ଏହି ଭିତରେ ବିଶ୍ୱରେ ଅନେକ ଘଟଣା ଘଟିଚାଲିଛି । ଭାରତରେ ମଧ୍ୟ ଘଟଣାର ବିବିଧତା କିଛି କମ୍ ନୁହଁ । କିଛି ଘଟଣା ଆମେ ଦେଖିଲେ ବି କେତେ ବୁଝିପାରୁଛେ ତାହା ଆମେ ନିଜେ ହିଁ କହିପାରିବା । ତେବେ ଗଣମାଧ୍ୟମ ଆମକୁ ଘଟଣାଗୁଡ଼ିକ ସମ୍ପର୍କରେ ଯେତେ ସରଳଭାବେ ବୁଝାଇବାକୁ ଚେଷ୍ଟା କରୁଛି, ଟିକିଏ ଭିତରକୁ ଗଲେ ସେ ସବୁ ସେତେ ସରଳ ଜଣାପଡ଼ୁନାହିଁ । ଘଟଣାଗୁଡ଼ିକୁ ବୁଝୁ ବା ନବୁଝୁ ଗୋଟିଏ କଥା କିନ୍ତୁ ସମାନ ରହୁଛି ଯେ ଆମେ ଉଦାସୀନତା ବିଳାସ ଭିତରୁ ବାହାରକୁ ବାହାରି ପାରୁନାହାଁନ୍ତି । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କର ବିଜୟ ହେଉ ବା କିଛି ଭାରତୀୟଙ୍କୁ ହାତ ଓ ପାଦରେ ଶିକୁଳି ଲଗାଇ ସାମରିକ ବିମାନଯୋଗେ ଆମେରିକାରୁ ଆଣି ଭାରତରେ ଫୋପାଡ଼ି ଦେବାକଥା ହେଉ ବା ନିଜ ଜୀବନର ସବୁ ପାପକୁ ଧୋଇ ପୁଣ୍ୟ ଅର୍ଜନ କରିବା ପାଇଁ ପ୍ରୟାଗରାଜ ମହାକୁମ୍ଭ ସ୍ଥଳକୁ ଦୌଡ଼ି ଦୌଡ଼ି ଅନେକ କଷ୍ଟ ସ୍ୱୀକାର କରି ‘ମୋକ୍ଷ’ ପ୍ରାପ୍ତି ନିମନ୍ତେ କଠିନ ପ୍ରୟାସକୁ ନେଇ ହେଉ (ଯେଉଁଠି ଯାତ୍ରା କଷ୍ଟ ଏବଂ ଦଳାଚକଟାରେ ଲୋକଙ୍କ ଜୀବନ ଯାଉଛି): ଆମେ ସବୁ କଥାରେ ସ୍ଥିତପ୍ରଜ୍ଞ ଅନ୍ତତଃ ନିଜର ସ୍ଥିତିଟା ଦୋହଲି ଗଲାଭଳି ଅବସ୍ଥା ନଆସିବା ଯାଏଁ । ତେବେ ଏହି ଉଦାସୀନତାର ପରିସ୍ଥିତିଟି କେବଳ ଭାରତୀୟମାନେ ଅନୁଭବ କରୁଛନ୍ତି ତାହା ନୁହଁ, ଏହା ଏବେ ସମଗ୍ର ବିଶ୍ୱରେ ଏକ ବାସ୍ତବତା ହୋଇଯାଇଛି । ବୈଷମ୍ୟ ଓ ଅସମାନତାରେ ଭରପୁର ଭାରତଭଳି ଗୋଟିଏ ଦେଶରେ ଏହାର ପ୍ରକୋପ ଓ ପ୍ରଭାବ କେବଳ ଢେର ଗୁଣା ଅଧିକ । ଯେତେବେଳେ ଜନଗଣ ଅଙ୍ଗେ ନିଭାଉଥିବା ସମସ୍ୟାଗୁଡ଼ିକ ପ୍ରତି ସମ୍ପୂର୍ଣ୍ଣ ଭାବେ ଉଦାସୀନତା ରହି କିଛି ମୁଷ୍ଟିମେୟ ଲୋକଙ୍କ ସ୍ୱାର୍ଥ ସାଧନ ପାଇଁ ରାଷ୍ଟ୍ରର କ୍ଷମତାକୁ ଦଖଲ କରାଯାଏ, ସେମାନଙ୍କର ଏହି ପ୍ରୟାସ ସବୁବେଳେ ରହେଯେ ଜନଗଣ ଯେମିତି ପରସ୍ପର ପ୍ରତି ତଥା ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ପ୍ରତି ଉଦାସୀନ ରହିବେ, ଯାହା ଫଳରେ କୌଣସି ସଂଗଠିତ ପ୍ରତିକ୍ରିୟା ବା ପ୍ରତିବାଦ ସମ୍ଭବପର ହେବ ନାହିଁ ।
ଆମେରିକାର ସାଧାରଣ ଜନଗଣଙ୍କ ପ୍ରତି ଭୟଙ୍କର ଭାବେ ଉଦାସୀନ ଥିବା ଡ଼ୋନାଲ୍ଡ଼୍ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚିତ ହେବାଠାରୁ ତାଙ୍କର କାର୍ଯ୍ୟକାଳ ପ୍ରତି କେବଳ ଆମେରିକାର ଜନଗଣ ନୁହଁ; ସମଗ୍ର ବିଶ୍ୱରେ ଏକ ଆଶଙ୍କାଭରା ଆବେଗ ରହିଆସିଛି । ଜାନୁଆରୀ ୨୦, ୨୦୨୫ରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାପରେ ସେ ନିଜକୁ ଜଣେ ‘ବିଶ୍ୱ ସମ୍ରାଟ’ ହିସାବରେ ଉପସ୍ଥାପିତ କରିବାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ସର୍ବସାଧାରଣରେ ସେ କହୁଥିବା କଥାଗୁଡ଼ିକୁ ଯଦି ଦେଖାଯାଏ ତେବେ ଏଭଳି ଏକ ଧାରଣା ଆସେ ଯେ ସେ ଇସ୍ରାଇଲ୍ ଓ ହମାସ୍ ଭିତରେ ଚାଲିଥିବା ସଂଘର୍ଷଟିକୁ ଗୋଟିଏ ମୁହୂର୍ତ୍ତରେ ବନ୍ଦ କରିଦେଇ ପାରିବେ । ସେହିଭଳି ସେ ନିର୍ଦ୍ଦେଶ ଦେଇ ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତତ୍କ୍ଷଣାତ ବନ୍ଦ କରିଦେଇ ପାରିବେ । ମୋଦୀଙ୍କୁ ‘ବିଶ୍ୱଗୁରୁ’ ହିସାବରେ ଦେଖିବା ପାଇଁ ଉକ୍ରଣ୍ଠାରେ ଥିବା ଭାରତୀୟମାନଙ୍କ ପାଇଁ ମୋଦୀଙ୍କ ପରମବନ୍ଧୁ କୁହାଯାଉଥିବା ଟ୍ରମ୍ପଙ୍କର ଉଚ୍ଚାରଣଗୁଡ଼ିକ ଏକ ରୋମାଞ୍ଚ ସୃଷ୍ଟି କରିଥାଏ । ହୁଏତ ଏଭଳି ଏକ ରୋମାଞ୍ଚର ଅନ୍ତ ପଡିନଥାନ୍ତା ଯଦି ଫେବୃଆରୀ ୫,୨୦୨୫ ଦିନ ଆମେରିକାରେ ରହିବା ପାଇଁ ଉପଯୁକ୍ତ କାଗଜପତ୍ର ନଥିବା କହି ୧୦୪ଜଣ ଭାରତୀୟଙ୍କୁ ଅତି ଦୟନୀୟଭାବେ ଏକ ସାମରିକ ବିମାନରେ ଆଣି ଅମୃତସର ବିମାନବନ୍ଦରରେ ଓହ୍ଲାଇ ଦିଆଯାଇ ନଥାନ୍ତା । ଟ୍ରମ୍ପ ଓ ମୋଦୀଙ୍କ ବନ୍ଧୁତ୍ୱକୁ ନେଇ ଏକ ଉନ୍ମାଦନା ଭିତରେ ରହୁଥିବା କୁହାଳିଆ ଭାରତୀୟମାନେ ହଠାତ୍ ନିରବ ହୋଇଯାଇଥିଲେ । ତେବେ ଟ୍ରମ୍ପଙ୍କ ପାଇଁ ଏଭଳି ପଦକ୍ଷେପ ଅସ୍ୱାଭାବିକ ନଥିଲା । ଟ୍ରମ୍ପ ରାଷ୍ଟ୍ରପତି ହେବା ପରେପରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ତତ୍କ୍ଷଣାତ ନେଇଛନ୍ତି । ସେ ପ୍ରଥମେ ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଥିବା ଜୋ.ବାଇଡ଼େନ୍ ଙ୍କର ୭୮ଟି ଆଦେଶକୁ ରଦ୍ଦ କରିଛନ୍ତି ବା ବଦଳାଇ ଦେଇଛନ୍ତି । ଆମେରିକାରେ ବୈଧ କାଗଜପତ୍ର ନଥାଇ ରହୁଥିବା ପ୍ରବାସୀ ମାନଙ୍କୁ ନିଜଦେଶକୁ ଫେରାଇବା, ଜଳବାୟୁ ପରିବର୍ତ୍ତନକୁ ଏକ ପ୍ରସଙ୍ଗ ନମାନି କିଛି ନିଷ୍ପତ୍ତି ନେବା ଏବଂ ବର୍ଣ୍ଣଗତ ସମାନତା ଆଣିବା ପାଇଁ ସେ ଦେଶରେ ଚାଲିଥିବା ନୀତିକୁ ପ୍ରତ୍ୟାଖ୍ୟାନ କରିବା ଇତ୍ୟାଦି ବିଶ୍ୱ ଜନଗଣଙ୍କର ଦୃଷ୍ଟି ଆକର୍ଷଣ କରିଛି । ପ୍ରବାସୀମାନଙ୍କର ସନ୍ତାନ ଜନ୍ମହେଲେ ଯେଉଁ ଜନ୍ମଗତ ନାଗରିକତା ତାଙ୍କୁ ମିଳିଥାଏ ତାକୁ ମଧ୍ୟ ସେ ରଦ୍ଦ କରିଛନ୍ତି । ଏହାର ପ୍ରଭାବ କେବଳ ଭାରତୀୟ କାହିଁକି ପ୍ରାୟ ସବୁ ପ୍ରବାସୀମାନଙ୍କ ଉପରେ ପଡ଼ିବ । ଟ୍ରମ୍ପ ନିଜର ପ୍ରଥମ ଶାସନ ବେଳେ ପଡ଼ୋଶୀ ଦେଶ ମେକ୍ସିକୋ ପ୍ରତି ଯେଉଁ ଉଗ୍ର ଆଭିମୁଖ୍ୟ ରଖିଥିଲେ, ତାକୁ ପୁଣି ଦୋହରାଇଛନ୍ତି । ସେ ଆମେରିକାର ଦକ୍ଷିଣ ସୀମାରେ ମେକ୍ସିକୋକୁ ଲାଗିଥିବା ଅଞ୍ଚଳଗୁଡ଼ିକରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଜାରୀକରି ‘ଅନୁପ୍ରବେଶକାରୀ’ମାନଙ୍କୁ ଅଟକାଇବା ବାହାନାରେ ସୁରକ୍ଷା ବାହିନୀ ନିୟୋଜିତ କରିଛନ୍ତି । ବଳପୂର୍ବକ ଲୋକମାନଙ୍କୁ ଗିରଫକରି ଜେଲ୍ରେ ରଖାଯାଉଛି ବା ଦେଶାନ୍ତର କରିଦିଆଯାଉଛି । ଯେଉଁ ୧୦୪ଜଣ ଭାରତୀୟଙ୍କୁ ବଳପୂର୍ବକ ଆଣି ଅମୃତସରରେ ଛଡ଼ାଯାଇଥିଲା ସେଥିରେ ଇଂଲଣ୍ଡରେ ପାଠପଢ଼ୁଥିବା ଜଣେ ଭାରତୀୟ ଛାତ୍ରୀ, ଯେ କେବଳ ବୁଲିବା ପାଇଁ ମେକ୍ସିକୋ ଯାଇଥିଲେ ତାଙ୍କୁ ମଧ୍ୟ ସେଥିରେ ସାମିଲ୍ କରାଯାଇଛି । ଆହୁରି କିଛି ପ୍ରତିକ୍ରିୟାଶୀଳ ପଦକ୍ଷେପ ଟ୍ରମ୍ପ ନେଇଛନ୍ତି ସେସବୁ ଭିତରେ ଅଛି ମୃତୁ୍ୟଦଣ୍ଡ ବ୍ୟବସ୍ଥାର ପୁନଃପ୍ରଚଳନ କରିବା, ଶରଣାର୍ଥମାନଙ୍କୁ ଆମେରିକାରେ ପ୍ରବେଶ କରାଇନଦେବା, ନିଶା କାରବାର କରୁଥିବା ଗୋଷ୍ଠୀଙ୍କୁ ଆତଙ୍କବାଦୀ ଘୋଷଣା କରିବା, ସରକାରୀ ଚାକିରିରୁ କର୍ମଚାରୀମାନଙ୍କୁ ସହଜରେ ବହିଷ୍କାର କରିବା, ଆମେରିକାକୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ ନିୟମକୁ କଡ଼ାକଡ଼ି ପାଳନ କରିବା, ଆମେରିକା ଦେଉଥିବା ଅନୁଦାନ ଗୁଡ଼ିକୁ ତିନିମାସ ପାଇଁ ବନ୍ଦ ରଖିବା ଇତ୍ୟାଦି । କୌତୁହଳର କଥା ଯେ ଗତଥର ରାଷ୍ଟ୍ରପତି ନିର୍ବାଚନରେ ହାରିଯିବା ପରେ ତାଙ୍କର ସମର୍ଥକମାନେ ପରାଜୟକୁ ଗ୍ରହଣ ନକରି ‘କ୍ୟାପିଟାଲ ହିଲ୍’ (ଯେଉଁଠି ଆମେରିକାର ପ୍ରଶାସନ ଏବଂ ସଂସଦ କାର୍ଯ୍ୟ କରିଥାଏ) ଦଖଲ କରିବା ପାଇଁ ଯେଉଁ ହିଂସ୍ର ପ୍ରୟାସ କରିଥିଲେ ଏବଂ ଆଇନଗତ ମାମଲାରେ ଛନ୍ଦି ହୋଇଯାଇଥିଲେ ସେମାନଙ୍କୁ ଟ୍ରମ୍ପ କ୍ଷମାପ୍ରଦାନ କରିଛନ୍ତି । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକାକୁ ବାହାର କରି ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ସଙ୍କଟ ସୃଷ୍ଟି କରିଛନ୍ତି । ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଯେଉଁ ପ୍ୟାରିସ୍ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ସେଥିରୁ ମଧ୍ୟ ସେ ଅବ୍ୟାହତ ନେଇଛନ୍ତି ।
ଟ୍ରମ୍ପ ଯେ କେବଳ ବ୍ୟବସାୟ, ଲାଭ ଏବଂ କମ୍ପାନୀ ତନ୍ତ୍ରର ପରିଆରା ପ୍ରତିଷ୍ଠା ଛଡ଼ା ଅନ୍ୟ କୌଣସି କଥା ଭାବନ୍ତି ନାହିଁ ଏହି କଥାର ପ୍ରମାଣ ସେ ଅନେକବାର ଦେଇସାରିଛନ୍ତି । ଠିକ୍ ତାଙ୍କଭଳି ଏକ ବ୍ୟକ୍ତିତ୍ୱ ମୋଦୀଙ୍କ ସହ ତଥାକଥିତ ବନ୍ଧୁତ୍ୱ ହୁଏତ ଟ୍ରମ୍ପଙ୍କର କୌଣସି ନିଷ୍ପତ୍ତିରେ ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ ଏବଂ ସବୁକଥା ଗୁଡ଼ିକ ମୋଦୀ ଶାସନ ସହଜରେ ଗ୍ରହଣ କରିନେବେ ଏହିକଥା ଉଭୟ ନେତା ଭଲଭାବେ ଜାଣିଛନ୍ତି । ମୋଦୀଙ୍କର ନାଟକୀୟ (ନାଟକୀୟ ଏହିଥିପାଇଁଯେ ଟ୍ରମ୍ପ ସପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ଆମନ୍ତ୍ରଣ କରିନଥିଲେ ଆମେରିକା ଯାଇ ଆମ ବୈଦେଶୀକ ମନ୍ତ୍ରୀ ଜୟଶଙ୍କରଙ୍କର ପ୍ରଚେଷ୍ଟାପରେ ମୋଦୀଙ୍କ ଆମେରିକା ଯିବା ସମ୍ଭବ ହୋଇଥିଲା) ଆମେରିକୀୟ ଗସ୍ତ ଯେ ଦୁଇଦେଶର ଜନଗଣଙ୍କ ପାଇଁ ଉଦ୍ଦିଷ୍ଟ ନୁହଁ ଏହି କଥା ସମସ୍ତ ପୂର୍ବ ଘଟଣାବଳୀଗୁଡ଼ିକ ଦେଖିଲେ ଆମେ ବୁଝିପାରିବା । ନିଜର କିଛି ଦେଶବାସୀ ଆମେରିକାରୁ ବିତାଡ଼ିତ ହେବା ଏବଂ ସେମାନଙ୍କୁ ବଳପୂର୍ବକ ଆଣି ପଞ୍ଜାବର ଅମୃତସରରେ ଛାଡ଼ିଦେବା କଥାଟି ଭାରତୀୟମାନଙ୍କୁ ହୁଏତ ସାମୟିକଭାବେ କଷ୍ଟ ଦେଇଥାଇପାରେ, ତେବେ ସେମାନେ ଯେତେବେଳେ ଜାଣୁଛନ୍ତିଯେ ଏହା ପୂର୍ବରୁ ପ୍ରଥମେ ଆମେରିକାରେ ରହୁଥିବା ପ୍ରବାସୀ ବ୍ରାଜିଲ୍ ଦେଶର କିଛି ଲୋକଙ୍କୁ ଜାନୁଆରୀ ୨୭,୨୦୨୫ଦିନ ସେଭଳି ବଳପୂର୍ବକ ଭାବେ ହାତଗୋଡ଼ ବାନ୍ଧି ସାମରିକ ବିମାନଯୋଗେ ନେଇ ବଳପୂର୍ବକ ତାଙ୍କ ଦେଶରେ ଛାଡ଼ି ଦିଆଯାଇଥିଲା, ସେଥିରୁ ସେମାନେ ହୁଏତ ବୁଝିପାରିବେ ଯେ ଆମେରିକା ଆଖିରେ ଅବଶିଷ୍ଟ ବିଶ୍ୱର ସାଧାରଣ ମଣିଷମାନେ ଦ୍ୱିତୀୟ ବା ତୃତୀୟ ଶ୍ରେଣୀର ନାଗରିକ । ଏଠି ଗୋଟିଏ କଥା କହିବା ଉଚିତ୍ ହେବ ଯେ ପ୍ରବାସୀମାନଙ୍କୁ ନିଜ ଦେଶକୁ ଫେରାଇବା ବା ଆମେରିକାରେ ‘ଅବୈଧ’ ଭାବେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇଦେବା ଘଟଣା କିଛି ନୂଆ ନୁହଁ ବା ପ୍ରଥମଥର ପାଇଁ ଘଟିନାହିଁ । ପ୍ରଥମଥର ପାଇଁ କେବଳ ସାମରିକ ବିମାନ ବ୍ୟବହାର କରାଯାଇଛି । ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କରଙ୍କର ସଂସଦରେ ଦିଆଯାଇଥିବା ବକ୍ତବ୍ୟକୁ ଦେଖିଲେ ଜଣାପଡ଼େ ଯେ ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟମାନଙ୍କ ଭିତରୁ ୨୦୦୯ ମସିହାରୁ ଏଯାବତ୍ ୧୫ହଜାର ୭ଶହ ୫୬ଜଣ ଭାରତୀୟଙ୍କୁ ଆମେରିକା ସ୍ୱଦେଶ ଫେରାଇଦେଇଛି । ତେବେ କୌଣସି ଘଟଣାରେ ନାଟକୀୟତା ବା ଜଘନ୍ୟ ବ୍ୟବହାରର ଦୃଷ୍ଟାନ୍ତ ନଥିଲା । ୨୦୧୯ ମସିହାରେ ସର୍ବାଧିକ ୨ହଜାର ୪୨ଜଣ ଭାରତୀୟଙ୍କୁ ଆମେରିକା ନିଜ ଦେଶକୁ ଫେରାଇ ଦେଇଥିଲା । ବିଭିନ୍ନ ଏଜେଣ୍ଟ ମାନଙ୍କ ଜାଲରେ ପଡ଼ି ଅତି କଠିନ ପଥରେ କଠୋର ଯାତ୍ରାକରି ଆମେରିକାରେ ପ୍ରବେଶ କରିବାର ପ୍ରବଣତା କିଛି ଭାରତୀୟମାନଙ୍କ ଭିତରେ ଭର୍ତ୍ତି କରିଦିଆଯାଇଛି । ଆମେରିକାର ସରକାରୀ ଅଧିକାରୀଙ୍କର ଆକଳନରେ କେବଳ ୨୦୨୩-୨୪ରେ ଆମେରିକାରେ ପ୍ରବେଶ କରିବା ପାଇଁ ଭାରତୀୟ ନାଗରିକମାନେ ୯୦ହଜାର ୪ଶହ ୧୫ଥର ଅସଫଳ ଉଦ୍ୟମ କରିଥିଲେ । ବେଆଇନ୍ ଭାବେ ଆମେରିକାରେ ପ୍ରବେଶ କରୁଥିବା ସବୁ ଦେଶର ନାଗରିକମାନଙ୍କ ଭିତରେ ଭାରତୀୟମାନଙ୍କର ସଂଖ୍ୟା ହେଉଛି ଶତକଡ଼ା ୩ଭାଗ ଏବଂ ଏହି ପକ୍ରିୟା ଅନେକ ବର୍ଷଧରି ଜାରିରହିଛି । ସେଥିପାଇଁ ହୁଏତ ଫେବୃଆରୀ ୧୧,୨୦୨୫ଦିନ ୧୦୪ଭାରତୀୟ ଆମେରିକାରୁ ବିତାଡ଼ିତ ହେବା ଘଟଣାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍ କହିଥିଲେ ଯେ ଏଥିସହିତ ଜଡ଼ିତ ପ୍ରସଙ୍ଗଟିକୁ ଭାରତ ଆମେରିକୀୟ ପ୍ରଶାସନକୁ ‘କୋମଳତା’ର ସହ ଜଣାଇବାକୁ ପଡ଼ିବ ।
ପ୍ରଶ୍ନ ଆସିପାରେ ଏତେ ସଂଖ୍ୟାରେ ଭାରତୀୟ ବିଦେଶମୁହାଁ କାହିଁକି ହେଉଛନ୍ତି ଯେତେବେଳେ କି ଆମେ ଦାବି କରୁଛେଯେ ଭାରତ ‘ବିଶ୍ୱଗୁରୁ’ ହୋଇସାରିଲାଣି ବା ହେବା ପଥରେ ଅଛି? ପ୍ରଶ୍ନ ବି ଆସିପାରେ ଯେ ପ୍ରବାସୀ ଭାରତୀୟମାନେ ଏଭଳି ଏକ ଅବସ୍ଥାରେ ଫେରିବା କଥାଟିର ସୂଚନା କ’ଣ ଟ୍ରମ୍ପଙ୍କର ପରମବନ୍ଧୁ ମୋଦୀଙ୍କ ପାଖରେ ନଥିଲା ! ନିଜ ଲୋକଙ୍କୁ ସୁବିଧାରେ ଫେରାଇ ଆଣିବାର ପ୍ରୟାସ ଆମ ସରକାର ନିଜେ କଲେ ନାହିଁ କାହିଁକି? ଭାରତୀୟମାନେ ବିଦେଶ ଚାଲିଯିବା ବା ଆମେରିକା ଯିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବା ପଛରେ ଗୋଟିଏ ନୁହଁ; ଅନେକ କାରଣ ରହିଥାଇପାରେ । ତେବେ ଦେଶାନ୍ତର ବିଶ୍ୱରେ ଏକ ପ୍ରାଚୀନ ଶବ୍ଦ । ଇତିହାସର ବିଭିନ୍ନ ସମୟରେ ଗୋଟିଏ ଭୂଖଣ୍ଡରୁ ଆଉଗୋଟିଏ ଭୂଖଣ୍ଡ ଯିବାକଥାର ଅନେକ ଦୃଷ୍ଟାନ୍ତ ରହିଛି । ଏମିତିକି ଭାରତ ଭୂଖଣ୍ଡରେ ଯେଉଁମାନେ ରହିଛନ୍ତି, ଆଦିବାସୀମାନଙ୍କୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶଙ୍କର ପୂର୍ବଜମାନେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସି ଏଠାରେ ବସବାସ କରି ରହିଛନ୍ତି । ଅଧିକ ପ୍ରାଚୁର୍ଯ୍ୟର ଆଶାରେ କିଏ ବିଦେଶ ଯାଉଥିବା ବେଳେ, ଆଉ କିଏ ଭଲରେ ବଞ୍ଚିବାର ସ୍ୱପ୍ନଦେଖି ଯାଉଛି । କିଛି ଅପରାଧୀ ମଧ୍ୟ ଆଇନ ଆଖିରୁ ଖସିଯିବା ପାଇଁ ଦେଶ ଛାଡ଼ି ଯାଇଥାନ୍ତି । ଆଇନକୁ ସମ୍ମାନ ଦେଉଥିବା କିଛି ଭାରତୀୟ ନିଜପାଇଁ ଅନେକ ପ୍ରାଚୁ୍ୟର୍ଯ୍ୟ ଯୋଗାଡ଼ କରିସାରିବା ପରେ ମଧ୍ୟ ତାକୁ ଏକାନ୍ତରେ ଉପଭୋଗ କରିବା ପାଇଁ ଦେଶଛାଡ଼ି ଚାଲିଯାଉଛନ୍ତି । ହେନ୍ଲି ପ୍ରାଇଭେଟ୍ ୱେଲ୍ଥ୍ ରିପୋର୍ଟ ଅନୁଯାୟୀ ୨୦୨୩ରେ ୫ହଜାର ୧ଶହ କୋଟିପତି ଭାରତୀୟ ଦେଶ ଛାଡ଼ି ଯାଇଛନ୍ତି । ୨୦୨୪ରେ ସେମାନଙ୍କ ସଂଖ୍ୟା ୪ହଜାର ୩ଶହ ହେବ ବୋଲି ଆକଳନ କରିଥିଲେ । ଗତ ୧୪ବର୍ଷ ଭିତରେ ୧୬ଲକ୍ଷ ଭାରତୀୟ ସେମାନଙ୍କର ଭାରତୀୟ ନାଗରିକତା ସମର୍ପଣ କରି ବିଦେଶ ଯାଇଛନ୍ତି । କେବଳ ୨୦୨୩ରେ ସେମାନଙ୍କର ସଂଖ୍ୟା ଥିଲା ୨ଲକ୍ଷ ୨୫ହଜାର ୬୨୦ (ପ୍ରଭୁ ଚାୱାଲା, ଦି ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଡ଼ିସେମ୍ବର ୨୯, ୨୦୨୪) ଗୋଟିଏ ପଟେ ଧନୀ ଭାରତୀୟମାନେ ଦେଶ ଛାଡ଼ି ଚାଲିଯାଉଥିବା ବେଳେ, ଭଲରେ ରହିବା ବା ଭଲ ଜୀବିକାର ଅନ୍ୱେଷଣରେ ମଧ୍ୟ ଭାରତୀୟମାନେ ଦେଶ ଛାଡ଼ି ଯାଉଛନ୍ତି । ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଦେଶାନ୍ତର ରିପୋର୍ଟ ୨୦୨୪ ଅନୁଯାୟୀ ଭାରତ ବିଶ୍ୱରେ ସବୁଠାରୁ ବେଶି ପ୍ରବାସୀ ଅନ୍ୟ ଦେଶକୁ ପଠାଉଛି । ଏମାନଙ୍କ ସଂଖ୍ୟା ବିଶ୍ୱରେ ୧କୋଟି ୮୦ଲକ୍ଷ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଆମେରିକାରେ ବୈଧଭାବେ ରହୁଥିବା ଭାରତୀୟଙ୍କ ସଂଖ୍ୟା ୨୦୨୪ ମସିହା ସୁଦ୍ଧା ୫୪ଲକ୍ଷ ଥିଲା ଯାହାକି ଆମେରିକାର ଜନସଂଖ୍ୟାର ମାତ୍ର ୧.୬ ପ୍ରତିଶତ । ତେବେ ଅବୈଧଭାବେ ଆମେରିକାରେ ୭ଲକ୍ଷରୁ ଉର୍ଦ୍ଧ ଭାରତୀୟ ରହୁଥିବା କଥା ପିୟୁ (ଚରଙ୍ଗ) ଗବେଷଣା କେନ୍ଦ୍ରର ତଥ୍ୟ କହୁଛି । ଅବୈଧ ଉପାୟରେ ରହୁଥିବା ଭାରତୀୟମାନଙ୍କ ଭିତରୁ ୨୪ହଜାର ଏବେ ସେଠାକାର ଜେଲ୍ ମାନଙ୍କରେ ଅଛନ୍ତି । ଏମାନଙ୍କ ଭିତରୁ ଅଧିକାଂଶ କେବଳ ଭଲ ଜୀବିକା ଅନ୍ୱେଷଣରେ ଆମେରିକା ଯାଇଥିଲେ । ଏବେ ଶୁଣିବାକୁ ମିଳୁଛି ଯେ ୧୧୯ଜଣ ‘ଅବୈଧ’ ପ୍ରବାସୀ ଭାରତୀୟଙ୍କୁ ନେଇ ପୁଣି ଏକ ଆମେରିକୀୟ ସାମରିକ ବିମାନ ଫେବୃଆରୀ ୧୬ରେ ଅମୃତସର ଠାରେ ପହଞ୍ଚିବ ।
ଯେତେବେଳେ ଆମେରିକାର ସରକାର ଅପେକ୍ଷାକୃତ ଗଣତାନ୍ତ୍ରିକ ଶକ୍ତିମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା, ସେତେବେଳେ ପ୍ରବାସୀମାନଙ୍କ ପ୍ରତି ଏକପ୍ରକାର ଉଦାର ମନୋଭାବ ରଖାଯାଇଥିଲା । ଯେତିକି ପ୍ରବାସୀ ଆମେରିକୀୟ ଅଛନ୍ତି ତାହା ଆମେରିକାର କ୍ଷେତ୍ରଫଳକୁ ଦେଖିଲେ ଅତି ନଗନ୍ୟ । ଆମେରିକା ଏକ ବିଶାଳ ଦେଶ ଯେଉଁଠି ପ୍ରତି ବର୍ଗ କିଲୋମିଟରେ ମାତ୍ର ୩୮ଜଣ ବାସ କରନ୍ତି, ଯେତେବେଳେ କି ଭାରତରେ ପ୍ରତିବର୍ଗ କିଲୋମିଟରେ ୪୮୩ଜଣ ବାସ କରନ୍ତି । ପାକିସ୍ଥାନରେ ଏହି ସଂଖ୍ୟାଟି ୩୩୧ ଥିଲା ବେଳେ, ଚୀନ୍ ରେ ପ୍ରତି ବର୍ଗ କି.ମିରେ ମାତ୍ର ୧୫୧ଜଣ ବାସ କରନ୍ତି । ସେହି ଦୃଷ୍ଟିରୁ ପ୍ରବାସୀମାନେ ଯେ ଆମେରିକାର ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସୃଷ୍ଟି କରୁଛନ୍ତି, ତାହା ନୁହଁ । ପ୍ରବାସୀମାନେ ହିଁ ଦିନେ ୟୁରୋପରୁ ଯାଇ ବିଶାଳ ଦକ୍ଷିଣ ଓ ଉତ୍ତର ଆମେରିକା ମହାଦେଶର ମୂଳ ଅଧିବାସୀମାନଙ୍କୁ ଦମନ କରି ବା ନିଶ୍ଚିହ୍ନ କରି ସେଠି ତଥାକଥିତ ଏକ ସଭ୍ୟତା ପ୍ରତିଷ୍ଠା କରିଥିଲେ ଯାହାର ଦାୟାଦମାନେ ଆଜି ଆମେରିକାକୁ ଶାସନ କରୁଛନ୍ତି । ଯଦି କେବେ ଆମେରିକା ସତରେ ମହାନ୍ ଥିଲା ତେବେ ତାହାର ପୃଷ୍ଠଭୂମିରେ ରହିଥିଲେ ଏବଂ ରହିଆସିଛନ୍ତି ପ୍ରବାସୀମାନେ । ଆମେରିକା ଏବଂ କାନାଡ଼ା (ଯେଉଁଠି ପ୍ରତି ବର୍ଗ କି.ମିରେ ମାତ୍ର ୪ରୁ ୫ଲୋକବାସ କରୁଛନ୍ତି) ଅନ୍ୟ ଦେଶର ଲୋକମାନଙ୍କୁ ନେଇ ଥଇଥାନ କରିବାରେ କିଛି ଅସୁବିଧା ନାହିଁ । କାନାଡ଼ା ତ ଏମିତିରେ କିଛିବର୍ଷ ତଳେ ପ୍ରବାସୀମାନଙ୍କୁ ସେଠି ବସବାସ କରିବାକୁ ଆମନ୍ତ୍ରଣ କରୁଥିଲା । ଟ୍ରମ୍ପ ପ୍ରଶାସନର କଠୋର ପ୍ରବାସୀ ବିରୋଧି ନୀତିଯୋଗୁଁ ଆମେରିକା ପୁଣିଥରେ ଯେ ମହାନ ହେବ (Make America Great Again) ତାହା ମୋଦୀ ଶାସନରେ ଭାରତ ଯେଉଁଭଳି ବିଶ୍ୱଗୁରୁ ହେବାକୁ ଯାଉଛି କଥାଟିର ସଠିକ୍ ବିଶ୍ଳେଷଣ କଲେ ଜାଣିପାରିବା ।
ଆମେରିକାର ଅଧପତନ ଯେ ଆରମ୍ଭ ହୋଇସାରିଛି ତାହା ବିଶ୍ୱର ରାଜନୀତି ଅର୍ଥନୀତିକୁ ପରଖିଲା ବେଳେ ଆପଣାଛାଏଁ ଜଣାପଡ଼ୁଛି । ଯେଉଁ ବିକାଶର ଢାଞ୍ଚା ଆମେରିକା ବିଶ୍ୱ ଉପରେ ଲଦିଦେଇ ଆସିଛି ତାହାର ପରିଣାମ ନିଜେ ଏବେ ସେମାନେ ଭୋଗ କରୁଛନ୍ତି । ଆମେରିକାରେ ମୁଣ୍ଡପିଛା ରାଷ୍ଟ୍ରୀୟ ଋଣଭାର ଜାନୁଆରୀ ୩୧,୨୦୨୫ ସୁଦ୍ଧା ୧ଲକ୍ଷ ୪ହଜାର ୬୦ ଡଲାରରେ ପହଞ୍ଚôଛି । ୨୦୨୪ସୁଦ୍ଧା ଆମେରିକା ରାଷ୍ଟ୍ରର ଖାଉଟି ଋଣଭାର ୧୭.୯୪୩ ଟ୍ରିଲିୟନ ଡଲାରରେ ପହଞ୍ଚି ସାରିଥିଲା । ଗୋଟିଏ ଟି୍ରଲିୟନର ମୂଲ୍ୟ ୧ହଜାର ବିଲିୟନ । ଗୋଟିଏ ବିଲିୟନର ମୂଲ୍ୟ ୧ଶହ କୋଟି । ଆଜିର ଦିନରେ ଗୋଟିଏ ଆମେରିକୀୟ ଡଲାର ମୂଲ୍ୟ ୮୬ଟି ଭାରତୀୟ ଟଙ୍କା । ନିଜେ ହିସାବ କଲେ ଜାଣିପାରିବେ ଯେ ବିଶ୍ୱର ମହାନ୍ ରାଷ୍ଟ୍ର କୁହାଯାଉଥିବା ଆମେରିକାର ଋଣଭାର କେତେ! ତେବେ ଏହି ଋଣଭାର ଯୋଗୁଁ କର୍ପୋରେଟ ରାଷ୍ଟ୍ରପତିମାନେ ସବୁକ୍ଷେତ୍ରରେ ସରକାରୀ ଖର୍ଚ୍ଚ କମାଇବା ପାଇଁ ପ୍ରଥମ ପଦକ୍ଷେପ ନେବେ କିନ୍ତୁ ପ୍ରଚୁର ଲାଭ ଯୋଗାଡ଼ କରିଚାଲିଥିବା ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ଦିଆଯାଉଥିବା ସୁବିଧା ବା ସେମାନଙ୍କ ଲାଭାଂଶରୁ କିଛିଭାଗ ରାଷ୍ଟ୍ରକୁ ଦେବା ପାଇଁ ବାଧ୍ୟକରି ପାରିବେ ନାହିଁ । ସବୁ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଗବେଷଣା ସେଥିପାଇଁ ଭୟଙ୍କର ଭାବେ ପ୍ରଭାବିତ ହେବ ଏବଂ ଏଥିରେ ନିୟୋଜିତ ଥିବା ଭାରତୀୟଙ୍କ ସମେତ ଲକ୍ଷଲକ୍ଷ ଅନ୍ୟ ବୈଧଭାବେ ରହୁଥିବା ପ୍ରବାସୀମାନଙ୍କୁ ସ୍ୱଦେଶକୁ ଫେରିବାକୁ ପଡ଼ିବ । କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଏହି କାମଟିକୁ ଅଧିକ ସହଜ କରିଦେବ ।
ଭାରତରେ ଗତ ୧୧ବର୍ଷ ଭିତରେ ମୋଦୀ ସରକାର ଯେଉଁଭଳି ଭାବେ ଅନୁଦାନ ହ୍ରାସକରି ସମାଜବିଜ୍ଞାନର ଗବେଷଣା ଓ ବୈଜ୍ଞାନିକ ଗବେଷଣା କ୍ଷେତ୍ରକୁ ଦୁର୍ବଳ କରିଚାଲିଛନ୍ତି ଭାରତର ବିଦ୍ୱାନ ଓ ବୈଜ୍ଞାନିକମାନେ ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାରେ ଆମେରିକାମୁହାଁ ହେବାପାଇଁ ବାଧ୍ୟ ହୋଇଛନ୍ତି । ଏବେ ଏମାନେ ସମସ୍ତେ ଏକ ଭୟଙ୍କର ଆଶଙ୍କା ଆଡ଼କୁ ଠେଲି ହୋଇଯାଇଛନ୍ତି । ନିଜ ଦେଶର ସରକାରଟା ଯେ ଏମାନଙ୍କର ସୁରକ୍ଷାପାଇଁ ଆଗଭର ହେବ ତାହାର ପ୍ରମାଣ ଏଯାଏଁ ମିଳିନାହିଁ । ପ୍ରଥମେ ଫେବୃଆରୀ ୫ ଓ ପରେ ଫେବୃଆରୀ ୧୬,୨୦୨୫ରେ ଆମେରିକାରୁ ବଳପୂର୍ବକ ଧରାହୋଇ ଭାରତକୁ ସାମରିକ ବିମାନ ଯୋଗେ ଆଣି ପ୍ରଥମେ ୧୦୪ ଏବଂ ପରେ ୧୧୯ଭାରତୀୟଙ୍କୁ ଯେଉଁଭଳି ଭାବେ ପହଞ୍ଚାଇ ଦିଆଗଲା, ମୋଦୀ ସରକାର ସବୁ ଜାଣିସୁଦ୍ଧା କିଛି ଆଗୁଆ ପଦକ୍ଷେପ ନ ନେବାଟା ସ୍ପଷ୍ଟଭାବେ ଇଙ୍ଗିତ କରୁଛିଯେ ସରକାର ଏମାନଙ୍କ ପଛରେ ଛିଡ଼ାହେବେ ନାହିଁ । ଦ୍ୱିତୀୟ ଘଟଣାଟି ଅଧିକ ସାଙ୍ଘାତିକ । ଏହି ବଳପୂର୍ବକ ପ୍ରତ୍ୟାବର୍ତ୍ତନ ପକ୍ରିୟା ଚାଲିଥିବାବେଳେ ଉଭୟେ ଟ୍ରମ୍ପ ଓ ମୋଦୀ ଅନେକ ନାଟକୀୟତା ଭିତରେ ପରସ୍ପରକୁ ଆଲିଙ୍ଗନ କରୁଥିଲେ । ଉଭୟେ ଟ୍ରମ୍ପ୍ ଓ ମୋଦୀ ଗୋଟିଏ ବିଚାରଧାରାର ପ୍ରତୀକ: ସାମ୍ପ୍ରଦାୟିକ, ସଙ୍କୀର୍ଣ୍ଣ ଓ ବ୍ୟବସାୟିକ ସାମ୍ରାଜ୍ୟବାଦର ପ୍ରତିଷ୍ଠା ପାଇଁ ସେମାନେ ଉତ୍ସର୍ଗୀକୃତ ଦୂତଭାବେ କାମକରନ୍ତି । ସେହି ଦୃଷ୍ଟିରୁ ଆମେରିକା ଓ ଭାରତର ସାଧାରଣ ମଣିଷମାନେ ସେମାନଙ୍କ ବନ୍ଧୁତ୍ୱରୁ କିଛି ପାଇବାର ସମ୍ଭାବନା ବି ନାହିଁ । ଅବଶ୍ୟ ଲାଭବାନ ହେବେ ଗୋଟିଏ ଗୋଷ୍ଠି ଯେଉଁମାନେ ଆଜି ଲୋକଙ୍କ ଲୁହ ଓ ରକ୍ତରେ ନିଜର ଏବଂ ନିଜର ଭବିଷ୍ୟତ ବଂଶଧର ମାନଙ୍କର ପ୍ରାଚୁର୍ଯ୍ୟ ନିର୍ମାଣ କରିଚାଲିଛନ୍ତି । ବରଂ ଉଭୟ ଦେଶରେ ଭିନ୍ନମତ, ପ୍ରତିବାଦ ଏବଂ ପରିବର୍ତ୍ତନର ପ୍ରୟାସଗୁଡ଼ିକୁ ଅଧିକ ସଂକଟଦେଇ ଯିବାକୁ ପଡ଼ିବ । ବହୁ ପୂର୍ବରୁ ଆମେରିକୀୟ ଗଣତନ୍ତ୍ରକୁ ‘ଏକ କମ୍ପାନୀମାନଙ୍କର, କମ୍ପାନୀମାନଙ୍କ ଦ୍ୱାରା ଏବଂ କମ୍ପାନୀମାନଙ୍କ ପାଇଁ ଗଣତନ୍ତ୍ର’ ବୋଲି କୁହାଯାଇଛି । ମୋଦୀ ଓ ଟ୍ରମ୍ପଙ୍କର ବନ୍ଧୁତ୍ୱ ହୁଏତ ଭାରତୀୟ ଗଣତନ୍ତ୍ରକୁ ସେହି ରାସ୍ତାରେ ନେବାପାଇଁ ପ୍ରୟାସ କରିବ! ଏଭଳି ଏକ ପରିସ୍ଥିତିକୁ ଆମେ କେମିତି ମୁକାବିଲା କରିବା ତାହା ଭାରତୀୟମାନଙ୍କୁ ଚିନ୍ତା କରିବାକୁ ପଡ଼ିବ । ‘ମହାକୁମ୍ଭ ମେଳା’ରେ ‘ମହାସ୍ନାନ’କରି ଆମସଂଖ୍ୟା ୫୦କୋଟି ଟପିଲେ ବି ଆମେ ସେଭଳି କୌଣସି ‘ଦିବ୍ୟଜ୍ଞାନ’ ପାଇପାରିବା ନାହିଁ ଯାହା ଆମକୁ ଏବଂ ଆମ ଭବିଷ୍ୟତର ପିଲାମାନଙ୍କୁ ଏଭଳି ଏକ ଭୟଙ୍କର ସ୍ଥିତିରୁ ମୁକୁଳିବାରେ ସହାୟକ ହେବ ।
Comments
0 comments