ଜଳ ବୋମା!

120 Views
24 Min Read

ବନ୍ଧ ବାଡ଼ର ପୁଞ୍ଜିପତିଙ୍କ ସ୍ୱାର୍ଥ ସୁରକ୍ଷାର ପ୍ରକଳ୍ପ ଭିତରେ ପୃଥିବୀରେ ବର୍ତ୍ତମାନ ବିଭୀଷିକାର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ବନ୍ଧ ବାଡ଼ର ତଥାକଥିତ ବିକାଶର ଧାରାରେ ବଳି ପଡୁଛନ୍ତି ହଜାର ହଜାର ବିସ୍ଥାପିତ । ଏଭଳି ବିକାଶକୁ ବିନାଶର ନାଁ ଦେଇ ଆଜି ପୃଥିବୀରେ ଆରମ୍ଭ ହୋଇଗଲାଣି ଜୋରଦାର ବିରୋଧ ଏବଂ ଗଣ ଆନ୍ଦୋଳନ । ବନ୍ଧ ବାଡ଼ର ଏହି ନିର୍ମାଣ ପ୍ରକଳ୍ପରେ ବନ୍ଧୁକ ମୁନରେ ଦମନ ହେଉଛି ସାଧାରଣ ଜନତାର କରୁଣ ଚିତ୍କାର । ବନ୍ଧୁକରେ ବନ୍ଧ ବାଡ଼ର ବିକାଶ ଭିତରେ ବଳିପଡୁଛି ପରିବେଶ ଏବଂ ପରିସଂସ୍ଥାନ । ପୃଥିବୀର ସର୍ବ ବୃହତ ବନ୍ଧ ନିର୍ମାଣ କରୁଛି ଚୀନ୍ । ସମଗ୍ର ଏସିଆ ମହାଦେଶ ପାଇଁ ଏଭଳି ବନ୍ଧ ନିର୍ମାଣ ଏକ ଜଳ ବୋମା ପାଲଟିଲାଣି । ଭବିଷ୍ୟତରେ ଏହି ବୃହତ ବନ୍ଧ ପାଇଁ ଦେଖାଦେବ ଉତ୍କଟ ମଧୁର ଜଳ ସମସ୍ୟା ବୋଲି ସତର୍କ କଲେଣି ବିଶେଷଜ୍ଞ । ସମଗ୍ର ଏସିଆ ମହାଦେଶ ପାଇଁ ଏଭଳି ବନ୍ଧ ନିର୍ମାଣ ଏକ ଜଳ ବୋମା ପାଲଟିଲାଣି । ୟାରଲଙ୍ଗ ସାଙ୍ଗପୋ ନଦୀ ବନ୍ଧ ଉପରେ ଏକ ସ୍ୱତନ୍ତ୍ର ବିଶ୍ଳେଷଣ ।

ୟାରଲଙ୍ଗ ସାଙ୍ଗପୋ (ବ୍ରହ୍ମପୁତ୍ର) ବିବାଦ ଓ ବିତର୍କ

ଚତୁର ଚୀନ୍ ୟାରଲଙ୍ଗ ସାଙ୍ଗପୋ (ବ୍ରହ୍ମପୁତ୍ର) ନଦୀରେ ନିର୍ମାଣଧୀନ ବିଶ୍ୱର ବୃହତ୍ତମ ନଦୀବନ୍ଧ ପ୍ରକଳ୍ପ ଭାରତ ପାଇଁ ଏକ ବିରାଟ ବିପଦ ଭାବେ ଉଭା ହୋଇଛି । ଏହାକୁ ନେଇ ବିଶ୍ୱବ୍ୟାପୀ ବିବାଦ ଓ ବିତର୍କ ଆରମ୍ଭ ହୋଇଗଲାଣି । ୨୦୨୩, ଡିସେମ୍ବର ୨୫ ତାରିଖ ଦିନ ସମ୍ବାଦ ସରବରାହ ସଂସ୍ଥା ଜିନହୁଆ ଏକଥା ଜଣାଇଛି ଯେ ଚୀନ୍ ସରକାର ତିବ୍ବତର ତଳମୁଣ୍ଡରେ ୟାରଲଙ୍ଗ ସାଙ୍ଗପୋ ନଦୀରେ ସର୍ବକାଳୀନ ବୃହତ୍ତମ ନଦୀବନ୍ଧ ନିର୍ମାଣକୁ ଅନୁମୋଦନ କରିଛି । ନଦୀର ତଳମୁଣ୍ଡରେ ଥିବା ଭାରତକୁ ପ୍ରାକ୍-ସୂଚନା ନ ଦେଇ ଚୀନ୍ ର ଏପରି ଘୋଷଣା ଏକଥା ସ୍ମରଣ କରାଇଦେଇଛି ଯେ ଭାରତର ଏହାର ଉତ୍ତରର ପଡ଼ୋଶୀ ସହ ସମ୍ପର୍କରେ ସୁଧାର ଆଣିବା କେତେ ଜଟିଳ ।
ଏହି ପ୍ରସ୍ତାବିତ ପ୍ରକଳ୍ପଟି ପାଇଁ ବହୁବର୍ଷ ହେଲା ଯୋଜନା କରାଯାଉ ଥିଲା ଏବଂ ଭାରତ ମଧ୍ୟ ଏହା ଉପରେ ନଜର ରଖିଥିଲା । ଏହି ପ୍ରକଳ୍ପ ଭାରତ ଉପରେ ଅନେକ ପ୍ରତିକୂଳ ପ୍ରଭାବ ପକାଇବ । ଉପରମୁଣ୍ଡର ଦେଶ ହୋଇଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ଚୀନ୍ର ସହଯୋଗ ନ କରିବାର ରେକର୍ଡ ରହିଛି । ଏହା ପ୍ରକଳ୍ପ ସମ୍ପର୍କରେ ପାରଦର୍ଶୀ ନୁହେଁ କି ତଳମୁଣ୍ଡର ଦେଶର ସ୍ୱାର୍ଥସୁରକ୍ଷା ଆଦୌ କରେନାହିଁ, ଯାହାକି ଏହା କରିବା ବିଧେୟ । ତେଣୁ ଭାରତ ଓ ଚୀନ୍ର ଜଟିଳ ସମ୍ପର୍କ ସକାଶେ ଏହା ତିକ୍ତତାର ଆଉ ଏକ କାରଣ ହୋଇ ଉଭାହୋଇଛି ।
କୌଣସି ବିସ୍ତୃତ ବିବରଣୀ ନ ଦେଇ ଜିନହୁଆ ଏହି ପ୍ରକଳ୍ପକୁ ଏକ ପରିବେଶ ଅନୁକୂଳ ପ୍ରକଳ୍ପବୋଲି ପ୍ରଶଂସା କରିଛନ୍ତି । ତେବେ, ହଂକଂରୁ ପ୍ରକାଶିତ ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ (ଏସ୍.ସି.ଏମ୍.ପି.)ର ଏକ ରିପୋର୍ଟ ମୁତାବକ ଏହି ପ୍ରକଳ୍ପ ସକାଶେ ମୋଟ ପୁଞ୍ଜି ବିନିଯୋଗ ଏକ ଲକ୍ଷ କୋଟି ୟୁଆନ୍ ବା ୧,୩୭,୦୦ କୋଟି ଡଲାରକୁ ଟପି ଯାଇପାରେ । ଏହି ପ୍ରକଳ୍ପରୁ ବାର୍ଷିକ ୩୦,୦୦୦ କୋଟି କିଲୋୱାଟ୍-ଆୱାର୍ ବିଦ୍ୟୁତ୍ ଉତ୍ପାଦିତ ହେବ ବୋଲି ଆକଳନ କରାଯାଉଛି, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତର ବିଶ୍ୱର ସର୍ବବୃହତ୍ ନଦୀବନ୍ଧ ଥ୍ରୀ ଗର୍ଜେସ୍ ଡ୍ୟାମ୍ ର ଯୋଜନା କରାଯାଇଥିବା ଉତ୍ପାଦନ କ୍ଷମତାର ପ୍ରାୟ ତିନିଗୁଣ ।
ଏସ୍.ସି.ଏମ୍.ପି. ଅନୁଯାୟୀ ଏହି ବନ୍ଧ ବିଶ୍ୱର ସର୍ବବୃହତ୍ ଭିତ୍ତିଭୂମି ପ୍ରକଳ୍ପ ହେବ ଏବଂ ଏଥିପାଇଁ ଚାରିରୁ ଛଅଟି ୨୦ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ନିର୍ମାଣ କରିବାକୁ ପଡ଼ିବ । ନଦୀର ପ୍ରାୟ ଅଧା ଜଳକୁ ସ୍ଥାନାନ୍ତରିତ କରାଯିବ । ଏହା ସତ୍ତ୍ୱେ ଚୀନ୍ ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକଳ୍ପଯୋଗୁଁ ତଳମୁଣ୍ଡର ଦେଶ ଭାରତ ଓ ବାଂଲାଦେଶ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।
ପ୍ରସ୍ତାବିତ ପ୍ରକଳ୍ପଟି ୟାରଲଙ୍ଗ ସାଙ୍ଗପୋ ନଦୀର ବିଶାଳ ବାଙ୍କ (ହେୟାର ପିନ୍ ଟର୍ଣ୍ଣ) ଅଞ୍ଚଳରେ ହିଁ କରାଯିବ । ଏହି ସ୍ଥାନରେ ହିଁ ନଦୀ ହେୟାର ପିନ୍ ଟର୍ଣ୍ଣ (ୟୁ) ଆକାରରେ ମୋଡ଼ିଯାଇଛି ଏବଂ ଏହି ଅଞ୍ଚଳର ୨୦ କିଲୋମିଟର ତଳେ ଭାରତରେ ପ୍ରବେଶ କରିଛି । ଏହି ପ୍ରକଳ୍ପ ଭାରତ ଉପରେ ଅନେକ ପ୍ରକାରର ପ୍ରତିକୂଳ ପ୍ରଭାବ ପକାଇବ । ଏହି ପ୍ରକଳ୍ପ ଫଳରେ ସିଆଙ୍ଗ (ଭାରତରେ ପ୍ରବେଶ କରିବା ପରର ନାମ) ନଦୀର ଜଳପ୍ରବାହକୁ ବାଧିତ କରିବ । ଏହାହିଁ ହେଉଛି ବ୍ରହ୍ମପୁତ୍ର ନଦୀ ବ୍ୟବସ୍ଥାର ମୁଖ୍ୟ ଧାର । ଆସାମ ସରକାରଙ୍କ ୱେବ୍ସାଇଟ୍ ଅନୁଯାୟୀ ବ୍ରହ୍ମପୁତ୍ର ନଦୀର ଅବବାହିକା ତିବ୍ବତରେ ୨,୯୩,୦୦୦ ବର୍ଗ କିଲୋମିଟର, ଭାରତରେ ୨,୪୦,୦୦୦ ବର୍ଗ କିଲୋମିଟର ଏବଂ ବାଂଲାଦେଶରେ ୪୭,୦୦୦ ବର୍ଗ କିଲୋମିଟର । ଭାରତରେ ବ୍ରହ୍ମପୁତ୍ରରେ ପ୍ରବାହିତ ଜଳର ଅଧିକାଂଶ ଭାଗ ଭାରତରୁ ହିଁ ସଂଗୃହୀତ ହୋଇଥାଏ । କିନ୍ତୁ, ଏବର ଏହି ବୃହତ୍ ପ୍ରକଳ୍ପଟି ନଦୀର ଜଳପ୍ରବାହ ଉପରେ ତଥା ତଳମୁଣ୍ଡର ଲୋକମାନଙ୍କ ଜୀବନଜୀବିକା ଉପରେ ଘୋର ପ୍ରଭାବ ପକାଇବ ।
ମେକଙ୍ଗ ନଦୀର ଉପରମୁଣ୍ଡରେ ଚୀନ୍ ଛୋଟ ଛୋଟ ଜଳବିଦ୍ୟୁତ୍ ପ୍ରକଳ୍ପମାନ କାର୍ଯ୍ୟକାରୀ କରିବା ଫଳରେ ଏହାର ସାମଗ୍ରିକ ପ୍ରଭାବ ରୂପେ ମେକଙ୍ଗ ନଦୀର ତଳମୁଣ୍ଡରେ ଜଳସ୍ତରରେ ଅନିୟମିତତା, ନଦୀର କେତେକ ଅଞ୍ଚଳ ଶୁଖିଯିବା, ମାଛ ଉତ୍ପାଦନ କମିଯିବା, ପଟୁ ଜମାହେବା ହ୍ରାସପାଇବା ପରି ବହୁ ପ୍ରକାରର ଅନିୟମିତତା ଦେଖାଦେଇଥିଲା । ଏହା ଫଳରେ ମେକଙ୍ଗ ତଳମୁଣ୍ଡର ମାଁମାର, ଥାଇଲ୍ୟାଣ୍ଡ, ଲାଓସ, କାମ୍ବୋଡ଼ିଆ ଓ ଭିଏତନାମାର ନାଗରିକମାନେ ପ୍ରଭାବିତ ହୋଇଥିଲେ । ଏହା ଉଭୟ ଭାରତ ଓ ବାଂଲାଦେଶ ଉପରେ ପ୍ରସ୍ଥାବିତ ବନ୍ଧ କିପରି ପୂର୍ବାନୁମିତ ବା ପୂର୍ବାନୁମାନ କରାଯାଇ ନ ଥିବା ପ୍ରଭାବମାନ ପଡ଼ିବ ତା’ ସମ୍ପର୍କରେ ଆମକୁ ଚେତାଇ ଦେଉଛି ।
ଏହା ସଙ୍ଗେସଙ୍ଗେ ପରିସଂସ୍ଥାନ ଦୃଷ୍ଟିରୁ ସମ୍ବେଦନଶୀଳ ଏବଂ ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଏପରି ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବାରୁ ଏପରି ପ୍ରକଳ୍ପ ସହିତ ସର୍ବବିଦ୍ୟମାନ ବିପର୍ଯ୍ୟୟର ଆଶଙ୍କାମାନ ମଧ୍ୟ ରହିଛି । ଭୂକମ୍ପ ଯୋଗୁଁ ବନ୍ଧର କୌଣସି କ୍ଷତି ନ ହେଲେ ମଧ୍ୟ ବ୍ୟାପକ ପରିମାଣର ଜଳ ସ୍ଥାନାନ୍ତରଣ ତଥା ଜଳକୁ ଠୁଳକରି ରଖାଯିବା ଫଳରେ ତଳମୁଣ୍ଡର ପରିସଂସ୍ଥାନ ଓ ଜୈବବିବିଧତା ପ୍ରଭାବିତ ହେବ । ଏକଥା ଏଠାରେ ସ୍ମରଣ କରାଯିବା ପ୍ରାସଙ୍ଗିକ ହେବ ଯେ ୨୦୦୪ ମସିହାରେ ତିବ୍ବତରେ ସତଲୁଜ ନଦୀର ଏକ ଉପନଦୀ ପାରେଚୁରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିଲା ଏବଂ ଏହି ଜରୁରୀ ପରିସ୍ଥିତିର ମୁକାବିଲା ସେତେବେଳର ମୁଖ୍ୟ ସଚିବଙ୍କର ନେତୃତ୍ୱରେ ଗୋଟିଏ ଦଳ ଦ୍ୱାରା କରାଯାଇଥିଲା ।
୨୦୦୪ ମସିହାରେ ଚୀନ୍ ସହ ଭାରତର ସମ୍ପର୍କ ଅପେକ୍ଷାକୃତ ଭାବେ ଭଲ ଥିଲା ଏବଂ ଚୀନ୍ ଆମକୁ ଆଗତୁରା ଏ ବାବଦକୁ ସୂଚନା ଯୋଗାଇ ଦେଇଥିଲା । କୃତ୍ରିମ ହ୍ରଦର ବନ୍ଧ ଭୁଶୁଡ଼ିବା ପୂର୍ବରୁ ଏହାର ପାଣି ଜମାଟ ବାନ୍ଧି ଯାଇଥିଲା । ତେଣୁ ଏଠାରେ ଜମା ଥିବା ପାଣି ପରବର୍ତ୍ତୀ ବର୍ଷରେ ହିଁ ଆଂଶିକ ରୂପେ ନିଷ୍କାସିତ ହୋଇଥିଲା ଏବଂ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ତଳମୁଣ୍ଡରେ ସୀମିତ କ୍ଷୟକ୍ଷତି ହୋଇଥିଲା । ସଂଗୃହୀତ ଜଳକୁ ଅସ୍ତ୍ର ରୂପେ ବ୍ୟବହାର କରା ନଗଲେ ମଧ୍ୟ ଯୋଜନାବଦ୍ଧ ପ୍ରକଳ୍ପଗୁଡ଼ିକଠାରୁ ବିପଦର ଆଶଙ୍କା ଅଧିକ ଥାଏ ।

ଭାରତ ବିପକ୍ଷରେ ଚୀନ୍ର ‘ଜଳ ବୋମା’

ଭାରତର ସର୍ବତ୍ର ଭୂତଳ ଜଳସ୍ତର ହ୍ରାସ ପାଉଛି ଏବଂ ନଦୀଗୁଡ଼ିକ ମାତ୍ରାଧିକ ପ୍ରଦୂଷିତ ହୋଇସାରିଛନ୍ତି । ସିନ୍ଧୁ ନଦୀ ଚୁକ୍ତିଯୋଗୁଁ ପଶ୍ଚିମାଭିମୁଖୀ ନଦୀଗୁଡ଼ିକର ୮୦% ଜଳ ପାକିସ୍ତାନକୁ ଦେଇ ଦିଆଯାଉଛି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ସଂରକ୍ଷଣ, ସୁରକ୍ଷା ଏବଂ ସାଇତି ରଖିବାକୁ ଗୁରୁତ୍ୱ ନଦେଇ ଆମେ ଜଳର ମୂଲ୍ୟକୁ ଅସମ୍ମାନିତ କରୁଛୁ ।
ଅନ୍ୟପକ୍ଷରେ ୭୫ବର୍ଷ ତଳେ ଚୀନ୍ ଏକଥା ଜାଣିପାରିଥିଲା ଯେ ଏହାକୁ ଜଳ ସଂକଟ ପ୍ରଭାବିତ କରିବ । ଏହା ହୁଏତ ଚୀନ୍ ତିବ୍ବତ ଦଖଲ କରିନେବାର କାରଣଗୁଡ଼ିକ ମଧ୍ୟରେ ଅନ୍ୟତମ ଥିଲା, କାରଣ ସେଇ ଅଞ୍ଚଳରେ ହିଁ ସବୁତକ ଜଳ ଥିଲା । ଚୀନ୍ ନିଜକୁ ଦକ୍ଷିଣ ଏସିଆର ବୃହତ୍ତମ ନଦୀଗୁଡ଼ିକର ନିୟନ୍ତ୍ରକ ରୂପେ ବିବେଚନା କରେ । ଆକଳନ କରାଯାଇଛି ଯେ ତିବ୍ବତ ମାଳଭୂମିରୁ ବାର୍ଷିକ ୭୧,୮୦୦ କୋଟି ଘନମିଟର ଜଳ ବାହାରକୁ ବୋହି ଯାଇଥାଏ ।

ତିବ୍ବତ

ତିବ୍ବତ ହେଉଛି ଏସିଆର ବର୍ଷାକାରକ, ଜଳ ଯୋଗାଣକାରୀ ଏବଂ ଜଳଭଣ୍ଡାର । ଏହିଠାରୁ ହିଁ ଜଳ ସବୁ ଦିଗକୁ ଏବଂ ଅନେକଗୁଡ଼ିଏ ଦେଶକୁ ପ୍ରବାହିତ ହୋଇଥାଏ । ସୁମେରୁ ଏବଂ ଆଣ୍ଟାର୍ଟିକାକୁ ବାଦ୍ ଦେଲେ ଏହିଠାରେ ହିଁ ସର୍ବାଧିକ ସବୁଦିନିଆ ବରଫ ରହିଛି । ଉତ୍ତରରୁ ଦକ୍ଷିଣ ୧୪୫୦ କିଲୋମିଟର ଏବଂ ପୂର୍ବରୁ ପଶ୍ଚିମ ୨୪୦୦ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ନିଆରା ଜଳଉତ୍ସ ହେଉଛି ବିଶ୍ୱର ସର୍ବବୃହତ୍ ତଥା ସର୍ବୋଚ୍ଚ ମାଳଭୂମି । ସମୁଦ୍ର ପତ୍ତନ ଠାରୁ ୪୦୦୦ ମିଟର ହାରାହାରି ଉଚ୍ଚତାରେ ଥିବା ମାଳଭୂମିକୁ ଯଥାର୍ଥରେ ‘ପୃଥିବୀର ଛାତ’ ବୋଲି କୁହାଯାଇ ଥାଏ । ଏଠାରେ ୧୮,୦୦୦ରୁ ଊର୍ଦ୍ଧ୍ୱ ସଂଖ୍ୟକ ଅତି ଉଚ୍ଚସ୍ଥାନରେ ଥିବା ହିମବାହ ଏବଂ ବୃହତ୍ତର ହିମାଳୟ ଅଞ୍ଚଳରେ ୧,୫୦୦ ହ୍ରଦମାନ ରହିଛି ଯାହାକି ବିପୁଳ ପରିମାଣର ମଧୁର ଜଳର ଗନ୍ତାଘର ।
ତିବ୍ବତ ମାଳଭୂମିରୁ ବାହାରିଥିବା ପ୍ରମୁଖ ନଦୀଗୁଡ଼ିକ ହେଲା- ୟାଙ୍ଗସେ, ପୀତ ନଦୀ, ମେକଙ୍ଗ, ସାଲ୍ୱିନ୍, ଇରାୱାଡ଼ି, ଅରୁଣ, ବ୍ରହ୍ମପୁତ୍ର, ଶତ୍ଲୁଜ ଏବଂ ସିନ୍ଧୁ । ବିଶାଳ ଗଙ୍ଗାର ଉପନଦୀଗୁଡ଼ିକ ଏହି ତିବ୍ବତରୁ ହିଁ ବାହାରିଛନ୍ତି ଯେପରିକି କରନାଲୀ, ଗଣ୍ଡକ ଓ କୋଶୀ । ଯେତେବେଳେ ଚୀନ୍ ତିବ୍ବତ ଦଖଲ କରିନେଲା ସେତେବେଳେ ଏଠାକାର ନଦୀଗୁଡ଼ିକର ଜଳର ଉପଯୋଗ ନାମକୁ ମାତ୍ର ହେଉଥିଲା । ଏହାର ଅର୍ଥ ହେଲା ଏହି ମାଳଭୂମିର ପ୍ରାୟ ସମସ୍ତ ଜଳ ଭାରତ, ନେପାଳ, ଚୀନ୍, ବାଂଲାଦେଶ, ପାକିସ୍ତାନ, ଭୂଟାନ, ଭିଏତନାମ, ବ୍ରହ୍ମଦେଶ, କାମ୍ବୋଡ଼ିଆ, ଲାଓସ ଓ ଥାଇଲ୍ୟାଣ୍ଡ ପରି ଦେଶଗୁଡ଼ିକରେ ଥିବା ତଳମୁଣ୍ଡର ଅବବାହିକାକୁ ପ୍ରବାହିତ ହୋଇଯାଉଥିଲା । ସମ୍ପ୍ରତି ନଦୀଗୁଡ଼ିକର ଜଳ ମାଳଭୂମିର ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକାଳାପ ସକାଶେ ବ୍ୟବହୃତ ହେଉଥିବା ସଙ୍ଗେ ସଙ୍ଗେ ଚୀନ୍ ଆନ୍ତଃ-ନଦୀ ଏବଂ ଆନ୍ତଃ-ଅବବାହିକା ଜଳ ସ୍ଥାନାନ୍ତରଣ ପ୍ରକଳ୍ପମାନ କାର୍ଯ୍ୟକାରୀ କରିବା ଫଳରେ ତିବ୍ବତ ଉପରେ ଚୀନ୍ ର ନିୟନ୍ତ୍ରଣର ସୀମାପାର ପ୍ରଭାବ ଚିନ୍ତାର କାରଣ ପାଲଟିଛି ।

ଜଳ ଓ ତିବ୍ବତ: ଦୁଇଟି ତତ୍ତ୍ୱ

ତିବ୍ବତ ଉପରେ ଚୀନ୍ ଯେପରି ବଳପୂର୍ବକ ଅଧିକାର ସାବ୍ୟସ୍ତ କରିଛି ଠିକସେହିପରି ଜଳ ଉପରେ ମଧ୍ୟ ଚୀନ୍ ନିଜର ଏକଚାଟିଆ ନିୟନ୍ତ୍ରଣ କାରବାର କରିବାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରଚାଉଛି । ଚୀନ୍ ହେଉଛି ବିଶ୍ୱର ସର୍ବବୃହତ୍ ନଦୀବନ୍ଧ ନିର୍ମାଣକାରୀ । ଗତ ୭-୮ ଦଶନ୍ଧିରେ ଚୀନ୍ ୮୭,୦୦୦ରୁ ଅଧିକ ନଦୀବନ୍ଧ ନିର୍ମାଣ କରିଛି । ମାଓ ଜେଡ଼ଙ୍ଗ ବ୍ୟାପକ ମାତ୍ରାରେ ନଦୀଗୁଡ଼ିକରେ ବନ୍ଧ ନିର୍ମାଣକୁ ସ୍ୱୀକୃତି ପ୍ରଦାନ କରିଥିଲେ ଏବଂ ଏଥିପାଇଁ ସହଯୋଗ ମଧ୍ୟ କରିଥିଲେ । ରାଷ୍ଟ୍ରପତି ହୁ ଜିଣ୍ଟାଓ ଜଳବିଦ୍ୟୁତ୍ ପ୍ରମୁଖ ବିଷୟର ସହ ଇଞ୍ଜିନିଅରିଂ ଡିଗ୍ରି ହାସଲ କରିଥିଲେ । ୧୯୬୪ ମସିହାରେ ତିବ୍ବତ ପାଇଁ ସାମରିକ ଆଇନ ପ୍ରଶାସକ ରୂପେ କାର୍ଯ୍ୟ କରିଥିଲେ । ସେ ଜଳ ଓ ତିବ୍ବତ ଏହି ଦୁଇଟି ତତ୍ତ୍ୱକୁ ସମ୍ମିଳିତ କରି କାର୍ଯ୍ୟ କରିଥିଲେ ।
ପ୍ରଧାନମନ୍ତ୍ରୀ ୱେନ୍ ଜିଆବାଓ ଜଣେ ଭୂତତ୍ତ୍ୱ ଇଞ୍ଜିନିଅର୍ ଥିଲେ ଏବଂ ସେ ତିବ୍ବତ ମାଳଭୂମିରେ ଭୂତାତ୍ତ୍ୱିକ କାର୍ଯ୍ୟମାନ କରିଥିଲେ । ସେ ମଧ୍ୟ ତିବ୍ବତର ଜଳକୁ ବିଶେଷ ଧ୍ୟାନ ଦେଇଥିଲେ । ଚୀନ୍ ଜଳକୁ ଏକ ସାର୍ବଭୌମ ବା କେବଳ ଏହାଦ୍ୱାରା ବ୍ୟବହୃତ ହେବାକୁ ଥିବା ସମ୍ବଳ ବୋଲି ବିବେଚନା କରିଥାଏ । ଅନ୍ୟମାନଙ୍କ ସହ ଏହି ସମ୍ବଳକୁ ସାମୂହିକ ଭାବେ ବ୍ୟବହାର କରିବାରେ ଚୀନ୍ ବିଶ୍ୱାସ କରିନଥାଏ । ଚୀନ୍ ନଦୀଗୁଡ଼ିକର ଉପରମୁଣ୍ଡରେ ଜଳପ୍ରବାହ ବା ଜଳଶକ୍ତି ସମ୍ପର୍କିତ ତଥ୍ୟ ତଳମୁଣ୍ଡରେ ଥିବା ବ୍ୟବହାରକାରୀ ରାଷ୍ଟ୍ରମାନଙ୍କୁ ଜଣାଇ ନଥାଏ । ଚୀନ୍ କୁହେ ଯେ ପ୍ରତ୍ୟେକଟି ଜଳବୁନ୍ଦାକୁ ପ୍ରଥମେ ଏହା ବ୍ୟବହାର ନ କରି ଅନ୍ୟମାନଙ୍କୁ ବ୍ୟବହାର କରିବାକୁ ଛାଡ଼ିବ ନାହିଁ କି ତଳମୁଣ୍ଡର ଦେଶମାନଙ୍କଠାରୁ ମୂଲ୍ୟ ଅସୁଲ ନ କରି ବୁନ୍ଦାଏ ଜଳ ଛାଡ଼ିବ ନାହିଁ ।
ଚୀନ୍ ତିବ୍ବତ ମାଳଭୂମିରେ ପ୍ରବାହିତ ପ୍ରତ୍ୟେକଟି ପ୍ରମୁଖ ନଦୀରେ ବନ୍ଧ ବାନ୍ଧିସାରିଛି, ଯେପରିକି ମେକଙ୍ଗ, ସାଲୱିନ, ୟାରଲଙ୍ଗ ସାଙ୍ଗପୋ (ବ୍ରହ୍ମପୁତ୍ର), ୟାଙ୍ଗସେ, ପୀତ ନଦୀ, ସିନ୍ଧୁ, ଶତଲୁଜ, ସ୍ୱେଲି ଏବଂ କାରନାଲୀ । ସୂଚନା ମିଳୁଛି ଯେ ଏହି ବନ୍ଧଗୁଡ଼ିକ ଜଳଭଣ୍ଡାରରେ ସୃଷ୍ଟି କରିବ ଏବଂ ଚୀନ୍ର ମୁଖ୍ୟ ଭୂମିକୁ ବିଦ୍ୟୁତ୍ ଯୋଗାଇବେ । ଏହି ନଦୀବନ୍ଧଗୁଡ଼ିକ ଭାରତୀୟ ପ୍ଲେଟ୍ ଏବଂ ଇଉରୋପୀୟ ପ୍ଲେଟ୍ର ମିଳନ ସ୍ଥଳୀରେ ଥିବା ଭୂତାତ୍ତ୍ୱିକ ଫାଟର ଖୁବ୍ ନିକଟରେ ଅବସ୍ଥିତ । ପ୍ରତିକୂଳ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ତିବ୍ବତର ଏହି ବନ୍ଧଗୁଡ଼ିକ କ୍ଷତିଗ୍ରସ୍ତ ହେଲେ ତାହା ତଳମୁଣ୍ଡରେ ବନ୍ୟାର ବିଭୀଷିକା ସୃଷ୍ଟି କରିବ । ଚୀନ୍ କେବେହେଲେ ସରକାରୀଭାବେ ଏହି ନଦୀବନ୍ଧଗୁଡ଼ିକର ନିର୍ମାଣ ସମ୍ପର୍କରେ ବାହାର ଦୁନିଆକୁ ଜଣାଇ ନାହିଁ । ତିଦ୍ଦତୀୟ ନଦୀଗୁଡ଼ିକରେ ବନ୍ଧ ନିର୍ମାଣ ପାରଦର୍ଶୀ ହୋଇ ନଥିବାରୁ ଏଗୁଡ଼ିକ ଦ୍ୱାରା ସୃଷ୍ଟ ବିପଦ ଏବଂ ତଳମୁଣ୍ଡର ନଦୀ ଅବବାହିକାରେ ବସବାସ କରୁଥିବା କୋଟି କୋଟି ଲୋକଙ୍କ ଉପରେ ଏହାର ପ୍ରଭାବକୁ ନେଇ ଅନେକ ସଂଶୟ ଦେଖାଦେଇଛି ।

ଭାରତୀୟ ପୃଷ୍ଠଭୂମି

ଭାରତୀୟ ପୃଷ୍ଠଭୂମିରୁ ବିଚାର କଲେ ମୁଖ୍ୟତଃ ଦୁଇଟି ନଦୀ ବ୍ୟବସ୍ଥା ତିବ୍ବତରୁ ଜଳ ସଂଗ୍ରହ କରିଥାଆନ୍ତି । ଏଗୁଡ଼ିକ ହେଲେ ସିନ୍ଧୁ ନଦୀବ୍ୟବସ୍ଥା ଏବଂ ବ୍ରହ୍ମପୁତ୍ର ନଦୀବ୍ୟବସ୍ଥା । ସିନ୍ଧୁ ନଦୀର ସୃଷ୍ଟି କୈଳାଶ ପର୍ବତ/ମାପାମ ହ୍ରଦରୁ ହୋଇଛି । ଏହା ଲଦାଖ ଦେଇ ଭାରତରେ ପ୍ରବେଶ କରିଛି ଏବଂ ତା’ପରେ ପାକ୍ ଅଧିକୃତ କାଶ୍ମୀର (ପି.ଓ.କେ.)କୁ ପ୍ରବାହିତ ହୋଇଛି । ସିନ୍ଧୁ ନଦୀର ଦୀର୍ଘତମ ଉପନଦୀ ଶତଲୁଜ ନଦୀ ମଧ୍ୟ କୈଳାଶ ପର୍ବତ/ମାନସରୋବର ହ୍ରଦରୁ ବାହାରି ହିମାଚଳପ୍ରଦେଶରେ ଭାରତରେ ପ୍ରବେଶ କରିଛି ।
ୟାରଲାଙ୍ଗ ସାଙ୍ଗପୋ ବା ବ୍ରହ୍ମପୁତ୍ର ନଦୀର ଉଦଗମ ସ୍ଥଳ ମଧ୍ୟ କୈଳାଶ ପର୍ବତ । ଏହା ତିବ୍ବତ ମାଳଭୂମିର ହାରାହାରି ପ୍ରାୟ ୪୦୦୦ମିଟର ଉଚ୍ଚତାରେ ୧୬୫୦ କିଲୋମିଟର ପର୍ଯ୍ୟନ୍ତ ପୂର୍ବ ଦିଗକୁ ପ୍ରବାହିତ ହୋଇଥାଏ । ବିଶ୍ୱର ପ୍ରମୁଖ ନଦୀ ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ଏହା ହେଉଛି ଉଚ୍ଚତମ ଏବଂ ସବୁଠାରୁ ଦ୍ରୁତ ପ୍ରବାହିତ ନଦୀଗୁଡ଼ିକ ମଧ୍ୟରେ ଅନ୍ୟତମ । ଜଳପ୍ରବାହ ଦୃଷ୍ଟିରୁ ବ୍ରହ୍ମପୁତ୍ର ବିଶ୍ୱର ଚତୁର୍ଥ ବୃହତ୍ତମ ନଦୀ । ଜଳ ପରିମାଣ ଦୃଷ୍ଟିରୁ ଚୀନ୍ରୁ ଅନ୍ୟଦେଶକୁ ପ୍ରବାହିତ ହେଉଥିବା ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନଦୀ । ବ୍ରହ୍ମପୁତ୍ର ଦେଇ ଚୀନ୍ରୁ ଭାରତରେ ପ୍ରବେଶ କରୁଥିବା ଜଳର ପରିମାଣ ୧୬,୫୪୦କୋଟି ଘନମିଟର ଯାହାକି ମେକଙ୍ଗ ଓ ସାଲୱିନ ଦ୍ୱାରା ମିଳିତଭାବେ ଚୀନ୍ରୁ ନିଷ୍କାଷିତ ମୋଟ ଜଳଠାରୁ ମଧ୍ୟ ଅଧିକ । ବ୍ରହ୍ମପୁତ୍ର ନଦୀ ସିଆଙ୍ଗ ନଦୀ ନାମରେ ଅରୁଣାଚଳପ୍ରଦେଶରେ ମ୍ୟାକ୍ମୋହନ୍ ଲାଇନରେ କୋରବୋଠାରେ ଭାରତରେ ପ୍ରବେଶ କରିଛି ।
ସିଆଙ୍ଗ ବା ଦିହାଙ୍ଗ ନଦୀପ୍ରାୟ ୪୦୦ କିଲୋମିଟରର ମନୋରମ ଘାଟି ଦେଇ ପ୍ରବାହିତ ହେବା ପରେ ଆସାମର କୋବୋ ସମତଳ ଅଞ୍ଚଳରେ ଦିବାଙ୍ଗ ନଦୀ ଓ ଲୋହିତ ନଦୀରେ ସାଦିଆ ସହରର ଦକ୍ଷିଣରେ ମିଶିଛି । ଏହି ତିନିଟି ନଦୀର ସଙ୍ଗମସ୍ଥଳରୁ ହିଁ ଏହାର ନାମ ବ୍ରହ୍ମପୁତ୍ର ହୋଇଛି । ବାଂଲାଦେଶରେ ପ୍ରବେଶ କରିବା ପୂର୍ବରୁ ବ୍ରହ୍ମପୁତ୍ର ଭାରତରେ ପ୍ରାୟ ୬୫୦ କିଲୋମିଟର ଦୂରତା ଅତିକ୍ରମ କରିଛି ।
ଭାରତର ମୋଟ ଜଳବିଦ୍ୟୁତ୍ ସମ୍ଭାବନା (୩୧,୦୧୨ ମେଗାୱାଟ୍)ର ପ୍ରାୟ ୩୦% ବ୍ରହ୍ମପୁତ୍ର ନଦୀବ୍ୟବସ୍ଥାରେ ରହିଛି । ମାତ୍ର ଭାରତ ଏଯାବତ୍ ଏହି ସମ୍ଭାବନାର ମାତ୍ର ୩% ହିଁ କାମରେ ଲଗାଇ ପାରିଛି ।

ବିଶାଳ ନଦୀବନ୍ଧ

ପରିସଂସ୍ଥାନ ଦୃଷ୍ଟିରୁ ସମ୍ବେଦନଶୀଳ ହିମାଳୟର ପୂର୍ବସୀମାରେ ନିର୍ମିତ ୟାରଲଙ୍ଗ ସାଙ୍ଗପୋ (ବ୍ରହ୍ମପୁତ୍ର) ନଦୀବନ୍ଧ ହେବ ବିଶ୍ୱର ସର୍ବବୃହତ୍ ଜଳବିଦ୍ୟୁତ୍ ନଦୀବନ୍ଧ । କୈଳାଶ ମାନସରୋବରର ଉତ୍ପତ୍ତିସ୍ଥଳରୁ ପୂର୍ବକୁ ପ୍ରବାହିତ ହେବା ପରେ ୟାରଲଙ୍ଗ ସାଙ୍ଗପୋ ହଠାତ୍ ଦକ୍ଷିଣ ଦିଗକୁ ଗତି ପରିବର୍ତ୍ତନ କରି ଭାରତ ଆଡ଼କୁ ପ୍ରବାହିତ ହୋଇଛି । ଏଠାରେ ଏହା ୨୫,୪୪୫ ଫୁଟ ଉଚ୍ଚ ନାମ୍ଚା ବାରୱା ଶୃଙ୍ଗ ଏବଂ ୨୩,୪୬୦ ଫୁଟ ଉଚ୍ଚର ଗ୍ୟାଲା ଫେରି ଶୃଙ୍ଗ ମଧ୍ୟରେ ଏକ ଅତ୍ୟନ୍ତ ସଂକୀର୍ଣ୍ଣ କିନ୍ତୁ ଖୁବ୍ ଗଭୀର ଏକ ଗଣ୍ଡଦେଇ ପ୍ରବାହିତ ହେଉଛି । ଏଠାରେ ନଦୀଟି ବିଶ୍ୱର ସର୍ବାଧିକ ଢାଲୁ ଏବଂ ଦୀର୍ଘ ଗଣ୍ଡଦେଇ ପ୍ରବାହିତ ହେଉଛି ।
ଚୀନ୍ ପେମାକୋ ଅଞ୍ଚଳରେ ନଦୀର ବିଶାଳ ମୋଡ଼ (ଗ୍ରେଟ୍ ବେଣ୍ଡ୍) ନିକଟରେ ବନ୍ଧ ବାନ୍ଧିବାର ଯୋଜନା କରିଛି । ଏହି ଗ୍ରେଟ୍ ବେଣ୍ଡ୍ ବା ବିଶାଳ ମୋଡ଼ଠାରେ ଏଇଥିପାଇଁ ବନ୍ଧ ବାନ୍ଧିବାର ନିଷ୍ପତ୍ତି ନିଆଯାଇଛି କାରଣ ଏଠାରେ ୟାରଲଙ୍ଗ ସାଙ୍ଗପୋ ଏକ ତୀଖ ଭୂଇଁରେ ଅବତରଣ କରୁଛି; ଯାହାକି ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ସକାଶେ ଅତ୍ୟନ୍ତ ଆବଶ୍ୟକ । ମାନବ ଇତିହାସରେ ଏହା ସର୍ବବୃହତ୍ ନଦୀବନ୍ଧ ହେବ । ଏକଥା ଏଯାଏଁ ସ୍ପଷ୍ଟ ହୋଇନାହିଁ ଯେ ଏହି ପ୍ରକଳ୍ପ କେବଳ ନଦୀର ଜଳକୁ ବ୍ୟବହାର କରି ଜଳବିଦ୍ୟୁତ୍ ଉତ୍ପାଦନ କରିବ ଅଥବା ଏହା ଚୀନ୍ର ଉତ୍ତରରୁ-ଦକ୍ଷିଣ ଜଳ ଅପସାରଣ କାର୍ଯ୍ୟକ୍ରମର ଅଂଶବିଶେଷ ହେବ ।
ଏହି ଗଣ୍ଡର ପାର୍ଶ୍ୱବର୍ତ୍ତୀ ଭୂଭାଗ ୫୦୦୦ ମିଟର ବା ତା’ଠାରୁ ଅଧିକ ହୋଇଥିବାବେଳେ ନଦୀବନ୍ଧର ଜଳଧାରଣ କ୍ଷେତ୍ରରେ ଯେ କେତେ ପରିମାଣର ବିପୁଳ ଜଳରାଶି ସଂଗୃହୀତ ହୋଇରହିବ, ସେକଥା କଳନା କରିବା କଷ୍ଟସାଧ୍ୟ । ଏହି ବିଶାଳ ଜଳବିଦ୍ୟୁତ୍ କେନ୍ଦ୍ର ବିଶାଳ ମୋଡ଼ରେ ମେଡ଼ଗଠାରେ ନିର୍ମିତ ହେବ ଯାହାକି ଭାରତୀୟ ସୀମାଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଜଳବିଦ୍ୟୁତ୍ ପ୍ରକଳ୍ପ ଦ୍ୱାରା ୩୮ଗିଗାୱାଟ୍ ବିଦ୍ୟୁତ୍ ଉତ୍ପାଦିତ ହେବ ଯାହାକି ଚୀନ୍ର ଥ୍ରୀ ଗର୍ଜେସ୍ ଡ୍ୟାମର ମୋଟ ଉତ୍ପାଦନ କ୍ଷମତାର ପ୍ରାୟ ଦୁଇଗୁଣ । ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ପ୍ରସ୍ତାବିତ ପ୍ରକଳ୍ପରେ ୬୦,୦୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦିତ ହେବ ଯାହାକି କେନ୍ଦ୍ରୀୟ ଚୀନ୍ରେ ୟାଙ୍ଗସେ ନଦୀରେ ନିର୍ମିତ ସର୍ବବୃହତ୍ ଜଳବିଦ୍ୟୁତ୍ ପ୍ରକଳ୍ପ ଥ୍ରୀ ଗର୍ଜେସ୍ ଡ୍ୟାମର ଉତ୍ପାଦନ କ୍ଷମତାର ପ୍ରାୟ ତିନିଗୁଣ ହେବ ।

ଭାରତ ଉପରେ ପ୍ରଭାବ

ଏଥିରେ ସନେ୍ଦହ ନାହିଁ ଯେ ନଦୀର ଉପରମୁଣ୍ଡରେ ଏତେ ବିଶାଳ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ ବ୍ରହ୍ମପୁତ୍ର ନଦୀରେ ଜଳପ୍ରବାହର ପରିମାଣକୁ ପ୍ରଭାବିତ କରିବ । ତେବେ, ଏକଥା ମଧ୍ୟ ସତ୍ୟ ଯେ ଆସାମର ସମତଳ ଅଞ୍ଚଳକୁ କେବଳ ସିଆଙ୍ଗ ନଦୀ ଜଳ ଯୋଗାଏ ନାହିଁ । ବ୍ରହ୍ମପୁତ୍ର ନଦୀର ବଡ଼ଭାଗ ଜଳ ଏହାର ଲୋହିତ ଏବଂ ସୁବର୍ଣ୍ଣଶ୍ରୀ ଉପନଦୀଗୁଡ଼ିକର ଉପରମୁଣ୍ଡରେ ହେଉଥିବା ବିପୁଳ ବୃଷ୍ଟିପାତରୁ ହିଁ ଆସିଥାଏ । ତେବେ ବର୍ଷାଦିନର ଜଳପ୍ରବାହକୁ ବିଚାରକୁ ନେଇ ନଦୀର ହାରାହାରି ଜଳପ୍ରବାହର ହିସାବ କରାଯାଇଥାଏ । ତେବେ ସ୍ୱଳ୍ପ ବୃଷ୍ଟିପାତ ଋତୁଗୁଡ଼ିକରେ ଜଳପ୍ରବାହର କ’ଣ ହେବ? ନଦୀ ଆଧାରିତ ପରିସଂସ୍ଥାନଗୁଡ଼ିକ ମୁଖ୍ୟତଃ ସବୁଦିନିଆ ଜଳ ଉତ୍ସଗୁଡ଼ିକ ଉପରେ ନିର୍ଭରଶୀଳ । ତେଣୁ ସିଆଙ୍ଗ ନଦୀରୁ ଜଳପ୍ରବାହ ନ ଆସିଲେ ଏହା ଏକ ପରିସଂସ୍ଥାନୀୟ ବିପର୍ଯ୍ୟୟ ସୃଷ୍ଟି କରିବ ।
ଉପରବର୍ଣ୍ଣିତ ସ୍ଥିତିଭଳି ଆଉ ଏକ ବିପର୍ଯ୍ୟୟ କଥା ମଧ୍ୟ ବିଚାର କରାଯାଇପାରେ ଯାହାକି ଆହୁରି ବିଶାଳ ଆକାରରେ ସଂଘଟିତ ହେବାର ଆଶଙ୍କାକୁ ବଳବତ୍ତର କରୁଛି । ଚୀନ୍ ଯଦି ଅସମୟରେ ବ୍ରହ୍ମପୁତ୍ରରେ ଅଧିକ ପରିମାଣର ଜଳ ଛାଡ଼ିଦିଏ ତେବେ ତାହା ଆସାମରେ ବିପର୍ଯ୍ୟୟ ସୃଷ୍ଟି କରିଦେବ । ବ୍ରହ୍ମପୁତ୍ରର ନଦୀଶଯ୍ୟା ହେଉଛି ଭାରତର ନଦୀଶଯ୍ୟାଗୁଡ଼ିକ ମଧ୍ୟରେ ସବୁଠାରୁ ବେଶି ଓସାର । କେତେକ ସ୍ଥାନରେ ତ ବ୍ରହ୍ମପୁତ୍ରର ଓସାର୧୦ କିଲୋମିଟରରୁ ମଧ୍ୟ ଅଧିକ । ଭୌଗୋଳିକ ଦୃଷ୍ଟିରୁ ଅରୁଣାଚଳପ୍ରଦେଶର ଦକ୍ଷିଣଭାଗ ବ୍ରହ୍ମପୁତ୍ର ନଦୀ ଉପରେ ଅତିମାତ୍ରାରେ ନିର୍ଭରଶୀଳ । କେବଳ ନଦୀ ଉପରେ ଥିବା ପୋଲଗୁଡ଼ିକ ଦ୍ୱାରା ହିଁ ଆସାମରୁ ଅରୁଣାଚଳ ପ୍ରଦେଶ ଯାଇହେବ । ଚୀନ୍ ବ୍ରହ୍ମପୁତ୍ର ନଦୀରେ ପାଣି ଛାଡ଼ିଦେଲେ ଯଦି ନଦୀର ଚଉଡ଼ା ୧୫ରୁ ୨୦କିଲୋମିଟର ହୋଇଯାଏ ତେବେ କ’ଣ ହେବ? ଏପରି ଏକ ଘଟଣା ଭାରତପାଇଁ ନିଶ୍ଚିତ ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି କରିବ ।
ଏଥିରେ କୌଣସି ସଂଶୟ ନାହିଁ ଯେ ପରିବେଶ ଦୃଷ୍ଟିକୋଣରୁ ଚୀନ୍ ର ଏପରି ଏକ ପ୍ରକଳ୍ପ ଅତ୍ୟନ୍ତ ବିପଜ୍ଜନକ ହେବ । ଉପରମୁଣ୍ଡରେ ଜଙ୍ଗଲ କ୍ଷୟଯୋଗୁଁ ମୃତ୍ତିକା କ୍ଷୟ ଏବଂ ଭୂସ୍ଖଳନ ତୀବ୍ରତର ହେବ । ବ୍ରହ୍ମପୁତ୍ର ନଦୀରେ ଆସୁଥିବା ପଟୁମାଟି ଅତ୍ୟନ୍ତ ଊର୍ବରା ଯାହାକି ତଳମୁଣ୍ଡର ମୃତ୍ତିକା ଏବଂ କୃଷିପାଇଁ ଅତ୍ୟାବଶ୍ୟକୀୟ ପୋଷକତତ୍ତ୍ୱ ଯୋଗାଇଥାଏ । ତଳମୁଣ୍ଡରେ କୃଷିକ୍ଷେତ୍ରର ଊର୍ବରତା ତଥା ଜଳଜ ପ୍ରାଣୀମାନଙ୍କୁ ବଳବତ୍ତର ରଖିବା ସକାଶେ ବ୍ରହ୍ମପୁତ୍ର ନଦୀରେ ପୂର୍ବପରି ପ୍ରଚୁର ପରିମାଣର ପଟୁମାଟି ଆସିବା ଏକାନ୍ତ ଆବଶ୍ୟକ ।
କେବଳ ନଦୀରେ ବନ୍ଧ ବନ୍ଧାଯିବା ଚିନ୍ତାର କାରଣ ନୁହେଁ । ଯଦି ଏହି ପ୍ରକଳ୍ପଟି ଚୀନ୍ର ଉତ୍ତରରୁ ଦକ୍ଷିଣକୁ ଜଳ ସ୍ଥାନାନ୍ତରଣ ପ୍ରକଳ୍ପର ଅଂଶବିଶେଷ ହୁଏ ତେବେ ତାହା ମଧ୍ୟ ଚିନ୍ତାର କାରଣ ହେବ । ଯଦି ତିବ୍ବତରୁ ଜଳକୁ ଚୀନ୍ ର ଅନ୍ୟ ପ୍ରାନ୍ତକୁ ସ୍ଥାନାନ୍ତରିକ କରାଯାଏ ତେବେ ଭାରତ କ’ଣ ବହୁଳମାତ୍ରାରେ ଏହି ଜଳ ବ୍ୟବହାରରୁ ବଞ୍ଚିତ ହେବ?
ହିମାଳୟଅଞ୍ଚଳ ଭୂକମ୍ପପ୍ରବଣ । ଅନ୍ୟ ନଦୀବନ୍ଧଗୁଡ଼ିକ ସଙ୍ଗେସଙ୍ଗେ ବିଶାଳ ମୋଡ଼ ନିକଟରେ ୩୮ଗିଗାୱାଟ୍ ଉତ୍ପାଦନ କ୍ଷମତାସମ୍ପନ୍ନ ଏହି ନଦୀବନ୍ଧ ଅତ୍ୟନ୍ତ ବିଶାଳ ହେବ । ଯଦି କେବେ ଭୂମିକମ୍ପ ହୁଏ ଏବଂ ନଦୀବନ୍ଧରୁ ଜଳ ତଳମୁଣ୍ଡକୁ ନିଷ୍କାସିତ ହୁଏ, ତେବେ ଏହାର ପ୍ରଭାବ ଯେ କାହା ଉପରେ ପଡ଼ିବ ସେକଥା ଉଲ୍ଲେଖ କରିବା ଅନାବଶ୍ୟକ ।

ଉଦ୍ଦେଶ୍ୟ ମୂଳକ ବନ୍ୟାର ଦୃଷ୍ଟାନ୍ତ

୨୦୦୦ ମସିହା ଅଗଷ୍ଟ ୧ତାରିଖ ରାତି ୧.୩୦ରେ ହିମାଚଳ ପ୍ରଦେଶ ଓ ତିବ୍ବତ ସୀମାରେ ଖାବରେ ଥିବା ପାରିଚୁଠାରୁ ୫୦ଫୁଟ ଉଚ୍ଚର ଏକ ଜଳସ୍ତମ୍ଭ ଶତଲୁଜ ନଦୀରେ ପ୍ରବେଶ କଲା । ହିମାଚଳ ପ୍ରଦେଶର କିନ୍ନୌର, ସିମଳା ଓ ମଣ୍ଡି ଜିଲ୍ଲାର ପାର୍ବ୍ୟତ୍ୟ ଗଣ୍ଡଗୁଡ଼ିକ ଏଗୁଡ଼ିକର ପ୍ରବାହ ପଥରେ ଆସୁଥିବା ସବୁକିଛିକୁ ଧୋଇନେଲା । ସକାଳ ୫.୧୫ବେଳକୁ ଏହି ଜଳ ନାଥପା ଝାକ୍ରି ପ୍ରକଳ୍ପରେ ପହଞ୍ଚିଲା । ଖୁବ୍ ଅଳ୍ପ ସମୟ ମଧ୍ୟରେ ଶତଲୁଜ ନଦୀର ଜଳ ୧୫ ମିଟର ବଢ଼ିଗଲା । ୧୦୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କଲେ । ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପୁରୁଣା ଭାରତ-ତିବ୍ବତ ରାଜପଥର ପ୍ରାୟ ୧୨୦ କିଲୋମିଟର ଅଂଶ ଧୋଇ ହୋଇଗଲା ଏବଂ ବିଭିନ୍ନ ଆକାର ଓ ପ୍ରକାରର ପ୍ରାୟ ୯୮ଟି ପୋଲ ମଧ୍ୟ ନଷ୍ଟ ହୋଇଗଲା ।
ପୁନଶ୍ଚ ୨୦୨୪ରେ ପରିଚୁରେ ଏକ ହ୍ରଦ ସୃଷ୍ଟି ହେବାକୁ ଲାଗିଲା ଏବଂ ଭାରତର ଶତଲୁଜ ଉପତ୍ୟକାରେ ବନ୍ୟାର ଆଶଙ୍କା ସୃଷ୍ଟିକଲା । ସେତେବେଳେ ଚୀନ୍ ସହଯୋଗ କଲା ଏବଂ ଭାରତକୁ ଉପରମୁଣ୍ଡର ତଥ୍ୟ ଯୋଗାଇଦେଲା । ସେତେବେଳେ ଅନୁମାନ କରାଯାଉଥିଲା ଯେ ଚୀନ୍ ଉଦ୍ଦେଶ୍ୟ ମୂଳକ ଭାବେ ‘ତରଳ ବୋମା’ ହିସାବରେ ଏକ କୃତ୍ରିମ ହ୍ରଦ ସୃଷ୍ଟି କରାଇଲା ଯାହାର ଜଳ ହଠାତ୍ ଛାଡ଼ି ଦିଆଗଲେ ତାହା ତଳମୁଣ୍ଡରେ ହାହାକାର ସୃଷ୍ଟି କରିବ । ଏହି ଆଶଙ୍କାର ବିଶ୍ୱସନୀୟତା ସେତେବେଳେ ବଢ଼ିଗଲା ଯେବେ ଚୀନ୍ ଘଟଣାସ୍ଥଳକୁ ବୌଜ୍ଞାନିକ ଓ ଇଞ୍ଜିନିଅରମାନଙ୍କର ଏକ ଦଳକୁ ପଠାଇବା ପାଇଁ ଭାରତର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଲା ।
୨୦୧୨ ମସିହା ମାର୍ଚ୍ଚ ୧ତାରିଖ ଦିନ ଅରୁଣାଚଳର ପାସିଘାଟ ଠାରେ ବ୍ରହ୍ମପୁତ୍ର ନଦୀ ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହୋଇଗଲା । ଏପରି ଘଟଣା ପୂର୍ବେ କେବେ ଘଟି ନଥିଲା । ଏପରି ଘଟିବାର କିଛିଘଣ୍ଟା ପରେ ବ୍ରହ୍ମପୁତ୍ର ନଦୀରେ ଅତ୍ୟୁଚ୍ଚ ଜଳପ୍ରବାହ ଘଟି ନଦୀ ପୂର୍ଣ୍ଣ ହେବାରେ ଲାଗିଲା ଏବଂ ପାସିଘାଟ ସହର ଜଳରେ ବୁଡ଼ିଗଲା । ଏହି ଘଟଣା ଏପରି ଦୁର୍ଭାବନାକୁ ଜନ୍ମ ଦେଉଛି ଯେ ପ୍ରଥମେ ଉପରମୁଣ୍ଡକୁ ଜଳକୁ ଏବଂ ତା’ପରେ ତାହାକୁ ହଠାତ୍ ଛାଡ଼ିଦେବା ପରି ଘଟଣାମାନ ମଧ୍ୟ ଘଟିପାରେ ।
ଅନ୍ୟ ଏକ ଘଟଣାରେ ୨୦୦୪ ମସିହା ଜୁନ୍ ୧୧ତାରିଖ ଦିନ ସିଆଙ୍ଗ ନଦୀର ଜଳପତ୍ତନ ଅଦ୍ଭୂତପୂର୍ବ ଭାବେ ୧୦୦ରୁ ୧୨୦ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ଏବଂ ଅରୁଣାଚଳ ପ୍ରଦେଶ ଓ ଆସାମର ଚାରିଟି ଜିଲ୍ଲାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲା । ୨୬ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଲା ଏବଂ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପୋଲ ଧୋଇ ହୋଇଗଲା । ଏହି ଘଟଣାଯୋଗୁଁ ହୋଇଥିବା କ୍ଷୟକ୍ଷତି ୧୪୦ କୋଟି ସରକାରୀ ଭାବେ ଆକଳନ କରାଯାଇଛି ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ପକ୍ଷରୁ ଦିଆଯାଇଥିବା ନିର୍ଭରଯୋଗ୍ୟ ପ୍ରମାଣରୁ ଏକଥା ଜଣାପଡ଼ିଛି ଯେ ଚୀନ୍ ହିଁ ଏହି ହଠାତ୍ ବନ୍ୟାର ସୃଷ୍ଟି କରିଛି । ଉପଗ୍ରହ ଚିତ୍ରରେ ଶତଲୁଜ ଏବଂ ସିଆଙ୍ଗ ନଦୀ ଅବବାହିକାର ଉପରମୁଣ୍ଡରେ ବନ୍ୟାପୂର୍ବରୁ ଅନେକଗୁଡ଼ିଏ ଜଳଭଣ୍ଡାର ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି । ଭାରତୀୟ ଅଞ୍ଚଳରେ ବନ୍ୟାର ବିଭୀଷିକା ସଂଘଟିତ ହେବା ପରର ଉପଗ୍ରହ ଚିତ୍ରରେ ଏହି ଜଳଭଣ୍ଡାରମାନ ଦୃଶ୍ୟମାନ ହୋଇନଥିଲେ । ୨୦୧୭ ମସିହାରେ ସିଆଙ୍ଗ ନଦୀର ଜଳ କାଦୁଆ ଏବଂ କଳା ପାଲଟି ଯାଇଥିଲା । ନଦୀ ଶଯ୍ୟାର କେତେକ ଅଞ୍ଚଳରେ ୧୦ଇଞ୍ଚ ବହଳର ପଟୁ ଜମା ହୋଇଥିବାର ଦେଖିବାକୁ ମିଳିଥିଲା । ଜଳର ମାନ ମଣିଷମାନଙ୍କ ବ୍ୟବହାର ପାଇଁ ଅନୁପଯୋଗୀ ହୋଇଯାଇଥିଲା ।
ନଦୀରେ ହଠାତ୍ ପାଣି ଆସିବା କୌଣସି ଦୈବିକ କାରଣରୁ ନୁହେଁ ବରଂ ଉଦେ୍ଦଶ୍ୟମୂଳକ ଭାବେ ମାନବକୃତ କାରଣରୁ ହୋଇଥିବା ହିଁ ସମ୍ଭବ । ଭାରତ ନଦୀଗୁଡ଼ିକର ତଳମୁଣ୍ଡର ଦେଶ ଏବଂ ଉପରମୁଣ୍ଡର ନଦୀବନ୍ଧ ଦ୍ୱାରା ନିଷ୍କାଷିତ ଜଳରେ କରାଯାଉଥିବା ପରିବର୍ତ୍ତନ ପ୍ରତି ବିପଦପ୍ରବଣ । ଏକଯୁଦ୍ଧ ପରି ପରିସ୍ଥିତିରେ ହଠାତ୍ ଏପରି ଭାବରେ ଜଳ ନିଷ୍କାସନ କରାଯିବାର ପ୍ରମୁଖ ସାମରିକ ପ୍ରଭାବ ମଧ୍ୟ ରହିଛି । ଭାରତକୁ ପ୍ରବେଶ କରୁଥିବା ବସ୍ତୁତଃ ପ୍ରତ୍ୟେକଟି ନଦୀରେ ନଦୀବନ୍ଧମାନ ନିର୍ମାଣ କରିଥିବାରୁ ଚୀନ୍ ତା’ର ସାମରିକ ରଣକୌଶଳ ସ୍ୱରୂପ ନଦୀର ପ୍ରବାହକୁ ନିୟନ୍ତ୍ରିତ କରି ଜଳକୁ ଯୁଦ୍ଧର ଏକ ଅସ୍ତ୍ରରୂପେ ବ୍ୟବହାର କରିପାରିବ । ଜଳର ଏହି କାହାଣୀ ଦୁଇ ପଡ଼ୋଶୀଙ୍କ ମଧ୍ୟ ଅବିଶ୍ୱାସର ଏକ ବାତାବରଣ ସୃଷ୍ଟି କରୁଛି । ଆମେ ଜାଣିଛେ, ସର୍ବଦା ଜଳ ବହୁଳ ବା ଜଳ ବିହୁନ ଅବସ୍ଥା ଏକ ସଂକଟ ସୃଷ୍ଟି କରିଥାଏ । ସାମରିକ ରଣକୌଶଳର ଏକ ଅଂଶବିଶେଷ ସ୍ୱରୂପ ବ୍ୟବହାର କରାଗଲେ ଏହା ଅକଳ୍ପନୀୟ ବିଭୀଷିକାର ପରିସ୍ଥିତି ସୃଷ୍ଟି କରିବ ।

ନିଶବ୍ଦ କୂଟନୀତିର ସୀମା

ଧୈର୍ଯ୍ୟଶୀଳ କୂଟନୀତି ବଳରେ ହିଁ ଭାରତର ଚୀନ୍ ସହିତ ତିନିଟି ବୁଝାମଣା ପତ୍ର ହୋଇପାରିଛି । ସେଗୁଡ଼ିକହେଲା ଚୀନ୍ ଭାରତକୁ ମୌସୁମୀ ଋତୁ ପାଇଁ ବ୍ରହ୍ମପୁତ୍ର ଅବବାହିକାର ଜଳ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା; ସତଲୁଜ ନଦୀ ପାଇଁ ବର୍ଷାଦିନର ତଥ୍ୟ ପ୍ରଦାନ କରିବା (ପାରେଚୁ ଘଟଣାପରେ ସ୍ୱାକ୍ଷରିତ) ଏବଂ ‘ଏକାଧିକ ଦେଶରେ ପ୍ରବାହିତ ନଦୀଗୁଡ଼ିକ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ।’ ପ୍ରଥମ ଦୁଇଟି ବୁଝାମଣା ପତ୍ରର କାର୍ଯ୍ୟକାରିତା ପାଞ୍ଚବର୍ଷ ଲେଖାଏଁ ଏବଂ ଏବେ ଉଭୟ ରାଜିନାମାର ଅବଧି ଶେଷ ହୋଇସାରିଲାଣି । ତେବେ ଏହି ବୁଝାମଣା ପତ୍ର ବଦଳରେ ଗୋଟିଏହେଲେ ମିଳିତ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ନାହିଁ । ଚୀନ୍ ସହଯୋଗର ହାତ ବଢ଼ାଇବାକୁ ବେଶ୍ କୁଣ୍ଠିତ । ଏପରିକି ଅଣ-ମୌସୁମୀ ସମୟର ଜଳ ସମ୍ପର୍କିତ ତଥ୍ୟ ଯୋଗାଇବା ସକାଶେ ମଧ୍ୟ ଏହା ଅନିଚ୍ଛୁକ । ସେଥିରେ ବହି ଦେଶରେ ପ୍ରବାହିତ ନଦୀଗୁଡ଼ିକର ଜଳବଣ୍ଟନ କଥା କିଏ ପଚାରୁଛି! ଅନ୍ୟ ପଡ଼ୋଶୀମାନଙ୍କ ସହ ନଦୀ ଜଳ ବଣ୍ଟନ କ୍ଷେତ୍ରରେ ଚୀନ୍ର ଆଭିମୁଖ୍ୟ ପ୍ରାୟ ଏକା ପ୍ରକାରର । ଉପରମୁଣ୍ଡର ଦେଶ ହୋଇଥିବାରୁ, ଚୀନ୍ ଏହାର ପୂର୍ଣ୍ଣ ଫାଇଦା ଉଠାଇଥାଏ ।
ଭାରତ ବା ଚୀନ୍ କେହିହେଲେ ଆନ୍ତର୍ଜାତିକ ଜଳପଥଗୁଡ଼ିକର ଅଣ-ନୌପରିବହନ ବ୍ୟବହାର ଆଇନ ସମ୍ପର୍କିତ ମିଳିତ ଜାତିସଂଘ ରାଜିନାମାର ସ୍ୱାକ୍ଷରକାରୀ ନୁହନ୍ତି । ଏହି ରାଜିନାମାର ଦୁଇଟି ମୌଳିକ ଆଧାର-ବଣ୍ଟନ ହେବାକୁ ଥିବା ଜଳର ଉଚିତ ଏବଂ ନ୍ୟାୟସଙ୍ଗତ ବଣ୍ଟନ ଏବଂ ତଳମୁଣ୍ଡର ଦେଶଗୁଡ଼ିକୁ ବେଶି କ୍ଷତି ନ ପହଞ୍ଚାଇବାର ଦାୟିତ୍ୱ- ଏଗୁଡ଼ିକର ଭାରତ ଓ ଚୀନ୍ପାଇଁ ଯଥେଷ୍ଟ ମହତ୍ତ୍ୱ ରହିଛି । ଭାରତ ଏକ ଆଦର୍ଶ ଉପରମୁଣ୍ଡର ଦେଶ ରୂପେ ନିଜକୁ ପ୍ରତିପାଦିତ କରିଛି । ପାକିସ୍ତାନ ସହିତ ତିକ୍ତ ସମ୍ପର୍କ ସତ୍ତ୍ୱେ ଭାରତ ସିନ୍ଧୁ ଜଳଚୁକ୍ତି ମାଧ୍ୟମରେ ପାକିସ୍ତାନକୁ ଯଥେଷ୍ଟ ଜଳ ଦେବାରେ କାର୍ପଣ୍ୟ କରି ନାହିଁ । ମାତ୍ର ଚୀନ୍କ୍ଷେତ୍ରରେ ସେକଥା କୁହାଯାଇ ପାରିବ ନାହିଁ ।
ଭାରତର ବୈଦେଶିକ ମନ୍ତ୍ରଣାଳୟର ଜଣେ ପ୍ରବକ୍ତା ଜାନୁଆରୀ ପ୍ରଥମ ସପ୍ତାହରେ କହିଛନ୍ତି ଯେ, ‘ଭାରତ ତଳମୁଣ୍ଡର ରାଜ୍ୟ ଏବଂ ଏହାର ନଦୀଜଳର ବ୍ୟବହାରର ଅଧିକାର ପ୍ରମାଣିତ ହୋଇଥିବାରୁ ଆମେ ବାରମ୍ବାର ବିଶେଷଜ୍ଞମାନଙ୍କ ସ୍ତରରେ ତଥା କୂଟନୈତିକ ସ୍ତରରେ ଏପରି ବୃହତ୍ ପ୍ରକଳ୍ପମାନ ନିର୍ମାଣ ସଂକ୍ରାନ୍ତୀୟ ଚିନ୍ତାପ୍ରକଟ କରିଛୁ । ପ୍ରକଳ୍ପ ନିର୍ମାଣରେ ପାରଦର୍ଶିତା ଏବଂ ତଳମୁଣ୍ଡର ଦେଶମାନଙ୍କ ସହ ବିଚାର ବିମର୍ଶ କରାଯିବାର ଆବଶ୍ୟକତା ସମ୍ପର୍କରେ ଚୀନ୍କୁ ବାରମ୍ବାର ଅବଗତ କରାଯାଇଛି ।
ଏଯାଏଁ ଭାରତ ନିଶବ୍ଦ କୂଟନୀତି ହିଁ ଅବଲମ୍ବନ କରିଆସିଛି । ତେବେ ପ୍ରକଳ୍ପଟି ଏତେ ବିଶାଳ ଏବଂ ଏହି ପ୍ରକଳ୍ପଯୋଗୁଁ ବିପୁଳ ପରିମାଣର ଜଳର ସ୍ଥାନାନ୍ତରଣ ତଥା ବିଶାଳ ଜଳଭଣ୍ଡାର ନିର୍ମାଣର ପ୍ରଭାବଯୋଗୁଁ ବର୍ତ୍ତମାନର ପରିସ୍ଥିତି ଭିନ୍ନ । ଏହି ନୂତନ ବିଶାଳ ପ୍ରକଳ୍ପର ପ୍ରଭାବ ଏତେ ବେଶି ହେବ ଯେ ପୂର୍ବରୁ ନଦୀର ଜଳପ୍ରବାହକୁ ବିଶେଷ ପ୍ରଭାବିତ ନ କରି ତିବ୍ବତରେ କରାଯାଉଥିବା ପ୍ରକଳ୍ପଗୁଡ଼ିକ ପ୍ରତି ଆମେମାନେ ମନ୍ଥର ଭାବେ ପ୍ରତିବାଦ କରିବା ଚଳିତ ନାହିଁ । ଭାରତୀୟ ପ୍ରତିପକ୍ଷ ଚୀନ୍ ସରକାରଙ୍କଠାରୁ ପ୍ରକଳ୍ପର ବୈଷୟିକ ତଥ୍ୟ ଏବଂ ପାରିବେଶିକ ପ୍ରଭାବ ଆକଳନ ରିପୋର୍ଟମାନ ମାଗିବା କଥା । ଚୀନ୍ ସରକାରଙ୍କୁ ‘ନ୍ୟାୟସଙ୍ଗତ ଏବଂ ଉଚିତ ଜଳ ବ୍ୟବହାର’ ଏବଂ ତଳମୁଣ୍ଡର ଦେଶଗୁଡ଼ିକ ପ୍ରତି ଅଧିକ ବିପଦ ସୃଷ୍ଟି ନ କରିବାର ଦାୟିତ୍ୱ ନିର୍ବାହକୁ ସମ୍ମାନ ଜଣାଇବାକୁ ଚାପ ପ୍ରୟୋଗ କରାଯିବା ଆବଶ୍ୟକ । ଏହି ପ୍ରକଳ୍ପ ସମ୍ପର୍କରେ ଏହି ନଦୀଜଳର ସମସ୍ତ ବ୍ୟବହାରକାରୀଙ୍କ ମଧ୍ୟରେ ପୂର୍ଣ୍ଣାଙ୍ଗ ବିଚାର ବିମର୍ଶ ଏବଂ ଆପୋଷ ବୁଝାମଣା ସୃଷ୍ଟି ନ ହେବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାପାଇଁ ଦାବି କରାଯିବା ଉଚିତ ।
ନିଶବ୍ଦ କୂଟନୀତିର ମଧ୍ୟ ସୀମା ରହିଛି । ଉଭୟ ଆନୁଷ୍ଠାନିକ ଭାବେ ତଥା ସର୍ବସାଧାରଣ ସ୍ତରରେ ଚୀନ୍କୁ ଆମର ଚିନ୍ତା ସମ୍ପର୍କରେ ଅବଗତ କରାଯିବା ଆବଶ୍ୟକ । ଭାରତ ମଧ୍ୟ ତା’ର ବ୍ୟବହାରକାରୀର ଅଧିକାରକୁ ସିଦ୍ଧ-କରଣ ସକାଶେ ଜରୁରୀକାଳୀନ ଭିତ୍ତିରେ ଜଳବିଦ୍ୟୁତ୍ ପ୍ରକଳ୍ପମାନ କାର୍ଯ୍ୟକାରୀ କରିବା ଉଚିତ । ଏସବୁ କରାଗଲାବେଳେ ପାରିବେଶିକ ମାନକଗୁଡ଼ିକର ଉଲ୍ଲଂଘନ କରାଯିବା ଉଚିତ ନୁହେଁ ଏବଂ ସ୍ଥାନୀୟ ଜନସାଧାରଣଙ୍କର ସ୍ୱାର୍ଥହାନୀ ହେବା ଉଚିତ ନୁହେଁ । ସରକାର ତାଙ୍କ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଅଣ-ସରକାରୀ ସଂଗଠନମାନେ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ବୃହତ୍ ନଦୀବନ୍ଧକୁ ବିରୋଧ କରୁଥିବା ମଞ୍ଚଗୁଡ଼ିକରେ ସେମାନଙ୍କର ଚିନ୍ତା ପ୍ରକଟ କରିବା ଉଚିତ ।

Comments

0 comments

Share This Article