ଦାଦନ ଛାତ୍ର

ରାଜୀବ ଶଗରିଆ
166 Views
14 Min Read

ମାଟ୍ରିକ ପରୀକ୍ଷା ପୂର୍ବର କଥା । ନୂଆପଡ଼ା ଜିଲ୍ଲା ଶିକ୍ଷାବିଭାଗ ଜାଣିଲା ଯେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି । ଚୁଲାଭାଟ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉଦ୍ୟମକ୍ରମେ ଭଇଁଷାଦାଦର ଗାଁର ଜଣେ ଦାଦନ ଛାତ୍ରୀଙ୍କୁ ତାର କାର୍ଯ୍ୟସ୍ଥଳୀରୁ ଆଣି ପରୀକ୍ଷା ଦେବାର ବ୍ୟବସ୍ଥା କରାଗଲା । ୫ଜଣରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରବାସରୁ ଆଣି ପରୀକ୍ଷାଦେବାର ବ୍ୟବସ୍ଥା ବି କରାଗଲା । ନିଶ୍ଚିତ ନୂଆପଡ଼ା ଜିଲ୍ଲାର ପ୍ରୟାସକୁ ଏକ ସଫଳ ପ୍ରୟାସ ବୋଲି କୁହାଯିବ । ସମସ୍ତଙ୍କୁ ଆଣିହେବ ଏହା ସମ୍ଭବ ନୁହେଁ । କେବଳ ସର୍ଦ୍ଦାର ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ ଯେ କିଏ କେଉଁଠି କାମ କରୁଛନ୍ତି । ତଦ୍ରୁପ ବଲାଙ୍ଗୀରରେ ୭୭ରୁ ଅଧିକ ଛାତ୍ରଛାତ୍ରୀ ମାଟି୍ରକ ପରୀକ୍ଷା ଦେବାରୁ ବଞ୍ଚିତ ହଉଛନ୍ତି । ଏହା ଦାଦନ ଇତିହାସରେ ଗୋଟିଏ ପୁରୁଣା କଥା । ଚଳିତବର୍ଷ ଏହାକୁ ଗୁରୁତ୍ୱ ଦେଇ ଚର୍ଚ୍ଚା ହେଉଅଛି ନିଶ୍ଚିତ ଗୋଟିଏ ଭଲ ଖବର । ଏଇଥିପାଇଁ ଭଲ ଖବର ଯେକୌଣସି ସରକାର ଦାଦନ ପ୍ରକ୍ରିୟା ଉପରେ କିଛି କରିପାରିବେ ନାହଁ କାରଣ ଏତେସଂଖ୍ୟକ ରୋଜଗାର ତାଙ୍କ ନିକଟରେ ନାହିଁ ।

ଦ୍ୱିତୀୟ କଥା ହେଲା ସରକାରଙ୍କ ଦୃଷ୍ଟି ଆଢୁଆଳରେ ଚାଲିଥିବା ଦାଦନ ବେପାର ପରମ୍ପରା ହୋଇସାରିଲାଣି । ଏହା ଚାରିହଜାର କୋଟି ଟଙ୍କାରୁ ଅଧିକର ଏକ ବ୍ୟବସ୍ଥିତ ବଜାର ଅଟେ । ହଜାର ହଜାର କୋଟି ଟଙ୍କାର ବ୍ୟବସାୟ ଗୋଟିଏ ବଜାରକୁ ଆକୃଷ୍ଟ କରିବ, ଏହା ସ୍ୱାଭାବିକ କଥା । ଏହି ସ୍ୱାଭାବିକତା ପ୍ରତିରୋଧ ଅବା ନିୟନ୍ତ୍ରଣରୁ ମଧ୍ୟ ନିଜକୁ ମୁକ୍ତ ରଖିବା ପାଇଁ ଚାହିଁବ । ନିକଟ ଅତୀତରେ ଘଟିଥିବା ଏକ ଘଟଣା ବେଶ୍ ଚର୍ଚ୍ଚାରେ ଥିଲା । କଣ୍ଟାବାଞ୍ଜିର ଏକ ଘରୋଇ ହୋଟେଲରୁ କୋଟି ଟଙ୍କାରୁ ଅଧିକ କିଛି ବାହାର ରାଜ୍ୟର ଦାଦନ ବେପାରୀଙ୍କ ନିକଟରୁ ପୋଲିସ ଉଦ୍ଧାର କଲା । ସେ ମଧ୍ୟରୁ ଅଧାରୁ ଅଧିକ ଟଙ୍କା ଗାୟବ ହୋଇଗଲା । ଏହି ଘଟଣାରେ ଅବଶ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଗଲା । ଡକାୟତି ମାମଲା ରୁଜ୍ଜୁ ହୋଇପାରିଥାନ୍ତା ନା ନାହିଁ; ଏହା ଭିନ୍ନ କଥା । ଏହାର ଅନ୍ୟପଟ ଦୃଶ୍ୟ ଗୋଟିଏ ଘଟଣାକୁ ଆକଳନ କରିବାପାଇଁ ଯଥେଷ୍ଟ ଥିଲା । ଅଞ୍ଚଳର ପ୍ରମୁଖ ଦାଦନ ସର୍ଦ୍ଦାରମାନଙ୍କ ଏକ ସଭାହେଲା । ଏହି ସଭାର ନିଷ୍ପତ୍ତି ଅନୁସାରେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଗଲା ଯେହେତୁ ସମସ୍ତ ଶ୍ରମିକଙ୍କୁ କାମ ଯୋଗାଯାଇଥାଏ ତେଣୁ ସମସ୍ତ ସରକାରୀ ଦସ୍ତାବେଜ ପରିଚାଳନାରେ ଆମେ କର୍ମଚାରୀ ନିଯୁକ୍ତି କରିବୁ । ଫଳତଃ ଶ୍ରମିକମାନଙ୍କ (ଦାଦନମାନଙ୍କ)ହକ୍ ଟଙ୍କା ନେଣଦେଣ ପରିଚାଳନା ସୁଗମ ହେବ ଓ ଆଇନଗତ ପରିଚାଳନା ଦୃଷ୍ଟିରୁ ମଧ୍ୟ ଉତ୍ତମ ଫଳ ମିଳିପାରିବ ।

ପ୍ରକାରାନ୍ତେ ବର୍ତ୍ତମାନର ପ୍ରଶାସନିକ ନିୟନ୍ତ୍ରଣରୁ ଦାଦନ ବେପାରକୁ ମୁକ୍ତ ରଖିବାକୁ ଅନୁରୋଧ କରାଗଲା । କେତେ ଦାଦନ ଯାଇଛନ୍ତି ଶ୍ରମ ବିଭାଗ ନିକଟରେ ଅଲିଖିତ ଖବର ଥାଏ, କିନ୍ତୁ କିଏ କେଉଁଠାକୁ ଯାଇଛନ୍ତି ସେ ଖବର ନଥାଏ । ତେଣୁ ଛାତ୍ରଛାତ୍ରୀଙ୍କୁ ଉଚିତ ସମୟରେ ଠାବ କରିବା ପ୍ରଶାସନ ପାଇଁ ଅସମ୍ଭବ ହୋଇଯାଏ । ଶିକ୍ଷାବିଭାଗ ଓ ଶ୍ରମବିଭାଗ ସମନ୍ୱୟତା ରଖେ ନାହିଁ । ହୁଏତ କୌଣସି ବୈଧାନିକ ବାଧା ନାହିଁ ଯେ ଶିକ୍ଷାବିଭାଗ ନିଜ ଛାତ୍ରଛାତ୍ରୀଙ୍କ ଠିକଣା ପାଇବାରେ ଅସୁବିଧା ହେବ । ଶାସନର ଦୁଇଟି ବିଭାଗ ମଧ୍ୟରେ ସମନ୍ୱୟତା ନାହିଁ, ଏକଥା ବାରମ୍ବାର ପ୍ରଶାସନ ହିଁ ପ୍ରମାଣ କରିସାରିଛି ।

ବିଗତ ଦଶବର୍ଷରେ ହଜାର ହଜାର ଦାଦନ ଶ୍ରମିକ ଶିଶୁଶ୍ରମିକ ସମେତ ଉଦ୍ଧାର ହୋଇ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଆଦି ରାଜ୍ୟରୁ ଗୋତି ଶ୍ରମିକର ପ୍ରମାଣପତ୍ର ନେଇ ଆସିଛନ୍ତି । ଗୋତିଶ୍ରମିକର ଆଇନ ଅନୁସାରେ ସମସ୍ତଙ୍କ ଥଇଥାନ ସରକାରଙ୍କ କର୍ତ୍ତବ୍ୟ କିନ୍ତୁ ପ୍ରମାଣପତ୍ର ପାଇଥିବା ସମସ୍ତ ଦାଦନ ପୁନର୍ବାର ଦାଦନ ଯାଇଥିବା ଅନେକ ପ୍ରମାଣ ଅଛି ।

‘ମିଶନ ଉଦ୍ଧାର’ ଗୋଟିଏ ଆଳଙ୍କାରିକ ଶବ୍ଦର ବ୍ୟବହାର ବଲାଙ୍ଗୀର ପୋଲିସ କଲା । ଏହା ୧, ୨ ଓ ୩ କ୍ରମରେ ନିଜର ଅସ୍ତିତ୍ୱ ଆଜି ମଧ୍ୟ ରଖିଛି । ଏହି କାର୍ଯ୍ୟକ୍ରମ ଦାଦନପ୍ରବଣ ଅନ୍ୟ ଜିଲ୍ଲାମାନଙ୍କରେ ଆରମ୍ଭ କରାଗଲା । ହଜାର ହଜାର ଶ୍ରମିକ ଉଦ୍ଧାର ହେଲେ । ଏ ସମୟ ଭିତରେ ଗୋଟିଏ ବି ଜିଲ୍ଲା କହିଲାନାହିଁ ଯେ ଉଦ୍ଧାର ଦାଦନ ଶ୍ରମିକମାନଙ୍କୁ ଏମ୍ଜିନରେଗା ମାଧ୍ୟମରେ ଉଦ୍ଧାର ଏତିକି ଦାଦନ ଶ୍ରମିକଙ୍କୁ ଏତିକି ଦିନର କାମ ଦିଆଗଲା । କାରଣ ପ୍ରଶାସନ ଜାଣିଥିଲା କୌଣସି ଉଦ୍ଧାର ଦାଦନ ନିଜ ଗାଁର ନାହାନ୍ତି । ଦାଦନ ଯାଇଛନ୍ତି, ତେଣୁ ଏହା ଏକ ନାଟକ । ପୋଲିସ ଜିଲ୍ଲାପାଳଙ୍କୁ ଉଦ୍ଧାର ଦାଦନଙ୍କ ତାଲିକା ଦେଇଦେଲେ ବିଭିନ୍ନ ଯୋଜନା ମାଧ୍ୟମରେ ସମସ୍ତଙ୍କୁ କାମ ଦେବା ଅସମ୍ଭବ ନୁହେଁ । ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ନାହିଁ । ଅଥବା ଦାଦନ ବେପାରକୁ ସୁରକ୍ଷିତ ରଖିବାପାଇଁ ଅନେକ ମାୟାବ୍ୟୁହ ରଚନା କରାଯାଏ ।

ଗତ ଶତକର ଶେଷବେଳକୁ ଏନ୍ଜିଓ ଦାଦନ ମାମଲା ଉପରେ ହସ୍ତକ୍ଷେପ କଲା । ଲୋକଙ୍କ କୁକୁଡ଼ା, ଖେତ, ଖଟ, ଆଦିର ହିସାବ କରି ନିଜର ଅନେକପ୍ରକାର ଢଙ୍ଗରେ ଗବେଷଣା କଲା । ଅନେକ କାର୍ଯ୍ୟକ୍ରମ ହାତକୁ ନେଲା । ସେ ମଧ୍ୟରୁ ଗୋଟିଏ କାମ ହେଲା ଯେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଅସ୍ଥାୟୀ ଆବାସିକ କେନ୍ଦ୍ର ତିଆରି କରି ତାଙ୍କର ପାଠପଢ଼ାକୁ ନିୟମିତ ରଖାଯିବାର କାମ କରାଗଲା । ଏପରିକି ପ୍ରବାସରେ ଇଟାଭାଟି ନିକଟସ୍ଥ ଗାଁମାନଙ୍କରେ ଓଡ଼ିଆ ଯୁବକମାନଙ୍କୁ ତାଲିମଦେଇ ଶିକ୍ଷା ଦିଆଗଲା । ଅନେକ ଶିକ୍ଷକ ଦାଦନ ସର୍ଦ୍ଦାର କାମ ବି କଲେ ଏହା ଭିନ୍ନ କଥା; କିନ୍ତୁ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ନିରନ୍ତରତା ରହିଲା । ଏହାକୁ ଆମେରିକା ଇଣ୍ଡିଆ ଫାଉଣ୍ଡେସନ, ଏକ୍ସନ ଏଡ୍, ଏଡେଡ୍ ଏକ୍ସନ ଭଳି ସଂସ୍ଥାମାନେ ସହଯୋଗ ମଧ୍ୟ କଲେ । ପରେ ସରକାରୀ ବିଭାଗ ମଧ୍ୟ ଏହା ପରିଚାଳନା କରିଥିଲା । ସାମୟିକ ଆବାସିକ ଯୋଜନା ହୋଇଥିଲେ ମଧ୍ୟ ସରକାରୀ ବିଭାଗ ଛୁଟିଦିନ ମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ ରାସନ ଦେଉ ନଥିଲା । ଏହି ଯୋଜନାରେ ଯେଉଁ ଏନ୍ଜିଓମାନେ ସହଯୋଗ କରୁଥିଲେ ସେମାନଙ୍କୁ ଖର୍ଚ୍ଚ ହୋଇଥିବା ଟଙ୍କାଦେବାରେ ମାସମାସ ବିଳମ୍ବ ବି ବିଭାଗଦ୍ୱାରା ହୋଇଥିଲା । ପରବର୍ତ୍ତୀ ସମୟରେ ଶିକ୍ଷକଙ୍କ ଦାୟିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହେଲା ଓ ପରେ ସରକାର ଉଦାସୀନ ହୋଇଗଲେ । ଦାଦନ ପରିବାରର ଛାତ୍ରଛାତ୍ରୀ ପରିବାର ସହ ପ୍ରବାସ କଲେ ।

ଦାଦନ ଚରିତ୍ରଦୃଷ୍ଟିରୁ ଏମିତି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ଛାତ୍ର ଅବା ଛାତ୍ରୀପରୀକ୍ଷା ଓ ପ୍ରବାସ ମଧ୍ୟରୁ ପ୍ରବାସକୁ ବାଛିବାପାଇଁ ବାଧ୍ୟ ହୋଇଥାଏ । ସମସ୍ତ ପରିବାର ଜଣକୁ ଛାଡ଼ି ଦାଦନ ଖଟି ଯାଇପାରିବେ ନାହିଁ । ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଏକ ପ୍ରକ୍ରିୟା ଯେତେବେଳେ ପରମ୍ପରା ହୋଇସାରିଲାଣି ଦାଦନ ବଂଶଧର ଶିକ୍ଷାରୁ ବଞ୍ଚିତ ରହିବେ ଏହା ଅବଧାରିତ । ଶିକ୍ଷା ଅଧିକାର ଆଇନ ପ୍ରସଙ୍ଗ ଯଦି ଉତ୍ଥାପନ କରାଯାଏ ତାହାହେଲେ ଖାଦ୍ୟ ଅଧିକାର ଆଇନ ବିଷୟ ଚର୍ଚ୍ଚାକରିବା ଉଚିତ ହେବ ।

ଖାଦ୍ୟ ଅଧିକାର ଆଇନ ପ୍ରଣିତ ହେବାପୂର୍ବରୁ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ସରକାର ରିହାତି ଦରରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚାଉଳ ଯୋଗାଉଥିଲେ । ସେତେବେଳେ ପ୍ରବାସରେ ଦାଦନ ଶ୍ରମିକ ପରିବାର ଖୁଦ, ଅବା କୁକୁଡ଼ା ଖାଦ୍ୟବଜାରରୁ କିଣି ଖାଉଥିଲେ । ଯାହାକୁ କନକି ବୋଲି କହୁଥିଲେ । ‘ହାଦ୍ରା (ହାଇଦ୍ରାବାଦ ଏବଂ ସାମଗ୍ରିକ ଅର୍ଥରେ ତତ୍କାଳୀନ ଆନ୍ଧ୍ରପ୍ରଦେଶ)ର କନକି, ପେଟ ଯାଏସି ଦନକି’ ବୋଲି ଦାଦନ ଶ୍ରେଣୀ ଢଗ କହନ୍ତି । ସାଧାରଣ ଯୋଗାଣ ବ୍ୟବସ୍ଥା ଏକ ରାଷ୍ଟ୍ରୀୟ ଯୋଜନା ଅଟେ । ନିଶ୍ଚୟ ଦାଦନ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ଅଟନ୍ତି । ରାଷ୍ଟ୍ରର ନାଗରିକ ଯେକୌଣସି ସ୍ଥାନରେ ନିଜର ରିହାତି ଖାଦ୍ୟସାମଗ୍ରୀ ପାଇବା ଅଧିକାର ରଖେ । ସେ କନକି ଖାଇଥାଏ । ଖାଦ୍ୟସୁରକ୍ଷା ଯୋଜନା ଯେତେବେଳେ ଖାଦ୍ୟ ଅଧିକାର ଆଇନ ହୋଇଗଲା ସେ ସମୟରେ ମଧ୍ୟ ମୁଣ୍ଡପିଛା ପାଂଚକେଜି ଚାଉଳ ପ୍ରବାସରେ ଅପହଞ୍ଚ ହୋଇଗଲା । ଶିକ୍ଷା ଓ ପରୀକ୍ଷାବ୍ୟବସ୍ଥା ଦାଦନ ଛାତ୍ରଛାତ୍ରୀଙ୍କ ପାଇଁ କେତେ ଅପହଂଚ, ତାହା ସହଜରେ ଅନୁମାନ କରିହେବ ।

ଛାତ୍ରଛାତ୍ରୀ କେବଳ ଚଳିତବର୍ଷ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଏହା ନୁହେଁ, ଏହି ଘଟଣା ବହୁ ପୁରାତନ । ମୂଳରୁ ଚଳି ଆସୁଥିବା ଏହି ପୁରୁଣା ଘଟଣା ଆଜି କାହିଁକି ଚର୍ଚ୍ଚାକୁ ଆସିଲା?

ଅଢ଼େଇ ଦଶନ୍ଧି ପ୍ରାୟ ପୁରୁଣା ସରକାର ପରେ ନୂଆ ସରକାର ରାଜ୍ୟଭାର ସମ୍ଭାଳିଛନ୍ତି । ସରକାରକୁ ଆସିଲା ପରେ ଦାଦନ ଟାସ୍କଫୋର୍ସ ତିଆରି କଲେ । ଦାଦନପ୍ରବଣ ଅଞ୍ଚଳର ବିଧାୟକ ତଥା ସରକାରଙ୍କ ଉପମୁଖ୍ୟମନ୍ତ୍ରୀଙ୍କୁ ଏହାର ଅଧ୍ୟକ୍ଷ ରଖିଲେ । ଘଟଣା ସତହେଲେ ବି ରାଜନୈତିକ ଉଦେ୍ଦଶ୍ୟ ନାହିଁ ଏହା କହିବା ଭୁଲ ନୁହେଁ । କିନ୍ତୁ ଏହା ନିଶ୍ଚିତ ଯେ ଟାସ୍କଫୋର୍ସ ଏକ ଶକ୍ତିଶାଳୀ ବିଭାଗ । ଯେହେତୁ ଏହାର ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀ ଅଛନ୍ତି । ଏହା ଗଠନ ହେଲା ପରେପରେ ଦାଦନ ପ୍ରବାସ ଆରମ୍ଭ ହୋଇ ସାରିଥିଲା । ଏହି ସମୟରେ ଦାଦନ ଶ୍ରମିକଙ୍କ ବିବରଣୀ ସଂଗ୍ରହ ସମ୍ଭବ ହୋଇପାରି ନାହିଁ । ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହେବା ଘଟଣା ଟାସ୍କଫୋର୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ହୋଇପାରେ । କିନ୍ତୁ ଦାୟୀ କରିବା ସମୀଚିନ ହୋଇ ନପାରେ । ଅବଶ୍ୟ ପୂର୍ବ ସରକାରର ପ୍ରଥମ ନଅବର୍ଷ ଭାଜପା ରାଜ୍ୟରେ ଭାଗୀଦାର ଥିଲା । ଦାଦନ ବିଷୟରେ ସରକାର ଅନଭିଜ୍ଞ ଅଥବା ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିବାରେ ଟାସ୍କଫୋର୍ସ ଅପ୍ରସ୍ତୁତ ଏହା ନିଶ୍ଚିତ ଭୁଲ କଥା ।

ଟାସ୍କଫୋର୍ସ ତିଆରି ହେଲା ସରକାର ଘୋଷଣା କଲେ ଓ ଲୋକ ଜାଣିଲେ । ଟାସ୍କଫୋର୍ସର କଳେବର କିଭଳି ତିଆରି ହେବ? ଏହାର କ୍ଷମତା କେତେ ରହିବ? ଶ୍ରମ ଆଇନ ପରିଚାଳନାରେ ଏହାର ଭାଗିଦାରୀ କଣ? ଦାଦନଙ୍କ ଗମନାଗମନ ଓ କାର୍ଯ୍ୟକ୍ଷେତ୍ରରେ କାମ କଣ ରହିବ? କାର୍ଯ୍ୟକ୍ଷେତ୍ରରେ ଏହାର କ୍ଷମତା କେତେ ରହିବ? କର୍ମନିଯୁକ୍ତି ହୋଇଥିବା ରାଜ୍ୟ ସରକାରଙ୍କ ସହ ଏହାର ସମ୍ପର୍କ କଣ ରହିବ? ଏ ସମସ୍ତ ବିଷୟ ଉପରେ କୌଣସି ବିସ୍ତାର ନାହିଁ । ଅର୍ଥାତ ଟାସ୍କଫୋର୍ସର କାମ ଆରମ୍ଭ ହୋଇନାହିଁ । ଏହା କାର୍ଯ୍ୟକ୍ଷମ ହେଲାପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରାଯାଇପାରେ । ଅବଶ୍ୟ ପ୍ରାଥମିକ ପଦକ୍ଷେପ ଭାବରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଆଣି ତାଙ୍କର ଶିକ୍ଷା ଅଧିକାରକୁ ସାବ୍ୟସ୍ତ କରାଯାଇ ପାରିଥାନ୍ତା ।

ଦାଦନ ସୁଦୂରପ୍ରସାରୀ ସାମାଜିକ ସମସ୍ୟା ତିଆରି କରେ । ଦାଦନ ପ୍ରତି ସରକାରୀ ନିୟନ୍ତ୍ରଣ ଓ ତମାମ ସରକାରୀ ଯୋଜନା ଦାଦନକୁ ରୋକି ପାରି ନାହିଁ । ଏପରିକି ଏହାର ପୂର୍ଣ୍ଣାଙ୍ଗ ସୂଚନା ପାଇଁ ମଧ୍ୟ ପ୍ରଶାସନ ଅସମର୍ଥ ଅଟେ । ତମାମ ପ୍ରକ୍ରିୟାରେ ସରକାର, ପ୍ରଶାସନ, ଏନ.ଜି.ଓ , ବୁଦ୍ଧିଜୀବୀ ଆଦି ଦାଦନକୁ ଦେଖୁଥିବା ଲୋକ ଏହାକୁ ସମସ୍ୟା କହନ୍ତି । କିନ୍ତୁ ନିଜେ ଦାଦନ ଏହାକୁ ହିଁ ସମାଧାନ ବୋଲି ଭାବେ । ଅତି କମ୍ ଦୁଇଶତକର ଲୁଟ୍ ପରେ ଗୋଟିଏ ଜାତି ନିଃସ୍ୱ ହୋଇଯାଏ । ପେଟପାଇଁ ଭିଟାମାଟି ଛାଡ଼ିବା ଭଳି କରୁଣତମ ସମାଧାନ ଖୋଜେ । ତାହା ହେଉଛି ପ୍ରବାସ । ଏହାଠାରୁ ବଳି ଦାଦନ । ପ୍ରବାସୀ ଶ୍ରମିକ ହୁଅନ୍ତୁ ଅବା ଦାଦନ; ଏହା ତାଙ୍କ ପାଇଁ ସମାଧାନ ଅଟେ । ଲକ୍ଷ ଆକାରରେ ଗୋଟିଏ ବଡ଼ସଂଖ୍ୟାକୁ ଅଟକାଇବା ସାମର୍ଥ୍ୟ ପ୍ରଶାସନ ପାଖରେ ନାହିଁ । ଯେହେତୁ ସେମାନେ ରୋଜଗାର ପାଇଁ ଯାଉଛନ୍ତି, ମାନବିକତା ଦୃଷ୍ଟିରୁ ସେମାନଙ୍କୁ ଅଟକ କରିବା ଅପରାଧ ହିଁ ଅଟେ । ଏହା ବି ପ୍ରଶାସନିକ ଉଦାସୀନତାର ଗୋଟିଏ କାରଣ ଅଟେ । କାରଣ ପ୍ରଶାସନ ସମେତ ସରକାର ବି ଜାଣନ୍ତି ଏତେସଂଖ୍ୟକ ଲୋକଙ୍କୁ ବ୍ୟବସ୍ଥିତ କାମ ଯୋଗାଇବା ପାଇଁ ନା ସାମର୍ଥ୍ୟ, ନା ଯୋଜନା ରହିଅଛି । ତେଣୁ ଦାଦନ ଏକ ନିରଙ୍କୁଶ ବ୍ୟବସ୍ଥା ହୋଇପାରିଛି ।

ଲକ୍ଷାଧିକ ସଂଖ୍ୟାର ଗୋଟିଏ ମାନବ ଆକାରକୁ ସ୍ଥାନାନ୍ତରଣ, କର୍ମଯୋଗାଣ, ପାରିଶ୍ରମିକ, ସୁରକ୍ଷା ଆଦି ପରିଚାଳନା ପାଇଁ ଅତି କମ୍ସଂଖ୍ୟକ କର୍ମଚାରୀ ରହିଥାନ୍ତି । ଆଇନ, ସରକାରୀ ବିଧିବିଧାନ ଆଦି ପୁରା କରିବା ଗୋଟିଏ ମାତ୍ରାଧିକ ବୋଝ । କାରଣ ଜଣେ ଲୋକ ଶ୍ରମିକ ସଂଗ୍ରହଠାରୁ ଗମନାଗମନ ଓ କାର୍ଯ୍ୟସ୍ଥଳୀ ପର୍ଯ୍ୟନ୍ତ ପହଞ୍ଚାଇବା କାମ କରିଥାଏ । ଏ ପ୍ରକ୍ରିୟା ଭିତରେ ଅଗ୍ରିମ ବାଟଖର୍ଚ୍ଚ ଯାତାୟତ ଆଦି ରହିଥାଏ । ଅର୍ଥାତ ଜଣେ ଦାଦନ ବଜାରର କର୍ମଚାରୀ ତାର ବହୁବିଧ ଦକ୍ଷତାକୁ ଉପଯୋଗ କରିଥାଏ । ଏହା ଉପରେ ସରକାରୀ ହସ୍ତକ୍ଷେପ । ଅବଶ୍ୟ ଏହା ସରକାରୀ ଲୋକଙ୍କୁ ମଧ୍ୟ ଅଲିଖିତ ଲାଭ ଦେଇଥାଏ । ଦାଦନ ପରିଚାଳନାରେ ଥିବା ଗୋଷ୍ଠୀ ପ୍ରଶାସନିକ ବ୍ୟବସ୍ଥା ଅପେକ୍ଷା ଅଧିକ ଦକ୍ଷ । ଦକ୍ଷତାର ଗୋଟିଏ ବଡ଼ ପ୍ରଭେଦ ଥିବାସତ୍ତ୍ୱେ ମାନ୍ୟତା ଭିନ୍ନ । ନିୟମ ପାଳନକାରୀ ଓ ନିୟମ ଉଲ୍ଲଙ୍ଘନକାରୀ । ଦେଢ଼ଶୁର ଭାଇବୋହୂ ଭଳି ଟିକିଏ ଅପସରି ଗଲେ ସବୁ କାମ ସହଜ ହୋଇଯାଏ । ଅବଶ୍ୟ ଟଙ୍କା ବି ଗୋଟିଏ କାରଣ । ତେଣୁ ଦାଦନ ବ୍ୟବସ୍ଥା ନିର୍ବିଘ୍ନରେ ଚାଲିଥାଏ । ତେଣୁ ଭାଇବୋହୂର ସୂଚନା ଭଳି ଦାଦନର ସୂଚନା ମଧ୍ୟ ପ୍ରଶାସନ ରଖି ନଥାଏ ।

ତଦୃପ ଗଣମାଧ୍ୟମ ମଧ୍ୟ । ନିକଟରେ ଗୋଟିଏ ଗଣମାଧ୍ୟମ ସରକାରୀ ପରିସଂଖ୍ୟାନ ଆଧାରରେ ବାଲ୍ୟବିବାହକୁ ଦାଦନ ସହ ଯୋଡ଼ିଛନ୍ତି । ଦମ୍ପତ୍ତିଙ୍କୁ ଅଧିକ ଅଗ୍ରୀମ ଦିଆ ଯାଉଥିବା କାରଣରୁ ବାଲ୍ୟବିବାହ ବଢୁଥିବା ତାଙ୍କ କୌଣସି ସୂଚନା କହେ । ଅଗ୍ରୀମ କ୍ଷେତ୍ରରେ ଏପରି କୌଣସି ବ୍ୟବସ୍ଥା ନାହିଁ । ଫସଲ ଅମଳ ପରେପରେ ବିବାହ ସମୟ ଉପଯୁକ୍ତ ହୋଇଥାଏ । ଯେହେତୁ ଦାଦନ ଫସଲ ଅମଳ ପୂର୍ବରୁ ଯାଇଥାନ୍ତି, ତେଣୁ ଅସମୟରେ ବିବାହ କରେଇ ଥାନ୍ତି । ଅପରନ୍ତୁ ଝିଅ ପ୍ରବାସରେ ମଧ୍ୟ ନିଜ ପରିବାର ସହ ଥାଏ ।

ଅଗନାଅଗନି ବନସ୍ତରେ ବୁଢ଼ୀ ଅସୁରୁଣୀର କଳ୍ପନାଭଳି ଦାଦନକୁ ନେଇ ମଧ୍ୟ ଅନେକ କାଳ୍ପନିକ କଥା ତିଆରି କରାଯାଏ । କାରଣ ଏହା ଏକ ସଂଗୋପିତ ପ୍ରକ୍ରିୟା । ଏହି ସଂଗୋପନ ଯୋଗୁଁ ଅନେକ ମାନବାଧିକାର ହନନର ଘଟଣା ଘଟେ । ପ୍ରଶାସନ ଜାଣିପାରେ ନାହିଁ । ଦଶନ୍ଧି ଧରି ଦାଦନ ଗୋତି ଶ୍ରମିକ ବୋଲି ସରକାରୀ ପ୍ରମାଣ ପାଇସାରିଲା ପରେ ବି ଏଥିପ୍ରତି କୌଣସି ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ ନକରିବା ଅନେକ ପ୍ରଶ୍ନକୁ ଜନ୍ମ ଦିଏ । ଦାଦନ ପୁରାତନ କ୍ରୀତଦାସ ପ୍ରଥାର ଗୋଟିଏ ଚଳନ୍ତି ଉଦାହରଣ ହିଁ ଅଟେ । ଲାଇସେନ୍ସ ବ୍ୟତୀତ ଅନ୍ୟ ସବୁ ପ୍ରବାସ ଧର୍ତ୍ତବ୍ୟ ନିଶ୍ଚୟ ।

୨୦୨୪ ନିର୍ବାଚନ କୌଣସି କାରଣରୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଘୋଷଣା କଲେ ଯେ ସମସ୍ତ ଦାଦନଶ୍ରମିକ ନିଜ ନିଜ ଗାଁକୁ ଆସି ଭୋଟ କରିବେ । ପ୍ରଶାସନର ଏହା ବୃଥା ଆସ୍ଫାଳନ ଥିଲା । ପ୍ରଶାସନ ପାଖରେ ନିଶ୍ଚିତ ଖବର ନାହିଁ ଯେ ଲାଇସେନ୍ସ ପାଇଥିବା ସର୍ଦ୍ଦାରର ଶ୍ରମିକ କେଉଁଠି ଦାଦନ ଖଟୁଛନ୍ତି? ଭୋଟବେଳକୁ ଦାଦନ ତ ଆସିବେ ନିଶ୍ଚୟ । କାରଣ ଏତେ ଖର୍ଚ୍ଚିଲା ନିର୍ବାଚନରେ ଏହା ବଡ଼କଥା ନୁହେଁ । ଆସିଲେ ମଧ୍ୟ, ଏହା ନୁହେଁ ଯେ ପୂର୍ବରୁ ଏହା ଘଟି ନଥିଲା । କିନ୍ତୁ ପ୍ରଶାସନ ଅସମ୍ଭବ ଭାବେ ଚୁପ ରହିଲା, ଖୋଦ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାରୁ ବିଧାୟକ ପ୍ରାର୍ଥୀ ହେଲେ । ଦାଦନ ଶ୍ରମିକ କାହାକୁ ଭୋଟ ଦେଇଛନ୍ତି? ପ୍ରଶ୍ନର ଉତ୍ତର ପ୍ରଶାସନକୁ କଲବଲ କରିଥାନ୍ତା । ଛାତଛାତ୍ରୀଙ୍କ ବି ତ ଅଧିକାର ଅଛି ପରୀକ୍ଷା ଦେବା? ଭୋଟରର ଏକ ପ୍ରତିଶତ ସଂଖ୍ୟା ବି ନୁହେଁ ପରୀକ୍ଷାର୍ଥୀଙ୍କର । ଏତେବେଳକୁ ପ୍ରଶାସନ କାହିଁକି ନିରବ ରହିଲା?

ଦାଦନ ଏତେ ଚର୍ଚ୍ଚାରେ ଥାଇ ମଧ୍ୟ କୌଣସି ସରକାର ଆଜି ପର୍ଯ୍ୟନ୍ତ ଗୋଟିଏ ଟୋଲ ଫ୍ରି ନମ୍ବର ଜାରି କରିପାରି ନାହାନ୍ତି । ଦାଦନ ପରିବାର ପ୍ରବାସ କରୁଥିବା ରାଜ୍ୟ ସରକାରଙ୍କ ସହ ସମ୍ପର୍କ ବହୁତ ଦୂରର କଥା ।

ଦାଦନ, କେବଳ ଅଗ୍ରୀମ ନେଇ ଲୋକେ କାମ କରିଯାଆନ୍ତି ନାହିଁ, ଅନେକଙ୍କୁ ରୋଜଗାରର ପନ୍ଥା ବି ଯୋଗାଇ ଯାଇଥାନ୍ତି । ଦାଦନ ଏକ ଶବ୍ଦ ଯାହା ବର୍ତ୍ତମାନ ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ହୋଇଛି । ଅନେକ ଜଟିଳତାର ସମାହାର ଏହି ଗୋଟିଏ ଶବ୍ଦ । ସେମିତି ପ୍ରକ୍ରିୟା ମଧ୍ୟ । ଲୋକେ ବାଧ୍ୟହୋଇ ଦାଦନ ଯାଇଥାନ୍ତି । ହଜାର କୋଟି ଆକାରର ଟଙ୍କା ନେଣଦେଣ ହୁଏ । ହଠାତ ଏତେ ଲୋକ ଉଭାନ ହୋଇଯାନ୍ତି । ପୂର୍ବରୁ ଏମାନଙ୍କ ପିଡିଏସ୍ ଯୋଜନାର ରିହାତି ଖାଦ୍ୟ ଗୋଟିଏ ବଜାର ତିଆରି କଲା । ରିସାଇକ୍ଲିଂ ଓଡ଼ିଶା ଯୋଗାଣ ବିଭାଗର ଗୋଟିଏ ଅଘୋଷିତ ପ୍ରକ୍ରିୟା । ଯେଉଁଥିରେ ବଡ଼ଭାଗ ପ୍ରବାସୀ ଦାଦନଙ୍କ ହକ୍ ଚାଉଳ ଅଟେ । ଏଥିଯୋଗୁଁ ଚାଷୀର ଧାନ ମିଲର କିଣିଲାବେଳେ ଖାନାପୁରି ହୋଇଥାଏ କେବଳ । ମଣ୍ଡିରେ ବେପାରୀ ନିଜ ଇଚ୍ଛା ଅନୁସାରେ ଚାଷୀଠାରୁ ଧାନ କିଣିପାରେ । ଏନ୍ଜିଓଙ୍କ ନିକଟକୁ କୋଟି କୋଟି ଟଙ୍କାର ଅନୁଦାନ ଆସେ । ଏନ୍ଜିଓ ମଧ୍ୟ ଅନୁଦାନ ଆକର୍ଷଣକାରୀ ତଥ୍ୟ ସଂଗ୍ରହ ଓ ପ୍ରସ୍ତୁତ କରେ । ଗୋଟିଏ ବେପାର ଅନେକ ପାଶ୍ୱର୍ ବେପାର ତିଆରି କରିଥାଏ ।

ଜଣେ ଦାଦନ ଏସବୁର ଧାର ଧାରେ ନାହିଁ । ତାହାକୁ ପେଟ ପାଇଁ ପ୍ରବାସ କରିବାର ଅଛି । ଅପମାନ, ନିର୍ଯାତନା ସବୁ ଭୋକ ନିକଟରେ ଅର୍ଥହୀନ ହୋଇପଡନ୍ତି । ନାଗରିକ, ମାନବ, କାମ, ଖାଦ୍ୟ କି ଶିକ୍ଷାର ଅଧିକାରରେ ତାଙ୍କର ଯାଏ କେତେ? ଆସେ କେତେ?

(ଏହି ଲେଖାଟି ଲେଖକଙ୍କ ନିଜସ୍ୱ ମତ)

Comments

0 comments

Share This Article