ସମ୍ବିଧାନ ଯଥେଷ୍ଟ ନୁହେଁ

(ଦ୍ଵିତୀୟ ଭାଗ)

ବିଚାରପତିଙ୍କ ଆଚରଣ

ସମ୍ବିଧାନର ଧାରା ୫୦ରେ କୁହାଯାଇଛି ଯେ ନ୍ୟାୟପାଳିକା କାର୍ଯ୍ୟପାଳିକା ଠାରୁ ସ୍ୱତନ୍ତ୍ର ରହିବ । ଏବଂ ଏହି ସ୍ୱତନ୍ତ୍ରତା, ଯାହା ଜନତାଙ୍କ ସେବାରେ, ତା’ପାଇଁ ରାଷ୍ଟ୍ର ପଦକ୍ଷେପ ନେବ । ଏହା ପ୍ରତିଫଳିତ କରେ ଯାହା ଡକ୍ଟର ରାଜେନ୍ଦ୍ରପ୍ରସାଦ ସମ୍ବିଧାନ ସଭାର ଶେଷ ବୈଠକରେ କହୁଥିଲେ(ପୃ ୯୯୦), “ଆମେ ସମ୍ବିଧାନରେ ନ୍ୟାୟପାଳିକାର ବ୍ୟବସ୍ଥା କରିଛୁ, ଯାହା ସ୍ୱତନ୍ତ୍ର ହେବ । ସୁପ୍ରିମକୋର୍ଟ ଏବଂ ହାଇକୋର୍ଟକୁ କାର୍ଯ୍ୟପାଳିକାର ପ୍ରଭାବରୁ ସ୍ୱତନ୍ତ୍ର ରଖିବାପାଇଁ ଏହାଠାରୁ ଅଧିକ କିଛି ସୁପାରିଶ କରାଯାଇ ପାରେନା ।” ଏହାର ଅର୍ଥ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଦୂରତା ସମ୍ବିଧାନର ଏକ ମୂଳ ସିଦ୍ଧାନ୍ତ । ଏହା ସାମ୍ବିଧାନିକ ନୈତିକତା ଯେ ଉଭୟ କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ପରସ୍ପରଠାରୁ ଦୂରତା ବଜାୟ ରଖିବେ । ଅର୍ଥାତ୍ ଏହି ନୈତିକତା ଅନୁସାରେ କାର୍ଯ୍ୟପାଳିକା ନ୍ୟାୟପାଳିକାରେ ହସ୍ତକ୍ଷେପ କରିବାର ପ୍ରବଣତାକୁ ସମ୍ବରଣ କରିବ ଓ ନ୍ୟାୟପାଳିକା କାର୍ଯ୍ୟପାଳିକା ସହିତ ମିଳାମିଶା କରିବାର ଦୁର୍ବଳତାକୁ ନିଜ ଆଚରଣରେ ଦେଖାଇବ ନାହିଁ । ଯାହାଦ୍ୱାରା ଦେଶର ନାଗରିକର ବିଶ୍ୱାସ ହେବ ଯେ ଏହି ଦୂରତା ପ୍ରକୃତରେ କାଏମ ରହିଛି । ଗତ କିଛିଦିନ ତଳେ, ଏକ ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଯାହାକୁ ନେଇ ଉପରୋକ୍ତ ଦୂରତା ଉପରେ ପ୍ରଶ୍ନ ଚିହ୍ନ ଉଠିଛି । ଦୃଶ୍ୟଟି ଥିଲା ସେପ୍ଟେମ୍ବର ୧୧, ୨୦୨୪ ଦିନର; ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏକସଙ୍ଗରେ, ପ୍ରଧାନ ବିଚାରପତିଙ୍କ ଆଫିସିକ ବାସଗୃହରେ, ଗଣେଷ ପୂଜା କରୁଥିବାର ଦୃଶ୍ୟ । ଏହି ଦୃଶ୍ୟଉପରେ ମନ୍ତବ୍ୟ କରିଥିଲେ ଏକ ସଂଗଠନ Campaign for Judicial Accountability and Reforms (CJAR) ଯେ, “ଏପରି ଦୃଷ୍ଟାନ୍ତ ନ୍ୟାୟିକ ସ୍ୱତନ୍ତ୍ରତାର ଧାରଣାକୁ କ୍ଷୁଣ୍ଣ କରେ, କ୍ଷମତାର ପୃଥକୀକରଣ (separation of powers) ଏବଂ ନ୍ୟାୟପାଳିକାର ନିରପେକ୍ଷତା ସମ୍ପର୍କରେ ଗମ୍ଭୀର ପ୍ରଶ୍ନ ଉତ୍ଥାପିତ କରେ ।” କାର୍ଯ୍ୟପାଳିକାର ମୁଖ୍ୟ ପ୍ରଧାନମନ୍ତ୍ରୀ ଓ ନ୍ୟାୟପାଳିକାର ମୁଖ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଯେ ଏପରି ଧାରଣାର ସମ୍ଭାବନା ସମ୍ପର୍କରେ ସଚେତନ ନ ଥିବେ ଏପରି କୁହାଯାଇ ନ ପାରେ । ସାମ୍ବିଧାନିକ ନୈତିକତାର ପାଳନ ହୋଇଥିଲେ ଉଭୟ ଏପରି ଏକତ୍ର ହେବାର ସ୍ୱେଚ୍ଛାକୃତ ସୁଯୋଗକୁ ଏଡ଼ାଇ ପାରିଥାନ୍ତେ, ନ୍ୟାୟପାଳିକାର ନିରପେକ୍ଷତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିବାର ଅବକାଶ ଦେଇନଥାନ୍ତେ । କେତେ ଗୁରୁତତ୍ୱପୂର୍ଣ୍ଣ ନ୍ୟାୟପାଳିକାର ବିଶ୍ୱସନୀୟତା, ସେ ସମ୍ପର୍କରେ ମୋତିଲାଲ ଚିମନଲାଲ ଶିତଳବାଦଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଥମ ଆଇନ କମିଶନ ୧୯୫୮ମସିହାରେ ପ୍ରକାଶିତ ତାଙ୍କର ୧୪ଶ ରିପୋର୍ଟରେ କହିଥିଲେ, “ଗୋଟିଏ ରାଷ୍ଟ୍ର ରାଜା ବା ଏପରିକି ସଂସଦ ଉପରେ ତାର ବିଶ୍ୱାସ ହରାଇ ଦେଇପାରେ କିନ୍ତୁ ଏହା ଏକ ଅଶୁଭ ଦିନ ହେବ ଯେଉଁ ଦିନ ନ୍ୟାୟପାଳିକା ଉପରେ ତାର ବିଶ୍ୱାସ ତୁଟିଯିବ । ରାଜନୈତିକ କଳହର ତୀବ୍ର କୋଳାହଳ ଏବଂ ଶ୍ରେଣୀ ସଂଘର୍ଷର ଗଣ୍ଡଗୋଳ ମଧ୍ୟରେ, ଆଇନର ଅଦାଲତ ରହିଥାଏ ଅବିଚଳିତ ଏବଂ ନିରପେକ୍ଷ । ଏହି ନୀତିକୁ ପ୍ରକୃତ ଅର୍ଥରେ ଏବଂ ପୂର୍ଣ୍ଣ ଭାବରେ ସ୍ୱୀକାର କରାଗଲେ ହିଁ ଏହି ନବଜାତ ଗଣତାନ୍ତ୍ରିକ ପ୍ରଜାତନ୍ତ୍ର ବଂଚିପାରିବ ।” ମୋତିଲାଲ ଚିମନଲାଲ ଶିିତଳବାଦଙ୍କ ସ୍ମୃତିରେ ୨୨ ଫେବୃଆରୀ ୨୦୦୫ଦିନ ପ୍ରଥମ ସ୍ମାରକୀ ବକ୍ତୃତା ଦେଇ ତକ୍ରାଳୀନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ମାନ୍ୟବର Shri R.C. Lahoti କହିଥିଲେ, “ନ୍ୟାୟପାଳିକାର ସବୁଠାରୁ ବଡ଼ ଶକ୍ତି ନିହିତ ରହିଛି ଏହା ଉପରେ ଲୋକଙ୍କର ବିଶ୍ୱାସରେ । ବିଶ୍ୱାସ, ଆସ୍ଥା ଏବଂ ଗ୍ରହଣୀୟତାକୁ ଦାବି କରାଯାଇ ନପାରେ, ଏହାକୁ ଅର୍ଜ୍ଜନ କରିବାକୁ ହୁଏ । ଏବଂ ଏହା କେବଳ ହୋଇପାରେ ନିଜ ଭିତରେ ନୀତି-ନୈତିକତାର ଶକ୍ତିକୁ ବିକଶିତ କରି ।” ସୁପ୍ରିମକୋର୍ଟ, ମଇ ୭, ୧୯୯୭ରେ ଏକ ୧୬ଟି ପରାମର୍ଶ ଥିବା ଚାର୍ଟର “Restatement of Values of Judicial Life’’ ଦେଇଥିଲେ ଯେଉଁଥିରେ ସ୍ୱାଧୀନ, ସଶକ୍ତ ନ୍ୟାୟପାଳିକାର ସ୍ୱାର୍ଥରେ ଏବଂ ନ୍ୟାୟିକ ନିରପେକ୍ଷ ପ୍ରଶାସନପାଇଁ ଉଚ୍ଚ ନ୍ୟାୟପାଳିକାର ବିଚାରପତିମାନଙ୍କର ଆଚରଣଗୁଡିକୁ ଉଲ୍ଲେଖ କରାଯାଇଥିଲା । ଏହି ଚାର୍ଟରର ପ୍ରଥମ ପରାମର୍ଶ ଥିଲା୧୬, “ନ୍ୟାୟ କେବଳ ହେବା ଉଚିତ ନୁହେଁ, ହେଉଛି ବୋଲି ଦେଖାଯିବା ଉଚିତ । ଉଚ୍ଚ ନ୍ୟାୟାଳୟର ସଦସ୍ୟମାନଙ୍କର ବ୍ୟବହାର ଏବଂ ଆଚରଣ ଲୋକଙ୍କର ନ୍ୟାୟପାଳିକାର ନିରପେକ୍ଷତାରେ ବିଶ୍ୱାସକୁ ପୁନଃନିଶ୍ଚିତ (reaffirm) କରିବ । ଏହି ଦୃଷ୍ଟିରୁ ସୁପ୍ରିମକୋର୍ଟ ବା ହାଇକୋର୍ଟ ବିଚାରପତିଙ୍କର କୌଣସି କାର୍ଯ୍ୟ, ଆଫିସିକ ହେଉ ବା ଘରୋଇ ହେଉ, ତାହା ଯଦି ଏହି ଧାରଣାର ବିଶ୍ୱସନୀୟତାକୁ କ୍ଷୁଣ୍ଣ କରୁଛି ତାହାକୁ ଏଡାଇ ଯିବା ଉଚିତ ।” ଷଷ୍ଠ ପରାମର୍ଶ ଥିଲା, “ଜଣେ ବିଚାରପତି ତାଙ୍କ ପଦ ମର୍ଯ୍ୟାଦା ସହ ସଂଗତି ରଖି ନିଜକୁ (ସାଧାରଣ ମିଳାମିଶାଠାରୁ) ଦୂରେଇ ରଖିବାର (degree of aloofness) ଅଭ୍ୟାସ କରିବା ଉଚିତ ।” ନବମ ପରାମର୍ଶ ଥିଲା, “ଜଣେ ବିଚାରପତିଙ୍କଠାରୁ ଆଶା କରାଯାଏ ଯେ ସେ ଚାହିଁବେ ତାଙ୍କ ରାୟଗୁଡିକ ହିଁ ନିଜପାଇଁ କହୁ (speak for themselves) । ସେ ଗଣମାଧ୍ୟମକୁ କୋଣସି ସାକ୍ଷାତକାର ଦେବେ ନାହିଁ ।” ଏବଂ ଶେଷ ଅର୍ଥାତ୍ ଷୋଡ଼ଶ ପରାମର୍ଶ ଥିଲା, “ପ୍ରତ୍ୟେକ ବିଚାରପତି ସବୁ ସମୟରେ ସଚେତ ରହିବା ଉଚିତ ଯେ ସେ ସବୁବେଳେ ଲୋକଙ୍କ ନଜରରେ ରହିଛନ୍ତି । ତେଣୁ ସେ ଏପରି କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ ଯାହା ସେ ବସିଥିବା ଉଚ୍ଚପଦବୀ ଏବଂ ଏହାର ଲୋକ ମର୍ଯ୍ୟାଦା ଦୃଷ୍ଟିରୁ ଅବାଂଛିତ ହେଉଥିବ ।”

ସୁପ୍ରିମକୋର୍ଟ ତରଫରୁ ଉଚ୍ଚନ୍ୟାୟାଳୟର ବିଚାରପତିଙ୍କୁ ପରାମର୍ଶ ଯେ ସେମାନେ ନିଜକୁ ସାଧାରଣ ମିଳାମିଶାଠାରୁ ଦୂରେଇ ରଖିବେ କହିବାର ପ୍ରାୟ ଆଠ ବର୍ଷ ପୂର୍ବରୁ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ମାନ୍ୟବର ଗତିକୃଷ୍ଣ ମିଶ୍ର ଏକ ନିବନ୍ଧରେ୫ ଏକ ଶିଳ୍ପ ସଂଘ, ଓଡିଶା ଫେଡେରେଶନ ଅଫ୍ ଇଣ୍ଡଷ୍ଟ୍ରିଜ, ତରଫରୁ କେତେକ ନବନିଯୁକ୍ତ ହାଇକୋର୍ଟ ବିଚାରପତିମାନଙ୍କୁ ସମ୍ବର୍ଦ୍ଧନା(୧୯.୦୪.୧୯୮୯) ଦିଆଯିବା ଘଟଣା ସମ୍ପର୍କରେ ପ୍ରତିକ୍ରିୟା କରି ଲେଖିଥିଲେ, “ଶିଳ୍ପପତିମାନଙ୍କ ଦ୍ୱାରା ଏପରି ସମ୍ବର୍ଦ୍ଧନା ଦିଆଯିବା ଓଡ଼ିଶା ବିଚାର ବିଭାଗ ଇତିହାସରେ ପ୍ରଥମ ଘଟଣା । ଏହି ଶିଳ୍ପପତିମାନଙ୍କ ମଧ୍ୟରୁ ଅନେକେ ବିଭିନ୍ନ ରାଜନୈତିକ ଦଳ ସହିତ ସମ୍ପୃକ୍ତ ହୋଇଥାଇପାରନ୍ତି । ବିଚାରପତିମାନଙ୍କର ଏଭଳି ସମ୍ବର୍ଦ୍ଧନା ଗ୍ରହଣ କରିବା ବିଚାର ପରିଚାଳନାରେ ସୁଦୂରପ୍ରସାରୀ ପରିଣତି ଘଟାଇପାରେ ଏବଂ ଏହା ମଧ୍ୟ କହିହେବ ନାହିଁ ଯେ, ସେହି ଶିଳ୍ପପତିମାନଙ୍କ ମୋକଦ୍ଦମା ଭବିଷ୍ୟତରେ ଏହି ବିଚାରପତିମାନଙ୍କ ପାଖକୁ ଦିନେ ନା ଦିନେ ବିଚାରପାଇଁ ନ ଆସିବ ।” ସେହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ତକ୍ରାଳୀନ ସୁପ୍ରିମକୋର୍ଟର ଜନୈକ ବିଚାରପତିଙ୍କ ବକ୍ତବ୍ୟ ଥିଲା ଯେ “ବିଚାରପତିମାନେ ନିଜର ଐକାନ୍ତ ଛାଡ଼ି ବାହାରକୁ ଆସି ନିଷ୍ପେଷିତ ଓ ଉପେକ୍ଷିତ ଲୋକଙ୍କ ଆଖିରୁ ଲୁହ ପୋଛିବାର ପ୍ରକୃଷ୍ଟ ସମୟ ଆସିଯାଇଛି” । ଏହାର ପ୍ରତିକ୍ରିୟାରେ ଗତିବାବୁ ଲେଖିଥିଲେ ଯେ “ଉପେକ୍ଷିତ, ଦରିଦ୍ର ଓ ନିଷ୍ପେଷିତ ଜନସାଧାରଣଙ୍କ ଆଖିରୁ ଲୁହ ପୋଛିବା ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ବିଚାର । କିନ୍ତୁ ପ୍ରଶ୍ନ ହେଉଛି ଏହି ଉଦ୍ଦେଶ୍ୟ ସାଧନ ପାଇଁ ବିଚାରପତିମାନେ କେଉଁ ପନ୍ଥା ଅନୁସରଣ କରିବେ । ବିଚାରପତିମାନେ ପକ୍ଷମାନଙ୍କର ଲୁହ ପୋଛିପାରିବେ କେବଳ ନିଜର ବିଚାର ପଦ୍ଧତି ଦ୍ୱାରା । କେବଳ ନ୍ୟାୟସଙ୍ଗତ ଆଚରଣର ଅନୁସରଣ ଦ୍ୱାରା, ଭୟ ଓ ପକ୍ଷପାତିତା ଠାରୁ ଦୂରରେ ରହି ନିରପେକ୍ଷ ନ୍ୟାୟପ୍ରଦାନ ଦ୍ୱାରା, ସ୍ୱଳ୍ପ ସମୟରେ ମୋକଦ୍ଦମାର ବିଚାର ଶେଷକରିବା ଦ୍ୱାରା, ରାୟ ପ୍ରକାଶକୁ ମାସ ମାସ ଧରି ନ ଗଡ଼ାଇବା ଦ୍ୱାରା… ” ବୋଧହୁଏ କଟାକ୍ଷ କରି ପ୍ରଶ୍ନ କରୁଥିଲେ, “ଏହି ତିନିଜଣ ବିଚାରପତି ସମ୍ବର୍ଦ୍ଧନା ଗ୍ରହଣ କରି କିପରି ଭାବେ ନିଷ୍ପେଷିତ ଓ ଉପେକ୍ଷିତ ଲୋକଙ୍କ ଆଖିରୁ ଲୁହ ପୋଛିଲେ?” ତେଣୁ କାର୍ଯ୍ୟପାଳିକାର ମୁଖ୍ୟ ପ୍ରଧାନମନ୍ତ୍ରୀ ଯାହାଙ୍କର ପ୍ରଶାସନ ଅଦାଲତରେ ଏକ ପକ୍ଷ କାରଣ ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ଜଣେ ନାଗରିକ ପ୍ରଶାସନକୁ ହିଁ ଅଦାଲତକୁ ଟାଣିଥାଏ, ସେତେବେଳେ ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତି ଏକତ୍ର ହେବାର ଉପରୋକ୍ତ ଦୃଷ୍ଟାନ୍ତ ସମ୍ପର୍କରେ ଗତିବାବୁ କ’ଣ କହୁଥାନ୍ତେ?

ବାଚସ୍ପତିଙ୍କ ଭୂମିକା

ଯେପରି ବିଚାରପତିଙ୍କ ପାଇଁ କୁହାଯାଇଛି ଯେ ସେମାନେ କେବଳ ନ୍ୟାୟ କରିବେ ନାହିଁ, ନ୍ୟାୟ କରୁଛନ୍ତି ବୋଲି ଦେଖାଯିବେ, ସେହିଭଳି କୁହାଯାଇପାରେ ଯେ ବ୍ୟବସ୍ଥାପିକାରେ ଅର୍ଥାତ୍ ସଂସଦ ବା ବିଧାନ ସଭାରେ ବାଚସ୍ପତି/ସଭାପତି ଗୃହ ପରିଚାଳନାବେଳେ ସେମାନେ କେବଳ ନିରପେକ୍ଷ ହେବେ ନାହିଁ, ନିରପେକ୍ଷତାର ସହ ପରିଚାଳନା କରୁଛନ୍ତି ବୋଲି ଦେଖାଯିବେ । ବିଚାରପତିଙ୍କ ସହ ତୁଳନା କରି ମହାତ୍ମା ଗାନ୍ଧୀ ୧୬ ଜୁଲାଇ ୧୯୩୮ ମସିହାରେ ତାଙ୍କଦ୍ୱାରା ସମ୍ପାଦିତ ପତ୍ରିକା ହରିଜନରେ ଲେଖିଥିଲେ, “ବାଚସ୍ପତିଙ୍କ ପଦବୀର ଗୁରୁତ୍ୱ ବହୁତ ବେଶୀ, ପ୍ରଧାନମନ୍ତ୍ରୀଙ୍କ ପଦବୀଠାରୁ ଅଧିକ । କାରଣ ସେ ଆସନରେ ବସିଥିବା ସମୟରେ ତାଙ୍କୁ ଏକ ବିଚାରପତିର କାର୍ଯ୍ୟ କରିବାକୁ ପଡିଥାଏ । ତାଙ୍କୁ ନିରପେକ୍ଷ ଏବଂ ନ୍ୟାୟୋଚ୍ଚିତ ନିଷ୍ପତ୍ତି ଶୁଣାଇବାକୁ ପଡିଥାଏ । ତାଙ୍କୁ ସଦସ୍ୟମାନଙ୍କ ମଧ୍ୟରେ ଶିଷ୍ଟାଚାର ଓ ଶାଳୀନତାର ନିୟମକୁ ପ୍ରୟୋଗ କରିବାକୁ ପଡିଥାଏ । ଝଡ଼ ମଧ୍ୟରେ ତାଙ୍କୁ ଶାନ୍ତ ରହିବାକୁ ପଡିଥାଏ । ତାଙ୍କର ହିଁ ସୁଯୋଗ ଥାଏ ବିରୋଧୀଙ୍କ ଉପରେ ବିଜୟ ଲାଭ କରିବାର, ଯାହା ଗୃହର ଆଉ କୌଣସି ସଦସ୍ୟଙ୍କର ସମ୍ଭବତଃ ନଥାଏ ।” ବ୍ୟବସ୍ଥାପିକାରେ ବାଚସ୍ପତିର ସ୍ଥାନ କେତେ ଉଚ୍ଚରେ ସେ ସମ୍ପର୍କରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ କହିଥିଲେ୭, “ବାଚସ୍ପତି ଗୃହକୁ ପ୍ରତିନିଧିତ୍ୱ କରନ୍ତି । ସେ ପ୍ରତିନିଧିତ୍ୱ କରନ୍ତି ଗୃହର ମର୍ଯ୍ୟାଦାକୁ, ଗୃହର ସ୍ୱାଧୀନତାକୁ ଏବଂ ଯେହେତୁ ଏକ ବିଶେଷ ବାଟରେ ଗୃହ ରାଷ୍ଟ୍ରକୁ ପ୍ରତିନିଧିତ୍ୱ କରେ, ବାଚସ୍ପତି ହୋଇଥାନ୍ତି ରାଷ୍ଟ୍ରର ସ୍ୱାଧୀନତା ଓ ମୁକ୍ତିର ପ୍ରତୀକ । ତେଣୁ ଏହା ଏକ ଅତ୍ୟନ୍ତ ସମ୍ମାନିତ ପଦବୀ, ଏକ ସ୍ୱତନ୍ତ୍ର ପଦବୀ ଏବଂ ଏହି ପଦବୀରେ ଅଧିଷ୍ଠିତ ହେବା ବ୍ୟକ୍ତି ଅସାଧାରଣ ଦକ୍ଷତା ଏବଂ ନିରପେକ୍ଷତାର ଅଧିକାରୀ ହୋଇଥିବା ଉଚିତ ।” ଭାରତୀୟ ଲୋକସଭାର ପ୍ରଥମ ବାଚସ୍ପତି ଗଣେଷ ବାସୁଦେବ ମାଭଲଙ୍କର, ଯାହାଙ୍କୁ ନେହରୁଙ୍କ ଭାଷାରେ ଲୋକସଭାର ପିତା (Father of Lok Sabha)ବୋଲି କୁହାଯାଏ, ବାଚସ୍ପତିଙ୍କ ଭୂମିକା ସମ୍ପର୍କରେ କହିଥିଲେ୮(ପୃ ୪୮), “ସଂସଦୀୟ ଗଣତନ୍ତ୍ରର ସଫଳତା କେବଳ ନିର୍ଭର କରେ ନାହିଁ ବାଚସ୍ପତିଙ୍କ ନିରପେକ୍ଷତା ଉପରେ, ବରଂ ନିର୍ଭର କରେ ତାଙ୍କର ସାହସ ଏବଂ କାର୍ଯ୍ୟପାଳିକା ସରକାରଙ୍କର ଅନୁଗ୍ରହ ଓ ଭୃକୁଟୀ (favours and frowns) ପ୍ରତି ଉଦାସୀନତା ଉପରେ ।” ମାଭଲଙ୍କର ଆହୁରି କହିଥିଲେ(ପୃ ୧୧୭-୧୮), “ପ୍ରକୃତ ଗଣତନ୍ତ୍ର ପାଇଁ କେବଳ ସମ୍ବିଧାନର ବ୍ୟବସ୍ଥା ବା ବ୍ୟବସ୍ଥାପିକାର ପରିଚାଳନା ପାଇଁ କରାଯାଇଥିବା ଆଇନକାନୁନକୁ ଦେଖିଲେ ହେବ ନାହିଁ । ବରଂ ବ୍ୟବସ୍ଥାପିକା ଯେଉଁମାନଙ୍କୁ ନେଇ ଗଠିତ ସେମାନଙ୍କ ମଧ୍ୟରେ ପ୍ରକୃତ ଗଣତାନ୍ତ୍ରିକ ଚେତନା ସୃଷ୍ଟି ହେବା ଉଚିତ । ଯଦି ଏହି ମୂଳକଥାକୁ ଆମେ ମସ୍ତିଷ୍କ ଭିତରେ ରଖୁ ତାହାହେଲେ ଏହା ସ୍ପଷ୍ଟ ହେବ ଯେ ଯଦିଓ ପ୍ରଶ୍ନଗୁଡିକ ସ୍ଥିର ହେଉଥାଏ ସଂଖ୍ୟାଗରିଷ୍ଠଙ୍କ ଦ୍ୱାରା, ଗଣତାନ୍ତ୍ରିକ ସରକାରର ବିଜୟ ସମ୍ଭବ ନୁହେଁ ଯଦି ଏହା ମୁଣ୍ଡ ବା ହାତଗଣତି ମାତ୍ରରେ ସୀମିତ ହୋଇଯାଏ । ଯଦି ଆମେ କେବଳ ସଂଖ୍ୟାଗରିଷ୍ଠତାକୁ ଗୁରୁତ୍ୱ ଦେବା, ତାହାହେଲେ ଆମେ ଫାସିବାଦ, ହିଂସା ଏବଂ ବିଦ୍ରୋହର ବୀଜ ବପନ କରିବା । ଅନ୍ୟପକ୍ଷରେ ଯଦି ଆମେ ସହିଷ୍ଣୁତାର ଚେତନା, ମୁକ୍ତ ଆଲୋଚନାର ଚେତନା ଏବଂ ବୁଝାମଣାର ଚେତନା ସୃଷ୍ଟି କରିପାରୁ, ତାହାହେଲେ ଆମେ ଗଣତନ୍ତ୍ରର ଚେତନା ସୃଷ୍ଟି କରିପାରିବା । ବ୍ୟକ୍ତିଗତ ଭାବରେ ମୁଁ ଭାବେ ଏହି ଚେତନା ଆମ ସାଂସଦଙ୍କ ମଧ୍ୟରେ ସୃଷ୍ଟି କରିବାର ବହୁତ ସୁଯୋଗ ରହିଛି ଯଦି (ସଂସଦ)ଅଧ୍ୟକ୍ଷଙ୍କର ଥାଏ ଯଥେଷ୍ଟ ସାହସ, ମନର ଉନ୍ମୁକ୍ତତା ଓ ପ୍ରଶସ୍ତତା (openness and breadth of mind) ଏବଂ ବୁଝିବା ପାଇଁ ଇଚ୍ଛା ଓ ଚେତନା । ତାହାହେଲେ ଯାଇ ସେ ପ୍ରଭାବୀ ଢଙ୍ଗରେ ଅଙ୍କୁଶ ଲଗାଇପାରିବେ ଉଭୟ ସରକାର ଓ ବିରୋଧୀଙ୍କର ଅସହିଷ୍ଣୁତା ଓ ଦଳୀୟ ମାନସିକତା ଆଦି ଉପରେ । ତେଣୁ ଆମ ସମ୍ମୁଖରେ ସମସ୍ୟା ଯେତେ ଆଇନକାନୁନ ବା ସମ୍ବିଧାନର ବ୍ୟବସ୍ଥାକୁ ନେଇ ନୁହେଁ, ସେତେ ଏକ ଉଦାର ବ୍ୟୁତ୍ପତ୍ତିର (a liberal interpretation), ଯାହା ବ୍ୟବସ୍ଥାପିକାର ସଦସ୍ୟଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚେତନା ଉଦ୍ରେକ କରିବ ।”

ବାଚସ୍ପତି ଆସନ ଅଳଙ୍କୃତ କରିବା ଅବସରରେ ମାଭଲଙ୍କର ସାଂସଦମାନଙ୍କର ଆଚରଣ ସମ୍ପର୍କରେ କହିଥିଲେ(ପୃ ୧୧୪), “ଯେଉଁ ସୀମା ଯାଏ, ଭିନ୍ନ ଭିନ୍ନ ମତବାଦ ବା ଆଦର୍ଶର ବ୍ୟକ୍ତିଗଣ ପ୍ରଦର୍ଶନ କରିଥାନ୍ତି ସହିଷ୍ଣୁତା, ‘ଦେବା ଏବଂ ନେବା’ର ଆଚରଣ ଏବଂ ଚେଷ୍ଟା କରିଥାନ୍ତି ବୁଝିବା ପାଇଁ ଭିନ୍ନ ଭିନ୍ନ ମତକୁ , ସେହି ସୀମା ଯାଏ ଗଣତାନ୍ତ୍ରିକ ସରକାରର ସୁଯୋଗ ରହିଛି ସଫଳ ହେବାପାଇଁ । ଏହା ଆଇନ ବା ନିୟମ ସେତେ ନୁହେଁ, ଯାହା ଆଣିବ ଇପ୍ସିତ ଫଳ, ଯେତେ ହେଉଛି ଚେତନା, ଯାହା ପରସ୍ପର ପ୍ରତି ଦାୟିତ୍ୱ ସମ୍ପନ୍ନ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପ୍ରେରିତ କରିବ । ” ମାଭାଲଙ୍କରଙ୍କ ଭୂମିକା ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ଆର ଭେଙ୍କଟରମଣ କହିଥିଲେ (ପୃ vi), “ସରକାରୀ ପକ୍ଷ ତାଙ୍କୁ ହାଲୁକାରେ ନେବାର ସାହସ କରୁ ନଥିଲା ଏବଂ ସବୁ ବେଳେ ସତର୍କ ରହୁଥିଲା । ତାଙ୍କର ନିଷ୍ପତ୍ତି ଗୁଡିକ ଥିଲା ସୁବିଦିତ (well-informed), ଓଜନିଆ ଏବଂ ଅକାଟ୍ୟ ଯାହା ଆଜିଯାଏ ବିଜ୍ଞତା ଓ ନିରପେକ୍ଷତାର ଦୃଷ୍ଟାନ୍ତ ହୋଇ ରହିଛି । ସେ ପ୍ରକୃତରେ ଥିଲେ ଜଣେ ଆଦର୍ଶ ବାଚସ୍ପତି, ଦୃଢ଼ ତଥାପି ନମନୀୟ, କଠୋର ତଥାପି ଦୟାଳୁ ଓ ସହାନୁଭୂତିଶୀଳ, ଏବଂ ଗୃହର ସବୁ ଗୋଷ୍ଠୀ ପ୍ରତି ସବୁବେଳେ ନ୍ୟାୟପରାୟଣ ।” ମାଭଲଙ୍କର ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ମଧ୍ୟ ଆକଟ କରିପାରୁଥିଲେ(ପୃ ୬୧) । ନେହେରୁ ସରକାରଙ୍କର ଅଧ୍ୟାଦେଶ ଆଣିବାର ପ୍ରବଣତା ଉପରେ ମନ୍ତବ୍ୟ କରି ସେ କହୁଥିଲେ(ପୃ ୬୧-୬୨), ଏକ ସଂସଦୀୟ ବ୍ୟବସ୍ଥାରେ ଆଇନ ଗୃହର ପଟଳରେ ହିଁ ହେବା ଉଚିତ, କାର୍ଯ୍ୟପାଳିକାର ନିର୍ଦ୍ଦେଶରେ ନୁହେଁ । ସେ ଅଧ୍ୟାଦେଶ ଜାରି କରିବାର କ୍ଷମତାକୁ ସଂସଦର କ୍ଷମତାର ଏକ ବିକଳ୍ପ ବୋଲି କହି ଏହାର ପ୍ରୟୋଗକୁ ନାପସନ୍ଦ କରୁଥିଲେ । କେବଳ ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ସରକାର ଅଧ୍ୟାଦେଶ ଜାରି କରିପାରିବେ, କିନ୍ତୁ କେବଳ ଯେତେବେଳେ କରିବା ନିହାତି ଆବଶ୍ୟକ । ସଂସଦର ଜଣେ ସଭ୍ୟ ହିଁ ବାଚସ୍ପତି ହେବେ ଓ ସେ ନିଶ୍ଚିତ ଜଣେ ରାଜନୈତିକ ଦଳର ସଭ୍ୟ ହୋଇଥିବେ । କିନ୍ତୁ ବାଚସ୍ପତି ଆସନରେ ବସିଲା ପରେ ସେ ସମସ୍ତ ଦଳୀୟ ପକ୍ଷପାତିତା ଊଦ୍ଧ୍ୱର୍ରେ ରହି ଗୃହର ପରିଚାଳନା କରିବେ -ଏହାହିଁ ଆଶା କରାଯାଏ । ଏହା ମାଭଲଙ୍କର ୧୯୩୭ମସିହାରେ ବମ୍ବେ ବିଧାନସଭାର ବାଚସ୍ପତି ଆସନ ଗ୍ରହଣ କଲାବେଳେ କହିଥିଲେ,(ପୃ ୭୦) “ମୋତେ ଆପଣମାନଙ୍କୁ ଆଶ୍ୱସ୍ତ କରିବାର ଆବଶ୍ୟକତା ନାହିଁ ଯେ ବାଚସ୍ପତି କୌଣସି ଦଳର ନୁହନ୍ତି, ମୁଁ କୈାଣସି ଦଳର ବ୍ୟକ୍ତି ନ ହୋଇ ଦୃଢ଼ ନିରପେକ୍ଷତାର ସହ, ଦଳୀୟ ବା ବ୍ୟକ୍ତିଗତ ସ୍ୱାର୍ଥ ଉର୍ଦ୍ଧ ରହି, ଆଇନକାନୁନ ଅନୁସାରେ ଗୃହ ପରିଚାଳନା କରିବି ।” ମାଭଲଙ୍କର କଂଗ୍ରେସ ଦଳରୁ ବମ୍ବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ୨୦୦୪ରୁ ୨୦୦୯ ଯାଏ ଲୋକସଭାର ବାଚସ୍ପତି ଶ୍ରୀ ସୋମନାଥ ଚାଟାର୍ଜୀ ଏହିଭଳି ବିଚାର ପୋଷଣ କରିଥିବାରୁ ତାଙ୍କ ଦଳ ସିପିଆଇ(ଏମ)ରୁ ବହିଷ୍କୃତ ହୋଇଥିଲେ ।

ଏହିଭଳି ପୃଷ୍ଠଭୂମିରେ ଯେତେବେଳେ ଏକ ଶିରୋନାମା ଦେଖୁ“Are our Speakers as impartial and apolitical as they should be?”ବା ପଢୁ ସୁପ୍ରିମକୋର୍ଟ ୨୦୧୯ରେ ଦେଇଥିବା ଏକ ରାୟରେ ମନ୍ତବ୍ୟ୧୦ ଯେ “ନିରପେକ୍ଷ ରହିବାର ସାମ୍ବିଧାନିକ କର୍ତ୍ତବ୍ୟ ବିରୋଧରେ କାର୍ଯ୍ୟ କରିବାର ପ୍ରବଣତା ବାଚସ୍ପତିମାନଙ୍କ ମଧ୍ୟରେ ବୃଦ୍ଧି ପାଉଛି” ବା ଅଭିଯୋଗ ଶୁଣୁ ବିରୋଧୀଦଳ ତରଫରୁ ଯେ ସଂସଦରେ ଉପସ୍ଥାପିତ ବକ୍ତବ୍ୟର ବହୁ ଅଂଶକୁ ଲୋକସଭା ବିବରଣୀରୁ ବାଦ୍ ଦିଆଯାଉଛି, ଗୃହରେ ଘୋଷଣା ନ କରି୧୧, ବା ବିରୋଧୀ ଦଳର ଉପସ୍ଥାପନା ବେଳେ ମାଇକ ବନ୍ଦ ହୋଇ ଯାଉଛି୧୨ ବା ବିରୋଧୀ ଦଳ ତରଫରୁ ବାଚସ୍ପତିଙ୍କୁ ନିରପେକ୍ଷ ରହିବା ପାଇଁ ବାରମ୍ବାର ନିବେଦନ ହେଉଛି୧୩ ବା ଗୃହରୁ ବିରୋଧୀ ସଭ୍ୟଙ୍କୁ ବହିଷ୍କାର କରି୧୪, ସେମାନଙ୍କର ଅନୁପସ୍ଥିତିରେ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରସ୍ତାବକୁ ଗୃହୀତ କରାଇ ନିଆଯାଉଛି୧୫, ସେତେବେଳେ ବାଚସ୍ପତି ମହୋଦୟଙ୍କର ଯାହାଙ୍କଙ୍କଠାରେ ଐଚ୍ଛିକ କ୍ଷମତା ଅନେକ ବେଶୀ ତାଙ୍କର ସାମ୍ବିଧାନିକ ନୈତିକତା ଉପରେ ପ୍ରଶ୍ନଚିହ୍ନ ଠିଆହେଉଛି । ବର୍ତ୍ତମାନର ଲୋକସଭା ବାଚସ୍ପତିଙ୍କର ଭୂମିକାର ସମୀକ୍ଷା ତ ସମ୍ବାଦପତ୍ରରେ ଶିରୋନାମା ହେଉଛି୧୬

ଉପସଂହାର

ବ୍ୟବସ୍ଥାପିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଏହି ତିନୋଟି ହେଉଛନ୍ତି ଆମ ଗଣତାନ୍ତ୍ରିକ ସମ୍ବିଧାନର ତିନୋଟି ଅଙ୍ଗ । ଏହି ତିନୋଟି ଅଙ୍ଗର ପରିଚାଳନା ଉପରେ ନିର୍ଭର କରୁଛି ଆମ ସମ୍ବିଧାନ ଦ୍ୱାରା ଗଣତନ୍ତ୍ର କେତେ ସୁରକ୍ଷିତ ରହିପାରିବ । କେଉଁମାନେ ଏହି ଅଙ୍ଗଗୁଡିକର ପରିଚାଳନା କରୁଛନ୍ତି, ସେମାନେ ଗଣତନ୍ତ୍ରରେ କେତେ ବିଶ୍ୱାସ ରଖନ୍ତି, ଗଣତନ୍ତ୍ରକୁ କେତେ ମର୍ଯ୍ୟାଦା ଦିଅନ୍ତି, କେତେ ନିରପେକ୍ଷତା, ନ୍ୟାୟପରାୟଣତାକୁ ନିଜର ଆଚରଣରେ ପ୍ରଦର୍ଶନ କରନ୍ତି ତା ଉପରେ ନିର୍ଭର କରୁଛି ଏହି ଗଣତାନ୍ତ୍ରିକ ସମ୍ବିଧାନର ସଫଳତା । ସମ୍ବିଧାନ ବାଟଦେଇ ଗଣତନ୍ତ୍ରକୁ ଧ୍ୱଂସ କରାଯାଇ ପାରେ ଏହାର ଏକ ଐତିହାସିକ ଦୃଷ୍ଟାନ୍ତ ହେଉଛି ହିଟଲରଙ୍କର କ୍ଷମତା ଦଖଲ୧୭ । ସେପ୍ଟେମ୍ବର ୧୯୩୦ରେ ହିଟଲର କହିଥିଲେ ଯେ ‘ଗଣତନ୍ତ୍ରକୁ ଗଣତାନ୍ତ୍ରିକ ପଦ୍ଧତିରେ ହିଁ ଧ୍ୱଂସ କରିବି’ । ମାନ୍ୟବର ବିଚାରପତି ପଚାରିଥିଲେ, “ତେଣୁ କେବଳ ସାମ୍ବିଧାନିକ ଉପାୟରେ?” ହିଟଲରଙ୍କ ସଂକ୍ଷିପ୍ତ ଉତ୍ତର ଥିଲା ଜର୍ମାନଭାଷାରେ“Jawohi.” ଅର୍ଥାତ୍ “ହଁ, ବାସ୍ତବରେ” ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି । ଏହି ବାଟ ଦେଇ ଆସି ରାଜନେତାମାନେ ଗଣତନ୍ତ୍ରକୁ ଧ୍ୱଂସ କରିପାରନ୍ତି । ଗଣତନ୍ତ୍ରର ମୃତ୍ୟୁ କିପରି ହୁଏ, ସେ ସମ୍ପର୍କରେ ଗଭୀର ଅଧ୍ୟୟନ କରିଥିବା ଦୁଇ ଗବେଷକ-ଅଧ୍ୟାପକ Steven Levitsky & Daniel Ziblatt ଲେଖନ୍ତି୧୮(ପୃ ୩) “ଗଣତନ୍ତ୍ରର ମୃତ୍ୟୁ ସେନାନାୟକମାନଙ୍କ ହାତରେ ନହୋଇ ନିର୍ବାଚିତ ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ ମାନଙ୍କ ହାତରେ ହୋଇପାରେ ଯେଉଁମାନେ ସେହି ପଦ୍ଧତିଟିକୁ ଧ୍ୱଂସ କରି ଦିଅନ୍ତି ଯେଉଁ ପଦ୍ଧତି ତାଙ୍କୁ କ୍ଷମତାକୁ ଆଣିଥାଏ । କେହି କେହି ନେତା ଗଣତନ୍ତ୍ରକୁ ଶୀଘ୍ର ଭାଙ୍ଗି (dismantle) ଦେଇଥାନ୍ତି ଯେପରି ହିଟଲର କରିଥିଲେ ୧୯୩୩ରେ ଜର୍ମାନ ସଂସଦର (Reichstag) ଅଗ୍ନିକାଣ୍ଡ ପରେ । ଯଦିଓ ଅଧିକାଂଶ ସମୟରେ ଗଣତନ୍ତ୍ରର କ୍ଷୟ ଧୀରେ ଧୀରେ ହୋଇଥାଏ, ଯାହା କ୍ୱଚିତ ଦୃଶ୍ୟମାନ ହୁଏ ।” ତେଣୁ ହିଟଲରଙ୍କର ରାଜନୈତିକ ଆଦର୍ଶରେ ବିଶ୍ୱାସ କରୁଥିବା ରାଜନୈତିକ ଦଳ ହାତରେ କ୍ଷମତା ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ହାସଲ କରାଗଲେ ମଧ୍ୟ ସେ ରାଷ୍ଟ୍ରରେ ଗଣତନ୍ତ୍ରର ଭବିଷ୍ୟତ ଯେ ସୁରକ୍ଷିତ ନୁହେଁ ଏହା କହିବା ଅତିଶୟୋକ୍ତି ହେବ ନାହିଁ । ବରଂ ଉପରୋକ୍ତ ଦୁଇ ଗବେଷକଙ୍କ ଅଧ୍ୟାୟନ ଏହାହିଁ ପ୍ରମାଣିତ କରୁଛି ଯେତେବେଳେ ସେମାନେ ଲେଖୁଛନ୍ତି୧୮(ପୃ ୫), “ଭେନେଜୁଏଲାରେ Chavezଙ୍କ ପରି, Georgia, Hungary, Nicaragua, Peru, the Philippines , Poland, Russia, Sri Lanka, Turkey ଏବଂ Ukraineରେ ନିର୍ବାଚିତ ନେତାମାନେ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡିକୁ ଧ୍ୱଂସ କରିଛନ୍ତି । ଗଣତନ୍ତ୍ରର ପଶ୍ଚାଦ୍ଗତି ଆଜି ବାଲଟ ବାକ୍ସରୁ ଆରମ୍ଭ ହୋଇଛି । ଅଚଳ ହେବାଦିଗକୁ ନିର୍ବାଚନର ବାଟ ଭୟଙ୍କର ଭାବେ ପ୍ରତାରଣା ପୂର୍ଣ୍ଣ(The electoral road to break down is dangerously deceptive)… ନିର୍ବାଚିତ ଏକଛତ୍ରବାଦୀ ମାନେ ଗଣତନ୍ତ୍ରର ମୁଖା ପିନ୍ଧିଥାନ୍ତି ଯେତେବେଳେ କି ଏହାର ମୂଳତତ୍ତ୍ୱର ଅନ୍ତବୁଜୁଳି ବାହାର କରିଦେଉଥାନ୍ତି (Elected autocrats maintain a vineer of democracy while eviscerating its substance) ।” ଗଣତନ୍ତ୍ର ବଂଚି ରହିବ ଯଦି ଦୁଇଟି ସାଧାରଣ ମାନ (norm) ର ପାଳନ କରାଯାଏ ଯେପରି ପାରସ୍ପରିକ ସହନଶୀଳତା (mutual toleration) ଅର୍ଥାତ୍ ଏକ ବୁଝାମଣା ଯାହାକୁ ପ୍ରତିଯୋଗୀମାନେ ଗ୍ରହଣ କରିବେ ଯେ ସେମାନେ ପରସ୍ପରର ବୈଧ ପ୍ରତିଦ୍ୱନ୍ଦ୍ୱୀ (legitimate rivals), ଏବଂ ଆତ୍ମସଂଯମ (forebearance) ଅର୍ଥାତ୍ ରାଜନୀତିଜ୍ଞମାନେ ସେମାନେ ପାଇଥିବା ଆନୁଷ୍ଠନିକ ବିଶେଷ କ୍ଷମତାର ପ୍ରୟୋଗ କରିବାରେ ସଂଯମ ରକ୍ଷାକରିବେ । ଉପରୋକ୍ତ ଦୁଇ ଲେଖକଙ୍କ ମତରେ ଏହି ଦୁଇଟି ସାଧାରଣ ମାନ (norm)ର ପାଳନ ଯୋଗୁଁ ଆମେରିକାର ଗଣତନ୍ତ୍ର ବିଂଶ ଶତାବ୍ଦୀର ଅଧିକାଂଶ କାଳରେ ଶକ୍ତିଶାଳୀ ଥିଲା୧୮(ପୃ ୮-୯) । ଏହି ଦୁଇଟି ସାଧାରଣ ମାନ (norm)ର ମର୍ମ ଅମେ ଆମ ଗଣତାନ୍ତ୍ରିକ ସମ୍ବିଧାନ ସନ୍ଦର୍ଭରେ ଗୁରୁତ୍ୱ ପାଇଥିବାର ଦେଖୁ, ତାହା ନିର୍ବାଚନ କମିଶନ, ବାଚସ୍ପତି ବା ବିଚାରପତିଙ୍କ ଆଚରଣ ସମ୍ପର୍କରେ ଉଲ୍ଲିଖିତ ମତଗୁଡ଼ିକରେ ଦେଖୁ । ଉଲ୍ଲେଖଯୋଗ୍ୟ ଯେ ଏହି ଦୁଇଟି ସାଧାରଣ ମାନ (norm) ଆମେରିକା ସମ୍ବିଧାନରେ ଉଲ୍ଲେଖ ହୋଇନାହିଁ । ଲେଖକ ଦ୍ୱୟଙ୍କ ଭାଷାରେ୧୮(ପୃ ୮), “ଗଣତନ୍ତ୍ରଗୁଡ଼ିକର କାର୍ଯ୍ୟ ଉକ୍ରୃଷ୍ଟ ହେବ ଏବଂ ଏହା ଅଧିକ ସମୟ ଯାଏ ବଂଚିବ ଯଦି ସମ୍ବିଧାନକୁ ଏହି ଅଲିଖିତ ଗଣତାନ୍ତ୍ରିକ ସାଧାରଣମାନ ଦ୍ୱାରା ଦୃଢ଼ୀଭୂତ କରାଯାଏ ।” ପ୍ରାୟ ଏହିକଥା ୨୬ ନଭେମ୍ବର ୧୯୪୯ଦିନ ସ୍ୱାଧୀନ ଭାରତର ସମ୍ବିଧାନ ଗୃହୀତ ହେବା ଅବସରରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କହୁଥିଲେ । ସୁଦୃଢ଼ ଗଣତନ୍ତ୍ର ପାଇଁ ପ୍ରଥା, ସମ୍ବିଧାନରେ ଲେଖା ନ ଥିଲେ ମଧ୍ୟ ଏପରି ପ୍ରଥାର ପାଳନ ଉପରେ ଗୁରୁତ୍ୱ ଦେଉଥିଲେ ଯେଉଁଠାରେ ପ୍ରକଟିତ ହେଉଥିବ ‘ଅନ୍ୟର ମତକୁ ସମ୍ମାନ ଦେବାର ଇଚ୍ଛା, ଓ ଆପୋଷ ସମାଧାନ ତଥା ବୁଝାମଣା (compromise and accomodation) କରିବାର ସାମର୍ଥ୍ୟ’ । କହିବା ବାହୁଲ୍ୟ ଯେ ଗଣତନ୍ତ୍ରର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ବ୍ୟଗ୍ରତା ସ୍ୱାଧୀନ ଭାରତର ସମ୍ବିଧାନ ପ୍ରଣୟନ ବେଳେ ପ୍ରଣେତାମାନଙ୍କଠାରେ ଦେଖା ଯାଇଥିଲା, ପ୍ରାୟ ସେହି ବ୍ୟଗ୍ରତା ଆଜି ମଧ୍ୟ ଗଣତନ୍ତ୍ରର ସୁରକ୍ଷା ପାଇଁ ଦେଖାଯାଉଛି । ଏଥିପାଇଁ ଭଲ ଲୋକ, ସାମ୍ବିଧାନିକ ନୈତିକତା ଥିବା ଲୋକ, ସଚ୍ଚୋଟ ଲୋକ, ନିରପେକ୍ଷତାରେ ବିଶ୍ୱାସୀ ଲୋକ, ଭିନ୍ନମତକୁ ସମ୍ମାନ ଦେଉଥିବା ଲୋକ, ନିଜର ବିଶେଷ କ୍ଷମତାର ପ୍ରୟୋଗରେ ସଂଯମ ରକ୍ଷାକରୁଥିବା ଲୋକର ଆବଶ୍ୟକତା ରହିଛି ଯାହା ହାତରେ ଏକ ଗଣତାନ୍ତ୍ରିକ ସମ୍ବିଧାନ ଭଲ ଫଳଦେବ ବୋଲି ଆମେ ଆଶା କରିପାରିବା ।

ବ୍ୟବହୃତ ଉପାଦାନ ସୂଚୀ

  1. Constituent Assembly Debates,Volume XI—14th to 26th November 1949, Reprinted By Loksabha Secretariat, New Delhi, 6th Reprint 2014

2.PM-CJI’s Public Puja Sparks Concerns Over Propriety, Separation of Powers, Secularism and Political Symbolism ,Sravasti Dasgupta ,13/Sep/2024 , https://thewire.in/politics/pm-cjis-public-puja-sparks-concerns-over-propriety-separation-of-powers-secularism-and-political-symbolism

3.Law Commission of India 1958, 14th Report , (Reform of Judicial Administration ) , Vol. II, p. 674 ,https://cdnbbsr.s3waas.gov.in/s3ca0daec69b5adc880fb464895726dbdf/uploads/2022/08/2022080541-2.pdf

  1. Canons of Judicial Ethics, Justice R.C Lahoti, National Judicial Academy, Bhopal, 2005 , https://nja.gov.in/Jounals_Publications_Newsletters/NJA%20Ocacasional%20Paper%20Series%20No.5.pdf
  2. C.L.T Journal, Vol.67(1989), p.30; ^ýûdcì©ðò Wü MZòKé¾ cògâu iáZòùe, ic\éÁòe gâ¡ûõRkú, _é 17-21
  3. The Collected Works of Mahatma Gandhi, Vol.67, p.174
  4. Are our Speakers as impartial and apolitical as they should be? ,ByDhananjay Mahapatra ,TNNLast Updated: Jul 18, 2016 ,https://economictimes.indiatimes.com/news/politics-and-nation/are-our-speakers-as-impartial-and-apolitical-as-they-should-be/articleshow/53261480.cms?from=mdr
  5. Dada Saheb Mavalankar ,Father of Lok Sabha ,His Life, Work and Ideas ,A Centenary Volume , Edited by DR. Subhash C Kashyap ,Sccretary General of Loksabha, Published for, The Lok Sabha Secretariat. New Delhi – 110001 ,National Publishing House, New Delhi, 1989

9.“Are our Speakers as impartial and apolitical as they should be?”, Dhananjay Mahapatra, Jul 18, 2016 ,https://economictimes.indiatimes.com/news/politics-and-nation/are-our-speakers-as-impartial-and-apolitical-as-they-should-be/articleshow/53261480.cms?from=mdr;

  1. Impairment of impartial functioning of presiding officers of the Parliament does not augur well for democracy ,S.N. Sahu·March 5, 2023 ,https://theleaflet.in/impairment-of-impartial-functioning-of-presiding-officers-of-the-parliament-does-not-augur-well-for-democracy/
  2. Deleting democracy: Need for limiting Speaker’s power of expunction ,Kanishk Srinivas·February 24, 2023 ,https://theleaflet.in/deleting-democracy-need-for-limiting-speakers-power-of-expunction/
  3. Congress says Rahul Gandhi’s mic muted. Who has fingers on mic switches ,India Today News Desk ,New Delhi,UPDATED: Jun 28, 2024 16:59 ISTWritten By: Priyanjali Narayan ,ttps://www.indiatoday.in/india/story/congress-rahul-gandhi-mic-mute-who-controls-parliament-neet-government-speaker-2559598-2024-06-28
  4. Opposition urges Speaker Om Birla to be impartial, allow voice of people in the House ,Online Desk, Updated on: 26 Jun 2024,https://www. newindianexpress. com/nation/2024/Jun/26/opposition-urges-speaker-om-birla-to-be-impartial-allow-voice-of-people-in-the-house
  5. Why were 141 India opposition MPs suspended from parliament? ,By Sarah Shamim

Published On 19 Dec 202319 Dec 2023 ,https://www.aljazeera.com/news/2023/12/19/why-141-india-opposition-mps-suspended-from-parliament

  1. Criminal Code Bills Passed In Lok Sabha With Most Opposition MPs Suspended ,India NewsReported by Himanshu Shekhar Mishra, Edited by Anindita SanyalUpdated: December 20, 2023 ,https://www.ndtv.com/india-news/new-criminal-laws-passed-in-lok-sabha-with-most-opposition-mps-suspended-4709805
  2. “Om Birla’s Controversial Stewardship as Lok Sabha Speaker: A Review of Events and Challenges During His Second Term”,Tarique Anwar ,Published on: 27 Jun 2024, https://en.themooknayak.com/politics/om-birlas-controversial-stewardship-as-lok-sabha-speaker-a-review-of-events-and-challenges-during-his-second-term

17.How Hitler Used Democracy to Take Power,By Timothy Ryback ,April 26, 2024 ,https://time.com/6971088/adolf-hitler-take-power-democracy/

18.How Democracies Die , Steven Levitsky and Daniel Ziblatt, Penguin Random House, UK, 2018

Comments

0 comments

Share This Article