ଭାରତର ଆତ୍ମା ରହିଛି ତା ଗାଁରେ । ଏଣୁ ଗ୍ରାମସ୍ୱରାଜ ବ୍ୟତିରେକ ଭାରତର ସ୍ୱରାଜ ଅସମ୍ପୂର୍ଣ୍ଣ । ଏହିକଥା ଗାନ୍ଧିଜୀ ବାରମ୍ବାର କହି ଯାଇଛନ୍ତି । ଗ୍ରାମସ୍ୱରାଜ ଆନ୍ଦୋଳନ ମାଧ୍ୟମରେ ଗ୍ରାମରାଜ ପ୍ରତିଷ୍ଠିତ ହୋଇଥାନ୍ତା । ଏହା ଯଥାସମ୍ଭବ ସ୍ୱୟଂଶାସିତ, ସ୍ୱୟଂସମ୍ପୂର୍ଣ୍ଣ ବିକେନ୍ଦ୍ରୀତ ଗୋଷ୍ଠୀସମାଜ ନିର୍ମାଣ ମାଧ୍ୟମରେ ହୋଇଥାନ୍ତା ଭାରତରେ ଗ୍ରାମରାଜର ପ୍ରତିଷ୍ଠା । ଗାନ୍ଧିଜୀଙ୍କ ଅକାଳ ନିଧନ ପରେ ଭୂପତିତ ସେହି ମଶାଲକୁ ଉଠାଇ ନେଇଥିଲେ ବିନୋବାଜୀ । ପରବର୍ତ୍ତୀ କାଳରେ ଜୟପ୍ରକାଶଜୀ ନିର୍ବାଚନ ରାଜନୀତିରୁ ଓହରି ଯାଇ ବିନୋବାଜୀଙ୍କ ସହିତ ଯୋଗ ଦେଇଥିଲେ । ବିନୋବା ପ୍ରବର୍ତ୍ତିତ ସର୍ବୋଦୟ ଆନ୍ଦୋଳନ ଗ୍ରାମଦାନ ମାଧ୍ୟମରେ ଗାନ୍ଧିଜୀଙ୍କ ଗ୍ରାମରାଜ ପରିକଳ୍ପନାକୁ କାର୍ଯ୍ୟକାରୀ କରିବାପାଇଁ ଚେଷ୍ଟିତ ହେଲେ । ଏସବୁ ଭିନ୍ନ ଏହା ଏକ ଆଲୋଚନାର ବିଷୟବସ୍ତୁ ହୋଇପାରେ ।
ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ଏବଂ ବିଶେଷକରି ଏହାର ଏକ ଗ୍ରାମଦାନୀ ଗ୍ରାମ ମେଣ୍ଡା, ଗ୍ରାମସ୍ୱରାଜ ପରିକଳ୍ପନାର ଯେପରି ଏକ ସମ୍ପର୍କ ରୂପାୟନ କରିପାରିଛି ତାହା କେବଳ ଭାରତ ନୁହେଁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସମାଜସେବୀ ଓ ସମାଜବିଜ୍ଞାନୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଗ୍ରାମ ସ୍ୱରାଜର ଏକ ଅନନ୍ୟ ପ୍ରୟୋଗ ମେଣ୍ଡା ଗ୍ରାମ ସମ୍ପର୍କରେ ଆମେ ପୂର୍ବରୁ ଅନେକ କିଛି ଶୁଣିବାକୁ ପାଇଥିଲୁ । ମନରେ କୌତୁହଳ ଥିଲା ଏହି ଗ୍ରାମର ପ୍ରତ୍ୟକ୍ଷ ଅନୁଭୂତି ପାଇଁ । ଏହି ସମୟରେ ବିଶିଷ୍ଟ ଗାନ୍ଧିବାଦୀ କବି ଶୈଳଜ ରବିଙ୍କ ପ୍ରେରଣା ଆମେ ଦୁଇଜଣ ଗ୍ରାମସ୍ୱରାଜର ଅସଲ ଅନୁଭବ ପାଇଁ ଭାରତବର୍ଷର ଏକ ଗ୍ରାମଦାନୀ ଗ୍ରାମ ମେଣ୍ଡା ପରିଦର୍ଶନର ସୁଯୋଗ ପାଇଲୁ । ଗତ ମାର୍ଚ୍ଚ ୧୩ତାରିଖରେ କଟକ ରେଳଷ୍ଟେସନରୁ ମେଣ୍ଡା ଅଭିମୁଖେ ଆମର ଯାତ୍ରା ଆରମ୍ଭ ହେଲା । ଏଥିପାଇଁ ଆମର ଅନେକ ଉତ୍ସାହ ଥିଲେ ମଧ୍ୟ ମନ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ଟ୍ରେନରେ ବସି ଯାଉଥିବା ବେଳେ ଆମ ଦୁଇଜଣଙ୍କ ମଧ୍ୟରେ ଗ୍ରାମଦାନ, ଗ୍ରାମ ସ୍ୱରାଜର ପ୍ରତିଛବି ମେଣ୍ଡା ଗ୍ରାମକୁ ନେଇ ଅନେକ କଳ୍ପନାଜଳ୍ପନା, ଯୁକ୍ତିତର୍କ, ଅନେକ ଅସମାହିତ ପ୍ରଶ୍ନ ଓ ସନେ୍ଦହକୁ ଆଲୋଚନା କରୁଥାଉ । ଗାନ୍ଧୀ ବିନୋବା ବିଚାରକୁ ପ୍ରତି ମୁହୂର୍ତ୍ତରେ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିବା ପୁଞ୍ଜିବାଦୀ ବ୍ୟବସ୍ଥା ଓ ତାର ଶାସକଗୋଷ୍ଠୀର ପଶୁ ପ୍ରବୃତ୍ତି ଦ୍ୱାରା ମେଣ୍ଡା ଗ୍ରାମ କଣ କ୍ଷତବିକ୍ଷତ ହୋଇନଥିବ । ଏମିତି ଅନେକ ଅସମାହିତ ପ୍ରଶ୍ନକୁ ମାର୍ଚ୍ଚ ୧୪ ରାତି ତିନିଟାରେ ଆମେ ନାଗପୁର ଷ୍ଟେସନରେ ଓହ୍ଲାଇଥିଲୁ । ସକାଳ ହେବା ପର୍ଯ୍ୟନ୍ତ ଷ୍ଟେସନରେ ଅପେକ୍ଷା କରିବାକୁ ପଡିଲା । ବିଶ୍ରାମ ନେବା ଅବସରରେ ହଠାତ୍ ନାଗପୁର ରେଲୱେ ପୋଲିସର କଠୋର କଣ୍ଠସ୍ୱର ଶୁଣି ଆମର ନିଦ ଭାଙ୍ଗିଗଲା । ପୋଲିସ ଧମକ ଦେଇ କହିଲା ଏଠି ଶୋଇ ପାରିବ ନାହିଁ । ଶୋଇଲେ ତୁମଦୁହିଁଙ୍କୁ ପିଟିପିଟି ନେଇ ବାହାରେ ଛାଡ଼ିଦେବୁ । ପୋଲିସର ଏଭଳି ବ୍ୟବହାର ଆମପାଇଁ କିଛି ନୂଆ କଥା ନଥିଲା । ଆମେ ତାର ଉଚିତ ଜବାବ ଦେଲୁ । ପୋଲିସ ଆମକୁ ଛାଡ଼ି ଚାଲିଗଲା । ପୁନଶ୍ଚ ଆମେ ସେଠାରେ ସକାଳ ପର୍ଯ୍ୟନ୍ତ ନିଦ୍ରା ଗଲୁ ।
ହୋଲି ଉତ୍ସବପାଇଁ ଛୁଟିଦିନ ହୋଇଥିବାରୁ ଆମେ ଆମର ଗନ୍ତବ୍ୟ ସ୍ଥାନ କୁରଖେଡାକୁ କୌଣସି ସିଧାସଳଖ ବସ୍ ପାଇଲୁ ନାହିଁ । ଏଣୁ ସକାଳ ୯ ସମୟରେ ଆମେ ଆମର ନିତ୍ୟକର୍ମ ସାରି ନାଗପୁରରୁ ନାଗଭିଡ଼ ବସ୍ ଯୋଗେ, ନାଗଭିଡ଼ରୁ ୱାଡସା, ୱାଡସାରୁ କୁରଖେଡା ମାଟାଡୋର ଯାତ୍ରା କଲୁ । କୁରଖେଡାରେ ଡାକ୍ତର ସତୀଶ ଗୋଗୁଲୱାର ଆତିଥ୍ୟ ପ୍ରଦାନ କଲେ । ଡାକ୍ତର ସତୀଶ ଗୋଗୁଲୱାର ଜଣେ ନିଷ୍ଠାପର ସମାଜସେବୀ । ଆଦିବାସୀ କଲ୍ୟାଣ ନିମନ୍ତେ ତାଙ୍କର କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ । ସତୀଶ ବାବୁ ମେଣ୍ଡା ଗ୍ରାମରେ ଆମର ରହିବା ଖାଇବାର ବ୍ୟବସ୍ଥା କରାଇଦେଲେ । ୧୫ ମାର୍ଚ୍ଚରେ ସତୀଶ ବାବୁ ତାଙ୍କ ନିଜଗାଡ଼ିରେ ଆମକୁ ମେଣ୍ଡା ଗ୍ରାମକୁ ପଠାଇବାର ବ୍ୟବସ୍ଥା କଲେ ।
ଆମେ ଯେତେବେଳେ ମେଣ୍ଡା ଅଭିମୁଖେ ଯାତ୍ରା କରୁଥାଉ ଚାଲୁଥାଏ ଫଗୁଣର ମହୋତ୍ସବ । ରଙ୍ଗ ଅବିରର ହୋଲିଖେଳରେ ମତୁଆଲା ହେଉଥାନ୍ତି ଆବାଳବୃଦ୍ଧବନିତା । ବସନ୍ତ ସ୍ପର୍ଶରେ ବିମୋହିତ ପ୍ରକୃତି । ମାଟି ଉପରୁ ଗଜୁରି ଉଠୁଥାଏ ନବ ପଲ୍ଲବିତ କେନ୍ଦୁଗଛ । ଶାଳ ପିଆଶାଳରେ ସୁଶୋଭିତ ହେଉଥାଏ ଅରଣ୍ୟର ଶୋଭା । ଶୁଖିଲା ପତ୍ର ଓ ମାଟି ଉପରେ ଟପା ଟପ ହୋଇ ଝରି ପଡୁଥାନ୍ତି ମହୁଲ ଫୁଲ । ମହୁଲ ଫୁଲର ବାସ୍ନାରେ ବାସ୍ନାୟିତ ହେଉଥାଏ ସମ୍ପୂର୍ଣ୍ଣ ବନଖଣ୍ଡ । ସମୟ ପ୍ରାୟ ମଧ୍ୟାହ୍ନ ୧ଘଟିକା । ଏହିଭଳି ଏକ ସମୟରେ ଆମେ ପହଞ୍ଚିଲୁ ବଣଜଙ୍ଗଲ ଘେରା ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲା ଅନ୍ତର୍ଗତ ମେଣ୍ଡା ଗ୍ରାମରେ । ମେଣ୍ଡା ଗ୍ରାମସଭା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା କ୍ଷଣି ଆମର ଦେଖାହୁଏ ମେଣ୍ଡା ଗ୍ରାମସଭାର ସର୍ବମୟକର୍ତ୍ତା ଶ୍ରୀ ଦେବାଜୀ ତୋଫା । ପହଞ୍ଚିବା ଦିନଠାରୁ ତିନିଦିନ ପର୍ଯ୍ୟନ୍ତ ପ୍ରାୟତଃ ଲଗାତାର ତାଙ୍କ ସହିତ ଆମର ପୂର୍ବ ଓ ବର୍ତ୍ତମାନରର ସ୍ଥିତି, ସ୍ଥାନୀୟ ଜନତାର ସଂଘର୍ଷ, ଗ୍ରାମସଭା ଓ ଗ୍ରାମଦାନୀ ହେଲାପରେ ମେଣ୍ଡାର ସଫଳତା ବିଷୟରେ ପଚାରି ବୁଝୁଥାଉ । ତାଙ୍କରି ପରାମର୍ଶରେ ସ୍ଥାନୀୟ ବାସିନ୍ଦା ଓ ଆଖପାଖର ଗ୍ରାମବାସୀଙ୍କଠାରୁ ବିଭିନ୍ନ ତଥ୍ୟସଂଗ୍ରହ କରିବା ସଙ୍ଗେସଙ୍ଗେ ବୁଝୁଥିଲୁ ମେଣ୍ଡା ଗ୍ରାମର ସଂଘର୍ଷ ଓ ସଫଳତାର କାହାଣୀ ସମ୍ପର୍କରେ ।
ମହାରାଷ୍ଟ୍ର ରାଜ୍ୟ ଅଧିନସ୍ଥ ଗଡଚିରୋଲି ଜିଲ୍ଲା ଅନ୍ତର୍ଗତ ଲେଖା ପଞ୍ଚାୟତରେ ରହିଛି ମେଣ୍ଡା ଗ୍ରାମ । ମେଣ୍ଡା ଗ୍ରାମର ସମସ୍ତ ବାସିନ୍ଦା ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟର । ପରିବାର ସଂଖ୍ୟା ୧୨୦ ଏବଂ ଜନସଂଖ୍ୟା ୫୦୦ । ଛୋଟିଆ ଆଦିବାସୀ ଗାଁଟିଏ ହେଲେ ମଧ୍ୟ ଗ୍ରାମଟି ନିଜର ସଶକ୍ତ ଗ୍ରାମସଭା, ଶତପ୍ରତିଶତ ଗ୍ରାମଦାନ, ଜଙ୍ଗଲ ମାଲିକାନା ପାଇଁ ଭାରତବର୍ଷ ରେ ପ୍ରସିଦ୍ଧି ଲାଭ କରିଛି ।
ଭାରତ ସରକାରଙ୍କ ପେଶା (PESA) ନିୟମ ୧୯୯୬ ଏବଂ ବନ ଅଧିକାର ନିୟମ ୨୦୦୬ ଅନୁଯାୟୀ ମେଣ୍ଡା ଗ୍ରାମ କ୍ଷେତ୍ରଫଳର ୮୦ ଭାଗରେ ଥିବା ୧୮୦୦ ହେକ୍ଟର ଜଙ୍ଗଲ ଜମି, ଏପ୍ରିଲ ୨୦୧୧ରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ମେଣ୍ଡା ଗ୍ରାମବାସୀଙ୍କୁ ପ୍ରଦାନ କରାଗଲା । ସରକାରଙ୍କ ଗୋଷ୍ଠୀଗତ ଜଙ୍ଗଲ ଅଧିକାର (CFR) ନିୟମ କାର୍ଯ୍ୟକାରୀ ହେବାରେ ମେଣ୍ଡା ଗ୍ରାମ ଦେଶରେ ପ୍ରଥମ । ମେଣ୍ଡାଗ୍ରାମର ଆଦିବାସୀନେତା ଦେବାଜୀ ତୋଫା କୁହନ୍ତି ଯେତେବେଳେ ଗ୍ରାମବାସୀଙ୍କ ଜଙ୍ଗଲ ଅଧିକାର ଉପରେ ସରକାରୀ ଅଙ୍କୁଶ ଲାଗି ରହିଥିଲା ଅର୍ଥାତ ୧୯୬୦ ଦଶକରୁ ମେଣ୍ଡା ଗ୍ରାମବାସୀ ନିଜର ଜୀବନ ଜୀବିକାପାଇଁ ଗୋଷ୍ଠୀଗତ ଭାବେ “ଗ୍ରାମବାସୀଙ୍କ ଜଙ୍ଗଲ ଅଧିକାର’ ଲଢ଼େଇ ଲଢ଼ି ଆସୁଥିଲେ । ମେଣ୍ଡା ଗ୍ରାମବାସୀଙ୍କ ନିରନ୍ତର ଅହିଂସାତ୍ମକ ଆନ୍ଦୋଳନ ସଫଳ ହେଲା । ଜଙ୍ଗଲରୁ ବାଉଁଶ କାଟିବା ,ବିକିବା ଅନୁମତି ପତ୍ର ଗ୍ରାମବାସୀଙ୍କୁ ପ୍ରଦାନ କରିବାରେ ଭାରତ ସରକାର ବାଧ୍ୟହେଲେ । ଏହା ହିଁ ଥିଲା ମେଣ୍ଡାଗ୍ରାମର ସ୍ୱାୟତ୍ତ ଶାସନ ଓ ଜଙ୍ଗଲ ପରିଚାଳନା ଅଧିକାର ପ୍ରାପ୍ତ ହେବାର ଆଧାର । ବର୍ତ୍ତମାନ ମେଣ୍ଡା ଗ୍ରାମର ଚାଷଜମି ମାତ୍ର ୧୦୦ ହେକ୍ଟର ହୋଇଥିବାବେଳେ ୧୮୦୦ହେକ୍ଟର ଜଙ୍ଗଲ, ଗ୍ରାମବାସୀଙ୍କ ଜୀବନ ଜିଇଁବାର ମୁଖ୍ୟ ଜୀବିକା ପାଲଟିଛି । ଜଙ୍ଗଲରୁ ବାଉଁଶ, କେନ୍ଦୁପତ୍ର, ଶାଳପତ୍ର, ମହୁଲ, ମହୁ ପ୍ରଭୃତି ସଂଗ୍ରହ କରି ଗ୍ରାମର ଗ୍ରାମସଭା ମାଧ୍ୟମରେ ଅର୍ଥ ଉପାର୍ଜନ କରୁଛନ୍ତି ।
ମେଣ୍ଡା ଗ୍ରାମ ନିଜର ସ୍ୱତନ୍ତ୍ର ଗ୍ରାମସଭା ପରିଚାଳନା ପାଇଁ ମଧ୍ୟ ଦେଶରେ ପ୍ରସିଦ୍ଧି ଲାଭ କରିପାରିଛି । ମେଣ୍ଡା ଗ୍ରାମସଭାର ମୂଳ ଲକ୍ଷ୍ୟ ରହିଛି ଗ୍ରାମର ଆର୍ଥôକ, ସାମାଜିକ, ରାଜନୈତିକ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦିର ବିକାଶ, ଗ୍ରାମସଭା ମାଧ୍ୟମରେ ତ୍ୱରାନ୍ୱିତ କରିବା । ଏହି ଉଦ୍ଦେଶ୍ୟରେ ସଫଳ ରୂପାୟନ ନିମନ୍ତେ ଗଢ଼ା ଯାଇଥିବା ମେଣ୍ଡା ଗ୍ରାମସଭାରେ ଗ୍ରାମର ସମସ୍ତ ସାବାଳକ ନାଗରିକ ସଦସ୍ୟ ଅଟନ୍ତି । ଯେକୌଣସି ପ୍ରସଙ୍ଗକୁ ନେଇ ଗ୍ରାମସଭା ବସିବାର ନିୟମ ରହିଛି । ପ୍ରତି ଗ୍ରାମସଭାରେ ଅତିକମରେ ୭୫ ଭାଗ ସଦସ୍ୟ ଉପସ୍ଥିତ ରହିଲେ ସଭା କୋରମ ହୁଏ । ଯେକୌଣସି ପ୍ରସଙ୍ଗ ଉପରେ ବହୁମତ ବଦଳରେ ସର୍ବମତକୁ ନେଇ ନିର୍ଣ୍ଣୟ ନିଆଯିବାର କଡ଼ା ନିୟମ ରହିଛି । ଗ୍ରାମସଭାରେ ମହିଳା, ପୁରୁଷଙ୍କ ପ୍ରତି ସମଦୃଷ୍ଟି ପ୍ରଦାନ କରାଯାଇଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ଭିନ୍ନଭିନ୍ନ କମିଟିମାନ ଗଠନ କରାଯାଇଛି । କମିଟିମାନଙ୍କରେ ମହିଳା ପୁରୁଷ ସମାନସଂଖ୍ୟାରେ ସଦସ୍ୟ ଅଛନ୍ତି । ଗ୍ରାମର ବିକାଶମୂଳକ କାର୍ଯ୍ୟଗୁଡିକର ସହଜ ପରିଚାଳନା ପାଇଁ ଗ୍ରାମସଭା, ମହିଳା ସଭା, ସାମୂହିକ ବନ ଅଧିକାର କମିଟି, ବନ ସଂରକ୍ଷଣ କମିଟି, ରୋଜଗାର କମିଟି, ନ୍ୟାୟ କମିଟି, ବନହକ୍ କମିଟି, ବନ ସୁନିୟନ୍ତ୍ରଣ କମିଟି, ଶିକ୍ଷା କମିଟି, ସ୍ୱାସ୍ଥ୍ୟ କମିଟି, ପାନୀୟ ଜଳ କମିଟି, ଦକ୍ଷତା କମିଟି, ଗ୍ରାମକୋଷ କମିଟି, ନିଶାମୁକ୍ତି କମିଟିମାନ ଗଠନ କରାଯାଇଛି । କମିଟିମାନଙ୍କର ଉପ କମିଟି ମଧ୍ୟ ରହିଛି । ଗ୍ରାମବାସୀମାନେ ଅଧିକାଂଶ ଶ୍ରମଜୀବୀ ହୋଇଥିବାରୁ ଗ୍ରାମସଭାଗୁଡିକ ବିଶେଷ କରି ରାତି ସମୟରେ ହୁଏ । ମେଣ୍ଡା ଗ୍ରାମର ଗ୍ରାମସଭାରେ ସରକାରୀ ଅଧିକାରୀ, କର୍ମଚାରୀ ମାନେ ମଧ୍ୟ ସାମିଲ ହୁଅନ୍ତି । “ବମ୍ବେ ଦିଲ୍ଲୀରେ ଆମ ସରକାର, ଆମ ଗାଆଁରେ ଆମେ ସରକାର’ ଏବଂ “ପଲ୍ଲୀରୁ ଦିଲ୍ଲୀ, ଦିଲ୍ଲୀରୁ ପଲ୍ଲୀ ମଝିରେ ନାହିଁ ଦଲାଲି’ ବିଚାରକୁ ନେଇ ମେଣ୍ଡା ଗ୍ରାମସଭା ଶକ୍ତିଶାଳୀ ହୋଇପାରିଛି । ତେଣୁ ସମସ୍ତ ସରକାରୀ କାର୍ଯ୍ୟ ଗ୍ରାମସଭା ମାଧ୍ୟମରେ ସଂପାଦନ କରାଯାଏ । ପଞ୍ଚାୟତ କାର୍ଯ୍ୟାଳୟ କେବଳ ନାମକୁ ମାତ୍ର ଗ୍ରାମବାସୀଙ୍କ ସହଯୋଗୀର ଭୂମିକା ନିର୍ବାହ କରେ । ସରକାରୀ ଯୋଜନା ଜନଗଣଙ୍କ ସହଭାଗିତା ପରିବର୍ତ୍ତେ ଜନଗଣଙ୍କ ଯୋଜନା ସରକାରୀ ସହଭାଗିତା ନୀତି ଅବଲମ୍ବନ ଅବଲମ୍ବନ କରାଯାଉଛି ମେଣ୍ଡା ଗ୍ରାମରେ । ମେଣ୍ଡା ଗ୍ରାମସଭାର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ଗ୍ରାମବାସୀଙ୍କ ସମୂହ ସହଯୋଗ ସହମତିରେ ଗ୍ରାମକୋଷ ଗଠନ କରାଯାଇଛି । ଗ୍ରାମବାସୀମାନେ ନିଜ ରୋଜଗାରରୁ ଦଶ ପ୍ରତିଶତ ଗ୍ରାମକୋଷରେ ଜମା ରଖନ୍ତି । ଜଙ୍ଗଲ ଜାତ ଦ୍ରବ୍ୟରୁ ଆଦାୟ ହେଉଥିବା ହେଉଥିବା ଟିକସ ଗ୍ରାମକୋଷରେ ଗଚ୍ଛିତ ହୁଏ । ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟିକସ ସଂଗ୍ରହ କରିବାରେ ମଧ୍ୟ ମେଣ୍ଡା ଗ୍ରାମ ଦେଶରେ ପ୍ରଥମ ।
ଗ୍ରାମକୋଷରେ ଗଚ୍ଛିତ ଅର୍ଥରାଶି ଗ୍ରାମସଭା ମାଧ୍ୟମରେ ଗ୍ରାମର ଉନ୍ନୟନମୂଳକ କାର୍ଯ୍ୟ ଯଥା ପିଲାମାନଙ୍କ ପାଠପଢ଼ା, ବିବାହ କାର୍ଯ୍ୟ, ସ୍ୱାସ୍ଥ୍ୟ ସୁରକ୍ଷା, ରୁଣ ପ୍ରଦାନ ଆଦିରେ ଖର୍ଚ୍ଚ କରାଯାଏ । ରୁଣ ଗ୍ରହୀତାଙ୍କୁ ପ୍ରଥମ ବର୍ଷ ବିନା ସୁଧରେ ଏବଂ ବର୍ଷକ ପରେ ୨% ହିସାବରେ ସୁଧ ଲାଗୁ କରାଯାଏ । ୠଣ ଖିଲାପକାରୀଙ୍କ ବିରୋଧରେ ଦଣ୍ଡ ବିଧାନ ଗ୍ରାମସଭା କରିଥାଏ । ଋଣ ଖିଲାପ କଲେ, ୠଣ ଖିଲାପକାରୀଙ୍କ ଚାଷଜମିକୁ ଗ୍ରାମସଭା ଦଖଲ କରି ଋଣ ପରିଶୋଧର ବ୍ୟବସ୍ଥା ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଏଭଳି ଦଣ୍ଡରେ ଦଣ୍ଡିତ ହୋଇନାହାନ୍ତି ଅର୍ଥାତ କୌଣସି ବ୍ୟକ୍ତି ୠଣ ଖିଲାପ କରନ୍ତି ନାହିଁ ବୋଲି ଗ୍ରାମବାସୀମାନେ କୁହନ୍ତି । ବାହାଘର, ମରାଘର ପ୍ରଭୃତି କାର୍ଯ୍ୟରେ ଗ୍ରାମର ସମସ୍ତ ପରିବାର ସହଯୋଗ କରନ୍ତି । ଏହା ସମଗ୍ର ଗ୍ରାମବାସୀମାନଙ୍କ କାମ ହୋଇଯାଏ ଯାହାଫଳରେ ଆର୍ଥିକ ବୋଝ ହାଲୁକା ହୋଇଯାଏ ଏବଂ ବ୍ୟକ୍ତି ଚିନ୍ତାଗ୍ରସ୍ତ ହୁଏ ନାହିଁ ଓ ପାରିବାରିକ ସମ୍ପର୍କ ସୁଦୃଢ଼ ହୁଏ । ଗ୍ରାମର ପ୍ରତି ପରିବାରକୁ ରୋଜଗାର ପ୍ରଦାନର ପ୍ରକ୍ରିୟାକୁ ଗ୍ରାମସଭା ଗୁରୁତ୍ୱ ପ୍ରଦାନ କରିଥାଏ । ଜଙ୍ଗଲରୁ ବାଉଁଶ କାଟିବାରେ ମହିଳା ମାନଙ୍କ ଅପେକ୍ଷା ପୁରୁଷମାନଙ୍କର ଦକ୍ଷତା ଅଧିକ ଥିବାରୁ ଉଭୟ ପୁରୁଷ ଏବଂ ମହିଳା ଦିନକୁ ମାତ୍ର ୫୦ଖଣ୍ଡ ବାଉଁଶ କାଟିବାପାଇଁ ଗ୍ରାମସଭାର ନିର୍ଦ୍ଦେଶ ରହିଛି । ଏହାଦ୍ୱାରା ଉଭୟ ପୁରୁଷ ମହିଳା ୧୦୦୦ ଟଙ୍କା ଲେଖାଏଁ ମଜୁରୀ ପାଉଛନ୍ତି । ଏହି ବ୍ୟବସ୍ଥା ମହିଳା, ପୁରୁଷଙ୍କୁ ସମଦୃଷ୍ଟିର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି ।
ଗ୍ରାମର ନିର୍ମାଣ କାର୍ଯ୍ୟଗୁଡ଼ିକ ଗ୍ରାମସଭା ମାଧ୍ୟମରେ ହେଉଥିବାରୁ ସରକାରୀ ଲାଞ୍ଚ କାରବାର ହୋଇପାରେ ନାହିଁ ଯାହାଫଳରେ ଏଠାରେ ସରକାରୀ ଦୁର୍ନୀତି ନାହିଁ । ସରକାରୀ ଦୁର୍ନୀତି ବିକାଶ କାର୍ଯ୍ୟରେ ବାଧକ ସାଜି ଥିବାବେଳେ ମେଣ୍ଡା ଗ୍ରାମସଭାର ଦୁର୍ନୀତିବିରୋଧୀ ପଦକ୍ଷେପ ଅନ୍ୟମାନଙ୍କପାଇଁ ଉଦାହରଣ ଏକ ଉଦାହରଣ ହୋଇପାରିଛି । ଗ୍ରାମବାସୀଙ୍କ ଆବଶ୍ୟକ ଉପକରଣ, ସାଜ ସରଞ୍ଜାମ, ଆସବାବପତ୍ର, ଏକକାଳୀନ ଭାବେ ଉତ୍ପାଦିତ କେନ୍ଦ୍ରମାନଙ୍କରୁ ଗ୍ରାମସଭା ସଂଗ୍ରହ କରୁଥିବାରୁ ସ୍ଥାନୀୟ ବେପାରୀମାନଙ୍କୁ ଶୋଷଣରୁ ଗ୍ରାମବାସୀମାନେ ମୁକ୍ତି ପାଇବା ସହିତ ବଜାର ବ୍ୟବସ୍ଥାକୁ ନିୟନ୍ତ୍ରଣ କରି ପାରୁଛନ୍ତି ।
ଗ୍ରାମସଭା ଅଧିନସ୍ଥ ନ୍ୟାୟ କମିଟି ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ଥିବା ପରସ୍ପର ମନୋମାଳିନ୍ୟ, କଳିଝଗଡ଼ା, ବାଦବିବାଦ ଆଦିର ସମାଧାନ କରା ଯାଉଥିବାରୁ ସରକାରୀ ଥାନା କୋର୍ଟକଚେରୀ ଦ୍ୱାରସ୍ଥ ହେବାକୁ ପଡ଼େ ନାହିଁ । ଗ୍ରାମସଭାର ଏହି ପଦକ୍ଷେପ ଯୋଗୁଁ ଗ୍ରାମରେ କଳି ଝଗଡ଼ା, ବାଦବିବାଦ ଆଦିର ଅବସାନ ଘଟିଛି । ପରସ୍ପର ପ୍ରତି ସାହାଯ୍ୟ, ସହଯୋଗ, ସହାନୁଭୂତି, ଭାଇଚାରା ବୃଦ୍ଧି ପାଇଛି । ହିଂସା, ଅସହିଷ୍ଣତା, ଚୋରି, ଡକାୟତି, ମରାମରି, ହାଣକାଟ ଭଳି ଘୃଣ୍ୟ କାର୍ଯ୍ୟଗୁଡିକ ଠାରୁ ଗ୍ରାମବାସୀମାନେ ଅନେକ ଦୂରରେ ରହିଛନ୍ତି । ଗାଁରେ ସଦାବେଳେ ଶାନ୍ତି ସଦ୍ଭାବନା ବଜାୟ ରହିଛି ।
୧୯୫୯ ମସିହା ଦେଶରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ସମୟରୁ ମେଣ୍ଡାରେ କେବେ ନିର୍ବାଚନ ହୋଇନାହିଁ । ଗ୍ରାମସଭା ଦ୍ୱାରା ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟମାନଙ୍କୁ ଚୟନ କରାଯାଏ । ଲେଖା, ମେଣ୍ଡା, କନହରଟୋଲା ପ୍ରଭୃତି ୩ଟି ପଞ୍ଚାଯତକୁ ନେଇ ଗଠିତ ଲେଖା ପଞ୍ଚାୟତରେ କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ଗ୍ରାମକୁ ନେଇ ସରପଞ୍ଚ, ସମିତି ସଭ୍ୟମାନଙ୍କୁ ଚୟନ କରାଯାଏ । ଲଗାତାର ଭାବେ ଗୋଟାଏ ଗ୍ରାମରୁ ଦୁଇଥର ସରପଞ୍ଚ ହୋଇପାରିବେ ନାହିଁ ଏବଂ ସରପଞ୍ଚ ହେବା ପାଇଁ ଅତି କମରେ ପୂର୍ବରୁ ପାଞ୍ଚବର୍ଷ ୱାର୍ଡ ସଭ୍ୟ ଭାବରେ କାମ କରିଥିବା ଦରକାର ବୋଲି ଲେଖା ପଞ୍ଚାୟତବାସୀଙ୍କ ସମୂହ ସହମତିରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିଭଳି ବିଧାୟକ, ସାଂସଦମାନଙ୍କୁ ଦଳୀୟ ଭିତ୍ତିରେ ନୁହେଁ, ପ୍ରାର୍ଥୀମାନଙ୍କ ଯୋଗ୍ୟତା, ଦକ୍ଷତା ଓ ଅତୀତ କାର୍ଯ୍ୟାବଳୀକୁ ସମୀକ୍ଷାପୂର୍ବକ ଗ୍ରାମରେ ଚୟନ କରାଯାଇଥାଏ । କୌଣସି କାରଣବଶତଃ ଗ୍ରାମସଭାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇ ନପାରିଲେ, ଗ୍ରାମବାସୀ ନିଜ ଇଛା ଅନୁଯାୟୀ ମତଦାନ କରିବାର ସ୍ୱାଧୀନତା ରହିଛି । କିନ୍ତୁ କୌଣସି ପ୍ରାର୍ଥୀ ବା ଦଳ ଗ୍ରାମରେ ମନଇଛା ପ୍ରଚାର କରିପାରିବେ ନାହଁ । ପ୍ରାର୍ଥୀମାନଙ୍କ ଠାରୁ ମଦ, ମାଂସ, ଟଙ୍କା ଆଣି ବାଣ୍ଟିବା ଭଳି କାର୍ଯ୍ୟଗୁଡିକ ଉପରେ ଗ୍ରାମସଭା ଅଙ୍କୁଶ ଜାରି କରିଛି । ଏହାଦ୍ୱାରା ପଞ୍ଚାୟତରେ କିମ୍ବା ଗ୍ରାମରେ ରାଜନୈତିକ ଅସ୍ଥିରତା ଓ ବିଭେଦକୁ ସଂକୁଚିତ କରାଯାଇ ପାରିଛି । ଯାହାର ଫଳସ୍ୱରୂପ ଗ୍ରାମରେ ରାଜନୈତିକ ବିଶୃଙ୍ଖଳା, ହିଂସା, ଅପରାଧ ଭଳି ଅଘଟଣମାନ ଘଟୁ ନାହିଁ ।
ସାମାଜିକ ସନ୍ତୁଳନ ବଜାୟ ରଖିବାରେ ମେଣ୍ଡାଗ୍ରାମ ଦେଶରେ ଉଦାହରଣ ସୃଷ୍ଟି କରିପାରିଛି । ଗାନ୍ଧୀ ବିନୋବାଙ୍କ ଆଦର୍ଶରେ ଅନୁପ୍ରାଣିତ ମେଣ୍ଡା ଗ୍ରାମସଭା, ଗ୍ରାମସ୍ୱରାଜ ପ୍ରତିଷ୍ଠାପାଇଁ ଉଦ୍ୟମ ଜାରି ରଖିଛି । ବିନୋବାଙ୍କ ଭୂଦାନ ଆନେ୍ଦାଳନର ବାସ୍ତବ ପ୍ରତିଫଳନ ଘଟିଛି ମେଣ୍ଡା ଗ୍ରାମରେ । ୫୧% ଜମି ଦାନ କରିଥିବା ଗ୍ରାମକୁ ଗ୍ରାମଦାନୀ ଗ୍ରାମ ମାନ୍ୟତା ମିଳିବା ନେଇ ବିନୋବା କହିଥିବାବେଳେ ଗତ ୨୦୧୩ ମସିହାରୁ ମେଣ୍ଢା ଗ୍ରାମବାସୀ ଶତ ପ୍ରତିଶତ ଜମି ଦାନ କରିଛନ୍ତି ଏବଂ ସରକାରୀ ସ୍ୱୀକୃତି ମିଳିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଗ୍ରାମଦାନୀ ଗ୍ରାମର ସରକାରୀ ସ୍ୱୀକୃତି ମିଳିବାପରେ ମେଣ୍ଡା ଗ୍ରାମକୁ ଏକ ସ୍ୱତନ୍ତ୍ର ପଞ୍ଚାୟତ ଭାବେ ମାନ୍ୟତା ମିଳିବା ସଙ୍ଗେ ସଙ୍ଗେ ପଞ୍ଚାୟତର ସମସ୍ତ ସୁବିଧା ଏଠାରେ ଉପଲବ୍ଧ ହେବ । ଗ୍ରାମଦାନୀ ଗ୍ରାମରେ କୌଣସି ବ୍ୟକ୍ତି ଭୂମିହୀନ ରହିବେ ନାହିଁ, କୌଣସି ବ୍ୟକ୍ତି ଜମିହରା ରହିବେ ନାହିଁ, କୌଣସି ବ୍ୟକ୍ତି ବେରୋଜଗାର ରହିବ ନାହିଁ ।
ନିଶା ମୁକ୍ତିଉପରେ ମେଣ୍ଡା ଗ୍ରାମସଭା ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛି । ଜଙ୍ଗଲରୁ ଗ୍ରାମବାସୀମାନେ ମହୁଲ ସଂଗ୍ରହ କରୁଥିଲେ ମଧ୍ୟ ମଦ ରାନ୍ଧିବା, ବିକିବା, ପିଇବା ଉପରେ ଗ୍ରାମସଭା ନିଷେଧ ଜାରି କରିଛି । ଗ୍ରାମରେ ଦେଶୀ, ବିଦେଶୀ ମଦ ପିଇଲେ କିମ୍ବା ବିକ୍ରି କଲେ ଅତିକମରେ ୧୬୦୦ ଟଙ୍କା ଅର୍ଥ ଦଣ୍ଡର ବିଧାନ କରାଯାଇଛି । ମଦ ପିଇ ଗଣ୍ଡଗୋଳ କଲେ ଗ୍ରାମସଭା ନ୍ୟାୟ କମିଟି ମାଧ୍ୟମରେ ଦଣ୍ଡବିଧାନ କରିପାରିବ । ନ୍ୟାୟ କମିଟିର ଦଣ୍ଡ ବିଧାନକୁ ଗଣ୍ଡଗୋଳ କରୁଥିବା ବ୍ୟକ୍ତି ଅସ୍ୱୀକାର କଲେ ନ୍ୟାୟ କମିଟି ପୋଲିସର ସହାୟତା ନେଇ ନ୍ୟାୟ କମିଟିରେ ନିଆ ଯାଇଥିବା ଦଣ୍ଡବିଧାନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିପାରିବ । ଏହି କାର୍ଯ୍ୟରେ ସହଯୋଗ କରିବା ପାଇଁ ପୋଲିସ ପାଟିଲ (ଗ୍ରାମରକ୍ଷୀ) ଭଳି ପଦରେ ନିଯୁକ୍ତିର ବ୍ୟବସ୍ଥା କରିଛି । ଗ୍ରାମରେ କୌଣସି ବି ଦୋକାନୀ ପାନ, ଗୁଟଖା, ଗଞ୍ଜେଇ, ସିଗାରେଟ ବିକ୍ରି କରିପାରିବେ ନାହିଁ । କେବଳ ବୟସ୍କ ଲୋକମାନେ ହିଁ ବିଡ଼ି ଟାଣି ପାରିବାପାଇଁ ଅନୁମତି ଅଛି । ଛୋଟ ପିଲା, ଯୁବକ ଦୋକାନରୁ ପାନ ବିଡ଼ି କିଣିପାରିବେ ନାହିଁ ବୋଲି ନିୟମ ରହିଛି । ସେହିଭଳି ବାହାଘର ବା ଅନ୍ୟ ପର୍ବପର୍ବାଣିରେ ବୟସ୍କମାନେ ମଦ ପିଇବା ପାଇଁ ଆଗ୍ରହ ପ୍ରକାଶ କଲେ ଘରେ ମଦ ରାନ୍ଧିବାପାଇଁ ଗ୍ରାମସଭାର ଅନୁମତି ନେବାର କଡ଼ା ନିୟମ ରହିଛି । କେତେ ଲୋକ କେତେ ପରିମାଣର ମଦ ପିଇବେ ତାହାର ସମସ୍ତ ସୂଚନା ଗ୍ରାମସଭାକୁ ପ୍ରଦାନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ମଦ ପିଇବା ଅନୁମତି ପତ୍ର ପାଇବା ପରେ ଗ୍ରାମସଭା ତରଫରୁ ମଦ ଯାଞ୍ଚ କମିଟି ମଦ ତିଆରି ଓ ମଦ୍ୟପାନ ଉପରେ ସମ୍ପୂର୍ଣ୍ଣ ନିଘା ରଖିଥାଏ । ଏହିଭଳି ନିୟମଯୋଗୁଁ ସର୍ବସାଧାରଣ ଜାଗାରେ କେହିବି ମଦ ପିଇବା, ବିଡି ଟାଣିବା, ଗୁଟଖା ଖାଇବା ଭଳି କାର୍ଯ୍ୟ କରନ୍ତି ନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ମେଣ୍ଡା ଗ୍ରାମ ଏକ ନିଶାମୁକ୍ତ ଗ୍ରାମ କହିବା ଭୁଲ୍ ହେବ ନାହିଁ । କେବଳ ମେଣ୍ଡା ଗ୍ରାମ ନୁହେଁ ଏହି ଗ୍ରାମ ଅବସ୍ଥିତ ଥିବା ସମଗ୍ର ଗଡଚିରୋଲି ଜିଲ୍ଲାରେ ମଦ ସମ୍ପୂର୍ଣ୍ଣ ବନ୍ଦ ଅଟେ । ଲଗାତାର ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀମାନଙ୍କ ଆନେ୍ଦାଳନ, ସତ୍ୟାଗ୍ରହ ଯୋଗୁଁ ମହାରାଷ୍ଟ୍ର ସରକାର ବାଧ୍ୟହୋଇ ମହାରାଷ୍ଟ୍ରରେ ମଦ ପ୍ରଚଳନ ଥିଲେ ମଧ୍ୟ ୧୯୯୪-୯୫ ମସିହାରୁ ଗଡଚିରୋଲି ଜିଲ୍ଲାରେ ମଦ ସମ୍ପୂର୍ଣ୍ଣ ବନ୍ଦ କରିଛି ।
ମେଣ୍ଢା ଗ୍ରାମର ଲିଖିତ ବା ଅଲିଖିତ ଆଇନକାନୁନ ବ୍ୟବସ୍ଥାକୁ ଗ୍ରାମ ବା ଗ୍ରାମ ବାହାରର କେହି ଉଲଂଘନ କଲେ ମେଣ୍ଡା ଗ୍ରାମସଭା ଦୋଷୀ ବିରୋଧରେ ଦଣ୍ଡବିଧାନ କରିପାରୁଛି । ଏପରିକି ମେଣ୍ଡା ଗ୍ରାମସଭାର ବିନା ଅନୁମତିରେ କୌଣସି ସରକାରୀ କାର୍ଯ୍ୟକ୍ରମ ମଧ୍ୟ କରାଯାଇ ପାରିବ ନାହିଁ । ଭାରତବର୍ଷ ଭଳି ଏକ ଗଣତାନ୍ତ୍ରିକ ଦେଶରେ ମହାତ୍ମାଗାନ୍ଧୀ ଦେଖିଥିବା ଗ୍ରାମ ସ୍ୱରାଜର ସ୍ୱପ୍ନ ଆଜି ମେଣ୍ଡାଗ୍ରାମରେ ହିଁ ସାକାର ହୋଇପାରିଛି । ଗାନ୍ଧୀ ବିନୋବାଙ୍କ ଆଦର୍ଶରେ ଅନୁପ୍ରାଣୀତ ମେଣ୍ଡା ଗ୍ରାମବାସୀ, ଗ୍ରାମ ସ୍ୱରାଜର ଏକ ଅନନ୍ୟ ଉଦାହରଣ ପାଲଟିବା ପଛରେ ରହିଛି ମହାନ୍ ସମାଜସେବୀ ମୋହନ ହିରାବାଇ ହୀରାଲାଲ, ସୁକଦେବ ବାବୁ ୱିକେ, ଡଃ ବି. ଡି. ଶର୍ମା, ଡାକ୍ତର ଅଭୟ ବଙ୍ଗ, ଡାକ୍ତର ସତୀଶ ଗୋଗୁଲୱାର, ଏବଂ ଆଦିବାସୀ ନେତା ଦେବାଜୀ ତୋଫାଙ୍କ ଅବଦାନ ଅତୁଳନୀୟ ।
* ଏହି ଲେଖାଟିର ଲେଖକ ହେଉଛନ୍ତି ଦେବୀପ୍ରସାଦ ମହାରଣା ଓ ସ୍ନେହାଂଶୁ ଜେନା *
Comments
0 comments