ଧାନ କିଣା କଥା : କିଏ ସତ କହୁଛି?
ସମ୍ପ୍ରତି ଟିଟିଲାଗଡ଼ ବ୍ଲକର ଶଗଡ଼ଘାଟ ଧାନମଣ୍ଡି ଗତ ୫ ତାରିଖରେ ଖୋଲିଲା । ଏ ପର୍ଯ୍ୟନ୍ତ ଏଠାରେ ମାତ୍ର ୩୫ଜଣ କୃଷକଙ୍କଠାରୁ ପ୍ଲାଷ୍ଟିକ ଅଖାରେ ୯୬୪ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ପଚାରିବାରୁ ଜଣାପଡ଼ିଲା ଯେ ଚଳିତବର୍ଷ ଏହି ମଣ୍ଡିରେ ଶଗଡ଼ଘାଟ ଏବଂ ମହୁଲପଡ଼ାର ୪୬୫ କୃଷକ ଧାନବିକ୍ରୀ ପାଇଁ ପଞ୍ଜିକରଣ କରିଥିଲେ । ଏହି ମଣ୍ଡିରେ ୧୬୦୦୦ କୁଇଁଟାଲ ଧାନ କିଣା ହୋଇପାରିବାର ବ୍ୟବସ୍ଥା ରହିଛି । ସ୍ଥାନୀୟ କୃଷକମାନେ କହୁଛନ୍ତି ଯେ ସବୁ କେବଳ କଥାରେ ଚାଲିଛି । ଏବେ ଏଠାରେ ଅସଲି କୃଷକଙ୍କ ଠାରୁ କମ୍ ଏବଂ ନକଲି କୃଷକ ଓ ଭାଗଚାଷୀଙ୍କଠାରୁ ଅଧିକ ଧାନ କିଣାଯାଉଛି । ପୁଣି ପ୍ରତି କୁଇଁଟାଲରେ ୪କିଲୋ ଧାନ କଟନୀ କରାଯାଉଛି । ଏହାକୁ ଦେଖି ଦୁଇ ପଂଚାୟତର ଚାଷୀ ଜିଲ୍ଲାପାଳଙ୍କୁ ଭେଟିବାକୁ ଚାହିଁଥିଲେ । ଜିଲ୍ଲାପାଳ କି ଉପଜିଲ୍ଲାପାଳ କେହି ମିଳି ନଥିଲେ । ତେଣୁ ଜିଲ୍ଲା ଯୋଗାଣ ଅଧିକାରୀ ଶଂକର୍ଷଣ ଭୁଏଙ୍କୁ ଭେଟିଥିଲେ । ସେମାନେ କହିଥିଲେ ମିଲମାଲିକମାନେ କହୁଛନ୍ତି ତାଙ୍କୁ ଝୋଟ ଅଖାରେ ଧାନ ଦିଆଯାଉ । ହେଲେ କୃଷକଙ୍କ ପାଖରେ ସରକାରୀ ପ୍ଲାଷ୍ଟିକ ଅଖା । ସେଥିରେ ମଧ୍ୟ ଦୁର୍ନୀତି । ଯେଉଁ ଜରିଅଖାର ଦାମ ୪୪ ଟଙ୍କା, ସରକାରୀ ବାବୁମାନେ କହୁଛନ୍ତି ଚାଷୀ, ସେଥିପାଇଁ ୫୦ଟଙ୍କା ଦିଅନ୍ତୁ । ଏହି କାରଣରୁ ଧାନ ଉଠି ପାରୁ ନାହିଁ । ଏହାଦ୍ୱାରା ଏକେତ ଚାଷୀ ବିଚରା ଶୀତକାକରରେ ନିଜ ଧାନକୁ ଧରି ପଡ଼ିରହିଛନ୍ତି । ୨ରେ ଧାନଗଣ୍ଡାକ ବିକ୍ରୀକରିବା ପାଇଁସେମାନଙ୍କୁ ୩୧୦୦ଟଙ୍କା ସରକାରୀ ଦର ସ୍ଥାନରେ ୨୦୦୦ ଟଙ୍କା କୁଇଂଟାଲ ଦାମରେ ଦଲାଲଙ୍କୁ ଧାନ ବିକିବାକୁ ପଡ଼ୁଛି । ଦଲାଲ ସେହି ଧାନକୁ ନେଇ ପୁଣି ସରକାରକୁ ୩୧୦୦ ଟଙ୍କାରେ ବିକୁଛି । ଏ ବିଷୟରେ ଜଣେ ସ୍ଥାନୀୟ ଚାଷୀ ପରମାନନ୍ଦ ବାଘ ଯାହା କହୁଛନ୍ତି ତାହାହେଲା ତାଙ୍କପାଖରେ ଧାନ ତ ଅଛି କିନ୍ତୁ ସରକାରୀ ମଣ୍ଡିରେ ତାକୁବିକିବା ପାଇ ଟୋକନ ଆସି ନାହିଁ । ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରେ ସେକହୁଛନ୍ତି ଆମେ ତୀକ୍ଷ୍ଣନଜର ରଖିଛୁ । ନକଲି ଚାଷୀ କି ଦଲାଲ କେହି କିଛିକରି ପାରିବେନି ।
ସମ୍ପ୍ରତି ଏହାକୁ ନେଇ ବିଧାନସଭାରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏକ ମୂଲତବୀ ପ୍ରସ୍ତାବ ଅଣା ଯାଇଥିଲା । ଶୀର୍ଷକ ଥିଲା ‘ଅବ୍ୟବସ୍ଥିତ ମଣ୍ଡିରେ ଧାନକିଣା ଯୋଗୁଁ ଚାଷୀ ଶୋଷଣର ଶିକାର । ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାରଙ୍କର ଆନ୍ତରିକତାର ଅଭାବ ।’ ଆଲୋଚନା ଆରମ୍ଭ କରି ବିଜେଡ଼ି ଦଳର ପୂର୍ବତନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ମିଲରମାନେ ଯେତିକି ଧାନ ନେଇଥିଲେ ସେମାନଙ୍କଠାରୁ ତା’ର ଚାଉଳ ଆଜି ପର୍ଯ୍ୟନ୍ତ ଅସୁଲ ହୋଇନାହିଁ । ସରକାରୀ ଡିଏଲପିସି ଏକ ପ୍ରାଇଭେଟ ଫାର୍ମ ପରି କାମ କରୁଛି । ଏହାର ପ୍ରୋସିଡିଂ ମିଳୁନାହିଁ । ପୂର୍ବଖାଦ୍ୟ ଓ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ସରକାର ତାଙ୍କ ଦାୟିତ୍ୱ ଠିକଭାବେ ସମ୍ଭାଳିଥିଲେ ଆଜି ଏଠି ଧାନ ବିଷୟରେ ଆଲୋଚନା କରିବାକୁ ପଡ଼ି ନଥାନ୍ତା । ରାଜ୍ୟରେଏବେ ୫ଟି ଜିଲ୍ଲାରେ ଧାନ ସଂଗ୍ରହ କରାଯାଉଛି । କିନ୍ତୁ ଏହା ଜରିଆରେ ଜିଲ୍ଲାର ସବୁସ୍ଥାନରୁ ଧାନ ଉଠୁନାହିଁ । ଏହି ସରକାର ଏକ ଜୁମଲା ସରକାର । କହିଦେଲେ ହେଲେ ଦେଇ ପାରୁ ନାହାନ୍ତି । କୁହାଯାଉଛି ଏଫଏକ୍ୟୁ ମାନର ଧାନ ନେଇ ୩୧୦୦ ଟଙ୍କା ଦିଆଯାଉଛି । ହେଲେ ପ୍ରକୃତରେ କେତେ ଏଫଏକ୍ୟୁ ମାନର ଧାନ ନେଲେଣି ଓ କେତେ ପଇସା ଦେଲେଣି ଏବଂ ଏଫଓକ୍ୟୁ ମାନ ନଥିବା କାରଣରୁ କେତେ ଧାନ ଫେରାଗଲାଣି? ବିଧାୟକ ସ୍ୱାଇଁ କହିଥିଲେ ଗ୍ରେନ ଆନାଲାଇଜର ନାଁଆରେ ସରକାର କଟନି ଛଂଟନି ଚଳାଇଛନ୍ତି । ଅଧିରାଜ ମୋହନ ପାଣିଗ୍ରାହୀ କହିଥିଲେ ନୂଆଖାଇ ପୂର୍ବରୁ ଯେଉଁଠି ଧାନ ଅମଳ ହୋଇଥିଲା ତାହା ଛତିଶଗଡ଼କୁ ଚାଲିଗଲା । କୁହାଯାଉଛି କ’ଣ ନା ୩୧୦୦ଟଙ୍କା ଦିଆଯାଉଛି ବୋଲି ଚାଷୀଖୁସି ଅଛନ୍ତି । ଚାଷୀଖୁସି ନାହାନ୍ତି ସରକାର ମିଲରଙ୍କ ପକେଟରେ ଅଛନ୍ତି । ପାଣିଗ୍ରାହୀ ପଚାରିଥିଲେ ଯେ ଏଥର ଚାଷୀ ପଞ୍ଜିକରଣ କମିଲା କାହିଁକି? ସେ ଦାବୀ କରିଥିଲେ ଯେ କଟନି ଛଁଟନି ଓ ମିଲରଙ୍କ ଦାଦାଗିରି ବନ୍ଦ ହେବା ଦରକାର ।
ଆନାଲାଇଜର ମେସିନ କାମ କରୁନି ବୋଲି କଂଗ୍ରେସ ବିଧାୟକଙ୍କଠାରୁ ନେଇ ପବିତ୍ର ସାଉଁତାଙ୍କ ଭଳି ଅନେକ ବିଧାୟକ କହିଥିଲେ ।
ଉତ୍ତରରେ ମନ୍ତ୍ରୀ ସେହି ପୁରୁଣାକଥାକୁ ଦୋହରାଇ କହିଲେ ସବୁ ହେଉଛି ପୂର୍ବସରକାରର ଦୋଷ । ଯୋଗାଣମନ୍ତ୍ରୀ କହିଲେ ଏଥର ଚାଷୀଙ୍କ ପଞ୍ଜିକରଣ କମିଛି, ଏକଥା ସତ । କିନ୍ତୁ ଏହା ପଛର କାରଣ ହେଉଛି ପୂର୍ବସରକାର । ପୂର୍ବସରକାର ବହୁ ନକଲି ଚାଷୀ ପଞ୍ଜିକରଣ କରିଥିଲେ । ସେତେବେଳେ ଦଲାଲମାନେ ସକ୍ରିୟ ଥିଲେ । ଏଥର ସାଟେଲାଇଟ ସର୍ଭେ କରିବାରୁ ସବୁ ସତ ଜଣାପଡ଼ିଛି । ପୂର୍ବରୁ ଯୋଗାଣ ବିଭାଗରେ ଦୁର୍ନୀତି ଭର୍ତ୍ତି ହୋଇଥିଲା । କଟନି ଛଁଟନି ବନ୍ଦ କରିବାକୁ ମୁଁ ଯେତେବେଳେ କହିଲି କେହି ଶୁଣିଲେ ନାହିଁ । ସଚିବଙ୍କୁ ବଦଳାଇବାରୁ ବିଜେଡି ତା’ଉପରେ ପ୍ରତିବାଦ କଲା । ପୂର୍ବ ସରକାରରେ ମିଲରଙ୍କଠାରୁ ଟଙ୍କା ଲୁଟ୍ କରାଯାଉ ଥିଲା । ଏବେ ସେ ସବୁର ପରିସମାପ୍ତି ଘଟିଛି । ଏବେ ଚାଷୀ ପଚାରୁଛି ସିଏ କାହାକୁ ବିଶ୍ୱାସ କରିବ ? ମଣ୍ଡିରେ ଶୀତକାକରରେ ପଡ଼ିଥିବା ତା ନିଜକୁ ନା ଶୀତତାପ ନିୟନ୍ତ୍ରିତ ବିଧାନସଭାର ନୂଆମନ୍ତ୍ରୀଙ୍କୁ?
ପୁଅ କାହିଁ ମା ପେଟରେ?
ପାଠକେ! ଆଜି ଜଣେବାବୁ ଫୋନକରି ପଚାରିଲେ -ଆଜ୍ଞା! ଏ ପନ୍ନୁ କିଏ? ଆମେ କହିଲୁ, ସିଏ ଆମ ମାଉସୀ ପୁଅ ଭାଇ ନୁହନ୍ତି । ତେଣୁ କେମିତି ଜାଣିବା? ବାବୁଜଣକ କହିଲେ- କି କଥା ଆଜ୍ଞା? ସିଏ ପରା କ’ଣ ମେଲ ପଠାଇ ଧମକ ଦେଉଛି ଯେ ସମସ୍ତଙ୍କୁ ମାରି ପକାଇବ । ଆମେ ପଚାରିଲୁ – କାହାକୁ ସବୁ ମେଲ ପଠାଇଛି? ବାବୁଜଣକ କହିଲେ- ସବୁ ବଡ଼ ସାମ୍ବାଦିକଙ୍କୁ ପଠାଇଛି ଆପଣ କେମିତି ପାଇନାହାନ୍ତି? ଆମେ କହିଲୁ ଆମେ ତ ଜମା ବଡ଼ ସାମ୍ବାଦିକ ନୁହେଁ ଆଜ୍ଞା । ଆମେ ବିଜେପି ସାମ୍ବାଦିକ ବି ନୁହେଁ । ତେବେ କାହାକାହାକୁ ଏଇ ମେଲ ଆସିଛି ସେ ବିଷୟରେ ଆପଣ କିଛି ଜାଣିଛନ୍ତି? ବାବୁ କହିଥିଲେ ବହୁତ ଲୋକଙ୍କୁ ଆସିଛି ।
ବାବୁଙ୍କ ଫୋନଟି ପାଇବା ପରେ ଆମେ ପ୍ରଥମେ ଜଣେ ବଡ଼ ପୁଲିସ ଅଫିସରଙ୍କୁ ଫୋନ କଲୁ । ସିଏ ସେମିତି ସବୁ ଶୁଣୁଛନ୍ତି ବୋଲି କହିଥିଲେ । ସିଏ ଆମକୁ ପଚାରିଥିଲେ ସେମିତି କିଛି ମେଲ ଆପଣଙ୍କ ପାଖକୁ ଆସିଛି କି? ମୁଁ କହିଲି ନାହିଁ ଆଜ୍ଞା ସେଗୁଡ଼ା ସବୁ ବଡ଼ ସାମ୍ବାଦିକଙ୍କ ପାଖକୁ ଆସିଛି । ମୁଁ ଟିକେ ଖୋଜେ ରୁହନ୍ତୁ । ପରେ ପରେ ଆମେ ଭୁବନେଶ୍ୱରରେ ଥିବା କିଛି ବଡ଼ ସାମ୍ବାଦିକଙ୍କୁ ଫୋନ କଲୁ । ସେମାନଙ୍କ ଭିତରୁ ସମସ୍ତେ ଗୋଟିଏ ଜବାବ ଦେଲେ ଯେ ଅଖିଆ ସାହୁ ପାଖକୁ ଆସିଛି ଆଉ ନବୀନ ଦାସ ପାଖକୁ ଆସିଛି । ଦୁଇଜଣଯାକ ବିଜେପିର ବଡ଼ ସମର୍ଥକ ବୋଲି ଆମେ ଶୁଣିଛୁ । ସେଇମିତି କିଛି ସୂତ୍ରରୁ ମେଲଟା ପୁଲିସିକୁ ମିଳିଛି । ଆଉ ଜଣେ କହିଲେ ଆମେ ପାଇନୁ କିନ୍ତୁ ଆମକୁ ଜଣେ ସାମ୍ବାଦିକ ସେ ମେଲ ପଠାଇଛନ୍ତି । ସିଏ ଯାହା ନାଁ କହିଲେ ସିଏ ମୋର ବେଶ ଜଣାଶୁଣା । ମୁ ଯେତିକି ଜାଣିଛି ତାର ଅଖିଆ ସାହୁ ସହିତ ଭଲ ସମ୍ପର୍କ । ପାଠକେ ଆମେ ଶୁଣୁଛୁ ଅଖିଆ ସାଉ ଏଇନେ ଖାଲି ବିଜେପିର ନୁହେଁ, ପୁରା ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ । ନବୀନ ଦାସ ବାବୁ ମଧ୍ୟ ବିଜେପି ସମର୍ଥକ ବୋଲି ଶୁଣୁଛୁ । ଆଉ ଜଣେ ଜଣାଶୁଣା ବିଜେପି ସାମ୍ବାଦିକ ଯାହାଙ୍କ ଭାଗ୍ୟରେ ମେଲ ଆସିବାର ସୌଭାଗ୍ୟ ଜୁଟି ନାହିଁ, ଆମକୁ ସେ ମେଲ ବିଷୟରେ କିଛି ନକହି ସେ ମେଲଟ ପୁରା ଅସଲି ବୋଲି ଯୁକ୍ତି କରି ଆମକୁ କହିଲେ ତମର କମ୍ପ୍ୟୁୁଟର ଉପରେ କିଛି ଧାରଣା ନାହିଁ । କେହି କାହାପାଖକୁ ନକଲି ମେଲ ପଠାଇ ପାରିବେ ନାହିଁ ।
ଆମେ ତ ପୁରା ଚମକି ପଇଲୁ । ଇଏ ପନ୍ନୁ ଲୋକଟା କିଏ? ଇଏ କିଛି ଗଣ୍ଡଗୋଳ କରି ଦବ କି? ଆମେ ଆମ ପୁଲିସ ସାରମାନଙ୍କୁ ଫୋନ୍ କରି ଯାହା ବୁଝିଲୁ ଏ କଥାଟା ବାତ୍ୟା ମାଡ଼ି ଆସୁଛି ପରି ସମ୍ପୂର୍ଣ୍ଣ ଭାବେ ପ୍ରଧାନମନ୍ତ୍ରୀଙ୍କ ଟିଆରପି ବଢ଼ାଇବା କଥା । କାରଣ ସାରମାନଙ୍କର କହିବା କଥା ଯେ ଖାସ୍ ଆପଣଙ୍କ ଯୋଗୁଁ ଏଥର ଏତେବଡ଼ ଫେଙ୍ଗଲ ବାତ୍ୟାଟା ଆସିଲା କିନ୍ତୁ ଜଣମାଧ୍ୟମରେ କିଛି ପ୍ରଚାର ପ୍ରସାର ହୋଇପାରିଲା ନାହିଁ । ଜିନିଷପତ୍ର ଦର ବଢ଼ିପାରିଲା ନାହିଁ । ଟିଭିରେ ଭୟଙ୍କର ବାତ୍ୟା ମାଡ଼ି ଆସିଲା ନାହିଁ କି ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ା ଉଭାନ୍ ହୋଇଗଲା ନାହିଁ । ଟିଭିରେ ଭୟ ପ୍ରଚାରିତ ନହେବା ଫଳରେ ସବୁ ସ୍ୱାଭାବିକ ରହିଲା । ଆମେ ମନେ ମନେ କହିଲୁ ଆମେ କେଡେ ବଡ଼ ନୋକ ହୋଇଗଲୁଣୁ ହେ । ତେବେ ତାଙ୍କରିଠାରୁ ଶୁଣିଲୁ ଯେ ଯିଏ ତଥାକଥିତ ଧମକ ଦେଇଛି ତା ନାଁ କାଳେ ହେଉଛି ଗୁରୁପତୱନ୍ତ ସିଂହ ପନ୍ନୁ । ସିଏ କାଳେ ଖଲିସ୍ତାନୀ ରାଷ୍ଟ୍ରର ସମର୍ଥକ ଆଉ ବିଦେଶରେ ରହୁଛି । ସିଏ କାଳେ କହୁଛି ଅଲଗା ଖଲିସ୍ଥାନୀ ରାଷ୍ଟ୍ରଟିଏ ଗଠନ କରି ସେଥିରେ ପ୍ରଧାନମନ୍ତ୍ରୀ ହୋଇଯିବ । ଭୁବନେଶ୍ୱରରେ ଡିଜି, ଆଇଜି ମିଟିଙ୍କ ହେବା ଆରମ୍ଭରୁ ଏଇ ଲୋକଟା ଗୋଟାଏ ଦି ମିନିଟିଆ ଭିଡ଼ିଓ ପଠାଇ ଯେକୌଣସି ମତେ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ସେ ତା’ର ସହଯୋଗୀ ଓ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ଆହ୍ୱାନ ଦେଇଥିଲା । ଏବେ ବି ସିଏ ଦି ଜଣ ଜଣାଶୁଣା ବିଜେପି ସମର୍ଥକ ସାମ୍ବାଦିକ କୁହାଯାଉଥିବା ସାମ୍ବାଦିକଙ୍କ ପାଖକୁ ମେଲ ପଠାଇଛି!
ସେହି ବାବୁ ଆମକୁ କହିଲେ ଆଜ୍ଞା! ଆପଣଙ୍କ କଥା ଠିକ୍ । ଆମେ ପଚାରିଲୁ କୋଉଟା? ସିଏ କହିଲେ ସେହି ଯେଉଁ ଆପଣ ଜନାକୀବାବୁଙ୍କ ଉଦାହରଣ ଦେଇ କୁହନ୍ତି- ପୁଅ ନାହିଁ ମା ପେଟରେ..ପୁଅ ପୁଅ ବୋଲି ବାପ ବୋବାଉଛି ବନମାଳୀପୁର ହାଟରେ । ଆମେ କହିଲୁ ନାଇଁ ଆଜ୍ଞା ବୋମା ପଡ଼ି ଯାଇପରେ ଟିକେ ଜଗନ୍ତୁ ।
ଆମେ ତ ଭାଗ୍ୟହୀନ ପିଲାରେ!
ବହୁବର୍ଷ ତଳେ ଗୋଟିଏ କବିତା ଶୁଣିବାକୁ ମିଳୁଥିଲା । କବିତାର ଶୀର୍ଷକଟା ଥିଲା ‘ଆମେ ତ ଭାଗ୍ୟବାନ ପିଲାରେ ।’ କବିତାର ଦ୍ୱିତୀୟ ଧାଡ଼ିଟି ଥିଲା ‘ଆମ ପରି କେ ଆଉ ଥିଲାରେ?’ ଏବେ ଏ ରାଜ୍ୟରେ ଯାହା ଯାହା ଘଟଣା ଘଟୁଛି ତାକୁ ଦେଖିଲେ ଲାଗୁଛି ଶୀର୍ଷକଟା ଏହିପରି ହେବ ଯେ ‘ଆମେ ତ ଭାଗ୍ୟହୀନ ପିଲାରେ… ଆମ ପରିକେ ଆଉ ଥିଲାରେ?’
ଏବେ ଦିନେ କେତୋଟି ଘଟଣାକୁ ଦେଖି ମନଟା ବିଷକିଟିଆ ହୋଇଗଲା । ଭାବିଲୁ ହୋ ପଇସା ପାଇଁ ପିଲାଗୁଡାଙ୍କର କି କି ଅବସ୍ଥା ନ କରୁଛନ୍ତି? ଏଇ ପକ୍ଷରେ ଗତ ବୁଧବାର ସକାଳେ ଧଉଳି ପୁଲିସ ଧଉଳି ଶାନ୍ତିସ୍ତୁପ ତଳେ ୬ଜଣ ନାବାଳକ(ବୟସ ୮ରୁ ୧୪ ବର୍ଷ ମଧ୍ୟରେ)ଙ୍କୁ ଅତି ଦୟନୀୟ ଅବସ୍ଥାରେ ଦେଖି ଥାନାକୁ ଆଣିଲା । ଛୁଆଗୁଡ଼ିକଙ୍କର ଅବସ୍ଥା ଅତି ଦୟନୀୟ ହୋଇ ପଡ଼ିଥାଏ । ଗତ ରାତିସାରା ସେମାନେ କିଛି ନଖାଇ ନପିଇ ଶୀତରାତିରେ ରାତି ଦୁଇଟାରୁ ଆଶ୍ରମରୁ ବାହାରି ଚାଲିଚାଲି ପୁରୀ ଜିଲ୍ଲା ଅଞ୍ଚଳରୁ ଆସି ଧଉଳିରେ ପହଞ୍ଚôଥାଆନ୍ତି । କାହା ଘର ବାଲେଶ୍ୱର ତ କାହାଘର କଟକ ଜିଲ୍ଲାରେ । ସେମାନେ ସବୁଗରିବ ପିଲା । ଭଡ଼ାରେଞ୍ଚଥିବା ଏକ ଶିଶୁ ଆଶ୍ରମର ଅନ୍ତେବାସୀ । ଅନାଥ, ଗରିବ ଏମିତି ସବୁ ଦେଖାଇ ତାଙ୍କୁ ଅଣାଯାଇଥିବ ଓ ସେଥିପାଇଁ ବିଭିନ୍ନସ୍ଥାନରୁ ଦାନ ଅନୁଦାନ କିଛି ମିଳୁଥାଇ ପାରେ । ପିଲାମାନେ ସେକଥା ଠିକ୍ରେ କହି ପାରୁନଥିଲେ ବି ଏତିକି କହିଥିଲେ ଯେ ଆଶ୍ରମର ବାବୁମାନେ ତାଙ୍କୁ ଗଣ୍ଡେ ଠିକରେ ଖାଇବା ପିଇବାକୁ ଦେଉ ନାହାନ୍ତି । ହଇରାଣ ହରକତ କରୁଛନ୍ତି । ଏକଥା ଶୁଣିବା ପରେ ପୋଲିସ ପକ୍ଷରୁ ସମ୍ପୃକ୍ତ ଆଶ୍ରମ ମୁଖ୍ୟଙ୍କୁ ଫୋନ କରାଯାଇଥିଲା । ସିଏ ଶୁଣିଲେ ନାହିଁକି ଆସିଲେ ନାହିଁ । ତେବେ ଖବର ପାଇବା ପରେ ପିଲାମାନଙ୍କ ବାପାମାମାନେ ଧଉଳି ଥାନାରେ ପହଁଚିଥିଲେ । ଏବେ ମାମଲା ଶିଶୁକଲ୍ୟାଣ ସମିତିରେ ରହିଛି । ସେଠାରୁ ଜଣାପଡ଼ିବ ପିଲାମାନଙ୍କର ଭାଗ୍ୟ କ’ଣ ହେବ ।
ପିଲାମାନଙ୍କୁ ସ୍କୁଲକୁ ଆଣିବାକୁ ସରକାରଙ୍କର ଯେତେସବୁ ପଇସା ଖର୍ଚ୍ଚବ୍ୟବସ୍ଥା ତା ଭିତରୁ ବଡ଼କଥାଟି ହେଉଛି ମଧ୍ୟାହ୍ନ ଭୋଜନ । କିନ୍ତୁ ସେଥିରେ ସବୁବେଳେ ଅବ୍ୟବସ୍ଥା । ବେଶୀ ଅବ୍ୟବସ୍ଥା ଆଦିବାସୀବହୁଳ ଜିଲ୍ଲାମାନଙ୍କରେ । ଏବେ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ବ୍ଲକର ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ୩୬ ଛାତ୍ରଛାତ୍ରୀ ଅସୁସ୍ଥ । ଭୋଜନ ଖାଇବାପରେ ପ୍ରଥମେ ବାନ୍ତି, ତାପରେ ପେଟ କାଟିବା ଓ ଜ୍ୱର ମାଡ଼ିବସିଛି । ସେମାନଙ୍କୁ ସିମନବାଡ଼ି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଗଲା ଯେଉଁଥିରୁ ୫ଜଣ ଗୁରୁତର ବାହାରିଲେ, ସେମାନଙ୍କୁ ଦାରିଙ୍ଗିବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ସେହିପରି ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ-ଭୋଜନ ଖାଇ ୬୮ଜଣ ଛାତ୍ରଛାତ୍ରୀ ପେଟ ବେମାରୀରେ ଅସୁସ୍ଥ ହୋଇ ପଡିଲେ । ଏମାନଙ୍କର ପେଟବ୍ୟଥା ସାଙ୍ଗକୁ ମୁଣ୍ଡବୁଲା । ତେବେ ସେମାନଙ୍କୁ ସ୍କୁଲ କର୍ମଚାରୀ, ପିତାମାତା ଟିଟିଲାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ଛୁଆ…
ପାଠକେ! ସମ୍ପ୍ରତି ଆରଏସ୍ଏସ୍ର ସର୍ବଭାରତୀୟ ମହାମହିମ ମୋହନ ଭାଗବତ୍ ଗୋଟିଏ ଡାକରା ଦେଇଛନ୍ତି ଯେ ଜଣେଜଣେ ଭାରତୀୟ ତିନିତିନିଟା ଛୁଆ ଉତ୍ପାଦନ କରନ୍ତୁ । ଏହି ଦେଶଭକ୍ତି କାର୍ଯ୍ୟପାଇଁ ଗରିବ ଘରର ନିଜପେଟକୁ ଖାଇବା ଯୋଗାଡ଼ କରିପାରୁନଥିବା ବାପାମାମାନେ ଏକଦମ୍ ପ୍ରସ୍ତୁତ । ସେମାନେ ତିନି କ’ଣ, ସାତଛୁଆ କରି ଦେଶପ୍ରେମକୁ ପ୍ରଜ୍ଜ୍ୱଳିତ କରିଦେବେ । ଡିବି ଲିଭିଲେ ତାଙ୍କ ଦେଶପ୍ରେମ ଆରମ୍ଭ । ହେଲେ ଏ ଛୁଆଗୁରା ଖାଇବେ କ’ଣ?
ସବୁ ପ୍ରାଣୀଙ୍କର ଛୁଆଜନ୍ମ ହେଲା କ୍ଷଣି ମୋଦୀଭକ୍ତ । ମାନେ ଆତ୍ମନିର୍ଭର । ତାଙ୍କ ମାଆବାପା ଚିନ୍ତା ନକରି ଜନ୍ମ କରି ଚାଲନ୍ତି । ଜନ୍ମହେଲା ପରେ କିଛି ସମୟ ମା କ୍ଷୀର ଉପରେ ନିର୍ଭରକରି ତା’ପରେ ଛୋଟଜୀବଟି ନିଜ ଖାଦ୍ୟ ନିଜେ ଯୋଗାଡ଼କରେ । ହେଲେ ଏ ଦି’ଗୋଡ଼ିଆ ଜୀବ ମଣିଷକ୍ଷେତ୍ରରେ ସେଇଟା ହୋଇପାରୁନି । ମଣିଷଛୁଆ ଜନ୍ମହେବାଠୁ ନେଇ ନିଜେ ବାପାମା ହୋଇ ଛୁଆ ଜନ୍ମକଲା ପରେ ବି ତା ବାପାମାଙ୍କ ଉପରେ ଖାଇବା, ପିନ୍ଧିବା, ଶୋଇବା ସାମଗ୍ରୀ ପାଇଁ ନିର୍ଭର କରୁଛି । ସିନେମାବାଲା ସୈଫ ଖାଁଙ୍କଭଳିଆ ଲୋକ ମଣିଷଜାତିର ଜୀବ ହେଲେ ମଧ୍ୟ ତାଙ୍କର କିଛି ଅସୁବିଧା ନାହିଁ ସିଏ ଦିଇଟା ବାହାହୋଇ ଚାରି ପାଞ୍ଚ ଛୁଆ କଲାପରେ ପୁଣି ଥରେ ବାହାହୋଇ ଆଉ ଦି ତିନିଟା ଛୁଆ କରିବାକୁ ରେଡ଼ି । ତାଙ୍କ ଛୁଆଙ୍କର ଖାଇବା ପିଇବାରେ କିଛି ଅସୁବିଧା ନାହିଁ । ଗରିବ ମାଆବାପାମାନେ ଗୋଟିଏ ମାଆଠାରୁ ଦଶ ବାରକି ଅଠରଯାକେ ଶିଶୁ ଉତ୍ପାଦନ କରି ଦେଖାଇ ଦେଉଛନ୍ତି । କିନ୍ତୁ ଏତେଗୁଡ଼ିଏ ଶିଶୁ ଜନ୍ମଦେଲା ପରେ ମାବାପାମାନେ ଅନୁଭବ କରୁଛନ୍ତି ଯେ ସେମାନଙ୍କ ଅବସ୍ଥା ଓଡ଼ିଶା ରାଜ୍ୟର ଜଙ୍ଗଲ ବିଭାଗର ଗଛ ପରି ହୋଇଯାଇଛି । ଜଙ୍ଗଲବିଭାଗ କାଗଜପତ୍ରରେ ପ୍ରତିବର୍ଷ କେତେ କୋଟି ଗଛ ଲଗାଇ ସେଥିପାଇଁ ପ୍ରବଳ ପରିଶ୍ରମ କରନ୍ତି ଓ ଗୋଟିଏ ଗଛ କିଣିକି ଆଣିବା, ଲଗାଇବା, ବଞ୍ଚାଇବା ଆଦିରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିବା କହି ପଇସାଗୁଡ଼ା ଖାଇଦିଅନ୍ତି । ପରେ ଯେଉଁଜାଗାରେ ଗଛ ଲାଗିଥିବା କଥା କୁହାଯାଇଥାଏ, ସେଠାରୁ ଖଣ୍ଡ ଖଣ୍ଡେ ମଲାଡାଙ୍ଗ ବାହାରେ । ଫାଇଲରେ ଲେଖାଯାଏ ଗଛ ଲାଗିଥିଲା, ମରିଗଲା । କିଛି କୋପିଙ୍ଗ ମେକାନିଜିମରେ ବଞ୍ଚନ୍ତି । କିନ୍ତୁ ଗରିବ ମା’ବାପାଙ୍କ କ୍ଷେତ୍ରରେ ସେକଥା ଘଟୁ ନାହିଁ । ସେମାନଙ୍କୁ ଗୋଟାକୁ ଗୋଟା ଛୁଆଜନ୍ମ କରିବା ପାଇଁ କେବଳ ଈଶ୍ୱରଙ୍କ ଅଦୃଶ୍ୟ ଆଶୀର୍ବାଦ ବ୍ୟତୀତ କିଛି ପ୍ରୋତ୍ସାହନ ରାଶି ନାହିଁ । କେଉଁଠି କେଉଁଠି ବାପାଟିଏ ମା’ଙ୍କୁ ଗୁଡ଼ିଏ ଛୁଆଦେଲା ପରେ କୁଆଡ଼େ ପଳାଇ ଯାଉଛନ୍ତି । ମା ବିଚରା ମଲା କି! ଛୁଆଗୁଡ଼ାଙ୍କ ଖାଇବାକୁ କୋଉଠି ଆଣି ଦବ? ତାହା ପୁଣି ଏପରି ଏକ ରାଜ୍ୟରେ ଯେଉଁଠାରେ ଦେଶର ରାଷ୍ଟ୍ରପତିଙ୍କ ଜିଲ୍ଲା ମୟୂରଭଞ୍ଜରେ ଖାଇବାକୁ ନପାଇ ମଣିଷ ଶିଶୁମାନେ କୁପୋଷଣରେ ନମ୍ବର ୧ରେ ପହଞ୍ଚିବା ବେଳକୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର ନମ୍ବର ଦୁଇରେ ପହଞ୍ଚିଲାଣି ।
ପାଠକେ ଏହାର ସମାଧାନ ପାଇଁ ଶିଳ୍ପବିହୀନ ଆଦିବାସୀ ଜିଲ୍ଲା ବଲାଙ୍ଗୀରର ଦୁଇଜଣ ଦାଦନ ବାପାମା ଗତକାଲି ତାଙ୍କଦ୍ୱାରା ଜନ୍ମିତ ଗୋଟିଏ ଶିଶୁକୁ ଆଣି ସରକାରଙ୍କୁ ଧରେଇଛନ୍ତି । ସେମାନେ ସରକାରକୁ କହିଛନ୍ତି ଆମେ ସିନା ଭଗବାନଙ୍କ କୃପାରୁ ଛୁଆ ଜନ୍ମକରି ପାରିବୁ । ହେଲେ ପୋଷି ପାରିବୁ ନାହିଁ । ସେ କାମ ତମେ କର । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ସାନଗୁର୍ଜିଭଟ୍ଟା ଗାଁ’ର ଗୋଟିଏ ଦଳିତ ଦମ୍ପତ୍ତି ଜିଲ୍ଲାର ସରକାରୀ ଶିଶୁମଙ୍ଗଳ କେନ୍ଦ୍ରକୁ ଆସି ତାଙ୍କ ଛୁଆକୁ ଶିଶୁମଙ୍ଗଳକେନ୍ଦ୍ର ଆଗରେ ଗଡେଇ ଦେଇଛନ୍ତି । ଏହି ମଣିଷ ଶିଶୁଟି ଜିଲ୍ଲାର ସୁନାମୁଦି ଗାଁ’ରେ ଜନ୍ମ ହୋଇଥିଲା । ଜନ୍ମ ହେବାକ୍ଷଣି ସେମାନେ ଏହି ଶିଶୁଟିକୁ ଜଣେ ଶିଶୁଶ୍ରମିକ ଭାବେ ଉତୁରି ବାବୁଘରର ଭଲ ଶ୍ରମିକଟିଏ ହେବାପାଇଁ ରାୟପୁରର ବେପାରୀ ମିତ୍ତଲ ପରିବାରକୁ ବିକି ଦେଇଥିଲେ । ସେମାନେ କହିଛନ୍ତି ଯେ ସେମାନେ ଗରିବ । ଭଗବାନ ସେମାନଙ୍କୁ ବର୍ଷକୁ ବର୍ଷ ଗୋଟାଗୋଟା ଛୁଆ ସିନା ଦେଉଛନ୍ତି ହେଲେ, କେହି ତାର ଭରଣପୋଷଣ ଦାୟିତ୍ୱ ନେଉନାହାନ୍ତି । ତେଣୁ ସେମାନେ ଅଧିକ ଶିଶୁ ପୋଷିପାରିବେ ନାହିଁ । ସେଇଥିପାଇଁ ସେମାନେ ଶିଶୁଟିକୁ ଜନ୍ମ ଦେଲାପରେ ବିକି ଦେଇଥିଲେ । ଏଥିରେ ‘ଉତ୍ପାଦନକାରୀ’ ଓ ‘ଉତ୍ପାଦିତ’ ଉଭୟଙ୍କର ବଞ୍ଚିବାର ବ୍ୟବସ୍ଥା ହେଲା, ତା’ସାଙ୍ଗକୁ ଦେଶପ୍ରେମ ବି ବଢ଼ିଲା । ସେମାନେ ଯେପରି କହିବାକୁ ଚାହୁଁଥିଲେ ଯେ ଶିଶୁହେଲା ଈଶ୍ୱରଙ୍କ ଅମୂଲ୍ୟ ଦାନ । ତାକୁ ଉତ୍ପାଦନ କରିବାର ସେମାନେ କେବଳ ମାଧ୍ୟମ ହୋଇପାରିବେ ସିନା, ତାକୁ ପୋଷି ପାରିବେ ନାହିାଁ ଏକେ ତ ଗୁଡ଼ାଏ ଶିଶୁ ପୋଷିବାପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ । ଦୁଇରେ ସେମାନେ ଦାଦନ ହୋଇ ନିଜ ପେଟ ପାଳିବାକୁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯିବେ । ତେଣୁ ସେମାନେ ଜନ୍ମିତ ଶିଶୁଟିକୁ ବଞ୍ଚାଇ ରଖିବା ପାଇଁ ତାକୁ(ବିକି) ଦେଇଥିଲେ । ସରକାର ତାକୁ ଉଦ୍ଧାରକରି ଆଣିଲେ । ଏବେ ପୋଷନ୍ତୁ ।
ଜଣାପଡ଼ିଛି ଯେ ଶିଶୁଟି ଏବେ କୌଣସି ଏକ ସରକାରୀ ଅଫିସରେ ଗଡ଼ୁଛି ।
Comments
0 comments