ବିପଦରେ ଚିତା ଓ ତିସ୍ତା!

ବିଭୁତି ପତି Bibhuti Pati
54 Views
20 Min Read

ତିସ୍ତା ନଦୀରେ ବିଜେପି ଝଡ଼!

ଏକ ଅସ୍ୱାଭାବିକ ତଥା ଅସଙ୍ଗତ ପଦକ୍ଷେପ ଗ୍ରହଣ କରି ଭାରତୀୟ ଜନତା ପାର୍ଟିର ସିକ୍କିମ୍ ପ୍ରଦେଶ ସଭାପତି ଗତ ଫେବୃଆରୀ୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି କେନ୍ଦ୍ର ସରକାରଙ୍କ ଦ୍ୱାରା ତିସ୍ତା ୩ ଜଳବିଦ୍ୟୁତ୍ ପ୍ରକଳ୍ପର ପୁନର୍ନିମାଣକୁ ସ୍ଥଗିତ ରଖିବାପାଇଁ ଅନୁରୋଧ କରିଛନ୍ତି । ପ୍ରାୟ ବର୍ଷକପୂର୍ବେ ଏହି ଜଳବିଦ୍ୟୁତ୍ ପ୍ରକଳ୍ପର ବନ୍ଧଟି ଜଳପ୍ରଳୟରେ ନଷ୍ଟ ହୋଇଯାଇଥିଲା ଏବଂ ଏବେ ମଧ୍ୟ ସିକ୍କିମରେ ଏହାର ପ୍ରଭାବ ଅନୁଭୂତ ହେଉଛି ।
‘ପରିବେଶ ସଂରକ୍ଷଣ ଏବଂ ବିପର୍ଯ୍ୟୟକୁ ସହ୍ୟ କରିବାର କ୍ଷମତା ବୃଦ୍ଧି ସକାଶେ ଆପଣଙ୍କ ଅଙ୍ଗୀକାରବଦ୍ଧତାକୁ ସିକ୍କିମରେ ନାଗରିକମାନେ ସମ୍ମାନ ଜଣାନ୍ତି । ତିସ୍ତା ନଦୀହେଉଛି ସିକ୍କିମରେ ଜୀବନରେଖା । ତେଣୁ ଏହି ନଦୀରେ କୌଣସି ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ସକାଶେ ଗ୍ରହଣ କରାଯାଉଥିବା ନିଷ୍ପତ୍ତି ବୈଜ୍ଞାନିକ ତଥା, ଝୁଙ୍କିର ଆକଳନ ଏବଂ ସାଧାରଣ ଜନତାଙ୍କର ସମାବେଶୀ ଅଂଶଗ୍ରହଣ ଆଧାରରେ କରାଯିବା ଉଚିତ’ ବୋଲି ରାଜ୍ୟ ବି.ଜେ.ପି.ର ସଭାପତି ଡି. ଆର୍. ଥାପାଙ୍କ ଦ୍ୱାରା ଲିଖିତ ପତ୍ରରେ ଉଲ୍ଲେଖ କରାଯାଇଛି ।
ଗତ କେଇସପ୍ତାହ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇ.ଏ.ସି.) ମାତ୍ର ୧୪ମାସ ପୂର୍ବେ ହଠାତ୍ ବନ୍ୟାରେ ଧୋଇହୋଇ ଭାସି ଯାଇଥିବା ଏହି ଜଳବିଦ୍ୟୁତ୍ ପ୍ରକଳ୍ପର ପୁନର୍ନିମାଣ ସକାଶେ ଯୋଜନାକୁ ଅନୁମୋଦନ କରିଥିଲା । ସାଧାରଣ ଭାବେ ଇ.ଏ.ସି.ର ଅନୁମୋଦନ ଆଧାରରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏଭଳି କାର୍ଯ୍ୟକୁ ଚୂଡ଼ାନ୍ତ ଅନୁମତି ପ୍ରଦାନ କରାଯାଇଥାଏ । ଏଥିରୁ ଏକଥା ସ୍ପଷ୍ଟ ହେଉଛି, ଡି. ଆର୍. ଥାପାଙ୍କ ଦ୍ୱାରା ଲେଖାଯାଇଥିବା ଚିଠିଟି କେତେ ଜରୁରୀ ।
୨୦୨୩ ମସିହାରେ ଦକ୍ଷିଣ ଲୋନାକ ହିମ ହ୍ରଦରୁ ସୃଷ୍ଟି ହୋଇଥିବା ଏକ ହିମହ୍ରଦ ଭୁଶୁଡ଼ିବା ଦ୍ୱାରା ସୃଷ୍ଟ ବନ୍ୟାଫଳରେ ୧୨୦୦ ମେଗାୱାଟ୍ ଉତ୍ପାଦନ କ୍ଷମତାବିଶିଷ୍ଟ ତିସ୍ତା ୩ ଜଳବିଦ୍ୟୁତ୍ ପ୍ରକଳ୍ପ ମାତ୍ର କେଇ ମିନିଟ୍ ମଧ୍ୟରେ ଧ୍ୱଂସ ପାଇଯାଇଥିଲା । ଏହାଯୋଗୁଁ ତଳମୁଣ୍ଡରେ ୫୫ଜଣ ଲୋକଙ୍କର ମୃତୁ୍ୟ ଘଟିଥିଲା ଏବଂ ୭୦୨୫ ଜଣ ବିସ୍ଥାପିତ ହୋଇଥିଲେ । ହିମାଳୟର କୋଳରେ ଥିବା ଏହି ରାଜ୍ୟରେ ସଂଘଟିତ ସବୁଠାରୁ ବଡ଼ ବିପର୍ଯ୍ୟୟ ବୋଲି ଏହାକୁ ଅଭିହିତ କରାଯିବା ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳର ସମ୍ବେଦନଶୀଳ ପରିସଂସ୍ଥାନ ପ୍ରତି ଧ୍ୟାନ ଦିଆଯିବା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲା ।
ଉଭୟ ପରିବେଶ ବିଶେଷଜ୍ଞ ତଥା ରାଜ୍ୟର ବିରୋଧୀ ଦଳମାନେ ପ୍ରକଳ୍ପକୁ ପୁଣିଥରେ ଅନୁମତି ମିଳିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ନିକଟରେ ‘ସାଇନ୍ସ’ ଗବେଷଣା ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ ସତର୍କ କରାଇ ଦିଆଯାଇଛି ଯେ ଏହି ଅଞ୍ଚଳ ହିମବାହ ହ୍ରଦ ଭୁଶୁଡ଼ିବା ଯୋଗୁଁ ଅତ୍ୟନ୍ତ ବିପଦପ୍ରବଣ । ୨୦୨୩ର ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ତଥା ମାନବୀୟ କାର୍ଯ୍ୟକଳାପ ଫଳରେ ଏପରି ବିପର୍ଯ୍ୟୟଗୁଡ଼ିକ ସମ୍ପର୍କରେ ତୁରନ୍ତ ବିବେଚନା କରାଯିବାକୁ ପ୍ରେରିତ କରୁଛି ।
ସିକ୍କିମ୍ ବି.ଜେ.ପି. ପକ୍ଷରୁ ଲେଖାଯାଇଥିବା ପତ୍ରରେ ଦାବି କରାଯାଇଛି ଯେ ପ୍ରସ୍ତାବିତ ନଦୀବନ୍ଧ ସର୍ବାଧିକ କେତେ ପରିମାଣର ବନ୍ୟାଜଳ ସମ୍ଭାଳି ପାରିବ; ସେ ସମ୍ପର୍କିତ ଅଧ୍ୟୟନ କରା ନଯିବା ପର୍ଯ୍ୟନ୍ତ ଏହି ଅନୁମୋଦନକୁ ସ୍ଥଗିତ ରଖାଯାଉ । ଡି. ଆର. ଥାପା ନିଜ ପତ୍ରରେ ଏକଥା ମଧ୍ୟ ଦାବି କରିଛନ୍ତି, ‘ଅଧୁନାତନ ଜଳବାୟୁ ତଥ୍ୟ, ହିମବାହ ହ୍ରଦ ଭୁଶୁଡ଼ିବାର ବିପଦ ଏବଂ ସିକ୍କିମରେ ବଦଳୁଥିବା ପରିସଂସ୍ଥାନର ଆହ୍ୱାନକୁ ବିଚାରକୁ ନେଇ ନୂଆକରି ପାରିବେଶିକ ପ୍ରଭାବ ଆକଳନ (ଇ.ଆଇ.ଏ) କରାଯାଉ । ଏହା ସଙ୍ଗେ ସଙ୍ଗେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାବେଳେ ଗଣତାନ୍ତ୍ରିକ ଅଂଶଗ୍ରହଣକୁ ସମ୍ମାନ ଜଣାଇ ଆଉଥରେ ଜନଶୁଣାଣି କରାଯାଉ ବୋଲି ଆବେଦନ କରାଯାଇଛି ।’
ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ଏବଂ ସିଟିଜେନ୍ସ ଆକ୍ସନ ପାର୍ଟି ପରି ରାଜ୍ୟର ବିରୋଧୀ ଦଳମାନେ ମଧ୍ୟ ଉପରୋକ୍ତ ଦାବି କରିବା ସଙ୍ଗେ ସଙ୍ଗେ ଯେପରି ତରବରିଆ ଭାବେ ଅନୁମତି ପ୍ରଦାନ କରାଯାଉଛି ତାହାକୁ ବିରୋଧ କରିଛନ୍ତି । ତେବେ ସିକ୍କିମ୍ରେ କ୍ଷମତାରେ ଥିବା ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ସରକାରଙ୍କ ନିକଟରେ ଥିବା ସର୍ବାଧିକ ଅଂଶଧନକୁ ମଧ୍ୟ ତିସ୍ତା-୩ ପ୍ରକଳ୍ପ ଚଳାଉଥିବା କମ୍ପାନିକୁ ବିକ୍ରି କରିଦେଇଛି । ଏହି ଦଳ ଏଯାବତ୍ ଏ ପ୍ରସଙ୍ଗରେ ମୁହଁ ଖୋଲିନାହିଁ ।

ନଦୀବନ୍ଧ ଅଧିଗ୍ରହଣ ଏବଂ ଅନୁମତି

ହିମବାହ ହ୍ରଦ ଭୁଶୁଡ଼ିବା ଫଳରେ ହୋଇଥିବା ବନ୍ୟାଯୋଗୁଁ ତିସ୍ତା ୩ ଜଳବିଦ୍ୟୁତ୍ ପ୍ରକଳ୍ପ ଭାସି ଯିବାର ମାତ୍ର ଚାରିମାସ ମଧ୍ୟରେ ରାଜ୍ୟ ସରକାର ନିଷ୍ପତ୍ତି ନେଲେ ଯେ ବନ୍ଧ ପରିଚାଳନା କରୁଥିବା ସିକ୍କିମ୍ ଉର୍ଜା ଲିମିଟେଡ୍ରେ ଥିବା ସରକାରଙ୍କ ସମସ୍ତ ୬୦.୦୮% ଅଂଶଧନକୁ ଗ୍ରୀନ୍କୋ ନାମକ ଅନ୍ୟ ଏକ କମ୍ପାନିକୁ ବିକ୍ରି କରିଦେବେ । ଗ୍ରୀନ୍କୋ ହେଉଛି ଆନ୍ଧ୍ରପ୍ରଦେଶର ଏକ କଂପାନି, ଯାହାକି ବେଶ୍ ଦ୍ରୁତ ଅଭିବୃଦ୍ଧି କରୁଛି । ସେତେବେଳେ ଏହି ବିକ୍ରିକୁ ଯଥାର୍ଥ ବୋଲି ଦର୍ଶାଇବାକୁ ସିକ୍କିମ୍ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବିକ୍ରିଫଳରେ ରାଜ୍ୟ ସରକାର ତାଙ୍କର ସମସ୍ତ ଆର୍ଥôକ ଉତ୍ତରଦାୟିତ୍ୱ ତଥା ଋଣ କମ୍ପାନିକୁ ହସ୍ତାନ୍ତରିତ କରିଦେବେ ଏବଂ ରାଜ୍ୟକୁ ବନ୍ୟାଜନିତ କ୍ଷତିରୁ ରକ୍ଷା କରିବେ ।
ଭାରତୀୟ ପ୍ରତିଯୋଗିତା କମିଶନ ମଧ୍ୟ ମଇ ୨୦୨୪ରେ ଏହି ପରିବର୍ତ୍ତନକୁ ଅନୁମୋଦନ କରିଦେଲେ । ତେବେ ରାଜ୍ୟରେ ବିରୋଧୀ ଦଳମାନେ ରାଜ୍ୟ ଅଂଶଧନ ଏପରି ବିକ୍ରିକୁ ଘୋର ସମାଲୋଚନା କଲେ । ସେମାନଙ୍କର ଅଭିଯୋଗ ହେଉଛି, ରାଜ୍ୟ ସରକାର ଏପରି କରିବା ପୂର୍ବରୁ ଜନସାଧାରଣଙ୍କ ସହ ବିଚାରବିମର୍ଶ କରିନାହାନ୍ତି, ରାଜ୍ୟ ବିଧାନସଭାରେ ଆଲୋଚନା କରିନାହାନ୍ତି କିମ୍ବା ସ୍ୱାଧୀନ ଭାବରେ ଏହାର ଯାଞ୍ଚ କରିନାହାନ୍ତି । ‘ରାଜ୍ୟର ଅଂଶଧନ ବିକ୍ରି କରିବା ସକାଶେ ସରକାରଙ୍କ ଏହି ନିଷ୍ପତ୍ତି ମନମୁଖୀ ଏବଂ ଏଥିରେ ସ୍ୱଚ୍ଛତା ନାହିଁ । କଂପାନି ଅଧିଗ୍ରହଣ ସଂକ୍ରାନ୍ତରେ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ଆମେ ଦାବି କରୁଛୁ’ବୋଲି ସିକ୍କିମ୍ ବି.ଜେ.ପି.ର ମୁଖପାତ୍ର ପାସଙ୍ଗ ଶେରପା କହିଛନ୍ତି ।
୨୦୨୪ ମସିହା ନଭେମ୍ବର ମାସରେ ବନ୍ଧର ପୁନର୍ନିମାଣ ସକାଶେ ସିକ୍କିମ୍ ଊର୍ଜା ଲିମିଟେଡ୍ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟରେ ପ୍ରସ୍ତାବ ଦାଖଲ କଲେ । ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବକୁ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟିକୁ ପଠାଇଦେଲେ । କମ୍ପାନି ପକ୍ଷରୁ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟିକୁ କୁହାଗଲା, ‘କେବଳ ମୁଖବନ୍ଧକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅଂଶକୁ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ପୁନର୍ବାହାଲ କରାଯାଇପାରିବ । ବନ୍ଧର ଅଧିକାଂଶ ଆନୁଷଙ୍ଗିକ ଅଂଶକୁ ବର୍ଷକ ଭିତରେ ପ୍ରସ୍ତୁତ ହୋଇଯାଇପାରିବ, ତେବେ ଖୁବ୍ ଶୀଘ୍ର ବନ୍ଧର ନିର୍ମାଣ ଏବଂ ପ୍ରକଳ୍ପକୁ ପୁଣିଥରେ ଚାଲୁ କରାଯାଇ ପାରିବ’ ବୋଲି କମ୍ପାନି ପକ୍ଷରୁ ବିଶେଷଜ୍ଞ କମିଟିକୁ କୁହାଯାଇଛି ।
ସଂଶୋଧିତ ପ୍ରସ୍ତାବରେ ଏକ ଅଧିକ ଦୃଢ଼ ବନ୍ଧ ନିର୍ମାଣକୁ ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବ ବନ୍ଧଟିର ବାହାର ଅଂଶ କଂକ୍ରିଟରେ ନିର୍ମାଣ କରାଯାଇଥିବା କାରଣରୁ ଏହାର ମଝିରେ ପଥର ଖଣ୍ଡମାନ ରହିଥିଲା, ଏଥିପାଇଁ ବନ୍ଧଟି ବନ୍ୟାକୁ ଅଟକାଇ ପାରିଲାନାହିଁ । ନୂତନ ପ୍ରସ୍ତାବରେ ଏହାକୁ ସମ୍ପୂର୍ଣ୍ଣ ରୂପେ କଂକ୍ରିଟରେ ନିର୍ମାଣ କରାଯିବ । ନୂଆ ଡିଜାଇନ୍ରେ ବନ୍ଧର ବଳକା ପାଣି ନିଷ୍କାସନ (ସ୍ପିଲ୍ ୱେ) କ୍ଷମତାକୁ ୭୦୦୦ କ୍ୟୁସେକ୍ରୁ ବଢ଼ାଇ ୧୯,୯୪୬ କ୍ୟୁସେକ୍ କରାଯିବାର ପ୍ରସ୍ତାବ ଦିଆଯାଇଛି । ସିକ୍କିମ୍ ଊର୍ଜା ପକ୍ଷରୁ କୁହାଯାଇଛି ଯେ ସମ୍ଭାବିତ ସର୍ବାଧିକ ବନ୍ୟା ସ୍ତର (୭୦୦୦ କ୍ୟୁସେକ୍) ତଥା ହିମବାହ ହ୍ରଦ ଭୁଶୁଡ଼ିବା ଦ୍ୱାରା ହେଉଥିବା ବନ୍ୟାକୁ ବିଚାରକୁ ନେଇ ବଳକା ଜଳ ନିଷ୍କାସନ କ୍ଷମତା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା । ହେଲେ ଏହି ଆକଳନ କିପରି, କାହାଦ୍ୱାରା କରାଯାଇ ଥିଲା, ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଏବଂ ସୂଚନା ଦିଆଯାଇ ନାହିଁ ।
‘ସମ୍ଭାବିତ ସର୍ବାଧିକ ବନ୍ୟା ସ୍ତରର ଆକଳନ ବନ୍ଧର ବଳକା ପାଣି ନିଷ୍କାସନ କ୍ଷମତା ନିର୍ଦ୍ଧାରଣ କରିବା ସକାଶେ କରାଯାଇଥାଏ । ବନ୍ୟା ସମ୍ପର୍କରେ ସଠିକ୍ ଆକଳନ କରିବା ସକାଶେ ବୃଷ୍ଟିପାତର ସଦ୍ୟତମ ତଥ୍ୟ ସଂଗ୍ରହ କରାଯାଏ’ବୋଲି ସାଉଥ୍ ଏସିଆନ୍ ନେଟ୍ୱର୍କ ଅନ୍ ଡ୍ୟାମ୍ସ, ରିଭର୍ସ ଆଣ୍ଡ୍ ପିପୁଲ୍ସ (ଏସ୍.ଏ.ଏନ୍.ଡି.ଆର.ପି.)ର ସଂଯୋଜକ ହିମାଂଶୁ ଠକ୍କର କହିଛନ୍ତି ।
ପ୍ରାରମ୍ଭିକ ବିପର୍ଯ୍ୟୟରେ ପାରିବେଶିକ ମୂଲ୍ୟାଙ୍କନ କମିଟି (ଇ.ଏ.ସି.) ନଦୀବନ୍ଧର ଡିଜାଇନ୍ ଓ ସ୍ଥିରତାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଏବଂ ପ୍ରକଳ୍ପର କ୍ଷେତ୍ର ଅନୁଧ୍ୟାନ କରିବା ସକାଶେ ଏକ ସବ୍କମିଟି ମଧ୍ୟ ଗଠନ କରିଥିଲେ । କ୍ଷେତ୍ର ପରିଦର୍ଶନ ପରେ ହୋଇଥିବା ବୈଠକରୁ ଜଣାପଡ଼ିଲା ଯେ କେନ୍ଦ୍ରୀୟ ଜଳ କମିଶନ (ସି.ଡବ୍ଲ୍ୟୁ.ସି.) ଆଉଥରେ ସର୍ବାଧିକ ବନ୍ୟା ସ୍ତର ଆକଳନପାଇଁ ଅଧ୍ୟୟନ କରାଯିବା ଆବଶ୍ୟକ ବୋଲି କହିଥିଲା । ପରବର୍ତ୍ତୀ କାଳରେ ଏହି ସାନି ଆକଳନ ମଧ୍ୟ ସି.ଡବ୍ଲ୍ୟୁ.ସି. ଦ୍ୱାରା ଅନୁମୋଦିତ ହୋଇଥିଲା । ‘ନଦୀବନ୍ଧର ଡିଜାଇନ୍ ଏବଂ ଅନ୍ୟାନ୍ୟ ଅଂଶବିଶେଷର ଯୋଜନା ଏ ପର୍ଯ୍ୟନ୍ତ ସି.ଡବ୍ଲ୍ୟୁ.ସି., ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାନ ଏବଂ କେନ୍ଦ୍ରୀୟ ମୃତ୍ତିକା ଏବଂ ପଦାର୍ଥ ଗବେଷଣା କେନ୍ଦ୍ରର ଅନୁମୋଦନ ଲାଭ କରିନାହିଁ’ବୋଲି ବୈଠକର ବିବରଣୀରୁ ମଧ୍ୟ ଜଣାଯାଇଛି ।
ତିନି ତିନିଥର ବୈଠକ କରିବା ପରେ ନଦୀବନ୍ଧ ସମ୍ପର୍କିତ ଯୋଜନା ଉପରୋକ୍ତ ସଂସ୍ଥାଗୁଡ଼ିକ ଦ୍ୱାରା ଅନୁମୋଦନ ଲାଭ କରି ନଥିବା ସତ୍ତ୍ୱେ ଗତ ଜାନୁଆରୀ ୧୦ତାରିଖ ଦିନ ଇ.ଏ.ସି. ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିଥିଲା । ଏହା ସହିତ ଇ.ଏ.ସି. ଏକଥା ମଧ୍ୟ ଉଲ୍ଲେଖ କରିଥିଲା, ନଦୀବନ୍ଧ ସକାଶେ ଅତିରିକ୍ତ ଜମି ଅଧିଗ୍ରହଣ କରାଯାଉ ନଥିବାରୁ ଜନଶୁଣାଣିର ମଧ୍ୟ କୌଣସି ଆବଶ୍ୟକତା ନାହିଁ । ହିମବାହ ହ୍ରଦ ଭୁଶୁଡ଼ିବା ଫଳରେ ହେଉଥିବା ବନ୍ୟାର ପ୍ରଭାବ ବନ୍ଧ ନିର୍ମାଣ କରାଯାଇଥିବା ଚାଙ୍ଗଥାଙ୍ଗ ଅଞ୍ଚଳଠାରୁ ବହୁ ଦୂରରେ ତଥା ତଳମୁଣ୍ଡରେ ବାଂଲାଦେଶ ମଧ୍ୟରେ ଅନୁଭୂତ ହେଉଥିଲେ ମଧ୍ୟ ଏପରି ନିଷ୍ପତ୍ତି ନିଆଗଲା ବୋଲି ଅନୁମୋଦନରେ ଉଲ୍ଲେଖ କରାଯାଇଛି ।
‘ସଂଶୋଧିତ ଯୋଜନାରେ ସମ୍ଭାବିତ ସର୍ବୋଚ୍ଚ ବନ୍ୟାସ୍ତରକୁ ଅପରିବର୍ତ୍ତିତ ରଖାଯାଇ ବଳକା ଜଳ ନିଷ୍କାସନ କ୍ଷମତାକୁ ୭୦୦୦ କ୍ୟୁସେକ୍ ରଖାଯାଇଛି, ଯାହାକି ୨୦୦୬ର ତଥ୍ୟ ଉପରେ ଆଧାରିତ । ଗତ କେଇ ଦଶନ୍ଧି ମଧ୍ୟ ବୃଷ୍ଟିପାତର ଧାରାରେ ବ୍ୟାପକ ପରିବର୍ତ୍ତନ ସଂଘଟିତ ହୋଇଛି । ମାତ୍ର ସମ୍ଭାବିତ ସର୍ବୋଚ୍ଚ ବନ୍ୟା ସ୍ତର ନିର୍ଦ୍ଧାରଣ କରାଗଲାବେଳେ ଏ କଥାକୁ ବିଚାରକୁ ନିଆଯାଇଥିବା ପରି ମନେ ହେଉନାହିଁ । ଏହା ବନ୍ଧର ନିରାପତ୍ତାକୁ ପ୍ରଭାବିତ କରିପାରେ । ସମ୍ଭାବିତ ସର୍ବାଧିକ ବନ୍ୟା ସ୍ତର ଆକଳନ ସମ୍ପର୍କରେ ଅଧିକ ତଥ୍ୟ ନ ମାଗି ଇ.ଏ.ସି. ପ୍ରକଳ୍ପଟିକୁ ଅନୁମତି ପାଇଁ ଅନୁମୋଦନ କରିଦେବା ଅତ୍ୟନ୍ତ ପରିତାପର ବିଷୟ । ଏହି ପ୍ରକଳ୍ପର ଆକାର ତଥା ଏହାର ଅତୀତକୁ ବିଚାର କଲେ ଏଥିପାଇଁ ଏକ ସାନି ଅନୁମୋଦନର, ସାନି ପାରିବେଶିକ ପ୍ରଭାବ ଆକଳନ ଏବଂ ସାନି ଜନଶୁଣାଣି କରାଯିବାର ଆବଶ୍ୟକତା ଥିଲା’ ବୋଲି ଠକ୍କର କହିଛନ୍ତି ।
ଏବେ ମଧ୍ୟ ବିପତ୍ତି ରହିଛି
ଇ.ଏ.ସି.ର ନିଷ୍ପତ୍ତିର କେଇ ସପ୍ତାହପରେ ଏଠାରେ ସଂଘଟିତ ହୋଇଥିବା ହିମବାହ ହ୍ରଦ ଭୁଶୁଡ଼ିବାଜନିତ ବନ୍ୟାର ବୈଜ୍ଞାନିକ ବିଶ୍ଳେଷଣ କରାଯାଇଥିଲା । ଏଥିରୁ ଜଣାପଡ଼ିଥିଲା ଏହି ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ବିପଦମୁକ୍ତ ନୁହେଁ ।
୨୦୨୩ ଅକ୍ଟୋବରରେ ଦକ୍ଷିଣ ଲୋନାକ୍ ହିମବାହ ହ୍ରଦର ଆଡ଼ିରେ ଥିବା ପଥର ଆବର୍ଜନା ହ୍ରଦର ଜଳ ଭୁଶୁଡ଼ି ପଡ଼ିବା ଫଳରେ ପ୍ରାୟ ୨୦ ମିଟର ଉଚ୍ଚର ଏକ ଜଳସ୍ତମ୍ଭ ସୁନାମୀ ପରି ତିସ୍ତା ନଦୀରେ ପ୍ରବେଶ କଲା ।
ଦ୍ରୁତ ଗତି କରୁଥିବା ଏହି ବନ୍ୟାଜଳ, ଏହା ସହ ପ୍ରାୟ ୨୭ କୋଟି ଘନମିଟର ଅବକ୍ଷେପ ଧରି ଚାଲିଥିଲା ଏବଂ ତଳମୁଣ୍ଡରେ ଏହାର ପ୍ରଭାବ ଆହୁରି ତୀବ୍ରତର ହୋଇଚାଲିଲା । ‘ହିମବାହ ହ୍ରଦ ଭୁଶୁଡ଼ିବାଜନିତ ବନ୍ୟା ତିସ୍ତା ନଦୀର ଶଯ୍ୟାକୁ କେଇ ମିଟର ଉଚ୍ଚ କରିଦେଇଛି । ଏହା ଫଳରେ ଭବିଷ୍ୟତର ବନ୍ୟାଗୁଡ଼ିକ ଖୁବ୍ କମ୍ ସମୟ ମଧ୍ୟରେ ନଦୀକୂଳ ଲଂଘିବ ଏବଂ ଆଖପାଖ ଅଞ୍ଚଳ ବନ୍ୟାଜଳ ପ୍ଳାବିତ ହୋଇଯିବ । ଏହା ଜନସାଧାରଣଙ୍କ ପାଇଁ ତଥା ଭିତ୍ତିଭୂମି ପ୍ରତି ଅଧିକ ବିପତ୍ତି ସୃଷ୍ଟି କରିବ’ ବୋଲି ‘ସାଇନ୍ସ’ଗବେଷଣା ପତ୍ରିକାର ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ।
ଅନେକଗୁଡ଼ିଏ ଜଟିଳ ପାରସ୍ପରିକ ପ୍ରଭାବ ଯୋଗୁଁ ଏଭଳି ବିପତ୍ତି ଆହୁରି ବୃଦ୍ଧି ପାଇଲା । ଜମାଟବନ୍ଧା ତୁଷାରର ତଳ ଅଂଶର ଉତ୍ତାପ ବୃଦ୍ଧି ପାଇବା ଓ ହିମବାହ ସଂକୁଚିତ ହେବା ଇତ୍ୟାଦି କାରଣ ଭଳି ଅଧ୍ୟୟନରୁ ଜଣାପଡ଼ିଛି, ଦକ୍ଷିଣ ଲୋନାକ୍ ହିମହ୍ରଦରୁ ପ୍ରାୟ ପାଞ୍ଚକୋଟି ଘନମିଟର ଜଳ ନିଷ୍କାସିତ ହୋଇଯାଇଥିଲେ ମଧ୍ୟ ଭବିଷ୍ୟତରେ ଏହି ହ୍ରଦରେ ଅନୁରୂପ ହିମ ହ୍ରଦର ଆଡ଼ି ଭୁଶୁଡ଼ିବା କାରଣରୁ ବନ୍ୟା ସୃଷ୍ଟି ହେବାର ଆଶଙ୍କା ବଳବତ୍ତର ରହିଛି ।
‘ହିମବାହ ମାର୍ଗକଡ଼ରେ ଥିବା ପଥର ଆବର୍ଜନା ଯୋଗୁଁ ଦକ୍ଷିଣ ଲୋନାକ୍ ହିମବାହ ହ୍ରଦ ଭୁଶୁଡ଼ିବା ଆରମ୍ଭ ହୋଇଥିଲା । ପଥର ଆବର୍ଜନାର ବନ୍ଧ ଅସ୍ଥିର ରହିଥିବା ପର୍ଯ୍ୟନ୍ତ ଆଉଥରେ ଏହାର ଗୋଟିଏ ଅଂଶ ଭୁଶୁଡ଼ି ପୁଣିଥରେ ବନ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ଏହା ଉପରେ ନଜର ରଖାଯିବା ଆବଶ୍ୟକ’ବୋଲି ଗବେଷକ ଅସୀମ ସତ୍ତାର କହିଛନ୍ତି ।
ସିକ୍କିମ୍ ଊର୍ଜା ଲିମିଟେଡ୍ ପକ୍ଷରୁ ଇ.ଏ.ସି. ନିକଟରେ ଦାଖଲ କରାଯାଇଥିବା ଅନୁଧ୍ୟାନ ରିପୋର୍ଟରେ ଉଲ୍ଲେଖ କରାଯାଇଛି, ବଳକା ଜଳ ନିଷ୍କାସନ ପଥର କ୍ଷମତା ସ୍ଥିର କରିବା ସକାଶେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନକୁ ଦର୍ଶାଇଥିଲା । ଏପରି ୧୩ଟି ହିମ ହ୍ରଦ ଚିହ୍ନଟ କରିଛି ଯାହା ଆଡ଼ିବନ୍ଧ ଭୁଶୁଡ଼ିବା ଯୋଗୁଁ ଅତ୍ୟନ୍ତ ବିପଜ୍ଜନକ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ । ଏକକାଳୀନ ଦୁଇଟି ହିମ ହ୍ରଦ ଭୁଶୁଡ଼ି ପଡ଼ିଲେ ପରିସ୍ଥିତି କ’ଣ ହେବ; ସେକଥା କମ୍ପ୍ୟୁଟର୍ ମଡେଲ୍ ଦ୍ୱାରା ଆକଳନ କରାଯାଇଥିଲା । ଏପରି ହେଲେ ପ୍ରାୟ ୧୨, ୯୪୬ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ଜଣାପଡ଼ିଥିଲା । ସମ୍ଭାବିତ ସର୍ବାଧିକ ବନ୍ୟା ସ୍ତରରେ ଏହାକୁ ମିଶାଯାଇ ଜଳ ନିଷ୍କାସନ ପଥ ମୋଟ କ୍ଷମତାକୁ ୧୯,୯୪୬ କ୍ୟୁସେକ୍କୁ ବୃଦ୍ଧି କରାଯାଇଛି । ତେବେ ଏହା କିପରି କରାଯାଇଥିଲା ସେ ସଂପର୍କିତ କୌଣସି ତଥ୍ୟ ବା ଦଲିଲ୍ କଂପାନି ପକ୍ଷରୁ ଉପସ୍ଥାପିତ କରାଯାଇ ନ ଥିଲା । ଏପରିକି ତିସ୍ତା ନଦୀ ପୋତି ହୋଇଯିବାର ପ୍ରଭାବ କ’ଣ ପଡ଼ିବ; ସେ ସମ୍ପର୍କରେ ମଧ୍ୟ କିଛିହେଲେ ଉଲ୍ଲେଖ କରାଯାଇନାହିଁ ।
‘ତିସ୍ତା-୩ ଜଳବିଦ୍ୟୁତ୍ ପ୍ରକଳ୍ପର ଅତିରିକ୍ତ ଜଳ ନିଷ୍କାସନ ପଥର ମୋଟ କ୍ଷମତାକୁ ଯଦି ୨୦୦୦ କ୍ୟୁସେକ୍ କରାଯାଏ, ତେବେ ତାହାର ଅର୍ଥ ହେଲା ଯେ ତଳମୁଣ୍ଡର ନଦୀବନ୍ଧଗୁଡ଼ିକର ଯଥା ତିସ୍ତା-୫ ଏବଂ ତିସ୍ତା -୬ର ଜଳ ନିଷ୍କାସନ ପଥର କ୍ଷମତାକୁ ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ ଯେପରିକି ସେମାନେ ମଧ୍ୟ ହିମହ୍ରଦ ଭୁଶୁଡ଼ିବାଜନିତ ବନ୍ୟାର ମୁକାବିଲା କରିପାରିବେ’ ବୋଲି ହିମାଂଶୁ ଠକ୍କର କୁହନ୍ତି ।
ଏହି ଅଧ୍ୟୟନ ବିପତ୍ତି ଆକଳନ ସକାଶେ କରାଯାଇଥିବା କମ୍ପ୍ୟୁଟର୍ ମଡେଲିଂରେ ରହିଥିବା ଦୁର୍ବଳତାକୁ ମଧ୍ୟ ଚିହ୍ନଟ କରିଛି । ‘ଅବକ୍ଷେପର ପରିବହନ ଠାରୁ ଆରମ୍ଭ କରି ତୁଷାରର ମାଟି ସହ ସଂଯୁକ୍ତ ସ୍ତର ଉତ୍ତପ୍ତତର ହେବା ଆଡ଼ିବନ୍ଧ ଭୁଶୁଡ଼ି ପଡ଼ିବାର କାରଣ ପାଲଟିବା ଏବଂ ସେତେବେଳର ପାଣିପାଗର ସ୍ଥିତି ଇତ୍ୟାଦିକୁ ଭବିଷ୍ୟତରେ ବିପତ୍ତି ଆକଳନର ଅଂଶବିଶେଷ କରାଯିବା ଆବଶ୍ୟକ । ଏହାଦ୍ୱାରା ସଠିକ୍ ଫଳାଫଳ ମିଳିବ ଏବଂ ବିପର୍ଯ୍ୟୟର ମୁକାବିଲା ମଧ୍ୟ କରାଯାଇପାରିବ ।’
ଏସବୁକୁ ଧ୍ୟାନଦେଇ ଏବଂ ଗୁରୁତ୍ୱର ସହ ବିଚାର କରି ତିସ୍ତା ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିବାକୁ ସିକ୍କିମ୍ ବିଜେପି ନେତାମାନେ ଦାବି କରିବା ପରେ ଏବେ ତିସ୍ତା ନଦୀରେ ଝଡ଼ ଉଠିଛି!

ଚିତା ପାଇଁ ଚିନ୍ତା!

ଭାରତରେ ଆଫ୍ରିକୀୟ ଚିତାମାନଙ୍କର ସ୍ଥାନାନ୍ତରଣ ଓ ଥଇଥାନ ସକାଶେ ଆରମ୍ଭ କରାଯାଇଥିବା ‘ପ୍ରୋଜେକ୍ଟ ଚିତା’ କାର୍ଯ୍ୟକ୍ରମ ପାରିବେଶିକ ଦୃଷ୍ଟିକୋଣରୁ ନ୍ୟାୟସଂଗତ ନୁହେଁ ବୋଲି ଗତ ଫ୍ରଣ୍ଟିୟର୍ସ ଇନ୍ କନ୍ଜରଭେସନ୍ ସାଇନ୍ସର ଫେବୃଆରୀ ୩, ୨୦୨୫ ସଂଖ୍ୟାରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ଦର୍ଶାଯାଇଛି ।
ଏହି ଗବେଷଣା ନିବନ୍ଧରେ ଦର୍ଶାଯାଇଛି ଯେ ପୁନର୍ବାହାଲ ପାଇଁ ଆଫ୍ରିକୀୟ ଚିତାମାନଙ୍କୁ ଭାରତକୁ ସ୍ଥାନାନ୍ତରିତ କରି ଥଇଥାନ କରାଯିବାବେଳେ ଅନେକଗୁଡ଼ିଏ ନୈତିକ ବିଚାରକୁ ନିଆଯାଇ ନାହିଁ ଏବଂ ସାମାଜିକ ତଥା ପ୍ରଜାତିଙ୍କ ପ୍ରତି ଚିନ୍ତାଜନକ ଭାବେ ଅନ୍ୟାୟ କରାଯାଇଛି ।
ଏହି ନିବନ୍ଧର ଲେଖକ ୟଶେନ୍ଦୁ ଯୋଶୀ ବେଙ୍ଗାଲୁରୁସ୍ଥିତ ସେଣ୍ଟର୍ ଫର୍ ୱାଇଲ୍ଡଲାଇଫ୍ ଷ୍ଟଡିଜ୍ (ସି.ଡବ୍ଲ୍ୟୁ.ଏସ୍.- ଇଣ୍ଡିଆ)ର ସଂରକ୍ଷଣ ବିଜ୍ଞାନ ବିଭାଗରେ କାର୍ଯ୍ୟରତ । ସେ କହିଛନ୍ତି ଯେ ଆଫ୍ରିକାରୁ ଆଣି ଚିତାମାନଙ୍କୁ ଭାରତରେ ଅବସ୍ଥାପିତ କରାଯିବା ସହ ଆହୁରି ଅନେକଗୁଡ଼ିଏ ଆହ୍ୱାନ ଜଡ଼ିତ ଥିଲା । ଯେପରିକି ଦୁଇଟି ସ୍ଥାନ ମଧ୍ୟରେ ଜଳବାୟୁର ତାରତମ୍ୟ, ଚିତାମାନେ ଶିକାର କରିବାକୁ ଥିବା ପଶୁମାନଙ୍କର ପ୍ରଜାତି, ଆଫ୍ରିକୀୟ ପ୍ରଜାତିର ଚିତା ଖାପଖୁଆଇ ଚଳିବାକୁ ଥିବା ଆବାସସ୍ଥଳୀ ଏବଂ ଚିତାମାନଙ୍କର ଉପସ୍ଥିତି ସହ ଆଦୌ ଅଭ୍ୟସ୍ତ ନ ଥିବା ଗ୍ରାମଗୋଷ୍ଠୀମାନଙ୍କ ସହ ମଣିଷ-ବନ୍ୟପ୍ରାଣୀ ବିବାଦର ଆଶଙ୍କା ଇତ୍ୟାଦି । ମାତ୍ର ଏଗୁଡ଼ିକ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇ ନଥିଲା ।
‘ଆଇନସମ୍ମତ ଭାବେ ବନ୍ୟପ୍ରାଣୀମାନଙ୍କର କାରବାର କରାଗଲା ବେଳେ ପଶୁମାନଙ୍କର ମଙ୍ଗଳ ସମ୍ପର୍କରେ ଗବେଷଣାର ଅଭାବ ରହିଛି । ଆମେମାନେ ସଂରକ୍ଷଣ ବିଶାରଦମାନଙ୍କୁ ଅନୁରୋଧ କରୁଛୁ ଯେ ପଶୁପକ୍ଷୀମାନଙ୍କୁ ଅନ୍ୟତ୍ର ଅବସ୍ଥାପିତ କରାଗଲା ବେଳେ ଏହାର ସାମାଜିକ ଏବଂ ପ୍ରାଣୀମଙ୍ଗଳ ସମ୍ପର୍କରେ ବିସ୍ତାରିତ ବିଚାର ବିମର୍ଶ କରନ୍ତୁ ।’’

ଅନ୍ୟାୟ କିପରି ହେଉଛି?

କିପରି ଭାବେ ଅନ୍ୟାୟ କରାଯାଉଛି ତା’ର ବିଶ୍ଳେଷଣ କରିବା ସକାଶେ ଗବେଷକମାନେ ବିତରଣାତ୍ମକ ନ୍ୟାୟ, ପ୍ରକ୍ରିୟାତ୍ମକ ନ୍ୟାୟ ଏବଂ ସ୍ୱୀକୃତି ସମ୍ପର୍କିତ ନ୍ୟାୟର ଚଷମା ବ୍ୟବହାର କରିଥିଲେ ଏବଂ ଏହାକୁ କେବଳ ଅଧିକାର ହରାଇଥିବା ଲୋକମାନଙ୍କୁ ନୁହେଁ, ଅଣ-ମଣିଷ ପ୍ରଜାତିମାନଙ୍କ ପ୍ରତି ମଧ୍ୟ ପ୍ରୟୋଗ କରାଯାଇଥିଲା । ଏଥିପାଇଁ ସେମାନେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ (କେ.ଏନ୍.ପି.)କୁ ଆଫ୍ରିକୀୟ ଚିତା ଏବଂ ଏସୀୟ ସିଂହର ସ୍ଥାନାନ୍ତରଣ ସମ୍ପର୍କିତ ସମସ୍ତ ରିପୋର୍ଟର ସମୀକ୍ଷା କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏସୀୟ ସିଂହ ପ୍ରଜାତିର ପୁନଃ ସଂସ୍ଥାପନ ସକାଶେ ଏସୀୟ ସିଂହକୁ ବିଚାରକୁ ନିଆଯାଇଥିଲା । ୨୦୦୮ ମସିହାରୁ ଏହି ପୁନଃ ସଂସ୍ଥାପନ କାର୍ଯ୍ୟ ସ୍ଥଗିତ ହୋଇଥିଲା ।
‘୧୯୯୯ ମସିହାରୁ ୨୦୦୧ ମଧ୍ୟରେ ଯୋଜନାବଦ୍ଧ ଭାବେ ଏସୀୟ ସିଂହମାନଙ୍କୁ ପୁନଃ ସଂସ୍ଥାପିତ କରିବା ସକାଶେ କେ.ଏନ୍.ପି. ଅଞ୍ଚଳର ୨୪ଟି ଗାଁରୁ ୫୦୦୦ ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା । କିନ୍ତୁ ଗୁଜରାଟ ରାଜ୍ୟ ସରକାର ଅନ୍ୟ ଏକ ରାଜ୍ୟକୁ ସିଂହ ସ୍ଥାନାନ୍ତରିତ କରିବାକୁ ଅରାଜି ହେବାରୁ ଏହି ଯୋଜନା କାର୍ଯ୍ୟକାରୀ କରାଗଲା ନାହିଁ । ଭାରତ ସରକାରଙ୍କର ଅଧିକାରୀ, ରାଜ୍ୟମାନଙ୍କର ବନ ବିଭାଗ ଏବଂ ଗବେଷକମାନଙ୍କ ମଧ୍ୟରେ ହୋଇଥିବା ପରବର୍ତ୍ତୀ ଆଲୋଚନାରେ ଗୁଜରାଟର ସିଂହମାନଙ୍କ ବଦଳରେ ଆଫ୍ରିକୀୟ ଚିତାମାନଙ୍କର ପୁନଃ ସଂସ୍ଥାପନ ସକାଶେ ନିଷ୍ପତ୍ତି ଗ୍ରହଣ କରାଗଲା । ତେବେ ଏଥିସକାଶେ ନୂତନ ପ୍ରଜାତିର ପୁନଃ ସଂସ୍ଥାପନ କେଉଁଠି କରାଯିବ (କେ.ଏନ୍.ପି.) ସମେତ ସେ ସଂକ୍ରାନ୍ତୀୟ ଏକ ରିପୋର୍ଟକୁ ଅପେକ୍ଷା କରାଯାଉଥିଲା । ପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ ଏପରି ରିପୋର୍ଟ ପାଇଁ ଅନୁରୋଧ କରାଯାଇଥିଲା’ ବୋଲି ପ୍ରକାଶିତ ନିବନ୍ଧରେ ଉଲ୍ଲେଖ କରାଯାଇଛି । ଆଫ୍ରିକୀୟ ଚିତାମାନଙ୍କର ପୁନଃ ଥଇଥାନ ସକାଶେ ଗ୍ରହଣ କରାଯାଇଥିବା କାର୍ଯ୍ୟପ୍ରଣାଳୀକୁ ଏହି ଗବେଷକମାନେ ଘୋର ସମାଲୋଚନା କରିଛନ୍ତି ।
‘୨୦୧୦ ରିପୋର୍ଟର କାର୍ଯ୍ୟପ୍ରଣାଳୀର ମୂଲ୍ୟାଙ୍କନ କଲେ କାର୍ଯ୍ୟପ୍ରଣାଳୀରେ ରହିଥିବା ଅଭାବଗୁଡ଼ିକ ବେଶ ସ୍ପଷ୍ଟ ହୋଇଯାଏ । ସମ୍ଭାବିତ ପୁନର୍ବାସ କେନ୍ଦ୍ରଗୁଡ଼ିକର ଆକଳନ କରିବା ସକାଶେ ସର୍ଭେମାନ କରାଯାଇଥିଲା । ଏହି ସର୍ଭେରେ ‘ଆର୍ଥôକ ସ୍ୱଚ୍ଛଳତା, ଜୀବିକାର୍ଜନର ଉର୍ତ୍ସ ଏବଂ ବନ୍ୟ ପ୍ରାଣୀମାନଙ୍କ ପ୍ରତି ଧାରଣା’ ଇତ୍ୟାଦି ପ୍ରସଙ୍ଗଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ଉତ୍ତରଦାତାମାନଙ୍କୁ କୌଣସି ପ୍ରଶ୍ନ ପଚରା ଯାଇ ନଥିଲା । ବରଂ, ଉତ୍ତରଦାତାଙ୍କ ବୟସ, ଲିଙ୍ଗ, ବ୍ୟବସ୍ଥା ଇତ୍ୟାଦି ଲକ୍ଷ୍ୟ କରି ସେଗୁଡ଼ିକ ଆଧାରରେ ସେମାନଙ୍କ ‘ସ୍ୱଚ୍ଛଳତା ମାନକ’ ପ୍ରସ୍ତୁତ କରାଯାଇଥିଲା’ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ନିବନ୍ଧର ଲେଖକମାନଙ୍କ କହିବା ମୁତାବକ ଏପରି ବ୍ୟକ୍ତିନିଷ୍ଠ ଆକଳନକୁ ବିବେଚନା କରି ଏକ ମାନକ ନିର୍ଦ୍ଧାରଣ କରାଯାଇଥିଲା ଯାହାକି ଏକଥା ସୂଚାଉଥିଲା ଯେ କେଉଁ ଲୋକମାନେ କ୍ଷତିପୂରଣ ଗ୍ରହଣ କରିବେ ଏବଂ କେଉଁମାନେ ଗ୍ରହଣ କରିବେ ନାହିଁ ।’ ଏପରି ଅସମାନତା ଯୋଗୁଁ ବିତରଣାତ୍ମକ ଅନ୍ୟାୟର ସୂତ୍ରପାତ ହୋଇଥିଲା ଯାହାଫଳରେ ‘ସାମାଜିକ-ଅର୍ଥନୈତିକ ପ୍ରଭାବ’, ଲାଭର ବଣ୍ଟନ ଏବଂ ସଂରକ୍ଷଣ ଉଦ୍ୟମର ବୋଝ ଆଖିଦୃଶିଆ ଭାବେ ଅସମାନ ହୋଇଥିଲା । ‘ମୂଲ୍ୟବୋଧର ବିବିଧତା’, ସମ୍ଭାବ୍ୟ ବିଷମ ପ୍ରଭାବ ଏବଂ ଅତୀତରୁ ଅଧିକ ବୋଝ ମୁଣ୍ଡାଉଥିବା ଗୋଷ୍ଠୀ ପ୍ରତି ଧ୍ୟାନଦେବା ଇତ୍ୟାଦି ଦ୍ୱାରା ଏପରି ଅନ୍ୟାୟର ପ୍ରତିକାର କରାଯାଇ ପାରିଥାନ୍ତା ।
ପୁନଃ ଥଇଥାନ ପ୍ରତି ଆଭିମୁଖ୍ୟ, ବିଦେଶୀ ପଜାତି ଆଣିବା, ପ୍ରକଳ୍ପର ଗ୍ରହଣୀୟତା ଏବଂ ପ୍ରକଳ୍ପଦ୍ୱାରା କଳନା କରାଯାଉଥିବା ବିପଦ ଓ ଲାଭ ପରି ସାମାଜିକ ପ୍ରସଙ୍ଗଗୁଡ଼ିକୁ ଅଣଦେଖା କରିଦିଆଯାଇଥିଲା । ଅନ୍ୟପକ୍ଷରେ, ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ସକାଶେ ହିତାଧିକାରୀ ଚିହ୍ନଟ କରିବା ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା ।

ପ୍ରୋଜେକ୍ଟ ଚିତାର ଦୁର୍ବଳତା

ନିବନ୍ଧର ଲେଖକମାନେ ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ବିଚାର କରାଯାଇଥିବା ଏକ ଘଟଣାର ବିବରଣୀରୁ ଜଣାପଡ଼ିଛି ଯେ କୌଣସି ସାମାଜିକ ସର୍ଭେ କରାଯାଇ ନ ଥିଲା ।
‘ରିପୋର୍ଟରେ କୁହାଯାଇଛି ଯେ ପୁନର୍ବାସ ସକାଶେ ସ୍ଥାନ ନିରୂପଣ କରିବା ପାଇଁ ମାତ୍ର ଅଳ୍ପ କେଇଦିନ ମଧ୍ୟରେ ଏକ ‘ତ୍ୱରିତ ଆକଳନ’ କରାଯାଇଥିଲା । ମାନନୀୟ କାର୍ଯ୍ୟକଳାପର ଆକଳନ ସକାଶେ ଅନୁସୃତ ପ୍ରଣାଳୀରେ କୌଣସି ସ୍ପଷ୍ଟତା ନ ଥିଲା । କେତେକ ସ୍ଥାନ ସକାଶେ କେବଳ ରାସ୍ତାଘାଟ ପରି ରୈଖିକ ଭିତ୍ତିଭୂମି ଏବଂ ଶିଳ୍ପାୟନର ଚାପ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା, ଅଥଚ ସ୍ଥାନୀୟ ଗ୍ରାମ ଗୋଷ୍ଠୀମାନଙ୍କ ସମ୍ପର୍କରେ କିଛିହେଲେ ଉଲ୍ଲେଖ କରାଯାଇ ନଥିଲା । ଅନ୍ୟ କେତେକ ସ୍ଥାନ ସକାଶେ ଶିଳ୍ପାୟନର ପ୍ରଭାବକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା । ଚିତା କାର୍ଯ୍ୟ ଯୋଜନାରେ କୁନୋ ଜାତୀୟ ଉଦ୍ୟାନକୁ ସବୁଠାରୁ ଅଧିକ ଉପଯୁକ୍ତ ସ୍ଥାନ ବୋଲି ଚିହ୍ନଟ କରାଯାଇଥିଲା । ଏହି ରିପୋର୍ଟରେ ଏକଥା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଏହା ପୂର୍ବରୁ ଏସୀୟ ସିଂହଙ୍କ ସଂସ୍ଥାପନ ଏହି ପ୍ରଜାତିର ପୁନଃପ୍ରବେଶ ମାତ୍ର ଥିଲା । ତେବେ, ଏହି ରିପୋର୍ଟରେ ଚିତାମାନଙ୍କର ଆଗମନ ସକାଶେ ଗ୍ରାମଗୋଷ୍ଠୀମାନଙ୍କୁ ପ୍ରସ୍ତୁତ କରାଇବା ସଂପର୍କରେ କିଛିହେଲେ ଉଲ୍ଲେଖ କରାଯାଇ ନଥିଲା’ବୋଲି ସନ୍ଦର୍ଭରେ ଉଲ୍ଲେଖ କରାଯାଇଛି ।
ଗବେଷକମାନେ ସୂଚାଇ ଦେଇଛନ୍ତି ଯେ ସରକାରୀ ରିପୋର୍ଟରେ ‘ଏଠାକାର ହିନ୍ଦୁବହୁଳ ସଂସ୍କୃତି ପଶୁପକ୍ଷୀମାନଙ୍କ ପ୍ରତି ସହନଶୀଳତାର ପକ୍ଷଧର ଏବଂ ଏହା ମଣିଷ-ପଶୁମାନଙ୍କ ମଧ୍ୟରେ ବିବାଦର ବିପଦକୁ ହ୍ରାସ କରୁଛି’ବୋଲି କୁହାଯିବା ବାସ୍ତବତାର ମାତ୍ରାରିକ୍ତ ସରଳୀକରଣ ।
‘କେ.ଏନ୍.ପି. ଚାରିପଟେ ଯେ କେବଳ ହିନ୍ଦୁ ଲୋକମାନେ ବାସ କରନ୍ତି ସେ କଥାକୁ ବିରୋଧ କରାଯିବା ଆବଶ୍ୟକ । ଏକଥା ମଧ୍ୟ ବୁଝାଯିବା ଆବଶ୍ୟକ ଯେ ଅନ୍ୟ ସମ୍ପ୍ରଦାୟର ଗୋଷ୍ଠୀମାନେ ମଧ୍ୟ ମଣିଷ-ବନ୍ୟଜନ୍ତୁ ବିବାଦର ସମ୍ମୁଖୀନ ହୋଇପାରନ୍ତି । ଏପରିକି ହିନ୍ଦୁଗୋଷ୍ଠୀମାନଙ୍କ ମଧ୍ୟରେ କେବଳ ଧର୍ମପାଇଁ ସେମାନେ ବନ୍ୟ ପ୍ରାଣୀମାନଙ୍କ ପ୍ରତି ସହନଶୀଳ ବୋଲି କହି ଦିଆଯିବା ମଧ୍ୟ ବାସ୍ତବତାର ମାତ୍ରାତିରିକ୍ତ ସରଳୀକରଣ’ ବୋଲି ଗବେଷକମାନେ କହିଛନ୍ତି ।
ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ପରି ଏକ ବିବିଧତାପୂର୍ଣ୍ଣ ରାଷ୍ଟ୍ରରେ ମଣିଷ-ବନ୍ୟପ୍ରାଣୀ ସମ୍ପର୍କ ସାମାଜିକ ତଥା ପରିସଂସ୍ଥାନୀୟ ବ୍ୟବସ୍ଥାର ଜଟିଳ ପାରସ୍ପରିକ ସମ୍ପର୍କ ଉପରେ ପର୍ଯ୍ୟବସିତ । ତେଣୁ ଏକଥା ମନେ କରିନେବା ଯେ ଲୋକେ ଚିତା ସହିତ ମଣିଷର ସମ୍ଭାବିତ ମଣିଷ-ବନ୍ୟପ୍ରାଣୀ ବିବାଦକୁ ସହ୍ୟ ନରିନେବେ-ମୁଖ୍ୟତଃ ଆଧାରହୀନ । ତେଣୁ ଗବେଷକମାନେ ଏ ସମ୍ପର୍କରେ ପୂର୍ବରୁ ଯଥେଷ୍ଟ ବିଚାର କରିବା ଆବଶ୍ୟକ ଏବଂ ମଣିଷ-ବନ୍ୟପ୍ରାଣୀଙ୍କ ମଧ୍ୟରେ ରହିଥିବା ସୂକ୍ଷ୍ମ ସମ୍ପର୍କକୁ ଗୋଟିଏ ତରାଜୁରେ ତଉଲାଯିବା ଉଚିତ ନୁହେଁ ।’
ପ୍ରକାଶିତ ନିବନ୍ଧରେ ଏକ ପ୍ରଜାତି ଭାବରେ ଆଫ୍ରିକୀୟ ଚିତାମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ସମ୍ପର୍କରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି । ଏବେ ସମଗ୍ର ବିଶ୍ୱରେ ଖୋଲା ଜଙ୍ଗଲରେ ଏହି ପ୍ରଜାତିର ମାତ୍ର ୬,୫୦୦ ପ୍ରାପ୍ତବୟସ୍କ ଚିତା ରହିଥିବାରୁ ଏହି ପ୍ରଜାତିଟି ଯଥେଷ୍ଟ ଚାପରେ ରହିଛି ।
‘ଏପରି ଏକ ‘ବିପଦପ୍ରବଣ’ ପ୍ରଜାତିକୁ ଭାରତକୁ ସ୍ଥାନାନ୍ତରିତ କରିବା ପ୍ରଜାତି ପ୍ରତି ତଥା ପରିସଂସ୍ଥାନୀୟ ନ୍ୟାୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷ କରି ପ୍ରାଣୀ ମଙ୍ଗଳ, ମୃତ୍ୟୁ ଆଶଙ୍କା ଏବଂ ଅନ୍ୟ ଏକ ଦେଶରୁ ଆଣି ଚିତାମାନଙ୍କୁ ଭାରତରେ ଅବସ୍ଥାପିତ କରାଯିବା କେତେଦୂର ନ୍ୟାୟସଙ୍ଗତ ତାହା ଚିନ୍ତାଜନକ । ସାଧାରଣଭାବେ ଚିତାମାନେ ଚାପ ସହ୍ୟ କରିପାରନ୍ତି ନାହିଁ । ବିଶେଷ କରି ଜଙ୍ଗଲରେ ମୁକ୍ତଭାବରେ ବିଚରଣ କରୁଥିବା ଚିତାମାନଙ୍କୁ ଧରାଗଲେ ତାହା ସେମାନଙ୍କ ପାଇଁ ଯଥେଷ୍ଟ ଚାପ ସୃଷ୍ଟି କରିଥାଏ । କେ.ଏନ୍.ପି.ର ଚିତାମାନଙ୍କୁ କେବଳ ଗୋଟିଏ ରାଷ୍ଟ୍ରରୁ ଅନ୍ୟରାଷ୍ଟ୍ରକୁ ଅଣାଯାଇ ନାହିଁ । ସେମାନେ ମଧ୍ୟ ବାରମ୍ବାର ପଶୁ ଡାକ୍ତରମାନଙ୍କ ହସ୍ତକ୍ଷେପର ଶିକାର ହୋଇଛନ୍ତି । ୯୦ରୁ ଅଧିକ ଥର ଇଞ୍ଜେକସନ୍ ଦିଆଯାଇ ଏହି ଚିତାମାନଙ୍କୁ ଅଚେତ କରାଯାଇଛି । ଏସବୁର ସେମାନଙ୍କର ଶରୀର ତଥା ମସ୍ତିଷ୍କ ଉପରେ କ’ଣ ଦୀର୍ଘକାଳୀନ ପ୍ରଭାବ ପକାଇବ ତାହା ବିଚାରଯୋଗ୍ୟ, ବିଶେଷ କରି ଏପରି ପରିସ୍ଥିତିରେ ଯେଉଁଥିରେ ସେମାନଙ୍କୁ ଦୀର୍ଘକାଳ ପର୍ଯ୍ୟନ୍ତ ବନ୍ଦୀ ହୋଇ ରହିବାକୁ ପଡ଼ିବ ।
ପୁନଶ୍ଚଃ ଚିତାମାନଙ୍କ ପାଇଁ ଜୀବନ୍ତ ଶିକାର ଧରି ସେମାନଙ୍କୁ ଏକ ଆବଦ୍ଧ ସ୍ଥାନରେ ଛଡ଼ାଯିବା ଏବଂ ସେମାନେ ସଙ୍ଗେ ସଙ୍ଗେ ଆକ୍ରମଣର ଶିକାର ହେବାକୁ ମଧ୍ୟ ଦକ୍ଷିଣଆଫ୍ରିକାର କୋର୍ଟ ଅଫ୍ ଅପିଲ୍ ଅନ୍ୟାୟ ରୂପେ ଦର୍ଶାଇଛି’ ବୋଲି ଲେଖକମାନେ କହିଛନ୍ତି । ଗବେଷକମାନେ ଏହି ନିର୍ଯ୍ୟାସରେ ପହଞ୍ଚିଛନ୍ତି ଯେ ସଂରକ୍ଷଣର ସଫଳତାକୁ ଯେପରି ଭାବରେ ମପା ଯାଉଛି, ସେଥିରେ ପରିବର୍ତ୍ତନ ଅଣାଯିବା ଆବଶ୍ୟକ । କେବଳ ଜୀବନ ଓ ମୃତ୍ୟୁର ପରିସଂସ୍ଥାନୀୟ ପ୍ରକ୍ରିୟାଗୁଡ଼ିକୁ ମାପିବା ବାହାରକୁ ଯାଇ ପଶୁମାନଙ୍କର ଶାରୀରିକ, ଶରୀରତାତ୍ତ୍ୱିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବକୁ ମଧ୍ୟ ମପାଯିବା ଆବଶ୍ୟକ ।
‘ସଂରକ୍ଷଣ କ୍ଷେତ୍ରରେ କାୟାକଳ୍ପ କରିବା ତଥା ଫଳପ୍ରଦ ଫଳାଫଳ ହାସଲ କରିବା ସକାଶେ ପ୍ରକୃତିର ବିବିଧ ମୂଲ୍ୟବୋଧକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ଯେଉଁ ସଂରକ୍ଷଣ ଉଦ୍ୟମରେ ସମ୍ମାନ, ସମାବେଶିତା ଏବଂ ନ୍ୟାୟକୁ ଅଗ୍ରାଧିକାର ଦିଆଯାଏ ସେପରି ଉଦ୍ୟମ ଉଭୟ ମଣିଷ ଓ ପ୍ରକୃତି ଉପରେ ସକାରାତ୍ମକ ପ୍ରଭାବ ପକାଇବ । ଏପରି ଅଭ୍ୟାସଗୁଡ଼ିକ ବିଭିନ୍ନ ସ୍ୱାର୍ଥଗୋଷ୍ଠୀଗୁଡ଼ିକ ମଧ୍ୟରେ ବିବାଦ ଏବଂ ବୈଜ୍ଞାନିକ ବିଶ୍ୱସନୀୟତା ନଷ୍ଟ ହେବାକୁ ମଧ୍ୟ ରୋକିବ’ ବୋଲି ସେମାନେ ଲେଖିଛନ୍ତି ।
ଏହି ଲେଖାଟି ଲେଖକଙ୍କ ନିଜସ୍ୱ ମତ

Comments

0 comments

Share This Article