ଆଜିର ଓଡ଼ିଶା ପରିବର୍ତ୍ତନର ରାଜରାସ୍ତାରେ । ଖଣି, କାରଖାନା ଓ ସହରୀକରଣ ଭିତରେ ବଦଳି ଯାଉଛି ଓଡ଼ିଶାର ପୃଷ୍ଠଭୂମି । ଏଇ ବଦଳି ଯାଉଥିବା ଓଡ଼ିଶାର କାହାଣୀ କେବଳ ପ୍ରଗତିର ନୁହେଁ, ତା’ ସହିତ ଉପେକ୍ଷା, ଉତ୍ପୀଡ଼ନ ଓ ଅବିଚାରର କାହାଣୀ ମଧ୍ୟ । ପ୍ରଜାକୋର୍ଟ ଉପନ୍ୟାସ ସେଇ ଓଡ଼ିଶାର କାହାଣୀ କୁହେ, ଯୋଉଠି ବିକାଶ ଓ ବିନାଶ ଏକାଠି ଥାଆନ୍ତି । ସେଇମାନଙ୍କର କାହାଣୀ କୁହେ, ଯୋଉମାନଙ୍କ ପାଇଁ ବିକାଶ ଏକ ଅଭିଶାପ ହେଇଆସେ । ସାହିତ୍ୟ ସମାଜର ଦର୍ପଣ । କିନ୍ତୁ ସାହିତ୍ୟ ଭିତରେ ଭବିଷ୍ୟତ ସମାଜପାଇଁ ସ୍ୱପ୍ନ ବି ଥାଏ । ଯେହେତୁ ସାହିତ୍ୟ ଲେଖୁଥିବା ଓ ପଢ଼ୁଥିବା ଅଧିକାଂଶ ଲୋକ ମଧ୍ୟବିତ୍ତ ଶ୍ରେଣୀର, ତେଣୁ ସାହିତ୍ୟରେ ମଧ୍ୟବିତ୍ତ ଜୀବନର ଛବି ବେଶୀ ଦେଖାଯାଏ । କେବେ କେମିତି ‘ଅମୃତର ସନ୍ତାନ’, ‘ପରଜା’ କି ‘ସୁନାପୁଟର ଲୋକେ’ ସାହିତ୍ୟର ଦର୍ପଣରେ ଦେଖାଯାନ୍ତି । ସେଇଧାରାରେ ପ୍ରଜାକୋର୍ଟ ଉପନ୍ୟାସ ସୀମାନ୍ତରିତ ବର୍ଗର କାହାଣୀ କୁହେ । ସାମାଜିକ ବାସ୍ତବତାର ଛବି ଆଙ୍କେ ।
ପ୍ରଜାକୋର୍ଟ ପୁସ୍ତକଟି ଲେଖିକା ସୁଜାତା ମହାପାତ୍ରଙ୍କର ପ୍ରଥମ ଉପନ୍ୟାସ । ଉପନ୍ୟାସଟିରେ ଲେଖିକା ଆଦିବାସୀ ଜୀବନଶୈଳୀ ସହିତ ଯୋଡ଼ିହୋଇ ରହିଥିବା ପାହାଡ଼, ଜଙ୍ଗଲ, ଝରଣା କଥା କହିଛନ୍ତି । ଏଥିସହିତ ସେ ସେହି ଜମି, ଜଙ୍ଗଲର ସୁରକ୍ଷାଲାଗି ଲଢ଼େଇ କରୁଥିବା ଆଦିବାସୀମାନଙ୍କର ବାସ୍ତବିକତାକୁ ସମ୍ବେଦନଶୀଳତା ସହ ନିରେଖି ଦେଖିଛନ୍ତି । ବିକାଶ ନାଁରେ ସରକାର କମ୍ପାନୀ ହାତକୁ ଟେକି ଦେଉଥିବା ପ୍ରାକୃତିକ ସମ୍ପଦ, ବିସ୍ଥାପନର ପ୍ରକ୍ରିୟା ଓ ଆଦିବାସୀମାନଙ୍କ ସଂଘର୍ଷର ଏହା ଏକ ଜ୍ୱଳନ୍ତ ଉପସ୍ଥାପନା । ବିକାଶ ନାଁରେ ଯେତେବେଳେ ପ୍ରକୃତିକୁ/ପରିବେଶକୁ ଧ୍ୱଂସ କରାଯାଏ ସେତେବେଳେ ବିନାଶ ବନାମ ବିକାଶର ଦ୍ୱନ୍ଦ୍ୱ ପୁଣି ଥରେ ସାମ୍ନାକୁ ଆସେ । ପ୍ରକୃତିଘେରରେ ରହିଥିବା ଏହି ଆଦିବାସୀକୁ ଯେତେବେଳେ ବିସ୍ଥାପିତ ହେବାକୁ ପଡ଼େ ସେତେବେଳେ ସେ ପ୍ରଶ୍ନକରେ ଏ ଯୋଜନା ଓ ବିକାଶ କାହାପାଇଁ? ବିକାଶର ସଂଜ୍ଞା କଣ? ଏ ପ୍ରଶ୍ନ ମୁଖ୍ୟଧାରାର ଚିନ୍ତା ଓ ଚେତନାକୁ ଦୋହଲାଇ ଦିଏ । ସେଥିପାଇଁ ହୁଏତ ସେ ଉତ୍ତରରେ ପାଏ ଗୁଳିମାଡ଼ ଓ ମୃତଦେହ ।
ଉପନ୍ୟାସଟି ଆରମ୍ଭ ହୁଏ ବିଧବା କୁଆଁରୀମୁଣ୍ଡାର କାହାଣୀରୁ । ଅନେକଦିନରୁ ସେ ନିଜଭିତରେ ଚାପି ଧରିଛି ତା’ର କ୍ରୋଧ ଓ ଦୁଃଖ । ଯେଉଁଦିନ ତାର ସ୍ୱାମୀ ସୁଦୃ ମୁଣ୍ଡା ଓ ଅନ୍ୟ ବାରଜଣଙ୍କୁ ପୋଲିସ ଅତି ନିର୍ମମଭାବରେ ହତ୍ୟାକରି ଶବର ବିଭିନ୍ନ ଅଙ୍ଗକୁ ଖଣ୍ଡବିଖଣ୍ଡିତ କରିଥିଲା, ସେ ଦିନଠୁଁ ବଦଳି ଯାଇଥିଲା କୁଆଁରୀର ଜୀବନ । କିନ୍ତୁ ଆଜି ତାର ପୁଅ ଯେତେବେଳେ କମ୍ପାନୀରେ ହେଲ୍ପର କାମକରି ପ୍ରଥମ ଦରମା ପାଇଆସିଛି, ସେତେବେଳେ ତା’ର ପୁରୁଣା ଦିନ ସବୁ ପୁଣିଥରେ ମନେପଡୁଛି । ତାର ସଂଘର୍ଷ ଆରମ୍ଭ ହୋଇଥିଲା ସେହିଦିନ, ଯେଉଁଦିନ ସେ କଳିଙ୍ଗଘାଟିରେ ସୁଦୃମୁଣ୍ଡା ଓ ଅନ୍ୟ ବାରଜଣଙ୍କ ମୃତ ଶରୀର ପାଇବାଲାଗି ଗାଁଲୋକଙ୍କ ସହିତ ମିଶି ପୋଲିସଥାନା ଘେରାଉ କରିଥିଲା ଓ ଥାନାବାବୁକୁ ଉଠେଇଆଣିଥିଲା ଜନତା ଅଦାଲତକୁ, ପ୍ରଜାକୋର୍ଟକୁ ।
ଆଦିବାସୀର ସମ୍ବଳ ଜମି ଓ ପ୍ରକୃତି ମା’କୁ ରକ୍ଷା କରିବାକୁ ଯାଇ ଶିଳ୍ପାୟନ ବିରୁଦ୍ଧରେ ଲଢ଼େଇ କରୁଥିବା ଏହି ମାଟିର ମଣିଷମନରେ ଆଜି ଅନେକ ଅବୁଝା ପ୍ରଶ୍ନ ବୁଢ଼ିଆଣୀ ଜାଲପରି ଗୁଡ଼େଇତୁଡ଼େଇ ହୁଏ । ଏହାର ଜବାବ କାହାକୁ ଜଣାନଥାଏ ବା କେହି ଏହାର ଉତ୍ତରଦାୟୀ ହେବାକୁ ଦରକାର ମଣନ୍ତି ନାହିଁ । ମା, ମାଟି, ମଣିଷର ସ୍ୱାଭିମାନପାଇଁ ସଂଘର୍ଷ କରି ଜୀବନ ଦେଇଥିବା ଆଦିବାସୀ ମାନଙ୍କର ପରିଜନଙ୍କ ପ୍ରଶ୍ନକୁ ଲେଖିକା କୁଆଁରୀମୁଣ୍ଡାଙ୍କ ଭାଷାରେ ଗୋଟିଏ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦର ସ୍ୱରରୂପେ ଉପସ୍ଥାପନା କରିଛନ୍ତି – ‘ମୁଁ ମୃତ ମଣିଷ ପାଇବି ଆଉ ଜିଅନ୍ତା ମଣିଷ ଦେବି! ଇଏ କି ନ୍ୟାୟହେଲା ବାବୁ? ଶବ ବଦଳରେ ଶବ, ମୁଣ୍ଡ ବଦଳରେ ମୁଣ୍ଡ । ଇଏ ସିନା ପ୍ରକୃତ ନ୍ୟାୟ’ । ସ୍ୱାମୀର ହତ୍ୟାପରେ କୁଆଁରୀମୁଣ୍ଡା କଳିଙ୍ଗଘାଟିର ଜମି ଓ ଜଙ୍ଗଲର ସୁରକ୍ଷା ସହିତ ଆଦିବାସୀଙ୍କ ଲାଗି ନ୍ୟାୟ ଓ ଅଧିକାର ଲଢ଼େଇର ନେତୃତ୍ୱ ନେଇଛି । ପୋଲିସ ଆଖିରେ ସେ ହୋଇଥିଲା ଅପହରଣକାରୀ, ମାଓବାଦୀ । ତାନାଁରେ କେସ୍ ଦର୍ଜ ହୋଇଥିଲା ପୋଲିସ ରେକର୍ଡରେ । ଏହି ପରିସ୍ଥିତିରେ କଳିଙ୍ଗଘାଟି ଅଶାନ୍ତ ହୋଇଉଠିଥିଲା, ଆଉ ପୋଲିସ, ପ୍ରଶାସନ, ମିଡ଼ିଆ ହଠାତ ସକ୍ରିୟ ହୋଇଉଠିଥିଲେ ।
ବିସ୍ଥାପନର ଅର୍ଥନୈତିକ, ରାଜନୈତିକ, ସାମାଜିକ ଓ ବ୍ୟକ୍ତିଗତ-ଏମିତି ଅନେକ ଦିଗ ରହିଛି । ଗୋଟିଏ ସମାଜ ଏ ପ୍ରକ୍ରିୟାରେ ବଦଳିଯାଏ । ସାମାଜିକ ଓ ବ୍ୟକ୍ତିଗତ ସମ୍ପର୍କ ବି ପ୍ରଭାବିତ ହୁଏ । ପୁରୁଷ ପୁରୁଷର ସମ୍ପର୍କ ଭାଙ୍ଗିଯାଏ । ମଣିଷଙ୍କ ଚରିତ୍ର ବି ବଦଳେ । ଏକ ନୂଆଁ ଦଲାଲଶ୍ରେଣୀର ଜନ୍ମହୁଏ । ଉପନ୍ୟାସରେ ନଟବର ସିଂଓ ଅନ୍ୟମାନେ ଆଦିବାସୀକୁ ଆଢୁଆଳରେ ରଖି କେମିତି ନିଜର ସ୍ୱାର୍ଥ ହାସିଲ କରୁଥିଲେ, ତାର ଅସଲିରୂପ ପରେ ସମସ୍ତଙ୍କ ସାମ୍ନାକୁ ଆସିଛି । କମ୍ପାନୀ, ପ୍ରଶାସନ ଓ ଆଦିବାସୀମାନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବାକୁ ଯାଇ ପ୍ରକୃତରେ ସେ ଆଦିବାସୀ ଅଞ୍ଚଳରେ ସ୍କୁଲ, ରାସ୍ତାଘାଟ ଓ ବିକାଶ ହେବାକୁ ଦେଇନଥିଲା । ବରଂ ସେମାନଙ୍କୁ ସେ ବାଟବଣା କରିଥିଲା । ସାହାଯ୍ୟ ନାଁରେ ଅସହାୟ ଆଦିବାସୀ ମହିଳାଙ୍କର ଶାରୀରିକ ଶୋଷଣ କରିଥିଲା ।
ବିସ୍ଥାପନ ରାଜନୀତିର ଜଟିଳ ଚରିତ୍ର ଏ କାହାଣୀ ଭିତରେ ଦେଖିବାକୁ ମିଳିଛି । ଅପହୃତ ଥାନାବାବୁଙ୍କ ପରିବାରର ବ୍ୟାକୁଳତା ଓ ପ୍ରଶାସନ ଦ୍ୱାରା ତାଙ୍କୁ ମୁକୁଳାଇବାର ରଣନୀତି ଉଭୟ ସତ ଏଠି ସେ ରାଜନୀତିର ଅଂଶ । ଅସ୍ଥାୟୀଭାବରେ ଅଫିସରେ ଡାଟା ଏଣ୍ଟ୍ରିକାମ କରୁଥିବା ଜନଜାତି ଝିଅ ନୀଳିମାମାଝୀକୁ ଥାନାବାବୁକୁ ଛଡ଼ାଇ ଆଣିବାକୁ ମାଧ୍ୟମ କରାଯାଇଛି । କୁଆଁରୀମୁଣ୍ଡାକୁ ପ୍ରଶାସନ ଓ ମିଡିଆରେ କେତେବେଳେ ନକ୍ସଲପନ୍ଥୀ ମାଓବାଦୀ ତ କେତେବେଳେ ଅନ୍ୟ କେଉଁ ସଂଗଠନ ସହିତ ଯୋଡ଼ି ଦିଆଯାଇଛି । ନୀଳିମା ବ୍ୟବସ୍ଥା ଭିତରେ ଥାଇ, ତା ନିଜ ଅନୁଭୂତି ଭିତରେ ଦେଖିଛି ଶିଳ୍ପାୟନର ନିତିଦିନିଆ, ବାସ୍ତବ ରୂପରେଖ । ବକ୍ସାଇଟ କମ୍ପାନୀର ଫାଇଦା ସହିତ ଅମଲାତନ୍ତ୍ର, ସ୍ୱାର୍ଥାନ୍ୱେଷୀ ନେତାମାନଙ୍କର ସ୍ୱାର୍ଥ କେମିତି ଲୋକଙ୍କ ଜୀବନ ଜୀବିକାକୁ ନଷ୍ଟକରେ, ତାର ଆଖିସାମ୍ନାରେ ସ୍ପଷ୍ଟ ହୋଇଛି । କିନ୍ତୁ ବ୍ୟକ୍ତିଗତ ପରିସ୍ଥିତିଯୋଗୁଁ ତାକୁ ଚୁପ୍ ରହିବାକୁ ପଡ଼ିଛି ।
ଅସମାନ ଅର୍ଥନୈତିକ ପ୍ରଗତି ଗୋଟିଏବର୍ଗକୁ ଅଧିକ ପ୍ରତିପତ୍ତିଶାଳୀ କଲାବେଳେ, ଏକଭିନ୍ନ, ସୀମାନ୍ତରିତ ଗୋଷ୍ଠୀକୁ ତାର ମୂଲ୍ୟଦେବାକୁ ହୁଏ । ପୁଣି ପ୍ରାକୃତିକ ସମ୍ବଳକୁ ବ୍ୟକ୍ତିଗତ ସ୍ୱାର୍ଥପାଇଁ ବ୍ୟବହାର କଲାବେଳେ ପୁରା ସମାଜଉପରେ ତାର ପ୍ରଭାବ ପଡ଼େ । କିନ୍ତୁ ଏଇପ୍ରଦୂଷଣର ମୂଲ୍ୟ, ଶିଳ୍ପାୟନରୁ ଲାଭ ଉଠାଉଥିବା କମ୍ପାନୀ କେବେ ଦିଏନା । ତେଣୁ ପ୍ରକୃତିକୁ ମାଗଣା ସମ୍ବଳ ବୋଲିକୁହାଯାଏ, ଓ ପ୍ରକୃତି ସହ ଜୀବନ ବିତାଉଥିବା ଆଦିବାସୀଙ୍କୁ ‘ପଛୁଆ’ ବୋଲି କୁହାଯାଏ । ଏ ଉପନ୍ୟାସରେ ଆଦିବାସୀ ଏଭଳି ମୁଖ୍ୟଧାରାର ଧାରଣାକୁ ପ୍ରଶ୍ନକରିଛି । ଯଦି ସେ ଜନ୍ମ ନେଇଥିବା ଜମି ଓ ଜଙ୍ଗଲର ଉପରେ ଆଦିବାସୀର ଅଧିକାରକୁ ବେଆଇନ ଘୋଷଣା କରି ତାକୁ ଅବୈଧ, ଜବରଦଖଲକାରୀ କହି ଦଣ୍ଡ ଦିଆଯାଉଛି, ତେବେ ‘ଆଦିବାସୀ ବୁଝିପାରେନି… ଏଠି ଆଇନ ଭାଙ୍ଗିଲା କେମିତି?… ତେବେ କ’ଣ ଆଦିବାସୀର ବଂଚିବା ସୁଦ୍ଧା ବେଆଇନ?’(ପୃଷ୍ଠା୧୭ – ୧୮) । ସୁଦୃମୁଣ୍ଡାର ବୃଦ୍ଧାମା ମନରେ ଅବୁଝାପ୍ରଶ୍ନ ‘ଯେଉଁ ସରକାର ଚାଉଲ ଦେଲା, ଇସ୍କୁଲ ଦେଲା, ସେ ପୁଣି ଗୁଳି କେମିତି ଦେଇପାରିଲା?’ ବିକାଶ ପ୍ରକ୍ରିୟା ଓ ରାଷ୍ଟ୍ରର ଚରିତ୍ର ଉପରେ ଏଭଳି ପ୍ରଶ୍ନ ଏ ଉପନ୍ୟାସର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ।
ଲେଖିକା ସଂଗ୍ରାମୀ ମହିଳା କୁଆଁରୀମୁଣ୍ଡା ସହିତ ଏକ ମାତୃହୃଦୟର ବ୍ୟାକୁଳତାକୁ ମଧ୍ୟ ନିରେଖି ଦେଖିଛନ୍ତି । ଏକ ବୁଢ଼ୀଶାଶୁ ମା ଓ ତିନୋଟି ସନ୍ତାନଙ୍କୁ ମଣିଷ କରିବାର ଦାୟିତ୍ୱ ସହ କୋର୍ଟ ଅଦାଲତର ହତାଶା, ଜେଲଯିବାର ଭୟ ସାଙ୍ଗକୁ ଅର୍ଥାଭାବ ବେଳେବେଳେ ନାୟିକାଙ୍କୁ ଅସହାୟ କରିଥିଲେ ମଧ୍ୟ ସେ ଶକ୍ତି ସାଉଁଟୁଥିଲା ନିଜ ଜଙ୍ଗଲ, ଝରଣା, ପାହାଡ଼ ଓ ଡ଼ୁମା ଦେବତାଙ୍କୁ କମ୍ପାନୀ ହାତରେ ଟେକି ନ ଦେବାକୁ । ଜଣେ ମା ଭାବରେ ସେ ଗଛ, ପାହାଡ଼, ଝରଣାକୁ ଏକ ଜୀବନ୍ତ ମା ଓ ତାର ସନ୍ତାନକୁ ଅଲଗା କରିବାର ଦୁଃଖକୁ ଅନୁଭବ କରିଛି ।
ଲେଖିକା ଜନଅନ୍ଦୋଳନର ବାସ୍ତବିକତାକୁ ଦେଖେଇଛନ୍ତି । ଆନ୍ଦୋଳନ ଦୁର୍ବଳ ବି ହୁଏ, ହେଇଛି ମଧ୍ୟ । ପୋଲିସ ଦମନ, ପ୍ରଶାସନଦ୍ୱାରା ରାଜନୈତିକ କୂଟନୀତି, କମ୍ପାନୀ ତରଫରୁ ଲୋକମାନଙ୍କୁ ବିଭିନ୍ନ ପ୍ରଲୋଭନ, ନେତାମାନଙ୍କର ଷଋଯନ୍ତ୍ର, ‘ଡ଼ିଭାଇଡ ଏଣ୍ଡ୍ ରୁଲ’, ସବୁମିଶି ଆଦିବାସୀମାନଙ୍କୁ ଆନ୍ଦୋଳନର ବିପକ୍ଷ ଓ ସପକ୍ଷରେ ଦୁଇଗୋଷ୍ଠୀରେ ବାଣ୍ଟି ଦେଇଥିଲେ । ସମ୍ପର୍କୀୟମାନଙ୍କ ଭିତରେ ବି ଲଢ଼େଇ ଲଗେଇଛନ୍ତି କମ୍ପାନୀର ଲୋକ ଓ ଆଖପାଖ କୁଜି ନେତାମାନେ । ଏପରି ପରିସ୍ଥିତି ସୃଷ୍ଟି ହେଇଛି ଯେ ବୁଲଡୋଜର ନୁହଁ, ବରଂ ଲୋକେ ନିଜେ ନିଜର ଘରଭାଙ୍ଗି ପକେଇଛନ୍ତି । କୁଆଁରୀମୁଣ୍ଡାକୁ ତା’ର ନିଜ ଲୋକମାନେ ଅବିଶ୍ୱାସ କରିବାକୁ ଲାଗିଛନ୍ତି ।
ପରବର୍ତ୍ତୀ ପର୍ଯ୍ୟାୟରେ କୁଆଁରୀମୁଣ୍ଡାର ପରିଚୟ ହୁଏ ମାନବାଧିକାର ସୁରକ୍ଷା ଲାଗି କାମ କରୁଥିବା ସଂସ୍ଥାର ଏକ ସାମାଜିକ କର୍ମୀ ଶୁଭେନ୍ଦୁ ମଜୁମଦାରଙ୍କ ସହିତ । ସେ କୁଆଁରୀମୁଣ୍ଡାଙ୍କ ସଂଗ୍ରାମରେ ସାହାଯ୍ୟ କରିବାଲାଗି ହାତ ବଢ଼ାଇଥିଲେ । କୁଆଁରୀ ପ୍ରଥମେ ଶୁଭେନ୍ଦୁଙ୍କୁ ଅବିଶ୍ୱାସ କରୁଥିଲେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ସଂଗ୍ରାମୀର ସମ୍ପର୍କ ସୃଷ୍ଟି ହେଲା ।
ହଠାତ ଦିନେ ରାତିରେ କୁଆଁରୀମୁଣ୍ଡାଙ୍କ ଉପରେ ନଟବର ସିଂ ଓ ସହଯୋଗୀ କମ୍ପାନୀ ଗୁଣ୍ଡା ଆକ୍ରମଣ କଲେ । ସେ ଗଣ୍ଡଗୋଳରେ ଶୁଭେନ୍ଦୁ ଆହତ ହେବା ପରେ– ମାଓବାଦୀମାନେ କୁଆଁରୀ ଓ ଅନ୍ୟ ତିନିଜଣଙ୍କୁ ଅପହରଣ କରି ନେଇଥିଲେ ତାଙ୍କର କ୍ୟାମ୍ପକୁ । ସେଇଠି କୁଆଁରୀ ମାଓବାଦୀଙ୍କୁ ଭେଟିଛି, ସେମାନଙ୍କ ଜୀବନ ଓ ସଙ୍ଗଠନକୁ ଜାଣିବାକୁ ପାଇଛି । ଏହି ମାଓବାଦୀ ସଙ୍ଗଠନରେ କୁଆଁରୀମୁଣ୍ଡା କେତେ ଜଣ ସମର୍ପିତ ମହିଳା କମାଣ୍ଡର ନନ୍ଦୀ ଲକ୍ଷ୍ମୀ, କମଳାମାନଙ୍କୁ ଭେଟିଛନ୍ତି । ସମସ୍ତଙ୍କର ସଂଗ୍ରାମୀ ହେବାପଛରେ ଏକ ନିଷ୍ଠୁର ଘଟଣାଟିଏ ଅଛି । କାହାର ନିଜଲୋକଙ୍କୁ ପୁଲିସ ମାରିଛି ତ ଆଉକାହାକୁ ଜମିଦାର ଶାରୀରିକ ଶୋଷଣ କରିଛି । ସେମାନେ ପ୍ରଜାକୋର୍ଟରୁ ନ୍ୟାୟ ପାଇଛନ୍ତି । ନନ୍ଦିନୀ ସରକାର ଏମାନଙ୍କର ଦଳପତି କମାଣ୍ଡର, ଏ ଇଲାକାର ଅଦାଲତ ବି, ଆଇନ ଓ ପୋଲିସ ବି । ସେ ଯାହା ନ୍ୟାୟକରିବ; ପ୍ରଜାକୋର୍ଟରେ ତାହା କାର୍ଯ୍ୟକାରୀ ହେବ । ତେଣୁ ପ୍ରଜାକୋର୍ଟରେ ଫୈସଲା ଶୁଣାଯାଇଛି । ମାଓବାଦୀ ରାଜନୀତିର ଚରିତ୍ରକୁ ଓ ପ୍ରକ୍ରିୟାକୁ ଏଠି ପ୍ରଶ୍ନ କରାଯାଇଛି, ପୁଣି ସେଇ ଚରିତ୍ର ଦ୍ୱାରା ଯାହାକୁ ଗୋଟିଏ ଦିଗରେ ପ୍ରଶାସନ ‘ମାଓବାଦୀ’ ବୋଲି କୁହେ, ଏବଂ ଅନ୍ୟଦିଗରେ ଯାହାସ୍ୱାର୍ଥ ପାଇଁ ମାଓବାଦୀମାନେ ଲଢ଼େଇ କରୁଛନ୍ତି ବୋଲି ଦାବି କରନ୍ତି ।
ଉପନ୍ୟାସର ବର୍ଣ୍ଣନା ରାଜନୀତି ଓ ସଂଗଠନର ଆଢୁଆଳରେ ଥିବା ଚରିତ୍ରଙ୍କୁ ମଧ୍ୟ ମଣିଷଭାବରେ ଦେଖାଇ ଦେଇଛି । ଆଦର୍ଶପାଇଁ ତ୍ୟାଗ, କଠୋର ସାଙ୍ଗଠନିକ ଶୃଙ୍ଖଳା, ଅନବରତ ଏକ ଯୁଦ୍ଧ ଭିତରେ ବଞ୍ଚିବାର ଅନିଶ୍ଚିତ ଜୀବନ ସହ ମାନବୀୟ ସମବେଦନା ଓ ଦୁର୍ବଳତା ମଧ୍ୟ ଉପନ୍ୟାସରେ ରୂପ ପାଇଛି । ଉପନ୍ୟାସରେ ପ୍ରତିରୋଧ ରାଜନୀତି ଭିତରେ ଲିଙ୍ଗଗତ ବୈଷମ୍ୟ ଓ ନାରୀ-ପୁରୁଷ ସମ୍ପର୍କର ପ୍ରଶ୍ନଟି ମଧ୍ୟ ପରୋକ୍ଷ ଭାବରେ ଉପସ୍ଥାପିତ ହେଇଛି । ଡେପୁଟି କମାଣ୍ଡର ଲକ୍ଷ୍ମୀଙ୍କର କମ୍ରେଡ ଶୁଭେନ୍ଦୁ ପ୍ରତି ଦୁର୍ବଳତା ଓ କୁଆଁରୀ ପ୍ରତି ଆକ୍ରୋଶ ଓ ପ୍ରତିଶୋଧ ପରାୟଣତାର ଏକ ଦିଗମଧ୍ୟ ଏଠାରେ ବର୍ଣ୍ଣନା କରାଯାଇଛି ।
କୁଆଁରୀ ଓ ମାଓକ୍ୟାମ୍ପରେ ଥିବା ତା ଗାଁଲୋକ ଏପରି ନ୍ୟାୟକୁ ପ୍ରଶ୍ନ କରିଛନ୍ତି – ‘ତୁମେ ବି ତ ସେଇ ପୋଲିସ ଓ ସରକାର ଭଳି ହିଁ ଅନ୍ୟାୟ କରୁଛ’ (ପୃ :୨୬୦) । କୁଆଁରୀର କ୍ଷତବିକ୍ଷତ ଚେହେରାକୁ ଦେଖି ତା ଗାଁଲୋକ ଭାବିଛନ୍ତି ‘ପୋଲିସ ଓ କମ୍ପାନୀ ଗୁଣ୍ଡାଙ୍କ ଠାରୁ ତ କୌଣସିଗୁଣରେ କମ୍ ନୁହନ୍ତି ଏ ମାଓବାଦୀ ମାନେ’(ପୃ :୨୭୫) । ଏ ବର୍ଣ୍ଣନା ଭିତରେ କ୍ଷମତାର ଚରିତ୍ର ଉପରେ ପ୍ରଶ୍ନ ଉଠେଇଛନ୍ତି ଲେଖିକା । ଯାହା ହାତକୁ ବି କ୍ଷମତା ଆସେ, ସେ କଣ ସମାନ ବ୍ୟବହାର କରେ? ପ୍ରତିରୋଧ ଆନ୍ଦୋଳନ ଭିତରେ କ୍ଷମତାର ଚରିତ୍ର ଅତୁଟ ରହିବାର ଜଟିଳ ଦିଗଟି ଉପରେ ଉପନ୍ୟାସଟି ଆଲୋକପାତ କରେ ।
ଲେଖିକା କୁଆଁରୀମୁଣ୍ଡାକୁ ନିଜର ଦୁଃଖ ସହିତ ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ବିରୋଧରେ ସ୍ୱରଉଠାଇ ଏକ ଦୃଢ଼ ଆଦିବାସୀ ସ୍ୱର ଭାବରେ ଦର୍ଶାଇଛନ୍ତି । ଗୋଟିଏ ପଟରେ ଜୀବନ ଓ ଜୀବିକାର ଲେଇଇ ସହିତ ଆଦିବାସୀ ନେତ୍ରୀ ନିଜ ପିଲାମାନଙ୍କର ଶିକ୍ଷାକୁ ସମାନଭାବରେ ଗୁରୁତ୍ୱ ଦେଇଛି । କ୍ଷତର ଚିକିତ୍ସା ଲାଗି ଅନେକଗଛର ପତ୍ରକୁ ଔଷଧ ରୂପେ ବ୍ୟବହାର କରିଛି । ଆଦିବାସୀର ଜୀବନକୁ ଏକତରଫା କରିଦେଖିବା ଭୁଲ । ସେ କେବଳ ଏକ ନିରୁପାୟ, ପୀଡିତନୁହେଁ, ନିଜ ଭବିଷ୍ୟତ ପାଇଁ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରୁଥିବା ସେ ଏକ ମୁଖର ସ୍ୱର ମଧ୍ୟ ।
ଲେଖିକା ଆଦିବାସୀମାନଙ୍କ ମନରେ ସାଧାରଣତଃ ଉଠୁଥିବା ପ୍ରଶ୍ନକୁ କୁଆଁରୀ ଭାବନାରେ ପ୍ରକାଶ କରିଛନ୍ତି ‘ଯେକୌଣସି ବିକାଶର ପରିକଳ୍ପନା କାହିଁକି ଆରମ୍ଭହୁଏ ଆଦିବାସୀଙ୍କର ବିସ୍ଥାପନରୁ?’ ବିସ୍ଥାପିତ ମଣିଷ କେବଳ ନିଜ ଘରଦ୍ୱାର, ମାଟି ହରାଇନଥାଏ । ସେ ନିଜର ପରିଚୟ, ପରମ୍ପରା ଓ ଅସ୍ତିତ୍ୱ ବି ହରାଇଥାଏ । ଯେଉଁ ସାମାଜିକ, ସାଂସ୍କୃତିକ ସମ୍ପର୍କ ଭିତରେ ମଣିଷ ବଡ଼ ହେଇଥାଏ, ତା ନିଜକୁ ଚିହ୍ନିଥାଏ, ସେପରି ବେଶଟି ହିଁ ଧ୍ୱଂସ ହେଇଯାଏ । ଏହା ବିକାଶ ପ୍ରକ୍ରିୟାର ଏକ ହିଂସ୍ର ପରିଣାମ । ଆଦିବାସୀ ସମାଜରେ ସାମୂହିକ ସଂସ୍କୃତି ଓ ସମ୍ପର୍କ ଅଧିକ ନିବିଡ଼, ତେଣୁ ତାଙ୍କକ୍ଷେତ୍ରରେ ଏହାର ପରିଣାମ ଆହୁରି ତୀବ୍ରହୁଏ । ଏଇ ସାମାଜିକ ସମ୍ପର୍କ କି ମାନସିକ ବେଦନାର କି ମୂଲ୍ୟ ନିର୍ଦ୍ଧାରିତ ହେବ? ତେଣୁ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା କ୍ଷତିପୂରଣ ଯେ କେବଳ ନାମମାତ୍ର ଓ ଏସବୁକୁ କ୍ଷତିକୁ ସେ କ୍ଷତିପୂରଣ ରାଶି ଭରଣା କରିପାରିବ ନାହିଁ, ତାହା ଏଠାରେ ଅନୁଭୂତ ହୋଇଛି ।
ସବାଶେଷରେ ଅପହୃତା କୁଆଁରୀମୁଣ୍ଡା କଳିଙ୍ଗଘାଟିରେ ତା’ର ଆନ୍ଦୋଳନ ଓ ମାଓବାଦୀଙ୍କର ସଂଘର୍ଷ ଭିତରେ ଏକ ସାମଞ୍ଜସ୍ୟ ଦେଖିପାରୁଥିଲା – ଆଉ ଏକ ସ୍ୱାଧୀନତାର ସଂଗ୍ରାମ ଯାହା ସମଗ୍ର ମାନବଜାତି ପାଇଁ । ଲେଖିକା ତାଙ୍କୁ ନାୟିକାକୁ ପରବର୍ତ୍ତୀ ସଂଗ୍ରାମପାଇଁ ଏକ ଅଶାର ପ୍ରତୀକ ଭାବରେ ଉପସ୍ଥାପନା କରିଛନ୍ତି ।
ଏହି ଉପନ୍ୟାସଟି ମୁଖ୍ୟତଃ ନାରୀ ଚରିତ୍ରମାନଙ୍କ ଉପରେ ପର୍ଯ୍ୟବସିତ । ସେ ନାୟିକା କୁଆଁରୀମୁଣ୍ଡା ହେଉ ଅଥବା ମାଓବାଦୀ ସୁପ୍ରିମୋ ନନ୍ଦିନୀ ସରକାର । ଲଢେଇର ମାର୍ଗ ଭିନ୍ନ ହୋଇଥିଲେ ବି ଉଦ୍ଦେଶ୍ୟ ସମାନ -ଅଧିକାର, ସ୍ୱାଭିମାନ, ଶୋଷଣ ବିରୋଧ ଓ ପ୍ରକୃତ ନ୍ୟାୟ ।
ନିଚ୍ଛକ ବାସ୍ତବିକତା ଉପରେ ଆଧାରିତ ଏହି ଉପନ୍ୟାସଟି ଅତି ସରଳ ଓ ସହଜ ଭାଷାରେ ଓଡ଼ିଶାର ସାମ୍ପ୍ରତିକ ଇତିହାସକୁ ଉପସ୍ଥାପନାକରିଛି, ଯାହା ହୃଦୟସ୍ପର୍ଶୀ । ପ୍ରଜାକୋର୍ଟ ଉପନ୍ୟାସଟିରେ ଆଦିବାସୀ ମନରେ ଜଳୁଥିବା ବିଦ୍ରୋହ ଓ ଅନ୍ୟାୟର ନିଆଁ କେମିତି ତାଙ୍କୁ ବିଦ୍ରୋହୀ ବା ମାଓବାଦୀ ରୂପେ ତିଆରି କରିଛି, ତାହାର ଏକ କାହାଣୀ ଅଛି । ସେ ପୁରୁଷ ହେଉ ବା ମହିଳା ଜନ୍ମହେବା ବେଳେ କେହି ବିଦ୍ରୋହୀ ହୋଇ ଜନ୍ମ ହୋଇନଥାଏ । ଆମ ସମାଜତନ୍ତ୍ର, ରାଜନୀତି, ଅମଲାତନ୍ତ୍ର ଓ ଆଇନ ବ୍ୟବସ୍ଥା ଦମନ କରି ବିଦ୍ରୋହୀ ତିଆରି କରେ, ଏଯୁକ୍ତିଟି ଉପନ୍ୟାସର କାହାଣୀରେ ତିଆରି ହେଇଛି ।
ଏ କାହାଣୀ ଓଡ଼ିଶାର ଓ ଏବର ପୃଥିବୀର କାହାଣୀ । ଏ ବିଷୟରେ ଆଲୋଚନା କେବଳ ଘଟଣା ଓ ଚରିତ୍ରମାନଙ୍କୁ ନେଇ ସୀମିତହେବା ଉଚିତନୁହେଁ । ଏକ ସତ-ପ୍ରାୟକାହାଣୀ ଭିତରେ ସାମାଜିକ ପ୍ରକ୍ରିୟାକୁ ଗଢି ତୋଳିବା ଏ ଉପନ୍ୟାସର ଏକ ସଫଳତା । ଉପନ୍ୟାସର ଗଢଣ ସ୍ୱାଭାବିକ, ଭାଷାସରଳ ଓ ଆବେଦନ ମର୍ମସ୍ପର୍ଶୀ । କେବେ କେମିତି ମୁଖ୍ୟସ୍ରୋତର ଭାରି ଶବ୍ଦମାନେ ଆଦିବାସୀର କଥାବାର୍ତ୍ତା ମଝିକୁ ପଶି ଆସିଛନ୍ତି । କିନ୍ତୁ ସାମଗ୍ରିକ ଦୃଷ୍ଟିରୁ, ପ୍ରଜାକୋର୍ଟ ଓଡ଼ିଆ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଆମ ସମୟର ଓଡ଼ିଶା ଓ ଭାରତର ଏକ ସତ୍ୟନିଷ୍ଠ ଉପସ୍ଥାପନା ।
ସମୀକ୍ଷା- ଡଃ ଅପରିମିତା ମିଶ୍ର
Comments
0 comments