ସାଧାରଣ ଜନତାଙ୍କ ପାଇଁ ଏ ବଜେଟ୍ ନୁହେଁ

କିଶୋର ଜେନା
77 Views
17 Min Read

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ୟ ପାଳିର ମୋଦୀ ସରକାରର ଦ୍ୱିତୀୟ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ଓ ଏହା ପୂର୍ବରୁ ସେ ଛଅଟି ବାର୍ଷିକ ବଜେଟ ଏବଂ ଦୁଇଟି ଅନ୍ତର୍ବର୍ତ୍ତୀକାଳୀନ ବଜେଟ୍ ପେଶ୍ କରିଥିଲେ । ତାଙ୍କ ପେଶ୍ କରିଥିବା ବଜେଟଗୁଡ଼ିକର ଧର୍ମ ହେଉଛି ଯେ ସେ ଶୁଣିବାକୁ ଖୁବ୍ ଭଲ ମନମୋହିନୀ କଥା ବଜେଟ୍ ରେ ଘୋଷଣା କରନ୍ତି । କିନ୍ତୁ ତା’ ପରବର୍ଷ ଯେତେବେଳେ ସେ ପୁଣି ବଜେଟ୍ ପେଶ୍ କରନ୍ତି, ଗତ ଥରର ଘୋଷଣାର କ’ଣ ହେଲା, ସେଥିରୁ କେତେଟା ପୂରଣ ହେଲା, ସେ ସମ୍ପର୍କରେ କୌଣସି ଦାୟିତ୍ୱ ସେ ଏବଂ ତାଙ୍କ ବଜେଟ୍ ନିଏ ନାହିଁ । ସେ ସମ୍ପର୍କରେ ଚଳିତ ବଜେଟ୍ ରେ କିଛି ତଥ୍ୟ ନଥାଏ । ଏଣୁ ତାଙ୍କ ବଜେଟ୍ ବକ୍ତୃତାର ଆକ୍ଷରିକ ଅର୍ଥରେ କୌଣସି ଗୁରୁତ୍ୱ ନାହିଁ । ଏଇ ଯେପରି ଏଥର ବଜେଟ୍ ବକ୍ତୃତାରେ କହିଲେ ସରକାର ଗରିବ, ଯୁବକ, ଅନ୍ନଦାତା ଏବଂ ମହିଳାଙ୍କ ଉପରେ ଅଗ୍ରାଧିକାର ଦେଇଛନ୍ତି । ବଜେଟ୍ର ତଥ୍ୟରେ କିନ୍ତୁ ବଜେଟ୍ ବରାଦରେ ଏହି ଚାରିଗୋଷ୍ଠୀର ଲୋକଙ୍କ ଜୀବନଯାପନରେ ସୁବିଧା ହେବ, ଏପରି କୌଣସି ବିଷୟ ଥିବା ପରି ଜଣାପଡ଼ୁ ନାହିଁ । ବରଂ ଯାହା ଦେଖାଯାଉଛି, ତା’ ଏହି ଅଗ୍ରାଧିକାର କମାଇ ଦିଆଯାଇଥିବାର ତଥ୍ୟ । ଗତଥର ମଧ୍ୟ ସେ ସମାନ ଭାବେ ଅଗ୍ରାଧିକାର ଘୋଷଣା କରିଥିଲେ ଏବଂ ବର୍ଷକ ପରେ ତାଙ୍କ ବଜେଟ୍ ଫଳରେ ଦେଶରେ କ’ଣ ଅଗ୍ରଗତି ହୋଇଛି, ତାହା କହିବାର ଦାୟିତ୍ୱ ନେଲେ ନାହିଁ । ଗତଥର ଅଗ୍ରାଧିକାର ଦେବା ସତ୍ତ୍ୱେ ମଧ୍ୟ ଏହି ପ୍ରସ୍ତାବିତ ବଜେଟ୍ ରେ ବରାଦରୁ କିଭଳି ଅସଲ ବରାଦ କମିଗଲା, ତା’ର କୌଣସି ତଥ୍ୟ ଓ ବ୍ୟାଖ୍ୟା ଅର୍ଥମନ୍ତ୍ରୀ ଦେବାର ପ୍ରୟୋଜନ ମନେ କଲେ ନାହିଁ । ଠିକ୍ ଏହି ଔଦ୍ଧତ୍ୟର ନଜିର ଏଥର ବଜେଟ୍ ରେ ମଧ୍ୟ ଦେଖାଯାଇଛି । ଏକ କଥାରେ ଏହି ବଜେଟ୍ ଉଦାସୀନ ମଣିଷଙ୍କ ଜୀବନ ଜୀବିକାକୁ ନେଇ । ସରକାରଙ୍କୁ ଯେଉଁମାନେ କ୍ଷମତାରେ ଆସୀନ କରିଛନ୍ତି, ସେହି କୋଟିପତି କର୍ପୋରେଟ୍ ମାନଙ୍କର ଯେ ଏହି ବଜେଟ୍ ତାହା ଭଲଭାବରେ ଆଉଥରେ ବୁଝେଇ ଦିଆହୋଇଛି । ଏଣୁ ସରକାରୀ ବିନିଯୋଗ ପାଇଁ ୧୦୦% ବିଦେଶୀ ବିନିଯୋଗ ବୀମା କ୍ଷେତ୍ରରେ ଖୋଲି ଦିଆଗଲା ।

ବଜେଟ୍ ପେଶ୍ର ପୂର୍ବଦିନ ଅର୍ଥନୈତିକ ସମୀକ୍ଷା ପେଶ୍ କରାଯାଇଛି । ଏହି ସମୀକ୍ଷାରେ ଦେଶର ଆର୍ଥିକ ସ୍ଥିତିର ରୂପ ପ୍ରକାଶିତ ହୋଇଥାଏ । ଏହି ସମୀକ୍ଷା ସରକାରୀ ତଥ୍ୟ ଉପରେ ପର୍ଯ୍ୟବସିତ ହୋଇଥାଏ । ଏ ବର୍ଷର ସମୀକ୍ଷାର ଏକ ମାରାତ୍ମକ ପ୍ରବଣତା ଦେଖାଯାଇଛି । ତାହା ହେଉଛି ଦେଶରେ ପଡ଼ି ଯାଉଥିବା ଅର୍ଥନୈତିକ ଅଭିବୃଦ୍ଧିର ହାର ସହ କର୍ପୋରେଟ୍ ଙ୍କ ମୁନାଫା କିଭଳି ବଢ଼ିଚାଲିଛି ଏବଂ ଶ୍ରମଜୀବୀଙ୍କ ମଜୁରୀର ଅଂଶ ଗୋଟିଏ ଜାଗାରେ ସ୍ଥିର ହୋଇରହିଯାଇଛି । କାରଣ ଲୋକଙ୍କ ହାତରେ ଟଙ୍କା ନାହିଁ । ବେକାରୀ, କ୍ଷୁଧା ଯେ ଆମଦେଶକୁ ପଛକୁ ନେଇଯାଉଛି, ସରକାର କ’ଣ ଏହା ଜାଣନ୍ତି ନାହିଁ? ସରକାର କ’ଣ ଜାଣନ୍ତି ନାହିଁ, ଦେଶବ୍ୟାପୀ କୃଷକ ଆନେ୍ଦାଳନ ଓ ଅସନ୍ତୋଷ କୃଷିର ବିପନ୍ନତା ଦିଗ ପ୍ରତି ଇଙ୍ଗିତ କରୁଛି?

ଏହିସବୁ ଇଙ୍ଗିତକୁ ଅବଜ୍ଞା କରିଛି ଏଥରର ବଜେଟ । ଏଥରର ବଜେଟ୍ ରୁ ଦେଶର ଜନସାଧାରଣଙ୍କ ଆଶା ଥିଲା କର୍ମମୁଖୀ ପ୍ରକଳ୍ପ, ଜିନିଷପତ୍ରର ଦାମ୍ କମାଇବାର ନୀତି । ଦେଶର ଉକ୍ରଟ ବେକାରୀ ସମସ୍ୟାର ସମାଧାନ ପାଇଁ ଠୋସ୍ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷାର ନୀତି, କୃଷି ସଙ୍କଟ ଓ କୃଷକଙ୍କ ସମସ୍ୟାର ନିରାକରଣ । ଏସବୁ ପାଇଁ କୌଣସି ପଦକ୍ଷେପ ବଜେଟ୍ ରେ ନିଆଯାଇଥିବା ପରି ମନେହୁଏନା ।

ତାଙ୍କ ବଜେଟ ଭାଷଣରେ ଗୋଟି ଗୋଟି କରି ଅଗ୍ରାଧିକାର ଦେଇଥିବା ଦିଗ ପ୍ରତି ଦୃଷ୍ଟି ଦିଆଯାଉ । ସେ କୃଷକମାନଙ୍କ ଉପରେ ଜୋର ଦେଇଛନ୍ତି ବୋଲି କହିଛନ୍ତି । କୃଷି ବିଭାଗର ବଜେଟ୍ କୁ ଦେଖିଲେ କୃଷି ଏବଂ କୃଷକର ଉନ୍ନୟନରେ ଗତବର୍ଷ ଯେଉଁ ପ୍ରକୃତ ବ୍ୟୟ ହୋଇଥିଲା, ତାହା ଥିଲା ୧.୩ ଲକ୍ଷକୋଟି ଟଙ୍କା । ଏ ବର୍ଷ ସେହି ବରାଦ କମାଇ କରାଯାଇଛି ୧.୨ଲକ୍ଷ କୋଟି ଟଙ୍କା । ଅତଏବ ଯାହା ବ୍ୟୟ ହୋଇଥିଲା, ତାହାଠାରୁ ବ୍ୟୟବରାଦ କମାଇ ଦିଆଗଲା । ସାର କ୍ଷେତ୍ରରେ ଗତବର୍ଷ ସବସିଡ଼ ବାବଦରେ ବ୍ୟୟଥିଲା ୧.୬ଲକ୍ଷ କୋଟି ଟଙ୍କା, ଏଥର କମାଇ କରାଯାଇଛି ୧.୫ଲକ୍ଷ କୋଟି ଟଙ୍କା । ମୂଲ୍ୟବୃଦ୍ଧିର ହାରକୁ ଧରିଲେ ଏହି ବରାଦ ଯଥେଷ୍ଟ କମିଯାଇଛି । ଏହାଛଡ଼ା ବହୁଳ ପ୍ରଚାରିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଗତବର୍ଷର ଫସଲର ବୀମାକୁ ୧୫,୮୬୪ କୋଟି ଟଙ୍କାକୁ କମାଇ ୧୨,୨୪୨.୨୭ କୋଟି ଟଙ୍କାକୁ ନିଆଯାଇଛି ।

କୃଷକମାନଙ୍କ ଛଡ଼ା ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ଯୁବ ଓ ମହିଳାଙ୍କ ଉପରେ । ସରକାରଙ୍କ ପାଖରେ ଯୁବବର୍ଗର ଏହି ମୁହୂର୍ତ୍ତର ଦାବି କର୍ମସଂସ୍ଥାନ । ଅର୍ଥମନ୍ତ୍ରୀଙ୍କ ବଜେଟ୍ ବକ୍ତୃତାରେ ‘କର୍ମସଂସ୍ଥାନ’ ଶବ୍ଦଟି ନଅଥର ଉଚ୍ଚାରିତ ହୋଇଛି । ତେବେ କ’ଣ ସେ ବଜେଟ୍ ରେ ଏ ବିଷୟରେ କହିଛନ୍ତି, ପର୍ଯ୍ୟଟନ, ଖାଦ୍ୟ ପକ୍ରିୟା କରଣରେ, ସୁଲଭ ଓ ସହଜ ସର୍ତ୍ତରେ ଋଣ ଦେଇ ଉଦ୍ୟୋଗୀ ବନେଇ ଜୋତା ଓ ଚର୍ମ ଶିଳ୍ପରେ କର୍ମସଂସ୍ଥାନ କଥା କହିଛନ୍ତି । ଏହି ଭାବରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ଯୁବକମାନଙ୍କୁ ଉଦ୍ୟୋଗୀ କରାଯିବ । କିନ୍ତୁ ପ୍ରଶିକ୍ଷଣ ଓ ଉଦ୍ୟୋଗୀ କରିବାର ପ୍ରକଳ୍ପ ଅତୀତରେ ଥିଲା, ସେ ନେଇ ତ ଏହି ବଜେଟ୍ ରେ କୌଣସି ବ୍ୟୟ ବରାଦ ନାହିଁ । ମନରେଗା ବା ଏକଶହ ଦିନର କାର୍ଯ୍ୟର ପ୍ରକଳ୍ପ ଯାହା ଏବେ ଗରିବ ବେକାର ଲୋକଙ୍କ ଜୀବିକାର ଆଉ ଏକ ଅବଲମ୍ବନ, ସେହି ପ୍ରକଳ୍ପର ବରାଦ ପୂର୍ବର ୮୬୦୦୦ କୋଟି ଟଙ୍କାରେ ରଖାଯାଇଛି । ଯଦିଓ ଦାବି ହେଉଛି ଏହି ପ୍ରକଳ୍ପକୁ ୨୦୦ ଦିନ କରାଯାଉ । ଗ୍ରାମୀଣ ବେକାରଙ୍କ ପାଇଁ ଉଦ୍ଦିଷ୍ଟ ମନରେଗା ପ୍ରକଳ୍ପକୁ ଅବଜ୍ଞା କରିବା କେତେଦୂର ଯଥାର୍ଥ । ରେଳ ସାଧାରଣ ଜନତାଙ୍କ ପରିବହନ । ସେହି ରେଳକୁ ଘରୋଇକରଣ କରାଯିବାର ରୋଡ ମ୍ୟାପ ବଜେଟ୍ ରେ କରାଯାଇଛି । ବଜେଟ ବରାଦ ୨.୬୨ଲକ୍ଷ କୋଟି ଟଙ୍କାରୁ କମାଇ ୨.୫୫ଲକ୍ଷ କୋଟି ଟଙ୍କା, ପ୍ରକୃତ ବ୍ୟୟ ୨ ଲକ୍ଷ କୋଟି ଟଙ୍କା ଏଥର ବରାଦ କରାଯାଇଛି ୨୧ଲକ୍ଷ କୋଟି ଟଙ୍କା । ଦେଶ ବିଶ୍ୱ କ୍ଷୁଧା ସୂଚକାଙ୍କରେ କ୍ରମାଗତ ନିମ୍ନଗାମୀ ହେଉଥିବାବେଳେ ସରକାରଙ୍କର କୌଣସି ଚିନ୍ତାଥିବା ପରି ମନେହୁଏନା ଏହି ବଜେଟ୍ରୁ । ଅର୍ଥମନ୍ତ୍ରୀ ମତ୍ସ୍ୟଚାଷର ଗୁରୁତ୍ୱ କଥା ବଜେଟ୍ରେ କହିଛନ୍ତି । ଏଥିପାଇଁ ଗତବର୍ଷ ବରାଦ ଥିଲା ୪୪୨୨.୨୪ କୋଟି ଟଙ୍କା, ଖର୍ଚ୍ଚ ହୋଇଛି ୩୮୩୯.୨୫ କୋଟି ଟଙ୍କା । ଏ ବର୍ଷର ବରାଦ ୪୮୪୦.୪୦ କୋଟି ଟଙ୍କା । ମୁଦ୍ରାସ୍ଫୀତିର ହାର ଦେଖିଲେ ଏ ବୃଦ୍ଧି କିଛି ନୁହେଁ । ଆବାସ ଯୋଜନା ନେଇ ସାରା ଦେଶରେ କ୍ଷୋଭ ଥିବାବେଳେ ଗତବର୍ଷର ବରାଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଥିଲା ୩୦୧୭୦.୬୧କୋଟି ଟଙ୍କା । ମାତ୍ର ବ୍ୟୟ ହୋଇଥିଲା ୧୩୬୭୦ କୋଟି ଟଙ୍କା ଅର୍ଥାତ୍ ଅର୍ଦ୍ଧେକରୁ କମ୍ । ଏଥର ବରାଦ ହୋଇଛି ମାତ୍ର ୧୯୭୬୪ କୋଟି ଟଙ୍କା । ସ୍ୱଚ୍ଛ ଭାରତ ମିଶନରେ ବରାଦ ବଢ଼ି ନାହିଁ । ସେହି ୫୦୦୦କୋଟି ଟଙ୍କାରେ ରହିଯାଇଛି । ଏଥର ଦେଖାଯାଉ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଜଳ ଜୀବନ ମିଶନରେ ଗତବର୍ଷ ବରାଦ ଥିଲା ୭୦୧୫୨.୯୦ କୋଟି ଟଙ୍କା । ଏହି ବର୍ଷ ତାହା କମି ୩୭୦୦୦ କୋଟି ଟଙ୍କା କରାହୋଇଛି । ଏହିଭଳି ଜନସାଧାରଣଙ୍କ ପ୍ରତିଦିନର ଜୀବନର ପ୍ରୟୋଜନୀୟ ପ୍ରକଳ୍ପଗୁଡ଼ିକର ବରାଦ ସାମାନ୍ୟ ବି ବଢ଼ି ନାହିଁ । ସାମାଜିକ କଲ୍ୟାଣ, ଗ୍ରାମ ଉନ୍ନୟନ, ନଗରାୟନ ଭଳି କେତେକ କ୍ଷେତ୍ରରେ କମାଯାଇଛି । ଏହିଭଳି ଭାବରେ ଲୋକଙ୍କର ମୌଳିକ ଚାହିଦା ଥିବାକ୍ଷେତ୍ରରେ ପ୍ରକୃତ ବରାଦ କମାଇ ଦିଆଯାଇଛି । ଦେଶର ଜନତାଙ୍କ ଜୀବନଜୀବିକା କ୍ଷେତ୍ରରେ କେତୋଟି ସ୍ପର୍ଶକାତର କ୍ଷେତ୍ର ରହିଛି । ସେହି କ୍ଷେତ୍ରଗୁଡ଼ିକ ଗତ କେଇବର୍ଷ ହେବ ଆକ୍ରାନ୍ତ । ଏହିଭଳି କ୍ଷେତ୍ର ବାବଦରେ ବଜେଟ୍ର ବ୍ୟୟବରାଦକୁ ଦେଖାଯାଉ । ସଂଖ୍ୟାଲଘୁ ସମ୍ପ୍ରଦାୟ ବିଭାଗର ବଜେଟ୍ ବରାଦ ଗତବର୍ଷ ଥିଲା ୩୧୮୩.୧୮ କୋଟି ଟଙ୍କା, କିନ୍ତୁ ପ୍ରକୃତରେ ବ୍ୟୟ ହୋଇଥିଲା ୧୮୬୮.୧୮କୋଟି ଟଙ୍କା । ଏ ବର୍ଷ ବରାଦ କରାଯାଇଛି ୩୩୫୦ କୋଟି ଟଙ୍କା । ଦିବ୍ୟାଙ୍ଗ ଭିନ୍ନକ୍ଷମ ଲୋକଙ୍କ ପାଇଁ ଗତବର୍ଷ ବରାଦ ଥିଲା ୧୨୨୫,୨୭ କୋଟି ଟଙ୍କା । କିନ୍ତୁ ଅସଲରେ ଖର୍ଚ୍ଚ ହୋଇଛି ୧୧୬୭.୨୭ କୋଟି ଟଙ୍କା । ଏହି ପ୍ରକଳ୍ପରେ ଏଥରର ବରାଦ ୧୨୭୫କୋଟି ଟଙ୍କା । ଏହି ଦୁଇଟି କ୍ଷେତ୍ରରେ ମୂଲ୍ୟବୃଦ୍ଧିର ହାରକୁ ବିଚାରକୁ ନେଲେ ବରାଦ କମିଯାଇଛି । ସରକାରଙ୍କ ସମ୍ବେଦନଶୀଳ ମନୋଭାବର ଏହା ସଠିକ୍ ପରିଚାୟକ ନୁହେଁ ।

ବଜେଟ୍ରେ ଖୁବ୍ ଜୋରରେ କୁହାଯାଇଛି ସରକାରୀ ମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ଦେବାର କଥା । କିନ୍ତୁ ନୂଆ ଶିକ୍ଷାନୀତିରେ ଘରୋଇକରଣର ଚାପରେ ବହୁ ବିଦ୍ୟାଳୟ ବନ୍ଦ ହେବାର ଯେଉଁ ସୂଚନା ମିଳୁଛି, ସେ ଦିଗରେ ସରକାରଙ୍କ ମନୋଭାବ କ’ଣ ବଜେଟ୍ ରେ ପ୍ରକାଶ ପାଇଲା ନାହିଁ । ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା କ୍ଷେତ୍ରରେ ବଜେଟ୍ ରେ ବ୍ୟୟବରାଦ ଥିଲା ୭୩୦୦୮.୧୦ କୋଟି ଟଙ୍କା କିନ୍ତୁ ଏଠାରେ ପ୍ରକୃତ ବ୍ୟୟ ହୋଇଛି ୭୮୫୭୨.୧୦ କୋଟି ଟଙ୍କା । ଏହି ସାମାନ୍ୟ ବୃଦ୍ଧିରେ ବିଦ୍ୟାଳୟରେ ଇଣ୍ଟରନେଟ ପରିସେବାର ଖର୍ଚ୍ଚ ତୁଲାଇ ହେବ? ଏହାର ଉତ୍ତର ସରକାରଙ୍କ ପକ୍ଷରୁ ମିଳିବ ନାହିଁ । ବିଭିନ୍ନ କ୍ଷେତ୍ରରେ ବଜେଟ୍ ରେ ବ୍ୟୟବରାଦଠାରୁ କମ୍ ଖର୍ଚ୍ଚ ହୋଇଥିବାବେଳେ ଏହାର ଉତ୍ତର ବଜେଟ୍ ରେ ନାହିଁ । ଉଚ୍ଚଶିକ୍ଷାରେ ନୂତନ ଆଇଆଇଟି ପ୍ରତିଷ୍ଠାର କଥା ଅର୍ଥମନ୍ତ୍ରୀ କହିଛନ୍ତି କିନ୍ତୁ ଆମେ ଏକ ତଥ୍ୟକୁ ବିଚାରକୁ ନେଲେ, ଏହା ସମ୍ଭବ ହେବ କି? ୨୦୨୩-୨୪ରେ ସରକାର ଉଚ୍ଚଶିକ୍ଷାରେ ବ୍ୟୟ କରିଥିଲେ ୫୩୮୫.୩୬ କୋଟି ଟଙ୍କା । ଜିଡିପିର ୬% ବରାଦଠାରୁ ଏହି ବରାଦ ବହୁ ଦୂରରେ । ମହିଳାମାନଙ୍କ ପାଇଁ ୨୦୦୫ରୁ ଜେଣ୍ଡର ବଜେଟ୍ ମାଧ୍ୟମରେ ଦେଖାଇବା ବାଧ୍ୟତାମୂଳକ । ସେଠାରୁ ଜଣାଯାଏ ଏହି ବଜେଟ୍ରେ ବରାଦ ଜିଡିପିର ମାତ୍ର ୧.୬୧% । ମହିଳା ଶିଶୁ ସୁରକ୍ଷା ବିଭାଗର ବଜେଟ୍ ବରାଦ ମୋଟ ବରାଦର ମାତ୍ର ୦.୫୩% । କେବଳ ମାତ୍ର ମହିଳାଙ୍କ ପ୍ରକଳ୍ପ ପାଇଁ ବରାଦ ଏ ବର୍ଷର ବଜେଟ୍ ବରାଦର ମାତ୍ର ୨% । ଅଙ୍ଗନୱାଡି ପ୍ରକଳ୍ପରେ ବରାଦ ଥିଲା ୨୧୨୦୦ କୋଟି ଟଙ୍କା । ଏ ବର୍ଷ ହୋଇଛି ୨୧୯୬୦ କୋଟି ଟଙ୍କା । ଏହି ପ୍ରକଳ୍ପରେ ମୂଲ୍ୟବୃଦ୍ଧିକୁ ବିଚାରକୁ ନେଲେ ପ୍ରକୃତ ବରାଦ ଯଥେଷ୍ଟ କମାଇ ଦିଆଯାଇଛି ।

ସରକାର ଆୟକରର କିଛି ତାରତମ୍ୟ କରି ବେତନଭୋଗୀ କିଛି ଲୋକଙ୍କର କରର ବୋଝ କମାଇଛନ୍ତି । କିନ୍ତୁ ଭାରତବର୍ଷର ବିପୁଳ ଜନସଂଖ୍ୟା ତୁଳନାରେ ଏମାନଙ୍କ ସଂଖ୍ୟା ଖୁବ୍ କମ୍ । ଆୟର ବୈଷମ୍ୟ ଆମ ଦେଶରେ ଏତେ ବଢ଼ିଛି ଯେ, ଉଚ୍ଚ ଆୟକାରୀ ଲୋକଙ୍କ ଉପରେ କରର ହାର ନ ବଢ଼ାଇଲେ ଏହାର ସୁଫଳ ଦେଶର ଆର୍ଥିକ ଅଭିବୃଦ୍ଧି ଉପରେ ପଡ଼ିବ ନାହିଁ । ସରକାର ଗତବର୍ଷ ଉଚ୍ଚ ଧନୀକବର୍ଗର ଲୋକଙ୍କ ଉପରେ କର ହ୍ରାସ ଓ ସମ୍ପତ୍ତିକର ଉଠାଇ ଦେଇଛନ୍ତି । ଫଳରେ ଗତବର୍ଷର କର ସଂଗ୍ରହର ପରିମାଣରେ ଆୟକରରୁ ସରକାର ଯେଉଁ ରାଜସ୍ୱ ପାଇଛନ୍ତି, ତାହାଠାରୁ ଅଧିକ ଦ୍ରବ୍ୟସେବା (ଜିଏସ୍ଟି) କରରୁ ପାଇଛନ୍ତି । ସରକାର ସାଧାରଣ ଜନତାଙ୍କ ବଞ୍ଚିବା କଥା ଆଦୌ ଭାବୁନାହାନ୍ତି, ଏହା ସ୍ପଷ୍ଟ । ବଜେଟ୍ରେ ଆୟ କମ୍ ଓ ବ୍ୟୟ ବି କମ୍, ଲୋକଙ୍କ ଜୀବନରେ ଏହି ବଜେଟ୍ କେତୋଟି ସଂଖ୍ୟା ଛଡ଼ା ଅନ୍ୟ କିଛି ନୁହେଁ ।

ସ୍ୱାସ୍ଥ୍ୟ ବଜେଟ୍ର ପ୍ରକୃତ ସ୍ୱରୂପ

ଆବଶ୍ୟକ ଥିଲା ସରକାରୀ ଚିିକିତ୍ସା ଭିତ୍ତିଭୂମିର ଉନ୍ନତି ପାଇଁ ଓ ପଦକ୍ଷେପ ପ୍ରୟୋଜନ ଥିଲା ଡାକ୍ତରୀ ପାଠ୍ୟକ୍ରମରେ ପାଠପଢ଼ାର ସରକାରୀ ବ୍ୟବସ୍ଥାର ଭିତ୍ତିଭୂମିକୁ ପ୍ରସାରିତ କରିବା ପାଇଁ ଯଥାଯଥ ଉଦ୍ୟମ । ସେହିସବୁର ସୁଧାର ନ କରି ଆୟକରରେ ଲମ୍ବା ଛାଡ଼ ପରି ବଜେଟ୍ରେ ସ୍ୱାସ୍ଥ୍ୟକ୍ଷେତ୍ରରେ କିଛି ଚମକ ଦେଖାଇବାର ତତ୍ପରତା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି । କେନ୍ଦ୍ର ସରକାରୀ ହାସପାତାଳ ଏବଂ ରାଜ୍ୟ ସରକାରୀ ହସ୍ପିଟାଲ, ସର୍ବତ୍ର ରୋଗୀମାନଙ୍କର ହୀନସ୍ତାର ଅବସ୍ଥା ନ କହିଲେ ନ ଚଳେ । ଏହାର ଉନ୍ନତି ପାଇଁ ପଦକ୍ଷେପର କଥା ନ କହି ବଜେଟ୍ରେ ଅର୍ଥମନ୍ତ୍ରୀ ସବୁ ଜିଲ୍ଲା ହାସପାତାଳରେ କ୍ୟାନ୍ସର ରୋଗୀଙ୍କ ପାଇଁ ଡେ କେୟାର ସେଣ୍ଟର ଗଠନର ସିଦ୍ଧାନ୍ତ ନେଇଛନ୍ତି । ଦରବୃଦ୍ଧି ପାଇଁ ବିଭିନ୍ନ ଔଷଧ କିଣିବାକୁ ରୋଗୀମାନେ ଅସମର୍ଥ ହେଉଥିବାରୁ ୩୬ଟି ଜୀବନଦାୟୀ ଔଷଧକୁ ସେ ବହିଃଶୁଳ୍କରୁ ଛାଡ଼ ଦେଇଛନ୍ତି । ସେହି ଛାଡ଼ ମାତ୍ର ୧୦ପ୍ରତିଶତ, ତାହା ପୁଣି ଔଷଧ କମ୍ପାନୀମାନେ ଯଦି ରୋଗୀଙ୍କୁ ଦିଅନ୍ତି । ମେଡ଼ିକାଲ କଲେଜରେ ଯଥେଷ୍ଟ ସଂଖ୍ୟକ ଫାକଲ୍ଟି ବା ଶିକ୍ଷକ ଚିକିତ୍ସକ ନାହାନ୍ତି । ସେ ଦିଗକୁ ଦୃଷ୍ଟି ନ ଦେଇ ଆସନ୍ତା ଆର୍ଥିକବର୍ଷରେ ଡାକ୍ତରୀ ପାଠ୍ୟକ୍ରମରେ ୧୦ ହଜାର ଆସନ ବଢ଼ାଯିବ ବୋଲି ଘୋଷଣା କରିଛନ୍ତି । ପୂର୍ବବର୍ଷ ବଜେଟ୍ ତୁଳନାରେ ଏଥର ବଜେଟ୍ରେ ସୀତାରମଣ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ବେଶି ପଦକ୍ଷେପ ଘୋଷଣା କରିଥିଲେ ମଧ୍ୟ ବାସ୍ତବରେ ସବୁଗୁଡ଼ିକ ମୋଦୀ ସରକାରଙ୍କ ଆଉ ଏକ ପରସ୍ତ ଜୁମ୍ଲା ଛଡ଼ା କିଛି ନୁହେଁ ବୋଲି ଡାକ୍ତରୀ ପାଠ୍ୟକ୍ରମର ଶିକ୍ଷାର୍ଥୀ ଓ ଚିକିତ୍ସକମାନେ ମନେ କରନ୍ତି ।

ଦେଶର ପ୍ରାୟ ସବୁ ଜିଲ୍ଲା ହାସପାତାଳରେ ପ୍ରତିଦିନ ସକାଳୁ ବହିର୍ବିଭାଗ ରୋଗୀଙ୍କର ଅସମ୍ଭାଳ ଭିଡ଼ । ସେହିପରି ମେଡିକାଲ କଲେଜ ହାସପାତାଳ ଓ ଏମ୍ସର ବହିର୍ବିଭାଗରେ ମଧ୍ୟ ବେଶ୍ ଭିଡ଼ ହୁଏ । ବହିର୍ବିଭାଗରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଲମ୍ବାଧାଡ଼ି ଶେଷ ହୁଏନା । ଡାକ୍ତରଙ୍କୁ ଦେଖାଇ ନପାରି ଫେରିବାକୁ ପଡ଼େ ଅନେକଙ୍କୁ । ଭର୍ତ୍ତି କରି ଚିକିତ୍ସାର ଦରକାର ହେଲେ ମଧ୍ୟ ଶଯ୍ୟା ଅଭାବରୁ ଅନେକ ରୋଗୀଙ୍କୁ ଫେରାଇ ଦିଆଯାଏ । ସବୁ ଜିଲ୍ଲା ହାସପାତାଳରେ ସବୁ ବିଭାଗର ଡାକ୍ତର ନାହାନ୍ତି । ସେହିପରି ନର୍ସ ଓ ଫାର୍ମାସିଷ୍ଟ ମଧ୍ୟ ନାହାନ୍ତି । ଶଯ୍ୟାରେ ଜଣେରୋଗୀ ଥିବାବେଳେ ଶଯ୍ୟା ତଳେ ଓ ବାରଣ୍ଡାରେ ମଧ୍ୟ ରୋଗୀମାନଙ୍କୁ ରଖାଯାଇଥାଏ । ଏହାସବୁ ଜିଲ୍ଲା ହାସପାତାଳ ଓ ମେଡିକାଲ କଲେଜମାନଙ୍କର ଅବସ୍ଥା । ଏହିସବୁ ଭିତ୍ତିଭୂମି ସୁଧାରିବା ପାଇଁ ସୀତାରମଣଙ୍କ ବଜେଟ୍ ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଦେବା ବିଷୟରେ ନିରବ । ଓଲଟି ସେ କ୍ୟାନ୍ସର ରୋଗୀଙ୍କ ପାଇଁ ୧୦୦ଟି ଜିଲ୍ଲା ହାସପାତାଳରେ ଡେ-କେୟାର ସେଣ୍ଟର ପ୍ରତିଷ୍ଠା କରିବା କଥା ବଜେଟ୍ରେ କହିଛନ୍ତି । ଅର୍ଥ ଖର୍ଚ୍ଚ କରି ଘର, ଶଯ୍ୟା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣର ବ୍ୟବସ୍ଥା କରାଗଲେ ମଧ୍ୟ ଏହି ଅଙ୍କୋଲିଜିଷ୍ଟ ବା କ୍ୟାନ୍ସର ଚିକିତ୍ସାର ବିଶେଷଜ୍ଞ ମିଳିବେ କି ନାହିଁ ସନ୍ଦେହ । ପ୍ରୟୋଜନୀୟସଂଖ୍ୟକ ସେବିକା ନିୟୋଗ କରାଯିବ କି ନାହିଁ ଉଠୁଛି ପ୍ରଶ୍ନ ।

ଯେଉଁ ୩୬ଟି ଜୀବନ ରକ୍ଷାକାରୀ ଔଷଧକୁ ବହିଃ ଶୁଳ୍କରୁ ସୀତାରମଣ ଛାଡ଼ ଦେଇଛନ୍ତି, ସେଗୁଡ଼ିକ ସବୁ ବିରଳ ରୋଗରେ ଆକ୍ରାନ୍ତ ରୋଗୀମାନେ ବ୍ୟବହାର କରନ୍ତି । ଏଭଳି ଏକ ବିରଳରୋଗ ହେଉଛି ସ୍ପାଇନାଲ ମସ୍କୁଲାର ଆଟ୍ରୋଫି (ଏମ୍ଏସ୍ଏ) । ଏହି ରୋଗ ହେଲେ ହାତ, ପାଦ, ମୁହଁ, ଗଳା ଓ ଜିଭ କ୍ରମଶଃ ବେଶି ଦୁର୍ବଳ ହୋଇଯାଏ । ଏହି ବିରଳ ରୋଗରେ ଆକ୍ରାନ୍ତ ଏହିସବୁ ଔଷଧ କିଣିବାରେ ଧନ ସମ୍ପତ୍ତି ଶେଷ ହୋଇଯାଏ । ଅଧିକ ଦର ଯୋଗୁଁ ଔଷଧ କିଣି ନ ପାରି ସାରା ଜୀବନ ପଙ୍ଗୁ ହୋଇଯାଆନ୍ତି ବା ଅସମୟରେ ଅନେକ ଲୋକ ପ୍ରାଣ ହରାନ୍ତି । ଏହିସବୁ ରୋଗୀଙ୍କୁ ଯଦି ପ୍ରକୃତରେ ସୁବିଧା ଦେବାପାଇଁ ଅର୍ଥମନ୍ତ୍ରୀ ଚାହାନ୍ତି, ଭାରତରେ ଏହି ଔଷଧଗୁଡ଼ିକର ତିଆରି ପାଇଁ ଶିଳ୍ପ ପ୍ରତିଷ୍ଠାର ଘୋଷଣା କରିଥାଆନ୍ତେ ଓ ବିଦେଶୀ କମ୍ପାନୀଗୁଡ଼ିକ ସହ ମିଶି ଯୌଥ ଉଦ୍ୟୋଗ ପାଇଁ ଆର୍ଥିକ ସହାୟତା ଘୋଷଣା କରିପାରି ଥାଆନ୍ତେ ।

ମୌଳିକ ସମସ୍ୟାଗୁଡ଼ିକ ପ୍ରତି ନଜର ନ ଦେବାରୁ କ’ଣ ବୁଝାଯାଏ? ଏହିଭଳି ଏକ ରୋଗର ଗୋଟିଏ ଔଷଧ ହେଲା ରିସଡିପାଲ୍ମା, ଯାହାକୁ ପ୍ରତିଦିନ ବ୍ୟବହାର କରିବାକୁ ପଡ଼େ । ଏହି ଔଷଧ ରୋଗୀକୁ କିଛିଟା ଉପଶମ ଦେଇଥାଏ । ୩୧ବର୍ଷ ବୟସ୍କା ଦିଲ୍ଲୀର ଜଣେ ମହିଳା ଏହି ରୋଗରେ ଆକ୍ରାନ୍ତ, ଔଷଧ କିଣିବାକୁ ପ୍ରତିବର୍ଷ ୭୨ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ଏଠାରେ ୧୦ପ୍ରତିଶତ କମିଲେ କେତେ ଖର୍ଚ୍ଚ କମିବ । ଏହାଛଡ଼ା ଔଷଧ କମ୍ପାନୀ ଏହି ଛାଡ଼ର ସୁବିଧା ରୋଗୀଙ୍କୁ ଦେବେ ତ ? ଔଷଧର ମୂଲ୍ୟ ବଢ଼ାଇଦେଲେ ତ ଏହି ଛାଡ଼ ଉଭେଇଯିବ । ଔଷଧର ମୂଲ୍ୟ କମାଇବାର ଦାବି ନେଇ ଦୀର୍ଘଦିନ ହେବ କାର୍ଯ୍ୟ କରୁଥିବା ଏକ ଏନଜିଓ ଥାର୍ଡ ୱାର୍ଲଡ ନେଟୱର୍କ ସହ ଯୁକ୍ତ କେ.ଏମ. ଗୋପାକୁମାର ଏହି ବିଷୟରେ ଜଣାଇଛନ୍ତି ଯେ, ମୂଳ ସମସ୍ୟା ହେଲା ରିସଡିପାଲ୍ମା ସହ ଏହି ୩୬ଟି ଜୀବନଦାୟୀ ଔଷଧର ବେଶି ଭାଗ ଭାରତରେ ତିଆରି ହୁଏନା । ବିଦେଶରୁ ଆସେ । ମୂଲ୍ୟ ବହୁତ । ବିରଳ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହି ଔଷଧ ଦିଆଯାଇଥାଏ । ବଜେଟ୍ ରେ ୩ମାସ ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମତିକ୍ରମେ ଫାର୍ମା କମ୍ପାନୀମାନେ ସାଧାରଣ ଭାବେ ବ୍ୟବହାର ହେଉଥିବା ଶ୍ୱାସ ରୋଗର ଔଷଧ ଇତ୍ୟାଦି ବହୁ ଔଷଧର ମୂଲ୍ୟ ପ୍ରାୟ ୨ଗୁଣ ବଢ଼ାଇ ଦେଇଛନ୍ତି । ଏଭଳି ଔଷଧଗୁଡ଼ିକର ସଂଖ୍ୟା ୪୮ଟି । ଏହିସବୁ ଔଷଧର ମୂଲ୍ୟ କମାଇବା ପାଇଁ ସରକାର ବଜେଟ୍ ରେ ବ୍ୟବସ୍ଥା ନ କରିବା ଦୁର୍ଭାଗ୍ୟର ବିଷୟ ।

ମେଡିକାଲ କଲେଜଗୁଡ଼ିକରେ ସ୍ନାତକ ଓ ସ୍ନାତକୋତ୍ତର ଆସନ ବୃଦ୍ଧି ବିଷୟରେ ବଜେଟ୍ ରେ ଘୋଷଣା ନେଇ ପ୍ରଶ୍ନ ଉଠୁଛି । ଅର୍ଥମନ୍ତ୍ରୀ ବଜେଟ୍ରେ ଜଣାଇଛନ୍ତି ୨୦୨୫-୨୬ରୁ ଆଗାମୀ ୫ଟି ଆର୍ଥିକବର୍ଷରେ ମେଡିକାଲ କଲେଜଗୁଡ଼ିକରେ ମୋଟ ୭୫ହଜାର ଆସନ ବଢ଼ାଯିବ । ୨୦୨୫-୨୬ରେ ବଢ଼ାହେବ ଦଶହଜାର ଆସନ । କିନ୍ତୁ ଆସନ ବଢ଼ାଇବାର କଥା କହିଲେ ମଧ୍ୟ ବଜେଟ୍ ରେ ଦିନକ ପୂର୍ବରୁ ସଂସଦରେ ତାଙ୍କ ଦ୍ୱାରା ଉପସ୍ଥାପିତ ଅର୍ଥନୈତିକ ସମୀକ୍ଷାରେ ଦେଶରେ ଡାକ୍ତରୀ ପାଠ୍ୟକ୍ରମରେ ପାଠପଢ଼ାର ବ୍ୟବସ୍ଥା ଓ ମାନ ନେଇ ଯେଉଁ ଉଦବେଗ ପ୍ରକାଶ କରାଯାଇଥିଲା, ଅର୍ଥମନ୍ତ୍ରୀ ସେ ସମ୍ପର୍କରେ ନିରବ ରହିଛନ୍ତି । ଏହି ସମୀକ୍ଷାରେ କୁହାଯାଇଛି, ଡାକ୍ତରୀ ପାଠ୍ୟକ୍ରମ ପାଠପଢ଼ାର ଅନ୍ୟତମ ବଡ଼ ସମସ୍ୟା ଶିକ୍ଷକ- ଚିକିତ୍ସକଙ୍କ ଅଭାବ । ସବୁ ଡାକ୍ତରଙ୍କର ଚିକିତ୍ସା, ଶିକ୍ଷଣ ବ୍ୟବସ୍ଥାରେ ଅଭାବ ରହିଛି । ସମୀକ୍ଷାରେ ଆହୁରି ମଧ୍ୟ କୁହାଯାଇଛି, ଡାକ୍ତରୀ ପାଠ୍ୟକ୍ରମର ମୋଟ ଆସନର ୪୮ ପ୍ରତିଶତ ଘରୋଇ ମେଡିକାଲ କଲେଜରେ ରହିଛି । ସେଠାରେ ଡାକ୍ତରୀ ପଢ଼ିବା ପାଇଁ ୬୦ଲକ୍ଷରୁ ୧କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରିବାକୁ ପଡ଼େ । ଯେହେତୁ ସବୁ ମେଡିକାଲ କଲେଜ ସହ ହସ୍ପିଟାଲ ରହିବା ବାଧ୍ୟତାମୂଳକ, ଏଣୁ ଏହିସବୁ ଘରୋଇ ମେଡିକାଲ କଲେଜ ସହ ହାସପାତାଳ ରହିଛି । କିନ୍ତୁ ଏସବୁ ଘରୋଇ ହୋଇଥିବାରୁ ଚିକିତ୍ସା ଖର୍ଚ୍ଚ ବେଶ୍ ଅଧିକ । ଏଣୁ ଡାକ୍ତରୀ ଛାତ୍ରଙ୍କ ତୁଳନାରେ ସେଠାରେ ରୋଗୀଙ୍କ ସଂଖ୍ୟା କମ୍ । ଫଳରେ ଛାତ୍ରମାନେ ବିଭିନ୍ନ ରୋଗର ଚିକିତ୍ସାର ପଦ୍ଧତି ସମ୍ପର୍କରେ ପ୍ରତ୍ୟକ୍ଷ ଭାବରେ ଜାଣିବାର ସୁଯୋଗ ଠିକ ଭାବେ ପାଆନ୍ତି ନାହିଁ, ଯାହାର ନେତିବାଚକ ପ୍ରଭାବ ମେଡିକାଲ କଲେଜ ଶିକ୍ଷା ଉପରେ ପଡ଼ୁଛି । ସରକାରଙ୍କ ଅର୍ଥନୈତିକ ସମୀକ୍ଷା ଦେଶରେ ଡାକ୍ତରୀ ପାଠ୍ୟକ୍ରମରେ ପାଠପଢ଼ାର ଅବନତି ନେଇ ଉଦବେଗ ପ୍ରକାଶ କଲେ ମଧ୍ୟ ଅର୍ଥମନ୍ତ୍ରୀ ବଜେଟ୍ ରେ ଏହି ମୌଳିକ ବିଷୟ ପ୍ରତି ଦୃଷ୍ଟି ଦେଇନାହାନ୍ତି । କେବଳ ମେଡିକାଲ କଲେଜରେ ଆସନ ବୃଦ୍ଧିର କଥା କହି ବାହାବା ନେବାକୁ ଚାହିଁଛନ୍ତି ।

ବଜେଟ୍ ରେ ପୂର୍ବଦିନ ସଂସଦରେ ପେଶ୍ କରାଯାଇଥିବା ଅର୍ଥନୈତିକ ସମୀକ୍ଷାରେ ନାଗରିକମାନଙ୍କର ମାନସିକ ସ୍ୱାସ୍ଥ୍ୟର ଚିକିତ୍ସା ବିଷୟଟିକୁ ଗୁରୁତ୍ୱ ଦିଆଯାଇଛି । ସମୀକ୍ଷାରେ ଚାରି ଚାରିଟା ପୃଷ୍ଠା ଯୋଡ଼ି ଆଲୋଚନା କରାଯାଇଛି । ଏଣୁ ଆଶା କରାଯାଉଥିଲା ମାନସିକ ସ୍ୱାସ୍ଥ୍ୟର ଚିକିତ୍ସା, ଯେଉଁଥିରେ ପୂର୍ବର ବଜେଟ୍ ବରାଦ କମାଯାଇଥିଲା ଏଥର ବଢ଼ାଯିବ । କିନ୍ତୁ ତାହା ହୋଇନାହିଁ । ଓଲଟି ମାନସିକ ସ୍ୱାସ୍ଥ୍ୟର ପରିଚର୍ଯ୍ୟାରେ ଟେଲିଫୋନ ଯୋଗେ ପରାମର୍ଶ ଦେବା ପାଇଁ ନ୍ୟାସନାଲ ଟେଲିମେଣ୍ଟାଲ ହେଲ୍ଥ ପ୍ରୋଗ୍ରାମ ନାମରେ ସରକାରଙ୍କ ଯେଉଁ ୨୪ଘଣ୍ଟାର ସେବା ରହିଛି, ଏଥର ବଜେଟ୍ ରେ ସୀତାରମଣ ପୂର୍ବ ଆର୍ଥିକବର୍ଷ ତୁଳନାରେ ଆଗାମୀ ଆର୍ଥିକବର୍ଷରେ ସେଥିପାଇଁ ୧୬ପ୍ରତିଶତ ବରାଦ କମେଇ ଦେଇଛନ୍ତି । ମାନସିକ ରୋଗୀ ଓ ସ୍ନାୟୁରୋଗୀମାନଙ୍କ ଚିକିତ୍ସାର ଶୀର୍ଷ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମେଣ୍ଟାଲ ହେଲ୍ଥ ଆଣ୍ଡ ନ୍ୟୁରୋ ସାଇନ୍ସ ବା ନିମହାନ୍ସ ପାଇଁ ଏଥର ବଜେଟ୍ ରେ ବରାଦ କମିଛି ୪.୫ପ୍ରତିଶତ । ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ନ୍ୟାସନାଲ ହେଲ୍ଥ ମିଶନ)ରେ ଏଥର ବଜେଟ୍ ରେ କମାଯାଇଛି ୩ ପ୍ରତିଶତ । ଅଥଚ ଏହି କାର୍ଯ୍ୟକ୍ରମରେ ଗ୍ରାମର ଶିଶୁ ମହିଳାଙ୍କ ସ୍ୱାସ୍ଥ୍ୟ ପରିଚର୍ଯ୍ୟାର ପ୍ରୟୋଜନ ମେଣ୍ଟାଯାଏ । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ବରାଦ କମିଛି ୬ ପ୍ରତିଶତ । ୨୦୧୪ରୁ ଏ ପର୍ଯ୍ୟନ୍ତ ଏହିସବୁ ଢାଞ୍ଚାରେ ଦେଶର ବିଭିନ୍ନ ସ୍ଥାନରେ ୧୬ଟି ହାସପାତାଳ ପ୍ରତିଷ୍ଠା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ନିଜେ ବକ୍ତୃତା ଦେଇଚାଲିଛନ୍ତି । ସୀତାରମଣ ଅବଶ୍ୟ ସତକଥା ନ କହି ରହିପାରି ନାହାନ୍ତି । ଏହି ୧୬ଟି ମଧ୍ୟରୁ ମଦୁରାଇ, ଦରଭଙ୍ଗା, ଅବନ୍ତୀପୁରା ଓ ରେୱାରିରେ ଚାରୋଟି ହାସପାତାଳ ନିର୍ମାଣ କାର୍ଯ୍ୟ ଚାଲିଛି । କୌଣସି ଚିକିତ୍ସାର କାର୍ଯ୍ୟ ସେଠାରେ ହେଉ ନାହିଁ । ଆଉ ନାଗପୁର, କଲ୍ୟାଣୀ ସହ ଅବଶିଷ୍ଟ ୧୨ଟିରେ କେବଳ ବହିର୍ବିଭାଗରେ ଚିକିତ୍ସା ହୁଏ, ରୋଗୀଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରିବାର ବ୍ୟବସ୍ଥା ସେଠାରେ ଚାଲୁ ହୋଇନାହିଁ । ଏହା ହେଉଛି ନିର୍ମଳା ସୀତାରମଣଙ୍କ ବହୁଳ ପ୍ରଚାରିତ ସ୍ୱାସ୍ଥ୍ୟ ବଜେଟ୍ ରେ ସ୍ୱରୂପ ।

Comments

0 comments

Share This Article