ଓଡ଼ିଶାରେ ମରୁଡ଼ିର ଇତିହାସ କହିଲେ ପ୍ରଥମେ ବର୍ଷାଭାବଜନିତ ମରୁଡ଼ି ଉପରେ ଚର୍ଚ୍ଚା ହୋଇଥାଏ । ଯାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଥାନ୍ତି । ୧୮୯୯ – ୧୯୦୦ ସମିହାରେ ଛପନ ସାଲ ଦୁର୍ଭିକ୍ଷ ହୋଇଥିଲା । ବିଗତ ଅର୍ଦ୍ଧଶତାବ୍ଦୀର ଇତିହାସରେ ଏହା ଦେଶର ୨୪ତମ ବଡ ମରୁଡି ଏବଂ ଭାରତର ଦୁର୍ଭିକ୍ଷ ଇତିହାସରେ ୫୦ତମ ବର୍ଷ ପୁରା କରିଥିଲା । ବିଶେଷଜ୍ଞଙ୍କ ମତରେ ଇଂରେଜ ଶାସନ ସମୟରେ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଉପନିବେଶିକ ଶାସନ ସମସ୍ତ ମରୁଡ଼ିମାନଙ୍କ ପାଇଁ ଦାୟୀ ଅଟେ । ଭାରତରେ (ପାକିସ୍ଥାନ ଓ ବଙ୍ଗଳାଦେଶ ସମେତ) ପଡ଼ିଥିବା ଏହି ମରୁଡ଼ିମାନଙ୍କ ମଧ୍ୟରେ କେତେକ ମରୁଡ଼ିର ଉଦାହରଣ ନିଆଯାଇପାରେ ।
୧୮୬୫ – ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ
ଓଡ଼ିଶାରେ ଏହାକୁ ନଅଙ୍କ ଦୁର୍ଭିକ୍ଷ ବୋଲି କୁହାଯାଏ । ଯାହା ଗଜପତି ରାଜାଙ୍କ ନଅ ଅଙ୍କରେ ପଡ଼ିଥିଲା । ପ୍ରଥମେ ବାଲେଶ୍ୱର ଏବଂ ତଟୀୟ ଅଞ୍ଚଳରେ ଏହାର ବିଶେଷ ପ୍ରଭାବ ଦେଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଅନ୍ୟ କ୍ଷେତ୍ରକୁ ବ୍ୟାପିଥିଲା । ବିହାର, ଦକ୍ଷିଣପୂର୍ବ ତଟୀୟକ୍ଷେତ୍ର, ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ ଅଞ୍ଚଳ ଓ କର୍ଣ୍ଣାଟକକୁ ବ୍ୟାପିଥିଲା । ଯାହା ମାଡ୍ରାସ ପ୍ରେସିଡେନ୍ସି ଅଧିନସ୍ଥ କ୍ଷେତ୍ର ଥିଲା । ଏହା ୧ଲକ୍ଷ ୮୦ ହଜାର ବର୍ଗମାଇଲ ଅଞ୍ଚଳକୁ ପ୍ରଭାବିତ କରିଥିଲା ।
୧୮୬୮ – ୧୮୭୦ ରାଜପୁତାନା ଦୁର୍ଭିକ୍ଷ
ଏହି ମରୁଡ଼ି ଗୁଜରାଟ, ଉତ୍ତର ଡେକ୍କାନ ଜିଲ୍ଲା ସମୂହ ଓ ଜବଲପୁର ଡିଭିଜନକୁ ପ୍ରଭାବିତ କରିଥିଲା । ମଧ୍ୟପ୍ରାନ୍ତ, ବିହାରର ସଂଯୁକ୍ତ ପ୍ରାନ୍ତ, ଆଗ୍ରା, ବୁନେ୍ଦଲଖଣ୍ଡ ମଣ୍ଡଳ, ହିସାର ମଣ୍ଡଳ ଓ ପଞ୍ଜାବ କ୍ଷେତ୍ରକୁ ପ୍ରଭାବିତ କରିଥିଲା । ୨ ଲକ୍ଷ ୯୬ ହଜାର ବର୍ଗମାଇଲ ଅଞ୍ଚଳରେ ନିଜର କରାଳତା ଦେଖାଇଥିଲା ।
୧୮୭୩ – ୧୮୭୪ ବିହାର ମରୁଡି ବା ବଙ୍ଗାଲ୍ ମରୁଡ଼ି
ଏହି ମରୁଡ଼ିରେ ବିହାର ଓ ବଙ୍ଗର ପଡ଼ୋଶୀ ଅଞ୍ଚଳ, ଉତ୍ତର ପଶ୍ଚିମ କ୍ଷେତ୍ର, ଅବଧ, ମୋଙ୍ଗେର ଅଧିକ ପ୍ରଭାବିତ ଥିଲା । ଏହା ୫୪ହଜାର ବର୍ଗମାଇଲ ଅଞ୍ଚଳରେ ନିଜର ପ୍ରଭାବ ଦେଖାଇଥିଲା ।
୧୮୭୬-୭୮ ମରୁଡ଼ି
ଏହି ସମୟରେ ୧୮୭୭ମାଡ୍ରାସ ଦୁର୍ଭିକ୍ଷ ବା ମାଡ୍ରାସ ଅକାଳ ପଡିଥିଲା । ୧୮୭୬ ମସିହାରେ ମୌସୁମି କାରଣରୁ କମ୍ ବର୍ଷା ହେବା ଫଳରେ ଫସଲ ନଷ୍ଟ ହୋଇଥିଲା । ଏହି ମରୁଡ଼ି ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଅଞ୍ଚଳକୁ ପ୍ରଭାବିତ କରିଥିଲା । ମାଡ୍ରାସ, ମହୀଶୂର, ହାଇଦ୍ରାବାଦ ଓ ବମ୍ବେ କ୍ଷେତ୍ରରେ ଦୁଇବର୍ଷ ମରୁଡ଼ିର ପ୍ରଭାବ ରହିଲା । ଏହା ଦୁଇବର୍ଷ ନିଜର ପ୍ରଭାବ ରଖିବା ସହ ବିସ୍ତାରିତ ହୋଇଥିଲା । ଯାହା ଉତ୍ତରର ମଧ୍ୟପ୍ରାନ୍ତ, ସଂଯୁକ୍ତ କ୍ଷେତ୍ର ଓ ଉତ୍ତର ପଶ୍ଚିମ ପଞ୍ଜାବ ପର୍ଯ୍ୟନ୍ତ ବ୍ୟାପିଥିଲା । ଏହି ମରୁଡି ୨ଲକ୍ଷ ୫୭ ହଜାର ବର୍ଗ ମାଇଲ ଅଞ୍ଚଳରେ ନିଜର କରାଳ ପ୍ରଭାବ ପକାଇଥିଲା ।
୧୮୮୮ – ୧୮୮୯
ଉତ୍ତର ବିହାର ଓ ଓଡ଼ିଶାର ଗଞ୍ଜାମ ସମେତ ଉତ୍ତର ପୂର୍ବ ଅଞ୍ଚଳରେ ଏହି ମରୁଡିର ପ୍ରଭାବ ରହିଥିଲା ।
୧୮୯୬ – ୧୮୯୭
ବୁନେ୍ଦଲଖଣ୍ଡରୁ ଏହି ମରୁଡ଼ି ଆରମ୍ଭ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ସଂଯୁକ୍ତ ପ୍ରାନ୍ତ, ମଧ୍ୟପ୍ରାନ୍ତ, ବିହାର, ବମ୍ବେ, ମାଡ୍ରାସର ଅଂଶ, ପଞ୍ଜାବର ହିସାର ଅଞ୍ଚଳରେ ନିଜର ପ୍ରଭାବ ରଖିଥିଲା । ଏହାସହ ଉତ୍ତର ପୂର୍ବ ରାଜପୁତାନା ଓ ମଧ୍ୟଅଂଶକୁ ମିଶାଇ ୩ଲକ୍ଷ ୭ହଜାର ବର୍ଗମାଇଲ କ୍ଷେତ୍ରକୁ ପ୍ରଭାବିତ କରିଥିଲା ।
୧୮୯୯ – ୧୯୦୦
ମଧ୍ୟପ୍ରାନ୍ତ, ବରାର, ବମ୍ବେ ପ୍ରେସିଡେନ୍ସି, ଅଜମେର, ମେରବାଡାର ଛୋଟାପ୍ରାନ୍ତ, ପଞ୍ଜାବର ହିସାର, ରାଜପୁତାନା ଏଜେନ୍ସି, ସେଣ୍ଟ୍ରାଲ ଇଣ୍ଡିଆ ଏଜେନ୍ସି, ହାଇଦ୍ରାବାଦ ସମେତ ବେଙ୍ଗଲ ଓ ମାଡ୍ରାସ ପ୍ରେସିଡେନ୍ସି ସୀମାର ମୋଟ ୩ ଲକ୍ଷ ୭୬ ହଜାର ବର୍ଗମାଇଲ କ୍ଷେତ୍ରକୁ ପ୍ରଭାବିତ କରିଥିଲା । ଏ ମଧ୍ୟରେ ଓଡ଼ିଶା ମଧ୍ୟ ଆସିଥାଏ । ଯାହା ମାଡ୍ରାସ, ବମ୍ବେ ଓ ମଧ୍ୟକ୍ଷେତ୍ର ସୀମାଭୁକ୍ତ ଥିଲା । ଯାହାକୁ ଓଡ଼ିଶାର ଛପନସାଲ ଦୁର୍ଭିକ୍ଷ କୁହାଯାଏ । ଏହାକୁ ସପନସାଲ ବୋଲି ମଧ୍ୟ କହିଥାନ୍ତି । କାରଣ ଖାଦ୍ୟ ସ୍ୱପ୍ନ ଥିଲା । ଅର୍ଥାତ ଅପହଞ୍ଚ ଥିଲା ।
ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଘଟିତ ହୋଇଥିବା ମରୁଡ଼ିମାନଙ୍କ ବିଷୟରେ ଚର୍ଚ୍ଚା କଲେ କେବଳ ବର୍ଷାଭାବଜନିତ କାରଣକୁ ଦାୟୀ କଲେ ଆକଳନ ସମ୍ପୂର୍ଣ୍ଣ ସତ୍ୟ ହେବନାହିଁ । ଏହି ସମୟର ଇତିହାସ ଉପରେ ଆଲୋଚନା ମଧ୍ୟ ଆବଶ୍ୟକ । ଊନବିଂଶ ଶତକର ଆରମ୍ଭ ସମୟରେ ଇଷ୍ଟ୍ଇଣ୍ଡିଆ କମ୍ପାନୀ ନିଜର ବ୍ୟବସାୟ ସମ୍ପ୍ରସାରଣ ପାଇଁ ଯୁଦ୍ଧକୁ ଏକ ବଡ଼ ମାଧ୍ୟମ କରିଥିଲା । ଯାହା ତାକୁ ରାଜନୀତି କ୍ଷେତ୍ରରେ ବିସ୍ତାରର ସୁଯୋଗ ଦେଇଥିଲା । ଏହି ସମୟ ପର୍ଯ୍ୟନ୍ତ ଭାରତ ଉପମହାଦେଶରେ ଇଂରେଜ ସତ୍ତା ଏକ ମହାଶକ୍ତି ଭାବରେ ନିଜକୁ ଜାହିର କରିପାରିଥିଲା । ଏହି ସମୟରେ ହୋଇଥିବା ସାମାଜିକ ଓ ଅର୍ଥନୀତିକ ପରିବର୍ତ୍ତନ ଉପରେ ଦୃଷ୍ଟି ଦେବା ଆବଶ୍ୟକ ।
କୃଷି
ଇଂରେଜ ଶାସନ ପୂର୍ବରୁ ଗ୍ରାମ୍ୟବ୍ୟବସ୍ଥା କୃଷି ଓ ଜଙ୍ଗଲ ପର୍ଯ୍ୟବସିତ ଥିଲା । କୃଷି ଓ ଜଙ୍ଗଲ ଉପଜଜନିତ ଶିଳ୍ପ ଓ ଖଣିଜର ବ୍ୟବହାର ହେଉଥିଲା । ଗ୍ରାମ୍ୟ ସାମାଜିକ ବ୍ୟବସ୍ଥାରେ କୃଷି ଉପଜ ଉଭୟ କୃଷି ଓ ଅଣକୃଷି କ୍ଷେତ୍ରରେ ନିୟୋଜିତ ସମସ୍ତଙ୍କ ପାଇଁ ଖାଦ୍ୟାନ୍ନ ଆପୂର୍ତ୍ତି କରୁଥିଲା । ଅଧିକ ଅମଳ ଦୁଃସମୟରେ ବ୍ୟବହାର ପାଇଁ ଭଣ୍ଡାର କରି ରଖା ଯାଉଥିଲା । ଅଷ୍ଟାଦଶ ଶତାବ୍ଦୀ ଶେଷବେଳକୁ ନୂତନ ଶାସନବ୍ୟବସ୍ଥା ଗ୍ରାମ୍ୟ ବ୍ୟବସ୍ଥାରେ ବିଘଟନ ଆରମ୍ଭ କରି ଦେଇଥିଲା । ୧୭୯୩ ମସିହାରେ ଲର୍ଡ କର୍ଣ୍ଣୱାଲିସ ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁକଲେ । ବଙ୍ଗାଲ, ବିହାର, ଓଡ଼ିଶା ଓ ଉତ୍ତର ମାଡ୍ରାସ ପ୍ରେସିଡେନ୍ସିର ବିସ୍ତାରିତ କ୍ଷେତ୍ରରେ ଜମିଦାର ଗୋଟିଏ ନୂତନ ଶ୍ରେଣୀ ସୃଷ୍ଟି ହେଲା । ଯେଉଁମାନେ ଲୋକଙ୍କ ନିକଟରୁ ଖଜଣା ସଂଗ୍ରହପାଇଁ ଏକ ନୂତନ ଆଭିଜାତ୍ୟବର୍ଗ ହୋଇ ରହିଲେ । ଏହି ଆଭିଜାତ୍ୟବର୍ଗ ପ୍ରଜା ଏବଂ ଉପନିବେଶିକ ଶାସନ ମଧ୍ୟରେ ମଧ୍ୟସ୍ଥି ହୋଇ ରହିଲେ ।
କୃଷକ ଏକ ନିର୍ଦ୍ଦିଷ୍ଟ ଧନରାଶି ଜମିଦାରଙ୍କୁ ଦେଲେ । ଏହି ଧନରାଶି ମୁଦ୍ରା ଆକାରରେ ପଇଠ ହେଉଥିଲା । ଫଳତଃ ଅନେକ କୃଷକ ଚାଷକାମ ଛାଡି ଶ୍ରମିକ ହୋଇଗଲେ ଅବା ଅନ୍ୟ କ୍ଷେତ୍ରରେ ନିଜକୁ ନିୟୋଜିତ କଲେ । ଏହି ବ୍ୟବସ୍ଥା ଗୋଟିଏ ଆଖିଦୃଶିଆ ସଂଖ୍ୟାକୁ କୃଷିକ୍ଷେତ୍ରରୁ ଅପସାରଣ କରିଦେଲା । ଏହି ସମୟ ମହାଜନୀ କାରବାରର ଅୟମାରମ୍ଭ ହୋଇଥିଲା । ଏହି ଲୋକମାନେ ଭାରତୀୟ ସମାଜର ପ୍ରଥମ ପିଢ଼ି ଯେଉଁମାନେ ସାହୁକାର ଓ ଋଣ ସହ ପରିଚିତ ହେଲେ । ମହାଜନୀ କାରବାର ଏତେ ବ୍ୟାପକ ଥିଲା ଯେ ଲୋକଙ୍କ ମଧ୍ୟରେ ଆପ୍ତବାକ୍ୟ ପ୍ରଚଳିତ ହୋଇଥିଲା, ଯାହାକୁ ‘ସାହୁକାରର ଋଣରେ ଜନ୍ମ’ବୋଲି ସାହୁକାର ଆଶ୍ରିତଙ୍କୁ କହୁଥିଲେ । ଓଡ଼ିଶାର ପଶ୍ଚିମକ୍ଷେତ୍ରରେ ମହାଜନ ପିଲା ଅବା ସାଁକାର ପିଲା ବୋଲି କୁହାଯାଉଥିଲା ।
ଭାରତୀୟ ଗ୍ରାମ୍ୟବ୍ୟବସ୍ଥା ଏତେ ଗୋଷ୍ଠୀଗତ ଥିଲା ଯେ ବିନିମୟ ତମାମ ଅର୍ଥବ୍ୟବସ୍ଥାକୁ ସଶକ୍ତ କରି ରଖିଥିଲା । ରାଜକୀୟ ଓ ବାହ୍ୟ ବ୍ୟବସାୟରେ ମୁଦ୍ରା ସନ୍ତକ ଆକାରରେ ବ୍ୟବହାର ହେଉଥିଲା । ଓଡ଼ିଶା ଗଡ଼ଜାତର ଆଭ୍ୟନ୍ତରୀଣ ଗାଁମାନଙ୍କରେ ୧୮୧୮ ମସିହା ପରବର୍ତ୍ତୀ ସମୟରେ ମାଟିର ମୁଦ୍ରା ବହିରାଗତ ବ୍ୟାପାରୀମାନେ ନେଣଦେଣରେ ପ୍ରଚଳନ କରିଥିଲେ । ଯାହାର ରାଜକୀୟ ବ୍ୟବହାର ହୋଇପାରୁ ନଥିଲା । ମାଲଗୁସିଆଁ (କୋଶଲୀ ଶବ୍ଦ; ସ୍ଥାବର ଅବା ଅସ୍ଥାବର ସମ୍ପଦାର ଅଧିକାରୀ) ଓ ବେପାରୀ ମଧ୍ୟରେ ନେଣଦେଣର ବ୍ୟକ୍ତିଗତ ମାଧ୍ୟମ ହୋଇପାରିଥିଲା । ଅନେକ କ୍ଷେତ୍ରରେ ଦେଖାଯାଇଛି ଏହି ମାଟିର ମୁଦ୍ରା ବଡ଼ମକାର (୧୯୬୫-୬୬ ମରୁଡ଼ି) ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ପ୍ରଚଳିତ ଥିଲା । ସ୍ୱାଧିନ ଭାରତରେ ବଡ଼ମକାର ପଶ୍ଚିମ ଓଡ଼ିଶାର ସାମାଜିକ ଚରିତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିଦେଲା । ଯାହା ପୁଞ୍ଜିପାଇଁ କ୍ଷେତ୍ର ପ୍ରସ୍ତୁତିରେ ସହାୟକ ହୋଇଥିଲା । ବିନିମୟ ବ୍ୟବସ୍ଥା ବର୍ତ୍ତମାନ ମଧ୍ୟ ତା’ର କ୍ଷୀଣ ସତ୍ତା ନେଇ କାଁ ଭାଁ ଜୀବିତ ରହିଅଛି । ୧୮୧୮ ମସିହା ପରବର୍ତ୍ତୀ ସମୟରେ ପ୍ରଥମକରି ଲୋକେ ମୁଦ୍ରାକୁ ବିନିମୟର ମାଧ୍ୟମ କରିଥିଲେ । କାରଣ ଖଜଣା ଅସୁଲିରେ ମୁଦ୍ରା ହିଁ ମାଧ୍ୟମ ଥିଲା । ଏତେବେଳକୁ ଯେଉଁମାନେ ମୁଦ୍ରା ନେଇ ଆସିଲେ, ସେମାନେ ପ୍ରଜାଙ୍କ ଉପରେ ଅହେତୁକ ନିୟନ୍ତ୍ରଣ ରଖିପାରିଲେ । ୧୮୧୮ମସିହାରେ ମହାଜନୀ ପ୍ରଥାର ଆରମ୍ଭ ହେଲା । ଯାହା ବଡ଼ମକାର ସମୟରେ ନିଜର ସ୍ଥିତିକୁ ମଜବୁତ କରିଦେଲା । ନିଜକୁ ଏକ ବ୍ୟବସ୍ଥା ଭାବରେ ଦୃଢ଼ତାର ସହ ସ୍ଥାପିତ କରିପାରିଲା । କୃଷକ ପରିବାର ସିଧା ସିଧା ମହାଜନ ଆଶ୍ରିତ ହୋଇଗଲେ । ଜମିଦାର ଓ ମହାଜନ ଉଭୟେ ନିଜସ୍ୱ ଚାପରେ ସାଧାରଣଙ୍କୁ ରଖିପାରିଲେ । ଉଭୟେ ପୁଞ୍ଜି ଓ ସାମ୍ରାଜ୍ୟବାଦର ପ୍ରାଥମିକ ପ୍ରତିନିଧି ଥିଲେ । ଫଳ ଏହା ହେଲା ଯେ ଗୋଟିଏ ବିରାଟଗୋଷ୍ଠୀ କର୍ମଶୂନ୍ୟ ହୋଇଗଲେ ।
୧୮୮୨ ମସିହାରେ ଇଂରେଜ ସରକାର କନ୍ଧମେଳିକୁ କ୍ରୂରତାର ସହ ଦମନ କରିଥିଲେ । ପୂର୍ବ ପାରମ୍ପରିକ ବ୍ୟବସ୍ଥା ମୁଖ୍ୟ ନିଜ ନିଜ କ୍ଷେତ୍ରରେ ଆଧୁନିକ ଜମିଦାର, ରାଜା, ଆଦି ପଦବୀ ଗ୍ରହଣ କରିଥିଲେ । ସେହି ଅଞ୍ଚଳ ମାନଙ୍କରେ ପ୍ରଜା ଆନେ୍ଦାଳନ ବେଶ୍ ପ୍ରଭାବୀ ଥିଲା । ଏହାଥିଲା ବ୍ୟବସ୍ଥା ବିରୋଧରେ ପ୍ରଥମ ଆନେ୍ଦାଳନ । ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ୧୮୪୦ମସିହାରେ ମେରିଆ କମିଶନ ଗଠନ କରାଗଲା । ଜନଆନ୍ଦୋଳନ ମାନଙ୍କୁ ଇଂରେଜ ସରକାର ପ୍ରତ୍ୟକ୍ଷ ଭାବରେ କ୍ରୂରତାର ସହ ଦମନ କରିଥିଲା । ୧୮୮୨ ମସିହାରେ ଆନ୍ଦୋଳନ ନେତୃତ୍ୱ ନେଉଥିବା ଶତାଧିକ ନେତାଙ୍କୁ ହତ୍ୟା କରିବା ସହ ଫାଶୀ ଓ କଳାପାଣି ଦଣ୍ଡ ଦେଇଥିଲେ । ଏହି ଐତିହାସିକ ସରକାରୀ ଉଗ୍ରବାଦର ନିନ୍ଦା ପ୍ରସ୍ତାବ ମଧ୍ୟ ସ୍ୱାଧିନ ଭାରତର କୌଣସି ସରକାର ଆଣି ନାହାନ୍ତି ସେମାନଙ୍କ ପରିବାରକୁ ଆଶ୍ୱାସନା ଦେବା ଦୂରର କଥା । ଅପରନ୍ତୁ ଚଳନ୍ତି ଓଡ଼ିଶା ରାଜ୍ୟ ସରକାର ଆପାତକାଳ ସଂଗ୍ରାମୀମାନଙ୍କୁ ଭତ୍ତା ଦେବାର ଘୋଷଣା କରିଛନ୍ତି । ଆପାତକାଳ ସମୟରେ ଅନେକ କଳାବଜାରୀ ବେପାରୀ ମଧ୍ୟ ଗିରଫ ହୋଇଥିଲେ । ସେମାନଙ୍କ ପାଇଁ ଭତ୍ତା ଦିଆଯିବ ନା ନାହିଁ; ଏ ନେଇ କୌଣସି ସ୍ପଷ୍ଟୀକରଣ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନାହିଁ ।
ଏହି କାରଣରୁ ମହାଜନୀକୁ ସଂଗ୍ରାମୀ ଅଞ୍ଚଳରେ ସ୍ଥିର ହେବାପାଇଁ ବିଳମ୍ବ ହୋଇଥିଲା । ଏହା ହିଁ ଥିଲା ସାମାଜିକ ବିଘଟନର ପ୍ରମୁଖ କାରଣ । ସମାଜ ବିଘଟିତ ହୋଇ ଗୋଟିଏ ନୂତନବ୍ୟବସ୍ଥାକୁ ପ୍ରବେଶ କଲା । ନୂତନ ବ୍ୟବସ୍ଥା ପାଇଁ ଅନେକ ଲୋକ ଅପାଂକ୍ତେୟ ହୋଇଗଲେ । ଏହା କହିବା ବାହୁଲ୍ୟ ଯେ ପୁଞ୍ଜି ବିସ୍ତାରପାଇଁ ଯେଉଁ ଶ୍ରମର ଆବଶ୍ୟକତା ରହିଲା, ତାହାକୁ ଏହି କର୍ମଶୂନ୍ୟମାନେ ପୁରା କଲେ । ପ୍ରବାସନ ଆରମ୍ଭ ହେଲା । ଏହି ସମୟର ଏହି ନୂତନ ଶ୍ରମିକଶ୍ରେଣୀ କ୍ରୀତଦାସ ପ୍ରଥାର ନୂତନ ସଂସ୍କରଣ ଥିଲେ । ଯାହା ବର୍ତ୍ତମାନ ଦାଦନ ଶ୍ରମିକଙ୍କ ନିକଟରେ ଦେଖାଯାଏ । ସୁତରାଂ ପୁଞ୍ଜିବାଦ ବଜାର ମାଧ୍ୟମରେ ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ବଲବତ୍ତର ରହିଛି ।
ମୁଦ୍ରାର ପ୍ରଚଳନ ଫଳରେ ପାରମ୍ପରିକ କୃଷି ଅପେକ୍ଷା ଅର୍ଥକାରୀ ଫସଲ ପାଇଁ ଚାଷୀଙ୍କୁ ଅଭ୍ୟାସ କରାଗଲା । ଗୋଟିଏ ପ୍ରକାରେ ବାଧ୍ୟ କରାଗଲା । ଊନବିଂଶ ଶତକ ଆରମ୍ଭବେଳକୁ ନୀଳ, ଅଫିମ, କପାସ ଓ ରେଶମ ଅର୍ଥକାରୀ ଫସଲ ଭାବରେ ଅଧିକ ପ୍ରୋତ୍ସାହିତ କରାଗଲା । ଏହା ବଦଳରେ ଧିରେ ଧିରେ ଝୋଟ, ନୀଳ ଓ ଅଫିମ ବଦଳରେ ଖାଦ୍ୟାନ୍ନ, ସୋରିଷ ଓ ଚା ଏହାର ସ୍ଥାନ ନେଲେ ।
ଖାଦ୍ୟାନ୍ନ ସମେତ ସମସ୍ତ କୃଷିଉପଜ ରପ୍ତାନୀପାଇଁ ସଂଗୃହୀତ ହେଉଥିଲା । ୧୮୫୯-୬୦ମସିହାରୁ ୧୯୦୬-୦୭ ମସିହା ପର୍ଯ୍ୟନ୍ତ ଭାରତରୁ ରପ୍ତାନୀ ହାର ୫୦୦ ପ୍ରତିଶତ ବୃଦ୍ଧି ହୋଇଥିବା ଅନୁମାନ କରି କୁହାଯାଏ । ଏହାର ଏକ ବଡ଼ ଲାଭ ବି୍ରଟିଶ ବେପାରୀ ଓ ବଡ଼ଚାଷୀ ଭୋଗ କଲେ । ଫଳତଃ ଭୂତଳ ବା ଉପଜ କ୍ଷେତ୍ରରେ ଖାଦ୍ୟାନ୍ନର ଅଭାବ ଦେଖାଗଲା । ମରୁଡ଼ି ସମୟରେ ଏହାର ବିକଟାଳ ରୂପ ଦେଖାଯାଇଥିଲା । ପ୍ରଥମେ କୃଷି ସ୍ଥାନୀୟ ଆବଶ୍ୟକତାକୁ ପୁରା କରୁଥିଲା । ପରେ ଏହା ହଠାତ୍ ବଜାର ନିୟନ୍ତ୍ରଣକୁ ଚାଲି ଆସିଲା । ଅନେକ ବିଦ୍ୱାନ ଭାରତର ଖାଦ୍ୟାନ୍ନ ରପ୍ତାନୀ ଏବଂ ମରୁଡ଼ିର ଘନିଷ୍ଠ ସମ୍ପର୍କ ରହିଥିବା କହନ୍ତି ।
୧୯୭୬-୭୭ ମରୁଡ଼ି ସମୟରେ ରାଜସ୍ୱ ଅଭାବକୁ ରପ୍ତାନୀଦ୍ୱାରା ପୁରା କରାଗଲା । ଫଳରେ ଏହା ମରୁଡ଼ି ସଙ୍କଟକୁ ଆହୁରି କ୍ରୂର କରି ଦେଇଥିଲା । ଏହି ପ୍ରକ୍ରିୟା ୧୮୯୭-୯୮ମରୁଡ଼ି ସମୟରେ ମଧ୍ୟ ଚାଲୁ ରହିଥିଲା । ଏତେବେଳକୁ ୧୭ ମିଲିୟନ ଷ୍ଟାର୍ଲିଂ (୧ ପାଉଣ୍ଡ ଷ୍ଟାର୍ଲିଂ – ୧୦୭.୪୮ଟଙ୍କା) ସଂଗ୍ରହ କରାଗଲା । କୃଷକମାନେ ଖାଦ୍ୟାନ୍ନ ବିକ୍ରି କରି ଟଙ୍କା ସଂଗ୍ରହ କରିଥିଲେ । ୧୮୮୦, ୧୮୮୯ ଓ ୧୯୦୧ ମସିହାର ମରୁଡି ସମୟରେ ‘ମରୁଡି ଆୟୋଗ’ ଦ୍ୱାରା ପ୍ରଦତ୍ତ ରିପୋର୍ଟରେ ଉଲ୍ଲେଖ ରହିଅଛି ଯେ ଏହି ସମୟମାନଙ୍କରେ ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟାନ୍ନ ମହଜୁଦ ଥିଲା । ୧୮୮୦ ମସିହାରେ ୫ ମିଲିୟନ ଟନ୍ ଖାଦ୍ୟାନ୍ନ ବଳକା ଉତ୍ପାଦନ ହୋଇଥିଲା । ଯାହା ଭଣ୍ଡାର ରପ୍ତାନୀ ଓ ବିଳାସମୟତା ପାଇଁ ଖର୍ଚ୍ଚ ହୋଇଥିଲା ।
୧୮୯୮ ମସିହାରେ ‘ମରୁଡ଼ି ଆୟୋଗ’ ତଥ୍ୟ ଅନୁସାରେ ୧୮୮୦ ମସିହାରୁ ୧୮୯୮ମସିହା ପର୍ଯ୍ୟନ୍ତ ଭାରତର ସମଗ୍ର ଉପଜ କୌଣସି ପ୍ରକାର ଖାଦ୍ୟ ଅଭାବକୁ ପୁରା କରିବାପାଇଁ ସମର୍ଥ ଅଟେ । ସେହିିପରି ୧୮୮୦ ମସିହାର ଆୟୋଗ ତଥ୍ୟ ଅନୁସାରେ ରପ୍ତାନୀ ଫଳରେ ମରୁଡ଼ି ଅସମ୍ଭାଳ ହେଲା ଯାହାକୁ ପ୍ରାକୃତିକ ଆପଦା ବୋଲି କୁହାଯାଇ ନପାରେ । ବିଶେଷଜ୍ଞମାନେ ଏହି କଥାକୁ ଦୁଇ ପ୍ରକାରେ କହିଛନ୍ତି । ଖାଦ୍ୟର ମରୁଡି ଓ ମୁଦ୍ରାର ମରୁଡ଼ି ।
ଜଙ୍ଗଲ
ଭାରତୀୟ ଗ୍ରାମ୍ୟବ୍ୟବସ୍ଥା କୃଷି ଓ ଜଙ୍ଗଲ ଅର୍ଥନୀତି ଉପରେ ପର୍ଯ୍ୟବସିତ । ବ୍ରିଟିଶ ସରକାର ନିଜ ଦେଶର ଜଙ୍ଗଲ କ୍ଷୟ ଯୋଗୁଁ ଜାଳେଣୀର ଆପୂର୍ତ୍ତି ପାଇଁ ଭାରତର ଜଙ୍ଗଲ ଉପରେ ନିର୍ଭର କଲେ । ପାରମ୍ପରିକ ଭାରତୀୟ ସାମାଜିକ ବ୍ୟବସ୍ଥାରେ ଜଙ୍ଗଲକୁ ସରକାରୀ ଅକ୍ତିଆରକୁ ନେବା ସହଜ ନଥିଲା । ଏଥିପାଇଁ ବିଭିନ୍ନ ଆଇନ ତିଆରି କରାଗଲା । ୧୮୬୦ ମସିହାରେ ଜଙ୍ଗଲ ଆଇନରେ ଅନେକ ଧାରା ଯୋଡ଼ି ଏହାକୁ ଜଟିଳ କରି ଦିଆଗଲା । ଫଳରେ ଲୋକେ ଜଙ୍ଗଲ ଉପରୁ ନିଜର ଅଧିକାର ହରେଇଲେ । ବିନା ଅନୁମତିରେ ସାଧାରଣ ପ୍ରଜାଙ୍କୁ ଜଙ୍ଗଲ ଭିତରକୁ ପ୍ରବେଶ ନିଷେଧ ରହିଲା । ଆଦିବାସୀ ଓ ତାଙ୍କ ସହ ସଂଯୁକ୍ତ ସମୂହ ଓ ବନ ଉପରେ ନିର୍ଭର କରୁଥିବା ଲୋକ ନିଃସ୍ୱ ହୋଇଗଲେ । ଜମି ଉପରେ ନିର୍ଭର କରି ରହୁଥିବା ଲୋକ ବ୍ୟତୀତ ଅନ୍ୟମାନେ ପଳାୟନକୁ ପନ୍ଥା କରିନେଲେ । ବନଉପଜ ମରୁଡି ବା ଖାଦ୍ୟାଭାବ ସମୟରେ ବେଶ୍ ସହାୟକ ହେଉଥିଲା । ଚାଉଳ ସ୍ଥାନରେ କନ୍ଦମୂଳ ବେଶ୍ ସହାୟକ ହେଇ ପାରୁଥିଲା । ବନ ଆଇନ ପରେ ମରୁଡ଼ି ବେଶ୍ କରାଳ ହୋଇଗଲା ।
ରେଳମାର୍ଗ
ଏପି୍ରଲ ୧୬, ୧୮୫୩ ଦିନ ବମ୍ବେ ବୋରିବନ୍ଦରୁ ଠାଣେ ପର୍ଯ୍ୟନ୍ତ ୨୧ମାଇଲ ରେଳଗାଡି ପ୍ରଥମ କରି ଭାରତ ମାଟିରେ ଗଡିଲା । ୨୧ ତୋପର ସଲାମି ଦେଇ ଆରମ୍ଭ କରାଯାଇଥିବା ଏହି ୨୧ ମାଇଲ ରେଳମାର୍ଗ ୧୮୬୦ ମସିହାରେ ୮୩୮ ମାଇଲ ଲମ୍ବ ହୋଇ ସାରିଥିଲା । ୧୮୮୦ ମସିହାରେ ଏହା ୧୫,୮୪୨ ମାଇଲ ହୋଇଥିବାବେଳେ ୧୯୦୧ ମସିହାରେ ୨୫,୩୭୩ ମାଇଲକୁ ସମ୍ପ୍ରସାରିତ ହୋଇଥିଲା । ଏହି ସମସ୍ତ ରେଳମାର୍ଗ ବନ୍ଦର ଅଭିମୁଖୀ ଥିଲେ । କ୍ଷୀପ୍ର ବର୍ଦ୍ଧିତ ରପ୍ତାନୀ ଶିଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ କେବଳ ରେଳମାର୍ଗ ଉଦ୍ଦିଷ୍ଟ ଥିଲା ।
ରେଳମାର୍ଗ ଭାରତୀୟ ସଡ଼କ ଓ ନଦୀପଥ ପରିବହନକୁ ବେଶ୍ ପ୍ରଭାବିତ କରିଥିଲା । ରେଳମାର୍ଗ ଭାରତୀୟ ପରିବହନ ବ୍ୟବସ୍ଥାରେ ବେଶ୍ କ୍ରାନ୍ତି ଆଣିଲା, ଏହା କହିବା ଭୁଲ ହେବ । କାରଣ ଖ୍ରୀଷ୍ଟପୂର୍ବ ସମୟରୁ ଉତ୍ତରାପଥ ଯାହା ବର୍ତ୍ତମାନ ଗ୍ରାଣ୍ଡଟଙ୍କରୋଡ ନାମରେ ପରିଚିତ ତାହା ଭାରତୀୟ ପରିବହନ ବ୍ୟବସ୍ଥାର ଇତିହାସର ସାକ୍ଷୀ ହୋଇ ରହିଅଛି । ଚିରସ୍ରୋତା ନଦୀ ଓ ବ୍ୟବସ୍ଥିତ ସଡକପଥ ପରିବହନ ପାଇଁ ପର୍ଯ୍ୟାପ୍ତ ଥିଲା । ମଣିଷ, ଗୋମହିଷାଦି ପଶୁ, ଶଗଡ଼ ଆଦିରେ ସଡକମାର୍ଗରେ ପରିବହନ ହେଉଥିଲା । ମୌସୁମୀ ସମୟରେ ସଡକ ପରିବହନ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରଭାବିତ ହେଉଥିଲା କିନ୍ତୁ ଏହା କୃଷିକର୍ମଣ କାଳ ହେଇଥିବାହେତୁ ପରିବହନ କମ ହେଉଥିଲା । ସମୟ ପୂର୍ବରୁ ଲୋକେ ପରିବହନ ପାଇଁ ନିଜ ନିଜର ବ୍ୟବସ୍ଥା କରି ରଖୁଥିଲେ । ଲଣ୍ଡନ ଓ ମଞ୍ଚେଷ୍ଟର କମ୍ପାନୀର ପରିବହନ ଖର୍ଚ୍ଚ କମେଇବା ପାଇଁ ଭାରତରେ ରେଳମାର୍ଗ ବିଛାଗଲା ବୋଲି ଅନେକ ବିଶେଷଜ୍ଞ ମତ ଦେଇଥାନ୍ତି । ଭାରତୀୟ ବଜାରକୁ ଇଂରେଜଙ୍କ ପାଇଁ ଖୋଲାଗଲା । ସଙ୍କଟ ସମୟରେ ମୁଖ୍ୟତଃ ମରୁଡି ସମୟରେ ପ୍ରଜାଙ୍କ ପାଇଁ ଖାଦ୍ୟ ପରିବହନ ଅପେକ୍ଷା ରପ୍ତାନି ପାଇଁ ରେଳମାର୍ଗ ବ୍ୟବହୃତ ହେଉଥିଲା । ଯାହା ଲୋକଙ୍କ ଖାଦ୍ୟାଭାବର ଉପଚାର ପାଇଁ କୌଣସି କାମରେ ଆସୁ ନଥିଲା । ବିଶେଷଜ୍ଞଙ୍କ ଅଧ୍ୟୟନ କହେ ୧୯୦୨ ମସିହାରେ ବଙ୍ଗାଲ, ଆଗ୍ରା, ଅୱଧ ଓ ବମ୍ବେରେ ଜଳସେଚନ ପାଇଁ ୨୪ ମିଲିୟନ ଷ୍ଟର୍ଲିଂ ଖର୍ଚ୍ଚ କରା ଯାଇଥିବା ବେଳେ ରେଳମାର୍ଗ ପାଇଁ ୨୨୬ ମିଲିୟନ ଷ୍ଟର୍ଲିଂ ଖର୍ଚ୍ଚ କରା ଯାଇଥିଲା ।
ମରୁଡ଼ି ସମୟରେ ଇଂରେଜ ସରକାର କୌଣସି ସହାୟତା ଦେଉ ନଥିଲେ , ଏହା ଠିକ ନୁହେଁ । ସହାୟତା ଏତେ କମ ଥିଲା ଯେ ତାହା ଧର୍ମକୁ ଆଖିଠାର ସଦୃଶ ହେଉଥିଲା । ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଲୋକଙ୍କ ପାଖକୁ ସହାୟତା ପହଞ୍ଚିବା ପର୍ଯ୍ୟନ୍ତ ୧୦ଲକ୍ଷ ଲୋକ ମରି ସାରିଥିଲେ । ଖାଦ୍ୟାନ୍ନ ଭର୍ତ୍ତି ଜାହାଜ ବନ୍ଦରରେ ଛିଡା ହୋଇ ରହିଲା । ରପ୍ତାନି ନୀତି ଯୋଗୁଁ ଏହା ବନ୍ଦରରେ ଓହ୍ଲେଇବା କଠିଣ ହୋଇଥିଲା । ଏହି ସମୟରେ ସରକାର ୩୦ ମିଲିୟନ ୟୁନିଟ ଖାଦ୍ୟ ପାଇଁ ୯.୫ମିଲିୟନ ଟଙ୍କା ଖର୍ଚ୍ଚ କରିଥିଲେ । ଗୋଟିଏ ୟୁନିଟ ଜଣେ ବୟସ୍କଲୋକଙ୍କ ପାଇଁ ଗୋଟିଏ ଦିନର ପୁରା ଖାଦ୍ୟ ।
ନଅଙ୍କ ଦୁର୍ଭିକ୍ଷ ପରେ ସରକାରଙ୍କ ମରୁଡ଼ି ପ୍ରତିକାର ଉଦ୍ୟମ ନୀତି ଉପରେ ବିଶେଷ ପରିବର୍ତ୍ତନ ଆଣିଲେ । ୧୮୬୮ ମସିହାରେ ଆଗ୍ରା ଲେଫ୍ଟନାଣ୍ଟ ଙ୍କ ଗଭର୍ଣ୍ଣର ସାର ୱିଲିୟମ ମୁଇର ଜିଲ୍ଲାପାଳମାନେ ଅନାହାର ମୃତ୍ୟୁ ପାଇଁ ଦାୟୀ ରହିବେ ବୋଲି ସରକାରୀ ଘୋଷଣା କରିଥିଲେ । ଏତାଦୃଶ ଘୋଷଣା ଏକଦା ପୂର୍ବ ଓଡ଼ିଶା ସରକାର କରିଥିବା ଦେଖାଯାଏ ।
୧୮୬୯ ରାଜପୁତାନା ମରୁଡି ବ୍ରିଟିଶ ଶାସନ କ୍ଷେତ୍ରକୁ ବ୍ୟାପିଥିଲା । କେବଳ ଇଂରେଜ ନୁହେଁ ଅଜମେର, ଆଗ୍ରାର ପଡ଼ୋଶୀ ଶାସକ ୯ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ୫ଲକ୍ଷ ଟଙ୍କାର ରାଜସ୍ୱ ମାଫି କରା ଯାଇଥିଲା । ୨.୧ ମିଲିୟନ ଟଙ୍କା କୃଷିଋଣ ପ୍ରଦାନ କରା ଯାଇଥିଲା । ୨୯ ମିଲିୟନ ୟୁନିଟ ଖାଦ୍ୟ ପାଇଁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଯେଉଁଥିରେ ଉଦୟପୁର ରାଜ୍ୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଏହି ମରଡ଼ିରେ ସରକାରୀ ହିସାବରେ ୧୫ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ବିହାର-ବଙ୍ଗାଲ ମରୁଡି ୧୮୭୪ ମସିହାରେ ବ୍ରିଟିଶ ସରକାରଙ୍କ ରିଲିଫ କାର୍ଯ୍ୟ ପୂର୍ବପେକ୍ଷା ଅଧିକ ସଫଳ ଥିଲା । ବଙ୍ଗାଲ ଗଭର୍ଣ୍ଣର ସାର ରିଚାର୍ଡ ଟେମ୍ପଲ ୩୧.୦୧.୧୮୭୮ ଦିନ ଦୁଇ ପ୍ରକାର ରିଲିଫ୍ ଘୋଷଣା କଲେ । ଶ୍ରମିକଙ୍କୁ ୦.୪୫ କିଗ୍ରା ଖାଦ୍ୟାନ୍ନ ଓ ୪ ପଇସା ଦିଆ ଯାଉଥିଲା । ଏହି ସମୟରେ ପ୍ରଥମ ପ୍ରକାର ରିଲିଫ ୭୦୦ ୟୁନିଟ ଖାଦ୍ୟ ପାଇଁ ୮୦୦ ମିଲିୟନ ଟଙ୍କା ଓ ଅନ୍ୟ ୭୨ ମିଲିୟନ ୟୁନିଟ ପାଇଁ ୭୨ ମିଲିୟନ ଟଙ୍କା ଖର୍ଚ୍ଚ ହୋଇଥିଲା ।
୧୮୮୩ Provisional Femie Code ରେ ଅନେକ ପରିବର୍ତ୍ତନ ମଧ୍ୟ କରାଗଲା । ୧୮୯୬-୯୭ ମରୁଡିରେ ୮୨୧ ମିଲିୟନ ୟୁନିଟ ପାଇଁ ୭୨.୫ମିଲିୟନ ରୁପୟା ଖର୍ଚ୍ଚ ହୋଇଥିଲା । ୧୨.୫ ମିଲିୟନ ରୁପୟା ରାଜସ୍ୱ ମାଫ୍ ହୋଇଥିଲା ଏବଂ ୧୭.୫ ମିଲିୟନ ରୁପୟା ଋଣ ଆକାରରେ ଦିଆଯାଇଥିଲା । ଏତେବେଳେ ଚ୍ୟାରିଟିରୁ ୧୭.୫ ମିଲିୟନ ରୁପୟା ସଂଗ୍ରହ ହୋଇଥିଲା ।
ବି୍ରଟିଶ ରିଲିଫ୍ ପ୍ରକ୍ରିୟାରେ ରହିଥିବା ଅଭାବମାନ ମରୁଡି ପରିସ୍ଥିତିକୁ ସମ୍ଭାଳିବା ପାଇଁ ଅସମର୍ଥ ଥିଲା । ମରୁଡି ସମୟରେ ଅନାହାର ମୃତ୍ୟୁ ଏବଂ ମହାମାରୀ ପରିସ୍ଥିତିକୁ ଅଧିକ ଜଟିଳ କରି ଦେଇଥିଲା । ରେଳ ପରିବହନ ମହାମାରିକୁ ବିସ୍ତାର ଦେଇଥିଲା । ରିଲିଫ କ୍ୟାମ୍ପମାନଙ୍କ ନିକଟତର ହେବାପାଇଁ ଲୋକଙ୍କ ସ୍ଥାନାନ୍ତରଣ ବଢିଥିଲା । ବର୍ଷା କାରଣରୁ ଏନୋଫିଲିସ ମଶାଙ୍କ ବଂଶବୃଦ୍ଧି ଘଟେ ଏବଂ ଏହା ମହାମାରୀକୁ ଆହୁରି ବ୍ୟାପକ କରିଥାଏ ।
ମରୁଡି ପରେ ପରେ ଖାଦ୍ୟାନ୍ନର ଦରବୃଦ୍ଧି, ପ୍ରବାସ, ଖାଦ୍ୟପାଇଁ ଚୋରି ରାହାଜାନି ଆଦି ଅପରାଧ, ସଂଗଠିତ ଅପରାଧ ହେବା ସଙ୍ଗେସଙ୍ଗେ ଔପନିବେଶିକ ନୀତି ବିରୁଦ୍ଧରେ ମଧ୍ୟ ସ୍ୱର ଉଠିଲା ।
ଜଟିଳ ଏବଂ ବେଆଇନ ଜଙ୍ଗଲ ଆଇନଯୋଗୁଁ ଜାଳେଣୀ ପାଇଁ ମଧ୍ୟ କାଠର ଅଭାବ ରହିଲା । ଫଳରେ ଲୋକେ ଗୋରୁ ଗୋବରର ଛେନା (ଓ.ଘସି)କୁ ଜାଳେଣୀ ଭାବରେ ବ୍ୟବହାର କଲେ । ଯାହାର ପରିଣାମସ୍ୱରୂପ ଓଡ଼ିଶା ବିହାରରେ ଜମିପାଇଁ ଗୋବର ସାରର ଅଭାବ ଦେଖାଦେଲା । ଯାହା କୃଷି ଉପଜ ଉପରେ ପ୍ରଭାବ ପକାଇଲା ।
୫୦ବର୍ଷରେ ୨୪ଟି ମରୁଡି ଏବଂ ଏହାର ପ୍ରଭାବ ଫଳରେ ଲୋକେ କର୍ମଶୂନ୍ୟ ହୋଇଗଲେ । ଛପନସାଲ ମରୁଡି ଥିଲା ପରାଧିନ ଭାରତର ଅର୍ଥନୀତି ଉପରେ ଶେଷ ପ୍ରହାର । ଖାଦ୍ୟ ପାଇଁ କେବଳ ଶ୍ରୀଲଙ୍କା, ମରିସସ, ଗୁଏନା, ନାଟା ଆଦି ସ୍ଥାନକୁ ବୃକ୍ଷରୋପଣ ପାଇଁ ଭାରତୀୟମାନେ ଗଲେ । ବିଂଶ ଶତାବ୍ଦୀରେ ଏହିମାନେ ଥିଲେ ପ୍ରଥମ ଭାରତୀୟ କ୍ରୀତଦାସ । କାରଣ କ୍ରୀତଦାସ ପ୍ରଥା ଏତେବେଳକୁ ବେଆଇନ ଘୋଷିତ ହୋଇସାରିଥିଲା । ସେହିପରି ଓଡ଼ିଶାର ପଶ୍ଚିମକ୍ଷେତ୍ରରେ ୧୯୬୫-୬୬ ବଡମକାର ଥିଲା ଅଞ୍ଚଳର ଅର୍ଥନୀତି ଉପରେ ଶେଷ ପ୍ରହାର । ଏହାପରେ ପଳାୟନ ଆରମ୍ଭ ହୋଇଥିଲା । ଯାହାର ଗୋଟିଏ ଅଂଶ ଦାଦନ । ଯାହା ହଜାର ହଜାର କୋଟିର ଏକ ଶିଳ୍ପ ପ୍ରମାଣେ ବ୍ୟବସାୟ ହୋଇସାରିଛି । ନବ୍ୟ କ୍ରୀତଦାସ ପ୍ରଥା ସମୟରେ ଆମେ ବର୍ତ୍ତମାନ ବଞ୍ଚୁଅଛୁ ।
Comments
0 comments