ଏ ପକ୍ଷର ଖବର

ସୁରେନ୍ଦ୍ର ପାତ୍ର
110 Views
17 Min Read

ବିଚରା ଭାଗଚାଷୀ ପାଇଁ ସବୁ ଗଣିତ ଭୁଲ୍?

ପାଠକେ ! ରାଜ୍ୟ ସାରା ଏବେ ଚିତ୍କାର ଚାଲିଛି ଯେ ଗୋଟିଏ କୁଇଂଟାଲ ଧାନ କିଣିବାକୁ ରାଜ୍ୟ ସରକାର ଚାଷୀଙ୍କୁ ୩୧୦୦ ଟଙ୍କା ଦେଉଛନ୍ତି । ହେଲେ କଥାଟା ସତ କି? ଆମ ହିସାବରେ ନୁହେଁ ।
ମିଛୁଆ ଲୋକମାନେ ଯେତେ ଚିକ୍ରାର କରନ୍ତୁ ବାସ୍ତବ କଥା ହେଉଛି ୩୧୦୦ ଟଙ୍କାଟା ହେଉଛି ଏମ୍ଏସ୍ପି ପ୍ଲସ(MSP +) ଅର୍ଥାତ୍ ଏମ୍ଏସ୍ପି ୨୩୦୦ ଓ ଇନପୁଟ ସବସିଡି ୮୦୦ । ମିଶିକି ହେଉଛି ୩୧୦୦ ଟଙ୍କା । ଏହି ୩୧୦୦ ଟଙ୍କାଟା ଯେଉଁ ଦୁଇଭାଗ ହେଉଛି ସେଥିରୁ ଇନପୁଟ ସବସିଡି ୮୦୦ ପ୍ରକୃତରେ ଜମି ମାଲିକ ଖାତାକୁ ଯାଉଛି । ଯାହାର ମାଲିକାନା କାଗଜ ଅଛି । ସେଥିରେ ମୋଟେ ଚାଷୀ ନାହାନ୍ତି ବୋଲି ଆମେ କହିବାନି କିନ୍ତୁ ପ୍ରକୃତ ଚାଷୀ ବା ଭାଗଚାଷୀଟିଏ ପାଇଁ ଧାନର ଗଣିତ ସବୁବେଳେ ଯାହା ଥିଲା ଆଜି ବି ସେଇଆ ହୋଇ ରହିଛି । ଟଙ୍କା ୨୦୦୦ ।
ପାଠକେ! ପ୍ରକୃତ କଥାହେଲା ଧାନ ବିକା କିଣାର ଗୋଟା ଗଣିତ ଅଛି । ଠକେଇ ଗଣିତ । ସମସ୍ତେ ଜାଣିଛନ୍ତି ଯେ ଧାନ ଉତ୍ପାଦନ ହୁଏ ଜମିରୁ ଆଉ ଜମି ଚାଷ କରେ ଚାଷୀ ହେଲେ ସିଏ ଯେଉଁ ଜମି ଚାଷ କରି ଧାନ ବାହାର କରେ ଅଧିକାଂଶ କ୍ଷେତ୍ରରେ ସେ ଜମିଟା ତାର ନୁହେଁ । ସିଏ ଭାଗଚାଷୀ । ଯାହା ପାଖରେ ଜମିର କାଗଜ ଅଛି ସିଏ ଜମି ଦେଖି ନଥିବ କିନ୍ତୁ ତା ପାଖରେ କାଗଜ ଥିବାରୁ ଜମି ତା’ର । ସରକାରୀ ପଇସା ଯାହା ଆସିବ ସେସବୁ ହେଉଛି ଜମି ମାଲିକର । ମାଲିକ ଯଦି ଦୟାକରି ଚାଷୀକୁ କିଛି ଦେବ ଅଲଗା କଥା । ନହେଲେ ନାହିଁ ।
ଏବେ ସେଇ ମାଲିକମାନେ ପୁରା ଖୁସ୍ । କାରଣ ଇନପୁଟ ସବସିଡି ନାଁଆରେ ଦିଆଯାଉଥିବା ୮୦୦ ଟଙ୍କାଟା ସିଧା ତାଙ୍କ ବ୍ୟାଙ୍କ ଖାତାକୁ ଚାଲିଯାଉଛି । ସରକାରୀ ହିସାବ ମୁତାବକ ୨୦୦୦-୨୦୦୧ରେ ରାଜ୍ୟରେ ୭.୮୫ ଲକ୍ଷ ଭାଗଚାଷୀ ଥିଲେ ୨୦୧୦-୧୧ ବେଳକୁ ସିଏ କମି ୫.୪୮ ଲକ୍ଷ ହୋଇଗଲା । ଅଥଚ ରାଜ୍ୟରେ ୪୭ଲକ୍ଷ ଚାଷୀ ହେଉଛନ୍ତି ଜମିର ମାଲିକାନା ଥିବା ଚାଷୀ ବୋଲି କୁହାଯାଉଛି ।
ଏକଥା ଆମେ ଏଠି କାହିଁଁକି ଗପୁଛୁ? କାରଣଟା ହେଲା ବିଜେପି ଚାଷୀମାନେ ମିଛରେ କହି ଚାଲିଛନ୍ତି ଯେ ଧାନର ସହାୟକ ମୂଲ୍ୟ ବା ଏମ୍ଏସ୍ପି ରାଜ୍ୟ ସରକାର କାଳେ କୁଇଁଟାଲ ପିଛା ୩୧୦୦ ଟଙ୍କା କରିଦେଲେ । କର୍ପୋରେଟ ଜଣମାଧ୍ୟମମାନଙ୍କରେ ଲୋକଙ୍କ ପଇସା ଖର୍ଚ୍ଚ କରାଯାଇ ବଡ଼ ବଡ଼ ବିଜ୍ଞାପନ ବାହାରୁଛି ଯେ ‘କଥା ଦେଇ କଥା ରଖିଲେ ମୋହନ ସରକାର ।’ ହେଲେ ସତଟା ହେଉଛି ରାଜ୍ୟରେ ଧାନର ଏମ୍ଏସ୍ପି ବା ସରକାରୀ କିଣା ଦର ହେଉଛି ୨୩୦୦ ଟଙ୍କା । କାରଣ ଏମ୍ଏସ୍ପି କେନ୍ଦ୍ର ସରକାର ସ୍ଥିର କରେ । କରିଛି । ରାଜ୍ୟ ସେଠି କିଏ? ବର୍ଷକ ତଳେ ଓଡ଼ିଶାରେ ସରକାରକୁ ଆସିବା ପାଇଁ ବିକଳ ହେଉଥିବା ବିଜେପିର ଗୋଟିଏ ଗୋଷ୍ଠୀ ଯାହା ପାରିଲେ ଘୋଷଣା କରି ପକାଇଲେ । ଯେମିତି ସରକାରକୁ ଆସିଲେ ସବୁ ମହିଳାଙ୍କୁ ୫୦୦୦୦ ଟଙ୍କାର ଭାଉଚର ମିଳିବ, ୩୦୦ ୟୁନିଟ୍ ବିଜୁଳି ଛାଡ ହୋଇଯିବ, ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ହୋଇଯିବ ଆହୁରି କେତେ କଣ । କିନ୍ତୁ ଯେତେବେଳେ ଦେଶରେ ଏମ୍ଏସ୍ପି ବଢିଲା ତାହା ୨୩୦୦ ଟଙ୍କା ହେଲା । ରାଜ୍ୟ ସରକାର ୩୧୦୦ କେମିତି କରିଥାନ୍ତେ? ଏବେ ଅକଳରେ ପଡ଼ି ଇନପୁଟ ରାଶି କହି ୮୦୦ ଟଙ୍କା ଦେଉଛନ୍ତି । ତେଣୁ ୩୧୦୦ ଟଙ୍କାଟା ଏମ୍ଏସ୍ପି ପ୍ଲସ ବୋଲି କୁହାଯାଉଛି । ଏବେ ଅଧିକାଂଶ ଭାଗଚାଷୀଙ୍କର କହିବା କଥା ଯେ ଏହି ୮୦୦ ଟଙ୍କାଟା ନିଶ୍ଚିତ ମିଳୁଛି କାରଣ ସେଇଟା ବଡ଼ଲୋକିଆ କାଗଜବାଲା ଚାଷୀଙ୍କ ଖାତାକୁ ଯାଉଛି । ଯାହା ହାତରେ ମାଲିକାନା କାଗଜ ନାହିଁ ସିଏ ୨୩୦୦ରେ ରହିଲା । ସେଥିରୁ ମଧ୍ୟ ମାଲିକ ଭାଗ ନେବ । ଭାଗଚାଷୀମାନେ କହୁଛନ୍ତି ଯେ ମାଲିକ ତାଙ୍କୁ ମିଛରେ କହୁଛି ଯେ ସରକାର କୁଇଁଟାଲକେ ୮୦୦ ଇନପୁଟ ସବସିଡି ଦେବା କଥା ମିଛ । ସରକାର ଗୋଟିଏ ଫସଲକୁ ଥରୁଟିଏ ୮୦୦ ଟଙ୍କାର ସହାୟତା ରାଶି ଦେଉଛନ୍ତି । ନିଜର ତ ଜମି ନାହିଁ ଭାଗରେ ଆଣି ଚାଷ କରୁଥିବା ଚାଷୀଟି ବିଚରା କହିବ କ’ଣ? ଚୁପ୍ ରହୁଛି ।
ବାକି ଯେଉଁ ୨୩୦୦ ଟଙ୍କା ପ୍ରକୃତ ଏମ୍ଏସ୍ପି ସେଥିରେ ମଧ୍ୟ ବହୁ ସରକାରୀ ଗଫଲତି । ଠକେଇର ମୂଳ ସୂତ୍ର ହେଉଛି ଧାନର ଗୁଣବତ୍ତା ବା ଏଫଏକ୍ୟୁ ମାନ ନିର୍ଦ୍ଧାରଣ । ଏଫଏକ୍ୟୁର ୫ ପରିମାପକ ବା ପାରାମିଟର ଅଛି । ସେତକ ପୂରଣ ନହେଲେ ନିଜେ ମନ୍ତ୍ରୀ କହୁଛନ୍ତି ୫ କିଲୋ ଧାନ ସରକାର କାଟୁଛନ୍ତି । ମାନେ କଟନୀ । ଅର୍ଥାତ୍ ଯଦି କେହି ବିରୋଧ ନକଲା ତେବେ ଏମଏସପିରୁ ୧୫୦ ଟଙ୍କା କଟିଲା । ସରକାରୀ ବିଶେଷଜ୍ଞମାନେ କହୁଛନ୍ତି ଧାନରେ ଯଦି ୧୭% ଆର୍ଦ୍ରତା ନାହିଁ ସିଏ ଗୁଣାତ୍ମକ ଧାନ ନୁହେଁ । ପଇସା କଟିବ ଏବଂ କଟୁଛି । ଧାନରେ ଅଗାଡି ଏତିକି ରହିବା କଥା, ଯଦି ବେଶି ଅଛି ପଇସା କଟିବ, କଟୁଛି । ସେସବୁ କଟାକଟି ସରିଲା ବେଳକୁ ବିଚରା ଚାଷୀ ଭାଗ୍ୟରେ ସେଇ ୨୦୦୦ ।
ଧାନର ଗୁଣ ମାପିବା ପାଇଁ ଗୋଟିଏ ଧାନ ବିଶ୍ଳେଷକ ମେସିନ୍ ଅଛି ଗ୍ରେନ ଆନାଲାଇଜର୍ । ନୂଆ ସରକାର କହିଥିଲେ ସବୁ ଧାନ ବିକ୍ରୟକେନ୍ଦ୍ରରେ ସେଇଟା ଲଗାଯିବ । ଯା ଫଳରେ ଆଉ କେହି ଏଫଏକ୍ୟୁ ନାଁ’ରେ ଚାଷୀଙ୍କୁ ଠକି ପାରିବେନି । ହେଲେ ସରକାରଙ୍କ ପକ୍ଷରୁ ସେ ଯନ୍ତ୍ର କିଣା ଯାଉନାହିଁ । କୁହାଯାଉଛି ଯେ ୫୦୦୦ ମେଟ୍ରିକ ଟନ ଧାନ ଯେଉଁଠି କିଣା ଯାଉନାହିଁ ସେଠାରେ ମେସିନ ଲଗାଯିବ ନାହିଁ । ଜଗତସିଂହପୁର ଭଳି ଜିଲ୍ଲାରେ ମାତ୍ର ଦୁଇଟି ମେସିନ ଅଛି । ବିଚରା ଚାଷୀଙ୍କ କହିବା କଥା ଏହା ପଛରେ ସେହି ମିଲର, ସରକାରୀ କର୍ମଚାରୀ ଓ ଦଲାଲଙ୍କ ଠକେଇ ଗଣିତ କାମ କରୁଛି । ଆଉ କିଛି ନୁହେଁ ।

ହରି ନାମେ କି ରସ ଅଛି….?

ଆମର ଆଜ୍ଞା ମୁଣ୍ଡ ବୁଲାଇ ଦେଉଛି । ଆଉ ବୁଲେଇବନି କିହେ! କ’ଣ ହେଲାଣି ଦେଖୁଛନା? ରାଜ୍ୟର ଅଧିକାଂଶ ଆଇଏଏସ, ଆଇପିଏସ ଏବେ ଚାହୁଁଛନ୍ତି ତାଙ୍କ ପୁରୁଣା ପଦକୁ ଛାଡ଼ି ମୁଖ୍ୟ ସୂଚନା କମିଶନର ହୋଇଯିବେ କି କଥା????
ଏବେ ଜଣେ ବାବୁ ଆମକୁ ଏକ ସରକାରୀ କାଗଜ ପଠାଇଲେ । କାଗଜଟି ଏବେର ଏକ ସରକାରୀ ଚିଠି, ହେଲେ କଥାଟା ପୁରୁଣା । ଏ ଚିଠିଟା ହେଉଛି ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତଙ୍କ ନିଯୁକ୍ତି ସମ୍ବନ୍ଧୀୟ ଚିଠି । ଏ ସମ୍ବନ୍ଧୀୟ ଏକ ବିଜ୍ଞାପନ ଗତ ୦୩.୧୦.୨୦୨୪ ତାରିଖରେ ପ୍ରକାଶ ପାଇଥିଲା ଯାହାର ନମ୍ବର ଥିଲା ୧୨୬୩୨ । ସେ ବିଜ୍ଞାପନରେ କୁହାଯାଇଥିଲା ଯେ ଯେଉଁମାନେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ହେବାକୁ ଇଚ୍ଛୁକ ସେମାନେ ୦୨.୧୧.୨୦୨୪ ସୁଦ୍ଧା ଆବେଦନ କରନ୍ତୁ । ସେହି ଅନୁସାରେ ୪୩ଜଣ ବ୍ୟକ୍ତି ଏହି ପଦ ପାଇଁ ଆବେଦନ କରଥିଲେ ପରେ ସମୟ ଗଲାପରେ ଆଉ ୪ଜଣ କରିଛନ୍ତି । ହେଲେ ସେ ଚିଠି ଦେଖି ଆମେ ତାଜୁବ୍ । କାରଣ ଚିଠିଟିରେ ଯେଉଁ ଅଶାୟୀମାନେ ଅଛନ୍ତି ସେଥିରେ ବରିଷ୍ଠ ଆଇଏଏସ,(ସେବାନିବୃତ୍ତ ମୁଖ୍ୟ ସଚିବ), ଆଇପିଏସ,(ଉଭୟ ଇଣ୍ଡିଆନ୍ ପୋଲିସ ସର୍ଭିସ ଓ ଇଣ୍ଡିଆନ୍ ପୋଷ୍ଟାଲ ସର୍ଭିସ), ଆଇଆରଟିଏସ, ଆଇଏଫ୍ଏସ୍ (ଉଭୟ ଫରେଷ୍ଟ ଓ ଫରେନ ସର୍ଭିସ୍), ଆଇଆର୍ଏସ୍, ଓଏଏସ୍, ଓଏସଜେଏସ୍ ଆଦି ଯୋଗ୍ୟତାଧାରୀ ବ୍ୟକ୍ତିବିଶେଷ ଅଛନ୍ତି । ସେଥିରୁ କେତେକ ସେବାନିବୃତ୍ତ ହୋଇ ଗଲେଣି ତ ଆଉ କେତେକ ସେବାରେ ଅଛନ୍ତି । ସବୁଠୁ ମଜା କଥାଟି ହେଲା ୨ଜଣ ଓଜେଏସଙ୍କୁ ମିଶାଇ ଚାରିଜଣ ବ୍ୟକ୍ତି ଆବେଦନ କରିବା ତାରିଖ ୦୨.୧୧୦୨୦୨୪ ପରେ ମଧ୍ୟ ଆବେଦନ କରିଛନ୍ତି । ଜଣେ କହିଲେ ସିଏ ଭୁଲି ଯାଇଥିଲେ । ମନେ ପଡ଼ିବାରୁ ଆବେଦନ କରିଦେଲେ ଆଉ କ’ଣ?
ଆମେ ବୁଝିପାଇଲୁ ନାହିଁ ଯେ ଆଇଏଏସ, ଆଇପିଏସ, ଆଇଏଫ୍ଏସ, ଆଇଆର୍ଏସ, ଓଏଏସ, ଓଜେଏସ୍ ପଦରେ ଥାଇ ମଧ୍ୟ ଏତେ ଲୋକ ହଠାତ୍ ମୁଖ୍ୟ ସୂଚନା କମିଶନର ହୋଇଯିବାକୁ କାହିଁକି ମନ ବଳାଇଲେ? ପଚାରୁ ପଚାରୁ ଜଣେ ବାବୁ କହିଲେ -ଆରେ ବୁଝୁନ କି? ଗତ ସରକାରରେ ବାବୁମାନଙ୍କର ଯେଉଁ ରୋବାବ୍ ଥିଲା ସେଇଟା କ’ଣ ଏ ସରକାରରେ ଅଛି । ସେତେବେଳେ ଅଫିସର ଯାହା କହୁଥିଲେ ସେଇଆ ହେଉଥିଲା । ମନ୍ତ୍ରୀ ଖାଲି ଗହଣା ନାଁଆରେ ନିମକାଠି ସାଜୁଥିଲେ । ଏବେ ତ ଛୁଆ ଛୁଆ ମନ୍ତ୍ରୀମାନେ ଅଫିସରଙ୍କୁ ନାଲି ଆଖି ଦେଖୋଉଛନ୍ତି । କହୁଛନ୍ତି ତୁରନ୍ତ ଫାଇଲ କରିକି ଆଣ । ଆଉ ସେ ଯମୁନା ନାହିଁ କି ଆଉ ସେ ବଇଁଶୀ ବାଜୁନି । ତେଣୁ ତାଠୁ ଭଲ ମୁଖ୍ୟ ନିର୍ବାଚନ ଆୟୁକ୍ତଟା ହୋଇଗଲେ ଶାନ୍ତିରେ ଟିକେ ବସିବେ । ହେଲେ ଆମେ ଯାହା ଶୁଣିଲୁ ଏବେର ସରକାର ୟାଙ୍କ ଭିତରୁ କାହାକୁ ଏ ପଦ ଦେବାକୁ ରାଜି ନୁହନ୍ତି । ସେମାନେ କହୁଛନ୍ତି ଯଦି ଦେବା, ଜଣେ ଜଜ୍କୁ ଦେବା । ଏମାନଙ୍କ ଭିତରୁ ଜଣକୁ ଦେଲେ ଆଉଗୁଡାଏ ବିରୋଧୀ ହୋଇଯିବେ । ତା ନହେଲେ ଦେଖୁନାହାନ୍ତି ଜଣେ ବରିଷ୍ଠ ଅଫିସର ଯିଏ ଆଜି କି କାଲି ସେବାନିବୃତ୍ତ ହେବେ ତାଙ୍କ ନାଁଟା ଏଇ ପଦ ପାଇଁ କେଉଁ ସ୍ତରରୁ ଶୁଣା ହେଲା କେଜାଣି ଶୁଣା ହେବା କ୍ଷଣି ତାଙ୍କ ବିରୁଦ୍ଧରେ ଏତେ କଥା ସବୁ ବାହାରି ପଡ଼ିଲା ଯେ ସିଏ ନିଜେ ବି ଏତେ ସବୁ ଦୁର୍ନୀତି କରିଥିବା କଥା ମନେ ପକାଇ ପାରିଲେନି ।
ପାଠକେ! ୟା ବାହାରେ ଗୋଟାଏ କଥା ଅଛି । ଏ ପଦ ପାଇଁ ପ୍ରକୃତ ଲୋକ ଖୋଜିବାକୁ ଏ ସରକାର ଗୋଟିଏ ଖୋଜାଖୋଜି(ସର୍ଚ୍ଚ) କମିଟି ଆଉ ଗୋଟିଏ ଚୟନ (ସିଲେକ୍ସନ) କମିଟି କରିଛନ୍ତି । ଆମେ ଯାହା ଶୁଣିଲୁ ଖୋଜାଖୋଜି କମିଟିର ଖୋଜାଖୋଜି କାମ ଆହୁରି ସରିନି । ତାଙ୍କ କାମ ସରିଲେ ଚୟନ କମିଟି ଦେଖିବେ କ’ଣ କରିହେବ । ଏ ଚୟନ କମିଟିର ଅଖଣ୍ଡ କ୍ଷମତା । ଯୋଗ୍ୟବ୍ୟକ୍ତି ନାଁ’ରେ ସିଏ କାହାକୁ ବି ନିଯୁକ୍ତ କରିପାରିବେ । ଏପରିକି ଯେଉଁମାନେ ଆବେଦନ କରିବାର ତାରିଖ ବାହାରେ ଆବେଦନ କରିଛନ୍ତି ତାଙ୍କ ଭିତରୁ ବି କିଏ ଜଣେ ବଛା ହୋଇଯାଇ ପାରନ୍ତି । ସଠିକ ଲୋକଟିଏ ପାଇବା ପାଇଁ ବିଜେପିର ଜଣେ ମନ୍ତ୍ରୀଙ୍କୁ କମିଟିରେ ରଖାଗଲାଣି । ହେଲେ ବିଜେପିରେ ତ ସେମିତିକା ଲୋକଙ୍କର ଘୋର ଅଭାବ । ଦେଖାଯାଉ ।

କେନ୍ଦ୍ର ସରକାରଙ୍କ ମୁଣ୍ଡ….

ଭାରତୀୟ ସମ୍ବିଧାନ କହିଲା ଭାରତ ସଂଘୀୟ ବ୍ୟବସ୍ଥାରେ ଚାଲିବ । ହେଲେ କର୍ପୋରେଟ ପ୍ରାୟୋଜିତ ଭାଇମାନେ ସେକଥାରେ ବିଶ୍ୱାସ କରୁନାହାନ୍ତି । ସେମାନେ କହୁଛନ୍ତି ସେଇଟା ଆମ ପାଇଁ ଅଡ଼ୁଆ । ତାଙ୍କ କଥାଟି ହେଲା -ମିଶୁ ଲୋକପାଣ୍ଠି ଆମରି ପାଣ୍ଠିରେ । ତମ କଥା ତମେ ବୁଝୁଥା ଗଣ୍ଠିରେ । କରପୋରେଟ ସରକାର ଶାସନକୁ ଆସିବା କ୍ଷଣି କ’ଣ କଲା? ଦେଶବାସୀଙ୍କୁ କହିଲା ବିନା ପଇସାରେ ବ୍ୟାଙ୍କରେ ଖାତା ଖୋଲ । ଲୋକେ କେଉଁ ବାଉଁଶ ନଳୀରେ, ଅନ୍ଦିକନ୍ଦିରେ ଲୁଚାଇ ଦି ପଇସା ସଞ୍ଚୟ କରିଥିଲେ । ସେ ପଇସା ସେମାନଙ୍କ ହାତରୁ ଯାଇ ବ୍ୟାଙ୍କରେ ଜମା ହୋଇଗଲା । ବାସ୍! ମୋଦୀ, ମାଲିଆ, ଗାଲୁଆ, ଚୌକସୀ ଯିଏ ପାରିଲା ସିଏ ସେ ପଇସାକୁ ନେଇ ବିଦେଶ ପଳାଇଲା । ଯଦି ବ୍ୟାଙ୍କରେ ଖାତା ଖୋଲି ଲୋକେ ତାଙ୍କ ଅଳ୍ପ କିଛି ଧନକୁ ବ୍ୟାଙ୍କରେ ଠୁଳ କରି ନଥାନ୍ତେ, ତେବେ ବ୍ୟାଙ୍କରେ ଏତେ ପଇସା ଏକାଠି ହୋଇଥାଆନ୍ତା ନା ମୋଦୀ, ମାଲିଆ ନେଇ ପାରିଥାଆନ୍ତେ? ତାଙ୍କ ପଇସାଗଣ୍ଡାକ ଲୋକଙ୍କୁ ସିନା କମ ଲାଗୁଥିଲା ଯେତେବେଳେ ଗୋଟିଏ ସ୍ଥାନରେ ଠୁଳ ହେଲା ପାହାଡ ହୋଇଗଲା । କର୍ପୋରେଟମାନଙ୍କ କାମରେ ଲାଗିଗଲା । ସେମାନେ କହିଲେ ଏବେ ଇଏ କାମରେ ଲାଗୁ ଲୋକଙ୍କର ପଇସା କ’ଣ ଦରକାର? ସିଏ କ’ଣ ବିକାଶ ନା ଉକ୍ରର୍ଷ କରଉଚନ୍ତି । ତାଙ୍କୁ ଯେବେ ଦରକାର ହେବ ଦିଆଯିବ । ଏବେର କେନ୍ଦ୍ର ସରକାର ସେମିତି କିଛି କଥା ଟିକସ ଆଦାୟ ଓ ବିତରଣକୁ ନେଇ କହିଲେଣି । ସରକାରଙ୍କ କହିବା କଥା ଯେ ଲୋକମାନେ କେନ୍ଦ୍ରକୁ କର ଦେଇ ଦେଇ ପଇସାଗୁଡ଼ା ଓଜାଡି ପକାନ୍ତୁ । ହେଲେ ସେଥିରୁ ଆଉ ରାଜ୍ୟବାସୀଙ୍କ କାମପାଇଁ ନବା କଥା କୁହନ୍ତୁ ନାହିଁ । ଭାଗ ମାଗନ୍ତୁ ନାହିଁ । ମାଗିବାଟା ଦୁର୍ଭାଗ୍ୟଜନକ ।
କେନ୍ଦ୍ରରେ ଜଣେ ମନ୍ତ୍ରୀ ଅଛନ୍ତି-ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ । ସିଏ କହୁଛନ୍ତି କେନ୍ଦ୍ରୀୟ ଟିକସ ପ୍ରତି ବିଭିନ୍ନ ରାଜ୍ୟର ଅବଦାନ ରହିଛି । କିନ୍ତୁ ଅଧିକ ଟିକସ ଦେଉଥିବା ରାଜ୍ୟମାନେ କେନ୍ଦ୍ରୀୟ ଟିକସରୁ ଭାଗ ମାଗିବାଟା ଦୁର୍ଭାଗ୍ୟଜନକ । ସେଇଟା ହେଉଛି ରାଜ୍ୟମାନଙ୍କର ସଂକୀର୍ଣ୍ଣ ଭାବନା ।
ଗୋଏଲବାବୁ ମୋଦୀଙ୍କ ବୟସ ଆଡ଼େ ଦୃଷ୍ଟି ନଦେଇ ତାଙ୍କୁ ମହାଭାରତର ଅର୍ଜୁନ ବୋଲି ବି କହୁଛନ୍ତି । ସେ କହୁଛନ୍ତି ଯେ ମୋଦୀ ଗତ ୧୧ବର୍ଷ ଧରି ଲାଗିପଡ଼ି ଭାରତର ବିକାଶ କରୁଛନ୍ତି । ଆଗକୁ ଯେହେତୁ ବିହାର ନିର୍ବାଚନ କଥାଟି ଅଛି ତେଣୁ ଗୋଏଲ ରାଜ୍ୟଗୁଡ଼ିକୁ ଦୁଇଭାଗରେ ବାଂଟିଛନ୍ତି । ଗୋଟିଏ ଭାଗରେ ଅଛନ୍ତି ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ପରି ରାଜ୍ୟ ଓ ଅନ୍ୟ ପାଖରେ ଅଛନ୍ତି ମୋଦୀଙ୍କ ନାଁ ଶୁଣିଲେ ବିଗୁଡ଼ୁଥିବା ଦକ୍ଷିଣ ଭାରତର କେତେକ ରାଜ୍ୟ । ତା ସହିତ ମହାରାଷ୍ଟ୍ର ।
ପାଠକେ! ଗୋୟଲବାବୁ ଦିନେ ମୋଦୀ ସରକାରରେ ଅର୍ଥମନ୍ତ୍ରୀ ଥିଲେ । ସିଏ ସେଠି ଅର୍ଥନୀତିକୁ ଏମିତି ବୁଝିଲେ ଯେ ତାଙ୍କୁ ତୁରନ୍ତ ସେଠୁ ବାହାର କରାଗଲା । ସିଏ କିନ୍ତୁ ଅର୍ଥନୀତିର ଏତିକି କଥାକୁ ବୁଝି ନାହାନ୍ତି ଯେ ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଟିକସରୁ ଅର୍ଥ ଦିଆଯାଏ । ସେଇଟା ଗୋଏଲବାବୁଙ୍କ ନିଜସ୍ୱ ଧଳା କି କଳା ଅର୍ଥରୁ ଜମା ଦିଆ ଯାଏନା । ତା ସତ୍ତ୍ୱେ ରାଜ୍ୟମାନେ ବାରମ୍ବାର ଅଭିଯୋଗ କରୁଛନ୍ତି ଯେ ସେମାନଙ୍କୁ କେନ୍ଦ୍ରୀୟ ଟିକସରୁ ଯେତିକି ଅର୍ଥ ମିଳିବା କଥା ମିଳୁନାହିଁ । କାରଣ ହେଉଛି କେନ୍ଦ୍ର ସରକାର ଲଗେଇ ଦେଉଥିବା ବିଭିନ୍ନ ସେସ ଓ ସରଚାର୍ଯ । କେନ୍ଦ୍ର ସରକାର ୨୦୧୭ରେ ସାରା ଦେଶରେ ଜିଏସଟି ଲାଗୁ କରିଦେଲେ । ଯା’ଫଳରେ ରାଜ୍ୟମାନଙ୍କର ପୂର୍ବରୁ ଯେଉଁ ଟିକସ ଆଦାୟ କ୍ଷମତା ଥିଲା ଯେମିତିକି ବିକ୍ରୀକର ସିଏ ପୁରା ଗଲା । ତେଣୁ ରାଜ୍ୟଗୁଡ଼ିକୁ ଆଉ ଟିକସ ପୂର୍ବପରି ମିଳୁନାହିଁ ଯାହାକି ସାରା ଭାରତପାଇଁ ଏକ ଦୁର୍ଭାଗ୍ୟଜନକ କଥା । କେନ୍ଦ୍ର ସରକାରଙ୍କ ଟ୍ରମ୍ପ-ବନ୍ଦନା ଯୋଜନାରୁ ସୃଷ୍ଟ କରୋନା ମହାମାରୀ ପରେ କେନ୍ଦ୍ର ସରକାର ସେସ୍ ଓ ସରଚାର୍ଜ ବସାଇବା ଯୋଜନାକୁ ଆହୁରି ବଢ଼ାଇଦେଲେ । କିନ୍ତୁ ସେହି ସେସରୁ ରାଜ୍ୟକୁ ଯେତିକି ଭାଗ ମିଳିବା କଥା ତାକୁ ଦେଲାବେଳକୁ କେନ୍ଦ୍ର ସରକାର କହୁଛନ୍ତି ଏପରି ଦାବୀ କରିବାଟା ଦୁର୍ଭାଗ୍ୟଜନକ । ତାହାହେଲେ ରାଜ୍ୟମାନେ କରିବେ କ’ଣ? ପାଠକେ ଜାଣିଥାଆନ୍ତୁ ଯେ କେନ୍ଦ୍ର ସରକାରକୁ ଯେଉଁ ୧୦୦ ଟଙ୍କାର ରାଜସ୍ୱ ମିଳୁଛି ତା ଉପରେ ୧୧ଟଙ୍କା ହେଉଛି ସେସ ଓ ସରଚାର୍ଜ । ବାକି ୮୯ ପଇସାରୁ କେନ୍ଦ୍ର ଓ ରାଜ୍ୟମାନଙ୍କୁ ଅର୍ଥ ଦିଆଯାଉଛି । ମୋଦୀ ସରକାର କହୁଛନ୍ତି ଯେ ଆମେ ଯେଉଁ ୧୦୦ ଟଙ୍କାର କର ବା ରାଜସ୍ୱ ଆଦାୟ କରୁଛୁ ସେଥିପାଇଁ ଆମେ ୧ ବା ୨ ଟଙ୍କା ଖର୍ଚ୍ଚ କରୁଛୁ ନା । ସମ୍ପ୍ରତି ଷୋଡ଼ଶ ଅର୍ଥ ଆୟୋଗ ବିଭିନ୍ନ ରାଜ୍ୟ ବୁଲି ଯେଉଁ ରିପୋର୍ଟ ସଂଗ୍ରହ କରୁଛି ସେଥିରୁ ଜଣାପଡ଼ୁଛି ଯେ ଆଗରୁ ସେସ, ସରଚାର୍ଯ, ଟିକସ ସଂଗ୍ରହ ଖର୍ଚ୍ଚ ସବୁ ମିଶି ୫ ରୁ ୭ଟଙ୍କା ଭିତରେ ରହୁଥିଲା । ଏବେ ଗୋଟିଏ ପଟେ କେନ୍ଦ୍ର ସରକାର ଜିଏସ୍ଟି, ସେସ, ସରଚାର୍ଯ ଆଦିରେ ରାଜ୍ୟମାନଙ୍କ ରାଜସ୍ୱକୁ କାଟି ନେଉଥିବାବେଳେ ଅନ୍ୟ ପଟେ ପଞ୍ଚଦଶ ବି ଆୟୋଗ ଯେଉଁ ସୁପାରିଶ କରିଥିଲେ ଯେ ସେସ ସରଚାର୍ଯ ଆଦିର ୪୧% ପାଣ୍ଠି ରାଜ୍ୟଗୁଡ଼ିକୁ ହସ୍ତାନ୍ତର ହେବା ଉଚିତ୍ ତାକୁ କେହି ଶୁଣିବାକୁ ରାଜି ନୁହନ୍ତି । କେନ୍ଦ୍ର ସରକାର କହୁଛନ୍ତି ସେଗୁରା ଆଉ ମାଗନା ।

ସନାତନୀ ଅର୍ଥନୀତି…

ପାଠକେ! ବେଳେବେଳେ ମଣିଷ ଏମିତି ବିଚିତ୍ର ସ୍ୱପ୍ନ ସବୁ ଦେଖେ । ମୁଁ କାଲି ସେମିତି ସ୍ୱପ୍ନଟିଏ ଦେଖିଲି । ଭାବୁଛି ଆପଣଙ୍କ ସହିତ ସେୟାର କରିବି । ମନଟା ହାଲକା ହୋଇଯିବ ।
ସ୍ୱପ୍ନଟା ଏଇମିତି ଥିଲା ଯେ ଗତକାଲି ଆମେ ଆମ ପୁରୁଣା ଭୁବନେଶ୍ୱରର ଗୋଟିଏ ପୁରୁଣା ପୋଖରୀ କୂଳରେ ବସିଥିବାବେଳେ ହଠାତ୍ ଗୋଟେ ଚକଚକିଆ ଚକୋଲେଟ ରଙ୍ଗର ଲମ୍ବାଗାଡ଼ିଟେ ଆସି ସେହି ପୋଖରୀକୂଳରେ ବ୍ରେକ ଦେଲା । ଗାଡ଼ିରୁ ଜଣେ ଅତି ଧୋବଧାଉଳିଆ ବାବୁ ବାହାରିଥିଲେ । ଦାମିକା ପୋଷାକ, ଜୋତା, ଘଂଟା, ଚଷମା ଏବଂ ତାଙ୍କ ଗାଡ଼ିକୁ ଦେଖି ଆମେ ଅନୁମାନ କରିଗଲୁ ଯେ ଲୋକଟା ନିହାତି ଗୋଟାଏ ଅଣଓଡ଼ିଆ ଖଣି ବେପାରୀ ହୋଇଥିବ । ଓଡ଼ିଶାଟାକୁ ଲୁଟି ଦେବାପାଇଁ ତାକୁ ଏକୁଟିଆ ଯେମିତି ସବୁ ସୁବିଧା ମିଳିଯାଉ ସେହି ମାନସିକ କରିବା ପାଇଁ ଲିଙ୍ଗରାଜଙ୍କ ପାଖକୁ ଆସିଥିବ । ଲୋକଟା ଆସି ଆମ ପାଖରେ ଠିଆ ହେଲା । କିଛି ସମୟ ପାଇଁ ପାଣିକୁ ଚାହିଁଲା । ତା ପରେ ଆମକୁ ପଚାରିଲା : ୟହ କୌନସା ତାଲାବ ହେ ? ଆମର ପୋଖରୀଟାର ନାଁ ମନେ ନଥିଲା । ପୁରୀରେ ଗୋଟା ପାପନାଶିନୀ ପୁଷ୍କରିଣୀ ଅଛି । କହିଦେଲି-ପାପନାଶିନୀ । ଲୋକଟା କହିଲା -କ୍ୟା! ୟହ ପାପନାଶିନୀ ହୈ । ନହିଁ । ଐସା ହୋ ନହିଁ ସକତା । ପାପନାଶିନୀ ତୋ ଗଂଗା ହୈ । ଜାନତେ ହୋ । କୁମ୍ଭ? କୁମ୍ଭ ମେଲା । ଆମେ କହିଥିଲୁ -ଶୁନା ହୈ । ଲୋକଟା ପଚାରିଲା- କଭି ଗୟା ନହିଁଁ? ଆମେ କହିଥିଲୁ ନେହିଁ । ସେ କହିଥିଲେ -ଜାନା ଚାହିୟେ ୟାର୍ । ଆମେ କହିଲୁ -କିସ ଲିଏ? ଲୋକଟି କହିଲା -ଆରେ ୱାହାଁ ପୈସା ହି ପୈସା ହୈ । ମିଲିୟନ, ବିଲିଅନ କରୋଡ କା ମାମଲା ହୈ । ମୁଁ କହିଥିଲି-ଲେକିନ ବହାଁ ଜାନେ ସେ ତୁମ୍ହେ କ୍ୟା ମିଲା? ଲୋକଟା ସିଧା ମୋ ପାଖରେ ବସି ପଡ଼ି ମୋ କାନ୍ଧରେ ହାତ ପକାଇ କହିଲା-ପୈସା ୟାର୍ । ପୈସା । ଏଥର ଲୋକଟା ଉପରେ ମୋର ସନେ୍ଦହ ହୋଇଥିଲା । ଏତେ ବଡ଼ ଗାଡିଟାରେ ଆସିଛି, ଏତେ ଦାମିକା ପୋଷାକ ପିନ୍ଧିଛି, ଏତେ ସୁନା ପିନ୍ଧିଛି ଅଥଚ ଏଠି କ’ଣ ଏତେ ଶୀଘ୍ର ମୋ ବନ୍ଧୁ ହୋଇ ମୋ କାନ୍ଧରେ ହାତ ପକାଇଲାଣି । କିଏ ଏଇଟା?
ଏଥର ମୁଁ ମୋ ବାଇକ ପାଖକୁ ଉଠି ଆସି ତାକୁ ପଚାରିଥିଲି- ଲେକିନ ତୁମ ହୋ କୌନ? ଲୋକଟା କହିଥିଲା – ମୈ? ଏକ ଭିଖାରୀ ହୁଁ । ମୋ ପାଟିରୁ ମନକୁ ମନ ବାହାରି ପଡ଼ିଥିଲା -ଆଁ! ଲୋକଟା ଉପରେ ମୋର ସନେ୍ଦହ ଆହୁରି ବଢ଼ି ଯାଇଥିଲା । ଏତେ ଦାମିକା ପୋଷାକ, ଘଂଟା ପିନ୍ଧି ଲୋକଟା ଏଡେ ବଡ଼ ଗାଡିରେ ଆସି କହୁଛି କ’ଣ ନା ସିଏ ଗୋଟା ଭିଖାରୀ! ମୁଁ ପଚାରିଲି -କହାଁ ପର ଭିଖ ମାଁଗତେ ହୋ? ଲୋକଟା କହିଲା -ଗଙ୍ଗା କେ କିନାରେ ଓøର କାହାଁ? ଅଭି କୁମ୍ଭମେଲା ଲଗା ନା? ମୁଁ କହିଲି – କୁମ୍ଭ ତୋ ଜାରୀ ହେ । ତୁମ ଭିଖ ନା ମାଂଗ କର ୟହାଁ କୁ୍ୟଁ ଆ ଗୟା? ଭିଖାରୀ କହିଲା -ଆରେ ଭାୟା! ବହୁତ ପୈସା ହୋ ଗୟା । ବୋର ହୋ ଗୟା । ସାରା ପୈସା ହାୱାଲା ମେ ଲଗା ଦିୟା ଔର ଆଉଟିଙ୍ଗ କେ ଲିୟେ ନିକଲ ପଡ଼ା । ଗୁଗୁଲ ତୋ ରାସ୍ତା ଦିଖା ରହା ହୈ । ବସ ଚଲ ଦିୟା । ୟହାଁ ସେ ପୁରୀ ଜାନା ହୈ । ଫିର ଦେଖତେ ହେଁ । ମୁଁ ପଚାରିଲି – କୁମ୍ଭ ମେଁ ଭିଖ ମାଗନେ ପର ପ୍ରତିବନ୍ଧ ଥା ନା? ଲୋକଟି କହିଲା- ଆରେ ବହ ତୋ ଏକ ସରକାରୀ ଦିଖାୱା ଥା । ଯୋଗୀ ଜାନତା ହୈ । କୁମ୍ଭ ମେଁ ସବକୀ କମାଇ ହୋତି ହ÷ । କରୋଡୋଂ କି କମାଇ । ଆମେ ପଚାରିଲୁ-ମେରେ ପାସ କ୍ୟା ଶୋଚକର ରୁକ ଗୟା? ଲୋକଟା କହିଲା -କୋଇ ନହିଁଁ । ଆପ ଅକେଲେ ବୈଠେ ଥେ । ଏକ ତାଲାବ କେ ପାସ ଫିର ବ୍ୟାକଗ୍ରାଉଣ୍ଡ ମେ ଏକ ବଢ଼ିଆ ମନ୍ଦିର ହେ । ଅଚ୍ଛା ଲଗା । ଭିଖାରୀ ସେ ତୋ କୋଇ ମିଲତା ନହିଁ ହେଁ । ସୋଚା ଆପସେ ମିଲକର ଇସ ଜଗହ କେ ବାରେ ମେଁ କୁଛ ବାତ କର ଲେତେ ହେଁ । ମୁଁ କହିଲି- କୁମ୍ଭ ସେ କିତନା କମାୟା? ଲୋକଟା କହିଲା -୧୨ କରୋଡ । ମୁଁ ପଚାରିଲି -କ୍ୟା ବାରହ କରୋଡ? ଲୋକଟା କହିଲା -ହାଁ । ବିଶ୍ୱାସ ନହିଁ ହୋ ରହା ହୈ । ଏଥର ସିଏ ଏକ ଗଣିତ ବତାଇଲା । ଆରେ ସୁନୋ ଇସ୍ ବାର କୁମ୍ଭ ମେଁ କିତନେ ଲୋଗ ଆଏ ଥେ? ମୁଁ କହିଲି -ସୁନା ହେ ୪୫ କରୋଡ । ଲୋକଟା କହିଲା -ବାସ! ଏକ ଆଦମୀ ସେ ଏକ ରୂପୟା ମାଁଗ ଲୋ । କିତନା ହୁଆ? ମୁଁ କହିଲି -୪୫ କରୋଡ । ଲୋକଟା କହିଲା-ହୋ ଗୟା । ମେଁ ଅଗର ୧୨ କରୋଡ ବୋଲ୍ ଦିୟା ତୋ କ୍ୟା ଜ୍ୟାଦା ବୋଲ ଦିୟା । ୟହ କୁମ୍ଭ ହୈ । ସମଝା । ପୈସା ହି ପୈସା ହେ ଫୁଲ୍ ଟନାଟନୀ ।
ଲୋକଟା ତା ଗାଡ଼ିରେ ବସି ଚାଲି ଯାଇଥିଲା । ଆଉ ମୋ ନିଦ ଭାଙ୍ଗି ଯାଇଥିଲା । ମୁଁ ଭାବୁଥିଲି । କି ଧାର୍ମିକ ଅର୍ଥନୀତି କିରେ? ପୁରା ସନାତନୀ ।

Comments

0 comments

Share This Article