ପଇସା ପାଇଁ ବିଚରା ପାଞ୍ଜି ବଦନାମ!
ଆଗରୁ ପାଞ୍ଜି ବିଷୟରେ ଆମର କିଛି ଧାରଣା ନଥିଲା । ପରେ ଏ ବିଷୟରେ ଗୋଟେ ଧାରଣା ଆସିଲା ଯେ ଏଇଟା ହେଉଛି ଜ୍ୟୋତିଷ ବିଦ୍ୟା ଜାଣିଥିବା କଥା କହୁଥିବା କିଛି ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଗୋଟା ମୋଟା ବହି । ଯେଉଁଥିରେ କ’ଣ କ’ଣ ସବୁ ଲେଖା ଯାଇଥାଏ ଯାହାକୁ କି କେବଳ ସେହି ଲୋକମାନେ ବୁଝନ୍ତି ଯେଉଁମାନେ ସେ ବହିଟାକୁ ତାଙ୍କ ପେଷାର ଏକ ଅତ୍ୟାବଶ୍ୟକ ଉପକରଣ ଭାବେ ତାଙ୍କ ଝୁଲାରେ ବା କୋଥଳିରେ ପୁରାଇ ବୁଲୁଥାଆନ୍ତି । ମୁଁ ଏଇ ଜ୍ୟୋତିଷ ଲୋକଟାକୁ ଅନେକ ବଡ଼ବଡ଼ ଧନୀଲୋକ ସମ୍ମାନ କରୁଥିବା କଥା ସହରରେ ବି ଦେଖିଛି । ଜ୍ୟୋତିଷର କାମ କ’ଣ ବୋଲି ପଚାରିଲେ ଉତ୍ତର ମିଳୁଥିଲା ଯେ ସିଏ ଏପରି ଜଣେ ଲୋକ ଯିଏ ଜଣେ ମଣିଷର, ଦେଶର, ଚାଷର, ପାଣିପାଗର ଏପରିକି ଶାସନରେ ବସିଥିବା ଲୋକମାନଙ୍କର ଭବିଷ୍ୟତ ବିଷୟରେ ସବୁ ଭଲ ଓ ମନ୍ଦ କହିଦିଅନ୍ତି । ତାଙ୍କ କଥାମାନି ଘର ତିଆରି କଲେ ଘର ଲୋକଙ୍କର ଭଲ ହୁଏ ନହେଲେ ସେ ଘରଟା ମଣିଷ ନୁହେଁ, ଭୂତ ରହିବା ଉପଯୋଗୀ ହୋଇଯାଏ । ଆଉ ସେସବୁ କଥା କାଳେ ପାଞ୍ଜି ବୋଲି ଏହି ବହିରେ ଲେଖା ଯାଇଥାଏ । ପାଞ୍ଜିକୁ ପଢ଼ି ‘କଡ଼ା’, ‘ଗଣ୍ଡା’ ‘ପଣିକିଆ’ ହିସାବ କରି ଜ୍ୟୋତିଷ ନାମକ ସେହି ଅଦ୍ଭୁତ ମଣିଷଜଣକ ଲୋକଙ୍କ ଭବିଷ୍ୟତ କହିଥାଏ । ଏଠିତ ଲେଖକଙ୍କୁ ପାଉଣା ମିଳେନା, କିନ୍ତୁ କେହି ଜଣେ ଲେଖିଥିବା ପାଞ୍ଜିକୁ ପଢ଼ି ଭବିଷ୍ୟତ କହୁଥିବା ଲୋକଜଣକ ଭବିଷ୍ୟତ ଶୁଣୁଥିବା ଲୋକଜଣକଠାରୁ ଭଲ ପାଉଣା ପାଆନ୍ତି । ଥରେ କୌତୁହଳୀ ହୋଇ ଆମେ ମଧ୍ୟ ପାଞ୍ଜି ନାମକ ଏହି ପୁସ୍ତକଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପଢ଼ି ପକାଇଲୁ । ସେଥିରୁ ଦେଖିଲୁ ଯେ ପାଞ୍ଜିରେ ସୂର୍ଯେ୍ୟାଦୟ ଓ ସୂର୍ଯ୍ୟାସ୍ତ, ଓଡ଼ିଆର ୧୨ଟି ମାସର ଆରମ୍ଭ ଓ ଶେଷ ସମ୍ବନ୍ଧିତ ଜ୍ଞାନ, ଓଡ଼ିଆ ନବବର୍ଷ ଆରମ୍ଭ ଏଇମିତି କେତେକ ପ୍ରାକୃତିକ କଥା ଥାଏ, ଯାହାକି ପ୍ରାକୃତିକ ଉପାୟରେ ଘଟିଥାଏ । ବାକିଗୁଡ଼ାଏ କଥା ଥାଏ ଯାହା ସାଧାରଣ ଲୋକର ବୁଝିବାର ବାହାରେ । ସେଥିରୁ କେତୋଟି ଶବ୍ଦ ସମସ୍ତେ ଶୁଣିଥିବେ ଯଥା ଶୁଭ ବେଳା, ଅଶୁଭ ବେଳା, ରାଶି, ରାଶିଚଳନ, ଗ୍ରହ, ଗ୍ରହ ଚଳନ, ନକ୍ଷତ୍ର, ଆଦ୍ରା ଇତ୍ୟାଦି ।
ପାଠକେ! ଏଇ ଯେଉଁ ମିଛରେ ଭୟ ଉଦ୍ରେକକାରୀ ‘ଦାନା’ ବୋଲି ଗୋଟାଏ ବାତ୍ୟା କଥା ପ୍ରଚାର ହେଲା ସେଥିରେ ଲୋକଙ୍କ ବିଶ୍ୱାସକୁ ନେଇ ବେପାର କରିବା ପାଇ ଏଇ ପାଞ୍ଜି ବହିଟିକୁ ମଧ୍ୟ ଯୋଡ଼ି ଦିଆଯାଇଥିଲା । ଜଣମାଧ୍ୟମ ମାନଙ୍କରେ କୁହାଗଲା ଯେ ପାଞ୍ଜିରେ କାଳେ ଲେଖାହୋଇଛି ଦାନା ଆସିବ, ପ୍ରଳୟ ରଚନା କରିବ ଇତ୍ୟାଦି ଇତ୍ୟାଦି । ଆମେ କୌତୁହଳୀ ହୋଇ ପାଞ୍ଜି କିଣି ପଢ଼ି ପକାଇଲୁ । କିନ୍ତୁ ଦେଖିଲୁ କେଉଁଠି ବି ଦାନା ଶବ୍ଦ ନାହିଁ । ସେଥିରେ ଲେଖାଯାଇଛି “ନଭେମ୍ବର ତା ୧୭ ରୁ ତା ୨୨ ମଧ୍ୟେ, ନଭେମ୍ବର ତା୨୫ରୁ ତା ୨୯ ମଧ୍ୟେ, ଡିସେମ୍ବର ତା୩ରୁ ତା ୭ ମଧ୍ୟେ, ଡିସେମ୍ବର ତା ୧୦ରୁ ତା ୧୫ ମଧ୍ୟେ ଲଘୁବଳୟ, ଲଘୁଚାପ, ବୃଷ୍ଟିପାତ, ତୁଷାରପାତ, ଭୂସ୍ଖଳନ ତଥା ଭୂମିକମ୍ପ ଦ୍ୱାରା ବହୁ ଧନଜୀବନ କ୍ଷୟକ୍ଷତିର ସୂଚନା ମିଳେ ।” ଏହା ଭିତରେ ଦାନା କଥା କେଉଁଠି ରହିଲା? ଦାନା ତ ଗୋଟିଏ ଆଉ ତିନିଟା କୁଆଡ଼େ ଗଲେ? ପୁଣି ଏଇ ପାଞ୍ଜିରେ ମହାବାତ୍ୟା ହେବ ବୋଲି କେଉଁଠି ଲେଖା ହୋଇଛିି? ତେବେ ବିଭିନ୍ନ ବାଟରେ ମିଛ ପ୍ରଚାର କରି ଲୋକଙ୍କ ଭୟ, ଆଶଙ୍କାରୁ ବେପାରୀମାନେ ହଜାର ହଜାର କୋଟି ଟଙ୍କାର ମୁନାଫା ଲୁଟିନେଲେ । ଏବେ ମହାବାତ୍ୟା ସରୁ ସରୁ ଜଣମାଧ୍ୟମ ସବୁ କହିଲେଣି ଓ ଲେଖିଲେଣି ‘ପାଞ୍ଜି କହୁଛି ନଭେମ୍ବରରେ ଭୂମିକମ୍ପ ହେବ । ଏହି ମିଛକୁ ଆହୁରି ବିଶ୍ୱସନୀୟ କରାଇବା ପାଇଁ ଲେଖାଯାଉଛି ଯେ ନଭେମ୍ବର ୧୫ରୁ ୧୭ ମଧ୍ୟରେ ଭୂମିକମ୍ପ ହେବାର ସମ୍ଭାବନା ରହିଛି । ନଭେମ୍ବରରେ ୫ଶନିବାର ଓ ୫ରବିବାର ପଡ଼ୁଥିବାରୁ ପାଞ୍ଜିରେ କାଳେ ଗଣନା କରି ଏଇମିତି ଲେଖା ହୋଇଛି । ସତରେ କ’ଣ ସେଇଆ ଲେଖା ହୋଇଛି? ନା ଆଗକୁ ମିଛ ଭୂମିକମ୍ପ ପ୍ରଚାର କରାଇ ଆବଶ୍ୟକତା ଠାରୁ ଅଧିକ ଜିନିଷ ଅଧିକ ଦାମରେ ବିକେଇବାର ଇଏ ଗୋଟାଏ ପୈଶାଚିକ ଫନ୍ଦା? ବିଚାର ଆପଣଙ୍କର । ଆମେ ତ ନିମିତ୍ତ ମାତ୍ର ।
ଧନନ୍ତ୍ୱରୀ ଦିବସ ନା ଧନତେରାସ?
ଦୟାକରି ଏକଥାଟିକୁ କେହି କ୍ଷମତା ରାଜନୀତିର ମହାବିଦ୍ୟା ଭିତରକୁ ଟାଣନ୍ତୁ ନାହିଁ । ଏଇଟା ଗୋଟେ ବିଚାରର କଥାବୋଲି ଚିନ୍ତା କରି ମୁଁ ଏଠାରେ ଉଲ୍ଲେଖ କରୁଛି । କଥାଟିକୁ ସିଧାସଳଖ ଖାରଜ ନକରି ଟିକେ ଏହାକୁ ବିଚାର କରିବେ ବୋଲି ଆଶା ରଖି ଲେଖୁଛି । ଆପଣଙ୍କ ଇଚ୍ଛା ।
ଏବେ ଚାଲିଛି ଧନତେରାସ୍ କଥା । ଇଏ କେବଳ ସୁନା ରୁପା କିଣାପାଇଁ ଉଦ୍ଦିଷ୍ଟ ଏକ ନିର୍ଦ୍ଦିଷ୍ଟ ଦିନ । ଆଗରୁ ଏହା ଗୋଟିଏ ଦିନ ଥିଲା, ଏଇଥରକ ଏହାକୁ ଦୁଇଦିନ କରାଯାଇଛି । କାରଣ ସେହି ଶୁଭବେଳା । ଦୁଇଦିନରେ ଆମ ରାଜ୍ୟରେ ପାଖାପାଖି ୨୦୦ କୋଟି ଟଙ୍କାର ସୁନା ବିକ୍ରୀହୋଇଛି, ରୁପା କଥା ଅଲଗା । କିଏ ଏହାକୁ ବିଜ୍ଞାପନରେ ହିନ୍ଦୀରେ ଧନତେରାସ ଲେଖିଲାବେଳକୁ କିଏ ଏହାକୁ ଧନତରେସ୍ ତ କିଏ ଏହାକୁ ଧନତରସ ବୋଲି ମଧ୍ୟ ଲେଖୁଛନ୍ତି । କିଛି ଜ୍ଞାନୀ କହୁଛନ୍ତି ଆମର ଗୋଟେ ଧନ ତ୍ରୟୋଦଶୀ ଥିଲା । ସେଇଟାକୁ ସୁନାବେପାରୀମାନେ ଧନତେରାସ୍ କରିଦେଇଛନ୍ତି । ମଜାକଥା ହେଲା ଧନତେରାସର ଯେତେ ବିଜ୍ଞାପନ ସବୁ ବାହାରୁଛି, ସେଥିରୁ ଅଧିକାଂଶ ହେଉଛି ସୁନା ଗହଣା ଦୋକାନୀଙ୍କର । ସେଥିରେ ପୁଣି ଭଳିକି ଭଳି ନାରୀ ମନଲୋଭା ଅଫର ସବୁ ରହୁଛି । କିଏ ତିଆରି ଦର ପୁରା ଛାଡି ଦେଉଛି ତ କିଏ ଗ୍ରାମ ପିଛା ଏତିକି ଛାଡ଼ ବୋଲି ବିଜ୍ଞାପନ ଦେଉଛି । କିଏ କହୁଛି ଗୋଟିଏ ଗ୍ରାମ ସୁନାରେ ୫୦% ରିହାତିରେ ନିଅନ୍ତୁ । କେଉଁ ବାବା ସୁଧାନନ୍ଦ, କେଉଁ ଜ୍ଞାନୀ ରାମାନନ୍ଦ ବିଜ୍ଞାପନରେ ବାହାରି କହୁଛନ୍ତି ଯେ ଧନତେରାସରେ ସୁନା ଘରକୁ ନେଲେ ଲକ୍ଷ୍ମୀ ସବୁ ଲକ୍ଷ୍ମୀମନ୍ଦିରରୁ ବାହାରି ଯାଇଁ ସିଧା ତାଙ୍କ ବାକ୍ସରେ ପଶିଯିବେ । କିନ୍ତୁ ଏହି ଭିତରେ ଆମେ ହିନ୍ଦୁ ରାଷ୍ଟ୍ର ବୋଲି ଗୋଟିଏ ସଂସ୍ଥାର ଗୋଟିଏ ଲେଖା ଦେଖିଲୁ । ଆମକୁ ତ ଲାଗିଲା ଲଙ୍କାରେ ହରିଶବ୍ଦ ଭଳି କିନ୍ତୁ ଗେରୁଆ ରଙ୍ଗର ପୃଷ୍ଠାରେ ଏହିଲେଖାଟି ବଡ଼ ଆକର୍ଷିତ କଲା । ପୁରା ଲେଖାଟି ଦୁଇଟି ବିନ୍ଦୁ ଉପରେ କେନ୍ଦ୍ରୀତ ହୋଇଛି । ପ୍ରଥମଟିହେଲା-ଆମଦେଶ ଯେତେବେଳେ ସ୍ୱାଧୀନ ହେଲା ସୁନାର ଦାମ କେତେ ଥିଲା । ଇଣ୍ଟରନେଟ୍ ତଥ୍ୟରୁ ଜଣାପଡ଼େ ୧୯୪୭ ମସିହାରେ ୧୦ଗ୍ରାମ ସୁନାର ଦର ଥିଲା ମାତ୍ର ଟ୮୮.୬୨ପଇସା । ୨୦୨୪ରେ ସେହି ୧୦ଗ୍ରାମ ସୁନାର ମୂଲ୍ୟ ୭୪ହଜାର ୫୦ଟଙ୍କାରେ ପହଂଚି ଯାଇଛି । କ’ଣ ପାଇଁ ଏପରି ହେଲା । ସିଏ ନିଜେ କହୁଛନ୍ତି ଯେ ଏଥିରେ ଧନତେରାସ ଭଳି ପର୍ବମାନଙ୍କର କିଛି ଭୂମିକା ନିଶ୍ଚୟ ଅଛି । ସିଏ ପଚାରିଛନ୍ତି ଯେ ଧନ୍ୱନ୍ତରୀ ଦିବସକୁ ଧନତେରାସ କିଏ କଲା? ଧନ୍ୱନ୍ତରୀ ହେଉଛନ୍ତି ଆୟୁର୍ବେଦର ଦେବତା । ଧନ୍ୱନ୍ତରୀ ଦିବସରେ ବିଭିନ୍ନ ଆୟୁର୍ବେଦିକ ଔଷଧୀୟ ଚାରା ଗୃହକୁ ଆଣିବାର ପରମ୍ପରା ଥିଲା । ତାହା ଗୃହର ଶୁଭ କରାଉଥିଲା, କିଛି କିଛି ରୋଗରୁ ବଂଚାଉଥିଲା । ଏବେ ତାକୁ ସୁନାରୁପା ଧାତୁରେ କିଏ ପରିବର୍ତ୍ତନ କଲା? ଆଉ ଜଣେ ହିନ୍ଦୀରେ ଲେଖିଛନ୍ତି- ରାଜନୈତିକ ପାର୍ଟି ପର ଭରୋସା ନକରେଁ ହିନ୍ଦୁଭାଇ, ୟେ ସବ ମାୟାଜାଲ ହେ, ସିର୍ଫ ପାୱାର କା । ଏହାକୁ ଜଣେ କେହି ନୁପୁର ଶର୍ମା ହିନ୍ଦୁ ରାଷ୍ଟ୍ରରେ ଲେଖିଛନ୍ତି । ଏସବୁକୁ ଦେଖି ଆମକୁ ଲାଗୁଛି ଯେ ହିନ୍ଦୁ ବୋଲି ସିଏ ଯାହା ଲେଖୁଛନ୍ତି ହୁଏତ ସେମାନଙ୍କ ସବୁ କଥା ଭୁଲ ନୁହେଁ । ଗୀତା କହିଲା ଯାହା ଠିକ୍ ତାକୁ ଗ୍ରହଣ କର, ଯାହା ଭୁଲ ତାକୁ ତ୍ୟାଗ କର । ଆୟୁର୍ବେଦର ଦେବତା ଧନ୍ୱନ୍ତରୀଙ୍କର ଜନ୍ମଦିନ ଓ ୨୯ଅକ୍ଟୋବରରେ ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ପାଳନ କରିବା ନା ଧନତେରାସ୍ କରି ସୁନାବେପାରୀଙ୍କୁ ଲାଲେଲାଲ କରିବା? ବିଚାର ଆପଣଙ୍କର ।
ଗଣେଷ ବିହାର ହାତୀ!
ଏଇ ୨୭ତାରିଖର କଥା । ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଫସଲକୁ ଜୀବଜନ୍ତୁଙ୍କ ମୁହଁରୁ ରକ୍ଷାକରିବା ପାଇଁ ଏକ ମଂଚାବାନ୍ଧି ରାତିରେ ତା’ଉପରେ ଶୋଇଥିବା ଜଣେ ଚାଷୀଙ୍କୁ ଗୋଟିଏ ଦନ୍ତାହାତୀ ଶୁଣ୍ଢରେ ଟାଣିନେଇ ସିଧା ଆଗଗୋଡ଼ରେ ଦଳି ପକାଇଲା । ଚାଷୀଜଣକ ସେଇଠି ମରିଗଲେ । ଚାଷୀଙ୍କ ନାଁ ସତ୍ୟ ଧଳ । ତାଙ୍କ ଶବଟି ଦଶ ବାରଘଂଟା ଧରି ପଡ଼ି ରହିଥିଲା । ପୋଲିସ ପହଂଚିଥିଲେ ବି ଲୋକେ ଶବ ଛାଡ଼ି ନଥିଲେ । ଉଭୟ ଜଙ୍ଗଲ ବିଭାଗ ଓ ପୁଲିସ ଅଧିକାରୀ ପହଂଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଶବ ସତ୍କାରର ବ୍ୟବସ୍ଥା କରିଛନ୍ତି ।
ସୂଚନା ମୁତାବକ ଏହି ଅଭୟାରଣ୍ୟରେ ଆସୁଥିବା ପୁରୁଣାକୋଟ ବନାଂଚଳରେ ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁ ଧାନ ଖାଇବାକୁ ରାତିଦିନ ସବୁ ସମୟରେ ବିଲରେ ପ୍ରବେଶ କରୁଛନ୍ତି । ସେମାନଙ୍କୁ ଅଟକେଇବା ପାଇଁ ଯାହା ବ୍ୟବସ୍ଥା ସରକାର କରିଛନ୍ତି ତାହା ହାତୀକୁ ହୋମିଓପ୍ୟାଥି ସଦୃଶ । ଅର୍ଥାତ୍ ନଗଣ୍ୟ । ଚାଷୀମାନେ ନିଜର ଫସଲ ବଂଚାଇବା ପାଇଁ କିଛି କଲାବେଳକୁ ସେଥିରେ ହାତୀ ମରୁଛନ୍ତି । ଚାଷୀ ଗିରଫ ହୋଇ ଜେଲରେ ସଢୁଛନ୍ତି । ସେଇଟା ନକଲାବେଳକୁ ବିଚରା ଚାଷୀ ଓ ଚାଷୀ ପରିବାରଟା ମରିଯାଉଛି ।
୨୪ଘଣ୍ଟା ଭିତରେ ଖୋଦ ରାଜଧାନୀ ଉପକଣ୍ଠରେ ଥିବା ପଥରଗାଡ଼ିଆ ଅଂଚଳରେ ତିନୋଟି ହାତୀ ସ୍ଥାନୀୟ ଚନ୍ଦକା ଜଙ୍ଗଲରୁ ଆସି ଚାଷୀଙ୍କର ବ୍ୟାପକ ଧାନ ଫସଲ ନଷ୍ଟ କରିଦେଲେ । ସ୍ଥାନଟି ଚନ୍ଦକା ହାତୀ ଅଭୟାରଣ୍ୟକୁ ଲାଗି ରହିଥିବାବେଳେ ସେଠାରେ ଗୋଟିଏ ଗୋଟିଏ ଆପାର୍ଟମେଂଟ ଉଠୁଛି ଆଉ କୋଟି କୋଟି ଟଙ୍କାରେ ବିକ୍ରୀ ହେଉଛି । ଏବେ ସେଠାରେ ଗୋଟିଏ ଗଣେଶବିହାର ବହୁତଳ ପ୍ରାସାଦ ରହିଛି ଯେଉଁଥିରେ ଲୋକ ରହୁଛନ୍ତି । ଗୋଟିଏ ଗୋଟିଏ ଫ୍ଲାଟ ଏଠି କୋଟିକରୁ ବେଶୀଟଙ୍କାରେ ବିକ୍ରୀ ହେଉଛି । ଆମେ ଶୁଣିଲୁ ଏବେ ସେଠାକାର ଲୋକେ ହାତୀ ଭୟରେ ଘରୁ ବାହାରୁ ନାହାନ୍ତି । ସେମାନେ ଜଙ୍ଗଲ ବିଭାଗ, ପୁଲିସ ସମସ୍ତଙ୍କୁ ଫୋନ କରୁଛନ୍ତି । କାରଣ ଗତ ଦୁଇଦିନ ଧରି ତିନୋଟି ହାତୀ ଆସି ଆପାର୍ଟମେଂଟ ପାର୍କିଂସ୍ଥଳରେ ରହୁଛନ୍ତି । ଯାଉ ନାହାନ୍ତି ।
ହାତୀ-ମଣିଷ ସଂଘର୍ଷ କମ୍ କରିବା ଉପରେ ଅନେକ ଦିନ ଧରି କାର୍ଯ୍ୟ କରିଥିବା ଜଙ୍ଗଲ ବିଭାଗର ଜଣେ ସେବାନିବୃତ୍ତ ଅଧିକାରୀ କମଳଲୋଚନ ପୁରୋହିତ ଏବେ ବଲାଙ୍ଗୀରର ନିଜର ଗାଁରେ ରହି ଚାଷବାସ ବୁଝୁଛନ୍ତି । ସେ ପ୍ରାୟ ଭୁବନେଶ୍ୱର ଛାଡ଼ି ଦେଇଛନ୍ତି ବୋଲି କହିଲେ ଚଳେ । କିନ୍ତୁ ଚାକିରୀ କାଳରେ ସେ ହାତୀ-ମଣିଷ (ବିଶେଷକରି ଚାଷୀ) ସଂଘର୍ଷକୁ ନିୟନ୍ତ୍ରଣ କରିବାପାଇଁ ଯେଉଁ କଥାଗୁଡ଼ିକୁ ଆଗକୁ ଆଣିଥିଲେ ତା ଭିତରୁ ପ୍ରଥମ କଥାଟି ଥିଲା ହାତୀର ଘର(ବାସସ୍ଥଳୀ) ସଜାଡ଼ିବା କଥା । ଅର୍ଥାତ୍ ସରକାର ହାତୀର ଘରକୁ ନଷ୍ଟ ନକରି ସଜାଡ଼ନ୍ତୁ । ଚନ୍ଦକା ହାତୀ ଅଭୟାରଣ୍ୟ ହେଉଛି ହାତୀମାନଙ୍କର ଏକ ଜଣାଶୁଣା ଘର । ସେଇଥିପାଇଁ ତାକୁ ଅଭୟାରଣ୍ୟ ଘୋଷିତ କରାଯାଇଥିଲା । ଏବେ ମଣିଷମାନଙ୍କୁ ରାଜଧାନୀରେ ଆଉ ବାସଘର ଉପଯୋଗୀ ଜମି ମିଳୁ ନାହିଁ । ସେମାନେ ସରକାରୀ ବାବୁମାନଙ୍କ ପ୍ରୋତ୍ସାହନ ନହେଲେ ବିଲଡରମାନଙ୍କୁ ପ୍ରବଳ ପଇସା ଦେଇ ହାତୀସାଙ୍ଗରେ ହାତୀ ବାସସ୍ଥଳୀରେ କୋଠାକରି ରହିଲେଣି । ହାତୀ ଅଭୟାରଣ୍ୟ ଭିତରେ ଲୋକମାନେ ସୁସ୍ଥ ରହିବାପାଇଁ ମର୍ଣ୍ଣିଂ ୱାର୍କ, ଟ୍ରେକିଂ ଆଦି କଲେଣି । ଏପରିକି ଅନେକ କର୍ପୋରେଟ କମ୍ପାନିଙ୍କୁ ଏଠାରେ ତାଙ୍କ କାରଖାନା ଲଗାଇବାକୁ ଜମି ଦିଆଯାଇ ସାରିଲାଣି । ପଚାରିଲେ କୁହାଯାଉଛି ସେମାନେ ଅଭୟାରଣ୍ୟ ବାହାରେ କମ୍ପାନି କରୁଛନ୍ତି । ସିଧା କଥା ହେଲା ଧୀରେ ଧୀରେ ମଣିଷ ହାତୀ ଅଭୟାରଣ୍ୟରେ ପଶି ଜବରଦସ୍ତି ହାତୀ ଘରକୁ ମାଡ଼ି ବସୁଛି । ହାତୀ ବାସସ୍ଥଳୀରେ ମଣିଷ ବାସସ୍ଥଳୀ କରୁଛି ।
ପୁରୋହିତ ସାରଙ୍କ କହିବା ଅନୁଯାୟୀ ହାତୀର ଦୁଇଟି ଦୁର୍ଗୁଣ । ଗୋଟିଏ ହେଲା ଏହା ନିଜର ବାସସ୍ଥଳୀକୁ ଭୁଲିପାରେ ନାହିଁ । ଯେଉଁଠିଥିଲେ ବି ଏହା ନିଜର ବାସସ୍ଥଳୀକୁ ଫେରିଥାଏ । ସେଥିପାଇଁ ହାତୀର ଏକ ଚଲାପଥ ଥାଏ । ଏବେ ସେ ଚଲାପଥଗୁଡ଼ିକରେ ସରକାରୀ ବେସରକାରୀ ପ୍ରାସାଦ ଏବଂ ସଡ଼କ, ରେଳଲାଇନ ଆଦିଗୁଡ଼ିଏ ତିଆରି ହେଲାଣି । ହାତୀ ତା ବାସସ୍ଥଳୀକୁ ଫେରିବାକୁ ବାଟ ପାଉନାହିଁ । କୋଠା ହିଁ କୋଠା । ହାତୀ କେବଳ ଗୋଟିଏ ସାଇନବୋର୍ଡ ଦେଖୁଛି ଯେଉଁଥିରେ ଲେଖାଯାଇଛି -ହାତୀ ଚଲାପଥ । ଦୁଇରେ ଅବାଧରେ ଗଛକାଟି ହାତୀର ବାସସ୍ଥଳୀ ଗୁଡ଼ିକୁ ସଫା କରିଦିଆଯିବା ଫଳରେ ହାତୀକୁ ଆଉ ପୂର୍ବପରି ତା ବାସସ୍ଥଳୀରେ ଖାଦ୍ୟ ମିଳୁନାହିଁ । ତେଣୁ ସେ ଭୋକ ବିକଳରେ ଗାଁ, ସହର, ବିଲବାଡ଼ି, ହାତୀମୁଣ୍ଡ ଥିବା ମଣିଷ ଗଣେଶଙ୍କ ବିହାରରେ ପଶୁଛି । ହାତୀ ବାସସ୍ଥଳୀରେ ଏବେ ପାଣିର ଅଭାବ । ହାତୀଙ୍କ ଖାଇବାପାଇଁ ଆଉ ଲୁଣମାଟି ମିଳୁନାହିଁ । ହାତୀ ଏଡ଼େ ବଡ଼ ଶରୀରଟାକୁ ନେଇ କରିବ କ’ଣ? ଏଥର ମଣିଷ ଭାବୁ କ’ଣ କରିବ? କଳାପଇସା ଅଛି ବୋଲି ହାତୀଙ୍କ ବାସସ୍ଥଳୀଯାକ ଧ୍ୱସ୍ତ କରି ସେଠି ନିଜେ ରହିବ କି ନିଜ ବାସସ୍ଥଳୀରେ ରହିବ । କ’ଣ କରିବ?
ଜନ ଅନୁଭବ
ସେଦିନ ଆମେ ସବୁ ପତ୍ନୀପୀଡ଼ିତ ଏକାଠି ହୋଇ ପ୍ରାତଃଭ୍ରମଣରେ ଚାଲିଥିବାବେଳେ ରିଟାୟାର୍ଡ ସରକାରୀ ଅଫିସର ମଲ୍ଲିକବାବୁ ପାଟିକଲେ -ହଇହେ ସାମ୍ବାଦିକେ! ଏ ସରକାରଙ୍କର ଆଭିମୁଖ୍ୟଟା କ’ଣ? ଆମେ ପଚାରିଲୁ ଆଭିମୁଖ୍ୟ ମାନେ? ମଲ୍ଲିକବାବୁ କହିଲେ-ଏ ସରକାରର ମତିଗତି କ’ଣ ବୋଲି ଲୋକେ ପଚାରୁଛନ୍ତି । ଆମେ କହିଲୁ ମତିଗତି ସେଇଆ । ଜନସେବା, ରାଜ୍ୟର ବିକାଶ ଏଇସବୁ ଆଉ କ’ଣ? ମଲ୍ଲିକ ବାବୁ ପଚାରିଲେ-‘ସେଥିରୁ କେଉଁଟା ହେଉଛି?’ ଆମେ ପଚାରିଲୁ-କେଉଁଟା ହେଉନି? ବାବୁ ଏଥର ଆମଆଡକୁ ଚାହିଁ କହିଲେ – ‘କ’ଣ? କେଉଁଟା ହେଉନି? ଆଏ ହେଉଛି କେଉଁଟା? ଲୋକଙ୍କର କ’ଣ ଦରକାର? ଟିକେ ଭଲ ରାସ୍ତାଘାଟ, ଉଚିତ୍ ଦାମରେ ଗଣ୍ଡା ଖାଦ୍ୟଦ୍ରବ୍ୟ, ଟିକିଏ ନିୟନ୍ତ୍ରିତ ବଜାର ଦର, ଲୋକଙ୍କ ହାତକୁ କାମ ଟିକେ ବା ଆତ୍ମନିର୍ଭର ହେବାର ବ୍ୟବସ୍ଥା, ସ୍ୱାସ୍ଥ୍ୟ ମାନେ ହସପିଟାଲ ଯେଉଁଥିରେ ଡାକ୍ତର ଥିବେ, ଇସ୍କୁଲଟିଏ ଯେଉଁଥରେ ମାଷ୍ଟର ଥିବ, ଯିଏକି ନିଜେ ପାଠ ଦିଅକ୍ଷର ପଢ଼ିଥିବ ଓ ପିଲାଙ୍କୁ ପଢ଼ାଉଥିବ । ସେଥିରୁ କେଉଁଟା ମିଳୁଛି? ଆମେ କହିଲୁ-ସରକାର ତ ମୋଟେ ୪ ମାସ ହେଲା ଆସିଲା । ଟିକେ ନିଶ୍ୱାସ ମାରୁ । ବାବୁ ପୁରା ଚିହିଁକି ଗଲା ପରି କହିଲେ- କି ନିଶ୍ୱାସ ହେ? ଯେତେବେଳେ ଆମେ ସରକାରକୁ ଆସି ନଥିଲୁ କ’ଣ କହୁଥିଲୁ? ପେଟ୍ରୋଲ ଦର ବଢିଯାଉଛି । ରାଜ୍ୟ ସରକାର ଭାଟ୍ ଛାଡୁନାହାନ୍ତି କାହିଁକି? ଦର କମିଯିବ । କେବଳ କେନ୍ଦ୍ର ସରକାର ଚାହିଁଲେ କ’ଣ ପେଟ୍ରୋଲ ଦର କମିଯିବ? ରାଜ୍ୟ ସରକାର ଚାହିଁଲେ ବି କମିବ । ଏବେ ତ ଡବଲ ଇଞ୍ଜିନ୍ । ଲୋକେ ଆମକୁ ଛି ଛାକର କରୁଛନ୍ତି । କୁହାଳିଆ, ଡହରା ବୋଲି କହୁଛନ୍ତି । ଆଉ କହିବେନି । ସେତେବେଳେ ସିନା ଆଉ କିଏ ସରକାରରେ ଥିଲା । ଏବେ ତ ଡବଲ ଇଞ୍ଜିନ୍ ନା । ସେଠି କେନ୍ଦ୍ରରେ ଯିଏ, ଏଠି ରାଜ୍ୟରେ ସିଏ । ରାଜ୍ୟ ସରକାର ଭାଟ୍ କମାଇଦେଲେ ହୁଅନ୍ତା ନି? ଭାଟ୍ କମାଇ ଦେଉ ନାହାନ୍ତି । ଲୋକ ଟିକେ ଅନୁଭବ କରନ୍ତୁ ଯେ ସରକାର ବଦଳିଛି । ଆମେ କହିଲୁ ଦେଖିବା! ସରକାର ଦେଖାହେଲେ କହିବା । ଆଉ କ’ଣଟା କରିବା? ମଲ୍ଲିକ ବାବୁ ମୁଁହ ଛିଂଚାଡି କହିଲେ ସେଇ ଗୋଟାକ ଶିଖିଛ ।
ଆଉ ଟଙ୍କାରେ ହେବନି, ଡଲାର ଚାଲୁ
ପାଠକେ! ମୁଁ ଭାବୁଛି ଆମ ପ୍ରଭାତ-ବୁଲା ଖଟିରୁ ବାହାରିଥିବା ଏ ପ୍ରସ୍ତାବଟା ସିଧା ନରେନ୍ଦ୍ର ମୋଦୀଙ୍କୁ ଦିଆଯିବା ଦରକାର । କାରଣ ଭାରତରେ ଥିବା ୧୪୦ କୋଟି ପାଖାପାଖି ଜନତାଙ୍କ ଭିତରୁ ସେ ହିଁ ଏକମାତ୍ର ବ୍ୟକ୍ତି ଯିଏ ମିଛଟାକୁ ଗୋଟାଏ ଖୁବ୍ ବଡ଼ ଦୃଷ୍ଟିକୋଣ ରଖି କହିଥାଆନ୍ତି । ଯା ଫଳରେ ଲୋକଙ୍କୁ ଲାଗେ ଯେ ମିଛଟା ହିଁ ପ୍ରକୃତରେ ସତ୍ୟ । ଆଉ ସାରା ଜଗତଟା ମିଥ୍ୟା ।
ପରାମର୍ଶଟା ଏହି ପ୍ରକାରର । ଏବେ ଆମର ଏଠି ସବୁ ଜିନିଷର ମୂଲ୍ୟ ପାଖାପାଖି ୧୦୦ଟଙ୍କାକୁ ଛୁଇଁଲାଣି । ସବୁ ପରିବା ଏବେ ପାଖାପାଖି କିଲୋ ୧୦୦, ନହେଲେ ବି ୧୦୦ ପାଖାପାଖି । ଆଳୁନାମକ ପରିବାଟି ତ ୧୦୦କୁ ପାରି ହୋଇ ଯାଇଥିଲା, ଏବେ ପୁଣିଥରେ ଦୟାକରି ୫୦ ପାଖାପାଖିକୁ ପଳେଇ ଆସିଛି । ଜଣମାଧ୍ୟମ ବାଲାଏ ଖଡିରତ୍ନ ପାଞ୍ଜିରେ ଭୂମିକମ୍ପ ହେବ ବୋଲି ଲେଖା ଯାଇଥିବା କଥାକୁ ଯେଉଁ ପ୍ରକାରରେ ପ୍ରଚାର କରିବା ଅରମ୍ଭ କରିଛନ୍ତି, ତାର ଉପସ୍ଥାପନାକୁ ଆଉ ଟିକେ ନାଟକୀୟ କରିଦେଲେ ଆଳୁ ପୁଣି ୧୫୦ରେ ପହଞ୍ଚିଯିବ । ଏବେ ବଜାରରେ ଆଳୁ ସାଙ୍ଗରେ ପ୍ରତିଯୋଗିତା କରୁଛି ନାଲିଆ ନାଲିଆ ଭୁରୁକୁଟିଆ କୋଶଳା ଶାଗ । ବିଡ଼ାକୁ ୧୦ । ଯଦି ଟିକେ ଛନଛନିଆ ବିଡ଼ା, ତେବେ ଗୋଟା ୧୫ । ସେଇଥିପାଇଁ ଶାଗ ବେପାରୀମାନେ ପରିବା ମହଲରେ ସେମାନଙ୍କ ସାମଗ୍ରୀର ପ୍ରତିପତ୍ତିକୁ ପ୍ରତିପାଦିତ କରିବା ପାଇଁ ମଝିରେ ମଝିରେ ଗୋଟା ପଦ ଛାଡି ଦେଉଛନ୍ତି- “ଚାଉଳ ମାଗଣା ଶାଗ ଦଶ ।” ଅର୍ଥାତ୍ ଆଗରୁ ଯେପରି ଚାଉଳ ଅଭାବ ପାଇଁ ‘ଭାତ’ ନାଁଆରେ ନାଟକ ଲେଖାଯାଉଥିଲା ସେ ଯୁଗ ଗଲାଣି । ଏବେ ଆସିଛି ଛନଛନିଆ ଶାଗର ଯୁଗ । ଚାଉଳଠୁ ଦାମିକା । ଚାଉଳ ଗୁଡ଼ା ତ ମାଗଣାରେ ଯାହାକୁ ଯେତେ । ଶାଗ ଦଶ ।
ପାଠକେ କେବଳ ପରିବା ପତ୍ରର ଦାମ ୧୦୦ ମାରୁଛି ବୋଲି ନୁହେଁ । ‘ଟଙ୍କା’ ଯାହାକୁ ଦେଇ ଜଣେ ଶାଗ କିଣିବ ତା ଦାମ ବି ସେଇ ପାଖାପାଖି ୧୦୦ । ଅର୍ଥାତ୍ ଅନ୍ତରାଷ୍ଟ୍ରୀୟ ବଜାରରେ ଟଙ୍କା ମାନଙ୍କର ରାଜା ଡଲାରର ମୂଲ୍ୟ ବର୍ତ୍ତମାନ ଭାରତୀୟ ଟଙ୍କାରେ ୮୬ ମାନେ ପାଖାପାଖି ୧୦୦ ଟଙ୍କା ।
ତେଣୁ ଆମର ଜଣେ ଖଟି ବିଜ୍ଞାନୀଙ୍କ ଅମୂଲ୍ୟ ମାନେ ମାଗଣା ପରାମର୍ଶ ହେଲା ଯେ ଭାରତରେ ଏବେ ଟଙ୍କାର ପ୍ରଚଳନ ବନ୍ଦ କରାଯାଇ ‘ଡଲାର’ ଚାଲୁ । ମୋଦୀ ହେ ତୋ ମୁମକିନ୍ ହେ । ଧରାଯାଉ ଜଣେ ପଚାରିଲା ପେଟ୍ରୋଲ ଲିଟର ପିଛା ଦର କେତେ? ପେଟ୍ରୋଲବାଲା କହିଲେ-ଓନଲୀ ୱାନ ଡଲାର । ମାନେ କେବଳ ଗୋଟିଏ ଡଲାର । ପୁରା ଶସ୍ତା । ୧୦୦ଟଙ୍କା କହିଲେ ସରକାର ବଦନାମ ହେଉଛନ୍ତି । କୁହାଯାଉଛି କ’ଣ ନା ଜିନିଷପତ୍ରର ଦାମ ଆକାଶଛୁଆଁ ହୋଇଯାଉଛି । ସେମିତି ଦରଦାମ ପୁରା ୧୦୦% ଖସି ଆସିବ । ମାତ୍ର ଗୋଟିଏ ଡଲାରରେ ଲିଟରେ ପେଟ୍ରୋଲ । ଏବେ ହାଟମାନଙ୍କରେ ଶାଗ ଯେଉଁ ଭାଉ ଖାଉଛି, ସିଏ କୁଆଡ଼େ ଉଡ଼ିଯିବ । ସେତେବେଳେ ମାତ୍ର ୫ଭାଗରୁ ଭାଗେ ଡଲାରରେ ବିଡାଏ ଛନଛନିଆ ଶାଗ ମିଳିବ । ଆଉ କିଏ କହିବ କି ଦର ବଢ଼ିଗଲା । ଓଲଟା ଶାସକଦଳର ପବନା ବାହିନୀ ଗଳାଫଟାଇ ଚିକ୍ରାର କରି କହିପାରିବେ ଯେ ଭାରତରେ ଜିନିଷପତ୍ରର ଦାମ ଆମେରିକାଠୁ ବି ଶସ୍ତା । ବିଚାର ଆପଣଙ୍କର ।
Comments
0 comments