ମିଞ୍ଜି ମିଞ୍ଜି ହୋଇ ଜଳୁଛି ମହ୍ଲାର ଜନଜାତିର ଯନ୍ତ୍ରଣା ଜର୍ଜରିତ ଜୀବନ । ମୌନ ମହ୍ଲାରର ମରମ ମରୁଛି ଟିକେ ମଲମ ପାଇଁ । ମନସ୍ତାପର ମନରେ ମହ୍ଲାର ଦେଖୁଛି ଆଦିବାସୀ ଜନଜାତିଙ୍କ ପାଇଁ ସରକାରୀ ମାୟାକାନ୍ଦଣା । ଜୀବନର ଚଲାପଥରେ ବଣପାହାଡ଼ ଝରଣାର ମୃଦୁ ମନ୍ଦ ମଳୟରେ ମଲାଜହ୍ନ ପାଲଟି ଗୁମୁରି ଗୁମୁରି କାନ୍ଦୁଛି ମହ୍ଲାରର ନାବାଳିକା ବାଳିକାବଧୂ । ମାୟାବୀ ପ୍ରଶାସନର ଆଦିବାସୀ ବିକାଶର ମାହାଳିଆ ପ୍ରତିଶୃତିର ମିଛୁଆ ରୂପକୁ ବଖାଣୁଛି ମହ୍ଲାର ଜନଜାତି ମହିଳା । ଯୌବନର ମଧୁରତା ହରାଇ ବଧୂ ସାଜୁଛି ମହ୍ଲାର ନାବାଳିକା । ହେଲେ ମହ୍ଲାରର ମରମ ପାଇଁ ଏଠି ମଲମ ନାହିଁ କିମ୍ବା ମରଣ ନାହିଁ । ମରଣ ମୁହଁରେ ଜିଅନ୍ତା ମୁର୍ଦ୍ଦାର ସାଜି ଟିକିଏ ସରକାରୀ ସାହାଯ୍ୟ ସହଯୋଗ ପାଇବାକୁ ମହ୍ଲାର ମଣିଷ ମୁକ୍ତିର ବାଟ ଚାହିଁ ଶୁଣୁଛନ୍ତି ମହ୍ଲାର କରୁଣ ରାଗର ମୂର୍ଚ୍ଛନା । ମହ୍ଲାର ଗାଁରୁ ବିଭୂତି ପତିଙ୍କ ସ୍ୱତନ୍ତ୍ର ଅନୁସନ୍ଧାନ ରିପୋର୍ଟ ।
ବାଳିକାବଧୂ
ଉପରୋକ୍ତ ବର୍ଣ୍ଣନା କୌଣସି ଚଳଚ୍ଚିତ୍ର କିମ୍ବା ଯାତ୍ରାର ସଂଳାପ ନୁହେଁ । ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ଧନୀଜିଲ୍ଲା ଅନୁଗୁଳର ଅନତି ଦୂରରେ ଥିବା ସାତକୋଶିଆ ନିକଟସ୍ଥ ହିଂସାଲୋଇ ଏବଂ ଡିମିରିପାଳ ଗାଁର ମହ୍ଲାର ଜନଜାତିଙ୍କ ଜୀବନଯନ୍ତ୍ରଣାର ବାସ୍ତବ କଥା ଓ ବ୍ୟଥା । ଏହି ଗାଁର ଗ୍ରାଉଣ୍ଡ୍ ଜିରୋରେ ଆଜିର ଦିନରେ ଦେଖିବାକୁ ମିଳିଥିଲା ନାବାଳିକା ବିବାହ ଏବଂ ସାମାନ୍ୟତମ ସରକାରୀ ସାହାଯ୍ୟ ସହଯୋଗରୁ ବଂଚିତ ହୋଇ ଅନ୍ଧାରି ମୂଲକରେ କିପରି କାଟୁଛନ୍ତି ଯନ୍ତ୍ରଣା ଜର୍ଜରିତ ଲାଂଛିତ ଜୀବନ ।
‘ଅନୁଗୁଳ ବ୍ଲକ୍ ର ବଲଙ୍ଗ ପଞ୍ଚାୟତର ହିଂସାଲୋଇ ଓ ଡିମିରିପାଳ ଗାଁର ପ୍ରାୟ ୨୫ମହ୍ଲାର ପରିବାରଙ୍କ ପୁରୁଷ ପୁରୁଷର ସ୍ୱପ୍ନକୁ ସଲିଳ ସମାଧି ଦେଇଛନ୍ତି ଅଢ଼େଇ ଦଶନ୍ଧିର ଶାସନ କ୍ଷମତାରେ ଥିବା ତତ୍କାଳୀନ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର । ଆଦିବାସୀ ଜନଜାତିଙ୍କ ପାଇଁ ସର୍ବଦା ନିଜ ପ୍ରାଣ କାନ୍ଦୁଥିବା କଥା କହୁଥିବା ନବୀନ ପଟ୍ଟନାୟକ କେବେ ମହ୍ଲାର ଜନଜାତିଙ୍କ ପାଇଁ ଲୁହ ଠୋପାଏ ଢାଳିନାହାନ୍ତି । ଅଧିକାଂଶ ମହ୍ଲାର ଜନଜାତିଙ୍କ ପାଖରେ ଆଜି ବି ଆଧାର, ଭୋଟର କିମ୍ବା ରାସନ କାର୍ଡ ଖଣ୍ଡିଏ ନାହିଁ । ନାବାଳିକା ଅବସ୍ଥାରେ ବିବାହ କରି ବାଳିକାବଧୂର ବିରହ ବେଦନା ରୁଗ୍ଣ ନିଷ୍ଠୁର ରୂପ ଏଠାରେ ସର୍ବଦା ପ୍ରତୀୟମାନ । ସମସ୍ତ ସରକାରୀ ଅନୁଦାନରୁ ବଞ୍ଚିତ ହୋଇ ମହ୍ଲାର ଜନଜାତିଙ୍କର ବୀଭତ୍ସ ଜୀବନ ୨୪ବର୍ଷ ଭିତରେ ନବୀନ କିମ୍ବା ବିଜେଡି ସରକାର ଏହାକୁ ଦେଖିବାକୁ ସାମାନ୍ୟ ଚେଷ୍ଟା ମଧ୍ୟ କରିଲେନି । ଏହା ହିଁ ଘୋର ଦୁଃଖ ଓ ପରିତାପର ପ୍ରସଙ୍ଗ । ବିଜେପି ଦଳ ନିର୍ବାଚନରେ ଜିତି ସରକାର ଗଢ଼ିବାର ପାଖାପାଖି ଗୋଟିଏ ବର୍ଷ ହୋଇଗଲାଣି କିନ୍ତୁ ସେମାନଙ୍କ ଜୀବନରେ ଟିକିଏ ସାହା ହେବାକୁ ନବନିର୍ବାଚିତ ବିଜେପି ବିଧାୟକ କେବେ ସେମାନଙ୍କ ସମସ୍ୟା ବୁଝିଲେନି । ଏହା ହିଁ ଆଦିବାସୀ ଜନଜାତିଙ୍କ ବିକାଶର ବାସ୍ତବତା’ ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା ବିଜୟ କୁମାର ସ୍ୱାଇଁ ।
ଅଧିକାଂଶ ମହ୍ଲାର ଜନଜାତି ଆଜି ବି ଏହି ଅଞ୍ଚଳରେ ନିଜର ପାରମ୍ପରିକ ଜୀବନଶୈଳୀରେ ଯାଯାବର ହୋଇ ଜୀବନଯାପନ କରୁଛନ୍ତି । ଡାଲି, ତରକାରୀ ସେମାନେ ରୋଷେଇ କରିନଥାନ୍ତି । ଗରମ ଭାତ ଖାଇ ନଥାନ୍ତି । ଓଳିଏ ରୋଷେଇ କରି ତାହାକୁ ପଖାଳି ବାଡ଼ିବଗିଚାର ପନିପରିବାକୁ ଚୁଲିରେ ପୋଡ଼ି ସେମାନେ ପଖାଳ ଭାତରେ ଚକଟି ଖାଇଥାନ୍ତି । ଝିଅକୁ ବିବାହ ଦେବା ପୂର୍ବରୁ ସେମାନେ ପୁଅର ଜଙ୍ଗଲରେ ଗଛଚଢ଼ା, ମହୁ ଖୋଜିବା, ଖଜୁରୀ ତାଡ଼ି ପ୍ରସ୍ତୁତି ଏବଂ ଜଙ୍ଗଲ ଫଳମୂଳ ସଂଗ୍ରହ କରିବାର ଅଭିଜ୍ଞତାକୁ ପରଖିଥାନ୍ତି । ନିଜ ଦଳ ନେଇ ପାଳିକରି ଦୁଇମାସ ଧରି ସେମାନେ ଜଙ୍ଗଲକୁ ଯାଇ ବିଭିନ୍ନ ପ୍ରକାରର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି । ଏହାକୁ ସେମାନେ ‘ପାହିଆ’ବୋଲି କହିଥାନ୍ତି । ମହ୍ଲାର ଜନଜାତିଙ୍କର ଏଭଳି ମାର୍ମିକ ଜୀବନ ଜିଇବାର କଳା ବିଷୟରେ ଯଶୋଦା ଏବଂ ବରୀ ଭଳି ମହିଳା ନିଜର ଦୁଃଖଦ ଜୀବନ କାହାଣୀକୁ ବର୍ଣ୍ଣନା କରିଥିଲେ ।
ହିଂସାଲୋଇ ଗାଁ’ର ଗ୍ରାଉଣ୍ଡ୍ ଜିରୋ ପହଞ୍ଚିଲା ପରେ ଗଣତନ୍ତ୍ର ସରକାରରେ ମହ୍ଲାର ଜନଜାତିର ଲଙ୍ଗଳା ଛୁଆଙ୍କ ଫୁଙ୍ଗୁଳା କୁପୋଷଣ ଶରୀର ୨୪ଧରି ବିଜେଡି ସରକାରର ସରକାରୀ ଆଦିବାସୀ ପ୍ରଗତିର ବାସ୍ତବ ନଗ୍ନରୂପକୁ ଦର୍ଶାଉଥିଲା । ଝାଟିମାଟିର ଜରାଜୀର୍ଣ୍ଣ କୁଡ଼ିଆ ଘରେ ଛିଣ୍ଡାଲୁଗାରେ ନିଜ ଶରୀରର ଲଜ୍ଜା ଲୁଚାଇବାକୁ ଚେଷ୍ଟା କରୁଥିବା ଯଶୋଦା ଓ ବରୀଙ୍କ ଭଳି ଏକାଧିକ ମହିଳାଙ୍କ ଅକୁହା ମନର ଅବ୍ୟକ୍ତ ଭାଷାର ଦୁର୍ଦ୍ଦିନର ଚିକ୍ରାର ଶୁଭୁଥିଲା । ସେ ଚିକ୍ରାର କହୁଥିଲା ଜନତନ୍ତ୍ରରେ ମହ୍ଲାର ଜନଜାତିଙ୍କ ପ୍ରତାରିତ ପ୍ରଗତିର କଥା ।
ଆଧାର ହେଉ କି ଭୋଟର କିମ୍ବା ରାସନ କାର୍ଡ କିଛି ନାହିଁ । ବିଧବା ଓ ବାର୍ଦ୍ଧକ୍ୟ ଭତ୍ତାର ଭରସା ୨୪ବର୍ଷର ନବୀନ ସରକାରରେ ଅଧିକାଂଶ ମହ୍ଲାର ଜନଜାତିର ଜନସାଧାରଣଙ୍କ ପାଇଁ ସାତସପନ ପାଲଟିଛି । ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ହିଂସାଲୋଇ ମହ୍ଲାର ସାହିରେ ଗତ ସାଧାରଣ ନିର୍ବାଚନରେ ଗୋଟିଏ ନଳକୂପ କରିଦେଲେ ଏବଂ ଶୌଚାଳୟ ନଥାଇ କିନ୍ତୁ ଶୌଚାଳୟ ଟାଙ୍କି ପାଇଁ କାର୍ଯ୍ୟକ୍ରମ ପରିଚାଳନା କରିଦେଲେ । ଯାହା ଆଜି ବି ଅଧପନ୍ତରିଆ ହୋଇ ପଡ଼ିରହିଛି । ଏସବୁ ଦେଖିବା ପରେ ଲାଗୁଥିଲା ସତରେ କ’ଣ ବର୍ତ୍ତମାନର ବିଜେପି ସରକାରଙ୍କ ଶାସନରେ ଏମାନେ ସଭ୍ୟ ମଣିଷ ଭାବରେ ବଞ୍ଚିବେ ନା ବିକାଶର ଆଶାରେ ପୁଣି ବିନାଶ ଭିତରେ ଭୋକଶୋଷରେ ପୁଣି ସେହିପରି ଦିନ କାଟିବେ?
ଅତ୍ୟନ୍ତ ମାର୍ମିକ ଭାଷାରେ ଯଶୋଦା ଓ ବରୀ ଭଳି ଅନେକ ମହ୍ଲାର ମହିଳା ନିଜ ଜୀବନ ଯନ୍ତ୍ରଣାର କାହାଣୀକୁ ବଖାଣି କୁହନ୍ତି, “ଗୋଟିଏ ଆଧାର, ଭୋଟର ଏବଂ ରାସନକାର୍ଡ ଖଣ୍ଡିଏପାଇଁ କେତେ କାହାକୁ ନେହୁରା ହୋଇ କାକୁତି ମିନତି କଲୁ । ସମସ୍ତେ ନୂଆ ନୂଆ ଆଇନର କଥା କହିଲେ କିନ୍ତୁ ଆମ ପାଇଁ କେହି କିଛି କଲେନି ।
ପବଲା ଗାଁର ଖଜୁରୀ ତାଡ଼ି ଘଟଣା
ସତୁରୀ ଦଶକରେ ପବଲା ଗାଁ ଗଣ୍ଡାରେ କୌଣସି ପୁରୁଷ ଚାଳିଶ ବର୍ଷରୁ ଅଧିକ ବୟସ ବଂଚି ପାରୁନଥିଲେ । ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏହାକୁ ନେଇ ହୃତ୍କମ୍ପନ ସୃଷ୍ଟି ହୋଇଥିଲା ଏବଂ ଏହି ଚର୍ଚ୍ଚା ଥମୁ ନଥିଲା । ଖଜୁରୀ ତାଡ଼ି ପିଇବା କାରଣରୁ ଏହି ମୃତ୍ୟୁ ହେଉଥିଲା ବୋଲି ପରବର୍ତ୍ତୀ ମୁହୂର୍ତ୍ତରେ ସ୍ପଷ୍ଟ ହୋଇଥିଲା । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ତାଙ୍କ ପତ୍ନୀ ମାଳତୀ ଦେବୀ ସେଇ ଗାଁରେ ଖଜୁରୀ ତାଡ଼ି ସଂଗ୍ରହ କରି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାକୁ ଖଜରୀ ଗୁଡ଼ ପ୍ରସ୍ତୁତି କେନ୍ଦ୍ର ସ୍ଥାପନା କରିଥିଲେ ଏବଂ ଖଜୁରୀ ତାଡ଼ିବିରୋଧୀ ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ଯାହା କି ବେଶ୍ ପ୍ରଭାବଶୀଳୀ ହୋଇଥିଲା ଏବଂ ମହିଳାମାନେ ଆର୍ଥିକ ସ୍ତରରେ ଲାଭବାନ ହୋଇପାରିଥିଲେ । କିନ୍ତୁ ୨୦୧୯ ମସିହା ପରଠାରୁ ସରକାରୀ ସାହାଯ୍ୟ ଓ ସହଯୋଗର ଅଭାବରୁ ସେଇ ଖଜୁରୀ ପ୍ରସ୍ତୁତି କେନ୍ଦ୍ରଟି ବନ୍ଦ ହୋଇ ପଡ଼ିରହିଛି । ସେଇ କେନ୍ଦ୍ରରୁ ଦିନେ ଆର୍ଥିକ ଲାଭାନ୍ୱିତ ହୋଇପାରୁଥିବା ମହିଳାମାନେ ଆଜି ଘୋର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି । ଏହା ମଧ୍ୟ ତତ୍କାଳୀନ ବିଜେଡ଼ି ସରକାରଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ମିଶନ ଶକ୍ତି ଯୋଜନା କିମ୍ବା ଅନ୍ୟାନ୍ୟ ସରକାରୀ ସାହାଯ୍ୟ ଓ ସହଯୋଗ ପବଲା ଗାଁର ମହିଳାମାନଙ୍କୁ ମିଳି ନଥିଲା । ବର୍ତ୍ତମାନର ବିଜେପି ସରକାର ଏହି ଖଜୁରୀ ଗୁଡ଼ ପ୍ରସ୍ତୁତି କେନ୍ଦ୍ରଟିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବୀ ହୋଇଛି ।
ସ୍ଥାନୀୟ ଅଞ୍ଚଳର ଏକାଧିକ ଜନସାଧାରଣ ଅଭିଯୋଗ କରି କୁହନ୍ତି, “ନବୀନଙ୍କ ବିଜେଡ଼ି ସରକାର ବହୁ ବାହାସ୍ଫୋଟ ମାରି କହୁଥିଲେ ମିଶନ ଶକ୍ତି ଯୋଜନାରେ ଆମେ ପ୍ରାୟ ୭୦ଲକ୍ଷରୁ ଅଧିକ ମହିଳାଙ୍କର ଆର୍ଥିକ ବିକାଶ କରିଛୁ କିନ୍ତୁ ସେଇ ବିଜେଡି ସରକାରରେ ମହ୍ଲାର ଜନଜାତି ମହିଳାମାନେ ସବୁଦିଗରୁ ଶକ୍ତିହୀନ ହୋଇ ଆର୍ଥôକସ୍ତରରେ ଦୁର୍ବଳ ଜୀବନ ଆଜି ବି କାଟୁଛନ୍ତି । କୁଆଡ଼େ ଗଲା ନବୀନ ସରକାରର ‘କନ୍ୟା ସନ୍ତାନ ଖୁସି ଯୋଜନା’? ଆମ ମହ୍ଲାର ଜନଜାତିଙ୍କ ଅଞ୍ଚଳରେ ୨୪ବର୍ଷର ବିଜେଡି ସରକାରର ଶିଶୁ ଓ ଜନନୀ ସୁରକ୍ଷା ଯୋଜନା କିପରି ଗରିବ ଓ ନିଃସହାୟ ମହିଳାମାନଙ୍କୁ ଭକୁଆ କରି ଏହି ଯୋଜନାସବୁ କିପରି ପ୍ରହସନ ପାଲଟିଛି ଦେଖନ୍ତୁ । କିପରି ପାଣୁ ଓ ତା’ ରୋଗୀଣା ଭାରିଜା ଚିକତ୍ସା ନପାଇ ହଟହଟା ହୋଇ ଛଟପଟ ହେଉଛନ୍ତି । କାହାପାଇଁ ବହୁଚର୍ଚ୍ଚିତ ବିଜେଡିର ‘ବିଜୁ ସ୍ୱାସ୍ଥ୍ୟ ଯୋଜନା’? ବର୍ତ୍ତମାନର ବିଜେପି ସରକାରଙ୍କ ବହୁଳ ପ୍ରଚାର ଓ ପ୍ରସାର ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟଯୋଜନାରୁ ନେଇ ‘ସୁଭଦ୍ରା’, ‘କିଶୋରୀ ଶକ୍ତି’ ଏବଂ ‘ସୁଦକ୍ଷା’ଭଳି ଯୋଜନାରୁ ମଧ୍ୟ ବଂଚିତ ହେଉଛନ୍ତି ଏହି ଅଞ୍ଚଳର ମହ୍ଲାର ଜନଜାତି । ଯଦି ବିଜେପି ସରକାର ମହ୍ଲାର ଜନଜାତିଙ୍କୁ ଆଧାର, ଭୋଟ ପରିଚୟ ପତ୍ର ଏବଂ ରାସନକାର୍ଡ ଖଣ୍ଡେ ଯୋଗାଇଦେବାକୁ ସକ୍ଷମ ନହେବେ, ତେବେ ଏହି ଜନଜାତିଙ୍କ ବିକାଶ କେବଳ ଅନ୍ଧାରରେ ବାଟବଣା ହୋଇ ସରକାରୀ ପ୍ରତିଶ୍ରୁତିର ପାଣିର ଗାର ପାଲଟିବ ।’
ଏହି ଅଭିଯୋଗକୁ ଭିତ୍ତିକରି ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ ସାହୁଙ୍କୁ ପଚାରିବାରୁ ସେ ନିଜମୁଣ୍ଡରୁ ବୋଝ ଖସାଇଦେଇ କୁହନ୍ତି, ‘ବାସ୍ତବରେ ମହ୍ଲାର ଜନଜାତି ବହୁତ ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି । ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ । କିନ୍ତୁ ଆମେ ସେମାନଙ୍କ ପାଇଁ ଆଧାର ଓ ଭୋଟର କାର୍ଡ କରିବାକୁ ଚେଷ୍ଟା କରିଛୁ । ମାତ୍ର ସେମାନେ ଭୋଟର କିମ୍ବା ଆଧାରକାର୍ଡ କରିବାକୁ ଇଚ୍ଛା କରୁନାହାନ୍ତି । ଆଜି ବି ସେମାନେ ଅନେକ ସମୟ ଧରି ନିଜର ଜୀବନଜୀବିକା ପାଇଁ ଜଙ୍ଗଲକୁ ଯାଆନ୍ତି ଏବଂ ଗୋଟିଏ ଜାଗାରେ ନିର୍ଦ୍ଦିଷ୍ଟ ଭାବେ ରହୁନାହାନ୍ତି । ତେଣୁ ଆମେ କ’ଣ କରିବୁ?’
ଡିମିରିପାଳ ଗାଁ’ର ଦୁର୍ଦ୍ଦିନର ଦୁନିଆ ଠିକ ହିଂସାଲୋଇ ମହ୍ଲାର ସାହିର ଦାରୁଣ ଦୃଶ୍ୟର ଅବିକଳ ଚିତ୍ରକୁ ଟିକିଏ ଭିନ୍ନ ଭାବରେ ବଖାଣୁଥିଲା । ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଏହି ଡିମିରିପାଳସ୍ଥିତ ମହ୍ଲାର ଜନଜାତିଙ୍କ ଗାଁକୁ ୨୦୧୯ ମସିହା ନିର୍ବାଚନ ସମୟରେ ତକ୍ରାଳୀନ ବିଜେଡି ସରକାର କିଛି ଭୋଟ ଆଶାରେ ସେମାନଙ୍କୁ ଏଠାରେ ଥଇଥାନ କରିଥିଲେ । କିଛି ମାତ୍ର ଭୋଟ ହାତେଇ ନେଇ ଥଇଥାନ ସମୟରେ ଦେଇଥିବା ସବୁ ପ୍ରତିଶ୍ରୁତିକୁ ପରେ କ୍ଷମତା ଦାଖଲକରି ଭୁଲି ଯାଇଥିଲେ । ମହ୍ଲାର ଜନଜାତିଙ୍କ ପାଇଁ ବିଜେଡି କରିଥିବା ଥଇଥାନ କଲୋନୀର ଦୁରବସ୍ଥାକୁ ଆଖିରେ ନଦେଖିଲେ ଜଣେ ସହଜରେ ବିଶ୍ୱାସ କରିବ ନାହିଁ । ଏଠାରେ ମଧ୍ୟ ମହ୍ଲାର ଜନଜାତିଙ୍କ ବିକଟାଳ ଚିତ୍ର ବିଦ୍ରୂପ କରୁଥିଲା ବିଜେଡିର ୨୪ବର୍ଷର ଶାସନ ବ୍ୟବସ୍ଥାକୁ । ମୁନି, ମଲ୍ଲି, ବାଇଗଣିଙ୍କ ପରି ନାବାଳିକା ବାଳିକାବଧୂ ସାଜି ଅକାଳରେ ମଉଳି ଯାଉଥିବା ମହ୍ଲାର କିଶୋରୀଙ୍କ କାକୁତିମିନତିଭରା କାତର ପ୍ରାର୍ଥନା ଜନତନ୍ତ୍ରର ନିର୍ବାଚିତ ଜନପ୍ରତିନିଧିଙ୍କୁ ତିରଷ୍କାର କରୁଥିଲା । ପାଣୁ ଓ ଫଗୁଣିର ଦୁଃଖକଷ୍ଟର ଦିନକୁ ଭାଷାରେ ବର୍ଣ୍ଣନା କରିବା ମଧ୍ୟ କଷ୍ଟକର ଥିଲା ।
ପାଣୁ ଓ ଫଗୁଣି ଆଖିର ଲୁହ ଓ ମନର କୋହକୁ ଲୁଚାଇ କହୁଥିଲେ, ‘ଆମ ସରପଞ୍ଚଙ୍କୁ କହିଲୁ, ନିର୍ବାଚନବେଳେ ବିଜେଡିନେତା ମନ୍ତ୍ରୀ ରଜନୀକାନ୍ତ ସିଂହଙ୍କୁ ମଧ୍ୟ କାର୍ଡଖଣ୍ଡିଏ ପାଇଁ ଅନେକ ଥର ନେହୁରା ହେଲୁ । କିନ୍ତୁ କିଛି ଫଳ ମିଳିଲାନି । ଆମମାନଙ୍କୁ ଟଙ୍କିକିଆ ଚାଉଳ ହେଉ କିମ୍ବା ମାଗଣା ବିଜୁ ସ୍ୱାସ୍ଥ୍ୟ ସେବା ତଥା ସରକାରୀ ଭତ୍ତା କିଛି ମିଳୁନି ବାବୁ । ସମସ୍ତେ କହୁଛନ୍ତି ହେବ, କିନ୍ତୁ କିଛି ହେଲାନି । ମୋର ରୋଗିଣା ଭାରିଜା ଫଗୁଣିକୁ ଅର୍ଥାଭାବରୁ ଡାକ୍ତର ଦେଖାଇ ଔଷଧ ଦେଇପାରୁନି । ବିଜେଡିବାଲା କହୁଥିଲେ ଭୋଟ୍ ଦେଲେ ନବୀନ ବାବୁଙ୍କ ବିଜୁ ସ୍ୱାସ୍ଥ୍ୟକାର୍ଡରେ ମୋର ଫଗୁଣିର ଚିକିତ୍ସା ହେବ । ଏକଥା ଶୁଣି ଶୁଣି ଦି’ବର୍ଷ ହୋଇଗଲା, କିଛି ହେଲାନାହିଁ ।’
ନାବାଳିକା ବାଳିକାବଧୂ ସାଜି ମାତୃତ୍ୱ ଲଭିଥିବା ମୁନି, ମଲ୍ଲି ଓ ବାଇଗଣି ଭଳି କିଶୋରୀମାନଙ୍କ କଥା କହିଲେ ନ ସରେ । ସଂସାର କ’ଣ ଜାଣି ନଥିବା ଏହି ନାବାଳିକାମାନେ ବଧୂ ସାଜି ମା’ହୋଇ ପରିବାର ଭିତରେ ଡହଳବିକଳ ଜୀବନ କାଟୁଛନ୍ତି । ସେମାନଙ୍କ କଷ୍ଟ କହିଲେ ନ ସରେ । ମହ୍ଲାର ଅଭାବୀ ଦୁନିଆର ଏକ ଭିନ୍ନ ଦୁଃଖଦ ରୂପ ହେଉଛନ୍ତି ମୁନି, ମଲ୍ଲି ଓ ବାଇଗଣି ଭଳି ଅନେକ ନାବାଳିକା ବାଳିକାବଧୂ । ସେମାନଙ୍କ କଷ୍ଟ ବର୍ଣ୍ଣନା କରିବାକୁ ଯାଇ ହତଭାଗିନୀ ସୁକାନ୍ତି କୁହନ୍ତି, ‘ଏ ଜୀବନର ସଂଘର୍ଷ କାହାଣୀ ଯଦି ଥରେ ସଂସଦ କିମ୍ବା ବିଧାନସଭାରେ ଉଠିବ ତେବେ ରାଜନୀତିରେ ଝଡ଼ ସୃଷ୍ଟିହେବ । ଆମ ଅଞ୍ଚଳର ମହ୍ଲାର ଆଦିବାସୀଙ୍କ ମିଛ ବିକାଶର ବିଭୀଷିକା ରୂପକୁ ନେଇ ସମସ୍ତଙ୍କ ମୁହଁରେ କଳା ଲାଗିଯିବ । ଆଜି ବି ଏଠାରେ ଅପ୍ରାପ୍ତ ବୟସରୁ ବାଳିକାମାନଙ୍କୁ ବିବାହ କରି ଦିଆଯାଉଛି, ଯାହାକି ସଭ୍ୟ ସମାଜପାଇଁ ଏକ କଳଙ୍କ । ବୟସ ନ ହୋଇଥିବାରୁ ସେମାନେ ମା’ ହୋଇଯାଉଛନ୍ତି ସତ, କିନ୍ତୁ ଜନନୀ ସୁରକ୍ଷା ଏବଂ ଶିଶୁମାନଙ୍କ ପୁଷ୍ଟିକର ଖାଦ୍ୟ ଯୋଜନାର ସୁଫଳ ପାଇପାରୁ ନାହାନ୍ତି । ଏପରିକି ବର୍ତ୍ତମାନର ବହୁଚର୍ଚ୍ଚିତ ବିଜେପି ସୁଭଦ୍ରା ଯୋଜନାରୁ ମଧ୍ୟ ସେମାନେ ବଞ୍ଚିତ । ଏ ଦୁଃଖ କାହାଣୀ ଆମ ସ୍ଥାନୀୟ ଅଞ୍ଚଳର ବିଜେଡି ନେତା ସମେତ ଅନ୍ୟ ରାଜନୈତିକ ବ୍ୟକ୍ତିମାନଙ୍କୁ ଭଲରେ ଜଣା । କିନ୍ତୁ ସେମାନେ ଏହାକୁ ଆଖି ବୁଜିଦେଇ ଶୁଣନ୍ତି ନାହିଁ ।’
ମଲ୍ଲି, ମୁନି ଓ ବାଇଗଣି ଭଳି ନାବାଳିକା ବଧୂ ସାଜି ଡହଳବିକଳ ଜୀବନ କାଟୁଥିବା ତୁଳସୀ ପ୍ରଧାନ ଓ ତାଙ୍କ ସ୍ୱାମୀ ଚଗଲା ପ୍ରଧାନଙ୍କ ଦୁଃଖ ମଧ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ବର୍ତ୍ତମାନର ବିଜେପି ବିଧାୟକ ପ୍ରତାପଚନ୍ଦ୍ର ପ୍ରଧାନଙ୍କୁ କେତେ ଥର ଭେଟିବାକୁ ଯାଇ କିଛି ଲାଭ ହେଉନି । ସରପଞ୍ଚ ପାଖକୁ ଗଲେ ସେ କହୁଛନ୍ତି ବିଧାୟକଙ୍କୁ ଦେଖାକର, ବିଧାୟକ କହୁଛନ୍ତି ତହସିଲଦାରଙ୍କୁ ଲେଖିକି ଜଣା । ପୁଣି ତହସିଲଦାରଙ୍କୁ ଜଣାଇବାପରେ ଉତ୍ତର ମିଳୁଛି ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି । ଏମିତି ମାସ ପରେ ମାସ ବିତିଯାଉଛି ଏବଂ ଆମେ ଖାଲି ଜଙ୍ଗଲରେ ବିଶ୍ୱାସର ଭରସାରେ ଅସହାୟ ହୋଇ ନିରାଶାର ଦିନରାତି କାଟୁଛୁ । ଭୋଟ ଖଣ୍ଡେ ଆମେ ଦେଇପାରୁନୁ । ବାବୁ ଆପଣ ଭାବନ୍ତୁ ଆମର ଅଧିକାରକୁ ଗଣତନ୍ତ୍ରର ନିର୍ବାଚିତ ସରକାର କିପରି ବୁଝି ବିଚାରି ହତ୍ୟା କରୁଛି । ବାବୁ! ଏହା କଣ ସରକାରଙ୍କ ଅପରାଧ ନୁହେଁ? ହୁଏତ ଆମ ପ୍ରଶ୍ନର ଉତ୍ତର ଗଣତନ୍ତ୍ର ଦେବାକୁ ଅକ୍ଷମ ଅଟେ” ବୋଲି ପାଣୁ ଓ ଫଗୁଣି ଭଳି ସମାନ ଅଭିଯୋଗ ବାଳିକାବଧୂ ତୁଳସୀ ମଧ୍ୟ କରନ୍ତି ।
ଏହି ପ୍ରସଙ୍ଗରେ ସ୍ଥାନୀୟ ବିଜେଡି ନେତା ତଥା ତକ୍ରାଳୀନ ବାଚସ୍ପତି ଏବଂ ମନ୍ତ୍ରୀ ରଜନୀକାନ୍ତ ସିଂହଙ୍କୁ ପଚାରିବାରେ ସେ ଅତି ଚତୁରତାର ସହିତ ନିଜ ମତ ଦେଇ କୁହନ୍ତି, ‘ଏ ସମସ୍ୟା ମୁଁ ଆପଣଙ୍କଠାରୁ ଜାଣିଲି । ସମାଜର ଭଲ ପାଇଁ ମୁଁ ନିଶ୍ଚିତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିବି ।’ ନାବାଳିକା ବାଳିକାବଧୂ ପ୍ରସଙ୍ଗ ତାଙ୍କୁ ପଚାରିବାରୁ ସେ କହିଲେ, ‘ଆମେ ତାଙ୍କୁ ଜମିଜମା ଦେଇ ଥଇଥାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସେଠାକୁ ଯାଉନାହାନ୍ତି । ଆପଣ ଯେଉଁ ବାଳିକାବଧୂ କଥା କହୁଛନ୍ତି ତାହା ମୁଁ ଉପଜିଲ୍ଲାପାଳଙ୍କୁ ଜଣାଇବି । ମୁଁ ଗୋଟିଏ ବାହାଘରରେ ଆସିଛି, ଏ ବିଷୟରେ ପରେ କଥା ହେବା କହି ପ୍ରସଙ୍ଗକୁ ହାଲୁକା ଏବଂ ଅତି ଚତୁରତାର ସହ ଏଡ଼ାଇ ଦେଇଥିଲେ ।’
ଡବଲ ଇଂଜିନ ବିଜେପି ସରକାରଙ୍କ ପାଇଁ ଆହ୍ୱାନ
ବିଜେପି ରାଜ୍ୟ ସରକାରର ପ୍ରଚାରସର୍ବସ୍ୱ ପାଲଟିଥିବା ବିକଶିତ ଗାଁ ଏବଂ ସୁଭଦ୍ରା ଯୋଜନାରେ ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିପରି ମହ୍ଲାର ଜନଜାତିଙ୍କ ଗାଁ ଗଣ୍ଡାର ବିକାଶ କରୁଛନ୍ତି, ତାହା ନିଶ୍ଚିତ ଭବିଷ୍ୟତ କହିବ । କିନ୍ତୁ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହ୍ଲାର ମହିଳାଙ୍କୁ କିପରି ସୁଭଦ୍ରା ସମେତ ଅନ୍ୟାନ ଶିଶୁ ଓ ଜନନୀ ସୁରକ୍ଷା ଯୋଜନାରେ ସାମିଲ କରି ସେମାନଙ୍କର ପ୍ରଗତି କରୁଛନ୍ତି, ତାହା ଆଗାମୀ କିଛି ଦିନ ମଧ୍ୟରେ ନିଶ୍ଚିତ ହୋଇଯିବ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁଚର୍ଚ୍ଚିତ ଯୋଜନା ‘ବେଟି ବଚାଓ ବେଟି ପଢ଼ାଓ’, ‘ସୁକନ୍ୟା ସମୃଦ୍ଧି’ ଏବଂ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ଯୋଜନା କିପରି ଆଗାମୀ ଦିନରେ ଓଡ଼ିଶାର ଡବଲ ଇଞ୍ଜିନ ବିଜେପି ସରକାରରେ ମହ୍ଲାର ଜନଜାତିଙ୍କ ନାରୀସମାଜର ଉନ୍ନତି କରିବ, ତାହା ମଧ୍ୟ ସ୍ପଷ୍ଟ ହେବ ।
ବିଜେଡି ସରକାରରେ ‘କିଶୋରୀ ଶକ୍ତି ଯୋଜନା’ରେ ୧୦ରୁ ୧୯ବର୍ଷ ମଧ୍ୟରେ କିଶୋରୀମାନଙ୍କୁ ଠାବ ବିଭିନ୍ନ ସ୍ତରରେ କମିଟି ଦ୍ୱାରା ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଥମ କରି ଏହି ଯୋଜନା ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ହୋଇଥିଲା । ଏହି ଯୋଜନା ଦ୍ୱାରା ୨୦୧୯ -୨୦୨୪ ମଧ୍ୟରେ ୩୪୩ଟି ବାଲ୍ୟ ବିବାହକୁ ରୋକାଯାଇ ପାରିଛି ବୋଲି ଗତ ସରକାର ସଫେଇ ଦେଉଥିଲେ । ହେଲେ ବଦଳି ନଥିଲା ମଲ୍ଲି, ମୁନି ଓ ବାଇଗଣିଙ୍କ ଭଳି ଅନେକ ମହ୍ଲାର ନାବାଳିକାଙ୍କ ଭାଗ୍ୟ । ସବଳା ଯୋଜନାରେ କିପରି ସବଳ ହେବେ ମହ୍ଲାର ନାରୀ ସମାଜ ତାହା ଖୁବଶୀଘ୍ର ବୁଝାପଡ଼ିବ । ବୀରାଙ୍ଗନା, କଳ୍ପନା ଅଭିଯାନ, ସ୍ୱର୍ଣ୍ଣକଳିକା ସମେତ ମୁଦ୍ରା ଋଣ, ମହିଳା ଉଦ୍ ଯୋଗ ନିଧି, ମହିଳା ଉଦ୍ ଯୋଗ ପ୍ଲାଟଫର୍ମ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ଉଦ୍ ଯୋଗିନୀ ଏବଂ ମହିଳା ଶକ୍ତି କେନ୍ଦ୍ର ଭଳି ଯୋଜନା ମାଧ୍ୟମରେ ବିଜେପିର ଡବଲ ଇଂଜିନ ସରକାର କିପରି ଏହି ମହ୍ଲାର ଜନଜାତିଙ୍କୁ ଶକ୍ତିଶାଳୀ କରୁଛି, ତାହା ଆଉ କିଛିଟା ମାସପରେ ସମସ୍ତଙ୍କୁ ଜଳଜଳ ହୋଇ ଜଣାପଡ଼ିବ ।
ମହ୍ଲାର ଜନଜାତିଙ୍କର ଏହି ମରମ ବେଦନାକୁ ବର୍ତ୍ତମାନର ବିଜେପି ସରକାର କିପରି ଗ୍ରହଣ କରିବେ, ତାହା ଏକ ପ୍ରଶ୍ନ ଭାବରେ ରାଜ୍ୟରେ ଉଭା ହୋଇଛି । ନବୀନ ସରକାରଙ୍କ ଜନଜାତିଙ୍କ ଉନ୍ନତିପାଇଁ କୁମ୍ଭୀର କାନ୍ଦଣା ତାଙ୍କର ଅସଲ ରୂପକୁ ପଦାରେ ପକାଇ ଦେଇଛି ।
(ଉକ୍ତ ଲେଖା ଲେଖକଙ୍କ ନିଜସ୍ୱ)
Comments
0 comments