ଏ ପକ୍ଷର ଖବର

133 Views
9 Min Read

ମିଶନ ଶକ୍ତି କି ସୁଭଦ୍ରା ଶକ୍ତି

ଭୋଟ ରାଜନୀତିରେ ମହିଳାଙ୍କୁ କିପରି କାମରେ ଲଗାଯାଏ, ସେ କଥାଟି ବୋଧେ ପ୍ରଥମେ ଆରମ୍ଭ କରିଥିଲେ ବିଜୁବାବୁ । ବିଜୟାନନ୍ଦ ପଟ୍ଟନାୟକ । ଆମେ ଓଡ଼ିଶା କଥା କହୁଛୁ ଆଜ୍ଞା । ବିଜୁବାବୁ କହିଲେ ସିଏ ଜଣେ ମାଆର ଦୁଃଖଶୁଣି ସର୍ବନିମ୍ନ ମଜୁରୀ ୨୫ ଟଙ୍କା କରିଦେଲେ । ସୁମନି ଝୋଡ଼ିଆଙ୍କୁ ପୁଲିସ ପାୱାର ଦେଇଦେଲେ । ୩ ଭାଗରୁ ଭାଗେ ସିଟରେ ମହିଳାଙ୍କୁ ନିର୍ବାଚନ ଲଢ଼ିବାକୁ ଛାଡ଼ିଦେଲେ । ତାଙ୍କ ପୁଅ ନବୀନ ବାବୁ ଯେତେବେଳେ ସରକାରକୁ ଆସିଲେ ସିଏ ମହିଳାଙ୍କୁ ହିଁ ଭୋଟ ପାଇବାର ମୂଳ ସୂତ୍ର ବୋଲି ଭାବି ବସିଲେ । ଆଉ ତାଙ୍କର ସବୁଠୁ ବଡ଼ କଥା ହେଲା ବିଜେଡ଼ି ରାଜ୍ୟରେ ମିଶନ ଶକ୍ତି ବ୍ୟବସ୍ଥା ଆରମ୍ଭ କରି ମହିଳା ସ୍ୱୟଂସହାୟିକା ଗୋଷ୍ଠୀ, ଏସ୍ଏଚ୍ ଜି କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା କଥା କହିଲେ । ଯାହାକୁ ଦେଖି ବିଜେପି ମଧ୍ୟ ନିର୍ବାଚନ ବୈତରଣୀ ପାର ହେବାକୁ ମହିଳା ଭୋଟକୁ ଟାର୍ଗେଟ କଲା । ଘୋଷଣା କଲା ଯେ ବିଜେପି ଯଦି ସରକାରକୁ ଆସିବ ପ୍ରତ୍ୟେକ ମହିଳାଙ୍କୁ ସିଧାସଳଖ ୫୦୦୦୦ ଟଙ୍କାର ଭାଉଚର ଦେଇଦେବ । ଯେନତେନ ପ୍ରକାରେଣ ବିଜେପି ସରକାରକୁ ଆସିଗଲା । ହେଲେ ଆସିଲାପରେ ଜାଣିଗଲା ଯେ ଭୋଟପୂର୍ବରୁ ଲୋକଙ୍କୁ ବଡ଼ ବଡ଼ ପ୍ରତିଶୃତି ଦେବା ସହଜ କଥା ହୋଇପାରେ ସରକାରକୁ ଆସିଲା ପରେ ତାକୁ କରି ଦେଖାଇବା ଜମା ସହଜ କଥା ନୁହେଁ । ଏତେ ପଇସା ଆସିବ କେଉଁଠୁ? ତେଣୁ ୨୦୨୪ ମସିହା ସେପ୍ଟେମ୍ବର ୧୭ତାରିଖରେ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ସୁଭଦ୍ରା ଯୋଜନା । ପ୍ରକୃତ କାମ ଆରମ୍ଭ ହେଲା ବେଳକୁ ୨୯ ଡିସେମ୍ବର ୨୦୨୪ ହୋଇଗଲା ଅବଶ୍ୟ । ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୫, ୮୨୫ କୋଟି ଟଙ୍କା ଦିଆଯିବ ବୋଲି କୁହାଗଲା । ହେଲେ ମହିଳାମାନଙ୍କୁ ପରୋକ୍ଷରେ କହି ଦିଆଗଲା ଯେ ଦୁଇଟି କଥା ଭୁଲିଯାଆ । ସେଥିରୁ ପ୍ରଥମଟି ହେଲା ଏକାଥରେ ୫୦୦୦୦ ଟଙ୍କା ପାଇବ ଓ ଦ୍ୱତୀୟଟି ହେଲା ସବୁ ମହିଳା ସୁଭଦ୍ରା ଟଙ୍କା ପାଇବେ । କାରଣ ଯେଉଁ ବଜେଟ ୫୫,୮୨୫ କୋଟି ଟଙ୍କା କଥା କୁହାଗଲା ସିଏ ପ୍ରକୃତରେ ୫ବର୍ଷ ଅର୍ଥାତ୍ ୨୦୨୪ରୁ ୨୦୨୯ ଭିତରେ ଖର୍ଚ୍ଚ ହେବ । ତେଣୁ ରାଜ୍ୟ ସରକାର ପ୍ରଥମ ସୁଭଦ୍ରା ଟଙ୍କା ମାତ୍ର ୫୦୦୦ ମିଳିବ ବୋଲି କହିଲେ । ଏଥିରେ ପୁଣି କୁହାଗଲା ଯେ ୧୮ରୁ ୬୦ବର୍ଷ ବୟସ୍କ ମହିଳାଙ୍କୁ ଏହା ମିଳିବ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମିଳିବ । ସହରୀ ନୁହେଁ ଗାଉଁଲୀ ମହିଳାଙ୍କ ଉପରେ ପ୍ରାଥମିକତା ଦିଆଯିବ । ଯିଏ ଏ ଟଙ୍କା ପାଇବାକୁ ଆବେଦନ କରିବେ ତାଙ୍କ ପାଖରେ ଏକ ସକ୍ରିୟ ଆଧାର କାର୍ଡ଼ ଓ ଏକ ଚାଲୁଥିବା ବ୍ୟାଙ୍କ ଖାତା ଥିବାର ଆବଶ୍ୟକତା ଅଛି । ତା’ଭିତରେ ମୋଟ ୫୦୦୦ ଟଙ୍କା ପାଇବାକୁ ଯୋଗ୍ୟ ମହିଳାଙ୍କ ସଂଖ୍ୟା କମାଇବାକୁ ଆହୁରି ଅନେକ କେଳେଙ୍କାରୀ ଭର୍ତ୍ତି କରାଗଲା । ଯେମିତିକି ଆଧାର କାର୍ଡକୁ ସକ୍ରିୟ ବ୍ୟାଙ୍କ ଖାତା ସହିତ ଯୋଡ଼ । ମହିଳା ଓ ଶିଶୁକଲ୍ୟାଣ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କହିଲେ ମୋବାଇଲ ଲିଙ୍କ ଦରକାର ନାହିଁ କିନ୍ତୁ ଗାଁ ଗହଳରେ ଦଲାଲମାନେ କହିଲେ ମୋବାଇଲ ସହିତ ଲିଙ୍କ ନଥିଲେ ହେବ ନାହିଁ । ବିଚରା ମହିଳା ଓ ତାଙ୍କ ଘର ଲୋକଙ୍କୁ ୫୦୦୦ଟଙ୍କା ପାଇବା ପାଇଁ ମୋବାଇଲ କିଣା ଓ ସିମକାର୍ଡ ପକାରେ ଗୁଡ଼ିଏ ପଇସା ଖର୍ଚ୍ଚ କରିବାକୁ ହେଲା । ପୁଣି ଦଲାଲ କହିଲେ ବ୍ୟାଙ୍କ କେୱାଇସି ନଥିଲେ ଗଲା । ଯେଉଁଥିରୁ ମହିଳାମାନେ ବୁଝିଗଲେ ଯେ ଏହା ଏକ ଦଲାଲ ପୋଷଣ ପାଇଁ ଉଦ୍ଦିଷ୍ଟ ପ୍ରଚାରସର୍ବସ୍ୱ କାର୍ଯ୍ୟକ୍ରମ ବ୍ୟତୀତ ଆଉ କିଛି ନୁହେଁ । ଏଥିପାଇଁ ବହୁ ମହିଳାଙ୍କୁ ବହୁ ପ୍ରକାରରେ ଘର ପରିବାର ଛାଡ଼ି ଶକ୍ତିକ୍ଷୟ କରିବାକୁ ହେଲା । ପୁଣି ସହରରେ ଏକୁଟିଆ ମାଆ(ସିଙ୍ଗଲ ମଦର), ୬୦ ବର୍ଷରୁ ଅଧିକ ବୟସ୍କା ମହିଳାଙ୍କୁ ନେଇ କେଳେଙ୍କାରୀ ଦେଖାଦେଲା । ମହିଳାଏ ବୁଝିଲେ ଇଏ ତାଙ୍କ କାମକୁ ନୁହେଁ । ମିଶନ ଶକ୍ତି ଯେତିକି ନିଶ୍ଚିତ ସେତିକି ସହଜ ଥିଲା । ବିଜେପି ସରକାରଙ୍କୁ ଲାଗିଲା ଯେ ଆଗେ ମିଶନ ଶକ୍ତିକୁ ବୁଡେଇବାକୁ ହେବ । ତେଣୁ ବିଜେପି ଏବେ ସୁଭଦ୍ରାକୁ ସୁଭଦ୍ରା ଶକ୍ତି ଯୋଜନା କରିଦେଇଛି । ତମର ମିଶନ ଶକ୍ତିକୁ ଆମର ସୁଭଦ୍ରା ଶକ୍ତି । ଆଉ ଏହି ଶକ୍ତିଯୁଦ୍ଧରେ ଯଦି କେହି ସବୁଠୁ କଷ୍ଟରେ ଅଛନ୍ତି ତାହେଲେ ସେମାନେ ହେଉଛନ୍ତି ମହିଳାମାନେ । ଯେଉଁମାନେ ଦଲାଲ ପାଇଁ ଅର୍ଥ ଖର୍ଚ୍ଚ କରି,ମୋବାଇଲ ପାଇଁ ଅର୍ଥ ଖର୍ଚ୍ଚ କରି, ବ୍ୟାଙ୍କ ଏଜେଂଟ ପାଇଁ ପଇସା ଖର୍ଚ୍ଚକରି ଶେଷରେ କିଛି ନ ପାଇଲେ ସେମାନଙ୍କ ସୁଭଦ୍ରା ଆଉ ଶକ୍ତି ନୁହେଁ ଏକ ଶକ୍ତିକ୍ଷୟ ଯୋଜନାରେ ପରିଣତ ହୋଇଯାଇଛି ବୋଲି ସେହି ଗ୍ରାମୀଣ ମହିଳାମାନେ କହୁଛନ୍ତି ।

ଗତପକ୍ଷରେ ଚାଷର ହାଲ୍: ମାସକରେ ୨୦ ଜଣ ଚାଷୀଙ୍କ ଆତ୍ମହତ୍ୟା!

ରାଜ୍ୟ ବିଧାନସଭାକୁ ଏକ ପବିତ୍ର ଗୃହ କୁହାଯାଏ । ଏହାକୁ ବିଶ୍ୱାସ କରନ୍ତୁ ବୋଲି ଆମେ କହୁ ନାହୁଁ । ବିଧାନସଭାରେ ସରକାର ନ ଗଢ଼ିିବା ପୂର୍ବରୁ ବିଜେପି ଯେତେ ସବୁ ମିଥ୍ୟା ପ୍ରତିଶୃତି ଦେଇଥିଲା ସେଥିରୁ ଗୋଟିଏ ବଡ଼ ପ୍ରତିଶୃତି ଥିଲା ଧାନର ମୂଲ୍ୟ (ଏମଏସପି) କୁଇଂଟାଲ ପିଛା ୩୧୦୦ ହେବ । ଏ ବିଷୟରେ ଆମେ ପୂର୍ବବର୍ତ୍ତୀ ସଂଖ୍ୟାରେ ତ ଆଲୋଚନା କରିଛେ । ଏଥର ଆସନ୍ତୁ ଦେଖିବା ବିଧାନସଭାରେ ଏ ବିଷୟରେ କ’ଣ କୁହାଗଲା ଆଉ ଚାଷୀର ହାଲ୍ କ’ଣ । ସେ ଯାହା ହେଉ ନହେଉ ସର୍ବଭାରତୀୟ ସ୍ତରର ଏକ କୃଷକ ସଙ୍ଗଠନ ଏଆଇକେଏସ କହୁଛି ଯେ ଓଡ଼ିଶାରେ ଗୋଟିଏ ମାସରେ ୨୦ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ବା ଫସଲ ଖରାପ ହେବା ଦୁଃଖରେ ହୃଦଘାତର ଶିକାର ହୋଇ ମରି ସାରିଛନ୍ତି ।
ଏଇପକ୍ଷ ଆରମ୍ଭରେ ଏହି କଥା ଉପରେ ବିଧାନସଭାରେ ଏକ ମୂଲତବୀ ପ୍ରସ୍ତାବ ଆସିଲା । କଂଗ୍ରେସର ତାରାପ୍ରସାଦ ବାହିନୀପତି କହିଲେ ଯେ ଧାନର ଗୁଣବତ୍ତା ଏଫ୍ଏକ୍ୟୁ ମିଳିବା ଲୋଭରେ ଚାଷୀ ଧାନକୁ ଅଗାଡ଼ିଶୂନ୍ୟ କରିବାକୁ ଦୁଇଥର ଉଡାଉଛି । ଧାନରୁ ଆର୍ଦ୍ରତା କମାଇବା ପାଇଁ ବହୁଦିନ ଶୁଖାଉଛି । ତା ସତ୍ତ୍ୱେ ମଣ୍ଡିରେ ୧୦ ରୁ ୧୫ କିଲୋ ଧାନ କଟନୀ/ଛଟନୀ ନାଁ’ରେ କଟାଯାଉଛି । ତାରା ଅଭିଯୋଗ କଲେ ଯେ ଏ ସରକାର ମିଲର ପିଛା ଲକ୍ଷେ ଟଙ୍କା ଲେଖାଁଏ ଆଦାୟ କରୁଛନ୍ତି । ଏହାକୁ ତାଙ୍କ ଦଳର ଅଶୋକ ଦାସ ମଧ୍ୟ ସମର୍ଥନ କରି କହିଲେ ଯେ ଏବେ ବାଡ଼ ହିଁ ଫସଲ ଖାଉଛି । ମନ୍ତ୍ରୀଙ୍କର ଅଫିସରଙ୍କ ସହିତ ସମ୍ପର୍କ ରହୁଛି ଓ ସେମାନେ ଖାଉଛନ୍ତି । ଦାସ ପଚାରିଲେ ଯେ- ‘ନା ଖାଉଁଗା…. ନା ଖାନେ ଦୁଁଗା’ କଥାଟି କୁଆଡ଼େ ଗଲା ? ବିଜେଡିର ଗଣେଶ୍ୱର ବେହେରା ପଚାରିଥିଲେ ଯେ ଏ ସରକାର କାହାପାଇଁ? ଚାଷୀ ପାଇଁ ନା ମିଲର ପାଇଁ? ମନ୍ତ୍ରୀ ନିଜେ କହୁଛନ୍ତି ଯେ ତାଙ୍କୁ ଆଇଏଏସ ବାବୁ କହୁଛନ୍ତି -ଏ ମାମଲାରେ ତମେ ମୁଣ୍ଡ ଖେଳାଅନି । ବେହେରା ପଚାରିଲେ ଯେ ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ଯେ ଯିଏ ଦୁର୍ନୀତି କରିବ ତାକୁ ଝାରପଡ଼ା ନହେଲେ ବରଗଡ଼ ପଠାଯିବ । କେତେଜଣ ଗଲେଣି ? ସେ କହିଥିଲେ ଯେଉଁ କଟନୀ/ଛଟନୀର ଅଭିଯୋଗ ଆସୁଛି; ତାର ତଦନ୍ତ ଗୃହ କମିଟି ଦ୍ୱାରା କରାଯାଉ । ବିଜେଡ଼ିର ସାରଦା ପ୍ରସନ୍ନ ଜେନା କହିଲେ ଯେ ଏଫଏକୁ୍ୟ ନାଁରେ ଚାଷୀଙ୍କୁ ଶୋଷଣ କରାଯାଉଛି । ଗ୍ରେନ ଆନାଲାଇଜର ନାଁରେ ଚାଷୀଙ୍କୁ ଭୟଭୀତ କରାଯାଉଛି ଓ କୁଇଂଟାଲରେ ୧୦ରୁ ୧୨କେଜି ଧାନ କାଢ଼ି ନିଆଯାଉଛି । ସେମାନଙ୍କର କହିବାକଥା ଧାନ କିଣାରେ ୧୦୦୦ରୁ ୧୨୦୦ କୋଟି ଟଙ୍କା ଲୁଟ ହେଲାଣି । ମନ୍ତ୍ରୀ କିନ୍ତୁ କହିଲେ ଯେ ସରକାର ଚାଷୀଙ୍କୁ ବହୁତ ପଇସା ଦେଇ ଦେଲେଣି । ଚଳିତ ଖରିଫ ଋତୁରେ ଫେବୃଆରୀ ୧୭ତାରିଖ ସୁଦ୍ଧା ୧୩ ଲକ୍ଷ ୫୭ ହଜାର ୨୨୪ଜଣ ଚାଷୀଙ୍କ ଠାରୁ ୬୧ଲକ୍ଷ ୬୭ ହଜାର ୪୮୮ ମେଟ୍ରିକ ଟନ ଧାନ କିଣାହୋଇ ଏମଏସପି ବାବଦରେ ୧୪,୨୦୮କୋଟି ଏବଂ ଏବଂ ଇନପୁଟ ସବସିଡି ବାବଦରେ ୪,୯୪୨ କୋଟି ଟଙ୍କା ଦିଆଯାଇ ସାରିଛି । କଟନୀ/ଛଟନୀ ଉପରେ ମନ୍ତ୍ରୀ କିଛି କହିଲେନି । ଚାଷୀଙ୍କ ଆତ୍ମହତ୍ୟା ଉପରେ ମନ୍ତ୍ରୀ କିଛି କହିଲେ ନାହିଁ । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୮ଟି ଧାନ ବୋଝେଇ ଗାଡ଼ି ଜବତ ହୋଇଛି । ଦୁଇଜଣ (ତଳସ୍ତରର) କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ (ନିଲମ୍ବିତ) ହୋଇଛି । ପାଠକେ! ଏଥିରୁ ଚାଷୀ ଯାହା ବୁଝିବା କଥା ବୁଝୁଛି । ଆପଣ କ’ଣ ବୁଝୁଛନ୍ତି ???

ବିଧାନସଭାରେ ଋଣ ରାଜନୀତି

ପାଠକେ! ଏବେ ଦେଶର ଅର୍ଥନୀତିଜ୍ଞମାନେ ରାଜ୍ୟ ସରକାରଙ୍କ ବିଶାରଦ ଅର୍ଥନୀତିଜ୍ଞମାନଙ୍କର କଥାକୁ ନେଇ ଚିନ୍ତାରେ ପଡ଼ିଗଲେଣି । ସେମାନେ ବୁଝିପାରୁ ନାହାନ୍ତି ଯେ ସେମାନେ ଅର୍ଥନୀତି ଓ ଏହାର ସୂତ୍ରକୁ ବିଶ୍ୱାସ କରିବେ ନା ଓଡ଼ିଶା ସରକାରଙ୍କ ଅର୍ଥନୀତିଜ୍ଞମାନଙ୍କୁ ବିଶ୍ୱାସ କରିବେ । ଓଡ଼ିଶା ସରକାରଙ୍କ ଅର୍ଥନୀତିଜ୍ଞ କହିଲେ ଆମେ ଏଇଆ ବୁଝୁଛୁ ଯେ ବିଜେପିର ଅର୍ଥନୀତିଜ୍ଞ ଯାହାଙ୍କୁ ରାଜ୍ୟ ସରକାର ପ୍ରକୃତ ଅର୍ଥନୀତିଜ୍ଞ ବୋଲି ମାନୁଛନ୍ତି । ଏପରି କହିବାର କାଣର ହେଉଛି ଯେ ମୁଖ୍ୟମନ୍ତ୍ରୀ ନିଜେ ଅର୍ଥନୀତି ବିଭାଗକୁ ହାତରେ ରଖିଛନ୍ତି । ଏଇ ମଉକାରେ ବହୁ ସନାତନୀ ତାଙ୍କ ପାଖରେ ପହୁଂଚି ନିଜର ମନୁବାଦୀ ଅର୍ଥନୈତିକ ଜ୍ଞାନଗୁଡ଼ାକୁ ଓଜାଡ଼ି ଦେବାରେ ଲାଗିଛନ୍ତି । ସେହି ଜ୍ଞାନର କିଛି ଅଗ୍ନିସ୍ଫୁରଣ ଏବେ ବିଧାନସଭାରେ ଦେଖିବାକୁ ମିଳିଛି । ମଉକା ଥିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବଜେଟ ଆଲୋଚନାର ଉତ୍ତର ପଢ଼ା ।
ବିରୋଧୀଦଳର ବିଧାୟକମାନେ ବଜେଟ୍ ଉପରେ ଆଲୋଚନା କରି ସରକାରଙ୍କୁ ଆଉ ରଖେଇ ଥୋଇ ଦେଇ ନଥିଲେ । ତାଙ୍କର ବଳହେଲେ ଅଫିସରିଆ ଦଳ । ମହାବୁଦ୍ଧିଆ । ହେଲେ ମୁଖ୍ୟମନ୍ତ୍ରୀ କ’ଣ ଛାଡିଦେବା ଲୋକ ନା କ’ଣ? ସେମାନେ ଏକେ-୪୭ ଚଲେଇଲା ବେଳକୁ ମୁଖ୍ୟମନ୍ତ୍ରୀ ତ୍ରିଶୂଳ ଖୋଲିକି ଫୋପାଡିଥିଲେ । ଛାଡ଼ିବେ ନା କ’ଣ?
ଏଇ ଋଣ କଥାକୁ ଦେଖୁନାହାନ୍ତି । ବିରୋଧୀଦଳିଆ ଗୋଟାଏ ବମ୍ ପକେଇଦେଲେ ଯେ ଏ ସରକାର ଋଣରେ ବିଶ୍ୱାସ କରୁଥିବା ଋଣଗସ୍ତ ସରକାର । ବିଶେଷ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥ୍ୟଗୁଡ଼ାକୁ ଧାଏଁ ଧାଏଁ କରି ଚଳାଇ ଦେଇଗଲେ । କହିଲେ ପୂର୍ବ (ନବୀନ) ସରକାର ୪ବର୍ଷରେ ମାତ୍ର ୭୮୦୦୦ କୋଟି ଟଙ୍କା ଋଣ କରିଥିବାବେଳେ ବର୍ତ୍ତମାନ (ମୋହନ)ସରକାର ୯ ମାସରେ ୯୧୦୦୦ କୋଟି ଋଣ କଲେଣି । ଇଏ ସାରା ରାଜ୍ୟଟାକୁ ଋଣଗ୍ରସ୍ତ କରିଦେବେ । ମୁଖ୍ୟମନ୍ତ୍ରୀ ତାଙ୍କ ତଥ୍ୟାସ୍ତ୍ର ବାହାରକଲେ । କହିଲେ କ’ଣ? ଆମେ ‘ଏହି ଅବଧି’ରେ ମାତ୍ର ୧୨,୮୯୮ କୋଟି ଟଙ୍କା ଋଣ କରିଛୁ । ୬ ମାସରେ ଋଣ ଭାର ମାତ୍ର ୪୯୪ କୋଟି ବଢିଛି । ହେଲେ ବିଶାରଦମାନେ ଜାଣିବା ଦରକାର ଯେ ସରକାର ଏଇଥରକ ଓମବାଡସି ବା କାମ୍ପା ପାଣ୍ଠିରୁ ଯେତିକି ଋଣ ଆଣିଛନ୍ତି, ତା’ର ସୁଧ ଓ ତାର କିଛି ଅଂଶର ପରିଶୋଧ ପାଇଁ ୨୦୨୫-୨୬ରେ ୨୩,୨୦୦ କୋଟି ଟଙ୍କା ଦରକାର ପଡ଼ିବ । ତମ ବଜେଟରେ ତା ପାଇଁ କିଛି ବ୍ୟବସ୍ଥା ଅଛି କି? ତମେ ସୁଧ ହିସାବ କରିଛ । ବର୍ଷ ଶେଷର ଓଡ଼ିଆଙ୍କ ମୁଣ୍ଡରେ ମୋଟ ଋଣ ପରିମାଣ ୧ଲକ୍ଷ ୩୪ ହଜାର ୯୧୪ କୋଟି ଟଙ୍କା ହୋଇଯିବ କି? ଏଭଳି ଅର୍ଥନୈତିକ ଅବସ୍ଥା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ତାଙ୍କ ଅର୍ଥନୀତିଜ୍ଞମାନେ ଲେଖିଥିବା କାଗଜ ପଢ଼ି କହୁଛନ୍ତି ଯେ ରାଜ୍ୟ ଏବେ ୭.୨% ଅଭିବୃଦ୍ଧି ହାସଲ କରିଛି । ଏହାକୁ ତାଙ୍କ ସରକାର ୧୩% ମାନେ ପାଖାପାଖି ଡବଲ କରିଦେବ । ୨୦୩୬ ସୁଦ୍ଧା ଓଡ଼ିଶା ୫୦୦ନିୟୁତ ଡଲାରର ଅର୍ଥନୀତି ହୋଇଯିବ । ଆମେ ଆଉ କିଛି ଲେଖିବୁ ନାହିଁ ଆଜ୍ଞା । ଆଉ କିଛି କହିବୁ ବି ନାହିଁ ।

Comments

0 comments

Share This Article