ନେତାଙ୍କ ମତ: ମାଟି ପଛ, ବାକି ସବୁ ଆଗ!
କମ୍ ମୂଲ୍ୟରେ ବକ୍ସାଇଟ କିଣି ଲୁଟୁଛି ବେଦାନ୍ତ । ଅଧିକା ମୂଲ୍ୟରେ ବକ୍ସାଇଟ କ୍ରୟ କରିବାପାଇଁ ଟେଣ୍ଡର ପାଇଛି ପାଓନିୟର । ପାଓନିୟର କମ୍ପାନୀକୁ ରୋକିବାପାଇଁ ଚକ୍ରାନ୍ତ ଚଳାଇଛି ବେଦାନ୍ତ । ବେଦାନ୍ତର ଚକ୍ରାନ୍ତର ଚକ୍ରବ୍ୟୁହରେ ଛନ୍ଦି ହୋଇପଡିଛନ୍ତି ନେତା ଓ ଜନତା? ବିପୁଳ କ୍ଷତି ସହୁଛି କୋରାପୁଟ ଜିଲ୍ଲା ଓ ଓଡ଼ିଶା ।
‘ଲକ୍ଷ୍ମୀପୁର କୋଡ଼ିଙ୍ଗାମାଳିରୁ ବକ୍ସାଇଟ ଉତ୍ତୋଳନ ନେଇ ଦୁଇ କମ୍ପାନୀଙ୍କ ଗୋଲକଧନ୍ଦା ଭିତରେ ପେଷି ହେଉଛନ୍ତି ନେତା ଓ ସ୍ଥାନୀୟ ଜନତା । ବେଦାନ୍ତ ଓ ପାଓନିଅର କଂପାନୀ ଭିତରେ ପ୍ରତିଯୋଗିତାରେ ମୋହରା ସାଜିଛନ୍ତି ନେତା ଓ ଜନତା । ବାସ୍ତବତାଠାରୁ ଦୂରରେ ରହି ଆନେ୍ଦାଳନରେ ସାମିଲ ହେଉଥିବା ପରି ମନେ ହେଉଛି । ଯଦିଓ ବେଦାନ୍ତ ଆଲୁମିନା ଦ୍ୱାରା କୋଡ଼ିଙ୍ଗାମାଳିରୁ ବକ୍ସାଇଟ ଉତ୍ତୋଳନ ଯୋଗୁଁ ସରକାର ହଜାର ହଜାର କୋଟି ରାଜସ୍ୱ ହରାଉଛନ୍ତି । ବେଦାନ୍ତ ପ୍ରତି ସ୍ଥାନୀୟ ଅଂଚଳର କିଛି ନେତା ଓ ସଙ୍ଗଠନର ଓକିଲାତି ଆଉ ସରକାରଙ୍କ ନିରବ ସମର୍ଥନ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଚରମ ଅବହେଳା ବୋଲି ପ୍ରମାଣିତ ହେଉଛି । ବେଦାନ୍ତ ପାଇଁ ହଜାର ହଜାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛି ରାଜ୍ୟ ଓ କୋରାପୁଟ ଜିଲ୍ଲା ।
ବାସ୍ତବତା କଣ ହୋଇପାରେ । କାହିଁକି ଓ କାହା ପାଇଁ ଏ ବିରୋଧ?
ବିରୋଧର ସ୍ୱର କଣ ହେବା ଉଚିତ? ଯେତେ ଅଧିକ ମୂଲ୍ୟରେ କିଣିଲେ ମଧ୍ୟ ପାଓନିଅର ଆନ୍ଧ୍ର କମ୍ପାନୀ । ଓଡ଼ିଶାର ଖଣିଜ ଦ୍ରବ୍ୟ ସେ ନେଇପାରିବନି । ଆନ୍ଧ୍ର କଂପାନୀ ଆସି ଏଠିକାର ଖଣିଜ ସମ୍ପଦକୁ ବାହାରେ ବିକି ପାରିବନି ଭଳି ଅନେକ ଯୁକ୍ତିରେ ଲକ୍ଷ୍ମୀପୁରର କିଛି ସଙ୍ଗଠନ ଓ କୋରାପୁଟ ଜିଲ୍ଲାର କିଛି ରାଜନେତା ଏଭଳି ଆନେ୍ଦାଳନକୁ ଆରମ୍ଭ କରିଛନ୍ତି । କମ ମୂଲ୍ୟରେ ବେଦାନ୍ତ ଲୁଟି ନେଉଛି ସେଥିପାଇଁ ବିରୋଧୀଙ୍କ ଆପତ୍ତି ନାହିଁ! ତେବେ ଏଠି ପ୍ରଶ୍ନ ଉଠୁଛି କୋଡ଼ିଙ୍ଗାମାଳିରୁ ଏବେ ଯେଉଁ ବେଦାନ୍ତ କଂପାନୀ ଖଣି ଖନନ କରୁଛି ସେ କଣ ଓଡ଼ିଶାର? ଓଡ଼ିଆ ପୁଅ କଣ ସେଇ କମ୍ପାନୀକୁ ସ୍ଥାପନା ଓ ପରିଚାଳନା କରୁଛି? ସେ ବି ଏକ ବାହାର କମ୍ପାନୀ । ବିହାରୀ ଲୋକଦ୍ୱାରା ପ୍ରତିଷ୍ଠିତ ମହାରାଷ୍ଟ୍ର କଂପାନୀ । ବହୁ କମ୍ ମୂଲ୍ୟରେ ଏଠାକାର ଖଣି ଲୁଟିବାକୁ ସେ ଆସିଛି । ଏମିତି କିଛି ପ୍ରଶ୍ନ ଆନ୍ଦୋଳନକାରୀଙ୍କୁ ପଚାରିବା ଆରମ୍ଭ କରିଛନ୍ତି ଲୋକେ । ଏମିତି ପ୍ରଶ୍ନରେ ଆନ୍ଦୋଳନକାରୀ ଥତମତ ହୋଇପଡୁଛନ୍ତି । ସ୍ପଷ୍ଟ ଉତ୍ତର ଦେଇ ପାରୁନାହାଁନ୍ତି । ଅପରପକ୍ଷେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ କହିବା ହେଲା ଖଣିଜ ସମ୍ପଦ ଖନନ କରି ପରିବେଶ ଧ୍ୱଂସ କରୁଥିବା ସବୁ କଂପାନୀ ଏକା ପ୍ରକାରର । ସ୍ଥାନୀୟ ଅଞ୍ଚଳର ବିକାଶ ନକରି ଏଠାକାର ମାଟି, ପାଣି ପବନକୁ ଧ୍ୱଂସ କରିବା ସହ ଖଣିଜସମ୍ପଦ ଲୁଟ କରିବା ସବୁ କଂପାନୀର ଅସଲ ଉଦେ୍ଦଶ୍ୟ । କୋଡ଼ିଙ୍ଗାମାଳିରୁ ଖଣି ଖନନ କରିବାକୁ ଚାହୁଁଥିବା ସବୁ କମ୍ପାନୀକୁ ସ୍ଥାନୀୟ ଲୋକେ ବିରୋଧ କରି ପରିବେଶକୁ ବଞ୍ଚାଇବା ଉଚିତ । ତାହା ନକରି ଜଣଙ୍କୁ ବିରୋଧ ଆଉ ଜଣଙ୍କୁ ସପକ୍ଷ କରିବା ପଛରେ କିଛି ରହସ୍ୟ ଓ ଅନ୍ୟ ଉଦେଶ୍ୟ ଥାଇପାରେ । ସ୍ୱାର୍ଥ ଥାଇ ଏଭଳି ଆନ୍ଦୋଳନ ହେବା ଉଚିତ ନୁହଁ ବୋଲି ବିଷୋଦଗାର କରିଛନ୍ତି ପରିବେଶବିତ୍ ଶ୍ରୀ ସାମନ୍ତରା । ଜିଲ୍ଲାର ବିକାଶ ଓ ଅଞ୍ଚଳର ଲୋକଙ୍କ ସ୍ୱାର୍ଥପାଇଁ ଅଧିକ ମୂଲ୍ୟରେ କିଣିଥିବା କମ୍ପାନୀକୁ ସୁଯୋଗ ଦେବା ସପକ୍ଷରେ ଯୁକ୍ତି ବାଡୁଛନ୍ତି କୋଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚର ନେତା ପ୍ରଦୀପ ବାଘ ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ତା ସହ କମମୂଲ୍ୟରେ ନଦେଇ ନୂଆ ଦର ଲାଗୁ କରି ବେଦାନ୍ତକୁ ବକ୍ସାଇଟ ଦେବାକୁ ସେମାନେ ଦାବୀ କରିଛନ୍ତି ।
ଆନ୍ଦୋଳନ କାହିଁକି?
ଅସଲରେ ଲୋକେ ଏହି ଆନ୍ଦୋଳନ କରୁଥିବାପରି ମନେ ହେଉନି । କିଛି ମୁଷ୍ଟିମେୟ ଲୋକଙ୍କ ଇଙ୍ଗିତରେ ଚାଲିଛି ଆନ୍ଦୋଳନ । ଆନ୍ଦୋଳନ ପଛରେ ବେଦାନ୍ତର ହୀନ ଉଦ୍ୟମ ଥିବା ମନେ ହେଉଛି । ବେଦାନ୍ତ ନିଜର କ୍ଷତିକୁ ବଞ୍ଚାଇବାକୁ ଏମିତି ଆନ୍ଦୋଳନକୁ ଜନ୍ମ ଦେଇଥିବା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ କୋଡିଙ୍ଗାମାଳି ସୁରକ୍ଷା ମଞ୍ଚର ନେତା ପ୍ରଦୀପ ବାଘ ସମେତ ସ୍ଥାନୀୟ ଅଂଚଳର ସଚେତନଶୀଳ ବ୍ୟକ୍ତି କହିଛନ୍ତି ।
ଅସଲକଥା ହେଲା ବେଦାନ୍ତ ଏଠାରୁ ବହୁ କମ୍ ଦରରେ ଖଣି ଖନନ କରିଚାଲିଛି । ରାଜ୍ୟ ସରକାରଙ୍କ ସହ କମ୍ ଦରରେ ଚୁକ୍ତିକରି ଖଣି ଉତ୍ତୋଳନ କରିଚାଲିଛି । ୨୦୧୭ ମସିହାରୁ ପ୍ରଥମେ ଟନ ପିଛା ମାତ୍ର ଚାରିଶହ ପଚାଶ ଟଙ୍କାରେ ଆଉ ଏବେ ଏକ ହଜାର ଟଙ୍କାରେ ବକ୍ସାଇଟ ନେଉଛି ବେଦାନ୍ତ । ଏବେ ନୂଆ କମ୍ପାନୀଭାବେ ପାଓନିଅରକୁ ବି ଏଠାରୁ ଖଣି ଉତ୍ତୋଳନ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଟନ ପିଛା (୩୦୧୦ ଟଙ୍କା) ତିନିହଜାର ଦଶଟଙ୍କାରେ କିଣିବାକୁ ଚୁକ୍ତି କରିଥିବା ସୂଚନା ମିଳିଛି । ବେଦାନ୍ତର ଦରଠାରୁ ପାଓନିଅର ଟନ ପିଛା ଦରରେ ଆକାଶ ପାତାଳ ଫରକ ରହିଛି । ପାଓନିଅର ଏଠାରୁ ଥରେ ଖଣି ଖନନ ଆରମ୍ଭ କଲେ ବେଦାନ୍ତ ବି ସେଇ ସମାନ ଦରରେ ରାଜ୍ୟ ସରକାରଙ୍କୁ ଅର୍ଥ ଦେବାକୁ ପଡ଼ିବ । ମୂଲ୍ୟ ପରିବର୍ତ୍ତିତ ହେବ । ନୂତନ ମୂଲ୍ୟରେ ସମସ୍ତଙ୍କୁ ବକ୍ସାଇଟ କିଣିବାକୁ ପଡିବ । ଫଳରେ ବେଦାନ୍ତର ମୁନାଫାରେ ହଜାର ହଜାର କୋଟି ହ୍ରାସ ଘଟିବାର ନିଶ୍ଚିତ ସମ୍ଭାବନା ରହିଛି । କଂପାନୀର ଲାଭ କମି ଯିବାର ଭୟରେ ପାଓନିଅରକୁ ଏଠାରେ ସୁଯୋଗ ନ ଦେବାକୁ ବେଦାନ୍ତ ନୂଆ ଚାଲ ଚଲେଇଛି । କିଛିଲୋକ ବେଦାନ୍ତର ଇଙ୍ଗିତରେ ଏହି ଆନ୍ଦୋଳନ ଚଲେଇଥିବା କୋଡିଙ୍ଗାମାଳି ସୁରକ୍ଷା ମଂଚର ନେତା ଓ ପୂର୍ବତନ ବିଧାୟକ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ, ଓଡ଼ିଶା ଖଣି ନିଗମର ନିୟମାନୁସାରେ ଖଣି ନିଗମ ଅଧୀନରେଥିବା ଖଣିରୁ ରାଜ୍ୟରେ ପ୍ଲାଣ୍ଟ ବସାଇଥିବା କମ୍ପାନୀକୁ ୮୦ ପ୍ରତିଶତ ଖଣିଜ ପଦାର୍ଥ ବିକ୍ରୟ କରିବ । ବଳକା ୨୦ପ୍ରତିଶତ ଖଣିଜ ପଦାର୍ଥକୁ ଗ୍ଲୋବାଲ ଟେଣ୍ଡର ଜରିଆରେ ବିକ୍ରୟ କରିପାରିବ । ଗୋବଲ୍ ଟେଣ୍ଡରରେ ଯିଏ ଅଧିକା ମୂଲ୍ୟରେ କିଣିବ ତାକୁ ହିଁ ବିକ୍ରୟ କରିବ । ଅଧିକ ଟଙ୍କା ମିଳିବା ଦ୍ୱାରା ରାଜ୍ୟର ଓ ଜିଲ୍ଲାର ବିକାଶ ହେବ । ଏଇଠି ପ୍ରଶ୍ନ ଉଠୁଛି ଅଧିକ ମୂଲ୍ୟରେ କିଣୁଥିବା କମ୍ପାନୀକୁ ଖଣି ପରିବହନ କରିବାକୁ ଦିଆଯିବ ନାହିଁ ବୋଲି ବିରୋଧ କରୁଥିବା ବିରୋଧୀମାନେ ବିଚିତ୍ର ଯୁକ୍ତି ବାଢ଼ୁଛନ୍ତି । ଏହାଦ୍ୱାରା କମ ଦରରେ କିଣୁଥିବା ବେଦାନ୍ତ କମ୍ପାନୀର ସ୍ୱାର୍ଥରକ୍ଷା ପାଇଁ ବିରୋଧୀମାନେ ସୁରକ୍ଷା ଦେଉଛନ୍ତି ବୋଲି ଗୁରୁତର ଅଭିଯୋଗ ହେଉଛି ।
ମାଟି ଆଗ, ବାକି ସବୁ ପଛ!
ମାଟି ଓ ମାଟିର ମଣିଷଙ୍କ ପାଇଁ ବସ୍ତୁତଃ ଲଢ଼େଇ କରିବା ଉଚିତ । କିନ୍ତୁ କୋଡ଼ିଙ୍ଗାମାଳି ଆନ୍ଦୋଳନରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳୁଛି । କମ ଦରରେ ବକ୍ସାଇଟ କିଣୁଥିବା କଂପାନୀ ଭଲ ଆଉ ଅଧିକ ଦାମରେ ବକ୍ସାଇଟ କିଣିବାକୁ ଯାଉଥିବା କମ୍ପାନୀ ଖରାପ । କେଉଁ ନିକିତିରେ ତଉଲୁଛନ୍ତି ମାଟି ପାଇଁ ପ୍ରତିଶ୍ରୁତିବଦ୍ଧ ଏଠାକାର ମଣିଷ ଓ ଆନ୍ଦୋଳନକାରୀ । ଅଧିକ ଦରରେ କିଣିଲେ ରାଜ୍ୟ ଅଧିକ ରାଜସ୍ୱ ପାଇବ ଏବଂ ସ୍ଥାନୀୟ ଖଣିଜ ପାଣ୍ଠିକୁ ଅଧିକ ଅର୍ଥ ଉନ୍ନୟନ ପାଇଁ ଆସିବ । ସେହି ଅର୍ଥରେ କୋରାପୁଟର ବିକାଶ ହେବ । ଏହା ଅତି ସ୍ପଷ୍ଟ ଓ ସରଳ କଥା । ଏହି କଥାକୁ ବୁଝିବାରେ କୋଉଠି ବି କାହାରି ଅସୁବିଧା ନାହିଁ । ତା’ସତ୍ତ୍ୱେ ସମସ୍ତଙ୍କୁ ଚକିତ କରୁଛି ଆନ୍ଧ୍ରକମ୍ପାନୀ ବିରୋଧୀ ଓ ବେଦାନ୍ତ ପ୍ରୀତି ଆନ୍ଦୋଳନ । ଆନ୍ଦୋଳନକାରୀ ଓ ମଙ୍ଗୁଆଳମାନେ ଏକଥା ଜାଣିଶୁଣି କିପରି ମାଟି ବିରୋଧୀ କାମରେ ଲାଗିପଡିଛନ୍ତି ବୋଲି ସାଧରଣରରେ ଚର୍ଚ୍ଚା ଜୋର ହେଉଛି । ଜିଲ୍ଲାରୁ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଇଲା, ମାଙ୍ଗାନିଜ, ଲୁହାପଥର ବହୁଳ ପରିମାଣରେ ବାହାର ରାଜ୍ୟକୁ ବର୍ଷ ବର୍ଷ ଧରି ରପ୍ତାନୀ କରାଯାଉଛି କିପରି? ଏଭଳି ପ୍ରଶ୍ନର ଉତ୍ତର ମାଗୁଛନ୍ତି ଜନତା । ଏମିତିକି ଆଗାମୀ ଦିନରେ ଏହାର ଠିକଣା ଜବାବ ଦିଆଯିବ ବୋଲି ଗାଁ ଗାଁରେ ଏବେଠାରୁ ଆଲୋଚନା ଆରମ୍ଭ କଲେଣି ସ୍ଥାନୀୟ ଲୋକେ ।
ଅସଲି କଥା
ବେଦାନ୍ତ ଆଲୁମିନା ଲକ୍ଷ୍ମୀପୁରସ୍ଥ କୋଡ଼ିଙ୍ଗାମାଳି ପର୍ବତରୁ ୨୪ (ଚବିଶି) ମିଲିୟନ ଟନ ବକ୍ସାଇଟ ଉତ୍ତୋଳନ କରିସାରିଛି । ଏଥିଲାଗି ସମ୍ମତି ପତ୍ର ହାସଲ କରିଥିଲା । ଓଡ଼ଶା ସରକାରଙ୍କ ଖଣିନିଗମ ଜରିଆରେ ଏଠାରୁ ଖଣି ଉତ୍ତୋଳନ ଲାଗି ଅନୁମତି ପାଇଥିଲା । ଏହିକ୍ରମରେ ୨୦୧୭ ମସିହାରୁ ୮ ବର୍ଷ ଧରି ବେଦାନ୍ତ କୋଡ଼ିଙ୍ଗାମାଳିରୁ ବକ୍ସାଇଟ ଉତ୍ତୋଳନ କରି ଖଣିଜ ସମ୍ପଦକୁ ହରିଲୁଟ କରିଚାଲିଛି । ବହୁ କମ୍ମୂଲ୍ୟରେ ଏକଚାଟିଆ ଭାବେ ବକ୍ସାଇଟ ଉତ୍ତୋଳନ ହେତୁ ମନମୁଖୀ ହୋଇପଡିଛି ବେଦାନ୍ତ । ଆନ୍ତର୍ଜାତୀୟ ବଜାର ଦରଠାରୁ ଯଥେଷ୍ଟ କମ୍ ଦରରେ କଂପାନୀ ବକ୍ସାଇଟ ଉତ୍ତୋଳନ କରୁଥିବାରୁ କଂପାନୀ ଭବିଷ୍ୟତ ମୁନାଫାରେ ହ୍ରାସ ଘଟିବା ନେଇ ବିବ୍ରତ ହୋଇପଡିଛି । ଅନ୍ୟଏକ କଂପାନୀ ସେହି ସମାନ ସ୍ଥାନରୁ ଟନ ପିଛା ୩ଗୁଣା ଅଧିକ ଦରରେ କିଣିବାକୁ ସରକାରଙ୍କ ସହ ବୁଝାମଣା ହୋଇଥିବାରୁ ବେଦାନ୍ତ ଏଠାରେ ରାଜନୀତି ଆରମ୍ଭ କରିଛି! ହଜାର ହଜାର କୋଟି ଲୁଟି ନେଇଥିବା ବେଦାନ୍ତ ଆଗାମୀ ଦିନରେ ପୁଣି ଲୁଟିବାକୁ ଯୋଜନା କରୁଥିବା ବେଦାନ୍ତର ଅସଲି ମୁଖା ଖୋଲିଯିବା ପରେ ବକ୍ସାଇଟ ଖନନ ଉପରେ ପ୍ରଭାବ ଆଶଙ୍କାରେ ଅନ୍ୟ କମ୍ପାନୀକୁ ଏଠାରୁ ଉତ୍ତୋଳନ ନ କରେଇ ଦେବାକୁ ସ୍ଥାନୀୟ ଅଞ୍ଚଳର ଭାଇଚାରା ଓ ଏକତା ନଷ୍ଟ କରିବାକୁ ଉଦ୍ୟମ କରୁଥିବା ବହୁ ସଙ୍ଗଠନ ଅଭିଯୋଗ କରିଛନ୍ତି ।
ବେଦାନ୍ତକୁ ସମର୍ଥନ ମାଟି ଓ ମାଟିର ମଣିଷଙ୍କ ପାଇଁ ବିଶ୍ୱାସଘାତକ !
ଅଧିକା ମୂଲ୍ୟରେ କିଣୁଥିବା ଏକ କଂପାନୀ ଖଣିଜପଦାର୍ଥ ପରିବହନ କଲେ ରାଜ୍ୟକୁ ବିପୁଳ ରାଜସ୍ୱ ମିଳିବ । ଜିଲ୍ଲା ଖଣିଜ ପାଣ୍ଠିକୁ ଅଧିକ ଟଙ୍କା ଆସିବ । ଏହାଦ୍ୱାରା ଅଞ୍ଚଳର ସାମଗ୍ରିକ ବିକାଶ ଅଧିକ ହୋଇପାରିବ । କୃଷି, ଉଦ୍ୟାନକୃଷି, ଜଳସେଚନ, ବେକାରଙ୍କୁ କର୍ମନିଯୁକ୍ତିର ବହୁଳ ସୁଯୋଗ ରହିବ । ବିକାଶ ପାଇଁ ଦାବି କରୁଥିବା ବିରୋଧୀ ବିଜେଡ଼ି ଓ କଂଗ୍ରେସ ଦଳର ନେତାମାନେ ୨କମ୍ପାନୀକୁ ନେଇ ଭାଗ ଭାଗ ହୋଇଥିବାର ଦେଖିବାକୁ ମିଳୁଛି । ସ୍ଥାନୀୟ ବିଜେପି ଦଳର ନେତାମାନେ କମ ମୂଲ୍ୟରେ ଲୁଟୁଥିବା ବେଦାନ୍ତକୁ ସମର୍ଥନ କରୁଛନ୍ତି । ଶାସକ ଓ ବିରୋଧୀ ସବୁଦଳ ବେଦାନ୍ତର କି? ସାଧାରଣ ଲୋକଙ୍କ ପାଇଁ କେହି ନୁହନ୍ତି ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି । ତଥାପି ରାଜ୍ୟ ସରକାରଙ୍କ ଏହି କ୍ଷେତ୍ରରେ ନୀରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରତି କଥାରେ ଓଡ଼ିଶା ସ୍ୱାର୍ଥର କଥା କହି ତୁମ୍ବିତୋଫାନ କରୁଥିବା ବିରୋଧୀ ବିଜେଡ଼ି ଓ କଂଗ୍ରେସ ଦଳପକ୍ଷରୁ କୋଡିଙ୍ଗାମାଳି ଘଟଣାରେ ପାଟି ଖୋଲୁନାହାନ୍ତି । ଏସବୁ ଦେଖି ଶୁଣି ନୀରବଦ୍ରଷ୍ଟା ସାଜିଥିବା ଦଳଗୁଡ଼ିକର ଆଭିମୁଖ୍ୟକୁ ନେଇ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
Comments
0 comments