ଏପ୍ରିଲ୍ ୨୨, ୨୦୨୫ରେ ଜାମ୍ମୁ ଓ କାଶ୍ମୀର ରାଜ୍ୟର (ଯାହା ଏବେ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଯାଇଛି) ଏକ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପହଲଗାମଠାରେ ଅତର୍କିତ ‘ଆତଙ୍କବାଦୀ’ ଆକ୍ରମଣ ଯୋଗୁଁ ୨୬ଜଣ ନୀରିହ ମଣିଷଙ୍କର ମୃତ୍ୟୁ ଘଟିଥିଲା । ନିଜ ପ୍ରିୟଜନଙ୍କ ସହ କିଛି ସମୟ ଖୁସିରେ କଟାଇବା ପାଇଁ ସେଠାକୁ ଯାଇଥିବା ପରିବାରମାନଙ୍କ ପାଇଁ ସବୁଠାରୁ ଭୟାନକ ଅନୁଭୂତି ଥିଲା ନିଜ ସାମ୍ନାରେ ନିଜର ଆତ୍ମୀୟମାନଙ୍କୁ ଗୁଳିକରି ହତ୍ୟାକରିବା ଘଟଣା । କେବଳ ଭାରତୀୟ କାହିଁକି , ସମଗ୍ର ବିଶ୍ୱର ଶାନ୍ତିପ୍ରିୟ ମଣିଷମାନେ ଏଭଳି ଏକ ବର୍ବର ଘଟଣାକୁ ନିଜର ରାଜନୈତିକ ତଥା ଧାର୍ମିକ ବିଶ୍ୱାସ ନିର୍ବିଶେଷରେ ଦୃଢ଼ଭାବେ ନିନ୍ଦାକରିବା ଦରକାର । ବିଶ୍ୱର କୌଣସି ବି ସ୍ଥାନରେ ଏଭଳି ଘଟଣା ଆଉ କେବେ ନ ଘଟୁ, ସେଥିପାଇଁ ନାଗରିକମାନଙ୍କ ତରଫରୁ ନିଜ ସରକାରମାନଙ୍କ ଉପରେ ଚାପ ବି ସୃଷ୍ଟି କରାଯିବା ଦରକାର । ବିଡ଼ମ୍ବନାର କଥାଯେ ଏଭଳି ଘଟଣା ବିଶ୍ୱର ବିଭିନ୍ନ ସ୍ଥାନରେ ଘଟିଚାଲିଛି । କେତେବେଳେ ଗୋଟିଏ ରାଷ୍ଟ୍ର ଆତଙ୍କବାଦୀ ସାଜି ଅନ୍ୟ ଏକ ଦେଶର ଲୋକମାନଙ୍କ ଉପରେ ଆକ୍ରମଣ କରି ନୀରିହ ମଣିଷମାନଙ୍କର ଜୀବନ ନେଉଥିବା ବେଳେ, ଆଉକେଉଁଠି ବିଭିନ୍ନ ଆତଙ୍କବାଦୀ ଗୋଷ୍ଠି ରାଷ୍ଟ୍ରକୁ ଭ୍ରୂକ୍ଷେପ ନକରି ଏଭଳି ନରସଂହାର କରି ଚାଲିଛନ୍ତି । ପ୍ରାୟ ଅଧିକାଂଶ ଘଟଣାରେ ମହିଳା ଓ ଶିଶୁମାନେ ଅଧିକ ଶିକାର ହୋଇଆସିଛନ୍ତି । ପହଲଗାମ୍ ଘଟଣା କାହାକୁ କେମିତି ବ୍ୟତିକ୍ରମ ଲାଗୁଥାଇ ପାରେ, ଯେହେତୁ ଏଠି କେବଳ ପୁରୁଷମାନେ ଆକ୍ରମଣର ଶିକାର ହୋଇଛନ୍ତି ।
ପହଲଗାମର ଏହି ବର୍ବରୋଚିତ ଆତଙ୍କବାଦୀ ଆକ୍ରମଣପରେ ଭାରତର ଗଣମାଧ୍ୟମ ଯେଉଁ ଭୂମିକାରେ ଅବତୀର୍ଣ୍ଣ ହୋଇଛି ତାହା ଆତଙ୍କବାଦ ଦମନ କ୍ଷେତ୍ରରେ କୌଣସି ବି ସାହାଯ୍ୟ କରିପାରିବ ନାହିଁ; ଏହି କଥା ସେମାନେ ନିଜେ ଜାଣିଛନ୍ତି । ଦେଶବ୍ୟାପି ଗୁଜବ ଓ ମିଛପ୍ରଚାର ଯେଉଁଭଳି ଦାୟିତ୍ୱହୀନ ଭାବେ ଚାଲିଛି, ସେଥିରେ ଭାରତର କର୍ପୋରେଟ ଗଣମାଧ୍ୟମର ଏକ ବଡ଼ ଭୂମିକା ରହିଆସିଛି । ସେ ଘରୋଇ ହେଉ ବା ସାମାଜିକ ଅଥବା ସର୍ବସାଧାରଣ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ମିଛକଥା ଓ କାହାଣୀ ପ୍ରତିଧ୍ୱନିତ ହେଉ ନାହିଁ । ଟିଭି ଷ୍ଟୁଡ଼ିଓରେ ବସି ଖବର ପ୍ରସାରଣ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଯେଉଁଭଳି କାହାଣୀ ତିଆରିକରି ଏବଂ ଉଚ୍ଚସ୍ୱରରେ ଚିତ୍କାର କରି ସେହିସବୁର ପ୍ରସାରଣ କରାଉଛନ୍ତି, ତାହା ବିଶ୍ୱ ଦରବାରରେ ଭାରତକୁ ଅଧିକ ନିନ୍ଦିତ କରୁଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି ପ୍ରଧାନମନ୍ତ୍ରୀ ନିଜେ ଏହି ସବୁ ଉତ୍ତେଜନା ଓ ଉନ୍ମାଦନାକୁ ପ୍ରଶମିତ କରିବାପାଇଁ କୌଣସି ପଦକ୍ଷେପ ନେଉ ନାହାଁନ୍ତି । ବରଂ ନିର୍ବାଚନ ସଭାହେଉ ବା ଅନ୍ୟକୌଣସି ମଞ୍ଚ; ଶ୍ରୀ ମୋଦୀ ଭାରତ ଭଳି ଗୋଟିଏ ବଡ଼ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ପଦବୀରେ ଥିବା ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ହିସାବରେ ନୁହଁ ବରଂ ଗୋଟିଏ କର୍ପୋରେଟ ଟିଭି ଚ୍ୟାନେଲର ଉତ୍ତେଜନା ସୃଷ୍ଟିକାରୀ ଉଦଘୋଷକ ଭଳି ମତ ଓ ମନ୍ତବ୍ୟ ରଖିଛନ୍ତି । ତାଙ୍କର ପ୍ରମୁଖ ଦାୟିତ୍ୱ ହେବାକଥା ଦେଶବାସୀଙ୍କୁ ଶାନ୍ତ ରହିବା ପାଇଁ ନିବେଦନ କରିବା ଏବଂ ଉତ୍ତେଜନାମୂଳକ ତଥା ମସଲାମିଶ୍ରିତ ଖବର ୨୪ଘଣ୍ଟା ପ୍ରସାରଣ କରୁଥିବା ଟିଭି ଚ୍ୟାନେଲମାନଙ୍କୁ ସେଭଳି ନ କରିବା ପାଇଁ ତାଗିଦ୍ କରିବା । କିନ୍ତୁ ଗତ କିଛିଦିନର ଖବର ଗୁଡ଼ିକୁ ଦେଖିଲେ ଯେକୌଣସି ନାଗରିକ ଅନୁଭବ କରିପାରୁଥିବେ ଯେ ପ୍ରଧାନମନ୍ତ୍ରୀଙ୍କର ମନ୍ତ୍ରୀ ପରିଷଦର ବରିଷ୍ଠ ସଦସ୍ୟମାନେ ଯେଉଁଭଳି ଭାଷା ପ୍ରୟୋଗକରି ନାଗରିକମାନଙ୍କୁ ଉସୁକାଉଛନ୍ତି, ତାହା ଆଜିର ପରିସ୍ଥିତିରେ ଭାରତକୁ ଏକ ଲଜ୍ଜାଜନକ ସ୍ଥିତିରେ ଆଣି ପହଞ୍ଚାଇଛି । ଦେଶବ୍ୟାପି ବାତାବାରଣ ସୃଷ୍ଟି କରାଯାଉଛି ପାକିସ୍ଥାନ ସହ ଏକ ଭୟଙ୍କର ଯୁଦ୍ଧ ଆଡ଼କୁ ଯେମିତି ଆମେ ଗତି କରୁଛୁ । ସାମାଜିକ ଗଣମାଧ୍ୟମ ଯଥା ‘ହ୍ୱାଟ୍ସଅପ’, ‘ଫେସବୁକ’, ‘ଏକ୍ସ’ ଇତ୍ୟାଦି ମାଧ୍ୟମ ଗୁଡ଼ିକରେ ଆମେ ପାକିସ୍ଥାନ ବିରୋଧରେ ଯୁଦ୍ଧକରି ତାକୁ ମାଟିରେ ମିଶାଇ ସାରିଲେଣି- ଏଭଳି ଏକ ଧାରଣା ସୃଷ୍ଟି କରାଯାଉଛି । ସବୁଠି ଯୁଦ୍ଧ ଚର୍ଚ୍ଚା ଏବଂ ମୁସଲମାନ ମାନେ ଭାରତୀୟ ହେଲେ ବି ଆମର ଶତ୍ରୁ ଏଭଳି ଆଲୋଚନା ଚାଲିଛି । ଲାଗୁଛି, ସମଗ୍ର ଦେଶଟା ଯେମିତି ପାଗଳ ହୋଇଯାଇଛି । ପ୍ରଶ୍ନ କରିବାର ସଂସ୍କୃତି କେବେ ବି ନଥିବା ଦେଶଟିରେ ଉପଯୁକ୍ତ ପ୍ରଶ୍ନପଚାରି, ଉତ୍ତର ଖୋଜି ସୁଚିନ୍ତିତ ମତରଖିବା କାମଟି ନାଗରିକ ମାନଙ୍କଠାରେ ଆଜିବା ଆମେ ଆଶା କରିବା କେମିତି!
୨୦୧୯ ସାଧାରଣ ନିର୍ବାଚନ ଅଭିଯାନ ଭିତରେ ଯେତେବେଳେ ନରେନ୍ଦ୍ର ମୋଦୀଙ୍କର ପୁଣିଥିରେ କ୍ଷମତାକୁ ଫେରିବା ଏକ ପ୍ରକାର ଅସହଜ ହୃଦବୋଧ ହେଉଥିଲା, ଠିକ୍ ସେତିକିବେଳେ ଫେବୃଆରୀ ୧୪, ୨୦୧୯ ଦିନ ଜାମ୍ମୁ ଓ କାଶ୍ମୀର ରାଜ୍ୟର ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ କେନ୍ଦ୍ରୀୟ ନିରାପତ୍ତା ବାହୀନିର ୪୨ଜଣ ଜବାନ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣାଟି ସମଗ୍ର ଦେଶଟିକୁ ଚକିତ କରିଦେଇଥିଲା । ପରେ ସେତେବେଳେ ରାଜ୍ୟପାଳ ଥିବା ସତ୍ୟପାଲ ମଲିକଙ୍କର ବିଭିନ୍ନ ବୟାନରୁ ଜଣାପଡ଼ିଲା ଯେ ସୁରକ୍ଷାବାହିନୀର ଜବାନମାନଙ୍କୁ ଯଦି ବିମାନଯୋଗେ ନିଆଯାଇଥାନ୍ତା, ତେବେ ଏଭଳି ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା । ସୁରକ୍ଷା ବାହିନୀର ଉଚ୍ଚପଦସ୍ଥ ଅଫିସରମାନଙ୍କର ତୁହାକୁ ତୁହା ଅନୁରୋଧ ସତ୍ତ୍ୱେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କୌଣସି ନିଷ୍ପତ୍ତି ନେଇନଥିଲେ । ପ୍ରାୟ ଦୁଇହଜାର ପାଞ୍ଚଶହ ଯବାନ ବିନା ସୁରକ୍ଷାରେ ଏବଂ ଯାତ୍ରାପଥରେ ଥିବା ସୁରକ୍ଷା କେନ୍ଦ୍ରଗୁଡ଼ିକରେ କୌଣସି ସୁରକ୍ଷାକର୍ମଚାରୀ ବା ଗୁଇନ୍ଦା କର୍ମଚାରୀ ମହଜୁଦ ନଥିବା ବେଳେ ଏକ ପ୍ରକାର ଆତଙ୍କବାଦୀଙ୍କୁ ନିମନ୍ତ୍ରଣ କଲାଭଳି ଯାତ୍ରା କରିଥିଲେ । ଏହି ଆକ୍ରମଣ ପରେ ଘଟଣାଟି କେମିତି ଘଟିଲା, କାହିଁକି ଘଟିଲା ଏବଂ ଏଥିପାଇଁ କେଉଁମାନେ ଦାୟୀ; ତାହାର କୌଣସି ଅନୁସନ୍ଧାନ ହୋଇନାହିଁ । ଯଦି କେହି କୁହନ୍ତି ଯେ ଅନୁସନ୍ଧାନ ସରିଛି ତାହା ହେଲେ ସରକାର ରିପୋର୍ଟଟିକୁ ସାର୍ବଜନୀନ କରୁନାହାଁନ୍ତି କାହିଁକି? ଏହି ଘଟଣା ଘଟିବାର ୬ବର୍ଷ ବିତିଯାଇଛି । ଯେଉଁ ସାଧାରଣ ନିର୍ବାଚନ ୨୦୧୯ ମସିହାରେ ହେଲା ଅର୍ଥାତ୍ ପୁଲୱାମା ଘଟଣାପରେ ଏବଂ ପାକିସ୍ଥାନ ସୀମା ଭିତରେ ପଶି ଆମେ କିଛି ବାଣ ଫୁଟାଇବା ପରେ, ସେଥିରେ ମୋଦୀଙ୍କର ବିପୁଳ ବିଜୟ ହୋଇଥିଲା । ସେତେବେଳେ ଯେଉଁ ଦେଶପ୍ରେମୀମାନେ ପାଗଳଙ୍କ ଭଳି ପାକିସ୍ଥାନ ବିରୋଧରେ ଯୁଦ୍ଧ ଡ଼ାକରା ଦେଇଥିଲେ ଏବଂ ନିଜ ଦେଶରେ ସେମାନଙ୍କର କଥାରେ ଏକମତ ହେଉନଥିବା ଲୋକମାନଙ୍କୁ ଦେଶଦ୍ରୋହୀ କହିବାପାଇଁ ପଛାଉ ନଥିଲେ, ସେମାନେ ୬ବର୍ଷ କାଳ ଅର୍ଥାତ୍ ଏପ୍ରିଲ୍ ୨୨,୨୦୨୫ଯାଏଁ ନିଜ ଦେଶପ୍ରେମ ଉପରେ ଯେମିତି ରହିତାଦେଶ ଜାରି କରିଥିଲେ । ପହଲଗାମର ଘଟଣା ହଠାତ୍ ଶୋଇଯାଇଥିବା ଦେଶପ୍ରେମକୁ ପୁଣି ଥରେ ଚେତେଇ ଦେଲା ଏବଂ ଏହାର ପରିଣାମ ଆମକୁ ବେଶ୍ କିଛିଦିନ ଦେଖିବାକୁ ମିଳିବ । ବିହାର ନିର୍ବାଚନ ପାଇଁ ଅଭିଯାନ ବି ଚାଲିଛି । ଯୁଦ୍ଧ ପାଗଳ ମାନଙ୍କର ଅପେକ୍ଷା ଆମ ସେନାବାହିନୀ ଯାଇ ପାକିସ୍ଥାନ ସୀମାରେ ପୂର୍ବଭଳି କିଛି ଫଟକା ଫୁଟାଇବା ଦରକାର । ଏହି ଭିତରେ ପାକିସ୍ଥାନର ସାଧାରଣ ମଣିଷମାନଙ୍କୁ ଆମ ସରକାର ଶାସ୍ତି ଦେଇସାରିଲେଣି । ଦୁଇ ଦେଶ ଭିତରେ ଥିବା ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତିକୁ କୌଣସି ସଂସଦୀୟ ଅନୁମୋଦନ ନଥାଇ ସରକାର ଅକାମୀ କରିସାରିଲେଣି । ଚେନାବ୍ ନଦୀରୁ ପାକିସ୍ଥାନକୁ ଜଳଯୋଗାଣ ବନ୍ଦ ହୋଇ ସାରିଲାଣି । ଏହି ନୂତନ ପରିସ୍ଥିତିକୁ ପାକିସ୍ଥାନର ସାଧାରଣ ମଣିଷ କିଭଳି ସାମ୍ନାକରିବେ, ଆମେ ଜାଣିବା ସମ୍ଭବପର ନୁହଁ । ଯେକୌଣସି ଦେଶର ନାଗରିକମାନଙ୍କ ପାଇଁ ପାଣି, ଖାଦ୍ୟ ଏବଂ ଔଷଧ ଯୋଗାଣ ବନ୍ଦ କରିବାଠାରୁ ବଳି ବଡ଼ ଅପରାଧ କିଛି ନଥାଏ । ବିଡ଼ମ୍ବନାର କଥାଯେ ସରକାରଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ପ୍ରବର୍ତ୍ତାଇବାକୁ ଆଜି ଭାରତରେ କୌଣସି ଶକ୍ତି ପ୍ରସ୍ତୁତ ନୁହଁନ୍ତି । ଏଠି ସ୍ମରଣ କରାଇଦେବା କଥାଯେ ଏପ୍ରିଲ ୨୨,୨୦୨୫ ଦିନ ଯେଉଁ ଆତଙ୍କବାଦୀ ଆକ୍ରମଣରେ ଆମର ଏଠି ୨୬ଜଣ ନୀରିହ ମଣିଷ ଟଳିପଡ଼ିଥିଲେ ତାହାର ମାସେ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୧୧,୨୦୨୫ଦିନ ପାକିସ୍ଥାନର ବାଲୁଚିସ୍ଥାନ ଅଞ୍ଚଳରେ ଆତଙ୍କବାଦୀମାନେ ଜାଫର ଏକ୍ସପ୍ରେସ୍ ନାଁରେ ଚାଲୁଥିବା ଏକ ଯାତ୍ରୀବାହୀ ଟ୍ରେନକୁ ଅପହରଣ କରିନେଇ ଯାଇଥିଲେ । ସେହି ଘଟଣାରେ ୬୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ମୃତକମାନଙ୍କ ଭିତରେ ପାକିସ୍ଥାନର ୧୮ଜଣ ଯବାନ୍ ଥିଲେ ଏବଂ ୩୩ଜଣ ‘ଆତଙ୍କବାଦୀ’ ମଧ୍ୟ ଥିଲେ । ଯଦିଓ ଏହି ଘଟଣାପାଇଁ ଅଫଗାନିସ୍ଥାନର ‘ତାଲିବାନ’ ଏବଂ ଭାରତର ଭୂମିକାକୁ ନେଇ ସେଠି ପ୍ରଶ୍ନ ଉଠିଥିଲା ତେବେ ଭାରତକୁ ଆକ୍ରମଣ କରିବା ପାଇଁ ସେଭଳି କୌଣସି ସରକାରୀ ସ୍ତରରେ ବା ଗଣମାଧ୍ୟମରେ ଚିକ୍ରାର ଶୁଣିବାକୁ ମିଳିନଥିଲା । ପରେ କେବଳ ପାକିସ୍ଥାନର ନୂତନ ସେନାମୁଖ୍ୟ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ କିଛି ବିବାଦୀୟ ବକ୍ତବ୍ୟ ରଖିଥିବା ଯୋଗୁଁ ସୀମା ଏପଟେ ଚର୍ଚ୍ଚା ଜୋରଦାର ଚାଲିଥିଲା ।
ଏଠି କେତୋଟି କଥା ଆମକୁ ବୁଝିବା ବା ଯଦି ବୁଝିଛନ୍ତି ପୁଣିଥରେ ମନେପକାଇବା ଜରୁରୀ । ‘ଆତଙ୍କବାଦ’, ‘ଜାମ୍ମୁ ଓ କଶ୍ମୀର’ ଏବଂ ‘ଧାର୍ମିକ ଅସ୍ମିତା’ ଗୋଟିଏ ଅନ୍ୟର ପରିପୂରକ ହିସାବରେ ବ୍ୟବହାର କରାଯାଇ ପାରିବ ନାହିଁ । ଏହି ସବୁ ଭିନ୍ନଭିନ୍ନ ପ୍ରସଙ୍ଗ ଏବଂ ଆମେ ଆମ ସୁବିଧା ଅନୁସାରେ ସବୁଗୁଡ଼ିକୁ ଏକାଠି କରି ଦେଖିପାରିବା ନାହିଁ । ପ୍ରଥମ କଥାଟି ହେଉଛି ‘ଆତଙ୍କବାଦ’ ପ୍ରସଙ୍ଗ ସହିତ କୌଣସି ଧର୍ମର କିଛି ସମ୍ପର୍କ ନାହିଁ । ଧାର୍ମିକ ପତିଆରା ବା ଆଧିପତ୍ୟରେ ଆଘାତ ପହଞ୍ଚôବା ଯୋଗୁଁ ଆତଙ୍କବାଦ ସୃଷ୍ଟି ହୋଇଛି ବୋଲି ଭାବିବା ଆମର ନିର୍ବୋଧତାକୁ ବୁଝାଇବ । ବିଶ୍ୱରେ ସମ୍ବଳ ନିୟନ୍ତ୍ରଣ ଓ ପୁଞ୍ଜିର ସ୍ୱେଚ୍ଛାଚାରିତାକୁ ନେଇ ରାଷ୍ଟ୍ର- ରାଷ୍ଟ୍ର ଭିତରେ ସଂଘର୍ଷ ବା ଗୋଟିଏ ରାଷ୍ଟ୍ର ଭିତରେ ବି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଉପନିବେଶ କରି ରଖିବା ଭିତରେ ପ୍ରବଳ ଜନଅସନ୍ତୋଷ ଦେଖିବାକୁ ମିଳିଥାଏ । ନିୟନ୍ତ୍ରଣଟା ଯେଉଁଠି ଶକ୍ତିଶାଳୀ ଲୋକମାନଙ୍କ ହାତରେ ଥାଏ, ସେଠି ପ୍ରତିବାଦର ଅର୍ଥ କିଛି ନଥାଏ । ତେବେ ସବୁକଥାକୁ ସବୁଲୋକ ଯେ ମଥାପାତି ଗ୍ରହଣ କରିବେ ଏହି କଥା ସମ୍ଭବପର ନୁହଁ । କିଛି ଅସ୍ତ୍ରଶସ୍ତ୍ର ଧରି ପତିଆରାକୁ ଚୁନୌତି ଦେବାପାଇଁ ମଧ୍ୟ ବାହାରି ଥାନ୍ତି । ଆମେ ସେମାନଙ୍କୁ କେଉଁ ନାଁରେ ଡ଼ାକନ୍ତି ସେଥିପାଇଁ ସେମାନଙ୍କର ଭ୍ରୂକ୍ଷେପ ନଥାଏ । ସେହିଭଳି ମାଟିପାଇଁ ମଧ୍ୟ ଦୁର୍ବଳତା ବିଶ୍ୱର ସବୁଠି ଦେଖିବାକୁ ମିଳିଥାଏ । ନିଜ ଅଞ୍ଚଳର ଅନୁଭୂତିକୁ ପରଖିଲେ ଜଣାପଡ଼ିଥାଏ ଯେ କିଭଳି ଦୁଇ ମାଣ ଜମିପାଇଁ ଭାଇ ଭାଇ ଭିତରେ ରକ୍ତାକ୍ତ ସଂଘର୍ଷ ଘଟିଆସିଛି । ଦେଶ ଦେଶ ଭିତରେ ବି ଜମିକୁ ନେଇ ସେହିଭଳି ବିବାଦ । କେଉଁଠି ନିଜର ସୁରକ୍ଷାକୁ ସୁଦୃଢ଼ କରିବା ଆଶାରେ ଗୋଟିଏ ଦେଶ ସୀମାରେ ଥିବା ଆଉଗୋଟିଏ ଦେଶ ଉପରେ ନଜର ରଖିଥିବା ବେଳେ, ଅନ୍ୟ କେଉଁଠି ପ୍ରଚୁର ପ୍ରାକୃତିକ ସମ୍ବଳ ଅକ୍ତିଆର କରିବା ଲାଳସାରେ ଗୋଟିଏ ଅଞ୍ଚଳ ଉପରେ ମଧ୍ୟ ଅନ୍ୟ ରାଷ୍ଟ୍ରର ଶାଗୁଣା ଦୃଷ୍ଟି ରହିଥାଏ । କେତେକ କ୍ଷେତ୍ରରେ ଉଭୟ ପଟୁ ସଶସ୍ତ୍ର ଗୋଷ୍ଠି ଗଠନକରି ପରସ୍ପର ବିରୋଧରେ ସେମାନଙ୍କୁ ବ୍ୟବହାର କରାଯାଇଥାଏ । ଅନ୍ୟ ଅର୍ଥରେ ରାଷ୍ଟ୍ର ବି ଆତଙ୍କବାଦୀ ସୃଷ୍ଟି କରିଥାଏ । କିନ୍ତୁ ତାହା ଯେ କେବଳ ଆମ ପଡ଼ୋଶୀଟି କରୁଛି ଏବଂ ଆମେ ନୀରିହ; ଏଭଳି ଭାବନାର ପରୀକ୍ଷା କରାଯିବା ଦରକାର । ଯୁଦ୍ଧହେଉ ବା ଆତଙ୍କବାଦ, ସବୁଠି ବହୁରାଷ୍ଟ୍ରୀୟ ଯୁଦ୍ଧସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀମାନଙ୍କ ପାଖରୁ ସରକାର ଏବଂ ସଶସ୍ତ୍ର ଗୋଷ୍ଠିମାନେ ବନ୍ଧୁକ/ଗୋଳାବାରୁଦ/ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିଥାନ୍ତି । କ୍ଷତି ଯାହାର ହେଲେବି ଲାଭଟି ଏହି କମ୍ପାନୀମାନେ ହିଁ ପାଇଥାନ୍ତି ।
ଆତଙ୍କବାଦୀଙ୍କର କୌଣସି ଧର୍ମ ନଥାଏ । ହୁଏତ ସେମାନେ ଧର୍ମକୁ ଆୟୁଧ କରିଥାନ୍ତି ନିଜର ଉଦ୍ଦେଶ୍ୟ ସାଧନ କରିବାପାଇଁ । କୌଣସି ଧର୍ମଶାସ୍ତ୍ରରେ ଆତଙ୍କବାଦୀ ସୃଷ୍ଟି କଲାଭଳି କିଛି ଶିକ୍ଷା ବା ପରାମର୍ଶ ନଥାଏ । ସେପ୍ଟେମ୍ବର ୧୧, ୨୦୦୧ (୯/୧୧ ଆକ୍ରମଣ ନାମରେ ପରିଚିତ) ବିଶ୍ୱ ବାଣିଜ୍ୟ କେନ୍ଦ୍ର ଏବଂ ଆମେରକାର ଅନ୍ୟକେତେକ ସ୍ଥାନରେ ଯେଉଁ ଆତଙ୍କବାଦ ଆକ୍ରମଣ ଘଟିଥିଲା ତାହା କେତେ ଭୟଙ୍କର ଥିଲା ଏବେ ବି କହିଲାବେଳେ ଦେଖଣାହାରିମାନେ ନିଜର ଆବେଗକୁ ନିୟନ୍ତ୍ରଣ ଭିତରେ ରଖିପାରନ୍ତି ନାହିଁ । ଅନେକ ନୀରିହ ଲୋକ ମୃତ୍ୟୁବରଣ କରିଥିଲେ । ସେମାନଙ୍କର ଧର୍ମ ଗୋଟିଏ ନଥିଲା । ଏହି ଘଟଣାପରେ ବିଶ୍ୱରେ ଆତଙ୍କବାଦ ବିରୋଧି ଯେଉଁ ଅଭିଯାନଟିଏ ଆରମ୍ଭ ହେଲା ତାହାର ନେତୃତ୍ୱ ନେଇଥିଲେ ଆମେରିକାର ରାଷ୍ଟ୍ରପତି । ଭାରତ ମଧ୍ୟ ସେଥିରେ ସାମିଲ ହୋଇଥିଲା । ସେହିଦିନ ଠାରୁ ମୁସଲମାନମାନଙ୍କୁ ଆତଙ୍କବାଦୀ ହିସାବରେ ଦେଖିବାର ମାନସିକତା ପ୍ରସାରିତ ହେବାରେ ଲାଗିଲା । ଆମେରିକା ଆତଙ୍କବାଦର କେନ୍ଦ୍ର କହି ଅଫଗାନିସ୍ଥାନକୁ ଆକ୍ରମଣ କରି ଦଖଲକଲା । ତାଲିବାନ ଶାସନର ଅନ୍ତହେଲାବୋଲି ଗୋଟିଏ ଧାରଣା ସୃଷ୍ଟି କରାଗଲା । ଇରାକ୍ ଏବଂ ଲିବିୟାକୁ ମଧ୍ୟ ଏକ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରାଗଲା । ଆମେରିକା ଇରାକ୍ ଆକ୍ରମଣ କରି ଏହାର ରାଷ୍ଟ୍ରପତି ସଦ୍ଦାମ୍ ହୁସେନ୍ ଙ୍କୁ ଗାଦିଚ୍ୟୁତ କଲେ ଏବଂ ପରେ ତାଙ୍କର ନ୍ୟାୟିକ ବିଚାରର ନାଟକ ଭିତରେ ତାଙ୍କୁ ନିପାତ୍ କରାଗଲା (ଡିସେମ୍ବର ୩୦,୨୦୦୬) । ସେହିଭଳି ଲିବିୟାର ରାଷ୍ଟ୍ରପତି କର୍ଣ୍ଣେଲ୍ ଗଦାଫିଙ୍କୁ ହତ୍ୟା କରାଯାଇଥିଲା (ଅକ୍ଟୋବର ୨୦, ୨୦୧୧) । ୯/୧୧ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ କହି ଓସାମା ବିନ୍ ଲାଡ଼େନ୍ ଙ୍କୁ ସେ ଲୁଚିଥିବା ପାକିସ୍ଥାନର ଗୋଟିଏ ଘରୁ ଆକାଶପଟୁ ଆସି ହତ୍ୟା କରାଗଲା (ମେ ୨,୨୦୧୧) ଏବଂ ତାଙ୍କର ଶବକୁ ସମୁଦ୍ର ଗର୍ଭରେ ଫୋପାଡ଼ି ଦିଆଗଲା । ସମଗ୍ର ଦୃଶ୍ୟକୁ ଆମେରିକାରେ ରହି ଉପଭୋଗ କରୁଥିଲେ ଆମେରିକାର ରାଷ୍ଟ୍ରପତି ବାରାକ୍ ଓବାମା । ସମସ୍ତଙ୍କ ମନରେ ଏଭଳି ଏକ ଭାବନା ବିଶ୍ୱଗଣମାଧ୍ୟମ ସୌଜନ୍ୟରୁ ସୃଷ୍ଟି କରାଗଲା ଯେ ବିଶ୍ୱରେ ଏବେ ଆତଙ୍କବାଦର ଯୁଗ ସରିଲା ଏବଂ ଶାନ୍ତିର ଜୟଯାତ୍ରା ଆରମ୍ଭ ହେଲା । ଇରାକ୍ ଓ ଲିବିୟାର ନୀରିହ ମଣିଷମାନେ ଶାନ୍ତିପାଇଁ ଏବେ ବି ଚିକ୍ରାର କରୁଥିବା ବେଳେ, ନିଜ କବଳରେ ଆଫଗାନିସ୍ତାନକୁ ୨୦ବର୍ଷ ରଖିବା ପରେ ୨୦୨୧ ମସିହାରେ ଆମେରିକା ଆତଙ୍କବାଦୀ କୁହାଯାଉଥିବା ସେହି ତାଲିବାନ ହାତରେ କ୍ଷମତା ଦେଇ ଅତି ଦାୟିତ୍ୱହୀନ ଭାବେ ସେଠାରୁ ପଳାୟନ କଲା । ଅନ୍ୟପଟେ ଗାଜାର ନୀରିହ ମଣିଷ ମାନଙ୍କ ଉପରେ ଇସ୍ରାଇଲ୍ ର ଆତଙ୍କୀ ଆକ୍ରମଣ ଅନବରତ ଚାଲିଛି । ସେହି ଦୃଷ୍ଟିରୁ ଆତଙ୍କବାଦ କ’ଣ ଏବଂ ଆତଙ୍କବାଦୀ କିଏ ଓ କିଏ ସେମାନଙ୍କୁ ସୃଷ୍ଟିକରି ଆତଙ୍କବାଦ ଚଳାଇ ଆସିଛି ତଥା ନୀରିହ ମଣିଷମାନଙ୍କୁ ମରଣ ମୁହଁକୁ ଠେଲି ଦେଉଛି ତାହା ବୁଝିବା ଏକ ଜଟିଳ ବ୍ୟାପାର । କେହିବି କହିପାରିବେ ନାହିଁ ଯେ ସେମାନେ ସତଟା କ’ଣ ଭଲଭାବେ ଜାଣିଛନ୍ତି । ୯/୧୧ଆକ୍ରମଣର ୨୦ବର୍ଷପରେ ଯେତେବେଳେ ଏପ୍ରିଲ ୫ରୁ ୧୧, ୨୦୨୧ ଭିତରେ ‘ପିୟୁ ଗବେଷଣା କେନ୍ଦ୍ର’ ତରଫରୁ ଟେଲିଫୋନ୍ ମାଧ୍ୟମରେ ସର୍ଭେ କରାଯାଇଥିଲା ଅଧିକାଂଶ ଆମେରିକୀୟ ମତ ରଖିଥିଲେ ଯେ ସେହି ଘଟଣାଟି ପରେ ସେମାନଙ୍କ ଭିତରେ ଅଧିକ ଦେଶପ୍ରେମ ବଢ଼ିଥିଲା ଏବଂ ଅଧିକାଂଶ ଆମେରିକୀୟ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ.ଡ଼ବ୍ଲୁ ବୁଶଙ୍କ ଆତଙ୍କବାଦୀ ଦମନ ପଦକ୍ଷେପକୁ ସେତେବେଳେ ସମର୍ଥନ କରୁଥିଲେ । ୨୦ବର୍ଷ ଭିତରେ ସେହି ସବୁ ଭାବନା ମଉଳି ଯାଇଛି । ଗୋଟିଏ କଥା ଦେଖାଯାଉଛି ଯେ ଗୋଟିଏ ଦେଶର ନେତୃତ୍ୱ ନେଉଥିବା ସେହି ସମୟର ରାଜନେତାଙ୍କୁ ଅଖଣ୍ଡ କ୍ଷମତା ଦେବାପାଇଁ ବୈଧତା ସୃଷ୍ଟି କରିବା କ୍ଷେତ୍ରରେ ଯେକୌଣସି ଆତଙ୍କବାଦ ଘଟଣା ଏବଂ ଗଣମାଧ୍ୟମରେ ତାହାର ନିରନ୍ତର ପ୍ରଦର୍ଶନ ଯଥେଷ୍ଟ ସାହାଯ୍ୟ କରିଥାଏ ।
ଅଗଷ୍ଟ ୫,୨୦୧୯ରେ ଭାରତର ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରାଗଲା । ଏହାଫଳରେ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ମିଳୁଥିବା ସମସ୍ତ ସ୍ୱତନ୍ତ୍ର ସୁବିଧା ଉଠାଇ ନିଆଗଲା । ରାଜ୍ୟଟିକୁ ଦୁଇଭାଗ କରି ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ୍ ନାମରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ସୃଷ୍ଟି କରି କେନ୍ଦ୍ରସରକାର ଶାସନ ଭାର ନିଜହାତକୁ ଆଇନ ମାଧ୍ୟମରେ ନେଇଗଲେ । ଅବଶ୍ୟ ଜାମ୍ମୁ ଓ କାଶ୍ମୀର କେବେ ବି କେନ୍ଦ୍ର ସରକାରଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣ ବାହାରେ ନଥିଲା । ତେବେ ଧାରା ୩୭୦ ଉଚ୍ଛେଦର ଏକ ମୂଳ ଉଦ୍ଦେଶ୍ୟ ଥିଲା ଜାମ୍ମୁ ଓ କାଶ୍ମୀରେ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବେ ନିପାତ କରିବା । ସ୍ଥିତିରେ ସେଭଳି କିଛି ପରିବର୍ତ୍ତନ ହୋଇ ନାହିଁ ଏହିକଥା ଏପି୍ରଲ୍ ୨୨,୨୦୨୫ର ଘଟଣା ଏବଂ ତାହା ପୂର୍ବରୁ ସୀମାନ୍ତ ଅଞ୍ଚଳରେ ଘଟିଥିବା କଥାଗୁଡ଼ିକୁ ଦେଖିଲେ ଜଣାପଡ଼ୁଛି । କେନ୍ଦ୍ରର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ଗୋଟିଏ ଅଞ୍ଚଳର କାନ୍ଥବାଡ଼ ବି ଗୋଇନ୍ଦାଗିରି କରି ସରକାରଙ୍କୁ ସୂଚନା ଦେଇଥାନ୍ତି । କିନ୍ତୁ ପହଲଗାମ୍ ଘଟଣାର ପୂର୍ବସୂଚନା ନମିଳିବା ବା ଯଦି ମିଳିଥାଏ ତାକୁ ଅଣଦେଖା କରିବା, ଘଟଣା ଘଟିବାର ଦେଢ଼ ଘଣ୍ଟା ପରେବି ଉପଯୁକ୍ତ ସୁରକ୍ଷାବଳ ନ ପହଞ୍ଚି ପାରିବା, ଡାକ୍ତରୀ ସେବା ତୁରନ୍ତ ନମିଳିବା କଥାଗୁଡ଼ିକୁ ନେଇ ଯେଉଁ ପ୍ରଶ୍ନ ଆତଙ୍କବାଦର ଶିକାର ହୋଇଥିବା ଲୋକଙ୍କର ସମ୍ପର୍କୀୟମାନେ ଉଠାଉଛନ୍ତି, ସେ ସବୁର ଉତ୍ତର ସରକାରଙ୍କ ପାଖରୁ ମିଳୁନାହିଁ । ନିଜେ ପ୍ରଧାନମନ୍ତ୍ରୀ ତୁହାକୁ ତୁହା କହି ଆସିଛନ୍ତି ଯେ କାଶ୍ମୀର ଏବେ ନିରାପଦ ଏବଂ ସେଥିପାଇଁ ପର୍ଯ୍ୟଟକମାନଙ୍କର ଭିଡ଼ ବି ଜାରି ରହିଥିଲା । ପର୍ଯ୍ୟଟନକୁ କେନ୍ଦ୍ରକରି କାଶ୍ମୀରର ଗରିବ ଲୋକମାନେ ନିଜର ଜୀବିକା ଫେରିପାଇବେ, ଏଭଳି ଏକ ଆଶ୍ୱାସନା ମଧ୍ୟ ପାଇଥିଲେ । ଯେଉଁ ବିଶ୍ୱାସର ସଙ୍କଟ ଲୋକମାନଙ୍କ ମନରେ ସରକାରଙ୍କ ପ୍ରତି ସୃଷ୍ଟି ହୋଇଛି ତାକୁ ଚପାଇ ଦେବାପାଇଁ ମିଥ୍ୟା ପ୍ରଚାର ଶିଳ୍ପଟି ସକ୍ରିୟ ହୋଇଯାଇଛି । ଯେଉଁମାନେ ମୃତ୍ୟୁବରଣ କଲେ ସେମାନଙ୍କ ଭିତରେ ଖ୍ରୀଷ୍ଟିଆନ ମଧ୍ୟଥିଲେ ଏବଂ ଜଣେ କାଶ୍ମୀରର ଖଚର ବାହକ ମୁସଲମାନ ଯୁବକ ମଧ୍ୟଥିଲେ । ସମଗ୍ର ଘଟଣାଟିକୁ କେବଳ ଭାରତ ପାକିସ୍ଥାନ ସଂଘର୍ଷ ଭିତରେ ବି ସୀମିତ ନରଖି ତାକୁ ହିନ୍ଦୁ ମୁସଲମାନ୍ ବିଦ୍ୱେଷ ତଥା ବିଭାଜନ ଆଡ଼କୁ ଅତି ସୁଚିନ୍ତତ ଭାବେ ନିଆଗଲା । ଏହି କଥା ବି ଆମେ ଭୁଲିଗଲେଯେ ପାକିସ୍ଥାନର ନୀରିହ ମଣିଷ ମାନେ କିଛି ସପ୍ତାହ ପୂର୍ବରୁ (ମାର୍ଚ୍ଚ ୧୧,୨୦୨୫) ଆତଙ୍କବାଦର ଶିକାର ହୋଇଥିଲେ । ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ପାଠ ପଢ଼ୁଥିବା କାଶ୍ମୀର ଛାତ୍ରମାନଙ୍କୁ ଆକ୍ରମଣ ଏବଂ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି । ୩୭୦ର ଉଚ୍ଛେଦ ପୂର୍ବରୁ ଯେଉଁ ପରିସ୍ଥିତି ଥିଲା କାଶ୍ମୀରବାସୀଙ୍କୁ ନେଇ, ଉଚ୍ଛେଦପରେ ଅର୍ଥାତ୍ ଭାରତର ଅନ୍ୟରାଜ୍ୟଭଳି କାଶ୍ମୀର ଏକ ଅଞ୍ଚଳ ଘୋଷଣା କରାଗଲାପରେ ମଧ୍ୟ କାଶ୍ମୀର ବାସିନ୍ଦାଙ୍କ ପ୍ରତି ଆମର ଆଭିମୁଖ୍ୟରେ କିଛି ପରିବର୍ତ୍ତନ ଘଟିନାହିଁ । ଅନ୍ୟ ଅର୍ଥରେ ଦେଖିବାକୁ ଗଲେ ଆମେ କାଶ୍ମୀର ଚାହୁଁଛୁ କିନ୍ତୁ କାଶ୍ମୀର ବାସିନ୍ଦାଙ୍କୁ ନୁହଁ । ପହଲଗାମ୍ ଘଟଣା ପରର ଦୁଇଟି କଥା ଏଠି ଉଲ୍ଲେଖ କରିବା ଉଚିତ୍ ମନେ କରୁଛି । ଆମେ ସେହି ଭିତରୁ କେଉଁ କଥାଟିକୁ ସମ୍ମାନ ଦେବା ଏବଂ କେଉଁଟିକୁ ନିରୁତ୍ସାହିତ କରିବା ତାହାର ନିଷ୍ପତ୍ତି ନିଜେ ନେବାକୁ ପଡ଼ିବ । ଏପ୍ରିଲ୍ ୨୫,୨୦୨୫ ଦିନ ଇଣ୍ଡିଆନ୍ ଏକ୍ସପ୍ରେସରେ ଏକ ଖବର ବାହାରିଥିଲା ଯେଉଁଥିରେ ଉତ୍ତରାଖଣ୍ଡର ହିନ୍ଦୁ ରକ୍ଷାଦଳର ନେତା ଲଳିତ ଶର୍ମାଙ୍କର ଏକ ଉକ୍ତି ପ୍ରକାଶ ପାଇଥିଲା ଯେଉଁଥିରେ ସେ କହୁଥିଲେ ଯେ, “ପହଲଗାମ୍ ଘଟଣା ଆମକୁ ଆଘାତ ପହଞ୍ଚାଇଛି… ଆମେ ଯଦି ଆସନ୍ତାକାଲି ସକାଳ ୧୦ଟା ସୁଦ୍ଧା କୌଣସି କାଶ୍ମୀର ମୁସଲମାନ୍ଙ୍କୁ ଆମ ରାଜ୍ୟରେ ଦେଖୁ ଆମେ ତାଙ୍କୁ ଉଚିତ୍ ଶିକ୍ଷାଦେବୁ । ଆସନ୍ତାକାଲି ଆମର ସବୁ କର୍ମୀମାନେ କାଶ୍ମୀର ମୁସଲମାନମାନଙ୍କୁ ଶିକ୍ଷାଦେବା ପାଇଁ ଘରଛାଡ଼ି ବାହାରିବେ । ଆମେ ସରକାର କ’ଣ ପଦକ୍ଷେପ ନେବେ ଅପେକ୍ଷା କରିବୁ ନାହିଁ” । ଏହି ମହାଶୟଙ୍କର କୌଣସି ଆତ୍ମୀୟ ସ୍ୱଜନ ଏଥିରେ ମୃତ୍ୟୁବରଣ କରିନାହାଁନ୍ତି ବା ଶିକାର ହୋଇ ନାହାନ୍ତି । ସେମାନେ କେହି ଘଟଣା ଘଟିଲାବେଳେ ଉପସ୍ଥିତ ବି ନଥିଲେ । ଅନ୍ୟପଟେ ଅଛି ଆଉ ଏକ ଉଦାହରଣ । ଏପ୍ରିଲ୍ ୨୪,୨୦୨୫ଦିନ ଦୈନିକ ହିନ୍ଦୁରେ ଆରଥି ସାରଥ୍ ନାମକ ଜଣେ କେରଳର ମହିଳାଙ୍କର ବୟାନ ପ୍ରକାଶ ପାଇଥିଲା । ପହଲଗାମରେ ସେ ନିଜର ବାପା ଏନ୍. ରାମଚନ୍ଦ୍ରନଙ୍କୁ ଆତଙ୍କବାଦୀଙ୍କ ଗୁଳିରେ ହରାଇଥିଲେ । ସବୁକିଛି ତାଙ୍କ ନିଜ ଆଖି ଆଗରେ ଏବଂ ନିଜର ଦୁଇଟି କୁନି ଛୁଆଙ୍କ ଆଗରେ ଘଟିଥିଲା । ସେମାନଙ୍କୁ ନିରାପଦ ସ୍ଥାନକୁ ନେବା ଏବଂ ଫେରିବା ଯାଏଁ ସବୁପ୍ରକାର ସାହାଯ୍ୟ ଯୋଗାଇଥିବା ସେ ଦୁଇଜଣ କାଶ୍ମୀର ଯୁବକଙ୍କୁ ମନେ ପକାଇଥିଲେ । ଜଣଙ୍କର ନାମଥିଲା ସମିର୍ ଆଉ ଜଣେ ଥିଲେ ମୁସାଫିର୍ । ସେ କହିଲେ ଯେ ମୁଁ ମୋ ବାପାଙ୍କୁ ହରାଇଲି ସତ କିନ୍ତୁ କାଶ୍ମୀରରେ ଏହି ଦୁଇଜଣଙ୍କୁ ଭାଇ ହିସାବରେ ପାଇଲି ।
ଆମକୁ ଆତଙ୍କବାଦ ଭଳି ଏକ ଜଟିଳ ସମସ୍ୟା ବୁଝିବାପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ସେତିକି ଭିତରେ ଆମେ ଭୁଲିଯିବା କଥାନୁହଁ ଯେ ଆମେ ସମସ୍ତେ ମଣିଷ ଏବଂ ଅନ୍ୟମଣିଷ ମାନଙ୍କୁ ଠିକ୍ ମଣିଷଙ୍କ ଭଳି ଦେଖିବା ।
Comments
0 comments