ବାଚସ୍ପତି ହିଁ ଶ୍ରେଷ୍ଠ ବିଧାୟକ!
ପାଠକେ! ଯାହା ଲାଗୁଛି ଏଇଥର ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ କି ବିଧାୟିକା ବଛା ହୋଇଯିବେ । ହଁ । ଯାହା ଶୁଣିଲୁ ୨୦୧୬ରୁ ଏହି କାମଟା ଆଜ୍ଞା ହୋଇପାରୁ ନାହିଁ । କ’ଣ ପାଇଁ ହୋଇପାରୁ ନାହିଁ, କିଛି ଜଣାପଡ଼ି ନାହିଁ । ପୂର୍ବତନ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ କହିବାନୁଯାୟୀ ଏହାର ଗୋଟିଏ ଚୟନ କମିଟି ଅଛି । ଶ୍ରେଷ୍ଠ ବିଧାୟକ ବଛାଯିବାର କେତେକ ମାର୍ଗଦର୍ଶିକା ଅଛି । କମିଟି ତାହାକୁ ମାନି ଗୋଟିଏ ବର୍ଷର ଶ୍ରେଷ୍ଠ ବିଧାୟକ ବାଛିବା କଥା । ୨୦୧୬ରୁ ଏବେ ୨୦୨୫ ହେଲାଣି । ମାସର୍ଗଦର୍ଶିକା ଅଛି, ତାକୁ ମାନି ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ବାଛିବା କାମଟି ହୋଇପାରୁ ନାହିଁ । ତେବେ ୨୦୧୮ରେ ଥରେ ଏହି କମିଟିର ବୈଠକ ବସିଥିଲା । ହେଲେ ସେ ବୈଠକରେ କ’ଣ ହେଲା କେହି ଜାଣିପାରି ନାହାନ୍ତି । ସେତେବେଳକାର ବିଧାନସଭାରେ ଯେଉଁମାନେ ବିଧାୟକ ହୋଇଥିଲେ ସେଥିରୁ ଅଧିକାଂଶ ଏଥର ହାରି ଯାଇଛନ୍ତି । ଯଦି ସେହି ହାରୁମାନଙ୍କ ଭିତରୁ କେହି ଶ୍ରେଷ୍ଠ ବିଧାୟକ ବଛା ହୋଇଥିବେ, ତେବେ ଏହି ପୁରସ୍କାରର ଭାଗ୍ୟ କ’ଣ ହେବ ସେକଥା ଆମେ ଏବେଠାରୁ କହିବା ଅସମ୍ଭବ ।
ତେବେ ଗୋଟିଏ କଥା ଆମେ ଆଶା କରି ପାରିବା । ସେଇଟା ହେଉଛି ଏଇଥର ବୋଧେ ପୁରସ୍କାରଟା କେହି ଜଣେ ବିଧାୟକଙ୍କୁ ମିଳିଯିବ । କାରଣ ଶ୍ରେଷ୍ଠ ବିଧାୟକ ବାଛିବା ପାଇଁ ଯେଉଁ କେତେକ ମାର୍ଗଦର୍ଶିକା ରହିଛି , ସେଥିରୁ ଗୋଟିଏ କଥା ହେଉଛି ଯେ ବିଧାୟକଙ୍କର ଗୃହରେ ପ୍ରଦର୍ଶନ ଭଲ ଥିବା ଦରକାର । ଆମେ ପ୍ରତିଦିନ ବିଧାନସଭାକୁ ଆସୁୁଥିବା ଦର୍ଶକଙ୍କୁ ପଚାରି କିଛି କିଛି ସେମାନଙ୍କ ମତ ବୁଝୁ । କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ଥାଆନ୍ତି ସାଧାରଣ ଲୋକ । ଏଥର ଯାହା ବୁଝିଲୁ ସେମାନେ କହୁଛନ୍ତି ଗତ ୨୪ବର୍ଷର ଶାସନ ଏବେର ଗୋଟିଏ ବର୍ଷର ଶାସନ କାଳରେ ବିଧାନସଭାରେ ଯଦି କାହାରି ପ୍ରଦର୍ଶନ ଭଲ ହୋଇଛି ତେବେ ତାହା ହେଉଛି ଭାଲୁଭାଇ ବା ତାରାପ୍ରସାଦ ବାହିନିପତିଙ୍କର । ଜଣେ ବିଧାୟକଙ୍କ ପ୍ରଦର୍ଶନ ଫଳରେ ବାର ବାର ବିଧାନସଭା ବନ୍ଦ ହେଉଥିବାର ରେକର୍ଡ ସାରା ବିଧାନସଭା ଇତିହାସରେ ଜଣକ ନାମରେ ଯାଇପାରେ ଆଉ ସିଏ ହେଉଛନ୍ତି ଭାଲୁଭାଇ । ଅନ୍ୟମାନେ ମଧ୍ୟ ଏ ଦିଗରେ କିଛି କିଛି ଉଦ୍ୟମ କରୁଛନ୍ତି କିନ୍ତୁ ଏବେ ଯାହା ଚାଲିଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏହି କାର୍ଯ୍ୟ କରିବାରେ ଭାଲୁ ଭାଇଙ୍କୁ ଟପିଗଲେଣି ଆମ ସୁରମ୍ୟା ଅପା । କାରଣ ଭାଲୁଭାଇ ଯାହା କରନ୍ତି ସେଥିରେ ବିଧାନସଭାର ଗୋଟିଏ ଦିନ ଯାଏ । ମାନ୍ୟବରମାନେ ସକାଳୁ ଚଇନିଚିକ୍କଣ ହୋଇ ଆସନ୍ତି ଓ ସେହି ପର୍ଯ୍ୟନ୍ତ ବିଧାନସଭାରେ ବସନ୍ତି ଯେ ପର୍ଯ୍ୟନ୍ତ ଭାଲୁ ଭାଇ ତାଙ୍କ ପ୍ରଦର୍ଶନ ଆରମ୍ଭ ନ କରିଛନ୍ତି । ଭାଲୁଭାଇ ତାଙ୍କ ପ୍ରଦର୍ଶନ ଆରମ୍ଭ କରିବା ବେଳକୁ ସେମାନେ ସବୁ ବିଧାନସଭା ଖାତାରେ ଦସ୍ତଖତ କରିବା କାମ ପ୍ରାୟ ସାରି ଦେଇଥାଆନ୍ତି । ତେଣୁ ଧୀରେ ଧୀରେ ଯେଝା କାମରେ ଯେଝା ଖସନ୍ତି । ବିଧାନସଭା ୪ଟା ୩୦ନହେଲେ ୫ଟା ନହେଲେ ଏକାଥରେ ତା ପରଦିନ ୧୦ଟା ୩୦କି ୧୧ଟା ଯାଏ ମୂଲତବି । ମାନ୍ୟବର ମାନେ ପୁଣି ତା ଆରଦିନକୁ ଆସିବାର ସୁଯୋଗ ପାଆନ୍ତି । ବିଧାନସଭାରେ କିଛି କାମ ନହୋଇ ଜନସାଧାରଣଙ୍କର ଦିନକୁ ପାଖାପାଖି ୭୦ଲକ୍ଷ ଟଙ୍କା ବାଏଁ ବାଏଁ ଉଡ଼ିଯାଏ ।
ହେଲେ ବିଧାୟକମାନଙ୍କର କହିବା କଥା ଯେ ଏଥର ବାଚସ୍ପତି ମହୋଦୟା ସିଧା ହନୁମାନ ଲାଙ୍ଗୁଡରେ ନିଆଁ ଲଗାଇ ଦେଇଛନ୍ତି । ପ୍ରଥମେ ବେଷ୍ଟ ପରଫର୍ମର ତାରା ଭାଇଙ୍କୁ ସାତ ଦିନ ପର୍ଯ୍ୟନ୍ତ ନିଲମ୍ବିତ କରିଦେବା ପରେ ପୁଣି ତାରା ଭାଇ ଓ ରମେଶ ବାବୁଙ୍କୁ ଛାଡି ବାକି ୧୨ଜଣଯାକ କଂଗ୍ରେସୀ ବିଧାୟକଙ୍କୁ ସିଧା ନିଲମ୍ବିତ କରିଦେଲେ । ତାପରେ ତ ଯାହା ହେଉଛି ଆପଣ ଦେଖୁଛନ୍ତି । ବିଧାନସଭା ହେଉ କି ତା ସମ୍ମୁଖ ରାସ୍ତା ଗାନ୍ଧୀମାର୍ଗରେ ହେଉ ବିଧାୟକଙ୍କର ପ୍ରବଳ ପ୍ରଦର୍ଶନ ଚାଲିଛି । ବିଧାୟିକା ଏକଦମ ଜୀବନ୍ତ ହୋଇ ଉଠିଛି । ଏହାଠାରୁ ଭଲ ପରଫରମାନ୍ସ ଆଉ କିଏ ଦେଇଛି କି?
ପାଠକେ! ଜଣେ ବରିଷ୍ଠ ବିଧାନସଭା କର୍ମଚାରୀଙ୍କ ମତରେ ଏବେ ଦେଖିବାକୁ ମିଳୁଛି ଶାସକ ଦଳର ବିଧାନସଭା ଚଳାଇବାର ଆବଶ୍ୟକତା କେବଳ ବଜେଟ ନହେଲେ କିଛି ଅତ୍ୟାବଶ୍ୟକ ବିଲ୍ ପାଶ୍ ଯାଏ ସୀମିତ ରହୁଛି । ବିରୋଧୀଦଳ ଥାଉ କି ନଥାଉ, ପାଟି କରୁଥାଆନ୍ତୁ କି ଯାହା କରୁଥାଆନ୍ତୁ, ଯେ କୌଣସି ମତେ ଏହି ଦୁଇଟି କାମ ସାରିଦେବା ପରେ ଶାସକ ଦଳ ବିଧାନସଭା ବନ୍ଦକରି ଛୁ । ବିରୋଧୀଙ୍କର କାମ ହୋଇଛି ଯେମିତି ହେଉ ବାଚସ୍ପତିଙ୍କ ଟେବୁଲ ଉପରେ ଚଢି କଲମ, ମାଇକକୁ ଝିଙ୍କି ଜଣମାଧ୍ୟମ ଓ ଗଣମାଧ୍ୟମରେ ନାଁ ଛପେଇବା ଦରକାର । ସେଇଟା ହେଇଗଲେ ହେଲା । ବିଧାନସଭା ଅଧାରୁ ବନ୍ଦ ହେଲା ପରେ ଗଣତନ୍ତ୍ରକୁ ହତ୍ୟା କରାଗଲା ବୋଲି ଖାଲି ଗୋଟିଏ ବିବୃତ୍ତି ଦେଇଦେଲେ ଗଲା । ଏବେ କିନ୍ତୁ ବାଚସ୍ପତି ଯାହା କଲେ ସେଥିରେ ଛାର ବାନର ଭାବି ହନୁମାନ ଲାଙ୍ଗୁଡ଼ରେ ନିଆଁ ଲଗାଇବା ପରେ ଲଙ୍କାରେ ଯାହା ଅବସ୍ଥା ହୋଇଥିଲା ଏ କଥା କାଇଁ ସେମିତିକା ଲାଗିଲାଣି । ଦେଖାଯାଉ ‘କେଜାଣେ ଗଣତନ୍ତ୍ର ଗତି, ରଡ଼ି ତ ସଯୋରେ କରନ୍ତି ।’
କଟ୍-ପେଷ୍ଟ୍ ସରକାର!
ପାଠକେ! ଆମେ ଆଗରୁ ଏହି ସ୍ତମ୍ଭରେ କହିଛୁ କେମିତି ବିଜେପି ସରକାରର ସୁଭଦ୍ରା ଶକ୍ତି ମିଶନ ବିଜେଡିର ମିଶନ ଶକ୍ତି ଯୋଜନା ଛାୟାରେ ନିର୍ମିତ ହେଲାପରି ଲୋକେ ଏବେ ଅନୁଭବ କରୁଛନ୍ତି । ଦୁଇ ଯୋଜନାରେ ଗୋଟିଏ କଥା କପି ପେଷ୍ଟ ହୋଇଛି ଆଉ ତାହା ହେଉଛି ‘ମହିଳା ସଶକ୍ତିକରଣ’ । କେବଳ ଏହି ଗୋଟିଏ ଯୋଜନା ଉପରେ କପି ପେଷ୍ଟର ପ୍ରଭାବ ଦେଖିବାକୁ ମିଳୁଛି ବୋଲି ନୁହେଁ; ମହିଳା, ପୁରୁଷ, ଶିଶୁ, କର୍ପୋରେଟ ସମସ୍ତଙ୍କ ପାଇଁ ଯୋଜନାମାନ କେବଳ ନାମ ବଦଳାଇ ନହେଲେ ରଙ୍ଗ ବଦଳାଇ କପି-ପେଷ୍ଟରେ ଚାଲିଛି ବୋଲି କୁହାଯାଉଛି ।
ଏଇ ତିନିଦିନ ତଳର କଥା ନିଅନ୍ତୁ । ଜଣେ ଉପମୁଖ୍ୟମନ୍ତ୍ରୀ ଯିଏ ବିଜୁଳି ବିଭାଗ ଦାୟିତ୍ୱରେ ଅଛନ୍ତି ଶ୍ରୀ କନକବର୍ଦ୍ଧନ ସିଂହଦେଓ ଭୁବନେଶ୍ୱରରେ ଘୋଷଣା କଲେ ଯେ ଜଣେ ବିଜୁଳି ବିଲ ନଦେଇଥିଲେ ବି ଗ୍ରୀଷ୍ମ କାରଣରୁ ଉପଭୋକ୍ତାମାନଙ୍କର ଲାଇନ(ବିଜୁଳି ସଂଯୋଗ) କଟାଯିବ ନାହିଁ । ଲୋକେ ଖୁସି ହୋଇଥିଲେ । ହେଲେ ସିଂହଦେଓ ବାବୁ ଦି ଦିନ ତଳେ ବଲାଙ୍ଗୀରର ଏକ କାର୍ଯ୍ୟକ୍ରମରେ କହିଲେ ଯେ ବିଲ୍ ନଦେଲେ ମୋଟେ ବିଜୁଳି କଟିବ ନାହିଁ ସେମିତି ଭାବ ନାହିଁ । ଯିଏ ଏ ମାସରେ ନଦେଇ ପାରିଛି, ତାର ଲାଇନ କଟାଯିବ ନାହିଁ ସତ କିନ୍ତୁ ସିଏ ସେ ପଇସାକୁ ଆରମାସର ବିଲ ଦେଲାବେଳକୁ ଏକା ସାଙ୍ଗରେ ଦେବ । ନହେଲେ ଆଉ କିଛି ଉପାୟ ନାହିଁ ଲାଇନ କଟିବ । ମନ୍ତ୍ରୀ ମହୋଦୟ ଆହୁରି ମଧ୍ୟ କହିଲେ ଯେ କେବଳ ବିଜୁଳି ଜାଳିଦେଲେ ହେବ ନାହିଁ କେମିତି ଜାଳିବ, ତା’ଉପରେ ଟ୍ରେନିଂ ନିଅ । ମନ୍ତ୍ରୀଙ୍କ କଥାଶୁଣି ଏବେ ଲୋକଙ୍କର ପୂର୍ବ ସରକାରର ଯୋଜନା କଥା ମନେ ପଡ଼ିଯାଉଛି । ପୂର୍ବ ସରକାରରେ ମିଶନଶକ୍ତିରେ ଥିବା ମହିଳାମାନେ ବ୍ୟାଙ୍କରୁ କମ ସୁଧରେ ଟଙ୍କା ଉଠାଇ ଗାଁ ଗହଳରେ ଠିକାଦାର ବା ଅନ୍ୟ ଲୋକମାନଙ୍କୁ ଅଧିକ ସୁଧରେ ହାତ ଉଧାରୀ ଦେଉଥିଲେ । ବ୍ୟାଙ୍କବାଲାମାନେ ସେମାନେ ଯେତେ ଟଙ୍କା ମାଗୁଥିଲେ ଦେଇ ଦେଉଥିଲେ । ସୁଝିଲା ବେଳକୁ କହୁଥିଲେ ଏତିକି ଟଙ୍କା ତମେ ଯୋଜନାରେ ନେଇଛ ହେଲେ ଏ ଯେଉଁ ଅଧିକ ଟଙ୍କା ନେଇଛ ସେଇଟା ତମ ଯୋଜନା ଭିତରେ ଆସୁନାହିଁ । ଏଇଟା ତମେ ନିଜସ୍ୱ ଋଣ ହିସାବରେ ସୁଝିବ । ତା ପାଇଁ ବ୍ୟାଙ୍କର ଯାହା ସୁଧ, ସେହି ହିସାବରେ ଦେବାକୁ ପଡ଼ିବ । ତା’ରି କଟପେଷ୍ଟ୍ ହେଉଛି ଏ ବିଜୁଳି ବିଲ । ଏ ମାସରେ ବିଜୁଳି ବିଲ ଦେଲ ନାହିଁ ବୋଲି ସେଇଟା ମାଗଣା ଚାଉଳ ନୁହେଁ । ଆରମାସରେ ତାକୁ ଦେବ । ନହେଲେ ଜହ୍ନକୁ ଚାହିଁଁଥିବ । ଜହ୍ନ ଉଠିଲେ ଆଲୁଅ ପାଇବ । ଏହାକୁ ଦେଖି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାସନ ଯୋଗାଣ ଯୋଜନାକୁ ମଧ୍ୟ କଟ-ପେଷ୍ଟ କଲେଣି । ତାଙ୍କ କହିବା କଥା ଯେ ଇ-କେୱାଇସି ନ ହୋଇଥିଲେ ବା କାର୍ଡ ନଥିଲେ ରାସନ ମିଳିବା ପୁରା ବନ୍ଦ ହୋଇଯିବ ନାହିଁ କିନ୍ତୁ ସେଇଟା ୩୧ ମାର୍ଚ୍ଚ ବା ଏଇମାସ ଶେଷ ପର୍ଯ୍ୟନ୍ତ । ତା’ପରେ ଏହା ଉପରେ ବିଚାର କରାଯିବ ଯେ ଆଉ ରାସନ ମିଳିବ ନା ନାହିଁ । କାରଣ ଏ ପର୍ଯ୍ୟନ୍ତ ୩୦.୭୩ଲକ୍ଷ ଲୋକ ସେମାନଙ୍କ ଇକେୱାଇସି ପ୍ରକ୍ରିୟା ପୁରା କରିନାହାନ୍ତି ।
ଏବେ ଆଉ ଗୋଟେ କଟପେଷ୍ଟ ଯୋଜନା ବାହାରିଛି । ସରକାରଙ୍କ ପକ୍ଷରୁ ଜନ-ଶୋଷଣ ନା ନା ଭୁଲ ହୋଇଗଲା ଜନ ପୋଷଣ କେନ୍ଦ୍ରମାନ ଖୋଲିବ । ଏଥିରେ ହେବ କ’ଣ? ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କହିବା ମୁତାବକ ଏଠାରେ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଉଚିତ୍ ଦାମରେ ମିଳିବ । ଏଠାରେ ଗରିବ ଲୋକମାନଙ୍କୁ ଚାଉଳ, ଡାଲି, ଅଟା ତେଲ ସବୁ ରିହାତି ମୂଲ୍ୟରେ ମିଳିବ । ସେଠି କ’ଣ ହେବ ହେଲା ପରେ ଆମେ ଦେଖିବା କିନ୍ତୁ ଏବେ ଜଣାପଡ଼ିଛି ଏଇଟା ଗୋଟା କଟ-ପେଷ୍ଟ୍ ଯୋଜନା । ଏଇଟା କୁଆଡ଼େ ଗୁଜୁରାଟ ଆଉ ଦିଲ୍ଲୀରେ ସଫଳ ଭାବରେ ଚାଲିଛି । ଏହି କେନ୍ଦ୍ର ଖୋଲିଥିବା ଦୋକାନୀମାନଙ୍କୁ କେନ୍ଦ୍ର ଓ ରାଜ୍ୟ ଉଭୟ ସବସିଡି ଯୋଗାଇଥାଆନ୍ତି ।
ହାୟ ତୁ ଭାଗ୍ୟହୀନ ପିଲାରେ
ଏହା ଏକ ପାରୋଡି ଆଜ୍ଞା । ଜଣେ କେହି ଅଗ୍ରଜ ଲେଖିଥିଲେ ଆମେ ତ ଭାଗ୍ୟବାନ ପିଲାରେ, ଆମପରି କେ ଆଉ ଥିଲାରେ ଇତ୍ୟାଦି ଇତ୍ୟାଦି । ଆମେ ଏଇ ‘ଆମେ ତ ଭାଗ୍ୟହୀନ ପିଲାରେ ଜାଗାରେ ହାୟ ତୁ ଭାଗ୍ୟହୀନ ପିଲାରେ ବୋଲି ଲେଖି ପକାଇଲୁ? ଆଜ୍ଞା ଏପରି ଏକ ଲାଳିକା ଲେଖିବାର କାରଣ ହେଉଛି ଆମ ଗରିବ ଭାରତୀୟପିଲାଙ୍କର ମଧ୍ୟାହ୍ନ ଭୋଜନ ଖାଦ୍ୟ ଆଜ୍ଞା ।
ପିଲାଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ଆମ ସରକାରମାନେ(କେନ୍ଦ୍ର ଓ ରାଜ୍ୟ) ପାଖାପାଖି ୭ ଟଙ୍କା ଓ ୧୦ଟଙ୍କା ଦିଅନ୍ତି । ସେଇଥିରେ କାଠ, ଚାଉଳ(ମାଗଣା),ଡାଲି ପରିବା, ହଳଦୀ, ଲୁଣ, ତେଲ ଆଦି କିଣିବାକୁ ହୁଏ । ଏଥିରେ ସବୁଠୁ କମ୍ ବ୍ୟବହାର ହୁଏ ତେଲର । କାରଣ ନରେନ୍ଦ୍ର ମୋଦୀ ଆସିବା ପରଠୁ କ’ଣ ହୋଇଛି କେଜାଣି ଭାରତରେ ତେଲମାନଙ୍କର ଦର ଖାଲି ବଢିÿବାରେ ଲାଗିଛି । ସେ ଖାଇବା ତେଲ ହେଉ କି ଗାଡ଼ି ମଟରରେ ପକାଇବା ତେଲ ହେଉ । ଖାଇବା ତେଲ ଦର ତ ଦିଗୁଣ ହୋଇ ମଧ୍ୟ ବେପାରୀମାନଙ୍କର ମନ ଶାନ୍ତି ହେଉନାହିଁ । ଆହୁରି ବଢ଼ାଇବେ ବୋଲି କହୁଛନ୍ତି । ତେଣୁ ମଧ୍ୟାହ୍ନ ଭୋଜନରେ ଅଧିକ ତେଲ ଟିକେ ଦେଇ ଛୁଙ୍କଟାଏ କରିବାକୁ ପାଚିକାମାନଙ୍କର ଇଚ୍ଛା ଥିଲେ ବି ସେମାନେ କିଛି କରି ପାରୁ ନାହାନ୍ତି ।
କିନ୍ତୁ କେନ୍ଦ୍ର ସରକାର କହୁଛନ୍ତି ଯେ ତେଲ ଖାଇକିରି ଦେଶର ପିଲାଗୁଡ଼ା ମୋଟା ହୋଇ ଯାଉଛନ୍ତି । ତେଣୁ ମଧ୍ୟାହ୍ନ ଭୋଜନରେ ତେଲର ବ୍ୟବହାର କମ କରିବାକୁ ହେବ, ୧୦ପ୍ରତିଶତ ଖାଇବା ତେଲର ବ୍ୟବହାର ହ୍ରାସ କରାଯିବ । ଏ ସମ୍ପର୍କରେ ଅଭିଭାବକ, ଶିକ୍ଷକଙ୍କୁ ସଚେତନ କରାଯିବ । ପିଏମ୍ ପୋଷଣ ଯୋଜନାରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ସୁଷମତା କମି ଯାଉଛି, ବଢ଼ାଯିବ । ସେଥିପାଇଁ ପୋଷଣଯୁକ୍ତ ଚାଉଳ, ଗହମ, ଡାଲି, ପନିପରିବା ବ୍ୟବହାର ହେବ । ପ୍ରାଥମିକ ଶ୍ରେଣୀର ପିଲାଙ୍କ ପାଇଁ ୫ ଗ୍ରାମ, ଉଚ୍ଚ ପ୍ରାଥମିକ ଶ୍ରେଣୀର ପିଲାମାନଙ୍କ ପାଇଁ ୭.୫ ଗ୍ରାମ ଲୁଣ ବ୍ୟବହାର ହେବ । ମଧ୍ୟାହ୍ନ ଭୋଜନ ପାଇଁ ପିଲା ଆଉ ବାହାରୁ ପରିବା କିଣିପାରିବେ ନାହିଁ । ସବୁ ସ୍କୁଲରେ ‘ପୋଷଣ ବଗିଚା’ ହେବ । ସେଇଠୁ ଯେତିକି ପରିବା ବାହାରିବ ସେଇଥିରେ ପିଲାମାନେ ଡାଲମା କରି ହାପୁଡିବେ । ମଧ୍ୟାହ୍ନ ଭୋଜନରେ ତେଲର ଆହୁରି କମ ବ୍ୟବହାର ପାଇଁ ପିଲାଙ୍କୁ ସ୍ୱତନ୍ତ୍ର କ୍ଲାସ କରାଯାଇ ସଚେତନ କରାଯିବ । ସେଥିପାଇଁ ଜଣେ ଡାଏଟିସିଆନ୍ ପ୍ରଶିକ୍ଷଣ ଦେବାକୁ ସ୍କୁଲକୁ ଯିବେ ।
ପାଠକେ! ଏଇଠି ଆମର ଗୋଟେ କଥା ମନେ ପଡ଼ିଯାଉଛି । ଆମ ରାଜ୍ୟରେ ଜଣେ କୃଷିମନ୍ତ୍ରୀ ଥିଲେ । ଆଳୁ ଦର ବଢ଼ିଯିବାରୁ ତାଙ୍କୁ ଯେତେବେଳେ କୁହାଗଲା ସିଏ କହିଲେ -ଲୋକେ ଆଳୁଗୁଡ଼ା କାଇଁ ଏତେ ଖାଉଛନ୍ତି, ମୁଁ ବୁଝି ପାରୁନାହିଁ । ଆଳୁ ଖାଇଲେ ପରା ଡାଇବେଟିସ୍ ହେଉଛି । ମୁଁ ଆଳୁ ଖାଉନାହିଁ । ତମେ ଆଳୁ ଗୁରା କାହିଁ ଖାଉଛ? ଆମେ କହିଲୁ -ଆପଣ ତ ପଇସା ବଢ଼ାଇଦେଲେ । ଆଉ କୋଉଠୁ ଖାଇବୁ ??? ଏ ତେଲ କଥାଟା କାଇଁ ସେମିତିକା ଲାଗୁଛି ।
ମାଣ୍ଡିଆ ଅର୍କ
ପାଠକେ! ରାଜ୍ୟର ନୂତନ ବର୍ଷ (୨୦୨୫-୨୬)ର ଅବକାରୀ ନୀତିର ଏକ ଚିଠାପ୍ରସ୍ତାବ ଉପରେ ଆଲୋଚନା ପାଇଁ ଗତ ୨୧ତାରିଖରେ ରାଜ୍ୟ ସରକାରଙ୍କ ଅତିଥି ଭବନର ସମ୍ମିଳନୀ କକ୍ଷରେ ଏକ ବୈଠକ ଆୟୋଜିତ ହୋଇଯାଇଛି । ଏଥିରୁ ଏକ ସୂଚନା ଆସିଛି ଯେ ରାଜ୍ୟ ସରକାର ଆଗକୁ ମାଣ୍ଡିଆ ପରି କ୍ଷୁଦ୍ର ଶସ୍ୟରୁ ମଦ ତିଆରିକରି ବଜାରକୁ ଛାଡ଼ିବେ । ତେବେ ମନ୍ତ୍ରୀ ହରିଚନ୍ଦନ ବାବୁଙ୍କ କହିବାନୁଯାୟୀ ଏହା ପ୍ରସ୍ତାବ ଆକାରରେ ଅଛି । ଅନ୍ୟମାନଙ୍କର ମତାମତ ନିଆଯିବା ପରେ ତାକୁ କାର୍ଯ୍ୟକାରୀ କରାଯାଇପାରେ ।
ପାଠକେ! ଦିନେ ଜାନକୀ ପଟ୍ଟନାୟକଙ୍କ ସରକାରରେ ସୁରେଶ କୁମାର ରାଉତରାୟ ଅବକାରୀ ବିଭାଗ ମନ୍ତ୍ରୀଥିଲେ । ସେତିକିବେଳେ କେହି ଜଣେ ଜନବାଦୀ ବୁଦ୍ଧିମାନ ବ୍ୟକ୍ତି ମହୁଲରୁ ମଦ ତିଆରି କରିବା ପାଇଁ ଲାଗିଥିଲେ । ତାକୁ ପ୍ରଶଂସା କରି ରାଉତରାୟ ମହାଶୟ କହୁଥିଲେ- ଆଃ! ମହୁଲୀ ମଦ ଖାଲି ଶସ୍ତା ନୁହେଁ, ପେଟକୁ ଥଣ୍ଡା ।
ମହୁଲ-ମଦ ତ ବୋଧେ ଆଦିବାସୀଭାଇମାନଙ୍କର ‘ପୁଅର ମ୍ୟାନ୍ସ ସ୍କଚ’ । ହେଲେ ମାଣ୍ଡିଆକୁ ଉପଯୋଗ କରି ମିଲେଟଭିତ୍ତିକ ପାନୀୟଟା ଗୋଟା ନୂଆ କଥା । ଏହାର ନାଁଆଟାକୁ ମାଣ୍ଡିଆ-ଅର୍କ କରିଦେଲେ ଛୁଆଙ୍କର ବି ପେଟ ଥଣ୍ଡା କରି ହୁଅନ୍ତା ।
ସେଇ ହୀରାକୁଦ, ପୁଣି ବିସ୍ଥାପନ!
ପାଠକେ! ସମ୍ବଲପୁରର ହୀରାକୁଦ ଜଳଭଣ୍ଡାର ଏକ ଐତିହାସିକ ଅଭିଶାପ । ଲୋକମାନେ ହୁଏତ ଠିକ କହୁଛନ୍ତି ଯେ ଯେଉଁ ବଡ଼ଲୋକମାନେ ଏହି ମଣିଷଖିଆ ଜଳଦାନବକୁ ତିଆରି କରିଥିଲେ, ଏବେ ତାହା ସେହି ବଡ଼ଲୋକମାନଙ୍କର କାରଖାନା କାମରେ ଲାଗୁଛି । ତେଣୁ ସେହିମାନେ ଏବେ ଏହାର ସୁରକ୍ଷା ପାଇଁ ନିର୍ଦ୍ଧୁମ ଲାଗି ପଡ଼ିଛନ୍ତି । ଏହିକ୍ରମରେ ଆମେ ଯାହା ଶୁଣିଲୁ ଓଡ଼ିଶା ସରକାର ତାଙ୍କ କର୍ପୋରେଟ ଫାଇନାନ୍ସରମାନଙ୍କୁ ପାଣି ଯୋଗାଇବା ପାଇଁ ଗୋଟା ‘ଡ୍ରିପ-୩’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହାର ପୁରା ନାଁଆଟି ହେଉଛି ‘ବନ୍ଧ ପୁନର୍ବାସ ଓ ସୁଧାର ପରିଯୋଜନା-୩’ ଇଂରାଜୀରେ (Dam Rehabilitation and Improvement Project-Phase-3) ଏହି ପରିଯୋଜନାକୁ ମୋହନ ମାଝୀଙ୍କ ମନ୍ତ୍ରିମଣ୍ଡଳ ଓଡ଼ିଶାରେ ହୋଲିର ଏକଦମ ଅବ୍ୟବହିତ ପୂର୍ବରୁ ଅନୁମୋଦନ କରି ଦେଇଛନ୍ତି । ଏହା ବିଶ୍ୱ ବ୍ୟାଙ୍କ ଏବଂ ଏଆଇଆଇବି (Asian Infrastructure Investment Bank)ର ଆର୍ଥିକ ସହାୟତା ଓ ଋଣରେ ହେବ । ଏହା ତିନି ପର୍ଯ୍ୟାୟରେ ଆଗାମୀ ୬ବର୍ଷ ଭିତରେ କରାଯିବ ଓ ଏଥିପାଇଁ ୧୦୬୬.୩୮ କୋଟି ଟଙ୍କା (ପ୍ରାରମ୍ଭିକ ଅଟକଳ) ଖର୍ଚ୍ଚ ହେବ ବୋଲି କୁହାଯାଇଛି ।
ତେବେ ଏହା କାହା ପାଇଁ ଓ ଏହାର ଆବଶ୍ୟକତା କ’ଣ? ଗତ ଶନିବାର ଦିନ ସରକାର କହିଛନ୍ତି ଯେ ହୀରାକୁଦ ବନ୍ଧର ଜଳଧାରଣ କ୍ଷମତା ବଢ଼ାଯିବ । ବର୍ଷା ଦିନରେ ଜଳଭଣ୍ଡାରରେ ପଶୁଥିବା ଅତିରିକ୍ତ ଜଳକୁ ତୁରନ୍ତ ମହାନଦୀର ତଳ ଅଂଚଳକୁ ଛାଡ଼ି ଦେବାପାଇଁ ଦୁଇପାଖରେ ଦୁଇଟା ଅତିରିକ୍ତ ଜଳ ନିଷ୍କାସନ କେନାଲ ବା ସ୍ପିଲ ୱେ ନିର୍ମାଣ କରାଯିବ । ସ୍କାଡା (SCADA) ଅର୍ଥାତ୍ ରିମୋଟରେ ଜଳ ନିଷ୍କାସନ ଗେଟ ଖୋଲିବ ଏବଂ ବନ୍ଦ ହେବ । (ଏବେ ଏହାକୁ କେହି ହାତରେ ଖୋଲୁନାହିଁ, ଯନ୍ତ୍ର ବ୍ୟବହାର କରି ଖୋଲାଯାଉଛି ।)
କିନ୍ତୁ ହଇଓ ଭାଇ! ହୀରାକୁଦର ଜଳଧାରଣ କ୍ଷମତା ବଢ଼ିଲେ ଲୋକଙ୍କର କ’ଣ ସୁବିଧା ହେବ? ପାଠକେ! ଏଥିରେ ଦୁଇଟି କଥା ରହିଛି । ଗୋଟିଏ ମିଛ, ଗୋଟିଏ ସତ । ମିଛଟି ହେଉଛି ବନ୍ଧର ସୁରକ୍ଷା ବଢିବ, ୧.୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ବିକଶିତ ହେବ, ଜଳବିଦ୍ୟୁତ ଉତ୍ପାଦନ ବଢ଼ିବ, କେତେକ ଜିଲ୍ଲାରେ ବନ୍ୟା ନିୟନ୍ତ୍ରଣ ହେବ । ଚିରାଚରିତ ମିଛଟି ହେଲା ରାଜ୍ୟର ‘ବିକାଶ’ ହେବ । ପ୍ରକୃତ ସତଟି ଯାହା କୁହାଯାଉଛି ତାହା ହେଉଛି ସିଧାକଥାରେ ଏହା ଘରୋଇ କାରଖାନା ମାଲିକ ମାନଙ୍କର କାରଖାନାକୁ ବର୍ଷକ ବାରମାସ ପାଇଁ ଚବିଶ ଘଂଟିଆ ପାଣି ଯେପରି ଯୋଗାଯାଇ ପାରିବ, ତା’ରି ପାଇଁ କରାଯାଉଛି । ଏବେ ବିଭିନ୍ନ ବାଟରେ ପଟୁ ପଶି ହୀରାକୁଦ ପୋତିହେଉଛି । ପଟୁ ସଫା କରିବାର କୌଣସି ବ୍ୟବସ୍ଥା ନାହିଁ । ତେଣୁ ଜଳଭଣ୍ଡାରର ଜଳଧାରଣ କ୍ଷମତା କମୁଛି । ଫଳରେ ବର୍ଷାଦିନ ବ୍ୟତୀତ ଅନ୍ୟ ସମୟରେ କାରଖାନାମାନଙ୍କୁ ପାଣି ମିଳୁ ନାହିଁ । ତେଣୁ ହୀରାକୁଦର ଜଳଧାରଣ କ୍ଷମତାକୁ ବଢ଼ାଯିବ । କର୍ପୋରେଟ ବାବୁମାନଙ୍କୁ ଆଉ ତାଙ୍କ କାରଖାନା ପାଇଁ ପର୍ଯ୍ୟାପ୍ତ ପାଣି ମିଳୁନାହିଁ । ସେଥିପାଇଁ ବର୍ଷାଦିନ ବାହାରେ ସବୁ ସମୟରେ ବନ୍ଧରେ ପ୍ରଚୁର ପାଣି ଗଚ୍ଛିତ ରଖି ବର୍ଷାଦିନେ ହଠାତ୍ ପ୍ରବଳ ବର୍ଷା କାରଣରୁ ବନ୍ଧରେ ପହଂଚୁଥିବା ଅତିରିକ୍ତ ୬୯,୬୩୨ କ୍ୟୁସେକ ପର୍ଯ୍ୟନ୍ତ ପାଣିକୁ ତୁରନ୍ତ ମହାନଦୀର ତଳ ଅଂଚଳକୁ ଛାଡ଼ିଦେବା ପାଇଁ ହୀରାକୁଦ ବନ୍ଧର ଦୁଇପାଖରେ ଦୁଇଟି ନୂଆ ପାଣିଛଡା ନାଳ ବା ସ୍ପିଲୱେ ନିର୍ମିତ ହେବ । ବାବୁମାନଙ୍କ ବାହାନା ହେଲା ଜଳବାୟୁରେ ଯେଉଁ ପରିବର୍ତ୍ତନ ହେଉଛି, ସେଥିରେ ହୀରାକୁଦରେ କୌଣସି ବି ସମୟେରେ ୨୫ଲକ୍ଷ କ୍ୟୁସେକରୁ ପାଣି ଅଧିକ ଆସି ଯାଇପାରେ । ଏହା ଫଳରେ ବନ୍ଧ ଭାଙ୍ଗଯିବ । କାରଣ ଏବେ ୧୫ଲକ୍ଷ କ୍ୟୁସେକ ଉଦବୃତ୍ତ ବା ବନ୍ୟା / ବର୍ଷା ଜଳ ଆସୁଛି । ତେଣୁ ଆମ୍ଭେ ଯାହା ଶୁଣିଲୁ ଏହା ପଛର ପ୍ରକୃତ ଷଡ଼ଯନ୍ତ୍ରଟି ହେଉଛି ଏଠାରୁ ପାଣି ନେଉଥିବା କାରଖାନା ମାଲିକମାନଙ୍କର । ଛତିଶଗଡ଼ରେ ମହାନଦୀ ଉପରେ ଅନେକ ଜଳଭଣ୍ଡାର ହୋଇଗଲାଣି । ତେଣୁ କେବଳ ବର୍ଷା ଦିନ ବା ବନ୍ୟା ସମୟକୁ ଛାଡି ଦେଲେ ଅନ୍ୟ ସମୟରେ ହୀରାକୁଦକୁ ଆଉ ବେଶି ପାଣି ଆସୁନାହିଁ । ଫଳରେ କର୍ପୋରେଟ ବାବୁମାନେ ତାଙ୍କ କାରଖାନା ପାଇଁ ସବୁ ସମୟରେ ଉପଯୁକ୍ତ ପରିମାଣର ପାଣି ପାଉନାହାନ୍ତି । ନୂତନ ବ୍ୟବସ୍ଥାରେ କର୍ପୋରେଟମାନଙ୍କୁ ପାଣି ଯୋଗାଇବା ପାଇଁ ହୀରାକୁଦର ଜଳଧାରଣ କ୍ଷମତା ବଢ଼ାଯିବ । ଯେଉଁଥିରେ ଆଉ କିଛି ଅଂଚଳ ବୁଡିବ, ପାଖାପାଖି ୭୧୬ ପରିବାରର ୧,୪୨୯ ମଣିଷଙ୍କୁ ବିସ୍ଥାପିତ କରାଯାଇପାରେ । ଅତୀତରେ ମଧ୍ୟ କିଛି ଲୋକଙ୍କ ସୁବିଧାପାଇଁ ୧୯୫୭ରେ ତିଆରି ହୋଇଥିବା ହୀରାକୁଦ ବନ୍ଧ ସେ ଅଂଚଳର ୩୬୦ଗାଁକୁ ବୁଡାଇ ଦେଲା ଯେଉଁଥିରେ ୨୬.୫୬୧ ପାଖାପାଖି ପରିବାରଙ୍କ ଜୀବନ ଜୀବିକା ଉଜୁଡିଗଲା । କିଏ କୁଆଡ଼େ ଗଲେ । ୧,୨୩,୦୦୦ରୁ ଅଧିକ ଜମି ବୁଡିଗଲା । ଏବେ କର୍ପୋରେଟମାନଙ୍କ ସୁବିଧାପାଇଁ ପୁଣି ଅନେକ ଗାଁ ଓ ପୁଣି ଅନେକ ପରିବାରର ମଣିଷମାନଙ୍କୁ ଉଦବାସ୍ତୁ କରାଯିବ । ଏହାକୁ ସରକାର ସମର୍ଥିତ ଜଣମାଧ୍ୟମମାନେ ‘ବିକାଶ’ କହିବେ ।
Comments
0 comments