ପରିବର୍ତ୍ତନ ଯାହା ପାଇଁ ଦାୟୀ ବିଶ୍ୱ ତାପବୃଦ୍ଧି ।
ଏହି ତାପବୃଦ୍ଧିର କାରଣ ବାୟୁମଣ୍ଡଳକୁ ଅତିମାତ୍ରାରେ ସବୁଜ ଗୃହ ଗ୍ୟାସ ନିଃସରଣ । ଏହି ପ୍ରଦୂଷଣ ବିଶେଷଭାବେ ମଣିଷକୃତ ଯାହାକି ପ୍ରକୃତିକୁ ନଷ୍ଟ କରିବାର ମୁଖ୍ୟ କାରଣ । ଏହାର ପ୍ରତିକାର ପାଇଁ ବୈଜ୍ଞାନିକମାନେ ଗବେଷଣାମୂଳକ ତଥ୍ୟ ଆଧାରରେ ଜଳବାୟୁ ପରିବର୍ତ୍ତନକୁ ଅଟକାଇବାକୁ ପ୍ରତିକାରମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇ ଆସୁଛନ୍ତି । କିନ୍ତୁ ପୃଥିବୀର ସମୃଦ୍ଧ ରାଷ୍ଟ୍ର ଓ ବଡ଼ ବଡ଼ ବିକାଶଶୀଳ ଦେଶମାନଙ୍କ ଶାସକମାନେ ଓ ଶାସକଶ୍ରେଣୀ ଶହ ଶହ ବୈଜ୍ଞାନିକମାନଙ୍କ ଦ୍ୱାରା ଜାତିସଂଘର ଆଇପିସିସି ରିପୋର୍ଟଗୁଡ଼ିକର ସୁପାରିଶ ତଥା ପରାମର୍ଶକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉନାହାନ୍ତି । ଯଥେଷ୍ଟ ହୋଇନଥିଲେ ବି ପ୍ୟାରିସଠାରେ ହୋଇଥିବା ଚୁକ୍ତି (୨୦୧୫)କୁ ମଧ୍ୟ କାର୍ଯ୍ୟକାରୀ କରାଯାଉ ନାହିଁ । ଯାହାଫଳରେ ଯେଉଁ ତାପବୃଦ୍ଧି ୧.୫ଂସେଲସିୟସ୍ ଏକବିଂଶ ଶତାବ୍ଦୀର ଶେଷବେଳକୁ ସୀମିତ ରଖିବାପାଇଁ ଧାର୍ଯ୍ୟ ହୋଇଥିଲା । ଏବେ ଦେଖାଯାଉଛି ତାହା ୨୦୫୦ବେଳକୁ ପହଞ୍ଚôଯିବ । ଫଳରେ ଭାରତ ସମେତ ବିଶ୍ୱର ଅନେକ ଦେଶର ବଡ଼ ବଡ଼ ସହରଗୁଡ଼ିକ ସମୁଦ୍ର ପତନ ବୃଦ୍ଧିରେ ବୁଡ଼ିଯିବାର ସମ୍ଭାବନାକୁ ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଅକାଳ, ପ୍ରବଳ ବନ୍ୟା, ବାତ୍ୟା, ପବନ, ବର୍ଷା ଏପରି ଅନେକ ମଣିଷକୃତ ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଅତ୍ୟଧିକ ପରିମାଣରେ ହେବ । ଏହାର ପ୍ରାରମ୍ଭ ହୋଇଯାଇଛି ଏବେ । କାରଣ ୨୦୨୪ ଥିଲା ସବୁଠାରୁ ଅତ୍ୟଧିକ ଉତ୍ତପ୍ତ ପୃଥିବୀ । କଲିଫର୍ଣ୍ଣିଆଠାରୁ ଆରମ୍ଭକରି ଆମ ଦେଶର ୱଏନାଡ଼ ପର୍ଯ୍ୟନ୍ତ ଅଗ୍ନି ଆଉ ବର୍ଷାର ତାଣ୍ଡବଲୀଳା ଦ୍ୱାରା ପ୍ରାକୃତିକ ସମ୍ପଦ ସମେତ ପଶୁପକ୍ଷୀ ସହ ଶହ ଶହ ମଣିଷଙ୍କ ଜୀବନହାନୀର ଭୟାବହ ପରିଣାମ ଦେଖିଛନ୍ତି ।
ଆଜିର ଦିନରେ ବିଶ୍ୱତାପ ବୃଦ୍ଧିପାଇଁ ବିଶେଷ ଦାୟୀ ହୋଇଥିବା ଆମେରିକା, ୟୁରୋପ, ଚୀନ, ଭାରତ ସମେତ ଦେଶଗୁଡ଼ିକ ତଥା ସେ ଦେଶର ସରକାର ଓ ନାଗରିକସମାଜ ଫସିଲ ଫୁଏଲର ବ୍ୟବହାରକୁ ହ୍ରାସ କରି ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ପାଇଁ ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ଏକାନ୍ତ ଜରୁରୀ । ସେଥିପାଇଁ ଜାତିସଂଘର ସେକ୍ରେଟାରୀ ଜେନେରାଲ ବାରମ୍ବାର ଆହ୍ୱାନ କରି କହୁଛନ୍ତି ବର୍ତ୍ତମାନ ଜଳବାୟୁ ଜରୁରୀ ପରିସ୍ଥିତି (Climate Emergency)କୁ ମୁକବିଲା କରିବା ପାଇଁ ପ୍ୟାରିସ ଚୁକ୍ତିକୁ କାର୍ଯ୍ୟକାରୀ କରାଯାଉ ।
ଏହି ପରିପ୍ରେକ୍ଷୀରେ ଆମଦେଶ ଭାରତରେ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମାତ୍ରା ବଢ଼ି ବଢ଼ି ·ଲିଛି । ଆମରାଷ୍ଟ୍ରର ବିକାଶନୀତି ଜଙ୍ଗଲ ଜମି ଓ ଜଳସମ୍ପଦଗୁଡ଼ିକର ଅତ୍ୟଧିକ ଅପୂରଣୀୟ କ୍ଷତି କରିସାରିଲାଣି ।
ଆମ ଶାସକମାନେ ଯୁକ୍ତରାଷ୍ଟ୍ର ଆମେରିକା, ଗ୍ରୀସ୍, ଜର୍ମାନୀ ତଥା ବିକଶିତ ଦେଶମାନଙ୍କ ଉପଭୋଗ୍ୟ ଜୀବନଶୈଳୀକୁ ଦେଖି ସେହି ଦେଶମାନଙ୍କ ଦ୍ୱାରା ଅନୁସୃତ ଶିଳ୍ପାୟନ ଓ ସହରୀକରଣକୁ ଅନୁସରଣ କରି ସମକକ୍ଷ ହେବାକୁ ବିକାଶ ନାମରେ ବିନାଶକୁ ଡାକି ଆଣୁଛନ୍ତି । ଆମେରିକା ଓ ୟୁରୋପ ଦ୍ୱାରା ବାୟୁମଣ୍ଡଳକୁ ଅଧିକ ଗ୍ରୀନହାଉସ୍ ଗ୍ୟାସ ତଥା କାର୍ବନ ଅକ୍ସାଇଡ଼୍ ନିଃସରଣ ହୋଇଛି । ଏହାର ମୂଳକାରଣ ସେହି ଦେଶର ନବେ ପ୍ରତିଶତ ବ୍ୟକ୍ତିମାନଙ୍କ ଜୀବନଶୈଳୀ ପାଇଁ ଅତ୍ୟଧିକ ମଟର କାର, ଚକଚକ ସହର ଇତ୍ୟାଦି ପାଇଁ ଦକ୍ଷିଣ ବିଶ୍ୱର ପ୍ରାକୃତିକ ସମ୍ପଦକୁ ଲୁଟ କରାଯାଇଛି । ଅତୀତର ଔପନିବେଶକ ଶାସନଦ୍ୱାରା ଭାରତ ଉପମହାଦେଶ, ଆଫ୍ରିକା, ଲାଟିନ୍ ଆମେରିକା ଦେଶମାନଙ୍କର ସମ୍ପଦ ଲୁଟ୍କରି ୟୁରୋପର ଦେଶମାନେ ସମୃଦ୍ଧ ହୋଇଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ମୂଳବାସୀ ଲୋହିତ ଭାରତୀୟମାନଙ୍କୁ ହତ୍ୟାକରି ୟୁରୋପର ଗୋରାମାନେ ଆଫ୍ରିକାର ଗରିବ କଳାଆଦିବାସୀଙ୍କୁ ଅମାନୁଷିକ ଭାବେ ପଣ୍ୟଦ୍ରବ୍ୟ କରି ଆମେରିକାରେ ଶ୍ରମ ପାଇଁ ବ୍ୟବହାର କରିଥିଲେ । ସେହି କ୍ରୁର ଶୋଷଣ ଓ ଲୁଟ ଦ୍ୱାରା ସେ ଦେଶମାନଙ୍କ ବିକାଶର ଭିତ୍ତିସ୍ଥାପନ ହୋଇଛି । ସେମାନଙ୍କ ଅୟସ ଜୀବନଶୈଳୀ ପାଇଁ ଅତ୍ୟଧିକ ପ୍ରାକୃତିକ ସମ୍ପଦ ବିନିଯୋଗ ହୋଇଛି । ଯାହାର ପରିଣାମ ଆଜି ବିଶ୍ୱ ବାୟୁମଣ୍ଡଳ ପ୍ରଦୂଷିତ ଓ ଧରିତ୍ରୀ ମା’ ବିପଦଗ୍ରସ୍ତ । ଏବେ ଚୀନ ଓ ଭାରତ ଦୁଇ ବଡ଼ଦେଶରେ ଏକ ଉଚ୍ଚ ଧନୀକ ଶ୍ରେଣୀ ସୃଷ୍ଟି କରିବା ପାଇଁ ଓ ସେମାନଙ୍କ ପାଇଁ ବିକାଶର ମ୍ୟାପ ତିଆରି କରାଯାଇ ପୁଞ୍ଜିବାଦୀ ବ୍ୟବସ୍ଥାକୁ ତଥା ଉଦାରୀକରଣ, ଘରୋଇକରଣ ଓ ବଜାରୀକରଣ ଅର୍ଥନୀତିକୁ ଅତି ବେଗରେ ଲାଗୁ କରାଯାଇଛି । ଯାହାର ପରିଣାମ ଦୁଇ ଦେଶର ଡଲାର କୋଟିପତି ସଂଖ୍ୟା ବୃଦ୍ଧିହେଉଛି । ଅନ୍ୟପଟେ ଗରିବ ତଥା ତଳେଥିବା ଚାଷୀ-ଶ୍ରମିକମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡୁଛି । ଭାରତର ବ୍ୟବସ୍ଥା-ଚୀନଠାରୁ ଆହୁରି ଖରାପ । କାରଣ ଚୀନରେ ମାଓ-ସେ-ତୁଙ୍ଗଙ୍କ ନେତୃତ୍ୱରେ ସାମ୍ୟବାଦୀ ଅର୍ଥବ୍ୟବସ୍ଥା ପ୍ରତ୍ୟେକ ଚାଷୀ ହାତରେ ଜମିଦେବା ସହ କୃଷିର ବିକାଶ ସହ ବୈଷମ୍ୟ କମାଇ ଦିଆ ଯାଇଥିଲା । ପରବର୍ତ୍ତୀ ସମୟରେ ଚୀନ ପୁଞ୍ଜିବାଦୀ ଅର୍ଥନୀତିକୁ ଆପଣାଇଛି ବୈଷମ୍ୟ ବୃଦ୍ଧି ହୋଇଛି କିନ୍ତୁ ରାଷ୍ଟ୍ରର କର୍ତ୍ତୃତ୍ୱ ଜାହିର ରହିଛି ତା’ର ପ୍ରାକୃତିକ ସମ୍ପଦ ଉପରେ । କିନ୍ତୁ ଭାରତରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯେପରି ଭାବରେ ବୈଷମ୍ୟ ହଟାଇବା ପାଇଁ ଅର୍ଥନୀତିର ଆବଶ୍ୟକତା ଥିଲା ତାହା ମିଶ୍ରିତ ଅର୍ଥବ୍ୟବସ୍ଥା ଜରିଆରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସୃଷ୍ଟି ହୋଇଥିଲେ ବି ଜମି-ବଣ୍ଟନ ପ୍ରକ୍ରିୟା ଅଧାବାଟରେ ରହିଗଲା । ଦାରିଦ୍ର୍ୟ ଓ ବୈଷମ୍ୟ ପାଇଁ ଐତିହାସିକ କାରଣ ଜାତିପ୍ରଥା ଆଜି ବି କାୟମ ରହିଛି । ପୁଣି ଗତ ଶତାବ୍ଦୀର ନବେ ଦଶକପରେ ଏବଂ ଗତ ଦଶ ବର୍ଷର ଅବଧିରେ ରାଷ୍ଟ୍ରର ବିକାଶନୀତିକୁ ସମ୍ପୂର୍ଣ୍ଣ ପୁଞ୍ଜିବାଦୀ କରିଦିଆଯାଇଛି । ରାଷ୍ଟ୍ରାୟତ୍ତ ସମ୍ବଳ ସମେତ ପ୍ରାକୃତିକ ସମ୍ପଦଗୁଡ଼ିକ ଘରୋଇକରଣ କରାଯାଇ କେତେକ ମୁଷ୍ଟିମେୟ ପୁଞ୍ଜିପତିଙ୍କ ମାଲିକାନାର ଅନ୍ତର୍ଭୁକ୍ତ କରାଚାଲିଛି ଯାହାକି ପ୍ରାକୃତିକ ସମ୍ପଦ ଜମି ଜଙ୍ଗଲ ଓ ସାଗର ଉପରେ ନିର୍ଭରଶୀଳ ୭୦ପ୍ରତିଶତ ଚାଷୀ, ଆଦିବାସୀ, ଦଳିତ, ମତ୍ସ୍ୟଜୀବୀ ତଥା ଶ୍ରମିକଶ୍ରେଣୀଙ୍କ ଜୀବିକା ଛଡ଼ାଇ ନେଉଛି ।
ଆମଦେଶର କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଯେପରି ପୁଞ୍ଜି ନିବେଶ କରିବାପାଇଁ ଶିଳ୍ପପତି ପୁଞ୍ଜିପତିମାନଙ୍କ (ଦେଶ-ବିଦେଶର) ସମାବେଶ କରି ବିକାଶର ମାହୋଲ୍ ସୃଷ୍ଟି କରୁଛନ୍ତି, ଏହାର ପଛରେ ରହିଛି ଦେଶର ଉଚ୍ଚ ଧନୀକବର୍ଗଙ୍କ ଜୀବନଶୈଳୀ, ସେମାନଙ୍କ ଅଧିକାର ପାଇଁ । ସମଗ୍ର ୟୁରୋପର ଓ ଆମେରିକା, କାନାଡ଼ାର ମୋଟ ଲୋକସଂଖ୍ୟା ମାତ୍ର ୮୦କୋଟି ଯାହାକି ବିଶ୍ୱ ଲୋକସଂଖ୍ୟାର ଦଶ ପ୍ରତିଶତ । ସେହି ଦଶ ପ୍ରତିଶତକୁ ଆଗରେ ରଖି ଆମ ଦେଶର ଧନୀକଶ୍ରେଣୀ ଓ ଉଚ୍ଚ ମଧ୍ୟବିତ୍ତ ୨୫ପ୍ରତିଶତଙ୍କ ବିକାଶପାଇଁ ହଁ ବିକାଶ ଯୋଜନା ହେଉଛି ଯଥା ଅନାବଶ୍ୟକ ଭାବେ ଜାତୀୟ ରାଜପଥର ଆଠ ଲେନ୍ ଜାତୀୟ ରାଜପଥର ଥିବାବେଳେ ଭାରତମାଳା, ସାଗରମାଳା ନାମରେ ୬ଲେନର ଉପକୂଳ ରାଜପଥ ନିର୍ମାଣର ଆବଶ୍ୟକତା କାହା ପାଇଁ? ପ୍ରଥମତଃ ଏହିଗୁଡ଼ିକ ବିଶେଷ ଭାବେ ଦେଶର ଆଦିବାସୀ ଅଞ୍ଚଳର ଜଙ୍ଗଲଗୁଡ଼ିକ ଦେଇ ଯାଉଛି । ଏହାର ଲକ୍ଷ୍ୟ ଦେଶର ଖଣିଜ ସମ୍ପଦକୁ ଆସନ୍ତା ତିନିଦଶକ ମଧ୍ୟରେ ଶେଷ କରି ଦେବାର ସମ୍ଭାବନା ବେଶି । ଏହି ପ୍ରସାରିତ ରାଜପଥ-ଉପକୂଳପଥ ·ଷଜମି ଜଙ୍ଗଲ ଓ ସାମୁଦ୍ରିକ ଜୈବ ବିବିଧତା ଅନେକ ପରିମାଣ ଧ୍ୱଂସ ପାଇବ । ଏହାଫଳରେ ଲକ୍ଷ ଲକ୍ଷ ଆଦିବାସୀ ·ଷୀମାନଙ୍କ ଜୀବିକା ଲୋକ ପାଇବା ସହ ଅଙ୍ଗାରକାମ୍ଲ ବାୟୁମଣ୍ଡଳରେ ବୃଦ୍ଧି ପାଇବ । ଭବିଷ୍ୟତ ପିଢ଼ିଙ୍କ ପ୍ରତି ଅନ୍ୟାୟ କରାଯାଉଛି । ଓଡ଼ିଶାରେ ସାଗରମାଳା ଦ୍ୱାରା ଚିଲିକା ସମେତ ୪୮୦କି.ମି. ଉପକୂଳର ପରିବେଶ ନଷ୍ଟହେବା ସହ ମତ୍ସ୍ୟଜୀବୀ ବିକାଶମାନଙ୍କ ଜୀବିକା ଅତିମାତ୍ରାରେ ପ୍ରଭାବିତ ହେବ । ଭାରତମାଳା ଦ୍ୱାରା ଅବିଭକ୍ତ କୋରାପୁଟ ଜିଲ୍ଲାର ଲକ୍ଷାଧିକ ବୃକ୍ଷଛେଦନ ହେଲାଣି, ଜମି ମଧ୍ୟ କଂକି୍ରଟ୍ ହେଇ·ଲିଛି । ପୁଣି ଗୋପାଳପୁରରୁ ମାଲକାନଗିରିକୁ ଏକ ନୂତନ ୬ଥାକିଆ ରାଜପଥ ନିର୍ମାଣ ପାଇଁ ସ୍ଥିର ହୋଇଛି, ଯାହାକି ଆଦାନୀ କଂପାନୀ ଠିକାନେବାକୁ ଆବେଦନ କରିଛି । ଏହାଦ୍ୱାରା ଦକ୍ଷିଣଓଡ଼ିଶାର ଜଙ୍ଗଲ ଧ୍ୱଂସ ହେବ । ଏହି ରାସ୍ତା ସାଧାରଣ ଲୋକଙ୍କ ପାଇଁ ଆବଶ୍ୟକତା ନାହିଁ, କେବଳ ବଡ଼ ବଡ଼ ବ୍ୟବସାୟିକ କଂପାନୀମାନଙ୍କ ପାଇଁ ।
ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦରର କୌଣସି ଆବଶ୍ୟକତା ନାହିଁ । ମାତ୍ର ୫୨କି.ମି. ଦୂରରେ ଭୁବନେଶ୍ୱରରେ ବିମାନବନ୍ଦର ଥିବାବେଳେ ପୁରୀର ଉପକୂଳ ପ୍ରାକୃତିକ ପରିବେଶକୁ କାହିଁକି ନଷ୍ଟ କରାଯିବ ଅନାବଶ୍ୟକ ବିମାନ ବନ୍ଦର ପାଇଁ? ସବୁଠାରୁ ବଡ଼ ଅନ୍ୟାୟ ହେଉଛି ଥରେ ବିମାନ ବନ୍ଦର କର୍ତ୍ତୃପକ୍ଷ ମତଦେଲେ ୧୬୦କି.ମି. ଅନ୍ତରରେ ହିଁ ଦୁଇଟି ଆନ୍ତର୍ଜାତିକ ବିମାନ ବନ୍ଦର ହୋଇପାରିବ । କିନ୍ତୁ ଭୁବନେଶ୍ୱରର ଉକ୍ତ ବନ୍ଦର ମାତ୍ର ୫୨ କି.ମି. ଦୂରରେ । ଏହି ବନ୍ଦରକୁ ଏବେ ଆଦାନୀ କଂପାନୀକୁ ହସ୍ତାନ୍ତର କରାଯାଇଛି । ପୁରୀରେ ବିମାନବନ୍ଦର ହେଲାପରେ ଭୁବନେଶ୍ୱର ବିମାନବନ୍ଦର ଆୟ ଯଦି କମିବ, ତାହାହେଲେ ଓଡ଼ିଶା ସରକାର ତାର କ୍ଷତିପୂରଣ ଦେବାକୁ ବର୍ତ୍ତମାନ ବିଜେପି ରାଜ୍ୟ ସରକାର ଲେଖି ଜଣାଇଛି । ଏପରି ବିକାଶ ରାଜ୍ୟବାସୀଙ୍କ ପାଇଁ ଅନ୍ୟାୟ ନୁହଁ କି? ପୁଣି ପୁରୀ ବିମାନ ବନ୍ଦର ନିର୍ମାଣ ଶେଷ ହେଲାବେଳକୁ ଆଉ ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତର ହୋଇଯିବ । ସେହିପରି ରାଜ୍ୟର ନଦୀମାନଙ୍କ ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପହଞ୍ଚôଛି । ପ୍ରଥମତଃ ଜଳବାୟୁ ପରିବର୍ତ୍ତନ ଯୋଗୁଁ ନିୟମିତ ବର୍ଷାର ଅଭାବ ଓ ଚୋରାବାଲି ·ଲାଣ ଓ ଉପରମୁଣ୍ଡରେ ଜଳଭଣ୍ଡାର ଅନେକ ପ୍ରମୁଖ ନଦୀଗୁଡ଼ିକର ଜଳଧାରଣ ଶକ୍ତି କମିବାରେ ଲାଗିଛି । ତା’ସାଙ୍ଗକୁ ଆଇନକୁ ଉଲଂଘନ କରି ଶିଳ୍ପକାରଖାନାର ରାସାୟିନକ ବର୍ଜ୍ୟ ପଦାର୍ଥ ନଦୀଜଳକୁ ପ୍ରଦୂଷିତ କରୁଛି । ଏ ସବୁର ପ୍ରତିକାର ପାଇଁ ସରକାର ଚିନ୍ତା ନକରି ରାଜ୍ୟର କେତେକ ପ୍ରମୁଖ ନଦୀଗୁଡ଼ିକର ଏକମାତ୍ର ପ୍ରାକୃତିକ ଜଳଧାରାକୁ ଅଟକାଇ ଦେଇ ଡ୍ୟାମ ନିର୍ମାଣ କରିବା ଦ୍ୱାରା ସେହି ନଦୀଗୁଡ଼ିକର ମୃତୁ୍ୟ ନିଶ୍ଚିତ ହେବ । ଯଥା ଗଞ୍ଜାମର ଋଷିକୂଲ୍ୟା, କେନ୍ଦୁଝରରୁ ସମାକୋଇ ନଦୀର ମୂଳଉତ୍ସକୁ ବନ୍ଧାଇ ଘଞ୍ଚ ଜଙ୍ଗଲବୁଡ଼ାଇ ଡ୍ୟାମ ନିର୍ମାଣ କାହାପାଇଁ? ନଦୀ ସମସ୍ତଙ୍କର କିନ୍ତୁ କେତୋଟି କଂପାନୀ ବିଶେଷଭାବେ ଆଦାନୀ, ଟାଟାପାଇଁ ପିପଳପଙ୍କା ଡ୍ୟାମ ଓ ଅନୁଗୁଳ ଜିଲ୍ଲାର ଖଣି କମ୍ପାନୀ ପାଇଁ ମାଲ୍ୟଗିରି ଜଙ୍ଗଲରେ ସୋମାକେଇ ନଦୀ ବନ୍ଧ ଉଦ୍ଦିଷ୍ଟ । ଏହାକୁ ଜନତାଙ୍କ ବିରୋଧ ।
କିନ୍ତୁ ହଜାର ହଜାରକୋଟି ଟଙ୍କା ବିନିଯୋଗ କରି ନଦୀକୁ ମାରିବା ପାଇଁ ଯୋଜନା କାହିଁକି? ଏବେ ପାରାଦ୍ୱୀପ ପରେ ଧାମରା ଓ ଗୋପାଳପୁରରେ ବନ୍ଦର ଯୋଗୁଁ ରାଜ୍ୟର କେତେ ବିକାଶ ହୋଇଛି । ପୁଣି କାହିଁକି ଚଉମୁଖ, ଅସ୍ତରଙ୍ଗରେ ବନ୍ଦର? ରାଜ୍ୟ ଭିତରକୁ ଆସିବ କଣ? ରାଜ୍ୟର ଆଦିବାସୀ ଦଳିତ ଓ ·ଷୀ ଉପକୃତ ହେବେ? କିନ୍ତୁ ପୁଣି ଏହି ବନ୍ଦରଦ୍ୱାରା ଉପକୂଳ ଜଙ୍ଗଲ ଧ୍ୱଂସ ହେବ ଓ ତାରି ଉପରେ ନିର୍ଭରଶୀଳ ପାନ ଚାଷୀ, ଧାନ ଚାଷୀ ଓ ମୀନ ଚାଷୀ ଜୀବିକା ହରାଇବେ । କେବଳ ରାଜ୍ୟର ଗଚ୍ଛିତ ଖଣିଜସମ୍ପଦ ଦେଶ ବାହାରକୁ ଚାଲାଣ କରିବାକୁ ମାଳ ମାଳ ବନ୍ଦର ନିର୍ମାଣ କରାଯାଉଛି ଘରୋଇ କଂପାନୀ ଦ୍ୱାରା । ରାଜ୍ୟର ଛୋଟବଡ଼ ନଦୀ ଗୁଡ଼ିକ ମଧ୍ୟରେ ପ୍ରମୁଖ ନଦୀଗୁଡ଼ିକ ଯଥା – ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସାଲନ୍ଦୀ, କଂଝାରୀ, ମୁସଲ, ରିମାଲ, କୋଲାବ, ସାବେରୀ, ନାଗାବଳୀ, ବଂଶଧାରା ପ୍ରମୁଖ ନଦୀ ଅତ୍ୟଧିକ ଖଣିଖନନ ଓ ଶିଳ୍ପାୟନ ବର୍ଜ୍ୟବସ୍ତୁ ଦ୍ୱାରା ଜଳାଭାବ ଓ ପ୍ରଦୂଷଣର ଶିକାର ହୋଇଛନ୍ତି । ସବୁଠାରୁ ନଦୀ ପ୍ରତି ଅତ୍ୟାଚାର କରାଯାଉଛି ଅତ୍ୟଧିକ ବାଲି ଖନନ ଓ ଚୋରା ଚାଲାଣ ଜରିଆରେ । ଗଙ୍ଗୁଆ ଦ୍ୱାରା ପ୍ରଦୂଷଣ ଦୟାନଦୀ ଚିଲିକାକୁ ପ୍ରଦୂଷିତ କରୁଛି । ଜିରାନଦୀ, ନର୍ଦ୍ଦମା ପାଲଟିଯାଇଛି ବାଲି ଚାଲିଯାଇଥିବାରୁ । ସେହିପରି ବୁଢ଼ାବଳଙ୍ଗ-ସୁବର୍ଣ୍ଣରେଖା ଅତି ମାତ୍ରାରେ ପ୍ରଦୂଷିତ । ସୁକତେଲ, ବିରୁପା, ପିଲାସାଲୁଙ୍କି ନଦୀର ଅସ୍ତିତ୍ୱ ସୃଷ୍ଟି କରିଛି ପ୍ରଶ୍ନବାଚୀ । ଝାରସୁଗୁଡ଼ାର ଶୁଖା ସୋଢ଼ା, ନବରଙ୍ଗପୁର ଭାସକଲ, ମାଲକାନଗିରିର ସପ୍ତଶଯ୍ୟା, ଗଂଜାମର ଋଷିକୁଲ୍ୟା ଓ ଏହାର ସମସ୍ତ ଉପନଦୀର ଜଳପ୍ରବାହ ଅତିମାତ୍ରାରେ କମିଯାଇଛି । ଏଥିମଧ୍ୟରୁ ଅନେକ ପୋତି ହୋଇଯାଇଛି ଓ ଅନେକ ବାଲିଶୂନ୍ୟ ହୋଇଯିବା ଦ୍ୱାରା ଜଳଧାରଣ ଶକ୍ତି ହରାଇଛନ୍ତି । ଇନ୍ଦ୍ରାବତୀର ଉଦ୍ୟମସ୍ଥଳରୁ ୩ଟି ଧାରରୁ ଗୋଟିଏ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ବର୍ଷାର ଅଭାବ ଯୋଗୁଁ । ଆଉ ଦୁଇଟିରେ ଅତି କମ୍ ପ୍ରକୃତ ଧାର ଆସୁଛି ।
ନଦୀଗୁଡ଼ିକର ଶାରୀରିକ ଓ ଜୈବବିବିଧତାର ଅଧ୍ୟୟନ କରି ସରକାର ପ୍ରତିକାର ବ୍ୟବସ୍ଥାପାଇଁ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ସହ ନଦୀଗୁଡ଼ିକର ସ୍ୱାସ୍ଥ୍ୟ ଫେରାଇ ଆଣିବାକୁ ଆବଶ୍ୟକ ଯୋଜନା ପାଇଁ ବଜେଟରେ ବ୍ୟବସ୍ଥା କରିବା ଅତି ଜରୁରୀ । ସମଗ୍ର ରାଜ୍ୟରେ ନଦୀରୁ ବାଲି ବ୍ୟବହାରକୁ ନିୟନ୍ତ୍ରଣ କରିବାପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନକରି ଆଇନ ଭଙ୍ଗ କରୁଥିବା ଚୋରା ଚାଲାଣକାରୀମାନଙ୍କୁ ଜବତ କରିବାପାଇଁ ପ୍ରଶାସନିକ କଠୋର ପଦକ୍ଷେପ ଅପରିହାର୍ଯ୍ୟ । ନଚେତ ଅନେକ ଛୋଟ ଓ ମଧ୍ୟମ ନଦୀଗୁଡ଼ିକର ମୃତ୍ୟୁ ସୁନିଶ୍ଚିତ ।
ଗୋଟିଏ ପଟେ ନଦୀଗୁଡ଼ିକର ଜଳାଭାବ ଓ ପ୍ରଦୂଷଣ ସମସ୍ୟା ତୀବ୍ରତର ହେବାବେଳେ ରାଜ୍ୟର ବିଭିନ୍ନ ଜଳାଭାବ ଅଞ୍ଚଳଗୁଡ଼ିକରେ ବିଭିନ୍ନ ଶିଳ୍ପ ପାଇଁ ନଦୀଜଳ ଓ ଭୂତଳ ଜଳକୁ ଅନିୟନ୍ତ୍ରିତ ରୂପେ ବ୍ୟବହାର କରାଯାଉଛି । ଅନ୍ୟପଟେ ବକ୍ସାଇଟ୍, ଲୁହା, ମାଙ୍ଗାନିଜ୍, ଚୂନପଥର, କୋଇଲା ଖଣି ଖନନ ପାଇଁ ପ୍ରକୃତିର କ୍ଷୟକ୍ଷତି ଓ ତା’ଦ୍ୱାରା ଜଳବାୟୁ ଉପରେ ପ୍ରଭାବ ସାଙ୍ଗକୁ ବିସ୍ଥାପିତ ଆଦିବାସୀମାନଙ୍କ ଜୀବିକା ଓ ଜୀବନର ବିପର୍ଯ୍ୟୟର ହିସାବ କରାଯାଉ ନାହିଁ । ରାଜ୍ୟ ରାଜସ୍ୱ ବୃଦ୍ଧିପାଇଁ ଏବେ ବି·ରଶୂନ୍ୟ ଭାବେ କୌଣସି ଅଧ୍ୟୟନ ବିନା ମନଇଚ୍ଛା ଖଣି ଲିଜ ପ୍ରଦାନ ଚାଲୁ ରହିଛି ଓଡ଼ିଶାରେ । ସାମ୍ବିଧାନିକ ଅଧିକାର ରହିଛି ଆଦିବାସୀ ସମାଜର ଯାହା ପାଖରେ ମାଲିକାନାସ୍ୱତ୍ୱ ଦେଇଛି ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ । ପୁଣି ୧୯୯୬ ପେସା ଓ ୨୦୦୬ରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗ୍ରାମସଭାର ସମ୍ମତି ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଏ ସବୁକୁ ଗୋଇଠା ମାରି କମ୍ପାନୀ ପାଇଁ ଯେପରି ଅନ୍ଧ ହୋଇଯାଇ ଗୋଟାଏ ପରେ ଗୋଟାଏ ବିନା ଗ୍ରାମସଭାର ସମ୍ମତିରେ ବିନା ଅଧ୍ୟୟନ ଓ ବିନା ଆଲୋଚନାରେ ଖଣି, ପାଣି, ମାଟି ଓ ଜଙ୍ଗଲକୁ କଂପାନୀ ହାତରେ ହସ୍ତାନ୍ତର କରାଯାଉଛି । ତାହା କେବଳ ପ୍ରକୃତିକୁ ବିକଳାଙ୍ଗ କରାଯାଉଛି ନୁହଁ, ବରଂ ସାଧାରଣ ଜନତାଙ୍କ ବଞ୍ଚôବାର ଅଧିକାର ଛଡ଼ାଇ ନେବାସହ ପରିବେଶୀୟ ସଂକଟ ସୃଷ୍ଟି କରାଯାଉଛି ଯାହାଦ୍ୱାରା ଜଳବାୟୁ ନ୍ୟାୟକୁ ଭଣ୍ଡୁର କରାଯାଉଛି । ଏହା ସାଙ୍ଗକୁ ଗଣତାନ୍ତ୍ରିକ ଅଧିକାର ଛଡ଼ାଇନେବା ସହ ସାମ୍ବିଧାନିକ ଗଣତନ୍ତ୍ରର ମୌଳିକ ନୀତି ନିୟମକୁ ଉଲଂଘନ କରାଯାଉଛି ।
ଗତ ୨୪ବର୍ଷର ଆଞ୍ଚଳିକ ଦଳ ବିଜୁଜନତା ଦଳର ଶାସନରେ ରାଜ୍ୟର ସମ୍ବଳ ସଂରକ୍ଷଣ ଓ ଭବିଷ୍ୟତ ପିଢ଼ିର ଅଧିକାର ପ୍ରତି ଧ୍ୟାନ ଦିଆଯାଇ ନ ଥିଲା ଯାହାଫଳରେ ମାଟି (ଖଣିଜ ପଦାର୍ଥ) ବିକି ରାଜସ୍ୱ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଅବିଚାରିତ ଭାବରେ ଖଣି ଲିଜ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଗଲା । ଖଣି ଶେଷ ହୋଇଥିବା ପ୍ରକ୍ରିୟାର ପରିଣାମ ସବୁଜବନାନୀର ଅନ୍ତ ସହ ଜଳବାୟୁ ବିଘଟନ ସାଙ୍ଗକୁ ହଜାର ହଜାର ମାଟିର ମଣିଷ ତଥା ଜଙ୍ଗଲବାସୀ ତଥା ଆଦିବାସୀମାନଙ୍କୁ ଜୀବିକା ତଥା ପ୍ରକୃତ ବସବାସରୁ ବିସ୍ଥାପିତ କରାଯାଇଥିବା ପରି ସାଂଘାତିକ ସମସ୍ୟାଗୁଡ଼ିକୁ ଆଖିବୁଜି ଦିଆଗଲା । ସେ ସବୁର ଅପୂରଣୀୟ ଆର୍ଥିକ ଓ ସାମାଜିକ କ୍ଷୟକ୍ଷତିର ହିସାବ କରାଯାଇ ନାହିଁ । ଏବେ ରାଷ୍ଟ୍ରୀୟ ଦଳ ବିଜେପି ତଥା କେନ୍ଦ୍ରର ଶାସକ ଦଳ ଭାରତୀୟ ଜନତା ମାଟିର ସରକାର ହେବାର ଏକ ବର୍ଷ ପୂରିଲା । ଆଦିବାସୀ ପରିବାରରୁ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଦେଖିବାକୁ ମିଳୁଛି ଆଦିବାସୀଙ୍କ ଅଧିକାର ଉପରେ ଆକ୍ରମଣ ବୃଦ୍ଧିହେବାର ଲାଗିଛି । ରାଜ୍ୟର ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ସୁରକ୍ଷାପ୍ରତି ଚିନ୍ତା ବି ନାହିଁ କିମ୍ବା ସାମ୍ବିଧାନିକ ଅଧିକାରକୁ ଲାଗୁ କରି ଆଦିବାସୀମାନଙ୍କୁ ନ୍ୟାୟ ଦେବାକୁ କୌଣସି ଉଦ୍ୟମ ନାହିଁ, ବିଚାର ନାହିଁ । କିମ୍ବା ପ୍ରଶାସନକୁ କୌଣସି ନିର୍ଦ୍ଦେଶ ନାହିଁ । ସରକାର ବଦଳିଲା କିନ୍ତୁ ଚରିତ୍ର ବଦଳିଲା ନାହିଁ । ବରଂ ପ୍ରତିଦିନ ଦେଶର ରାଷ୍ଟ୍ରୀୟ ସମ୍ପଦ ଓ ପ୍ରାକୃତିକ ସମ୍ପଦଗୁଡ଼ିକୁ ଘରୋଇ ଦେଶୀ-ବିଦେଶୀ ବହୁରାଷ୍ଟ୍ରୀୟ କଂପାନୀ ହାତକୁ ହସ୍ତାନ୍ତର କରି ଚାଲିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ସରକାର ଓ ଏବେ ନିଜେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିୟନ୍ତ୍ରଣରେ ଚାଲୁଥିବା ଓଡ଼ିଶା ସରକାର ଅତିମାତ୍ରାରେ ସକ୍ରିୟ ହୋଇ ରାଜ୍ୟର ଖଣିଜ ସମ୍ପଦଗୁଡ଼ିକ କିପରି ଆଦାନୀ, ବେଦାନ୍ତ ଜିନ୍ଦଲ ପରି ବଡ଼ ବଡ଼ କର୍ପୋରେଟ୍ ଅଧୀନକୁ ହସ୍ତାନ୍ତର କରିବାକୁ ପ୍ରାଥମିକତା ଦେଇଛନ୍ତି । ଫଳରେ ବିକାଶ ନାମରେ ବିନାଶ ଅପରିହାର୍ଯ୍ୟ । ପରିଣାମ ରାଜ୍ୟ ନିକଟ ଭିବଷ୍ୟତରେ ସମ୍ବଳହୀନ ହୋଇଯିବ ।
ଆଜିର ଆହ୍ୱାନ ‘ଜଳବାୟୁ ନ୍ୟାୟ’ ଅତି ଜରୁରୀ । ଅର୍ଥାତ୍ ପ୍ରାକୃତିକ ସମ୍ବଳର ମାଲିକ ଆଦିବାସୀ ସମାଜ ସମ୍ବିଧାନର ନିଦେ୍ର୍ଦଶ ଅନୁଯାୟୀ । ସେ ଗୁଡ଼ିକର ସ୍ଥାୟିତ୍ୱ ଜଳବାୟୁ ପରିବର୍ତ୍ତନକୁ ଅଟକାଇ ପାରିବ ଓ ସର୍ବସାଧାରଣଙ୍କ ଜୀବନ ସୁରକ୍ଷାର କବଚ ହେଉଛି ସ୍ୱଚ୍ଛ ଜଳ, ଊର୍ବର ମାଟି ଓ ପ୍ରଦୂଷଣମୁକ୍ତ ବାୟୁ । ବିକାଶନାମରେ ଯେପରି ଫସିଲ ଫୁଏଲ ବ୍ୟବହାର କରି ଖଣିଜ ଦ୍ରବ୍ୟଭିତ୍ତିକ ପ୍ରଦୂଷଣକାରୀ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା କରାଯାଉଛି ତାହା ଦ୍ୱାରା ସ୍ଥାନୀୟ ପରିବେଶରୁ ବିଶ୍ୱ ପର୍ଯ୍ୟନ୍ତ ଉତ୍ତାପ ବୃଦ୍ଧି ହେଉଛି ପ୍ରଦୂଷଣ ତଥା ସବୁଜଗୃହବାଷ୍ପ ଦ୍ୱାରା ଧରିତ୍ରୀ ମା ଠିଆହୋଇଛି ଜଳନ୍ତା ନିଆଁ ଉପରେ । ଏହା ସାଙ୍ଗକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଳଉତ୍ସଗୁଡ଼ିକ ଲୋପ ପାଉଛି । ସବୁଜ ବନାନୀ ଅନ୍ତ ହେବା ପରେ ସାଧାରଣ ମଣିଷମାନଙ୍କ ଜୀବନ ଦୁର୍ବିସହ ହୋଇପଡୁଛି । ସେମାନଙ୍କ ବଞ୍ଚôବାର ଗ୍ୟାରେଣ୍ଟି ସମ୍ପୂର୍ଣ୍ଣ ହଜିଯାଉଛି । ଯଦି ଏପରି ପ୍ରକୃତିବିରୋଧୀ ଓ ମାଟିର ମଣିଷବିରୋଧୀ ବିକାଶ ନାମରେ ସମ୍ବଳ ଶେଷ ହୋଇଯିବା ପ୍ରକ୍ରିୟାକୁ ପ୍ରତିହତ କରାନଯାଏ, ତାହାହେଲେ ରାଜ୍ୟରେ ଆଞ୍ଚଳିକ ବିସମତା ସହ ବ୍ୟକ୍ତିଗତ ବ୍ୟାପକ ବୈଷମ୍ୟ ବୃଦ୍ଧିହେବା ସହ ନୂଆନୂଆ ଦାରିଦ୍ର୍ୟ ଅଞ୍ଚଳ ସୃଷ୍ଟିହେବ । ପ୍ରାକୃତିକ ସମ୍ପଦର ଶୂନ୍ୟତା ରାଜ୍ୟର କୃଷିକୁ ବିପର୍ଯ୍ୟସ୍ତ କରିବ । ରାଜ୍ୟର ତିନିଚତୁର୍ଥାଂଶ ଜନତାଙ୍କ ଆର୍ଥିକ ସଂକଟ ବଢ଼ିବ । ଆଦିବାସୀ-ଦଳିତ-ଛୋଟ ମଧ୍ୟମ ଚାଷୀଙ୍କ ଆୟ ହ୍ରାସହେବାକୁ ବାଧ୍ୟ ।
କେବଳ ମଧ୍ୟବିତ୍ତଙ୍କ ଓ କଂପାନୀ ମାଲିକମାନଙ୍କର ମୁନାଫା ପାଇଁ ବିକାଶିତ ଓଡ଼ିଶା ବା ବିକଶିତ ଭାରତ ପରିକଳ୍ପନା ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥା ପରିଣାମରୂପେ ବହୁଜନ ପ୍ରତି ଘାତକହେବାର ସମ୍ଭାବନା ବେଶୀ ।
ସରକାର, ପ୍ରଶାସନ ଓ ସମସ୍ତ ରାଜନୈତିକ ଦଳର ନେତୃମଣ୍ଡଳି ରାଜନୈତିକ ଦାୟିତ୍ୱବୋଧ ଦୃଷ୍ଟିରୁ ସହମତ ନହେଲେ ବି ରାଜ୍ୟର ପ୍ରକୃତିଦତ୍ତ ସଂପଦଗୁଡ଼ିକୁ ଶେଷ କରି ବିକାଶର ଧ୍ୱଜା ଉଡ଼ାଇବା କେତେ ନ୍ୟାୟସଙ୍ଗତ, କେତେ ଦୂରଦର୍ଶିତା, କେତେ ଯଥାର୍ଥତା ରହିଛି ବିଚାର କରିବାକୁ ପ୍ରସ୍ତୁତ ହେବେ କି?
ଗତ ୨୦୦୩ରୁ କୋରାପୁଟର ମାଳିପର୍ବତ ସୁରକ୍ଷା ପାଇଁ ସେମିଳିଗୁଡ଼ା ଅଞ୍ଚଳର ୪୪ଟି ଗ୍ରାମର ଆଦିବାସୀ ଦଳିତ ଗ୍ରାମବାସୀମାନେ ଗଣତାନ୍ତ୍ରିକ ଆନ୍ଦୋଳନ କରି ଆସୁଛନ୍ତି ବକ୍ସାଇଟ ଖଣିଖନନ ପ୍ରତିରୋଧରେ । ଏହା ଏକ ଛୋଟିଆ ସବୁଜ ପାହାଡ଼ ଯେଉଁଠି ତିରିଶରୁ ଉର୍ଦ୍ଧ ଚିରସ୍ରୋତା ଝରଣାର ସୃଷ୍ଟି ଯାହାକି କୋଲାବ ନଦୀକୁ ଜଳ ଦେଉଥିବାବେଳେ ଏକ କୃଷିଭିତ୍ତିକ ଅର୍ଥବ୍ୟବସ୍ଥା ପାଇଁ ସହାୟକ ହୋଇଛି । ଏହାର କୃଷିହେଉଛି ପନିପରିବା ଚାଷ । ଲୋକେ ଜଙ୍ଗଲ ସୃଷ୍ଟି କରିଛନ୍ତି ଯେଉଁଠି ଔଷଧୀୟ ବୃକ୍ଷଲତା ବିଦ୍ୟମାନ । ପାହାଡ଼ ଉପରେ ପାକୁଳିଦେବୀ ଆଦିବାସୀଙ୍କ ଆରାଧ୍ୟ ସ୍ଥଳି । ଏଠି ଖଣିଜ ସମ୍ପଦର ପରିମାଣ ଅତି କମ୍ । କିନ୍ତୁ ଏତକ ଶେଷ ହୋଇଗଲା ବେଳକୁ ସମସ୍ତ ଝରଣା ଅର୍ଥାତ୍ ଜଳଉତ୍ସଗୁଡ଼ିକର ଅକାଳ ମୃତ୍ୟୁ ହୋଇଯାଇ ଥିବ । ଏଠି ସଂଗ୍ରାମୀ ଜନତାଙ୍କ ପ୍ରଶ୍ନ ଆମର ଜୀବିକା ଜଳର ଉପଯୋଗିତା, ନଦୀର ଅଧିକାର ପ୍ରତି ସରକାରମାନେ କେବେ ଅଧ୍ୟୟନ ରିପୋର୍ଟ ତିଆର କରି ଲାଭ-କ୍ଷତିର ହିସାବ ଦେଖିଛନ୍ତି କି?
ସେହିପରି ଗ୍ରାମସଭାର ବିନାସମ୍ମତିରେ ରାଜ୍ୟରେ ୨୦୨୦ରେ କେନ୍ଦୁଝରର ସବୁଠାରୁ ବଡ଼ ଲୁହାପଥର ଖଣି-ଗନ୍ଧଲପଦା, କଳାହାଣ୍ଡିର କର୍ଲାପାଟ, ସୁନ୍ଦରଗଡ଼ ଜିଲ୍ଲାର ୬ଟି କୁଆଁରୀ ଜଙ୍ଗଲରେ ଲୁହା-ମାଙ୍ଗାନିଜ ପଥର ଖଣି ନିଲାମ କରି ଲିଜ୍ ଦିଆଯାଇଛି । ଗନ୍ଧଲପଦା ଜଙ୍ଗଲରେ ଆଠ ଲକ୍ଷରୁ ଉର୍ଦ୍ଧ ଶାଳଗଛ ଅଛି । ଏପରି ମୂଲ୍ୟବାନ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ପ୍ରତି ପ୍ରାଥମିକତା ଦେବା ଯଥାର୍ଥ ନୁହେଁ କି? ସେହିପରି ଗ୍ରାମସଭାର ବିନା ସମ୍ମତିରେ ୨୦୨୧-୨୨ରେ ରାୟଗଡ଼ା- ଜିଲ୍ଲାର କୁଟୁରମାଳି, ସିଜିମାଳି, ମାଲକାନାଗିରି ଜିଲ୍ଲାର ସିଉଲକୁପା, କତାମାଟେ ଓ ଉସକାଲବାଗ ଜଙ୍ଗଲରେ ଯଥାକ୍ରମେ ଟିଣ ଓ ଚୁନ ପଥର ଖଣି ଲିଜ ଦିଆଯାଇଛି ଆଦାନୀ, ବେଦାନ୍ତ-ଡାଲମିଆ ଓ କୌସ୍ତୁଭ କମ୍ପାନୀମାନଙ୍କୁ । ସିଜିମାଳିରେ ଖଣିଖନନ ପ୍ରକ୍ରିୟା ଆରମ୍ଭ କରିବାକୁ କମ୍ପାନୀ ଓ ପ୍ରଶାସନ ସକ୍ରିୟହୋଇ ବିରୋଧ କରୁଥିବା ଗ୍ରାମବାସୀମାନଙ୍କ ଉପରେ ପୋଲିସର ଦମନଲୀଳା, ମିଥ୍ୟା ମାମଲାରେ ଗିରଫ କରି ମାସ ମାସ ଧରି ଜେଲରେ ରଖାଯାଉଛି ସାମ୍ବିଧାନିକ ଅଧିକାର ସାବ୍ୟସ୍ତକରି ଗଣତାନ୍ତ୍ରିକ ଆନ୍ଦୋଳନରତ ଆଦିବାସୀ-ଦଳିତ କର୍ମକର୍ତ୍ତାମାନଙ୍କୁ । ସିଜିମାଳିର ଜଳପ୍ରପାତ, ଜଙ୍ଗଲଜାତ ଦ୍ରବ୍ୟ ଓ ମିଲେଟ ଉତ୍ପାଦନରୁ ମିଳୁଥିବା ନିରନ୍ତର ଜୀବିକା, ପ୍ରାକୃତିକ ପରିବେଶର ବାସସ୍ଥଳୀ, ସାମାଜିକ-ସାଂସ୍କୃତିକ ଜୀବନଶୈଳୀକୁ କବରଦେଇ ଖଣିଖନନ ନିଷ୍ପତ୍ତି କାହା ସ୍ୱାର୍ଥରେ? ମିଥ୍ୟା ଗ୍ରାମସଭା ଦେଖାଇ ଜଙ୍ଗଲ ଅନୁମତି ଓ ଏହାର ପ୍ରତିବାଦକୁ ଦମନ କରିବାକୁ ଯାଇ ମିଥ୍ୟା ମାମଲାରେ ଆନ୍ଦୋଳନ ସଂଗଠକମାନଙ୍କୁ ଜେଲଦଣ୍ଡ ଦେବାଦ୍ୱାରା ପେସା, ଜଙ୍ଗଲ ଅଧିକାର ଆଇନ ତଥା ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ଥିବା ନିର୍ଦ୍ଦେଶକୁ ଅବମାନନା କରାଯାଉଛି । ଏହା କଣ ବିକାଶ ନାମରେ ଗଣତାନ୍ତ୍ରିକ ଅଧିକାରକୁ ଛିନ୍ନ କରାଯାଉ ନାହିଁ କି? ସବୁଠାରୁ ବିଡ଼ମ୍ବନା କର୍ପୋରେଟ ସ୍ୱାର୍ଥ ପାଇ ପୋଲିସ ପ୍ରଶାସନର ଦମନମୂଳକ ବିଭିନ୍ନ ମିଥ୍ୟା ଅପରାଧ ମାମଲାଗୁଡ଼ିକର ଶୁଣାଣି ବେଳେ ବି·ରପତିମାନେ ବାସ୍ତବତାକୁ ଦୃଷ୍ଟି ନ ଦେଉ ପୋଲିସକୁ ଅଧିକ ବିଶ୍ୱାସକୁ ନେଇ ମା-ମାଟି-ମାଳିର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରୁଥିବା ବିନାଦୋଷରେ ଅଭିଯୁକ୍ତଙ୍କୁ ଜାମିନ ଅଧିକାରରୁ ବଞ୍ଚôତ କରୁଛନ୍ତି । ମାଲକାନାଗିରି ଜିଲ୍ଲାର କତାମାଟେ ଓ ଉସକାଲୁବାଗ ବିସ୍ତାର ଜଙ୍ଗଲ ସାବେରୀ ନଦୀକୂଳରେ ଶତାଧିକ ଗ୍ରାମର ଆଦିବାସୀମାନଙ୍କର ଜୀବନ-ଜୀବିକାପାଇଁ ପ୍ରକୃତିଦତ୍ତ ଦାନ । ଏଠି କେନ୍ଦୁପତ୍ର, ମହୁଲ, କାଜୁ, ଆମ୍ବ ପଣସ ଏପରି ଅନେକ ପ୍ରକାର ଫଳନ୍ତି ବୃକ୍ଷଥିବା ସହ ବିଭିନ୍ନ ପ୍ରକାର ଜଙ୍ଗଲଜାତ ଖାଦ୍ୟ ଦ୍ରବ୍ୟ ଉପଲବଧି ହେଉଛି । ସମତଳ ଜଙ୍ଗଲ । ଏହି ଜଙ୍ଗଲର ସ୍ଥାୟିତ୍ୱ ଅତି ଜରୁରୀ । ଖଣିଖନନ ଦ୍ୱାରା ଜଙ୍ଗଲ ଧ୍ୱଂସ ହେବ ପ୍ରାୟ ୫ହଜାର ଏକରରୁ ଅଧିକ । ଏହାର ଶେଷ ପରିଣାମ ସାବେରୀ ନଦୀ ପୋତି ହେବ ଓ ପ୍ରଦୂଷିତ ହେବ । ଖଣି ଖନନବେଳେ ବିସ୍ଫୋରଣ ଜନ-ଜୀବନକୁ ଦୁର୍ବିସହ କରିବ । କେନ୍ଦୁପତ୍ରରୁ କେବଳ ଗ୍ରାମବାସୀମାନେ ଜୀବିକା ପାଉନାହାନ୍ତି ଏହା ଦ୍ୱାରା ସରକାର ମଧ୍ୟ ରାଜସ୍ୱ ପାଉଛି । ଏଠି ଖଣି ଖନନ ଓ ସିମେଣ୍ଟ କାରଖାନ ଦ୍ୱାରା ବାୟୁମଣ୍ଡଳ ଧୂଳି ଓ ଧୂଆଁରେ ପ୍ରଦୂଷିତ ହେବ । ମାଲକାନ୍ଗିରି ଜିଲ୍ଲାରେ ଗତ ୬୦ବର୍ଷରେ ବହୁ ପରିମାଣର ଜଙ୍ଗଲଧ୍ୱଂସ ହୋଇଛି । ଏବେ ପୋଲାଭରମ୍ ଜଳଭଣ୍ଡାର ପ୍ରକଳ୍ପ ଦ୍ୱାରା ଅନେକ ଜଙ୍ଗଲ ସହ ଗ୍ରାମ ବୁଡ଼ିଯିବ । ତେଣୁ ପୁଣି ଜଙ୍ଗଲ ସମ୍ପଦକୁ ଶେଷ କରିଦେବା ନିଷ୍ପତ୍ତି ଜିଲ୍ଲାବାସୀଙ୍କ ପ୍ରତି ବିଶେଷକରି ଆଦିବାସୀଙ୍କ ବଞ୍ଚôବା ଅଧିକାର ପ୍ରତି ଆକ୍ରମଣ । ଭବିଷ୍ୟତ ପିଢ଼ି ପ୍ରତି ଅନ୍ୟାୟ । ଜଳବାୟୁ ନ୍ୟାୟରୁ ବଞ୍ଚôତ କରାଯାଉଛି ପ୍ରକୃତିସହ ଚଳି ଆସିଥିବା ଶହ ଶହ ବର୍ଷରୁ ଆଦିବାସୀ ସମାଜକୁ । ଏସବୁ ଅଞ୍ଚଳର ଆର୍ଥିକ, ପରିବେଶୀୟ ଓ ସାମାଜିକ ଜୀବନ ପାଇଁ ଜଙ୍ଗଲ ଓ ନଦୀର ଅବଦାନକୁ କେବେ ସରକାର, ପ୍ରଶାସନ ତଥା ନୀତି ନିର୍ଦ୍ଧାରକମାନେ ମୂଲ୍ୟାୟନ କରିଛନ୍ତି କି? ଯଦି ନାହିଁ, ଏବେ କରନ୍ତୁ ନୂଆ ସରକାରର ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଶାସନର ପ୍ରବକ୍ତା, ପ୍ରଶାସକ ଓ ନୀତିନିର୍ଦ୍ଧାରକମାନେ ।
ରାଜନୈତିକ ଦଳଗୁଡ଼ିକର ନେତୃମଣ୍ଡଳୀ ଏଥିପାଇଁ ସରକାର ସହ ଆଲୋଚନା କରିବାକୁ ଆତ୍ମସମୀକ୍ଷା କରନ୍ତୁ । ବିନା ବିଚାରରେ, ଅଜ୍ଞତାର ପରିଚୟ ଦେଇ ବିକାଶର ଅନ୍ଧପୁଟଳି ପରିଧାନ କରି କମ୍ପାନୀର ମୁନାଫା ପାଇଁ ଖଣିଲିଜ୍ ପ୍ରଦାନ ଦିଆଯାଉଛି ଓ ତାକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନ କିପରି ସ୍ଥାନୀୟ ଜନତାଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ କରୁଛି ତାର ଏକ ଜ୍ୱଳନ୍ତ ଉଦାହରଣ କୋରାପୁଟର ନନ୍ଦପୁର ତହସିଲ ଅନ୍ତର୍ଭୁକ୍ତ ବଳଦା ନାଗେଶ୍ୱରୀ ପାହାଡ଼ର ସୁରକ୍ଷା ଆନେ୍ଦାଳନ ପ୍ରତି ପ୍ରଶାସନର ଅଗଣତାନ୍ତ୍ରିକ ବ୍ୟବହାର ।
ଖଣିଖନନ ପାଇଁ ଗ୍ରାମସଭାର ଅନୁମତି ନଥିବାବେଳେ ପରିବେଶ-ମଂଜୁରୀ ନଥିବା ସତ୍ତ୍ୱେ ଆଦାନୀ କମ୍ପାନୀପାଇଁ ବକ୍ସାଇଟ୍ ପରିବହନ କରିବାକୁ ନାଗେଶ୍ୱରୀ ପାହାଡ଼କୁ ସ୍ୱତନ୍ତ୍ର ରେଳଲାଇନ୍ ନିର୍ମାଣ ପାଇଁ ସର୍ଭେ-କାମ ଆରମ୍ଭ କରିବାବେଳେ ଜଣେ ସ୍ଥାନୀୟ କଲେଜ ଛାତ୍ର ତାର ପ୍ରତିବାଦ କରିବାରୁ ତାକୁ ପୋଲିସ ଲାଠିମାଡ଼ରେ ଆହତକରି ଜେଲକୁ ପଠାଇ ଦେଲା । ପରିବେଶ ପାଇଁ ଜନଶୁଣାଣିରେ ଅଣାଯାଇଥିବା ଓ କେତେକ ସ୍ଥାନୀୟ ଦଲାଲଙ୍କୁ ପଛରେ ପକାଇ ହଜାର ହଜାର ପ୍ରଭାବିତ ଗ୍ରାମବାସୀ ବିଶେଷ କରି ନାରୀବାହିନୀଙ୍କ ପ୍ରବଳ ବିରୋଧକୁ ରେକର୍ଡ଼ ନ କରିବାପାଇଁ ଜନଶୁଣାଣି ପରିଚାଳନା କରୁଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଅଫିସର ଓ କୋରାପୁଟ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଶୁଣାଣି ସମ୍ପୂର୍ଣ୍ଣ ନ କରି ଅଧାରୁ ସଭାସ୍ଥଳ ଛାଡ଼ି ଚାଲିଗଲେ । ପରେ ଜନଶୁଣାଣି ସମ୍ପୂର୍ଣ୍ଣ ହୋଇଗଲା ବୋଲି ଗଣମାଧ୍ୟମକୁ ଜଣାଇଲେ । ମାର୍ଚ୍ଚ ୧୮ତାରିଖ ଦିନ ଏପରି ଅଗଣତାନ୍ତ୍ରିକ ଜନଶୁଣାଣିକୁ ପୁନଃ କରିବା ଦାବୀନେଇ ହଜାର ହଜାର ଆଦିବାସୀ ନନ୍ଦପୁର ତହସିଲଦାରଙ୍କୁ ଦାବୀପତ୍ର ଦେଲେ ଗଣବିକ୍ଷୋଭ ଜରିଆରେ । ବିକ୍ଷୋଭ ଶୋଭାଯାତ୍ରାରେ ଡାକବାଜି ଯନ୍ତ୍ର ବ୍ୟବହାର କରିବାକୁ ପୋଲିସ୍ ଓ ଉପଜିଳ୍ଲାପାଳ ମନା କରିଦେଲେ । ପ୍ରଚଣ୍ଡ ଖରାରେ ଜନସମାବେଶରେ ପିଇବା ପାଣି ଟ୍ୟାଙ୍କଟିଏ ରଖିବାକୁ ପ୍ରଶାସନ ଉଚିତ୍ ମନେ କଲା ନାହିଁ । ଏହା କଣ ମାନବିକ ଅଧିକାର ଉଲଂଘନ ନୁହଁ କି? ମୁଖ୍ୟମନ୍ତ୍ରୀ ଆଦିବାସୀ, ବିଧାୟକ ଆଦିବାସୀ, ତହସିଲଦାର ଆଦିବାସୀ ଓ ଜନତା ଆଦିବାସୀ ତଥାପି ଆଦିବାସୀଙ୍କ ଅଧିକାରର ଉପରେ ଆକ୍ରମଣ । ବଳଦା ନାଗେଶ୍ୱରୀ ପାହାଡ଼କୁ କାହିଁକି ମାରିବ? ଏହି ପାହାଡ଼ର ଶିଖର ସମତଳ ଭୂଇଁରେ ଆଦିବାସୀମାନଙ୍କ ଆରାଧ୍ୟଦେବୀ ନାଗେଶ୍ୱରୀ ଗୁମ୍ଫା ସାଂସ୍କୃତିକ ଓ ଧାର୍ମିକ ପବିତ୍ର ପରିଦର୍ଶନ ସ୍ଥୂଳ ରୂପେ ପରିଚିତ । ସେଠାରେ ଏକ ପୁଷ୍କରିଣୀ ରହିଛି ଯାହାକି କେବେ ଶୁଖେ ନାହିଁ । ତାର ଚାରିପାଖ ସବୁଜ ବନାନୀ । ଏହି ପାହାଡ଼ତଳେ ଜଲାପୁଟ ହ୍ରଦ ବା ଜଳଭଣ୍ଡାର ରହିଛି । ଏହି ପାହାଡ଼ର ନିର୍ଗତ ଚିରସ୍ରୋତା ମହୁଆମ୍ବ, ମୁଣ୍ଡରୀଭେଲା, ବଡ଼ ଝୋଲା, କଡ଼ିକାଝୋଲା, ଶ୍ରୀରାମ ଲଦି, ହାମିର ଝୋଲ, ଟାଇମଲ ଝୋଲ, ବନଝୋଲା, କଦମ ଝୋଲା, ପରି ଅନେକ ଝରଣାଗୁଡ଼ିକ ଗ୍ରାମବାସୀମାନଙ୍କ କୃଷି, ପିଇବା ପାଣିପାଇଁ ପ୍ରକୃତିର ଅବଦାନ । ଏହି ଜଳସ୍ରୋତଗୁଡ଼ିକ ଜଲାପୁଟ ଜଳଭଣ୍ଡାରକୁ ଜଳ ଯୋଗାଉଛନ୍ତି ।
ଏହି ପାହାଡ଼ରେ ଲୋକଙ୍କୁ ଖାଦ୍ୟ ସୁରକ୍ଷା ତଥା ଜୀବିକା ପାଇଁ ସହାୟକ ହେଉଛି ହଜାର ହଜାର ଫଳନ୍ତି ଗଛ, ଆମ୍ବ, ପଣସ, ତେନ୍ତୁଳି, ପିଜୁଳି, ଖଜୁର. ଚାରକୋଳି, ଡୁମରି, ଅଁଳା, ଭୂଇଁପଣସ ପ୍ରଭୃତି ସ୍ଥାନୀୟ ଲୋକଙ୍କ ଅନୁଯାୟୀ ପ୍ରାୟ ୧୧୬ପ୍ରକାରର ଗଛ । ଅନେକ ଔଷଧୀୟ-ବୃକ୍ଷଲତା ଚଅଁର, ମାଇକନ୍ଦା, ପିତାକନ୍ଦା, କରତିଶାଗ, ପାତାଳ ଗରୁଡ଼, ବେତଜଲା, ଅପାମାରଙ୍ଗ, ହାଡ଼ ଶିକୁଲ, ବହୁଜାତୀୟ ଶାଗ, ଶିଆଳିପତ୍ର ଇତ୍ୟାଦି ଅଞ୍ଚଳବାସୀମାନଙ୍କ ବ୍ୟବହାର ପାଇଁ ଅତ୍ୟନ୍ତ ମୂଲ୍ୟବାନ ଓ ଜୈବ ବିବିଧତାପୂର୍ଣ୍ଣ ସବୁଜ ବନାନୀ ମାନବସମାଜ ପାଇଁ ଅତି ଜରୁରୀ । ଏହି ଅଞ୍ଚଳର ପାଞ୍ଚ ଗ୍ରାମପଞ୍ଚାୟତ ଭେଦା, ବାଡ଼େଲ, ଅତଣ୍ଡା, କୁଲାବିର, ବାଲତାର ବିଭିନ୍ନ ଗ୍ରାମର ପଶୁସମ୍ପଦ ଗାଈ, ଗୋରୁ, ଛେଳି ମେଣ୍ଢାଙ୍କ ଚାରଣ ଛେଳି, ଗାଈ ରହିଛି ଯାହାକି ଗ୍ରାମ୍ୟ ଅର୍ଥବ୍ୟବସ୍ଥାର ଏକ ପ୍ରମୁଖ ଅଂଶ । ଜଙ୍ଗଲରେ ବାସକରନ୍ତି ଭାଲୁ, ଡଙ୍ଗର ବାରିହା, ଚିତାବାଘ, ଠେକୁଆ, କାଢ଼ା, ଅନୁ କାଲିଆ, ସାଲିମ, ଡୁଇକା, ମୁଙ୍ଗି, ଚିତିଲ, ମଲୁଆ, କାଲିଆ । ସେହିପରି ପକ୍ଷୀମାନଙ୍କ ମଧ୍ୟରେ ମୁନତୁର, ଡଙ୍ଗର କୁକୁଡ଼ା, ରୁକୁ ଚଢ଼େଇ କୁଆ, ପାଣ୍ଡକା, ଗୁଣ୍ଡି୍ର ଚଢ଼େଇ, ରାମ ଚଢ଼େଇ, ଗଧ, ଜେଟିଆ, କଛ, କୋଇଲି, ପତଙ୍ଗ, ଗଣ୍ଡି ପରି ଅନେକ ପ୍ରଜାତି ଦେଖିବାକୁ ମିଳୁଛି । ସରୀସୃପ ମଧ୍ୟ ଏଠାର ବାସିନ୍ଦା । ଜଙ୍ଗଲଜମିରେ କେଡ଼ଜିନା, କାଙ୍ଗୁ, କାଲଡ଼, ଡୁମା କାଲତ, ବଟାସେମି, ଅଳସି, ମାଣ୍ଡିଆ, ସୁଆଁ କାନ୍ଦୁରେ ବିରି, ଡଙ୍ଗାସାନି ପରି ମିଲେଟ୍ ଉତ୍ପାଦନ କରିବା ସହ ପନିପରିବା ଚାଷ ବି କରନ୍ତି ଗ୍ରାମବାସୀ ।
ଏହି ପାହାଡ଼ର ନାଗେଶ୍ୱରୀ ଗୁମ୍ଫାସ୍ଥଳରେ ବିହନ ପର୍ବ, ଚୈତ୍ରପର୍ବରେ ହଜାର ହଜାର ଆଦିବାସୀ ପୂଜା କରନ୍ତି । ଏହି ଅଞ୍ଚଳର ଗ୍ରାମମାନଙ୍କରେ ମଧ୍ୟ ବିଭିନ୍ନ ଦେବୀ-ଦେବତାଙ୍କୁ ପୂଜା କରାଯାଏ । ଆଦିବାସୀମାନଙ୍କ ପୂଜା ପ୍ରକୃତି ପୂଜା । ସେମାନଙ୍କ ସାଂସ୍କୃତିକ ପରମ୍ପରା ପ୍ରାକୃତିକ ସମ୍ପଦ ସହ ସମ୍ପର୍କିତ । ତେଣୁ ଏସବୁ ପାହାଡ଼, ଝରଣା, ବୃକ୍ଷଲତା, ମାଟି ସେମାନଙ୍କ ସାମାଜିକ-ସାଂସ୍କୃତିକ ଓ ଆର୍ଥିକ ଜୀବନପାଇଁ ରକ୍ଷାକବଚ ।
ଏହି ପାହାଡ଼ର ବକ୍ସାଇଟ୍ ଖନନକରି ଶେଷ କରିଦେବା ପରେ ଝରଣା ଶୁଖିଯିବ, ସବୁଜବନାନୀର କ୍ଷୟ ଅନିବାର୍ଯ୍ୟ ଓ ଜଲାପୁଟ ହ୍ରଦ ପୋତି ହେବା ସହ ପ୍ରଦୂଷିତ ହେବ । ଏଠି ଖଣି ଶେଷ ହୋଇଯିବ ମାତ୍ର ୧୦ବର୍ଷ ମଧ୍ୟରେ । ରାଜ୍ୟ ସରକାର ରୟାଲଟି-ପାଇବେ ଟନ୍ ପିଛା ମାତ୍ର ଚାରିଶତ ଟଙ୍କା । କିନ୍ତୁ କମ୍ପାନୀ ପାଇବ ମୁନାଫା ଦୁଇହଜାର ଟଙ୍କା । ସବୁଦିନ ପାଇଁ ପାହାଡ଼ର ପ୍ରାକୃତିକ ସମ୍ପଦ ସହ ପୂଜାସ୍ଥଳି ଲୋପ ହୋଇଯିବ । ଏହି ପାହାଡ଼କୁ ସବୁଦିନ ହରାଇବା କ’ଣ ଏତେ ଜରୁରୀ? କାହିଁକି ପାଗଳାମି? କାହିଁକି ଅବିଚାରିତ ଖଣି ଲିଜ୍ ପ୍ରଦାନ? ବିକାଶ ନାମରେ ଆଦିବାସୀଙ୍କ ଜୀବନ-ଜୀବିକା ସହ ଭବିଷ୍ୟତ ବଂଶଧରଙ୍କ ଅଧିକରକୁ ମାରିଦେବା କ’ଣ ସରକାର ପାଖରେ କ୍ଷମତା ଅଛି କି? ସମ୍ବିଧାନ ଦେଉଛି ପ୍ରାକୃତିକ ସମ୍ପଦର ମାଲିକାନା ଆଦିବାସୀ ସମାଜକୁ । ତାହା ବି ଭବିଷ୍ୟତ ପାଇଁ ସଂରକ୍ଷଣ ରହିବାକୁ । ନିୟମଗିରି ପାଇଁ ସୁପ୍ରିମକୋର୍ଟର ଐତିହାସିକ ରାୟ ରାଜ୍ୟ ଓ ଦେଶର ସମସ୍ତ ଜଙ୍ଗଲବାସୀ ଓ ଆଦିବାସୀମାନଙ୍କ ପାଇଁ ଲାଗୁକରିବା ସରକାରମାନଙ୍କ ସାମ୍ବିଧାନିକ କର୍ତ୍ତବ୍ୟ । କିନ୍ତୁ କର୍ପୋରେଟ୍ ସ୍ୱାର୍ଥରେ ଏ ସବୁକୁ ଅବମାନନା କରାଯାଉଛି ।
କର୍ଲାପାଟରୁ ଆରମ୍ଭ କରି ସେରୁବଦ୍ଧ, ବଳଡ଼ା ପର୍ଯ୍ୟନ୍ତ କେବଳ ସୀମିତ ନୁହଁ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଗତି (Pro-Active Governance And Timely Inplementationg-PRAGATI) ଜରିଆରେ ରାଜ୍ୟ ମୁଖ୍ୟସଚିବଙ୍କୁ ନିଦେ୍ର୍ଦଶ ଆସୁଛି ସମସ୍ତପ୍ରକାର ଆଇନଗତ ପ୍ରତିବନ୍ଧକଗୁଡ଼ିକୁ ଏଡ଼ାଇ କର୍ପୋରେଟ୍ମାନଙ୍କ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଜମି-ଜଙ୍ଗଲ-ଖଣିପାଇଁ ବାଟ ସଫା କରାଯାଉ ବିନା ବିଳମ୍ବରେ । ଅର୍ଥାତ୍ ସାମ୍ବିଧାନିକ ବ୍ୟବସ୍ଥା ସମେତ ଜଙ୍ଗଲ ଅଧିକାର ଆଇନ ପରି ଅନେକ ଜଙ୍ଗଲ ସଂରକ୍ଷଣ, ଜଙ୍ଗଲ ଅଧିକାର ଆଇନ, ପେସାରେ ଥିବା ଗ୍ରାମସଭା ଅଧିକାରଗୁଡ଼ିକୁ ପ୍ରଶାସନ ଖାତିର ନକରି ପ୍ରାକୃତିକ ସମ୍ବଳ ହସ୍ତାନ୍ତର ପ୍ରକ୍ରିୟାକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରି ଆଣିବାଫଳରେ ଓଡ଼ିଶା ପରି ରାଜ୍ୟର ପ୍ରଧାନମନ୍ତ୍ରୀଙ୍କ ମନୋନୀତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ଶାସନ ପଶ୍ଚିମଓଡ଼ିଶାର ଗନ୍ଧମାର୍ଦ୍ଦନ ସମେତ କାଶୀପୁରର ଶାଶୁବୋହୂମାଳି, କୋରାପୁଟର ଦେଓମାଳି, କଳାହାଣ୍ଡିର ଖଣ୍ଡୁଆଳମାଳିକୁ ଆସନ୍ତା ଦିନମାନଙ୍କରେ କର୍ପୋରେଟ୍ ହାତରେ ସମର୍ପଣ କରିବାର ସମ୍ଭାବନା ରହିଛି । ଏସବୁରୁ ବକ୍ସାଇଟ୍ ଶେଷ ହୋଇଗଲା ପରେ ଦକ୍ଷିଣ ଓ ପଶ୍ଚିମଓଡ଼ିଶାର ସବୁଜ ଜଙ୍ଗଲବଳୟ ରୁଗଣ ହୋଇଯିବା ସହ ଜଳଉତ୍ସଗୁଡ଼ିକ ଶୁଷ୍କ ହେବାପରେ ନଦୀଗୁଡ଼ିକ ମୃତ୍ୟୁର ଶିକାର ହେବେ । ଏବେ କାଶୀପୁର ବାଫଲିମାଳି, କୋରାପୁଟ ପଞ୍ଚପଟମାଳି ଓ କୋଡ଼ିଙ୍ଗାମାଳିରେ ବକ୍ସାଇଟ୍ ଖନନଦ୍ୱାରା ଯେପରି ପ୍ରକୃତିକୁ ଅପ୍ରାକୃତିକକରଣ କରିବା ପ୍ରକ୍ରିୟାରେ ନଦୀ, ନାଳଗୁଡ଼ିକ ସମେତ କୃଷିକ୍ଷେତ୍ର ପ୍ରଦୂଷଣର ଶିକାର ହୋଇଛନ୍ତି ଓ ଜନଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ତାର ଅଧ୍ୟୟନରୁ ସତର୍କତା ଅବଲମ୍ବନ କରିବା ସମୟ ଆସିଛି । ସେହିପରି କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ଖଣି ଖନନ ଓ ପ୍ରଦୂଷଣକାରୀ ଖଣିଭିତ୍ତିକ ଶିଳ୍ପାୟନ ଯେପରି ପ୍ରକୃତି ଉପରେ ଅତ୍ୟାଚାର କରିଚାଲିଛି, ଏହାଦ୍ୱାରା ସେହି ଜିଲ୍ଲାଗୁଡ଼ିକର ପରିବେଶୀୟ ବିପର୍ଯ୍ୟୟ ସାଧାରଣ ଜନଜୀବନର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲିଦେଇଛି । ସେହି ଜିଲ୍ଲାମାନଙ୍କର ଉତ୍କଟ ପ୍ରଦୂଷଣ (Critical Pollution)ର ପ୍ରତିକାର ପାଇଁ ଜଳବାୟୁ ନ୍ୟାୟ ଆଧାରରେ ବିଜ୍ଞାନସମ୍ମତ କାର୍ଯ୍ୟାନୁଷ୍ଠାନ ସହ ଖଣି ଖନନ ଉପରେ ନିଷେଧ ଜାରିହେବା ଏକାନ୍ତ ପ୍ରୟୋଜନ । କିନ୍ତୁ ସରକାର ଯେଉଁ ଦଳର ହେଉନା କାହିଁକି ଏଥିପ୍ରତି ଚିନ୍ତାନାହିଁ କି ନୀତିଗତ ଯୋଜନା ନାହିଁ ।
ସେଇଥିପାଇଁ ରାଜନୈତିକ ଦଳମାନଙ୍କ ଆଦର୍ଶଗତ ବିଚାରରେ ସ୍ଥାନ ଦେଖାଯାଉ ନାହିଁ । ତେଣୁ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ସହ ଯୋଡ଼ି ହୋଇଥିବା ଆଦିବାସୀ ସମେତ ବହୁଜନଙ୍କ ଜୀବିକା ସୁରକ୍ଷା ପାଇଁ ପ୍ରାକୃତିକ ସମ୍ପଦର ସୀମିତ ସଦ୍ବିନିଯୋଗ ପାଇଁ ରାଷ୍ଟ୍ରୀୟ ସ୍ତରରେ ନିରନ୍ତର ବିକାଶ ଆଧାରିତ ନୀତିର ଆବଶ୍ୟକତା ରହିଛି ।
ରାଜ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ତାଳଚେର ଅଞ୍ଚଳରେ କୋଇଲା ଖନନ ସହ ତାପଜ ବିଦ୍ୟୁତ ପ୍ରକଳ୍ପଦ୍ୱାରା ଅକଥନୀୟ ପ୍ରଦୂଷଣର ଶିକାର ହେଉଛନ୍ତି ସ୍ଥାନୀୟ ଜନତା । ଏହାସହ ଜମି ଜଙ୍ଗଲ ମଧ୍ୟ ନଷ୍ଟ ହୋଇଛି । ଯେତେବେଳେ ବିଶ୍ୱ ତାପବୃଦ୍ଧି କମାଇବା ପାଇଁ ପ୍ୟାରିସ ଚୁକ୍ତି ଅନୁଯାୟୀ ଭାରତରେ ମଧ୍ୟ ନୂଆ ତାପଜ ପ୍ରକଳ୍ପ ପ୍ରତିଷ୍ଠାନ କରିବା ପାଇଁ ହୋଇଥିଲା, କିନ୍ତୁ ଅଧିକସଂଖ୍ୟାରେ ପ୍ରକଳ୍ପ ନିର୍ମାଣପାଇଁ ଘରୋଇ କଂପାନୀମାନଙ୍କୁ କୋଇଲାଖଣି ଲିଜ୍ ଦିଆଚାଲିଛି । ଏପରିକି କେନ୍ଦ୍ର ସରକାର ଖୋଲା ବଜାରରେ ବିକ୍ରି କରିବାପାଇଁ କୋଇଲା ଖଣିଜ ସମ୍ପଦକୁ ଘରୋଇ କମ୍ପାନୀ ହାତକୁ ହସ୍ତାନ୍ତର କରିଚାଲିଛି । ଓଡ଼ିଶାରେ ଆଉ ଗୋଟିଏ ଖଣି ନିଲାମ ହୋଇ ଲିଜ୍ ଦିଆସରିଛି ଅନୁଗୁଳ ଜିଲ୍ଲା ଓ ଗୋଟିଏ ଝାରସୁଗୁଡ଼ାର ଲଖନପୁରରେ । ଏହାଦ୍ୱାରା କୃଷି ଜମି ଓ ଜଙ୍ଗଲର ୩୩ ହଜାର ଏକର ଅଧିଗୃହୀତ ହୋଇଯିବା ପରେ ହଜାରହଜାର ଗ୍ରାମବାସୀ ନିଜ ଜୀବିକା ହରାଇବାକୁ ଯାଉଛନ୍ତି । ପୁଣି ଅନେକ ଗ୍ରାମ ବିସ୍ଥାପିତ ହେବ । ଅନେକ ଗ୍ରାମର ଜନତା ଖଣି ଖନନଦ୍ୱାରା ପ୍ରଦୂଷଣର ବଳୟ ଭିତରେ ରହିବାକୁ ବାଧ୍ୟହେବେ । ପୁଣି ୨୧ଟି ଖଣି ଲିଜ୍ ଦେବାକୁ ନିଷ୍ପତ୍ତି ହୋଇଛି । ଆମ ରାଜ୍ୟର କୃଷି ଓ ଜଙ୍ଗଲକୁ ମାରିଦେଇ ଲୋକଙ୍କୁ ଜୀବିକାରୁ ବଞ୍ଚିତ କରି କୋଇଲା ଖଣିଖନନ କରାଯାଉଛି ଆଦାନୀପରି କେତେକ କଂପାନୀ ହାତରେ ପ୍ରାକୃତିକ ସମ୍ପଦର ଠୁଳୀକରଣ ଓ ମୁନାଫା ପଇଁ । ରାଜ୍ୟ ସରକାର ଓ ରାଜନୈତିକ ଦଳଗୁଡ଼ିକ ଅନ୍ତତଃ ଏପରି ବିନାଶକାରୀ ଖଣି ଖନନର ଯଥାର୍ଥତା ନେଇ ସମୀକ୍ଷା କରିବା ଏକାନ୍ତ ଜରୁରୀ ।
ରାଜ୍ୟସ୍ତରରେ ପ୍ରାକୃତିକ ସମ୍ପଦର ସୁରକ୍ଷାପାଇଁ ଜନଜାତି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପଞ୍ଚମ ଅନୁଚ୍ଛେଦରେ ଥିବା ଅଧିକାରକୁ ଗ୍ରାମସଭାର ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ସଶକ୍ତ କରିବା ପାଇଁ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ଥିବା ସ୍ୱୟଂଚାଳିତ ଜିଲ୍ଲା କାଉନସିଲ (Autonomous District Council) ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟର ଆଦିବାସୀ ସମାଜ ଦାବୀ ଉଠାଇବା ଜରୁରୀ । ଏଥିପାଇଁ ସଂଗଠିତ ଜନଆନ୍ଦୋଳନର ଆବଶ୍ୟକତା ଏକାନ୍ତ କାମ୍ୟ ।
ସାମ୍ବିଧାନିକ ବ୍ୟବସ୍ଥା ରହିଛି ଭବିଷ୍ୟତ ପିଢ଼ି ପାଇଁ ଆମର ପ୍ରାକୃତିକ ସମ୍ପଦଗୁଡ଼ିକର ସଂରକ୍ଷଣ କରିବା ରାଷ୍ଟ୍ରର ଦାୟିତ୍ୱ ଯାହାକି ରାଷ୍ଟ୍ର ନୀତି ନିର୍ଦ୍ଦେଶାବଳୀ (Directive Principles of State policy) ଧାରା ୪୮ରେ ନିର୍ଦ୍ଦେଶ ରହିଛି । ସେହିପରି ଧାରା ୫୧(ଜି)ରେ – ରହିଛି ପ୍ରାକୃତିକ ସୁରକ୍ଷା ପାଇଁ ନାଗରିକ କର୍ତ୍ତବ୍ୟ । ସେହିପରି ସମ୍ବିଧାନର ଧାରା ୩୯ରେ ନିର୍ଦ୍ଦେଶ ଅଛି ପ୍ରାକୃତିକ ସମ୍ପଦ କୌଣସି ବ୍ୟକ୍ତି ସଂସ୍ଥା ବା କମ୍ପାନୀ ହାତରେ ଠୁଳୀକରଣ କରାଯିବ ନାହିଁ । ଏହାର ବ୍ୟବହାର ସମତାଭିତ୍ତିର ବିନିଯୋଗ ପାଇଁ କୁହାଯାଇଛି । ଅର୍ଥାତ ରାଷ୍ଟ୍ରର ଆର୍ଥିକ ବିକାଶ ନୀତିନିୟମ ଏହି ନିଦେ୍ର୍ଦଶାବଳୀ ଅନୁଯାୟୀ ହେବା ଆବଶ୍ୟକ । କିନ୍ତୁ ସମ୍ବିଧାନର ବିରୋଧରେ ଆମଦେଶର ଅର୍ଥବ୍ୟବସ୍ଥା ପରବର୍ତ୍ତିତ ହୋଇଛି ଯାହାଦ୍ୱାରା ପ୍ରାକୃତିକ ସମ୍ପଦ ଓ ରାଷ୍ଟ୍ରାୟତ୍ତ ପ୍ରକଳ୍ପ ତଥା ସମ୍ବଳଗୁଡ଼ିକୁ କେତେକ ନିର୍ଦ୍ଦିଷ୍ଟ ବଡ଼ ବଡ଼ କର୍ପୋରେଟ୍ ହାତରେ ଅର୍ଥାତ୍ ପୁଞ୍ଜିପତିଙ୍କ ମାଲିକାନାକୁ ହସ୍ତାନ୍ତର କରାଯାଉଛି । ଏହାଦ୍ୱାରା ଜଳବାୟୁ ପରିବର୍ତ୍ତନ ବୃଦ୍ଧିପାଉଛି ଯାହାକି ଜଳବାୟୁ ନ୍ୟାୟରୁ ସାଧାରଣ ଜନତା ବଞ୍ଚôତ ହେବା ସହ ଆର୍ଥିକ ବୈଷମ୍ୟ ବୃଦ୍ଧିହେବାରେ ଲାଗିଛି । ତେଣୁ ଓଡ଼ିଶାର ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଚଲିଥିବା ଗଣତାନ୍ତ୍ରିକ ଜନଆନେ୍ଦାଳନଗୁଡ଼ିକୁ ସହଯୋଗ ସମର୍ଥନ ଦେବାପାଇଁ ସଚେତନ ନାଗରିକମାନଙ୍କ ସାମ୍ବିଧାନିକ କର୍ତ୍ତବ୍ୟ । ଯେଉଁ ପ୍ରଗତିଶୀଳ ରାଜନୈତିକ ଦଳଗୁଡ଼ିକର ପୁଞ୍ଜିବାଦ, ଜଗତୀକରଣ ଓ ବଜାରବାଦ ବିରୋଧରେ ସମାଜବାଦୀ ତଥା ଜନବାଦୀ ଅର୍ଥବ୍ୟବସ୍ଥା ପାଇଁ ନୀତିଗତ ଇସ୍ତାହାର ଅଛି ସେହି ଦଳଗୁଡ଼ିକର ନେତୃମଣ୍ଡଳୀ ତୃଣମୂଳ ସ୍ତରରେ ମା-ମାଟି ମାଳିପାଇଁ ସଂଗ୍ରାମରତ ଜନତାଙ୍କୁ ସହଯୋଗ ଦେଇ ରାଷ୍ଟ୍ରୀୟସ୍ତରରେ କର୍ପୋରେଟ୍ ଲୁଟକରଣ ବିକାଶ ନୀତି ବିରୋଧରେ ଜନଆନ୍ଦୋଳନକୁ ବ୍ୟାପକ କରିବାପାଇଁ ମିଳିତ ରାଜନୈତିକ କାର୍ଯ୍ୟକ୍ରମର ଆବଶ୍ୟକତାକୁ ଉପଲବଧି କରିବା ସମୟ ଆସିଛି ।
contact – ୯୪୩୭୨୫୯୦୦୫ //psamantara@rediffmail.com
Comments
0 comments