ଜନଆନ୍ଦୋଳନ, ସମ୍ବିଧାନ, ଦମନ

ସମାଜବାଦୀ ନେତା ଡକ୍ଟର ରାମମନୋହର ଲୋହିଆ କହୁଥିଲେ ଯେ “ଅଗର ସଡ଼କେଁ ଖାମୋସ ହୋ ଜାଏ ତୋ ସଂସଦ ଆୱରା ହୋ ଜାଏଗୀ” ଅର୍ଥାତ୍ ଯଦି ସଡ଼କ ନୀରବ ହୋଇଯାଏ, ତାହାହେଲେ ସଂସଦ ବେପରୁଆ, ଲକ୍ଷ୍ୟହୀନ ହୋଇଯିବ । ସଡ଼କ ନୀରବ ନ ହେବା ଅର୍ଥ ସାମାଜିକ ସମସ୍ୟାକୁ ନେଇ ଅନବରତ ଆନ୍ଦୋଳନ ସଡ଼କଉପରେ ଚାଲିବା, ସଂସଦ ବା ବିଧାନସଭାର ସମ୍ମୁଖରେ ଚାଲିବା । ଏବଂ ଏହା ସମ୍ବିଧାନସମ୍ମତ । ସମ୍ବିଧାନର ଧାରା ୧୯ ଏହିପରି ଆନ୍ଦୋଳନକୁ ସ୍ୱୀକୃତି ଦିଏ । ଏହାର ଦମନ ସରକାର କରନ୍ତି । କେରଳରେ (ତ୍ରାଭାଙ୍କୋର-କୋଚିନ) ଯେତେବେଳେ ରାମମନୋହର ଲୋହିଆଙ୍କର ପ୍ରଜା ସୋସିଆଲିଷ୍ଟ ଦଳ ସରକାରରେ ଥାଇ ଆନ୍ଦୋଳନକାରୀଙ୍କ ଉପରେ ଗୁଳିଚାଳନା କରିଥିଲେ, ସେତେବେଳେ ଏହାର ପ୍ରତିବାଦରେ ସେ ସରକାରର ଇସ୍ତଫା ଦାବି କରିଥିଲେ, ଯାହା ଗୃହୀତ ନହେବାରୁ ସେ ଦଳରୁ ବାହାରିଯାଇ ସଂଯୁକ୍ତ ସୋସିଆଲିଷ୍ଟ ଦଳର ଗଠନ କରିଥିଲେ । ଆନ୍ଦୋଳନର ନେତୃତ୍ୱ ନେଇ ବାରମ୍ବାର ଜେଲ ଯିବା ତାଙ୍କ ଜୀବନର ଯେପରି ଏକ ନିୟମିତ ଅଂଶରେ ପରିଣତ ହୋଇଥିଲା ।

ଆମ ସମ୍ବିଧାନର ପ୍ରସ୍ତାବନାର ପ୍ରଥମ ପଦ ହେଉଛି We, the people of India ଅର୍ଥାତ୍ ‘ଆମେ ଭାରତର ଜନଗଣ’ । ଏହି ଜନଗଣଙ୍କ ମଧ୍ୟରେ ବିଭିନ୍ନ ଧର୍ମାବଲମ୍ବୀ ଅଛନ୍ତି-ଯାହାର ସୂଚନା ପାଉ ଧାରା ୨୫ (Freedom of conscience and free profession, practice and propagation of religion)ରୁ । ଏହି ଜନଗଣଙ୍କ ଭିତରେ ‘ସଂଖ୍ୟାଲଘୁ’ଙ୍କ ଅସ୍ତିତ୍ୱକୁ ସ୍ୱୀକୃତି ଦିଏ ଧାରା ୩୦ (Right of minorities to establish and administer educational institutions) ଧାରା ୩୪୧ ଏବଂ ଧାରା ୩୪୨ ଏହି ଜନଗଣଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କର ଅସ୍ତିତ୍ୱକୁ ସାବ୍ୟସ୍ତ କରେ । ଏହି ଜନଗଣଙ୍କ ଭିତରେ ଯେ ଅଛନ୍ତି ବିଭିନ୍ନ ଭାଷାଭାଷୀ, ଏହା ଦର୍ଶାଏ ସମ୍ବିଧାନର ଅଷ୍ଟମ ଅନୁସୂଚୀ (8th Schedule) । ଏମାନେ ସମସ୍ତେ ଭାରତର ନାଗରିକ ସମ୍ବିଧାନର ଧାରା ୫ ଅନୁସାରେ । ସମ୍ବିଧାନର ଧାରା ୨୧ଅନୁସାରେ ଏମାନଙ୍କର ଓ ପ୍ରତ୍ୟେକ ବ୍ୟକ୍ତିର ଅଧିକାର ଅଛି ସରକାରଙ୍କୁ ଚେତାଇ ଦେବାର ଯେ ସେମାନଙ୍କୁ କେହି ତାଙ୍କର ଜୀବନ ଧାରଣରୁ (Protection of life)ଓ ବ୍ୟକ୍ତିଗତ ସ୍ୱାଧୀନତା(Personal liberty)ରୁ ବଂଚିତ କରିପାରିବେ ନାହିଁ । କିନ୍ତୁ ଏହି ଧାରା ମଧ୍ୟ କୁହେ ଯେ ଏମାନଙ୍କୁ ବଂଚିତ କରାଯାଇପାରିବ ‘ଆଇନ ଦ୍ୱାରା ସ୍ଥାପିତ ପଦ୍ଧତି ଅନୁସାରେ’(‘according to procedure established by law’) । ଆଉ ‘ଆଇନ’ (‘law’)କରିବ କିଏ? ସଂସଦରେ ଓ ବିଧାନସଭାରେ ଭାରତର ନାଗରିକଙ୍କୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ଓ ବିଧାୟକ । ଅପର ପକ୍ଷରେ ଯେତେବେଳେ ଜନଗଣ ଅନୁଭବ କରିବେ ଯେ ସେମାନଙ୍କର ଜୀବନଧାରଣ ଓ ବ୍ୟକ୍ତିଗତ ସ୍ୱାଧୀନତା ବିପନ୍ନ ହେବାକୁ ଯାଉଛି, ସେତେବେଳେ ସମ୍ବିଧାନର ଧାରା ୧୯ଅନୁସାରେ ସେମାନେ ଏକତ୍ରିତ ହୋଇ, ଶାନ୍ତିପୂର୍ଣ୍ଣ ଉପାୟରେ ସ୍ୱରୋତ୍ତଳନ କରିପାରିବେ । ଏହା ଯଦି ସେମାନଙ୍କର ନିର୍ବାଚିତ ପ୍ରତିନିଧି କରିଥିବା ଆଇନକୁ ପ୍ରଭାବିତ କରିପାରେ ତାହାହେଲେ ତ ଠିକ ଅଛି । କିନ୍ତୁ ଯଦି ଜୀବନ ଧାରଣ ଓ ବ୍ୟକ୍ତିଗତ ସ୍ୱାଧୀନତା ବିପନ୍ନ ହୁଏ ‘ଆଇନଦ୍ୱାରା ସ୍ଥାପିତ ପଦ୍ଧତି ଅନୁସାରେ’, ତାହାହେଲେ ପ୍ରତିବାଦ ବା ବିରୋଧ ବେଆଇନ ଘୋଷିତ ହୋଇପାରେ ଓ ଏହା ଦମନ ପାଇଁ ଏକ ଉପଲକ୍ଷ୍ୟ ହୋଇପାରେ । ଏହା ହିଁ ହେଉଛି ।

ଜନଆନ୍ଦୋଳନର ସ୍ୱରୂପ କଣ? ବିଭିନ୍ନ ପ୍ରକଳ୍ପଦ୍ୱାରା ବିସ୍ଥାପିତ ଜନଗଣଙ୍କ ବିସ୍ଥାପନବିରୋଧୀ ଆନ୍ଦୋଳନ, ଜୀବନ, ଜୀବିକାର ସୁରକ୍ଷା ପାଇଁ ଆନ୍ଦୋଳନ, ପରିବେଶର ସୁରକ୍ଷା ପାଇଁ ଆନ୍ଦୋଳନ । ଏହାଛଡ଼ା ବେକାରୀବିରୋଧୀ ଆନ୍ଦୋଳନ, ଦରଦାମ ବିରୋଧରେ ଆନ୍ଦୋଳନ, ବାକ୍ ସ୍ୱାଧୀନତା ହନନ ବିରୋଧରେ ଆନ୍ଦୋଳନ ।

ବିସ୍ଥାପନ ବିରୋଧୀ ଆନ୍ଦୋଳନ ଉପରେ ଯଦି ଆଲୋଚନାକୁ କେନ୍ଦ୍ରିତ କରାଯାଏ ତାହାହେଲେ ବିସ୍ଥାପନ ଅଧିକାଂଶତଃ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ହିଁ ହେଉଛି । କାରଣ ସେହି ଅଂଚଳର ପାହାଡ଼ ତଳେ ମୂଲ୍ୟବାନ ଖଣିଜପଦାର୍ଥ ରହିଛି, ବିଶାଳ ଜଙ୍ଗଲ ରହିଛି, ଜଳର ସ୍ରୋତ ମଧ୍ୟ ରହିଛି । ଏବଂ ଏହି ପ୍ରାକୃତିକ ବାତାବରଣ ଯାହା ମଧ୍ୟରେ ଆଦିବାସୀ ପୁରୁଷ ପୁରୁଷ ଧରି ତାର ଜୀବନ ନିର୍ବାହ କରିଆସିଛି, ଆଜି ତାର ଅସ୍ତିତ୍ୱ ବିପନ୍ନ ହେଉଛି । କାରଣ ବଡ଼ ବଡ଼ କମ୍ପାନୀଙ୍କର ଲୋଲୁପ ଦୃଷ୍ଟି ତାର ଜଳ, ଜମି ଓ ଜଙ୍ଗଲ ଉପରେ ପଡ଼ିଛି । ଏହି ଲୋଲୁପ ଦୃଷ୍ଟିକୁ ଯଥାର୍ଥ ଦର୍ଶାଇବା ପାଇଁ ସରକାର ଆଇନରେ ପରିବର୍ତ୍ତନ କରୁଛନ୍ତି । ଯାହା ଏକଦା ତାଙ୍କର ଅଧିକାର ବୋଲି କୁହାଯାଇଥିଲା ତାକୁ ବଦଳାଇ ଦିଆଯାଉଛି । ଗୋଟିଏ ଦୃଷ୍ଟାନ୍ତ ଯଥେଷ୍ଟ ହୋଇପାରେ ଜଣାଇବା ଯେ କିପରି ଏହା ହେଉଛି । ଜଙ୍ଗଲର ପରିଭାଷାକୁ ବଦଳାଇ ଦିଆଯାଉଛି-ଘରୋଇ କମ୍ପାନୀମାନଙ୍କୁ ସୁବିଧା ଦେବାପାଇଁ ।

୧୯୯୬ରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଧେଶ ଦେଇଥିଲେ ଭାରତ ସରକାରଙ୍କୁ ଯେ୧ “ସରକାରୀ ରେକର୍ଡରେ ଏହା ଏକ ଜଙ୍ଗଲ ଜମି ଭାବେ ଦରଜ ଥାଉ ବା ନଥାଉ, ଏହା ଯଦି ଏକ ଜଙ୍ଗଲ ଥିଲା, ତାହାହେଲେ ଏହାକୁ ସୁରକ୍ଷିତ ରଖାଯିବ, ତାହାର ମାଲିକ ଯିଏ ହେଉ ନା କାହିଁକି । ରାଜ୍ୟସ୍ତରୀୟ ବିଶେଷଜ୍ଞ କମିଟିମାନଙ୍କୁ କୋର୍ଟ କହିଥିଲେ ଯେ ସେମାନେ ସରକାରୀ ରେକର୍ଡ ବାହାରେ ଏଯାବତ୍ ଥିବା ଜଙ୍ଗଲ ଜମିକୁ ଚିହ୍ନଟ କରିବେ ଓ ସୀମା ନିର୍ଦ୍ଧାରଣ କରିବେ ଯେପରିକି ସେଗୁଡ଼ିକୁ ଆଇନର ପରିସୀମା ଭିତରକୁ ଅଣାଯାଇପାରିବ ଏବଂ ସୁରକ୍ଷିତ କରାଯାଇପାରିବ….୨୦୧୪ ମସିହା ସୁଦ୍ଧା, ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶର ଅଠର ବର୍ଷ ପରେ ମଧ୍ୟ, ଅନେକ ରାଜ୍ୟ, ଯାହା ମଧ୍ୟରେ ଅନ୍ତର୍ଭୁକ୍ତ ହରିଆନା, ବିହାର, ଗୁଜରାଟ ଏବଂ ମହାରାଷ୍ଟ୍ର, ଏହିଭଳି ଜଙ୍ଗଲର ସଠିକ ଭାବରେ ଚିହ୍ନଟ ଏବଂ ସୁରକ୍ଷା କାର୍ଯ୍ୟ ଆରମ୍ଭ କରି ନଥିଲେ….ମୋଦୀ ସରକାରଙ୍କ ଦ୍ୱାରା ବନ ସଂରକ୍ଷଣ ଆଇନରେ(Forest Conservation Act)ସଦ୍ୟ ସଂଶୋଧନ, ଯାହାଦ୍ୱାରା ଜଙ୍ଗଲ ସୁରକ୍ଷାକୁ କେବଳ ସରକାରଙ୍କ ଦ୍ୱାରା ସ୍ୱୀକୃତ ଜଙ୍ଗଲ ଜମି ମଧ୍ୟରେ ସୀମିତ କରାଯାଇଛି -ତାହାର ପରିଣତିରେ ଏହି ରାଜ୍ୟମାନଙ୍କରେ ଜଙ୍ଗଲଯୋଗ୍ୟ ବିଶାଳ ଚକଡା(large swathes of potentially qualifying forestland) ଉପଲବ୍ଧ ହୋଇଯାଇଛି ବାଣିଜି୍ୟକ ସ୍ୱାର୍ଥପାଇଁ ।”

ବେଶୀ ଭିତରକୁ ନ ଯାଇ ଏତିକି କହିବା ଯେ ବନ ସଂରକ୍ଷଣ ଆଇନ (Forest Conservation Act)ରେ ଏପରିି ସଂଶୋଧନ ଫଳରେ ଜଙ୍ଗଲର କ୍ଷେତ୍ରଫଳ ସଙ୍କୁଚିତ ହୋଇଛି ଓ ଯେଉଁମାନେ ଜଙ୍ଗଲ ଅଧିକାର ଆଇନ ୨୦୦୬ରେ ଜଙ୍ଗଲ ଅଧିବାସୀଭାବେ କିଛି ଅଧିକାର ପାଇଥିଲେ, ସେମାନେ ସେ ଅଧିକାରରୁ ବଂଚିତ ହେବାର ବିପଦର ସମ୍ମୁଖୀନ ହୋଇଛନ୍ତି । ଅର୍ଥାତ୍ ଏପରି ଗୋଟିଏ ଆଇନ କରାଯାଇପାରିବ ଯାହାଦ୍ୱାରା ସାଧାରଣ ଜଙ୍ଗଲବାସୀ ଭୋଗ କରୁଥିବା ସୁଯୋଗରୁ ତାକୁ ସହସା ବଂଚିତ କରାଯାଇପାରିବ ଓ କମ୍ପାନୀକୁ ଭୋଗର ସୁଯୋଗ ଯୋଗାଇ ଦିଆଯାଇ ପାରିବ । କିପରି ଏହି ଉଦ୍ୟମ ୨୦୧୪-୧୫ରୁ ଆରମ୍ଭ ହୋଇଛି, ସେ ବିଷୟରେ ବିଶଦ ଭାବରେ ଜାଣିବାକୁ ହେଲେ Reporters Collectiveର ଦ୍ୱାରା ପ୍ରକାଶିତ ତିନୋଟି ନିବନ୍ଧ, A hollow assurance: How Modi govt turned its back on forest conservation, Modi gov’t unlocks forests for business, a pursuit that began in 2015 ,Forests Deleted, ପଢ଼ାଯିବା ଉଚିତ

ଯେଉଁମାନେ ୨୦୦୬ ଜଙ୍ଗଲ ଅଧିକାର ଆଇନର ସୁଯୋଗ ପାଉଥିଲେ, ସେମାନେ ଯଦି କୌଣସି ସଂଶୋଧନ ଦ୍ୱାରା ବଂଚିତ ହୁଅନ୍ତି, ସ୍ୱାଭାବିକ ସେମାନେ ଏପରି ସଂଶୋଧନ ବିରୋଧରେ ଆନ୍ଦୋଳନ କରିବେ ଓ ଏହି ଆନ୍ଦୋଳନକୁ ସରକାର ଅଗ୍ରାହ୍ୟ କରିବେ । କିନ୍ତୁ ଧାରା ୧୯ ଅନୁସାରେ ଏପରି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଉପାୟରେ କରାଯାଇପାରେ । ଅପରପକ୍ଷରେ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଉପାୟରେ ହେଉ ନାହିଁ ଦେଖାଯାଇ ପାରିଲେ ବା ଏପରି ଅଭିଯୋଗ କରାଯାଇ ପାରିଲେ, ଆନ୍ଦୋଳନକୁ ଦମନ କରାଯାଇପାରେ । ଏହାକୁ ବେଆଇନ କାର୍ଯ୍ୟକଳାପ(Unlawful Activities) ବୋଲି ଦେଖାଇ ଦିଆଯାଇପାରେ ଓ ଏହାକୁ ଅଟକାଇବା ପାଇଁ ସେମାନେ ଆନ୍ଦୋଳନକାରୀଙ୍କୁ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ(Unlawful Activities Prevention Act) ରେ ଗିରଫ କରାଯାଇ ପାରେ, ଯେଉଁ ଧାରାରେ ଗିରଫହେଲେ ମୁକୁଳିବା ବେଶ୍ କଷ୍ଟକର । ଏହି ଧାରାରେ ଗିରଫହୋଇ କିପରି ଅନେକ ସାମାଜିକ କର୍ମୀ ଓ ସାମ୍ବାଦିକ ମାସ ମାସ, ବର୍ଷ ବର୍ଷ ଜେଲରେ ରହିଛନ୍ତି ତାହା ଜଣାଇବାର ଆବଶ୍ୟକତା ନାହିଁ । ମିଥ୍ୟା ଅଭିଯୋଗରେ ଗିରଫଦାରୀ ଆଉ ଏକ ନିୟମିତ ଦୃଶ୍ୟ । ଆଦିବାସୀ ଅଂଚଳରେ ଆଉ ଏକ ଉପଲକ୍ଷ୍ୟ ହେଉଛି ବାମପନ୍ଥୀ ଉଗ୍ରବାଦ (Left Wing Extremism) ଅର୍ଥାତ୍ ଏହି ଆନ୍ଦୋଳନଗୁଡ଼ିକୁ ବାମପନ୍ଥୀ ଉଗ୍ରବାଦର ପରିପ୍ରକାଶ ବୋଲି କହି ଦମନ କରାଯାଇପାରେ । ଅକ୍ଟୋବର ୭, ୨୦୨୩ ଦିନ Times of Indiaରେ ପ୍ରକାଶ ପାଇଛି, “ସରକାର କେନ୍ଦ୍ରଠାରୁ ହେଲିକପ୍ଟର ମଗାଇଛନ୍ତି ବାମପନ୍ଥୀ ଉଗ୍ରବାଦର ମୁକାବିଲା ପାଇଁ ।” ଓଡ଼ିଶା ସରକାର ଏପରି ମାଗିଛି । ଗୃହମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨ବର୍ଷ ଭିତରେ ବାମପନ୍ଥୀ ଉଗ୍ରବାଦ ଲୋପ ପାଇବ ।

ମୋ ମତରେ ଜନ ଆନ୍ଦୋଳନ ହିଁ ଏକ ମାଧ୍ୟମ ଯାହାଦ୍ୱାର ଜନତା ଜଣାଇପାରେ ରାଷ୍ଟ୍ରକୁ ଯେ କେଉଁ ନୀତି ପ୍ରଣୟନ ହେବା ଉଚିତ, ଯାହା ଦ୍ୱାରା ସମ୍ବିଧାନର ଚତୁର୍ଥଖଣ୍ଡରେ ଉଲ୍ଲିଖିତ ନିର୍ଦ୍ଦେଶିକା ନୀତି (Directive Principles Of State Policy)ରେ ନିର୍ଦ୍ଧାରିତ ଲକ୍ଷ୍ୟଗୁଡିକ ହାସଲ ହୋଇପାରିବ । ଯେପରି ଧାରା ୩୮ରେ କୁହାଯାଇଛି, “୧. ଜନକଲ୍ୟାଣର (welfare of the people) ଅଗ୍ରଗତିକୁ ପ୍ରୋତ୍ସାହିତ କରିବା ପାଇଁ ଯଥାସମ୍ଭବ ପ୍ରଭାବୀ ଢଙ୍ଗ(effectvely)ରେ ଏକ ସାମାଜିକ ବ୍ୟବସ୍ଥାକୁ ସୁରକ୍ଷିତ ଏବଂ ସଂରକ୍ଷିତ କରିବାର ପ୍ରୟାସ ରାଷ୍ଟ୍ର କରିବ ଯାହା ରାଷ୍ଟ୍ରୀୟ ଜୀବନର ସବୁ ସଂସ୍ଥାକୁ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ନ୍ୟାୟ ଦିଗରୁ ପ୍ରଭାବିତ କରିବ । ୨. ରାଷ୍ଟ୍ର,ବିଶେଷତଃ, ଆୟର ଅସାମନତାଗୁଡିକୁ ନ୍ୟୁନତମ କରିବା ଦିଗରେ ପ୍ରଚେଷ୍ଟା କରିବ ଯାହା ନା କେବଳ ବ୍ୟକ୍ତିମାନଙ୍କ ମଧ୍ୟରେ, ବରଂ ବିଭିନ୍ନ କ୍ଷେତ୍ରରେ ବା ବିଭିନ୍ନ ବ୍ୟବସାୟରେ ଥିବା ଜନସମୁଦାୟ ମଧ୍ୟରେ ସ୍ଥିତି(status), ସୁବିଧା ଓ ସୁଯୋଗରେ ଥିବା ଅସମାନତାକୁ ସମାପ୍ତ କରିବା ଦିଗରେ ପ୍ରୟାସ କରିବ ।” ବା ଧାରା ୩୯ରେ କୁହାଯିବା ଯେ “ରାଷ୍ଟ୍ର, ବିଶେଷତଃ, ତାର ନୀତିକୁ ଏପରି ନିର୍ଦ୍ଦେଶିତ କରିବ ଯେପରି (ଏ) ସବୁ ନାଗରିକ, ପୁରୁଷ ଓ ନାରୀଙ୍କୁ ସମାନ ରୂପରେ, ଜୀବିକାର ପର୍ଯ୍ୟାପ୍ତ ସାଧନର ଅଧିକାର ପ୍ରାପ୍ତ ହେବ,(ବି) ସମୁଦାୟର ବସ୍ତୁଗତ ସଂଶାଧନ(material resources of the community)ର ମାଲିକାନା ଓ ନିୟନ୍ତ୍ରଣ ଏପରି ଆବଂଟିତ ହେବ, ଯାହା ସାଧାରଣ ହିତରେ ସର୍ବୋତ୍ତମ ସହାୟକ ହେବ(best to subserve the common good), (ସି) ଅର୍ଥନୈତିକ ବ୍ୟବସ୍ଥାଟି ଏପରି କାର୍ଯ୍ୟ କରିବ ଯାହାଦ୍ୱାରା ସମ୍ପତ୍ତି ଏବଂ ଉତ୍ପାଦନ ସାଧନ(wealth and means of production)ର ଠୁଳିକରଣ(concentration) ହେବ ନାହିଁ ଯାହାର ପରିଣତି ହେବ ସାଧାରଣର କ୍ଷତି(common detriment)….” ସମ୍ବିଧାନ ଧାରା ୩୭ କୁହେ ଯେ ଏହି ନିର୍ଦ୍ଦେଶିକା ନୀତିଗୁଡିକୁ ପ୍ରୟୋଗ କରି ଆଇନ କରିବା ରାଷ୍ଟ୍ରର କର୍ତ୍ତବ୍ୟ(“it shall be duty of the State to apply these principles in making laws.”) କିନ୍ତୁ ବିଡ଼ମ୍ବନା ଯେ ସେହି ଧାରା ୩୭ରେ ହିଁ କୁହାଯାଇଛି ଯେ, “ଏହି (ନିର୍ଦ୍ଦେଶିକା) ନୀତିଗୁଡ଼ିକ କୌଣସି ଅଦାଲତର ଆଇନ ଦ୍ୱାରା (by any court of law) ପ୍ରବର୍ତ୍ତନକ୍ଷମ (enforceable) ହେବନାହିଁ । କିନ୍ତୁ ଏହି ନୀତି ଗୁଡିକ ଦେଶର ଶାସନରେ ମୌଳିକ ଅଟନ୍ତି ।” ତେଣୁ ଜନଆନ୍ଦୋଳନ ପ୍ରତି ଯଦି ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ରହେ, ତାହାହେଲେ ଏହାଦ୍ୱାରା ନିର୍ଦ୍ଦେଶିକା ନୀତିର ପାଳନ କରିବା ଯେ ରାଷ୍ଟ୍ରପକ୍ଷେ ସମ୍ଭବ-ଏହା କହିବା ଅଯଥାର୍ଥ ହେବ ନାହିଁ । ଏହା ଛଡ଼ା ଯେତେବେଳେ ପରିବେଶ ପ୍ରତି ସୃଷ୍ଟି ହେଉଥିବା ବିପଦ ବିରୋଧରେ ଜନଗଣ ସ୍ୱରୋତ୍ତଳନ କରୁଛନ୍ତି ସେତେବେଳେ ସେମାନେ ନାଗରିକଭାବେ ସେମାନଙ୍କର ମୌଳିକ କର୍ତ୍ତବ୍ୟ ତ ପାଳନ କରୁଛନ୍ତି । ସମ୍ବିଧାନର ଧାର ୫୧ଏ(ଜି) ଅନୁସାରେ ନାଗରିକର ମୌଳିକ କର୍ତ୍ତବ୍ୟ ତ ହେଉଛି- “ପ୍ରାକୃତିକ ପରିବେଶ ଯାହା ଭିତରେ ରହିଛି ଜଙ୍ଗଲ, ହ୍ରଦ, ନଦୀ ଏବଂ ବଣ୍ୟ ଜୀବନ ତାହାର ସୁରକ୍ଷା ଓ ଉନ୍ନତି, ଏବଂ ଜୀବନ୍ତ ପ୍ରାଣୀଙ୍କ ପ୍ରତି କରୁଣା ।” କିନ୍ତୁ ଏହି ମୌଳିକ କର୍ତ୍ତବ୍ୟ ପାଳନ ଯେ ଦଣ୍ଡନୀୟ ହୋଇପାରେ ଏବଂ ଏହା ପାଳନ କରୁଥିବା ବ୍ୟକ୍ତିଙ୍କୁ ‘ସନ୍ତ୍ରାସବାଦୀ’ କୁହାଯାଇପାରେ, ତାହା ଜଣାଯାଏ ଯେତେବେଳେ ପ୍ରତିଷ୍ଠିତ ପତ୍ରିକା Scientific Americanରେ ପ୍ରକାଶ ପାଏ୩ “India Is Targeting Defenders of Indigenous Rights as ‘Terrorists” ଶିରୋନାମାରେ ନିବନ୍ଧ ଓ ତାର ଉପ ଶିରୋନାମା ହୁଏ ‘Adivasis and their allies are being persecuted for protesting development that destroys the environment’ ଅର୍ଥାତ୍ ‘ଆଦିବାସୀ ଏବଂ ସେମାନଙ୍କର ସହେଯାଗୀ ନିର୍ଯାତିତ ହେଉଛନ୍ତି ପରିବେଶକୁ ଧ୍ୱଂସ କରୁଥିବା ବିକାଶକୁ ବିରୋଧ କରୁଥିବାରୁ’ ଏହି ପ୍ରବନ୍ଧରେ ଦର୍ଶାଯାଏ କିପରି ପରିବେଶକୁ ଧ୍ୱଂସ କରୁଥିବା ଶକ୍ତିମାନଙ୍କ ବିରୁଦ୍ଧରେ ସ୍ୱରୋତ୍ତଳନ କରୁଥିବା ବ୍ୟକ୍ତି ଓ ସେମାନଙ୍କ ସମର୍ଥନରେ ଠିଆ ହୋଇଥିବା ବ୍ୟକ୍ତିମାନଙ୍କ ବିରୋଧରେ Unlawful Activities Prevention Act(UAPA)ର ପ୍ରୟୋଗ ହୋଇଛି: “ସରକାର ଆଦିବାସୀଙ୍କ ସମର୍ଥକଙ୍କୁ ସବୁବେଳେ ବିରୋଧୀ ମନେ କରିଛି ଏବଂ ସେମାନଙ୍କ କାମକୁ ବନ୍ଦ କରାଇବା ପାଇଁ ଭୟ ଦେଖାଇଛି ଓ ବଳପ୍ରୟୋଗ କରିଛି । ପୂର୍ବେ କେଭେଁ ଏତେ ପ୍ରତିଷ୍ଠିତ ମାନବ ଅଧିକାର ସମର୍ଥକଙ୍କୁ ଏକ ସମୟରେ ଗିରଫ କରାଯାଇ ନଥିଲା ।” ଯେପରି ଷ୍ଟେନ ସ୍ୱାମୀ ଓ ସୁଧା ଭରଦ୍ୱାଜ ଆଦି ।

କଣ ଏହି ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ (Unlawful Activities Prevention Act)(UAPA)?

UAPA ପ୍ରଣୟନ ହୋଇଥିଲା ୧୯୬୭ରେ, ଚୀନ ଓ ପାକିସ୍ଥାନ ସହ ଯଥାକ୍ରମେ ୧୯୬୩ ଓ ୧୯୬୫ର ଯୁଦ୍ଧ ପରେ । ସେତେବେଳେ ବିଚ୍ଛିନ୍ନତା ଏବଂ ଅଂଚଳର ବିଲୁପ୍ତି(secession and cession of territory)ସମ୍ପର୍କିତ କାର୍ଯ୍ୟକଳାପକୁ ‘ବେଆଇନ କାର୍ଯ୍ୟକଳାପ’ (“unlawful” activities) ବୋଲି ଧରାଗଲା । କିନ୍ତୁ ଏହି ଆଇନରେ ସଂଶୋଧନ ହେଲା ୨୦୦୪ରେ ଓ ‘ସନ୍ତ୍ରାସବାଦୀ କାର୍ଯ୍ୟ’ (“terrorist act’’)କୁ ଅନ୍ତର୍ଭୁକ୍ତ କରାଗଲା ‘ବେଆଇନ କାର୍ଯ୍ୟକଳାପ’ର ଅପରାଧ ତାଲିକାରେ । ସନ୍ତ୍ରାସବାଦର ଧାରଣା ଖୁବ ତୀବ୍ରଭାବରେ ବ୍ୟାପିଥିଲା ସେପ୍ଟେମ୍ବର ୧୧, ୨୦୦୧ ଦିନ ଘଟିତ ଏକ ଘଟଣା ପରେ ଯେଉଁଥିରେ ୧୯ଜଣ ସନ୍ତ୍ରାସବାଦୀ ଚାରୋଟି ବାଣିଜ୍ୟିକ ବିମାନକୁ ଅପହରଣ କରି ନେଇଥିଲେ ଓ ସେମାନଙ୍କ ମଧ୍ୟରୁ ଦୁଇଟି ବିମାନକୁ ନେଇ ନ୍ୟୁୟର୍କ ସହରରେ ଥିବା World Trade Centerର ଯୁଗ୍ମ ଟାୱାରରେ ପିଟି ଦେଇଥିଲେ । ଏହି ଦୁଇ ଟାୱାର ସେ ସମୟରେ ବିଶ୍ୱର ପାଂଚଟି ସବୁଠାରୁ ଉଚ୍ଚ ଅଟ୍ଟାଳିକା ମଧ୍ୟରେ ଅନ୍ୟତମ ଥିଲା । ଏହା ସାରାବିଶ୍ୱକୁ ଆତଙ୍କିତ କରି ଦେଇଥିଲା । କିନ୍ତୁ ପୁଣି ୨୦୧୯ରେ UAPA ଆଇନରେ ସଂଶୋଧନ କରାଗଲା । ଏହି ସଂଶୋଧନ ଦ୍ୱାରା କୌଣସି ବ୍ୟକ୍ତି (individual)ଙ୍କୁ ସନ୍ତ୍ରାସବାଦୀ (terrorist’) ବୋଲି ସୂଚିତ କରିବାର ଅଧିକାର କେନ୍ଦ୍ର ସରକାର ପାଇଲେ । ଏହି ସଂଶୋଧନ ପୂର୍ବରୁ କେବଳ ସଂଗଠନ ହିଁ ସନ୍ତ୍ରାସବାଦୀ ବୋଲି ସୂଚିତ ହେଉଥିଲେ, ବ୍ୟକ୍ତି ନୁହେଁ । ଏହି ସଂଶୋଧନର ସାମ୍ବିଧାନିକତା ଉପରେ ପ୍ରଶ୍ନ କରି ଏକ ମାମଲା ସୁପ୍ରିମକୋର୍ଟରେ ଦାଏର ହେଲା: ସଜଳ ଅୱସ୍ଥୀ ବନାମ ଭାରତ ସରକାର (Sajal Awasthi v Union of India (Case Number: WP (C) ୧୦୭୬/୨୦୧୯) ଏହି ମାମଲାରେ ନିମ୍ନୋକ୍ତ ୪ଟି ପ୍ରଶ୍ନର ଉତ୍ଥାପନ ହେଲା୪ :

୧.ଏହି ସଂଶୋଧନ ଭିନ୍ନମତର ଅଧିକାର(right to dissent) ଉପରେ ବେଡି (fetter)ପକାଉଛି କି, ଏବଂ ଏତଦ୍ଦ୍ୱାରା ଧାରା ୧୯(୧)(ଏ) ଦ୍ୱାରା ପ୍ରଦତ୍ତ ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱତନ୍ତ୍ରତାର ଅଧିକାର କ୍ଷୁଣ୍ଣ ହେଉଛି କି?

୨. ବିନା ବିଚାରରେ ଏବଂ ନ୍ୟାୟିକ ବୋଧଶକ୍ତିର ପ୍ରୟୋଗ (judicial application of mind) ନ କରି କାହାରିକୁ ସନ୍ତ୍ରାସବାଦୀ ଭାବେ ଶ୍ରେଣୀବଦ୍ଧ (categorise) କରିବାର କ୍ଷମତା ଅପରାଧିକ ନ୍ୟାୟଶାସ୍ତ୍ରର ମୀମାଂସିତ ସିଦ୍ଧାନ୍ତଗୁଡିକ(settled canons of criminal jurisprudence)ର ବିରୁଦ୍ଧାଚରଣ କରୁଛି କି?

୩. ଆକ୍ଟର ଧାରା ୩୫ଅନୁସାରେ କୌଣସି ବ୍ୟକ୍ତିକୁ ସନ୍ତ୍ରାସବାଦୀ ଭାବେ ଶ୍ରେଣୀବଦ୍ଧ କରିବା ଓ ସେମାନଙ୍କୁ ଅନୁସୂଚୀ ୪ରେ ଅନ୍ତର୍ଭୁକ୍ତ କରିବା ପାଇଁ କାର୍ଯ୍ୟପାଳିକାର ଏକତରଫା କ୍ଷମତା (unilateral power) ଆଇନର ଶାସନ, ପ୍ରାକୃତିକ ନ୍ୟାୟ ଏବଂ ବ୍ୟକ୍ତିର ଖ୍ୟାତି ପାଇଁ ମୌଳିକ ଅଧିକାର ନୀତି(rule of law, natural justice and the person’s fundamental right to reputation) ଗୁଡିକୁ ବିରୋଧ କରୁନାହିଁ ତ?

୪.ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ, ୧୯୬୭ରେ ୨୦୧୯ରେ ହୋଇଥିବା ସଂଶୋଧନ କ’ଣ ସ୍ପଷ୍ଟ ରୂପରେ ମନମୁଖୀ (manifestly arbitrary) ଏବଂ ସମ୍ବିଧାନର ଧାରା ୧୪ ଏବଂ ୨୧କୁ ଉଲଂଘନ କରୁଛି?

ଏହା ପ୍ରାସଙ୍ଗିକ ହେବ ସୂଚାଇଦେବା ଯେ ଏହି ମାମଲାର ଶୁଣାଣି ଏଯାବତ୍ ସରି ନାହିଁ ।

ଉଲ୍ଲେଖନୀୟ ଯେ ୨୦୧୯ ସଂଶୋଧନ ଦ୍ୱାରା ସରକାର କୌଣସି ବ୍ୟକ୍ତିକୁ ସନ୍ତ୍ରାସବାଦୀ ବୋଲି ଚିହ୍ନଟ କରିପାରିବାର କ୍ଷମତା ପାଇବା ସମୟରେ, ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ ବଳରେ ୨୦୧୯ରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟାରେ ୨୦୧୫ ତୁଳନାରେ ୭୨ପ୍ରତିଶତ ବୃଦ୍ଧି ହୋଇଥିଲା୫ । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଦିଆଯାଇଥିବା ଆଉ ଏକ ସୂଚନା ଅନୁଯାୟୀ ଏହି ସନ୍ତ୍ରାସବିରୋଧୀ ଆଇନ ବଳରେ, ୨୦୧୬ରୁ ୨୦୨୦ ଭିତରେ ଭାରତର ବିଭିନ୍ନ ଅଂଚଳରେ ଦାଏର ହୋଇଥିବା ୫୦୨୭ ମାମଲାରେ ଅଭିଯୁକ୍ତ ଥିଲେ ୨୪,୧୩୪ ବ୍ୟକ୍ତି ଯେଉଁମାନଙ୍କ ମଧ୍ୟରୁ ୨୧୨ଜଣ ଦଣ୍ଡିତ ହୋଇଥିଲେ ଯେତେବେଳେ କି ୩୮୬ବ୍ୟକ୍ତି ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । ଅର୍ଥାତ୍ ଏହି ଆଇନ ଅନ୍ତର୍ଗତ ଗିରଫ ବ୍ୟକ୍ତିଙ୍କ ଭିତରୁ ଶତକଡା ୯୭.୫ ବ୍ୟକ୍ତି ଏକାଧିକ ବର୍ଷ କାରାଗାରରେ ବିଚାରକୁ ଅପେକ୍ଷା କରି ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି୬ । ଏହା ମଧ୍ୟ ଉଲ୍ଲେଖନୀୟ ଯେ ୨୦୧୪ ପୂର୍ବରୁ କୌଣସି ଅପରାଧ ଏହି ସନ୍ତ୍ରାସବିରୋଧୀ ଆଇନ ବଳରେ ପଂଜୀକୃତ ହୋଇଥିବା ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (National Crime Records Bureau)(NCRB) ଦର୍ଶାଏ ନାହିଁ ; ଯଦିଓ ଏହା ଦର୍ଶାଏ ଯେ ଏହି ଆଇନ ବଳରେ ପଂଜୀକୃତ ମାମଲା ୨୦୧୪ ପରଠାରୁ ବୃଦ୍ଧି ପାଇଛି୭ । ଅର୍ଥାତ୍ ଏହି ଆଇନର ପ୍ରୟୋଗ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ କେନ୍ଦ୍ରରେ ସରକାର ଆସିବା ପରେ ହିଁ ଦୃଶ୍ୟ ହେବା ଆରମ୍ଭ ହୋଇଛି ଓ ଏହା ବୃଦ୍ଧି ପାଉଛି । ପୁନଶ୍ଚ ଏହି ଆଇନରେ ଗିରଫଙ୍କ ବିରୁଦ୍ଧରେ ଅଭିଯୋଗ କ୍ୱଚିତ ପ୍ରମାଣିତ ହେଉଥିବାବେଳେ ଦୀର୍ଘଦିନ ଧରି ଜେଲ ଭୋଗିବା ସାମାନ୍ୟ ହୋଇଛି, ଏହି ଦଶବର୍ଷ ଭିତରେ । କାରଣ ଏହି ଆଇନରେ ଗିରଫ ବ୍ୟକ୍ତିଙ୍କୁ ଜାମିନ ମିଳିବା ବେଶ୍ କଷ୍ଟକର ଯେହେତୁ ଆଇନ ହେଉଛି ଯଦି ଅଭିଯୋଗକୁ କୋର୍ଟ ପ୍ରଥମ ଦୃଷ୍ଟିରେ (prima facie) ସତ୍ୟ ବୋଲି ମନେ କରେ ତାହାହେଲେ ଅଭିଯୁକ୍ତକୁ ଜାମିନରେ ଖଲାସ କରାଯାଇ ନପାରେ । ଯାହାର ପରିଣତି ହେଉଛି ଏହି ଆଇନରେ ଗିରଫ ହେଉଥିବା ବ୍ୟକ୍ତିମାନେ ବିନା ବିଚାରରେ ଦୀର୍ଘକାଳ କାରାଗାରରେ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି । ଇତ୍ୟବସରରେ ଭାରତୀୟ ଦଣ୍ଡ ସଂହିତା ୧୮୬୦ସ୍ଥାନରେ ପ୍ରଚଳନ ଆରମ୍ଭ ହୋଇଥିବା ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ (UAPA)ର କେତେକ ପ୍ରମୁଖ ଧାରାକୁ ଅନ୍ତର୍ଭୁକ୍ତ କରାଯାଇଛି; ନ୍ୟାୟ ସଂହିତା ୨୦୨୩ର ଧାରା ୧୧୩ରେ ଅନ୍ତର୍ଭୁକ୍ତ ହୋଇଛି ଟଇଚଇର ଧାରା ୧୫, ୧୬, ୧୮, ୧୮-ଏ, ୧୮-ବି, ୧୯ ,୨୦ ଓ ୨୧ । UAPAର ଧାରା ୧୫ରେ ଆତଙ୍କବାଦୀ କାର୍ଯ୍ୟ (Terrorist Act)କୁ ଅବୈଧ କାର୍ଯ୍ୟଭାବେ ପରିଭାଷିତ କରାଯାଇଛି । ଦଣ୍ଡସଂହିତା ୧୮୬୦ରେ ଆତଙ୍କବାଦୀ କାର୍ଯ୍ୟ ସମ୍ପର୍କରେ କୌଣସି ଧାରା ନଥିଲା । କହିବା ବାହୁଲ୍ୟ ଯେ ଏହିପରି ଅନ୍ତର୍ଭୁକ୍ତ ହେବା ଦର୍ଶାଏ ଯେପରି ନ୍ୟାୟ ସଂହିତାର ଧାରା ୧୧୩ ଓ UAPAମଧ୍ୟରେ ବେଶ ସାଦୃଶ୍ୟ ରହିଛି । ସେଇଥିପାଇଁ ବୋଧହୁଏ ଧାରା ୧୧୩ର ଶେଷରେ କୈଫିୟତ (Explanation)ଦେଇ କୁହାଯାଇଛି ଯେ କୌଣସି ମାମଲାକୁ ଏହି ଧାରା ଅନୁସାରେ ପଂଜିକୃତ କରାଯିବ ନା UAPA ଅନୁସାରେ ପଂଜିକୃତ କରାଯିବ; ତାହାର ନିଷ୍ପତ୍ତି ସେହି ଅଫିସର ନେବେ ଯାହାଙ୍କର ପଦବୀ(rank) ପୁଲିସ ଅଧିକ୍ଷକ (Superintendent of Police)ଙ୍କଠାରୁ ନ୍ୟୁନ ହୋଇ ନଥିବ । ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅନୁସାରେ ଜଣେ ଅଭିଯୁକ୍ତ ହେବ କି UAPA ଅନୁସାରେ ଜଣେ ଅଭିଯୁକ୍ତ ହେବ; ତାହାର ନିଷ୍ପତ୍ତି ନେବା ପାଇଁ ଜଣେ ପୁଲିସ ଅଫିସରଙ୍କୁ ଅଧିକୃତ କରିବା ପୁଲିସ ପ୍ରଶାସନକୁ ଅଧିକ ଶକ୍ତିଶାଳୀ କରୁ ନାହିଁ କି?

ଏହି ପୃଷ୍ଠଭୂମିରେ କୁହାଯାଇପାରେ କି ଜନଆନ୍ଦୋଳନ ର ଦମନ ସମ୍ଭାବନା ଏତ୍ଦ୍ୱାରା ବ୍ୟାପକ ହୋଇଛି, ନ୍ୟାୟ ସଂହିତାରେ ପୁଣି UAPA ଆଇନରେ? ଯଦି ଦମନର ପରିବେଶ ସୃଷ୍ଟି କରାଯାଇ ଜନଆନ୍ଦୋଳନର ସଂସ୍କୃତିକୁ ଦୁର୍ବଳ କରିଦିଆଯାଏ; ତାହାହେଲେ ସମ୍ବିଧାନର ଚତୁର୍ଥ ଖଣ୍ଡରେ ଯେଉଁ ନିର୍ଦ୍ଦେଶାବଳୀ ଦିଆଯାଇଛି ତାହାକୁ କାର୍ଯ୍ୟକାରୀ କରିବାରେ ରାଷ୍ଟ୍ରର କର୍ତ୍ତବ୍ୟ ସମ୍ପାଦନ ଅବହେଳିତ ହୋଇଯିବ ନାହିଁ କି? ଜନଆନ୍ଦୋଳନ ତ ରାଷ୍ଟ୍ରକୁ ତାର କର୍ତ୍ତବ୍ୟ ସମ୍ପର୍କରେ ସଚେତ କରାଇଥାଏ । ଯେଉଁମାନେ ରାଷ୍ଟ୍ରଦ୍ୱାରା କର୍ତ୍ତବ୍ୟ ସମ୍ପାଦନର ଅପରିହାର୍ଯ୍ୟତା ସମ୍ପର୍କରେ ସଚେତନ; ସେମାନେ ଏହି ବିଷୟକୁ ଗମ୍ଭୀରତାର ସହ ବିଚାର କରିବା ଉଚିତ । ନିର୍ଦ୍ଦେଶିକା ନୀତିଗୁଡ଼ିକରେ ଯେଉଁଥିରେ ରାଷ୍ଟ୍ରର କର୍ତ୍ତବ୍ୟ ସୂଚୀବଦ୍ଧ ହୋଇଛି, ତାହାର ସମ୍ପାଦନ, ଡକ୍ଟର ଆମ୍ବେଦକରଙ୍କୁ ଉଦ୍ଧାର କରି ସୁପ୍ରିମକୋର୍ଟର ମାନ୍ୟବର ଭୂତପୂର୍ବ ବିଚାରପତି ଓ. ଚିନ୍ନପ୍ପା ରେଡ୍ଡୀ ଲେଖନ୍ତି୮, ଭାରତକୁ ଏକ ସାମାଜିକ ଏବଂ ଅର୍ଥନୈତିକ ଗଣତନ୍ତ୍ର ଭାବେ ସ୍ଥାପିତ କରିବ, ଯେତେବେଳେ କି ମୌଳିକ ଅଧିକାରଗୁଡିକର ସୁରକ୍ଷା ଭାରତକୁ ଏକ ରାଜନୈତିକ ଗଣତନ୍ତ୍ରର ମାନ୍ୟତା ପ୍ରଦାନ କରିଥାଏ ।

ବ୍ୟବହୃତ ଉପାଦାନ ସୂଚୀ

୧. 1. Forests Deleted, Tapasya & Nitin Sethi, September 21, 2023 , Reporters Collective

  1. https://www.reporters-collective.in/trc/forest-conservation
  2. “India Is Targeting Defenders of Indigenous Rights as ‘Terrorists’” By Virginius Xaxa edited by Madhusree Mukerjee , Scientific American, January 4, 2021 ,https://www.scientificamerican.com/article/india-is-targeting-defenders-of-indigenous-rights-as-terrorists/

4.Constitutionality of UAPA Amendment, Supreme Court Observer, https://www.scobserver.in/cases/sajal-awasthi-union-of-india-constitutionality-of-uapa-amendment-case-background/

  1. Parliament proceedings | Over 72% rise in number of UAPA cases registered in 2019, The Hindu, March 09, 2021 07:55 pm | Updated March 10, 2021 02:12 am IST – New Delhi ;https://www.thehindu.com/news/national/parliament-proceedings-over-72-rise-in-number-of-uapa-cases-registered-in-2019/article34029252.ece
  2. ‘UAPA Case Data Suggests That Process Is Indeed the Punishment’,The Wire Staff ,20/Jul/2022 ,https://thewire.in/government/uapa-case-data-process-punishment-home-ministry-rajya-sabha

7.Analysis of use of UAPA from NCRB data, July 1, 2020 , https://clpr.org.in/blog/use-of-the-uapa-from-the-national-crime-reports-bureau/

8.The Court and the Constitution of India: Summits and Shallows, O. Chinnappa Reddy, Oxford University Press, 2008(25th Impression 2023), p. 76

Comments

0 comments

Share This Article