ଭାରତର ମୁଖ୍ୟ ନ୍ୟାୟାଧୀଶ

14 Min Read

ନଭେମ୍ବର ୯, ୨୦୨୨ରେ ଭାରତର ୫୦ତମ ମୁଖ୍ୟ ନ୍ୟାୟାଧୀଶ ଭାବେ ଡଃ ଧନଞ୍ଜୟ ୟଶବନ୍ତ ଚନ୍ଦ୍ରଚୁଡ଼ ଦାୟିତ୍ୱ ଗ୍ରହଣ କରିଥିଲେ । ନିକଟ ଇତିହାସରେ ଆସିଥିବା ମୁଖ୍ୟ ନ୍ୟାୟାଧୀଶମାନଙ୍କ ଭିତରେ ଅପେକ୍ଷାକୃତ ଅଧିକ ସମୟକାଳ (ଦୁଇ ବର୍ଷ) ଏହି ପଦବୀରେ ରହିବାପରେ ସେ ନଭେମ୍ବର ୧୦, ୨୦୨୪ ଦିନ ଅବସର ଗ୍ରହଣ କରିଛନ୍ତି । ଡଃ ଚନ୍ଦ୍ରଚୁଡ଼ଙ୍କ ବାପା ୱାଇ.ଭି ଚନ୍ଦ୍ରଚୁଡ଼ ସ୍ୱାଧୀନ ଭାରତର ଇତିହାସରେ ସବୁଠାରୁ ଅଧିକ ସମୟଧରି ଭାରତର ମୁଖ୍ୟ ନ୍ୟାୟାଧୀଶ ଥିଲେ (ଫେବୃୟାରୀ ୨୨, ୧୯୭୮ରୁ ଜୁଲାଇ ୧୧,୧୯୮୫) । ଡଃ ଚନ୍ଦ୍ରଚୁଡ଼ ଦାୟିତ୍ୱ ନେବାବେଳକୁ ଭାରତର ସର୍ବୋଚ୍ଚ ନ୍ୟାୟପାଳିକା ନିଜର ସାମ୍ବିଧାନିକ ଗୌରବକୁ ବଞ୍ଚାଇ ରଖିବାର ସଙ୍କଟ ଭିତରେ ଥିଲା । ଅଭିଯୋଗ ରହିଆସିଥିଲା ଯେ ନ୍ୟାୟପାଳିକାକୁ ମଧ୍ୟ ଆୟୁଧକରି ମୋଦୀ ସରକାର ନିଜର ‘ସ୍ୱେଚ୍ଛାଚାରୀତା’କୁ ଜନଗଣଙ୍କ ଉପରେ ବିଶେଷକରି ଭାରତର ଗଣତନ୍ତ୍ର ଉପରେ ଲଦି ଚାଲିଛନ୍ତି । ଏହି ଅଭିଯୋଗଗୁଡ଼ିକ ମୁଖ୍ୟତଃ ବିକଳ୍ପ ଗଣମାଧ୍ୟମ ତଥା ସ୍ୱାଧୀନଭାବେ ଚଳାଇ ଆସିଥିବା ୟୁଟୁ୍ୟବରମାନଙ୍କ ପାଖରୁ ଶୁଣିବାକୁ ମିଳୁଥିଲା । ଉଚ୍ଚତମ ନ୍ୟାୟାଳୟର କେତୋଟି ରାୟ ମଧ୍ୟ ଏଥିପାଇଁ ଅଧିକ ସୁଯୋଗ ଦେଇଥିଲା । ନ୍ୟାୟମୂର୍ତ୍ତି ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ଭାରତର ସାମ୍ବିଧାନିକ ଗଣତନ୍ତ୍ର ପ୍ରତି ସବୁଠାରୁ ଅଧିକ ବିପଦ ଆଣିଥିଲା ବୋଲି ସମୀକ୍ଷକମାନେ ଅଭିଯୋଗ କରିଆସୁଥିଲେ । ମୁଖ୍ୟ ନ୍ୟାୟାଧୀଶ ପଦରୁ ଅବ୍ୟାହତ ନେବାର କିଛିମାସ ଭିତରେ ମୋଦୀ ସରକାରଙ୍କର ସମର୍ଥନରେ ଶ୍ରୀ ଗୋଗୋଇ ରାଜ୍ୟସଭାର ସଦସ୍ୟ ଆସନରେ ବସିବାପରେ ତାଙ୍କ କାର୍ଯ୍ୟକାଳ ଭିତରେ ଉଚ୍ଚତମ ନ୍ୟାୟାଳୟରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ରାୟଗୁଡ଼ିକ ସନ୍ଦେହ ଓ ସମୀକ୍ଷା ଭିତରକୁ ଆସିଯାଇଥିଲା । ସେହି ଦୃଷ୍ଟିରୁ ଶ୍ରୀ ଏନ୍.ଭି ରମନ୍ନା ଓ ଶ୍ରୀ ୟୁ.ୟୁ ଲଳିତଙ୍କ କ୍ଷୁଦ୍ର ସମୟ କାଳପରେ ଯେତେବେଳେ ମୁଖ୍ୟ ନ୍ୟାୟାଧୀଶ ଭାବେ ଡଃ ଚନ୍ଦ୍ରଚୁଡ଼ ଶପଥ ଗ୍ରହଣ କଲେ, ସ୍ୱାଭାବିକ ଭାବେ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଥିଲା । ଉଚ୍ଚତମ ନ୍ୟାୟାଳୟକୁ ଆସିବାପୂର୍ବରୁ ଡଃ ଚନ୍ଦ୍ରଚୁଡ ଆହ୍ଲାବାଦ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ (୨୦୧୩ ରୁ ୨୦୧୬) ଏବଂ ତାହା ପୂର୍ବରୁ ସେ ବମ୍ବେ ଉଚ୍ଚ ନ୍ୟାୟାଳୟର ସର୍ବକନିଷ୍ଠ ବିଚାରପତି ଭାବେ ମାର୍ଚ୍ଚ ୨୯, ୨୦୦୦ରେ ନିଜର ବିଚାରପତି ଜୀବନ ଆରମ୍ଭ କରିଥିଲେ । ଯଦିଓ ସେ ବିଚାରପତି ଭାବେ ଯୋଗ ଦେଲାବେଳେ ଶ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ ଏବଂ ଶ୍ରୀ କେ.ଆର. ନାରାୟଣ ରାଷ୍ଟ୍ରପତି ଥିଲେ; ତେବେ ଏହାର ତିନିବର୍ଷ ପୂର୍ବରୁ ବିଚାରପତି ପଦପାଇଁ ତାଙ୍କର ନାମଟି ସୁପାରିଶ କରାଯାଇ ଥିଲା । ସେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଭଳି ଏକ ବିରାଟ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦପାଇଁ ଉଚ୍ଚତମ ନ୍ୟାୟାଳୟର କଲେଜିୟମ୍ ଦ୍ୱାରା ମନୋନୀତ ହେବାପରେ ରାଷ୍ଟ୍ରପତିଙ୍କଠାରୁ ନିଯୁକ୍ତି ପାଇ ଯେତେବେଳେ ଶପଥ ନେଲେ (ଅକ୍ଟୋବର ୩୧,୨୦୧୩), ସେତେବେଳେ ଡଃ ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ମେ ୧୩,୨୦୧୬ରେ ଡଃ ଚନ୍ଦ୍ରଚୁଡ଼ ଉଚ୍ଚତମ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇ ଯୋଗ ଦେଲାବେଳକୁ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ଅର୍ଥାତ୍ ନିଜର ଦୀର୍ଘ ୨୫ବର୍ଷ ନ୍ୟାୟମୂର୍ତ୍ତି ସମୟକାଳ ଭିତରେ ସେ ବିଭିନ୍ନ ରାଜନୈତିକ ଦଳ ଓ ନେତୃତ୍ୱଙ୍କର କାର୍ଯ୍ୟକାଳରେ ଉପୁଜିଥିବା ମାମଲା ବିଚାର କରିବାର ସୁଯୋଗ ଓ ଅନୁଭୂତି ପାଇଥିଲେ । ଡଃ ଚନ୍ଦ୍ରଚୁଡ଼ଙ୍କର ଆଇନ ସମ୍ବନ୍ଧିତ ଜ୍ଞାନ ଏବଂ ଯୁକ୍ତିଭିତ୍ତିକ ବିଶ୍ଳେଷଣ କରିବାର ଦକ୍ଷତା ପ୍ରଚଣ୍ଡ ଥିଲାବୋଲି ଏମିତିକି ତାଙ୍କର ସମାଲୋଚକମାନେ ମଧ୍ୟ ସ୍ୱୀକାର କରନ୍ତି । ସରକାର ଯାହାର ଥାଉନା କାହିଁକି ଡଃ ଚନ୍ଦ୍ରଚୁଡ଼ଙ୍କର ନ୍ୟାୟିକ ବ୍ୟକ୍ତିତ୍ୱ ପ୍ରତି ଅଧିକାଂଶଙ୍କର ଆଦର ଥିଲା ।

ତେବେ ଡଃ ଚନ୍ଦ୍ରଚୁଡ଼ ନିଜର ‘ରାୟ’ପାଇଁ ଯେତିକି ନୁହଁ; ତାହାଠାରୁ ଢ଼େର ଅଧିକ ନିଜର ‘ମୌଖିକ ଟିପ୍ପଣୀ’ ପାଇଁ ଗଣମାଧ୍ୟମରେ ନିଜ ସମ୍ପର୍କରେ ଏକ ବଳିଷ୍ଠ ଧାରଣା ସୃଷ୍ଟି କରିପାରିଥିଲେ । ଏହି ‘ମୌଖିକ ଟିପ୍ପଣୀ’ ଏମିତିକି ନିଜକୁ ସ୍ୱାଧୀନ ଓ ସ୍ୱୟଂସମ୍ପନ୍ନ ମନେ କରୁଥିବା ବିକଳ୍ପ ଗଣମାଧ୍ୟମ ତଥା ୟୁଟୁ୍ୟବ ଚ୍ୟାନେଲମାନଙ୍କୁ ଏକ ପ୍ରକାର ଭ୍ରମରେ ରଖିଥିଲା । ସେମାନେ ମଧ୍ୟ ଭାବୁଥିଲେ ଯେ ଉଚ୍ଚତମ ନ୍ୟାୟପାଳିକାରେ ସାମ୍ବିଧାନିକ ନୈତିକତାରେ ଯେଉଁ ଅବକ୍ଷୟ ଘଟିଚାଲିଛି, ହୁଏତ ଡଃ ଚନ୍ଦ୍ରଚୁଡ଼ ତାକୁ ରୋକିବାରେ ସଫଳ ହେବେ ଏବଂ ନ୍ୟାୟରୁ ବଞ୍ଚôତ ହେଉଥିବା ଲୋକମାନଙ୍କ ମନରେ ନୂତନ ଆଶା ସୃଷ୍ଟି କରିବାରେ ସଫଳ ହେବେ । ହୁଏତ ସେଭଳି କିଛି ହେଲା ନାହିଁ । ନିଜ ଅବସରର ଅବ୍ୟବହିତ ପୂର୍ବରୁ ଉଚ୍ଚତମ ନ୍ୟାୟାଳୟର ଅଧିବକ୍ତା ସଂଘ ତରଫରୁ ଆୟୋଜିତ ଏକ ସଭାରେ ବିଦାୟୀ ଭାଷଣ ଦେଲାବେଳେ ମୁଖ୍ୟ ନ୍ୟାୟାଧୀଶ ଭାବେ ଶପଥ ନେବାପରେ ଯେଉଁଭଳି ଉତ୍ସାହ ଓ ଆଗ୍ରହର ସହ ସେ ବକ୍ତବ୍ୟ ରଖୁଥିଲେ, ତାହା ଦେଖିବାକୁ ମିଳିନଥିଲା । ସେ ଯେମିତି ସମାଲୋଚକ ମାନଙ୍କର ସମୀକ୍ଷାଗୁଡ଼ିକୁ ସହଜରେ ନେଇପାରି ନଥିଲେ । ତାହାର ପ୍ରତିଫଳନ ତାଙ୍କର ଲଘୁ ମନ୍ତବ୍ୟ ଭିତରେ ଦେଖିବାକୁ ମିଳିଥିଲା । ଭାରତର ଏହି ମୁଖ୍ୟ ନ୍ୟାୟାଧୀଶଙ୍କ କାର୍ଯ୍ୟକାଳର ସମୀକ୍ଷା ଏବେ ଭାରତର ଗଣମାଧ୍ୟମଗୁଡ଼ିକରେ ବ୍ୟାପକ ଭାବେ ଚାଲିଛି । ବିତର୍କ ବି ଚାଲିଛି । ବିତର୍କର ଗୋଟିଏ ପଟେ କର୍ପୋରେଟ ଗଣମାଧ୍ୟମ ଥିଲାବେଳେ, ଅନ୍ୟପଟେ ଅଛନ୍ତି ସ୍ୱାଧୀନଚେତା ଲେଖକ ଓ ବିକଳ୍ପ ଗଣମାଧ୍ୟମ। ସେ ଦାୟିତ୍ୱ ନେଲାବେଳେ ଯେଉଁଭଳି ଚର୍ଚ୍ଚା ଚାଲିଥିଲା, ଦାୟିତ୍ୱରୁ ଅବ୍ୟାହତି ନେଲାପରେ ସେହିଭଳି ବିତର୍କ ମଧ୍ୟ ଚାଲିଛି । ତାହା ବି ତାଙ୍କର ଦୁଇବର୍ଷର ମୁଖ୍ୟ ନ୍ୟାୟଧୀଶ ସମୟକାଳକୁ ନେଇ ନୁହଁ, ବରଂ ୨୫ ବର୍ଷର କାର୍ଯ୍ୟକାଳ ଭିତରେ ସେ ଦେଇଥିବା ରାୟ ଗୁଡ଼ିକ ମଧ୍ୟ ବିତର୍କର ପରିସର ଭିତରକୁ ଆସିଯାଇଛି । କେବଳ ଉଚ୍ଚତମ ନ୍ୟାୟାଳୟରେ ତାଙ୍କ ୮ବର୍ଷ ସମୟକାଳ (ମଇ ୧୩, ୨୦୧୬ରୁ ନଭେମ୍ବର ୧୦,୨୦୨୪) ଭିତରେ ସେ ୧୨୭୫ଟି ଖଣ୍ଡପୀଠରେ ଭାଗ ନେଇଥିଲେ ଓ ୬୧୩ଟି ରାୟ ପ୍ରଦାନ କରିଥିଲେ । ସେହି ଭିତରୁ ୫ଶହଟି ରାୟ ସେ ବିଭିନ୍ନ ଖଣ୍ଡପୀଠର ସଦସ୍ୟ ଭାବେ ରାୟ ପ୍ରଦାନ କରିଥିଲେ । କେତୋଟି ରାୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଛି ।

ଅଗଷ୍ଟ ୨୪,୨୦୧୭ଦିନ ଉଚ୍ଚତମ ନ୍ୟାୟାଳୟର ଏକ ରାୟ ପ୍ରକାଶ ପାଇଥିଲା। ତତ୍କାଳୀନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ଜେ.ଏସ୍ ଖେହାର୍ଙ୍କ ଅଧ୍ୟକ୍ଷତାରେ ଏକ ୯ଜଣିଆ ଖଣ୍ଡପୀଠ ‘ଗୋପନୀୟତାର ଅଧିକାର’କୁ ସୁରକ୍ଷିତ ରଖି ଏକ ରାୟ ଦେଇଥିଲେ । ଏହି ଖଣ୍ଡପୀଠର ସଦସ୍ୟଥିବା ଡଃ ଚନ୍ଦ୍ରଚୁଡ଼ଙ୍କୁ ସଂଖ୍ୟାଗରିଷ୍ଠ ରାୟଟି ଲେଖିବାପାଇଁ ଦାୟିତ୍ୱ ଦିଆଯାଇଥିଲା, ଯେଉଁଠି ସେ ଲେଖିଥିଲେ ଯେ ‘ଗୋପନୀୟତାର ଅଧିକାର’ ହେଉଛି ସମ୍ବିଧାନର ଧାରା ୨୧ରେ ଦିଆଯାଇଥିବା ଜୀବନ ଓ ସ୍ୱାଧୀନତାର ଅଧିକାରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପରବର୍ତ୍ତୀ ସମୟରେ ଏହି ରାୟଟି ଅନ୍ୟକିଛି ଗୁରତ୍ୱପୂର୍ଣ୍ଣ ରାୟପାଇଁ ବାଟ କଢ଼ାଇଥିଲା ବୋଲି କୁହାଯାଉଛି । ଡଃ ଚନ୍ଦ୍ରଚୁଡ଼ ସଦସ୍ୟ ଥିବା ଏକ ଖଣ୍ଡପୀଠ ଏକ ରାୟ ସେପ୍ଟେମ୍ବର ୬,୨୦୧୮ଦିନ ଦେଇଥିଲେ ଯେଉଁଥିରେ ଭାରତୀୟ ଦଣ୍ଡ ସଂହିତା, ୧୮୬୦ର ଭାଗ ୩୭୭ର କିଛି ଅଂଶକୁ ସେମାନେ ଉଠାଇ ଦେଇଥିଲେ ଯାହା ଫଳରେ ଏଯାବତ୍ ଅପରାଧ ବୋଲି ଧରିନିଆଯାଇଥିବା ‘ସମଲିଙ୍ଗୀକତା’କୁ ଅପରାଧମୁକ୍ତ କରାଯାଇଥିଲା । ସେ ନିଜେ ରାୟଟିକୁ ଲେଖିଥିଲେ । ସେହିଭଳି ସେ ସଦସ୍ୟ ଥିବା ଆଉଏକ ଖଣ୍ଡପୀଠ ସେପ୍ଟେମ୍ବର ୨୭, ୨୦୧୮ରେ ଏକ ସର୍ବସମ୍ମତ ରାୟ ପ୍ରଦାନ କରି ଭାରତୀୟ ଦଣ୍ଡ ସହିଂତା, ୧୮୬୦ ଭାଗ ୪୯୭ରେ ଥିବା ‘ବ୍ୟଭିଚାର’କୁ ଅପରାଧ ମୁକ୍ତ ଘୋଷଣା କରିଥିଲେ । ନିଜର ସ୍ୱତନ୍ତ୍ର ମତରଖି ସେ କହିଥିଲେ ଯେ ବ୍ୟଭିଚାର ଆଇନଟି ପୁରୁଷତନ୍ତ୍ରର ଏକ ନିୟମ, ଯାହାକି ବିବାହରେ ନାରୀକୁ ପୁରୁଷ ନିକଟରେ ଅଧସ୍ତନ କରି ରଖୁଛି । ସେହି ଦିନ ହିଁ ଆଉ ଏକ ଖଣ୍ଡପୀଠରେ ରହି ସେ କେରଳର ସାବରୀମାଳା ମନ୍ଦିରରେ ନାରୀମାନଙ୍କର ପ୍ରବେଶକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ, ଯଦିଓ ୫ଜଣ ନ୍ୟାୟମୂର୍ତ୍ତିଙ୍କ ଭିତରୁ ଏକମାତ୍ର ମହିଳା ନ୍ୟାୟମୂର୍ତ୍ତି ଇନ୍ଦୁ ମାଲୋହୋତ୍ରା ସେଥିରେ ସହମତ ନଥିଲେ । ଡଃ ଚନ୍ଦ୍ରଚୂଡ଼ ମହିଳାଙ୍କ ମନ୍ଦିରପ୍ରବେଶକୁ ବାରଣ କରିବା କଥାକୁ ଏକ ଧାର୍ମିକ ପରମ୍ପରା ହିସାବରେ ନଦେଖି ତାକୁ ଏକ ମାନବିକ ଅଧିକାରର ଉଲଙ୍ଘନ ହିସାବରେ ଦେଖିଥିଲେ । ଏହିସବୁ ରାୟଗୁଡ଼ିକୁ ଭାରତର ଆଧୁନିକ ଶିକ୍ଷିତ ବର୍ଗ ସ୍ୱାଗତ କରିଥିଲେ ଏବଂ ଡଃ ଚନ୍ଦ୍ରଚୁଡ଼ଙ୍କର ପ୍ରଶଂସକ ମଧ୍ୟ ସାଜିଥିଲେ । ତେବେ ଯେଉଁ ରାୟଗୁଡ଼ିକ ବିତର୍କ ସୃଷ୍ଟି କରିଥିଲା ସେହିଭିତରେ ପ୍ରଥମେ ଅଛି ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗକୁ ନେଇ ରାୟ । ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଯେଉଁ ପାଞ୍ଚଜଣିଆ ଖଣ୍ଡପୀଠ ନଭେମ୍ବର ୯,୨୦୧୯ ଦିନ ରାୟ ପ୍ରଦାନ କରିଥିଲେ ତାହା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣପାଇଁ ବାଟ ଖୋଲିଦେଇଥିଲା । ଡଃ ଚନ୍ଦ୍ରଚୁଡ଼ ଏହି ଖଣ୍ଡପୀଠର ସଦସ୍ୟଥିଲେ ଏବଂ ଏଭଳି ଏକ ନ୍ୟାୟିକ ସମାଧାନ ପାଇଁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ ବୋଲି ପରେ କହିଥିଲେ । ବିଡ଼ମ୍ବନାର କଥା ଯେ ୨୦୧୦ ମସିହାରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ବିବାଦୀୟ ପୀଠଉପରେ ସବୁ ଦାବିଦାର ମାନଙ୍କର ସମାନ ଅଧିକାର ରହିଛି କହି ସମାନ ଭାବରେ ତିନି ଦାବିଦାରମାନଙ୍କ ଭିତରେ ବିବାଦୀୟ ପୀଠର ଜମିକୁ ବାଣ୍ଟିବା ପାଇଁ ରାୟ ପ୍ରଦାନ କରିଥିଲେ । ସେମାନେ ମଧ୍ୟ ଡିସେମ୍ବର ୬, ୧୯୯୨ରେ ବାବ୍ରି ମସ୍ଜିଦ୍ ଭାଙ୍ଗିବା ଘଟଣାଟିକୁ ଆଇନର ଘୋର ଉଲଙ୍ଘନ ହୋଇଛି ବୋଲି ସ୍ୱୀକାର କରିଥିଲେ । କିନ୍ତୁ ଉଚ୍ଚତମ ନ୍ୟାୟାଳୟ ଗୋଟିଏ ଏକପାଖିଆ ରାୟ ଦେଇ ସଂଘ ପରିବାର ଓ ସରକାରଙ୍କୁ ଖୁସିକଲା ଭଳି କାମଟିଏ କରିଦେଲେ । ସେହିଭଳି ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ଭିତରେ କ୍ଷମତାକୁ ନେଇ ଚାଲିଥିବା ମାମଲାରେ ଜୁଲାଇ ୪, ୨୦୧୮ ଦିନ ଡଃ ଚନ୍ଦ୍ରଚୁଡ଼ ସଦସ୍ୟ ଥିବା ଏକ ଖଣ୍ଡପୀଠ ଯାହା ମୁଖ୍ୟ ବିଚାରପତି ଦୀପକ୍ ମିଶ୍ରଙ୍କ ନେତୃତ୍ୱରେ ଚାଲିଥିଲା, ଏକ ରାୟଦେଇ କହିଥିଲେଯେ; ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ହିଁ ମୁଖ୍ୟ; ଉପ-ରାଜ୍ୟପାଳ ନୁହଁ । ପାଞ୍ଚବର୍ଷ ପରେ ମୁଖ୍ୟ ବିଚାରପତି ହେବାପରେ ଡଃ ଚନ୍ଦ୍ରଚୁଡ଼ ଆଉଏକ ଭିନ୍ନମତ ଦେଇଥିଲେ ଯାହା ଫଳରେ ଉପ ରାଜ୍ୟପାଳ ଓ କେନ୍ଦ୍ର ସରକାର ପ୍ରକୃତ କ୍ଷମତାର ଅଧିକାରୀ ସାବ୍ୟସ୍ତ ହେଲେ । ସେହିଭଳି ଡିସେମ୍ବର ୧୧, ୨୦୨୩ରେ ସେ ନେତୃତ୍ୱ ନେଇଥିବା ଏକ ଖଣ୍ଡପୀଠ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ମାମଲାରେ ଶୁଣାଣି କରି ଏହାର ଉଚ୍ଛେଦକୁ ବୈଧ ଘୋଷଣାକରି ସରକାରଙ୍କୁ ସନ୍ତୁଷ୍ଟ କରିଥିଲେ ବୋଲି ଅଭିଯୋଗ ମଧ୍ୟ ହୋଇଥିଲା । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଯଦିଓ ସରକାରଙ୍କର ନିର୍ବାଚନୀ ବଣ୍ଡ୍ ଯୋଜନାକୁ ସୂଚନାର ଅଧିକାର ତଥା ଧାରା ୧୯ର ଉଲଙ୍ଘନ ବୋଲି କହି ମୁଖ୍ୟ ନ୍ୟାୟାଧୀଶ ଡଃ ଚନ୍ଦ୍ରଚୁଡ଼ଙ୍କ ଖଣ୍ଡପୀଠ ସମସ୍ତ ତଥ୍ୟ ସାର୍ବଜନୀନ କରିବାପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ନିର୍ବାଚନୀ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଯେଉଁମାନେ ନିର୍ବାଚନୀ ବଣ୍ଡ୍ କିଣି, ଶାସକଦଳକୁ ପ୍ରଦାନ କରି ଅହେତୁକ ଅନୁକମ୍ପା ପାଇଛନ୍ତି ବା ଶାସକଦଳ ଦ୍ୱାରା ବ୍ୟବହୃତ ହୋଇଛନ୍ତି ଜଣାପଡ଼ିଲା ଓ ସେହି ସବୁକଥାର ଅନୁସନ୍ଧାନ ପାଇଁ ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଗଠନପାଇଁ ଆବେଦନ ଆସିଲା, ସେ ତାକୁ ଗ୍ରହଣ କରିନଥିଲେ । ପୁଣି ବେଲ୍କୁ ନିୟମ ଓ ଜେଲ୍କୁ ବ୍ୟତିକ୍ରମ କହୁଥିବା ଡଃ ଚନ୍ଦ୍ରଚୁଡ଼ଙ୍କ ସମୟରେ ଅନେକ ନିରୀହ ମାନବିକ ଅଧିକାର କର୍ମୀ, ଲେଖକ, ସାମ୍ବାଦିକ ଏବଂ ଛାତ୍ର ମିଛମକଦମା ଗୁଡ଼ିକରେ ଛନ୍ଦିହୋଇ ଜେଲରେ ରହିଲେ କିନ୍ତୁ ସେମାନଙ୍କୁ ବେଲ୍ ମିଳିପାରିଲା ନାହିଁ । ଏବେ ବି ଅନେକ ଜେଲ୍ ଭିତରେ ସଢ଼ୁଛନ୍ତି । ମୋଟାମୋଟି ଭାବେ ସମୀକ୍ଷକମାନେ ମନେକରନ୍ତି ଯେ ମୁଖ୍ୟନ୍ୟାୟାଧୀଶ ଡଃ ଚନ୍ଦ୍ରଚୁଡ଼ ପ୍ରଥମେ ଯେଉଁ ଚେହେରା ଦେଖାଇଥିଲେ ନିଜର ଗୁରୁତ୍ୱପୂର୍ଣ୍ଣ ରାୟ ଗୁଡ଼ିକରେ, ତାହାର ଚମକ ନଥିଲା ଏବଂ ସେ ମାନବିକ ଅଧିକାର ଅପେକ୍ଷା ବେଶି ସରକାରଙ୍କର ସୁରକ୍ଷାରେ ଲାଗି ପଡ଼ିଥିଲେ ।

ଆମେ ଏତିକି କହିବା ଉଚିତ୍ ମନେକରୁ ଯେ ଭାରତର ସାମ୍ବିଧାନିକ ଗଣତନ୍ତ୍ର ବିପନ୍ନ ହେଲାଭଳି ସ୍ଥିତିକୁ ଆସିଥିବାବେଳେ ନ୍ୟାୟପାଳିକାକୁ ମୁଖ୍ୟ ବିରୋଧିଦଳ ଆସନରେ ବସାଇବାର ପ୍ରବଣତା ଆମ ଭିତରେ ବଢ଼ିଯାଇଛି । ସକ୍ରିୟ ଓ ସାଙ୍ଗଠନିକ ଭାବେ ସୁଦୃଢ଼ ବିରୋଧିଦଳ ସମୂହ ନିର୍ମାଣର ଗୁରୁତ୍ୱ ଅଧିକ ହ୍ରାସପାଇବ, ଯେତେବେଳେ ଆମେ ଗଣତନ୍ତ୍ରର କେତୋଟି ଅନୁଷ୍ଠାନ ଗଣତନ୍ତ୍ରକୁ ସୁରକ୍ଷା ଯୋଗାଇବାର ଦାୟିତ୍ୱ ନିଅନ୍ତୁ ବୋଲି ଆଶା କରିବା । ଗଣତନ୍ତ୍ରକୁ ନେଇ ଆମର ବୁଝାମଣାଯେ ଏଯାବତ୍ ପରିପକ୍ୱ ହୋଇନାହିଁ, ଏଭଳି ଏକ ଧାରାଣା ସୃଷ୍ଟି ହେବ । ଆମେ ଏମିତି ଏକ ସ୍ଥିତିରେ ପହଞ୍ଚିଛେ ଯେ ଆମର ସମଗ୍ର ଆଶାର ପୁଞ୍ଜିଟିକୁ ଆମେ ଅଦାଲତରେ ବିନିଯୋଗ କରିଦେଉଛେ । ପୁନଶ୍ଚ ଉଚ୍ଚତମ ନ୍ୟାୟାଳୟକୁ ନେଇ ଚର୍ଚ୍ଚା ବା ସମୀକ୍ଷାଗୁଡ଼ିକ ମଧ୍ୟ ‘ମୁଖ୍ୟ ନ୍ୟାୟାଧୀଶ’ କୈନ୍ଦ୍ରୀକ ହୋଇଯାଉଛି । ସମାଲୋଚନା ବା ପ୍ରଶଂସାର କେନ୍ଦ୍ରରେ ରହୁଛନ୍ତି ମୁଖ୍ୟ ନ୍ୟାୟାଧୀଶ ଆସନରେ ବସିଥିବା ବ୍ୟକ୍ତିଜଣକ । ଲାଗୁଛି ଯେମିତି ଆମେ ବ୍ୟବସ୍ଥା ଅପେକ୍ଷା ଅଜାଣତରେ ହେଲେ ବି ଜଣେ ବ୍ୟକ୍ତିଠାରୁ ବେଶୀ ଆଶା କରୁଛୁ । ଯେମିତିକି ‘ମନ୍ତ୍ରିମଣ୍ଡଳ’ ନୁହଁ ବରଂ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ଲୋକଟିକୁ ଆମେ ମୁଖ୍ୟ ହିସାବରେ ଗ୍ରହଣ କରୁଛୁ । ସେହିଭଳି ‘ବିରୋଧିଦଳ’ କହିଲେ ଆମେ ଗୋଟିଏ ଦଳର ସଙ୍ଗଠନ ନୁହଁ ବରଂ ଗୋଟିଏ ବ୍ୟକ୍ତିକୁ ନାୟକ ହିସାବରେ ଦେଖିବାକୁ ବେଶି ପସନ୍ଦ କରୁଛୁ । ଆମ ଅଜାଣତରେ ଆମେ ଗୋଟିଏ ଆମେରିକୀୟ ଢାଞ୍ଚାଟିକୁ ଯେମିତି ମନ ଭିତରେ ବସାଇ ସାରିଛନ୍ତି । ଜନସମୂହ ଭିତରକୁ ଯାଇ ସମସ୍ୟା ସବୁକୁ ବୁଝି ସଙ୍ଗଠନ ନିର୍ମାଣ କରିବା ଓ ସଂଘର୍ଷକୁ ସର୍ବବ୍ୟାପି କରାଇବାର କାମଟି ବିରୋଧିଦଳମାନେ ବିଶେଷ କରି ପ୍ରଗତିଶୀଳ ବିରୋଧିଦଳମାନେ ଯେମିତି ଭୁଲିଗଲେଣି । ସାମ୍ବାଦିକ ସମ୍ମିଳନୀ ଏବଂ ସାମୟିକ ବିକ୍ଷୋଭ ପ୍ରଦର୍ଶନ ବା ଆଲୋଚନା ଭିତରେ ଆମ ପ୍ରତିବାଦ ଗୁଡ଼ିକ ସୀମିତ ରହିଯାଉଛି । ଅନ୍ୟପଟେ ୧୯୨୫ରେ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଠିକ୍ ସେହିବର୍ଷ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠା ହୋଇଥିଲା) ଯାହାର ରାଜନୈତିକ ଶାଖା ଏବେ ଆମ ଦେଶ ଏବଂ ଓଡ଼ିଶା ଭଳି ଅନେକ ରାଜ୍ୟରେ କ୍ଷମତାରେ ଅଛି, କୌଣସି ପ୍ରଚାର ନକରି ନିଜର ୧୦୦ବର୍ଷ ପୂର୍ତ୍ତି ପାଇଁ ବ୍ୟାପକ ସାଙ୍ଗଠନିକ ପ୍ରସ୍ତୁତି ଜାରିରଖିଛି । ଏମାନଙ୍କ ସଂଖ୍ୟାଟି ଯେଉଁଭଳି ଭାବେ ବଢ଼ିଚାଲିଛି ଭବିଷ୍ୟତରେ ଭାରତରେ ଅନ୍ୟ କୌଣସି ଦଳ ବା ସଙ୍ଗଠନ ରହିବେ; ଏକ ଆଶଙ୍କା ସୃଷ୍ଟି ହୋଇ ସାରିଛି ।

୧୯୯୦ ଦଶକରେ ଯେତେବେଳେ କଂଗ୍ରେସ ନେତୃତ୍ୱରେ ଏ ଦେଶରେ ଜନବିରୋଧି ଏବଂ ଗଣତନ୍ତ୍ର ବିରୋଧି ଅର୍ଥନୈତିକ ସଂସ୍କାରପର୍ବ ଆରମ୍ଭ ହୋଇଥିଲା, ସେତେବେଳେ ଭାରତର ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକମାନେ ପୁଞ୍ଜିର ଶକ୍ତି ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କର ଏକାଠି ହେବାର ସମୟ ଆଗକୁ ଆସୁଥିବା କଥାଟିକୁ ପୂର୍ବ ଅନୁମାନକରି ତାକୁ ବିରୋଧ କରିଥିଲେ । ଗଣତନ୍ତ୍ରର ଚେର ଧରିନଥିବା ଦେଶଟିରେ ଏମାନଙ୍କୁ ବୁଝିବାପାଇଁ କମ୍ ଏବଂ ବିରୋଧ କରିବାପାଇଁ ବେଶିଲୋକ ଥିଲେ । ସର୍ବଭାରତୀୟ ସ୍ତରରେ କିଶନ ପଟ୍ଟନାୟକ ଏବଂ ଓଡ଼ିଶାରେ ମଧ୍ୟ ତାଙ୍କ ସମେତ ମନମୋହନ ଚୌଧୁରୀ, ରବି ରାୟ ଓ ଗଣନାଥ ପାତ୍ରଙ୍କ ଭଳି ବ୍ୟକ୍ତିତ୍ୱ ମାନେ ଏହି ସବୁକଥା ଜନଗଣଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ଆଜି ଏହି ସଂସ୍କାରରାକ୍ଷସ ନିର୍ବାଚନକୁ ସବୁଠାରୁ ବ୍ୟୟବହୁଳ କରାଇ ଲାଭଖୋର କମ୍ପାନୀମାନଙ୍କ ହାତରେ ନିର୍ବାଚନ ଲଢ଼ିବାର ଲଗାମଟି ଦେଇସାରିଛି । ଯେଉଁମାନେ ନିର୍ବାଚନରେ ଜିତି ସରକାର ଗଢ଼ିବେ, ସେମାନେ ଏହି କମ୍ପାନୀମାନଙ୍କ ପାଇଁ ହିଁ କାମ କରିବେ । ନ୍ୟାୟପାଳିକାର ଦାୟିତ୍ୱ ରହିବ ସରକାରଙ୍କର ପକ୍ଷନେଇ ଏମାନଙ୍କୁ ସୁରକ୍ଷା ଯୋଗାଇବା । ବ୍ୟୟବହୁଳ ନିର୍ବାଚନତନ୍ତ୍ର ହିଁ ଆଜି ଭାରତରେ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ପତିରଆରାକୁ ପ୍ରତିଷ୍ଠିତ କରିସାରିଛି । ଗଣମାଧ୍ୟମ ସେହି ପତିଆରା ପ୍ରତି ଜନଗଣଙ୍କ ମନରେ ନରମ ଓ ଗ୍ରହଣୀୟ ଭାବନା ସୃଷ୍ଟି କରୁଛି । ଏହିଭଳି ଏକ ସମୟରେ ନ୍ୟାୟପାଳିକା ନିରପେକ୍ଷ ରହିବ ଓ ସମ୍ବିଧାନର ତଥା ନାଗରିକର ସୁରକ୍ଷା କରିବ(?) ଏହିଭଳି ଏକ ଆଶା କେବଳ ଆମ ନିଜ ମନକୁ ବୁଝାଇବାପାଇଁ ହିଁ ଆମେ ରଖିପାରିବା । ଯେଉଁ ଲାଭ ଓ ଲୋଭର ସାମ୍ରାଜ୍ୟ ପ୍ରତିଷ୍ଠା ହୋଇସାରିଛି, ତାହା ଲୋକବାଦୀଦଳ ମାନଙ୍କୁ ଅକାମୀ କରିସାରିଛି, ପ୍ରମୁଖ ପ୍ରଗତିଶୀଳ ଦଳମାନଙ୍କୁ ସ୍ଥାଣୁ କରିସାରିଛି, ନାଗରିକ ସମାଜକୁ ଅସ୍ଥିର କରିସାରିଛି ଏବଂ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟର ଭାବାବେଗକୁ ପ୍ରଭାବିତକରି ନିଜପ୍ରତି ଜନଗଣଙ୍କର ବୈଧତା ସୃଷ୍ଟିକରିବା କାମରେ ନିୟୋଜିତ କରିସାରିଛି । ଏହି ପ୍ରକ୍ରିୟାରେ ନିଜପାଇଁ କିଛି ଲାଭଯୋଗାଡ଼ କରିବାରେ ମଧ୍ୟବିତ୍ତଶ୍ରେଣୀ ମଧ୍ୟ ଲାଗିପଡ଼ିଛନ୍ତି । ଜନଗଣଙ୍କ ସହ ରହି ସେମାନେ ଭୋଗୁଥିବା ସମସ୍ୟାରେ ନିଜକୁ ସାମିଲ କରିବାଟା ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଏକ ପ୍ରତିବନ୍ଧକ ହିସାବରେ ଛିଡ଼ା ହୋଇପାରେ ବୋଲି ଏମାନେ ବୁଝିସାରିଛନ୍ତି । ବରଂ ସେମାନେ କମ୍ପାନୀ ମାନଙ୍କ ଅର୍ଥରେ ହୃଷ୍ଟପୁଷ୍ଟ ହେଉଥିବା ସାମ୍ପ୍ରଦାୟିକ ସଙ୍ଗଠନମାନଙ୍କର ନିରବ ସମର୍ଥକ ସାଜିବାଟା ଶ୍ରେୟସ୍କର ଭାବୁଛନ୍ତି ।

ସୁତରାଂ ଏପରି ଏକ ଜଟିଳ ସମୟରେ ଜଣେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ଜଣେ ମୁଖ୍ୟ ନ୍ୟାୟାଧୀଶ, ଜନଗଣ କାହାଠୁ କିଛି ଆଶା କରିବା ହୁଏତ ଅଧିକ ନିରାଶା ସୃଷ୍ଟି କରିବ । ବର୍ତ୍ତମାନର ପରିସ୍ଥିତିକୁ ବୁଝିବାରେ ଆମେ ବିଫଳ ହୋଇଛନ୍ତି କଥାଟିକୁ ମଧ୍ୟ ପ୍ରତିପାଦନ କରିବ । ବ୍ୟକ୍ତି ଜଣକ କେତେ ଭଲ ହୁଅନ୍ତୁ ବା କେତେ ଖରାପ; ସେ ଏହି ଲାଭତନ୍ତ୍ରର ସୁରକ୍ଷା ପାଇଁ ହିଁ କାମ କରିବେ । ଏହିଭଳି ସମୟରେ କିଭଳି ଏକ ବିକଳ୍ପ ଓ ବ୍ୟାପକ ସଙ୍ଗଠନ ଭିତ୍ତିଥାଇ ପ୍ରଗତିଶୀଳ ବିରୋଧିଦଳ ସମୂହ ନିର୍ମାଣ ହୋଇପାରିବ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହେବା କଥା । ପୁଣି ଏହିଥିପାଇଁ କିଭଳି ଏକ ସଙ୍ଗଠିତ ନାଗରିକ ସମାଜ ପ୍ରସ୍ତୁତ ହୋଇପାରିବ ଏବଂ କିଭଳି ଏକ ବ୍ୟାପକ ପହଞ୍ଚଥିବା ସ୍ୱାଧୀନ ଗଣମାଧ୍ୟମ ତିଆରି ହୋଇପାରିବ, ତାହାମଧ୍ୟ ଆମେ ଚିନ୍ତା କରିବା କଥା । ଏହି ସବୁ କାମପାଇଁ ଆମେ ନିଜେ କେତେ ଶ୍ରମ ଓ ସମୟ ନିଷ୍ଠାପର ଭାବେ ଦେଇପାରିବା, ତାହା ମଧ୍ୟ ଆମ ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ । ଆମେତ ଆମର ବିନମ୍ର ପ୍ରୟାସ ଜାରିରଖିଛୁ । ଆପଣ ଯଦି ଏହି ବାବଦରେ ଏଯାବତ୍ ଚିନ୍ତା କରିନାହାଁନ୍ତି, ଆଜି ହିଁ କରନ୍ତୁ କାରଣ ଆଗାମୀ କାଲିଟା ହୁଏତ ନଆସି ପାରେ!

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.