ଦୀର୍ଘ ୨୩ବର୍ଷ ପରେ ଆମ୍ବଟାକୁଆ ଜନିତ ମୃତ୍ୟୁ ଘଟଣା ଏବେ ପୁଣିଥରେ ରାଜ୍ୟର ରାଜନୀତିକୁ ସରଗରମ କରିଦେଇଛି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଳକ୍ ଅର୍ନ୍ତଗତ ଗଦାପୁର ପଂଚାୟତର ମାଣ୍ଡିପଙ୍କା ଗାଁରେ ଗତ ସପ୍ତାହରେ ଆମ୍ବ ଟାକୁଆର କୋଇଲିରେ ପ୍ରସ୍ତୁତ ଖାଦ୍ୟ ସେବନ କରି ଗାଁର ଦୁଇଜଣ ମହିଳା ମୃତ୍ୟୁବରଣ ଏବଂ ଆହୁରି ଛଅଜଣ ଗୁରୁତର ଅବସ୍ଥାରେ ହସପିଟାଲରେ ରହି ଚିକିତ୍ସିତ ହେବାର ଅଭାବନୀୟ ଘଟଣା ରାଜ୍ୟ ସରକାର ଓ ସମଗ୍ର ଶାସନବ୍ୟବସ୍ଥାକୁ କାଠଗଡ଼ାରେ ଠିଆ କରିଦେଇଛି । ଏହି ଦୁର୍ଭାଗ୍ୟଜନକ ଘଟଣା ରାଜ୍ୟରେ ବିଶେଷ କରି କନ୍ଧମାଳ, ରାୟଗଡ଼ା ପରି ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳମାନଙ୍କରେ ଖାଦ୍ୟ ସୁରକ୍ଷାର ଭୟାବହ ସ୍ଥିତିକୁ ସାମନାକୁ ଆଣିଥିବାବେଳେ ଏହାର ସ୍ଥାୟୀ ସମାଧାନ ଆଣିବା ଦିଗରେ କ୍ରମାଗତ ଭାବେ ସରକାରମାନଙ୍କ ବିଫଳତାକୁ ପୁଣିଥରେ ପ୍ରମାଣିତ କରୁଛି ।
ଭୋକ ବିକଳରେ ପିଲା ବିକ୍ରୀ, ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ଓ ଅନାହାର ମୃତ୍ୟୁ ପରି ଦୁଃଖଦାୟକ ଘଟଣା ଆମ ରାଜ୍ୟରେ ଆଦୌ ନୂଆ ନୁହେଁ । ଗତ ଚାରିଦଶକ ମଧ୍ୟରେ ଅବିଭକ୍ତ କୋରାପୁଟ, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାମାନଙ୍କରେ ବିଶେଷ କରି ସେଠାକାର କାଶୀପୁର, ଥୁଆମୂଳ ରାମପୁର, ମୋହନା ଓ ଦାରିଙ୍ଗବାଡ଼ି ଆଦି ବ୍ଳକ୍ର ବିଭିନ୍ନ ଗ୍ରାମରେ ଏଭଳି ଘଟଣା ସବୁ ବାରମ୍ବାର ପଦାକୁ ଆସିବା ସହ କିଛି ଦିନ ପାଇଁ ତାହା ଗଣମାଧ୍ୟମରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଆସିଛିିି । ଏଭଳି ଘଟଣା ପରେ ସରକାର ଓ ସରକାରୀ ଦଳ ପକ୍ଷରୁ ଚିରାଚରିତ ଭାବେ ଏହାକୁ ସାଧାରଣତଃ ଘୋଡ଼େଇବା ପାଇଁ ଅଥବା ଅସ୍ୱୀକାର କରିବା ପାଇଁ ଭରପୁର ପ୍ରୟାସ କରାଯିବା ଦେଖିବାକୁ ମିଳିଥାଏ । ମାଣ୍ଡିପଙ୍କା ଘଟଣାରେ ବି ବର୍ତ୍ତମାନର ସରକାରଙ୍କ ଆଭିମୁଖ୍ୟଟି ପୂର୍ବ ସରକାରମାନଙ୍କ ଠାରୁ କୌଣସି ମାତ୍ରାରେ ଭିନ୍ନ ନଥିବା ଜଣାପଡିଛି । ଏଭଳି ସ୍ଥିତିରେ ଖାଦ୍ୟାଭାବଜନିତ ମୃତ୍ୟୁର ଘଟଣା ପରେ ଗଣମାଧ୍ୟମରେ କିଛି ଦିନର ଚର୍ଚ୍ଚା ପରେ ପ୍ରସଙ୍ଗଟି ଅନ୍ତରାଳକୁ ଚାଲିଯିବା ସହ କ୍ଷୁଧାର ସମସ୍ୟାଟି ସବୁବେଳେ ପାଇଁ ସମାଧାନ ନହୋଇ ଅସମାହିତ ରହିଯାଉଛି ।
ଯଦିଓ ଆମ୍ବ ଟାକୁଆ ସେବନଜନିତ ମୃତ୍ୟୁର ବର୍ତ୍ତମାନର ଘଟଣା ପାଇଁ ରାଜ୍ୟର ଶାସକ ବିଜେପି ଦଳ ଓ ତା’ର ଶାସନର ବିଫଳତାକୁ ଦାୟୀ କରାଯିବ କିନ୍ତୁ ଏଭଳି ଅପରାଧରୁ ଅନ୍ୟ ପ୍ରମୁଖ ଦଳମାନେ ବି ଦୋଷମୁକ୍ତ ନୁହଁନ୍ତି । କାରଣ ଆମ୍ବ ଟାକୁଆଜନିତ ମୃତ୍ୟୁ ପାଇଁ ପରସ୍ପରକୁ ଦୋଷାରୋପ କରୁଥିବା ରାଜ୍ୟର ତିନୋଟିଯାକ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେପି, ବିଜେଡ଼ି ଓ କଂଗ୍ରେସ ଅତୀତରେ ରାଜ୍ୟ ଶାସନରେ ଥିବାବେଳେ ଏଭଳି ଘଟଣା ବାରମ୍ବାର ଘଟିବା ଦେଖାଯାଇଛି । ଅଶୀ ଓ ନବେ ଦଶକରେ କଂଗ୍ରେସ ଦଳର ସରକାର ଥିବାବେଳେ କାଶୀପୁର ଓ ଦାରିଙ୍ଗବାଡ଼ିରେ ଏଭଳି ମୃତ୍ୟୁ ଘଟିଥିବାବେଳେ ୨୦୦୧ ମସିହାରେ ରାଜ୍ୟରେ ବିଜେଡ଼ି ଓ ବିଜେପିର ମିଳିତ ସରକାର ଥିବା ସମୟରେ କାଶୀପୁର ବ୍ଳକ୍ ରେ ଆମ୍ବ ଟାକୁଆ ସେବନ ଜନିତ ଘଟଣାରେ ୨୪ଜଣ ଗରିବ ଲୋକ ପ୍ରାଣ ହରାଇଥିଲେ । ବର୍ତ୍ତମାନ ବିଜେପିର ଡ଼ବଲ ଇଞ୍ଜିନ୍ ସରକାର ସମୟରେ ମାଣ୍ଡିପଙ୍କାରେ ଉପରୋକ୍ତ ଘଟଣାଗୁଡ଼ିକର ପୁନରାବୃତ୍ତି ଘଟିଛିି ।
ମାଣ୍ଡିପଙ୍କାର ଘଟଣାରେ ରାଜ୍ୟର ମୋହନ ମାଝୀଙ୍କ ସରକାର ଯେଉଁଭଳି ସମ୍ୱେଦନଶୀଳତା ଦେଖାଇବା କଥା, ତାହା ଦେଖାଇ ନାହାନ୍ତି । ବରଂ ସରକାରୀ ଦଳର ମୁଖପାତ୍ର ଓ ସରକାରଙ୍କ ମନ୍ତ୍ରୀମାନେ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଦାୟଶତ୍ୱହୀନ ଓ ସମ୍ବେଦନହୀନ ମନେହୁଏ । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅପପୁଷ୍ଟି ହୋଇନି ବୋଲି ବୟାନ ଦେଇଥିବା ବେଳେ ରାଜ୍ୟ ଖାଦ୍ୟ ଓ ଯୋଗାଣମନ୍ତ୍ରୀ ଆମ୍ବଟାକୁଆ ସେହି ଅଞ୍ଚଳର ଲୋକଙ୍କ ପାରମ୍ପରିକ ଖାଦ୍ୟ ବୋଲି କହି ଘଟଣାଟିକୁ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି । ସବୁଠାରୁ ଲଜ୍ଜାଜନକ ମନ୍ତବ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କଠାରୁ ଆସିଛି । କନ୍ଧମାଳ ଜିଲ୍ଲା ଚିକିତ୍ସାଧିକାରୀ ଏହାକୁ ଖାଦ୍ୟାଭାବଜନିତ ମୃତ୍ୟୁ ବୋଲି ସ୍ୱୀକାର କରିଥିବା ବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆମ୍ବଟାକୁଆରୁ ନୁହେଁ ବରଂ ବିଷାକ୍ତ ଖାଦ୍ୟ ସେବନରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି । ଏହା ସତ ଯେ ଆମ୍ବ ଟାକୁଆରୁ ପ୍ରସ୍ତୁତ ଖାଦ୍ୟ ବିଷାକ୍ତ ହେବା କାରଣରୁ ତାକୁ ସେବନ କରି ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ଲୋକମାନେ ଆମ୍ବ ଟାକୁଆକୁ ଖାଦ୍ୟ ରୂପେ ଖାଇବାକୁ କାହିଁକି ବାଧ୍ୟ ହେଲେ, ସେନେଇ ସମ୍ପୃକ୍ତ ଅଧିକାରୀ ଚୁପ୍ ରହିଛନ୍ତି । ସରକାରରେ ଥିବା ନେତା ଓ ଅଧିକାରୀମାନଙ୍କ ଉପରୋକ୍ତ ମନ୍ତବ୍ୟମାନଙ୍କରୁ ଗୋଟିଏ କଥା ସ୍ପଷ୍ଟ ଯେ ସେମାନେ ସମସ୍ୟାର ପ୍ରକୃତ କାରଣକୁ ସ୍ୱୀକାର କରିବା ପରିବର୍ତ୍ତେ ତାକୁ କାର୍ପେଟ୍ ତଳେ ଲୁଚେଇ ନିଜକୁ ଦୋଷମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି ।
ଏହା ନିଃସନେ୍ଦହ ଯେ ଆମ୍ବଟାକୁଆର କୋଇଲିରୁ ପ୍ରସ୍ତୁତ ଚୂନାକୁ ଆଦିବାସୀ ଲୋକେ କେବଳ ଆଜି ନୁହେଁ ବରଂ ଅତୀତରୁ ବି ଖାଇ ଆସିଛନ୍ତି । କିନ୍ତୁ ଏଭଳି ଖାଦ୍ୟ କନ୍ଧମାଳ କିମ୍ବାର ରାୟଗଡ଼ାର ଆଦିବାସୀମାନଙ୍କ ସ୍ୱାଭାବିକ ଖାଦ୍ୟ କଦାପି ନୁହେଁ । ଏହା କୌଣସି ପ୍ରକାର ପୁଷ୍ଟିକର ଖାଦ୍ୟ ନୁହେଁ ବି ସେମାନେ କଦାପି ଏହାକୁ ଖୁସିରେ ଖାଇ ନଥାନ୍ତି । କେବଳ ଖାଦ୍ୟାଭାବଜନିତ ପରିସ୍ଥିତିରେ ପଡ଼ି ଲୋକେ ଏହାକୁ ଭୋକ ବିକଳରେ ଖାଇବାକୁ ବାଧ୍ୟ ହୋଇଥାନ୍ତି । କୌଣସି ବ୍ୟକ୍ତିର ଘରେ ଖାଇବା ପାଇଁ ଚାଉଳ କିମ୍ବା ଗହମ ଉପଲବ୍ଧ ଥିଲେ ସେ କେବେ ବି ଏହାକୁ ଖାଦ୍ୟ ରୂପେ ଖାଇବ ନାହିଁ । ମାଣ୍ଡିପଙ୍କା ଗାଁର ଆଦିବାସୀମାନେ ବି ମିଡ଼ିଆକୁ ଏହିକଥା ହିଁ କହିଛନ୍ତି । ଅତଏବ ଏହାକୁ ପାରମ୍ପରିକ ଖାଦ୍ୟ ଓ ପୁଷ୍ଟିଦାୟକ ଖାଦ୍ୟ କହି ଏହା ସପକ୍ଷରେ ଯେଉଁମାନେ ଯୁକ୍ତି ଉପସ୍ଥାପନ କରୁଛନ୍ତି, ସେମାନେ ରାଜ୍ୟର ଖାଦ୍ୟାଭାବର ଶିକାର ଲକ୍ଷ ଲକ୍ଷ ଗରିବ ଲୋକଙ୍କ ଅସହାୟତାକୁ ପରିହାସ କରୁଛନ୍ତି ବୋଲି କୁହାଯିବ । ୨୦୦୧ ମସିହାରେ କାଶୀପୁରରେ ଆମ୍ବ ଟାକୁଆ ଖାଇ ୨୪ଜଣ ମୃତ୍ୟୁବରଣ କରିବା ପରେ ତକ୍ରାଳୀନ ମୁଖ୍ୟ ସଚିବ ଡ଼ି ପି ବାଗଚି ଅତ୍ୟନ୍ତ ନିର୍ଲଜ ଭାବେ ସରକାରଙ୍କ ଦୋଷକୁ ଘୋଡ଼େଇବାକୁ ଯାଇ ଆମ୍ବଟାକୁଆରୁ ପ୍ରସ୍ତୁତ ଖାଦ୍ୟକୁ ପୁଷ୍ଟିକର ଖାଦ୍ୟ ବୋଲି କହିବା ସହିତ ଏ ସମ୍ପର୍କରେ ଏକ ଲେଖା ଖବରକାଗଜରେ ଲେଖି ବ୍ୟାପକ ସମାଲୋଚନାର ଶିକାର ହୋଇଥିଲେ । ଆଜି ମଧ୍ୟ ସରକାରରେ ଥିବା ଲୋକେ ଆମ୍ବ ଟାକୁଆକୁ ଅଖାଦ୍ୟ ବୋଲି କହି କ୍ଷୁଧାର ସ୍ଥିତିକୁ ସ୍ୱୀକାର କରିବା ପରିବର୍ତ୍ତେ ସେହିଭଳି ହିଁ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି । ଆମ୍ବଟାକୁଆରୁ ପ୍ରସ୍ତୁତ ଖାଦ୍ୟ ଏତେ ପୁଷ୍ଟିକର ତାହେଲେ, ରାଜ୍ୟର ମନ୍ତ୍ରୀ ଓ ଅଫିସରମାନେ ଦୃଷ୍ଟାନ୍ତମୂଳକ ଭାବେ ତାକୁ ଖାଇ ଲୋକପ୍ରିୟ କରନ୍ତୁ । ଅତଏବ ଆମ୍ବଟାକୁଆ ଏକ ସ୍ୱାଭାବିକ ଖାଦ୍ୟ ତ ନୁହେଁ ବରଂ ଦୁର୍ଭିକ୍ଷ ସମୟର ଖାଦ୍ୟ ବୋଲି କହିବା ଠିକ୍ ହେବ ।
ମାଣ୍ଡିପଙ୍କାର ଘଟଣାରୁ ଦେଶରେ ଏବଂ ବିଶେଷ କରି ରାଜ୍ୟର ଆଦିବାସୀ ଅଞ୍ଚଳମାନଙ୍କରେ କ୍ଷୁଧା ଓ ଖାଦ୍ୟ ଅସୁରକ୍ଷାର ସ୍ଥିତି କେତେ ଭୟଙ୍କର ରହିଛି, ତାହା ଏକଦମ୍ ପରିସ୍ଫୁଟ ହୋଇଛି । ଗତ କିଛି ବର୍ଷ ଧରି ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ମଧ୍ୟ ଭାରତରେ କ୍ଷୁଧାର ସ୍ଥିତି ଅତ୍ୟନ୍ତ ଉଦବେଗ ଜନକ ବୋଲି ଜଣାପଡ଼ିଛି । ଚଳିତବର୍ଷର ସୂଚକାଙ୍କରେ ମଧ୍ୟ କ୍ଷୁଧାର ଶିକାର ବିଶ୍ୱର ୧୨୭ଟି ଦେଶ ମଧ୍ୟରେ ଭାରତ ୧୦୫ତମ ସ୍ଥାନରେ ରହିଥିବା ଦେଖାଯାଇଛି । ଏଥିରେ ଆମଦେଶର ପ୍ରାୟ ୨୦୦ ନିୟୁତ ଲୋକ ଯାହାକି ବ୍ରାଜିଲର ମୋଟ ଲୋକସଂଖ୍ୟାର ସମାନ, କ୍ଷୁଧାର ଶିକାର ଅଟନ୍ତି ବୋଲି କୁହାଯାଇଛି । କିନ୍ତୁ ଦୁଭାର୍ଗ୍ୟର ବିଷୟ, କେନ୍ଦ୍ରର ବିଜେପି ସରକାର ଉପରୋକ୍ତ ତଥ୍ୟକୁ ସକାରାତ୍ମକ ଭାବେ ଗ୍ରହଣ କରି ଦେଶରୁ କ୍ଷୁଧାକୁ ଦୂର କରିବାକୁ ନୀତିଗତ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନେବା ପରିବର୍ତ୍ତେ ତାକୁ ପୁରାପୁରି ଖାରଜ କରି ଆସିଛନ୍ତି । ଯଦି ଦେଶରେ ଆଦୌ କ୍ଷୁଧାର ସ୍ଥିତିନାହିଁ ବୋଲି ସରକାର ଭାବୁଛନ୍ତି, ତାହେଲେ ଅଶି କୋଟିରୁ ଉର୍ଦ୍ଧ୍ୱ ଭାରତୀୟଙ୍କୁ ପ୍ରତିମାସରେ ମାଗଣା ପାଞ୍ଚ କିଲୋ ଚାଉଳ ଦେବାକୁ ପଡ଼ୁଛି କାହିଁକି ? ପୂର୍ବରୁ ଯେଉଁ ଚାଉଳପାଇଁ କେନ୍ଦ୍ର ସରକାର କିଲେ ପିଛା ତିନିଟଙ୍କାରେ ନେଉଥିଲେ, ତାକୁ ପରେ ସମ୍ପୂର୍ଣ୍ଣ ମାଗଣାରେ ଦେବାକୁ ବାଧ୍ୟହେଲେ କାହିଁକି ?
ଏଠାରେ ଉଲ୍ଲେଖଯୋଗ୍ୟ ଯେ କନ୍ଧମାଳ ଓ ରାୟଗଡ଼ା ପରି ଜିଲ୍ଲାମାନଙ୍କରେ ଗରିବ ଲୋକ ବିଶେଷକରି ଆଦିବାସୀମାନଙ୍କ ପାଖରେ ନିଜର ଆବଶ୍ୟକ ଖାଦ୍ୟ ଉତ୍ପାଦନପାଇଁ ବି ଯଥେଷ୍ଟ ଚାଷଜମି ନାହିଁ । ପୁଣି ଯାହା ବି ଚାଷଜମି ରହିଛି ତାହା ଏତେ ଉତ୍ପାଦନକ୍ଷମ ନଥିବାରୁ ସେମାନେ ବର୍ଷର ଅଳ୍ପ କିଛିମାସ ହିଁ ନିଜ ଜମିରୁ ଆଦାୟ ହେଉଥିବା ଚାଉଳ ବା ମାଣ୍ଡିଆକୁ ଖାଇବାକୁ ପାଇଥାନ୍ତି । ବର୍ଷର ବଳକା ସମୟ ସେମାନେ ଜଙ୍ଗଲରୁ ସଂଗୃହୀତ ବିଭିନ୍ନ କନ୍ଦା, ଜହ୍ନା, କାଙ୍ଗୁ, ସୁଆଁ ଏପରିକି ଅନେକ ସମୟରେ ଆମ୍ବଟାକୁଆ ଓ ସଲପ ଗଛର ମଞ୍ଜିରୁ ପ୍ରସ୍ତୁତ ଖାଦ୍ୟକୁ ଖାଇବାକୁ ବାଧ୍ୟ ହୋଇଥାନ୍ତି । ଖାଦ୍ୟ ସୁରକ୍ଷା ଆଇନ ପରେ ସେମାନଙ୍କୁ ମାସିକ ଯେଉଁ ପାଞ୍ଚ କିଲୋ ଚାଉଳ ସରକାରଙ୍କ ତରଫରୁ ଦିଆଯାଉଛି, ତାହା ସେମାନଙ୍କୁ ସମ୍ପୂର୍ଣ୍ଣ ଖାଦ୍ୟସୁରକ୍ଷା ଦେବାକୁ ସକ୍ଷମ ହେଉନଥିଲେ ମଧ୍ୟ ଖାଦ୍ୟାଭାବକୁ କିଛି ପରିମାଣରେ ଦୂର କରୁଛି । କାରଣ ଖୋଦ୍ ସରକାରଙ୍କ ଆଇସିଏମ୍ଆର୍ ସଂସ୍ଥାର ନିର୍ଦ୍ଧାରଣ ଅନୁଯାୟୀ ଜଣେ ବୟସ୍କ ବ୍ୟକ୍ତିକୁ ବଂଚିବା ପାଇଁ ମାସିକ ସର୍ବନିମ୍ନ ହାରାହାରି ୧୬.୫ କିଲୋ ଖାଦ୍ୟଶସ୍ୟ ଦରକାର ପଡ଼ୁଥିବା ବେଳେ ସରକାର ନିଜର ଖାଦ୍ୟ ସୁରକ୍ଷା ଯୋଜନାରେ କେବଳ ୫କିଲୋ ଚାଉଳ ହିଁ ଦେଉଛନ୍ତି, ଯାହାକି ଅତିବେଶିରେ ସେମାନଙ୍କ ସପ୍ତାହରୁ ଦଶ ଦିନର ଖାଦ୍ୟଶସ୍ୟର ଆବଶ୍ୟକତାକୁ ହିଁ ପୂରଣ କରୁଛି । ଏପରିକି ଅତିବେଶୀରେ ଚାଉଳକୁ ଛାଡ଼ିଦେଲେ ସେମାନଙ୍କ ଖାଦ୍ୟରେ ଡାଲି, ତେଲ, ପନିପରିବା ଆଦି ପୁଷ୍ଟିକର ଖାଦ୍ୟ ନଥିବାରୁ ସେ ଅଂଚଳର ଅଧିକାଂଶ ଲୋକ ପୁଷ୍ଟିହୀନତା ଓ ରକ୍ତହୀନତାର ଶିକାର ଅଟନ୍ତି ।
ମାଣ୍ଡିପଙ୍କା ପରି ଘଟଣା ପଛରେ ସରକାରଙ୍କ ନୀତିଗତ ବିଫଳତାଟି ସ୍ପଷ୍ଟ ବାରି ହେଉଛି । ସରକାର ସେସବୁ ଅଞ୍ଚଳରେ ଲୋକଙ୍କ ଦାରିଦ୍ର୍ୟ ଓ ଖାଦ୍ୟଭାବ ଦୂର କରିବା ଦିଗରେ ଏଯାଏଁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନେଇନାହାନ୍ତି । ଏପରିକିି ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତିମାସରେ ମାତ୍ର ୫ କିଲୋ ଚାଉଳ ଦେବାରେ ବି ସରକାର ବିଫଳ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୩.୩୬କୋଟି ଲୋକ ଖାଦ୍ୟଶସ୍ୟ ପାଉଛନ୍ତି । ସେମାନଙ୍କୁ ଛାଡ଼ିଦେଲେ ରାଜ୍ୟର ଆହୁରି ଲକ୍ଷ ଲକ୍ଷ ଗରିବଲୋକ ରାସନ ପାଇବାରୁ ବଂଚିତ ହେଉଛନ୍ତି । କାରଣ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ହିତାଧିକାରୀମାନଙ୍କ ଚୟନଟି ୨୦୧୧ର ଜନସଂଖ୍ୟାର ଆଧାରରେ ହେଉଛି । ଯେହେତୁ ୨୦୨୧ରେ ହେବାକୁ ଥିବା ଜନସଂଖ୍ୟା ସ୍ଥଗିତ ରହିଛି, ତେଣୁ ଗତ ୧୩ ବର୍ଷ ଧରି ହିତାଧିକାରୀଙ୍କ ସଂଖ୍ୟାରେ କୌଣସି ବୃଦ୍ଧି କରାଯାଇନି । ଏପରିକି ସରକାର କୋଭିଡ଼ ସମୟରେ ଦେଶର ଗରିବ ଲୋକଙ୍କୁ ମାସିକ ଯେଉଁ ୫ କିଲୋ ଅତିରିକ୍ତ ଚାଉଳ ମାଗଣାରେ ଦେଉଥିଲେ, ତାକୁ ବି ଗତବର୍ଷ ବନ୍ଦ କରିଦେବା ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସଙ୍କୁଚିତ କରିଛି ।
ଅନ୍ୟପଟେ ରାଜ୍ୟ ସରକାର ଏହି ବାଦ ପଡ଼ିଥିବା ଲୋକଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରିବା ଦିଗରେ କୌଣସି ପଦକ୍ଷେପ ନେବା ବଦଳରେ ପୂର୍ବରୁ ତାଲିକାରେ ଥିବା ଲୋକଙ୍କୁ ବିଭିନ୍ନ ଆଳରେ ତାଲିକାରୁ ବାଦ ଦେବାକୁ ଅଧିକ ତତ୍ପରତା ଦେଖାଇଛନ୍ତି । ଆଧାର କେୱାଇସି ଯାଞ୍ଚ ନାଁରେ ମାସ ମାସ ଧରି ରାଜ୍ୟର କୋଟି କୋଟି ଲୋକଙ୍କୁ ହଇରାଣ କରିବା ସହ ବାୟୋମେଟ୍ରିକ୍ ମେଳ ହେଉନଥିବା ଆଳରେ ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ଯାଉଛନ୍ତି । ଏହା ସହିତ କେୱାଇସି ଯାଞ୍ଚ ନାଁରେ ମାଣ୍ଡିପଙ୍କା ଗ୍ରାମବାସୀଙ୍କ ସମେତ ରାଜ୍ୟର ଲକ୍ଷ ଲକ୍ଷ ଭୋକିଲା ଲୋକଙ୍କୁ ମାସ ମାସ ଧରି ନିୟମିତ ଚାଉଳ ପାଇବାରୁ ବଂଚିତ କରାଯାଇଛି । ସରକାର ମାଣ୍ଡିପଙ୍କାରେ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରାସନ ଚାଉଳକୁ ତିନି ମାସ ଧରି ବନ୍ଦ କରିବା ପରେ ଗତ ନଭେମ୍ବର ୨ ତାରିଖରେ ଯାଇ ପ୍ରଦାନ କରିଛନ୍ତି । ଆଜି ବି ରାଜ୍ୟର ୪୦ଲକ୍ଷ ପରିବାର ଅକ୍ଟୋବର ମାସର ଚାଉଳ ପାଇନଥିବା ଖୋଦ୍ ସରକାର ସ୍ୱୀକାର କରିଛନ୍ତି ।
ବଜାରରେ ବ୍ୟାପକ ଦରବୃଦ୍ଧି ଯୋଗୁଁ ଖାଦ୍ୟପଦାର୍ଥ ସାଧାରଣ ଲୋକ ବିଶେଷ କରି ଗାଁ ଗହଳରେ ରହୁଥିବା ଅଧିକାଂଶ ଗରିବ ଲୋକଙ୍କର ପହଞ୍ଚରୁ ବାହାର ହୋଇଯାଇଛି । ଲୋକଙ୍କ ଖାଦ୍ୟ ଅସୁରକ୍ଷା ପଛରେ ଏହା ବି ଏକ ପ୍ରମୁଖ କାରଣ ହୋଇଛି । ଖାଦ୍ୟପଦାର୍ଥ ମହଙ୍ଗା ହେବା ଫଳରେ ଅନେକ ଗରିବ ଲୋକଙ୍କ ଥାଳିରୁ ଡାଲି ଓ ଅନ୍ୟ ପୁଷ୍ଟିସାର ଖାଦ୍ୟ ଏକରକମ ଗାୟବ ହୋଇଯାଇଥିବାବେଳେ ଖାଦ୍ୟ ଗ୍ରହଣର ପରିମାଣ ବି ହ୍ରାସ ପାଇଛି । ଏହା ବ୍ୟତୀତ ଗ୍ରାମାଞ୍ଚଳରେ ମନରେଗା ଯୋଜନା ଗରିବଲୋକଙ୍କୁ କାମ ଯୋଗାଇବାର ଏକମାତ୍ର ସରକାରୀ ଯୋଜନା ରୂପେ ରହିଆସିଛି । କିନ୍ତୁ କେନ୍ଦ୍ର ସରକାର ସେହି ବାବଦରେ ପ୍ରତିବର୍ଷ ଲଗାତାର ବ୍ୟୟବରାଦକୁ ହ୍ରାସ କରିବା ସହ ତାକୁ ଠିକ୍ ରୂପେ ଲାଗୁ ନକରିବା ଫଳରେ କାମ ପାଇଁ ଇଛୁକ ଅନେକ ଲୋକ କାମ ପାଇବାରୁ ବଂଚିତ ହେଉଛନ୍ତି । ମନରେଗାର ଖର୍ଚ୍ଚଭାର କମାଇବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶରେ ରାଜ୍ୟ ସରକାର ଏହି ଯୋଜନାରେ ପଞ୍ଜିକୃତ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ଯାନ୍ତ୍ରିକ କାରଣ (କେୱାଇସି ଯାଂଚ) ଦର୍ଶାଇ ଚଳିତବର୍ଷ ବାଦ ଦେଇଛନ୍ତି । ଏହାସହ ଜବକାର୍ଡ଼ଧାରୀ ଶ୍ରମିକମାନଙ୍କୁ ବାର୍ଷିକ ୧୦୦ଦିନ କାମ ଯୋଗାଇବାର ନିୟମ ଥିବାବେଳେ ସରକାର ଚଳିତବର୍ଷ ମୋଟ କାର୍ଯ୍ୟଦିବସରେ ୪୯.୭% ହ୍ରାସ କରିଛନ୍ତି । ଏହାର ଫଳସ୍ୱରୂପ କନ୍ଧମାଳ ପରି କୃଷି ଉତ୍ପାଦନରେ ପଛୁଆ ଥିବା ତଥା କୌଣସି ଶିଳ୍ପ ନଥିବା ଅଞ୍ଚଳରେ ଲୋକଙ୍କ ରୋଜଗାର ପୂର୍ବ ତୁଳନାରେ ହ୍ରାସପାଇଛି । ଏହା ସେମାନଙ୍କ ଆୟକୁ ପ୍ରଭାବିତ କରିବା ସହିତ ବଜାରରୁ ଖାଦ୍ୟପଦାର୍ଥ କିଣିବାର କ୍ଷମତାକୁ ବି ଅନେକ ପରିମାଣରେ ହ୍ରାସ କରିଛି ।
କନ୍ଧମାଳ ପରି ଜିଲ୍ଲାରେ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଅଧିକ ଊର୍ବର ଜମି ନାହିଁ । ଯାହା ବି ଜମି ରହିଛି ତାହା ପ୍ରାୟତଃ ଜଳସେଚିତ ନଥିବାରୁ ସେଥିରେ ଧାନ ବଦଳରେ ପ୍ରାୟତଃ ଅଦା, ହଳଦୀ ଚାଷ ହେଉଛି । ଯଦି ସରକାର ସେହି ସ୍ୱଳ୍ପ ଜମିରେ ବି ଜଳସେଚନର ବ୍ୟବସ୍ଥା କରିଥାନ୍ତେ ତାହେଲେ ତାହା ସେଠାକାର କୃଷି ଉତ୍ପାଦନକୁ ବଢ଼ାଇବା ସହ ଲୋକଙ୍କ ଆୟବୃଦ୍ଧିରେ ସହାୟକ ହୋଇଥାନ୍ତା । ଏହାସହ ସେ ଅଞ୍ଚଳର ମୁଖ୍ୟ ଫସଲ ରୂପେ ପରିଚିତ ଅଦା, ହଳଦୀ ପରି ଅର୍ଥକାରୀ ଫସଲର ଉତ୍ପାଦନ ହେଉଥିଲେ ମଧ୍ୟ ତାକୁ ଉପଯୁକ୍ତ ଦରରେ ସରକାର ସଂଗ୍ରହର ବ୍ୟବସ୍ଥା କରୁ ନଥିବାରୁ ଚାଷୀମାନେ ସବୁବର୍ଷ ଅଭାବୀ ବିକ୍ରୀର ଶିକାର ହେଉଛନ୍ତି । ଏହାଛଡ଼ା, ସେଠାକାର ଲୋକେ ସଂଗ୍ରହ କରୁଥିବା ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହର ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଲୋକେ ଠିକ୍ ଦର ପାଇପାରୁ ନାହାନ୍ତି । ପୂର୍ବରୁ ଜିଲ୍ଲାର ଟିକାବାଲିଠାରେ ଥିବା ମାଳ ବାଣିଜ୍ୟ ସମିତି ଲୋକଙ୍କଠାରୁ ନିୟମିତ ଭାବେ ଖଲିପତ୍ରର ସଂଗ୍ରହ କରୁଥିବାରୁ ତାହା ଜିଲ୍ଲାର ଗରିବ ଲୋକଙ୍କ ଆୟର ଏକ ପ୍ରମୁଖ ଦୁଇ ଦଶକ ମଧ୍ୟରେ ସରକାରୀ ଅପାରଗତାରୁ ସମିତି ଅଚଳ ହୋଇଯାଇଥିବାରୁ ସେଠାରେ ଖଲିପତ୍ର ସଂଗ୍ରହ ସମ୍ପୂର୍ଣ୍ଣ ବନ୍ଦ ହୋଇ ଲକ୍ଷ ଲକ୍ଷ ପରିବାରର ଆୟକୁ ପ୍ରଭାବିତ କରିଛି । ଉପରୋକ୍ତ ସମସ୍ତ କାରଣର ସାମୂହିକ ପ୍ରଭାବ ହିଁ ଆଜି କନ୍ଧମାଳ ପରି ଜିଲ୍ଲାରେ କ୍ଷୁଧାର ସ୍ଥିତିକୁ ଉଦବେଗ ଜନକ କରିଛି ।
ଓଡ଼ିଶା ସରକାର ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଓ ଭାରତ ସରକାର ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ନିର୍ମାଣର ସ୍ଳୋଗାନ୍ ଦେଉଛନ୍ତି । ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ବୋଲି ମୋଦୀ ସରକାର ବାହାସ୍ଫୋଟ ମାରୁଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟର ସାଧାରଣ ଲୋକେ ଖାଦ୍ୟାଭାବରେ ପଡ଼ି ଅଖାଦ୍ୟ ଖାଇ ପ୍ରାଣ ହରାଇବା ଅତ୍ୟନ୍ତ ଲଜ୍ଜାଜନକ ମନେହୁଏ । ଏଭଳି ପରିସ୍ଥିତିରେ ସରକାର ଦେଶର କ୍ଷୁଧା ବା ଖାଦ୍ୟ ଅସୁରକ୍ଷାର ସମସ୍ୟାକୁ ଅସ୍ୱୀକାର କରି ଅଥବା ଲୁଚାଇବକୁ ଚେଷ୍ଟା କରିବା ବଦଳରେ ତା’ର ସ୍ଥାୟୀ ସମାଧାନ ପାଇଁ ସକାରାତ୍ମକ ପଦକ୍ଷେପ ନେବା ଦରକାର । ରାଜ୍ୟର ଗ୍ରାମାଞ୍ଚଳ ବିଶେଷ କରି ଭୟଙ୍କର ଦାରିଦ୍ର୍ୟ ଥିବା ଆଦିବାସୀ ଅଞ୍ଚଳମାନଙ୍କରେ ଖାଦ୍ୟ ସୁରକ୍ଷାକୁ କେବଳ ୫କିଲୋ ରାସନର ଭରସାରେ ଛାଡ଼ି ନଦେଇ ସେମାନଙ୍କ ଦାରିଦ୍ର୍ୟ ଓ ଖାଦ୍ୟାଭାବକୁ ଦୂର କରିବାକୁ ଦୀର୍ଘମିଆଦୀ ନୀତିଗତ ପଦକ୍ଷେପ ନେବା ଜରୁରୀ । ସରକାର ସେ ଅଞ୍ଚଳରେ ଦିଆଯାଉଥିବା ରାସନର ପରିମାଣକୁ ମାସିକ ସର୍ବନିମ୍ନ ୧୫ କିଲୋକୁ ବଢ଼ାଇବା ସହ ଲୋକଙ୍କ ପୁଷ୍ଟିହୀନତା ଓ ରକ୍ତହୀନତାକୁ ରୋକିବାକୁ ଚାଉଳ ବ୍ୟତୀତ ଡାଲି, ଖାଇବା ତେଲ ଓ ଅଣ୍ଡା ଯୋଗାଇବାର ମଧ୍ୟ ବ୍ୟବସ୍ଥା କରନ୍ତୁ । ମନରେଗା ଯୋଜନାକୁ ସେ ଅଞ୍ଚଳରେ ବ୍ୟାପକଭାବେ କାର୍ଯ୍ୟକାରୀ କରି ଲୋକଙ୍କ ଆୟକୁ ବଢ଼ାଇବାକୁ ଉଦ୍ୟମ କରନ୍ତୁ । ସେହି ଅଞ୍ଚଳରେ ଲୋକଙ୍କ ଦ୍ୱାରା ସଂଗୃହୀତ ଜଙ୍ଗଲଜାତ ଦ୍ରବ୍ୟ ଓ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବଜାର ବ୍ୟବସ୍ଥା କରି ସେସବୁର ଯେପରି ଉପଯୁକ୍ତ ମୂଲ୍ୟ ପାଇବେ ତା’ରି ବ୍ୟବସ୍ଥା କରନ୍ତୁ ।
ଏହାଛଡ଼ା ସେହି ଅଞ୍ଚଳମାନଙ୍କରେ ଖରାପ ସ୍ୱାସ୍ଥ୍ୟସେବା ଲୋକଙ୍କ ଚିକିତ୍ସା ବାବଦରେ ହେଉଥିବା ବ୍ୟୟକୁ ବଢ଼ାଇବା ସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ବି ପ୍ରଭାବିତ କରୁଛି । ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ସେବନ ଜନିତ ମୃତୁ୍ୟର ଘଟଣା ପରେ ଏହି କଥାଟି ସାମନାକୁ ଆସିଛି । ନିକଟସ୍ଥ ଗଦାପୁର ଓ ବ୍ରାହ୍ମଣୀ ଗାଁ ଡାକ୍ତରଖାନାରେ ବର୍ଷ ବର୍ଷ ଧରି କେହି ବି ଡାକ୍ତର ନଥିବା ଦେଖିବାକୁ ମିଳିଛି । ଘଟଣା ସାମନାକୁ ଆସିବାପରେ ଜିଲ୍ଲା ପ୍ରଶାସନ ତାଳିପକା ଉଦ୍ୟମ ଭାବେ ଉପରୋକ୍ତ ଦୁଇ ଡାକ୍ତରଖାନାକୁ ଦୁଇଜଣ ଆୟୁଷ ଡାକ୍ତରଙ୍କୁ ପଠାଇ ନିଜର ଦାୟିତ୍ୱକୁ ସାରି ଦେଇଛନ୍ତି । କିନ୍ତୁ ଏ ବାବଦରେ ସରକାର ସ୍ଥାୟୀ ପଦକ୍ଷେପ ଭାବେ ସେଠାକାର ସ୍ୱାସ୍ଥ୍ୟସେବାକୁ ନ ସଜାଡ଼ିଲେ ଚିକିତ୍ସା ବାବଦରେ ଖର୍ଚ୍ଚର ଭାର ଲୋକଙ୍କ ଆୟ ଉପରେ ପଡ଼ିବ ଏବଂ ସେମାନଙ୍କ ଅଧିକରୁ ଅଧିକ ଦାରିଦ୍ର୍ୟ ଭିତରକୁ ଠେଲିଦେବ । ଆଶା ମାଣ୍ଡିପଙ୍କା ଘଟଣା ପରିପ୍ରେକ୍ଷୀରେ ସରକାର ସମସ୍ୟାକୁ ଖୋଲାମନରେ ସ୍ୱୀକାର କରି ରାଜ୍ୟକୁ କ୍ଷୁଧାମୁକ୍ତ କରିବାକୁ ତଥା ଲୋକଙ୍କ ଦାରିଦ୍ର୍ୟକୁ ଦୂର କରି ଆୟ ବୃଦ୍ଧି କରିବା ଦିଗରେ ଏକ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ କରିବେ ।
Comments
0 comments