ଏ ପକ୍ଷର ଖବର

89 Views
15 Min Read

ମନ ନ ମିଶିଲେ କେଉଁ ନେତା, କେଉଁ କାର୍ଯ୍ୟକର୍ତ୍ତା

ଇତିମଧ୍ୟରେ ଗୋଟା ସାଂଘାତିକ ସତ୍ୟ କହି ଦେଇଛନ୍ତି ବିଜେପିର ଅଦ୍ଭୁତ ବିଧାୟକ ବାବୁ ଜୟନାରାୟଣ ମିଶ୍ର । ବାବୁ କହିଛନ୍ତି ଯେ ମନକୁ ମନ ନ ମିଶିଲେ କି ନେତା, କି କାର୍ଯ୍ୟକର୍ତ୍ତା? ତେବେ ବାବୁ ହଠାତ୍ ଏମିତି କଥାଟେ କାହିଁ କହି ପକାଇଲେ? କ’ଣ ହେଲା କେଉଁଠି ପାନରୁ ଚୁନ ଖସିଗଲା ଯେ ନେତା ଆଉ କାର୍ଯ୍ୟକର୍ତ୍ତାଙ୍କର ମନ ମିଶିଲା ନାହିଁ? ବୁଝୁ ବୁଝୁ ଜାଣିଲୁ ଯେ ବାବୁ ଏଇ ମନ ମିଶିବା/ ନ ମିଶିବା କଥାଟି ନିଜ ଦଳ ଅର୍ଥାତ୍ ବିଜେପିର ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଆଚରଣ / ଉଚ୍ଚାରଣ ଆଦିକୁ ଗଭୀର ଭାବେ ଅନୁଧ୍ୟାନ କଲା ପରେ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯେ ବାବୁ ତ ଆମର ଖଣ୍ଡା ବୁଲାଇବା ଲୋକ । କାହାକୁ କିପରି ହଣାଯିବ, କଟାଯିବ, ଗୁଳି କରାଯିବ; ଖଣ୍ଡା ବୁଲାଇବା ଲୋକମାନେ ସାଧାରଣତଃ ଭାବିଥାନ୍ତି । ତାଙ୍କ ପୃଥିବୀରେ ତ ନେତା ଓ ପୁଲିସ ଭିତରେ ସଂଘର୍ଷକୁ ନେଇ ଗଭୀର ଚିନ୍ତନ ମନନ ସବୁ ହେବା କଥା । ପାର୍ଟି ବିଷୟରେ କାଇଁ ଚିନ୍ତନ ମନନ ହେଲା? ବୁଝିଲା ବେଳକୁ ବାବୁ ଆମର ଏବେ ପୁରୀ ମାଡ଼ି ଯାଇଥିଲେ । ସେଠାରେ ପାର୍ଟିର ବିଧାୟକ, ସାଂସଦମାନଙ୍କର ଏକ ପ୍ରଶିକ୍ଷଣ ବୈଠକ ହେଉଥିଲା । ସେଥିରେ ମିଶ୍ରବାବୁଙ୍କୁ କାଳେ ପ୍ରଶିକ୍ଷଣ ନେବାକୁ ଡାକରା ଆସିଥିଲା । ହସନ୍ତୁ ନାହିଁ । ସେଠାରେ ଆମେ ଯାହା ଦେଖିଲୁ ଦୁଇଥର ବିଧାୟକ ହୋଇଥିବା କେତେଜଣ ବାବୁ ମଧ୍ୟ ସାତଥର ବିଧାୟକ ସାଂସଦ ଆଦି ହୋଇଥିବା ନେତାଙ୍କୁ ପ୍ରଶିକ୍ଷଣ ଦେଉଥିଲେ ।
ସେ ଯାହାହେଉ ସେଠାରେ ଦଳର ସର୍ବୋଚ୍ଚ ପଦାଧିକାରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡାଜୀ ଭାଷଣ (ପ୍ରଶିକ୍ଷଣ) ଦେଇ କହିଲେ ଯେ ବିଧାୟକ, ମନ୍ତ୍ରୀ, ସାଂସଦ ହୋଇଗଲ ବୋଲି ମନରେ ଅହଙ୍କାର ରଖନା, ଗର୍ବ କରନା । ଲୋକଙ୍କ ସହିତ ମିଶି ଲୋକଙ୍କ ପାଇଁ କାମ କର । ତାକୁ ଶୁଣିବା ପରେ ବାବୁ ଜୟରାମ ତାଙ୍କ ଦଳୀୟ ଲୋକଙ୍କର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଲେ – ‘ଦେଖନ୍ତୁ ନଡ୍ଡାଜୀ ଯେଉଁ ଭାଷଣ ମାରି.. ଦେଲେ ସେ କଥାକୁ ଆମେ ବହୁଦିନରୁ କାର୍ଯ୍ୟକାରୀ କରି ଆସୁଛୁ । ସେ କହିଲେ କି ମନ ଭିତରେ ଅହଂକାର ଭାବ ଆସିବା କଥା ନୁହେଁ । ଆମେ କେବେ ଅହଂକାର ଭାବ ରଖିନୁ । ସେଇଥିପାଇଁ ଆମେ ପାଂଚ ପାଂଚ ଥର ଜିତିଛୁ । ଗର୍ବ ହେବା କଥା ସିଏ ଯାହା କହିଲେ ଆମର ଗର୍ବ ଅଛି କି ନାହିଁ ସେକଥା ଲୋକେ କହିବେ । ଆମେ ପାରୁ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଅଛୁ । ସିଏ ଯେଉଁ କଥାଗୁଡ଼ାକ କହିଲେ ଆମେ ସେହି କଥାଗୁଡ଼ାକୁ କରି କରି ଆସୁଛୁ । ଯେମିତିକି ସିଏ ଯେମିତି କହିଲେ ଗାଁ’କୁ ଗଲେ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ମିଶିବା ସେଇଟା ତ ଆମେ କରି କରି ଆସୁଛୁ । ମୋର ଯେଉଁ ନିର୍ବାଚନମଣ୍ଡଳୀ ସେଥିରେ ଗ୍ରାମାଂଚଳ ବେଶି ନାହିଁ । କିନ୍ତୁ ମୋ ଜିଲ୍ଲା ବା ଜିଲ୍ଲା ବାହାରକୁ ମୁଁ ଯେତେବେଳେ ଯାଏ ସମସ୍ତଙ୍କ ସହିତ ମିଶେ । ଆମେ ରିଭ୍ୟୁ କରୁ ଆଉ ଦେଖୁ ଯେ କ’ଣ କାର୍ଯ୍ୟକ୍ରମ ସବୁ ଚାଲିଛି । ଆମ ପାଖରେ ସେ ଖବର ଥାଏ । ମୁଁ ଆମ ଜିଲ୍ଲାର ନବାଗତ ବିଧାୟକଗୁଡ଼ାଙ୍କୁ କେମିତି ଲୋକଙ୍କ ସହିତ ମିଶିବ, କେମିତି କାମ କରିବ, ସବୁ ତାଲିମ ଦେଉଥିଲି । ସେଇଗୁଡ଼ାକ ନଡ୍ଡା ଆସି କହିଲେ । ତେବେ କଥାହେଲା ଆପଣଙ୍କ ମାନସିକ ଅବସ୍ଥା । ଆପଣ ତାକୁ କେମିତି ଗ୍ରହଣ କରୁଛନ୍ତିି । ଆପଣଙ୍କର ଭାବନା ସହିତ ସେ ଭାବନା ଯେ ପର୍ଯ୍ୟନ୍ତ ନ ମିଶିବ , ସେ ପର୍ଯ୍ୟନ୍ତ କିଛି କାର୍ଯ୍ୟକାରୀ ହେବନି ନା । ଯେ ପର୍ଯ୍ୟନ୍ତ ଆପଣଙ୍କ ମନ ସେଇଟାକୁ ଗ୍ରହଣ କରିନାହିଁ ଆପଣ ସେଇଟାକୁ କେବେ ନିଜର କରି ପାରିବେନି । କାରଣ ସେଇଟା ଆମର ଭାବନା । ଭାରତୀୟ ଜନତା ପାର୍ଟି ଏମିତି କେତେକ କଥା ରାଷ୍ଟ୍ରୀୟ ସ୍ତରରେ କରୁଛି ଯେଉଁଟାକି ତୃଣମୂଳ ସ୍ତରରେ ମୋ ଦ୍ୱାରା ଉଦ୍ଭାବିତ ହୋଇଛି । ଯେମିତିକି ଗୋଟିଏ କାର୍ଯ୍ୟକର୍ତ୍ତାକୁ ଗୋଟିଏ ପରିବାରର ଦାୟିତ୍ୱ ଦେବା । ତା’ର କାରଣ ହେଉଛି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ଚିନ୍ତାଧାରା କ’ଣ ରହିବ ସେଇଟା ଆମେ ତଳସ୍ତରରେ ରହିକି ବି ଜାଣି ଯାଉଛୁ ।
ଏତେ କଥା ଜାଣିକି, ୫ ଥର ବିଧାୟକ ହୋଇକି, ଥରେ ବିଜେପି ବିଧାୟକ ଦଳର ନେତା ଓ ବିଧାନସଭାର ଉପନେତା ହୋଇକି ବିଜେପି ରାଜ୍ୟ ସରକାରରେ ତାଙ୍କୁ ମନ୍ତ୍ରୀଟିଏ କରାଗଲାନି ଅଥଚ ତାଙ୍କ ରାଜନୈତିକ ଶତୃ କୁହାଯାଉଥିବା ସୁରେଶ ପୂଜାରୀବାବୁଙ୍କୁ କ୍ୟାବିନେଟ ମନ୍ତ୍ରୀ କରି ଦିଆଗଲା । ସିଏ ବିଜେପିର ମନର କଥାକୁ କେଡ଼େ ଜୋରରେ ବୁଝୁଛନ୍ତି, ଅଥଚ ତାଙ୍କ ମନର କଥାକୁ ବିଜେପି ଦଳ ସାମାନ୍ୟ ପରିମାଣରେ ବୁଝି ପାରୁନାହିଁ । ତେଣୁ କେଉଁ ନେତା, କେଉଁ କାର୍ଯ୍ୟକର୍ତ୍ତା ।

ଆୟୁଷ୍ମାନ ନା ଅଳ୍ପାୟୁଷ

ପାଠକେ! ଗତ ୨୧ମାର୍ଚ୍ଚ ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଲେ ଯେ ରାଜ୍ୟ ସରକାର ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ଏମଓୟୁ କରିଛନ୍ତି, ଯା’ଫଳରେ ରାଜ୍ୟର ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ୫ ଓ ୧୦ଲକ୍ଷ ଟଙ୍କାର ‘ଦେୟମୁକ୍ତ’ ଚିକିତ୍ସା ପାଇବେ । ସେହିପରି ବୟୋବନ୍ଦନାରେ ୫ ଲକ୍ଷ ଟଙ୍କା ଲେଖା ବାର୍ଷିକ ମିଳିବ । କଥାଥିଲା ଯେ ୧ ଅପ୍ରେଲ ଓଡ଼ିଶା ଦିବସରୁ ଏହା ଲାଗୁ ହେବ । ହେଲେ ହେଲାନି । ୧୧ ଅପ୍ରେଲରେ ହେଲା । ୧୧ ତାରିଖ ଦିନ କଟକସ୍ଥିତ କିଲ୍ଲାପଡ଼ିଆଠାରେ ବିଜେପି ପକ୍ଷରୁ ତିନିଟା ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ଚାଲୁ କରି ଦିଆଗଲା । ଗୋଟିଏ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଆରଟି ହେଉଛି ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ତୃତୀୟଟି ହେଉଛି ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନା । ବିଜେପିର ଜାଲିଆତି ପରି ତାଙ୍କ ଯୋଜନାଗୁଡ଼ିକର ନାଁ ମଧ୍ୟ ବେଶ୍ ଲମ୍ବା । ଏବେ ଏହାକୁ ବିଜେପି ପକ୍ଷରୁ ମଧ୍ୟ ସଂକ୍ଷେପରେ ଆୟୁଷ୍ମାନ ଯୋଜନା ବୋଲି କୁହାଯାଉଛି ।
ପାଠକେ! ପୂର୍ବର ବିଜେଡି ସରକାର ଏହି ଯୋଜନାକୁ ମୋଟେ ଲାଗୁ କରୁନଥିଲା । କେନ୍ଦ୍ର ସରକାର ପକ୍ଷରୁ ଯେତେ ଫନ୍ଦିଫିକର କଲେ ବି ଏହାକୁ ଲାଗୁ ନକରି କୁହାଯାଉଥିଲା ଯେ ଆମର ବିଜୁ ସ୍ୱାସ୍ଥ୍ର୍ୟ କଲ୍ୟାଣ ଯୋଜନା ଅଛି । ସେଇଟା ଆୟୁଷ୍ମାନଠୁ ବହୁତ ଭଲ । ଯେତେବେଳେ ବିଜେପିର ସରକାର ଆସିଲା ବର୍ଷକ ପରେ ଏହାକୁ ଲାଗୁ କରାଯାଇଛି । ହେଲେ ଏଥିରେ ହୋଇଛି କ’ଣ? ପ୍ରଥମେ ଦେଖନ୍ତୁ ବଡ଼ ରୋଗ ଯେମିତିକି ବ୍ଲଡପ୍ରେସର, ଥାଇରଏଡ, ଡାଇବେଟିସ୍, କ୍ୟାନସର ପରି ରୋଗ ଯେଉଁଥିରେ ଜଣେ ରୋଗୀ ମଲା ପର୍ଯ୍ୟନ୍ତ ଔଷଧ ଖାଇବ ଓ କଲବଲ ହେବ; ତା’ପାଇଁ ଆୟୁଷ୍ମାନରେ କିଛି ରିହାତି ବ୍ୟବସ୍ଥା ନାହିଁ । ୦୨- ଏହି କାର୍ଡ ଥାଇ ଯେଉଁ ଲୋକ କୌଣସି ରୋଗରେ ପଡ଼ି ଘରୋଇ ମହଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ଗଲା ତା’ର ପଶିବାର ୩ ଦିନ ପୂର୍ବରୁ ଓ ଛାଡ଼ିବାର ୧୫ଦିନ ପର ପର୍ଯ୍ୟନ୍ତ ସବୁ କଥା ବୀମା କମ୍ପାନୀ ବୁଝିବ । ଆଗରୁ ହାସପାତାଳରେ ରୋଗୀଟିଏ ପହଂଚିଲେ ହାସପାତାଳ ତା କାର୍ଡଟାକୁ ଚେକ୍ କରୁଥିଲା । ଯଦି କାର୍ଡ ଠିକ ଅଛି ‘ଭାଲିଡ୍’ ତେବେ ରୋଗୀ ବେଡକୁ ଯାଉଥିଲା । ସିଏ ସୁସ୍ଥ ହୋଇ ଘରକୁ ଫେରିବାପରେ ତା ପଇସା ମେଡ଼ିକାଲ ସରକାରଙ୍କ ଠାରୁ ବିଲ୍ଦେଇ ଲୁଟୁଥିଲା । ଏବେ ରୋଗୀ ବୀମାବାଲାଙ୍କୁ ଚାହିଁକି ବସିବ । ହାସପାତାଳକୁ କିଛି କହିଲେ ସିଏ କହିବେ ବୀମାବାଲା ଆସନ୍ତୁ । ପୁଣି ହାସପାତାଳ ଛାଡ଼ିବା ପରେ ଆଉ ଯାହା ଖର୍ଚ୍ଚ ଆସିବ ତା କଥା ରୋଗୀ ନିଜେ ତା ଜମିବାଡ଼ି ବିକି ବୁଝିବ । ଏଠି ପ୍ରଶ୍ନ ହେଉଛି ଯେ ଏହି ବ୍ୟବସ୍ଥାରେ ରୋଗୀଟିଏ ଆୟୁଷ୍ମାନ ହେବ ନା ପଇସା ଓ ବୀମା କମ୍ପାନୀଙ୍କ ପେଖନା ଚିନ୍ତାରେ ଅଳ୍ପାୟୁଷ ହୋଇଯିବ?
ପୁଣି ଗୋଟେ ବୟୋବନ୍ଦନା । ସେଥିରେ ଜଣେ ରୋଗୀ ଚିକିତ୍ସା ପାଇବାକୁ ହେଲେ ପ୍ରଥମେ ପ୍ରମାଣ ଦେବ ଯେ ତାକୁ ୭୦ ବର୍ଷରୁ ଅଧିକା ହୋଇ ସାରିଛି । ନହେଲେ ଅଳ୍ପାୟୁଷ । ଅନ୍ୟକଥାରେ ଏହି ଯୋଜନାରେ ଚିକିତ୍ସା ପାଇବାକୁ ହେଲେ ଜଣକୁ ୭୦ ବର୍ଷ ଅପେକ୍ଷା କରିବାକୁ ହେବ । ୭୦ବର୍ଷରୁ ଅଧିକ ହୋଇଗଲେ ସିଏ ରୋଗୀ ବୋଲି ମୋବାଇଲ ନହେଲେ ଇଂଟରନେଟରେ ପଂଜୀକୃତ କରିବ । ଆୟୁଷ୍ମାନରେ ଆଗଭଳି ଜଣେ ସିଧାସଳଖ ଚିକିତ୍ସାପାଇଁ ହାସପାତାଳରେ ପଶି ଯାଇ ଚିକିତ୍ସିତ ହୋଇଯାଇପାରିବ ନାହିଁ । ତା’ସାଙ୍ଗକୁ ତାକୁ ପୂର୍ବରୁ ଜଣେ ପ୍ରତିଷ୍ଠିତ, ସରକାରୀ ଡାକ୍ତରଙ୍କ ପକ୍ଷରୁ ରେଫର କରା ହୋଇଥିବା ଦରକାର । ରେଫରାଲ ଯଦି ସାଙ୍ଗେ ସାଙ୍ଗେ ଆଣି ନପାରିଲ ତେବେ ୨୪ ଘଣ୍ଟା ଭିତରେ ନିଶ୍ଚୟ ଆଣିବାକୁ ହେବ । ଅର୍ଥାତ୍ ଜଣେ ସରକାରୀ ଡାକ୍ତରଙ୍କୁ ହାତଗୁଞ୍ଜା ଦେଇ ଖଣ୍ଡେ ରେଫରାଲ କାଗଜ ଯୋଗାଡ଼ କରିବାକୁ ହେବ । ପାଠକେ! ରୋଗୀଟିଏ ଯିଏ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବ ସିଏ ଏସବୁ କରିବା ସମ୍ଭବ କି? ଏତେ ସରକାରୀ କଥାକୁ ସିଏ ଜାଣିପାରିବ ନାହିଁ । ତେଣୁ ପୂର୍ବ ସରକାର ଗୋଟା ‘ସ୍ୱାସ୍ଥ୍ୟମିତ୍ର’ ରଖୁଥିଲେ । ସିଏ କାଗଜପତ୍ର କାମ କରି ଦେଉଥିଲା । ରୋଗୀ ହାସପାତାଳ ବେଡରେ ପଡ଼ି ଚିକିତ୍ସା ହେଉଥିଲା । ଏବେ ସେ ଲୋକଟି ଆଉ ନାହିଁ । ରୋଗୀ ତା କାଗଜପତ୍ର କାମ କରୁ କରୁ ଅଳ୍ପାୟୁଷ ହୋଇଯିବ ।
ସିଧାକଥା ହେଉଛି ଏବେ ବେସରକାରୀ ହାସପାତାଳମାନେ ସିଧା କହିବେ ପଇସା(ଲକ୍ଷ ଲକ୍ଷ ଟଙ୍କା) ଦିଅ, ଏଠିକି ଆସ । ନହେଲେ ସରକାରୀ ହାସପାତାଳକୁ ଯାଅ । ଏହି ସାମ୍ବାଦିକ ନିଜେ କଥାର ସତ୍ୟାସତ୍ୟ ଜାଣିବାପାଇଁ ଗୋଟିଏ ବେସରକାରୀ ହାସପାତାଳକୁ ଫୋନ କରିବାରେ ସେପଟରୁ ଜଣେ ମହିଳା କହିଥିଲେ ଆମର ଏଠି କୌଣସି ସରକାରୀ କାର୍ଡକୁ ଏଂଟରଟେନ୍ କରାଯାଏ ନାହିଁ । ଆଉ ଜଣକୁ ମିଛରେ ନିଜକୁ ଜଣେ ହୃଦରୋଗୀଙ୍କ ସମ୍ପର୍କୀୟ ଓ ଆମେ ଆୟୁଷ୍ମାନ କାର୍ଡରେ କେମିତି ଆପଣଙ୍କ ହାସପାତାଳରେ ଚିକିତ୍ସା ପାଇବୁ ବୋଲି ପଚାରିବାରୁ ସିଏ କହିଲେ ସେସବୁ ଏବେ କିଛି ହୋଇନି । ଆପଣ ଆସିକି ଆମ ହାସପାତାଳରେ ଆଗେ ରେଜିଷ୍ଟ୍ରେସନ କରି ଦିଅନ୍ତୁ । ତା ପାଇଁ ପଇସା କେତେ ଲାଗିବ ବୋଲି ପଚାରିବାରୁ ସିଏ କହିଥିଲେ କ’ଣ ୫୦୦ କି ୧୦୦୦ ଲାଗିବ ଆଉ କେତେ? ତା’ପରେ ୩ ରୁ ୪ଜଣ ଆମେ ଜାଣିଥିବା କଟକ ଭୁବନେଶ୍ୱରର ପ୍ରତିଷ୍ଠିତ ଡାକ୍ତରଙ୍କ ସହିତ କଥା ହେଲୁ ଏବଂ ଜାଣିଲୁ ଯେ ରୋଗୀ କଥା ଛାଡ଼ନ୍ତୁ ଆଉ ଅଧିକ ପଚାରିଲେ ଆମେ ନିଜେ ଅଳ୍ପାୟୁଷ ହୋଇଯିବୁ ।
ଆମେ ଜାଣି ପାରୁନାହୁଁ ଯେ ପଇସା ତ ଦେବେ ଲୋକେ । ସେଇଥିରୁ ବୀମାକମ୍ପାନୀ ପଇସା ନେଇ ହାସପାତାଳକୁ ଦବ । ତାହେଲେ ଏତେ ଫନ୍ଦିଫିକର କ’ଣ ପାଇଁ, ରୋଗୀକୁ ହନ୍ତସନ୍ତ କରାଯିବ ପାଇଁ? ମନ୍ତ୍ରୀଙ୍କୁ ଏକଥା ଟିକେ ପଚାରିବା ବୋଲି ଫୋନ ଉଠାଇଲା ବେଳକୁ ଦେଖିଲୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁ’ରେ ବିଭିନ୍ନ ଜଣମାଧ୍ୟମରେ କିଏ ପ୍ରବନ୍ଧଟିଏ ଛପାଇଛନ୍ତି ଯେ – ଏଥିରେ ସବୁ କ୍ୟାସଲେସ । ମାନେ ମରିବା ପାଇଁ ଆଉ ପଇସା ଦରକାର ହେବନି । ବିନା ପଇସାରେ ନିଶ୍ୱାସ ବନ୍ଧ । ଏବେ ଆପଣ ମାନେ କହନ୍ତୁ ଏଇଟା ଆୟୁଷ୍ମାନ ନା ଅଳ୍ପାୟୁଷ?

ଆସ ଆମେ କ୍ଷମତା ପାଇଁ ଏକାଠି ହେବା

ଏବେ ବିଜେଡ଼ିର କନ୍ଦଳକୁ ନେଇ ରାଜ୍ୟର ଜଣମାଧ୍ୟମମାନେ ଖୁବ୍ ମୁଖରହୋଇ ଉଠିଛନ୍ତି । ଓଡ଼ିଶାର ଏକ କର୍ପୋରେଟ ଜଣମାଧ୍ୟମ ତ ପ୍ରତ୍ୟେକ ଦିନ ପ୍ରଥମପୃଷ୍ଠାରେ ଏ ବିଷୟରେ କିଛି ନା କିଛି ଖବର ଛାପୁଛି । ୱାକଫ୍ ବିଲକୁ ବିଜେଡିର ଦୁଇ ସାଂସଦ ସମର୍ଥନ କରିବା ପରେ ଅଧିକ ବିଜ୍ଞାପନ ପାଉଥିବା ଗୋଟିଏ ଦୁଇଟି ଜଣମାଧ୍ୟମ ଟିକିଏ ଅଧିକ ଉତୁରୁଥିବା ପରି ଲୋକଙ୍କୁ ଲାଗୁଛି । ଏବେକାର ଖବର ହେଉଛି ନଗଦାନଗଦୀ ଯାଜପୁରରେ ଗୋଟିଏ ମିଟିଂ ହେବାକୁ ଯାଉଛି । ଯାହାର ନାଁ ରଖାଯାଇଛି ଆସ ଆମେ ବିକାଶ ପାଇଁ ଏକାଠି ହେବା । ଆମ ମତରେ ଏହାର ଭିତିରି ନାଁ’ଟା ହେଉଛି ‘ଆସ ଆମେ କ୍ଷମତା ପାଇଁ ଏକାଠି ହେବା ।’ ଏହି ଏକାଠି ହେବାକୁ ଥିବା ନେତାମାନଙ୍କ ଭିତରେ କାଳେ ପ୍ରଫୁଲ୍ଲ ଘଡ଼େଇ ଓ ଅମର ଶତପଥୀଙ୍କ ପରି ନେତାମାନେ ଅଛନ୍ତି ଯାହାଙ୍କର ଶରୀର କୌଣସି ପାର୍ଟିରେ ଗ୍ରହଣୀୟ ହେଉ ନଥିବାବେଳେ ଆତ୍ମା ବିଜେପିରେ ଅଟକିଛି । ସମ୍ପ୍ରତି ଆମେ ଦିଲ୍ଲୀଗସ୍ତରେ ଥିଲୁ । ଦିଲ୍ଲୀର କିଛି ବରିଷ୍ଠ ସାମ୍ବାଦିକ ଯେଉଁମାନେ ନିରପେକ୍ଷ ଭାବରେ ରାଜନୀତିର ତର୍ଜମା କରୁଛନ୍ତି ସେମାନେ ବିଜେଡିର ଇତିହାସକୁ ଧରି ଗୋଟିଏ କଥା କହିଥିଲେ ଯେ ଏବେକାର ଯେଉଁ ଗଣ୍ଡଗୋଳ ଚାଲିଛି ସେଥିରେ ନବୀନ କି ପ୍ରେମ ପଟ୍ଟନାୟକଙ୍କର କିଛି କ୍ଷତି ହେବାର ନାହିଁ । ସେମାନଙ୍କ ମତରେ ବିଜେଡି ହେଉଛି ବିଜୁ ପଟ୍ଟନାୟକଙ୍କ ଦାୟାଦମାନଙ୍କର ରାଜନୈତିକ କମ୍ପାନୀ । ଏହା ସେହିମାନଙ୍କର ହିଁ ରହିବ । ସେମାନଙ୍କ ବିରୁଦ୍ଧରେ ଯାଇ ଯେଉଁମାନେ ନିଜେ ସେହି ସ୍ତରକୁ ଚାଲିଯିବେ ବୋଲି ଭାବୁଛନ୍ତି ସେମାନେ ରାଜନୀତିରେ ଯେଉଁ ବ୍ୟାବହାରିକ ଜ୍ଞାନ ଟିକକ ଥାଏ, ସେତକ ମଧ୍ୟ ରଖିନଥିବା ବ୍ୟକ୍ତି । ସେମାନେ ଏକଥା ଏଇଥିପାଇଁ କହୁଛନ୍ତି ଯେ ଅତୀତରେ ବିଜେଡିକୁ ଭାଙ୍ଗି ନିଜେ ଗୋଟା ଗୋଟା ପ୍ରଭୁ ହୋଇଯିବା ପାଇଁ ବିଜେଡି ଭିତରେ ଥିବା ବହୁ ବଡ଼ ବଡ଼ ନେତା ଖୁବ୍ ଜୋରଦାର ଉଦ୍ୟମ କରିଛନ୍ତି । କିନ୍ତୁ ସମର୍ଥ ହୋଇନାହାନ୍ତି । ପୁଣି ଆରେ ଢମଣା ବୁଲି ବୁଲି କରି ସେହି ଅଗଣାକୁ ଆଦରି ପଟ୍ଟନାୟକ ଏଣ୍ଡ୍ କୋରେ ରହି କ୍ଷମତା ଉପଭୋଗ କରିଛନ୍ତି । କିଛି ଦିନ ତଳେ ମୂଳ ଆରଏସ୍ଏସ୍ରୁ ଆସିଥିବା ପ୍ରସନ୍ନ ଆଚାର୍ଯ୍ୟ, ବିଭିନ୍ନ ପାର୍ଟି ବୁଲି ସାରିଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ପରି ଅଧଡର୍ଜନ ସାଂସଦ ବିଜେଡିରୁ ବାହାରି ନିଜେ ଗୋଟା ଦଳ କରି କ୍ଷମତା ହାତେଇବେ ବୋଲି ଲାଗି ପଡ଼ିଥିଲେ । ହେଲେ କ’ଣ ହେଲା? ତାଙ୍କ ପରେ ବା ପୂର୍ବରୁ ଯେଉଁମାନଙ୍କୁ ନବୀନ ପଟ୍ଟନାୟକ ବିଜେଡିରୁ ବାହାର କରିଦେଇଛନ୍ତି ସେମାନେ କେହି ଆଉ କ୍ଷମତା ରାଜନୀତିରେ ଅଛନ୍ତି? ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ନଳିନୀ ମହାନ୍ତି, ଅଶୋକ ଦାସ, ଦିଲ୍ଲୀପ ରାୟ କେଡ଼େ କେଡ଼େ ନେତା ସବୁ କ୍ଷମତା ରାଜନୀତିରେ ରହିଲେ କି? ନବୀନ ପଟ୍ଟନାୟକ ସେଦିନ ବି ଥିଲେ ଆଜି ବି ଅଛନ୍ତି । ଚୁପ୍ ଚାପ୍ ନିଜ କାମ କରୁଛନ୍ତି । କାରଣ ହେଉଛି ଏହି ନେତାମାନଙ୍କର ଚରିତ୍ରକୁ ଦେଖି ପଟ୍ଟନାୟକ ପରିବାର କେବେ ବି ଏ ନେତାମାନଙ୍କ ଉପରେ ଭରସା କରି ନଥିଲେ । ସିଏ ତାଙ୍କ ଶାସନର ପାଖାପାଖି ଅଧାସମୟ ଜଣେ ପୂର୍ବ ପ୍ରଶାସକ ପ୍ୟାରୀମୋହନ ମହାପାତ୍ରଙ୍କୁ ଧରି ପରେ ଆଉ ଅଧାକ ଆଉ ଜଣେ ବିଚକ୍ଷଣ ପ୍ରଶାସକ କାର୍ତ୍ତିକେୟନ ପାଣ୍ଡିଆନ୍ ଙ୍କୁ ଧରି କଟାଇ ଦେଲେ ।
ଏହି ଯେଉଁ ନେତାମାନେ ଏବେ ଲାଗିଛନ୍ତି ସେମାନଙ୍କର ମୂଳ ଦମ କେଉଁଠାରେ? ବିଜେପିରେ ନିଶ୍ଚିତ । କାରଣ କଂଗ୍ରେସର ଏବେ କିଛି ହେବାର ନାହିଁ । ସେମାନେ ଭାବୁଛନ୍ତି ଯେ ସେମାନେ ଯଦି ଗୋଟେ ଗ୍ରୁପ କରିଦେବେ ତେବେ ବିଜେପି ସହାୟତାରେ କ୍ଷମତାକୁ ଆସିଯିବେ । ସେହି କାମଟାତ ପଟ୍ଟନାୟକ ପରିବାର କରୁଛନ୍ତି । ବିଜେପି ବା କେନ୍ଦ୍ର ସରକାରର ଯେତେବେଳେ ଯେଉଁ ପ୍ରସଙ୍ଗରେ ସମର୍ଥନ ଦରକାର ପଡ଼ିଛି ତାକୁ କ’ଣ ବିଜେଡି ଦେଇନାହିଁ କି? ନା ବିଜେଡିର ଯେତେବେଳେ ଯେଉଁ ସମର୍ଥନ ଦରକାର ପଡ଼ିଛି ତାକୁ ବିଜେପି ଦେଇନାହିଁ? ତାହାହେଲେ ବିଜେପି ଏମାନଙ୍କୁ କାହିଁକି ନେବ?

ବର୍ଷଟିଏ ହୋଇନି : ଭୂମିକମ୍ପରୂପୀ ଗୋଷ୍ଠୀ କନ୍ଦଳ

ଇତିମଧ୍ୟରେ କଟକରେ ମୋହନ ସରକାର ପକ୍ଷରୁ ଆୟୁଷ୍ମାନ ଯୋଜନା ଲାଗୁ କରିବାପାଇଁ ଏକ ବଡ଼ ସଭା ହୋଇଗଲା । ହେଲେ ଏଥିରେ ମହାପ୍ରତାପଶାଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିକୁ କେହି କାଇଁ ବାରି ପାରିଲେ ନାହିଁ । କ’ଣ ହେଲା? ଯେଉଁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସର୍ବସମ୍ମୁଖରେ ଧକ୍କା ମାରି ଦେଉଥିଲେ ତାଙ୍କ ଉପସ୍ଥିତି ଏମିତଆ ନାକରା କେମିତି ହୋଇଗଲା? ବୁଉଝୁ ବୁଉଝୁ ଜଣାଗଲା ଯେ ଏହା ବିଜେପି ଭିତରେ ଚାଲିଥିବା ଗୋଷ୍ଠୀକନ୍ଦଳର ପରିଣତି । ଆଗରୁ ଏହା ଅଳ୍ପ ଅଳ୍ପ ଥିଲା ଏବେ ଭୂମିକମ୍ପ ହେବାକୁ ବସିଲାଣି । ଆଗରୁ ପ୍ରଧାନଗୋଷ୍ଠୀ ମୋହନ ବାବୁଙ୍କୁ ସହି ପାରୁନଥିଲେ, ଏବେ ମୋହନଗୋଷ୍ଠୀ ବାବୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସହିପାରୁ ନାହାନ୍ତି । ତାଙ୍କ ପର କାଟିବାରେ ଲାଗିଗଲେଣି ପରି ଲାଗୁଛି । କାରଣ ତାଙ୍କର ଧାରଣା ହୋଇଗଲାଣି ଯେ ଶ୍ରୀ ପ୍ରଧାନ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରବଳ ଆଶାୟୀ । ତେଣୁ ରାଜ୍ୟ ସରକାରଙ୍କୁ ନିନ୍ଦା କରାଇବା ପାଇଁ ନାନା ଫନ୍ଦିଫିକର କରୁଛନ୍ତି । ତାଙ୍କ ଲୋକଙ୍କୁ ଲଗାଇ ନାନା ବାଟରେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସ୍ତରରେ ବଦନାମ କରାଉଛନ୍ତି । ଏହାକୁ ରୋକିବାକୁ ହେବ । ଯା ଫଳରେ ସେଦିନ କ୍ଷେତ୍ର ଉପରେ ଉପସ୍ଥିତ ଥାଇ ମଧ୍ୟ ଲୋକେ ପ୍ରଧାନବାବୁଙ୍କର ଉପସ୍ଥିତିକୁ ଅନୁଭବ କରି ପାରିଲେ ନାହିଁ ।
ଏହି ଗୋଷ୍ଠୀକନ୍ଦଳର ଆଉ ଏକ କଥା ଏବେ ଆମ କାନରେ ପଡ଼ିଛି । ଆଗକୁ ପଂଚାୟତ ନିର୍ବାଚନ ଅଛି । ଏଥିରେ ଭଲ ନକଲେ ମୋହନ ସରକାର ବଦନାମ ହେବେ । ବିଜେପିର ଗୋଟିଏ ଗୋଷ୍ଠୀ ତାଙ୍କ ଦିଲ୍ଲୀ ଲବିକୁ ଲଗାଇ ବୃଦ୍ଧ ବ୍ୟାଘ୍ର ସୁନାକଙ୍କଣ ଯାଚିବା ପରି ଏକ ଖେଳ ଆରମ୍ଭ କରିଛି । ଏହି ଖେଳଟି ପୁରା କେନ୍ଦ୍ର ପଂଚାୟତିରାଜ ବିଭାଗକୁ ଧରି ଖେଳାଯାଇଛି ବୋଲି କୁହାଯାଉଛି । ଖେଳଟି ହେଲା ବିଭାଗ ପକ୍ଷରୁ ଦେଶର ବିଭିନ୍ନ ପଂଚାୟତରେ ମୋଦୀ ସରକାର ପକ୍ଷରୁ ପ୍ରବଳ ବିକାଶ/ଉନ୍ନତି କରାଯାଇଛି ବୋଲି ନିଜକୁ ନିଜେ ଗୋଟିଏ ପ୍ରମାଣପତ୍ର ଦିଆଯିବା ପାଇଁ ଦେଶର କିଛି ଗ୍ରାମପଂଚାୟତଙ୍କୁ ଶ୍ରେଷ୍ଠ ପଂଚାୟତର ମାନ୍ୟତା ଦିଆଯାଇଛି । ଓଡ଼ିଶାରେ ୩୦ଟି ଜିଲ୍ଲାରେ ଯେଉଁ ୬୨୩୫ଗ୍ରାମପଂଚାୟତ ଅଛି ସେଥିରୁ ୨୫ଟିକୁ ଶ୍ରେଷ୍ଠ ଗ୍ରାମପଂଚାୟତ ଭାବେ କେନ୍ଦ୍ର ସରକାର ଘୋଷଣା କରିଛି । ଭଲ କଥା । କିନ୍ତୁି ଏହି ୨୫ରୁ ୨୨ଟି ଗ୍ରାମପଂଚାୟତ ହେଉଛି ଗୋଟିଏ ଜିଲ୍ଲା ଅର୍ଥାତ୍ ଗଞ୍ଜାମର । ଆଉ ମାତ୍ର ତିନୋଟି ଜିପି ହେଉଛି କେନ୍ଦୁଝର ଓ କୋରାପୁଟର । ଏହି ତାଲିକାରେ ପ୍ରଥମରେ ରହିଛି ଗଞ୍ଜାମ ଜିଲ୍ଲାର ‘ବାଲିଛାଇ’ ଗ୍ରାମପଞ୍ଚାୟତ । ଏହା ଏକଦମ ଠିକ ଯେ ଯିଏ ଭଲ କାମ କରୁଛି ସିଏ ପୁରସ୍କୃତ ହେବା ଉଚିତ୍ । ହେଲେ ସବୁଯାକ ପଂଚାୟତ ଗୋଟିଏ ଜିଲ୍ଳାରୁ ବଛାହେବା କଥାଟି ରାଜ୍ୟର ମୋହନ ମାଝୀ ସରକାରକୁ ଅକଳିଆରେ ପକାଇ ଦେଇଛି । ଗୋଟିଏ ଜିଲ୍ଲାରୁ ୨୨ ହେଲେ ଆଉ ସବୁ ଜିଲ୍ଲା କୁଆଡ଼େ ଗଲେ? ସେଠାରେ କ’ଣ କିଛି ଉନ୍ନତି ବା ବିକାଶ ହୋଇ ନାହିଁ? ଯଦି ହୋଇନାହିଁ ତେବେ ରାଜ୍ୟ ସରକାର ଅପାରଗ । ଆଗରୁ ଏପରି ସବୁ ମାମଲାରେ ବିଜେପି କହି ଦେଉଥିଲା-ଆମେ କ’ଣ କରିବୁ ରାଜ୍ୟରେ ବିଜେଡ଼ି ସରକାର ଚାଲିଛି । ହେଲେ ଏବେ ସେକଥା କହି ହେଉ ନାହିଁ । କାରଣ ବର୍ଷେ ପାଖାପାଖି ହେଲାଣି ଓଡ଼ିଶାରେ ବିଜେପିର ଗୋଟିଏ ଗୋଷ୍ଠୀ ଶାସନରେ ଅଛନ୍ତି । ୩୦ ଜିଲାରୁ ତିନୋଟି ଜିଲ୍ଲାରେ ପଂଚାୟତ ଗୁଡ଼ିକରେ ଉନ୍ନତିମୂଳକ କାମ ହେଉଛିି ଆଉ ୨୭ ଜିଲ୍ଲାରେ କାମ ହେଉନାହିଁ ବୋଲି କେନ୍ଦ୍ର ସରକାରଙ୍କ ପ୍ରମାଣପତ୍ର ପରୋକ୍ଷରେ କହିଦେଲାଣି । ତା ଅର୍ଥ ପ୍ରମାଣ ହେଲାଣି ଯେ ପଶ୍ଚିମଓଡ଼ିଶା ଓ ଅବିଭକ୍ତ କଟକ ଜିଲ୍ଲାର ପଂଚାୟତଗୁଡ଼ିକ ବିକାଶ ନ କରିବାକୁ ନେଇ ସମାନ ସ୍ଥିତିରେ ପହଂଚିଗଲେଣି । ଏବେ ଯିଏ ହେଲେ ପଚାରିବ ନାହିଁ କି ତାହେଲେ ଏ ସରକାର କରୁଛି କ’ଣ?

Comments

0 comments

Share This Article