ନିକଟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟ ଦେଇଛନ୍ତି । ଭାରତୀୟ ଜେଲ ମାନଙ୍କରେ ସଂସ୍ଥାଗତ ଭାବେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଜାତିଗତ ବିଦ୍ୱେଷପୂର୍ଣ୍ଣ କାର୍ଯ୍ୟ ବିରୁଦ୍ଧରେ ନ୍ୟାୟାଳୟ ନିଜର ସ୍ପଷ୍ଟ ରାୟ ଦେଇ ତା’କୁ ସମାପ୍ତ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକପ୍ରିୟ ୱେବ୍ ପତ୍ରିକା “ଦି ୱାଇର୍”ର ସାମ୍ବାଦିକା ସୁକନ୍ୟା ଶାନ୍ତାଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଡ଼ି ୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ପ୍ରଥମେ ଏ ସମ୍ପର୍କରେ କେନ୍ଦ୍ର ସମେତ ୧୧ଟି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରୀ କରିଥିଲେ । ଗତ ଅକ୍ଟୋବର ତିନି ତାରିଖରେ ଏହାର ବିଚାର କରି ସୁପ୍ରିମକୋର୍ଟ ଜେଲରେ ଚାଲିଥିବା ଜାତିର ଆଧାରରେ କାମ ବା ଶ୍ରମର ବିଭାଜନ ନିଚ୍ଛକ ଜାତିବାଦୀ ଭେଦଭାବ ଅଟେ ଯାହାକି ସମ୍ବିଧାନର ଧାରା-୧୪ ଓ ଧାରା -୧୫ର ଖୋଲାଖୋଲି ଉଲଂଘନ ବୋଲି କହିଛନ୍ତି । ଏହାଛଡ଼ା କୋର୍ଟ ଦେଶର ବିଭିନ୍ନ ରାଜ୍ୟର ଜେଲ୍ ମ୍ୟାନୁଏଲ ମାନଙ୍କରେ ରହିଥିବା ଜାତି ଆଧାରିତ ଭେଦଭାବକୁ ମଧ୍ୟ ଅସାମ୍ବିଧାନିକ ବୋଲି କହିବା ସହ ଆସନ୍ତା ତିନିମାସ ମଧ୍ୟରେ ସେସବୁକୁ ସଂଶୋଧନ କରି ତାକୁ ଭେଦଭାବରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଜାତି ଆଧାରିତ ଭେଦଭାବକୁ ସ୍ୱୀକୃତି ଦେଉଥିବାରୁ କୋର୍ଟ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଦୁଇଟି ନମୂନା ଜେଲ୍ ମ୍ୟାନୁଏଲରେ ମଧ୍ୟ ଆବଶ୍ୟକୀୟ ସଂଶୋଧନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଜାରୀ କରିଛନ୍ତି ।
ଏହା ସତ ଯେ ଆମର ପୋଲିସ ବ୍ୟବସ୍ଥା ପରି ବ୍ରିଟିଶ ଔପନିବେଶିକ ଶାସକମାନଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ଆସିଥିବା ଜେଲ୍ ବ୍ୟବସ୍ଥାଟି ମଧ୍ୟ ଆଜି ବି ଔପନିବେଶିକ ମାନସିକତାରୁ ମୁକ୍ତ ହୋଇପାରିନି । ବ୍ରିଟିଶ ଶାସନ କାଳରୁ ଭାରତର ଜେଲ୍ ଭିତରେ ଚାଲି ଆସିଥିବା ଅନେକଗୁଡ଼ିଏ ଅଗଣତାନ୍ତ୍ରିକ ଓ ଦମନକାରୀ ନିୟମ ଓ କାର୍ଯ୍ୟଧାରା ଏବେ ବି ଅବ୍ୟାହତ ରହିଛି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜେଲକୁ ଏକ ସୁଧାର ଗୃହ ଭାବେ ବିଚାର କରାଯାଉଥିବାରୁ ସେ ଭିତରେ ରହୁଥିବା ଅନ୍ତେଃବାସୀଙ୍କ ପ୍ରତି ରାଷ୍ଟ୍ର ପକ୍ଷରୁ ମାନବୀୟ ଓ ସମ୍ମାନଜନକ ବ୍ୟବହାର ପ୍ରଦର୍ଶନ କରିବା ଦରକାର ଥିବାବେଳେ ବର୍ଷ ବର୍ଷ ଭଳି ଜେଲ୍ କର୍ତ୍ତୃପକ୍ଷଙ୍କ ସେମାନଙ୍କ ପ୍ରତି ଦମନକାରୀ ବ୍ୟବହାର ଓ ନିୟମ କାନୁନ୍ ସବୁ ଏହାକୁ ଏକ ଯାତନା ଗୃହରେ ପରିଣତ କରିଆସିଛି । ଜେଲର ଅନ୍ତେଃବାସୀଙ୍କ ଅଧିକାରକୁ ସଙ୍କୁଚିତ କରିବା, ସେମାନଙ୍କ ପ୍ରତି ଅପମାନଜନକ ବ୍ୟବହାର ତଥା ନିମ୍ନମାନର ଖାଦ୍ୟ ଓ ସ୍ୱାସ୍ଥ୍ୟସେବା କାରଣରୁ ପ୍ରତିବର୍ଷ ଅଧିକରୁ ଅଧିକ ଅନ୍ତେଃବାସୀ ଅସମୟରେ ମୃତ୍ୟୁବରଣ ଅଥବା ଆତ୍ମହତ୍ୟା କରିବା ଦେଖାଯାଇଛି । ଏହାଛଡ଼ା ଜେଲ ଭିତରେ ଅନ୍ତେଃବାସୀଙ୍କ ଉପରେ ଜେଲ କର୍ତ୍ତୃପକ୍ଷଙ୍କ ଶାରୀରିକ ଓ ମାନସିକ ପ୍ରତାଡ଼ନା ଏକ ସାଧାରଣ କଥା ହୋଇଯାଇଛି । ଉପରୋକ୍ତ କାରଣରୁ ଦେଶରେ ପୋଲିସ ବ୍ୟବସ୍ଥା ପରି ଜେଲ ବ୍ୟବସ୍ଥାରେ ମଧ୍ୟ ସଂସ୍କାର ଆଣିବାପାଇଁ ବାରମ୍ବାର ବିଭିନ୍ନ ମହଲରୁ ଦାବି ହୋଇ ଆସିଛି । ସୁପ୍ରିମକୋର୍ଟର ସଦ୍ୟତମ ଆଦେଶ ଜେଲରେ ଆବଶ୍ୟକ ଥିବା ବହୁ ପ୍ରତୀକ୍ଷିତ ସଂସ୍କାର ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି କୁହାଯାଇପାରେ । ଏହାଦ୍ୱାରା କମ୍ ସେ କମ୍ ଜେଲ ପରିଚାଳନାରେ ଆନୁଷ୍ଠାନିକ ଭାବେ ଜାତିବାଦର ଯେଉଁ ପ୍ରଭାବ ରହିଛି, ତାହା ଅନେକ ପରିମାଣରେ ସମାପ୍ତ ହେବ ବୋଲି ଆଶା କରାଯାଉଛି ।
ଜେଲ ଭିତରେ ଜାତି ଆଧାରିତ ଭେଦଭାବ ନେଇ ସୁପ୍ରିମକୋର୍ଟ ଯେଉଁ ଐତିହାସିକ ରାୟ ଦେଇଛନ୍ତି, ତା’ରି ପଛରେ ସାମ୍ବାଦିକା ସୁକନ୍ୟା ଶାନ୍ତାଙ୍କ ଏକ ବଡ଼ ଭୂମିକା ରହିଛି, ଯାହାକୁ ଖୋଦ୍ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି । ସେ ଏ ସମ୍ପର୍କରେ ବ୍ୟାପକ ଅନୁସନ୍ଧାନ କରିବା ସହିତ ତଥ୍ୟର ଆଧାରରେ ତାକୁ ‘ଦି ୱାଇର୍’ର ୱେବସାଇଟରେ ଧାରାବାହିକ ଭାବେ ଲେଖିଥିଲେ । ସେଥିରେ ସେ ଦେଶର ୧୧ଟି ରାଜ୍ୟର ଜେଲମାନଙ୍କରେ ଚାଲିଥିବା ଅଗଣତାନ୍ତ୍ରିକ ଓ ଅମାନବୀୟ ପରମ୍ପରାର ପର୍ଦ୍ଦାଫାଶ କରିବା ସହିତ ଜେଲମାନଙ୍କ ପରିଚାଳନାରେ କିଭଳି ମନୁବାଦୀ ବିଚାରର ଆଧିପତ୍ୟ ଆଜି ମଧ୍ୟ ରହିଛି, ତା’ର ଉଲ୍ଲେଖ କରିଥିଲେ । ତାଙ୍କ ରିପୋର୍ଟରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଜଣାପଡ଼ିଥିଲା ଯେ ଦେଶର ଜେଲମାନଙ୍କରେ ଜାତି ଆଧାରରେ ଚାଲି ଆସିଥିବା ଏହି ଭେଦଭାବ ଓ କାମର ବଣ୍ଟନଟି କେବଳ ଅନୌପଚାରିକ ଭାବେ ନୁହେଁ; ବରଂ ଜେଲର ପରିଚାଳନା ପାଇଁ ରହିଥିବା ଖୋଦ୍ ସରକାରଙ୍କ ଜେଲ ମ୍ୟାନୁଏଲରେ ଆନୁଷ୍ଠାନିକ ଭାବେ ରହିଛି । ଏହାର ଅର୍ଥ ହେଲା, ସରକାର ଆନୁଷ୍ଠାନିକ ଭାବେ ଜାତିଗତ ଭେଦଭାବକୁ ସ୍ୱୀକୃତି ଦେବା ସହ ତାକୁ ଲାଗୁ ମଧ୍ୟ କରୁଛନ୍ତି ।
ସୁକନ୍ୟାଙ୍କ ରିପୋର୍ଟରେ ଦେଶର ଜେଲମାନଙ୍କରେ ରହିଥିବା ଭେଦଭାବର ଭୟାନକ ଚିତ୍ର ଦେଖିବାକୁ ମିଳେ । ଜେଲ ଭିତରେ ଅନ୍ତେଃବାସୀଙ୍କ ଭିତରେ ଶ୍ରେଣୀ ଓ ରାଜନୈତିକ ପ୍ରଭାବର ଆଧାରରେ ସୁବିଧାର ଉପଲବ୍ଧତା ତ ସମସ୍ତେ ଜାଣନ୍ତି । କିନ୍ତୁ ତାହା ବ୍ୟତୀତ ବି ଜେଲମାନଙ୍କରେ ଆହୁରି ଅନେକ ପ୍ରକାରର ଭେଦଭାବ ରହିଛି ତାହା ସାମ୍ନାକୁ ଆସିଛି । ଜାତି, ସମ୍ପ୍ରଦାୟର ଆଧାରରେ ଏଭଳି ଭେଦଭାବଟି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ । କେରଳ ପରି ରାଜ୍ୟରେ ଜେଲର ଅନ୍ତେଃବାସୀଙ୍କ ମଧ୍ୟରେ ଅଭ୍ୟାସଗତ ଅପରାଧି ରୂପେ ପରିଚିତ ବ୍ୟକ୍ତିମାନଙ୍କୁ ଅଲଗା ସେଲ୍ରେ ରଖାଯାଉଥିବା ବେଳେ ତାମିଲନାଡ଼ୁର ଜେଲମାନଙ୍କରେ ଭିନ୍ନ ଭିନ୍ନ ଜାତିର ଅନ୍ତେଃବାସୀଙ୍କ ପାଇଁ ଭିନ୍ନ ଭିନ୍ନ ସେଲ୍ ଆବଣ୍ଟିତ ହୋଇଛି । ପଶ୍ଚିମବଙ୍ଗ ପରି କିଛି ରାଜ୍ୟରେ ବ୍ରିଟିଶ ସମୟରୁ ଅପରାଧିକ ଜାତି (Criminal Tribe) ବୋଲି ଚିହ୍ନିତ କିଛି ସମ୍ପ୍ରଦାୟକୁ ପୂର୍ବାଗ୍ରହ ନେଇ ଅପମାନଜନକ ବ୍ୟବହାର ପ୍ରଦର୍ଶନ କରାଯିବା ସହ ସ୍ଥଳବିଶେଷରେ ସେମାନଙ୍କୁ ଅଲଗା ସେଲରେ ବି ରଖାଯାଉଥିବା ଦେଖିବାକୁ ମିଳିଛି । ତେବେ ସବୁଠାରୁ ବିପଜ୍ଜନକ ହେଲା, ଜାତିର ଆଧାରରେ ଅନ୍ତେଃବାସୀମାନଙ୍କୁ ବିଚାର କରାଯିବା । ତେବେ ଏହା କୌଣସି ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ଦେଶର ପ୍ରାୟ ସବୁ ଜେଲ୍ରେ ରହିଛି । ଅନ୍ତେଃବାସୀଙ୍କ ଜେଲରେ ପ୍ରବେଶ ସମୟରେ ସେମାନଙ୍କ ଜାତିର ପରିଚୟକୁ ରେଜିଷ୍ଟାରରେ ଉଲ୍ଲେଖ କରାଯିବା ସହ ସେମାନଙ୍କ ମଧ୍ୟରେ ଜାତିର ଆଧାରରେ କାମ ବା ଶ୍ରମର ବଣ୍ଟନ ଏବଂ ଜାତିର ଆଧାରରେ ସେମାନଙ୍କୁ ସୁବିଧା ସୁଯୋଗର ଉପଲବ୍ଧ କରାଯିବା ।
ସମାଜରେ ରହିଥିବା ଜାତିବ୍ୟବସ୍ଥାର ପ୍ରତିଫଳନଟି ଜେଲ ଭିତରେ ବି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ । ଯେଉଁ ଅନ୍ତେଃବାସୀମାନେ ଉଚ୍ଚଜାତି ବିଶେଷ କରି ବ୍ରାହ୍ମଣ ସମ୍ପ୍ରଦାୟର ଅଟନ୍ତି, ସେମାନଙ୍କୁ ସାଧାରଣତଃ ଖାଦ୍ୟ ରାନ୍ଧିବା, ହିସାବ ରଖିବା ଏବଂ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ଦାୟିତ୍ୱ ଦିଆଯାଉଥିବା ବେଳେ ପଛୁଆବର୍ଗ ଓ ଅନୁସୂଚିତ ଜାତି ତଥା ଜନଜାତିର ଅନ୍ତେବାସୀଙ୍କୁ ଅଧିକ କଷ୍ଟସାପେକ୍ଷ ଓ ତଳିଆ ରୂପେ ପରିଚିତ କାମରେ ନିୟୋଜିତ କରାଯାଇଥାଏ । ଯେଉଁମାନେ ବାରିକ ବା ନାପିତ ଜାତିରୁ ଆସିଛନ୍ତି, ସେମାନଙ୍କୁ ଜେଲ ଭିତରେ ଚୁଟି କାଟିବା ଓ ଖିଅର କରିବା କାମରେ ଲଗାଯାଉଥିବା ବେଳେ ଯେଉଁମାନେ ରଜକ ସମ୍ପ୍ରଦାୟର ଅଟନ୍ତି ସେମାନଙ୍କୁ ଲୁଗାସଫା କରିବାକୁ ବାଧ୍ୟ କରାଯାଇଥାଏ । ସବୁଠାରୁ ଲଜ୍ଜାଜନକ ହେଲା, ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମାଜର ଅନୁସୂଚିତ ଜାତିର ଅନ୍ୟ ଅନ୍ତେବାସୀଙ୍କୁ ଝାଡ଼ୁ ମାରିବା, ପାଇଖାନା ସଫା କରିବା ଏବଂ ନର୍ଦ୍ଦମା ସଫା କରିବାଭଳି କାମ କରିବାକୁ ବାଧ୍ୟ କରାଯାଇଥାଏ । ଜାତିର ଆଧାରରେ କାହା ପ୍ରତି ଏଭଳି ଭେଦଭାବ କରିବା ଏବଂ ସେମାନଙ୍କୁ ନିଜର ଜାତି ଆଧାରିତ କାମ କରିବାକୁ ବାଧ୍ୟ କରିବା ଉଭୟ ମାନବିକତା, ଆତ୍ମସମ୍ମାନ ଓ ସମ୍ବିଧାନର ମୌଳିକ ଅଧିକାରର ଉଲଂଘନ ଅଟେ । ଦେଶର ଆଇନ ଅନୁଯାୟୀ ଏହା ନିଶ୍ଚିତ ଭାବେ ଏକ ଦଣ୍ଡନୀୟ ଅପରାଧ ।
ସବୁଠାରୁ ଲଜ୍ଜାଜନକ କଥା ହେଲା, ଜେଲ ଭିତରେ ଚାଲି ଆସିଥିବା ଏଭଳି ଜାତିବାଦୀ ଆଚରଣ କୌଣସି ଅଧିକାରୀଙ୍କ ବ୍ୟକ୍ତିଗତ ବିଚାରରୁ ନୁହେଁ ବରଂ ସଂସ୍ଥାଗତ ରୂପରେ ରହିଛି । ଜେଲର ପରିଚାଳନା ପାଇଁ ସରକାରଙ୍କ ଦ୍ୱାରା ତିଆରି ଜେଲ୍ ମ୍ୟାନୁଅଲରେ ଏଭଳି ଜାତିଗତ ଭେଦଭାବ ବା ଜାତି ଆଧାରିତ କାମ ବଣ୍ଟନକୁ ବିଧିବଦ୍ଧଭାବେ ସ୍ଥାନ ଦେଇ ଜାତିବାଦକୁ ଆନୁଷ୍ଠାନିକତା ପ୍ରଦାନ କରାଯାଇଛି । ପଞ୍ଜାବ ଓ ହରିଆନାର ଜେଲ୍ ମ୍ୟାନୁଏଲରେ ଝାଡ଼ୁଦାର, ବାରିକ, ରୋଷେୟା ଆଦି ପଦବୀ ପାଇଁ ଅନ୍ତେଃବାସୀଙ୍କ ମଧ୍ୟରେ ଥିବା ସମ୍ପୃକ୍ତ ଜାତିରୁ ବାଛି ନିୟୋଜିତ କରିବାକୁ ଏବଂ ସେଭଳି ଜାତିର ପ୍ରାର୍ଥୀ ନମିଳିଲେ ନିକଟବର୍ତ୍ତୀ ଜେଲରୁ ସେଭଳି ଜାତିର ଲୋକକୁ ଆଣିବାକୁ କୁହାଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜେଲ୍ରେ ଥିବା ବିଚାରାଧୀନ ବନ୍ଦୀମାନଙ୍କୁ ଏଭଳି କାମରେ ନିୟୋଜିତ କରିବାକୁ ବାରଣ ଥିବା ସତ୍ତ୍ୱେ ଜେଲ୍ କର୍ତ୍ତୃପକ୍ଷ ବିନା ଦ୍ୱିଧାରେ ସେମାନଙ୍କୁ କାମରେ ନିୟୋଜିତ କରୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ରହିଥିବା ଜେଲ୍ ମ୍ୟାନୁଅଲ୍ ସବୁ ବ୍ରିଟିଶ ଶାସକମାନଙ୍କ ଦ୍ୱାରା ପ୍ରଣିତ ‘ଦି ପ୍ରିଜନ୍ ଆକ୍ଟ୍ – ୧୮୯୪’ର ଆଧାରରେ ପ୍ରସ୍ତୁତ ହୋଇଛି । ଔପନିବେଶିକ ଶାସନ କାଳରୁ ହିଁ ସରକାର ଜେଲ୍ ଭିତରେ ବିଭିନ୍ନ ସେବାପାଇଁ ବିଧିବଦ୍ଧ ଭାବେ କର୍ମଚାରୀ ନିଯୁକ୍ତ କରିବା ପରିବର୍ତ୍ତେ ଏଭଳି ଜାତିଗତ ଶ୍ରମ ବିଭାଜନ ଜରିଆରେ ଅନ୍ତେବାସୀଙ୍କ ଅତିରିକ୍ତ ଶ୍ରମକୁ ଶୋଷଣ କରି ଆସିଛନ୍ତି । ତେବେ ଦୁର୍ଭାଗ୍ୟଜନକ ହେଲା, ଜେଲ ଭିତରେ ବ୍ରିଟିଶ ଶାସକମାନଙ୍କ ଏଭଳି ଜାତି ଆଧାରିତ କାର୍ଯ୍ୟ ବିଭାଜନ ଓ ଶ୍ରମ ଶୋଷଣର ଔପନିବେଶିକ ପରମ୍ପରାକୁ ଦେଶ ସ୍ୱାଧୀନ ହେବା ପରେ ବି ଆମର ଶାସକମାନେ ନିଜର ସ୍ୱାର୍ଥ ଦୃଷ୍ଟିରୁ ଅବ୍ୟାହତ ରଖିଛନ୍ତି ।
ଜେଲ ବ୍ୟବସ୍ଥାରେ ସଂସ୍କାର ଆଣିବା ନାଁରେ କେନ୍ଦ୍ର ସରକାର ୨୦୧୬ ମସିହାରେ ନମୂନା ଜେଲ୍ ମ୍ୟାନୁଏଲ (Model Prison Manual-୨୦୧୬) ଏବଂ ୨୦୨୩ ମସିହାରେ ନମୂନା କାରାଗାର ଓ ସୁଧାର ସେବା ଆଇନ (The Model Prisons and Correctional Services Act, 2023 ) ଆଣିଥିଲେ । ଜେଲ ସଂସ୍କାର ପାଇଁ କାର୍ଯ୍ୟରତ ବିଭିନ୍ନ ସଂସ୍ଥା ଓ ସରକାରଙ୍କ ବିଭିନ୍ନ କମିଟିର ସୁପାରିଶ ଫଳରେ ତଥା ମାନବିକ ଅଧିକାର ଓ ସାମ୍ବିଧାନିକ ବ୍ୟବସ୍ଥାର ଆଧାରରେ ଏସବୁ ମ୍ୟାନୁଏଲ୍ ଅଣା ଯାଇଥିଲା । ପୋଲିସ ବିକାଶ ଓ ଗବେଷଣା ବ୍ୟୁରୋ (BPRD) ଦ୍ୱାରା ପ୍ରସ୍ତୁତ ଏହି ନମୂନା ଜେଲ୍ ମ୍ୟାନୁଅଲ୍ଟି ଆନ୍ତର୍ଜାତୀୟ ମାନର ଏବଂ ମିଳିତ ଜାତିସଂଘ ଦ୍ୱାରା ପ୍ରସ୍ତୁତ ଦୁଇଟି ନିୟମର ଆଧାରରେ ତିଆରି ହୋଇଥିବା ଦାବି କରାଯାଉଛି । ପରନ୍ତୁ ମିଳିତ ଜାତିସଂଘ ଦ୍ୱାରା ପ୍ରସ୍ତୁତ ଦୁଇଟି ନିୟମ ଯଥା ମହିଳା ବନ୍ଦୀମାନଙ୍କ ପ୍ରତି ଆଚରଣ ସଂକ୍ରାନ୍ତୀୟ ମିଳିତ ଜାତିସଂଘର ନିୟମ (ବ୍ୟାଙ୍କକ୍ ନିୟମ) ଓ ବନ୍ଦୀମାନଙ୍କ ପ୍ରତି ଆଚରଣ ସଂକ୍ରାନ୍ତୀୟ ମିଳିତ ଜାତିସଂଘର ନିୟମ (ମାଣ୍ଡେଲା ନିୟମ) ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା, ରାଜନୈତିକ ବିଚାର, ଜାତି ଓ ସାମାଜିକ ମୂଳ, ସମ୍ପତ୍ତି, ଜନ୍ମ ତଥା ଅନ୍ୟ ଯେକୌଣସି ସ୍ଥିତିର ଆଧାରରେ ବାଛ ବିଚାର କରୁଥିବା ସମସ୍ତ ପ୍ରକାର ନିୟମ ବା ପରମ୍ପରାକୁ ନିଷିଦ୍ଧ କରିବାକୁ କହୁଥିବାବେଳେ କେନ୍ଦ୍ରର ନମୂନା ଜେଲ୍ ମ୍ୟାନୁଅଲ୍-୨୦୧୬ ଜାତିଗତ ଭେଦଭାବକୁ ସ୍ୱୀକୃତି ଦେଉଛି । ନମୂନା ଜେଲ୍ ମ୍ୟାନୁଏଲ୍ ପ୍ରସ୍ତୁତ କରାଯିବାବେଳେ ବର୍ତ୍ତମାନର ମ୍ୟାନୁଏଲରେ ରହିଥିବା ଜାତିଗତ ଓ ଅନ୍ୟାନ୍ୟ ଭେଦଭାବର ବ୍ୟବସ୍ଥାଟିକୁ ଅଣଦେଖା କରି ଦିଆଯାଇଛି । ତେବେ ସୁପ୍ରିମକୋର୍ଟ ନିଜର ନିର୍ଦ୍ଦେଶକୁ ଲାଗୁ କରିବାକୁ ବିଧିବଦ୍ଧ ବ୍ୟବସ୍ଥାର ଉଲ୍ଲେଖ କରିଛନ୍ତି । ସର୍ବପ୍ରଥମେ ଜେଲରେ ରଖାଯାଇଥିବା ପଞ୍ଜିକରଣ ରେଜିଷ୍ଟାରରୁ ଜାତି ସ୍ତମ୍ଭଟିକୁ ହଟେଇବାକୁ ତଥା ଡିନୋଟିଫାଇଡ଼୍ ଟ୍ରାଇବ୍ ଭାବେ ପରିଚୟ ସମ୍ପ୍ରଦାୟମାନଙ୍କୁ ‘ଅଭ୍ୟାସଗତ ଆଇନ୍ ଭଙ୍ଗକାରୀ’ ଅଥବା ‘ଜନ୍ମଜାତ ଅପରାଧି’ ରୂପେ ବର୍ଣ୍ଣନା କରିବାକୁ ନିଷିଦ୍ଧ କରିଛନ୍ତି । ରାଷ୍ଟ୍ରଦ୍ୱାରା କରାଯାଉଥିବା ଏଭଳି ଭେଦଭାବଗୁଡ଼ିକ ଅତ୍ୟନ୍ତ ନିକୃଷ୍ଟତର ଶ୍ରେଣୀର ଭେଦଭାବ ଏବଂ ସାମ୍ବିଧାନିକ ଅଧିକାରକୁ ହତ୍ୟା କରୁଛି ବୋଲି କହିଛନ୍ତି । ଯଦିଓ ଦେଶର ଅପରାଧିକ ଆଇନ ଓ ନିୟମ ସବୁ ଔପନିବେଶିକ କାଳରେ ତିଆରି ହୋଇଛି କିନ୍ତୁ ଜାତିଗତ ଭେଦଭାବ ସୃଷ୍ଟି କରୁଥିବା ଦୃଷ୍ଟିଭଙ୍ଗୀଟି ଔପନିବେଶିକ କାଳଠାରୁ ବି ବହୁତ ପୁରୁଣା ଅଟେ ଏବଂ ଉଚ୍ଚନୀଚର ସ୍ତରର ଆଧାରରେ ସୃଷ୍ଟି ହୋଇଥିବା ଉପରୋକ୍ତ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଜରୁରୀ ବୋଲି କୋର୍ଟ କହିଛନ୍ତି । ବ୍ରିଟିଶ ଉପନିବେଶବାଦୀମାନେ ଜେଲ୍ ଭିତରେ ଚାଲିଥିବା ଜାତି ଆଧାରିତ ଭେଦଭାବକୁ ସମାପ୍ତ କରିବାକୁ କୌଣସି ହସ୍ତକ୍ଷେପ କରିନଥିଲେ ବୋଲି ବର୍ତ୍ତମାନ ତା’କୁ ଅବ୍ୟାହତ ରଖାଯାଇନପାରେ ।
ସୁପ୍ରିମକୋର୍ଟଙ୍କ ମତରେ ସମ୍ବିଧାନର ଧାରା-୨୧ ଅନୁଯାୟୀ ଜଣେ ବ୍ୟକ୍ତି ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଯେଉଁ ଅଧିକାର ଦିଆଯାଇଛି ସେଥିରେ ଜାତିଗତ ପ୍ରତିବନ୍ଧକକୁ ଅତିକ୍ରମ କରିବାର ଅଧିକାର ସାମିଲ ଅଛି । ଏହାସହିତ ଏହି ଧାରାରେ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶକୁ ବି ମାନ୍ୟତା ଦେଉଛି । ଏହି ହିସାବରେ ଜାତିର ପ୍ରତିବନ୍ଧକକୁ ଅତିକ୍ରମ କରିବାର ଅଧିକାର ଜଣେ ନାଗରିକର ବଂଚିବାର ଅଧିକାରର ଅଂଶବିଶେଷ ଅଟେ ।
ଜେଲ୍ ପରିଚାଳନାରେ ଏଭଳି ମନୁବାଦୀ ବିଚାର ବର୍ଷ ବର୍ଷ ଧରି ଆଧିପତ୍ୟ ବିସ୍ତାର କରି ରହିଥିବା ସତ୍ତ୍ୱେ ସେ ସମ୍ପର୍କରେ କୌଣସି ସଂଗଠନ କିମ୍ବା ରାଜନୈତିକ ଦଳର ଏଯାଏଁ ଦୃଷ୍ଟିଗୋଚର ନହେବା ଆଶ୍ଚର୍ଯ୍ୟଜନକ । ବିଶେଷ କରି ଜେଲକୁ ଯାଉଥିବା ଅନ୍ତେବାସୀମାନଙ୍କ ମଧ୍ୟରେ ଅଧିକାଂଶ ସମାଜର ବଂଚିତ ଗୋଷ୍ଠୀ ଭାବେ ପରିଚିତ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ତଥା ସେମାନେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ରହିଥିବାରୁ ଜେଲ୍ ଭିତରେ ନିଜର ଅଧିକାର ସମ୍ପର୍କରେ ପ୍ରାୟତଃ ସଚେତନ ନୁଁହନ୍ତି । ୨୦୨୧ମସିହାରେ ଦେଶର ଜେଲମାନଙ୍କରେ ରହିଥିବା ୫,୫୪,୦୩୪ଜଣ ବନ୍ଦୀଙ୍କ ମଧ୍ୟରୁ ୩,୭୩,୩୩୭ ଜଣ ୬୭.୫% ଆଦିବାସୀ, ଦଳିତ ଓ ପଛୁଆବର୍ଗର ଅଟନ୍ତି । ଏହା ବ୍ୟତୀତ ଅଧିକାଂଶ ଅନ୍ତେବାସୀଙ୍କ ଅବଚେତନରେ ସାଧାରଣତଃ ଏକ ପ୍ରକାରର ଅପରାଧବୋଧତା ରହୁଥିବାରୁ ସେମାନେ ଜେଲ ଭିତରେ ନିଜର ଅଧିକାରକୁ ହାସଲ କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ନିଜକୁ ଜେଲକର୍ତ୍ତୃପକ୍ଷଙ୍କ ଦୟାର ପାତ୍ର ବୋଲି ଭାବି ନେଇଥାନ୍ତି । ଜେଲ୍ ମ୍ୟାନୁଅଲରେ ଜଣେ ଅନ୍ତେଃବାସୀର କ’ଣ କ’ଣ ଅଧିକାର ରହିଛି ସେ ବିଷୟରେ ନା ସେମାନେ ସଚେତନ ଥାଆନ୍ତି ନା ସରକାରଙ୍କ ପକ୍ଷରୁ ଜେଲ୍ କର୍ତ୍ତୃପକ୍ଷ ସେମାନଙ୍କୁ ସେନେଇ କୌଣସି ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଥାନ୍ତି ।
ବିଳମ୍ବରେ ହେଲେ ବି ଦେଶର ଜେଲ୍ ଭିତରେ ରହିଥିବା ଘୃଣ୍ୟ ଜାତିବାଦୀ ପରମ୍ପରା ଓ ଭେଦଭାବର ସମାପ୍ତି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସ୍ୱାଗତଯୋଗ୍ୟ । ସରକାର କୋର୍ଟର ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରି ଦଶକ ଦଶକ ଧରି ରହି ଆସିଥିବା ଉପରୋକ୍ତ ଘୃଣ୍ୟ ପରମ୍ପରାକୁ ସମାପ୍ତ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବେ ବୋଲି ଆଶା ।
Comments
0 comments