ଜଳବାୟୁ ସଂକଟ ଓ ନାରୀର ଭୂମିକା

26 Min Read

ଗୋଟିଏ କୃଷିଭିତ୍ତିକ ଓ ଜଙ୍ଗଲଭିତ୍ତିକ ଅର୍ଥନୀତିରେ ଜଳବାୟୁ ପରିବର୍ତ୍ତନ ଓ ଦଳିତ ଆଉ ଆଦିବାସୀ ଓ ଅନ୍ୟ ମହିଳାଙ୍କର ବହୁତ ବଡ଼ ଭୂମିକା ଅଛି । ପ୍ରଥମତଃ ସେଇମାନେ ହିଁ ସବୁଠୁ ନିର୍ଯାତିତା ହୁଅନ୍ତି । ଆଉ ଅନ୍ୟ ପକ୍ଷରେ ଜଳବାୟୁ ପରିବର୍ତ୍ତନ ନ କରିବାରେ ତାଙ୍କର ବହୁତ ଭୂମିକା ଅଛି । ଆମେ ପ୍ରଥମେ ଦେଖିବା ସେମାନେ କେମିତି ନିର୍ଯାତିତା ହଉଛନ୍ତି । ଜଳବାୟୁ ପରିବର୍ତ୍ତନ ସମ୍ମିଳନୀମାନଙ୍କରେ ବକ୍ତାମାନେ ବାରମ୍ବାର ଦର୍ଶାଇଛନ୍ତି ଯେ ମହିଳାମାନେ ହିଁ ବେଶୀ ପରିମାଣରେ ସେଇ ପରିବର୍ତ୍ତନର ଫଳ ଭୋଗନ୍ତି । କାରଣ ସମାଜରେ ପୁରୁଷ ଅପେକ୍ଷା ନାରୀମାନେ ବେଶୀ ଗରିବ, ତା ଛଡ଼ା ଲିଙ୍ଗଗତ ଅସମାନତା ଏବଂ ତାଙ୍କପାଖରେ ଖୁବ୍ କମ୍ ପରିମାଣରେ ଧନ ସମ୍ପତ୍ତି ଅଛି । ମାତ୍ର ସବୁଠୁ ଖୁସିର କଥା ଯେ ପୃଥିବୀର ସବୁ ରାଜ୍ୟରେ ନାରୀମାନେ ହିଁ ତାଙ୍କର ଜୀବିକା ପାଇଁ ପ୍ରାକୃତିକ ସମ୍ପଦ ଉପରେ ନିର୍ଭର କରନ୍ତି । କୌଣସି ବିଷୟରେ ନିଷ୍ପତ୍ତି ନେବାକୁ ହେଲେ ତାଙ୍କର ମତ ଉପରେ କେହିହେଲେ ଗୁରୁତ୍ୱ ଦିଅନ୍ତି ନାହିଁ । ତା ଛଡ଼ା ମହିଳାମାନେ ଶ୍ରମିକ ହିସାବରେ ମଧ୍ୟ ଖୁବ୍ କମ ସଂଖ୍ୟାରେ ବାହାରେ ରୋଜଗାର କରନ୍ତି । ମହିଳାମାନଙ୍କର ସ୍ୱାସ୍ଥ୍ୟରେ ମଧ୍ୟ ଅବନତି ଘଟିଥାଏ, ତା’ଛଡ଼ା ଘର ଭିତରେ ମଧ୍ୟ ସେମାନଙ୍କର ଉପରେ ଅନେକ ପ୍ରକାରର ହିଂସା ହୋଇଥାଏ । ଆଜି ସବୁଆଡ଼େ ଏକ ମହତ୍ତ୍ୱପୂର୍ଣ୍ଣ ଦାବି ହେଲା ମହିଳାମାନଙ୍କର ମୌଳିକ ଅଧିକାରକୁ ସାବ୍ୟସ୍ତ କରିବାକୁ ହେବ । ଆର୍ଥିକ ସଂପଦକୁ ନାରୀ ଓ ପୁରୁଷ ମଧ୍ୟରେ ଉପଯୁକ୍ତ ମାତ୍ରାରେ ବାଣ୍ଟିବାକୁ ପଡ଼ିବ । ନାରୀମାନେ ନିଯୁକ୍ତି କ୍ଷେତ୍ରରେ, ଜମିଜମା କ୍ଷେତ୍ରରେ ଏବଂ ଶିକ୍ଷା ବୈଷୟିକ କ୍ଷେତ୍ରରେ ସମାନ ଅଧିକାର ପାଇବା ଉଚିତ । ମହିଳାମାନଙ୍କୁ ଅଧିକାର ଓ ନ୍ୟାୟ ମିଳିଲେ ସେମାନେ ଜଳବାୟୁ ପରିବର୍ତ୍ତନ ନୀତି ନିୟମ ପ୍ରସ୍ତୁତିରେ ବହୁତ ବଡ଼ ଭୂମିକା ନିଭେଇ ପାରିବେ ।

ଜଳବାୟୁ ପରିବର୍ତ୍ତନର ଭୟାବହତାର ସମ୍ମୁଖୀନ ହେବାକୁ ଗଲେ ଆଉ ଲିଙ୍ଗଗତ ଅସମାନତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଏହା ହେଉଛି ଆମର ସବୁଠୁ ବଡ଼ ଆହ୍ୱାନ । ଆମ ଭଳି କୃଷିଭତ୍ତିକ ଓ ଜଙ୍ଗଲଭିତ୍ତିକ ଦେଶଗୁଡ଼ିକରେ ନାରୀମାନେ ବହୁମାତ୍ରାରେ କୃଷିଶ୍ରମିକ ହିସାବରେ କାମ କରନ୍ତି । ଯେତେବେଳେ ବର୍ଷା ହୁଏ ନାହିଁ କିମ୍ବା କମ୍ ବର୍ଷା ହୁଏ, ସେତେବେଳେ ନାରୀମାନଙ୍କୁ ଆହୁରି ବେଶୀ କାମ କରିବାକୁ ପଡ଼େ । ଏହାଫଳରେ ପରିବାରର ଝିଅମାନଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥାଏ ଆଉ ସେମାନେ ଛୋଟ ଭାଇ, ଭଉଣୀଙ୍କର ଯତ୍ନ ନେଇଥାନ୍ତି । ଦେଖିବାକୁ ଗଲେ କେବଳ ନାରୀମାନେ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ କାମ କରିପାରିବେ ଯଦି ସେମାନଙ୍କୁ ପଲିସି ନିର୍ଦ୍ଧାରଣ ଯୋଜନା ତିଆରି କ୍ଷେତ୍ରରେ ସ୍ଥାନ ଦିଆଯାଏ । ତା ହେଲେ ନାରୀମାନେ ଜଳବାୟୁ ପରିବର୍ତ୍ତନକୁ ପ୍ରଭାବକୁ ଭଲ ଭାବରେ କମେଇବା ପାଇଁ ଉପଦେଶ ଦେଇପାରିବେ । କେବଳ ନାରୀମାନେ ହିଁ ଗୋଟିଏ ରାଜ୍ୟର ଜଳବାୟକୁ ସୁହାଇଲା ଭଳି କୃଷି କରିବା ପାଇଁ ଉଦ୍ୟମ କରନ୍ତି । ଅନେକ ଦେଶରେ ମହିଳାମାନେ ସୂର୍ଯ୍ୟଶକ୍ତି ଓ ପବନ ଶକ୍ତି ବ୍ୟବହାର କରିବାକୁ ନିଷ୍ପତ୍ତି ନିଅନ୍ତି । ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଶିକ୍ଷା ଏବଂ ଜାଗରୁକତା ଯଦି ନାରୀମାନଙ୍କୁ ଦିଆଯାନ୍ତା, ତେବେ ସେମାନେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ଖୁବ୍ ସହଜରେ ସମାଧାନ କରିବାକୁ ଚେଷ୍ଟା କରିବେ । ଯଦି ବିଶ୍ୱକ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମହିଳାଭିତ୍ତିକ ଦୃଷ୍ଟିକୋଣରୁ ଦେଖିବା, ଆମେମାନେ ଅନୁଭବ କରିପାରିବା ଯେ କେମିତି ଦଳିତ, ଆଦିବାସୀ ଝିଅ, ବୁଢ଼ୀ, ଦିବ୍ୟାଙ୍ଗ ମହିଳା ପ୍ରବାସୀ ମହିଳାଙ୍କଠାରୁ ଆରମ୍ଭ କରି ନିପଟ ମଫସଲରେ ରହୁଥିବା ସ୍ତ୍ରୀ ଲୋକମାନେ ଆଉ ଯେଉଁମାନେ ଯୁଦ୍ଧ ଓ ତିରୋଟ ଜଳବାୟୁ ଆତଙ୍କ ସ୍ଥାନରେ ରହୁଥିବେ, ସେଇମାନେ ଜଳବାୟୁର କୁପ୍ରଭାବକୁ ଖୁବ୍ ଭଲଭାବରେ ଅନୁଭବ କରିପାରିବେ ।

ଜଳବାୟୁ ପରିବର୍ତ୍ତନ କହିଲେ କଣ ବୁଝାଏ?

ଏହାର ଅର୍ଥ ହେଉଛି ପୃଥିବୀର ଜଳବାୟୁ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହେଉଛି ଯାହା ଫଳରେ କୃଷି ଉତ୍ପାଦନ, ବାୟୁମଣ୍ଡଳ, ବୃଷ୍ଟିପାତ, ଆର୍ଦ୍ରତା, ଅକାଳ ବର୍ଷା, ମେରୁର ବରଫ ତରଳିବା, ସମୁଦ୍ରର ପାଣି ଅଧିକରୁ ଅଧିକ ଉଷୁମ ରହିବା ଇତ୍ୟାଦି ଫଳରେ ମଣିଷମାନଙ୍କ ଉପରେ ବହୁତ ପ୍ରକାରର କୁପ୍ରଭାବ ପଡ଼ିଛି । ତା’ଛଡ଼ା ବିଭିନ୍ନ ଜାଗାରେ ଯୁଦ୍ଧ ହେଉଥିବାରୁ ମଧ୍ୟ ପୃଥିବୀର ଜଳବାୟୁ ମଣ୍ଡଳରେ ଖୁବ୍ ଖରାପ ପ୍ରଭାବ ପଡୁଛି ।

ସଂସ୍କୃତି, ନାରୀ ଓ ଜଳବାୟୁ ପରିବର୍ତ୍ତନ

ପ୍ରଥମ କଥା ହେଲା ନାରୀମାନେ ହେଲେ ଜୀବନ୍ତ ଲୋକସଂସ୍କୃତିର ମୂଳଧାରା । ସେମାନେ ଜାଣନ୍ତି ଯେ ତାଙ୍କ ଦୈନନ୍ଦିନ ଚାଲିଚଳନରେ ପାଣି, ପବନ, ଗଛ, ଲତା ମାଟି ପଥର ସମସ୍ତେ ପୂଜା ପାଆନ୍ତି । ସଂସ୍କୃତି ଦ୍ୱାରା ହିଁ ସେମାନେ ଜଳବାୟୁର କୁପ୍ରଭାବକୁ କିଛି ପରିମାଣରେ କମେଇ ଦେଇ ପାରିବେ । ସେଇ କଥା ମୁଁ ଦେଖେଇବାକୁ ଯାଇ ଆମ ଓଡ଼ିଶାର ଲୋକସଂସ୍କୃତି ବିଷୟରେ କିଛି କହିବାକୁ ଚାହୁଁଛି ।

ମୋର ମନେ ଅଛି ମୋ ମା’ ଓ ବୋଉ ସକାଳୁ ଉଠି ପ୍ରଥମେ ଯାଇ ଗାଧେଇ ପଡ଼ନ୍ତି । ଆଉ କିଛି ଖାଇବା ପୂର୍ବରୁ ସେମାନେ ତୁଳସୀ ଚଉରାରେ ପାଣି ଦେଇ ତା ପାଣିକୁ ପିଅନ୍ତି । ତା’ଫଳରେ ତୁଳସୀ ଚଉରାର ପାଣି ପବନରେ ମିଶି ଜଳବାୟୁରେ କିଛି ପରିମାଣରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରନ୍ତି । ତା ପରେ ମା’ ଓ ବୋଉ ସୂର୍ଯ୍ୟଙ୍କୁ ଅନେଇ ଆଞ୍ଜୁଳାଏ ପାଣି ଢାଳନ୍ତି ଓ ନମସ୍କାର କରନ୍ତି । ବୋଧେ ସେମାନେ ସବୁ ଭାବୁଥିଲେ ସୂର୍ଯ୍ୟ ଦେବତା ହେଲେ ସୃଷ୍ଟିକର୍ତ୍ତା । ସେ ନଥିଲେ ପୃଥିବୀ ମା’କୋଳରେ କେହି ବଂଚି ପାରିବେ ନାହିଁ । ଗାଉଁଲି ନାରୀମାନେ ଯେ ସୂର୍ଯ୍ୟଙ୍କର କ’ଣ ଭୂମିକା ସେ ବିଷୟରେ ସବୁବେଳେ ଜାଣିଥିଲେ ସେ କଥା ଭାବି ମତେ ଏବେ ବି କାବା ଲାଗୁଛି । ହଁ ଦିଲ୍ଲୀରେ ମଧ୍ୟ ଲୋକମାନେ ଅଶ୍ୱତ୍ଥ ଗଛକୁ ପୂଜା କରନ୍ତି । କାରଣ ଏଇ ଗଛଟି ରାତିରେ ଅମ୍ଲଜାନ ଛାଡ଼େ ଓ ଅନେକ ଜୀବଜନ୍ତୁ ମଧ୍ୟ ଏଠି ରହିନ୍ତି । ମୁଁ ଓଡ଼ିଶାର କେତେଗୁଡ଼ିଏ ପର୍ବପର୍ବାଣି ବିଷୟରେ କହିବି ଯେଉଁଗୁଡ଼ିକ ପ୍ରକୃତି ସହିତ ସାମଞ୍ଜସ୍ୟ ରଖିଛି । ସେତିକି ଭାରତର ଅନେକ ଜାଗାରେ ମଧ୍ୟ ନାରୀମାନେ ତାଙ୍କର ନିଜ ସଂସ୍କୃତିକୁ ପାଳି ପୃଥିବୀର ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କିଛି ପରିମାଣରେ କାମ କରୁଛନ୍ତି ।

ପର୍ବପର୍ବାଣୀରେ ପ୍ରକୃତି ପୂଜା, ଖୁଦୁରୁକୁଣି ଓଷା ବା ଖୁଦରୁକୁଣି ଓଷାରେ ଠାକୁରାଣୀ କହିଲେ ଆମେମାନେ ବୁଝିଥିଲୁ କୌଣସି ମୂର୍ତ୍ତି ନୁହଁ ବରଂ କେତେକ ପ୍ରାକୃତିକ ଜିନିଷ ମାତ୍ର । ଯେମିତିକି ସାରୁ ପତ୍ରରେ ମାଳଚୁଳ କରି ସେଥିରେ ଖଡ଼ିକାରେ କନିଅର ଫୁଲ ଖୋସୁଥିଲୁ । ଆଉ କଇଁଫୁଲରେ ଚାରିଆଡ଼େ ଝୁଲେଇବାକୁ ଭୁଲୁ ନଥିଲି । ଏଇ ପୂଜାଟି ଢିଙ୍କିଶାଳରେ ହେଉଥିଲା ପ୍ରସାଦ ହିସାବରେ ଉସୁନା ଚାଉଳ ଭଜା, ଖଇ କଦଳୀ ଇତ୍ୟାଦି ।

ଏଇ ଠାକୁରାଣୀଙ୍କୁ ଖୁଦଭଜା ମଧ୍ୟ ଭଲ ଲାଗେ । ମାତ୍ର ଯେଉଁ ଗପ ସେଥିରେ ଓଡ଼ିଆ ସଂସ୍କୃତିର କିଛି ଆଭାସ ମିଳେ । ଯେମିତି ସାଧବ ପୁଅମାନେ ଅନୁକୂଳ ବାୟୁରେ ନୌକାରେ ଯାଉଥିଲେ ଓ ଅନେକ ଧନ, ରତ୍ନ ସବୁ ନିଜ ରାଜ୍ୟକୁ ଆଣୁଥିଲେ । ଓଡ଼ିଶାରେ ସେତେବେଳେ କଉଡ଼ିର କାରବାର ଥିଲା । କଉଡ଼ିଗୁଡ଼ିକ ସମୁଦ୍ରରୁ ହିଁ ମିଳୁଥିଲା । ତେଣୁ ପ୍ରକୃତି କୋଳରେ ଯେଉଁସବୁ ଦ୍ରବ୍ୟ ଥିଲା, ସେଇଗୁଡ଼ିକୁ ନେଇ ଝିଅମାନେ ଖୁଦୁରୁକୁଣି ବ୍ରତ କରୁଥିଲେ । ଆଜିକାଲି ଯେମିତି ଦୁର୍ଗାମୂର୍ତ୍ତିକୁ ଦିଲ୍ଲୀ ଯମୁନା ନଈରେ ବା କଟକ ମହାନଦୀରେ ଭସେଇ ପାଣିକୁ ଦୂଷିତ କରୁଛି; ସେତେବେଳେ ସାରୁପତ୍ରଗୁଡ଼ିକୁ ପୋଖରୀ ପାଣିରେ ଭସେଇ ଦଉଥିଲେ ସେଥିରେ ପାଣି ଦୂଷିତ ହଉ ନଥିଲା । ସେମିତି ନୋଟ ବା ପଇସା ପରିବର୍ତ୍ତେ କଉଡ଼ିର ବ୍ୟବହାର ଯୋଗୁଁ ନୋଟ ଛପେଇବାକୁ ପଡୁ ନଥିଲା । ନୋଟ ଛପେଇବାରେ ଯେଉଁ ପ୍ରଦୂଷଣ ହଉଛି, ସେଇଟା ବି ନଥିଲା । ତା ଛଡ଼ା ଖୁଦୁରୁକୁଣି ଓଷା ଝିଅମାନଙ୍କୁ ଶିଖାଉଥିଲା କେମିତି ପ୍ରକୃତିକୁ ଭଲ ପାଇବା । ଖୁଦୁରୁକୁଣି ପରେ ତଅପୋଇ ବଣ ମଙ୍ଗଳାଙ୍କୁ ପୂଜା କରି ତା’ ସାତଭାଇଙ୍କୁ ପାଇଥିଲା । ସେମିତି ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତିରେ ମାଟି ଠେକିରେ ଠେକିଏ ପାଣି ଚଉରାର ତୁଳସୀ ଗଛ ଉପରେ ଟାଙ୍ଗନ୍ତି । ଠେକିରେ ଗୋଟିଏ କଣା କରି କୁଶଟିଏ ଓହଳେଇ ଦିଅନ୍ତି । ସେଇ ପାଣି ତୁଳସି ପତ୍ରରେ ପଡ଼ି ତା’ର ବାସନା ପବନରେ ଭାସିଯାଏ ଓ ପରିବେଶକୁ ପବିତ୍ର କରାଏ । ତା’ଛଡ଼ା ଯେଉଁ ବାଟୋଇମାନେ ରାସ୍ତାରେ ଯାନ୍ତି, ସେମାନଙ୍କୁ ପଣା ବଣ୍ଟାଯାଏ । ଖାଲି ସେତିକି ନୁହ, ଏଥର ରଜ ପର୍ବକୁ ଯିବା । ସେଠି ମଧ୍ୟ ପୃଥିବୀକୁ ପୂଜା କରାଯାଏ । ଏଇ ପର୍ବଟି ବିଶେଷ କରି ଝିଅମାନେ ଓ ନୂଆବୋହୂମାନେ କରନ୍ତି । ସେତେବେଳେ ଶୁଆଖୋଳପା ଚପଲ ମଡ଼େଇ ଚାଲନ୍ତି । ସେମାନେ ଖାଲି ପାଦରେ ଚାଲନ୍ତି ନାହିଁ । କାରଣ ପୃଥିବୀ ମା ରଜସ୍ୱଳା ହେଇଥାଏ । ସେତେବେଳେ ଚାଷୀଭାଇ ବିଲକୁ ହଳ ନେଇ ନ ଥାଏ । ଏ ପର୍ବ ଓଡ଼ିଶାରେ ହିନ୍ଦୁ ଓ ମୁସଲମାନ ସମସ୍ତେ ପାଳନ୍ତି । ପୁରୀର ଗୋଟିଏ ଜାଗାରେ ସବୁ ପୁରୁଷମାନେ ଗାଁ ବାହାରେ ରହନ୍ତି ଓ ସବୁ ସ୍ତ୍ରୀ ଲୋକମାନେ ଝିଅ ମାନେ ଏକାଠି ହୋଇ ରଜ ମନାନ୍ତି । ରଜର ତୃତୀୟ ଦିନହେଲା ବସୁମାତା ଗାଧୁଆ । ସେଦିନ ପୃଥିବୀ ମା’କୁ ପୂଜା କରାଯାଏ ଓ ଶିଳପୂଆରେ ହଳଦୀ ଲଗେଇ ଗାଧେଇ ଦିଅନ୍ତି । ତା’ପରେ ଯାଇ ଝିଅମାନେ ପୋଖରୀ ବା କୂଅ ପାଣିରେ ଗାଧେଇ ଥାନ୍ତି । ବସୁମାତା ଗାଧୁଆ ପରଦିନ ଚାଷୀ ବିଲକୁ ହଳ ନିଏ । ଗୋଟିଏ ନୂଆ ଟୋକେଇରେ ଧାନ ଓଳିଆରୁ ସଞ୍ଚି ରଖିଥିବା ବିହନକୁ ଗୋଟିଏ ଲାଲକନା ରଖିଥାଏ ଓ ଚା ଷୀର ଘରଣୀ ବିହନ ଟୋକେଇକୁ ପୂଜାକରି ସିନ୍ଦୁର ଟୋପା ବିହନ ଟୋକେଇରେ ଦେଇ ଚାଷୀକୁ ବିଲକୁ ପଠାଏ । ମଣିଷ ଓ ପ୍ରକୃତିର ନିବିଡ଼ ସମ୍ପର୍କ ଏକ ବଡ଼ ପ୍ରତୀକ । ମୋର ଆହୁରି ଗୋଟିଏ ପର୍ବକଥା ମନେ ପଡୁଛି । ସେଇଟି ହେଉଛି କାଂଜି ଓ ହଳା ପର୍ବ । ସେଇଥିରେ ଯେଉଁ ସ୍ତ୍ରୀ ଲୋକମାନଙ୍କର ପିଲାଝିଲା ନଥାଏ, ସେମାନେ ବାଟରେ ଗୋଟିଏ ଗାତ ଖୋଳି ସେଇ ଗାତରେ ପାଣି ଦିଅନ୍ତି ଓ ତା’ଭିତରେ ଗୋଟିଏ ଜୀଅନ୍ତା ଚେଙ୍ଗ ମାଛ ମୁଣ୍ଡରେ ସୁନ୍ଦର ଲଗେଇ ପୂଜା କରନ୍ତି । ପରେ ସେଇ ଚେଙ୍ଗମାଛଟିକୁ ପୋଖରୀରେ ଛାଡ଼ି ଦିଆଯାଏ । ଏଥିରେ ଅବଶ୍ୟ ନାରୀମାନେ ନିଃସନ୍ତାନ ନହେବାକୁ ଚେଷ୍ଟା କରନ୍ତି । କାରଣ ଗୋଟିଏ ପିତୃକୈନ୍ଦ୍ରିକ ସମାଜରେ ପିଲାପିଲି ନଥିଲେ ସମାଜ ଆଖିରେ ବହୁତ ଅପଦସ୍ତ ହେବାକୁ ପଡ଼େ । ମାତ୍ର ସେଥିପାଇଁ ସେମାନେ ଗୋଟିଏ ଡାକ୍ତର ବା ତାନ୍ତ୍ରିକ ପାଖକୁ ଯାନ୍ତି ନାହିଁ । ସେମାନେ ଗୋଟିଏ ନିରୀହ ଜୀବନଟିଏ ପାଖରେ ଅଳି କରନ୍ତି ତାଙ୍କର ମନକାମନା ପୂରଣ ହବାକୁ । ବୋଧେ ସେଇଥିରେ ଓଡ଼ିଆ ନାରୀମାନେ ସନ୍ତୋଷ ପା’ନ୍ତି । ତାଙ୍କର ମନକାମନା ସେଇଥିରେ ପୂରଣ ହୁଏ କି ନାହିଁ ସେ କଥା ମୁଁ କହି ପାରିବି ନାହିଁ । କିନ୍ତୁ ମନରେ ତାଙ୍କର ନିଶ୍ଚୟ ଶାନ୍ତି ଆସୁଥିବ ଯେ ସେ ନିଜର ସନ୍ତାନ ପାଇଁ କିଛି କରିପାରିଲା । ତା’ମଧ୍ୟ ପ୍ରକୃତିରୁ କିଛି ଜିନିଷ ସବୁ ଏକାଠି କରି ।

ସେମିତି ମୁଁ ଆଉ ଗୋଟିଏ ପର୍ବ କଥା କହିବି ଯେଉଁଠି ଆମ୍ବଗଛ ବଉଳରେ ପୋକ ନହେବା ପାଇଁ ଆଉ ପୋଖରୀରେ ଗେଣ୍ଡା ଗୋଡ଼ ନକାଟିବା ପାଇଁ । ସେଇଟା ହେଉଛି ବଉଳ ଅମାବାସ୍ୟ । ସେଇ ଅମାବାସ୍ୟାରେ ଘରର ସ୍ତ୍ରୀ ଲୋକମାନେ ଗଇଁଠା ପରି ଆମ୍ବବଉଳକୁ ପକାନ୍ତି । ତା’ଫଳରେ ଆମ୍ବ ବଉଳରେ ପୋକ ହବ ନାହିଁ ଆଉ ଆମ୍ବ ପାଣିରେ ସେମାନଙ୍କୁ ଗେଣ୍ଡା କାଟିବ ନାହିଁ । ସେଇଟିକୁ ଅନେକ ଚିତଉ ଅମାବାସ୍ୟ ବୋଲି କହଥାନ୍ତି ।

ତା’ପରେ ଆମେ ଓଡ଼ିଶାର ଆଉ ଗୋଟିଏ ବଡ଼ ପର୍ବକୁ ଯିବା, ସେଇଟା ହେଉଛି କୁମାର ପୂର୍ଣ୍ଣିମା । ଏଇ ପର୍ବଟି ଆଶ୍ୱିନ ମାସରେ ଆସେ । ଆଶ୍ୱିନ ମାସରେ ପାଗ ନିର୍ମଳ ଥାଏ । ବରଷା ସରି ଯାଇଥାଏ । ସେତେବେଳର ଜହ୍ନ ଖୁବ୍ ତୋଫା ଦିଶୁଥାଏ । ବାରିରେ ଥାଏ ଜହ୍ନିଫୁଲ, ଆଉ କାକୁଡ଼ିଫୁଲ । ମାସସାରା ଝିଅମାନେ ମିଶି ରାତିରେ ବିଭିନ୍ନ ପ୍ରକାରର ଗୀତ ଗାଆନ୍ତି ଓ କଉଡ଼ି ଖେଳନ୍ତି । ଆଉ ଜହ୍ନିଫୁଲ ଠୋ ଠା, କାକୁଡ଼ି ଫୁଲ ଠୋ ଠା / ଗୁଣ୍ଡିଚି ମୂଷା କହି ଯାଇଛି ଚାଉଳ ମୁଠେ ରଖିଥା ।” ଗୀତ ଗାଇ ପ୍ରତ୍ୟେକଙ୍କ ଘରକୁ ଯାଇ ଚାଉଳ, ପରିବା ସବୁ ଏକାଠି କରନ୍ତି । ତା’ପରେ ସେଗୁଡ଼ିକ ରାନ୍ଧିକରି ସବୁ ଝିଅମାନେ ଏକାଠି ଖାଇଥାନ୍ତି । ଏଇ ପର୍ବଟି ହଉଛି ପ୍ରକୃତିର ଦାନକୁ ଚିହ୍ନିବା । ଜହ୍ନିଫୁଲ ଆଉ କାକୁଡ଼ି ଫୁଲ ତ ବାରିରେ ବାରିଏ ଫୁଟିଥାଏ । ଆଉ ଆକାଶରେ ନିର୍ମଳ ଚନ୍ଦ୍ର ଆଉ ମିଟି ମିଟି କରୁଥିବା ତାରା । ପୂର୍ଣ୍ଣିମା ଦିନ ଝିଅମାନେ ଉପାସ ରଖି ସକାଳେ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧନ୍ତି ଓ ସକାଳେ ସୂର୍ଯ୍ୟଙ୍କୁ ଖଇ ଆଞ୍ଜୁଳାଏ ନେଇ ଅର୍ଘ୍ୟ ଦିଅନ୍ତି ଓ ନମସ୍କାର କରନ୍ତି । ଆଉ ସଂଜବେଳେ ସେ ଚନ୍ଦ୍ରଙ୍କୁ ପୂଜା କରନ୍ତି । ପୂଜାକରିବା ପୂର୍ବରୁ ଝିଅମାନେ ଜହ୍ନିଫୁଲ ନେଇ କୋଠି କରନ୍ତି ଓ ଖଇ, ଗୁଡ଼, କଦଳୀ, ଦୁଧ, ଛେନା ଇତ୍ୟାଦି ସବୁ ନେଇ ଚାନ୍ଦ ଚକଟା କରନ୍ତି ଓ ଠିକ୍ ମୁହଁସଂଜ ବେଳକୁ ଚାନ୍ଦକୁ ବନ୍ଦାପନା କଲା ପରେ ନିଜେ ସେଇ ଚାନ୍ଦ ଚକଟାରୁ କିଛି ପାଣିରେ ପକାନ୍ତି ଆଉ ବାକିତକ ଚାନ୍ଦ ଚକଟା ନିଜେ ଖାଇଥାନ୍ତି । ସ୍ୱର୍ଗରେ ଆଶ୍ୱିନ ମାସର ଚାନ୍ଦ ଖୁବ୍ ମନଭରି ହସି ହସି ଝିଅମାନଙ୍କୁ ଆଶୀଷ ଦେଉଥାଏ ବୋଲି ମତେ ମନ ହଉଥିଲା ।

ଲକ୍ଷ୍ମୀ ପୂଜା, ଗୁରୁବାର ଓଷା ବା ମାଣବସା; ଏଇ ଓଷାଟି ମାର୍ଗଶୀର ମାସରେ ପଡ଼େ । ସେତେବେଳକୁ ବଡ଼ଧାନ କଟା ସରିଥାଏ । ଚାଷୀ ଖୁବ୍ ଖୁସି ଥାଏ । କାହିଁକି ନା ଲକ୍ଷ୍ମୀ ମା’ଙ୍କ କୃପାରୁ ଚାଷୀର ଅମାର ବଡ଼ଧାନରେ ଭରପୂର ହୋଇଥାଏ । ସେଇ ଖୁସିରେ ସେ ଓ ତା ଘରଣୀ ଭାବନ୍ତି ଯେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରିବା ଉଚିତ୍ । କାହିଁକି ନା ତାଙ୍କର କୃପା ଫଳରେ ଅମାରରେ ଧାନ ପୂରିଅଛି । ସ୍ତ୍ରୀ ଲୋକମାନେ ମାର୍ଗଶିରରେ ପ୍ରତି ଗୁରୁବାର ଦିନ ଘର ଦୂଆରେ ଗୋବର ଓ ବିଲର ତାଇଆ ମାଟି ଆଣି ଲିପି ପକାନ୍ତି ଓ ଅରୁଆ ଚାଉଳକୁ ବାଟି ଦାଣ୍ଡ କାନ୍ଥ ଓ ଘର ଭିତରର କାନ୍ଥରେ ବିଭିନ୍ନ ପ୍ରକାରର ଚିତା ପକେଇଥାନ୍ତି । ଯେଉଁଠି ମାଣ ବସେ, ସେଇଠି ପଦ୍ମ ଆକାରର ଚିତା କାଟି ଲକ୍ଷ୍ମୀଙ୍କ ପାଦ ଆଙ୍କି ଦୁଇ ମାଣରେ ଧଳା ଧାନ ପୁରେଇ ଗୋଟିଏ ଲାଲ ଲୁଗାରେ ଘୋଡ଼େଇ ଦିଅନ୍ତି ଆଉ ତା ପାଖରେ ଥାଏ କଳସ । ପ୍ରତି ଗୁରୁବାରରେ ବିଭିନ୍ନ ପ୍ରକାରର ପିଠାହୋଇ ଲକ୍ଷ୍ମୀ ଠାକୁରାଣୀଙ୍କ ପାଖରେ ଭୋଗ କରାଯାଇଥାଏ । ଶେଷରେ ମାଝ ଉଝୁଆଁ ମରିଲେ ଏଇ ଧାନ ଚାଉଳ ଜାଉ କରି ଘରର ସବୁଲୋକ ଖାଆନ୍ତି, ଖାଲି ବିବାହିତା ଝିଅକୁ ଛାଡ଼ି ଦେଲେ । ମାତ୍ର ଉତ୍ତର ଭାରତର ଯେଉଁ ଲକ୍ଷ୍ମୀପୂଜା ହୁଏ ସେଥିରେ ଲକ୍ଷ୍ମୀ ଓ ଗଣେଶଙ୍କ ମୂର୍ତ୍ତି ବା ଫଟୋ ପୂଜା କରାଯାଏ । ଯେଉଁଟା କି ଓଡ଼ିଶାରେ ନାହିଁ । ଓଡ଼ିଶାର ଲକ୍ଷ୍ମୀପୂଜାରେ କେବଳ ପ୍ରକୃତିର ସବୁ ଜିନିଷକୁ ନେଇ ପୂଜା କରାଯାଏ । ଯେମିତିକି କଳସ ଉପରେ ୫ପତ୍ରିଆ କି ୭ପତ୍ରିଆ ଆମ୍ବ ଡାଳ ତା ଉପରେ ଅଛଡ଼ା ନାସିଥିବା ନଡ଼ିଆ ଆଉ କଳସ ଯାହା ଉପରେ ରହେ, ତା ତଳେ ଅରୁଆ ·ଉଳ ବା ଧାନ ରଖାଯାଏ । ମାଣ ଭିତରେ ଧାନସହିତ ୧୦ଟି ଗୁଆ ଥୁଆ ହେଇଥାଏ । ସେଇଦିନ ନାରୀମାନେ ପୂଜା ନ କରିବା ପର୍ଯ୍ୟନ୍ତ କିଛି ଖାଇ ନଥାନ୍ତି । ସେଇଦିନ ସେମାନେ ଆଇଁଷ ଖା’ନ୍ତି ନାହିଁ ଓ ମୁଣ୍ଡ ଧୋଇ ସଫାଲୁଗା ପିନ୍ଧିଥାନ୍ତି । ସେଇ ଦିନଟିରେ ସେମାନେ ଘରଦୁଆର ଭଲ ଭାବରେ ସଫାସଫି କରିଥାନ୍ତି । ଭାତହାଣ୍ଡିରୁ କଳା ଛଡ଼େଇଥାନ୍ତି । ଆଉ ପିଲାମାନଙ୍କୁ ତାଗିଦା କରିଥାନ୍ତି ଯେ ସେମାନେ ଯେମିତି ଗୋଟିଏ ବି ଭାତ ତଳେ ପକେଇବେ ନାହିଁ ନ ହେଲେ ସେମାନେ ଲକ୍ଷ୍ମୀଛଡ଼ା ହୋଇଯିବେ । ଅବଶ୍ୟ ଓଡ଼ିଶା ରାଜ୍ୟରେ ବାରମ୍ବାର ତିରୋଟ ପଡୁଥିବାରୁ ବୋଧେ ବଳରାମ ଦାସ ୧୬ଶ ଶତାବ୍ଦୀରେ ଲକ୍ଷ୍ମୀପୁରାଣରେ ଧାନ, ଚାଉଳ ନଷ୍ଟ ନ କରିବାକୁ କହିଛନ୍ତି ଆଉ ଏଇକଥା ସବୁ ଜେଜେ ମା, ମାଠାରୁ ପିଲାମାନେ ଶୁଣିଥାନ୍ତି ଆଉ ସେମାନେ ତାଙ୍କ ପିଲାମାନଙ୍କୁ କହନ୍ତି । ଅନ୍ୟ କଥାରେ କହିବାକୁ ଗଲେ ପୂର୍ବପୁରୁଷମାନେ ତିରୋଟରେ ଭୋଗିଥିବାରୁ ତାଙ୍କ ପିଲା ଓ ନାତି ନାତୁଣୀମାନଙ୍କୁ ଭାତ ନଷ୍ଟ ନ କରିବାକୁ କହିଥାନ୍ତି ।

ନୂଆଖାଇ ପର୍ବ ଓ ନାରୀ

ଏଇ ପର୍ବଟି ଗଣେଶ ଚତୁର୍ଥୀର ପରଦିନ ପଡ଼େ । ଏଥିରେ ନାରୀମାନେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥାନ୍ତି । ସେମାନେ ସେଇଦିନ ଲକ୍ଷ୍ମୀପୂଜା କରିଥାନ୍ତି ଓ ସମ୍ବଲପୁରୀ ଶାଢ଼ୀ ପିନ୍ଧି ଝିଅମାନେ ଏକାଠି ନାଚିଥାନ୍ତି । ତା’ଛଡ଼ା ଝିଅମାନଙ୍କୁ ଧାନର ପ୍ରଥମ କେଣ୍ଡାଟିମାନ ଦିଆଯାଇଥାଏ । ଏଇ ପର୍ବଟିରେ ପରିବାରର ସମସ୍ତେ ଏକାଠି ହୋଇଥାନ୍ତି । ଏଥିରେ ନୂଆ ଧାନରୁ ଚାଉଳ ବାହାର କରି ରାନ୍ଧିକରି ଖାନ୍ତି । ସମ୍ବଲପୁରରେ ନାରୀମାନେ ସମଲେଶ୍ୱରୀ ଠାକୁରାଣୀଙ୍କ ପାଖକୁ ଯାଇଥାନ୍ତି । ନୂଆଖାଇର ଅର୍ଥ ହେଲା ଏଥିରେ ଲୋକମାନେ ଭଲ ଧାନ ପାଇଥିବାରୁ ଓ ଭଲ ବର୍ଷା ହେଇଥିବାରୁ ଆଉ ଏଥିରେ ଚାଷପାଇଁ ଅନୁକୂଳ ହୋଇଥିବାରୁ ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜା କରନ୍ତି । ନୂଆଖାଇକୁ ଆଦିବାସୀ ଓ ହିନ୍ଦୁମାନେ ସମସ୍ତେ ପୂଜା କରନ୍ତି । ଏଥିରେ ଧାନ ଚାଉଳ ଯେଉଁଟାକି ଆମ ଦେହକୁ ଗଢ଼ିଛି, ତାକୁ ହିଁ ପୂଜା କରାଯାଏ ।

ସବୁଆଡ଼େ ଲକ୍ଷ୍ମୀପୂଜାରେ ମଧ୍ୟ ସେମିତି କରାଯାଏ । ଏଇପର୍ବଟି ବୈଦିକ ଯୁଗରୁ ଚଳି ଆସୁଛି ଏଇ ପର୍ବରେ ପ୍ରଥମ ଧାନଗୁଡ଼ିକ ଲକ୍ଷ୍ମୀମାନଙ୍କୁ ଦେଇ ପୂଜା କରାଯାଇଥାଏ । ତା’ପୂର୍ବରୁ ସ୍ତ୍ରୀ ଲୋକମାନେ ଘର ସବୁ ଗୋବର ପାଣିରେ ପୋଛିଥାନ୍ତି । ଆଉ ଏକ ବଡ଼ ପର୍ବ ମକର ସଂକ୍ରାନ୍ତି ମଧ୍ୟ ଓଡ଼ିଶାରେ ପାଳନ କରଯାଏ । ଏଇ ସଂକ୍ରାନ୍ତିଠାରୁ ଦିନ ବଡ଼ ହୋଇଥାଏ । ସଂକ୍ରାନ୍ତି ଦିନ ମକର ଚାଉଳ କରାଯାଏ ଓ ଝିଅବୋହୂମାନେ ମକର ଚାଉଳ ସାଙ୍ଗମାନଙ୍କୁ ମକର ବସନ୍ତି । ସେଇଦିନ ସ୍ତ୍ରୀ ଲୋକମାନେ କଳା ଶାଢ଼ୀ ପିନ୍ଧିଥାନ୍ତି, କାରଣ ଏହାଦ୍ୱାରା ସେମାନଙ୍କୁ ଆରାମ ମିଳେ ଓ ପ୍ରକୃତିର ଯେଉଁ ପ୍ରଭାବ ସେଇ ପ୍ରଭାବଟା ଅନୁଭବ କରିଥାନ୍ତି । ଏଇ ପର୍ବପର୍ବାଣିରୁ ଜାଣି ହେଉଛି ଯେ ନାରୀମାନଙ୍କର ପ୍ରକୃତି ସହିତ କେତେ ଗହରିଆ ସମ୍ବନ୍ଧ ଅଛି । ତା’ଛଡ଼ା ସେଇମାନେ ବିଶେଷ କରି ଆଦିବାସୀ ମହିଳାମାନେ ଜଙ୍ଗଲରେ ଥିବା ଟୁଣୁଟୁଣିକିଆ ଔଷଧ, ଜଙ୍ଗଲ କାଠ, ଖାଦ୍ୟ ଯେମିତି କେନ୍ଦୁ, ମହୁଲ, କନ୍ଦମୂଳ ଇତ୍ୟାଦି ଆଣି ଖାଉଥିଲେ । ସେଇ ଆଦିବାସୀ ମହିଳାମାନେ ଜାଣିଥିଲେ ଯେ, ପ୍ରକୃତି ମାର ତାଙ୍କ ପ୍ରତି ଅବଦାନ କେତେ ।

ବର୍ତ୍ତମାନ ମୁଁ ଆଉ ଗୋଟିଏ ରାଜ୍ୟରେ ମହିଳା ଓ ପ୍ରକୃତି କେମିତି ଓତଃପ୍ରୋତ ଭାବେ ଜଡ଼ିତ ସେଇ ବିଷୟରେ କହିବି । ଏଇ ଆନ୍ଦୋଳନ ବର୍ତ୍ତମାନ ମୃତ, ମାତ୍ର ତାର ପ୍ରଭାବ ଦେଶ ବିଦେଶରେ ଖୁବ୍ ପଡ଼ିଛି । ସେଇଟି ହେଉଛି ଉତ୍ତରାଖଣ୍ଡର ଚିପ୍କୋ ଆନ୍ଦୋଳନ । ଏଥିରେ କେମିତି ସ୍ତ୍ରୀ ଲୋକମାନେ କଂପାନୀ ତରଫରୁ ଯେତେବେଳେ ଗଛ କାଟି କାଗଜ କଳ ବା ରେଳ ବଗି ତଥା ରେଲ ପଟରିପାଇଁ କାଠ ନବାକୁ ଚାହୁଁଥିଲେ ସେତିକିବେଳେ ସ୍ତ୍ରୀ ଲୋକ ଓ ଝିଅ ଏବଂ କଲେଜ ପିଲାଏ ପ୍ରତ୍ୟେକ ଗଛକୁ କୁଣ୍ଢେଇ କରି ରଖୁଥିଲେ । ସେମାନେ ବେଶୀ ଶିକ୍ଷିତ ନଥିଲେ ମାତ୍ର ଗଛ ଯେ ପରିବେଶ ଏବଂ ଜଳବାୟୁର ପ୍ରଭାବକୁ କମ୍ କରିବା ପାଇଁ କେତେ ଜରୁରୀ, ସେଥିରୁ ପ୍ରମାଣିତ ହେଉଛି । ଚିପ୍କୋ ଆନ୍ଦୋଳନ ୧୯୭୦-୧୯୮୦ ଦଶକରେ ହୋଇଥିଲା । ମାତ୍ର ବହୁ ପୂର୍ବରୁ ୧୭୩୦ ମସିହାରେ ରାଜସ୍ଥାନରେ ଅମୃତା ଦେବୀ ନାମକ ଜଣେ ଗାଉଁଲୀ ମହିଳା ୩୨୩ ଜଣ ବିଶୋଇମାନଙ୍କୁ ନେଇ ଗୋଟିଏ ଖଜୁରୀ ଗଛକୁ ଯାଇ କୁଣ୍ଢେଇ କରି ଧରିଥିଲେ । ଅମୃତା ଦେବୀ କହିଥିଲେ ରାଜସ୍ଥାନ ଭଳି ରାଜ୍ୟରେ ଖଜୁରୀ ଗଛ ରହିବା ବହୁତ ଜରୁରୀ କାରଣ ଖଜୁରୀ ଗଛ ରହିଲେ ମାଟିତଳେ ପାଣି ରହେ, ଆଉ ଖଜୁରୀଗଛ ଖାଦ୍ୟ ଯୋଗାଇ ଥାଏ । ମାତ୍ର ସେମାନଙ୍କୁ ସେଇ ରାଜ୍ୟର ରାଜା ମାରି ଦେଇଥିଲେ । ଚିପ୍କୋ ଆନ୍ଦୋଳନ ଆରମ୍ଭହେଲା ୧୯୮୦ଦଶକରେ । ଚିପ୍କୋରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇ ଥିବାରୁ ଏଇ ଆନ୍ଦୋଳନକୁ ମହିଳାକୈନ୍ଦ୍ରିକ କୁହାଯାଏ । ମହାତ୍ମା ଗାନ୍ଧୀଙ୍କ ନୀତିରେ ଅନୁପ୍ରାଣିତ ହୋଇ ତଥା ପରିବେଶକୁ ଆଉ ଜଣେ ଇଂଲଣ୍ଡର ଆଉ ଜର୍ମାନୀ ଓ ଅଷ୍ଟ୍ରେଲିଆର କେତେ ଜଣ ଆସି ମାଳୟର ପେନାଙ୍ଗରେ ବରାମ ନଦୀରେ ଥିବା କାଠ କମ୍ପାନୀ ପାଖରେ ପହଞ୍ଚିଲେ । ସେମାନଙ୍କୁ ପଚରାଗଲା ଯେ ସେମାନେ କିଏ, ସେମାନେ ଉତ୍ତରଦେଲେ ଯେ ସେମାନେ ହେଲ ଚିପ୍କୋ ମେଣ୍ଡେସ ପେନାନ । ସେମାନେ ଗଛ କାଟିବା ବନ୍ଦକରି ଜଙ୍ଗଲକୁ ବଂଚେଇବା ପାଇଁ ଆସିଛନ୍ତି । ସେଠି ଥିବା ଶିକାର ଓ ବଣ ଜଙ୍ଗଲରୁ ଖାଦ୍ୟ ଯୋଗାଡ଼ କରୁଥିବା ଆଦିବାସୀମାନଙ୍କୁ ରକ୍ଷା କରିବା ପାଇଁ ଆସିଛନ୍ତି । ତାଙ୍କୁ ସ୍ଥାନୀୟ ପୁଲିସ କିଛି ଦିନପାଇଁ ବନ୍ଦୀ କରି ରଖିଲେ । କିନ୍ତୁ ଶେଷରେ ସେମାନଙ୍କ ଉଦ୍ୟମ ସଫଳ ହେଲା ଚିପ୍କୋର ପ୍ରଭାବ ବ୍ରାଜିଲରେ ଥିବା ଆମାଜନର ଜଙ୍ଗଲରେ ଥିବା ରବରର ରସ ତୋଳାଳିମାନଙ୍କ ବିରୁଦ୍ଧରେ ଯେଉଁ ଆନ୍ଦୋଳନ ଚାଲିଛି, ସେଥିରେ ମଧ୍ୟ ପଡ଼ିଛି । ଚିପ୍କୋ ଆନ୍ଦୋଳନର ଆଉ ଗୋଟିଏ ବଡ଼ କାରଣ ଥିଲା ଉଦାରବାଦୀ ଅର୍ଥନୀତି ଯୋଗୁଁ କମ୍ପାନୀମାନଙ୍କୁ ପ୍ରାକୃତିକ ସମ୍ପଦ ଦେଇଦେବା ସାଙ୍ଗେ ସାଙ୍ଗେ ଉତ୍ତରାଖଣ୍ଡର ଖଣିଜ ଦ୍ରବ୍ୟ, ପାଣି, ଜଙ୍ଗଲ ଓ ଔଷଧଜାତୀୟ ଦ୍ରବ୍ୟ ସବୁକିଛି ଅନ୍ୟମାନଙ୍କ ପାଇଁ ମଧ୍ୟ ଦରକାର । ତେଣୁ ସେଠିକାର ନେତାମାନେ ଯଥା ଚଣ୍ଡି ପ୍ରସାଦ ଭଟ୍ଟ ଓ ସୁନ୍ଦରଲାଲ ବହୁଗୁଣା କହିଲେ ଯେ ସମସ୍ତ ପ୍ରକାରର ପ୍ରାକୃତିକ ସମ୍ବଳର କେମିତି ସଦ୍ ବିନିଯୋଗ ହେବ, ସେଥିପାଇଁ ସବୁଲୋକେ ଏକାଠି ହୋଇ ବିଚାର କରନ୍ତୁ ସେଇ ଅନୁସାରେ ଉଚିତ୍ ନିଷ୍ପତ୍ତି ନେଇ ସେ ଦ୍ରବ୍ୟ ଓ ବ୍ୟବହାର କରନ୍ତୁ । କାରଣ ତାଙ୍କ ତଥା ଅନ୍ୟାନ୍ୟ ନେତା ଯେମିତି କି ଗଉରାଦେବୀଙ୍କ (ମହିଳା ମଣ୍ଡଳର ସଭାପତି) ମତରେ ଜଙ୍ଗଲ ହେଉଛି ଜଙ୍ଗଲବାସୀଙ୍କ ଅର୍ଥନୀତିରେ ଗୋଟିଏ ଅନୋଖା ସଂସ୍କୃତିର ପ୍ରତୀକ । ଏପରି ସଂସ୍କୃତି ଜଙ୍ଗଲ ନଥିବା ଅଂଚଳରେ ନାହିଁ । ଯଦି ଜଙ୍ଗଲ ସବୁ ଧ୍ୱଂସ ହୋଇଯିବ , ଆଉ ତା’ ଭିତର ଦେଇ ରାସ୍ତାଘାଟ ଓ କଳକାରଖାନା ହେବ ତେବେ ପାର୍ବତୀୟ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯିବ । ତା’ଛଡ଼ା ହିମାଳୟର ପର୍ବତଗୁଡ଼ିକ ଖାଲି ପାହାଡ଼ର ଲୋକମାନଙ୍କ ପାଇଁ ଦରକାର ନୁହେଁ । ଅନ୍ୟମାନେ ଯେଉଁମାନେ ସମତଳ ଅଞ୍ଚଳରେ ରହନ୍ତି ସେମାନଙ୍କ ଜୀବିକାପାଇଁ ମଧ୍ୟ ଅତ୍ୟନ୍ତ ଉପାଦେୟ । ଚିପ୍କୋ ଆନ୍ଦୋଳନ ଦେଖେଇ ଦେଲା ଯେ ପୃଥିବୀରେ ଯେଉଁ ଉଦାରବାଦୀ ଅର୍ଥନୀତି ତଥା ରାଜନୀତି ଚାଲିଛି ତା’ଠାରୁ ସେଇଟା ବହୁତ ନିଆରା । ସେଠିକାର ଲୋକେ ବିଶେଷ କରି ମହିଳାମାନେ ଏଇ ପ୍ରାକୃତିକ ସମ୍ବଳକୁ କେମିତି ଭାବରେ ସଂରକ୍ଷଣ କରିବେ, ସେଇଟା ଜାଣିଛନ୍ତି । ଚିପ୍କୋ ଆନ୍ଦୋଳନ ହେଉଛି ଆଧୁନିକ ସମାଜରେ ପରିବେଶ ଓ ସଂସ୍କୃତିର ଅବନତିରୁ ରକ୍ଷା କରିବା ପାଇଁ ଏକ ପ୍ରତୀକ । ଯାହା କେବଳ ଆଦିବାସୀ ଦଳିତ ଓ ଅନ୍ୟ ନାରୀମାନେ ହିଁ ଦେଖେଇ ପାରିଛନ୍ତି । କେବଳ ସେଇମାନେ ହିଁ ଜାଣିଛନ୍ତି ଯେ ନିଜ ଗାଁରେ ଯେଉଁ ପ୍ରାକୃତିକ ସମ୍ପଦ ଅଛି ତାର ସଦବ୍ୟବହାର କଲେ ହିଁ ଗାଁର ଉନ୍ନତି ହେଇପାରିବ ।

ସେମିତି ଆଫ୍ରିକା ମଧ୍ୟ ଆଉ ଗୋଟିଏ ମହାଦେଶ ଯେଉଁଥିରେ ଜଳବାୟୁ ପରିବର୍ତ୍ତନ ବହୁ ପରିମାଣରେ ଅନୁଭୂତ ହେଉଛି । ଏହା ଫଳରେ ବିଭିନ୍ନ ଜାଗାରେ ଗରିବୀ ପାଣିର ଅଭାବ, ବିଭିନ୍ନ ପ୍ରକାରର ରୋଗରେ ଲୋକମାନେ ପୀଡ଼ିତ ହେଉଛନ୍ତି । ଯାହାଫଳରେ ନାରୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଲିଙ୍ଗଗତ ଅସମାନତା ବଢ଼ୁଛି । ମାତ୍ର ଖୁସିର କଥା ଯେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଲେ ବି ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ସେଇ ନାରୀମାନେ ହିଁ ଛାମୁଆ କର୍ମୀ ହିସାବରେ କାମ କରୁଛନ୍ତି । ସେଇ ନାରୀମାନେ ହିଁ ନିଜର ପରିବାର ନିରାପତ୍ତା ପାଇଁ କାମ କରନ୍ତି, ତା ସାଙ୍ଗେ ସାଙ୍ଗେ ନିଜର ଗୋଷ୍ଠୀ କେମିତି ଜଳବାୟୁ ପରିବର୍ତ୍ତନକୁ ପ୍ରଭାବରୁ ମୁକ୍ତ ରହିବ, ସେଥିପାଇଁ ମଧ୍ୟ ଚିନ୍ତା କରନ୍ତି ଆଉ ସେଇମାନେ ହିଁ, ପ୍ରାକୃତିକ ସମ୍ବଳ କେମିତି ସେମାନଙ୍କ ଗୋଷ୍ଠୀର ମଙ୍ଗଳ ପାଇଁ କାର୍ଯ୍ୟକାରୀ ହବ , ସେ କଥା ମଧ୍ୟ ବିଚାରକୁ ଆଣିଥାନ୍ତି । ସବୁଡୁ ବଡ଼ କଥା ହେଉଛି ଯେ ଯେଉଁମାନେ ପ୍ରାକୃତିକ ସମ୍ବଳ ତଥା କୃଷିଉପରେ ନିର୍ଭର କରନ୍ତି ସେଇମାନେ ହିଁ ସବୁଠୁ ବେଶୀ ଜଳବାୟୁ ପରିବର୍ତ୍ତନରେ ପ୍ରଭାବିତ ହେଇଥାନ୍ତି । ତେଣୁ ଜାତିସଂଘ ପ୍ରତିନିଧିମାନଙ୍କ ମତରେ କେବଳ ନାରୀମାନେ ହିଁ ଛାମୁଆକର୍ମୀ ହୋଇ ଅନ୍ୟାନ୍ୟ ମହିଳା ସଂଗଠନ ସହିତ କାମ କରି କେମିତି ଏକ ଦୀର୍ଘମିଆଦୀ ଉନ୍ନୟନ ଯୋଜନା କରିବେ ଏବଂ ସମାଜରେ ଆଣିବା ଯାହାଫଳରେ ନାରୀମାନେ ନିଜେ କିଛି ରୋଜଗାର କରିପାରିବେ ଓ ତା ସଙ୍ଗେ ସଙ୍ଗେ ଜଳବାୟୁ ପରିବର୍ତ୍ତନ ବେଳେ କିଛି ରୋଜଗାର ପନ୍ଥା ମଧ୍ୟ ବାହାର କରିପାରିବେ । ଆଉ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ନିଜର ପରିବାର ଓ ଗୋଷ୍ଠୀକୁ ରକ୍ଷା କରିପାରିବେ ।

ଉତ୍ତରାଞ୍ଚଳରେ ପାଟନା ନାମକ ଏକ ବନଦେବୀ ଅଛନ୍ତି । ମେକ୍ସିକୋର ମକା ଠାକୁରାଣୀ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହା କି ଯେ ମେକ୍ସିକୋରେ ମଧ୍ୟ ଲକ୍ଷ୍ମୀ ଠାକୁରାଣୀ ପରି ମକା ଠାକୁରାଣୀ ଅଛନ୍ତି । ଆମେ ଯେମିତି ଭାବୁ ଯେ ଅନ୍ନ ବିହୁନେ ପ୍ରାଣୀ ନାଶ ସେମିତି ସେମାନେ ଭାବନ୍ତି ଯେ ମକା ହିଁ ତାଙ୍କ ପାଇଁ ସବୁକିଛି । ସବୁଠୁ ମଜାକଥା ହେଲା ଯେ ପ୍ରଥମ ମକାଟି ଗୋଟିଏ ସ୍ତ୍ରୀ ଲୋକକୁ ଦିଆଯାଏ । ତା ଅର୍ଥ ହେଲା ସେ ଯେମିତି ସନ୍ତାନବତୀ ହେଉ (ଓଡ଼ିଶାର ନୂଆଖାଇରେ ବି ସେମିତି ହୁଏ) । ମେକ୍ସିକୋର ନାରୀ ତଥା ପୁରୁଷମାନେ ଭାବନ୍ତି ଯେ କେବଳ ଆମେ ହିଁ ପୃଥିବୀ ମା’ର ଦୁଃଖ ବୁଝିପାରୁ । ତାଙ୍କ ଆଦିବାସୀ ଅଞ୍ଚଳରେ କୃଷିପ୍ରାଣୀକୁ ମିଲପା ବା କିଚୁଆ ନାରୀ ବୋଲି ଭାବନ୍ତି । ତାଙ୍କ ନାଁ ବି ହେଉଛି ଲଜାନୋ । ତାଙ୍କ ପୂର୍ବ ପୁରୁଷମାନେ ଏକାଠି ହୋଇ କାମ କରୁଥିଲେ ଆଉ ସେମାନେ କେମିତି ମକା ସହିତ ଦିନ ଛୁଇଁ ମଧ୍ୟ ଲଗାଯିବ ଏକଥା ମଧ୍ୟ କହୁଥିଲେ । ତା’ଫଳରେ ମକା ଚାଷରେ ବାଳୁଙ୍ଗା ହବ ନାହିଁ । ସେମାନେ ଭାବନ୍ତି ମକା ହେଉଛି ତାଙ୍କର ସଂସ୍କୃତି, ତାଙ୍କ ଭିତରେ ରହି ଆସୁଥିବା ଜ୍ଞାନ, ଅସ୍ତିତ୍ୱ, ଗୀତ ଓ ପୃଥିବୀ ମାକୁ ସେଇ ମକା ହିଁ ରକ୍ଷାକରିବ । ସବୁଠୁ ପ୍ରଥମେ ମକା ହିଁ ମେକ୍ସିକୋରେ ହୋଇଥିଲା । ମକା ସହିତ ଅନେକ ଗପ, ରୀତିନୀତି ଯୋଡ଼ିହୋଇ ରହିଛି । ଯେତେବେଳେ ପରିବାରରେ ରାତ୍ରିଭୋଜନ ସରେ ସେତେବେଳେ ଜେଜେବାବା ବା ବାପା ବସି ପିଲାମାନଙ୍କୁ ମକାର ମହତ୍ୱ କ’ଣ ସେ ବିଷୟରେ କହନ୍ତି । ଦକ୍ଷିଣ ଆମେରିକାରେ ମାୟାମାନେ ବିଶ୍ୱାସ କରନ୍ତି ଯେ ମଣିଷ ଜାତି ମକାରୁ ହିଁ ଜନ୍ମ ନେଇଥାନ୍ତି । ଏଇ ଗପଟି ଖାଲି ମକା ସହିତ ନୁହେଁ; ଅନ୍ୟାନ୍ୟ ଗଛବୃକ୍ଷ, ଜୀବଜନ୍ତୁ ଆଉ ପାଣିସହିତ ମଧ୍ୟ ସମ୍ବନ୍ଧ ଅଛି । ମାୟାମାନେ ପରସ୍ପର ଉପରେ ନିର୍ଭର କରିଥାନ୍ତି । ଏମାନେ ମକାକୁ ଟିଓସଂଟଲ୍ ବୋଲି କହନ୍ତି । ମକାଚାଷ କୁଆଡ଼େ ମେକ୍ସିକୋରେ ୩୦୦୦ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ମାତ୍ର ବର୍ତ୍ତମାନର ସରକାରଙ୍କ ନୀତିନିୟମ ମକା ଚାଷ ବା ଅନ୍ୟାନ୍ୟ ପ୍ରାକୃତିକ ସଂପଦକୁ ରଖିବାପାଇଁ ଚାହୁଁନାହାନ୍ତି । ତା ଛଡ଼ା ଜଙ୍ଗଲରୁ ଅନେକ ଗଛ କାଟି ଦିଆଯାଉଛି । ଅନେକ ଜାଗାରେ ଖଣି ସବୁଖେଳା ହେଇ ବିଭିନ୍ନ ପ୍ରକାରର ଧାତବ ଦ୍ରବ୍ୟ ସବୁ ରପ୍ତାନି କରାଯାଉଛି । ସେମାନେ କହୁଛନ୍ତି ଯେ ମକାଚାଷ ଏତେ ଲାଭଦାୟକ ହଉ ନାହିଁ । ଜଳବାୟୁର ପରିବର୍ତ୍ତନରେ ଖାଲି ମକା ନୁହଁ; ଅନ୍ୟାନ୍ୟ ଫସଲ ମଧ୍ୟ ପ୍ରଭାବିତ ହେଉଛି । ତା’ ସାଙ୍ଗେସାଙ୍ଗେ ନାରୀମାନେ ମଧ୍ୟ ବେଶୀ ଭାଗରେ ପ୍ରଭାବିତ ହେଉଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଏବେ ବି ତାଙ୍କ ଦେଶର ସ୍ତ୍ରୀ ଲୋକମାନେ ଏକାଠି ବସି ତମାଲେ (ସକାଳୁ ଚୁନା କରି କଦଳିପତ୍ର ଭିତରେ ରଖି ସିଝେଇ ଥାନ୍ତି ଓ ତାକୁ ଖାଇଥାନ୍ତି) ପ୍ରାୟ ଆମ ଏଣ୍ଡୁରି ପିଠାଭଳି । ମକା ଠାକୁରାଣୀଙ୍କ ରଙ୍ଗ ଅଲଗା ଅଲଗା ହୋଇଥାଏ ଧଳା, ଲାଲ,ହଳଦିଆ ଆଉ ନେଳୀ । ମକା ଠାକୁରାଣୀଙ୍କ ନାଁ ହେଉଛି ଚିକୋମେକାଟି । ତାଙ୍କୁ ସାତୋଟି ସପ ମହିତ ତୁଳନା କରଯାଏ । ମକାଚାଷ ପରେ ସ୍ତ୍ରୀ ଲୋକମାନେ ମକା ବିଲରେ ନାଚନ୍ତି । ଓ ପାଞ୍ଚେଟି ମକା ବିଲରୁ ତୋଳି ନାଚି ନାଚି ଓ ଗୀତ ଗାଇ ଚିକାମେକୋଟି ମନ୍ଦିରକୁ ଯାଇ ସେଠିକି ତାଙ୍କୁ ଭେଟି ଦିଅନ୍ତି । ଚିକେମମେକୋଟି ଠାକୁରାଣୀ ମକାର ଭଲ ଫସଲ ପାଇଁ ସାହାଯ୍ୟ କରନ୍ତି, ତା’ସାଙ୍ଗେ ସାଙ୍ଗେ ମଣିଷମାନଙ୍କୁ ଗଢ଼ିବା ପଛରେ ଅଛନ୍ତି ବୋଲି ମାଆମାନେ ବିଶ୍ୱାସ କରନ୍ତି । ତା’ଛଡ଼ା ଚିକୋମେକୋଟି ମକା ବଢ଼ିବାରେ ସାହାଯ୍ୟ କରନ୍ତି ଚିକେମେକୋଟିଙ୍କ ଦେହ ହଉଛି ଲାଲ ଓ ମୁହଁଟି ହଳଦିଆ, ଥରେ ଥରେ ଗୋଟିଏ ହଳଦିଆ ସୂର୍ଯ୍ୟମୁଖୀ ଫଳକୁ ଆଢ଼ୁଆଳ କରି ଚାଲନ୍ତି । ଥରେ ଥରେ ତାଙ୍କ ମୁଣ୍ଡରେ ଗୋଟିଏ ମୁକୁଟ ଝଲସୁଥାଏ । ମୁକଟଟି ତାଙ୍କ ଗାଲ ପର୍ଯ୍ୟନ୍ତ ପଡ଼ିଥାଏ । ଏଇ ଠାକୁରାଣୀ ଏତେ ଶକ୍ତିଶାଳୀ ଯେ ସେ ରାଗିଗଲେ ମାୟାଙ୍କ ରାଜ୍ୟରେ ମରୁଡ଼ି ପଡ଼େ । ଥରେଥରେ ତାଙ୍କୁ ଗୋଟିଏ ମକା ଧରି ଆସୁଥିବାର ମଧ୍ୟ ବିଶ୍ୱାସ କରାଯାଏ । ତା ଛଡ଼ା ତାଙ୍କର ଆଉ ଗୋଟିଏ ମକା ମା’ ଅଛନ୍ତି ଯେ ମକା ମା ମାନେ ଗୋଷ୍ଠୀଟିକୁ ଏକାଠି ରଖନ୍ତି, ଭଲ ମକା ଫଳେଇବାରେ ମଧ୍ୟ ସାହାଯ୍ୟ କରନ୍ତି । ତାଙ୍କୁ ସେଇ ଗୋଷ୍ଠୀର ମେରୁଦଣ୍ଡ ବୋଲି ଧରାଯାଏ ।

ଜଳବାୟୁ ପରିବର୍ତ୍ତନ ତଥା, ଦେଶି ମକା ଆଉ ଉତ୍ପନ୍ନ ହେଉ ନଥିବାରୁ ନାରୀମାନେ ଆଜିକାଲି ବେଶୀ ପ୍ରଭାବିତ ହେଉଛନ୍ତି ଓ ଲିଙ୍ଗ ବୈଷମ୍ୟର ଶିକାର ହଉଛନ୍ତି । ଏହା ଫଳରେ ତାଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ହେଉଛି । ତେଣୁ ସେଇ ସମାଜରେ ସକ୍ରିୟ କାମ କରୁଥିବା ସାମାଜିକ କର୍ମୀମାନେ ମକାର ବିଭିନ୍ନ ଉପାଦେୟତା ବିଷୟରେ ଏବେ ଲୋକମାନଙ୍କୁ ଚେତେଇଛନ୍ତି ଓ ବିଭିନ୍ନ ପ୍ରକାରର ଦେଶି ମକା ଜାତୀୟ ଖାଦ୍ୟ ସବୁ ଖୁଆଉଛନ୍ତି । କିଛି ମାତ୍ରାରେ ଆମ ରାଜ୍ୟର ମିଲେଟ ମିଶନ ଭଳିଆ ।

ଏଠି ଅବଶ୍ୟ ଚିପ୍କୋ ପରି ଆନ୍ଦୋଳନ ହୋଇ ନାହିଁ ମାତ୍ର ସ୍ତ୍ରୀ ଲୋକମାନେ ଯେ ମକାର ସଂସ୍କୃତିକୁ ବଜାୟ ରଖି ପୃଥିବୀ ମା’କୁ ଜଳବାୟୁ ପରିବର୍ତ୍ତନର କୁପ୍ରଭାବରୁ ରକ୍ଷା କରିଛନ୍ତି । ଏଥିରେ କିଛି ସନ୍ଦେହ ନାହିଁ ।

ଉପସଂହାର

ମୋଟ ଉପରେ କହିବାକୁ ଗଲେ ଆମେ ତିନୋଟି ମହଦେଶର ରାଜ୍ୟ-ଭାରତ, ଆଫ୍ରିକାର କେତେ ଦେଶ ତଥା ଦକ୍ଷିଣ ଆମେରିକାର ରାଜ୍ୟ ମେକ୍ସିକୋକୁ ଦେଖିଲେ ଯେ ଭାରତ ଓ ବ୍ରାଜିଲର ସ୍ତ୍ରୀ ଲୋକମାନେ ଜଙ୍ଗଲକୁ ରକ୍ଷା କରିବାପାଇଁ ଗଛକୁ କୁଣ୍ଢେଇ କରି ରଖିବା ବା ନିଜର ଜୀବନକୁ ପାଣିଛଡ଼େଇ ଦେବା ଅଥବା ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବା ଦେଖାଯାଇଛି । ତା’ଛଡ଼ା ମେକ୍ସିକୋରେ ତାଙ୍କର ପ୍ରଧାନ ଖାଦ୍ୟକୁ ତାଙ୍କର ଅସ୍ତିତ୍ୱ ବୋଲି ଧରି ନେଇଛନ୍ତି ଆଉ ମକା ଠାକୁରାଣୀଙ୍କୁ ନୂଆ ମକା ଦେଇ ପୂଜା କରୁଛନ୍ତି ଆଉ ତାଙ୍କ ସଂସ୍କୃତି ସହିତ ମକା ଓତଃପ୍ରୋତ ଭାବରେ ଜଡ଼ିତ । ଠିକ୍ ଲକ୍ଷ୍ମୀ ପୂଜା ସହିତ ଆମ ଧାନ ସଂସ୍କୃତିର ସମ୍ପର୍କ ପରି । ଆଉ ସେଇ ନାରୀମାନେ ହିଁ ତାଙ୍କର ସେଇ ଦେଶି ମକ୍କାକୁ ଲୋକପ୍ରିୟଭାବେ ବଜାୟ ରଖି ପୃଥିବୀମାନଙ୍କର ଜଳବାୟୁ ପରିବର୍ତ୍ତନରେ ହେଉଥିବା କୁପ୍ରଭାବାରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଯଦି ପ୍ରକୃତରେ କୌଣସି ସରକାର ଲୋକମାନଙ୍କର ମଙ୍ଗଳ ଚାହାଁନ୍ତି, ତେବେ ସେମାନେ ନାରୀ ଅଭିମୁଖୀ ଆଇନମାନ ଆଣିବା ଉଚିତ । କାରଣ ନାରୀ ହେଉଛି ସ୍ଥାନୀୟ ସଂସ୍କୃତିର ମୂଳଧାର । ବଣ ଜଙ୍ଗଲର ଔଷଧଗଛ, ଖାଇବାପାଇଁ ଫଳ, ମୂଳ ଓ ଆଶ୍ରୟ ପାଇଁ ପତ୍ର ବା ଛଣର ଉପଯୋଗିତା କ’ଣ କେବଳ ସେଇମାନେ ହିଁ ଜାଣନ୍ତି । ତା’ଛଡ଼ା ସେମାନେ ଗାଁବାଲାଙ୍କ ସହିତ ମିଶି କେଉ କାମ କଲେ ସମସ୍ତଙ୍କ ଉପକାର ହବ ସେ ବିଷୟରେ ଚିନ୍ତା କରନ୍ତି । ତେଣୁ ତାଙ୍କୁ ଅବହେଳା କଲେ ପୃଥିବୀ ମା ବି ଅବହେଳିତ ହୋଇପଡ଼ିବେ ।

Comments

0 comments

Share This Article