ରାଷ୍ଟ୍ରର କର୍ତ୍ତବ୍ୟ ନିର୍ଦ୍ଦେଶିକା ନୀତି ପ୍ରସଙ୍ଗରେ

ସମ୍ବିଧାନର ୪ର୍ଥ ଖଣ୍ଡ

ସମ୍ବିଧାନର ଚତୁର୍ଥ ଖଣ୍ଡରେ ରାଷ୍ଟ୍ରର କର୍ତ୍ତବ୍ୟକୁ ସୂଚୀବଦ୍ଧ କରାଯାଇଛି ଧାରା ୩୭ରୁ ଧାରା ୫୧ ମଧ୍ୟରେ । ଏହି ଖଣ୍ଡରେ ଭାରତୀୟ ନାଗରିକର ମୌଳିକ କର୍ତ୍ତବ୍ୟର ଏକ ସୂଚୀ ମଧ୍ୟ ଦିଆଯାଇଛି (ଧାରା ୫୧-ଏ) । କିନ୍ତୁ ଏହି କର୍ତ୍ତବ୍ୟଗୁଡ଼ିକର ପାଳନ ନ ହୋଇପାରିଲେ ରାଷ୍ଟ୍ର ବିରୋଧରେ ଅଦାଲତରେ ଯେ ମାମଲା କରାଯାଇପାରିବ ନାହିଁ ଏହା ମଧ୍ୟ ସ୍ପଷ୍ଟ ଉଲ୍ଲେଖ ହୋଇଛି ଧାରା ୩୭ରେ, ଯଦିଓ ରାଷ୍ଟ୍ର ପରିଚାଳନାରେ ଏହି ଧାରାଗୁଡିକରେ ଥିବା ନିର୍ଦ୍ଦେଶିତ ନୀତି ସହ ସଂଗତି ରଖି ରାଷ୍ଟ୍ରଦ୍ୱାରା ଆଇନ ପ୍ରଣୟନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ତେଣୁ ସ୍ୱାଭାବିକ ଏହି ଖଣ୍ଡକୁ ‘ରାଷ୍ଟ୍ରର ନୀତି ନିର୍ଦ୍ଦେଶକ ସିଦ୍ଧାନ୍ତ’ (Directive Principles of State Policy) ବୋଲି ଶିରୋନାମିତ କରାଯାଇଛି । ଏହାର କୌଣସି ଆଇନଗତ ବାଧ୍ୟବାଧକତା ନ ରହିବାଯୋଗୁଁ ଏହା ଅଦରକାରୀ ବୋଲି କୁହାଯାଇପାରିବ ନାହିଁ ଯେପରି ଅନେକେ ଖଣ୍ଡ ୩ରେ ମୌଳିକ ଅଧିକାର ସନ୍ଦର୍ଭରେ ଆଇନଗତ ବାଧ୍ୟବାଧକତା ସହ ତୁଳନା କରି ଭାବିଥାନ୍ତି । ଡକ୍ଟର ଆମ୍ବେଦକର ୪ ନଭେମ୍ବର ୧୯୪୮ ଦିନ ସମ୍ବିଧାନ ସଭାରେ ଏହାକୁ ନେଇ ହୋଇଥିବା ବିତର୍କରେ କହିଥିଲେ, “ଯଦି ଏହା କୁହାଯାଏ ଯେ ନିର୍ଦ୍ଦେଶିକା ନୀତିଗୁଡିକ ପଛରେ କୌଣସି ଆଇନଗତ ଶକ୍ତି (legal force) ନାହିଁ, ମୁଁ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛି । କିନ୍ତୁ ମୁଁ ଏହା ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁ ଯେ ସେମାନଙ୍କର ଆଦୌ କୌଣସି ବାଧ୍ୟବାଧକତା (binding force) ନାହିଁ । ମୁଁ ମଧ୍ୟ ମାନିବାକୁ ପ୍ରସ୍ତୁତ ନୁହେଁ ଯେ ଏମାନେ ଅଦରକାରୀ କାରଣ ଏମାନଙ୍କର ଆଇନରେ କୌଣସି କ୍ଷମତା ନାହିଁ ।” ଏହା କହିବା ସହିତ ସେ ମଧ୍ୟ ଚେତାଇ ଦେଇଥିଲେ ଯେ, “ଯିଏ କ୍ଷମତା ଦଖଲ କରିବ ସେ ଏହା ସହିତ ଯାହା ଇଚ୍ଛା ତାହା କରିବା ପାଇଁ ସ୍ୱାଧୀନ ହେବ ନାହିଁ, ତାକୁ ସମ୍ମାନ ଦେବାକୁ ପଡ଼ିବ ନିର୍ଦ୍ଦେଶମାନଙ୍କର ଏହି ଉପକରଣ ଗୁଡିକୁ (instruments of instructions) ଯାହାକୁ ନିର୍ଦ୍ଦେଶିକା ନୀତି ବୋଲି କୁହାଯାଇଥାଏ । ସେ ଏହାକୁ ଉପେକ୍ଷା କରିପାରିବ ନାହିଁ । ଏହି ନିର୍ଦ୍ଦେଶିକା ନୀତିଗୁଡ଼ିକ କେତେ ମୂଲ୍ୟବାନ ତାହା ଭଲ ଭାବରେ ହୃଦୟଙ୍ଗମ କରିହେବ ଯେତେବେଳେ ଦକ୍ଷିଣପନ୍ଥୀ ଶକ୍ତି ଗୁଡିକ (forces of right) କ୍ଷମତା ଦଖଲ ପାଇଁ ଫନ୍ଦି କରୁଥିବେ ।” ମୌଳିକ ଅଧିକାର ଓ ନିର୍ଦ୍ଦେଶିକା ନୀତିର ଭୂମିକା ସମ୍ପର୍କରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଓ ଚିନ୍ନପ୍ପା ରେଡ୍ଡୀ ଲେଖନ୍ତି(ପୃ ୭୬), “…ମୌଳିକ ଅଧିକାରଗୁଡ଼ିକର ଲକ୍ଷ୍ୟ ହେଉଛି ରାଷ୍ଟ୍ରର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ (against excessive state action) ବିରୋଧରେ ନାଗରିକଙ୍କୁ ରାଜନୈତିକ ସ୍ୱାଧୀନତାର ପ୍ରତିଶୃତି ଦେବା ଯେତେବେଳେ କି ନିର୍ଦ୍ଦେଶିକା ନୀତିର ଲକ୍ଷ୍ୟ ହେଉଛି ରାଷ୍ଟ୍ରର କାର୍ଯ୍ୟ ଦ୍ୱାରା (by state action) ନାଗରିକଙ୍କୁ ସାମାଜିକ ଓ ଅର୍ଥନୈତିକ ସ୍ୱାଧୀନତା ହାସଲ କରାଇବା ।… ଆମ୍ବେଦକରଙ୍କ ଶବ୍ଦରେ ମୌଳିକ ଅଧିକାରସମୂହ ଭାରତକୁ ଏକ ରାଜନୈତିକ ଗଣତନ୍ତ୍ର (political democracy)କରିବ, ଏବଂ ନିର୍ଦ୍ଦେଶିକା ନୀତି ଏହାକୁ ଏକ ସାମାଜିକ ଏବଂ ଅର୍ଥନୈତିକ ଗଣତନ୍ତ୍ର (social and economic democracy) କରିବ ।” ଯଦିଓ ଏହି ନୀତି ଗୁଡିକର ପାଳନ କୌଣସି ଅଦାଲତ ଦ୍ୱାରା ବାଧ୍ୟ କରାଯାଇପାରିବ ନାହିଁ ଅର୍ଥାତ୍ ଅଦାଲତ ବ୍ୟବସ୍ଥାପିକା ବା କାର୍ଯ୍ୟପାଳିକାକୁ ନିର୍ଦ୍ଦେଶ ଦେଇପାରିବ ନାହିଁ ଏହାର ଅର୍ଥ ନୁହେଁ ଯେ ଅଦାଲତ ଏହି ନୀତିଗୁଡ଼ିକୁ ବିଚାରକୁ ନେବ ନାହିଁ ସମ୍ବିଧାନ ଏବଂ ଆଇନର ବ୍ୟୁତ୍ପତି ସମୟରେ(ପୃ ୭୩) । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଓ ସମ୍ବିଧାନସଭାର ଜଣେ ପ୍ରଭାବଶାଳୀ ସଭ୍ୟ ଜବାହାରଲାଲ ନେହରୁ ତ ନିର୍ଦ୍ଦେଶିକା ନୀତିକୁ କାର୍ଯ୍ୟକାରୀ କରିବାକୁ ମୌଳିକ ଅଧିକାରକୁ ସୁରକ୍ଷା ଦେବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଥିଲେ । ସମ୍ବିଧାନର ଚତୁର୍ଥ ସଂଶୋଧନ ବିଲ ଆଗତ କରିବା ବେଳେ (୧୯୫୪ ) କହିଥିଲେ(ପୃ ୭୫), “ଯଦି ସମ୍ବିଧାନରେ ମୌଳିକ ଅଧିକାର ଏବଂ ରାଷ୍ଟ୍ରର ନୀତି ନିର୍ଦ୍ଦେଶକ ସିଦ୍ଧାନ୍ତ ମଧ୍ୟରେ କୋଣସି ଅନ୍ତର୍ନିହିତ ବିରୋଧାଭାଷ (inherent contradiction) ଥାଏ ତାହାହେଲେ ସଂସଦର କାର୍ଯ୍ୟ ହେଉଛି ଏହାକୁ ଦୂର କରିବା ଏବଂ ଦେଖିବା ଯେପରି ମୌଳିକ ଅଧିକାର ରାଷ୍ଟ୍ରର ନୀତି ନିର୍ଦ୍ଦେଶକ ସିଦ୍ଧାନ୍ତକୁ ଆଗେଇ ନେବାରେ ସାହାଯ୍ୟ (subserve)କରିବ ।” ଏହି ସଂଶୋଧନ ବିଲ୍ ଉପରେ ଆଲୋଚନା ସମୟରେ ବରିଷ୍ଠ ସାଂସଦ ଏମ୍ ଏସ୍ ଗୁରୁପଦସ୍ୱାମୀ ନିର୍ଦ୍ଦେଶିକା ନୀତି ସମ୍ପର୍କରେ କହିଥିଲେ(ପୃ ୭୫), “ଚତୁର୍ଥ ଖଣ୍ଡରେ ଯେଉଁ ନୀତି ପ୍ରତିପାଦିତ ହୋଇଛି ତାହା ଏକ ସମାଜତାନ୍ତ୍ରିକ ଢାଂଚା (Socialist pattern) ପ୍ରତି ଇଙ୍ଗିତ କରେ । ସରକାରଙ୍କ ଆନ୍ତରିକତା ବା ସଦାଶୟତାର ବିଚାର ନିର୍ଭର କରେ ଯେ ସେମାନେ ନିର୍ଦ୍ଦେଶିକା ନୀତିକୁ କେତେଦୂର କାର୍ଯ୍ୟାନ୍ୱିତ କରୁଛନ୍ତି । ଶ୍ରେଣୀ ବୈଷମ୍ୟକୁ ହ୍ରାସ କରିବା ଦିଗରେ କୌଣସି କାର୍ଯ୍ୟ ନ କରି ମୌଳିକ ଅଧିକାର ପ୍ରତି ସଂପୃକ୍ତି ଦର୍ଶାଇବା ଓ ପ୍ରଗତିଶୀଳ ଦେଖାଯିବା ବେଶ ସହଜ । କିନ୍ତୁ ପ୍ରକୃତ ସ୍ୱାଧୀନତାର କୌଣସି ଅର୍ଥ ହୁଏନା ଯଦି ଅର୍ଥନୈତିକ ସମାନତା ନଥାଏ ।”

କିନ୍ତୁ ନିର୍ଦ୍ଦେଶିକା ନୀତିକୁ ଯେ ମୌଳିକ ଅଧିକାରଠାରୁ ଅଧିକ ମାନ୍ୟତା ଦିଆଯାଇଛି ତାହା ଦେଖାଯାଏ ଯେତେବେଳେ ମୌଳିକ ଅଧିକାର ଖଣ୍ଡର ଧାରା ୩୧(ସି)(ସମ୍ବିଧାନର ୨୫ତମ ସଂଶୋଧନ ୧୯୭୧)ରେ କୁହାଯାଏ ଯେ ନିର୍ଦ୍ଦେଶିକା ନୀତିର ଧାରା ୩୯(ବି) ଓ (ସି)ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଣୀତ ଆଇନ ମୌଳିକ ଅଧିକାରର ଧାରା ୧୪ ବା ଧାରା ୧୯କୁ ଉଲ୍ଲଂଘନ କରୁଥିଲେ ମଧ୍ୟ ଅସିଦ୍ଧ ହେବ ନାହିଁ । ଧାରା ୩୯(ବି) ଅନୁସାରେ ରାଷ୍ଟ୍ର ତାର ନୀତିକୁ ଏପରି ନିର୍ଦ୍ଦେଶିତ କରିବ ଯେପରି କି ସମୁଦାୟର ବସ୍ତୁଗତ ସଂଶାଧନ (material resources of the community)ର ମାଲିକାନା ଓ ନିୟନ୍ତ୍ରଣର ବିତରଣ ଏପରି ହେଉଥିବ ଯେ ଏହା ଦ୍ୱାରା ସାଧାରଣ ହିତ(common good)ର ପାଳନ ସବୁଠାରୁ ଭଲଭାବରେ ହୋଇପାରିବ । ଧାରା ୩୯(ସି) ଅନୁସାରେ ରାଷ୍ଟ୍ର ତାର ନୀତିକୁ ଏପରି ନିର୍ଦ୍ଦେଶିତ କରିବ ଯେପରି କି ଅର୍ଥନୈତିକ ବ୍ୟବସ୍ଥାର ସଂଚାଳନ ଦ୍ୱାରା ସମ୍ପତ୍ତି ଓ ଉତ୍ପାଦନର ସାଧନ (wealth and means of production)ର ଠୁଳିକରଣ (concentration) ହେବ ନାହିଁ ଯାହା ସାଧାରଣରେ କ୍ଷତିକାରକ । ଧାରା ୩୯ର ଏହି ଦୁଇଟି ଉପଧାରା, ବିଶେଷତଃ ଉପଧାରା ୩୯(ବି) ଇତ୍ୟବସରରେ ବେଶ୍ ବିତର୍କିତ ହୋଇଛି, ପ୍ରଶ୍ନ ଉଠିଛି ଯେ ସମୁଦାୟର ବସ୍ତୁଗତ ସଂଶାଧନ (material resources of the community) ମଧ୍ୟରେ ବ୍ୟକ୍ତିଗତ ବା ଘରୋଇ ସଂଶାଧନକୁ ଅନ୍ତର୍ଭୁକ୍ତ କରାଯିବ କି ନାହିଁ?

ସୁପ୍ରିମକୋର୍ଟର ରାୟ

୫ ନଭେମ୍ବର ୨୦୨୪ରେ ସୁପ୍ରିମକୋର୍ଟର ଏକ ସଂଖ୍ୟାଗରିଷ୍ଠ (୭ ବନାମ ୨) ରାୟରେ କୁହାଯାଇଛି ଯେ ଘରୋଇ ବା ବ୍ୟକ୍ତିଗତ ସଂଶାଧନକୁ ସମୁଦାୟର ବସ୍ତୁଗତ ସଂଶାଧନ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ । ଏହି ରାୟଟିକୁ ଲେଖିଥିଲେ (ତକ୍ରାଳୀନ) ପ୍ରଧାନ ବିଚାରପତି ଡକ୍ଟର ଡି ୱାଇ ଚନ୍ଦ୍ରଚୂଡ଼ । ଏହାଦ୍ୱାରା ଏଯାବତ୍ ଗୃହୀତ ଧାରଣା ଯାହା ମୂଳତଃ ବିଚାରପତି ଭି.ଆର କ୍ରିଷ୍ଣାଆୟାରଙ୍କ ମତ ଥିଲା ଯେ ସମୁଦାୟର ବସ୍ତୁଗତ ସଂଶାଧନ ମଧ୍ୟରେ ଘରୋଇ ବା ବ୍ୟକ୍ତିଗତ ସଂଶାଧନ ଅନ୍ତର୍ଭୁକ୍ତ -ତାହା ଅକାମୀ ହୋଇଗଲା । ବିଚାରପତି ଭି ଆର କ୍ରିଷ୍ଣାଆୟାରଙ୍କ ମତ ଥିଲା(ପୃ ୬୮୯), “ଜାତୀୟ ଅର୍ଥନୀତିର ପୁନର୍ବିନ୍ୟାସ (reordering) ସନ୍ଦର୍ଭରେ କୁହାଗଲେ ସମୁଦାୟର ବସ୍ତୁଗତ ସଂଶାଧନ ଭିତରେ ସମସ୍ତ ଜାତୀୟ ସମ୍ପତ୍ତି ଅନ୍ତର୍ଭୁକ୍ତ ହେବ, କେବଳ ପ୍ରାକୃତିକ ସମ୍ବଳ ନୁହେଁ, ବସ୍ତୁଗତ (material) ଚାହିଦା ପୂରଣପାଇଁ ଆବଶ୍ୟକ ସମସ୍ତ ଘରୋଇ ଓ ରାଷ୍ଟ୍ରୀୟ ସମ୍ବଳ କେବଳ ମାତ୍ର ସାର୍ବଜନିକ ସମ୍ପତ୍ତି (public possessions) ନୁହଁ । ପ୍ରତ୍ୟେକ ଜିନିଷ ଯାହାର ଏହି ବସ୍ତୁଗତ ଜଗତରେ ମୂଲ୍ୟ ଅଛି ବା ବ୍ୟବହାର ରହିଛି ତାହା ହେଉଛି ବସ୍ତୁଗତ ସମ୍ପଦ (material resource)ଏବଂ ବ୍ୟକ୍ତି ଯେହେତୁ ସମୁଦାୟର ଜଣେ ସଭ୍ୟ ତାଙ୍କର ସମ୍ବଳ ହେଉଛି ସମୁଦାୟ ସମ୍ବଳର ଅଂଶ । ଘରୋଇ ସମ୍ବଳର ମାଲିକାନାକୁ ଧାରା ୩୯(ବି)ରୁ ବାଦ ଦେବା ଅର୍ଥ ସମାଜବାଦୀ ବାଟରେ ପୁନଃବଂଟନ କରିବାର ଉଦ୍ଦେଶ୍ୟକୁ ଶୂନ(cipherise) କରିଦେବ ।” ଏହି ମତ ସହ ଅସହମତିର କାରଣ ପ୍ରତି ଇଙ୍ଗିତ କରି ବିଚାରପତି ଚନ୍ଦ୍ରଚୂଡ଼ଙ୍କ ଲେଖନ୍ତି(ପରିଛେଦ ୨୧୩, ପୃ ୧୮୧/୧୯୩), “ଧାରା ୩୯(ବି)ରେ ଘରୋଇ ସଂଶାଧନ ଅନ୍ତର୍ଭୁକ୍ତ ବୋଲି ଘୋଷଣା କରିବା ଅର୍ଥ ଆମର ଅର୍ଥନୀତି ପାଇଁ ଏକ ନିର୍ଦ୍ଦିଷ୍ଟ ଅର୍ଥନୈତିକ ଆଦର୍ଶକୁ ମାନ୍ୟତା ଦେବା । ରଙ୍ଗନାଥ ରେଡ୍ଡୀ ମାମଲାରେ ବିଚାରପତି କ୍ରିଷ୍ଣା ଆୟାରଙ୍କ ରାୟ ଯାହା ମଧ୍ୟ ଅନୁସୃତ ହୋଇଛି ସଂଜୀବ କୋକ ଏବଂ ଭୀମସିଂହଜୀ ମାମଲାରେ, ଏକ ନିର୍ଦ୍ଦିଷ୍ଟ ଅର୍ଥନୈତିକ ବିଚାରଦ୍ୱାରା ପ୍ରଭାବିତ ହୋଇଥିଲା । ଏହା ସ୍ପଷ୍ଟ ଜଣାପଡ଼େ ଏହି ମାମଲାଗୁଡ଼ିକରେ ଦିଆଯାଇଥିବା ରାୟରୁ । ଯେପରି ରଙ୍ଗନାଥ ରେଡ୍ଡୀ ମାମଲାରେ ବିଚାରପତି କ୍ରିଷ୍ଣା ଆୟାରଙ୍କର ମତ ଥିଲା ଯେ ଧାରା ୩୯(ବି) ହେଉଛି ‘ଏକ ସୁବିଚାରିତ ନକ୍ସା ସହ ରାଷ୍ଟ୍ରକୁ ନିର୍ଦ୍ଦେଶ, ସମ୍ପତ୍ତିର ସାମନ୍ତବାଦୀ ଏବଂ ପୁଞ୍ଜିବାଦୀ ଦୁର୍ଗକୁ ଭାଙ୍ଗିବା ପାଇଁ ।’ ଭୀମ ସିଂହଜୀ ମାମଲାରେ ବିଚାରପତି କ୍ରିଷ୍ଣା ଆୟାର ତାଙ୍କରାୟରେ ମାର୍କ୍ସଙ୍କୁ ଉଲ୍ଲେଖ କରନ୍ତି ।….ସାରମର୍ମ ହେଉଛି ଏହି ମାମଲାଗୁଡ଼ିକର ରାୟରେ ଧାରା ୩୯(ବି)ର ଯେପରି ବ୍ୟତ୍ପତ୍ତି ହୋଇଛି ତାହାର ମୂଳ ରହିଛି ଏକ ନିର୍ଦ୍ଦିଷ୍ଟ ଅର୍ଥନୈତିକ ଆଦର୍ଶରେ ଓ ବିଶ୍ୱାସରେ ଯେ ଏକ ଅର୍ଥନୈତିକ ଢାଂଚା ଯାହା ରାଷ୍ଟ୍ରର ହିତପାଇଁ ରାଷ୍ଟ୍ରଦ୍ୱାରା ଘରୋଇ ସମ୍ପତ୍ତିର ଅଧିଗ୍ରହଣକୁ ଅଗ୍ରାଧିକାର ଦେଇଥାଏ ।” ବିଚାରପତି ଚନ୍ଦ୍ରଚୂଡ ଆହୁରି ଲେଖନ୍ତି୩(ପରିଛେଦ ୨୧୪, ପୃ ୧୮୧-୨/୧୯୩), “ଉଲ୍ଲେଖନୀୟ ଯେ ଉଭୟ ବିଚାରପତି କ୍ରିଷ୍ଣା ଆୟାର(ରଙ୍ଗନାଥ ରେଡ୍ଡୀ ଏବଂ ଭୀମସିଂହଜୀ ମାମଲାରେ) ଏବଂ ବିଚାରପତି ଚିନ୍ନପ୍ପା ରେଡ୍ଡୀ (ସଂଜୀବ କୋକ ମାମଲାରେ) ଧାରାବାହିକ ଭାବେ(consistently ) ସମ୍ବିଧାନର ପ୍ରଣେତାମାନଙ୍କର ଦୃଷ୍ଟିକୋଣକୁ ଉଲ୍ଲେଖ କରୁଥିଲେ ଓ ଯୁକ୍ତି କରୁଥିଲେ ଯେ ଏହି ଦୃଷ୍ଟିକୋଣର ଭିତ୍ତିରେ ହିଁ ସେମାନେ ଉପସ୍ଥାପିତ କରନ୍ତି ଏହି ଅର୍ଥନୈତିକ ମତବାଦ ଦ୍ୱାରା ନିଦେ୍ର୍ଦଶିତ ସେମାନଙ୍କର ମତ । କିନ୍ତୁ ଯେପରି ପୂର୍ବେ ଏହି ରାୟରେ ଦର୍ଶାଯାଇଛି ଯେ ସମ୍ବିଧାନ ପ୍ରଣୟନ ସମୟରେ ସମ୍ବିଧାନର ପ୍ରଣେତାମାନଙ୍କ ଦୃଷ୍ଟିକୋଣରେ ଭବିଷ୍ୟତର ସରକାରମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ସାମାଜିକ ସଂଗଠନ ବା ଅର୍ଥନୀତିର ରୂପରେଖ ନିର୍ଦ୍ଧାରିତ କରିବା ନଥିଲା ।” ତେଣୁ ବିଚାରପତି ଚନ୍ଦ୍ରଚୂଡଙ୍କର ନିଷ୍କର୍ଷ ହେଲା(ପରିଛେଦ ୨୧୫, ପୃ ୧୮୨-୩/୧୯୩) ଯେ କ୍ରିଷ୍ଣା ଆୟାରଙ୍କର ଆଭିମୁଖ୍ୟରେ ଏକ ସୈଦ୍ଧାନ୍ତିକ ତୃଟି ରହିଛି; ତାହା ହେଉଛି ଏକ ଅନମନୀୟ ଅର୍ଥନୈତିକ ତତ୍ତ୍ୱର ପୋଷଣ ଯାହା ସମର୍ଥନ କରେ ଘରୋଇ ସଂଶାଧନ ଉପରେ ରାଷ୍ଟ୍ରର ଅଧିକ ନିୟନ୍ତ୍ରଣକୁ ସାମ୍ବିଧାନିକ ପରିଚାଳନାର (constitutional governance) ଏକମାତ୍ର(exclusive) ଭିତ୍ତି ଭାବେ । ଅପରପକ୍ଷରେ ବିଚାରପତି କ୍ରିଷ୍ଣା ଆୟାର ଯେଉଁ ଅର୍ଥନୈତିକ ମତବାଦ ଅନୁସାରେ ନିଜର ରାୟ ୧୯୭୭ ମସିହାରେ ଦେଇଥିଲେ ଓ ଏହାରି ଆଧାରରେ ପରବର୍ତ୍ତୀ ଅନେକ ରାୟ ପ୍ରକାଶ ପାଇଥିଲା ସେଗୁଡିକ ଆୟାରଙ୍କ ମତରେ ସମ୍ବିଧାନ-ପ୍ରଣେତାମାନଙ୍କର ଲକ୍ଷ୍ୟ ସହ ସୁସଂଗତ ଥିଲା, ଅର୍ଥାତ୍ ସାମନ୍ତବାଦ-ପୁଞ୍ଜିବାଦ ବିରୋଧୀ ଅର୍ଥନୈତିକ ମତବାଦ ବା ସମାଜବାଦୀ ଅର୍ଥନୀତି ହିଁ ସମ୍ବିଧାନ ପ୍ରଣେତାମାନଙ୍କର ଲକ୍ଷ୍ୟଥିଲା ।

ଚନ୍ଦ୍ରଚୂଡଙ୍କ ଯୁକ୍ତି

କିନ୍ତୁ କ୍ରିଷ୍ଣା ଆୟାରଙ୍କର ଏପରି ଧାରଣା ତୃଟିପୂର୍ଣ୍ଣ ଥିଲା ବୋଲି ବିଚାରପତି ଚନ୍ଦ୍ରଚୂଡ଼ ତାଙ୍କ ରାୟରେ ଦର୍ଶାନ୍ତି । ଏହା ଦର୍ଶାଇବାକୁ ଯାଇ ସେ ଉଲ୍ଲେଖ କରନ୍ତି କିପରି ସମ୍ବିଧାନସଭାର ସଦସ୍ୟ ଶ୍ରୀ ଦାମୋଦର ସ୍ୱରୂପ ସେଠ ଓ ପ୍ରଫେସର କେ. ଟି. ଶାହାଙ୍କର ସଂଶୋଧନ ପ୍ରସ୍ତାବକୁ ଆମ୍ବେଦକର ଅଗ୍ରାହ୍ୟ କରିଥିଲେ ଓ ଯାହା ସମ୍ବିଧାନ ସଭା ଦ୍ୱାରା ଗୃହୀତ ହୋଇଥିଲା । ୧୫ ନଭେମ୍ବର ୧୯୪୮ଦିନ ଶ୍ରୀ ଶାହା ସମ୍ବିଧାନର ଧାରା ୧ରେ ଆଣିଥିବା ସଂଶୋଧନ ଥିଲା କେବଳ “ଭାରତ ହେବ ରାଜ୍ୟମାନଙ୍କର ଏକ ସଂଘ ” (“India shall be a Union of States”) ସ୍ଥାନରେ ଲେଖାଯାଉ “ଭାରତ ହେବ ଧର୍ମ ନିରପେକ୍ଷ, ସଂଘୀୟ, ସମାଜବାଦୀ, ରାଜ୍ୟମାନଙ୍କର ଏକ ସଂଘ” (“India shall be a Secular, Federal, Socialist Union of States.”) ଆମ୍ବେଦକର ଏହାକୁ ଅଗ୍ରାହ୍ୟ କରିଥିଲେ ଓ ଏହି ସଂଶୋଧନ ଅଦରକାରୀ ବୋଲି କହିଥିଲେ । ନିର୍ଦ୍ଦେଶିକା ନୀତିରେ ଉଲ୍ଲିଖିତ ଧାରାଗୁଡିକ ପ୍ରତି ବିଶେଷତଃ ଧାରା ୩୧ (ଯାହା ପ୍ରଚଳିତ ସମ୍ବିଧାନରେ ଧାରା ୩୯) ପ୍ରତି ଦୃଷ୍ଟି ଆକର୍ଷଣ କରାଇ ଆମ୍ବେଦକର କହିଥିଲେ, “ଯଦି ଏହି ନିର୍ଦ୍ଦେଶିକା ନୀତିଗୁଡିକ ଯାହା ପ୍ରତି ମୁଁ ଦୃଷ୍ଟି ଆକର୍ଷଣ କରିଛି ତାହା ଯଦି ସେମାନଙ୍କର ନିର୍ଦ୍ଦେଶ (direction)ରେ ଓ ବିଷୟବସ୍ତୁରେ (content) ସମାଜବାଦୀ ନୁହଁ, ତାହା ହେଲେ ମୁଁ ବୁଝିପାରିବାରେ ଅସମର୍ଥ ଯେ ସମାଜବାଦ ଏହାଠାରୁ ଅଧିକ କଣ ହୋଇପାରେ । ମୋର ନିବେଦନ (submission) ଯେ ସମ୍ବିଧାନରେ ପୂର୍ବରୁ ନିହିତ ରହିଛି ସମାଜବାଦୀ ନୀତି, ତେଣୁ ଏହି ସଂଶୋଧନକୁ ଗ୍ରହଣ କରିବା ଅନାବଶ୍ୟକ ।” ପୁନଶ୍ଚ ୨୨ନଭେମ୍ବର ୧୯୪୮ ଦିନ ଶ୍ରୀ ଶାହା ଧାରା ୩୧(ସସ) ଏବଂ (ସସସ)(ଯାହା ପ୍ରଚଳିତ ସମ୍ବିଧାନରେ ଧାରା ୩୯(ବି) ଓ (ସି))ରେ ସଂଶୋଧନର ପ୍ରସ୍ତାବ ଆଗତ କରିଥିଲେ, ଏବଂ ଆଶଙ୍କା ବ୍ୟକ୍ତ କରିଥିଲେ ଯେ ଅସଂଶୋଧିତ ଧାରା ଯଦି ସେହିପରି ରୁହେ ତାହାହେଲେ, “ଏହାର ବ୍ୟୁତ୍ପତ୍ତି ଏପରି ହୋଇପାରେ ଯାହା ଆଦୌ ପ୍ରଣେତାମାନେ ଚାହିଁ ନଥିବେ ବା ପାଠକ କୌଣସି ମତେ ସେପରି ବୁଝୁ ନଥିବେ ।” ସମ୍ବିଧାନସଭାକୁ ଘରୋଇ ମାଲିକାନାର ବିପଦ ସମ୍ପର୍କରେ ସତର୍କ କରାଇ ପ୍ରଫେସର ଶାହା କହିଥିଲେ, “ଆମ ଦେଶ ପ୍ରତି ବିପଦ ରହିଛି ଘରୋଇ ଏକଚାଟିଆ ବ୍ୟବସାୟୀ (private monopolists)ଙ୍କ ଦ୍ୱାରା କବଳିତ ହୋଇଯିବାର, ଯଦି ପ୍ରଥମରୁ ଏହି ସମ୍ବିଧାନରେ ଆମେ ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ କରି ନଦେଉ ଯେ ଏହି ନୂତନ ଭାରତରେ ଘରୋଇ ଏକଚାଟିଆ ବ୍ୟବସାୟର କୌଣସି ସ୍ଥାନ ନାହିଁ…..” । ଏହାର ଉତ୍ତରରେ ଆମ୍ବେଦକର କହିଥିଲେ, “ଧାରା ୩୧(ii) ଏବଂ (iii )(ଯାହା ପ୍ରଚଳିତ ସମ୍ବିଧାନରେ ଧାରା ୩୯(ବି) ଓ (ସି)) ସ୍ଥାନରେ ଶାହା ନିଜର ଯେଉଁ ଧାରାକୁ ପ୍ରତିସ୍ଥାପିତ (substitution) କରିବାକୁ ଚାହୁଁଛନ୍ତି, ସେ ସମ୍ପର୍କରେ ମୁଁ କହିବାକୁ ଚାହେଁ ଯେ ମୁଁ ପ୍ରଫେସର ଶାହାଙ୍କର ସଂଶୋଧନକୁ ବିଚାର କରିବାପାଇଁ ପ୍ରସ୍ତୁତ ହୋଇଥାନ୍ତି ଯଦି ସେ ଦର୍ଶାଇ ଦେଇଥାନ୍ତେ ଯେ ତାଙ୍କର ଧାରାର ପ୍ରତିସ୍ଥାପନ ଦ୍ୱାରା ଯାହା ସେ କରିବାକୁ ଚାହୁଁଛନ୍ତି ତାହା ହେବା ସମ୍ଭବ ନୁହେଁ ଯେଉଁ ଭାଷାରେ ମୂଳ ଧାରା ଲେଖାଯାଇଛି । ଯେତେ ଦୂର ଯାଏ ମୁଁ ଦେଖିପାରୁଛି, ମୁଁ ଭାବୁଛି ଚିଠାରେ ଯେଉଁ ଭାଷାର ବ୍ୟବହାର ହୋଇଛି ସେ ଭାଷା ବେଶୀ ବ୍ୟାପକ ଯାହା ଭିତରେ ଅନ୍ତର୍ଭୁକ୍ତ ରହିଛି ପ୍ରଫେସର ଶାହା ଆଗତ କରିଥିବା ସେ ବିଶେଷ ପ୍ରସ୍ତାବଗୁଡ଼ିକ । ତେଣୁ ମୂଳ ଭାଷାରେ ଏହି ସୀମିତ ବିଶେଷ ପ୍ରସ୍ତାବଗୁଡିକର ପ୍ରତିସ୍ଥାପନ କରାଯିବା (substituting) ଆବଶ୍ୟକ ବୋଲି ମନେ କରୁନାହିଁ ।” ଏହା ପୂର୍ବରୁ,୧୯ ନଭେମ୍ବର ୧୯୪୮ଦିନ ସମ୍ବିଧାନ ସଭାର ସଦସ୍ୟ ଦାମୋଦର ସ୍ୱରୂପସେଠ ଚିଠା ସମ୍ବିଧାନର ନିର୍ଦ୍ଦେଶିକା ନୀତିର ଧାରା ୩୦(ଯାହା ପ୍ରଚଳିତ ସମ୍ବିଧାନର ଧାରା ୩୮)ରେ ଏକ ସଂଶୋଧନ ପ୍ରସ୍ତାବ ଆଗତ କରିଥିଲେ । ଏହି ସଂଶୋଧନ ଆଗତ କରିବା ପଛରେ କାରଣ ଥିଲା, ଶ୍ରୀ ସେଠଙ୍କ ଭାଷାରେ, “ମୁଁ ଅନୁଭବ କରେ ଯେ ଯେପରି ମୂଳ ଧାରାଟିକୁ ବ୍ୟକ୍ତ କରାଯାଇଛି ତାହା ଦ୍ୱାରା ଧାରାଟି କେତେକାଂଶରେ ଅନିର୍ଦ୍ଦିଷ୍ଟ ଓ ଅସ୍ପଷ୍ଟ(indefinite and vague) ହୋଇଛି, ଏବଂ ଏଥିରୁ ସ୍ପଷ୍ଟ ଜଣାପଡୁ ନାହିଁ ଯେ ଯେଉଁ ସାମାଜିକ ବ୍ୟବସ୍ଥାର ପ୍ରତିଷ୍ଠା ହେବ ତାହାର ଅର୍ଥନୈତିକ ଚରିତ୍ର କଣ ହେବ ।” ଓ “ଆମେ ଏହି ସମ୍ବିଧାନରେ ଏପରି ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରିବା ଉଚିତ ଯେଉଁ ବ୍ୟବସ୍ଥା ସମାଜବାଦୀ ଗଣତନ୍ତ୍ର ବା ଗଣତାନ୍ତ୍ରିକ ସମାଜବାଦ ହେବ । ଏହାର ଭାଷା ଯେତେ ଦୂର ସମ୍ଭବ ଏପରି ସ୍ପଷ୍ଟ ହେବା ଉଚିତ ଯେ ଏହାର ଅର୍ଥକୁ ଶାସକ ଶ୍ରେଣୀର ସ୍ୱାର୍ଥରେ ବଦଳା ଯାଇପାରିବ ନାହିଁ ।”

ଶ୍ରୀ ସେଠଙ୍କ ଦ୍ୱାରା ଆଗତ ଏହି ସଂଶୋଧନ ପ୍ରସ୍ତାବକୁ ଅସ୍ୱୀକାର କରି ଆମ୍ବେଦକର କହିଥିଲେ, “ଯେହେତୁ ଆମେ ସମ୍ବିଧାନରେ ଦିଆଯାଇଥିବା ବିଭିନ୍ନ ତନ୍ତ୍ର(mechanisms) ଦେଇ କେବଳ ସଂସଦୀୟ ଗଣତନ୍ତ୍ରର ସ୍ଥାପନା ଚାହୁଁନା ବରଂ ଚାହୁଁ ରହିବା ଏକ ଦିଶା ନିର୍ଦ୍ଦେଶ ଯେ ଆମର ଅର୍ଥନୈତିକ ଆଦର୍ଶ କ’ଣ ହେବା ଉଚିତ, ଆମର ସମାଜିକ ବ୍ୟବସ୍ଥା କ’ଣ ହେବା ଉଚିତ, ତେଣୁ ଆମେ ସ୍ୱେଚ୍ଛାକୃତ ଭାବେ ଆମ ସମ୍ବିଧାନରେ ନିର୍ଦ୍ଦେଶିକା ନୀତିଗୁଡିକୁ ଅନ୍ତର୍ଭୁକ୍ତ କରିଛୁ । ଯେଉଁ ବନ୍ଧୁମାନେ ଏହି ପ୍ରଶ୍ନକୁ ନେଇ ଆନ୍ଦୋଳିତ ମୁଁ ସେମାନଙ୍କୁ ଜଣାଇବାକୁ ଚାହେଁ ଯେ ଏହି ସମ୍ବିଧାନ ପ୍ରଣୟନ ପଛରେ ଦୁଇଟି ଉଦେ୍ଦଶ୍ୟ ରହିଛି-(୧) ରାଜନୈତିକ ଗଣତନ୍ତ୍ର (political democracy)ର ରୂପରେଖର ପ୍ରସ୍ତୁତି, ଏବଂ (୨) ଉପସ୍ଥାପନା ଯେ ଆମର ଆଦର୍ଶ ହେଉଛି ଅର୍ଥନୈତିକ ଗଣତନ୍ତ୍ର(economic democracy) ଓ ସୁପାରିଶ କରିବା ଯେ ପ୍ରତ୍ୟେକ କ୍ଷମତାସୀନ ସରକାର ଅର୍ଥନୈତିକ ଗଣତନ୍ତ୍ର ହାସଲ କରିବାଦିଗରେ ଉଦ୍ୟମ କରିବେ । ଏହାହେଲେ ସଭ୍ୟମାନଙ୍କର ଅନେକ ଭୁଲ୍ ବୁଝାମଣା ଉଭେଇ ଯିବ ।” ଅବଶ୍ୟ ଉପରୋକ୍ତ ଉକ୍ତି ପୂର୍ବରୁ ଆମ୍ବେଦକର କହିଥିଲେ, “ଆମେ ଏଠାରେ କେବଳ ଏକ ପ୍ରକ୍ରିୟାର ବର୍ଣ୍ଣନା କରିବା ଚାହୁଁ ନା ଯାହା ଲୋକଙ୍କୁ କ୍ଷମତା ଦଖଲ କରିବାପାଇଁ ସମର୍ଥ କରିବ । ସମ୍ବିଧାନ ମଧ୍ୟ ଚାହେଁ ଯେଉଁମାନେ ସରକାର ଗଢ଼ିବେ, ସେମାନଙ୍କ ସମ୍ମୁଖରେ ଏକ ଆଦର୍ଶର ଉପସ୍ଥାପନା । ଏହା ହେଉଛି ଅର୍ଥନୈତିକ ଗଣତନ୍ତ୍ରର ଧାରଣା….. ପ୍ରଶ୍ନ ହେଉଛି-ଅର୍ଥନୈତିକ ଗଣତନ୍ତ୍ର କିପରି ଆସିବ ସେ ସମ୍ପର୍କରେ ଆମର କୌଣସି ସ୍ଥିର/ଅପରିବର୍ତ୍ତନୀୟ ଧାରଣା ରହିଛି କି? ଲୋକେ ବିଶ୍ୱାସ କରନ୍ତି ଯେ ଅର୍ଥନୈତିକ ଗଣତନ୍ତ୍ର ଅନେକ ବାଟରେ ଆସିପାରେ, ଏପରି ଅନେକେ ଅଛନ୍ତି ଯେଉଁମାନେ ଅର୍ଥନୈତିକ ଗଣତନ୍ତ୍ରର ସର୍ବୋତ୍ତମ ରୂପ (form) ବ୍ୟକ୍ତିବାଦ (individualism)ରେ ନିହିତ ବୋଲି ବିଶ୍ୱାସ କରନ୍ତି; ଏପରି ଅନେକେ ଅଛନ୍ତି ଯେଉଁମାନେ ଅର୍ଥନୈତିକ ଗଣତନ୍ତ୍ରର ସର୍ବୋତ୍ତମ ରୂପ (form) ସମାଜବାଦୀ ରାଷ୍ଟ୍ରରେ ନିହିତବୋଲି ବିଶ୍ୱାସ କରନ୍ତି; ଏପରି ଅନେକେ ଅଛନ୍ତି ଯେଉଁମାନେ ଅର୍ଥନୈତିକ ଗଣତନ୍ତ୍ରର ସର୍ବୋତ୍ତମ ରୂପ (form) ସାମ୍ୟବାଦୀ ଧାରଣାରେ ନିହିତବୋଲି ବିଶ୍ୱାସ କରନ୍ତି ।”

କ୍ରିଷ୍ଣା ଆୟାରଙ୍କ ଆଭିମୂଖ୍ୟରେ ସୈଦ୍ଧାନ୍ତିକ ତୃଟି ପ୍ରତି ଇଙ୍ଗିତ କରିବା ଭ୍ରମାତ୍ମକ

ସମ୍ବିଧାନସଭାରେ ନିର୍ଦ୍ଦେଶିକା ନୀତି ସମ୍ପର୍କରେ ଆଗତ ବିଭିନ୍ନ ସଂଶୋଧନ ପ୍ରସ୍ତାବ ଉପରେ ଆମ୍ବେଦକରଙ୍କର ଯେଉଁ ଉକ୍ତିଗୁଡିକ ଉପରେ ଉଲ୍ଲେଖ କରାଯାଇଛି । ସେଥିରୁ ଜଣାପଡ଼େ ଯେ ଆମ୍ବେଦକର ବିଶ୍ୱାସ କରୁଥିଲେ “ଏହି ନିଦେ୍ର୍ଦଶିକା ନୀତିଗୁଡ଼ିକ କେତେ ମୂଲ୍ୟବାନ ତାହା ଭଲ ଭାବରେ ହୃଦୟଙ୍ଗମ କରିହେବ ଯେତେବେଳେ ଦକ୍ଷିଣପନ୍ଥୀ ଶକ୍ତିଗୁଡ଼ିକ (forces of right) କ୍ଷମତା ଦଖଲପାଇଁ ଫନ୍ଦି କରୁଥିବେ” ଅର୍ଥାତ୍ ଦକ୍ଷିଣପନ୍ଥୀ ଶକ୍ତିଗୁଡିକର କ୍ଷମତା ଦଖଲପାଇଁ ଫନ୍ଦିକୁ ବ୍ୟର୍ଥ କରିବାର ଉପାୟ ଏହି ନିଦେ୍ର୍ଦଶିକା ନୀତିମାନଙ୍କରେ ହିଁ ରହିଛି । ତେଣୁ ଆମ୍ବେଦକର ଦୃଢ଼ତାର ସହ ବିଶ୍ୱାସ କରୁଥିଲେ ଯେ ନିଦେ୍ର୍ଦଶିକା ନୀତିଗୁଡ଼ିକର ମୂଳ କଥନଗୁଡ଼ିକରେ ଯେଉଁ ଭାଷାର ବ୍ୟବହାର ହୋଇଛି ସେଥିରେ ସମାଜବାଦର ଧାରଣା ରହିଛି, ତେଣୁ ସଂଶୋଧନର ଆବଶ୍ୟକତା ନାହିଁ । ତାଙ୍କର ଗୁରୁତ୍ୱ ଥିଲା ଭାରତରେ ‘ଅର୍ଥନୈତିକ ଗଣତନ୍ତ୍ର’ର ପ୍ରତିଷ୍ଠା ଉପରେ, ଓ ତାଙ୍କର ବିଶ୍ୱାସ ଥିଲା ଯେ ଏହା ସମ୍ଭବ ନିର୍ଦ୍ଦେଶିକା ନୀତିଗୁଡ଼ିକର ସଫଳ କାର୍ଯ୍ୟକାରିତା ଦ୍ୱାରା । ଅବଶ୍ୟ ଏହି ସନ୍ଦର୍ଭରେ ସେ ଇଙ୍ଗିତ କରିଥିଲେ ଲୋକେ ବିଶ୍ୱାସ କରୁଥିବା ବିଭିନ୍ନ ଉପାୟ ପ୍ରତି, ଏହି ପ୍ରଶ୍ନ କରି ଯେ “ଅର୍ଥନୈତିକ ଗଣତନ୍ତ୍ର କିପରି ଆସିବ ସେ ସମ୍ପର୍କରେ ଆମର କୌଣସି ସ୍ଥିର/ଅପରିବର୍ତ୍ତନୀୟ ଧାରଣା ରହିଛି କି?”; କୌଣସି ନିର୍ଦ୍ଦିଷ୍ଟ ଉପାୟର ପକ୍ଷ ନେଇ ନଥିଲେ । ତେଣୁ ଆମ୍ବେଦକରଙ୍କର ଏହି ପ୍ରଶ୍ନ ଓ ତାଙ୍କ ଦ୍ୱାରା ଲୋକେ ବିଶ୍ୱାସ କରୁଥିବା ବିଭିନ୍ନ ଉପାୟର ଅବତାରଣାର ପୃଷ୍ଠଭୂମିରେ ବିଚାରପତି ଚନ୍ଦ୍ରଚୂଡ଼ଙ୍କର ଯୁକ୍ତି ଯେ କୃଷ୍ଣ ଆୟାରଙ୍କର ଆଭିମୁଖ୍ୟରେ ଏକ ସୈଦ୍ଧାନ୍ତିକ ତୃଟି ହୋଇଥିଲା, ତାହା ସଠିକ ମନେହୁଏ ନାହିଁ । କାରଣ ଆମ୍ବେଦକର ଯେଉଁ ବିଭିନ୍ନ ଉପାୟର ଅବତାରଣା କରୁଥିଲେ, ସେ ଉପାୟ ମଧ୍ୟରେ ମାନ୍ୟବର ବିଚାରପତି କୃଷ୍ଣ ଆୟାରଙ୍କର ଆଭିମୁଖ୍ୟ ଯେ ଅନ୍ତର୍ଭୁକ୍ତ, ତାହା କଣ ଅସ୍ୱୀକାର କରାଯାଇପାରେ?

ସାମ୍ବିଧାନିକ ପୀଠରେ ଭିନ୍ନମତ

ମାନ୍ୟବର ମୁଖ୍ୟ ବିଚାରପତି ଚନ୍ଦ୍ରଚୁଡଙ୍କ ଦ୍ୱାରା ଲିଖିତ ଓ ଅନ୍ୟ ୬ ଜଣ ବିଚାରପତିଙ୍କ ଦ୍ୱାରା ସ୍ୱାକ୍ଷରିତ ସଂଖ୍ୟାଗରିଷ୍ଠ ରାୟରେ ମାନ୍ୟବର ବିଚାରପତି କ୍ରିଷ୍ଣା ଆୟାର ବା ମାନ୍ୟବର ବିଚାରପତି ଓ ଚିନ୍ନପ୍ପା ରେଡ୍ଡୀଙ୍କ ସିଦ୍ଧାନ୍ତକୁ ତୃଟିପୂର୍ଣ୍ଣ ଦର୍ଶାଇ ଦେଇଥିବା ପ୍ରତିକୂଳ ମନ୍ତବ୍ୟକୁ ନାପସନ୍ଦ କରି ଅନ୍ୟ ଦୁଇଜଣ ମାନ୍ୟବର ବିଚାରପତି ଶ୍ରୀମତୀ ବି ଭି ନାଗରତ୍ନା ଓ ଶ୍ରୀଯୁକ୍ତ ସୁଧାଂଶୁ ଧୂଳିଆ ସେମାନଙ୍କର ସଂଖ୍ୟାଲଘୁ ରାୟ ଲେଖିଥିଲେ । ଶ୍ରୀମତୀ ନାଗରତ୍ନା ଲେଖିଥିଲେ(ପରିଚ୍ଛେଦ ୨୪, ପୃ) ୧୩୮/୧୩୯), “ମୋ ମତରେ ଏହି ନ୍ୟାୟାଳୟ ରଙ୍ଗନାଥ ରେଡ୍ଡୀ, ସଂଜୀବ କୋକ, ଆବୁ କଭୁର ବାଇ ଏବଂ ବସ୍ତବାଇ ମାମଲାରେ ଉଠିଥିବା ପ୍ରସଙ୍ଗଗୁଡ଼ିକର ସଠିକ ବିଚାର କରିଥିଲେ ଏବଂ ଏହାର ଗୁଣାବଳୀ (merits of the matters) କୌଣସି ହସ୍ତକ୍ଷେପ ଆବଶ୍ୟକ କରେ ନାହିଁ, ଯେପରି ଉପରେ ବୁଝାଇ ଦିଆଯାଇଛି । ଏହି ରାୟଗୁଡ଼ିକରେ ସେହି ବିଚାରପତିମାନଙ୍କ ମତର ବର୍ତ୍ତମାନ ସମୟରେ କୌଣସି ଆଲୋଚନା (any critique) ନା ଯଥାର୍ଥ, ନା ଆବଶ୍ୟକ ।” ଶ୍ରୀଯୁକ୍ତ ସୁଧାଂଶୁ ଧୂଳିଆ ଲେଖିଥିଲେ(ପରିଚ୍ଛେଦ ୫୦, ପୃ ୯୬), “ ବିଚାରପତି କ୍ରିଷ୍ଣା ଆୟାର ଏବଂ ବିଚାରପତି ଓ.ଚିନ୍ନପ୍ପା ରେଡ୍ଡୀ, ରଙ୍ଗନାଥ ରେଡ୍ଡୀ ଏବଂ ସଂଜୀବ କୋକ ମାମଲାରେ ଯଥାକ୍ରମେ ସମୁଦାୟର ବସ୍ତୁଗତ ସଂଶାଧନ (material resources of the community) ଯେଉଁଭଳି ବ୍ୟାପକ ଓ ସମାବେଶୀ (broad and inclusive) ଅର୍ଥ କରିଥିଲେ ତାହା ଆମକୁ ଭଲ ସ୍ଥିତିରେ ଠିଆ କରାଇଛି(stood us in good stead) ଏବଂ ଏହା କୌଣସି ପ୍ରାସଙ୍ଗିକତା ହରାଇ ନାହିଁ ବା ନ୍ୟାୟଶାସ୍ତ୍ରୀକ ମୂଲ୍ୟ (jurisprudential value), ହରାଇ ନାହିଁ ସେ ଦର୍ଶକଗଣ (audience)ଙ୍କ ନିକଟରେ ଯେଉଁମାନେ ଏହି ମୂଲ୍ୟଗୁଡ଼ିକୁ ପ୍ରଶଂସା କରିଥାନ୍ତି । ଉପସଂହାର କରିବା ପୂର୍ବରୁ, ମୁଁ ଲିପିବଦ୍ଧ କରିବାକୁ ଚାହେଁ କ୍ରିଷ୍ଣା ଆୟାର ସିଦ୍ଧାନ୍ତ (Krishna Iyer Doctrine) ଉପରେ କରାଯାଇଥିବା ମନ୍ତବ୍ୟ ପ୍ରତି ମୋର ତୀବ୍ର ଅସ୍ୱୀକୃତି(strong disapproval) । ଏପରି ସମାଲୋଚନା ଅତ୍ୟନ୍ତ କଠୋର ଯାହାକୁ ବାଦ ଦିଆଯାଇ ପାରିଥାନ୍ତା । କ୍ରିଷ୍ଣାଆୟାର ସିଦ୍ଧାନ୍ତ ବା ସେହି ପ୍ରସଙ୍ଗରେ ଓ ଚିନ୍ନପ୍ପା ରେଡ୍ଡୀଙ୍କ ସିଦ୍ଧାନ୍ତ ସମସ୍ତଙ୍କୁ ଜଣାଅଛି ଯେଉଁମାନେ ଆଇନ ବା ଜୀବନ ସହିତ ପରିଚିତ । ଏହା ନିଷ୍ପକ୍ଷତା ଏବଂ ସମତାର ଦୃଢ଼ ମାନବିକ ନୀତି ଉପରେ ଆଧାରିତ । ଏହା ଏକ ଏପରି ସିଦ୍ଧାନ୍ତ ଯାହା ଅନ୍ଧକାର ସମୟରେ ଆମର ପଥକୁ ଆଲୋକିତ କରିଛି । ସେମାନଙ୍କର ଦୀର୍ଘ ରାୟ କେବଳ ସେମାନଙ୍କର ତୀକ୍ଷ୍ଣ ବୁଦ୍ଧିର ପ୍ରତିଫଳନ ନୁହେଁ ବରଂ ବିଶେଷ ଭାବରେ ଏହା ହେଉଛି ସେମାନଙ୍କର ନ୍ୟାୟିକ ଦର୍ଶନର କେନ୍ଦ୍ରରେ ଥିବା ଜନସାଧାରଣଙ୍କ ପ୍ରତି ସେମାନଙ୍କର ସହାନୁଭୂତିର ପ୍ରତିଫଳନ । ବିଚାରପତି କ୍ରିଷ୍ଣା ଆୟାରଙ୍କ ନିଜ ଭାଷାରେ, ‘ବିଚାରାଳୟ ଗୁଡ଼ିକର ମଧ୍ୟ ଏକ ନିର୍ବାଚନ କ୍ଷେତ୍ର ଅଛି ତାହା ହେଉଛି ରାଷ୍ଟ୍ର-ଏବଂ ଏକ ଇସ୍ତାହାର ଅଛି ତାହା ହେଉଛି ସମ୍ବିଧାନ’ । ”

ମାନ୍ୟବର ବିଚାରପତି ସୁଧାଂଶୁ ଧୂଳିଆ କ୍ରିଷ୍ଣା ଆୟାର ସିଦ୍ଧାନ୍ତ ଏବେ ବି ପ୍ରାସଙ୍ଗିକ ବୋଲି କହୁଛନ୍ତି, କାରଣ ତାଙ୍କ ମତରେ(ପରିଚ୍ଛେଦ ୪୫, ପୃ ୮୯), “ଆଜିର ଅର୍ଥନୈତିକ ସ୍ଥିତି ଯାହା ତାହା ଦରକାର କରେ ରାଷ୍ଟ୍ର ଦ୍ୱାରା ଜନମଙ୍ଗଳ ପଦକ୍ଷେପ” ଏହି ମତ ସପକ୍ଷରେ ସେ କେତୋଟି ଦୃଷ୍ଟାନ୍ତର ଅବତାରଣା କରିଛନ୍ତି ଯେପରି(ପରିଚ୍ଛେଦ ୪୫, ପୃ ୮୯), “UNDP Human Development Report ଦର୍ଶାଏ ମାନବ ବିକାଶରେ ଭାରତ ପଛରେ ପଡିଛି । ୧୯୩ ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ମାନବ ବିକାଶ ସୂଚକାଙ୍କ ୧୩୪ । ବିଶ୍ୱ କ୍ଷୁଧା ସୂଚକାଙ୍କରେ ୧୨୭ ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ସ୍ଥାନ ୧୦୫ । ଏହି ସଂଖ୍ୟାଗୁଡ଼ିକ ଅତି କମରେ ଦର୍ଶାଏ ଯେ ବର୍ତ୍ତମାନ ମଧ୍ୟ ଅନେକ କାର୍ଯ୍ୟ କରାଯିବାକୁ ଅଛି ।” ସ୍ୱାଭାବିକ ସେ ପ୍ରଶ୍ନ କରିଛନ୍ତି(ପରିଚ୍ଛେଦ ୪୫, ପୃ ୮୮), “ଆମ ବିଶ୍ୱ କଣ ବଦଳିଛି? ଆମ ଦେଶରେ ଅସମାନତା ହ୍ରାସ ପାଇଛି କି?” ଅଥଚ ଚନ୍ଦ୍ରଚୂଡ଼ ମହାଶୟ କ୍ରିଷ୍ଣା ଆୟାରଙ୍କ ରାୟରେ ସୈଦ୍ଧାନ୍ତିକ ତୃଟି ଦେଖନ୍ତି ।

ବଜାର ଆଧାରିତ ଅର୍ଥନୈତିକ ସଂସ୍କାରକୁ ଚନ୍ଦ୍ରଚୂଡଙ୍କ ସ୍ୱୀକୃତି

ମାନ୍ୟବର ଚନ୍ଦ୍ରଚୂଡ଼ଙ୍କ ଦୃଷ୍ଟିରେ୩(ପରିଚ୍ଛେଦ ୨୧୫, ପୃ ୧ ୮୨-୩/ ୧୯୩) , “ ଉତ୍ତର ୧୯୬୦ଦଶକ ଏବଂ ୧୯୭୦ ଦଶକରେ ‘ସମାଜବାଦୀ’ (‘‘socialist’) ସଂସ୍କାର ଏବଂ ନୀତି ଦିଗରେ ଏକ ପରିବର୍ତ୍ତନ ହୋଇଥିଲା । କିନ୍ତୁ ୧୯୯୦ ଦଶକରୁ ବା ଉଦାରୀକରଣ ବର୍ଷମାନଙ୍କରୁ, ଅନୁସରଣ କରାଯାଉଥିବା ନୀତିରେ ବଜାର ଆଧାରିତ ସଂସ୍କାର (market-based reforms) ଦିଗରେ ଏକ ପରିବର୍ତ୍ତନ ଆସିଛି । ଆଜି ଭାରତୀୟ ଅର୍ଥନୀତିରେ ସରକାରୀ ନିବେଶର ଆଧିପତ୍ୟ ସରକାରୀ-ଘରୋଇ ସହକାରୀ ନିବେଶ (co-existence of public and private investment)କୁ ବାଟ ଛାଡିଛି । ” ଏହାର ପରବର୍ତ୍ତୀ ପରିଚ୍ଛେଦରେ ସେ କହୁଛନ୍ତି୩(ପରିଚ୍ଛେଦ ୨୧୬, ପୃ ୧ ୮୩/ ୧୯୩), “ଭାରତୀୟ ଅର୍ଥନୀତିର ଗତିପଥ ଦର୍ଶାଏ ଯେ ସମ୍ବିଧାନ ଏବଂ ଏହାର ଅଭିଭାବକ-ମତଦାତାଗଣ (electorate), ସତ୍ୟର ଏକମାତ୍ର ଭଣ୍ଡାର (exclusive repository of truth) ଯେକୌଣସି ଗୋଟିଏ ଅର୍ଥନୈତିକ ମତବାଦ ହିଁ ହୋଇପାରେ ଏହି ଧାରଣାକୁ ନିୟମିତ ଭାବେ ପ୍ରତ୍ୟାଖ୍ୟାନ କରି ଆସିଛନ୍ତି । ଭାରତର ଜନଗଣ ଏକ ସ୍ପନ୍ଦନଶୀଳ ବହୁ-ଦଳୀୟ (vibrant multi-party) ‘ଅର୍ଥନୈତିକ ଗଣତନ୍ତ୍ର’ (‘economic democracy’)ରେ ଅଂଶଗ୍ରହଣ କରି ସେହି ସରକାରକୁ କ୍ଷମତାକୁ ଆଣିଛି ଯିଏ ରାଷ୍ଟ୍ର ବିକାଶରେ ପ୍ରାଥମିକତା ଓ ଆହ୍ୱାନକୁ ଭିତ୍ତି କରି ବିଭିନ୍ନ ଅର୍ଥନୈତିକ ଏବଂ ସାମାଜିକ ନୀତିକୁ ଗ୍ରହଣ କରିଛି । ଆମ (ସମ୍ବିଧାନର)ରଚନା କର୍ତ୍ତାମାନଙ୍କର ‘ଅର୍ଥନୈତିକ ଗଣତନ୍ତ୍ର’ର ସ୍ଥାପନା ପାଇଁ ଥିବା ଦୂରଦୃଷ୍ଟି ଏବଂ ନିର୍ବାଚିତ ସରକାରଙ୍କ ବିଜ୍ଞତା ଉପରେ ବିଶ୍ୱାସ ଭାରତୀୟ ଅର୍ଥନୀତିରେ ଉଚ୍ଚ ହାରରେ ବୃଦ୍ଧିର ମେରୁଦଣ୍ଡ ହୋଇଛି ଯାହା ଦ୍ୱାରା ଏହା ବିଶ୍ୱରେ ସବୁଠାରୁ ତ୍ୱରିତ ଗତିରେ ବୃଦ୍ଧି ପାଉଥିବା ଅର୍ଥନୀତିରେ ପରିଣତ ହୋଇଛି । କୌଣସି ଗୋଟିଏ ଅର୍ଥନୈତିକ ତତ୍ତ୍ୱ ଯାହା ଅନୁସାରେ ଘରୋଇ ସମ୍ପତ୍ତିର ଅଧିଗ୍ରହଣ ରାଷ୍ଟ୍ରର ସର୍ବଶେଷ ଲକ୍ଷ୍ୟ, ତାହାକୁ ଲଦି ଦେଇ ଏହି ସାମ୍ବିଧାନିକ ଦୂରଦର୍ଶିତାକୁ ନଷ୍ଟ କରିବାଦ୍ୱାରା ଆମ ସାମ୍ବିଧାନିକ ଢାଂଚାର ପ୍ରକୃତ ଗଠନ ଓ ସିଦ୍ଧାନ୍ତ (fabric and principles)ଦୁର୍ବଳ ହେବ ।” ଅର୍ଥାତ୍ ଚନ୍ଦ୍ରଚୂଡଙ୍କ ଅନୁସାରେ କ୍ରିଷ୍ଣା ଆୟାରଙ୍କ ସିଦ୍ଧାନ୍ତ ଯେଉଁ ଅର୍ଥନୈତିକ ମତବାଦ, ସମାଜବାଦୀ ଅର୍ଥନୀତି, ଉପରେ ଆଧାରିତ ତାହାକୁ ଭାରତର ଜନଗଣ ପ୍ରତ୍ୟାଖ୍ୟାନ କରିଛନ୍ତି ଓ ‘ଅର୍ଥନୈତିକ ଗଣତନ୍ତ୍ର’ର ସ୍ଥାପନାର ଯେଉଁ ଲକ୍ଷ୍ୟ ଆମ ସମ୍ବିଧାନ ପ୍ରଣେତାମାନଙ୍କର ଥିଲା ତାହା ନବେ ଦଶକରୁ ଆରମ୍ଭ ହୋଇଥିବା ନୂତନ ଅର୍ଥନୀତିରେ, ଯେଉଁଥିରେ ଅନ୍ତର୍ଭୁକ୍ତ ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ, ହାସଲ ହୋଇ ପାରିବାର ସମ୍ଭାବନା ସେମାନେ ଦେଖୁଛନ୍ତି । ଚନ୍ଦ୍ରଚୂଡ଼ ସମ୍ପ୍ରତି ସରକାରଙ୍କ ଦ୍ୱାରା ବାରମ୍ବାର ହେଉଥିବା ଘୋଷଣା ଯେ ଏହି ଅର୍ଥନୀତି ଦ୍ୱାରା ଭାରତ ଆଜି ବିଶ୍ୱରେ ସବୁଠାରୁ ବେଗମାନ ଅର୍ଥନୀତିରେ ପରିଣତ ହୋଇଛି ତାହାକୁ ଦୋହରାଇଛନ୍ତି । ତେଣୁ ପ୍ରକାରାନ୍ତରେ ଚନ୍ଦ୍ରଚୂଡ଼ କହୁଛନ୍ତି ଯେ କ୍ରିଷ୍ଣା ଆୟାରଙ୍କ ସିଦ୍ଧାନ୍ତ ଯାହା ରାଷ୍ଟ୍ରଦ୍ୱାରା ଘରୋଇ ସମ୍ପତ୍ତିର ଅଧିଗ୍ରହଣକୁ ସମର୍ଥନ କରେ ତାହା ଗ୍ରହଣ କରାଗଲେ ସାମ୍ବିଧାନିକ ଢାଂଚା ଓ ସିଦ୍ଧାନ୍ତ ଦୁର୍ବଳ ହେବ । କହିବା ବାହୁଲ୍ୟ ଯେ ଚନ୍ଦ୍ରଚୂଡ଼ଙ୍କ ରାୟରେ ନୂତନ ଅର୍ଥନୀତି ପ୍ରତି ସମର୍ଥନ ରହିଛି, ସମାଜବାଦୀ ଅର୍ଥନୀତି ପ୍ରତି ଯେପରି ଅସ୍ୱୀକୃତି ରହିଛି । ଯଦିଓ ମୂଳପ୍ରଶ୍ନ ଧାରା ୩୯(ବି)ରେ ଉଲ୍ଲିଖିତ ସମୁଦାୟର ବସ୍ତୁଗତ ସଂଶାଧନ (material resources of the community)ମଧ୍ୟରେ ବ୍ୟକ୍ତିଗତ ବା ଘରୋଇ ସଂଶାଧନକୁ ଅନ୍ତର୍ଭୁକ୍ତ କରାଯିବ କି ନାହିଁ ର ଉତ୍ତର ତାତ୍ତ୍ୱିକ ଦୃଷ୍ଟିରୁ ‘ହଁ’ ବୋଲି ସ୍ୱୀକାର କରନ୍ତି ଚନ୍ଦ୍ରଚୂଡ଼ ଓ ଏହି ବାକ୍ୟଖଣ୍ଡରେ ଘରୋଇ ମାଲିକାନାରେ ଥିବା ସଂଶାଧନକୁ ଅନ୍ତର୍ଭୁକ୍ତ କରାଯାଇପାରେ ବୋଲି ମତ ଦିଅନ୍ତି, କିନ୍ତୁ ଏହା ପ୍ରତି କ୍ରିଷ୍ଣା ଆୟାରଙ୍କ ବ୍ୟାପକ ଦୃଷ୍ଟିକୁ ଗ୍ରହଣ କରିବା ପାଇଁ ସେ କୁଣ୍ଠା ପ୍ରକାଶ କରନ୍ତି । ତାଙ୍କ ମତରେ ବ୍ୟକ୍ତିଗତ ମାଲିକାନାରେ ଥିବା ଯେ କୌଣସି ସଂଶାଧନକୁ ସମୁଦାୟର ବସ୍ତୁଗତ ସଂଶାଧନ ବୋଲି ବିଚାର କରାଯାଇ ନପାରେ କେବଳ ଏଇଥି ପାଇଁ ଯେ ଏଥିରେ ‘ବସ୍ତୁଗତ ଚାହିଦା’ (‘material needs’)ର ବିଶେଷଣ ଲାଗିଛି୩(ପରିଚ୍ଛେଦ ୨୨୯(ଡି), ପୃ ୧ ୯୨/ ୧୯୩) ।

ଚନ୍ଦ୍ରଚୂଡ଼ଙ୍କ ଆଭିମୁଖ୍ୟରେ ‘ସୈଦ୍ଧାନ୍ତିକ ତୃଟି’!

କ୍ରିଷ୍ଣା ଆୟାରଙ୍କ ବ୍ୟାପକ ଦୃଷ୍ଟି ଯାହାକୁ ଚନ୍ଦ୍ରଚୂଡ଼ ଗ୍ରହଣ କରିବା ପାଇଁ କୁଣ୍ଠିତ ତାହା ପ୍ରକୃତରେ କ’ଣ ଥିଲା? ଏହା ଥିଲା ‘ଘରୋଇ ସମ୍ବଳର ମାଲିକାନାକୁ ଧାରା ୩୯(ବି)ରୁ ବାଦ ଦେବା ଅର୍ଥ ସମାଜବାଦୀ ବାଟରେ ପୁନଃବଂଟନ କରିବାର ଉଦ୍ଦେଶ୍ୟକୁ ଶୂନ(cipherise) କରିଦେବ ।’ ‘ପୁନଃବଂଟନ କରିବାର ଉଦ୍ଦେଶ୍ୟ’ ପୂରଣ କରିବା ଅର୍ଥ ଯେ ସମ୍ବଳର ମାଲିକାନାରେ ବୈଷମ୍ୟକୁ ଦୂର କରିବା ଏବଂ ଏହା ରାଷ୍ଟ୍ରର କର୍ତ୍ତବ୍ୟ ଯେପରି କି ସମ୍ପତ୍ତିର ଠୁଳିକରଣ ସମ୍ଭବ ହେବ ନାହିଁ ଯାହା ଧାରା ୩୯(ସି)ର ନିର୍ଦ୍ଦେଶ । ମାନ୍ୟବର ବିଚାରପତି ସୁଧାଂଶୁ ଧୂଳିଆ କ୍ରିଷ୍ଣା ଆୟାରଙ୍କର ଏହି ବ୍ୟୁତ୍ପତ୍ତିରେ ଦେଖିଛନ୍ତି ବ୍ୟାପକ ଓ ସମାବେଶୀ ଚରିତ୍ରର ପ୍ରତିଫଳନ ଯାହାର ପ୍ରାସଂଗିକତା, ତାଙ୍କ ମତରେ, ଆଜି ମଧ୍ୟ ରହିଛି । ନିଶ୍ଚିତ ଭାବରେ କ୍ରିଷ୍ଣା ଆୟାରଙ୍କ ଦ୍ୱାରା ଧାରା ୩୯(ବି)ର ବୁ୍ୟତ୍ପତ୍ତି ସମାଜବାଦୀ ଅର୍ଥନୈତିକ ବିଚାର ଉପରେ ଆଧାରିତ । ସମାଜବାଦୀ ଅର୍ଥନୈତିକ ବିଚାରର ଆଲୋଚନା ସମ୍ବିଧାନ ପ୍ରଣୟନ ସମୟରେ ହୋଇଥିଲା । ସମ୍ବିଧାନରେ ଏହି ବିଚାରକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବାପାଇଁ ସଂଶୋଧନ ପ୍ରସ୍ତାବ ଆସିଥିଲା । ସମ୍ବିଧାନ ସଭାର ସଦସ୍ୟ ପ୍ରଫେସର କେ ଟି ଶାହା ଓ ଦାମୋଦର ସ୍ୱରୂପ ସେଠ ଆଗତ କରିଥିଲେ ସଂଶୋଧନ ପ୍ରସ୍ତାବ ଯେପରିକି ଘରୋଇ ଏକଚାଟିଆ ମାଲିକାନା ସମ୍ଭବ ହେବ ନାହିଁ ବା ସମ୍ବିଧାନର ଭାଷା ଏପରି ସ୍ପଷ୍ଟ ହେବ ଯେପରି ଏହାର ଅର୍ଥକୁ ଶାସକଶ୍ରେଣୀର ସ୍ୱାର୍ଥରେ ବଦଳା ଯାଇପାରିବ ନାହିଁ, ବରଂ ସମ୍ବିଧାନରେ ସମାଜବାଦୀ ଗଣତନ୍ତ୍ର ବା ଗଣତାନ୍ତ୍ରିକ ସମାଜବାଦର ବ୍ୟବସ୍ଥା ଉଲ୍ଲେଖ ହେବ । ଏପରି ସଂଶୋଧନର କୌଣସି ଆବଶ୍ୟକତା ନାହିଁ ବୋଲି ଆମ୍ବେଦକର ମନ୍ତବ୍ୟ କରିଥିଲେ । କାରଣ ଯେଉଁ ଧାରାର ସଂଶୋଧନ ପ୍ରସ୍ତାବ ଦିଆଯାଉଛି ସେ ଧାରାର ମୂଳ ଭାଷାରେ ସମାଜବାଦର ଲକ୍ଷ୍ୟ ଯେପରି ପ୍ରତିଫଳିତ ତାହାରି ପୃଷ୍ଠଭୂମିରେ ଆମ୍ବେଦକର କୁହନ୍ତି “ମୁଁ ବୁଝି ପାରିବାରେ ଅସମର୍ଥ ଯେ ସମାଜବାଦ ଏହାଠାରୁ ଅଧିକ କଣ ହୋଇପାରେ …..ସମ୍ବିଧାନରେ ପୂର୍ବରୁ ନିହିତ ରହିଛି ସମାଜବାଦୀ ନୀତି, ତେଣୁ ଏହି ସଂଶୋଧନକୁ ଗ୍ରହଣ କରିବା ଅନାବଶ୍ୟକ ।” କହିବା ବାହୁଲ୍ୟ ଯେ ଆମ୍ବେଦକର ବିଭିନ୍ନ ସଂଶୋଧନକୁ ଅଗ୍ରାହ୍ୟ କରିବା ଫଳରେ ଏକ ଭ୍ରମ ଚନ୍ଦ୍ରଚୂଡ଼ଙ୍କ ବିଚାରରେ ସୃଷ୍ଟି ହୋଇଛି ଯେ ସମାଜବାଦୀ ବିଚାରକୁ ଆମ୍ବେଦକର ସ୍ୱୀକୃତି ଦେଉନାହାନ୍ତି । ଓ ଯେତେବେଳେ ଆମ୍ବଦକର କୁହନ୍ତି “ଲୋକେ ବିଶ୍ୱାସ କରନ୍ତି ଯେ ଅର୍ଥନୈତିକ ଗଣତନ୍ତ୍ର ଅନେକ ବାଟରେ ଆସିପାରେ, ଏପରି ଅନେକେ ଅଛନ୍ତି ଯେଉଁମାନେ ଅର୍ଥନୈତିକ ଗଣତନ୍ତ୍ରର ସର୍ବୋତ୍ତମ ରୂପ (form) ବ୍ୟକ୍ତିବାଦ (individualism)ରେ ନିହିତ ବୋଲି ବିଶ୍ୱାସ କରନ୍ତି; ଏପରି ଅନେକେ ଅଛନ୍ତି ଯେଉଁମାନେ ଅର୍ଥନୈତିକ ଗଣତନ୍ତ୍ରର ସର୍ବୋତ୍ତମ ରୂପ (form) ସମାଜବାଦୀ ରାଷ୍ଟ୍ରରେ ନିହିତବୋଲି ବିଶ୍ୱାସ କରନ୍ତି; ଏପରି ଅନେକେ ଅଛନ୍ତି ଯେଉଁମାନେ ଅର୍ଥନୈତିକ ଗଣତନ୍ତ୍ରର ସର୍ବୋତ୍ତମ ରୂପ (form) ସାମ୍ୟବାଦୀ ଧାରଣାରେ ନିହିତବୋଲି ବିଶ୍ୱାସ କରନ୍ତି ।” ସେତେବେଳେ ବୋଧହୁଏ ଚନ୍ଦ୍ରଚୂଡ଼ଙ୍କର ଧାରଣା ହୋଇଛି ଯେ ଆମ୍ବେଦକର ନିର୍ଦ୍ଦେଶିକା ନୀତିରେ ଅନ୍ତର୍ନିହିତ ସମାଜବାଦୀ ଧାରଣାକୁ ଖାରିଜ କରୁଛନ୍ତି । କିନ୍ତୁ ଏପରି ନୁହେଁ । ଆମ୍ବେଦକର କେବଳ ଇଙ୍ଗିତ କରୁଛନ୍ତି ଅର୍ଥନୈତିକ ଗଣତନ୍ତ୍ର ହାସଲ ଦିଗରେ ଜନସାଧାରଣଙ୍କ ମଧ୍ୟରେ ଥିବା ଭିନ୍ନ ଭିନ୍ନ ଧାରଣା ପ୍ରତି । ଏହା ସତ୍ତ୍ୱେ ଆମ୍ବେଦକର ଧାରା ୩୯(ବି) ଓ ୩୯(ସି) ସମ୍ପର୍କରେ ଯେଉଁ ମତ ପୋଷଣ କରିଛନ୍ତି ସେଥିରୁ ଜଣାଯାଏ ଯେ ସେ ସମାଜବାଦୀ ଅର୍ଥନୀତିରେ ହିଁ ସାମ୍ବିଧାନିକ ଲକ୍ଷ୍ୟର ପୂରଣ ଓ ରାଷ୍ଟ୍ରୀୟ କର୍ତ୍ତବ୍ୟର ସଠିକ ପାଳନ ସମ୍ଭବ । ଆମ୍ବେଦକରଙ୍କର ଉଲ୍ଲିଖିତ ମନ୍ତବ୍ୟଗୁଡ଼ିକର ପୃଷ୍ଠଭୂମିରେ କହିବା କଣ ଅଯୌକ୍ତିକ ହେବ ଯେ କ୍ରିଷ୍ଣା ଆୟାରଙ୍କ ଆଭିମୁଖ୍ୟରେ ନୁହଁ ବରଂ ଚନ୍ଦ୍ରଚୂଡ଼ଙ୍କର ଆଭିମୁଖ୍ୟରେ ଏକ ସୈଦ୍ଧାନ୍ତିକ ତୃଟି ରହିଛି? ନବେ ଦଶକରୁ ଅନୁସୃତ ଯେଉଁ ଅର୍ଥନୀତିର ପ୍ରଚଳନକୁ ଚନ୍ଦ୍ରଚୂଡ଼ ସ୍ୱୀକୃତି ଦେଇ କ୍ରିଷ୍ଣା ଆୟାରଙ୍କ ଆଭିମୁଖ୍ୟରେ ସୈଦ୍ଧାନ୍ତିକ ତୃଟିକୁ ରେଖାଙ୍କିତ କରିଛନ୍ତି ସେ ଅର୍ଥନୀତିର ପରିବେଶରେ ସମ୍ପତ୍ତିର ବୃଦ୍ଧି ପାଉଥିବା ଠୁଳିକରଣକୁ ବୋଧହୁଏ ଚନ୍ଦ୍ରଚୂଡ଼ ଅଣଦେଖା କରିଦେଇଛନ୍ତି, ଯାହା ନ ହେବାକୁ ଦେବା ରାଷ୍ଟ୍ରର କର୍ତ୍ତବ୍ୟ ବୋଲି ଧାରା ୩୯(ସି) ସୂଚିତ କରେ । ଠୁଳିକରଣ କିପରି ହୋଇଛି ତାହାର ଏକ ଚିତ୍ର ନିମ୍ନରେ ପରିବେଷଣ କରିବା ପ୍ରାସଙ୍ଗିକ ହେବ ।

ସବା ଉପରେ ଥିବା ଧନୀ ୧ ପ୍ରତିଶତ ରାଷ୍ଟ୍ରର ସମୁଦାୟ ସମ୍ପତ୍ତିର ୪୦ପ୍ରତିଶତର ମାଲିକ ହୋଇଥିବାବେଳେ ସବାତଳେ ଥିବା ୫୦ ପ୍ରତିଶତଙ୍କ ହାତରେ କେବଳ ୩ ପ୍ରତିଶତ ରାଷ୍ଟ୍ରୀୟ ସମ୍ପତ୍ତିର ମାଲିକାନା । ସମୁଦାୟ ଜାତୀୟ ଆୟର ଶତକଡ଼ା ୫୭ଭାଗ ଜନସଂଖ୍ୟାର ଉପରେ ଥିବା ଶତକଡ଼ା ୧୦ଭାଗ ଭୋଗ କରୁଥିବାବେଳେ ଜନସଂଖ୍ୟାର ଉପରେ ଥିବା ଶତକଡ଼ା ୧ଭାଗ ସମୁଦାୟ ଜାତୀୟ ଆୟର ଶତକଡ଼ା ୨୨ଭାଗ ଭୋଗ କରୁଛନ୍ତି । ଜନସଂଖ୍ୟାର ତଳେ ଥିବା ୫୦ପ୍ରତିଶତଙ୍କ ଭାଗରେ ଏହି ଆୟର ଅଂଶ ମାତ୍ର ୧୩ ପ୍ରତିଶତ । ଭାରତରେ ବିଲୟନାୟାରଙ୍କ ସଂଖ୍ୟା ଗତ ଦଶବର୍ଷରେ ୧୨୩ ପ୍ରତିଶତ ବୃଦ୍ଧି ପାଇଛି । ସେମାନଙ୍କର ସମ୍ପତ୍ତି ଏହି ଦଶବର୍ଷରେ ୨୬୩ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୪ ସୁଦ୍ଧା ଭାରତରେ ଏମାନଙ୍କର ସଂଖ୍ୟା ୧୮୫ ହୋଇଛି ଓ ଏହି ସଂଖ୍ୟାରେ ଭାରତ ବିଶ୍ୱରେ ତୃତୀୟ, ପ୍ରଥମ ଯୁକ୍ତରାଷ୍ଟ୍ର ଆମେରିକା ଓ ଦ୍ୱିତୀୟ ଚୀନ । ଭାରତରେ ବିଲିୟନାୟାରଙ୍କ ସଂଖ୍ୟାରେ ବୃଦ୍ଧି ପାରିବାରିକ ବ୍ୟବସାୟରେ ବୃଦ୍ଧି ଓ ବହୁ କମ୍ପାନୀଙ୍କୁ ଏକାଠି କରି ହେଉଥିବା ବ୍ୟବସାୟରେ (conglomerates) ବୃଦ୍ଧି । ଏହି ଅର୍ଥନୈତିକ ପରିବେଶରେ ଆୟରେ ବୈଷମ୍ୟ ଏପରି ବୃଦ୍ଧି ପାଇଛି ଯେ World Inequality Report ୨୦୨୨, ଅନୁସାରେ ଭାରତ ବିଶ୍ୱର ସବୁଠାରୁ ଅସମାନ ରାଷ୍ଟ୍ରର ତାଲିକାରେ ସ୍ଥାନିତ ହୋଇଛି । ୧୫ ଜାନୁଆରୀ ୨୦୨୩ରେ Oxfam ଦ୍ୱାରା ପ୍ରକାଶିତ reporter ଶିରୋନାମା ହୋଇଛି “Survival of the Richest: The India Story” (“ଧନୀ ହିଁ ରହିବେ: ଭାରତ କାହାଣୀ”)

ଏହି ସୂଚନାଗୁଡିକ କଣ ଦର୍ଶାଉଛି? ଧାରା ୩୯(ବି) ଓ ୩୯(ସି)ରେ ଯେଉଁ ନିର୍ଦ୍ଦେଶ ରହିଛି ତାହା ଉପେକ୍ଷିତ ହୋଇଛି । ଏହା ଯେ ପ୍ରଚଳିତ ଅର୍ଥନୀତିର ପରିଣତି ଅଥଚ ଏହି ଅର୍ଥନୀତିକୁ ପ୍ରଶଂସା କରନ୍ତି ମାନ୍ୟବର ଚନ୍ଦ୍ରଚୂଡ଼ ଏହା କହି ଯେ ଭାରତ ଆଜି ବିଶ୍ୱରେ ତ୍ୱରିତ ଗତିରେ ଆଗୋଉଥିବା ଅନ୍ୟତମ ଅର୍ଥନୀତି । ଏହି ତ୍ୱରିତ ଗତିରେ ଆଗୋଉଥିବା ଅର୍ଥନୀତିରେ ଭାରତର ସଂଖ୍ୟାଗରିଷ୍ଠ ଜନଗଣ ବେଶ ପଛରେ ପଡିଛନ୍ତି, କେବଳ ‘ଧନୀ ହିଁ ରହିବେ’ ବୋଲି ପ୍ରତିଶୃତି ପାଉଛନ୍ତି । ଏପରି ଅର୍ଥନୀତିରେ ଆମ୍ବେଦକରଙ୍କର ଲକ୍ଷ୍ୟ ‘ଅର୍ଥନୈତିକ ଗଣତନ୍ତ୍ର’ ସ୍ଥାପନାର ପ୍ରତିଶୃତି କେତେଦୂର ରହିଛି?

ବ୍ୟବହୃତ ଉପାଦାନ ସୂଚୀ:

  1. The Court and the Constitution of India: Summits and Shallows, O Chinnappa Reddy, Oxford University Press, 2008, 25th impression 2023

2 STATE OF KARNATAKA AND ANR ETC. v. SHRI RANGANATHA REDDY & ANR. ETC. October. 11. 1977, https://www.scobserver.in/wp-content/uploads/2024/03/Suprme-Court-Judgement_-Ranganatha-Reddy-v-State-of-Karnataka.pdf

3.IN THE SUPREME COURT OF INDIA,CIVIL APPELLATE/ORIGINAL JURISDICTION,Civil Appeal No. 1012 of 2002 ,Property Owners Association & Ors. … Appellants Versus State of Maharashtra & Ors. …Respondents.

Comments

0 comments

Share This Article