ଓଡ଼ିଶା ଭୋଗୁଛି ଜଳବାୟୁର ଯାତନା

ଦିଲ୍ଲୀପ ସୁବୁଦ୍ଧି
63 Views
6 Min Read

୨୦୨୪ ମସିହା ଡିସେମ୍ବର ୨୦ ଓ ୨୮ ଦୁଇଟି ପର୍ଯ୍ୟାୟରେ ଆମ ରାଜ୍ୟ ଭୋଗିଥିଲା ଅବେଳରେ ବର୍ଷା ବିତ୍ପାତ । ପାଚିବାକୁ ଆରମ୍ଭ କରିଥିବା ଖରିଫ ଧାନ ଫସଲ ପାଣିରେ ବୁଡିରହିବାରୁ ୬ଲକ୍ଷରୁ ଅଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ୨୦୨୪ବର୍ଷ ବିଦାୟ ନେଉଥିବାବେଳେ ଚାଷୀଙ୍କ ବର୍ଷସାରାର ମେହନତୀ ପାଣିରେ ଭାସି ଯାଇଥିଲା । ୨୦୨୩ ସେପ୍ଟେମ୍ବର ଅକ୍ଟୋବର ମାସରେ ଗଞ୍ଜାମ ଓ ଗଜପତିର ଚାଷୀମାନେ ବର୍ଷା ଅଭାବରୁ ଧାନ ଫସଲରେ ଗଜା ମରୁଡ଼ିକୁ ନେଇ ବ୍ୟଥିତ ହେଉଥିବାବେଳେ ଅଧା ରାଜ୍ୟରେ ଦେଖିବାକୁ ମିଳିଥିଲା ଲଗାଣବର୍ଷା । ନଭେମ୍ବର ୧୭ ଓ ୧୮ରେ ଦୁଇଟି ପର୍ଯ୍ୟାୟରେ ହୋଇଥିବା ଅଦିନ ବର୍ଷା ଧାନ ଓ ଅନ୍ୟାନ୍ୟ ପରିବା ଫସଲକୁ ଧୋଇ ଦେଇଥିଲା । ଉପକୂଳ ଓଡ଼ିଶାରେ ପ୍ରତି ଦୁଇବର୍ଷ ବ୍ୟବଧାନରେ ବାତ୍ୟା, ମହାବାତ୍ୟା, ଲଗାଣ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳୁଥିବାବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମରୁଡି ଓ ଭୂସ୍ଖଳନର ବିପତ୍ତି ଦେଖିବାକୁ ମିଳିଥାଏ । ବାଲେଶ୍ୱର, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଅନେକ ଗାଁ ପାଇଁ ବିପଦ ସାଜିଛି ସମୁଦ୍ର । ବଦଳୁଥିବା ଜଳବାୟୁର ପରିଣାମରେ ଅନେକ ଜୀବଜନ୍ତୁ ଓ ଉଦ୍ଭିଦଙ୍କ ସଂଖ୍ୟା କମି ଆସୁଥିବାବେଳେ ଦେଖିବାକୁ ମିଳୁନି ଅନେକ ଜୈବ ସୂଚକ । ଅତୀତରେ ଦେଖା ନଥିବା ଅନେକ ଦୃଶ୍ୟ ଏବେ ଦେଖିବାକୁ ମିଳୁଛି । ନିୟମିତ ବ୍ୟବଧାନରେ ଚାଷୀଙ୍କ ଫସଲ ଉଜୁଡ଼ିବାରେ ଲାଗିଛି । କେବଳ ଓଡ଼ିଶାର ଚାଷୀ ନୁହନ୍ତି ଦେଶର ୫୭୩ କୃଷିଜିଲ୍ଲା କ୍ଳାଇମେଟ ରିସ୍କ କେଟୋଗୋରି ମଧ୍ୟରେ ରହିଛି । ଏହି ୫୭୩ ଜିଲ୍ଲା ମଧ୍ୟରୁ ୯୦ଟି ଜିଲ୍ଲା ଗ୍ରାମୀଣ । ଦେଶର ୩୧୦ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ସମ୍ବେଦନଶୀଳ ବର୍ଗରେ ରହିଥିବାବେଳେ ୧୦୯ଟି ଜିଲ୍ଲା ଅତି ସମ୍ବେଦନଶୀଳ ବର୍ଗରେ ରହିଛି । ଉତ୍ତରପ୍ରଦେଶ, ବିହାର, ଓଡ଼ିଶା, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଅତି ସମ୍ବେଦନଶୀଳ ବର୍ଗରେ ଅନ୍ତର୍ଭୁକ୍ତ । ନିକଟରେ ସିଏସଇ ଦ୍ୱାରା ଆୟୋଜିତ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ବକ୍ତୃତାରେ ଯୋଗଦେଇ ବିଶେଷଜ୍ଞମାନେ ଦ୍ରୁତ ବଦଳୁଥିବା ଜଳବାୟୁ ଘଟଣା ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଫଗୁଣ ମାସରେ ଏବେ ଅନୁଭୂତ ହୋଇଛି ବୈଶାଖର ତାତି । ଗତ ଫେବୃୟାରୀ ମାସ ବିଗତ ୧୨୫ବର୍ଷର ତାତିର ରେକର୍ଡ ଭାଙ୍ଗିଛି । ଓଡ଼ିଶା, ବିହାର, ରାଜସ୍ଥାନ, ଗୁଜୁରାଟ ଭଳି କେତେକ ରାଜ୍ୟରେ ଅପ୍ରତ୍ୟାଶିତ ଭାବେ ରାତିର ତାପମାତ୍ରା ବୃଦ୍ଧି ସହିତ ଅଧିକ ଗରମ ଅନୁଭୂତ ହୋଇଛି । ଅପରପାର୍ଶ୍ୱରେ ସମାନ ସମୟରେ ଘଟିଛି ହିମସ୍ଖଳନ । ଗୋଟିଏ ଋତୁରେ ଜଳବାୟୁର ଏଭଳି ପରିବର୍ତ୍ତନ ଶିଶୁ, ବୟସ୍କ ଓ ଗରିବ ଲୋକଙ୍କ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି । ୨୦୨୪ ମାର୍ଚ୍ଚ ଓ ମେ ମାସରେ ଦେଶର ବିଭିନ୍ନ ଭାଗରେ ୫୪ଦିନ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇଥିବାବେଳେ ୭୧ଦିନ ଲଗାଣ ବର୍ଷାଜନିତ ବନ୍ୟା ଓ ୪୦ଦିନ ଭୂସ୍ଖଳନ ଭଳି ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । କେବଳ ପ୍ରାକ ମୌସୁମୀ ଅବଧି ନୁହଁ ବରଂ ବର୍ଷର ୩୬୫ଦିନ ମଧ୍ୟରୁ ୩୨୨ ଦିନ ଜଳବାୟୁର ଜ୍ୱାଳା କରିହେଉଛି ଅନୁଭବ । ବନ୍ୟା, ବାତ୍ୟା, ମହାବାତ୍ୟା, ଘୁର୍ଣ୍ଣିଝଡ଼, ଅଂଶୁଘାତ, ମରୁଡି ଓ ବଜ୍ରପାତ କମ୍ ବ୍ୟବଧାନରେ ଘଟୁଛି । ଏହିସବୁ ପ୍ରାକୃତିକ ବିପତ୍ତି କାରଣରୁ ଗତବର୍ଷ ଦେଶରେ ୩,୪୭୨ ଲୋକଙ୍କ ଯାଇଛି । ଉଦବେଗର କାରଣ ହେଉଛି ବିଗତ ୩ବର୍ଷ ମଧ୍ୟରେ ଏଭଳି ସଂଖ୍ୟାରେ ୧୫ପ୍ରତିଶତ ବୃଦ୍ଧି ଘଟିଛି ।
୨୦୨୪ ବର୍ଷର ୩୬୫ଦିନ ମଧ୍ୟରୁ ଭାରତ ୩୨୨ଦିନ ବନ୍ୟା, ବାତ୍ୟା, ମହାବାତ୍ୟା, ମରୁଡି, ବଜ୍ରପାତ, ବରଫ ଅତଡ଼ା ଧସିବା ଭଳି ଘଟଣାର ସାମ୍ନା କରିଛି । ୨୦୨୨ ବର୍ଷରେ ଏହି ସଂଖ୍ୟା ୮୬ ପ୍ରତିଶତ ଥିଲା । ବଦଳୁଥିବା ପାଣିପାଗ ବ୍ୟାପକ କ୍ଷୟକ୍ଷତିର କାରଣ ସାଜିଛି । ୨୦୨୨ରେ ଆମଦେଶର ୧୯.୬ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବାବେଳେ ୨୦୨୩ ବର୍ଷରେ ଏହା ୨୨.୧ଲକ୍ଷ ହେକ୍ଟରରେ ପହଞ୍ଚିଥିଲା । ୨୦୨୪ରେ ମୋଟ ୪୦.୭ ଲକ୍ଷ ହେକ୍ଟର ଚାଷଜମିର ଫସଲ ଉଜୁଡି ଯାଇଥିଲା । ୨୦୨୨ର କ୍ଷୟକ୍ଷତି ତୁଳନାରେ ଏହା ୧୦୮ ପ୍ରତିଶତ ଅଧିକ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ ଯୋଗୁଁ କ୍ଷୁଦ୍ର ଓ ମଧ୍ୟବିତ୍ତ ଚାଷୀମାନଙ୍କ କ୍ଷୟକ୍ଷତି ପ୍ରତିବର୍ଷ ବଢ଼ିବାରେ ଲାଗିଛି ।
ହିନ୍ଦକୁଶ ପର୍ବତମାଳା ୩୫୦୦କିଲୋମିଟର ଯାଏଁ ପରିବ୍ୟାପ୍ତ । ଖାଦ୍ୟ, ପାଣି ଓ ଆଲୋକ ପାଇଁ ଏହା ଉପରେ ଏକାଧିକ ଦେଶର ୨୫୦ କୋଟି ଲୋକ ଏହା ଉପରେ ନିର୍ଭରଶୀଳ । ପେକିଙ୍ଗ ବିଶ୍ୱବିଦ୍ୟାଳୟ, ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଇଣ୍ଡିଗ୍ରେଟେଡ଼ ମାଉଣ୍ଟେନ ଡେଭଲପମେଣ୍ଟ ଏବଂ କଲରାଡ଼ୋ ବିଶ୍ୱବିଦ୍ୟାଳୟର ଏକ ବୈଜ୍ଞାନିକ ଦଳ ହିନ୍ଦକୁଶ ପର୍ବତ ଶୃଙ୍ଖଳା ଉପରେ ଅଧ୍ୟୟନ କରି ପାହାଡ଼ରେ ହେଉଥିବା ବନ୍ୟାର ପ୍ରକୋପ ୨୦୦୦ ପରଠାରୁ ବୃଦ୍ଧି ପାଇବାରେ ଲାଗିଥିବା ସୂଚାଇଛନ୍ତି । ଜର୍ଣ୍ଣାଲ ସାଇନ୍ସ ବୁଲେଟିନର ନୂଆ ଅଧ୍ୟୟନ ଅନୁଯାୟୀ ଏସିଆର ଉଚ୍ଚ ପାହାଡ଼ ଗୁଡିକରେ ବନ୍ୟାର ତୀବ୍ରତା ବଢ଼ିବାରେ ଲାଗିଛି । ପାହାଡ଼ଗୁଡିକରେ ବନ୍ୟାକୁ ନେଇ ପୂର୍ବାନୁମାନ ମଧ୍ୟ ସମ୍ଭବ ହେଉନି । ତିନିଦିନ ପୂର୍ବରୁ ଶୁଖିଲା ପଡିଥିବା ହିମାଚଳ ପ୍ରଦେଶର ପାହାଡ଼ ଉପରେ ଫେବୃୟାରୀ ୨୭ରେ ଅଚାନକ ଆସିଥିଲା ବନ୍ୟା । କାଙ୍କଡା ଜିଲ୍ଲାରେ ବାଦଲଫଟା ବର୍ଷା ଲାହୋଲ ଏବଂ କିନ୍ନରୋ ନାଳରେ ବରଫ ଅତଡ଼ା ଧସେଇ ଥିଲା । ହିମାଚଳପ୍ରଦେଶ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗର ମୁଖ୍ୟ ଦେବଦତ୍ତ ଶର୍ମାଙ୍କ ଅନୁଯାୟୀ ଡିସେମ୍ବର ଓ ଜାନୁଆରୀରେ ଏଠାରେ ବରଫ ପଡ଼େ ଓ ଲମ୍ବା ସମୟ ଯାଏଁ ଜମାହୋଇ ରହେ । କିନ୍ତୁ ଗତ ଡିସେମ୍ବର ଓ ଜାନୁଆରୀରେ ବରଫ ଏତେ ପଡ଼ିନଥିଲା । ଫେବୃୟାରୀରେ ଆଦୌ ବରଫ ପଡିନଥିବା ବେଳେ ତାପମାତ୍ରା ବୃଦ୍ଧିକାରଣରୁ ହିମ ଚଟାଣ ତରଳି ବନ୍ୟା ଆସିବା ସହିତ ସ୍ଥାନେ ସ୍ଥାନେ ବରଫ ଅତଡ଼ା ଖସିଥିଲା । ଏସିଆର ଉଚ୍ଚା ପାହାଡ଼ଗୁଡିକରେ ବନ୍ୟା ପ୍ରକୋପ ବୃଦ୍ଧି କାରଣରୁ ଜୈବ ବିବିଧତା, ଖାଦ୍ୟ ଉତ୍ପାଦନ ଓ ସ୍ଥାନୀୟ ଜନଗଣଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡୁଛି । କେବଳ ପାହାଡ଼ ନୁହଁ; ସାଗର, ହ୍ରଦ, ଜଙ୍ଗଲ, କୃଷିକ୍ଷେତ୍ର ଓ ଜନଗଣଙ୍କ ଉପରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଏକ ପ୍ରମୁଖ ସଙ୍କଟ ଭାବେ ଠିଆହେଲାଣି ।
୨୦୨୪ବର୍ଷରେ ମଧ୍ୟପ୍ରଦେଶରେ ୧୮୫ଦିନ ଦେଖିବାକୁ ମିଳିଛି ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ । ରାଜ୍ୟର ୨୩.୬ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ଏହା ଦେଶର ମୋଟ ପ୍ରଭାବିତ କୃଷି ଜମିର ପରିମାଣ ଦୃଷ୍ଟିରୁ ୫୮ପ୍ରତିଶତ । ସେହିଭଳି ମହାରାଷ୍ଟ୍ରରେ ଏହି କାରଣରୁ ୨୦ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । ସମୁଦ୍ର ଜଳର ଆଭ୍ୟନ୍ତରୀଣ ତାପମାତ୍ରା ବଢୁଛି । ଜଳ ଉତ୍ତପ୍ତ ହେଉଥିବାରୁ ଜମା ହେଉଥିବା ନାଇଟ୍ରୋଜେନ ସ୍ତର ୭୦ରୁ ୧୦୦ପ୍ରତିଶତ ପହଁଚିଯାଇଛି । ଉତ୍ତପ୍ତ ସମୁଦ୍ର ପ୍ରକୃତିକୁ କୋପିତ କରୁଛି । ଶିଳ୍ପ ବିପ୍ଳବ ଆରମ୍ଭରୁ ବାୟୁ ପ୍ରଦୂଷଣ ବଢ଼ିବଢ଼ି ଚାଲିଛି । କାରଖାନାର ଧୂଳି, ଧୂଆଁ, ଗ୍ୟାସ ଓ ଉଡ଼ନ୍ତା ପାଉଁଶରେ ମାଟି, ପାଣି ଓ ପବନରେ ସଂଚାରିତ ହେଉଛି ବିଷ । ଭୂତଳ ଜଳଉତ୍ସ ବିପଦଜନକ ଭାବେ ହ୍ରାସ ପାଉଥିବାବେଳେ କୃଷିରେ ହେଉଥିବା ରାସାୟନିକ ସାର ମାଟିର ଊର୍ବରତାକୁ ନିଃଶେଷ କରିବାରେ ଲାଗିଛି । ଶିଳ୍ପ ଓ କୃଷିରେ ହେଉଥିବା ପରିବର୍ତ୍ତନ ଯଥା ଯାନ୍ତ୍ରିକ କୃଷିର ଅଭ୍ୟାସ, ମାତ୍ରାଧିକ କୀଟନାଶକର ପ୍ରୟୋଗ ଓ ଅଧିକ ଜଳ ପିଉଥିବା ଶିଳ୍ପ ନୂଆ ବିପଦକୁ ନିମନ୍ତ୍ରିତ କରି ଆଣିଛି । ଦେଶରେ ପ୍ରତିବର୍ଷ ୧୭ଘନ କିମି ହାରରେ ଭୂତଳ ଜଳ ଅଦୃଶ୍ୟ ହେବାରେ ଲାଗିଛି । ପାଣି ବ୍ୟବହାରକୁ ତଦାରଖ କରି ନିୟନ୍ତ୍ରିତ କରାନଗଲେ ଅନେକ ଲୋକ ପାଣିପାଇଁ ବସତି ବଦଳାଇବାକୁ ବାଧ୍ୟ ହେବେ । ଅଧିକ ଶିଳ୍ପ, ଅଧିକ ଯାନବାହାନ ଓ ବିଳାସୀ ଦେଶଗୁଡିକ କମ କାର୍ବନ ଉତ୍ସର୍ଜନ କରୁଥିବା ଦେଶଗୁଡିକୁ ଟିକସ ଦେବାଭଳି ବ୍ୟବସ୍ଥା କରିବା ଆବଶ୍ୟକ । ପରିବେଶ ଅନୁକୂଳ ଜୀବନ ଶୈଳୀ ଗ୍ରହଣ ନକଲେ ଅଧିକ ତୀବ୍ରତର ସହିତ ଭୋଗିବାକୁ ପଡିବ ଜଳବାୟୁର ଜ୍ୱାଳା ।

(ଏହି ଲେଖାଟି ଲେଖକଙ୍କ ନିଜସ୍ୱ ମତ)

Comments

0 comments

Share This Article