ଜଳବାୟୁ ସଂକଟରେ ଲିଙ୍ଗୀୟ ଅସମାନତାର ଶିକାର ନାରୀ

16 Min Read

ଅଧୁନା ଆମ ପୃଥିବୀ ଯେତେସବୁ ସଙ୍କଟମୟ ପରିସ୍ଥିତି ଭିତରେ ଗତି କରୁଛି, ତାହାର ସର୍ବାଗ୍ରରେ ରହିଛି ‘ଜଳବାୟୁ ପରିବର୍ତ୍ତନ’ । ବିଗତ ଦୁଇ-ତିନି ଦଶନ୍ଧି ମଧ୍ୟରେ ଆମେ ଅଳ୍ପବହୁତେ ଏହାର ପରିଣାମ ଅନୁଭବ କରୁଛେ । ଦିନକୁ ଦିନ ଉଷ୍ମତାର ତୀବ୍ରତା ବୃଦ୍ଧି ପାଇବା ସଙ୍ଗେସଙ୍ଗେ ଅଦିନିଆ ପ୍ରବଳ ବର୍ଷ ଓ କମ୍ ଶୀତର ପ୍ରକୋପ ଆମକୁ ବ୍ୟତିବ୍ୟସ୍ତ କରୁଛି । ଏହା ସହିତ ଉପକୂଳବର୍ତ୍ତୀ ଅଞ୍ଚଳମାନରେ ଭୟାବହ ଘୂର୍ଣ୍ଣିବାତ୍ୟା, ବାତ୍ୟା, ମହାବାତ୍ୟା ଓ ସୁନାମୀର ପ୍ରକୋପ ଆମଭିତରେ ସବୁବେଳେ ଏକ ଅହେତୁକ ଭୟ ସୃଷ୍ଟି କରୁଛି । ବାୟୁମଣ୍ଡଳୀୟ ଉଷ୍ମତା ବୃଦ୍ଧି ଯୋଗୁଁ ସମୁଦ୍ରଜଳର ଉଷ୍ମତା ବୃଦ୍ଧି ପାଉଛି ଓ ସମୁଦ୍ର ଜଳପତନର ଉଚ୍ଚତା ବଢ଼ି କୂଳ ଲଙ୍ଘନ କରୁଛି । ଏହାସାଙ୍ଗକୁ ରହିଛି ମେରୁ ଅଞ୍ଚଳରେ କୁଢ଼କୁଢ଼ ବରଫଖଣ୍ଡ ତରଳିବା, ଯାହା ପରିବେଶରେ ଉପକୂଳବର୍ତ୍ତୀ ଗାଁ, ସହରକୁ ମାଡ଼ିଆସୁଛି; ଯାହାକୁ ଆମେ Sea Erosion କହୁଛେ । ଆଣ୍ଟାର୍କଟିକା, ଉତ୍ତରମେରୁ, ଗ୍ରୀନଲାଣ୍ଡ ଉତ୍ତରାଂଶର ବରଫ ତରଳି ମହାସାଗରମାନଙ୍କର ଜଳସ୍ତର ବୃଦ୍ଧି କରିବାରେ ଲାଗୁଛି, ଆକଳନ କରାଯାଉଛି । ଏହିକ୍ରମରେ ଯଦି ସମୁଦ୍ର ଜଳସ୍ତର ବୃଦ୍ଧି ପାଏ, ତାହା ହେଲେ ଭବିଷ୍ୟତରେ ଉତ୍ତର ଆମେରିକାର ପୂର୍ବ ଉପକୂଳରେ ଥିବା ଗୁଡ଼ାଏ ସହର ଜଳମଗ୍ନ ହୋଇଯିବ । ଆମ ଭରତର ବମ୍ବେ, କୋଲକତା ଇତ୍ୟାଦି ବଡ଼ ବଡ଼ ନଗରୀ ଏଥିରୁ ବାଦ୍ ଯିବନାହିଁ । ଏକ ସଦ୍ୟତମ ବିବରଣୀରୁ ଜଣାଯାଏ ପଶ୍ଚିମବଙ୍ଗର ସାଗରଦ୍ୱୀପ ଯାହାକି କୋଲକତାରୁ ୧୨୦ କି.ମି ଦୂରେ ଅବସ୍ଥିତ, ସେଠାରେ ୧୦ବର୍ଷ ତଳେ ଗଙ୍ଗାସାଗର (ସମୁଦ୍ର) ଠାରୁ କପିଳ ମୁନି ଆଶ୍ରମ ୧୫୦୦ କି.ମି. ଦୂରରେ ଥିଲା । ବର୍ତ୍ତମାନ ସମୁଦ୍ର ଠାରୁ ଏହି ଆଶ୍ରମର ଦୂରତା କେବଳ ୪୭୦କି.ମି । ସେହିପରି ସମୁଦ୍ର ପତନଠାରୁ ଜୁଆର ଉଚ୍ଚତା ଯାହା ୪.୬ ମିଟର ଥିଲା, ତାହା ବୃଦ୍ଧିପାଇ ୭.୬ ମିଟରରେ ପହଞ୍ଚିଛି, ଏଥିରୁ ଜଣାଯାଏ ସମୁଦ୍ର କେତେ ପରିମାଣରେ କୂଳ ଲଙ୍ଘୁଛି । (The Hindu, Feb Pr, 2025) ଉଦବେଳିତ ସମୁଦ୍ରର ଅହରହ କୂଳ ଲଙ୍ଘନ କରିବା ପଛରେ ଏକ କାରଣ ରହିଛି, ତାହା ହେଲା ସମୁଦ୍ର ଉପକୂଳରୁ ଆମେ ନିରନ୍ତର ଭାବେ ହେନ୍ତାଳବଣ (Mangrooves)ନଷ୍ଟ କରି ଚାଲିଛେ । କାହିଁକି ନାଁ ଆମକୁ ସହର ସୁନ୍ଦରୀକରଣ କରି Marine Drive ତିଆରି କରିବା ଦରକାର । ଆଉ ଗୋଟିଏ ବଡ଼କଥା ହେଲା ଆମ ବାୟୁମଣ୍ଡଳରୁ ସମୁଦ୍ରଜଳ ଅଙ୍ଗାରକାମ୍ଳ ବାଷ୍ପକୁ ଶୋଷି ନେଇପାରେ, ତାହା ହେଉଛି ଆମପାଇଁ ପ୍ରକୃତିର ଏକ ଦାନ । ତେଣୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଲର ସ୍ତର ସହଜରେ ବୃଦ୍ଧି ପାଏ ନାହିଁ । କିନ୍ତୁ ସମୁଦ୍ରର ଉଷ୍ମଜଳ ଅଙ୍ଗାରକାମ୍ଳକୁ ଶୋଷି ନେଇପାରେ ନାହିଁ । ଫଳତଃ ସ୍ଥଳଭାଗରେ ଅଙ୍ଗାରକାମ୍ଳର ମାତ୍ରା ବଢ଼ି ବଢ଼ି ଚାଲେ ଓ ସ୍ଥଳ ଭାଗରେ ପ୍ରବଳ ଗରମ ଅନୁଭୂତ ହୁଏ । ମହାସାଗରୀୟ ଉଷ୍ମ ଜଳ ରାଶି ବାୟୁମଣ୍ଡଳରେ ସୃଷ୍ଟ ଲଘୁଚାପ ବଳୟକୁ ଅଧିକ ଶକ୍ତି ଯୋଗାଏ । ଯାହା ଫଳରେ ଏହା ଅଧିକା ଶକ୍ତିଶାଳୀ ହୋଇ ବାତ୍ୟା, ମହାବାତ୍ୟା ଓ ସୁନାମୀ ପରି ବିପଦ ସୃଷ୍ଟି କରେ ବା ଅବାଂଛିତ ପ୍ରବଳ ବୃଷ୍ଟିକରି ବନ୍ୟା କରାଏ । ଏସବୁ କାରଣ ଆମପାଇଁ ନୂଆ ନୁହେଁ । ଏହାର ସମ୍ପୂର୍ଣ୍ଣ ପ୍ରତିକାରର ପନ୍ଥା ଆମ ପାଖରେ ନାହିଁ । କାରଣ ହେଲା, ଆମର ପୃଥିବୀ ଉପରେ ଯେଉଁ ପ୍ରକାର ଅତ୍ୟାଚାର କରୁଛେ, ତାହାର କୌଣସି ବିକଳ୍ପ ନାହିଁ । ଅଙ୍ଗାରକାମ୍ଳ କାର୍ବନ୍ ମନୋକ୍ସାଇଡ଼ ଓ ନାଇଟ୍ରୋଜେନ୍ ଅକ୍ସାଇଡ଼ର ପରିମାଣ ବାୟୁମଣ୍ଡଳରେ ନିରନ୍ତର ବୃଦ୍ଧି ଘଟି ଚାଲିଛି । ତାହାକୁ ବନ୍ଦ କରିବ ବା କମ୍ କରିବା ପନ୍ଥା ରାଷ୍ଟ୍ରମାନେ ଆପଣାଇବାକୁ ପ୍ରସ୍ତୁତ ହେଉ ନାହାନ୍ତି, ଏହାର ମୁଖ୍ୟ କାରଣ ହେଲା ଆମେ ନିଜେ ଆମ ବାୟୁମଣ୍ଡଳର ସୁରକ୍ଷା କରିନାହୁଁ । ଅବିଚାରିତ ଜଙ୍ଗଲ ନଷ୍ଟ, ଖଣି ଖନନ ଚାଲିଛି କେବଳ ବିକାଶ ନାଁରେ । ବିକାଶ ଯେ ବିନାଶକୁ ଡାକି ଆଣୁଛି ଏ ସଂଜ୍ଞା ଆମ ମନ ଭିତରୁ ଦୂର ହୋଇଯାଇଛି । ବାୟୁମଣ୍ଡଳରେ କ୍ଳୋରୋଫ୍ଲୋରୋ କାର୍ବନର ମାତ୍ର ଏତେ ବଢ଼ିଚାଲିଛି, ଏହା ଆମର ବାୟୁମଣ୍ଡଳ ଉପରେ ଢାଲ ସଦୃଶ ରହିଥିବା ଓଜୋନ ବଳୟକୁ କ୍ରମଶଃ ପତଳା କରି ଏଥିରେ ରନ୍ଧ୍ର ତିଆରି କରିବାରେ ଲାଗିଛି ଫଳତଃ ସୂର୍ଯ୍ୟଠାରୁ ଆସୁଥିବା ଅତିବାଇଗଣି ରଶ୍ମୀ ଆମ ସଂସ୍ପର୍ଶରେ ଆସୁଛି । କେବଳ କ୍ଳୋରୋଫ୍ଲୋରୋ କାର୍ବନର ଅହେତୁକ ବୃଦ୍ଧି ଯୋଗୁଁ ଯେ ଆମ ଓଜୋନ ବଳୟର ଅବକ୍ଷୟ ଲାଗିରହିଛି ତାହା ନୁହେଁ, ବରଂ କେତେ ଦଶନ୍ଧି ଧରି ଆମେ ମାରାତ୍ମକ କୀଟନାଶକ ଔଷଧ ଜମିରେ ବ୍ୟବହାର କରି ଆସୁଛେ । ତାହାର ଗୋଟିଏ ଉଦାହରଣ ହେଲା ମିଥାଇଲ ବ୍ରୋମାଇଡ଼ । ଗବେଷଣାରୁ ଜଣାଯାଇଛି, ଏହା କ୍ଲୋରୋଫ୍ଲୋରୋ କାର୍ବନ ଠାରୁ ୪୦-୫୦% ଅଧିକ । ଶକ୍ତିଶାଳୀ ଓଜୋନ ବଳୟକୁ ଅବକ୍ଷୟ କରିବାରେ, ଏବେ ବି ଏହାର ବ୍ୟବହାର ଅବ୍ୟାହତ ରହିଛି । ଏହା ସାଙ୍ଗକୁ ଆମର ଆଧୁନିକ ଜୀବନଚର୍ଯ୍ୟା । ଆମେ ନିତ୍ୟ ବ୍ୟବହାର କରୁଥିବା ରେଫ୍ରିଜେରେଟର ଶୀତତାପ ନିୟନ୍ତ୍ରକ ଯନ୍ତ୍ରର ବହୁଳ ବ୍ୟବହାର, କ୍ଲୋରୋ-ଫ୍ଲୋରୋ କାର୍ବନର ପରିମାଣକୁ ବୃଦ୍ଧି କରିବାରେ ସହାୟକ ହୋଇଛି । ସହରୀକରଣ ଓ ସହରକୁ ସୁନ୍ଦରୀ କରଣ କରିବାର ବ୍ୟର୍ଥ ଉଦ୍ୟମ ଆମ ଜଙ୍ଗଲ ଓ ବୃକ୍ଷ ନଷ୍ଟର ମୁଖ୍ୟ କାରକ ହୋଇଛି । ବୃକ୍ଷ ରୋପଣ କରି ନୁହେଁ, ବରଂ ଶୀତତାପ ନିୟନ୍ତ୍ରିତ ମନ୍ତ୍ର ବ୍ୟବହାର କରି ଥଣ୍ଡା ପବନ ପାଇବା ପାଇଁ ଆମେ ଅଧିକ ଶ୍ରେୟ ମଣୁଛୁ । ଏ ପଟେ ଜୀବାଶ୍ମ ଜାଳେଣି ଓ ୟାତାୟତ ପାଇଁ ବ୍ୟବହୃତ ହେଉଥିବା କୋଟି କୋଟି ସଂଖ୍ୟାର ଯାନବାହାନରୁ ନିର୍ଗତ ଧୂଆଁ ବାୟୁମଣ୍ଡଳର କ୍ଲୋରୋଫ୍ଲୋରୋ କାର୍ବନର ପରିମାଣକୁ ଆଶାତୀତ ଭାବରେ ବୃଦ୍ଧି କରୁଛି ।

ଏହା ବ୍ୟତୀତ କୃଷି କ୍ଷେତ୍ରରେ ବ୍ୟବହୃତ ରାସାୟନିକ ସାର, ମାରାତ୍ମକ କୀଟନାଶକ ଔଷଧଠାରୁ ଆରମ୍ଭ କରି ଅନାବନା ଘାସକୁ ମାରିବା ପାଇଁ ଯେଉଁ ଔଷଧ ବ୍ୟବହାର କରୁଛେ, ତାହାର ବାଷ୍ପ ମଧ୍ୟ ବାୟୁମଣ୍ଡଳକୁ ଦୂଷିତ କରୁଛି । ଆମର ଦେଶୀ ଚାଷ ନାହିଁ । ଖତିରା ମାଟି ତ ଖପରା ହୋଇସାରିଛି । ତାହାର ମୁଖ୍ୟ ଭୂମିକା ରହୁଛି ଜଳବାୟୁ ପରିବର୍ତ୍ତନ କରିବାରେ । ଏସବୁଥିରୁ ଆମକୁ ନିସ୍ତାର ନାହିଁ ।

ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ ପଡୁଛି । ଏଥିରେ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜଗତ ହନ୍ତସନ୍ତ ହେଉଛି । ସର୍ବୋପରି ଏହାର ନକାରାତ୍ମକ ପ୍ରଭାବ ମନୁଷ୍ୟମାନଙ୍କର ଶାରୀରିକ, ମାନସିକ, ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ନୈତିକତା ଉପରେ ପଡୁଛି । ସମସ୍ତ ବର୍ଗର ଲୋକ ଏଥିରେ ଆକ୍ରାନ୍ତ । କିନ୍ତୁ ଲିଙ୍ଗୀୟ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମହିଳାମାନଙ୍କ ଉପରେ ଅତିମାତ୍ରରେ ପଡୁଛି । ଏଥିର ମୁଖ୍ୟକାରଣ ହେଉଛି, ଆମ ସମାଜର ଚଳନ୍ତି ପ୍ରଥା ଅନୁଯାୟୀ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ରହିଥିବା ଅସମାନୁପାତିକ ଭେଦଭାବ । ଏହା କେବଳ ଭାରତରେ ସୀମିତ ନୁହେଁ, ବରଂ ଅଧିକାଂଶ ବିକାଶଶୀଳ ରାଷ୍ଟ୍ରମାନଙ୍କର ଏ ପ୍ରକାର ସ୍ଥିତି ଦେଖିବାକୁ ମିଳେ । ସାମାଜିକ ଚଳଣୀରେ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ରହିଥିବା ଅସମାନତା ଯୋଗୁଁ ଜଳବାୟୁ ପରିବର୍ତ୍ତନଜନିତ କ୍ଲେଶ ମହିଳାମାନଙ୍କ ଉପରେ ଅଧିକା ହୋଇଥାଏ । ଉଦାହରଣସ୍ୱରୂପ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ସ୍ତ୍ରୀମାନଙ୍କର ଗୃହକର୍ମ ସଂଲଗ୍ନ କାର୍ଯ୍ୟ ସହ ଜଙ୍ଗଲରୁ ଜାଳେଣୀ ସଂଗ୍ରହ କରିବା, ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଆଣିବା, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଇତ୍ୟାଦି କାମ କେବଳ ମହିଳାମାନଙ୍କର । ତା’ଛଡ଼ା କୃଷି କାର୍ଯ୍ୟ ସମ୍ପନ୍ନ କରିବାରେ ସେମାନଙ୍କର ଭାଗିଦାରିତା ପୁରୁଷମାନଙ୍କଠାରୁ କିଛି କମ୍ ନୁହେଁ । ୟୁଏନଡିପି ଦ୍ୱାରା ୨୦୨୩ର ଏକ ଆକଳନ ଅନୁଯାୟୀ ଯଦି ସମସ୍ତ ମହିଳାକୁ, ପ୍ରାକୃତିକ କୃଷିକାର୍ଯ୍ୟ କରିବାରେ ସମ୍ବଳରେ ଓ ସମାନ ଭାଗିଦାରୀ ପାଇଥାନ୍ତେ, ତେବେ ସେମାନେ ବର୍ତ୍ତମାନର ଉତ୍ପନ୍ନ ଖାଦ୍ୟଶସ୍ୟର ୨୦-୩୦ ପ୍ରତିଶତ ଅଧିକା ଉତ୍ପନ୍ନ କରିପାରନ୍ତେ । ଯାହା ୧୦୦-୧୫୦ ମିଲିୟନ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇପାରନ୍ତା । ଏଥିଦ୍ୱାରା କୃଷି ଓ ଜଙ୍ଗଲର ଅଭିବୃଦ୍ଧିରେ ଅଙ୍ଗାରକାମ୍ଲ ଗ୍ୟାସର ନିର୍ଗମନ ଅତିକମ୍ରେ ୨.୧ ଗିଗାଟନକୁ କମି ଆସନ୍ତା, ୨୫୦୦ ମସିହା ସୁଦ୍ଧା । ବନ୍ୟା, ବାତ୍ୟା ଇତ୍ୟାଦି ପ୍ରାକୃତିକ ଓ ଜଳବାୟୁ ସମ୍ପର୍କିତ ପରିବର୍ତ୍ତିତ ସ୍ଥିତିରେ ଏ ସବୁ କାର୍ଯ୍ୟ ସମ୍ପାଦନ କରିବା ଅତ୍ୟନ୍ତ କଷ୍ଟ ସାଧ୍ୟ । ଏମିତିକି କୃଷି କାର୍ଯ୍ୟକୁ ବି ଆଗେଇ ନେବା ସହଜ ନୁହେଁ । ଏଥିପାଇଁ ମହିଳାମାନଙ୍କ ଶାରୀରିକ, ମାନସିକ ମନୋବଳ ଭାଙ୍ଗିଯାଏ । ଏଥିରେ ସେମାନେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହୁଅନ୍ତି, ତା’ଛଡ଼ା ଏମାନଙ୍କ ଅର୍ଥନୈତିକ ମାନଦଣ୍ଡ ଭାଙ୍ଗିଯାଏ, ପୁଣି ସେଇ ଦରିଦ୍ରତା ମଧ୍ୟକୁ ଠେଲି ହୋଇଯାନ୍ତି । ଖାଦ୍ୟାଭାବ ଏମାନଙ୍କ ପାଇଁ ମୁଖ୍ୟ ସସମ୍ୟା ହୋଇଯାଏ । ତା’ଛଡ଼ା ଉଜୁଡ଼ା କୁଡ଼ିଆକୁ ସଜାଡ଼ିବା ପାଇଁ ଓ ନଷ୍ଟ ହୋଇଯାଉଥିବା ଚାଷଜମିକୁ କାର୍ଯ୍ୟକ୍ଷମ କରିବା ପାଇଁ ଅର୍ଥର ଆବଶ୍ୟକତା ରହିଥାଏ ଯାହାକୁ ସେମାନେ ଭରଣା କରନ୍ତି ଋଣ କରଜ କରି ବିଭିନ୍ନ ସଂସ୍ଥା ମାଧ୍ୟମରୁ ବା ସାହୁକାରମାନଙ୍କ ପାଖରୁ । ସାହୁକାରର ଟଙ୍କା ପରିଶୋଧ ନ କରିପାରି ବିଭିନ୍ନ ପ୍ରକାରର ମାନସିକ ଯନ୍ତ୍ରଣାର ଶିକାର ହୁଅନ୍ତି । କେତେକ କ୍ଷେତ୍ରରେ ଦେଖାଯାଏ, ଋଣ ଲାଘବ କରିବା ଆଳରେ ସାହୁକାରମାନଙ୍କ ଦ୍ୱାରା ଶାରୀରିକ ନିର୍ଯାତନା ପାଆନ୍ତି ।

ଉପକୂଳବର୍ତ୍ତୀ ଅଞ୍ଚଳରେ ବିଶେଷ କରି ଯେଉଁ ସ୍ତ୍ରୀ ଲୋକମାନେ ସମୁଦ୍ରମାଛ ବଜାରରେ ବିକ୍ରିବଟା କରି ଜୀବନ ଧାରଣ କରନ୍ତି, ସେମାନଙ୍କ ପାଇଁ ଜଳବାୟୁ ପରିବର୍ତ୍ତନର କଷାଘାତ ଅତ୍ୟଧିକ ଥାଏ । ବର୍ଦ୍ଧିତ ତାପମାତ୍ରାରେ ସମୁଦ୍ରକୂଳ ଡଙ୍ଗାମାନଙ୍କରୁ ମାଛ ସଂଗ୍ରହ କରି ବଜାର ଓ ସାହିମାନଙ୍କରେ ବିକ୍ରି କରୁଥିବା ମହିଳାମାନେ ପ୍ରଚଣ୍ଡ ରୌଦ୍ରତାପରେ ହନ୍ତସନ୍ତ ହୋଇଯାନ୍ତି । ଜୀବିକା ବନ୍ଦ ହୋଇଗଲେ ଜୀବନ ବଞ୍ଚିବା ଦୁର୍ବିସହ । ପ୍ରବଳ ଖରା, ଗରମରେ ବୁଲି ବୁଲି ଏମାନଙ୍କର ବାନ୍ତି, ବଦ୍ ହଜମି, କମ୍ ରକ୍ତଚାପ ଇତ୍ୟାଦି ରୋଗ ଦେଖାଯାଏ । ଏପଟେ ଉଷ୍ମତା ବୃଦ୍ଧିଯୋଗୁଁ ସମୁଦ୍ରରୁ ବିିଭିନ୍ନ କିସମର ମାଛ ମିଳନ୍ତି ନାହିଁ, ଏହା ଅସ୍ୱାଭାବିକ ନୁହେଁ । କେତେକ ପ୍ରଜାତିର ମାଛ ବର୍ଦ୍ଧିତ ତାପମାତ୍ରାରେ ପ୍ରଜନନ ଶକ୍ତି ହରାନ୍ତି ଓ ଅନ୍ୟ କେତେକ ଉଷ୍ମତାରୁ ରକ୍ଷା ପାଇବାପାଇଁ ଅନ୍ୟତ୍ର ଚାଲିଯାନ୍ତି । ତେଣୁ ମାଛର ପରିମାଣ କମ୍ ହୁଏ । ଏପରି ପରିସ୍ଥିତିରେ ମାଛ ବିକ୍ରି କରି ଜୀବନ ପ୍ରତିପୋଷଣ କରୁଥିବା ମହିଳାମାନଙ୍କର ଘୋର ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଅର୍ଥନୈତିକ ମାନଦଣ୍ଡ ଭାଙ୍ଗିଯାଏ, ବେଳେବେଳେ ଦୁଇ ମୁଠା ଖାଇବା ଯୋଗାଡ଼ କରିବାପାଇଁ ଅସମର୍ଥ ହୁଅନ୍ତି, ପୁଣି ସେହି ସାହୁକାର ଠାରୁ ଋଣ କରି ଚଳନ୍ତି ଏବଂ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୁଅନ୍ତି । ବନ୍ୟା, ବାତ୍ୟା ଓ ସୁନାମୀ ସମୟରେ ଏମାନଙ୍କ ନିକଟରେ ଜୀବନ ଧାରଣର କୌଣସି ରାହା ନ ଥାଏ । କାରଣ ଅଶାନ୍ତ ସମୁଦ୍ରରୁ ମାଛ ମାରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼େ । ନିଜର ଭଙ୍ଗାଘରକୁ ସଜାଡ଼ିବାକୁ ପଡ଼େ, ଭୋକ ଉପାସରେ ଦିନ ଦିନ ବିତିଯାଏ । ଏସବୁ ପ୍ରକାର ମାନସିକ ଓ ଶାରୀରିକ ଅସୁସ୍ଥତା ମଧ୍ୟରେ ସେମାନଙ୍କୁ ଗତି କରିବାକୁ ପଡ଼େ । ତେଣୁ ସ୍ୱାସ୍ଥ୍ୟହାନୀ ଘଟେ । ବେଳେବେଳେ ଅର୍ଥାଭାବ ଯୋଗୁଁ ପ୍ରାଣହାନି ଘଟେ ।

ଉପକୂଳ ଅଞ୍ଚଳର ଅନ୍ୟାନ୍ୟ କୌଳିକ ବୃତ୍ତିଧାରୀ ଗ୍ରାମୀଣ ମହିଳାମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ଫଳାଫଳ “ବେଡ଼ି ଉପରେ କୋରଡ଼ା ମାଡ଼” ଭଳି ହୁଏ । ଚାଷବାଷ ଉପରେ ନିର୍ଭରଶୀଳ ମହିଳାମାନେ ବନ୍ୟା ଓ ତା’ର ପରବର୍ତ୍ତୀ ସମୟରେ ଘୋର ଅସୁବିଧାର ସମ୍ମୁଖୀନ ହୁଅନ୍ତି । ବନ୍ୟାରେ ନିଜର ଝାଟିମାଟିର ଘର ଧୋଇ ହୋଇଗଲା ପରେ ବେସାହାରା ହୋଇ ଏଠି ସେଠି ରହନ୍ତି । ବନ୍ୟାରେ ଚାଷଜମିରେ ବାଲି ମାଡ଼ିଯିବା ଯୋଗୁଁ, ସେଥିରୁ ବାଲି ବାହାର କରି ଚାଷପୋଯୋଗୀ କରିବା ପାଇଁ ମାସ ମାସ ସମୟ ନିଅନ୍ତି । ଅର୍ଥାଭାବ, ଅନଟନ, ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ନେଇ ରହିବା ଛଡ଼ା ଆଉ କୌଣସି ଉପାୟ ନାହିଁ । ବାତ୍ୟା ପରବର୍ତ୍ତୀ ସମୟରେ ନିଜର ଗୃହ ଓ ଚାଷ ଜମିକୁ ସଜାଡ଼ିବାକୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼େ । ଅନାହାର ଓ ଅପପୁଷ୍ଟିଜନିତ ରୋଗାକ୍ରାନ୍ତ ଶରୀରର ଯତ୍ନ ନେବା ପାଇଁ ନାଁ ସେମାନଙ୍କ ପାଖରେ ଅର୍ଥ ଥାଏ, ନା ଖାଦ୍ୟ ଥାଏ । କେତେକେ ଏମିତି ପରିସ୍ଥିତିରେ ପ୍ରାଣତ୍ୟାଗ କରନ୍ତି । ଅନାବୃଷ୍ଟି ଫଳରେ କୃଷି ବାଧାପ୍ରାପ୍ତ ହୁଏ । ଯାହା ଖାଦ୍ୟଶସ୍ୟ ଓ ପନିପରିବା କରି ଦୁଇ ପଇସା ରୋଜଗାର କରୁଥିଲେ, ତାହା ଚାଲିଯାଏ । ତଥାପି କୃଷିକୁ ବଞ୍ଚାଇବା ପାଇଁ ଅଣ୍ଟାଭିଡ଼ି, ମାଇଲ ମାଇଲ ଦୂରରୁ ପାନୀୟଜଳ ଓ କୃଷିକ୍ଷେତ୍ରକୁ ଜଳ ଆଣନ୍ତି । ଏ ବିଷୟ ଓଡ଼ିଶାରେ ନୂଆ ନୁହେଁ । ପ୍ରବଳ ଗ୍ରୀଷ୍ମରେ ଜଳ ସଂଗ୍ରହ ଏକ କଷ୍ଟଜନିତ ସମସ୍ୟା । ଏଥିଦ୍ୱାରା ଶାରୀରିକ ଓ ମାନସିକ କ୍ଲେଶ ଶରୀରକୁ ରୋଗାକ୍ରାନ୍ତ କରିଦିଏ । କୁମ୍ଭକାର ସମ୍ପ୍ରଦାୟର ମହିଳାମାନଙ୍କର ଦୈନନ୍ଦିନ କାର୍ଯ୍ୟପନ୍ଥା ମଧ୍ୟରେ ହାଣ୍ଡି ତିଆରି କରିବାପାଇଁ ମାଟି ସଂଗ୍ରହ କରିବା ଓ ହାଣ୍ଡି ପୋଡ଼ିବା ପାଇଁ ଜାଳେଣୀ ସଂଗ୍ରହ କରିବା ମୁଖ୍ୟ କାମ । ତେଣୁ କଥାରେ କହନ୍ତି, “କୁମ୍ଭାରଘର ବୋହୂ ଝାଟିକି ନଗଲେ ମାଟିକି ଯାଉ”, ପ୍ରବଳ ଖରା ଓ ଅବାଂଛିତ ବର୍ଷା, ବନ୍ୟା ଓ ବାତ୍ୟା ସମୟରେ ଏମାନଙ୍କର ଏହି କାମ ପ୍ରାୟତଃ ବନ୍ଦ ହୋଇଯାଏ, ତେଣୁ ଗୁଜୁରାଣ ମେଣ୍ଟାଇବା କଷ୍ଟସାଧ୍ୟ ହୋଇଯାଏ । ପୁଣି ଅନାହାର ଓ ଅପପୁଷ୍ଟି ଶିକାର ହୁଅନ୍ତି ।

ଏ ସମସ୍ତ ଭିତ୍ତିଭୂମି ଉପରେ ଆଲୋକପାତ କଲେ ଜଣାଯାଏ ଯେ, ଜଳବାୟୁ ପରିବର୍ତ୍ତନଜନିତକୁ ପ୍ରଭାବ ଯଦିଚ ସମସ୍ତଙ୍କ ଉପରେ ପଡ଼େ, କିନ୍ତୁ, ଅସମାନୁପାତିକ ଭାବେ ମହିଳାମାନେ ଅଧିକ ଶାରୀରିକ ଅସୁସ୍ଥତା ମାନସିକ ଯନ୍ତ୍ରଣା ଭିତରେ ଗତି କରନ୍ତି, ବିଶେଷ କରି ପ୍ରଚଣ୍ଡ ରୌଦ୍ରତାପ ସ୍ତ୍ରୀମାନଙ୍କ ଉପରେ ଏକ ନକାରାତ୍ମକ ପ୍ରଭାବ ପକାଏ । ଗରମର ପ୍ରକୋପ ବଢ଼ିବା ସଙ୍ଗେସଙ୍ଗେ ସ୍ତ୍ରୀମାନଙ୍କର ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକର କାର୍ଯ୍ୟ କ୍ଷମତା ହ୍ରାସ ପାଏ ବା ହରମୋନ କ୍ଷରଣରେ ଅସନ୍ତୁଳିତ ଅବସ୍ଥା ଦେଖାଯାଏ, ଯାହାର ପ୍ରଭାବ ଶରୀରଉପରେ ଅତ୍ୟଧିକ କ୍ଷତିକାରକ ହୋଇଥାଏ । ଗବେଷଣାରୁ ଜଣାଯାଇଛି, ବର୍ଦ୍ଧିତ ତାପମାତ୍ରରେ ରହୁଥିବା ମହିଳାମାନଙ୍କର କେତେକ ହରମୋନ ଉପରେ ପ୍ରଭାବ ପଡ଼ିଥାଏ । ବିଶେଷ କରି ମସ୍ତିଷ୍କରେ ଥିବା ହାଇପୋଥଲାମସ୍ ଓ ପିଟୁ୍ୟଟାରୀ ଅନ୍ତଃସ୍ରାବୀ ଗ୍ରନ୍ଥୀ ମଧ୍ୟରେ ରହିଥିବା ହରମୋନମାନଙ୍କର ଅସନ୍ତୁଳିତ ଅବସ୍ଥା ଦେଖାଯାଏ । ଏଥିଯୋଗୁଁ ସେମାନଙ୍କର ମାସିକ ଋତୁସ୍ରାବରେ ଅନିୟମିତତା ବା କେତେକ ସ୍ଥାନରେ ଦୀର୍ଘଦିନ ପର୍ଯ୍ୟନ୍ତ ବନ୍ଦ ହୋଇଯିବା ପ୍ରକ୍ରିୟା ଦେଖାଯାଏ । ଏହା କିଶୋରୀ ଝିଅମାନଙ୍କର ଏକ ସ୍ୱତନ୍ତ୍ର ସମସ୍ୟା । ଏଇଥିପାଇଁ ସହାୟକ ହେଉଥିବା ଲିଉଟିନାଇଜିଂ ହରମୋନ ସଠିକ୍ଭାବେ କ୍ଷରଣ ହୁଏ ନାହିଁ, ଯାହା ଗର୍ଭାଶୟରୁ ଅଣ୍ଡାର ନିର୍ଗମନରେ ମୁଖ୍ୟ ଭୂମିକା ନିଭାଇଥାଏ । ଏହା ବ୍ୟତୀତ, ମହିଳାମାନଙ୍କଠାରେ ଦୁଇଟି ମୁଖ୍ୟ ହରମୋନ ଇଷ୍ଟ୍ରୋଜେନ ଓ ପ୍ରୋଜେଷ୍ଟୋରନମାନଙ୍କ ମଧ୍ୟରେ ସନ୍ତୁଳିତ ଓ ମିଳିତ କାର୍ଯ୍ୟକ୍ଷମତା ଦେଖାଯାଏ ନାହିଁ । ଫଳତଃ ଅନିୟମିତ ଋତୁସ୍ରାବ ଅତ୍ୟନ୍ତ ରକ୍ତକ୍ଷରଣ ପରି ମାରାତ୍ମକ ଅବସ୍ଥା ପରିଲକ୍ଷିତ ହୁଏ । ରୀତିମତ ଭାବେ ଉଚ୍ଚ ତାପମାତ୍ରାରେ ଆକ୍ରାନ୍ତ ହେଉଥିବା ମହିଳାମାନଙ୍କଠାରେ ବନ୍ଧ୍ୟାଜନିତ ସମସ୍ୟା ପ୍ରତୀୟମାନ ହୁଏ । କାରଣ ଗର୍ଭାଶୟରୁ ବାହାରୁଥିବା ଅଣ୍ଡାମାନଙ୍କର ପରିମାଣ ଓ ଗୁଣବତ୍ତା କମିଯାଏ । ତେଣୁ ଉକ୍ତ ମହିଳାମାନଙ୍କର ଗର୍ଭଧାରଣ କରିବା ସସମ୍ୟା ଅତ୍ୟନ୍ତ ଉକ୍ରଟ ହୁଏ । ଗର୍ଭବତୀ ମହିଳାମାନେ ଅତ୍ୟଧିକ ତାପମାତ୍ରରେ ଆକ୍ରାନ୍ତ ହେଲେ, ପ୍ରସୂତି ଶ୍ରମ (Preterm labour) ଛୁଆ ଜନ୍ମର ବହୁ ପୂର୍ବରୁ ଦେଖା ଦେଇଥାଏ । ଜନ୍ମିତ ଛୁଆର ଓଜନ ହ୍ରାସପାଏ ଓ ଅନ୍ୟାନ୍ୟ ପ୍ରସୂତିଜନିତ ଜଟିଳ ସମମ୍ୟା ଦେଇ ସେମାନେ ଗତି କରନ୍ତି । ଅନେକ କ୍ଷେତ୍ରରେ ଗର୍ଭବତୀ ମହିଳାମାନେ ମଧୁମେହ (Gestational diabites) ରୋଗରେ ଆକ୍ରାନ୍ତ ହୁଅନ୍ତି । ଋତୁସ୍ରାବରହିତ ସ୍ତ୍ରୀମାନଙ୍କର ଉପରେ ପ୍ରବଳ ତାପବୃଦ୍ଧିର ପ୍ରଭାବ ଅତ୍ୟଧିକ ଅନୁଭୂତ ହୁଏ । ଏପରି ସମୟରେ ପ୍ରାୟ ୭୫-୮୦ପ୍ରତିଶତ ମହିଳା ଯଦିବା ସାଧାରଣ ଭାବରେ ଗରମ ଝଟକା (hot flash)ରେ ଆକ୍ରାନ୍ତ ହୁଅନ୍ତି, କିନ୍ତୁ ୫ ପ୍ରତିଶତରୁ ଅଧିକ ମହିଳାଙ୍କଠାରେ ଏହା ଏକ ଦଶନ୍ଧି ବା ତଦୁର୍ଦ୍ଧ ସମୟ ପର୍ଯ୍ୟନ୍ତ ଅନୁଭୂତ ହୁଏ । କାରଣ ହେଲା ଏ ସମୟରେ ଏବଂ ବିଶେଷ କରି ବର୍ଦ୍ଧିତ ତାପମାତ୍ରା ଇଷ୍ଟ୍ରୋଜେନ ହରମୋନର କ୍ଷରଣକୁ କମ୍ କରିଦିଏ । ଯାହା ଆମର ହାଇପୋଥାଲାମସ୍କୁ ଅଧିକ ସମ୍ବେଦନଶୀଳ କରିଦିଏ । ତେଣୁ ଦୀର୍ଘବର୍ଷଯାଏ ମହିଳାମାନେ ଗରମ ଝଟକା ସମସ୍ୟା ଅନୁଭବ କରନ୍ତି । ଏହାଛଡ଼ା ହରମୋନ କମ୍ ହେବାଯୋଗୁଁ ମହିଳାମାନଙ୍କ ଠାରେ ରକ୍ତଚାପଜନିତ ସମସ୍ୟା ଦେଖାଯାଏ । ଏହେଲା ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନ କାରଣରୁ ମହିଳାମାନଙ୍କ ଉପରେ ବଢ଼ୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଓ ଅନ୍ୟାନ୍ୟ ଆନୁସଙ୍ଗିକ ମାନସିକ ଚାପ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ବିବରଣୀରେ ଉଲ୍ଲେଖ ଅଛି, ମହିଳା, ମା’, ଜନ୍ମିତ ଶିଶୁ ଓ ଛୁଆମାନଙ୍କୁ ଜଳବାୟୁ ପରିବର୍ତ୍ତନର କବଳରୁ ରକ୍ଷାକରିବା ସର୍ବାଦୌ କର୍ତ୍ତବ୍ୟ କନ୍ଫରେନ୍ସ ଅଫ୍ ପାର୍ଟିସ (COP)ରେ UN ମହିଳାମାନଙ୍କ ଦ୍ୱରା ପ୍ରକାଶିତ ବିବରଣୀ ଅନୁଯାୟୀ ୨୦୫୦ମସିହା ସୁଦ୍ଧା ଜଳବାୟୁ ପରିବର୍ତ୍ତନର ଶିକାର ହୋଇ ପ୍ରାୟ ୧୫୮ମିଲିୟନରୁ ଅଧିକ ମହିଳା ଓ ଝିଅମାନେ ଉକ୍ରଟ ଦାରିଦ୍ର୍ୟ ମଧ୍ୟକୁ ଚାଲିଯିବେ ଓ ୨୩୨ ମିଲିୟନ ମହିଳା ଓ ଝିଅ ଅସୁରକ୍ଷିତ ଖାଦ୍ୟବ୍ୟବସ୍ଥା ଦେଇ ଗତି କରିବେ । ପୁନଶ୍ଚ UN (Enviroment) ର ଏକ ବିବରଣୀରୁ ଜଣାଯାଏ ୨୦୫୦ମସିହାବେଳକୁ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସ୍ଥାନାନ୍ତରିତ ପ୍ରାୟ ୮୦ପ୍ରତିଶତରୁ ଊଦ୍ଧ୍ୱର୍ ମହିଳା ଓ ଝିଅମାନେ ଦାରିଦ୍ର୍ୟ, ଲିଙ୍ଗୀୟ ହିଂସା ଓ ଅବାଂଛିତ ମାତୃିତ୍ୱ ପରି ସାଂଘାତିକ ପରିସ୍ଥିତିର ସମ୍ମୁଖୀନ ହେବେ । ସେହିପରି ୨୦୨୨ମସିହାରେ କେନିଆର ଉକ୍ରଟ ଦୁର୍ଭିକ୍ଷ ସମୟରେ ସେଠାକାର ମହିଳାମାନେ ଅଖାଦ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏବଂ ପାନୀୟଜଳର ଉକ୍ରଟ ଅଭାବରେ ଶରୀରରେ ଜଳଶୂନ୍ୟ (Dehydration) ବ୍ୟାଧିରେ ସଂକ୍ରମିତ ହୋଇଥିଲେ ।

୨୧ନଭେମ୍ବର ୨୦୨୪ରେ ବାକୁଠାରେ ଅନୁଷ୍ଠିତ ହୋଇଥିବା କପ୍ ୨୯ର ଜଳବାୟୁ ସମିତିରେ ଲିଙ୍ଗୀୟ ଦିବସ ପାଳନ ଅବସରରେ ଟଘ ମହିଳାମାନେ ଏକ ପ୍ରସ୍ତାବ ରଖିଥିଲେ । ପ୍ରସ୍ତାବରେ କୁହାଯାଇଥିଲା ଅଦ୍ୟାବଧି ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ଲିଙ୍ଗ ନିରପେକ୍ଷ ନୁହେଁ । ତେଣୁ ଏପରି ଦୁର୍ଦ୍ଦିନରେ ମହିଳାମାନଙ୍କ ପାଇଁ କିଛି ଆର୍ଥିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଏହି ପାଣ୍ଠି ମହିଳା ଓ ଝିଅମାନଙ୍କୁ ଜଳବାୟୁ ସମ୍ପର୍କିତ ଦୁର୍ଦ୍ଦିନରେ ସମ୍ବଳ କ୍ଷେତ୍ରରେ ସାମର୍ଥ୍ୟ ତଥା ସୁଯୋଗ ପ୍ରାପ୍ତି ଓ ନିଷ୍ପତ୍ତି ଗ୍ରହଣ (Decision Making) କ୍ଷେତ୍ରରେ ସହାୟକ ହୋଇପାରିବ ।

ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସୁଦ୍ଧା ଯେ କୌଣସି ଜଳବାୟୁ ସମ୍ପର୍କିତ ନିଷ୍ପିତ୍ତି ଗ୍ରହଣ କାର୍ଯ୍ୟକ୍ରମରେ କିମ୍ବା ଏ ସମ୍ପର୍କିତ ନେତୃତ୍ୱ ନେବା ସମୟରେ ଖୁବ୍ କମ୍ ମହିଳାଙ୍କାର ଯୋଗଦାନ ଦେଖାଯାଏ । ଏ ହେଲା ସାରାବିଶ୍ୱର କଥା । ଆମ ଦେଶରେ ସରକାରୀ ସ୍ତରରେ ମଧ୍ୟ ମହିଳା ମାନଙ୍କର ନେତୃତ୍ୱ ବା ବକ୍ତବ୍ୟକୁ ଅନେକ ସମୟରେ ଉପେକ୍ଷା କରାଯାଏ । କପ୍ ଉଚ୍ଚସ୍ତରୀୟ ବୈଠକରେ କେବଳ ୮ପ୍ରତିଶତରୁ କମ୍ ମହିଳାଙ୍କର ଯୋଗଦାନ ଥିଲା, ଜଳବାୟୁ ଓ ମହିଳାମାନଙ୍କ ଭାଗିଦାରିତା ସମ୍ପର୍କରେ ମତ ରଖିବା ପାଇଁ । ଏଥିରୁ ସ୍ପଷ୍ଟ ଅନୁମେୟ, ସାରା ବିଶ୍ୱରେ ଜଳବାୟୁ ସଙ୍କଟ ଲିଙ୍ଗ ନିରପେକ୍ଷ ନୁହେଁ ।

ଜଳବାୟୁ ସଙ୍କଟରେ ପ୍ରଭାବିତ ମହିଳାମାନଙ୍କ ଦୁର୍ଦ୍ଦଶାର ପ୍ରତିକାର ପାଇଁ ଆମ ଦେଶରେ ଜଳବାୟୁ ନ୍ୟାୟଜନିତ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି । ସେଥିପାଇଁ ବିତ୍ତୀୟ ପ୍ରାବଧାନ ସହ ମହିଳାମାନଙ୍କ ଭାଗିଦାରୀକୁ କାର୍ଯ୍ୟକାରୀ କରିବା ଏକାନ୍ତ ଜରୁରୀ, ଏଭଳି କେତେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ଭୂଟାନ, ଜିମ୍ବାୱେ, ଉଜ୍ବେକିସ୍ତାନ, ଉରୁଗୁଏ ଦେଶମାନଙ୍କରେ ନିଆଯାଇଛି । ଆମ ଦେଶରେ ମଧ୍ୟ ଏଭଳି ଲିଙ୍ଗୀୟ ସମାନତା ପାଇଁ ଜଳବାୟୁ ନ୍ୟାୟ ସମ୍ପର୍କିତ ଯୋଜନା ପ୍ରତ୍ୟେକ ଜିଲ୍ଲା ସ୍ତରରେ ଲାଗୁ ହେବା ଏକାନ୍ତ ଜରୁରୀ ।

References :

  1. The Hindu; Feb (Pr:2025)
  2. https://www.weforum.irg(2024)
  3. https://www. UN women.org (2022)

4.Climate change & Pregnancy Camphilatiny (2023)

  1. https://www.hoking meducine.org (2024)
  2. https://www.UN women.org/en/news. stories/press release/2024

7.https://www.UN women.org/en/news.stories/explained(2022)

8.https://climate promise.undo.org/news (2023)

Comments

0 comments

Share This Article