‘ରାଜ୍ୟପାଳ’ମାନେ କେନ୍ଦ୍ରସରକାରଙ୍କର ପ୍ରଭାବରେ ଆସି ବିରୋଧିଦଳ ମାନଙ୍କ ଦ୍ୱାରା ଗଠିତ ରାଜ୍ୟସରକାରମାନଙ୍କୁ ହିନସ୍ତା କରିବା ବା ଏମିତିକି ନିର୍ବାଚିତ ସରକାରମାନଙ୍କୁ କୌଣସି ବାହାନାରେ ବରଖାସ୍ତ କରିବା ଅଥବା ଅନୈତିକ ଭାବେ ଗଠିତ ମେଣ୍ଟଗୁଡ଼ିକୁ ସରକାର ଗଢ଼ିବା ପାଇଁ ସୁଯୋଗ ସୃଷ୍ଟି କରିବା ସ୍ୱାଧିନ ଭାରତର ଇତିହାସରେ ଅନନ୍ୟ ଘଟଣା ହୋଇ ରହିନାହିଁ । ସେଥିପାଇଁ ବେଳେବେଳେ ଯୁକ୍ତି ଆସିଥାଏ ଯେ ରାଜ୍ୟପାଳ ପଦବୀ ରହିବା ଉଚିତ୍ ନା ତାକୁ ଉଚ୍ଛେଦ କରାଯିବା ଉଚିତ୍! ଭାରତର ସଙ୍ଘୀୟ ବ୍ୟବସ୍ଥାରେ ରାଜ୍ୟପାଳ ନିର୍ବାଚିତ ରାଜ୍ୟସରକାର ଓ ନିର୍ବାଚିତ କେନ୍ଦ୍ର ସରକାରଙ୍କ ଭିତରେ ଏକ ସେତୁ ସଦୃଶ କାମ କରିବା କଥା । ସେହି ଦୃଷ୍ଟିରୁ ରାଜ୍ୟପାଳ ପଦବୀରେ ଅଧିଷ୍ଠିତ ବ୍ୟକ୍ତିଜଣକ ଭାରତର ସଙ୍ଘୀୟ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ଦାୟିତ୍ୱ ତୁଲାଉଛନ୍ତି, ଏଭଳି ଏକ ଚେତନା ବା ଦାୟିତ୍ୱବୋଧ ନିଜ ମନଭିତରକୁ ଆଣିବା ନିହାତି ଜରୁରୀ । କିନ୍ତୁ ରାଜ୍ୟପାଳ ଏଭଳି ଏକ ଭୂମିକାକୁ ପଛରେ ପକାଇ ତାଙ୍କୁ ମନୋନୀତ କରୁଥିବା କୌଣସି ରାଜନୈତିକ ଦଳର ଆୟୁଧ ହିସାବରେ ବ୍ୟବହୃତ ହେବା ପାଇଁ ଯଦି ପର୍ଯ୍ୟାପ୍ତ ସୁଯୋଗ ଦିଅନ୍ତି, ତେବେ ସେଠି ଉଭୟ ଗଣତନ୍ତ୍ର ଓ ସମ୍ବିଧାନ ସଙ୍କଟ ଭିତରକୁ ଠେଲି ହୋଇଯିବାର ଆଶଙ୍କା ସୃଷ୍ଟି ହୁଏ । ଗତ ୧୧ବର୍ଷ ଭିତରେ ବିରୋଧି ଦଳମାନଙ୍କ ଦ୍ୱାରା ଶାସିତ ରାଜ୍ୟମାନଙ୍କରେ ନିଯୁକ୍ତ ହୋଇଥିବା ରାଜ୍ୟପାଳମାନେ ନିଜର ସାମ୍ବିଧାନିକ ପଦ ଓ ଦାୟିତ୍ୱ ଭୁଲି କେନ୍ଦ୍ରରେ ସରକାର ଚଳାଉଥିବା ଦଳଟିର ବୋଲକରା ହୋଇ କାମ କରୁଛନ୍ତି ବୋଲି ଅଭିଯୋଗ ହୋଇ ଆସିଛି । ଏହି ରାଜ୍ୟରେ ସରକାରମାନଙ୍କୁ ଶାସନ ଚଳାଇ ନଦେବା ଏବଂ ତା’ ଦ୍ୱାରା ସେମାନଙ୍କ ବିରୋଧରେ ଜନଅସନ୍ତୋଷ ସୃଷ୍ଟି କରାଇବା ଏବଂ କେତେକ କ୍ଷେତ୍ରରେ ଏହି ସରକାରମାନଙ୍କୁ ସମ୍ପୂର୍ଣ୍ଣଭାବେ ଅସହାୟ କରାଇଦେବା ଇତ୍ୟାଦି କାମଗୁଡ଼ିକ ରାଜ୍ୟପାଳମାନେ କରିଚାଲିଛନ୍ତି । ଏହି ସବୁକଥା କିଛି ଗଣମାଧ୍ୟମ ସୌଜନ୍ୟରୁ ନିୟମିତ ଭାବେ ମିଳିଆସିଛି । ବିରୋଧିଦଳ ଶାସିତ ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଚିଠା ବିଧେୟକଗୁଡ଼ିକୁ ରାଜ୍ୟପାଳମାନେ ସ୍ୱୀକୃତି ହେଉନାହାଁନ୍ତି ବା ବିଭିନ୍ନ ବାହାନା ଦେଖାଇ ଅହେତୁକ ବିଳମ୍ବ କରାଉଛନ୍ତି । ବେଳେବେଳେ ଏମିତିବି ଲାଗେ ଯେ ବିରୋଧିଶାସିତ ରାଜ୍ୟମାନଙ୍କର ରାଜ୍ୟପାଳମାନେ କେନ୍ଦ୍ରର ପ୍ରତିନିଧି ନୁହଁ, ବରଂ ଭାଜପାଦଳର କେତେ ଉତ୍ସର୍ଗୀକୃତ କର୍ମୀ ତାହାର ପ୍ରମାଣ ଦେବା ପାଇଁ ପରସ୍ପର ଭିତରେ ପ୍ରତିଯୋଗିତା କରୁଛନ୍ତି । ଅଧିକାଂଶ କ୍ଷେତ୍ରରେ ସମ୍ବିଧାନର ଧାରା ୨୦୦କୁ ଅପବ୍ୟବହାର କରି ଏହି ରାଜ୍ୟପାଳମାନେ ବିଧାନସଭା ଦ୍ୱାରା ପାରିତ ଗୋଟିଏ ଚିଠା ବିଧେୟକକୁ ପୁଣିଥରେ ପୁନଃବିଚାର ପାଇଁ ପଠାଇ ଦେଉଛନ୍ତି ଏବଂ ଯଦି ତାହା ସର୍ବସମ୍ମତି କ୍ରମେ ପୁଣି ଥରେ ପାରିତ ହୁଏ, ତେବେ ତାକୁ ସ୍ୱୀକୃତି ଦେବା ପରିବର୍ତ୍ତେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେଉଛନ୍ତି । ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଧେୟକ ରାଜ୍ୟପାଳଙ୍କ ସ୍ୱୀକୃତି ନପାଇ ବର୍ଷବର୍ଷ ଧରି ଅଟକିଯିବା ଫଳରେ ପାଞ୍ଚ ବର୍ଷପାଇଁ କ୍ଷମତାକୁ ଆସିଥିବା ବିରୋଧି ରାଜନୈତିକ ଦଳଟିଏ ଏବଂ ଏହାର ସରକାର ଭୟଙ୍କର ଭାବେ ନିଜକୁ ଅସହାୟ ମନେକରନ୍ତି । ତୁହାକୁ ତୁହା ଆବେଦନ/ନିବେଦନ କରି ବିଫଳ ହେବାପରେ ସେମାନେ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହେବାପାଇଁ ବାଧ୍ୟ ହୁଅନ୍ତି ।
ଦୀର୍ଘ ୪ବର୍ଷରୁ ଊଦ୍ଧ୍ୱର୍କାଳ କିଛି ବିଲ୍ ଦୁଇ ଦୁଇଥର ରାଜ୍ୟ ବିଧାନସଭାରେ ପାରିତ ହେବାପରେ ତାମିଲନାଡ଼ୁ ରାଜ୍ୟପାଳ ବିଭିନ୍ନ ଆଳରେ ସ୍ୱୀକୃତି ନଦେଇ ଏକ ସଙ୍କଟମୟ ପରିସ୍ଥିତି ସୃଷ୍ଟି କରୁଥିବା ଯୋଗୁଁ ତାମିଲନାଡ଼ୁର ନିର୍ବାଚିତ ରାଜ୍ୟ ସରକାର ରାଜ୍ୟପାଳଙ୍କ ବିରୋଧରେ ଉଚ୍ଚତମ ନ୍ୟାୟାଳୟରେ ଏକ ଯାଚିକା ଦାଖଲ କରିଥିଲେ । ଏହି ଯାଚିକାର ଶୁଣାଣିକରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଗତ ଏପ୍ରିଲ ୮,୨୦୨୫ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲାର ଶୁଣାଣି ଏବଂ ରାୟ ଉଭୟ ଇଙ୍ଗିତ କରୁଛି ଭାରତର ସଙ୍ଘୀୟ ବ୍ୟବସ୍ଥା କେମିତି ଦିନକୁ ଦିନ ଅଧିକରୁ ଅଧିକ ବିପନ୍ନ ହୋଇଚାଲିଛି ଏବଂ ରାଜ୍ୟପାଳମାନେ ନିଜର ସାମ୍ବିଧାନିକ ପଦମର୍ଯ୍ୟାଦା ଓ ଦାୟିତ୍ୱ ଭୁଲି କିଭଳି ଅତି ନିର୍ଲଜ ଭାବେ ଏକ ଖଳନାୟକାର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଜନମତ, ବିଧିବ୍ୟବସ୍ଥା, ସମ୍ବିଧାନ କାହାପ୍ରତି ବି ଏମାନଙ୍କର ସାମାନ୍ୟତମ ସମ୍ମାନ ବା ଖାତିର ନାହିଁ । ଏପ୍ରିଲ ୮,୨୦୨୫ର ଏହି ରାୟଟିରେ ତାମିଲନାଡ଼ୁ ରାଜ୍ୟପାଳ ଏବଂ ତାଙ୍କୁ ସଙ୍କେତ କରି କେରଳ, ପଶ୍ଚିମବଙ୍ଗ, ତେଲେଙ୍ଗାନା, କର୍ଣ୍ଣାଟକ, ପଞ୍ଜାବ ଏବଂ ହିମାଚଳପ୍ରଦେଶ ଭଳି ରାଜ୍ୟପାଳମାନଙ୍କ ପାଇଁ ଏକ ପ୍ରକାର ଚେତାବନୀ ଶୁଣାଇ ଦିଆଯାଇଛି । ଏମାନେ କେନ୍ଦ୍ରରେ ଶାସନରେ ଥିବା ରାଜନୈତିକ ଦଳର ହାତବାରିସୀ ବା ଚପରାସୀ ଭଳି ଯେଭଳି କାମ ନ କରନ୍ତି, ସେଥିପାଇଁ ଯଥେଷ୍ଟ ସତର୍କ ସୂଚନା ଶୁଣାଇ ଦିଆଯାଇଛି । ଏହି ରାୟଟି ବିରୋଧିଦଳ ଶାସିତ ରାଜ୍ୟମାନଙ୍କର ରାଜ୍ୟପାଳ ପଦବୀରେ ଥିବା ବ୍ୟକ୍ତିମାନଙ୍କ ପାଇଁ କେବଳ ନୁହଁ ବରଂ ରାଜ୍ୟର ବିଶ୍ୱବିଦ୍ୟାଳୟ ମାନଙ୍କରେ ରାଜ୍ୟପାଳ କୁଳାଧିପତି ରହିବେ କି ନାହିଁ କଥାଟିକୁ ନେଇ ଚାଲିଥିବା ବିତର୍କକୁ ଅଧିକ ବଳ ଯୋଗାଇଛି । ଏହି ରାୟ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଏକ ସମ୍ମାନଜନକ ସ୍ତରରେ ରଖିବା, ରାଜ୍ୟର ସ୍ୱୟଂତତ୍ତାକୁ ସୁରକ୍ଷା ଯୋଗାଇବା ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ଚାଲିଥିବା ଅଚଳଅବସ୍ଥା ଓ ଅରାଜକତାକୁ ଦୂରକରିବା କ୍ଷେତ୍ରରେ ଉପଯୁକ୍ତ ମାର୍ଗ ଦେଖାଇବ ବୋଲି ବିଦ୍ୱାନମାନେ ଆଶା ରଖିଛନ୍ତି । ଏହି ରାୟଟିକୁ ଅକାମୀ କରିଦେବା ପାଇଁ ଇତିମଧ୍ୟରେ କେନ୍ଦ୍ରସରକାର ନିଜର ଅପଚେଷ୍ଟା ଆରମ୍ଭ କରିସାରିଛନ୍ତି । ସବୁଠାରୁ କୌତୁହଳର କଥାଟି ହେଲାଯେ ଏହି ରାୟରେ ରାଷ୍ଟ୍ରପତି ମଧ୍ୟ ବାଦ୍ ପଡ଼ିନାହାଁନ୍ତି ।
ତେବେ ଏପ୍ରିଲ ୮,୨୦୨୫ର ଏହି ରାୟଟି ପାଖକୁ ପହଞ୍ଚôବା ପୂର୍ବରୁ ଯାହାସବୁ ଘଟିଥିଲା ଚୁମ୍ବକରେ ରଖାଯାଇପାରେ । ଏହି ରାୟରେ ଯେଉଁ ୧୦ଟି ବିଲ୍ ତାମିଲ୍ନାଡ଼ୁ ରାଜ୍ୟପାଳଙ୍କ ବିନା ସ୍ୱୀକୃତିରେ ଆଇନରେ ପରିଣତ ହେଲାବୋଲି ଉଚ୍ଚତମ ନ୍ୟାୟାଳୟ କହିଲେ, ସେହି ସବୁ ବିଧେୟକଗୁଡ଼ିକ ତାମିଲନାଡ଼ୁର ବିଶ୍ୱବିଦ୍ୟାଳୟ ସମ୍ବନ୍ଧିତ । ଏହିସବୁ ବିଲ୍ ଗୁଡିକ ତାମିଲନାଡ଼ୁ ବିଧାନସଭାରେ ୨୦୨୦ରୁ ୨୦୨୪ ଭିତରେ ଦୁଇ ଦୁଇଥର ପାରିତ ହୋଇଥିବା ସତ୍ତ୍ୱେ ଅଟକି ରହିଥିଲା । ଏଥିରେ ରହିଥିବା ପ୍ରଥମ ଦୁଇଟି ବିଲ୍ ୨୦୨୦ରେ ତାମିଲନାଡ଼ୁ ବିଧାନସଭାରେ ପ୍ରଥମେ ପାରିତ ହୋଇଥିଲା । ଗୋଟିଏ ହେଉଛି ତାମିଲନାଡ଼ୁ ମତ୍ସ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ ୨୦୨୦ ଏବଂ ଦ୍ୱିତୀୟଟି ହେଲା ତାମିଲନାଡ଼ୁ ପଶୁପାଳନ ଓ ପଶୁବିଜ୍ଞାନ ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ ୨୦୨୦ । ପାଖାପାଖି ୫ବର୍ଷ ହେବ ଏହି ଦୁଇଟି ବିଧେୟକ ଏବଂ ଏହା ପରେପରେ ପାରିତ ତଥା ପୁନଃପାରିତ ୮ଟି ବିଶ୍ୱବିଦ୍ୟାଳୟ ସମ୍ବନ୍ଧିତ ଅନ୍ୟ ବିଧେୟକଗୁଡ଼ିକ ତାମିଲନାଡ଼ୁ ରାଜ୍ୟପାଳଙ୍କର ସ୍ୱୀକୃତି ନପାଇ ଆଇନରେ ପରିଣତ ହୋଇପାରୁନଥିଲା । କୌଣସି ବିଧେୟକ ପୁଣିଥରେ ବିଧାନସଭା ଦ୍ୱାରା ପାରିତ ହେବା ପରେ ଯଦି ସଂପୃକ୍ତ ବିଧେୟକରେ କୌଣସି ମୌଳିକ ପରିବର୍ତ୍ତନ କରାଯାଇ ନାହିଁ, ତେବେ ରାଜ୍ୟପାଳ ଆପେଆପେ ସ୍ୱୀକୃତି ଦେଇଦେବା କଥା । କିନ୍ତୁ ତାମିଲନାଡ଼ୁ ରଜ୍ୟପାଳ ସେପରି ନକରି କୌଣସି ବିଧିବ୍ୟବସ୍ଥା ନଥାଇ ସେ ସବୁକୁ ରାଷ୍ଟ୍ରପତିଙ୍କ ବିଚାରକୁ ପଠାଇ ଦେଉଥିଲେ । ଯଦି ପ୍ରଥମରୁ ରାଜ୍ୟପାଳ ବିଧେୟକଟି ପାରିତ ହେବାପରେ ରାଷ୍ଟ୍ରପତିଙ୍କ ପାଖକୁ ଉପଯୁକ୍ତ କାରଣ ଦର୍ଶାଇ ପଠାଇଥାନ୍ତେ, ତେବେ କଥାଟି ଭିନ୍ନ ହୋଇଥାନ୍ତା । କିନ୍ତୁ ବିଧେୟକଟିକୁ ବିଧାନସଭାର ପୂର୍ନବିଚାର ପାଇଁ ପଠାଇବା ଏବଂ ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହେବାପରେ ତାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଦେବା ରାଜ୍ୟପାଳଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟକୁ ଇଙ୍ଗିତ କରୁଥିଲା ନିଶ୍ଚୟ । ଏହି ୧୦ଟି ବିଧେୟକ ଭିତରୁ ଗୋଟିଏ ବିଧେୟକରେ ଅବଶ୍ୟ ଏହି କଥା ଥିଲାଯେ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦବୀରେ ରାଜ୍ୟପାଳ ରହିବେ ନାହିଁ । ତେବେ ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ବିଭିନ୍ନ ଆଳରେ ଚାରି ବର୍ଷରୁ ଉଦ୍ଧ୍ୱର୍କାଳ ଅଟକାଇ ରଖିବା ହୁଏତ ପୂର୍ବରୁ କେବେ ଆମ ସଂଘୀୟ ବ୍ୟବସ୍ଥା ଭିତରେ ଶୁଣିବାକୁ ମିଳୁନଥିଲା । ଏପ୍ରିଲ୍ ୮,୨୦୨୫ର ରାୟରେ ନ୍ୟାୟମୂର୍ତ୍ତି ଶ୍ରୀ ଜେ.ବି.ପଡ଼ିୱାଲ୍ ଓ ନ୍ୟାୟମୂର୍ତ୍ତି ଶ୍ରୀ ଆର୍.ମାଧବନ୍ ଙ୍କ ଖଣ୍ଡପୀଠ ରାୟ ଦେଲେ ଯେ, ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ କୌଣସି ବିଲ୍ ପଠାଇ ପାରିବେ ନାହିଁ ଯଦି ସେ ଥରେ ସେହି ବିଲ୍ ଟିକୁ ବିଧାନସଭାକୁ ଫେରାଇ ଦେଇଛନ୍ତି ଓ ବିଧାନସଭା ପୁଣିଥରେ ତାକୁ ପାରିତ କରିଛନ୍ତି । ବ୍ୟତିକ୍ରମ କେବଳ ସେହି କ୍ଷେତ୍ରରେ ରହିବ ଯଦି ଦ୍ୱିତୀୟଥର ପାରିତ ହୋଇଥିବା ବିଲ୍ ଟିରେ କିଛି ମୌଳିକ ପରିବର୍ତ୍ତନ ଅଣାଯାଇଛି । ଯଦି କୌଣସି ମୌଳିକ ପରିବର୍ତ୍ତନ ନଥାଇ ବିଲ୍ ଟିକୁ ପୂର୍ବଭଳି ପୁଣିଥରେ ପାରିତ କରାଯାଇଛି ଏବଂ ସେଥିରେ ସ୍ୱୀକୃତି ଦେଉନାହାଁନ୍ତି, ତେବେ ଧରିନେବାକୁ ହେବଯେ ସେହି ଦିନଠାରୁ ହିଁ ବିଲ୍ ଟି ଆଇନରେ ପରିଣତ ହୋଇଯାଇଛି । ସେହିଦୃଷ୍ଟିରୁ ଗତ ଚାରିବର୍ଷରୁ ଊଦ୍ଧ୍ୱର୍କାଳଧରି ପୁନଃପାରିତ ହୋଇଥିବା ୧୦ଟି ଚିଠା ବିଲ୍କୁ ବିଭିନ୍ନ ବାହାନାରେ ରାଜ୍ୟପାଳ ଯେଉଁଭଳି ଅଟକାଇ ରଖିଥିଲେ, ତାକୁ ନେଇ ଖଣ୍ଡପୀଠ ଭର୍ତ୍ସନା କରିଛନ୍ତି ଏବଂ ଗେଜେଟ୍ ନୋଟିଫିକେସନ୍ ମାଧ୍ୟମରେ ସେହି ସବୁ ବିଧେୟକ ଆଇନରେ ପରିଣତ ହେଲାବୋଲି ଘୋଷଣା କରିବା ପାଇଁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାୟପ୍ରକାଶ ପାଇବାର ଚାରିଦିନ ପରେ ତାମିଲନାଡ଼ୁ ରାଜ୍ୟସରକାର ଗେଜେଟ୍ ନୋଟିଫିକେସନ୍ ଜାରିକରି ସେହି ୧୦ଟି ଚିଠା ବିଧେୟକ ଆଇନରେ ପରିଣତ ହେଲାବୋଲି ଘୋଷଣା କରିଛନ୍ତି । ସେହି ଭିତରୁ ଗୋଟିଏ ଆଇନ ହେଉଛି ତାମିଲନାଡ଼ୁ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଯାହା କୁଳାଧିପତି ପଦବୀରେ ରାଜ୍ୟପାଳ ଆଉ ରହିପାରିବେ ନାହିଁ ବ୍ୟବସ୍ଥାଟିକୁ ସ୍ପଷ୍ଟଭାବେ ରଖିଛି । ତେବେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ (ବିଧାନସଭା) ତୁହାକୁ ତୁହା ପାରିତ କରିଥିବା ଗୁରୁତ୍ୱପୂର୍ଣ୍ଣ ବିଧେୟକଗୁଡ଼ିକୁ ଜଣେ ରାଜ୍ୟପାଳ ୪ବର୍ଷରୁ ଅଧିକକାଳ କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ ଅଟକାଇ ରଖିବା ଏବଂ ଉଚ୍ଚତମ ନ୍ୟାୟାଳୟର ହସ୍ତକ୍ଷେପ ପରେ ତାଙ୍କର ସ୍ୱୀକୃତି ବିନା ସେସବୁ ବିଧେୟକ ଆଇନରେ ପରିଣତ ହେବା ଭାରତର ସଂଘୀୟ ବ୍ୟବସ୍ଥା ଓ ଗଣତନ୍ତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି ।
ଏହି ରାୟ ନିଶ୍ଚିତଭାବେ ଗତ ୧୧ବର୍ଷଧରି ରାଜ୍ୟପାଳମାନଙ୍କ ମାଧ୍ୟମରେ ଅପଦସ୍ଥ, ଅସହାୟ ଓ ନିନ୍ଦିତ ହୋଇ ରହି ଆସିଥିବା ରାଜ୍ୟସରକାର ମାନଙ୍କୁ ସାମୟିକ ଆଶ୍ୱସ୍ତି ଦେଇଥିବ ନିଶ୍ଚୟ । ଦୁଷ୍ଟ ବୁଦ୍ଧିର ଲୋକଗୁଡ଼ିକୁ ପୁଣିଥରେ ସକ୍ରିୟ ହୋଇ ଏହି ରାୟଟିକୁ ଅକାମୀ କରାଇଦେବା ପୂର୍ବରୁ ବିରୋଧିଦଳମାନଙ୍କ ଦ୍ୱାରା ଗଠିତ ରାଜ୍ୟସରକାରମାନେ ଏକଜୁଟହୋଇ କିଛି ସାମୂହିକ ପଦକ୍ଷେପ ନେବା ଉଚିତ । ବିରୋଧିଶାସିତ ଅନ୍ୟରାଜ୍ୟଗୁଡ଼ିକରେ ମଧ୍ୟ ପରିସ୍ଥିତି ତାମିଲନାଡ଼ୁଠାରୁ ଭିନ୍ନ ନୁହେଁ । ସେମାନେ ସାମୂହିକ ଭାବେ ନିଷ୍ପତ୍ତି ନେଇ ଅନ୍ତତଃ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦବୀରୁ ରାଜ୍ୟପାଳମାନଙ୍କୁ ହଟାଇବା ଦରକାର । ରାଜ୍ୟସରକାର ମାନେ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ନିୟନ୍ତ୍ରଣ କରିପାରନ୍ତି, ଏଭଳି ଆଶଙ୍କା ଆସିପାରେ । ତେବେ ଆମେ ଦେଖିବା କଥାଯେ ବର୍ତ୍ତମାନ ସମୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କ ମାଧ୍ୟମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାୟତଃ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିସାରିଛି । ଓଡ଼ିଶାର କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଜଣେ ପ୍ରତିଷ୍ଠିତ ସ୍ୱୟଂସେବକ ସଂଘର ପ୍ରଚାରକ । ବିଭିନ୍ନ ରାଜ୍ୟରେ ପ୍ରଫେସର ଅଫ୍ ପ୍ରାକ୍ଟିସ୍ ନାଁରେ ଗୋବର ଗଣେଷମାନଙ୍କୁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି ଦିଆଚାଲିଛି ।
ଏଠି ସ୍ମରଣ କରାଇଦେବା ଉଚିତ୍ ହେବଯେ ବିଶ୍ୱବିଦ୍ୟାଳୟ ମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଇଂରେଜମାନେ ‘ଗଭର୍ଣ୍ଣର’ମାନଙ୍କୁ କୁଳାଧିପତି ରଖିଥିଲେ । ୧୮୫୭ମସିହାରେ ଇଂରେଜମାନେ ତକ୍ରାଳୀନ ତିନୋଟି ପ୍ରେସିଡ଼େନ୍ସିର ରାଜଧାନୀ ଯଥା ମାଡ଼୍ରାସ, ବମ୍ବେ ଏବଂ କଲିକତା ଠାରେ ତିନୋଟି ବିଶ୍ୱବିଦ୍ୟାଳୟ ସ୍ଥାପନ କରି ସେଠାକାର ‘ଗଭର୍ଣ୍ଣର’ ମାନଙ୍କୁ ‘ଚାନ୍ସେଲର’ (କୁଳାଧିପତି) ରଖିଥିଲେ । ସେମାନଙ୍କର କାମଥିଲା କୁଳପତି ଚୟନ କରିବା, ସିଣ୍ଡିକେଟ ସଦସ୍ୟ ଚୟନ କରିବା, ବିଶ୍ୱବିଦ୍ୟାଳୟ ସମ୍ପର୍କିୟ ନିୟମ ସ୍ୱୀକୃତି ଦେବା ଏବଂ ସମାବର୍ତ୍ତନ ଉତ୍ସବରେ ପୌରହିତ୍ୟ କରିବା । ତେବେ ସ୍ୱାଧିନ ଭାରତରେ ତିଆରି ହୋଇଥିବା ସମ୍ବିଧାନରେ ରାଜ୍ୟପାଳଙ୍କ ପାଇଁ ସେହିଭଳି କୌଣସି ଭୂମିକା ରଖାଯାଇ ନାହିଁ । ବିଭିନ୍ନ ରାଜ୍ୟର ବିଧାନସଭାରେ ଯେତେବେଳେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ଆଇନ ପ୍ରଣୟନ ହେଲା, ସେତେବେଳେ ରାଜ୍ୟପାଳଙ୍କୁ କୁଳାଧିପତି ପଦରେ ରଖି ବ୍ରିଟିଶ୍ ମାନଙ୍କର ପରମ୍ପରାକୁ ବଜାୟ ରଖାଗଲା । ସ୍ୱାଧିନ ଭାରତର ପ୍ରଥମ ଦୁଇ ଦଶନ୍ଧିରେ ଅର୍ଥାତ୍ ନେହେରୁଙ୍କ ସମୟରେ (କେରଳକୁ ଯଦି ବ୍ୟତିକ୍ରମ ହିସାବରେ ନିଆଯାଏ) ଯେଉଁସବୁ ରାଜ୍ୟପାଳମାନେ ନିଯୁକ୍ତି ପାଉଥିଲେ ସେମାନଙ୍କର ଏହି ପଦବୀ ପ୍ରତି ଦାୟିତ୍ୱବୋଧତା ସ୍ପଷ୍ଟଥିଲା । କିନ୍ତୁ ପରେପରେ ରାଜନେତା ମାନଙ୍କୁ ଏହି ପଦବୀରେ ଅଧିଷ୍ଠିତ କରାଯିବା ପରେ କେନ୍ଦ୍ର ଓ ରାଜ୍ୟର ସମ୍ପର୍କ ଭିତରେ ତିକ୍ତତା ଆସିଲା ଏବଂ ରାଜ୍ୟପାଳମାନେ ମୁଖ୍ୟତଃ କେନ୍ଦ୍ରର ରାଜନୈତିକ ପ୍ରତିନିଧି ଭାବେ କାମକଲେ । ଏହାର ପ୍ରଭାବ ବିଶ୍ୱବିଦ୍ୟାଳୟମାନଙ୍କ ଉପରେ ପଡ଼ିଲା । ଗତ ୧୧ବର୍ଷ ଭିତରେ ମୋଦୀ ସରକାର ରାଜ୍ୟପାଳମାନଙ୍କୁ ଅସ୍ତ୍ରକରି କେବଳ ରାଜ୍ୟର ରାଜନୀତି ନୁହଁ, ବରଂ ବିଶ୍ୱବିଦ୍ୟାଳୟ ତଥା ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ସିଧାସଳଖ ହଉ ବା ସଂଘ ମାଧ୍ୟମରେ ହେଉ ହସ୍ତକ୍ଷେପ କରିଚାଲିଲେ ।
‘ରାଜ୍ୟପାଳ’ମାନେ କେନ୍ଦ୍ରର ରାଜନୈତିକ ପ୍ରତିନିଧି ହେବା କଥାଟି ବହୁପୂର୍ବରୁ ସମାଲୋଚିତ ହୋଇଆସିଛି । ପ୍ରଥମ ସମାଲୋଚନାଟି ଆସିଥିଲା କଂଗ୍ରେସ ସରକାର ଅମଳରେ ଗଠିତ ‘ପ୍ରଥମ ପ୍ରଶାସନିକ ସଂସ୍କାର ଆୟୋଗ’ (୧୯୬୬-୭୭)ଙ୍କ ପାଖରୁ । କଂଗ୍ରେସ ସରକାର ଦ୍ୱାରା ହିଁ ନ୍ୟାୟମୂର୍ତ୍ତି ସାକାରିଆଙ୍କ ଅଧ୍ୟକ୍ଷତାରେ ଗଠିତ (୧୯୮୩-୮୮) ଆୟୋଗ ମଧ୍ୟ ରାଜ୍ୟପାଳ ପଦବୀରେ ରାଜନେତାମାନେ ଥଇଥାନ ହେଉଛନ୍ତି ବୋଲି କହି ଉଦ୍ ବେଗ ପ୍ରକାଶ କରିଥିଲେ । ତାଙ୍କର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଯାହା ବିଶ୍ୱବିଦ୍ୟାଳୟ ପାଇଁ ଅଧିକ ପ୍ରଯୁଜ୍ୟଥିଲା ଯେ (କ) ରାଜ୍ୟପାଳଙ୍କର କୌଣସି ବୈଧାନିକ କ୍ଷମତା (ଯେମିତିକି କୁଳାଧିପତି) ରହିବା ଉଚିତ୍ ନୁହଁ ଯଦି ତାହା ତାଙ୍କର ସାମ୍ବିଧାନିକ ଭୂମିକା ସହିତ ସମନ୍ଧିତ ନଥିବ ଏବଂ (ଖ) ବିଶ୍ୱବିଦ୍ୟାଳୟ ପ୍ରଶାସନ କ୍ଷେତ୍ରରେ ରାଜ୍ୟପାଳଙ୍କ ଭୂମିକା ସୀମିତ ରହି ରାଜ୍ୟସରକାରଙ୍କ ଭୂମିକା ଅଧିକା ରହିବା ଉଚିତ୍ । ୨୦୦୨ରେ ବାଜପେୟୀ ସରକାରଙ୍କ ଦ୍ୱାରା ନ୍ୟାୟମୂର୍ତ୍ତି ଶ୍ରୀ ଏମ.ଏନ ଭେଙ୍କେଟଚାଲିଆଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ ମଧ୍ୟ ରାଜ୍ୟପାଳ ପଦବୀଟି ରାଜନୈତିକ ନିରପେକ୍ଷତାକୁ ପ୍ରାଧାନ୍ୟଦେବା ଦରକାର ବୋଲି ମତ ରଖିଥିଲେ ଏବଂ ରାଜ୍ୟପାଳଙ୍କ ନିଯୁକ୍ତିରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିବା ଏକ କମିଟି କରିବା ଦରକାର ବୋଲି ମଧ୍ୟ କହିଥିଲେ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ ଆସିଥିଲା ମନମୋହନ ସିଂହ ସରକାରଙ୍କ ଦ୍ୱାରା ନ୍ୟାୟମୂର୍ତ୍ତି ଶ୍ରୀ ମଦନମୋହନ ପୁଁଚ୍ ଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ (୨୦୦୭-୧୦)ଙ୍କ ପାଖରୁ । ଏହି ଆୟୋଗଙ୍କ ମତରେ ରାଜ୍ୟପାଳ କୁଳାଧିପତି ପଦବୀରେ ନରହି ଏହି ପଦବୀରେ କେହି ପ୍ରତିଷ୍ଠିତ ଶିକ୍ଷାବିତ୍ ବା ବିଦ୍ୱାନ ରହିଲେ ବିଶ୍ୱବିଦ୍ୟାଳୟର ମାନ ରହିବ ଏବଂ ରାଜ୍ୟପାଳ ଅନୁଷ୍ଠାନର ସମ୍ମାନ ରହିବ । ଶ୍ରୀ ପୁଁଚ୍ ଙ୍କ ମତରେ ରାଜ୍ୟପାଳ ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ବିଧାନସଭା ଦ୍ୱାରା ପାରିତ ବିଧେୟକଗୁଡ଼ିକୁ ସ୍ୱୀକୃତି ଦେବାକୁ ପଡ଼ିବ । ଏହି ସବୁ ଦୃଷ୍ଟିରୁ ଦେଖିଲେ ଏପ୍ରିଲ ୮,୨୦୨୫ରୁ ଉଚ୍ଚତମ ନ୍ୟାୟାଳୟଙ୍କର ରାୟଟି ଅଚାନକ ଆସିନାହିଁ ଏବଂ ଏହାର ଏକ ବଳିଷ୍ଠ ପୃଷ୍ଠଭୂମି ରହିଛି । ଏହି ସ୍ତମ୍ଭର ସୀମାଭିତରେ ସବୁକଥା ଗୁଡ଼ିକ ବିସ୍ତାର ରୂପେ କହିବା ସମ୍ଭବ ନୁହେଁ ।
ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ସର୍ବଭାରତୀୟ ଶିକ୍ଷାବଞ୍ଚାଅ ଅଭିଯାନ ଏବଂ କେତେକ ଶିକ୍ଷକ ସଙ୍ଗଠନ ନିରନ୍ତର ଅଭିଯାନ ଜାରିରଖିଛନ୍ତି । ଡଃ ବୀରେନ୍ଦ୍ର ନାୟକଙ୍କର କିଛି ଉପାଦେୟ ଲେଖା ଏହି ପତ୍ରିକାରେ ପୂର୍ବରୁ ପ୍ରକାଶିତ ହୋଇଛି । ସମ୍ବିଧାନର ଧାରା ୨୦୦କୁ ତାମିଲନାଡ଼ୁ ସମେତ କେତେକ ରାଜ୍ୟର ରାଜ୍ୟପାଳମାନେ ଅପବ୍ୟବହାର କରି ଯେଉଁଭଳି କେବଳ ରାଜ୍ୟ ରାଜନୀତି ବିଧିବ୍ୟବସ୍ଥା ନୁହଁ ବରଂ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଭୟଙ୍କର ପରିଣାମ ଆସିବାଭଳି କାମ କରୁଛନ୍ତି ତାହାର ଆଖିଦୃଷ୍ଟିଆ, ସଂଗଠିତ ତଥା ସାମୂହିକ ବିରୋଧ ଦେଖିବାକୁ ମିଳୁନାହିଁ । ଏପ୍ରିଲ ୮,୨୦୨୫ରେ ତାମିଲନାଡ଼ୁ ସରକାର ବନାମ ତାମିଲନାଡ଼ୁ ରାଜ୍ୟପାଳ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଯେଉଁ ଐତିହାସିକ ରାୟ ପ୍ରଦାନ କରିଛନ୍ତି, ତାକୁ ବ୍ୟବହାର କରି ନିଜ ନିଜ ରାଜ୍ୟରେ ତାହାର ବାର୍ତ୍ତାକୁ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚାଇବା ମଧ୍ୟ ଏକ ସାମୂହିକ ଦାୟିତ୍ୱ ହିସାବରେ ବିଚାର କରାଯିବା ଦରକାର । ଓଡ଼ିଶାରେ ୨୪ବର୍ଷ ଶାସନରେ ଥିବା ନବୀନ ସରକାର କ୍ଷମତାରୁ ଯିବା ପୂର୍ବରୁ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଯେମିତିକି ଭାଜପା ପାଖରେ ସମର୍ପଣ କରିଦେଇଥିଲେ । କୁଳପତି ଚୟନ ଯେଭଳି ଭାବେ ଚାଲିଥିଲା ଏବଂ ବିଶ୍ୱବିଦ୍ୟାଳୟରେ ପ୍ରଗତିଶୀଳ ଛାତ୍ର ରାଜନୀତିକୁ ନିଶ୍ଚିନ୍ନ କରିଦେବାର ପ୍ରକ୍ରିୟା ନବୀନ ବାବୁ କରିଥିଲେ, ତାହା ବିରୋଧରେ ବିରୋଧି ରାଜନୈତିକ ଦଳମାନଙ୍କର ପ୍ରତିବାଦ ଦେଖିବାକୁ ମିଳୁନଥିଲା । ଅତୀତ ଭିତରକୁ ଠେଲି ହେଇଯାଉଥିବା କିଛି ବାମପନ୍ଥୀ ଛାତ୍ର ସଂଗଠନ କେତେ ଜୋରରେ ଚିତ୍କାର କଲେବି ତାହାର ପ୍ରତିଧ୍ୱନି ଶୁଣିବାକୁ ମିଳୁନଥିଲା । ଏବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସିଧାସଳଖ ଭାଜପା ଏବଂ ସଂଘ ପରିବାର ହାତକୁ ଚାଲିଯାଇଛି । ରାଜ୍ୟରେ ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା, ଭେଷଜ ଶିକ୍ଷା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ପ୍ରାଥମିକ ଶିକ୍ଷା ଅନେକ ଦିନରୁ ଭୁଷୁଡ଼ି ସାରିଛି । ସଂଘ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ମନ୍ଦିରର ଜଣେ ପୂର୍ବତନ ଶିକ୍ଷକ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ସ୍କୁଲ ଗୁଡ଼ିକୁ ବନ୍ଦ କରିଦିଆଯାଉଛି ବା ଶିକ୍ଷକ ନିଯୁକ୍ତି ଦିଆଯାଉ ନାହିଁ । ଶିକ୍ଷା ହେଉ ବା ଉଚ୍ଚଶିକ୍ଷା ବଡ଼ବଡ଼ କୋଠା ଗୁଡ଼ିକୁ ଇଙ୍ଗିତ କରୁଛି । ରାଜ୍ୟର ନିଷ୍ପତ୍ତି ନେବାର କେନ୍ଦ୍ରଟି ରାଜ୍ୟ ଭିତରେ ନାହିଁ । ଏହା ନୁହଁଯେ କଥାଟି ଏବକାର ଘଟଣା । ବହୁ ଆଗରୁ ବହୁରାଷ୍ଟ୍ରୀୟ ପୁଞ୍ଜିର ପ୍ରଭାବରେ ଭାରତର ସଂଘୀୟ ବ୍ୟବସ୍ଥା ବିପନ୍ନ ହେଇ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ କେନ୍ଦ୍ରିତ ହୋଇ ରହି ଆସିଛି । ସରକାର ଯାହାର ହେଉନା କାହିଁକି ରାଜ୍ୟମାନଙ୍କର ସ୍ୱାୟଂତତ୍ତା ବୋଲି କିଛି ନାହିଁ । ରାଜ୍ୟପାଳମାନେ ବିରୋଧି ଶାସିତ ରାଜ୍ୟମାନଙ୍କରେ ପ୍ରଧାନମନ୍ତ୍ରୀ ଦପ୍ତରର ଜଣେ ବିଶ୍ୱସ୍ତ ଚପରାସୀ ଭଳି କାମ କରିବା ପାଇଁ ଏକ ପ୍ରକାର ବାଧ୍ୟ । ତେବେ ଗୋଟିଏ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବାପାଇଁ ଜଣେ ବ୍ୟକ୍ତି କେବେବି ଯୋଗ୍ୟ ସାବ୍ୟସ୍ତ ହୋଇପାରିବେ ନାହିଁ । ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଆଗରେ ନିଜକୁ ସମର୍ପଣ ନକରି ହାଭାଡ଼ ବିଶ୍ୱବିଦ୍ୟାଳୟର କୁଳାଧିପତି ଆମକୁ ଏକ ଦୃଷ୍ଟାନ୍ତ ଦେଇ ସାରିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପାଇଁ ସ୍ୱାୟତତ୍ତା କେତେ ମୂଲ୍ୟବାନ ।
ସେହି ଦୃଷ୍ଟିରୁ ଦେଖିଲେ ଏପ୍ରିଲ୍ ୮,୨୦୨୫ର ଉଚ୍ଚତମ ନ୍ୟାୟାଳୟର ରାୟଟି ସୁଯୋଗ ଆଣିଦେଇଛି ପ୍ରତିବାଦ ଓ ପରିବର୍ତ୍ତନ ପାଇଁ ଆମେ ଯେମିତି ନିଜର ସାମୂହିକ ସ୍ୱରକୁ ଅଧିକ ଶାଣିତ ଓ ସଂଗଠିତ କରିପାରିବା ।
Comments
0 comments