ଗଣମାଧ୍ୟମରେ ପ୍ରକାଶ ପାଇଆସିଛି ଯେ ଉଭୟ ଫେବୃଆରୀ ଓ ମାର୍ଚ୍ଚ ୨୦୨୫ ଦୁଇଟି ମାସ ଗତ ୧୨୫ବର୍ଷର ରେକର୍ଡ଼ ଭାଙ୍ଗି ଅଧିକ ଉତ୍ତପ୍ତ ମାସ ହିସାବରେ ଦୃଷ୍ଟି ଆକର୍ଷଣ କରିଛି । ଏଭଳି ଏକ ସ୍ଥିତି ଜଳବାୟୁ ପରିବର୍ତ୍ତନର ଏକ ବଳିଷ୍ଠ ଲକ୍ଷଣ ଏବଂ ଏହା ନୂଆ ବିପଦର ଆଶଙ୍କା ପ୍ରତି ଇଙ୍ଗିତ କରୁଛି । ଏମିତିରେ ତ ସଂଯୁକ୍ତ ରାଷ୍ଟ୍ରର ବିଭିନ୍ନ ସଂସ୍ଥାମାନେ ପୃଥକ ପୃଥକ ରିପୋର୍ଟମାନଙ୍କରେ କହିସାରିଲେଣି ଯେ ଅନୁନ୍ନତ ଓ ବିକାଶଶୀଳ ଦେଶମାନଙ୍କର ପଛୁଆବର୍ଗ ତଥା ଗରିବ ଶ୍ରେଣୀର ଲୋକମାନେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ବିଭୀଷିକାର ପ୍ରଥମ ଶିକାର ହେବେ । କିନ୍ତୁ ଭାରତର ଘୃଣ୍ୟ ଜାତିବାଦ ଓ ପୁରୁଷତାନ୍ତ୍ରିକ ପତିଆରାର ସଂସ୍କୃତିକୁ ଦେଖି ଆସିଥିବା ମଣିଷମାନେ ଠିକ୍ ବୁଝି ପାରୁଥିବେ ଯେ ଜଳବାୟୁ ପରିବର୍ତ୍ତନର ପ୍ରକୋପକୁ ବେଶୀ ସାମ୍ନା କରିବେ ସେହି ଦରିଦ୍ର ବା ପଛୁଆ ଶ୍ରେଣୀର ମହିଳା ମାନେ । ତୁହାକୁ ତୁହା ମରୁଡ଼ି ପଡ଼ିବା, ଅଦିନିଆ ବର୍ଷା ଓ ଝଡ଼ତୋଫାନ୍ ଆସିବା, ନଦୀ ଶୁଖିଯିବା, ଭୂତଳ ଜଳ ହ୍ରାସ ପାଇବା, ଗାଡ଼ିଆ ପୋଖରୀ ଶୁଖିଯିବା, କୂଅ ଶୁଖିଯାଇ ପିଇବା ପାଣି ନମିଳିବା ଇତ୍ୟାଦି କାରଣ ଯୋଗୁଁ କେବଳ ଯେ ଶସ୍ୟହାନି ହେବନାହିଁ, ବରଂ ସବୁପ୍ରକାର ଜୀବିକା ଓ ସୁବିଧାରେ ବଞ୍ଚିବା ଆଦୌ ସମ୍ଭବ ହେବ ନାହିଁ । ସବୁଠାରୁ ଅଧିକ ଯନ୍ତ୍ରଣା ଓ ଯାତନାର ଶିକାର ହେବେ ଏହି ପରିବାରମାନଙ୍କର ମେରୁଦଣ୍ଡ ସାଜିଆସିଥିôବା ପରିଶ୍ରମୀ ମହିଳାମାନେ । ଏଠି ସ୍ମରଣ କରାଯାଇ ପାରେ ଯେ ଆମ ସମ୍ବିଧାନରେ ଅନେକ ସୁରକ୍ଷାର, ସମ୍ମାନର ସହ ବଞ୍ଚôବାର ପ୍ରାବଧାନ ଥିବା ସତ୍ତ୍ୱେ ଆମ ଦେଶର ଏହି ଶ୍ରେଣୀର ମହିଳାମାନେ ଏବେ ବି ଅନ୍ୟାୟ ଓ ଅତ୍ୟାଚାରର ଅନୁଭୂତି ନେଇ ବଞ୍ଚô ଆସିଛନ୍ତି । ଯଦି ନୂଆ କିଛି ବିପଦ ଆସେ ତେବେ ସେମାଙ୍କର ପୂର୍ବରୁ ଥିବା ବିପନ୍ନ ସ୍ଥିତିଟି ଅଧିକ ସଙ୍କଟ ଭିତରକୁ ଠେଲି ହୋଇଯିବ ।
ମଧ୍ୟବିତ୍ତ ଶ୍ରେଣୀର ମହିଳା ଏବଂ ଶ୍ରମଜୀବୀ ମହିଳାମାନେ ସମାନ ସାମାଜିକ ସ୍ଥିତିରେ କେବେ ବି ରହି ନାହାଁନ୍ତି । ଆମ ସମ୍ବିଧାନ ଏହି ଅସମାନତାକୁ ଦୂରକରିବା ପାଇଁ ଅନେକ କିଛି ନୀତି ନିର୍ଦ୍ଦେଶିକା ଦେଇଥିଲେ ମଧ୍ୟ ସରକାରମାନେ କ୍ଷମତାକୁ ତୋଳି ଧରିବାର ପ୍ରବଣତା ଭିତରେ ଆମ ଭେଦଭାବପୂର୍ଣ୍ଣ ସମାଜକୁ ସୁଧାରିବା କାମଟି ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଛନ୍ତି ବା କେବଳ ଉଚ୍ଚାରଣ ଭିତରେ ତାକୁ ସୀମିତ ରଖିଛନ୍ତି । ଶ୍ରମଜୀବୀ, ଜଙ୍ଗଲଜୀବୀ, ମତ୍ସଜୀବୀ ଏବଂ କ୍ଷେତ ମଜଦୂର ମହିଳାମାନେ ପରିବାର ଭିତରେ ଜୀବିକା ସଂଗ୍ରହ କରିବା ବା ରୋଜଗାର ଯୋଗାଡ଼ କରିବା କାମରେ ନିଜକୁ ସୀମିତ ରଖିନାହାନ୍ତି । ସେମାନେ ନିଜେ ଜାଳେଣୀ କାଠ ସଂଗ୍ରହ କରିବାଠାରୁ ପିଇବା ପାଣି ଯୋଗାଡ଼ କରିବାଯାଏଁ ପ୍ରାୟ ସବୁକାମ କରିଥାନ୍ତି । ୟୁନିସେଫ୍ର ଏକ ଆକଳନ ଅନୁଯାୟୀ ଶତକଡ଼ା ୮୦ଭାଗ ପରିବାରରେ ମହିଳାମାନେ ହିଁ ପିଇବା ପାଣି ସଂଗ୍ରହ କରିଥାନ୍ତି । ପାଣିର ଆଧାରଗୁଡ଼ିକ ଆମର ବିକାଶ ପଦ୍ଧତି ଭିତରେ ତଥା ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟାରେ ବିିପନ୍ନ ହେଲେ ଏହି ମହିଳାମାନଙ୍କର ପରିଶ୍ରମର ପରିମାଣଟି ମଧ୍ୟ ସେହି ଅନୁପାତରେ ବଢ଼ିଯିବ । ଭାରତର ଜଳକଷ୍ଟ ଅଞ୍ଚଳରେ ମହିଳାମାନେ ମୁଣ୍ଡରେ ଗରାଧରି ମାଇଲ୍ ମାଇଲ୍ ରାସ୍ତା ଚାଲିକରି ପିଇବା ପାଣି ସଂଗ୍ରହ କରି ଆଣିବାର ଦୃଶ୍ୟ ଆମେ ବିଭିନ୍ନ ସମୟରେ ଗଣମାଧ୍ୟମ ସୌଜନ୍ୟରୁ ଦେଖିବାକୁ ପାଇଥାଉ ଏବଂ ଠିକ୍ ତାହାର ପରଦିନ ଭୁଲି ଯାଇଥାଉ ମଧ୍ୟ । ଏବେ ଏହି ମହିଳାମାନଙ୍କୁ ଅଧିକ ଚାଲିବାକୁ ପଡ଼ିବ । ଅଧିକ ବାଟ ଗଲାପରେ ପାଣିଯେ ନିଶ୍ଚିତ ଭାବେ ମିଳିବ, ଏହି କଥା ବି ଆଗକୁ କହିହେବ ନାହିଁ । ପିଇବା ପାଣି ଯେତେବେଳେ ଦୁର୍ବିସହ, ପରିମଳ କଥାକୁ ମହିଳା ମାନେ ଗୁରୁତ୍ୱ ଅବା ଦେଇପାରିବେ କେମିତି । ସେଥିପାଇଁ ଦୂଷିତ ଜଳ ବି ଯଥେଷ୍ଟ ମନେ ହେବ । ଏମିତିରେ ବି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଏକ ଆକଳନ ମୁତାବକ ବିଶ୍ୱରେ ୨୦୦କୋଟି ଲୋକେ ଦୂଷିତ ବା ବିଶାକ୍ତଜଳ ପିଇବା ଓ ପରିମଳ ପାଇଁ ବ୍ୟବହାର କରିଥାନ୍ତି । ସେଥିପାଇଁ ରୋଗ ସଂକ୍ରମଣ ବିଶେଷ କରି ଝାଡ଼ାବାନ୍ତି, ଟାଇଫଏଡ଼୍, ହେପାଟାଇଟିସ୍ ଇତ୍ୟାଦି ରୋଗ ବୃଦ୍ଧି ଘଟିଥାଏ । ଏବେ ସେହି ସବୁର ସମ୍ଭାବନା ବହୁଗୁଣ ବଢ଼ିଯିବ । କେବଳ ସେତିକି ନୁହଁ, ଯେଉଁ ପାହାଡ଼ ଜଙ୍ଗଲଯୋଗୁଁ ବର୍ଷା ହେଉଛି, ଝରଣା ବୋହୁଛି ଏବଂ ନଦୀ ସୃଷ୍ଟି ହେଉଛି ସେହି ପାହାଡ଼ ଜଙ୍ଗଲ ଯେତେବେଳେ ବିକାଶ ନାଁରେ ଚାଲିଥିବା ବିନାଶ ଲୀଳା ଭିତରେ ସମାଧି ନେଉଛନ୍ତି, ସବୁଠାରୁ ବିପନ୍ନ ଅବସ୍ଥାକୁ ଚାଲିଆସିବେ ମହିଳାମାନେ । ସଂଯୁକ୍ତ ରାଷ୍ଟ୍ରର ଏକ ସଂସ୍ଥା ତରଫରୁ ଏବଂ ଡ଼ଃ ଏନ୍.ସି ସକ୍ସେନାଙ୍କ ଦ୍ୱାରା ପ୍ରଦତ୍ତ ଏକ ରିପୋର୍ଟ ‘Women’s Rights to Forest Spaces and Resources’ ଅନୁଯାୟୀ ଭାରତର ପ୍ରାୟ ୧ଲକ୍ଷ ୭୦ହଜାର ଗ୍ରାମର ୧କୋଟି ୪୭ ଲକ୍ଷ ଲୋକେ ନିଜର ଜୀବିକା ପାଇଁ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ସେମାନଙ୍କ ଭିତରେ ସବୁଠାରୁ ଆଗରେ ଅଛନ୍ତି ମହିଳାମାନେ । କେବଳ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାପାଇଁ ନୁହଁ, ଏମିତିକି ନୀତିଦିନ ବ୍ୟବହାରରେ ଆସୁଥିବା ଜାଳେଣୀ କାଠପାଇଁ ମଧ୍ୟ ସେମାନଙ୍କୁ ଅନେକ ବାଟ ଯିବାକୁ ପଡ଼ିବ ଯଦି ଜଙ୍ଗଲ ସମ୍ପଦଟି ନଷ୍ଟ ହୋଇଯାଏ । ମହିଳାମାନଙ୍କର ଆଉ ଏକ ବଡ଼ ଦାୟିତ୍ୱ ରହିଆସିଛି ପଶୁପାଳନ । ବିନା ଜଙ୍ଗଲରେ ପଶୁପାଳନ ବି ସମ୍ଭବ ହେବନାହଁ କାରଣ ନିଜପାଇଁ ଖାଦ୍ୟ ଯୋଗାଡ଼ କରିବାର ସଂଘର୍ଷରେ ଥିବା ମହିଳାମାନେ ବଜାରକୁ ଯାଇ ନିଜ ପଶୁମାନଙ୍କ ପାଇଁ ଖାଦ୍ୟ କିଣିବା ସମ୍ଭବପର ହେବ ନାହିଁ । ବଞ୍ଚିବା ପାଇଁ ସଂଘର୍ଷ ଭିତରେ ଝିଅମାନଙ୍କ ପାଇଁ ପାଠ ପଢ଼ିବା ଏବେ ବି ଏକ ସ୍ୱପ୍ନ ହୋଇ ରହିଆସିଛି । ପ୍ରାକୃତିକ ସମ୍ପଦ ଉଜୁଡ଼ିଯିବା ପରେ ଝିଅ ପିଲାମାନେ ପାଠପଢ଼ି ଆଗକୁ ଯିବା ଏକ ଦୁଃସ୍ୱପ୍ନ ହୋଇ ରହିଯିବ । ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ଏମାନଙ୍କ ପ୍ରତି ଏକ ନିଷ୍ଠୁର ଉପହାସ ଭଳି ରହି ଆସିଛି । ଏବେ ଶିକ୍ଷାର ପହଞ୍ଚର ବାହରକୁ ଚାଲିଯିବା ପିଲାମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯେତେବେଳେ ନୂଆ ବିପଦ ଆସିବ ଶିକ୍ଷା ଅନ୍ତତଃ ଏହି ପିଲାମାନଙ୍କ ପାଇଁ ବିଶେଷ କରି ଝିଅମାନଙ୍କ ପାଇଁ ତାହାର ପ୍ରାସଙ୍ଗିକତା ହରାଇ ବସିବ । ଯେତେବେଳେ ନାଁ ସରକାର, ନାଁ ସମାଜ ଏମାନଙ୍କର ବର୍ତ୍ତମାନର ସ୍ଥିତିକୁ ନେଇ ସମ୍ବେଦନଶୀଳ ହେବାର କୌଣସି ଦୃଷ୍ଟାନ୍ତ ଆମେ ଦେଖିପାରୁ ନାହୁଁ, ଆଗାମୀକାଲି ଯେ ଏମାନଙ୍କର ବିପନ୍ନ ସ୍ଥିତିରୁ ଏମାନଙ୍କୁ ଉଦ୍ଧାର କରିବା ପାଇଁ କୁହାଳିଆ ସମାଜ ବା କେବଳ ପ୍ରଚାର ପ୍ରସାରରେ କୋଟିକୋଟି ଟଙ୍କା ଖର୍ଚ୍ଚକରି ଅନ୍ୟପଟେ ପ୍ରାକୃତିକ ସଂଶାଧନ ଲୁଟ୍ କରିବାରେ ପୃଷ୍ଠପୋଷକ ସାଜିଥିବା ନିର୍ବାଚିତ ସରକାରମାନେ କିଛି କାମ କରିବେ; ଆଶା କରିବା ନିରର୍ଥକ ହେବ ।
ଓଡ଼ିଶା ସମେତ ଖଣିଥିବା ରାଜ୍ୟମାନଙ୍କରେ ଖଣିଜ ରାଜସ୍ୱ ବଢ଼ିବଢ଼ି ଚାଲିଛି । ଯେତିକି ରାଜସ୍ୱ ବଢ଼ୁଛି ସେତିକି ଜଙ୍ଗଲ କମୁଛି, ନଦୀ ସୁଖୁଛି, ଜଳଭଣ୍ଡାର ଶିଳ୍ପପାଇଁ ବ୍ୟବହାର ହେଉଛି ଏବଂ ଲକ୍ଷଲକ୍ଷ ଲୋକଙ୍କର ଜୀବନ ଜୀବିକା ବି ବିପନ୍ନ ହେଉଚି । ଯେତେବେଳେ ଲାଭ ଏବଂ ଅଧିକ ଲାଭ କରିବାର ରୁଗ୍ଣ ମାନସିକତା ସରକାର ଚଳାଉଥିବା ଲୋକ ଓ ଶାସକଶ୍ରେଣୀକୁ କବଳିତ କରିରଖୁଛି, ସେତେବେଳେ ଜଙ୍ଗଲଜୀବୀ ମହିଳାଙ୍କ ସ୍ଥିତି ପରିଖିବା ପାଇଁ ମାନସିକତା ବା ଆସିବ କେମିତି । ୨୦୦୦-୨୦୦୧ ମସିହାରେ ଓଡ଼ିଶାର ଖଣିଜ ରାଜସ୍ୱ ପ୍ରାୟ ୩ଶହ ୬୦କୋଟି ଟଙ୍କା ଥିଲା । ସେତେବେଳେ ଏହା ବଜେଟ୍ର ଅଣଟିକସ ବାବଦ ଆୟର ଶତକଡ଼ା ୫୨ଭାଗ ଥିଲା । ୨୦୨୩-୨୦୨୪ରେ ଏହି ଆୟ ଶହଶହ କୋଟିରେ ନୁହଁ ବରଂ ହଜାର ହଜାର କୋଟିରେ ବୃଦ୍ଧି ପାଇ ୪୬ହଜାର କୋଟିରେ ପହଞ୍ଚôଛି । ଏବେ ଏହି ପରିମାଣଟି ଆହୁରି ବଢ଼ିଯାଇଛି । ଅଥଚ ଗତ ୨୪-୨୫ ବର୍ଷଭିତରେ କେତେ ପାହାଡ଼, କେତେ ଜଙ୍ଗଲ, କେତେ ନଦୀ, କେତେ ଝରଣା, କେତେ ଜୀବଜନ୍ତୁ, କେତେ ମଣିଷ ବିଶେଷ କରି କେତେ ମହିଳା ଶୋଚନୀୟ ଅବସ୍ଥାକୁ ଆସି ଯାଇଛନ୍ତି ତାହାର ହିସାବ ସରକାରଙ୍କ ପାଖରେ ନାହିଁ, ସମାଜ ପାଖରେ ମଧ୍ୟ ନାହିଁ । ଦ୍ରୁତ ଶିଳ୍ପାୟନର ନିଷ୍ଠୁର ପରିଣତି ହିସାବରେ ଜଳବାୟୁ ପରିବର୍ତ୍ତନ ଯେ ପ୍ରମୁଖ ସ୍ଥାନରେ ରହିଛି ତାହା ବୁଝିବା ବା ସ୍ୱୀକାର କରିବା ସ୍ଥିତିରେ ମଧ୍ୟବିତ୍ତ ଶ୍ରେଣୀ ବା ସରକାର କେହି ବି ପ୍ରସ୍ତୁତ ନାହାଁନ୍ତି । କେବଳ ଜଙ୍ଗଲ କାହିଁକି ଚାଷଜମି ବି ନଷ୍ଟ ହୋଇ ଚାଲିଛି ବା ଅଣଚାଷ କାମରେ ବ୍ୟବହୃତ ହୋଇଚାଲିଛି । ଏମିତିରେ ତ ଖାଦ୍ୟ ଉତ୍ପାଦନରେ ମହିଳାମାନଙ୍କ ଭୂମିକା ଅଧିକ ଦେଖାଯାଇଥାଏ । ଯଦି ଜଙ୍ଗଲ ଉଜୁଡ଼ିଯିବ, ଚାଷଜମି ରହିବ ନାହିଁ ଏବଂ ଯାହା ବି ଅଛି ସେଥିରେ ଫସଲ ଫଳିବ ନାହିଁ ତେବେ ଏମାନଙ୍କର ଖାଦ୍ୟ ନିରାପତ୍ତା ମଧ୍ୟ ବିପନ୍ନ ହେବ । ସଂଯୁକ୍ତ ରାଷ୍ଟ୍ରର ବିଭିନ୍ନ ସଂସ୍ଥାରେ ମଧ୍ୟ ଏହି କଥାଟିକୁ ସ୍ୱୀକାର କରାଯାଇଛି କିନ୍ତୁ ବଜାର ଶକ୍ତିମାନଙ୍କ ଦ୍ୱାରା ପରିଚାଳିତ ରାଷ୍ଟ୍ରମାନେ ସଂଯୁକ୍ତ ରାଷ୍ଟ୍ରର କଥାକୁ ମାନିବାପାଇଁ ପ୍ରସ୍ତୁତ ନୁହଁ । ଯେହେତୁ ଦେଶୀୟ ସରକାରମାନେ ଦେଶୀ ବିଦେଶୀ କମ୍ପାନୀମାନଙ୍କର ହାତ ପାପୁଲିରେ କ୍ରୀଡ଼ନକ ସାଜିଛନ୍ତି, ଯେଉଁ ବିକାଶର ଢାଞ୍ଚା ଏକ ବୈଷମ୍ୟ ଓ ଅସମାନତା ଭରା ସମାଜଉପରେ ଲଦି ଦିଆଯାଇଛି ତାହା ଆଗାମୀ ଦିନରେ ଅଧିକରୁ ଅଧିକ ତୀବ୍ର ରୂପ ନେବ । ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାନ ବୃଦ୍ଧି ଆମ ନିୟନ୍ତ୍ରଣ ବାହାରକୁ ଚାଲିଯିବ । ବଞ୍ଚିଯିବା ପାଇଁ ଲୋକେ ଯେକୌଣସି ଉପାୟ ଅବଲମ୍ବନ କରିବା ବା ଦେଶ ଭିତରେ ହେଉ ବା ବାହାରକୁ ହେଉ ଚାଲିଯିବା ପାଇଁ ବାଧ୍ୟହେବେ । ଏହି ସମଗ୍ର ପ୍ରକ୍ରିୟାରେ ମହିଳାମାନେ ସାଙ୍ଘାତିକ ପରିସ୍ଥିତିର ସାମ୍ନା କରିବେ । ମହିଳାମାନଙ୍କ ଉପରେ ହିଂସା ବି ବଢ଼ିଚାଲିବ ଏବଂ ଏହାର ପ୍ରତିକାର ପାଇଁ ହେଉ ବା ସୁରକ୍ଷା ପାଇଁ କିଛି ଫଳପ୍ରଦ ପଦକ୍ଷେପ ନେବା କ୍ଷେତ୍ରରେ ରାଷ୍ଟ୍ରର ଆନ୍ତରିକତା ଦେଖାଯିବ ନାହିଁ । ଜଳବାୟୁ ପରିବର୍ତ୍ତନ ଯେଉଁ ଭୟଙ୍କର ଅସହାୟତା ଭିତରକୁ ଦୁର୍ବଳ ମଣିଷମାନଙ୍କୁ ଠେଲି ଦେବ ସେମାନଙ୍କ ଭିତରେ ଶିଶୁ ଓ ମହିଳାମାନଙ୍କର ସଂଖ୍ୟା ସର୍ବାଧିକ ରହିବ ।
ପୁଲାଙ୍ଗ/ଡ଼. ବିଦ୍ୟୁତ ମହାନ୍ତିଙ୍କ ପ୍ରେରଣାରେ ଏହି ସ୍ୱତନ୍ତ୍ର ସଂଖ୍ୟାଟି ପ୍ରକାଶିତ ହେଉଛି । କିଛି ସ୍ୱତନ୍ତ୍ର ଆଲେଖ୍ୟ ଆମକୁ ଦେବାପାଇଁ ଆମେ ଯେଉଁମାନଙ୍କୁ ଅନୁରୋଧ କରିଥିଲୁ ଆମେ ସେମାନଙ୍କ ପାଖରେ କୃତଜ୍ଞ । ନିଜର ଦୃଷ୍ଟିଭଙ୍ଗି ଓ ବୁଝାମଣାକୁ ଭିତ୍ତିକରି ସେମାନେ ଲେଖାଗୁଡ଼ିକ ପ୍ରସ୍ତୁତ କରିଛନ୍ତି । ଆମେ ଆଶା କରିବୁ ଆମ ପାଠକମାନେ ଲେଖାଗୁଡ଼ିକୁ ଆଦର କରିବେ ଏବଂ ଭବିଷ୍ୟତରେ ଆଲୋଚନାରେ ଭାଗନେବେ । ଏଠି କେବଳ ଏତିକି କହିବା ଉଚିତ୍ ହେବ ଯେ ଓଡ଼ିଶା ମାଟିରେ ଚାଲିଥିବା ଜନଆନ୍ଦୋଳନ ଗୁଡ଼ିକରେ ନିଜର ସବୁକିଛି ତ୍ୟାଗକରି ଯେଉଁ ମହିଳାମାନେ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ନିରନ୍ତର ପ୍ରୟାସ ଜାରିରଖିଛନ୍ତି, ସେମାନେ ବିଶ୍ୱସ୍ତରରେ ଚର୍ଚ୍ଚିତ ଜଳବାୟୁ ଯୋଦ୍ଧାମାନଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ।
Comments
0 comments