ଗତ ଦଶବର୍ଷର ଘଟଣାବଳୀ ପ୍ରମାଣିତ କରିସାରିଲାଣି ଯେ ଏବେ ଭାରତ ଜଣେ ମୁକୁଟବିହୀନ ‘ସମ୍ରାଟ’ଙ୍କ ଦ୍ୱାରା ଶାସିତ । ତାଙ୍କର ‘ଭୃତ୍ୟ’ମାନଙ୍କୁ ଆମେ ତଥାକଥିତ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ କରି ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଭାରତକୁ ଏକ ଶ୍ରେଷ୍ଠ ଗଣତନ୍ତ୍ର ହିସାବରେ କରାଯାଉଥିବା ପ୍ରଚାର ଭିତରେ ବୈଧତା ଯୋଗାଇ ଚାଲିଛନ୍ତି । ୨୦୧୪ ମସିହାରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶିତ ହେବା ପରେ ଆଶା କରାଯାଉଥିଲା ଯେ ସାମ୍ରାଜ୍ୟ ନିର୍ମାଣର ପଥଟିରେ କିଛି ପ୍ରତିବନ୍ଧକ ଛିଡ଼ା ହେବ । କିନ୍ତୁ ଆମ ଧର୍ମାବତାରମାନେ ସମ୍ରାଟଙ୍କ ପ୍ରତି ଏତେ ଉଦାର ଯେ କୌଣସି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ହୋଇପାରିଲା ନାହିଁ । ଏବେ ଖୋଦ୍ ଆମେରିକାର ଏକ ନ୍ୟାୟାଳୟ ଏହି ‘ସମ୍ରାଟ’ଙ୍କର କିଛି କଳାକାରନାମାକୁ ପଦାରେ ପକାଇ ତାଙ୍କୁ ଆମେରିକାର ବିଚାର ବ୍ୟବସ୍ଥା ଭିତରକୁ ଟାଣି ଆଣିଛନ୍ତି । ଅଦାଲତର କହିବା ମୁତାବକ ଭାରତରେ ସୌରଶକ୍ତି ପ୍ରକଳ୍ପ ବା ସୋଲାର ଏନର୍ଜି ପ୍ରୋଜେକ୍ଟର ଠିକା କରାଇ ଦେବାପାଇଁ ‘ସମ୍ରାଟ’ଙ୍କର ସଂସ୍ଥାଗୁଡ଼ିକ ୨ଶହ ୬୫ ନିୟୁତ ଆମେରିକୀୟ ଡଲାର (ପ୍ରାୟ୨ହଜାର୨ଶହ୪୫କୋଟି) ଲାଞ୍ଚ ଦେଇ ଏହି କାମ ଗୁଡ଼ିକ ହାତେଇବା ପାଇଁ ଚେଷ୍ଟା କରିଛନ୍ତି । ସମସ୍ତ କାମ ୨୦୨୦ରୁ ୨୦୨୪ମଧ୍ୟରେ ହୋଇଛି । ଆମେରିକା ସରକାରଙ୍କର ନ୍ୟାୟବିଭାଗ ତରଫରୁ ଯାହା କୁହାଯାଇଛି ଯେ ଏହି ଲାଞ୍ଚ ପ୍ରଦାନ କରି ‘ସମ୍ରାଟ’ଙ୍କ କମ୍ପାନୀମାନେ ଆଗାମୀ ୨୦ବର୍ଷ ଭିତରେ ପାଖାପାଖି ୧୭ହଜାର କୋଟି ଟଙ୍କାର ଲାଭ କମାଇଥାନ୍ତେ । ପୂର୍ବରୁ ହିଣ୍ଡେନବର୍ଗ ରିସର୍ଚ୍ଚ ଏବଂ ଏବେ ଆମେରିକା ସରକାରଙ୍କର ନ୍ୟାୟବିଭାଗ ‘ସମ୍ରାଟ’ଙ୍କ କମ୍ପାନୀମାନଙ୍କର ଅପରାଧିକ କାର୍ଯ୍ୟକଳାପ ପଦାରେ ପକାଇବା ପରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ‘ସମ୍ରାଟ’ଙ୍କ ଭୃତ୍ୟମାନଙ୍କର କୌଣସି ପ୍ରତିକ୍ରିୟା ନ ଆସିବା କଥାଟିକୁ ଆମେ ଅସ୍ୱାଭାବିକ ମନେକରିବା ଉଚିତ୍ ନୁହଁ । କାହିଁକି ନା ‘ସମ୍ରାଟ’ଙ୍କ ବିରୋଧରେ କେହି କିଛି କହିପାରିବେ ନାହିଁ । ବିଶେଷ କରି ଯେହେତୁ ଗଣତନ୍ତ୍ର ବାହାନାରେ ଏମାନେ ‘ସମ୍ରାଟ’ଙ୍କ ସୌଜନ୍ୟରୁ ପଦବୀରେ ଅଳଂକୃତ ହୋଇଛନ୍ତି । ଅପରାଧି ଘୋଷିତ କମ୍ପାନୀଗୁଡ଼ିକ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାକୁ ମଧ୍ୟ ଆମେ ଅସ୍ୱାଭାବିକ ମନେକରିବା କଥା ନୁହଁ । ସେମାନେ ନ୍ୟାୟିକ ପ୍ରକ୍ରିୟାରେ ପ୍ରମାଣିତ ନହେବା ଯାଏଁ ନିଜକୁ ସାଧୁ ଏବଂ ପରୋପକାରୀ କହି ପ୍ରଚାର ଚଲାଇଥିବେ । ଭାରତରେ ନ୍ୟାୟିକବ୍ୟବସ୍ଥାର ଚରିତ୍ରଟି କ’ଣ ତାହା ଯେଉଁମାନେ ଗତ କିଛିବର୍ଷ ଧରି ଲକ୍ଷ୍ୟ କରିଛନ୍ତି, ସେମାନେ ବୁଝିପାରୁଥିବେ ଆମ ବିଚାର ବ୍ୟବସ୍ଥାରେ କିଏ ଦଣ୍ଡିତ ହୁଅନ୍ତି ଏବଂ କିଏ ଅନେକ ଅପରାଧର ଅଭିଯୋଗ ମୁଣ୍ଡଉପରେ ଥିଲେ ବି ମୁକ୍ତଭାବେ ବିଚରଣ କରୁଛନ୍ତି । ସେହିଦୃଷ୍ଟିରୁ ଭାରତରେ ‘ସମ୍ରାଟ’ଙ୍କର ଅପରାଧର ବିଚାର ପ୍ରାୟତଃ ଅସମ୍ଭବ । କିନ୍ତୁ କୁହାଯାଉଛି ଯେ ଆମେରିକାର ଅଦାଲତଗୁଡ଼ିକ ଅପେକ୍ଷାକୃତ ସ୍ୱାଧୀନ ଓ ନିରପେକ୍ଷ । ଯଦିଓ ଏହି କଥାରେ ଅନେକ ଏକମତ ହୁଅନ୍ତି ନାହିଁ । ଯେହେତୁ ଏକ ପ୍ରତିଯୋଗିତା ଚାଲିଛି ମୁଖ୍ୟତଃ ବିଶ୍ୱରେ ବ୍ୟବସାୟିକ ସାମ୍ରାଜ୍ୟ ପ୍ରତିଷ୍ଠା ଓ ପତିଆରା ପାଇଁ, ସେହି ଦୃଷ୍ଟିରୁ ଦେଖିଲେ ଆମେରିକାର ରାଜନୈତିକ ନେତୃବର୍ଗ କ’ଣ ଚାହୁଁଛନ୍ତି, ତାହା ସେମାନଙ୍କର ପୃଷ୍ଠପୋଷକ କମ୍ପାନୀମାନଙ୍କର ଚାହିଁବା ଉପରେ ନିର୍ଭର କରିଥାଏ । ଅର୍ଥାତ୍ କମ୍ପାନୀ ପୃଷ୍ଠପୋଷକମାନେ ହିଁ ନିର୍ଦ୍ଧାରଣ କରିଥାନ୍ତି କେଉଁ ମାମଲାର ବିଚାରରେ ସରକାର ନିଷ୍ଠାର ସହିତ ଲଢ଼େଇ କରିବେ । ଏବେ ସୁଦ୍ଧା ଆମେ ଜାଣି ସାରିଲେଣି ଯେ ବିଶ୍ୱରେ ଗଣତନ୍ତ୍ର ଏକ ଲକ୍ଷ୍ୟ ବା ଉପଲବ୍ଧି ହିସାବରେ କୌଣସି ଦେଶରେ ବିଚାର କରାଯାଉ ନାହିଁ । ବରଂ ଗଣତନ୍ତ୍ରକୁ ଆୟୁଧ କରି କ୍ଷମତା ଦଖଲ କରାଯାଇପାରେ, ତାହା ବି ବ୍ୟବସାୟିକ ସାମ୍ରାଜ୍ୟର ପ୍ରତିଷ୍ଠା ପାଇଁ; ଏହି କଥାଟି ଜଗତୀକରଣ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତ ଠାରୁ ଆରମ୍ଭ କରି ଆମେରିକା ଯାଏଁ ସବୁଠି ପ୍ରମାଣିତ ହୋଇ ସାରିଛି । ଜନଗଣ କିଭଳି ଏକ ପ୍ରବଳ ଉତ୍ତେଜନା ଏବଂ ଉନ୍ମାଦନା ଭିତରେ ଭୋଟ ପ୍ରଦାନ କରିବେ ଯାହା ଫଳରେ ସେମାନେ ଏକ ଉତ୍ସବରେ ଭାଗ ନେଉଛନ୍ତି ଜଣାପଡ଼ିବ ଓ ସେମାନଙ୍କୁ କେବେ ବି ମନେ ପଡ଼ିବାର ସୁଯୋଗ ରହିବ ନାହିଁ ଯେ ସେମାନେ ଏକ ଗୁରୁତର ଦାୟିତ୍ୱ କାନ୍ଧରେ ଧରି ଭୋଟଗ୍ରହଣ କେନ୍ଦ୍ରକୁ ଯାଉଛନ୍ତି । ନିର୍ବାଚନ ପ୍ରଚାର ଅଭିଯାନ ମାତ୍ରାଧିକ ବ୍ୟୟବହୁଳ ହେବା ଏବଂ ଏହି ପ୍ରକ୍ରିୟା ଭିତରେ ଉପଯୁକ୍ତ ପ୍ରସଙ୍ଗ ଉତ୍ଥାପନ କରୁଥିବା ଦଳଗୁଡ଼ିକ ନିଷ୍ପ୍ରଭ ହୋଇଯିବା ଏହି ଖର୍ଚ୍ଚଭିତ୍ତିକ ଗଣତନ୍ତ୍ରକୁ ଗଣଚେତନା ଠାରୁ ବହୁତ ଦୂରକୁ ନେଇଯାଇଛି । ସେଥିପାଇଁ ସେ ଭାରତ ହେଉ ବା ଆମେରିକା; କେଉଁଠି ବି ଅନୈତିକ ବ୍ୟବସାୟିକ କମ୍ପାନୀମାନଙ୍କୁ ବା ଅପରାଧିକ ମାମଲାରେ ଲିପ୍ତ ବ୍ୟବସାୟିକ ସଂସ୍ଥାମାନଙ୍କୁ ଜନଗଣଙ୍କ ଆଡ଼ୁ କୌଣସି ବିରୋଧ ରହୁ ନାହିଁ । ଯେଉଁ କିଛି ପ୍ରତିକ୍ରିୟା ବା ପ୍ରତିବାଦ ସଚେତନଶୀଳ ନାଗରିକ ବା କ୍ଷୁଦ୍ର ରାଜନୈତିକ ସଙ୍ଗଠନମାନଙ୍କ ଆଡ଼ୁ ଆସୁଛି ତାହାର ସାମଗ୍ରିକ ପ୍ରଭାବ ଜନଗଣଙ୍କ ଉପରେ ପଡ଼ୁନାହିଁ, ବିଚାର ପ୍ରକ୍ରିୟା ଉପରେ ପଡ଼ିବା ତ ଦୂରର କଥା । ଗଣମାଧ୍ୟମ ଯେହେତୁ ସମ୍ରାଟଙ୍କର ପ୍ରଚାରଯନ୍ତ୍ର ହୋଇସାରିଛି, ସେହି ଦୃଷ୍ଟିରୁ ସେମାନଙ୍କ କଥା ଲୋକଙ୍କ ପାଖରେ ପହଞ୍ଚାଇବା ପ୍ରାୟତଃ ଅସମ୍ଭବ ହୋଇସାରିଛି ।
ଭାରତର ମୁକୁଟବିହୀନ ‘ସମ୍ରାଟ’ କିଏ ସମସ୍ତେ ଜାଣିଛନ୍ତି । ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବା ପରେ ଆମେ କ୍ରମାଗତ ଭାବେ ୨୦୨୩ର କିଛି ସଂଖ୍ୟାରେ ଅନବରତ ଲେଖିଥିଲୁ । ଆମର କିଛି ବରିଷ୍ଠ ସ୍ତମ୍ଭକାର ମଧ୍ୟ ଏହି ରିପୋର୍ଟର ବ୍ୟବଚ୍ଛେଦ କରି ପାଠକମାନଙ୍କ ଆଗରେ ତଥ୍ୟ ଉପସ୍ଥାପନ କରିଥିଲେ । ଆମେ ସେତେବେଳେ ଏହି ‘ସମ୍ରାଟ’ଙ୍କ ସମ୍ପର୍କରେ ଏହି ଭଳି ଲେଖିଥିଲୁ । ….୨୦୧୪ରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଘୋଷିତ କରାଇବାରେ ଯାହାର ପ୍ରମୁଖ ଭୂମିକା ରହିଛି ବୋଲି କୁହାଯାଉଛି, ଶ୍ରୀ ଗୌତମ ଆଦାନୀ ଏବେ ଅନୈତିକ ବ୍ୟବସାୟିକ କାରବାର କରୁଥିବା କମ୍ପାନୀମାନଙ୍କ କଳାତାଲିକାକୁ ଆସି ଯାଇଛନ୍ତି । ସମଗ୍ର ଭାରତ ସରକାର ଓ ରାଜ୍ୟ ସରକାରମାନଙ୍କୁ ନିଜ ହାତମୁଠାରେ ରଖି ଖଣିଖନନ ଠାରୁ ଆରମ୍ଭ କରି ବନ୍ଦର ଓ ବିମାନବନ୍ଦର ଅକ୍ତିଆର କରି ଚାଲିଥିବା ଗୌତମ ଆଦାନୀ ଯେ ଭାରତ ସରକାର ଓ ଶାସକଦଳର ପୃଷ୍ଠପୋଷକତା ନ ପାଇଲେ ଏଭଳି ପତିଆରା ବିସ୍ତାର କରିପାରିବେ ନାହିଁ, ଏକଥା ସମସ୍ତେ ଜାଣିଛନ୍ତି । କର୍ପୋରେଟ ମିଡ଼ିଆ ବା କମ୍ପାନୀମାନଙ୍କ ଅଧୀନକୁ ଚାଲିଯାଇଥିବା ଭାରତର ତଥାକଥିତ ଗଣମାଧ୍ୟମ ମଧ୍ୟ ଆଦାନୀଙ୍କ ଯାଦୁକରୀ ଅଭ୍ୟୁଦୟକୁ ନେଇ କେବେ କିଛି ପ୍ରଶ୍ନ ନଉଠାଇ ଆଦାନୀଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗରେ ଅଘୋଷିତ ଅଂଶୀଦାର ହୋଇ ଯାଇଛନ୍ତି । ଅତି ପାଠୁଆ ଲୋକମାନେ ବି କମ୍ପାନୀ ଅଭିବୃଦ୍ଧି, ବିକାଶ ଇତ୍ୟାଦିର ଗଣିତ ବୁଝିପାରନ୍ତି ନାହିଁ । ସାଧାରଣ ଲୋକମାନେ ଏସବୁ ଜଟିଳ କଥା ବା ବୁଝିବେ କେମିତି? ଗଣମାଧ୍ୟମରେ ଉପଯୁକ୍ତ ପ୍ରଶ୍ନକୁ ନେଇ ଉପଯୁକ୍ତ ଆଲୋଚନା ହୋଇପାରିଥିଲେ, ଲୋକଙ୍କ ମନ ଭିତରକୁ ପ୍ରଶ୍ନ ଆସିପାରନ୍ତା । ଏଠି ସାମ୍ବାଦିକମାନେ ଅସହାୟ ଯେହେତୁ ଏମାନଙ୍କ ମାଲିକମାନେ ଅନୈତିକ ବ୍ୟବସାୟରେ ନିଜେ ଲିପ୍ତ ଅଛନ୍ତି ବା ସେମାନଙ୍କ ନିଜର ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରଶ୍ନଗୁଡ଼ିକୁ ଉଠାଇବାକୁ ଦେଉ ନାହାନ୍ତି । ଯେଉଁ ପ୍ରଶ୍ନଗୁଡ଼ିକ ଟିଭି ଚ୍ୟାନେଲ (ଏନ୍.ଡ଼ି.ଟିଭି) ବିଶେଷ କରି ଏନ୍.ଡ଼ି.ଟିଭି’ର ହିନ୍ଦୀ ସଂସ୍କରଣର ସମ୍ପାଦକ ରବିଶ କୁମାର ଉଠାଉଥିଲେ, ଏହି ଭିତରେ ଆଦାନୀ ମହାଶୟ କୌଶଳ ପ୍ରୟୋଗକରି ଏହାର ସମସ୍ତ ସଂସ୍କରଣକୁ ବଳପୂର୍ବକ ଅକ୍ତିଆର କରିନେଲେ । ରବିଶ୍ କୁମାରଙ୍କର ଲକ୍ଷଲକ୍ଷ ପ୍ରଶଂସକମାନଙ୍କ ଭିତରୁ କେହି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାର ବଳିଷ୍ଠ ପ୍ରମାଣ କିଛି ଦେଖିବାକୁ ମିଳିନାହିଁ ।
ବିଡ଼ମ୍ବନାର କଥାଯେ ନିକଟରେ ଅଦାଲତ ଏନ୍.ଡ଼ି.ଟିଭିର ପୂର୍ବତନ ମାଲିକ ପ୍ରଣୟ ରାୟ ଓ ରାଧିକା ରାୟ ଯେଉଁ ତଥାକଥିତ ଋଣ କାରବାରରେ ଛନ୍ଦିହୋଇ ଆଦାନୀଙ୍କ ଦ୍ୱାରା ତାଙ୍କ ଟିଭି ସଂସ୍ଥାକୁ ବଳପୂର୍ବକ ଅକ୍ତିଆର କରିବା କଥାଟିକୁ ଅସହାୟ ଭାବେ ଗ୍ରହଣ କରିଥିଲେ, ସେଥିରୁ ଅଦାଲତ ସେମାନଙ୍କୁ କୌଣସି ଭୁଲ୍ କରିନାହାଁନ୍ତି କହି ମାମଲାରୁ ମୁକ୍ତ କରିଦେଇଛନ୍ତି । ଏହି କଥାଟି ଯେଉଁଭଳି ଭାବେ ଦେଶରେ ଝଡ଼ ସୃଷ୍ଟି କରିବା କଥା, ତାହା ଅଦୌ ଦେଖିବାକୁ ମିଳିଲା ନାହିଁ । ରାଜନୈତିକ ଦଳମାନେ ମଧ୍ୟ ଦାବିକଲେ ନାହିଁ ଯେ ଏନ୍.ଡ଼ି.ଟିଭି ତାହାର ପ୍ରତିଷ୍ଠାତା ମାଲିକମାନଙ୍କ ହାତକୁ ଫେରାଇ ଦିଆଯାଉ । ଅନେକ ବୈଷୟିକ କାରଣ ପ୍ରତିବନ୍ଧକ ସାଜିବ ବୋଲି ବିଦ୍ୱାନମାନେ ମତ ମଧ୍ୟ ରଖିବେ । ଏହି ଭିତରେ ରବିଶ୍ କୁମାର ନିଜର ୟୁଟ୍ୟୁବ ଚ୍ୟାନେଲ୍ ଚଳାଇ ଏକ କୋଟିରୁ ଊର୍ଦ୍ଧ ଗ୍ରାହକ ପାଇସାରିଥିବା ବେଳେ ନିଜେ ପ୍ରଣୟ ରାୟ ଆଉ ଏକ ୟୁଟ୍ୟୁବ ଚ୍ୟାନେଲ ପ୍ରତିଷ୍ଠା କରି ପୁଣିଥରେ ଖବରଜଗତକୁ ଫେରିବା ପାଇଁ ପ୍ରୟାସ କରୁଛନ୍ତି ।
ଯେତେବେଳେ ୧୦୦ରୁ ଊଦ୍ଧ୍ୱର୍ ପୃଷ୍ଠାର ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରେ ଆଦାନୀ କମ୍ପାନୀ ସମୂହ ୧୨୦ବିଲିୟନ (ପ୍ରାୟ ୧ଲକ୍ଷ୨ହଜାର କୋଟି)ର ଘୋଟାଲା କାରବାର କରିଛନ୍ତି ବୋଲି ବିଶ୍ୱକୁ ଅବଗତ କଲେ, କିଛି ସମୟ ତ ଏହି ଚର୍ଚ୍ଚା ଲୋକଲୋଚନକୁ ଆସିଲା ଏବଂ ରାହୁଲ୍ ଗାନ୍ଧୀ ସଂସଦ ଭିତରେ ଏହି ପ୍ରସଙ୍ଗଙ୍କୁ ବଳିଷ୍ଠଭାବେ ଉତ୍ଥାପନ କଲେ । କିନ୍ତୁ ଏହାର କୌଣସି ପ୍ରଭାବ ପ୍ରଧାନମନ୍ତ୍ରୀ ଏବଂ ସମ୍ରାଟ ଆଦାନୀଙ୍କ ଉପରେ ପଡ଼ିଲା ନାହିଁ । ଗୋଟିଏ ବ୍ୟବସାୟିକ ସାମ୍ରାଜ୍ୟ ଯେଉଁଠି ଗୋଟିଏ ଟଙ୍କା ମାତ୍ର ୩ବର୍ଷରେ ୮ଶହ ୧୯ଟଙ୍କାରେ ପହଞ୍ଚିପାରେ (ହିଣ୍ଡେନବର୍ଗ ରିସର୍ଚ୍ଚ ମୁତାବକ) ତାହା ଆମ ଗଣମାଧ୍ୟମମାନଙ୍କରେ ଅର୍ଥନୀତି ସମୀକ୍ଷା କରୁଥିବା କୌଣସି ତଥାକଥିତ ବିଦ୍ୱାନ ଲୋକମାନଙ୍କୁ ବୁଝାଇବାର ଉଦାହରଣ ଦେଖିବାକୁ ମିଳିନଥିଲା ।
ଆମେ ପୂର୍ବରୁ କହିସାରିଛୁ ଯେ ଅଦାନୀଙ୍କ ଉପରେ କୌଣସି ବିଦେଶ ମାଟିରୁ ସମୀକ୍ଷା ବା ଅଭିଯୋଗକୁ ଭାରତର ବର୍ତ୍ତମାନର ସରକାର ଭାରତ ଉପରେ ଆକ୍ରମଣ ହିସାବରେ ଜନଗଣଙ୍କ ପାଖରେ ଉପସ୍ଥାପନ କରନ୍ତି । ଏକ ପ୍ରକାର ବିଶ୍ୱାସ ବି ସୃଷ୍ଟି କରାଯାଉଛି ଯେ ‘ଭାରତ ହିଁ ଆଦାନୀ’ ଏବଂ ‘ଆଦାନୀ ହିଁ ଭାରତ’ । ଏହା କେବଳ ଏକ ବିଶ୍ୱାସର କଥା ହୋଇ ରହି ନାହିଁ ବରଂ ଆଜିର ଭାରତରେ ଏହା ହିଁ ଏକ ନିଷ୍ଠୁର ଓ ଚରମ ବାସ୍ତବତା ଭାବେ ଆମ ସାମ୍ନାରେ ଉପସ୍ଥିତ ହୋଇଛି । ଆଉ କିଛିଦିନ ଭିତରେ ଦେଶର ପ୍ରାୟ ସମସ୍ତ ବିମାନବନ୍ଦର ଏବଂ ସାଗର ବନ୍ଦରଗୁଡ଼ିକ ଆଦାନୀ ସାମ୍ରାଜ୍ୟର ଅକ୍ତିଆର ଭିତରକୁ ଆସିଯିବ । ଭାରତର ସାମରିକ ଉତ୍ପାଦନ କ୍ଷେତ୍ର କ୍ରମାଗତ ଭାବେ ଆଦାନୀ ସାମ୍ରାଜ୍ୟ ଭିତରକୁ ଆସିଚାଲିଛି । ଯୁଦ୍ଧ ଅପରାଧରେ ଅଭିଯୁକ୍ତ ଇସ୍ରାଇଲ୍ ସହ ଏମାନଙ୍କର ସାମରିକ ଉତ୍ପାଦନ ସହଯୋଗ ଚାଲିଛି । ୧୦ବର୍ଷ ତଳେ ସମ୍ରାଟ ଆଦାନୀ ହୁଏତ କେବଳ ପ୍ରତିରକ୍ଷା ଶବ୍ଦଟି ଶୁଣିଥିବେ, କିନ୍ତୁ ପ୍ରତିରକ୍ଷା କଣ ବୁଝିନଥିଲେ । କୃଷି ସହ କୌଣସି ସମ୍ପର୍କ ନଥିବା ଆଦାନୀ ସାମ୍ରାଜ୍ୟ ଏବେ ଭାରତର କୃଷି ତଥା ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ନିଜ ପତିଆରା ବଢ଼ାଇ ଚାଲିଛି । ଆନ୍ଦୋଳନରତ କୃଷକମାନଙ୍କର ଅଭିଯୋଗ ରହି ଆସିଥିଲା ଯେ ଏହି ମହାଶୟଙ୍କ ହିତରେ ହିଁ ୨୦୨୧ ମସିହାରେ ଭାରତ ସରକାର ତିନୋଟି କଳା କୃଷି ଆଇନ ଆଣିଥିଲେ । ୭ଶହରୁ ଊଦ୍ଧ୍ୱର୍ କୃଷକ ଜୀବନ ଦେଇ ଜୋରଦାର୍ ଆନ୍ଦୋଳନ କରିବା ଫଳରେ ସରକାର ଏହି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବାପାଇଁ ବାଧ୍ୟ ହୋଇଥିଲେ । ସମ୍ରାଟଙ୍କର ପ୍ରଭାବ କେବଳ ଭାରତ ଉପରେ ନୁହଁ ବରଂ ଶ୍ରୀଲଙ୍କା, ବାଙ୍ଗଲାଦେଶ, କେନିଆ, ଜାମ୍ବିଆ, ଅଷ୍ଟ୍ରେଲିଆ ଇତ୍ୟାଦି ଅନେକ ଦେଶମାନଙ୍କୁ ବ୍ୟାପି ଚାଲିଛି । ତେବେ ବାଙ୍ଗଲାଦେଶ, ଶ୍ରୀଲଙ୍କା ଏବଂ କେନିଆରେ ପ୍ରତିବାଦର ପ୍ରତିଧ୍ୱନି ଶୁଣିବାକୁ ମିଳୁଛି । ସେହିଭଳି ପ୍ରତିବାଦର କିଛି ପ୍ରତିଧ୍ୱନି ଝାଡ଼ଖଣ୍ଡରେ ଦେଖିବାକୁ ମିଳୁଛି । ସେହି ଦୃଷ୍ଟିରୁ ଝାଡ଼ଖଣ୍ଡ ନିର୍ବାଚନରେ ଇଣ୍ଡିଆ ଗଠବନ୍ଧନ ତଥା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ବିପୁଳ ବିଜୟ ଏହି ପ୍ରତିବାଦର ସ୍ୱରକୁ ଅଧିକ ଶାଣିତ କରିବାର ସମ୍ଭବନା ଅଛି ।
ଓଡ଼ିଶାରେ ମଧ୍ୟ ପୂର୍ବ ସରକାରଙ୍କର ସୌଜନ୍ୟ ଏବଂ ଭାରତ ସରକାରଙ୍କର ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ଆଦାନୀ ସାମ୍ରାଜ୍ୟ ଧାମରା ବନ୍ଦର ଠାରୁ ଆରମ୍ଭ କରି ରାୟଗଡ଼ା ଏବଂ ଝାରସୁଗୁଡ଼ା ଜିଲ୍ଲା ଯାଏଁ ନିଜର କାୟାବିସ୍ତାର କରିଚାଲିଥିଲା । ରାୟଗଡ଼ାରେ ଆଦିବାସୀମାନଙ୍କର ବିରୋଧର କାହାଣୀ ମଝିରେ ମଝିରେ ଆମ ସାମ୍ନାକୁ ଆସୁଛି । ରାୟଗଡ଼ା ଜିଲ୍ଲାରେ ବି ପୂର୍ବ ଶାସକଦଳକୁ ଗତ ନିର୍ବାଚନରେ ଲୋକେ ଉଚିତ୍ ଜବାବ ଦେଇଛନ୍ତି ବୋଲି ସମୀକ୍ଷକ ମାନେ କୁହନ୍ତି । ଏବେ ନୂଆ ସରକାର ଅର୍ଥାତ୍ ତଥାକଥିତ ‘ଡବଲ୍ ଇଞ୍ଜିନ୍’ ସରକାର ଓଡ଼ିଶାକୁ କ୍ଷମତାକୁ ଆସିବା ପରେ ଆଦାନୀ ଏବଂ ଗଣମାଧ୍ୟମକୁ କେନ୍ଦ୍ର କରି ଏକ ଚର୍ଚ୍ଚା କିଛିଦିନ ହେବ ଓଡ଼ିଶାର ଗଣମାଧ୍ୟମରେ ଜାରି ରହିଛି । ଅଭିଯୋଗ ଆସିଛି ଯେ ଆଦାନୀଙ୍କ ତରଫରୁ ଗନ୍ଧମାର୍ଦ୍ଦନ ପାଖାପାଖି ଅଞ୍ଚଳରେ ଜମି ଅଧିଗ୍ରହଣ ଚାଲିଛି ।
ଐତିହାସିକ ଗନ୍ଧମାର୍ଦ୍ଧନ ଜନଆନ୍ଦୋଳନର ଯୋଦ୍ଧାମାନେ ଯେଉଁମାନେ ଅଶିଦଶକରେ ଏକ ବିରାଟ ଜନଆନ୍ଦୋଳନ କରି ବାଲ୍କୋ କମ୍ପାନୀକୁ ସେଠାରୁ ବକ୍ସାଇଟ୍ ଖଣି ଖୋଳିବାପାଇଁ ସୁଯୋଗ ନଦେଇ ଫେରାଇ ଦେଇଥିଲେ, ଏବେ ପୁଣିଥରେ ‘ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ’ ଛତ୍ରତଳେ ଏକଜୁଟ ହୋଇ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱମନ୍ତ୍ରୀ ଯେଉଁମାନେ ପଶ୍ଚିମ ଓଡ଼ିଶାର ବରିଷ୍ଠ ରାଜନୈତିକ ନେତା ଭାବେ ବେଶ୍ ପରିଚିତ, ଗଣମାଧ୍ୟମରେ ବୟାନ ଦେଇ ଚାଲିଛନ୍ତିଯେ ଗନ୍ଧମାର୍ଦ୍ଦନ ସୁରକ୍ଷିତ ଅଛି ଏବଂ ସେମାନେ ତାହାର ସୁରକ୍ଷା ପାଇଁ ପ୍ରତିଶୃତିବଦ୍ଧ । କିନ୍ତୁ ସେମାନଙ୍କର ସ୍ପଷ୍ଟୀକରଣଗୁଡ଼ିକ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିଚାଲିଛି ଏହି ଦୃଷ୍ଟିରୁ ଯେ, ସେମାନେ ସ୍ପଷ୍ଟଭାବେ କହିପାରୁ ନାହାଁନ୍ତି ଆଦାନୀ କମ୍ପାନୀ କାହିଁକି ଆଖପାଖ ଅଞ୍ଚଳରେ ଚାଷୀମାନଙ୍କଠାରୁ ବଡ଼ଧରଣର ଜମି କିଣି ଚାଲିଛି । ଆଉ ଗୋଟିଏ କଥା ଉଭୟ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱମନ୍ତ୍ରୀଙ୍କୁ ସନ୍ଦେହ ଭିତରକୁ ନେଇଆସିଛି ଯେତେବେଳେ ସେମାନେ ଏହି ଜମି ଅଧିଗ୍ରହଣ ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ, ହରିଶଙ୍କର ଶାଖା ଦ୍ୱାରା ୧୯.୧୧.୨୦୨୪ରେ ଶ୍ରୀ ସୁଶିଳ ନାୟକ, ଟେକେନ୍ଦ୍ର ଜାଲ୍ ଓ ଜୟସିଂ ପୂଜାରୀଙ୍କ ଦସ୍ତଖତରେ ଜାରି ହୋଇଥିବା ଏକ ପ୍ରେସ୍ ମିଟିରେ କୁହାଯାଇଛି ଯେ ପୂର୍ବ ସରକାର ନୁହଁ ବରଂ ଏବେକାର ସରକାରଙ୍କ ଅମଳରେ ଏହି ଜମି ଅଧିଗ୍ରହଣ ଆଦାନୀ ଏବଂ ତାଙ୍କ ସହଯୋଗୀ କମ୍ପାନୀମାନଙ୍କ ଦ୍ୱାରା କରାଯାଇଛି । ଏଭଳି କି ଏମାନେ ଜମିର ପରିମାଣ ଏବଂ ବିକ୍ରି ହୋଇଥିବା ତାରିଖ ନିଜ ପ୍ରେସନୋଟରେ ଲେଖିଛନ୍ତି ଯାହାକି ସରକାରଙ୍କର ଭୂଲେଖ ୱେବ୍ ପୋଟାଲ ସ୍ଥାନିତ ହୋଇଛି । ଡ଼ୋଲାମଣି ବେହେରା, ସମ୍ପଦ ମେହେର, ଶୁକ୍ରୁ ବେହେରା ଇତ୍ୟାଦି ଚାଷୀମାନେ ଏହି କମ୍ପାନୀମାନଙ୍କୁ ଗତ ସେପ୍ଟେମ୍ବର ମାସରେ ହିଁ ଜମି ବିକ୍ରି କରିଛନ୍ତି । ଏମାନେ ବିଧାନସଭା ଭଳି ଏକ ପବିତ୍ର ସ୍ଥାନରେ ମନ୍ତ୍ରୀମାନେ କାହିଁକି ମିଛ କହିଲେ ତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏହି ସତ୍ୟ ହିଁ ଏବେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନକୁ ଇନ୍ଧନ ଯୋଗାଇଛି ।
ଏହି ସବୁ ଘଟଣାକ୍ରମ ଇଙ୍ଗିତ କରୁଛିଯେ ଗୌତମ ଆଦାନୀ ଭାରତର ମୁକୁଟବିହୀନ ସମ୍ରାଟ । ତାଙ୍କୁ ପ୍ରତିଷ୍ଠିତ କରିବା ପାଇଁ ଯେଉଁମାନେ କାମ କରୁଛନ୍ତି ସେହି ଭିତରେ ଅଛନ୍ତି ତାଙ୍କରି ସହଯୋଗରେ ଶାସନକୁ ଆସିଥିବା ନେତାମାନେ । ପ୍ରତିବାଦ ଯେଉଁଭଳି ହେବ ନାହିଁ ଏବଂ ଜନଗଣ ଯେଉଁଭଳି ବିଭାଜିତ ରହିବେ ସେଥିପାଇଁ ‘ଧର୍ମ’ ଏବଂ ମିଛ ଜାତୀୟତାବାଦକୁ ଅସ୍ତ୍ରରୂପେ ବ୍ୟବହାର କରାଯାଉଛି । ଗଣମାଧ୍ୟମ ସେମାନଙ୍କ ହାତରେ । ତଥାକଥିତ ସାମାଜିକ ଗଣମାଧ୍ୟମ ମଧ୍ୟ ସେମାନଙ୍କର ଅକ୍ତିଆର ଭିତରେ । ଏହି ଦେଶର ସବୁକିଛି ଏମାନଙ୍କ ହାତରେ ଟେକିଦେବା ପାଇଁ ସବୁରାସ୍ତାଗୁଡ଼ିକ ପ୍ରଶସ୍ତ କରାଯାଉଅଛି । ସମ୍ବିଧାନର ସୁରକ୍ଷା ନାଁରେ ଆମେ ଯେତେ ଚକ୍ରାର କଲେବି ଯେହେତୁ ସମ୍ବିଧାନର ମୂଲ୍ୟ ଓ ପ୍ରାସଙ୍ଗିକତା ଆମେ ପୂର୍ବରୁ ଲୋକମାନଙ୍କୁ ବୁଝାଇ ପାରିନାହାଁନ୍ତି ସେଥିପାଇଁ ଆମ କଥାଶୁଣିବା ପାଇଁ କେହି ପ୍ରସ୍ତୁତ ନାହାଁନ୍ତି । ସଚେତନଶୀଳ ନାଗରିକ ସଙ୍ଗଠନ ଏବଂ ବଳିଷ୍ଠ ପ୍ରଗତିଶୀଳ ରାଜନୈତିକ ସଙ୍ଗଠନ ବିନା ଏହି ବୁଝାଇବା କାମଟି ସହଜ ହେବ ନାହିଁ, ଏହିକଥା ଅନେକ କହିବେ । କିନ୍ତୁ କାମଟି ଆରମ୍ଭ କରିବ କିଏ ଆଉ କେମିତି!
Comments
0 comments