ଏବେ ଦକ୍ଷିଣ ଭାରତର ରାଜ୍ୟମାନେ ଲୋକସଭା ଓ ରାଜ୍ୟ ବିଧାନସଭା ଆସନର ସମ୍ଭାବ୍ୟ (୨୦୨୬ ପରେ) ସଂଖ୍ୟା ପୁନଃନିର୍ଦ୍ଧାରଣକୁ ନେଇ ପ୍ରତିବାଦ ଆରମ୍ଭ କରିସାରିଛନ୍ତି । ଏହି ପ୍ରତିବାଦରେ ଦକ୍ଷିଣଭାରତର ପ୍ରାୟତଃ ସମସ୍ତ ରାଜ୍ୟ ଯଥା: ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସମେତ ଆମ ରାଜ୍ୟ ଓଡ଼ିଶା ଓ ଉତ୍ତର ଭାରତର ପଞ୍ଜାବ ସାମିଲ ହୋଇଛନ୍ତି । ଯେହେତୁ ରାଜ୍ୟ ବିଧାନସଭାର ଆସନ ସଂଖ୍ୟା ମଧ୍ୟ ପୁନଃନିର୍ଦ୍ଧାରିତ ହେବ, ସେଥିପାଇଁ ରାଜ୍ୟସଭାରେ ଏହିସବୁ ରାଜ୍ୟମାନଙ୍କର ଆସନ ସଂଖ୍ୟା ହ୍ରାସପାଇପାରେ; ଏହିଭଳି ଆଶଙ୍କା ମଧ୍ୟ ଏମାନଙ୍କର ରହିଛି । ଏହି ସଂଖ୍ୟା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାଟି ଭାରତୀୟ ଜନତା ପାର୍ଟି ନିୟନ୍ତ୍ରଣରେ ଥିବା ଉତ୍ତରଭାରତର ପ୍ରମୁଖ ରାଜ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ବିହାର ଭଳି ରାଜ୍ୟମାନଙ୍କୁ ବେଶି ଲାଭବାନ କରାଇବ । ସେଥିପାଇଁ ଏଥିରେ ଏକ ରାଜନୀତିକ ଉଦ୍ଦେଶ୍ୟ ଲୁଚି ରହିଥିବା କଥା ବିରୋଧିଦଳମାନେ ଭାବୁଛନ୍ତି । କେବଳ ସେତିକି ନୁହଁ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମାନଙ୍କ ପାଇଁ ସଂରକ୍ଷିତ ଥିବା ଆସନଗୁଡ଼ିକରେ ସୀମା ଓ ସଂଖ୍ୟା ପୁନଃନିର୍ଦ୍ଧାରଣର କେଉଁ ପ୍ରକାର ପ୍ରଭାବ ରହିବ, ସେ ସମ୍ପର୍କରେ ମଧ୍ୟ ଅନେକ ପ୍ରଶ୍ନ ଆସୁଛି । ସଂଖ୍ୟା ପୁନଃନିର୍ଦ୍ଧାରଣର ଆଜିର ଦିନରେ ଆବଶ୍ୟକତା କେତେ ଅଛି ଏବଂ ଏଥିପାଇଁ ତର୍କ କ’ଣ ଅଛି, ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହଁ; ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି କାହାର ପୌରହିତ୍ୟରେ ଏହି ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଚାଲିବ । ବର୍ତ୍ତମାନ କେନ୍ଦ୍ରରେ ଥିବା ଭା.ଜ.ପା ସରକାରଙ୍କର କୌଣସି ସମ୍ମାନନୀୟ ଗ୍ରହଣୀୟତା ହୁଏତ ନାହିଁ ଯେଉଁଥିପାଇଁ କି ସରକାରଙ୍କର ସବୁ ପଦକ୍ଷେପ ଗୁଡ଼ିକୁ ବିରୋଧିମାନେ ଏବଂ ଚିନ୍ତାଶୀଳ ଜନଗଣ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଗତ କିଛିବର୍ଷ ଧରି ଭାରତର ସାମ୍ବିଧାନିକ ଓ ବୈଧାନିକ ସଂସ୍ଥାଗୁଡ଼ିକ ଯେଉଁଭଳି ନୈତିକ ସଙ୍କଟ ଦେଇ ଗତି କରୁଛନ୍ତି, ତାହା ପୂର୍ବରୁ କେବେ ଦେଖା ଯାଇନଥିଲା । ଭାରତର ନିର୍ବାଚନ ଆୟୋଗର ସଦସ୍ୟମାନେ ସମସ୍ତେ ଶାସକ ଭାଜପା ଦଳର ସରକାର ଦ୍ୱାରା ମନୋନୀତ । ଗତ ନିର୍ବାଚନଗୁଡ଼ିକରେ ନିର୍ବାଚନ ଆୟୋଗଙ୍କ ବିରୋଧରେ ଯେଉଁଭଳି ଅଭିଯୋଗ ସବୁ ଆସିଥିଲା, ତାହା ପୂର୍ବରୁ କାମ କରି ଆସିଥିବା କୌଣସି ନିର୍ବାଚନ ଆୟୋଗଙ୍କ ବିରୋଧରେ ଆସିନଥିଲା । ଭାରତର ନ୍ୟାୟିକ ବ୍ୟବସ୍ଥାକୁ ସରକାର ନିଜେ ଉପହାସ କଲାଭଳି କାମ କରି ଆସିଛନ୍ତି । ରିଜର୍ଭ ବ୍ୟାଙ୍କଭଳି ସଂସ୍ଥାମାନେ ସ୍ୱାଧୀନ ଭାବେ କେତେ କାମ କରିପାରୁଛନ୍ତି ତାହା ମୁଦ୍ରା ଅବମୂଲ୍ୟାୟନ ସମୟରୁ ଆମେ ଜାଣିଛୁ । ପ୍ରତିଦିନ କେନ୍ଦ୍ରିୟ ତଦନ୍ତ ବ୍ୟୁରୋ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ସଂସ୍ଥାମାନେ କିଭଳି ଶାସକ ଦଳର ହାତବାରିସୀ ସାଜି ବିରୋଧିଦଳ ଓ ବିରୋଧର ସ୍ୱରକୁ କଣ୍ଠରୋଧ କରିବା ପାଇଁ କାମ କରୁଛନ୍ତି , ସେ ସମ୍ପର୍କରେ ଅଭିଯୋଗର ଫର୍ଦ୍ଦ ବେଶ୍ ଲମ୍ବା । ସଂସଦରେ ଭିନ୍ନମତ ରଖୁଥିବା ସାଂସଦମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ଏବଂ ସମ୍ମାନ ନାହିଁ । ଲୋକସଭାର ବାଚସ୍ପତି ଏବଂ ରାଜ୍ୟସଭାର ଅଧ୍ୟକ୍ଷ ଉଭୟେ ସଂସଦକୁ ଶାସକ ଦଳର ଗୋଟିଏ ଅନୁଷ୍ଠାନ ହିସାବରେ ପରିଚାଳନା କରୁଛନ୍ତି । ସମଗ୍ର କେନ୍ଦ୍ର ସରକାରଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶାହାଙ୍କୁ କେନ୍ଦ୍ର କରି ଚାଲିଥିବା କଥା ମଧ୍ୟ ଅଭିଯୋଗ ହୋଇଆସିଛି । ଆମେ ସେହି ସବୁ ଅଭିଯୋଗକୁ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ କହିବା ପାଇଁ କୌଣସି ବଳିଷ୍ଠ ଉଦାହରଣ ନାହିଁ । ଏହିପରି ଏକ ନିରାଶା ଓ ରାଜନୈତିକ ବିବାଦର ବାତାବରଣ ଦେଶସାରା ରହିଥିବା ବେଳେ ସଂଖ୍ୟା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାଟି କିଛି ଆଶା ଦେବା ପରିବର୍ତ୍ତେ ଅଧିକ ଆଶଙ୍କା ସୃଷ୍ଟି କରୁଛି । ଏହି ଆଶଙ୍କା ହିଁ ଦକ୍ଷିଣ ଭାରତରେ ସଂଗଠିତ ରାଜନୈତିକ ପ୍ରତିବାଦକୁ ଭିତ୍ତି ଯୋଗାଇଛି । ଏଯାଏଁ ଭାଜପା କବଳରେ ନଥିବା ଦକ୍ଷିଣଭାରତକୁ ଉଚିତ୍ ଶିକ୍ଷାଦେବା ବା ନିଜ ନିୟନ୍ତ୍ରଣକୁ ଆଣିବା ଭଳି ଉଦ୍ଦେଶ୍ୟ ରଖି ମୋଦୀ ସରକାର ସଂଖ୍ୟା ପୁନଃନିର୍ଦ୍ଧାରଣ ପକ୍ରିୟାକୁ ପ୍ରାୟୋଜିତ କରାଉଛନ୍ତି; ଏହି କଥାଟିକୁ ଆଗ୍ରାହ୍ୟ କରିବା ପାଇଁ ଗତ ୧୧ବର୍ଷର ଇତିହାସ ଆମକୁ ସହଯୋଗ କରୁନାହିଁ । ତେବେ କେନ୍ଦ୍ର ସରକାରଙ୍କର ବିଚାରହୀନ ନିଷ୍ପତ୍ତି ଏବଂ ଭାରତର ସଙ୍ଘୀୟ ବ୍ୟବସ୍ଥାରେ ରାଜ୍ୟମାନଙ୍କ ସହ ପରାମର୍ଶ ନକରି କୌଣସି ସ୍ପର୍ଶକାତର ପ୍ରସଙ୍ଗରେ ଏକତରଫା ଭାବେ ପଦକ୍ଷେପ ନେବା ହୁଏତ ଭାରତକୁ ଦକ୍ଷିଣ ଓ ଉତ୍ତର ଭିତରେ ଅଦୃଶ୍ୟ ଭାବେ ବିଭାଜିତ କରି ରଖିବା ପାଇଁ କ୍ଷେତ୍ର ପ୍ରସ୍ତୁତ ଓ ପ୍ରଶସ୍ତ କରିବ!
ଏଠି ପ୍ରଶ୍ନ ଆସିପାରେ ସଂଖ୍ୟା ପୁନଃନିର୍ଦ୍ଧାରଣ କ’ଣ ଏକ ଅଣସାମ୍ବିଧାନିକ କାର୍ଯ୍ୟ କି? ନାଁ ଏହା ଏକ ସମ୍ବିଧାନ ଅନୁମୋଦିତ କାର୍ଯ୍ୟ । ଯେତେବେଳେ ଗୋଟିଏ ଗଣତନ୍ତ୍ର ସଂଖ୍ୟାଗରିଷ୍ଠତାକୁ ଆଧାରକରି ଶାସକ ନିର୍ବାଚତ କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ଗୋଟିଏ ହିଁ ଭୋଟ ଦେଇଥାଏ, ସେମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଲୋକମାନଙ୍କ ସଂଖ୍ୟା ଜନସଂଖ୍ୟା ଅନୁପାତରେ ରହିବା କଥା । ଆମ ଦେଶରେ ସଂଖ୍ୟା ପୁନଃନିର୍ଦ୍ଧାରଣ କାର୍ଯ୍ୟଟି ପୂର୍ବରୁ ମଧ୍ୟ ହୋଇଛି । ଏଥିପାଇଁ ସମ୍ବିଧାନରେ ସୀମା ତଥା ସଂଖ୍ୟା ପୁନଃନିର୍ଦ୍ଧାରଣ ଆୟୋଗ ପ୍ରତିଷ୍ଠା ପାଇଁ ବ୍ୟବସ୍ଥାଟିଏ ମଧ୍ୟ ରହିଛି । ୧୯୫୧ମସିହାର ଜନଗଣନା ପରେ ଭାରତର ଜନଗଣଙ୍କ ସଂଖ୍ୟା ୩୬କୋଟି ୧୦ଲକ୍ଷ ଥିବା ଜଣାପଡ଼ିଥିଲା । ତାକୁ ଆଧାର କରି ସେତେବେଳର ଆୟୋଗ ଲୋକସଭାରେ ସଦସ୍ୟ ସଂଖ୍ୟା ୪୯୪ ରଖିଥିଲେ । ୧୯୬୧ମସିହାରେ ଯେଉଁ ଜନଗଣନା ହୋଇଥିଲା, ସେତେବେଳେ ଭାରତର ଜନସଂଖ୍ୟା ୪୩କୋଟି ୯୦ଲକ୍ଷରେ ପହଞ୍ଚିଥିଲା । ସେତେବେଳର ସଂଖ୍ୟା ପୁନଃନିର୍ଦ୍ଧାରଣ ଆୟୋଗଙ୍କ ସୁପାରିଶ କ୍ରମେ ଲୋକସଭାର ଆସନ ସଂଖ୍ୟା ୫୨୨କୁ ବୃଦ୍ଧି କରାଯାଇ ଥିଲା । ୧୯୭୧ମସିହାର ଜନଗଣନା ପରେ ଭାରତର ଜନସଂଖ୍ୟା ଯେତେବେଳେ ୫୪କୋଟି ୮୦ଲକ୍ଷରେ ପହଞ୍ଚିଲା, ତତ୍କାଳୀନ ସଂଖ୍ୟା ପୁନଃନିର୍ଦ୍ଧାରଣ ଆୟୋଗର ସୁପାରିଶ କ୍ରମେ ୫୪୩ରେ ସ୍ଥିର ରଖାଯାଇଥିଲା ଏବଂ ତାହା ପରଠାରୁ ଆଉ କେବେ ଲୋକସଭାର ଆସନ ସଂଖ୍ୟାଦୃଷ୍ଟିରୁ ପୁନଃନିର୍ଦ୍ଧାରଣ କରାଯାଇ ନାହିଁ । ଏହାର ଏକ ପ୍ରମୁଖ କାରଣ ହେଉଛି ଯେ ଜରୁରୀକାଳୀନ ପରିସ୍ଥିତି ସମୟରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନିଆଯାଇଥିବା ବଳିଷ୍ଠ ପଦକ୍ଷେପ । ଯଦିଓ ଏହି ପଦକ୍ଷେପଟି କଠୋର ସମାଲୋଚନାର ଶରବ୍ୟ ହୋଇଥିଲା, ଆଜି ଯେତେବେଳେ ଦେଶରେ ପ୍ରଜନନ ହାର ହ୍ରାସ ପାଇଚାଲିଛି ଏବଂ ଜନସଂଖ୍ୟା ବୃଦ୍ଧି ୧୯୭୧ ତୁଳନାରେ ୫/୬ଗୁଣ ନୁହଁ ବରଂ ପାଖାପାଖି ୩ଗୁଣା ହେବାକୁ ଯାଉଛି, ସେତେବେଳେ ହୁଏତ ଏହିଭଳି ଏକ ପଦକ୍ଷେପର ମହତ୍ୱ କ’ଣ ଥିଲା ଜଣାପଡ଼ୁଛି । ସେହି ସମୟରେ ଇନ୍ଦିରା ସରକାର ୪୨ତମ ସମ୍ବିଧାନ ସଂଶୋଧନ (୧୯୭୬) ଭିତ୍ତିରେ ପୁନଃନିର୍ଦ୍ଧାରଣ ହେବା କାର୍ଯ୍ୟଟି ୨୦୦୦ମସିହା ଯାଏଁ ସ୍ଥଗିତ ରଖିବା ପାଇଁ ସମ୍ବିଧାନ ପ୍ରସ୍ତାବଟି ପାରିତ କରାଇଥିଲେ । ଏହା ସମ୍ପୂର୍ଣ୍ଣ ଭାବେ ଜନସଂଖ୍ୟା ନିୟନ୍ତ୍ରଣ ସହିତ ସମ୍ବନ୍ଧିତ ଥିଲା । ସେତେବେଳର ସରକାରଙ୍କର ବିଚାର ଥିଲା ଯେ ଯେଉଁ ରାଜ୍ୟମାନେ ସନ୍ତାନ ପ୍ରଜନନ ହାରକୁ ଭଲଭାବେ ହ୍ରାସ କରି ଜନସଂଖ୍ୟା ନିୟନ୍ତ୍ରଣ କରିବେ, ସେମାନେ ଯେମିତି ସଂଖ୍ୟା ପୁନଃନିର୍ଦ୍ଧାରଣ ଦ୍ୱାରା ଦଣ୍ଡିତ ହେବେ ନାହିଁ । ଅନ୍ୟପଟେ ଯେଉଁ ରାଜ୍ୟମାନେ ନିଜ ରାଜ୍ୟର ଜନସଂଖ୍ୟା ନିୟନ୍ତ୍ରଣ ପ୍ରକ୍ରିୟା ଉପରେ ରୋକ୍ ଲଗାଇ ପାରୁନାହାଁନ୍ତି, ସେମାନେ ଏଭଳି କରିବା ପାଇଁ ପ୍ରୋତ୍ସାହିତ ହେବେ । ତେବେ କେନ୍ଦ୍ରରେ ଅଟଳବିହାରୀ ବାଜପେୟୀ ସରକାର ଥିବାବେଳେ ୨୦୦୨ ମସିହାରେ ୮୪ତମ ସମ୍ବିଧାନ ସଂଶୋଧନ ହୋଇ ସୀମା/ସଂଖ୍ୟା ପୁନଃନିର୍ଦ୍ଧାରଣ କାମଟି ଯାହା ୪୨ତମ ସମ୍ବିଧାନ ସଂଶୋଧନ ମୁତାବକ ୨୦୦୦ ମସିହା ଯାଏଁ ସ୍ଥଗିତ ରଖାଯାଇଥିଲା, ତାହାର ଅବଧିକୁ ୨୦୨୬ ପରବର୍ତ୍ତୀ ସମୟ ଯାଏଁ ବଢ଼ାଇ ଦିଆଗଲା । ୨୦୦୧ମସିହା ଜନଗଣନା ପରେ କେବଳ ଲୋକସଭା ଏବଂ ବିଧାନସଭା ଅଞ୍ଚଳଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ ହୋଇଥିଲା କିନ୍ତୁ ଲୋକସଭା କିମ୍ବା ବିଧାନସଭା ଆସନ ସଂଖ୍ୟା ଯେମିତି ସେମିତି ରହିଥିଲା । ୨୦୨୬ ମସିହା ପରେ ଯଦି ସୀମା ପୁନଃନିର୍ଦ୍ଧାରଣ କରାଯାଏ ତାହା ବି ଲୋକସଭାର ଆସନ ବୃଦ୍ଧିକୁ ଆଖିଆଗରେ ରଖି, ତେବେ ଏହିଥିପାଇଁ ୨୦୧୧ର ଜନଗଣନା ହିଁ ଭିତ୍ତି ଯୋଗାଇବ । ଏଠି ସ୍ମରଣ କରାଇଦିଆ ଯାଇପାରେ ଯେ ୨୦୨୧ରେ ଜନଗଣନା ହୋଇ ନାହିଁ । ହୁଏତ ୨୦ବର୍ଷିଆ ଜନଗଣନା ୨୦୩୧ମସିହାରେ ହେବ ଏବଂ କେନ୍ଦ୍ର ସରକାରଙ୍କର ଆଉ ପାଞ୍ଚବର୍ଷ ଅପେକ୍ଷା କରିବା ପାଇଁ ଧୈର୍ଯ୍ୟ ଯେମିତି ନାହିଁ ।
ଯେଉଁ ତର୍କକୁ ଆଧାର କରି ଜନସଂଖ୍ୟା ନିୟନ୍ତ୍ରଣ ତଥା ସନ୍ତାନ ପ୍ରଜନନ ହାରକୁ ଲକ୍ଷ୍ୟରେ ରଖି ୪୨ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଲୋକସଭାର ଆସନ ସଂଖ୍ୟା ବୃଦ୍ଧିକୁ ସ୍ଥିର ରଖିବାପାଇଁ ସୀମା/ସଂଖ୍ୟା ପୁନଃନିର୍ଦ୍ଧାରଣ ସ୍ଥଗିତ ରଖା ଯାଇଥିଲା, ତାହାର ପରିଣାମ ଆଜିର ଦିନରେ କିଭଳି ରହିଛି ଜାଣିବା ପାଇଁ କୌତୁହଳତା ଆସିପାରେ । ୧୯୭୦ ମସିହାରେ ଭାରତବର୍ଷରେ ସନ୍ତାନ ଉତ୍ପାଦନ ହାର ପ୍ରତି ମହିଳାଙ୍କ କ୍ଷେତ୍ରରେ ୫.୭ଥିବା ବେଳେ ୨୦୨୪ବେଳକୁ ସେହି ସଂଖ୍ୟାଟି ଆସି ୨ରେ ପହଞ୍ଚିଛି ଅର୍ଥାତ୍ ୧୯୭୦ରେ ଜଣେ ମହିଳା ୫ରୁ ଅଧିକ ସନ୍ତାନ ଜନ୍ମ ଦେଉଥିବାବେଳେ ୨୦୨୪ବେଳକୁ ଜଣେ ମହିଳା ୨ଟି ସନ୍ତାନକୁ ଜନ୍ମ ଦେଉଛନ୍ତି । ଦକ୍ଷିଣ ଭାରତରେ ଏହି ପରିସଂଖ୍ୟନର ମହତ୍ୱ ଅଧିକ ଉଲ୍ଲେଖନୀୟ । ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଞ୍ଜାବରେ ମହିଳାମାନେ ଗୋଟିଏ ରୁ ଦୁଇଟି ସନ୍ତାନ ଜନ୍ମ ଦେଉଛନ୍ତି । ଲୋକସଭାର ଆସନସଂଖ୍ୟା ଯଦି ପୁନଃନିର୍ଦ୍ଧାରଣ କରାଯାଏ, ଏହି ସବୁ ରାଜ୍ୟଗୁଡ଼ିକ ନିଜର ସଦସ୍ୟ ସଂଖ୍ୟା ହରାଇବେ । ତେବେ ଲାଭବାନ ହେବ କିଏ? ଲାଭବାନ ହେବେ ଉତ୍ତରଭାରତର ପ୍ରମୁଖ ରାଜ୍ୟଗୁଡ଼ିକ ଯଥା: ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଯେଉଁଠି ସନ୍ତାନ ପ୍ରଜନନ ସଂଖ୍ୟା ଦୁଇରୁ ଅଧିକ ଅଛି ଏବଂ ବିହାର ଯେଉଁଠି ଏହି ହାରଟି ୩ ବା ୩ରୁ ଅଧିକ ରହିଛି । ସେହିଦୃଷ୍ଟିରୁ ଦେଖିଲେ ସଂଖ୍ୟା ପୁନଃନିର୍ଦ୍ଧାରଣକୁ ନେଇ ବା ଲୋକସଭାରେ ଆସନ ସଂଖ୍ୟାର ପୁନଃନିରୂପଣ କରିବା ପାଇଁ ଯେଉଁ ପ୍ରସ୍ତାବ କେନ୍ଦ୍ର ସରକାର ଆଣିଛନ୍ତି, ଦକ୍ଷିଣ ଭାରତର ରାଜ୍ୟମାନେ ତାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସ୍ୱାଭାବିକ ।
ଏହି ପ୍ରକ୍ରିୟାରେ ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କୁ ନେଇ ମାର୍ଚ୍ଚ ୨୨, ୨୦୨୫ରେ ଚେନ୍ନାଇ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପାଇଁ ଆହ୍ୱାନ ଦେଇଥିଲେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏମ୍.କେ ଷ୍ଟାଲିନ୍ । ଏହି ସଭାରେ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ଭିଜୟେନ୍, ପଞ୍ଜାବର ମୁଖ୍ୟମନ୍ତ୍ରୀ ଶ୍ରୀ ଭଗବନ୍ତ୍ ସିଂ ମାନ୍, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଶ୍ରୀ ରେବାନ୍ତ ରେଡ଼ି ଏବଂ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଡ଼ି.ଶିବକୁମାର ଯୋଗ ଦେଇଥିଲେ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ ଯଦିଓ ସେ ନିଜଦଳର ଦୁଇ ବରିଷ୍ଠ ପ୍ରତିନିଧିଙ୍କୁ ଏହି ସଭାରେ ଭାଗନେବା ପାଇଁ ପୂର୍ବରୁ ପଠାଇ ସାରିଥିଲେ । ଅନ୍ଧ୍ରପ୍ରଦେଶରେ ବିରୋଧି ରାଜନୈତିକ ଦଳ ବି.ଆର.ଏସ୍ର ମୁଖ୍ୟ କେ.ଟି.ରାମାରାଓ ମଧ୍ୟ ଏହି ବୈଠକରେ ଭାଗ ନେଇଥିଲେ । ବୈଠକଟିକୁ ‘ସ୍ୱଚ୍ଛ ପୁନଃନିର୍ଦ୍ଧାରଣ ପାଇଁ ସଂଯୁକ୍ତ କ୍ରିୟାନୁଷ୍ଠାନ ଗୋଷ୍ଠି’ ହିସାବରେ ଉପସ୍ଥାପନ କରି ତାମିଲ୍ନାଡ଼ୁ ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ୍ ସୀମା ପୁନଃନିର୍ଦ୍ଧାରଣ ପାଇଁ କେନ୍ଦ୍ରୀୟ ପଦକ୍ଷେପଟି କେମିତି କିଛି ବର୍ଷଧରି କ୍ରମାଗତ ଭାବେ ଦୁର୍ବଳ ହୋଇ ଚାଲିଥିବା ଭାରତର ସଙ୍ଘୀୟ ବ୍ୟବସ୍ଥାକୁ ଅଧିକ ଦୁର୍ବଳ କରିଦେବ, ଚିନ୍ତା ପ୍ରକଟ କରିଥିଲେ । ପୁନଃନିର୍ଦ୍ଧାରଣ ପ୍ରକ୍ରିୟା କିଭଳି ସ୍ୱଚ୍ଛ ହୋଇପାରିବ ସେଥିପାଇଁ ଏହି ଗୋଷ୍ଠି ପ୍ରୟାସ କରିବ ବୋଲି ସେ କହିଥିଲେ । କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ଭିଜୟେନ୍ କେନ୍ଦ୍ରସରକାରଙ୍କର ପଦକ୍ଷେପ ପଛରେ ‘ସଂକୀର୍ଣ୍ଣ ରାଜନୈତିକ ଲକ୍ଷ୍ୟ’ ନିହିତ ରହିଥିବା କଥା କହିଥିଲେ । ସୁଚିନ୍ତିତ ପଦକ୍ଷେପ ନେଇ ଜନସଂଖ୍ୟା ନିୟନ୍ତ୍ରଣ କାମଟିକୁ ସଫଳତାର ସହିତ କରିଥିଲା ବେଳେ କେନ୍ଦ୍ର ସରକାର ଏଥିପାଇଁ ଶାସ୍ତି ଦେବାଭଳି କାମଟିଏ କରୁଛନ୍ତି । ରାଜସ୍ୱ ଆବଣ୍ଟନ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ଏକାପ୍ରକାର ନୀତି ଆଣିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ସମଗ୍ର ପଦକ୍ଷେପଟି ‘ଦକ୍ଷିଣ ଭାରତର ରାଜନୈତିକ ସ୍ୱରକୁ’ ଚପାଇଦେବା ପାଇଁ ଏକ ଉଦ୍ୟମ ବୋଲି କହିଥିଲେ । ତାଙ୍କ ମତରେ ଦକ୍ଷିଣ ଭାରତକୁ ସେହି ସ୍ୱୀକୃତି ମିଳିବା ଦରକାର ଯାହା ଉତ୍ତର-ପୂର୍ବ ରାଜ୍ୟମାନଙ୍କୁ ଦିଆଯାଉଛି । ରେଡ଼ିଙ୍କ ମତରେ ଦକ୍ଷିଣ ଭାରତ ପାଇଁ ଥିବା ଲୋକସଭା ଆସନ ସଂଖ୍ୟା ଯାହା ଏବେ ୨୪ପ୍ରତିଶତ ରହିଛି, ତାହା ୩୩ ପ୍ରତିଶତକୁ ବୃଦ୍ଧି କରାଯିବା ଦରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଆଶଙ୍କା ପ୍ରକାଶ କରି କହିଥିଲେ ‘ଯେ ଯେଉଁଠି ଭାଜପାର ସ୍ଥିତି ନାହିଁ’ ସେହି ସବୁ ରାଜ୍ୟରେ ଲୋକସଭା ଆସନ ହ୍ରାସ କରିବାର ଉଦ୍ୟମ କରାଯାଉଛି । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡ଼ି. ଶିବକୁମାରଙ୍କ ବିଚାରରେ ମୋଦୀ ସରକାର ଗୋଟିଏ ପଟେ ‘ଦକ୍ଷିଣଭାରତକୁ ଏ.ଟି.ମ୍ ମେସିନ’ ଭଳି ବ୍ୟବହାର କରୁଥିବାବେଳେ ଅନ୍ୟପଟେ ଏହାର ରାଜନୈତିକ ପ୍ରତିନିଧିତ୍ୱକୁ ସଙ୍କୁଚିତ କରିବା ପାଇଁ ଉଦ୍ୟମ କରୁଛନ୍ତି । ସେ କହିଥିଲେ ଯେ ‘ଯେତେବେଳେ କର୍ଣ୍ଣାଟକ, ତାମିଲନାଡ଼ୁ ଏକାଠି ଅଛନ୍ତି କୌଣସି ଶକ୍ତି ଏହି ଏକତାକୁ ଭାଙ୍ଗିପାରିବେ ନାହିଁ ।’ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗ ଦେଇ ସଂଖ୍ୟା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରିଥିଲେ । ଯଦି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଉଚିତ୍ ପଦକ୍ଷେପ ନିଆଯାଇ ନଥାନ୍ତା, ‘ତେବେ ଜନସଂଖ୍ୟା ବିସ୍ଫୋରଣ ଘଟି ବିକାଶ ପ୍ରକ୍ରିୟାଟି ପଥଚ୍ୟୁତ ହୋଇଥାନ୍ତା’ ବୋଲି ସେ କହିଥିଲେ । ଆନ୍ଧ୍ରପ୍ରଦେଶର କେ.ଟି.ରାମାରାଓ ମଧ୍ୟ କେନ୍ଦ୍ର ସରକାରଙ୍କର ଏକତରଫା ନିଷ୍ପତ୍ତିକୁ ‘ଗଣତନ୍ତ୍ରରୁ ଦେଶଟିକୁ ସ୍ୱେଚ୍ଛାଚାରୀ ଭିଡ଼ତନ୍ତ୍ର’ ଆଡ଼କୁ ନେଇଯାଉଛି ବୋଲି ଚିନ୍ତାବ୍ୟକ୍ତ କରିଥିଲେ । ପ୍ରତିବାଦର ସ୍ୱର କ୍ରମଶଃ ବଳିଷ୍ଠ ଓ ବ୍ୟାପକ ହୋଇ ଚାଲିଥିବାବେଳେ ଭାଜପାର ନେତା ଓ ମନ୍ତ୍ରୀମାନେ ଜଳୁଥିବା ନିଆଁରେ ଘିଅ ଢାଳିବା ଭଳି ମନ୍ତବ୍ୟ ମାନ ଦେଇ ଚାଲିଛନ୍ତି । ଭାରତରେ ଅରାଜକତାର ଯେଉଁ ଯୁଗଟି ଆରମ୍ଭ ହୋଇଛି, ମୂଳତଃ ଅଯୋଗ୍ୟ ଓ ଅପରିଣାମଦର୍ଶୀ ନେତୃତ୍ୱ କର୍ପୋରେଟ୍ ପୁଞ୍ଜିର ପୃଷ୍ଠପୋଷକତା ପାଉଥିବା ଯୋଗୁଁ, ତାହା ନିକଟରେ ଶେଷ ହେଲାଭଳି ଦେଖାଯାଉ ନାହିଁ ।
Comments
0 comments