ବିଶ୍ୱ ସ୍ୱାସ୍ଥ୍ୟସଙ୍ଗଠନ ଅନୁସାରେ ପୃଥିବୀର ୮୦ପ୍ରତିଶତରୁ ଊଦ୍ଧ୍ୱର୍ ଜନସଂଖ୍ୟା ପାରମ୍ପାରିକ ଔଷଧି ମୁଖ୍ୟତଃ ବନୌଷଧି ଉପଚାର ନେଇଥାନ୍ତି । ବିଶ୍ୱରେ ଚୀନର ପାରମ୍ପାରିକ ଚିକିତ୍ସା ସବୁଠାରୁ ବେଶି ଲୋକପ୍ରିୟ । ଏହା ପରକୁ ରହିଛି ଭାରତୀୟ ଚିକିତ୍ସା ବା ଆୟୁର୍ବେଦ । ବିଶ୍ୱର ସବୁଠାରୁ ବଡ଼ ସଂଖ୍ୟାର ଲୋକେ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି । ଏହି ପରିପ୍ରେକ୍ଷୀରେ ବନୌଷଧି ଉପରେ ବିଶ୍ୱ ନିର୍ଭରଶୀଳ ରହୁଛି । କିନ୍ତୁ ବନୌଷଧିକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଔଷଧି ଭାବରେ ଗ୍ରହଣ କରେ ନାହିଁ । ଏହାକୁ ଉଦ୍ଭିଦଜ ସାମଗ୍ରୀ ଆକାରରେ ଦେଖିଥାଏ । ସଙ୍ଗଠନ ଏହା ମଧ୍ୟ ବିଶ୍ୱାସ କରିଥାଏ ଯେ ବୈଷୟିକ ଅଭାବଯୋଗୁଁ ଲୋକେ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି ।
ଏକବିଂଶ ଶତାବ୍ଦୀର ଚଉଠେ ସମୟ ଗଲାପରେ ଯଦି ବିଶ୍ୱର ଅଶି ପ୍ରତିଶତ ଲୋକ ପାରମ୍ପରିକ ଚିକିତ୍ସା ଉପରେ ସମ୍ପୂର୍ଣ୍ଣ ନହେଲେ ବି ଆବଶ୍ୟକ ସମୟରେ ବ୍ୟବହାର କରୁଛନ୍ତି । ତା’ହେଲେ ନିଶ୍ଚୟ ବିଚାରଯୋଗ୍ୟ ବିଷୟ । ଯଦି ଏହା ଉପରେ ଆଲୋଚନା ନହୁଏ ତା’ହେଲେ ଆମେ ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ ଯେ ଆମେ ବିକାଶ ନାମରେ ଅନ୍ଧବିଶ୍ୱାସ ଗୋଟିଏ ଶବ୍ଦର ମାତ୍ରାଧିକ ପ୍ରୟୋଗ କରି ଚାଲିଛୁ । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ପାରମ୍ପରିକ ଚିକିତ୍ସାର ଶ୍ରେଣୀଭୁକ୍ତ କରିନାହିଁ ।
ବନୌଷଧି ବିଷୟ ପ୍ରବେଶ ପୂର୍ବରୁ ଏହାର ବଜାରକୁ ଦେଖିଲେ ଆବଶ୍ୟକତା ସାମ୍ନାକୁ ଆସିଥାଏ । ଚୀନର ପାରମ୍ପରିକ ଔଷଧି ବଜାର ୨୦୧୨ ମସିହାରେ ୮୩ ବିଲିୟନ ଆମେରିକୀୟ ଡଲାର ଥିଲା ଯାହା ୨୦୧୧ ମସିହାରୁ ୨୦ ପ୍ରତିଶତ ଅଧିକ ଥିଲା । ଯାହା ୨୦୨୦ ବେଳକୁ ୧୧୫ ବିଲିୟନ ଆମେରିକୀୟ ଡଲାର ଆକାରର ହୋଇସାରିଥିଲା । ୨୦୨୩ ମସିହାର ଗୋଟିଏ ପରିସଂଖ୍ୟାନ କହେ ୟୁରୋପର ଔଷଧି ବଜାରରେ ଆୟୁର୍ବେଦ ୨୭.୭ପ୍ରତିଶତର ସହଯୋଗୀ ହୋଇଥାଏ । ୨୦୨୪ରୁ ୨୦୩୧ ମସିହାର ଆନୁମାନିକ ସମୟକୁ ନେଇ ଏକ ଅଧ୍ୟୟନ ହୋଇଅଛି । ଯାହା ଆକଳନ କରେ ଏହି ସମୟ ମଧ୍ୟରେ ବିଶ୍ୱର ଔଷଧି ବଜାରରେ ବନୌଷଧି ୨୧ପ୍ରତିଶତ ହାରରେ ବୃଦ୍ଧି ଘଟିବ । ଗୋଟିଏ ଅଧ୍ୟୟନ କହେ ବର୍ତ୍ତମାନ ବଜାରର ସମସ୍ତ ଔଷଧି ପ୍ରସ୍ତୁତିରେ ୫୦ ପ୍ରତିଶତ ବନୌଷଧିର ବ୍ୟବହାର ହେଉଅଛି । ଏପରିକି ଏସ୍ପିରିନ, ଡିଗୋସ୍କିନ, ମର୍ନ, ପିଲୋକାର୍ପିନ ଆଦି ବନୌଷଧିରୁ ହିଁ ପ୍ରସ୍ତୁତ ହେଉଛି ।
କିଛି ସୂତ୍ର ପ୍ରକାଶ କରିଥାଏ ଯେ ଔଷଧି ଉତ୍ପାଦନ ବେଳେ ବନଉପଜରୁ କମ୍ପାନୀମାନେ ରସାୟନ ଦ୍ରବ୍ୟ ସଂଗ୍ରହ କରୁଛନ୍ତି । ଫଳରେ ବନୌଷଧିର ବ୍ୟବହାର ଓ ବ୍ୟବସାୟ ବେଶ୍ ବଢ଼ିଚାଲିଛି । ବନଉପଜ ଓ ବନଜୀବ ତଷ୍କରୀର ଆକାର ସର୍ବବିଦିତ ।
ଏହି ସତ୍ୟ ବାହାରେ ଆଉ ଗୋଟିଏ ସତ୍ୟ ହେଲା ଯେ ବିଶ୍ୱରେ ଔଷଧି ପାଇଁ ବ୍ୟବହାର ହେଉଥିବା ଉଦ୍ଭିଦରେ ୫୦ରୁ ୮୦ହଜାର ପୁଷ୍ପ ପ୍ରଜାତିର ରହିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୧୫ହଜାର ପ୍ରଜାତି ନଷ୍ଟ ହେବାର ଦ୍ୱାରଦେଶରେ ରହିଛନ୍ତି । ଗୋଟିଏ ପଟରେ କ୍ରମବର୍ଦ୍ଧିଷ୍ଣ ଆବଶ୍ୟକତା ଏବଂ ଅନ୍ୟପଟରେ ପ୍ରକୃତିରୁ ଗୋଟିଏ ନୁହେଁ ୧୫ ହଜାର ପ୍ରଜାତିକୁ ନଷ୍ଟପର୍ଯ୍ୟନ୍ତ ନେଇ ଆସିବା ଏହା ବଜାରର ନୁହେଁ ମଣିଷ ପ୍ରଜାତି ପାଇଁ ଚିନ୍ତାର ବିଷୟ ହେବା ଉଚିତ । ସୁତରାଂ ପ୍ରକୃତିକୁ ଦୋହନ ମାନବ ପ୍ରଜାତିଦ୍ୱାରା ବହୁ ଆୟାମି ଅଟେ ।
ପ୍ରମୁଖ ଆବଶ୍ୟକତା ସତ୍ତ୍ୱେ ବନୌଷଧିକୁ ଚିକିତ୍ସାଜଗତରେ ପୂର୍ଣ୍ଣ ମାନ୍ୟତା ନଦେବାର କାରଣ କଣ ହୋଇପାରେ ଏହି ପ୍ରଶ୍ନ ବାଦ ଓଡ଼ିଶାର ଇତିହାସରେ ପାରମ୍ପାରିକ ଚିକିତ୍ସାର ସ୍ଥାନ ଦେଖିଲେ ଅନେକ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଥାଏ ।
ମଣିଷ ପ୍ରକୃତିର ଗୋଟିଏ ଅଂଶମାତ୍ର ଏକଥା ସତ୍ୟ, ହେଲେ ଏହାକୁ ଆମର ପୂର୍ବଜ ଅନୁଭବ କରିଥିଲେ । ସେହି ଅନୁସାରେ ନିଜର ଜୀବନଶୈଳୀକୁ ଢାଳିଥିଲେ । କୁହାଯାଏ ବନୌଷଧିର ବ୍ୟବହାର ୧୨ ହଜାର ବର୍ଷ ପୁରୁଣା । ସେହିପରି ଚୀନ ୪.୫ରୁ ୫ହଜାର ବର୍ଷ ପୁରୁଣା ବୋଲି କୁହାଯାଏ । ଗୋଟିଏ ଅନୁମାନ ୬୦ହଜାର ବର୍ଷ ବୋଲି ମଧ୍ୟ ଦାବୀ କରେ ।
ଅନେକ ଅଧ୍ୟୟନ ଆଧାରରେ ଏକଥା ସତ୍ୟ ଯେ ମଣିଷ ବାନର ବଂଶରୁ ନିଜକୁ ବିକଶିତ କରିଛି । ଶିକ୍ଷା ତାର ସହଜାତ ଅଥବା ପୃଥିବୀରେ ତିଷ୍ଠି ରହିବାପାଇଁ ଅନ୍ୟ ପ୍ରଜାତିକୁ ଅନୁକରଣ କରିଛି । ଏହା ସତ ଯେ ତାର ପ୍ରବାସବେଳେ ଅନେକ ପ୍ରଜାତି ସହ ସମ୍ପର୍କ ରଖିବାର ଅବସର ପାଇଛି । ଗୋଟିଏ ଗୋଟିଏ ଜୀବକୁ ଅବା ବନସ୍ପତିକୁ ଅନୁକରଣ କରିଛି । କାଳକ୍ରମେ ସେହି ଜୀବ ଅବା ବନସ୍ପତି ତାର ମୁଖ୍ୟ ହୋଇଛି । ଯିଏ ଗୋଷ୍ଠୀକୁ ସୁରକ୍ଷା ଦେବାରେ ସହାୟତା କରିଛି ସେ ଭାବ ଜଗତରେ ସେହି ଗୋଷ୍ଠୀର ମୁଖ୍ୟ ରୂପେ ଗ୍ରହଣୀୟ ହୋଇଛି ।
ଓଡ଼ିଶାରେ ଏହାର ଅନ୍ୟ ଏକ ବିକଶିତ ରୂପ ଦେଖାଯାଏ । କୂଳ ଅଥବା ବଂଶର ସୁରକ୍ଷାଦାତା କ୍ରମେ କୌଳଦେବୀଙ୍କ ପରିକଳ୍ପନା ହୋଇଛି । ଏହାକୁ ଆଧାର କରି ଓଡ଼ିଶାର ସେହି ପ୍ରଥମ ମଣିଷମାନ ଗୋଟିଏ ନୂତନ ସଂସ୍କୃତିର ଆରମ୍ଭ କରିଛନ୍ତି । ଏତେବେଳକୁ ପୃଥିବୀର କୌଣସି ମାନବ ସଭ୍ୟତା ଆରମ୍ଭ ହୋଇନଥିଲା । କୌଳର ବିକାଶ ପରେ ପରେ ଏହି କୌଳ ଅବଧାରଣାକୁ ସାକାର ଓ ସ୍ୱତନ୍ତ୍ର କରିବାରେ ଗୋଟିଏ ବିଶେଷ ଚିକିତ୍ସା ପଦ୍ଧତିର ଆଶ୍ରୟ ନିଆଯାଉଥିଲା । ଏହାକୁ ଚିକିତ୍ସା ପଦ୍ଧତି ନ କହି ପରମ୍ପରା କହିବା ଉଚିତ । ଏହି ପରମ୍ପରାରେ ଔଷଧିର ବ୍ୟବହାର ଦେଖାଯାଏ । ଯାହା ଜଣାପଡ଼େ ଏହି ଔଷଧି ମାନବ ପ୍ରଜାତିର ପ୍ରଥମ ପ୍ରଭାବୀ ଔଷଧି ଅଟେ । ଯାହା କୂଳଦେବତା (ଜୀବ ଅବା ବୃକ୍ଷ) ଏବଂ ନିଜ ପ୍ରଜାତିର ଆହାର ସହ କିଛି ପ୍ରାକୃତିକ ଫୁଲ ଓ କିଛି ପାତନୀୟ ସାମଗ୍ରୀର ମିଶ୍ରଣରେ ଗୋଟିଏ ଔଷଧି ପ୍ରସ୍ତୁତ କରି ବର୍ଷର ବିଶେଷ ଦିନରେ ବ୍ୟବହାର କରୁଥିଲେ । ଏହି ବିଶେଷ ଦିନଟି ନିଜର ପୂର୍ବଜଙ୍କୁ କୃତଜ୍ଞତା ଜଣାଇବା ପାଇଁ ସମସ୍ତେ କୌଣସି ଏକ ସ୍ଥାନରେ ଏକତି୍ରତ ହେଉଥିଲେ ଓ ଔଷଧିର ବ୍ୟବହାର କରୁଥିଲେ । ଏହା ବିଶ୍ୱାସ କରୁଥିଲେ ଯେ ସେମାନେ କୂଳଦେବତା ତୁଲ୍ୟ ଶକ୍ତିଶାଳୀ ରହିବେ । ଏହି ଔଷଧିର ପ୍ରସ୍ତୁତ ପାଇଁ ଚକେବଳ ବନୌଷଧିର ଆବଶ୍ୟକତା ରହୁଥିଲା ।
ଜ୍ଞାନର ବିକାଶ ପରେ ପରେ ବନୌଷଧିରେ ମଣିଷର ଦକ୍ଷତା ବଢ଼େଇବା ପାଇଁ ଅନେକ ଉଦ୍ଭିଦକୁ ଚିହ୍ନିଲା । ଏହାପରେ ପ୍ରାଚୀନ ରସାୟନ ସ୍ଥାନରେ ବନୌଷଧିର ବ୍ୟବହାର ଆରମ୍ଭ ହେଲା । ଯାହା ଗୋଟିଏ ନୂତନ ରସାୟନ ବିଜ୍ଞାନର ଆରମ୍ଭ କରିଥିଲା । ରୋଗ ଉପଶମ ଅପେକ୍ଷା ନିଜର ଦକ୍ଷତା ବିକାଶ ପାଇଁ ପ୍ରାଚୀନ ରସାୟନର ବ୍ୟବହାର ହେଉଥିଲା ଯାହା ପରବର୍ତ୍ତୀ ସମୟରେ ଉଦ୍ଭିଦଜ ଔଷଧିକୁ ବ୍ୟବହାର କରାଗଲା । ଡେଭିଡ ଗଡେନ ହ୍ୱାଇଟ ନିଜର ‘ଆଲକେମିକ’ପୁସ୍ତକରେ ଏହାର ବିସ୍ତୃତ ଉଲ୍ଲେଖ କରିଛନ୍ତି ।
ଓଡ଼ିଶାରେ ବହୁ ପ୍ରାଚୀନ ସମୟରୁ ରସାୟନ ବା ବନୌଷଧିର ବ୍ୟବହାର ରହିଅଛି । ଆଦିବାସୀ ପରମ୍ପରାରେ ପ୍ରାଚୀନ ରସାୟନ ପରେ ଏହାର ଗୋଟିଏ ପରମ୍ପରା ଦେଖାଯାଏ ପରବର୍ତ୍ତୀ ସମୟରେ । ବୌଦ୍ଧ ସମୟରେ ବଜ୍ରଜାନର ତିନୋଟି ଅଙ୍ଗ ଦେଖାଯାଏ; ବଜ୍ରଜାନ, ସହଜାନ ଓ କାଳଚକ୍ରଜାନ । ପରିମଳଗିରି (ଗନ୍ଧମାର୍ଦ୍ଦନ) ବିଶ୍ୱବିଦ୍ୟାଳୟର କୁଳପତି ନାଗାର୍ଜ୍ଜୁନ ନାଗରାଜଙ୍କ ନିକଟରୁ ରସାୟନ ବିଦ୍ୟା ଗ୍ରହଣ କରିଥିବା କଥା ସେ ନିଜର ପୁସ୍ତକ ‘ବିପୁଲ୍ୟସୂତ୍ର’ରେ ଉଲ୍ଲେଖ କରିଛନ୍ତି । ନାଗରାଜପାଟ ବଲାଙ୍ଗିର ଜିଲ୍ଲା ଆଗଲପୁର ନିକଟରେ ରହିଅଛି । ଏହାର ମୁଖ୍ୟ ନାଗରାଜ ରସାୟନ ବିଶେଷଜ୍ଞ ଥିଲେ । କୁହାଯାଏ ରସାୟନ ବିଦ୍ୟାକୁ ଅପହରଣରୁ ରକ୍ଷା କରିବାପାଇଁ ନାଗାର୍ଜ୍ଜୁନ ହୁଏନ୍ସାଂଙ୍କୁ ଗନିଆପାଲି ଏବଂ ନାଗରାଜପାଟର ଠିକଣା ଦେଇନଥିଲେ । ନରସିଂହନାଥର ଜଲମହାଦେବରେ ନାଗାର୍ଜ୍ଜୁନଙ୍କ ବହୁ ପ୍ରମାଣ ରହିଅଛି । ଯେଉଁଠାରେ ଜମାନ୍ତକ ଭୈରବଙ୍କ ମୂର୍ତ୍ତି ସହ ଏକଜଟା ତାରାଙ୍କ ମୂର୍ତ୍ତି ଜୀର୍ଣ୍ଣ ଅବସ୍ଥାରେ ରହିଅଛି । ଭୈରବ ହେଉଛନ୍ତି ରସାୟନର ଆଦିଦେବତା ଏବଂ ତାଙ୍କ ମହିଳା ସହଯୋଗୀ ଏକଜଟାତାରା । ଏକଜଟାତାରା ତୀବ୍ବତ ସଂସ୍କୃତିରେ ସର୍ବମାନ୍ୟ ଦେବୀ । ଜମାନ୍ତକ ଭୈରବଙ୍କ ରସାୟନ, ଯୁଦ୍ଧ ବା ସମୂହ ଆକ୍ରମଣ ସମୟରେ ବ୍ୟବହାର ହେଉଥିଲା । ଚଳନ୍ତି ସମୟରେ ଗୁନିଆମାନେ ଏହାର ଗୋଟିଏ ଅଂଶକୁ ରାଜସମ୍ମୋହିନୀ (ଏହାର ବିନାଶ ଅର୍ଥରେ ମଧ୍ୟ ଶବ୍ଦ ରହିଅଛି) ବୋଲି କହିିଥାନ୍ତି ।
ଦ୍ୱିତୀୟ ସମୂହ ସହଜଜାନ । ସହଜଜାନ ସମୟରେ ଆମେ ପା’ଯୋଗୀ ଏବଂ ନାଥ ସମ୍ପ୍ରଦାୟଙ୍କୁ ଦେଖିଥାଉ । ଯେଉଁମାନଙ୍କ ରଚନା ଓଡ଼ିଆ ସାହିତ୍ୟର ଆଦିରୂପ ଭାବରେ ସ୍ୱୀକାର କରାଯାଏ । ଯାହାକୁ ପୂର୍ବାଞ୍ଚଳ ସମସ୍ତ ରାଜ୍ୟରେ ନିଜ ନିଜର ଭାଷାର ଆଦିରୂପ ବୋଲି ଧରି ନେଇଥାନ୍ତି । କାହ୍ନୁପା, ଶବରୀପା, ଲୁଇପା, ହାଡିପା, ଡୋମ୍ବିପା ଆଦି ୮୪ ସିଦ୍ଧାଚାର୍ଯ୍ୟଙ୍କ ନାମ ବେଶ ସମ୍ମାନର ସହ ନିଆଯାଏ । ପା’ଯୋଗୀଙ୍କ ପ୍ରତୀକ ପାଦଚିହ୍ନ । ଯାହା ସମ୍ବଲପୁରରୁ ନୂଆପଡା ଜିଲ୍ଲା ପାଟଧରା ଉପତ୍ୟକାର କୋପଟିଆମ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନମାନଙ୍କରେ ଦେଖାଯାଏ । କୋପଟିଆମ ଗାଁ ନିକଟରେ ଏକ ବରଗଛ ତଳେ ପାଦଚିହ୍ନ ରହିଅଛି । ସେହିପରି ଉପତ୍ୟକା ତଳେ ଥିବା ପାତଲଗଙ୍ଗାରେ ମଧ୍ୟ ପାଦଚିହ୍ନ ରହିଅଛି । ଏହାପରେ ରାଣୀପୁର ଝରିଏଲର ପାଦଚିହ୍ନମାନଙ୍କୁ ସୀତାପାଦ, ରାମପାଦ ଆଦି ନାମରେ ଚିହ୍ନିତ କରିଥାନ୍ତି । କିନ୍ତୁ ଏହା ପା’ଯୋଗୀଙ୍କ ଚିହ୍ନ । ଯେଉଁମାନେ ରସାୟନ ଉପରେ ଗଭିର ଜ୍ଞାନ ରଖିବାସହ ଏହାର ଗବେଷଣାକୁ ଏକ ନୂତନ ଦିଗନ୍ତ ଦେଇ ପାରିଥିଲେ ।
ତୃତୀୟ ସମୂହ କାଳଚକ୍ରଜାନ । କାଳଚକ୍ରଜାନର ଉଦ୍ଭବ ସମ୍ବଲକ । ସମ୍ବଲକର ଉପସ୍ଥିତି ଉପରେ ଅନେକ ବାଦବିବାଦ ଦେଖାଯାଏ । ଉଡ୍ଡୀୟାନ ଦୁଇଭାଗରେ ଚିହ୍ନିତ ହେଉଥିଲା । ଷାଠିଏ ହଜାର ଜନପଦର ସମାହାର ସମ୍ବଲକ ଏବଂ ଲଙ୍କାପୁରୀ । ଏକଦା ସମ୍ବଲକର ରାଜା ଇନ୍ଦ୍ରଭୂତି ରହିଥିଲେ । ଯାହାଙ୍କ ରାଜଧାନୀ ଜାଟିମାଟି ଯାହା ହୀରାକୁଦ ଜଳଭଣ୍ଡାରରେ ଲୀନ ହୋଇସାରିଛି । ଲଙ୍କାର ଉପସ୍ଥିତିକୁ ସୋନପୁର ବୋଲି କୁହାଯାଏ । ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀ ଯାହାଙ୍କ ପୂଜା କଳାହାଣ୍ଡି ଜୁନାଗଡ଼ରୁ ସମ୍ବଲପୁର ସୀମା ପର୍ଯ୍ୟନ୍ତ ହୋଇଥାଏ । ସମ୍ବଲକରେ କାଳଚକ୍ରଜାନର ଉଦ୍ଭବ ହୋଇଥିଲା । ନାଳନ୍ଦାର ଛାତ୍ର ପିଟୁପାଦ କାଳଚକ୍ର ଉପରେ ଅଧ୍ୟୟନ ପାଇଁ ସମ୍ବଲକ ଆସିଥିଲେ ଏବଂ ସେ ଜଟାଳୀଙ୍କ ନିକଟରୁ କାଳଚକ୍ରତନ୍ତ୍ର ଅଧ୍ୟୟନ କରିଥିଲେ । ତାଙ୍କର ଶିଷ୍ୟ ତିନିଜଣ କାଳଚକ୍ରପାଦ ପ୍ରଥମ, ମଧ୍ୟମ ଓ କନିଷ୍ଠ ଏହାର କଟକର ଏକ ସମ୍ପାନରେ ବ୍ୟାଖ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ବିମଳାନନ୍ଦ କାଳଚକ୍ର ତନ୍ତ୍ରକୁ ପୁସ୍ତକ ଆକାରରେ ସଙ୍କଳନ କରିଥିଲେ । ଯେଉଁଥିରେ ଡାଳଖାଇ ଦର୍ଶନର ବର୍ଣ୍ଣନା ରହିଅଛି । ଅର୍ଥାତ୍ ଦର୍ଶନ ପାରଦର୍ଶୀ ରହିଥିଲା ।
ପ୍ରାଚୀନ ସଂସ୍କୃତି ଅଧ୍ୟୟନ କରୁଥିବା ସାଲେଗ୍ରାମ ହୋତା କହନ୍ତି, ଏହି ତିନିଧାରାର ମୌଳିକ ପରିଚୟ ହେଲା ସମସ୍ତ ଅନୁଗାମୀ ରସାୟନ ଓ ମୈଥୁନ ଆଧାରରେ ଏହାର ପ୍ରୟୋଗ କରି ମାନବୀୟ ଦକ୍ଷତାର ବୃଦ୍ଧି କରୁଥିଲେ । କୁହାଯାଏ ସହଜସିଦ୍ଧ ସରହପାଦଙ୍କ ଶରୀର ହୀରା ଭଳି ଚକଚକ କରୁଥିଲା । ଏହି ତିନିଧାରା ରସାୟନ ପ୍ରୟୋଗରେ ମଣିଷକୁ ସାଧାରଣ ସ୍ତରରୁ ବୀରାଚାରୀ ସ୍ତର ପର୍ଯ୍ୟନ୍ତ ପରିବର୍ତ୍ତନ କରି ପାରୁଥିବା ବିଶ୍ୱାସ ରହିଥିଲା ।
ଆର୍ଯ୍ୟଧାରାରେ ମଧ୍ୟ ଏହି ବିଶ୍ୱାସ ଦେଖାଯାଏ । ସୋମରସ ଯାହାକୁ ସାତଟି ବୃକ୍ଷରୁ ସଂଗୃହୀତ ଜିନିଷରୁ ପ୍ରସ୍ତୁତ ହେଉଥିଲା । ସୋମରସକୁ ମଦ୍ୟ ଆକାରରେ କେତେକ ଧରି ନେଇଥାନ୍ତି । ଏହା ଏକ ରସାୟନ ଯାହା ମଣିଷର ଉଭୟ ଶାରୀରିକ ଓ ଆତ୍ମୀକ ଦକ୍ଷତା ବୃଦ୍ଧି କରି ପାରିବାର ବିଶ୍ୱାସ ରହିଥାଏ ।
ବୌଦ୍ଧ ଏବଂ ଆର୍ଯ୍ୟ ହିନ୍ଦୁ ଗ୍ରନ୍ଥମାନଙ୍କରେ ବନୌଷଧି ଓ ରସାୟନର ବିଶେଷ ବର୍ଣ୍ଣନା ଦେଖାଯାଏ । କିନ୍ତୁ ଯେଉଁମାନେ ସଭ୍ୟତା ଆରମ୍ଭରୁ ରସାୟନର ବ୍ୟବହାର କରି ଆସୁଛନ୍ତି ସେମାନଙ୍କ ବିଷୟରେ ବିଶେଷ ଉଲ୍ଲେଖ ଦେଖାଯାଏ ନାହିଁ । କାରଣ ଲିପିର ବ୍ୟବହାର ଆଦିବାସୀ ସମାଜ କରୁନଥିଲେ । ବହିରାଗତ ବୁଦ୍ଧ ଓ ଆର୍ଯ୍ୟମାନେ ଏହାକୁ ଲେଖି ରଖି ପାରିଲେ । ଯାହାର ମୂଳଉତ୍ସ ଓଡ଼ିଶାର ଆଦିବାସୀ ସଭ୍ୟତା ବା ମୂଳ ସଭ୍ୟତା ହିଁ ଅଟେ ।
ନାଥ ସମ୍ପ୍ରଦାୟ ଔଷଧି କ୍ଷେତ୍ରରେ ନିଜର ବଡ଼ ଯୋଗଦାନ ଦେଇଛନ୍ତି । ସେମାନେ ଆଦିବାସୀ (Indigenous) ଓ ଆର୍ଯ୍ୟ ସଭ୍ୟତା ମଧ୍ୟରେ ଏକ ସେତୁର କାମ କରିଛନ୍ତି । କୌଳ ଯାହା ଓଡ଼ିଶା ସଂସ୍କୃତିର ଆଦି ନିଦର୍ଶନ ଅଟେ, ନାଥଙ୍କ ସମୟରେ ଏହାର ସଂକଳନ ହୋଇଥିଲା । ମତ୍ସ୍ୟେନ୍ଦ୍ରନାଥ କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ର ରଚନା କରିଥିଲେ ଯାହା ପ୍ରାଚୀନ କୌଳର ରସାୟନ ଆଧାରିତ କୌଳ ବୋଲି କୁହାଯାଏ ।
ଅର୍ଥାତ ଔଷଧିର ବ୍ୟବହାର ବିଶ୍ୱାସ ଅବିଶ୍ୱାସ ବାହାରେ ପ୍ରାଚୀନ ସମୟରୁ ଏକ ନିରନ୍ତର ଧାରା ଅଟେ । କିନ୍ତୁ ଆଦିବାସୀ (Indigenous) ଔଷଧି ଉପରେ କୌଣସି ଚର୍ଚ୍ଚା ହୁଏ ନାହିଁ । ଏହା ନିଃସନେ୍ଦହ ଯେ ପ୍ରାଚୀନ ମଣିଷ ଔଷଧିର ବ୍ୟବହାର କରୁଥିଲା । ସେ ସମୟରୁ ଆଜି ପର୍ଯ୍ୟନ୍ତ ଏହାର ବିକାଶ ଯେ ହୋଇନାହିଁ, ଏହା କହିବା ଭୁଲ ହେବ । ସମୟ ଅନୁସାରେ ଏହାର ବିକାଶ ହୋଇ ଆସୁଅଛି । ଅତୀତରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ । ଆର୍ଯ୍ୟଙ୍କ ସମୟରେ (ମହାଭାରତ) ଅଥର୍ବ ବେଦକୁ ମାନ୍ୟତା ଦିଆ ଯାଇନଥିଲା । ଦୁଇଜଣ ବ୍ୟବସ୍ଥାପକ ବ୍ୟସଦେବ ଏବଂ ଶ୍ରୀକୃଷ୍ଣ ଅନ୍ୟ ତିନିବେଦର ମୁଖ୍ୟଙ୍କ ସହ ଅଥର୍ବଣଙ୍କୁ ସମାନ ଆସନ ଦେଇ ମାନ୍ୟତା ଦେଇଥିଲେ । ବେଦର ଅନେକ ଶବ୍ଦ ଅବୋଦ୍ଧୟ ରହିଅଛି । ଅନେକ ଶବ୍ଦର ବ୍ୟାଖ୍ୟା ହୋଇପାରିନାହିଁ । ସାଂଖ୍ୟ ବେଦରେ ଗୃହୀତ ହେବାପରେ ଔଷଧି ନିଶ୍ଚିତ ଗୋଟିଏ ବଡ଼ ଅଙ୍ଗ ଯେହେତୁ ତାହାମଧ୍ୟ ଗ୍ରହଣୀୟ ହୋଇଥାଇପାରେ । ଉପର ମହାନଦୀ ଉପତ୍ୟକା ସଂସ୍କୃତିରେ ବୈଜ୍ଞାନିକତାର ବୀଜ ପବନ କରୁଥିଲା ଏବଂ ଏହା ହିଁ ଓଡ଼ିଶା ସଂସ୍କୃତିର ମୂଳ ।
ବୌଦ୍ଧଙ୍କ ସମୟରେ ସମଗ୍ର ଉଡ୍ଡୀୟାନରେ ବୌଦ୍ଧବିଜ୍ଞଙ୍କ ଦ୍ୱାରା ଗୋଟିଏ ବିଶେଷ ଅଧ୍ୟୟନର ଆରମ୍ଭ କରାଗଲା । ବୌଦ୍ଧଧମ୍ମ ଉଡ୍ଡୀୟାନର ମୂଳଧର୍ମ ସହ ନିଜକୁ ଯୋଡ଼ିଲା । ଏକ ନୂତନ ଧର୍ମଧାରାର ଆରମ୍ଭ କଲା । ଯାହା କରମଣ୍ଡଳ ଅଞ୍ଚଳ ସମେତ ସମଗ୍ର ପୂର୍ବାଞ୍ଚଳ, ତୀବବତ, ଚୀନ, ମଙ୍ଗୋଲ ଆଦି ଅଞ୍ଚଳରେ ନିଜକୁ ଜାହିର କରି ପାରିଥିଲା । ଯେହତୁ ତନ୍ତ୍ର ଅନେକ ପାରମ୍ପାରିକ ଔଷଧି ବିନା ପୂର୍ଣ୍ଣତା ପାଏନାହିଁ । ତେଣୁ ବନୌଷଧି ଓ ରସାୟନ ଉପରେ ବୌଦ୍ଧମାନେ ବେଶ କାମ କରିଛନ୍ତି । ତେଣୁ ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ଏହି ଧର୍ମଧାରାର ମୂଳପିଠମାନ ରହିଅଛି । ନୂଆପଡ଼ା ଜିଲ୍ଲାର ମାରାଗୁଡ଼ା, ବରଗଡ଼ ଜିଲ୍ଲାର ଗନିଆପାଲି, ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଏଲ, ଟିଟିଲାଗଡ଼, କଳାହାଣ୍ଡି ଜିଲ୍ଲାର ମୋହନଗିରି, କୋରାପୁଟ ଜିଲ୍ଲାର …., ସୋନପୁର, ବୌଦ୍ଧ, ଝାରସୁଗୁଡ଼ା ଆଦି । କୁହାଯାଏ ଚୀନ ପରିବ୍ରାଜକ ହୁଏନ୍ସାଂ ନାଗାର୍ଜ୍ଜୁନଙ୍କୁ ଅବିଭାଦନ କଲାବେଳେ କହିଥିଲେ ଆପଣଙ୍କୁ ସୁସ୍ଥ ଥିବେ ବୋଲି ବିଚାର କରୁଥିଲି ଆପଣ ନବଯୁବକ ତୁଲ୍ୟ ଦେଖା ଯାଉଅଛନ୍ତି । କୁହାଯାଏ ଏହି ସମୟରେ ନାଗାର୍ଜ୍ଜୁନଙ୍କୁ ଶତାଧିକ ବର୍ଷ ବୟସ ହୋଇ ସାରିଥିଲା । ଏହାବି ଉଲ୍ଲେଖନୀୟ ବିଷୟ ଯେ ହୁଏନ୍ସାଂଙ୍କୁ ନାଗାର୍ଜ୍ଜୁନ ଗନିଆପାଲି ଓ ନାଗରାଜପାଟର ଠିକଣା କହି ନଥିଲେ । ସେ ସନେ୍ଦହ କରୁଥିଲେ ଏହି ମହାନ ଗୁପ୍ତବିଦ୍ୟାର ଅପବ୍ୟବହାର ହୁଏନ୍ସାଂ କରିବେ ।
ସୋମବଂଶୀଙ୍କ ଦ୍ୱାରା ଆର୍ଯ୍ୟ ଓ ବୈଷ୍ଣବ ଧର୍ମ ଉପର ମହାନଦୀ ଉପତ୍ୟକାରେ ବିସ୍ତାର ଲାଭକରେ । ଓଡ଼ିଶାର ରାଜନୈତିକ ମାନଚିତ୍ର ଆଙ୍କିବା ଆରମ୍ଭ ହୁଏ । ତନ୍ତ୍ର ମା୍ମମରେ ବନୌଷଧି ଓ ପାରମ୍ପାରିକ ଔଷଧି ଉପରେ ବିଶେଷ ଗବେଷଣା ହୁଏ । ଗଡ଼ଜାତ ଶାସନ ପର୍ଯ୍ୟନ୍ତ ରାଜନୈତିକ ଚିତ୍ର ବେଶ ପରିବର୍ତ୍ତନ ହୋଇ ସାରିଥାଏ । ଏହି ପରିବର୍ତ୍ତନକୁ ବୁଝିବା ପୂର୍ବରୁ କୁଆଁରୀ ପାଟଣା ଉପରେ ଧାରଣା ହେବା ନିତାନ୍ତ ଆବଶ୍ୟକ । ବୁଦ୍ଧଧମ୍ମର ସାଂସ୍କୃତିକ ଦମନ ମୂଳଧର୍ମ ବିପକ୍ଷରେ ଆରମ୍ଭ ହେଲା । ଏପରିକି ପାରମ୍ପାରିକ ମିଥମାନଙ୍କରେ ବୁ୍ଦ୍ଧଧମ୍ମକୁ ଅବରୋପିତ କରାଗଲା । ପରବର୍ତ୍ତି ସମୟରେ ଆର୍ଯ୍ୟମାନେ ମଧ୍ୟ ଏହି କାମ କରିଛନ୍ତି । ଯାହା ଗଡ଼ଜାତ ସମୟରେ ସ୍ପଷ୍ଟ ହୋଇଥିଲା । ବୁଦ୍ଧଧର୍ମର ଦମନ ବିପକ୍ଷରେ ସାତଜଣ କୁମାରୀ ସାଂସ୍କୃତିକ ଆନ୍ଦୋଳନ ଚଳେଇଥିଲେ । ମୂଳଧର୍ମର ମହତ୍ୱ ପ୍ରତିପାଦିତ କରିବାକୁ ଯାଇ ଉଡ୍ଡୀୟାନର ମୌଳିକ ଧର୍ମର ଜୟଘୋଷ କରିଥିଲେ । ସୁକୁଟୀ ଚମାରୁଣୀ, ଶୁଆ ତେଲୁଣୀ, ଜ୍ଞାନଦେଈ ମାଲୁଣୀ (ଯିଏ ଜଗନ୍ନାଥ ମନ୍ଦିରର ଭୋଗ ପ୍ରସ୍ତୁତ ବ୍ୟବସ୍ଥାର ଆଦି ପରିଚାଳିକା), ଗାଙ୍ଗୀ ଗଉଡୁଣୀ, ନିତାଇ ଧୋବଣୀ, ଲୁହୁକୁଟୀ ଲୁହୁରୁଣୀ ଓ ପତ୍ରପିନ୍ଦୀ ସଉରୁଣୀ । ଏହି ସାତକୁମାରୀ ଆଜି ମ୍ମ ପୂଜିତା ଏବଂ ଅନେକ ମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ । ବୁଦ୍ଧ ସମୟରେ ଲକ୍ଷ୍ମୀଙ୍କରାଙ୍କ ତୁଲ୍ୟ ସାତ ଭଉଣୀ ରାଜତନ୍ତ୍ର ପୂର୍ବ ସମୟରେ ଶକ୍ତିଶାଳୀ ଥିଲେ । ଗଡଜାତ ସମୟରେ ଏହି ସାତଭଉଣୀଙ୍କ ଶହ ଶହ ବର୍ଷର ପ୍ରଭାବ ଓ ସଂସ୍କୃତି ବିପକ୍ଷରେ ଆନ୍ଦୋଳନ ଚାଲିଥିଲା । ଏହାର ପ୍ରମୁଖ ଉଦାହରଣ ବହୁ ଚର୍ଚ୍ଚିତ ଶିଶୁ ପ୍ରତାପ ରାୟଙ୍କ ଶଶିସେଣା କାବ୍ୟ ।
ଉପରୋକ୍ତ ସମସ୍ତ ତଥ୍ୟ ବନୌଷଧି ଓ ପାରମ୍ପାରିକ ଔଷଧିର ଇତିହାସ ଅଟେ । କାରଣ ଯେଉଁ ପରମ୍ପରାମାନଙ୍କ ଉଦାହରଣ ଦିଆ ଯାଉଅଛି ସମସ୍ତେ ଔଷଧିକୁ ହିଁ ଗୁରୁତ୍ୱ ଦିଅନ୍ତି । ଗଡ଼ଜାତ ସମୟରେ ବୈଦ୍ୟ ପରମ୍ପରା ଓ ଶାବରୀ ବିଦ୍ୟା (ଗୁଣିଗାରେଡି)କୁ ବହୁ ପ୍ରୋତ୍ସାହନ ମିଳିଥିଲା । ଇଂରେଜ ଶାସନ ପର୍ଯ୍ୟନ୍ତ ଏମାନଙ୍କ ପ୍ରଭାବ ରହିଥିଲା । ଏତେବେଳକୁ ଏମାନେ ଲୋକଙ୍କୁ ଶୋଷଣ କରିବା ଆରମ୍ଭ କରି ସାରିଥିଲେ । ଆଧୁନିକ ଚିକିତ୍ସା ଓ ଇଂରେଜ ଅନୁକରଣ ଉଭୟଙ୍କୁ ଅନ୍ଧବିଶ୍ୱାସର ପରିସୀମାକୁ ନେଇଗଲା । ଆଧୁନିକ ଚିକିତ୍ସାକୁ ସରକାରୀ ମାନ୍ୟତା ମିଳିବା ଫଳରେ ଏହାର ପ୍ରଭାବ ମଧ୍ୟ ରହିଲା । ଆଜି ଗୁଣିଗାରେଡ଼ି ଚିକିତ୍ସା ପ୍ରଚଳିତ ଅଛି । ଏହାକୁ ଆଇନ ସୀମାକୁ ଅଣାଯାଇଛି । ଅର୍ଥାତ ପ୍ରଚଳିତ ଥିଲେ ମଧ୍ୟ ଏହା ସରକାରଙ୍କ ସ୍ୱୀକୃତି ପାଇନାହିଁ ।
ବିକଳ୍ପ ଚିକିତ୍ସା ନାମରେ ସରକାର ଗୋଟିଏ ବିଭାଗୀୟ କାର୍ଯ୍ୟକ୍ରମ ପରିଚାଳନା କରିଆସୁଛନ୍ତି । ଯେଉଁଥିରେ ଆୟୁର୍ବେଦକୁ ପ୍ରମୁଖତା ଦିଆ ଯାଉଅଛି । ପାରମ୍ପାରିକ ବନୌଷଧି ଓ ଔଷଧିର ପରମ୍ପରା ରହି ଆସିଥିଲା ତାର ଚିହ୍ନ ଆଜି ମଧ୍ୟ ଆମେ ଦେଖିଥାଉ । ଗନ୍ଧମାର୍ଦ୍ଦନର ଉଭୟ ପାଶ୍ୱର୍ ହରିଶଙ୍କର ଏବଂ ନୃସିଂହନାଥ ଓ ନୂଆପଡା ଜିଲ୍ଲା ବୋଡେନ ନିକଟସ୍ଥ ଗୁରୁଡଙ୍ଗର ପାତଲଗଙ୍ଗାରେ ବୈଶାଖ ପୂର୍ଣ୍ଣିମା ଦିନ ସପ୍ତାହବ୍ୟାପୀ ମେଳା ହୁଏ । ଲୋକେ ପାହାଡ଼ ଚଢ଼ନ୍ତି । ଗନ୍ଧମାର୍ଦ୍ଦନର ଦୁଇପଟକୁ ପାହାଡ଼ ଚଢ଼ି ଯିବା ଏକ ପୂଣ୍ୟକାମ ବୋଲି ମନେ କରନ୍ତି । ଉଡ୍ଡୀୟାନର ଏହି ଦୁଇଟି ଅଞ୍ଚଳ ଏହା ସହିତ ଅନ୍ୟାନ୍ୟ ପର୍ବତରେ ପାଳିତ ହେଉଥିବା ବୈଶାଖ ପୂର୍ଣ୍ଣିମା ବୁଦ୍ଧଙ୍କ ସହ ଯୋଡ଼ାଯାଏ । ନିଶ୍ଚିତ ବୁଦ୍ଧଙ୍କ ପ୍ରଭାବ ବହୁଦିନ ଏଠାରେ ରହିଥିଲା । ସ୍ଥାନୀୟ ଔଷଧି ବିଜ୍ଞାନରେ ବୌଦ୍ଧପୂର୍ଣ୍ଣିମା ବିଶେଷ ମହତ୍ୱ ରଖିଥାଏ । ତଦନୁରୁପ ହିନ୍ଦୁ ପରମ୍ପରାରେ ମଧ୍ୟ । ଏହାର ମୁଖ୍ୟ କଥା ହେଲା ସାମାଜିକ ଜୀବନରେ ଔଷଧି ପ୍ରମୁଖ ଭୂମିକା ରଖିଥାଏ । ନାଗରିକ ପରିବାର ପାଇଁ, ଚିକିତ୍ସକ ଚିକିତ୍ସା ପାଇଁ, ତାନ୍ତ୍ରିକ ତନ୍ତ୍ରପାଇଁ ବୈଶାଖରେ ଔଷଧି ସଂଗ୍ରହ କରିଥାନ୍ତି । ବସନ୍ତ ଉଦ୍ଭିଦର ସବୁଜିମା ସମେତ ଔଷଧିର ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ । ଏହାସହ ପ୍ରାଣୀର ଉପଜ କ୍ଷମତାକୁ ବି ଜୀବନୀଶକ୍ତି ଦେଇଥାଏ । ଏହି ଶକ୍ତି ବୈଶାଖର ଖରାରେ ବିକଶିତ ରହିଥାଏ ତେଣୁ ଏହି ସମୟରେ ଔଷଧି ସଂଗ୍ରହପାଇଁ ସମସ୍ତେ ଏକତି୍ରତ ହୋଇଥାନ୍ତି । ଗନ୍ଧମାର୍ଦ୍ଦନ ଏବଂ ଗୁରୁଡଙ୍ଗର ଓଡ଼ିଶାର ଦୁଇଟି ପର୍ବତ ଶୃଙ୍ଖଳା ଦୁର୍ଲଭ ବନୌଷଧିମାନଙ୍କ ଭଣ୍ଡାର ଅଟେ । ଉଡ୍ଡୀୟାନର ପ୍ରାଚୀନ ସାମାଜିକ ବ୍ୟବସ୍ଥା ଅନୁସାରେ ଏହି ସମୟରେ ମାଁ ଜଠରରେ ଶିଶୁର କାୟାବୃଦ୍ଧି ହେଉଥାଏ । ଏତେବେଳେ ଔଷଧିର ଆବଶ୍ୟକତା ମାଁମାନଙ୍କୁ ଅଧିକ ରହିଥାଏ । ତା ପରକୁ ଶିଶୁମାନଙ୍କରର ସ୍ୱାସ୍ଥ୍ୟରକ୍ଷା ପାଇଁ ମଧ୍ୟ ଔଷଧିର ଆବଶ୍ୟକତା ରହେ । ଅଶି ଦଶକରେ ହୋଇଥିବା ବାଲ୍କୋ ବିରୋଧି ଅଭିଯାନ ପଛରେ ଔଷଧିର ସୁରକ୍ଷା ଗୋଟିଏ କାରଣ ଥିଲା । ଚଳନ୍ତି ସମୟରେ ଆଦାନୀର ଜମିକିଣା ବିଷୟ ଲୋକଲୋଚନକୁ ଆସିବାପରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ବେଶ ଉଗ୍ର ହୋଇଉଠୁଛି ।
ଔଷଧି ପାଇଁ ହିଁ ନୃସିଂହନାଥ ଆୟୁର୍ବେଦିକ କଲେଜର ସ୍ଥାପନା ହେଲା । କିନ୍ତୁ ଅଭିଜ୍ଞ ବୈଦ୍ୟଙ୍କ ଅନୁସାରେ ଆଧୁନିକ ଜ୍ଞାନକୌଶଳ ଔଷଧି ସଂଗ୍ରହ ସହିତ ଏହାର ଉପଲବ୍ଧତା ବିଷୟରେ ମଧ୍ୟ ସୂଚନା ସାମଗ୍ରିକ କଲା । ଏହାଦ୍ୱାରା ସରକାର ଅପେକ୍ଷା ତଷ୍କର ବିଶେଷ ଆକୃଷ୍ଟ ହେଲେ । ଯେହତୁ ବନବିଭାଗ ଔଷଧିୟ ବୃକ୍ଷଲତାକୁ ବିଶେଷ ମାନ୍ୟତା ନଦେଇ କେବଳ ଉଦ୍ଭିଦ ବୋଲି ଚିହ୍ନଟ କରିଥାଏ ତେଣୁ ବିଭାଗୀୟ ଖାନାପୁରୀ ପରେ ତଷ୍କରୀ ନିଷ୍କଣ୍ଟକ ହୋଇ ପାରିଥାଏ । ଏସ୍ଏଚ୍ ଜି ଆନ୍ଦୋଳନ ପରେ ପରେ ଏହି ପତ୍ରକାର ଜଣେ ବନୌଷଧି ବେପାରୀଙ୍କ ଅଞ୍ଚଳରେ ଦେଖିବାକୁ ପାଇଲା ଯେ ଅଞ୍ଚଳରେ ଏସ୍ଏଚ୍ ଜି ମାନଙ୍କ ବ୍ୟାଙ୍କ ଖାତା ପରିଚାଳନା ଜିଲ୍ଲାସ୍ତରରେ ସର୍ବାଧିକ ରହିଥିଲା । ନିଶ୍ଚୟ ଏହା ସଂଯୋଗ ନୁହେଁ ଏହା ବନୌଷଧି ବେପାରର ଆକାରକୁ ଇଙ୍ଗିତ କରିଥାଏ ।
ଆଧୁନିକ ଔଷଧ କମ୍ପାନୀମାନେ ଉଦ୍ଭିଦରୁ ଅନେକ ରସାୟନ ପ୍ରସ୍ତୁତ କରିବାରେ ଆଗ୍ରହ ଦେଖଉଛନ୍ତି । ଫଳରେ ବନୌଷଧିର ବଜାର ଚାହିଦା ବେଶ୍ ବଢ଼ିଚାଲିଛି । ତଦୃପ ତଷ୍କରୀ ମଧ୍ୟ । ଆଇନ ଅନୁସାରେ ଏହାକୁ ତଷ୍କରୀ ସୀମାଭୁକ୍ତ କରିବା କଠିଣ, କିନ୍ତୁ ବଜାରର ଚରିତ୍ର ଦେଖିଲେ ଏହା ତଷ୍କରୀ ହିଁ ଅଟେ । ଆଇନର ଏହି ବିରୋଧାଭାଷ ଓଡ଼ିଶାର ବନୌଷଧି ବିଲୋପର କାରଣ ହେଉଛି ନିଶ୍ଚୟ । ନିକଟ ଅତୀତରେ ଏହି ଲେଖା ପ୍ରସ୍ତୁତ ପାଇଁ ଜଣେ ଜୈବ-ବୈଷୟିକ ବିଭାଗର ଜଣେ ପ୍ରଫେସରଙ୍କ ସହ ଅଣଆନୁଷ୍ଠାନିକ କଥା ହେଉଥିଲା । ଏହି ସମୟରେ ସୂଚନା ମିଳିଲା ଯେ ଉଦ୍ଭିଦରୁ ସଂଗୃହୀତ ରସାୟନ ବଜାରମୂଲ୍ୟ ତୁଳନାରେ ବେଶ୍ ଶସ୍ତା । ଏତିକି ଶସ୍ତା ଯେ ଦଶହଜାର ଓ ପାଞ୍ଚଶହର ତଫାତ ରଖିଥାଏ । ଫଳତଃ ବନୌଷଧିର ବଜାର ଚାହିଦା ସେହି ଅନୁସାରେ ଅନୁମାନ କରାଯାଇ ପାରେ ।
ଏହି କାରଣରୁ ଷ୍ଟାର୍ଟଅପ ନାମରେ ଅନେକ ଔଷଧିୟ କମ୍ପାନୀ ନିଜ ନିଜର କ୍ୟାମ୍ପସ ଖୋଲି ଚାଲିଛନ୍ତି । ଯେଉଁମାନଙ୍କ ପ୍ରମୁଖ ଆକର୍ଷଣୀୟ କେନ୍ଦ୍ର ହେଲା ବିଶ୍ୱ ବିଦ୍ୟାଳୟମାନ ଅଟନ୍ତି ।
ପ୍ରାଚୀନ ସମୟରୁ ଆଜି ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନ, ଗୁରୁଡଙ୍ଗର ଆଦି ଅନେକ ଛୋଟବଡ଼ ଅଞ୍ଚଳ ଔଷଧିୟ ଉଦ୍ଭିଦରାଜିରେ ପରିପୂର୍ଣ୍ଣ । ସମସ୍ତ ଅଞ୍ଚଳରୁ ଔଷଧି ତଷ୍କରୀ ହେଉଅଛି । ଯେହେତୁ ତଷ୍କରମାନେ କେବଳ ସଂଗ୍ରହ କରନ୍ତି ଏବଂ ଏହାର ସୁରକ୍ଷାପାଇଁ କୌଣସି କାମ କରନ୍ତି ନାହିଁ ତେଣୁ ଅନେକ ଔଷଧି ବିଲୋପ ହୋଇସାରିଲାଣି । ପାଟଧରା ଅଞ୍ଚଳରେ ରହୁଥିବା ପାରମ୍ପରିକ ବୈଦ୍ୟ ରିକିରାମ ସୌରୀ ଏବଂ ସ୍ୱ. ଭୁଜବଲ ଚିନ୍ଦାଙ୍କ ସହ ଏହି ପତ୍ରକାରର ଅନେକ ଆଲୋଚନା ହୋଇଛି । ଶତାଧିକ ନାମ ମଧ୍ୟରୁ ଅନେକ ନାମ ନେଇଛନ୍ତି ଉପରୋକ୍ତ ଦୁଇଜଣ ବୈଦ୍ୟ ଯାହାସବୁ ଆଉ ଅଞ୍ଚଳରେ ଦେଖା ଯାଉ ନାହିଁ ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ପି.କେ ନାୟକଙ୍କ ସହ ଏହି ପତ୍ରକାର ବନୌଷଧି ଉପରେ ଅନେକ ଚର୍ଚ୍ଚା କରିଥିଲା । ବନୌଷଧିର ଆଧୁନିକ ବ୍ୟାଖ୍ୟା କରିବା ପାଇଁ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତି ରହିଅଛି । ଯାହା ଫଳରେ ବନୌଷଧିର ଦ୍ରବ୍ୟଗୁଣ ଉପରେ ବିଶେଷ ରିପୋର୍ଟ ଦେଇ ହେବ । ସେ ଏହା ମଧ୍ୟ ଅନୁରୋଧ କରିଥିଲେ ଯେ ଯଦି କୌଣସି ବୈଦ୍ୟ ନିଜସ୍ୱ ଔଷଧ ପ୍ରସ୍ତୁତ କରୁଥାନ୍ତି ତାହାର ନମୁନା ଯଦି ଦିଅନ୍ତି ତାହେଲେ ଔଷଧିର ଦ୍ରବ୍ୟମାନ ପ୍ରମାଣପତ୍ର ସହ ଦେଇ ପାରିବୁ ।
ଅର୍ଥାତ ସରକାର ଅକ୍ଷମ ନୁହନ୍ତି ଯଦି କାମ କରିବାର ଇଚ୍ଛା ରହନ୍ତା ହେଲେ ପାରମ୍ପରିକ ଚିକିତ୍ସା ନିଶ୍ଚିତ ଗୋଟିଏ ମାନ୍ୟତା ପାଇପାରନ୍ତା । ଔଷଧିର ସଂରକ୍ଷଣ ସହ ଅମଳ ଓ କର୍ମନିଯୁକ୍ତିର ଗୋଟିଏ ଅପୂର୍ବ ସୁଯୋଗ ତିଆରି ହୋଇପାରନ୍ତା ।
Comments
0 comments