ଏ ପକ୍ଷର ଖବର

ସୁରେନ୍ଦ୍ର ପାତ୍ର
ସୁରେନ୍ଦ୍ର ପାତ୍ର4 Views
15 Min Read

କ୍ଷମତା ହିଁ ସ୍ୱାଧୀନତା, ବାକି ସବୁ ବେକାର କଥା

ପାଠକେ! ଗତ ୨୫ବର୍ଷ ଖଣ୍ଡେ ହେଲାଣି ଆମେ ଦେଖୁଛୁ ଆମ ମୁଖ୍ୟମନ୍ତ୍ରୀମାନଙ୍କର ହିନ୍ଦୀ ସମ୍ବାଦପତ୍ରିଆ ଦୋଷ ପ୍ରବଳ ବାହାରୁଛି । ଆପଣ ପଚାରିବେ ଏ ହିନ୍ଦୀ ସମ୍ବାଦପତ୍ରିଆ ଦୋଷଟି ପୁଣି କ’ଣ? ଆଜ୍ଞା ଏଇଟି ହେଉଛି ଗୋଟିଏ ରାଜ୍ୟର କିଛି ପ୍ରତିଷ୍ଠିତ ଶବ୍ଦକୁ ବିକୃତ କରି ଲେଖିବା/କହିବା ଏଇସବୁ । ଆପଣ ଯଦି ଓଡ଼ିଶାରୁ ବାହାରୁଥିବା ଗୋଟେ ଯୋଡ଼େ ହିନ୍ଦୀ ସମ୍ବାଦପତ୍ର ହେଉ କି ବାହାରର କିଛି ହେଉ; ସେମାନଙ୍କୁ ଲଗାତର ଲକ୍ଷ୍ୟ ରଖି ଚାଲିବେ ତେବେ ଦେଖିବେ ସେମାନଙ୍କୁ ‘ଓଡ଼ିଶା’ ବୋଲି ଲେଖିବାକୁ ଖୁବ ଯେମିତି କଷ୍ଟ ଅନୁଭବ ହେଉଛି ବା କାଟୁଛି । ସେମାନେ ବି ‘ଓଡ଼ିଶା’ ବୋଲି ଲେଖୁଛନ୍ତି କିନ୍ତୁ ବେଳେବେଳେ ‘ଉଡିଶା’ ବୋଲି ଲେଖି ପକାଉଛନ୍ତି । ଯଦି ତାଙ୍କ ଭିତରୁ କାହାକୁ ଜଣକୁ ପଚାରିଦେଲେ ସେମାନେ ତୁରନ୍ତ ତାଙ୍କ ‘ନୌଟଙ୍କୀ’ ଆରମ୍ଭ କରିଦେବେ ଆଉ କହିବେ ‘ନେହିଁ ନେହିଁ । ଐସା କୁଛ ନହିଁ ହୈ । ହମ ତୋ ହମେଶା ଓଡିଶ୍ୟା ଲେଖତେ ହେଁ । କଭିକଭି କହିଁ କୁଛ ହୋ ଜାତା ହାଗୋ ।’ ହେଲେ ହିନ୍ଦୀ କାଗଜବାଲା ଆଜି ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାକୁ କେନ୍ଦ୍ରାପଡ଼ା କରିନାହାନ୍ତି । ଆଜି ବି ସିଏ ‘କେନ୍ଦ୍ରାପାଡା’ରେ ରହିଛି ।

ପାଠକେ! ଆମେ କାଇଁ ଏତେ କଥା କହିଲୁ କି ହିନ୍ଦୀ ପରି ନିଜକୁ ହିନ୍ଦୁ ହିତୈଷୀ ରାଜନୈତିକ ଦଳ ବୋଲି କହୁଥିବା ବିଜେପିରେ ବି ଅବସ୍ଥା ଏକାପ୍ରକାର । ବିଜେପିର ଯେଉଁ ନେତା କି ବୁଦ୍ଧିଜୀବୀ ଓଡ଼ିଶାକୁ ଭାଷଣ ଦେବାକୁ ଆସନ୍ତି ସିଏ ଭାଷଣ ଦେବା ଆଗରୁ ପଦୁଟିଏ କହନ୍ତି-କ୍ଷମା କରିଏଗା । ମେ ଥୋଡ଼ା ଉଡିଆ ମେଁ କମଜୋର ହୁଁ । ଆପକୋ କ୍ୟା ଠିକ୍ ରହେଗୀ? ହିନ୍ଦୀ ୟା ଅଁଗ୍ରେଜୀ? ଶ୍ରୋତାମାନଙ୍କ ଭିତରୁ ଅଧା ଇଁରାଜୀ ଇଁରାଜୀ ବୋଲି କହିଲାବେଳକୁ କିଛି ଲୋକ ହିନ୍ଦୀ ହିନ୍ଦୀ ବୋଲି ବି ଚିତ୍କାର କରନ୍ତି । ରାଜ୍ୟକୁ ବିଜେପି କ୍ଷମତାକୁ ଆସିବାପରେ ଏଇ ଭୁଲଭାଲ କହିବା ଲେଖିବା କଥାଟି ଜୋର ଧରିଛି । ତାଙ୍କ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ସେଇଆ କରୁଥିଲେ । ସିଏ ଲେଖାଯାଇଥିବା କାଗଜକୁ ପଢ଼ି ଉତ୍କଳମଣିଙ୍କୁ ଗୋପବଣ୍ଡୁ ଡ୍ୟାସ ବୋଲି କହୁଥିଲେ ତେଣୁ ଇଏ ବି ଲେଖା ପଢ଼ି ଉତ୍କଳମଣି ମଧୁସୂଦନ ଦାସ ବୋଲି କହିଲେ । ସିଏ ବାଡିପଡ଼ା, ଚଡ଼ିଖୋଲ ଆଦି ନୂଆ ନୂଆ ଶବ୍ଦମାନ ବ୍ୟବହାର କରୁଥିବା ବେଳେ ଇଏ ବି ସେମିତି କିଛି କରିବାରେ ଅଛନ୍ତି । ସେଗୁଡ଼ା ଏଠାରେ ଲେଖିବାର ଆବଶ୍ୟକତା ନାହିଁ କାରଣ ‘ପବ୍ଲିକ୍ ସବ୍ ଜାନତା ହେ’ ହେଲେ ଦେଶର ସ୍ୱାଧୀନତା ଦିବସକୁ ନେଇ ଯେପରି ଯାହା ସବୁ କୁହାଯାଉଛି ସେଇଗୁଡ଼ାକ ଦେଶର ତଥା ରାଜ୍ୟର ସାଧାରଣ ଲୋକଙ୍କୁ ଟିକେ ଖରାପ ଲାଗୁଛି । କଥାଟା ହେଲା ଏ ଦେଶରେ ବିଜେପି ଯେଉଁଦିନୁ କ୍ଷମତାକୁ ଆସିଲାଣି ସେହିଦିନୁ ଦଳର ବହୁନେତା ୧୫ ଅଗଷ୍ଟ ୧୯୪୭କୁ ଆଉ ସ୍ୱାଧୀନତା ଦିବସ ବୋଲି ମାନିବାକୁ ରାଜି ହେଉନାହାନ୍ତି । ଜଣେ ହିନ୍ଦୀ ସିନେମା ଅଭିନେତ୍ରୀ କହିଲେ ଦେଶ ସ୍ୱାଧୀନ ହେଲା ୨୦୧୪ରୁ । ମାନେ ଯେଉଁଦିନଠାରୁ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିଲେ । ଆଗରୁ ଯେଉଁ ବାଜପାୟୀ ସରକାର ଥିଲା ସେଇଟା ବି ପରାଧୀନ ଭାରତର ଏକ ଅଂଶ ଥିଲା । ତେଣୁ କ୍ଷମତା ହିଁ ସ୍ୱାଧୀନତା । ବାକି ସବୁ ପରାଧୀନତା । କଥାଟା ଅସତ୍ୟ ନୁହେଁ । କ୍ଷମତା ଆସିଲେ ତମେ ଯାହା ପାରିବ କହିବ, ଯାହା ଚାହିଁବ କରିବ । କ୍ଷମତା ନଥିଲେ ଫୁଲ୍ ପରାଧୀନତା । କାରଣ ସେହି କଥାଟା କହିଲେ ବୋଲି ସିଏ ଭାରତୀୟ ସଂସଦରେ ଏମ୍ପି ହୋଇଗଲେ । ଆଗରୁ ତ ସରପଂଚଟିଏ ବି ନଥିଲେ । କଥାଟା ବୁଝନ୍ତୁ । ଖାଲି ସିଏ କହିଲେ ବୋଲି ନୁହେଁ, ତାଙ୍କ ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ନାଥ ସାରେ କହିଲେ-ଆମ୍ବେଦକରଙ୍କ ସମ୍ବିଧାନରେ ଧର୍ମନିରପେକ୍ଷତା, ସମାଜବାଦ ଏସବୁ ନଥିଲା । ତେଣୁ ହୁଏତ ସେ ସମ୍ବିଧାନଟା ଖରାପ ନହେଲେ ଏ ସମ୍ବିଧାନ ଖରାପ । ସେକଥା ଶୁଣିଲା କ୍ଷଣି ଓଡ଼ିଶାରେ ପୁଲିସ ମୁଖ୍ୟଙ୍କ ପାଖରେ ଥିବା ଭାରତୀୟ ସମ୍ବିଧାନର ମୁଖବନ୍ଧରୁ ଏ ଦିଇଟା ଶବ୍ଦକୁ କାଟି ଉଡେଇ ଦିଆଗଲା । ବିଜେପିର ଏହି ଧାରାରେ ଅନୁପ୍ରାଣିତ ହୋଇ ଓଡ଼ିଶାର ବିଜେପି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମଧ୍ୟ ପଢ଼ିଲେ ଯେ ୨୬ ନଭେମ୍ବର ହେଉଛି ଭାରତର ସ୍ୱାଧୀନତା ଦିବସ ।

ଆମେ ନିଶ୍ଚିତ ଯେ ଆମ ମୁଖ୍ୟମନ୍ତ୍ରୀ ଯେତେବେଳେ କୌଣସି ବିଜେପି ସ୍କୁଲରେ ଶିକ୍ଷକତା କରୁଥିଲେ ସେତେବେଳେ ସେ ଏକଥା କହିବାକୁ ସାହସ କରିନଥିବେ । ଆମ ଛୁଆଙ୍କୁ ଏଇଆ ଶିଖୋଉଛ ବୋଲି କହି ଅଭିଭାବକଗୁଡ଼ା ବାଡ଼େଇ ପକେଇ ଥାଆନ୍ତେ । ଏବେ କହିବାରେ କିଛି ଅସୁବିଧା ନାହିଁ । କାରଣ ଏବେ ସେ କ୍ଷମତାରେ । କ୍ଷମତା ହେଲା ସ୍ୱାଧୀନତା । ବାକି ସବୁ ଗପ ।

ସ୍ୱଜାତି ପରହିଂସ୍ରକ

ଆପଣମାନେ ସବୁ ଜାଣିଛନ୍ତି ଯେ ଆଜି ଯିଏ ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ; ସିଏ ତାଙ୍କ ପିଲାଦିନେ ଜଣେ ଚାହାବିକାଳୀଭାବେ ନିଜ ଜୀବନ ଆରମ୍ଭ କରିଥିଲେ ବୋଲି ସେ ନିଜେ କହୁଥିଲେ । ତାଙ୍କ ବାପାଙ୍କର ଗୁଜୁରାଟ ରାଜ୍ୟର ଗୋଟିଏ ରେଳଷ୍ଟେସନରେ ଗୋଟିଏ ଚାହା ଦୋକାନ ଥିଲା । ଅର୍ଥାତ୍ ଉଠାଦୋକାନ । କେତେବେଳେ ରେଳବିଭାଗ ଚାହା ଦୋକାନଟିକୁ ଭାଙ୍ଗି ଦେବ,ତାର ବି କିଛି ଠିକଣା ନଥିଲା । ତେଣୁ ପିଲାଦିନରୁ ନରେନ୍ଦ୍ର ଦାମୋଦର ଦାସ ମୋଦୀ ନିଶ୍ଚିତ ଭାବେ ଉଠାଦୋକାନୀଙ୍କ ସମସ୍ୟା ବିଷୟରେ ଭଲଭାବେ ଜାଣିଛନ୍ତି ।

ଗତ ୨୯ତାରିଖରେ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିଥିଲେ । ସେ ଆଗପରି ଏଥର ଖାଲି ଓଡ଼ିଶା ବୁଲି ଚାଲିଯାଇ ନାହାନ୍ତି, ଓଡ଼ିଶା ରାଜଭବନରେ ତିନିଦିନପାଇଁ ଅତିଥି ହୋଇ ରହିଲେ । ପ୍ରଧାନମନ୍ତ୍ରୀ ଲୋକଙ୍କ ରାଜକୋଷରୁ ଏତେଗୁୁଡ଼ା ଟଙ୍କା ଖର୍ଚ୍ଚ କରି ଆସିଥିଲେ ଡିଜି-ଆଇଜି ସମ୍ମିଳନୀରେ ଭାଷଣ ଦେବାକୁ । ଏହି ତିନିଦିନିଆ ଓଡ଼ିଶା ଗସ୍ତକାଳରେ ସେହି ଗୋଟିକ ତାଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ କର୍ଯ୍ୟକ୍ରମ ଥିଲା କାରଣ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସାଙ୍ଗକୁ ଏଇଠି ଭୁବନେଶ୍ୱରରେ ସାରାଦେଶର ଡିଜି, ଆଇଜିଙ୍କୁ ନେଇ ଦେଶର ୫୯ତମ ପୁଲିସ ଡିଜି ଆଇଜି ସମ୍ମେଳନ ହେଲା । ଏହାକୁ ଗୃହମନ୍ତ୍ରୀ ଅମିତ ଶାହା ସେହିଦିନ ଆସି ରାଜ୍ୟ ସଚ୍ଚିବାଳୟରେ ଉଦଘାଟନ କଲେ । ତାଙ୍କ ସାଙ୍ଗରେ ସମ୍ମିଳନୀରେ ଦୁଇ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ବନ୍ଦୀ ସଂଜୟ କୁମାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ(ଦେଶର)ତପନ ଡେକା, ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ୍, ଏସ୍ପିଜି ନିର୍ଦ୍ଦେଶକ ଆଲୋକ ଶର୍ମା ମଧ୍ୟ ଆସିଥିଲେ । ଏମାନଙ୍କ ସୁରକ୍ଷା କଥା ବୁଝିବାକୁ ଭୁବନେଶ୍ୱରରେ ପ୍ରବଳ କସରତ ହୋଇଥିଲା । ୭୦ପ୍ଲାଟୁନ୍ ଫୋର୍ସ, ୧୦କମ୍ପାନି ସିଆରପିଏଫ୍, ବିଏସଏଫ୍, ଆଂଟିଟେରର ଏଜେନ୍ସି, ୮୦୦ ସିସିଟିଭି,୪୦୦ ଅଫିସର ରାଜଧାନୀକୁ ପୁରା ଜଗିକି ରହିଲେ । ଭୁବନେଶ୍ୱର ସହରର ଆଗରୁ ଯେଉଁ ଅଂଚଳରେ ସିସିଟିଭି ଲାଗି ନଥିଲା, ଯେମିତିକି ଅତିଥି ଭବନର ପଛପଟ, କେତେକ ସଡ଼କରେ ବି ୧୦୦ରୁ ଅଧିକ ସିସିଟିଭି ଲାଗିଗଲା । କୁହାଗଲା ଯେ ଏହି ସିସିଟିଭିକୁ ପ୍ରତି ମିନିଟରେ ଯାଂଚ କରାଯାଉଥିଲା ।

ଏତେ ସବୁ ସୁରକ୍ଷା ବ୍ୟବସ୍ଥା ଭିତରେ ରାଜଧାନୀ ସହର ଥାଇ ମଧ୍ୟ ତିନିଦିନ ଧରି ୪୦୦୦ରୁ ଅଧିକ ଉଠାଦୋକାନୀଙ୍କ ଦୋକାନ ଛୋଟ ଛୋଟ କଳାଜରି ପକା ଦୋକାନଗୁଡ଼ିକୁ ବି ଏମ ସି ପକ୍ଷରୁ ବନ୍ଦକରି ଦିଆଗଲା । କାରଣ ହେଉଛି ସୁରକ୍ଷା । ସେତେବେଳେ ବି ଏମ ସି ବାଲାଏ ଟିକିଏ ଚିନ୍ତା କଲେ ନାହିଁଁ ଯେ ଗୋଟିଏ ଉଠାଦୋକାନରେ ଅନ୍ତତଃପକ୍ଷେ ଚାରିଜଣ ଲୋକ କାମ କରିଥାଆନ୍ତି । ଏମାନେ ସବୁ ୧୬୦୦୦ ହେଲେ ସିଧାସଳଖ ନିଯୁକ୍ତ କର୍ମଚାରୀ । ତା’ବାହାରେ ଅନେକ ଲୋକ ଏଠାରେ ପରୋକ୍ଷ ଭାବରେ କାମ କରିଥାଆନ୍ତି ଯେପରିକି, ଧାନ ଓ ପରିବାଚାଷୀ ଯେଉଁମାନେ ଚାଉଳ ଓ ପରିବା ଯୋଗାଇଥାଆନ୍ତି, ଖିର ବାଲାଏ, ମାଛ, ମାଂସ, ଅଣ୍ଡା, କୁକଡ଼ାମାଂସ ଯୋଗାଉଥିବା ଲୋକେ ଯେଉଁମାନେ ତାହାରି ମାଧ୍ୟମରେ ନିଜର ତଥା ନିଜ ପରିବାରର ପେଟ ପୋଷିଥାଆନ୍ତି । ଉଠାଦେକାନୀ ସଂଘର ସଭାପତି ପ୍ରତାପକୁମାର ସାହୁଙ୍କ କହିବା ଅନୁସାରେ ୨୦ ହଜାର ପରିବାର ଏହାରି ମାଧ୍ୟମରେ ନିଜର ଗୁଜୁରାଣ କମାଇ ଥାଆନ୍ତି । ୨୦ହଜାର ପରିବାରର ଲକ୍ଷାଧିକ ଲୋକ ଏହି ତିନିଦିନ ଖାଇଥିବେ କ’ଣ? କୁହାଯାଉଛି ସୁରକ୍ଷା ପାଇଁ ସେମାନଙ୍କୁ ଦୋକାନ ବନ୍ଦ କରିବାକୁ ବାଧ୍ୟ କରାଗଲା । ହେ ପ୍ରଭୋ! ଗୋଟିଏ ପ୍ଲାଟୁନରେ ୩୩ପୁଲିସ କର୍ମଚାରୀ ଥାଇ ୭୦ପ୍ଲାଟୁନ ଅର୍ଥାତ୍ ୨୩୧୦ଜଣ ପୁଲିସ ରହିଲେ । ତା ଉପରେ ୪୦୦ ଅଫିସର । ଏହାସତ୍ତ୍ୱେ ମଧ୍ୟ ସୁରକ୍ଷା ହୋଇପାରିଲା ନାହିଁ ଯେ ଶେଷରେ ଉଠାଦୋକାନୀ ଓ ତାଙ୍କ ପରିବାରଗୁଡ଼ାଙ୍କୁ ତିନିଦିନ ଉପାସରେ ରଖାଗଲା । ଉଠାଦୋକାନୀଙ୍କ ମଧ୍ୟରୁ କିଛିଲୋକ ଆମକୁ କହିଲେ – କ’ଣ କରିବୁ ଆଜ୍ଞା! ସ୍ୱଜାତି ପରହିଂସ୍ରକ! ସେମାନେ କ’ଣ କହୁଥିଲେ ଆମେ ବୁଝିପାରିଲୁ ନାହିଁ ।

ଏଇ କି ସେ ସ୍ୱାଧୀନତା?

ପାଠକେ! ଆଉ କେତେଟା ବର୍ଷ ପରେ ଏ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ । କରିବ ବୋଲି ବହୁ ହଲ୍ଲାଗୁଲ୍ଲା ହେଲାଣି । ହେଲେ ସେଥିରେ କ’ଣ ହେବ ଆମେ ଜାଣିନୁ କିନ୍ତୁ ଏବେ ଦେଖୁଛୁ ଗରିବ ଲୋକଗୁଡ଼ାକ କି କଲବଲ ନହେଉଛନ୍ତି ଆଜ୍ଞା?

ଏବେ ଜଣେ କେଉଁଝରିଆ ଏନଜିଓ ଲୋକ ଆମକୁ ଫୋନ୍ କଲେ । କହିଲେ ଆଜ୍ଞା ଆମ କଥା ଟିକେ ଲେଖନ୍ତୁ । ଆମେ କହିଲୁ କିଓ ତମ ଗାଁ ଲୋକପରା ଏଇନା ମୁଖ୍ୟମନ୍ତ୍ରୀ, ପୁଣି ଡବଲ ଇଞ୍ଜିନର ଡ୍ରାଇଭର । ଆଉ ଅସୁବିଧା କ’ଣ?

ତାପରେ ସିଏ ଅସୁବିଧାଟା ଯାହା କହିଲେ ସେଥିରୁ ଜଣାପଡ଼ିଲା ଅସୁବିଧାଟା ସ୍ୱାସ୍ଥ୍ୟସେବା ପାଖରେ ଅଟକିଛି । ବିଜେଡ଼ି ବେଳେ ଯେଉଁ ନିରାମୟ ଯୋଜନା ଥିଲା ସେଇଟା ଏବେ ଠିକି ଠାକ୍ ନଚାଲିବାରୁ ପଇସା ନଥିବା ଲୋକେ ମହଙ୍ଗା ଏଲୋପାଥି ଡାକ୍ତର ଓ ଔଷଧ କିଣି ଖାଇ ନପାରି ଆୟୁଷ ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି । ଆୟୁଷର ଗୋଟେ ନିର୍ଦ୍ଦେଶାଳୟ ବି ରାଜ୍ୟରେ ଅଛି । ସେଥିରେ ସବୁ ହୋମିଓପ୍ୟାଥି ମେଡ଼ିକାଲଗୁଡ଼ିକ ଆସୁଛି । ସୂଚନା ମୁତାବକ କେବଳ କେନ୍ଦୁଝର ଜିଲ୍ଲାରେ ୩୪ଟା ହୋମିପ୍ୟାଥିକ ହାସପାତାଳ ଅଛି । ସେମିତି ଏକ ମେଡିକାଲ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଳାର ସଦର ମହକୁମ୍ମାରେ କେନ୍ଦୁଝରରେ ଅଛି । ହେଲେ ରୋଗୀମାନେ ସେଠି ପହଂଚିଲା ବେଳକୁ ତାଙ୍କୁ ସ୍ୱାସ୍ଥ୍ୟସେବା ନାଆଁରେ କିଛି ମିଳୁନାହିଁ । ଏହି ହାସପାତାଳଟିରେ ଡାକ୍ତର ତ ନାହାନ୍ତି ସଫାଇ କର୍ମଚାରୀ ବି ନାହାନ୍ତି । ସେତିକି ନୁହେଁ ଆଗରୁ ଯେଉଁ ରାତି ଜଗୁଆଳ ଚଉକିଆମାନେ ଥିଲେ ସେମାନେ ବି ନାହାନ୍ତି । ଶୁଣିଲୁ ଜିଲ୍ଲାରେ ୩୪ଜଣ ଫାର୍ମାସିଷ୍ଟ ନିଯୁକ୍ତ ହେବାକଥା, ମାତ୍ର ୪ଜଣ ଅଛନ୍ତି । ଏବେ ଯେହେତୁ ଡାକ୍ତର ନାହାନ୍ତି ତେଣୁ ଜଣେ ହୋମିଓପ୍ୟାଥି ଡାକ୍ତର କେତୋଟି ହୋମିଓପ୍ୟାଥି ହାସପାତାଳରେ ପ୍ରଭାରୀ ଡାକ୍ତର ଭାବରେ ନିଯୁକ୍ତ ହୋଇଛନ୍ତି । ସେଭଳି ଜଣେ ଡାକ୍ତରଙ୍କଠାରୁ ଶୁଣିଲୁ ଯେ ଯେଉଁ ଯେଉଁ ସ୍ଥାନରେ ହାସପାତାଳ ଗୁଡ଼ା ଅଛି, ସେଥିରୁ ଅଧିକାଂଶ ଦୂରଦୂରାନ୍ତର ଓ ଅଗମ୍ୟ ସ୍ଥାନ । ହାସପାତାଳଗୁଡ଼ିକ ପାଖାପାଖି ନାହାନ୍ତି । ଯା ଫଳରେ ଗୋଟିଏ ଦିନ ଭିତରେ ଦି ତିନିଟା ହାସପାତାଳ ବୁଲିବାଟା ସମ୍ଭବ ହେଉନାହିଁ । ଡାକ୍ତର ନଆସିବାରୁ ରୋଗୀ ଫେରି ଯାଉଛନ୍ତି ।

କିନ୍ତୁ କେନ୍ଦୁଝରରେ ରୋଗର ପ୍ରାଦୁର୍ଭାବ ଏପରି ଯେ ଜିଲ୍ଲାରେ ମୁଖ୍ୟତଃ ଖଣି, ଖାଦାନ କାର୍ଯ୍ୟରେ ଥିବା ଲୋକ ଓ ଅନ୍ୟମାନଙ୍କ ଭିତରୁ ଗତ କେତେ ବର୍ଷ ମଧ୍ୟରେ ୮୨୪ଜଣଙ୍କୁ ଏଚଆଇଭି ପଜିଟିଭ ବୋଲି ଚହ୍ନଟ କରାଗଲାଣି । ୨୦୦୬ରୁ ଗତବର୍ଷର ଶେଷ ପର୍ଯ୍ୟନ୍ତ ଜିଲ୍ଲାରେ ୧୪୪ ଜଣ ଲୋକ ଏହି ରୋଗରେ ମରିଗଲେଣି ।

ଏଠାରେ ଆମ ନିଜର ଗୋଟିଏ ଛପି ସାରିଥିବା କବିତା ମନେ ପଡ଼ି ଯାଉଛି –

ତ୍ରିରଙ୍ଗା ଉଡ଼ାଇ ଭାଷଣ ଝାଡିଲେ

ଚାରିଶବିଶ ନେତା,

ନିଜକୁ ପଚାରେ ଭାରତବର୍ଷ

ଏଇ କିରେ ସ୍ୱାଧୀନତା?

ଯାହା ପଇସାରେ ଭୋଟ ହୁଏ କିଣା,

ଜର୍ଜର ତା’ର ସ୍ଥିତି,

ହତଭାଗ୍ୟ ସେ ଦୁଃଖୀ ଭାରତୀୟ

ନେତା ତା ‘ମୁଦ୍ରାସ୍ଫୀତି’ ।

ଶାଗ ତୋଳି ତୋଳି ନଖ ନାହିଁ…

ପାଠକେ, ଓଡ଼ିଆରେ ଗୋଟିଏ ଢଗ ଅଛି । ଶାଗ ତୋଳି ତୋଳି ନଖ ନାହିଁ, ଘଇତା ଆଗରେ ସକେଇ କାନ୍ଦୁଛି କଳମ ଗାଡ଼ିଆ ଦେଖିନାହିଁ । କି ଦୁଃଖର କଥା । ଦିନେ ଏମିତି ଦିନ ଥିଲା ଯେ ବିଜେପିର ନେତାମାନେ ଭାବୁଥିଲେ ନବୀନ ପଟ୍ଟନାୟକ ହେଉଛନ୍ତି ତାଙ୍କ ଦଳର ମୁଖ୍ୟମନ୍ତ୍ରୀ । ଆଉ ନବୀନବାବୁ ଭାବୁଥିଲେ ମୋଦୀ ତାଙ୍କ ଦଳର ପ୍ରଧାନମନ୍ତ୍ରୀ । କାରଣ ନରେନ୍ଦ୍ର ମୋଦୀ ଯେଉଁ କଥା ଦିଲ୍ଲୀରେ କହୁଥିଲେ, ତାହାକୁ ଓଡ଼ିଶାରେ ବିଜେଡ଼ିର ନେତାଏ ଯେତେ ବିରୋଧ କଲେ ବି ନବୀନ ପଟ୍ଟନାୟକ କହୁଥିଲେ ସେଇଟା ଠିକ୍, ଏବଂ କରିବାକୁ ହେବ । ନିଜ ପାର୍ଟିର କେହି ମଧ୍ୟ ନବୀନବାବୁଙ୍କ ପାସଙ୍ଗରେ ପଡ଼ୁ ନଥିଲେ । ଅନ୍ୟାନ୍ୟ ସବୁ ଛୋଟ ମୋଟ କଥାକୁ ଛାଡନ୍ତୁ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ହେଲା ବିଜେପିର ଜଣେ ମହିଳାଙ୍କୁ ରାଷ୍ଟ୍ରପତି କରିବାକୁ ନବୀନବାବୁ ଲାଗି ପଡ଼ିଲେ । ଏପରିକି ମହିଳାଜଣକ ରାଷ୍ଟ୍ରପତି ପ୍ରାର୍ଥୀ ହେବାପାଇଁ ନବୀନ ବାବୁଙ୍କୁ ଭାଇ କରି ରାକ୍ଷୀ ବାନ୍ଧି ପକାଇଲେ । ନବୀନନିବାସ ଆସି ପଖାଳ ଖାଇଲେ ଇତ୍ୟାଦି । କିନ୍ତୁ ବିଜେଡି ନେତାଙ୍କ ଭିତରୁ କିଛି ସେ ମହିଳାଙ୍କୁ ନୁହେଁ ବରଂ ଜଣେ ରାଜ୍ୟପାଳ ଓ ନବୀନ ବାବୁଙ୍କ ସରକାରରେ ଥିବା ପୂର୍ବତନ ମନ୍ତ୍ରୀଙ୍କୁ ଏ ପଦରେ ବସାଇଲେ ଭଲ ହେବ ଚିନ୍ତା କରୁଥିଲେ । ଅତୀତର ଅନେକ ଏପରି କଥା ରହିଛି ଯେଉଁଠି ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦୀ ଲାଗୁଥିଲେ ଉଭୟ ଉଭୟଙ୍କ ପାଇଁ । ଦେଖୁନାହାନ୍ତି ନରେନ୍ଦ୍ର ମୋଦୀ ନବୀନବାବୁଙ୍କୁ କେତେ ଭଲ ପାଆନ୍ତି ଯେ ସଭାରେ କହିଲେ ନବୀନବାବୁଙ୍କ ସ୍ୱାସ୍ଥ୍ୟକୁ ନେଇ ସିବିଆଇ ଯାଂଚ କରାଇବେ । କି ଭଲ ପାଇବା!

କିନ୍ତୁ ନିର୍ବାଚନ ପରର ପ୍ରଥମ ଓଡିଶା ଗସ୍ତ କାଳରେ ନରେନ୍ଦ୍ର ମୋଦୀ ଓଲଟି ଗଲେ । ସେ ତାଙ୍କ ନିଜସ୍ୱ ଗୁଜୁରାଟୀ ଷ୍ଟାଇଲରେ ସେ ସେଗୁଡ଼ାକୁ ସବୁ ଭୁଲିଗଲେ । ଯଦିଓ ତାଙ୍କ ବିଜେପି ଦଳ ନବୀନ ବାବୁଙ୍କ ବିଜେଡିଠାରୁ କମ ଭୋଟ ପାଇଛି ଓ ଲୋକସଭାରେ ୧୮ଟା ସାଂସଦ ଗୁନ୍ଦୁରେଇକି ଜିତିଛନ୍ତି ବୋଲି ମୋକଦ୍ଦମା ହେଲାଣି ତଥାପି ମୋଦୀଙ୍କ ପାଇଁ ନୀତି ହେଲା-ରାତ୍ ଗଇ ତୋ ବାତ୍ ଗଇ । କିଏ କାହାକୁ ମନେ ରଖୁଛି । ଓଲଟା ମୋଦୀ ଏଥର ଯେମିତି ଭାଷଣ ଦେଲେ ଲାଗୁଥିଲା ସିଏ ଯେମିତି ନବୀନ ପଟ୍ଟନାୟକଙ୍କୁ ଛିଗୁଲାଉଥିଲେ । ମୋଦୀ ତାଙ୍କ ତିନିଦିନିଆ ଓଡ଼ିଶା ଯାତ୍ରାର ଶୁଭାରମ୍ଭ ନବୀନ ବାବୁଙ୍କ କିମ୍ବଦନ୍ତୀ ବଙ୍ଗଳା ନବୀନନିବାସ ସାମ୍ନାରୁ କଲେ । ଇଏ ହେଉଛି ସେହି ବଙ୍ଗଳା, ଯାହାକୁ ଓଡ଼ିଶାର ଜଣେ କିମ୍ବଦନ୍ତୀ ପୁରୁଷ, ତିନିତିନୋଟି ଦେଶର ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକ ତିଆରି କରିଥିଲେ ଓ ତା’ର ନାଁ ତାଙ୍କ ସାନ ପୁଅ ନବୀନ ପଟ୍ଟନାୟକଙ୍କ ନାମରେ ରଖିଥିଲେ । ଏଥିରେ ବିଜୁ ପଟ୍ଟନାୟକ ତଥା ସ୍ୱାଧୀନତା ସମୟର ଅନେକ ସ୍ମୃତି ଖୁନ୍ଦିଖାନ୍ଦି ହୋଇ ଭରିରହିଛି । ଏଇ ଘରୁ ନବୀନ ବାବୁ ୨୪ବର୍ଷ ଧରି ଓଡ଼ିଶାକୁ ଶାସନ କରିଛନ୍ତି । ଏବେବି ସେ ବିରୋଧୀ ଦଳ ନେତା ରୂପରେ ସେଇଠାରେ ରହୁଛନ୍ତି ।

ନରେନ୍ଦ୍ର ମୋଦୀ ସେଇଠି ନବୀନ ନିବାସକୁ ନାଗିକରି ସଭା କରିବାକୁ ବାଛିଲେ । ସଭା କରିବାକୁ ନବୀନ ନିବାସରୁ ବିମାନବନ୍ଦରକୁ ଲମ୍ବିଥିବା ସ୍ଥାନ ମିଲିଲା । ଯେଉଁଥି ପାଇଁ ଭୀମଟାଙ୍ଗି, ସୁନ୍ଦରପଦା ଓ ସେପଟରେ ରହୁଥିବା ବହୁ ଲୋକଙ୍କର ଯାତାୟାତରେ ଅସୁବିଧା ହୋଇଥିଲା । ଅଯଥା ଛିଗୁଲେଇବା ପରି ନବୀନନିବାସ ପର୍ଯ୍ୟନ୍ତ ଅଧକିଲୋମିଟର ପର୍ଯ୍ୟନ୍ତ ଲୋକଙ୍କ ବସିବାପାଇଁ ଚେୟାର ପକାଯାଇଥିଲା । ପ୍ରତି ଶହେଫୁଟ ଅନ୍ତରରେ ବଡ଼ ବଡ଼ ଏଲଇଡି ସ୍କ୍ରୀନ୍ ଲଗାଯାଇଥିଲା । ବଡ଼ ବଡ଼ ଗେରୁଆ ପତାକା ସବୁକୁ ଉଡାଇ ବିଜେପିର କିଛି କର୍ମୀ ଯେପରି କହୁଥିଲେ ଦେଖ ଆମ ତାକତକୁ । ମୋଦୀ ମୋଦୀ, ବିଜେପି ଜିନ୍ଦାବାଦ ନାରାରେ ବିଜେପି କର୍ମୀମାନେ ନବୀନ ନିବାସ ଅଂଚଳଟାକୁ ପ୍ରକମ୍ପିତ କରି ଦେଉଥିଲେ । ଜଣେ ପ୍ରଧାନମନ୍ତ୍ରୀ ହୋଇ ମୋଦୀବାବୁ ବି ଛିଗୁଲେଇ କରି କହିଥିଲେ – ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଢ଼ିଆ କାମ କରୁଛନ୍ତି । ସବୁ ଗାଁକୁ ଯାଉଛନ୍ତି । ସେ ଦେଖେଇ ଦେଉଛନ୍ତି ଯେ ମୁଖ୍ୟମନ୍ତ୍ରୀ ବି ଗାଁ’ଆକୁ ଯାଇ ପାରନ୍ତି । ତା’ସହିତ ମୋଦୀଜୀ ନବୀନବାବୁଙ୍କ ସହିତ ସାରା ବିରୋଧୀଦଳ ମାନଙ୍କୁ ଏକଥା ମଧ୍ୟ ଶୁଣାଇଥିଲେ ଯେ କିଛିଲୋକ କ୍ଷମତାକୁ ତାଙ୍କ ଜାଗିରୀ ଭାବିଛନ୍ତି । ଆମେ ଆଶା କରିବା ଯେ ନବୀନବାବୁ ଏବେ ବୁଝି ଯିବେଣି ରାଜନୀତିଟା କ’ଣ ?

ଫେଏଣି ଆଳୁ ରାଜନୀତି

ଏବେ ଫେଏଣି ଆଳୁ ପିଆଜ ଲୋକଙ୍କୁ କନ୍ଦାଇଲେଣି । ରାଜ୍ୟରେ ଦୁଇମାସ ତଳେ ଆଳୁପିଆଜକୁ ନେଇ ଯେଉଁ ଅବସ୍ଥା ସୃଷ୍ଟି ହୋଇଥିଲା, ଏବେ ସେହି ଅବସ୍ଥା ସୃଷ୍ଟି ହେଲାଣି । ୨ମାସ ତଳେ ମଧ୍ୟ ଆଳୁ ଦର କିଲୋକୁ ୫୦ରୁ ଅଧିକ ଟଙ୍କା ଥିଲା ଏବେ ମଧ୍ୟ ଭୁବନେଶ୍ୱର ବଜାରରେ ଆଳୁ କିଲୋ ୫୦ ଟଙ୍କାରୁ ଅଧିକ ଦରରେ ବିକ୍ରୀ ହେଲାଣିି । କୁହାଯାଉଛି ପଶ୍ଚିମବଙ୍ଗ ସରକାର ଭାବୁଛନ୍ତି ଯେ ଆଗକୁ ତାଙ୍କ ରାଜ୍ୟରେ ଆଳୁ ସମସ୍ୟା ଦେଖାଦେବ । ତେଣୁ ନୂଆ ଆଳୁ ଫସଲ ନ ଆସିବା ପର୍ଯ୍ୟନ୍ତ ସେ ତାଙ୍କ ରାଜ୍ୟରୁ ବାହାରକୁ ଆଳୁ ଛାଡିବାକୁ ରାଜି ନୁହନ୍ତି । ସେ ଏବେ ବାହାରକୁ ଯାଉଥିବା ଆଳୁଗାଡ଼ିଗୁଡ଼ିକୁ ଫେରାଇ ନେଉଛନ୍ତି । ସେତେବେଳେ ମଧ୍ୟ ସେଇକଥା ଘଟିଥିଲା । ବିଜେପିର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରବାବୁ କହିଥିଲେ ଉତ୍ତରପ୍ରଦେଶ ଓ ଅନ୍ୟ ରାଜ୍ୟରୁ ଟ୍ରେନରେ ଆଳୁ ଅଣାଯିବ । କିଛି ପରିମାଣରେ ଅଣା ମଧ୍ୟ ଯାଇଥିଲା । ହେଲେ ଓଡ଼ିଶାର ଖାଉଟୀ ତାକୁ ଗ୍ରହଣ କରି ନଥିବାରୁ ପୁଣି ପଶ୍ଚିମବଙ୍ଗରୁ ଆଳୁ ଅଣାଯାଇଥିଲା । ଏବେ ଯେତେବେଳେ ପଶ୍ଚିମବଙ୍ଗ ତାଙ୍କ ରାଜ୍ୟପାଇଁ ଆଳୁ ରଖିବାକୁ ନାଟ ଆରମ୍ଭ କଲେଣି; ସେତେବେଳେ ଓଡ଼ିଶାର ମନ୍ତ୍ରୀ ତାଙ୍କ ସହିତ ଭଲରେ କଥା ନହୋଇ ଫୁଟାଣି ଦେଖେଇ କହିଲେଣି ଯେ ଆମେ କ’ଣ ଭିକାରୀ ହେଇଛୁ? ଆମେ ପଶ୍ଚିମବଙ୍ଗକୁ ଆଳୁ ମାଗିବୁ ନାହିଁ । ହେଲେ ମନ୍ତ୍ରୀ ମହାଶୟ ବୁଝୁ ନାହାନ୍ତି ଯେ ଲୋକଙ୍କର ଆଳୁ ଦରକାର କାରଣ ସିଏ ସେମାନଙ୍କ ରୋଷେଇ ଘରର ଏକ ମୁଖ୍ୟ ପରିବା ଅଜ୍ଞା । ତାକୁ ଯୋଗାଇବାକୁ ହେବ । ଆଉ ପଶ୍ଚିମବଙ୍ଗରୁ ଆଣିଲା ବେଳକୁ ଭିକାରୀ ଆଉ ଉତ୍ତରପ୍ରଦେଶରୁ ଆଣିଲା ବେଳକୁ କ’ଣ ବେପାରୀ? ତେଣୁ ଅଯଥା କଥା ନକହି ଆଳୁୁ କିପରି ଓଡ଼ିଶା ପହଂଚିବ ତାର ବ୍ୟବସ୍ଥା କରନ୍ତୁ । ରାଜନୀତିଆ କଥାଗୁଡ଼ାକୁ ଛାଡନ୍ତୁ ।

Comments

0 comments

Share This Article