ଓଡ଼ିଶାରେ ଜାତୀୟ ଶିକ୍ଷାନୀତି -୨୦୨୦ର ପ୍ରଚଳନ : ସମସ୍ୟା ଓ ସମ୍ଭାବନା

ଡଃ ଗୋଲକବିହାରୀ ନାଥ
63 Views
9 Min Read

ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷାନୀତି -୨୦୨୦ କାର୍ଯ୍ୟକାରୀ ହେବା ନେଇ ନଭେମ୍ବର ୯, ୨୦୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଉକ୍ତ ନିଷ୍ପତ୍ତି ମୁତାବକ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିକ୍ଷାନୀତି -୨୦୨୦ ଲାଗୁ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ୨୦୨୪-୨୫ ଶିକ୍ଷାବର୍ଷରୁ ଏହା ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟକାରୀ ହେବ ।
ଏଠାରେ ଉଲେଖଯୋଗ୍ୟ ଯେ ସାରା ଭାରତ ଯେତେବେଳେ କରୋନା ମହାମାରୀଦ୍ୱାରା ଭୀତତ୍ରସ୍ତ; ଠିକ ସେତିକିବେଳେ ୨୯ ଜୁଲାଇ ୨୦୨୦ରେ ବିଜେପି ସରକାର ସଂସଦରେ କୌଣସି ଆଲୋଚନା ବିନା ଜାତୀୟ ଶିକ୍ଷାନୀତି ବିଷୟ ଘୋଷଣା କରିଥିଲେ । ଭାରତର ସମ୍ବିଧାନ ଧାରା ୨୪୬ରେ ଶିକ୍ଷା ଏକ ଯୁଗ୍ମ ବିଷୟ । ତେଣୁ ଏ ବିଷୟରେ କୌଣସି ସିଦ୍ଧାନ୍ତ ନେବାକୁ ହେଲେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ମିଳିତ ଭାବରେ ନିଷ୍ପତ୍ତି ନେବା କଥା । କିନ୍ତୁ କେନ୍ଦ୍ର ସରକାର ଏହାପରେ ଏକତରଫା ଭାବରେ ନୂତନ ଶିକ୍ଷାନୀତି ୨୦୨୦ ଘୋଷଣା କଲେ ।
ପରବର୍ତ୍ତୀ ସମୟରେ ଏହାକୁ ନେଇ ବିବାଦ ଓ ପ୍ରତିବାଦ ହେବାରୁ ଜାତୀୟସ୍ତରରେ କରାନଯାଇ ଭିନ୍ନ ଭିନ୍ନ ସମୟରେ ଏହାକୁ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ପ୍ରଚଳନ କରୁଛନ୍ତି । ଏହା ଏକ ଭିନ୍ନ କଥା ଯେ ତାମିଲନାଡୁ, କର୍ଣ୍ଣାଟକ, କେରଳ ପରି ରାଜ୍ୟ ନୂତନ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରିବାକୁ ମନା କରିଦେଇଛନ୍ତି । କିନ୍ତୁ ଓଡ଼ିଶାରେ ବିଜେପି ସରକାର କୌଣସି ବିଚାରବିମର୍ଶ ବିନା ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି । ସରକାରଙ୍କ କହିବା ଅନୁସାରେ ଉକ୍ତ ଶିକ୍ଷାନୀତି ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା, ସମର୍ଥ ଓ ଦକ୍ଷତା ବୃଦ୍ଧିରେ ସହାୟକ ହେବ । ଏହା ଭାରତୀୟ ମୂଲ୍ୟବୋଧ ଓ ପରମ୍ପରା ଉପରେ ପର୍ଯ୍ୟବେସିତ ଓ ଏହା ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ସରକାରୀ ସ୍ତରରେ ଯୁକ୍ତି କରାଯାଉଛି ।
ଅବଶ୍ୟ କୌଣସି ଦେଶର ଶିକ୍ଷାନୀତି ଶୂନ୍ୟରେ ସୃଷ୍ଟି ହୋଇନପାରେ । ଏହା ଦେଶର ଅର୍ଥନୀତି, ସାମାଜିକ ପରିବେଶ ଓ ରାଜନୈତିକ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥାଏ ଓ ଶିକ୍ଷାନୀତି ସେମାନଙ୍କୁ ପ୍ରଭାବିତ ମଧ୍ୟ କରିଥାଏ । ଉପରୋକ୍ତ ପରିପ୍ରେକ୍ଷୀରେ ଓଡ଼ିଶାରେ ନୂତନ ଶିକ୍ଷାନୀତି-୨୦୨୦ର ପ୍ରଚଳନକୁ ତର୍ଜମା କରି ଏହାର ସମସ୍ୟା ଓ ସମ୍ଭାବନା ବିଷୟରେ ଅବଗତ ହେବାର ଆବଶ୍ୟକତା ରହିଛି ।

ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାବ୍ୟବସ୍ଥା ନେଇ ଓଡ଼ିଶା ସରକାର ନୀରବ ।

ଜାତୀୟ ଶିକ୍ଷାନୀତି-୨୦୨୦ରେ ଢାଞ୍ଚାଗତ ମୂଳଭିତ୍ତି ପରିବର୍ତ୍ତନ କରାଯାଇଛି । ୧୦+୨+୩ ଢାଞ୍ଚାକୁ ପରିବର୍ତ୍ତନ କରି ଏହାକୁ ୫+୩+୩+୪ ବର୍ଷିଆ କରାଯାଇଛି । ୩ବର୍ଷର ପ୍ରାକ୍ ପ୍ରାଥମିକ ସମେତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀକୁ ମୌଳିକ ସ୍ତର, ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩ ବର୍ଷକୁ ମାଧ୍ୟମ ସ୍ତର ଓ ଶେଷ ୪ବର୍ଷ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ନାମରେ ନାମିତ କରାଯାଇଛି । ଶିକ୍ଷା ଅଧିକାର ଆଇନ, ୨୦୦୯ରେ ଥିବା ୬ବର୍ଷରୁ ୧୪ବର୍ଷ ପର୍ଯ୍ୟନ୍ତ ନିଃଶୁଳ୍କ ବାଧ୍ୟତାମୂଳକ ଶିକ୍ଷାକୁ ୩ ବର୍ଷରୁ ୧୮ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ ମାଧ୍ୟମିକ ପର୍ଯ୍ୟନ୍ତ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବ । କିନ୍ତୁ ଓଡ଼ିଶା ସରକାର ଜାତୀୟ ଶିକ୍ଷାନୀତିକୁ ସ୍କୁଲ ସ୍ତରରୁ ୨୦୨୪-୨୫ ବର୍ଷରୁ ଲାଗୁ ନ କରି ପ୍ରଥମେ ଏହାକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁକରିବାର ଉଦ୍ଦେଶ୍ୟ କ’ଣ ହୋଇପାରେ, ତାହା ପ୍ରକାଶ କରିନାହାନ୍ତି । ତେଣୁ ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାବ୍ୟବସ୍ଥା କ’ଣ ହେବ ତାହା ନେଇ ଜନସାଧାରଣ ଓ ଛାତ୍ରଛାତ୍ରୀ ଅନ୍ଧାରରେ ।

ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷାନୀତି -୨୦୨୦

ମାଧ୍ୟମିକ ଶିକ୍ଷା ପରବର୍ତ୍ତୀ ସ୍ତରରେ ଅର୍ଥାତ ଦ୍ୱାଦଶ ଶ୍ରେଣୀ ପରବର୍ତ୍ତୀ ଚାରିବର୍ଷ ନିମନ୍ତେ ସ୍ନାତକ ଶିକ୍ଷା ପ୍ରଚଳନ କରାଯିବ । ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଉକ୍ତ ଚାରିବର୍ଷ ମଧ୍ୟରେ ପ୍ରତ୍ୟେକ ବର୍ଷ ଦୁଇଟି ସେମିଷ୍ଟାର ପରୀକ୍ଷା ହେବ । ପ୍ରତ୍ୟେକବର୍ଷର ଶେଷରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ, ଡିପ୍ଲୋମା ଡିଗ୍ରୀ ପ୍ରଦାନ କରାଯିବ । ୩ବର୍ଷରେ ସ୍ନାତକ ଡିଗ୍ରୀ ମିଳିବ, କିନ୍ତୁ ଅନର୍ସ ରଖିଥିଲେ ୪ବର୍ଷରେ ଅନର୍ସ ସ୍ନାତକ ଡିଗ୍ରୀ ମିଳିବ । ଉକ୍ତ ଶିକ୍ଷାନୀତିରେ ଥିବା ବହୁ ପ୍ରବେଶ ତଥା ବହୁ ପ୍ରସ୍ଥାନ ବ୍ୟବସ୍ଥା ରହିଛି । ଅର୍ଥାତ ଯେ କେହି ଛାତ୍ରଛାତ୍ରୀ ମଝିରେ କୌଣସି କାରଣବଶତଃ ପାଠପଢ଼ା ଛାଡ଼ିଦେଲେ ପରବର୍ତ୍ତୀ ସମୟରେ ପୁଣି ନାମଲେଖାଇ ପାଠ ପଢ଼ିବାର ସୁଯୋଗ ପାଇବେ । କିନ୍ତୁ ସେମାନଙ୍କୁ ସାତବର୍ଷରେ ସ୍ନାତକ ଶେଷ କରିବାକୁ ପଡ଼ିବ ।
ମୂଲ୍ୟାଙ୍କନ ନିମନ୍ତେ ୟୁ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ ଫ୍ରେମୱାର୍କ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ ଫ୍ରେମୱାର୍କ ପ୍ରସ୍ତୁତ ହୋଇଛି । ଏହାଦ୍ୱାରା ଦକ୍ଷତା ବିକାଶ ଓ ଇଣ୍ଟର୍ନସିପ ନିମନ୍ତେ ସୁଯୋଗ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯିବ ବୋଲି ସରକାର କହୁଛନ୍ତି । ଉଚ୍ଚଶିକ୍ଷା ବ୍ୟବସ୍ଥା ମଧ୍ୟରେ କମ୍ୟୁନିଟି ସର୍ଭିସ ଓ ଏନ.ଏସ୍.ଏସ୍. ନିମନ୍ତେ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ । ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ଗବେଷଣା ନିମନ୍ତେ ମଧ୍ୟ ସୁଯୋଗ ରହିଛି । ମହାବିଦ୍ୟାଳୟଗୁଡ଼ିକରେ ବହୁ ବିଷୟକ ବା ମଲ୍ଟି-ଡିସପ୍ଳିନାରୀ ଶିକ୍ଷାବ୍ୟବସ୍ଥାର ସୁଯୋଗ ରହିବ । ଅର୍ଥାତ କଳା ବିଷୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ବିଜ୍ଞାନ ବିଷୟରେ କିମ୍ବା ବାଣିଜ୍ୟ ବିଷୟରେ ପଢ଼ିପାରିବେ । ସେହିପରି ବିଜ୍ଞାନ ପଢୁଥିବା ଛାତ୍ରଛାତ୍ରୀ କଳା କିମ୍ବା ବାଣିଜ୍ୟ ବିଷୟ ମଧ୍ୟ ପଢ଼ିପାରିବେ । ଶିକ୍ଷାକୁ ଶିଳ୍ପ ସହିତ ଯୋଡ଼ି ଇଣ୍ଟର୍ନସିପ ମାଧ୍ୟମରେ କର୍ମନିପୁଣତା ବଢ଼ାଇବା ନିମନ୍ତେ ତାଲିମ ଦିଆଯିବ । ଫଳରେ, ଶିକ୍ଷାକୁ ଅଧିକ ରୋଜଗାରକ୍ଷମ କରାଯାଇପାରିବ ବୋଲି ସରକାର ଆଶା ରଖିଛନ୍ତି । ଏହା ସହିତ ଶିଳ୍ପସଂସ୍ଥାମାନେ ମଧ୍ୟ ଉପଯୁକ୍ତ ଜ୍ଞାନଥିବା ମାନବ ସମ୍ବଳ ପାଇପାରିବେ । ଫଳରେ ଶିଳ୍ପକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହିତ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇପାରିବ । ଏଥିନିମନ୍ତେ ସରକାର ନୂତନ ପାଠ୍ୟକ୍ରମ ବା ସିଲାବସ ତିଆରି କରିବାରେ ଲାଗିଛନ୍ତି ।
ସରକାର କାହିଁକି ପ୍ରଥମେ ଜାତୀୟ ଶିକ୍ଷାନୀତି -୨୦୨୦କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଏବଂ ତାହା ପୁଣି ସରକାରୀ ବିଶ୍ୱବିଦ୍ୟାଳୟରେ ଓ ମହାବିଦ୍ୟାଳୟ ମାନଙ୍କରେ ଲାଗୁ କରିଛନ୍ତି ତାର କାରଣ ସର୍ବସାଧାରଣରେ ପ୍ରକାଶ କରିନାହାନ୍ତି । ଯାହା ଜଣାପଡୁଛି ବର୍ତ୍ତମାନର ବିଜେପି ସରକାର ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ଅବସ୍ଥା ନେଇ ଅବଗତ ନୁହଁନ୍ତି । ଯଦିବା ଅବଗତ ଅଛନ୍ତି, ତେବେ ଏହାକୁ ଅଣଦେଖା କରୁଛନ୍ତି । ଓଡ଼ିଶାରେ ବଡ଼ ବଡ଼ ମହାବିଦ୍ୟାଳୟ ବା କଲେଜଗୁଡିକୁ ପ୍ରଥମେ ଅଟୋନୋମସ ବା ସ୍ୱୟଂଶାସିତ କଲେଜ ଭାବରେ ନାମିତ କରାଗଲା । କିନ୍ତୁ କୌଣସି ସ୍ୱାୟତ୍ତତା ଦିଆଗଲା ନାହିଁ । ସେମାନେ କେବଳ ନିଜେ ସିଲାବସ ପ୍ରସ୍ତୁତ କରି ପାଠ ପଢ଼ାଇବେ ଓ ପରୀକ୍ଷା ପରିଚାଳନା କରିବେ ।
ପୂର୍ବପରି ଏହି ସ୍ୱୟଂଶାସିତ ଅନୁଷ୍ଠାନଗୁଡିକ ଆର୍ଥିକ ବିଷୟ ନେଇ ସରକାରଙ୍କ ଦୟା ଉପରେ ନିର୍ଭର କଲେ । ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରୀକ୍ଷା ଫି ଓ କଲେଜରେ ନାମଲେଖା ଫି ଅଧିକ ପଡ଼ିଲା । ସେଲ୍ଫ ଫାଇନାନ୍ସିଙ୍ଗ କୋର୍ସ ନାମରେ ପାଠପଢ଼ା ଖର୍ଚ୍ଚ ପିତାମାତାଙ୍କୁ ମୁଣ୍ଡେଇବାକୁ ପଡ଼ିଲା । ସରକାରୀ କଲେଜ ଓ ୟୁନିଭରସିଟିଗୁଡିକରେ ଘରୋଇ ସଂସ୍ଥା ପ୍ରବେଶ କରି ନିଜ ପଢ଼ାଖର୍ଚ୍ଚ ନିଜେ ବହନ ବିଷୟଗୁଡିକ ପରିଚାଳନା କଲେ । ଏପରି କିଛିଦିନ ଚାଲିବା ପରେ ସରକାର ସ୍ୱୟଂଶାସିତ କଲେଜଗୁଡିକୁ ୟୁନିଭର୍ସିଟି ବା ବିଶ୍ୱବିଦ୍ୟାଳୟରେ ପରିଣତ କଲେ ।
ଏହି ନ୍ୟାୟରେ କଟକର ରେଭେନ୍ସା କଲେଜ, ସମ୍ବଲପୁରର ଗଙ୍ଗାଧର ମେହେର କଲେଜ, ବ୍ରହ୍ମପୁରର ଖଲିକୋଟ କଲେଜ, ଜୟପୁରର ବିକ୍ରମଦେବ କଲେଜ, ବଲାଙ୍ଗୀରର ରାଜେନ୍ଦ୍ର କଲେଜ, ବାଲେଶ୍ୱରର ଫକିରମୋହନ କଲେଜ, କଟକସ୍ଥିତ ମଧୁସୂଦନ ଆଇନ କଲେଜ ଓ ଭୁବନେଶ୍ୱରସ୍ଥିତ ରମାଦେବୀ କଲେଜ ଇତ୍ୟାଦି ବହୁ କଲେଜ ୟୁନିଭରସିଟିକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏସବୁ ୟୁନିଭରସିଟିଗୁଡିକର ମୁଖ୍ୟ ସମସ୍ୟା ହେଲା କୌଣସି ସ୍ଥାନରେ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ନାହାନ୍ତି । ସବୁଠାରେ ଶିକ୍ଷକ-ଅଣଶିକ୍ଷକ ପଦବୀ ଖାଲି ପଡିଛି । ଅର୍ଥାତ ପାଠ ପଢାଇବାକୁ କିମ୍ବା ଗବେଷଣାକୁ ଆଗକୁ ନେବା ନିମନ୍ତେ କଲେଜଗୁଡ଼ିକରେ ଅଧ୍ୟାପକ ନାହାନ୍ତି ।
ସମ୍ବଲପୁର, ଭୁବନେଶ୍ୱର ଓ ବ୍ରହ୍ମପୁରଠାରେ ଅବସ୍ଥିତ ତିନୋଟି ପୁରୁଣା ୟୁନିଭରସିଟି ଗୁଡିକର ଅବସ୍ଥା ଆହୁରି ଶୋଚନୀୟ । ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ସେହି ସମସ୍ତ ୟୁନିଭରସିଟି ଓ କଲେଜମାନଙ୍କରେ ଆବଶ୍ୟକୀୟ ଅଧ୍ୟାପକ, ଶିକ୍ଷକ, ଅଣଶିକ୍ଷକ ପଦବୀ ପୂରଣ କରିପାରୁନାହାନ୍ତି । ଉଚ୍ଚଶିକ୍ଷାର ମାନବୃଦ୍ଧି ଲାଗି ଓଡ଼ିଶାର ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ସଚେତନ ନାଗରିକ ଅନେକବର୍ଷ ହେଲା ଦାବି କରୁଆସୁଥିଲେ ମଧ୍ୟ ଓଡିଶା ସରକାର ଆନ୍ତରିକତାର ସହିତ ଏହାର ଉନ୍ନତିଦିଗରେ କେବେ ମଧ୍ୟ କାମ କରିନାହାନ୍ତି । ଏବେ ଲେଡିଗୁଡ କହୁଣୀକୁ ବୋହିଗଲା ବେଳକୁ ନିଜର ପାରଦର୍ଶିତା ଦେଖାଇବା ଲାଗି ଜାତୀୟ ଶିକ୍ଷାନୀତି-୨୦୨୦କୁ ଲାଗୁ କରିବେ ବୋଲି ମିଡ଼ିଆରେ ବାରମ୍ବାର ବୟାନ ଦେଇଚାଲିଛନ୍ତି ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ ବିଷୟ ହେଲା ଯେ ଜାତୀୟ ଶିକ୍ଷାନୀତି-୨୦୨୦ରେ ବହୁ ପ୍ରବେଶ ଓ ବହୁ ପ୍ରସ୍ଥାନ ବ୍ୟବସ୍ଥା ବିଷୟ ଉଲେଖ କରାଯାଇଛି । ଏହା ଏକ ଅଭିନବ ବ୍ୟବସ୍ଥା କହି ମହିମାମଣ୍ଡିତ କରାଯାଇଛି । କିନ୍ତୁ ଏହାଦ୍ୱାରା ଅଧାରୁ ଛାତ୍ରଛାତ୍ରୀ ପାଠ ଛାଡ଼ିବା ସୁନିଶ୍ଚିତ ହୋଇଯାଇଛି । ଏବେ ଓଡ଼ିଶାରେ ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡିବା ୨୭ ଶତକଡା ରହିଛି ଓ ଓଡ଼ିଶା ଭାରତରେ ଅଧାରୁ ପାଠ ଛାଡିବାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଅଧାରୁ ପାଠଛାଡିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ତଫସିଲଭୁକ୍ତ ଜାତି, ଜନଜାତି ଓ ଦଳିତ ବର୍ଗର । ନାନାବିଧ କାରଣ ମଧ୍ୟରୁ ଦାରିଦ୍ର୍ୟ ହେଉଛି ଅଧାରୁ ପାଠ ଛାଡ଼ିବାର ମୁଖ୍ୟ କାରଣ ।
ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଅଧାରୁ ପାଠ ଛାଡିବାକୁ ଅନୁଷ୍ଠାନିକ ମାନ୍ୟତା ଦେଇଛି । ଏଥିରେ କୁହାଯାଇଛି ଯେ ବର୍ଷେ ପରେ କିମ୍ବା ଦୁଇ ବର୍ଷ ପରେ ପାଠ ଛାଡିଥିବା ଛାତ୍ରଛାତ୍ରୀ ପୁଣି ଥରେ କଲେଜରେ ନାମଲେଖାଇ ପଢ଼ିପାରିବେ । ସେମାନଙ୍କୁ ସାତବର୍ଷରେ ସ୍ନାତକ ଶିକ୍ଷା ସାରିବାକୁ ପଡ଼ିବ । କିନ୍ତୁ ବାସ୍ତବହେଲା ଥରେ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ଆଉ କଲେଜକୁ ଫେରିବେ ନାହିଁ । ସେମାନେ ଅଧାପାଠୁଆ ହୋଇ ଶ୍ରମିକ ଶ୍ରେଣୀରେ ଯୋଗ ଦେବେ । ସେମାନେ ପୁଞ୍ଜିପତି ଓ କର୍ପୋରେଟ ଜଗତ ନିମନ୍ତେ ଶସ୍ତା ଶ୍ରମିକ ଯୋଗାଣର ମାଧ୍ୟମ ହେବେ । ପ୍ରକୃତରେ, ଭାରତ ସରକାର ଏହା ହିଁ ଚାହାନ୍ତି । ଅର୍ଥାତ ସରକାର ଚାହୁଁଛନ୍ତି ଯେ ରାଜ୍ୟମାନଙ୍କରେ ଏକ ରିଜର୍ଭ ଆର୍ମି ଅଫ୍ ଲେବର ବା ଗଛିତ ବେକାର ଶ୍ରମିକଶ୍ରେଣୀ ରୁହନ୍ତୁ ଯାହା ଫଳରେ କି ପୁଞ୍ଜିପତି ଓ କର୍ପୋରେଟ ଜଗତ ଶସ୍ତାରେ ଶ୍ରମିକ ପାଇବେ । ଏହାଦ୍ୱାରା ପୁଞ୍ଜିପତିଙ୍କର ଉତ୍ପାଦନ ବୃଦ୍ଧି ହେବ ଓ ସେମାନେ ଅଧିକ ଲାଭ କରିପାରିବେ ।
ଆମ୍ଭେମାନେ ପୂର୍ବରୁ ଦେଖିଥିଲୁ ଯେ ଲର୍ଡ ମାକଲେ ୧୮୩୫ ମସିହାରେ ଭାରତରେ ଇଂଲିଶ ଏଡୁକେସନ ଆକ୍ଟ ଆଣିଥିଲେ । ଔପନିବେଶିକ ଶାସନ ବ୍ୟବସ୍ଥାକୁ ମଜଭୁତ କରିବା ନିମନ୍ତେ କ୍ଲର୍କ ତିଆର କରିବା ଆବଶ୍ୟକ ଥିଲା । ଏଥିନିମନ୍ତେ ମାକଲେ ନିର୍ଦ୍ଦେଶିତ ଶିକ୍ଷା ବ୍ୟବସ୍ଥା ଏ ଦେଶରେ ପ୍ରଚଳନ କରାଯାଇଥିଲା । ଏବେ ଆମେ ଦେଖିବା ଯେ ଓଡ଼ିଶା ସରକାରଙ୍କ ଜାତୀୟ ଶିକ୍ଷନୀତି-୨୦୨୦ ଉଚ୍ଚ ଶିକ୍ଷାରେ ପ୍ରଚଳନ ହେବା ଦ୍ୱାରା ଦେଶୀୟ ଓ ବିଦେଶୀ ପୁଞ୍ଜିପତିଙ୍କ ନିମନ୍ତେ ଶସ୍ତାରେ ଶ୍ରମିକ ଯୋଗାଇବାର ରାସ୍ତା ଫିଟିଗଲା ।
(ସୂତ୍ର: ‘ସଂଗ୍ରାମୀ ଚେତନାର ଗଣଭିତ୍ତି’ ପତ୍ରିକା)

Comments

0 comments

Share This Article