ମଇ ୨୯ ତାରିଖ, ୧୯୫୩ ମସିହା । ଏଡମଣ୍ଡ ହିଲାରୀ ଓ ତେଞ୍ଜିଙ୍ଗ ଶେରପା ସେହିଦିନ ସର୍ବପ୍ରଥମେ ଏଭରେଷ୍ଟ ବିଜୟର ଗୌରବ ହାସଲ କରିଥିଲେ । ସେମାନଙ୍କ ସହ ଯାଇଥିବା ପର୍ବତାରୋହୀ ଦଳରେ ଥିଲେ କାଞ୍ଚା ଶେରପା । ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୧୦ବର୍ଷ । ଏବେ ୯୨ବର୍ଷୀୟ କାଞ୍ଚା ହେଉଛନ୍ତି ସେହି ଦଳର ଶେଷ ଜୀବିତ ବ୍ୟକ୍ତି ।
ଖଂବୁ ପାସାଙ୍ଗ ଲାମୁ ଗ୍ରାମୀଣ ମ୍ୟୁନିସିପାଲିଟିରେ ଥିବା ନାମଚେ ଗାଁରେ କାଞ୍ଚାଙ୍କ ଘର । ସେ ତାଙ୍କ ଘରେ ଥାଇ ଶହ ଶହ ପର୍ବତାରୋହୀଙ୍କୁ ତଥା ଦୀର୍ଘ ଦୂରତା ପର୍ଯ୍ୟନ୍ତ ଚାଲୁଥିବା ପଦଚାରୀମାନଙ୍କୁ ଦେଖନ୍ତି । ସମସ୍ତେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗକୁ ମୁହାଁଇଥାଆନ୍ତି । ୧୯୫୩ ମସିହାର ଯେଉଁ ପର୍ବତାରୋହୀ ଦଳର ସେ ଅଂଶବିଶେଷ ଥିଲା, ତାହା ବିଶ୍ୱବାସୀଙ୍କ ପାଇଁ ଏଭରେଷ୍ଟ ଶିଖରର ବାଟ ଫିଟାଇ ଦେଇଛି ।
ଏଭରେଷ୍ଟ ଉପରେ ମଣିଷମାନଙ୍କର ପ୍ରଥମ ପାଦପଡ଼ିବା ପରଠାରୁ ବିଶ୍ୱର ଭିନ୍ନ ଭିନ୍ନ ଅଞ୍ଚଳରୁ ପର୍ବତାରୋହୀମାନେ ଏହାକୁ ବିଜୟ କରିବା ସକାଶେ ନେପାଳର ସୋଲୁଖୋମ୍ବୁ ଜିଲ୍ଲାରେ ପହଞ୍ଚୁଛନ୍ତି । ସ୍ଥାନୀୟ ଲୋକଙ୍କ ପାଇଁ ଏଭରେଷ୍ଟର ନାମ ସାଗରମଥା । ନେପାଳରେ ବସବାସ କରୁଥିବା ତିଦ୍ଦତୀୟ ମୂଳର ଜନଜାତି ଶେରପାମାନେ ସାଗରମଥାକୁ ଦେବୀ ବୋଲି ପୂଜା କରିଥାଆନ୍ତି ଏବଂ ତାଙ୍କୁ ପୂଜା କରିଥାଆନ୍ତି । ତିଦ୍ଦତୀୟ ଭାଷାରେ ସାଗରମଥାକୁ କ୍ୟୋମୋଲାଙ୍ଗମା ବୋଲି କୁହାଯାଇଥାଏ ଯାହାର ଅର୍ଥ ହେଲା ‘ପୃଥିବୀର ଠାକୁରାଣୀ’ ।
କାଞ୍ଚା ଆଜିକାଲି ଭାରି ଚିନ୍ତିତ । ଛୋଟ ପିଲାଟିଏ ଥିବାବେଳେ ତାଙ୍କ ବାପା ତାଙ୍କୁ ଯାହା ବୁଝାଇଥିଲେ ସେ କଥା ସେ ଭୁଲିପାରନ୍ତି ନାହିଁ । ତାଙ୍କ ବାପା କହିଥିଲେ: ସାଗରମଥା ଉପରେ ମିୟୋଲାଙ୍ଗ ସାଙ୍ଗମା ରୁହନ୍ତି । କାଞ୍ଚାଙ୍କ ବିଚାର, ‘ପର୍ବତାରୋହୀ ଓ ପର୍ଯ୍ୟଟକମାନଙ୍କର ସଂଖ୍ୟା ଏବେ ହୁ ହୁ ହୋଇ ବଢ଼ିଚାଲିଛି । ସରକାରଙ୍କୁ ଦେବାପାଇଁ ପାଖରେ ଅର୍ଥ ଥିଲେ ଯେ କେହି ମଧ୍ୟ ସାଗରମଥା ଉପରେ ପାଦ ଥାପିବାକୁ ପ୍ରାୟସ କରିପାରିବ । ସରକାରଙ୍କର କେବଳ ରୋଜଗାର ଦରକାର । ହେଲେ ଆମ ଶେରପାମାନଙ୍କ ପାଇଁ ସାଗରମଥା ଆମର ଦେବୀ, ଆମର ପାଳନକର୍ତ୍ତ୍ରୀ । ପ୍ରଥମେ ଦେବୀଙ୍କ ପାଖରେ କ୍ଷମାଯାଚନା କରି ସାରିବା ପରେ ଯାଇ ଆମେ ସାଗରମଥାରେ ପାଦ ରଖିଥାଉଁ । ଏବେ ତ ସମସ୍ତେ ତା’ ଉପରେ ଚଢୁଛନ୍ତି!
ବିଶ୍ୱର ଦଶଟି ଉଚ୍ଚତମ ଶୃଙ୍ଗମଧ୍ୟରୁ ୮ଟି ନେପାଳରେ ଅବସ୍ଥିତ । ହିମାଳୟର କୋଳରେ ଥିବା ଏହି ଦେଶପାଇଁ ବିଦେଶୀ ପର୍ବତାରୋହୀମାନେ ହେଉଛନ୍ତି ରାଜସ୍ୱ ଆଦାୟର ଏକ ପ୍ରମୁଖ ଉତ୍ସ । ବିଭିନ୍ନ ଶୃଙ୍ଗ ଆରୋହଣ କରିବା ସକାଶେ ଜାରି କରାଯାଉଥିବା ଅନୁମତି ପତ୍ରର ସଂଖ୍ୟାଉପରେ ନେପାଳ ସରକାରଙ୍କର କୌଣସି କଟକଣା ନାହିଁ । ଭିଡ଼ ବେଶି ହୋଇଯିବା ଯୋଗୁଁ ପର୍ବତାରୋହଣ ପାଇଁ ଆରୋହୀମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ ଅଧିକ ସମୟ ଅତିବାହିତ କରିବାକୁ ପଡ଼ିଥାଏ, ଯାହା ଫଳରେ ସେମାନଙ୍କ ଶରୀରରେ ଅମ୍ଳଜାନର ସ୍ତର କ୍ଷୟ ପାଇଥାଏ ଏବଂ ରୋଗଗ୍ରସ୍ତ ହେବା ବା ଥକି ପଡ଼ିବାର ବିପଦ ବଢ଼ିଯାଇଥାଏ । ବେଳେବେଳେ ତ ଏହା ଫଳରେ ମୃତ୍ୟୁ ମଧ୍ୟ ହୋଇଯାଇଥାଏ । ପରିସଂସ୍ଥାନ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଖୁମ୍ବୁ ଅଞ୍ଚଳରେ ଟ୍ରେକିଂକରିବାକୁ ଆସିଥିବା ଯାତ୍ରୀମାନଙ୍କର ସଂଖ୍ୟା ବଢ଼ିଚାଲିଛି । ଏହି ଖୁମ୍ବୁ ଅଞ୍ଚଳରେ ଥିବା ସାଗରମଥା ଜାତୀୟ ଉଦ୍ୟାନ ଏବଂ ଏହାର ବଫର୍ଜୋନରେ ହିଁ ଏଭରେଷ୍ଟ ଏବଂ ସାତଟି ଅନ୍ୟ ଗିରିଶୃଙ୍ଗ ଅବସ୍ଥିତ । ଏହି ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ୧୧୪୮ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ । ଅତି ଉଚ୍ଚରେ ଅବସ୍ଥିତ ଏହି ଅଞ୍ଚଳରେ ଏକାଧିକ ହିମବାହ ଏବଂ ହିମହ୍ରଦମାନ ରହିଛି । ବିଶ୍ୱର ଉଚ୍ଚତମ ସ୍ଥାନରେ ଥିବା ହିମବାହ ଖୁମ୍ବୁ ଏହିଠାରେ ହିଁ ଅବସ୍ଥିତ । ଏହାର ଦୈର୍ଘ୍ୟ ୧୫ କିଲୋମିଟରରୁ ମଧ୍ୟ ଅଧିକ ।
ପ୍ରତିବର୍ଷ ସାଗରମଥା ଜାତୀୟ ଉଦ୍ୟାନକୁ ୫୨,୦୦୦ରୁ ଊର୍ଦ୍ଧ୍ୱ ପର୍ବତାରୋହୀ ଓ ଟ୍ରେକର ଆସିଥାଆନ୍ତି । ଏମାନଙ୍କ ମଧ୍ୟରୁ ପ୍ରତିବର୍ଷ ପ୍ରାୟ ୪୦୦ରୁ ୪୫୦ ପର୍ବତାରୋହୀ ଏଭରେଷ୍ଟ ଆରୋହଣ କରିବାର ପ୍ରୟାସ କରିଥାଆନ୍ତି । ଏଭରେଷ୍ଟ ଅଞ୍ଚଳ ଖୁମ୍ବୁବୋଲି ମଧ୍ୟ ପରିଚିତ, ଯାହାକି ଏଭରେଷ୍ଟ ଶୃଙ୍ଗର ନେପାଳ ସୀମାରେ ଅବସ୍ଥିତ ଏବଂ ଏବେ ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବର ମୁକାବିଲା କରୁଛି । ଏହି ପ୍ରଭାବଗୁଡ଼ିକ ହେଲା ଉତ୍ତାପ ବୃଦ୍ଧି ପାଇବା, ହିମବାହଗୁଡ଼ିକ ପୂର୍ବାପେକ୍ଷା ଅଧିକ ଶୀଘ୍ର ତରଳିବା ଏବଂ ହିମବାହଗୁଡ଼ିକ ଦ୍ୱାରା ସୃଷ୍ଟ ହ୍ରଦଗୁଡ଼ିକର ପଥରପାଚେରି ଭୁଶୁଡ଼ି ପଡ଼ିବା ଯୋଗୁଁ ବନ୍ୟାର ବିପତ୍ତି ବୃଦ୍ଧି ପାଇବା ।
ଏଭରେଷ୍ଟ ଅଞ୍ଚଳର ଏକ ଅପହଞ୍ଚ ସ୍ଥାନ ଲୋବୁସେଠାରେ ସମୁଦ୍ର ପତନ ଠାରୁ ୫୦୫୦ ମିଟର ଉଚ୍ଚରେ ଗୋଟିଏ ତିନିମହଲା କୋଠାରେ ବିଶ୍ୱର ଉଚ୍ଚତମ ସ୍ଥାନରେ ଥିବା ଏକ ଗବେଷଣାଗାର ରହିଛି । ପିରାମିଡ୍ ଇଣ୍ଟରନ୍ୟାସନାଲ୍ ଲାବୋରେଟାରି-ଅବଜରଭେଟୋରି ହେଉଛି ଇଟାଲି ଏବଂ ନେପାଳ ସରକାରଙ୍କଦ୍ୱାରା ମିଳିତଭାବେ ସୃଷ୍ଟି କରାଯାଇଥିବା ଗବେଷଣାଗାର । ସମୁଦ୍ର ପତନଠାରୁ ବହୁଉଚ୍ଚରେ ଥିବା ଅଞ୍ଚଳଗୁଡ଼ିକ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଏବଂ ବୈଜ୍ଞାନିକ ଗବେଷଣା କରିବା ପାଇଁ ୧୯୯୦ ମସିହାରେ ଏହି କେନ୍ଦ୍ରଟିକୁ ଆରମ୍ଭ କରାଯାଇଥିଲା ।
ବିଗତ ଗୋଟିଏ ଦଶନ୍ଧି ହେଲା ଏହି ଗବେଷଣାଗାରଟି ପାଣ୍ଠିର ଅଭାବ ଯୋଗୁଁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ତେବେ, ଆଇନେସ୍ ଡୁସାଇଲ୍ଲାଣ୍ଟ ନାମ୍ନୀ ଜଣେ ହିମବାହ ବିଶେଷଜ୍ଞ ତାଙ୍କର ଗବେଷଣା କାର୍ଯ୍ୟ ସକାଶେ ଏଠାକୁ ନିୟମିତ ରୂପେ ଆସୁଛନ୍ତି । ଏହି ମହିଳା ବୈଜ୍ଞାନିକଜଣକ ମୂଳତଃ ଚିଲିଦେଶର ହୋଇଥିଲେ ମଧ୍ୟ ଏବେ ସେ ସ୍ୱିଜରଲାଣ୍ଡସ୍ଥିତ ୟୁନିଭରସିଟି ଅଫ୍ ଜୁରିଚ୍ର ବିଶ୍ୱ ହିମବାହ ନିରୀକ୍ଷଣ ସେବାରେ କାର୍ଯ୍ୟ କରୁଛନ୍ତି ।
‘ଏହି ଅଞ୍ଚଳରେ ହିମବାହଗୁଡ଼ିକ କିପରି ପରିବର୍ତ୍ତିତ ହେଉଛନ୍ତି ସେ କଥା ଜାଣିବା ପାଇଁ ମୁଁ ପ୍ରତିବର୍ଷ ଏଠାକୁ ଆସିଥାଏ । ଗତ ମଇ ୮ ତାରିଖ ଦିନ ପିରାମିଡ୍ ଲାବୋରେଟାରିକୁ ଆସିଥିବା ଅବସରରେ ଡୁସାଇଲ୍ଲାଣ୍ଟ କହିଥିଲେ । ସେ କହିଥିଲେ ଯେ ହିମବାହଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରହରୀ ଏବଂ ଜଳବାୟୁ ପରିବର୍ତ୍ତନକୁ ଭଲଭାବରେ ବୁଝିବା ସକାଶେ ସେଗୁଡ଼ିକର ଅଧ୍ୟୟନ କରାଯାଉଛି ।
‘ଆମେମାନେ ପ୍ରଥମେ ହିମବାହରେ କେତେ ପରିମାଣର ତୁଷାର ଜମା ହେଉଛି ସେ କଥା ମାପିଥାଉ ଏବଂ ଗୋଟିଏ ପୂର୍ଣ୍ଣ ଜଳଚକ୍ର ବର୍ଷ ସକାଶେ କେତେ ପରିମାଣର ତୁଷାର ତରଳିଲା ସେ କଥା ମାପିଥାଉ । ଏହି ଦୁଇଟି ପରିମାଣ ମଧ୍ୟରେ ଥିବା ତାରତମ୍ୟ ଆମକୁ ହିମବାହର ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥାଏ’ ବୋଲି ଏହି ହିମବାହ ବିଶେଷଜ୍ଞ ବୁଝାଇ କହିଛନ୍ତି ।
ଡୁସାଇଲ୍ଲାଣ୍ଟ ଏଭରେଷ୍ଟ ଅଞ୍ଚଳରେ ଥିବା ମେରା ହିମବାହକୁ ନିରୀକ୍ଷଣ କରିବା ସହ ସଂପୃକ୍ତ । ସେ କହିଲେ, ‘ବିଗତ ଦୁଇବର୍ଷରେ, ମେରା ଶିଖରରେ ୬୪୭୬ ମିଟର ଉଚ୍ଚତାରେ ଅଧିକ ବରଫ ଜମା ହୋଇନାହିଁ । ମେରା ହିମବାହକୁ ଏକ ମାନକ ହିମବାହ ରୂପେ ନିଆଯାଇଛି । ଏଠାରୁ ମିଳୁଥିବା ତଥ୍ୟକୁ ସମ୍ପ୍ରସାରିତ କରି ଏହାର ଆଖପାଖର ହିମବାହଗୁଡ଼ିକରେ କ’ଣ ଘଟୁଛି ସେ ସମ୍ପର୍କରେ ବୁଝିହେବ ।’
ଡୁସାଇଲ୍ଲାଣ୍ଟ ସତର୍କ କରାଇ ଦେଇଛନ୍ତି ‘ଏହାର ଅର୍ଥହେଲା ଯେ ଏଠାକାର ହିମବାହଗୁଡ଼ିକରେ କ୍ରମାଗତ ଭାବେ ଅଧିକ ବରଫ ଜମା ହେଉ ନାହିଁ, ବରଂ ଏଗୁଡ଼ିକ ବରଫ ହରାଉଛନ୍ତି । ୨୦୦୭ ମସିହାରୁ ମେରା ହିମବାହକରେ କରାଯାଉଥିବା ମାପରୁ ଏକଥା ଜଣାଯାଉଛି ଯେ ବିଗତ କେଇବର୍ଷ ହେଲା ହିମବାହଗୁଡ଼ିକର ବରଫ ତରଳିବା ତ୍ୱରାନ୍ୱିତ ହୋଇଛି । ଆଗାମୀ କେଇବର୍ଷ ମଧ୍ୟରେ ହିମବାହଗୁଡ଼ିକର ଉଚ୍ଚ ଅଞ୍ଚଳରେ ଅଧିକ ପରିମାଣର ବରଫ ଜମା ନ ହୁଏ, ତେବେ ଆଶଙ୍କା କରାଯାଉଥିବା ସମୟର ବହୁ ପୂର୍ବରୁ ଏହି ହିମବାହଗୁଡ଼ିକ ଉଭେଇଯିବେ । ପୃଥିବୀର ଛାତରେ ଥିବା ଏହି ହିମବାହଗୁଡ଼ିକ ଏବେ ବିପଦରେ ଏବଂ ଏହି ଅଞ୍ଚଳରେ ମାନବୀୟ କାର୍ଯ୍ୟକଳାପ (ପର୍ବତାରୋହୀ, ଟ୍ରେକର, କୁଲି, ଗାଇଡ୍ ଇତ୍ୟାଦିଙ୍କ ଦ୍ୱାରା) ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି ।’
ସାଗରମଥା ପ୍ରଦୂଷଣ ନିୟନ୍ତ୍ରଣ କମିଟି ଆବର୍ଜନା ସଂଗ୍ରହପାଇଁ ବଡ଼ ବଡ଼ ଡଷ୍ଟବିନ୍ମାନ ଲଗାଇଛନ୍ତି । କିନ୍ତୁ, ଏହି ଅଞ୍ଚଳରେ ଆବର୍ଜନାର ପ୍ରକ୍ରିୟାକରଣ ଏବଂ ନିଷ୍କାସନ ବ୍ୟବସ୍ଥାର ଅଭାବ ରହିଛି । ଜୈବ ବିଘଟନ ହେଉ ନଥିବା ଆବର୍ଜନାଗୁଡ଼ିକୁ ପୋଡ଼ି ଦିଆଯାଏ ଅଥବା ଲୁକଲା ବା କାଠମାଣ୍ଡୁକୁ ପଠାଇ ଦିଆଯାଏ । ଜୈବ ବିଘଟନ ହେଉଥିବା ଆବର୍ଜନାଗୁଡ଼ିକୁ ଗ୍ରାମବାସୀମାନେ ସେମାନଙ୍କ ଚାଷଜମିରେ ବ୍ୟବହାର କରନ୍ତି । ଏହିସବୁ ଚାଷଜମିରେ ବସନ୍ତଋତୁରେ ସ୍ଥାନୀୟ ପୁଷ୍ଟିଶସ୍ୟ ଏବଂ ପରିବା ଚାଷ କରାଯାଏ ।
ନାମଚେ ବଜାର ନିକଟରେ ସାଗରମଥା ନେକ୍ସଟ୍ ନାମରେ ଏକ ସୁବିଧାକେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ର ଆବର୍ଜନାର ପୁନଃଚକ୍ରଣ, ଏଥିରୁ ଉନ୍ନତତର ସାମଗ୍ରୀ ପ୍ରସ୍ତୁତ କରିବା ଏବଂ ଆବର୍ଜନାକୁ ବିଭିନ୍ନ ଡିଜାଇନ୍ ଓ କଳାସାମଗ୍ରୀରେ ରୂପାନ୍ତରିତ ଏଭରେଷ୍ଟ ଅଞ୍ଚଳର ଆବର୍ଜନା ସମସ୍ୟାର ନିରାକରଣ କରିବା ସକାଶେ ପ୍ରୟାସ କରୁଛି । ସାଗରମଥା ନେକ୍ସଟ୍ ଲୁକିଲାଠାରୁ ଏଭରେଷ୍ଟ ବେସ୍ କ୍ୟାମ୍ପ ମଧ୍ୟରେ ଥିବା ଟ୍ରେକିଂ ରାସ୍ତା ଧାରରେ ଆବର୍ଜନାର ସମ୍ବଳ ସଂଗ୍ରହ ପାଇଁ କେନ୍ଦ୍ରମାନ ସ୍ଥାପନ କରିବାରେ ସହାୟତା କରୁଛି । କିନ୍ତୁ ବର୍ତ୍ତମାନର ଆବର୍ଜନା ସମସ୍ୟା ବିଶାଳ ।
କାଞ୍ଚା ଶେରପାଙ୍କ ପୁଅ ଶେରିଙ୍ଗ ଶେରପା । ସେ ଲାମା କାଜିଙ୍କ ସହ ମିଶି ଏହି ଅଞ୍ଚଳର ଆବର୍ଜନା ପରିଚାଳନା କରିବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ‘ସରକାର ପର୍ବତାରୋହଣ ପାଇଁ ଅନୁମତି ପତ୍ର ଦେଇ ସରକାର ଅର୍ଥ ଆଦାୟ କରିଥାଆନ୍ତି ଏବଂ ଆବର୍ଜନା ପରିଚାଳନା ସକାଶେ ସ୍ଥାନୀୟ ଗ୍ରାମଗୁଡ଼ିକର ତିନିଟି ବ୍ୟବହାରକାରୀ ଦଳକୁ ଏହି ଅର୍ଥର କିଛି ଅଂଶ ଦେଇଥାନ୍ତି । ଗତ ଆର୍ଥôକବର୍ଷରେ ଗୋଟିଏ ବ୍ୟବହାରକାରୀ ଦଳ ସରକାରଙ୍କ ଠାରୁ ୫୬ଲକ୍ଷ ନେପାଳି ଟଙ୍କା (୪୧,୯୬୨ ଡଲାର) ପାଇବାର ଥିଲା । ମାତ୍ର ଦେଶର ଅର୍ଥନୈତିକ ସମସ୍ୟାଯୋଗୁଁ ଏହି କମିଟି ମାତ୍ର ୧୯ଲକ୍ଷ ନେପାଳି ଟଙ୍କା (୧୪,୨୩୭ ଡଲାର)ପାଇଲେ । ଖୁମ୍ବୁ ଅଞ୍ଚଳରେ କୌଣସି ଆବର୍ଜନା ଜଳ ବା ନର୍ଦ୍ଦମା ଜଳ ପ୍ରକ୍ରିୟାକରଣର ବ୍ୟବସ୍ଥା ନାହିଁ’ବୋଲି ସେ କହିଛନ୍ତି ।
ତାଙ୍କ ବାପା କାଞ୍ଚାଙ୍କ ପରି ଶେରିଙ୍ଗ ମଧ୍ୟ ଏଭରେଷ୍ଟ ଶିଖରରେ ଭିଡ଼କୁ ନେଇ ଚିନ୍ତିତ । ‘ପ୍ରତ୍ୟେକ ପର୍ବତାରୋହଣ ଋତୁରେ କେତେଜଣ ପର୍ବତାରୋହୀଙ୍କୁ ଅନୁମତି ଦିଆଯିବ ତା’ର ସୀମା ନିର୍ଦ୍ଧାରଣ କରାଯିବା ଆବଶ୍ୟକ । ଆମେ କେବଳ ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦେଖିଲେ ହେବ ନାହିଁ । ଏହି ଅଞ୍ଚଳରେ ଥିବା ନାମଚେ ଏବଂ ଅନ୍ୟାନ୍ୟ ଶେରପା ଗାଁଗୁଡ଼ିକ ସମ୍ପର୍କରେ ଆମକୁ ଚିନ୍ତା କରିବାକୁ ଏବଂ ଯୋଜନା କରିବାକୁ ପଡ଼ିବ । ଏହି ଗାଁଗୁଡ଼ିକରେ ଉଭୟ ଆବର୍ଜନା ଓ ଆବର୍ଜନା ଜଳ ପରିଚାଳନା ବ୍ୟବସ୍ଥା ନାହିଁ ।
ଲାମା କାଜିଙ୍କ ବିଚାରରେ ମଧ୍ୟ ସାଗରମଥାକୁ ଯାଉଥିବା ପର୍ବତାରୋହୀମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ରହିଛି ।
ଲାମା କହିଛନ୍ତି, ‘ଆମ ପାଇଁ ସେ (ସାଗରମଥା) କେବଳ ଗୋଟିଏ ଶୃଙ୍ଗ ନୁହେଁ, ଏହାଠାରୁ ଯଥେଷ୍ଟ ଅଧିକ । ଆମେ ତାକୁ ପୂଜାକରୁ । ବର୍ତ୍ତମାନ ବିଶ୍ୱର ଉଚ୍ଚତମ ଶୃଙ୍ଗ ଆରୋହଣ କରିବା ସକାଶେ ପର୍ବତାରୋହୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । କିନ୍ତୁ, ସେଠାରେ ପ୍ରକୃତରେ କ’ଣ ଘଟୁଛି ସେ ବିଷୟରେ ଆମେ କିଛି ଜାଣିନୁ । ସରକାର ସେଠାକାର କାର୍ଯ୍ୟକଳାପ ଉପରେ ନିଘା ରଖିବା ଆବଶ୍ୟକ ଏବଂ ତାହାକୁ ନିୟନ୍ତ୍ରିତ କରିବା ଆବଶ୍ୟକ ।’ ସ୍ପଷ୍ଟୀକରଣ ଦେବାକୁ ଯାଇ ସେ କହିଥିଲେ ଯେ ଏସବୁ ତାଙ୍କର ବ୍ୟକ୍ତିଗତ ମତ, ସାଗରମଥା ପ୍ରଦୂଷଣ ନିୟନ୍ତ୍ରଣ କମିଟିର ନୁହେଁ ।
‘ଏବେ ମଧ୍ୟ ଖଂବୁ ଜଳବାୟୁ ପରିବର୍ତ୍ତନଯୋଗୁଁ ବହୁ ଆହ୍ୱାନର ସମ୍ମୁଖୀନ ହେଉଛି । ଆମର ଏଠାରେ ତୁଷାରପାତ କମିଯାଇଛି । ପୂର୍ବେ ଜାନୁଆରୀ ଓ ଫେବୃଆରୀ ମାସରେ ପ୍ରବଳ ତୁଷାରପାତ ହେଉଥିବାବେଳେ ଏବେ ଏହି ଅବଧି ମାର୍ଚ୍ଚ, ଏପ୍ରିଲ ଓ ମଇ ମାସକୁ ଘୁଞ୍ଚିଯାଇଛି । ଆମେ ଆଜିକାଲି ଏଠାରେ ମଶାଙ୍କୁ ଦେଖିବାକୁ ପାଉଛୁ । ପୂର୍ବେ କେବେହେଲେ ମଶା ଦେଖାଯାଉ ନ ଥିଲେ’ ବୋଲି ଲାମ୍ବା କହିଥିଲେ ।
ବିପନ୍ନ ମନାଙ୍ଗ ଓ ମୁସ୍ତାଙ୍ଗ!
ଜଳବାୟୁ ପରିବର୍ତ୍ତନ ବିପଦ କବଳରେ ଏଭେରେଷ୍ଟ ଅଞ୍ଚଳର ମନାଙ୍ଗ ଓ ମୁସ୍ତାଙ୍ଗ ପାର୍ବତ୍ୟାଞ୍ଚଳ ଜୀବନଜୀବିକା ଉଚ୍ଛନ୍ନ ହେବାକୁ ବସିଲାଣି । ପରମ୍ପରା ଓ ସଂସ୍କୃତିର ଧ୍ୱଂସସାଧନର ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ବିସ୍ଥାପିତଙ୍କ ସମସ୍ୟା ଉଗ୍ର ହେଉଛି । ଏହି ଅଞ୍ଚଳର ସମୃଦ୍ଧ ଅର୍ଥନୀତି ଆଜି ଦୁର୍ବଳ ହୋଇଯାଉଛି ।
ମୁସ୍ତାଙ୍ଗସ୍ଥିତ ନାଉରିକୋଟ୍ ପାହାଡ଼ି ଗାଁରେ ୧୮ବର୍ଷ ବୟସ୍କା ନିଶା ତୁଲାଚାନ୍ ଶୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ମାଟି ନିର୍ମିତ ଘରଟି ରାତିରେ ତାଙ୍କ ଉପରେ ଭୁଶୁଡି ପଡିଥିଲା ଏବଂ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ତାଙ୍କ ୭୦ବର୍ଷ ବୟସ୍କ ଜେଜେବାପା ଗୁରୁତର ଆହତ ହୋଇଥିଲେ । ତୁଲାଚାନ୍ ମାମୁଁ ଶୁକ୍ରା ଗୌଚାନ୍ କୁହନ୍ତି ଘଟଣାର ରାତି ପୂର୍ବରୁ ଦୁଇଦିନ ଧରି ବର୍ଷା ହୋଇଥିଲା ଏବଂ କାଠ, ଘାସ, ପଥର ଓ କାଦୁଅରେ ନିର୍ମିତ ପାରମ୍ପାରିକ କାଠ, ଝାଟି ମାଟି, ଓ ପଥର ନିର୍ମିତ ଘରଟିକୁ ଭୁଷୁଡ଼ାଇ ଦେଇଥିଲା ।
“ନାଉରିକୋଟ ଗାଁରେ ମୋଟ ୨୮ଟି ଘର ଅଛି, ସମସ୍ତେ ପାରମ୍ପରିକ ଶୈଳୀରେ ନିର୍ମିତ ଘରେ ବସବାସ କରନ୍ତି । ଗତ କିଛିବର୍ଷ ହେବ ଏହିସବୁ ପାର୍ବତ୍ୟ ଅଞ୍ଚଳର ଗାଁ ଗଣ୍ଡାରେ ବର୍ଷା ଅସ୍ୱାଭାବିକତା ପରିଲକ୍ଷିତ ହେଉଛି । ତେଣୁ ସମଗ୍ର ଗାଁ ଏବଂ ଏହାର ଆଖପାଖ ଅଞ୍ଚଳର ଜନସାଧାରଣ ଏହା ଦେଖି ଚକିତ ହୋଇଗଲେଣି । ଏଭଳି ବର୍ଷା ଗାଁଗଣ୍ଡାରେ ଭୟ ଖେଳାଇ ଦେଲାଣି । ପାରମ୍ପରିକ ମାଟି ଛାତଥିବା ଘରେ ରହୁଥିବା ନାଉରିକୋଟ ବାସିନ୍ଦା ବର୍ତ୍ତମାନ କଂକ୍ରିଟ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଲେଣି । ଏଭଳି ପାରମ୍ପରିକ ଘର ଭୁଶୁଡ଼ିବା ବର୍ତ୍ତମାନ ଏକ ନିତିଦିନିଆ ଘଟଣା ପାଲଟିଗଲାଣି । ମୁସ୍ତାଙ୍ଗସ୍ଥିତ ଥାସଙ୍ଗ ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର ୨ରେ ନାଉରିକୋଟ ଗ୍ରାମ ଅବସ୍ଥିତ । ସମୁଦ୍ର ପତ୍ତନଠାରୁ ୨,୭୪୦ ମିଟର ଉଚ୍ଚରେ ନାଉରିକୋଟ ଅବସ୍ଥିତ” ବୋଲି ଗୌଚାନ୍ କହିଛନ୍ତି ।
ଗୌଚାନ୍ ପୁଣି କୁହନ୍ତି, “ନେପାଳର ଏହିସବୁ ପାର୍ବତ୍ୟ ଅଞ୍ଚଳରେ ପାରମ୍ପରିକ ମାଟିଘର ଗରମ ରହିବା ପାଇଁ ସର୍ବୋତ୍ତମ । କିନ୍ତୁ ଯେତେବେଳେ ବର୍ଷା ବାରମ୍ବାର ପ୍ରବଳ ହେବାକୁ ଲାଗିଲା, ଏହାକୁ ନେଇ ସମସ୍ତେ ଭୟଭୀତ ହେଲେ । ବର୍ତ୍ତମାନ ଗାଁ ଗଣ୍ଡାର ଅନ୍ୟାନ୍ୟ ୱାର୍ଡର ଲୋକମାନେ ମଧ୍ୟ ପୁରୁଣାଘର ଭାଙ୍ଗି ନୂତନ ଗୃହ ନିର୍ମାଣ ଆରମ୍ଭ କରିଛନ୍ତି । ସମୁଦ୍ର ପତ୍ତନଠାରୁ ୩୮୪୦ ମିଟର ଉଚ୍ଚରେ ଅବସ୍ଥିତ ଲୋ ମନ୍ଥାଙ୍ଗ ଗାଁ ହେଉଛି ମୁସ୍ତାଙ୍ଗର ଉତ୍ତରପଟରେ ଅବସ୍ଥିତ । ମନ୍ଥାଙ୍ଗ ଗ୍ରାମର ବାସିନ୍ଦାମାନେ ମଧ୍ୟ ପାରମ୍ପରିକ କାଦୁଅ ଘର ଭାଙ୍ଗି କଂକ୍ରିଟ ଘର ନିର୍ମାଣ କରୁଛନ୍ତି” ।
ମନ୍ଥାଙ୍ଗ ଗ୍ରାମ ପଞ୍ଚାୟତର ୫ନମ୍ବର ୱାର୍ଡର ୬୬ ବର୍ଷିୟ ହିଞ୍ଜିଙ୍ଗ ଗୁରୁଙ୍ଗ କୁହନ୍ତି, “ଏଭଳି ବର୍ଷା ଓ ପାଣିପାଗର ପରିବର୍ତ୍ତନ ମୁଁ ଆମ ଅଞ୍ଚଳରେ ପ୍ରଥମଥର ଲାଗି ଦେଖୁଛି । ବର୍ତ୍ତମାନ ଗାଁରେ ଅଧିକାଂଶ ଘର କଂକ୍ରିଟ । ଯେଉଁମାନେ କଂକ୍ର୍ରିଟ ଘର କରିବାକୁ ଅକ୍ଷମ, ସେମାନେ ଗାଁ ଛାଡି ପ୍ରାୟତଃ ଅନ୍ୟତ୍ର ଚାଲିଯାଉଛନ୍ତି” । ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ (ଏନ.ଡି.ଆର.ଆର.ଏମ.ଏ.)ର ପରିସଂଖ୍ୟାନ ଦର୍ଶାଉଛି, ମୁସ୍ତାଙ୍ଗ ଜିଲ୍ଲାରେ ଗତ କିଛିବର୍ଷ ମଧ୍ୟରେ ଅଚାନକ ପ୍ରବଳ ବର୍ଷା ହେବାର ପରିଲକ୍ଷିତ ହେଉଛି । ଏହାଦ୍ୱାରା ବ୍ୟାପକ ଆର୍ଥôକ କ୍ଷୟକ୍ଷତି ଆରମ୍ଭ ହୋଇଛି । ୨୦୨୦ରୁ ୨୦୨୩ ମଧ୍ୟରେ ପ୍ରାୟ ୨୭.୮ ମିଲିଅନ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ।
ଜଳବାୟୁ ପରିବର୍ତ୍ତନ ଗବେଷକ ନାଗାମିନ୍ଦ୍ର ଦହଲ କୁହନ୍ତି, “ମୁସ୍ତାଙ୍ଗ ପରି ଉଚ୍ଚ ହିମାଳୟ ଅଞ୍ଚଳରେ ଅସ୍ୱାଭାବିକ ବର୍ଷା ପରିମାଣ ବୃଦ୍ଧି ଆରମ୍ଭ ହେବାପରେ ସ୍ଥାନୀୟ ଲୋକଙ୍କ ଜୀବିକା ଘୋର ପ୍ରଭାବିତ ହୋଇଛି । ପରେ ପାର୍ବତ୍ୟାଞ୍ଚଳରେ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଅନୁସନ୍ଧାନ କରାଯାଇଥିଲା । ମୁସ୍ତାଙ୍ଗ ଏବଂ ମାନଙ୍ଗ ଜିଲ୍ଲାର ବାସିନ୍ଦାମାନେ ମୋତେ କହିଥିଲେ, ସେମାନଙ୍କ ଅଞ୍ଚଳରେ ଅସ୍ୱାଭାବିକ ଜଳବାୟୁ ପରିବର୍ତ୍ତନ ଢାଞ୍ଚା ଦେଖିବାକୁ ମିଳୁଛି । ଗ୍ରୀଷ୍ମ ଋତୁରେ ଅପ୍ରତ୍ୟାଶିତ ପ୍ରବଳ ବର୍ଷା, ବର୍ଷା ଦିନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ମାତ୍ରାରେ ତାରତମ୍ୟ ଏବଂ ଶୀତରେ କମ୍ ବରଫପାତ ହେଉଛି ତଥା ଶୀତର ଅବଧି ହ୍ରାସ ପାଉଛି । ଏଭଳି ପରିସ୍ଥିତିରେ କିଛି ସ୍ଥାନୀୟ ଲୋକ ସେମାନଙ୍କର ପାରମ୍ପରିକ ଘରର ପରିଚୟ ହରାଇବା ସହିତ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଛନ୍ତି । ଏହାଦ୍ୱାରା ସେମାନଙ୍କର ଆର୍ଥôକ ସ୍ଥିତି ଦୁର୍ବଳହେବା ସହିତ ସ୍ଥାନୀୟ ଗାଁଗଣ୍ଡାର ନିଜସ୍ୱ ଭାଷା, ସଂସ୍କୃତି ଏବଂ ପରମ୍ପରା ଧ୍ୱଂସ ପାଉଛି” ।
ଦହଲ କୁହନ୍ତି, “ସମୁଦ୍ର ପତ୍ତନଠାରୁ ୨୫୦୦-୩୦୦୦ ମିଟର ଉଚ୍ଚାରେ ସୀମିତ ଥିବା ମୌସୁମୀବର୍ଷା ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ହେତୁ ୩୫୦୦ ମିଟରରୁ ଅଧିକ ଉଚ୍ଚତାରେ ଥିବା ମୁସ୍ତାଙ୍ଗ ଏବଂ ମାନାଙ୍ଗ ଅଞ୍ଚଳକୁ ପ୍ରଭାବିତ କରୁଛି । ସାଧାରଣତଃ ୨୫୦୦ରୁ ୩୦୦୦ ମିଟରରୁ ଅଧିକ ଉଚ୍ଚରେ ଥିବା ଦକ୍ଷିଣ ଏସୀୟ ମୌସୁମୀ ବାୟୁ ପ୍ରାୟତଃ ବର୍ଷା କରେ ନାହିଁ । ମାତ୍ର ଗତ ଦୁଇଦଶନ୍ଧି ମଧ୍ୟରେ ଏହିସବୁ ସ୍ଥାନର ମୌସୁମୀ ବାୟୁ ୪,୦୦୦ ମିଟର ପର୍ଯ୍ୟନ୍ତ ଉଚ୍ଚରେ ରହିଥିଲାବେଳେ ମଧ୍ୟ ପ୍ରବଳ ବର୍ଷା କରିବାରେ ସକ୍ଷମ ହେଉଛି” ।
ମୁସ୍ତାଙ୍ଗ ଏବଂ ମନଙ୍ଗ ଅଞ୍ଚଳର ଭୌଗଳିକ ସ୍ଥିତି ଅତ୍ୟନ୍ତ ଭଙ୍ଗୁର ଓ ସମ୍ବେଦନଶୀଳ । ଅନ୍ୟାନ୍ୟ ସ୍ଥାନଠାରୁ ଏସବୁ ପାର୍ବତ୍ୟସ୍ଥାନ ସମ୍ପୂର୍ଣ୍ଣ ଭିନ୍ନ । ଏସବୁ ପାର୍ବତ୍ୟ ଅଞ୍ଚଳରେ ବର୍ଷା ହେବା ବହୁତ କ୍ୱଚିତ ତେଣୁ ଲୋକମାନେ ବରଫ ତରଳୁଥିବା ପାଣିର ବ୍ୟବହାର କରି ଚାଷବାସ କରନ୍ତି । ବିଭିନ୍ନ ଋତୁଚକ୍ର ଥିବା ହିମାଳୟର ପାର୍ବତ୍ୟ ଗାଁ ଗଣ୍ଡାସବୁ ବର୍ତ୍ତମାନ ମୌସୁମୀ ଅଞ୍ଚଳରେ ପରିଣତ ହୋଇଛି । ଗତ ଦୁଇଦଶନ୍ଧି ମଧ୍ୟରେ ମୁସ୍ତାଙ୍ଗର ତଳମୁଣ୍ଡରେ ହାରାହାରି ବାର୍ଷିକ ତାପମାତ୍ରା ୦.୦୨୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି ଏବଂ ବାର୍ଷିକ ହାରାହାରି ବୃଷ୍ଟିପାତ ୧.୮୩ ମିଲିମିଟର ବୃଦ୍ଧି ପାଇଛି । ବିଗତ ପାଞ୍ଚବର୍ଷ ମଧ୍ୟରେ ମୁସ୍ତାଙ୍ଗ ଏବଂ ମନଙ୍ଗରେ ପ୍ରବଳ ବର୍ଷା ଏବଂ ତୁଷାରପାତ ହେବାର ୭ଟି ଘଟଣା ଘଟିଛି । ଏହାସହିତ ୩୨ଟି ଭୂସ୍ଖଳନ ଏବଂ ୧୯ଟି ବନ୍ୟା ପରିସ୍ଥିତି ଦେଖାଦେଇଛି । କେବଳ ମୁସ୍ତାଙ୍ଗରେ ବନ୍ୟାଯୋଗୁଁ ୩୧ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ୧୬ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ୩୫ରୁ ଊଦ୍ଧ୍ୱର୍ ଘର କ୍ଷତିଗ୍ରସ୍ତ ହୋଇଛି ।
ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ନାଶନ, ଚମେ, ନେଶୟାଙ୍ଗ ଭଳି ସ୍ଥାନରେ ପ୍ରାୟ ୩ ବିଲିୟନ ଅର୍ଥରୁ ଊଦ୍ଧ୍ୱର୍ ମୂଲ୍ୟର ବାସଗୃହ, ସ୍କୁଲ, ରାସ୍ତାଘାଟ, ବ୍ରିଜ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଭଳି ସମ୍ପତ୍ତି କେବଳ ୨୦୨୧ ମେ ୨୮ରୁ ଜୁନ ୧୫ମାତ୍ର ୧୮ଦିନର ବର୍ଷାରେ ଧ୍ୱଂସ ସାଧନ ହୋଇଛି । ଏହା କେବଳ ଜଳବାୟୁ ପରିବର୍ତ୍ତନଜନିତ ବିପତ୍ତି ।
ଘରପଝୋଂଗ ଗାଁର ସ୍ଥାନୀୟ କୃଷକ ଅଇତା ବାହାଦୂର ଠାକୁଲି ଫସଲ ଅମଳ ହ୍ରାସ ପାଉଥିବା ସମ୍ପର୍କରେ ସୂଚନା ଦେଇ କୁହନ୍ତି, “ମୌସୁମୀ ବର୍ଷା ସମୟର ପରିବର୍ତ୍ତନ ନେପାଳର ପର୍ବତ ଜିଲ୍ଲାମାନଙ୍କରେ କୃଷି ଉପରେ ମଧ୍ୟ ପ୍ରଭାବ ପକାଇଛି । ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳର କୃଷକମାନେ ସେମାନଙ୍କର ଫସଲକୁ ସୁରକ୍ଷା ଦେବାରେ କଠିନ ସମସ୍ୟା ଭୋଗୁଛନ୍ତି । ତାପମାତ୍ରା ବୃଦ୍ଧିସହ ବର୍ଷାର ଧାରା ବଦଳିବା କାରଣରୁ ସେମାନେ ଚାଷ କରୁଥିବା ଆଳୁ, ଗହମ, ବାର୍ଲି ଏବଂ ଅନ୍ୟାନ୍ୟ ବଜାରରେ ଜାତୀୟ ଫସଲର ଉତ୍ପାଦନ ଘୋର ହ୍ରାସ ପାଉଛି ।
ଦୀର୍ଘ ଦଶନ୍ଧି ଧରି ବ୍ୟବସାୟିକ କୃଷିରେ କାର୍ଯ୍ୟ କରୁଥିବା ଧୂମ୍ବା ଗ୍ରାମର କର୍ମା ଗୁରୁଙ୍ଗ କୁହନ୍ତି, ‘୨୦୧୧ରେ ୫୨୦ହେକ୍ଟର ଜମିରୁ ୫,୪୬୪ ମେଟ୍ରିକ୍ ଟନ୍ ସେଓ ବାର୍ଷିକ ଉତ୍ପାଦନ ହେଉଥିଲା । ୨୦୧୩ରେ ଚାଷ ଜମିର ପରିମାଣ ୧୪୦୦ ହେକ୍ଟରକୁ ବୃଦ୍ଧି ପାଇଲା ପରେ ମୋଟ ଉତ୍ପାଦନ ମାତ୍ର ୬,୨୫୦ ମେଟ୍ରିକ୍ ଟନ୍ ହୋଇଛି । ଅପ୍ରତ୍ୟାଶିତ ପାଣିପାଗ ଘଟଣା ବୃଦ୍ଧି ପାଉଛି ଏବଂ ଏହା ଫସଲ ଅମଳ ଓ ସୁରକ୍ଷା ଉପରେ ଘୋର ଖରାପ ପ୍ରଭାବ ପକାଇଛି” ।
ସ୍ଥାନୀୟ କୃଷିବିଶେଷଜ୍ଞ ମଦନ ରେଗମି କୁହନ୍ତି, “ଉପର ମାନଙ୍ଗ ଗ୍ରାମସମୂହରେ ଅଚାନକ ତୁଷାରପାତ ହୋଇ ସେଓ ଫୁଲକୁ କ୍ଷତି ପହଞ୍ଚାଉଛି । ପାଣିପାଗର ପରିବର୍ତ୍ତନ ପରାଗ ସଙ୍ଗମରେ ସାହାଯ୍ୟକାରୀ ମହୁମାଛି ଭଳି କୀଟପତଙ୍ଗମାନଙ୍କର କାର୍ଯ୍ୟକଳାପକୁ ପ୍ରଭାବିତ କରୁଛି । ସ୍ଥାନୀୟ ଅଞ୍ଚଳରେ ପନିପରିବା ଚାଷ ମଧ୍ୟ ଘୋର ପ୍ରଭାବିତ ହେଉଛି” ।
ସ୍ଥାନୀୟ ଲୋକମାନେ କୁହନ୍ତି, ଉପର ମୁସ୍ତାଙ୍ଗ ଅଞ୍ଚଳର ‘ସାଙ୍ଗ ଗଛ’ (ପାଇନ୍ ପ୍ରଜାତିର) ଜଳବାୟୁ ପରିବର୍ତ୍ତନହେତୁ ଲୋପ ପାଇବାକୁ ଯାଉଛି । ଏହି ଗଛକୁ ସ୍ଥାନୀୟ ଜନସାଧାରଣ ପାରମ୍ପରିକ ପୂଜା ପଦ୍ଧତିରେ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ଏହା ଲୋପ ପାଇବାକୁ କାରଣରୁ ପରମ୍ପରା ଓ ସଂସ୍କୃତିର ଏକ ଅବଖେୟା ଦେଖାଯିବ । ଗଣ୍ଡୁକି ନଦୀ ଅବବାହିକା ସ୍ଥାନମାନଙ୍କରେ ୩୯.୫ ପ୍ରତିଶତ ପରିବାର ମତ ଦିଅନ୍ତି ଗତ ୧୬ବର୍ଷ ମଧ୍ୟରେ ଫସଲରେ ନୂତନ ରୋଗ ଏବଂ କୀଟପତଙ୍ଗ ଦେଖାଦେଇଛି । ଗତ ୨୦ବର୍ଷ ମଧ୍ୟରେ ସେମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭବ କରିଛନ୍ତି । ଗଣ୍ଡୁକି ଅଞ୍ଚଳର ୯୭.୪ପ୍ରତିଶତ ପରିବାର ଜଳବାୟୁ ବିପର୍ଯ୍ୟୟର ପ୍ରାରମ୍ଭିକ ଚେତାବନୀ ବିଷୟରେ ଅବଗତ ନୁହଁନ୍ତି ।
ସ୍ଥାନୀୟ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ପଦାଧିକାରୀ କୁହନ୍ତି, ସ୍ଥାନୀୟ ପ୍ରଶାସନ ଓ ସରକାର ଏହି ବିପଦକୁ ହ୍ରାସ କରିବାରେ ଆମେ କାର୍ଯ୍ୟ କରୁଛୁ ମାତ୍ର ପାଣିପାଗର ପରିବର୍ତ୍ତନ ଏତେ ଅପ୍ରତ୍ୟାଶିତ ଯେ ଆମର ପ୍ରୟାସ ପର୍ଯ୍ୟାପ୍ତ ହେଉନାହିଁ । ଆମକୁ ମନେରଖିବାକୁ ହେବ ଦୀର୍ଘକାଳୀନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଯେତେ ବିଳମ୍ବ ହେବ ଜୀବନଜୀବିକା ସେତେ ଅଧିକ କ୍ଷତି ସହିବ । ଏହି ବିପଦ ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ଆମକୁ ସଚେତନ ହେବାକୁ ପଡ଼ିବ ।
Comments
0 comments